Tuesday, June 14, 2022

“ରଜ ପର୍ଵ ସହିତ ସାମଞ୍ଜସ୍ୟ ଥିଵା କିଛି ଭାରତୀୟ ପର୍ଵ”



ଓଡ଼ିଶାର ଵିଭିନ୍ନ ଜନଜାତିର ଲୋକ ପ୍ରତିଵର୍ଷ ୧୩ ଜୁନରୁ ୧୬ ଜୁନ ମଧ୍ୟରେ ରଜୋତ୍ସଵ ପାଳିଥାଆନ୍ତି । 

ରଜ ପ୍ରକୃତି ପୂଜନର ଉତ୍ସଵ ,ସର୍ଵ ଜୀଵଙ୍କର ମାତା ଧରଣୀମାତାଙ୍କୁ ଆରାଧନାର ପର୍ଵ ହେଉଛି ରଜପର୍ଵ । 

ଭାରତ କ'ଣ ସାରା ପୃଥିଵୀରେ ଏଭଳି ପର୍ଵ ପାଳନ ଵିରଳ । ତେବେ ଭାରତରେ ଆଉ ଏକ ଅଞ୍ଚଳରେ ମଧ୍ୟ ଏହି ଧରଣର ଉତ୍ସଵ ଵର୍ଷର ଭିନ୍ନ ସମୟରେ ପାଳିତ ହୋଇଥାଏ । 

ଦକ୍ଷିଣ ଭାରତର ତାମିଲନାଡୁ, କର୍ଣାଟକ ତଥା କେରଳର ମଧ୍ୟ ଭାଗରେ ତୁଲୁ ଭାଷୀ ଲୋକେ ଵସଵାସ କରନ୍ତି । ଏହି ଅଞ୍ଚଳକୁ ତୁଲୁନାଡ଼ୁ କୁହାଯାଏ । 

ଏହି ତୁଲୁଭାଷୀମାନେ ಕೆಡ್ಡಸ(keḍḍasa) ଵା Keddaso ନାମରେ ଏକ ତ୍ରିଦଵସୀୟ ପର୍ଵ ପାଳିଥାଆନ୍ତି । 

ତୁଲୁନାଡ଼ୁ ଅଞ୍ଚଳରେ ಕೆಡ್ಡಸ(keḍḍasa) ପର୍ଵ ପ୍ରତିଵର୍ଷ ୧୦ ଫେବୃଆରୀରୁ ୧୪ ଫେବୃଆରୀ ମଧ୍ୟରେ ପାଳିତ ହୋଇଥାଏ । 

ଓଡ଼ିଶାର ରଜପର୍ଵ ସହିତ ଏହି ପର୍ଵର ଅନେକ ସମାନତା ରହିଛି । ଯଥା—


🌸ಕೆಡ್ಡಸ(keḍḍasa) ଓ ରଜୋତ୍ସଵ
ଉଭୟ ପର୍ଵ ତିନିଦିନ ଧରି ପାଳିତ ହୋଇଥାଏ

🌸ଉଭୟ ପର୍ଵରେ ଚତୁର୍ଥ ଦିନ ଵସୁମତୀ ସ୍ନାନର ପରମ୍ପରା ପ୍ରଚଳିତ

🌸ଉଭୟ ପର୍ଵ କୃଷିଭିତ୍ତିକ ପର୍ଵ ଏଵଂ ಕೆಡ್ಡಸ(keḍḍasa) ତଥା ରଜୋତ୍ସଵ ପାଳିତ ହେଉଥିଵା ତିନି ଦିନ କୃଷକମାନେ କୃଷିକାର୍ଯ୍ୟ ତଥା ଭୂମି ଖନନ କରନ୍ତି ନାହିଁ 

