Monday, November 24, 2025

•ଯେତେବେଳେ DNA ମିଛ କହେ : ମାନଵ ଚିମେରାର ରହସ୍ୟ•

୧୯୯୮ ମସିହା ଶରତ ଋତୁ ସମୟରେ ବୋଷ୍ଟନ୍ ସହରର ଘଟଣା । ପଚାଶ ଵର୍ଷୀୟା ଜଣେ ସାଧାରଣ ଗୃହିଣୀ Karen Keegan ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ। ତାଙ୍କ ଯକୃତ ଧୀରେ ଧୀରେ କାମ କରିଵା ବନ୍ଦ କରି ଦେଇଥିଲା। ଡାକ୍ତରମାନେ କହିଲେ, ଏବେ ଏକମାତ୍ର ଉପାୟ ହେଉଛି ଜୀଵନ୍ତ ସଂଦାତା(Donor)ଠାରୁ ଯକୃତ ପ୍ରତ୍ୟାରୋପଣ । ପରିଵାର ପିଲାମାନେ ଅଙ୍ଗଦାନ କରିପାରିବେ। ତେଣୁ ତାଙ୍କର ତିନି ପୁଅ—ଯାହାଙ୍କୁ ସେ ନିଜେ ଗର୍ଭରେ ଧରି, ଦଶ ମାସ ଦଶ ଦିନ ପାଳି, ନିଜେ ଜନ୍ମ ଦେଇ, ରାତି ରାତି ଜାଗି ଲାଳନ ପାଳନ କରି ବଡ଼ କରିଥିଲେ—ସେମାନଙ୍କୁ ପରୀକ୍ଷା କରାଗଲା।

Beth Israel Deaconess Medical Centerର ଅଙ୍ଗ ପ୍ରତ୍ୟାରୋପଣ ଦଳ ପ୍ରଥମେ ରକ୍ତ ନମୁନା ନେଲେ। HLA typing ଓ ପରିଵାର ସଦସ୍ୟଙ୍କ ମଧ୍ୟରେ ଆନୁଵଂଶିକ ସମାନତା ଦେଖିଵା ପାଇଁ ସେହି ସମୟରେ ଏହା ନିୟମିତ ପ୍ରକ୍ରିୟା ଥିଲା। କିଛି ଦିନ ପରେ ପରୀକ୍ଷାଗାରରୁ ରିପୋର୍ଟ ଆସିଲା। ଡାକ୍ତରମାନେ ରିପୋର୍ଟ ପଢ଼ି ଅଵାକ୍ ହୋଇଗଲେ। 

ତିନି ଭାଇ ନିଶ୍ଚିତ ଭାଇ ଅଟନ୍ତି, କିନ୍ତୁ ଦୁଇ ଜଣଙ୍କର ମାତୃଗତ ଆନୁଵଂଶିକ ଚିହ୍ନ ଵା ଜେନେଟିକ୍ ମାର୍କର୍ କୌଣସି ଭାବେ Karenଙ୍କର ରକ୍ତରେ ଥିଵା DNA ସହିତ ମେଳ ଖାଉନାହିଁ। ତେଣୁ ରିପୋର୍ଟରେ ଲେଖା ହେଲା ଯେ Karen Keegan ଦୁଇ ପୁଅଙ୍କର ଜନ୍ମଦାତ୍ରୀ ମାଆ’ ନୁହନ୍ତି।
ପ୍ରଥମେ ସମସ୍ତେ ଭାବିଲେ ପରୀକ୍ଷା ସମୟରେ ଭୁଲ୍ ହୋଇଛି। ଦୁଇ ଥର, ତିନି ଥର ପୁନର୍ଵାର ପରୀକ୍ଷା କରାଗଲା। ପ୍ରତ୍ୟେକ ଥର ଏକା ଫଳାଫଳ ଆସିଲା । ଡାକ୍ତରମାନେ ପରିଵାରକୁ ଡାକି ଅତି ସମ୍ବେଦନଶୀଳ ଭାବେ କହିଲେ, “ଆମେ ଜାଣୁ ଏହା ଅଵିଶ୍ୱସନୀୟ ଲାଗୁଛି, କିନ୍ତୁ DNA ମିଛ କହୁନାହିଁ। ହୁଏତ କିଛି ଵର୍ଷ ପୂର୍ଵେ ଚିକିତ୍ସାଳୟରେ ଆପଣଙ୍କ ଶିଶୁ ବଦଳି ହୋଇଯାଆଛି ।” କିନ୍ତୁ ସେ ତିନି ଜଣ ପୁଅଙ୍କ ମଧ୍ୟରୁ ଦୁଇ ଜଣଙ୍କର ଜନ୍ମ ଘରେ ହୋଇଥିଲା। ତୃତୀୟ ପୁଅଟି ଚିକିତ୍ସାଳୟରେ ଜନ୍ମ ହୋଇଥିଲା ଏଵଂ ତାର DNA ମାତ୍ର ମେଳ ଖାଇଥିଲା। ପରିଵାର ସ୍ତବ୍ଧ। କୌଣସି ଅଵୈଧ ସମ୍ପର୍କ ଵା ଦତ୍ତକ ନେଵାର ପ୍ରଶ୍ନ ଉଠିଲା ନାହିଁ। ସମସ୍ତେ ଜାଣିଥିଲେ ପିଲାମାନେ ସେମାନଙ୍କର ନିଜର ଅଟନ୍ତି ।

