ଆଜିକାଲି ସାମାଜିକ ଗଣମାଧ୍ୟମରେ ଜଣେ ଲେଖକ ସ୍ଵାମୀ ସୂର୍ଯ୍ୟଦେଵଙ୍କର ଗୋଟିଏ ଲେଖା ଓଡ଼ିଆ, ହିନ୍ଦୀ ଇତ୍ୟାଦି ଵିଭିନ୍ନ ଭାଷାରେ ଅନୁଵାଦ ହୋଇ ଵିଶେଷ ଭାବେ ବଣ୍ଟାଯାଉଛି ଏଵଂ ତହିଁରେ କୁହାଯାଇଛି ଯେ “ଧୃତରାଷ୍ଟ୍ରଙ୍କର ଗାନ୍ଧାରୀଙ୍କ ଵ୍ୟତୀତ ଅନ୍ୟ ଦଶଜଣ ପତ୍ନୀ ଥିଲେ, ଗାନ୍ଧାରୀ କେଵଳ ଦଶଜଣ ପୁତ୍ରଙ୍କ ମାତା, ଧୃତରାଷ୍ଟ୍ରଙ୍କର ବାକି ନବେଜଣ ପୁତ୍ର ଅନ୍ୟ ଦଶଜଣ ପତ୍ନୀଙ୍କଠାରୁ ଜାତ ହୋଇଥିଲେ”। ଏହି କଥା ଶୁଣିଲେ ଅନେକେ ଆଶ୍ଚର୍ଯ୍ୟ ହୁଅନ୍ତି ଏଵଂ ମହାଭାରତରେ ଏପରି କିଛି ଅଛି ବୋଲି ଭାବନ୍ତି।
ମୂଳ ସଂସ୍କୃତ ମହାଭାରତ ଅନୁସାରେ ଧୃତରାଷ୍ଟ୍ରଙ୍କର କେଵଳ ଦୁଇଜଣ ପତ୍ନୀ ଥିଲେ
1.ଗାନ୍ଧାରୀ– ଗାନ୍ଧାରରାଜ ସୁବଳଙ୍କ କନ୍ୟା, କ୍ଷତ୍ରିୟା।
2.ଜଣେ ଅନାମିକା ଵୈଶ୍ୟ ଜାତିର କନ୍ଯା– ମୂଳ ସଂସ୍କୃତ ମହାଭାରତରେ ତାଙ୍କ ନାମ ଉଲ୍ଲେଖ ଥିଵା ମିଳେ ନାହିଁ ।
ଏହା ଛଡ଼ା ତୃତୀୟ କୌଣସି ପତ୍ନୀର ନାମ କି ପରିଚୟ ମହାଭାରତରେ ମିଳେ ନାହିଁ। ମୋଟ୍ ଏଗାରଜଣ ପତ୍ନୀ ଵା ଗାନ୍ଧାରୀଙ୍କ ଦଶ ସହୋଦରା କନ୍ୟା ଧୃତରାଷ୍ଟ୍ରଙ୍କୁ ଦିଆଗଲା – ଏହାର କୌଣସି ଶ୍ଳୋକ BORI Critical Editionରେ କିମ୍ବା ଗୀତାପ୍ରେସ୍ ଗୋରଖପୁରର ମହାଭାରତ ସଂସ୍କରଣରେ ନାହିଁ। ମହାଭାରତରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଗାନ୍ଧାରୀ ନିଜେ ହିଁ ଶତ ପୁତ୍ର ଏଵଂ ଦୁଃଶଳା ନାମ୍ନୀ ଏକ କନ୍ୟାର ମାତା।