🌸ଉଭୟ ପର୍ଵରେ ତିନିଦିଵସର ଭିନ୍ନ ଭିନ୍ନ ନାମକରଣ ହୋଇଛି । ତ୍ରୀଦିଵସୀୟ ಕೆಡ್ಡಸ(keḍḍasa) ପର୍ଵର ପ୍ରଥମ ଦିନକୁ 
Keddasa , ଦ୍ଵିତୀୟ ଦିନକୁ Nadu Keddasa ଓ ଶେଷ ଦିନକୁ Kade Keddasa କୁହାଯାଉଥିଲା ବେଳେ ଓଡ଼ିଶାର ରଜୋତ୍ସଵର ପ୍ରଥମ ଦିଵସକୁ ପହିଲି ରଜ ଵା ରଜ, ଦ୍ଵିତୀୟ ଦିଵସକୁ ରଜ ସଂକ୍ରାନ୍ତି ଓ ଶେଷ ଦିଵମକୁ ଶେଷ ରଜ ଵା ରଜ ବାସୀ କୁହାଯାଇଥାଏ । 

🌸ଓଡ଼ିଶାର ରଜ ପର୍ଵ ପରି ତୁଲୁନାଡୁର ಕೆಡ್ಡಸ(keḍḍasa) ପର୍ଵ ପାଳନ ସମୟରେ କେତେକ ଗୀତ ଗାୟନ ହୋଇଥାଏ କିନ୍ତୁ ସେମାନେ ଓଡ଼ିଶାର ଲୋକଙ୍କ ପରି ଦୋଳି ଖେଳୁଥିଵା ସମୟରେ ଏସବୁ ଗୀତ ଗାୟନ କରନ୍ତି ନାହିଁ 


ଓଡ଼ିଶାର ରଜ ପର୍ଵ ଓ ତୁଲୁନାଡୁର ಕೆಡ್ಡಸ(keḍḍasa) ପର୍ଵ ମଧ୍ୟରେ ସାମଞ୍ଜସ୍ୟ ଅପେକ୍ଷା ପାର୍ଥକ୍ୟ ତତୋଽଧିକ । ଯଥା—

🏵️ଉଭୟ ପର୍ଵର ରୀତିନୀତି ଓ ସମୟକାଳ ସମ୍ପୂର୍ଣ୍ଣ ଭିନ୍ନ ଭିନ୍ନ । ରଜପର୍ଵ ଵର୍ଷା ଆଗମନ ସମୟରେ ପାଳିତ ହେଉଥିଵାଵେଳେ ಕೆಡ್ಡಸ(keḍḍasa) ପର୍ଵ ଵସନ୍ତ ଋତୁରେ ପାଳିତ ହୋଇଥାଏ । 

🏵️ରଜପର୍ଵ ମିଥୁନ ସଂକ୍ରାନ୍ତିକୁ ଆଧାର କରି ପାଳିତ ହୋଇଥାଏ କିନ୍ତୁ ಕೆಡ್ಡಸ(keḍḍasa) ପର୍ଵ କୌଣସି ସଂକ୍ରାନ୍ତି ଵା ପୂର୍ଣ୍ଣିମା ଭଳି ଵିଶିଷ୍ଟ ତିଥିରେ ପାଳିତ ହୋଇନଥାଏ । 


🏵️ରଜ ପର୍ଵରେ ଦୋଳି ଖେଳର ପ୍ରଚଳନ ଅଛି କିନ୍ତୁ ତୁଲୁନାଡୁରେ ଦୋଳି ଖେଳନ୍ତି ନାହିଁ

🏵️ସାଧଵ ଵୋହୂ ପୋକର ପୂଜା ରଜ ପର୍ଵରେ ପ୍ରଚଳିତ କିନ୍ତୁ ସେଭଳି କୌଣସି ପ୍ରଥା ତୁଲୁନାଡୁ଼ର ಕೆಡ್ಡಸ(keḍḍasa) ପର୍ଵ ସମୟରେ ପାଳିତ ହୋଇନଥାଏ