ସୌଭାଗ୍ୟଵଶତଃ ଏହି କେସ୍ ଡାକ୍ତର Ann Reed ଓ ତାଙ୍କ ଦଳଙ୍କ ହସ୍ତଗତ ହେଲା। ସେମାନେ ଅନୁମାନ କଲେ ଯେ ଏହା ଏକ ଅତି ଦୁର୍ଲଭ ଜେନେଟିକ୍ ଅଵସ୍ଥା “chimerism” ହୋଇପାରେ। ସେମାନେ କେଵଳ ରକ୍ତ ନୁହେଁ, Karenଙ୍କ ଶରୀରର ଵିଭିନ୍ନ ଅଂଶରୁ ନମୁନା ନେଵା ଆରମ୍ଭ କଲେ । ଗାଲର ଭିତର କୋଷ, ଚୁଟିର ରୋମ, ପୁରୁଣା ଥାଇରଏଡ୍ ସର୍ଜରିରୁ ରହିଥିଵା ଟିସ୍ୟୁ ଇତ୍ୟାଦିର ପରୀକ୍ଷା କରାଗଲା। ଫଳାଫଳ ଆସିଲା ଏଵଂ ଚିକିତ୍ସା ଇତିହାସରେ ଏକ ଅଭୂତପୂର୍ଵ ଅଧ୍ୟାୟ ଲେଖା ହେଲା।

ପରୀକ୍ଷାରୁ ଜଣାଗଲା ଯେ Karen Keegan ଜଣେ tetragametic chimera ଅଟନ୍ତି । ତାଙ୍କ ଶରୀରରେ ଦୁଇଟି ଭିନ୍ନ ଭିନ୍ନ ଜେନେଟିକ୍ ଲାଇନ୍ ଅଛି। ତାଙ୍କ ରକ୍ତରେ ଥିଵା DNA ଏକ ସେଟ୍, କିନ୍ତୁ ଅନ୍ୟାନ୍ୟ ଅନେକ ଟିସ୍ୟୁରେ ଏକ ସମ୍ପୂର୍ଣ୍ଣ ଭିନ୍ନ ସେଟ୍ ରହିଛି। ଯେଉଁ ସେଟ୍‌ଟି ତାଙ୍କ ଅଣ୍ଡାଶୟରେ ଥିଲା ଏଵଂ ଯାହା ତାଙ୍କ ପୁଅଙ୍କୁ ଜନ୍ମ ଦେଇଥିଲା, ତାହା ରକ୍ତରେ ପ୍ରାୟ ଅନୁପସ୍ଥିତ ଥିଲା। ତେଣୁ ରକ୍ତରୁ ନିଆଯାଇଥିଵା DNA ତାଙ୍କୁ “ଅସମ୍ପର୍କୀୟା” ମାଆ’ ବୋଲି ଦେଖାଇଲା।

ଶେଷରେ Karen Keeganଙ୍କୁ ତାଙ୍କର ଗୋଟିଏ ପୁଅ ଯକୃତ ଦାନ କଲେ ଏଵଂ ସେ ସୁସ୍ଥ ହୋଇ ଉଠିଲେ। କିନ୍ତୁ ଏହି କେସ୍ ୨୦୦୨ ମସିହାରେ New England Journal of Medicineରେ ପ୍ରକାଶିତ ହେଲା ଏଵଂ ସାରା ଵିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କଲା। କାରଣ ସେହି ସମୟରେ DNAକୁ ଲୋକେ ଅଭ୍ରାନ୍ତ ସତ୍ୟ ଭାବୁଥିଲେ। କିନ୍ତୁ ଏହି ଘଟଣା ପ୍ରମାଣ କଲା ଯେ ମଣିଷ ଶରୀର ବେଳେବେଳେ ଵିଜ୍ଞାନର ନିୟମକୁ ମଧ୍ୟ ଚ୍ୟାଲେଞ୍ଜ କରିଦିଏ।