ଗୀତାପ୍ରେସ ଗୋରଖପୁରର ସଂସ୍କୃତ ମହାଭାରତର ଆଦିପର୍ଵର ସମ୍ଭଵପର୍ଵ-୧୧୪ ଅଧ୍ୟାୟ ପ୍ରଥମ ଶ୍ଳୋକରେ ହିଁ କହିଦିଆଯାଇଛି ଯେ ଗାନ୍ଧାରୀ ଶତପୁତ୍ରଙ୍କୁ ଜନ୍ମ ଦେଇଥିଲେ।
”ତତଃ ପୁତ୍ରଶତଂ ଜଜ୍ଞେ ଗାନ୍ଧାର୍ଯ୍ୟା ଜନମେଜୟ ।
ଧୃତରାଷ୍ଟ୍ରସ୍ୟ ଵୈଶ୍ୟାୟାମେକଶ୍ଚାପି ଶତାତ୍ ପରଃ ॥ ୧ ॥”
ଏଠାରେ ଵୈଶମ୍ପାୟନ କହୁଛନ୍ତି — ହେ ଜନମେଜୟ! ତା’ପରେ ଧୃତରାଷ୍ଟ୍ରଙ୍କ ପତ୍ନୀ ଗାନ୍ଧାରୀଙ୍କ ଗର୍ଭରୁ ଏକ ଶହ ପୁତ୍ର ଜନ୍ମ ହୋଇଥିଲେ। ଧୃତରାଷ୍ଟ୍ରଙ୍କର ଆଉ ଜଣେ ପତ୍ନୀ ଥିଲେ, ସେ ଥିଲେ ଵୈଶ୍ୟ ଜାତିର କନ୍ୟା। ତାଙ୍କ ଗର୍ଭରୁ ମଧ୍ୟ ଏକ ପୁତ୍ର ଜନ୍ମ ହୋଇଥିଲା,ସେ ପୂର୍ଵୋକ୍ତ ଏକ ଶହ ପୁତ୍ରଙ୍କଠାରୁ ଅଲଗା ଓ ଅତିରିକ୍ତ ଥିଲା ॥
ଏହା ଶୁଣି ଜନମେଜୟ ପଚାରିଲେ :
କଥଂ ପୁତ୍ରଶତଂ ଜଜ୍ଞେ ଗାନ୍ଧାର୍ଯ୍ୟା ଦ୍ଵିଜସତ୍ତମ ।
କିୟତା ଚୈଵ କାଳେନ ତେଷାମାୟୁଶ୍ଚ କିଂ ପରମ୍ ॥ ୩॥
କଥଂ ଚୈକଃ ସ ଵୈଶ୍ୟାୟାଂ ଧୃତରାଷ୍ଟ୍ରସୁତୋଽଭଵତ୍ ।
କଥଂ ଚ ସଦୃଶୀଂ ଭାର୍ଯ୍ୟାଂ ଗାନ୍ଧାରୀଂ ଧର୍ମଚାରିଣୀମ୍ ॥ ୪॥
ଆନୁକୂଲ୍ୟେ ଵର୍ତ୍ତମାନାଂ ଧୃତରାଷ୍ଟ୍ରୋଽଭ୍ୟଵର୍ତ୍ତତ ।
କଥଂ ଚ ଶପ୍ତସ୍ୟ ସତଃ ପାଣ୍ଡୋସ୍ତେନ ମହାତ୍ମନା ॥ ୫॥
ସମୁତ୍ପନ୍ନା ଦେଵତେଭ୍ୟଃ ପୁତ୍ରାଃ ପଞ୍ଚ ମହାରଥାଃ ।
ଏତଦ୍ ଵିଦ୍ଵନ୍ ଯଥାନ୍ୟାୟଂ ଵିସ୍ତରେଣ ତପୋଧନ ॥ ୬॥
ଅର୍ଥାତ୍ ଜନମେଜୟ , ଵୈଶମ୍ପାୟନଙ୍କୁ ପଚାରୁଛନ୍ତି—