🏵️ରଜ ପର୍ଵରେ ଗ୍ରାମାଞ୍ଚଳର ମହିଳାମାନେ କଟା ବଟା ନକରିଵାର ପରମ୍ପରା ରହିଛି କିନ୍ତୁ ଏଭଳି କୌଣସି ପରମ୍ପରା ಕೆಡ್ಡಸ(keḍḍasa) ପର୍ଵରେ ଥିଵା ଜଣାଯାଏ ନାହିଁ ।

🏵️ତୁଲୁନାଡୁର ಕೆಡ್ಡಸ(keḍḍasa) ପର୍ଵରେ ପଶୁ ଶିକାର କରିଵାର ପରମ୍ପରା ରହିଛି । ସାଧାରଣତଃ ଚାଷୀମାନେ ସେମାନଙ୍କର ଫସଲ ନଷ୍ଟ କରୁଥିଵା ବନ୍ୟଜନ୍ତୁଙ୍କର ଶିକାର ଶୀତଦିନେ କରୁଥିଲେ ଯାହା ଏହି ପର୍ଵ ସହିତ ସଂଯୁକ୍ତ ହୋଇଅଛନ୍ତି । କିନ୍ତୁ ରଜପର୍ଵ ସମୟରେ ଶିକାର କରିଵାର ପରମ୍ପରା ଦେଖାଯାଏ ନାହିଁ । 

ମୋଟ ଉପରେ କହିଵାକୁ ଗଲେ ଗୋଟିଏ ପଟେ ରଜ ଏକ ସାତ୍ଵିକ ପର୍ଵ ହୋଇଥିଲା ବେଳେ ତୁଲୁନାଡୁର ಕೆಡ್ಡಸ(keḍḍasa) ପର୍ଵ ସମୟରେ ଶିକାର ତଥା ମାଂସ ଭକ୍ଷଣ ହେଉଥିଵାରୁ ଏହା ରାଜସିକ ପର୍ଵ ପଦଵାଚ୍ୟ । ଗୋଟିଏ ପଟେ ଓଡ଼ିଆମାନେ ସାଧଵଵୋହୂ ଭଳି ନିରୀହ କ୍ଷୁଦ୍ର ଜୀଵକୁ ରଜ ସଂକ୍ରାନ୍ତି ଦିନ ପୂଜା କରୁଥିଵା ବେଳେ ତୁଲୁନାଡ଼ୁର ಕೆಡ್ಡಸ(keḍḍasa) ପର୍ଵରେ ଫସଲ ନଷ୍ଟ କରୁଥିଵା ତୃଣଭୋଜୀ ଜଙ୍ଗଲୀ ଜୀଵଙ୍କର ଶିକାର କରିଵାର ପରମ୍ପରା ପ୍ରଚଳିତ । 

ପୂର୍ଵକାଳରେ ବିହାର ,ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶରେ ଶ୍ରାଵଣ ମାସରେ ଦୋଳି ଖେଳର ପରମ୍ପରା ପ୍ରଚଳିତ ଥିଲା । 

ଭାରତରେ ଆଉ ଦୁଇଟି ପରମ୍ପରା ସହିତ ଓଡ଼ିଶାର ରଜପର୍ଵର ସାମାନ୍ୟ ସାମଞ୍ଜସ୍ୟ ରହିଛି ‌ । ଵିଶେଷତଃ ଦୋଳିଖେଳ ସମ୍ବନ୍ଧୀୟ ସାମଞ୍ଜସ୍ୟ । ଉତ୍ତର ଭାରତରେ ଶ୍ରାଵଣ ତଥା ଭାଦ୍ରଵ ମାସରେ ଦୋଳି ଖେଳର ପରମ୍ପରା ପୂର୍ଵେ ପ୍ରଚଳିତ ଥିଲା ଏବେ କେତେକ ଗ୍ରାମାଞ୍ଚଳକୁ ଛାଡ଼ି ଦେଲେ ଅନ୍ୟତ୍ର ଏହା ଲୁପ୍ତ ହୋଇସାରିଛି । 