ତେବେ ଏହି ଘଟଣାର ଚାରି ଵର୍ଷ ପରେ 
୨୦୦୨ ମସିହାରେ ଆଉ ଏକ ଘଟଣା Washington Stateରେ ଘଟିତ ହୋଇଥିଲା ।‌

Lydia Fairchild ଥିଲେ ୨୬ ଵର୍ଷୀୟା ଜଣେ ଗରିବ, ଅଵିଵାହିତା ମାଆ’। ତାଙ୍କର ତିନିଟି ଛୋଟ ପିଲା ଥିଲେ ଏଵଂ ତନ୍ମଧ୍ୟରୁ ତୃତୀୟଟି ଗର୍ଭାଵସ୍ଥାରେ ଥିଲା ।‌ ସେ ଓ ତାଙ୍କ ପିଲାଙ୍କ ବାପା Jamie Townsend ଅଲଗା ହୋଇଯାଇଥିଲେ। Lydia ରାଜ୍ୟ ସରକାରଙ୍କଠାରୁ welfare benefits ସାହାଯ୍ୟ ପାଇଁ ଆଵେଦନ କଲେ।Washington Stateର ନିୟମ ଥିଲା ଯେ ସରକାରୀ ସାହାଯ୍ୟ ପାଇଁ ମାଆ’ ଓ ପିଲାଙ୍କର DNA ପରୀକ୍ଷା ଵାଧ୍ୟତାମୂଳକ।
ଡିସେମ୍ବର ୨୦୦୨ DNA ରିପୋର୍ଟ ଆସିଲା ।
Jamie Townsend ନିଶ୍ଚିତ ଭାବେ ପିଲାଙ୍କ ବାପା ଅଟନ୍ତି ଯେହେତୁ DNA ୧୦୦% ମେଳ ହୋଇଗଲା। କିନ୍ତୁ Lydia Fairchildର ରକ୍ତରୁ ନିଆଯାଇଥିଵା DNA ପିଲାଙ୍କ ସହିତ କୌଣସି ଭାବେ ମେଳ ହେଲା ନାହିଁ। ରିପୋର୍ଟ କହିଲା: “Lydia Fairchild is excluded as the biological mother.” ଅର୍ଥାତ୍ କାଗଜ ଉପରେ ସେ ନିଜ ପିଲାଙ୍କର ମା’ ନୁହନ୍ତି।
ସରକାର Lydia Fairchildଙ୍କ ଉପରେ fraud ଅଭିଯୋଗ ଲଗାଇଲେ। କହିଲେ ସେ ବୋଧହୁଏ କାହାର ପିଲା ଚୋରି କରି ସରକାରୀ ସାହାଯ୍ୟ ନେଉଛନ୍ତି। ତାଙ୍କ ପିଲାଙ୍କୁ ତାଙ୍କଠାରୁ ନେଇଯିଵା ପାଇଁ ପ୍ରକ୍ରିୟା ଆରମ୍ଭ ହେଲା। କୋର୍ଟ ତାଙ୍କୁ କହିଲା: “ଯଦି ଆପଣ ପ୍ରମାଣ କରିପାରିବେ ନାହିଁ ଯେ ଏମାନେ ଆପଣଙ୍କ ପିଲା, ତେବେ ଆମେ ସେମାନଙ୍କୁ ଆପଣଙ୍କଠାରୁ ଅଲଗା କରିଦେବୁ।” ତାଙ୍କୁ କୋର୍ଟରେ ପ୍ରତି ଥର ହାଜର ହେଵାକୁ ପଡ଼ୁଥିଲା ଏବଂ ଜଣେ ସାକ୍ଷୀ ଵା court observer ତାଙ୍କ ଘରକୁ ଆସି ପିଲାଙ୍କ ସହ ତାଙ୍କ ଵ୍ୟଵହାର ଦେଖୁଥିଲା।