ହେ ଦ୍ଵିଜଶ୍ରେଷ୍ଠ! ଗାନ୍ଧାରୀଙ୍କ ଗର୍ଭରୁ ଏକ ଶହ ପୁତ୍ର କିପରି ଜନ୍ମ ହୋଇଥିଲେ? କେତେ ସମୟ ଭିତରେ ସେମାନେ ଜନ୍ମ ନେଇଥିଲେ ଏଵଂ ସେମାନଙ୍କର ପୂରା ଆୟୁଷ କେତେ ଥିଲା? ଆଉ ଧୃତରାଷ୍ଟ୍ରଙ୍କର ସେ ଵୈଶ୍ୟଜାତି ସ୍ତ୍ରୀର ଗର୍ଭରୁ ସେ ଏକମାତ୍ର ପୁତ୍ରଟି କିପରି ଜନ୍ମ ହୋଇଥିଲା? ଧୃତରାଷ୍ଟ୍ର ନିଜର ସମାନ ଯୋଗ୍ୟ, ଧର୍ମପରାୟଣା ଏଵଂ ସବୁବେଳେ ତାଙ୍କର ଅନୁକୂଲରେ ରହୁଥିଵା ପତ୍ନୀ ଗାନ୍ଧାରୀଙ୍କ ସହିତ କିପରି ଵ୍ୟଵହାର କରୁଥିଲେ? ଆଉ ମହାତ୍ମା ମୁନିଙ୍କ ଦ୍ଵାରା ଶାପଗ୍ରସ୍ତ ହୋଇଥିବା ରାଜା ପାଣ୍ଡୁଙ୍କର ସେ ପାଞ୍ଚଜଣ ମହାରଥୀ ପୁତ୍ର ଦେଵତାମାନଙ୍କ ଅଂଶରୁ କିପରି ଉତ୍ପନ୍ନ ହୋଇଥିଲେ? ହେ ଵିଦ୍ଵାନ ତପୋଧନ! ଏ ସବୁ କଥା ଯଥାଯଥ ଭାବରେ ଓ ଵିସ୍ତାରିତ ଭାବେ ମୋତେ କହିବେ । ଏହି ପ୍ରଶ୍ନର ଉତ୍ତରରେ ଵୈଶମ୍ପାୟନ, ଜନମେଜୟଙ୍କୁ କହିଲେ:
କ୍ଷୁଚ୍ଛ୍ରମାଭିପରିଗ୍ଲାନଂ ଦ୍ଵୈପାୟନମୁପସ୍ଥିତମ୍ ॥ ୭ ॥
ଅର୍ଥାତ୍ ଭୋକ ଓ ପରିଶ୍ରମରେ କ୍ଳାନ୍ତ ହୋଇ ମହର୍ଷି ଦ୍ଵୈପାୟନ (ଵ୍ୟାସଦେଵ) ଧୃତରାଷ୍ଟ୍ରଙ୍କ ଘରେ ଉପସ୍ଥିତ ହୋଇଥିଲେ ।
ତୋଷୟାମାସ ଗାନ୍ଧାରୀ ଵ୍ୟାସସ୍ତସ୍ୟୈ ଵରଂ ଦଦୌ ।
ସା ଵଵ୍ରେ ସଦୃଶଂ ଭର୍ତ୍ତୁଃ ପୁତ୍ରାଣାଂ ଶତମାତ୍ମନଃ ॥ ୮ ॥
ଗାନ୍ଧାରୀ ତାଙ୍କୁ ଭଲଭାବେ ସେଵା କରି ସନ୍ତୁଷ୍ଟ କଲେ। ଵ୍ୟାସଦେଵ ତାଙ୍କୁ ଵର ଦେଲେ। ଗାନ୍ଧାରୀ ନିଜ ସ୍ଵାମୀ ଧୃତରାଷ୍ଟ୍ରଙ୍କ ସମାନ ଶକ୍ତିଶାଳୀ ଏକ ଶହ ପୁତ୍ର ମାଗିଲେ ।