ଓଡ଼ିଶାରେ ମୌସୁମୀ ଵର୍ଷା ଜୁନ ମାସରେ ଆରମ୍ଭ ହୋଇଯାଏ କିନ୍ତୁ ଉତ୍ତର ଭାରତରେ 
ଏ ଧରଣର ଵର୍ଷା ଏହାରକେତେକ ଦିନ ପରେ ହୋଇଥାଏ । ଯେତେବେଳେ ଶ୍ରାଵଣ ମାସରେ ଵର୍ଷାରମ୍ଭ ହେଉଥିଲା ସେତେବେଳେ ଉତ୍ତର ପ୍ରଦେଶ, ବିହାର ଓ ମଧ୍ୟ ପ୍ରଦେଶର ଲୋକେ ଗଛରେ ଦୋଳି ବାନ୍ଧି ଖେଳୁଥିଲେ । ଗ୍ରାମ ସହର ସବୁଠି ଦୋଳି ଖେଳ ହେଉଥିଲା । କନ୍ୟାମାନେ ରୁଣ୍ଢ ହୋଇ ଗଛରେ ଦୋଳି ବାନ୍ଧି ଖେଳୁଥିଲେ । କୁହାଯାଏ ଉତ୍ତର ଭାରତରେ ଦୋଳି ଖେଳର ପରମ୍ପରା ପ୍ରଥମେ ଶ୍ରୀକୃଷ୍ଣ ଆରମ୍ଭ କରିଥିଲେ । ସେଥିପାଇଁ ଉତ୍ତର ଭାରତରେ ପ୍ରଚଳିତ ଶ୍ରାଵଣ ମାସର ଗୀତ ସାଧାରଣତଃ ଶ୍ରୀକୃଷ୍ଣଙ୍କ ଭଜନ ହୋଇଥାଏ । ନିମ୍ନରେ ବ୍ରଜବୋଲୀରେ ରଚିତ କେତେକ କୃଷ୍ଣଦୋଳୀ ଗୀତର ପଂକ୍ତି ଉଦାହରଣ ସ୍ୱରୂପ ପ୍ରଦତ୍ତ ହେଲା...

(କ)"ହିଂଡୋଲା ବାଗ ମେଂ ଡାଲୋରେ, ଝୁଲନ ଆଈ ରାଧିକା ପ୍ଯାରୀରେ ||

କାହେ କେ ଖଂବ ଗଡ଼ଵାୟେରେ, କାହେ କୀ ଡାଲୀଂ ଡୋରିୟାଁ ପ୍ଯାରୀରେ || ହିଂଡୋଲା...”

(ଖ)"ଅମ୍ବୁଆ କୀ ଡାଲୀ ପେ ଝୂଲା ପଡ୍ଯୋ ହୈ ରାଧା ସଂଗ ଶ୍ଯାମ ଝୂଲେଂ ଧୀରେ ଧୀରେ ଶ୍ଯାମ ତେରୀ...
ହମ ସବ ଆଏ ଶରଣ ମେଂ ତେରୀ
ହମକୋ ଭୀ ଦର୍ଶନ ମିଲେ ଧୀରେ ଧୀରେ ॥ ଶ୍ଯାମ ତେରୀ ...”

(ଗ)“ଅରୀ ବହନା ଝୂଲା ତୋ ଝୂଲେଂ ନଂଦଲାଲ, ଝୁଲାଵେଂ ପ୍ଯାରୀ ରାଧିକା |
ରେସମ କୀ ଡୋରୀ ଡାଲୀ କଦମ ପେ
ଅରୀ ବହନା, ପଟଲୀ ମେଂ ଜଡ଼େ ହୀରା ଲାଲ || ଝୁଲାଵେଂ ପ୍ଯାରୀ...”