ତହୁଁ ୨୦୦୩ରେ Lydia ଗର୍ଭଵତୀ ଥିଲେ। କୋର୍ଟ ଆଦେଶ ଦେଲା ଯେ ଶିଶୁ ଜନ୍ମ ହେଲା ମାତ୍ରେ ଡାକ୍ତର ଓ ସାକ୍ଷୀ ଉପସ୍ଥିତ ରହି umbilical cordରୁ DNA ନେବେ। ସେମାନେ ଭାବିଲେ ଏଥର ନିଶ୍ଚିତ ଧରାପଡ଼ିବେ। ଶିଶୁ ଜନ୍ମ ହେଲା। ସାକ୍ଷୀ ନିଜ ଆଖିରେ ଦେଖିଲା ଯେ ଶିଶୁ Lydiaର ଗର୍ଭରୁ ବାହାରିଛି। କିନ୍ତୁ DNA ରିପୋର୍ଟ ଆସିଲା: “Lydia is excluded as the biological mother.” ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଲା। ସେ ନିଜ ଆଖି ଆଗରେ ପିଲା ଜନ୍ମ ଦେଲେ, ତଥାପି DNA କହୁଛି ସେ ମା’ ନୁହନ୍ତି।
ପରଵର୍ଷ ୨୦୦୪ରେ Lydiaଙ୍କର ଓକିଲ Alan Tindell ଏକ ମେଡିକାଲ୍ ଜର୍ଣ୍ଣାଲ ପଢ଼ୁଥିଲେ ଏଵଂ ତହିଁରେ ଦେଖିଲେ ଯେ ଠିକ୍ ଦୁଇ ଵର୍ଷ ଆଗରୁ (୨୦୦୨) New England Journal of Medicineରେ Karen Keeganର କେସ୍ ପ୍ରକାଶିତ ହୋଇଛି। ସେହି କେସ୍‌ରେ ଜଣେ ମହିଳା ନିଜ ପିଲାଙ୍କର ମା’ ନୁହନ୍ତି ବୋଲି DNA କହିଥିଲା, କିନ୍ତୁ ପରେ ପ୍ରମାଣ ହେଲା ସେ ଜଣେ chimera।

ଓକିଲ କୋର୍ଟକୁ କହିଲେ: “ଆମେ ଚାହୁଁଛୁ ଆପଣ ରକ୍ତ ଛଡ଼ା ଅନ୍ୟ ଟିସ୍ୟୁରୁ ମଧ୍ୟ ଟେଷ୍ଟ କରନ୍ତୁ।” କୋର୍ଟ ପ୍ରଥମେ ମାନିଲା ନାହିଁ, କିନ୍ତୁ ଶେଷରେ ରାଜି ହେଲା।

Lydiaର cervical smear ପରୀକ୍ଷା, କରାଗଲା ଏଵଂ ଏଥିପାଇଁ ଗର୍ଭାଶୟ ମୁହଁରୁ କୋଷ ନେଇ ପରୀକ୍ଷାଗାରରେ ଯାଞ୍ଚ ହେଲା ।
ସେଠାରୁ ମିଳିଲା ଏକ ସମ୍ପୂର୍ଣ୍ଣ ଭିନ୍ନ DNA ଯାହା ତାଙ୍କ ପିଲାଙ୍କ ସହିତ ୧୦୦% ମେଳ ହେଲା। ଅର୍ଥାତ୍ Lydia ମଧ୍ୟ ଜଣେ tetragametic chimera ଥିଲେ। ତାଙ୍କ ରକ୍ତରେ ଥିଵା DNA ଏକ ସେଟ୍, କିନ୍ତୁ ଗର୍ଭାଶୟ ଓ ଅଣ୍ଡାଶୟରେ ଥିଵା DNA ଅନ୍ୟ ଏକ ସେଟ୍।

ଫଳତଃ କୋର୍ଟ ସମସ୍ତ ଅଭିଯୋଗ ଖାରଜ କଲା। ପିଲାମାନେ Lydia Fairchildଙ୍କ ପାଖରେ ରହିଲେ। ଏହି କେସ୍ ଯୋଗୁଁ ଆମେରିକାରେ ପ୍ରଥମ ଥର ପାଇଁ କୋର୍ଟରେ chimerismକୁ ଆଇନଗତ ଭାବେ ଗ୍ରହଣ କରାଗଲା। ଏହି ଘଟଣା ଵିଷୟରେ ପରେ 
Lydia Fairchild କହିଛନ୍ତି —"They told me I wasn't the mother of my own children. I had to prove I was two people to stay one family."

Lydiaଙ୍କ କେସ୍ ପରେ ଵିଶ୍ୱରେ ଅନେକ ଦେଶରେ DNA ପିତୃତ୍ୱ/ମାତୃତ୍ୱ ଟେଷ୍ଟରେ “possible chimerism” ବୋଲି ଏକ ନୋଟ୍ ଯୋଡ଼ା ଯାଇଛି।