ତତଃ କାଳେନ ସା ଗର୍ଭଂ ଧୃତରାଷ୍ଟ୍ରାଦଥାଗ୍ରହୀତ୍ ।
ସଂଵତ୍ସରଦ୍ଵୟଂ ତଂ ତୁ ଗାନ୍ଧାରୀ ଗର୍ଭମାହିତମ୍ ॥ ୯ ॥
ତା’ପରେ ଠିକ୍ ସମୟରେ ଗାନ୍ଧାରୀ ଧୃତରାଷ୍ଟ୍ରଙ୍କଠାରୁ ଗର୍ଭଧାରଣ କଲେ। ପୂରା ଦୁଇ ଵର୍ଷ ସେ ସେହି ଗର୍ଭ ଧାରଣ କରି ରହିଲେ ।
ଅପ୍ରଜା ଧାରୟାମାସ ତତସ୍ତାଂ ଦୁଃଖମାଵିଶତ୍ ।
ଶ୍ରୁତ୍ଵା କୁନ୍ତୀସୁତଂ ଜାତଂ ବାଳାର୍କସମତେଜସମ୍ ॥ ୧୦ ॥
ତଥାପି ପ୍ରସଵ ହେଲା ନାହିଁ। କୁନ୍ତୀଙ୍କ ଗର୍ଭରୁ ସକାଳର ସୂର୍ଯ୍ୟତୁଲ୍ୟ ତେଜସ୍ଵୀ ପୁତ୍ର ଜନ୍ମ ହୋଇଛି ଜାଣି ଗାନ୍ଧାରୀଙ୍କୁ ବଡ଼ ଦୁଃଖ ହେଲା ।
ଉଦରସ୍ୟାତ୍ମନଃ ସ୍ଥୈର୍ଯ୍ୟମୁପଳଭ୍ୟାନ୍ଵଚିନ୍ତୟତ୍ ।
ଅଜ୍ଞାତଂ ଧୃତରାଷ୍ଟ୍ରସ୍ୟ ଯତ୍ନେନ ମହତା ତତଃ ॥ ୧୧ ॥
ନିଜ ପେଟର ଅସ୍ଥିରତା ଅନୁଭଵ କରି ସେ ଚିନ୍ତାରେ ପଡ଼ିଗଲେ। ଧୃତରାଷ୍ଟ୍ରଙ୍କୁ ନ ଜଣାଇ ବହୁତ ଚେଷ୍ଟା କରି ସେ ନିଜ ପେଟରେ ଆଘାତ କଲେ ।
ସୋଦରଂ ଘାତୟାମାସ ଗାନ୍ଧାରୀ ଦୁଃଖମୂର୍ଚ୍ଛିତା ।
ତତୋ ଜଜ୍ଞେ ମାଂସପେଶୀ ଲୋହାଷ୍ଠୀଲେଵ ସଂହତା ॥ ୧୨ ॥
ଦୁଃଖରେ ମୂର୍ଚ୍ଛିତ ହୋଇ ଗାନ୍ଧାରୀ ଗର୍ଭ ନଷ୍ଟ କରିଦେଲେ। ତା’ପରେ ତାଙ୍କ ଗର୍ଭରୁ ଲୌହପିଣ୍ଡ ପରି କଠିନ ଗୋଟାଏ ମାଂସପିଣ୍ଡ ବାହାରିଲା ।
ଦ୍ଵିଵର୍ଷସମ୍ଭୃତା କୁକ୍ଷୌ ତାମୁତ୍ତ୍ରଷ୍ଟୁଂ ପ୍ରଚକ୍ରମେ ।
ଅଥ ଦ୍ଵୈପାୟନୋ ଜ୍ଞାତ୍ଵା ତ୍ଵରିତଃ ସମୁପାଗମତ୍ ॥ ୧୩ ॥
ଦୁଇ ବର୍ଷ ପେଟରେ ରହିଥିଵା ସେହି ମାଂସପିଣ୍ଡକୁ ଫିଙ୍ଗିଦେଵାକୁ ଯୋଜନା କଲେ। ଏହା ଜାଣି ଵ୍ୟାସଦେଵ ଶୀଘ୍ର ସେଠାରେ ପହଞ୍ଚିଗଲେ ।