ଆଧୁନିକ ଯୁଗର ପ୍ରଭାଵ,ବହୁ ସଂଖ୍ୟାରେ ଵୃକ୍ଷ କର୍ତ୍ତନ, ମହିଳାମାନଙ୍କ ପ୍ରତି ଅପରାଧ ବୃଦ୍ଧି, ସାମାଜିକ ସୌହାର୍ଦ୍ଦ୍ୟର ଅଭାଵ ଓ ଵ୍ୟସ୍ତ ଜୀଵନଶୈଳୀ ଆଦି କାରଣରୁ ଏ ପରମ୍ପରା ଉତ୍ତର ଭାରତରୁ ପ୍ରାୟତଃ ଲୁପ୍ତ ହୋଇଯାଇଅଛି । 

ଉତ୍ତର ପ୍ରଦେଶ ଓ ବିହାରର କେତେକ ଅଞ୍ଚଳରେ ଆଜି ବି ଭାଦ୍ରଵ କୃଷ୍ଣ ତୃତୀୟା ଦିନ "କଜରୀ ପର୍ଵ" ପାଳନ ସମୟରେ ଦୋଳି ବାନ୍ଧି କନ୍ୟାମାନେ କଜରୀ ଗୀତ ଗାଇ ଗାଇ ଦୋଳି ଖେଳନ୍ତି । କିନ୍ତୁ ଏହି ପରମ୍ପରା ମଧ୍ୟ ଧୀରେ ଧୀରେ ଲୁପ୍ତ ହେଵାକୁ ବସିଛି । 

ଆଜିକାଲି ଓଡ଼ିଶାରେ ମଧ୍ୟ ରଜପର୍ଵର ସ୍ଥିତି ପୂର୍ଵ ପରି ରହିନାହିଁ । ପରିଵେଶ ପ୍ରଦୂଷଣ ଯୋଗୁଁ ସାଧଵଵୋହୂ,ସାଧଵାଣୀ,ରଜପୋକ,ମଖମଲୀ ପୋକ ଵା ପାଟପୋକ ଆଉ ଆଗ ଭଳି ଗାଆଁ ଗଣ୍ଡାରେ ମିଳୁନାହାନ୍ତି କି ସେମାନଙ୍କୁ ଆଗେ ଯେମିତି ଆଦର ସ‌ହକାରେ ପୃଥିଵୀ ମାତା ଜ୍ଞାନ କରି ରଜ ସଂକ୍ରାନ୍ତି ଦିନ ପୂଜା କରାଯାଉଥିଲା ସେ ପରମ୍ପରା ଅଧୁନା ଅନେକ ସ୍ଥାନରେ ଛାଡ଼ି ଦିଆଯାଇଛି । ରଜ ପର୍ଵକୁ ନେଇ ଓଡ଼ିଶାର ଲୋକଙ୍କ ମନରେ ପୂର୍ଵ ସୌହାର୍ଦ୍ଦ୍ୟ ଓ ଉତ୍ସାହ ନାହିଁ । ଆଞ୍ଚଳିକଵାଦ ଯୋଗୁଁ ବୌଦ୍ଧ , ସୋନପୁର ଓ ଦେଵଗଡ଼ ଜିଲ୍ଲାରେ ରଜ ପର୍ଵ ପାଳନର ପରମ୍ପରା ଲୋକେ ଛାଡ଼ିଵାକୁ ଲାଗିଲେଣି । 
ମୋଟ ଉପରେ କହିଵାକୁ ଗଲେ ରଜ ପର୍ଵକୁ ସେଥି ସହିତ ସଂପୃକ୍ତ ପରମ୍ପରାକୁ ଆଧୁନିକ ନଵ୍ୟ ଯୁଵକ ଯୁଵତୀମାନେ ପୂର୍ଵ ପିଢ଼ି ପରି ସେତେ ମହତ୍ତ୍ଵ ଦେଉନାହାନ୍ତି । 
 

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...