Lydia Fairchild ଓ Karen Keegan ଦୁହେଁ ଜୀବନସାରା ନିଜେ ନିଜର ଅଜଣା fraternal twinକୁ ଶରୀର ଭିତରେ ଧରି ରହିଥିଲେ। ସେମାନେ ଦୁଇ ଭିନ୍ନ ଭିନ୍ନ ଜାଆଁଳା ଵ୍ୟକ୍ତି ନୁହନ୍ତି, କିନ୍ତୁ ଜେନେଟିକ୍ ଭାବେ ଦୁଇ ଭିନ୍ନ ଵ୍ୟକ୍ତି ଏକା ଶରୀରରେ ରହୁଥିଲେ। ଏହା ମାନଵଜାତିକୁ ସବୁଠାରୁ ବଡ଼ ଶିକ୍ଷା ଦେଇଥିଲା । DNA ଅତି ଶକ୍ତିଶାଳୀ ପ୍ରମାଣ, କିନ୍ତୁ ତାହା ସର୍ଵଦା ଅନ୍ତିମ ସତ୍ୟ ନୁହେଁ। ତେବେ ଏହା ପଛରେ ଥିଵା ଵିଜ୍ଞାନ କ’ଣ ଜାଣିଵାକୁ ହେଲେ ଆମକୁ ପ୍ରଥମେ Chimerism କ’ଣ ତାହା ଜାଣିଵାକୁ ହେଵ । 
Chimerism ନାମଟି ଗ୍ରୀକ୍ ପୌରାଣିକ କଳ୍ପନିକ ଜୀଵ “Chimera”ର ପୌରାଣିକ ଗାଥାରୁ ପ୍ରେରିତ ହୋଇ ରଖାଯାଇଛି ।‌ ସେ କାହାଣୀ ବଡ଼ ରୋଚକ । ଗ୍ରୀକ୍ ପୌରାଣିକ କଥାରେ Chimera ନାମକ ଏକ ଅତି ଭୟଙ୍କର ଦାନଵୀୟ ଜୀଵର ଉଲ୍ଲେଖ ମିଳେ, ଯାହାର ରୂପ ଏତେ ଅଦ୍ଭୁତ ଓ ଭୀଷଣ ଯେ କଳ୍ପନା ମାତ୍ରେ ହିଁ ମଣିଷର ରୋମ ଟାଙ୍କୁରି ଉଠେ। ଏହା ଏକ ମିଶ୍ରିତ ଜୀଵ ଥିଲା, ଯାହାର ଶରୀରର ସମ୍ମୁଖ ଭାଗ ସିଂହ ପରି ଶକ୍ତିଶାଳୀ ଓ ଗର୍ଜନଶୀଳ, ପିଠିରୁ ଉଙ୍କି ମାରୁଥିବା ଏକ ଛାଗର ମୁଣ୍ଡ ଯାହା ଅହଙ୍କାରର ସଙ୍କେତ ଦେଉଥିଲା, ଆଉ ଲାଞ୍ଜ ଏକ ଵିଷାକ୍ତ ସାପର ପରି ବଙ୍କା ଓ ଜୀଵନ୍ତ ତଥା ପୁଚ୍ଛ ସର୍ପମୁଣ୍ଡ ପରି ଥିଲା । ଚିମେରାର ସର୍ପରୂପୀ ଲାଞ୍ଜ ଯେକୌଣସି ଆକ୍ରମଣକାରୀଙ୍କ ପ୍ରତି ଵିଷ ଉଦ୍ଗାର କରିପାରୁଥିଲା। ସବୁଠାରୁ ଭୟଙ୍କର କଥା ଏହା ଯେ, Chimera ମୁହଁରୁ ଉଗ୍ର ନିଃଶ୍ୱାସ ସହିତ ନିଆଁ ଫିଙ୍ଗି ପାରୁଥିଲା, ଯାହା ଚାରିଆଡ଼େ ଧ୍ୱଂସ ଆଣି ଦେଉଥିଲା।

ଏହି ଦାନଵୀର ଜନ୍ମ ମଧ୍ୟ ସାଧାରଣ ନଥିଲା। ଗ୍ରୀକ୍ ପୌରାଣିକ କଥାରେ ଦାନଵମାନଙ୍କ ମୂଳ ପୁରୁଷ Typhon ଏଵଂ ମୂଳ ସ୍ତ୍ରୀ Echidnaର ସନ୍ତାନ ଭାବେ ଏହାର ଜନ୍ମ ହୋଇଥିଲା। ଏହି ଦମ୍ପତିଙ୍କ ଅନ୍ୟ ସନ୍ତାନମାନଙ୍କ ଭିତରେ ଥିଲେ ତିନି ମୁଣ୍ଡ ଵିଶିଷ୍ଟ କୁକୁର Cerberus, ଦୁଇ ମୁଣ୍ଡ ଵିଶିଷ୍ଟ Orthrus, ବହୁମୁଣ୍ଡ ଵିଶିଷ୍ଟ Lernaean Hydra ଓ ରହସ୍ୟମୟୀ Sphinx। ଏହି ପରିଵାରରୁ ହିଁ ଜାଣିହେଉଛି ଯେ Chimera କେତେ ଅସାଧାରଣ ଓ ଭୀଷଣ ଥିଲା।