ତାଂ ସ ମାଂସମୟୀଂ ପେଶୀଂ ଦଦର୍ଶ ଜପତାଂ ଵରଃ ।
ତତୋଽବ୍ରଵୀତ୍ ସୌବଳେୟୀଂ କିମିଦଂ ତେ ଚିକୀର୍ଷିତମ୍ ॥ ୧୪ ॥
ଜପକର୍ତ୍ତାଙ୍କରେ ଶ୍ରେଷ୍ଠ ଵ୍ୟାସଦେଵ ସେହି ମାଂସପିଣ୍ଡ ଦେଖି ସୌବଳୀ (ଗାନ୍ଧାରୀ)ଙ୍କୁ ପଚାରିଲେ, “ଏହାର ତୁମେ କ’ଣ କରିଵାକୁ ଚାହୁଁଛ?” ।
ଏଵମେତତ୍ ସୌବଳେୟି ନୈତଜ୍ଜାତ୍ଵନ୍ୟଥା ଭଵେତ୍ ॥ ୧୭ ॥
ଵ୍ୟାସଦେଵ କହିଲେ, “ହେ ସୌବଳୀ ! ଏହା ଏପରି ହିଁ ହେଵ, ଅନ୍ୟଥା ହେଵ ନାହିଁ।”
ଵିତଥଂ ନୋକ୍ତପୂର୍ଵଂ ମେ ସ୍ଵୈରେଷ୍ଵପି କୁତୋଽନ୍ୟଥା ।
ଘୃତପୂର୍ଣ୍ଣ କୁଣ୍ଡଶତଂ କ୍ଷିପ୍ରମେଵ ଵିଧୀୟତାମ୍ ॥ ୧୮ ॥
“ମୁଁ କେବେହେଲେ ମଜାରେ ଵା ଅନ୍ୟ କୌଣସି ସମୟରେ ମିଛ କହିନାହିଁ, ତେଣୁ ଵର କିପରି ମିଛ ହେଵ ? ଶୀଘ୍ର ଘିଅରେ ଭର୍ତ୍ତି ଏକ ଶହ କୁଣ୍ଡ ତିଆରି କରାଅ।”
ସୁଗୁପ୍ତେଷୁ ଚ ଦେଶେଷୁ ରକ୍ଷା ଚୈଵ ଵିଧୀୟତାମ୍ ।
ଶୀତାଭିରଦ୍ଭିରଷ୍ଠୀଲାମିମାଂ ଚ ପରିଷେଚୟ ॥ ୧୯ ॥
“ଅତି ଗୋପନୀୟ ସ୍ଥାନରେ ରଖି ସେସବୁର ରକ୍ଷା କରାଯାଉ। ଏହି କଠିନ ମାଂସପିଣ୍ଡକୁ ଥଣ୍ଡା ପାଣିରେ ସିଞ୍ଚନ କର।”
ସା ସିଚ୍ୟମାନା ତ୍ଵଷ୍ଠୀଳା ବଭୂଵ ଶତଧା ତଦା ।
ଅଙ୍ଗୁଷ୍ଠପର୍ଵମାତ୍ରାଣାଂ ଗର୍ଭାଣାଂ ପୃଥଗେଵ ତୁ ॥ ୨୦ ॥
ଥଣ୍ଡା ପାଣି ସିଞ୍ଚିଵାରୁ ସେହି କଠିନ ମାଂସପିଣ୍ଡ ଏକ ଶତ ଟୁକୁରାରେ ଵିଭକ୍ତ ହେଲା। ସେହି ଟୁକୁରାଗୁଡ଼ିକ ବୁଢ଼ା ଆଙ୍ଗୁଠି ପରି ଛୋଟ ଗର୍ଭରେ ପରିଣତ ହୋଇଗଲା ।