Chimera ଲାଇସିଆ ନାମକ ଅଞ୍ଚଳରେ ଵାସ କରୁଥିଲା ଯାହା ବର୍ତ୍ତମାନର ତୁର୍କୀର ଦକ୍ଷିଣ-ପଶ୍ଚିମ ଭାଗ ଅଟେ। ସେ ଗ୍ରାମମାନ ଜାଳି ଦେଉଥିଲା, ପଶୁ ଓ ମନୁଷଙ୍କୁ ହତ୍ୟା କରୁଥିଲା। ତା’ର ନିଃଶ୍ୱାସରୁ ନିର୍ଗତ ନିଆଁ ଏତେ ଉଗ୍ର ଥିଲା ଯେ କୌଣସି ସାଧାରଣ ଅସ୍ତ୍ର ତା’ ଵିରୁଦ୍ଧରେ କାମ କରୁ ନଥିଲା। ଶେଷରେ ଲାଇସିଆର ରାଜା Iobates ନାୟକ Bellerophonଙ୍କୁ ଏହି ଦାନଵୀକୁ ଵଧ କରିଵାକୁ ନିର୍ଦ୍ଦେଶ ଦେଲେ। Bellerophon ଦେଵୀ Athenaଙ୍କ ଆଶୀର୍ଵାଦରେ ଡେଣା ଵିଶିଷ୍ଟ ଘୋଡ଼ା Pegasusକୁ ନିୟନ୍ତ୍ରଣ କରିଵାର ଶକ୍ତି ପାଇଥିଲେ। ସେ Pegasus ଉପରେ ଚଢ଼ି ଆକାଶ ପଥରେ ଉଡ଼ି ଚିମେରା ଉପରେ ଆକ୍ରମଣ କଲେ। ସିଧାସଳଖ ଯୁଦ୍ଧରେ ପଡ଼ିଲେ ନିଆଁରେ ପୋଡ଼ି ମରିଵାର ଆଶଙ୍କା ଥିଲା, ତେଣୁ ବୁଦ୍ଧି ବଳରେ ସେ ଏକ ସୀସା ଭର୍ତ୍ତି ବର୍ଚ୍ଛା ଚିମେରାର ମୁହଁ ଭିତରକୁ ଫୋପାଡ଼ି ଦେଲେ। ଚିମେରାର ନିଃଶ୍ୱାସର ଅତ୍ୟଧିକ ଗରମରେ ସୀସା ତରଳି ତା’ର ଗଳା ଓ ଶ୍ୱାସନଳୀ ବନ୍ଦ ହୋଇଗଲା ଏଵଂ ନିଃଶ୍ବାସ ପ୍ରଶ୍ଵାସ ବନ୍ଦ ହୋଇଯିଵାର ସେ ଦାନଵୀ ମରିଗଲା। ଏହିପରି ଭାବେ ମହାନାୟକ Bellerophon ଲାଇସିଆଵାସୀଙ୍କୁ ଏହି ଭୟଙ୍କର ଦାନବୀରୁ ମୁକ୍ତ କରିଥିଲେ।

ଏହି କାହାଣୀ ପରେ “Chimera” ଶବ୍ଦଟି ଏକ ପ୍ରତୀକ ହୋଇଗଲା। ଆଜି ଯେକୌଣସି ଅସମ୍ଭଵ, ଅଲୌକିକ ଵା ଵିଭିନ୍ନ ଅଂଶର ମିଶ୍ରଣରୁ ତିଆରି ହୋଇଥିଵା କଳ୍ପନାକୁ “ଚିମେରିକ୍” ଵା “ଚିମେରା” ବୋଲି କୁହାଯାଏ ଯାହା ଗ୍ରୀକ୍ ପୌରାଣିକ କଥାର ଏହି ଭୀଷଣ କାଳ୍ପନିକ ଜୀଵର କାହାଣୀରୁ ଉଦ୍ଭଵ ହୋଇଛି।

ଏହି ଆଧାରରେ ଜେନେଟିକ୍ ଭାଷାରେ ମଧ୍ୟ ଚିମେରା ଶବ୍ଦ ଵ୍ୟଵହାର ହେଉଛି। ଜଣେ ଵ୍ୟକ୍ତି ଯାହାର ଶରୀରରେ ଦୁଇ ଵା ତତୋଧିକ ଭିନ୍ନ ଭିନ୍ନ ଜେନେଟିକ୍ ଲାଇନ୍ ଵା genetically distinct cell populations ଥାଏ ତାକୁ ଚିମେରା କୁହାଯାଏ ।
ସାଧାରଣତଃ ମଣିଷ ଦୁଇଟି ଗ୍ୟାମେଟ୍ (ପୁରୁଷ ଶୁକ୍ରାଣୁ + ମହିଳା ଡିମ୍ବାଣୁ) ମିଶି ଗୋଟିଏ ଜାଇଗୋଟ୍ ସୃଷ୍ଟି କରେ। କିନ୍ତୁ କେତେକ ଦୁର୍ଲଭ ଘଟଣାରେ ମାଆର ଗର୍ଭାଶୟରେ ଦୁଇଟି ଭିନ୍ନ ଭିନ୍ନ ଶୁକ୍ରାଣୁ ଦୁଇଟି ଭିନ୍ନ ଡିମ୍ବାଣୁକୁ ଫର୍ଟିଲାଇଜ୍ କରେ—ଅର୍ଥାତ୍ ଦୁଇଟି fraternal twin embryos ତିଆରି ହୁଏ। ଗର୍ଭାଵସ୍ଥାର ପ୍ରଥମ କିଛି ଦିନ (ସାଧାରଣତଃ ୧-୧୪ ଦିନ ମଧ୍ୟରେ) ଏହି ଦୁଇଟି ଭ୍ରୁଣ ଏକାଠି ମିଶି ଯାଇ ଗୋଟିଏ ଭ୍ରୁଣରେ ପରିଣତ ହୁଏ। ଏହାକୁ ଵୈଜ୍ଞାନିକ ଭାଷାରେ “tetragametic chimerism” କୁହାଯାଏ । ଏଠାରେ tetragameticରେ tetraର ଅର୍ଥ ଚାରି, କାରଣ ଚାରିଟି ଗ୍ୟାମେଟ୍ ଏଥିରେ ଜଡ଼ିତ ଥାଏ। ଏହି ଫ୍ୟୁଜନ୍ ପରେ ଯେଉଁ ଶିଶୁ ଜନ୍ମ ହୁଏ ତା’ ଶରୀରର ଵିଭିନ୍ନ ଅଂଶରେ ଦୁଇ ଭିନ୍ନ DNA ରହିଯାଏ। କେତେକ ଅଂଶ ଗୋଟିଏ ଭ୍ରୁଣରୁ ଆସେ, କେତେକ ଅଂଶ ଅନ୍ୟ ଭ୍ରୁଣରୁ ଆସିଥାଏ ।

tetragametic chimerismଯୁକ୍ତ ଶରୀରରେ କେଉଁଠି କେତେ DNA ରହେ ତାହା କେଵଳ ଭାଗ୍ୟ ଉପରେ ନିର୍ଭର କରେ । 
ଫ୍ୟୁଜନ୍ ଯେତେବେଳେ ହୁଏ, ସେତେବେଳେ କେତେକ କୋଷ ଗୋଟିଏ ଭ୍ରୁଣରୁ ଅଧିକ ବଢ଼େ, କେତେକ ଅନ୍ୟଟିରୁ କମ୍ ବଢ଼େ। ତେଣୁ ଅନେକ ଚିମେରା ଵ୍ୟକ୍ତି ଜୀଵନସାରା କେବେ ଏହା ଵିଷୟରେ ଜାଣି ପାରନ୍ତି ନାହିଁ। କିଛି ଘଟତାରେ ଏକ ଜେନେଟିକ୍ ଲାଇନ୍ ଏତେ ପ୍ରଵଳ ହୋଇଯାଏ ଯେ ଅନ୍ୟଟି ପାଖାପାଖି ଅଦୃଶ୍ୟ ହୋଇଯାଏ। କିନ୍ତୁ Karenଙ୍କ ଭଳି କେସ୍‌ରେ ଦୁଇ ଲାଇନ୍ ସମାନ ଭାବେ ଶକ୍ତିଶାଳୀ ରହିଥାଏ ଏଵଂ ଶରୀରର ଵିଭିନ୍ନ ଅଂଶରେ ଭିନ୍ନ ଭିନ୍ନ ଭାବେ ବାଣ୍ଟି ହୋଇ ରହିଥାଏ।

ତେବେ ଏଠାରେ ମନରେ ଏକ ପ୍ରଶ୍ନ ଆସେ Karen Keeganଙ୍କ କ୍ଷେତ୍ରରେ ରକ୍ତର DNA ଓ ଅଣ୍ଡାଶୟରେ ଥିଵା DNA ଭିନ୍ନ କାହିଁକି ହେଲା?