ଏକାଧିକଶତଂ ପୂର୍ଣ୍ଣଂ ଯଥାଯୋଗଂ ଵିଶାଂପତେ ।
ମାଂସପେଶ୍ୟାସ୍ତଦା ରାଜନ୍ କ୍ରମଶଃ କାଲପର୍ଯ୍ୟୟାତ୍ ॥ ୨୧ ॥
ହେ ରାଜନ୍! କାଳକ୍ରମେ ସେହି ମାଂସପିଣ୍ଡରୁ ଠିକ୍ ଏକ ଶହ ଏକଟି (୧୦୧) ଭାଗ ହେଲା ॥ ୨୧ ॥
ତତସ୍ତାଂସ୍ତେଷୁ କୁଣ୍ଡେଷୁ ଗର୍ଭାନଵଦଧେ ତଦା ।
ସ୍ଵନୁଗୁପ୍ତେଷୁ ଦେଶେଷୁ ରକ୍ଷାଂ ଵୈ ଵ୍ୟଦଧାତ୍ ତତଃ ॥ ୨୨ ॥
ତା’ପରେ ସେହି ସବୁ ଗର୍ଭକୁ ସେହି ଘିଅ ଭର୍ତ୍ତି କୁଣ୍ଡଗୁଡ଼ିକରେ ରଖାଗଲା ଏଵଂ ଅତି ଗୋପନୀୟ ସ୍ଥାନରେ ସୁରକ୍ଷିତ ରଖାଗଲା ।
ପୁନଃ ଶଶଂସ ଚୈଵ ଭଗଵାନ୍ କାଲେନୈତାଵତା ।
ଉଦ୍ଘାଟନୀୟାନ୍ୟେତାନି କୁଣ୍ଡାନୀତି ଚ ସୌବଲୀମ୍ ॥ ୨୩ ॥
ଭଗବାନ ଵ୍ୟାସ ପୁଣି ଗାନ୍ଧାରୀଙ୍କୁ କହିଲେ, “ଏତିକି ସମୟ (ପୂରା ଦୁଇ ଵର୍ଷ) ପରେ ଏହି କୁଣ୍ଡଗୁଡ଼ିକ ଖୋଲିଦେଵ।”
ଇତ୍ୟୁକ୍ତ୍ଵା ଭଗଵାନ୍ ଵ୍ୟାସସ୍ତଥା ପ୍ରତିନିଧାୟ ଚ ।
ଜଗାମ ତପସେ ଧୀମାନ୍ ହିମଵନ୍ତଂ ଶିଲୋଚ୍ଚୟମ୍ ॥ ୨୪ ॥
ଏପରି କହି ଏଵଂ ସବୁ ଵ୍ୟଵସ୍ଥା କରି ବୁଦ୍ଧିମାନ ଭଗଵାନ ଵ୍ୟାସ ତପସ୍ୟା କରିଵାକୁ ହିମାଳୟ ପର୍ଵତକୁ ଚାଲିଗଲେ ।
ଜଜ୍ଞେ କ୍ରମେଣ ଚୈତେନ ତେଷାଂ ଦୁର୍ଯ୍ୟୋଧନୋ ନୃପଃ ।
ଜନ୍ମତଃ ପ୍ରମାଣେନ ଜ୍ୟେଷ୍ଠତୋ ରାଜା ଯୁଧିଷ୍ଠିରଃ ॥ ୨୫ ॥
ଏହି କ୍ରମରେ ସର୍ଵପ୍ରଥମେ ରାଜା ଦୁର୍ଯ୍ୟୋଧନ ଜନ୍ମ ନେଲେ। କିନ୍ତୁ ଜନ୍ମକାଳ ଅନୁସାରେ ରାଜା ଯୁଧିଷ୍ଠିର ତା’ଠାରୁ ମଧ୍ୟ ଜ୍ୟେଷ୍ଠ ଥିଲେ ।