ମଣିଷ ଶରୀରରେ ରକ୍ତ କୋଷ ମେସେଞ୍ଚାଇମାଲ୍ ଷ୍ଟେମ୍ ସେଲ୍‌ରୁ ଆସେ । କିନ୍ତୁ ଡିମ୍ବାଶୟର ଜର୍ମ ସେଲ୍ (germ cells) ଏକ ଭିନ୍ନ ଲାଇନେଜ୍‌ରୁ ଆସିଥାଏ । Karenଙ୍କ କ୍ଷେତ୍ରରେ ଯେଉଁ ଭ୍ରୁଣର କୋଷ ରକ୍ତ ଓ ଅନେକ ଟିସ୍ୟୁ ଗଢ଼ିଥିଲା, ସେହି ଭ୍ରୁଣର କୋଷ ଡିମ୍ବାଶୟରେ ପହଞ୍ଚି ପାରିନଥିଲା। ଅନ୍ୟ ଭ୍ରୁଣର କୋଷ ଡିମ୍ବାଶୟ ଗଠନ କରିଥିଲା। ତେଣୁ ତାଙ୍କ ପୁଅମାନେ ଯେଉଁ DNA ପାଇଲେ, ତାହା ତାଙ୍କ ରକ୍ତରେ ପ୍ରାୟ ଅନୁପସ୍ଥିତ ଥିଲା।

ଏହି ପ୍ରକାର chimerism ଅତ୍ୟନ୍ତ ଦୁର୍ଲଭ। ଏହାର ଠିକ୍ ସଂଖ୍ୟା ଅସ୍ପଷ୍ଟ, କାରଣ ଅଧିକାଂଶ ଲୋକ ଜୀଵନସାରା ଏହା ଵିଷୟରେ ଜାଣି ପାରନ୍ତି ନାହିଁ। କିନ୍ତୁ ଵିଶ୍ୱରେ ଵର୍ତ୍ତମାନ ସୁଦ୍ଧା ୧୦୦ରୁ କମ୍ ଚିମେରା ସମ୍ବନ୍ଧୀୟ ମାମଲା ରେକର୍ଡ ହୋଇଛି। କେତେକ ଅନୁମାନ କହୁଛି ଏହା ୧୦,୦୦,୦୦୦ ଜନ୍ମରେ ୧ ଥର ହୋଇପାରେ, କିମ୍ବା ତା’ଠାରୁ ମଧ୍ୟ କମ୍ ହୋଇପାରେ।
Microchimerism,Blood chimerism ଓ Bone marrow transplant chimerism ଭଳି ଆଉ କେତୋଟି chimerism ଅଛି କିନ୍ତୁ Karen Keegan ଓ Lydia Fairchildଙ୍କ ଭଳି tetragametic chimerism ହେଉଛି ସବୁଠାରୁ ରୋମାଞ୍ଚକର ଏଵଂ ସବୁଠାରୁ କମ୍ ଦେଖାଯାଏ।

Karen Keeganଙ୍କ କେସ୍ ପରେ ଅନେକ ଦେଶରେ DNA ପ୍ୟାଟର୍ନିଟି ଟେଷ୍ଟ ଓ କୋର୍ଟ କେସ୍‌ରେ chimerismର ସମ୍ଭାଵନାକୁ ଵିଚାର କରାଯାଏ। ଆଜିକାଲି ଯଦି ରକ୍ତରୁ DNA ମେଳ ନହୁଏ, ତେବେ ଗାଲ swab, ଚୁଟି, ଲାଳ ଇତ୍ୟାଦିରୁ ମଧ୍ୟ ଟେଷ୍ଟ କରାଯାଏ।

ଵୈଜ୍ଞାନିକମାନେ କହନ୍ତି, chimerism ଅତି ଦୁର୍ଲଭ। କିନ୍ତୁ ଏଯାଏଁ ଯେତେ chimera ଧରା ପଡ଼ିଛନ୍ତି,ସେ ସମସ୍ତେ କେଵଳ DNA ଟେଷ୍ଟ କରିଵାକୁ ଗଲାବେଳେ ହିଁ ଜାଣିପାରିଛନ୍ତି। ଅତଃ ଲକ୍ଷ ଲକ୍ଷ ଚିମେରା ଏବେ ବି ନିଜର chimerismକୁ ଜାଣିନାହାନ୍ତି ଏଵଂ DNA ପରୀକ୍ଷା ସେମାନେ କେବେ ଜାଣି ବି ପାରିବେ ନାହିଁ।

“Every chimera walks around with a vanished twin inside them — a ghost that never quite disappeared.”
( She Has Her Mother’s Laugh,Carl Zimmer)

No comments:

Post a Comment

•ଯେତେବେଳେ DNA ମିଛ କହେ : ମାନଵ ଚିମେରାର ରହସ୍ୟ•

୧୯୯୮ ମସିହା ଶରତ ଋତୁ ସମୟରେ ବୋଷ୍ଟନ୍ ସହରର ଘଟଣା । ପଚାଶ ଵର୍ଷୀୟା ଜଣେ ସାଧାରଣ ଗୃହିଣୀ Karen Keegan ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ। ତାଙ୍କ ଯକୃତ ଧୀରେ ଧୀରେ କାମ କ...