ଅତଃ ଗୀତାପ୍ରେସ ଗୋରଖପୁରର ମହାଭାରତରୁ ଏହା ସ୍ପଷ୍ଟ ହୋଇଯାଏ ଯେ ଗାନ୍ଧାରୀ ହିଁ ଶତପୁତ୍ରଙ୍କୁ ଜନ୍ମ ଦେଇଥିଲେ ।
ତେବେ ସ୍ଵାମୀ ସୂର୍ଯ୍ୟଦେଵଙ୍କ ଭଳି କିଛିଲୋକ ପ୍ରଚାର କରୁଛନ୍ତି ଯେ ମହାଭାରତର ଆଦିପର୍ଵ ନଵମ ଅଧ୍ୟାୟ ୨୩ତମ ଶ୍ଳୋକରେ କୁହାଯାଇଛି ଯେ :
"ତସ୍ୟା ସହୋଦରା କନ୍ୟା ପୁନରେଵ ଦଦୌ ଦଶ" ଅର୍ଥାତ୍ “ଭୀଷ୍ମ ଗାନ୍ଧାରୀ ସହିତ ତାଙ୍କର ଦଶ ସହୋଦରା କନ୍ୟାଙ୍କୁ ମଧ୍ୟ ଆଣିଥିଲେ । ” କିନ୍ତୁ ଏଭଳି କୌଣସି ଶ୍ଳୋକ ମହାଭାରତର BORI Critical Edition ସଂସ୍କରଣ କିମ୍ବା ଗୀତାପ୍ରେସ୍ ଗୋରଖପୁରର ମହାଭାରତ ସଂସ୍କରଣରେ ନାହିଁ। ମହାଭାରତର BORI Critical Edition ସଂସ୍କରଣରେ ଆଦିପର୍ଵ ନଵମ ଅଧ୍ୟାୟରେ ମାତ୍ର ୨୨ଟି ଶ୍ଳୋକ ଅଛି । ସେହି ଶ୍ଳୋକଟି ହେଲା :
“ନାପରାଧ୍ୟାମି ତେ କିଞ୍ଚିଦହମଦ୍ୟ ତପୋଧନ ।
ସଂରମ୍ଭାତ୍ତତ୍କିମର୍ଥଂ ମାମଭିହଂସି ରୁଷାନ୍ଵିତଃ ॥ ୨୨ ॥”
ଅର୍ଥାତ୍ — ହେ ତପୋଧନ! ଆଜି ମୁଁ ତୁମର କିଛି ବି ଅପରାଧ କରିନି ତ ? ତଥାପି ତୁମେ କ୍ରୋଧରେ ଉନ୍ମତ୍ତ ହୋଇ କାହିଁକି ମୋତେ ମାରୁଛ (ଆଘାତ କରୁଛ)?
ଏହି କଥା ରାକ୍ଷସ ପୌଲୋମ , ଭୃଗୁ ଋଷିଙ୍କୁ କହୁଛି। ଭୃଗୁ ଋଷି ତାଙ୍କର ପ୍ରଚଣ୍ଡ ତେଜ ଓ ନେତ୍ରାଗ୍ନି ଦେଖାଇ ତାକୁ ଭସ୍ମ କରିଵାକୁ ଉଦ୍ୟତ ହୋଇଥିଵା ଦେଖି ଭୟଭୀତ ହୋଇ ସେ ଏହି ଶ୍ଲୋକ କହି ନିଜକୁ ବଞ୍ଚାଇଵାକୁ ଚେଷ୍ଟା କରୁଛି। (ପରଵର୍ତ୍ତୀ ଶ୍ଲୋକରେ ଭୃଗୁ ତାକୁ ଭସ୍ମ କରିଦିଅନ୍ତି।)
ସମାନ ଭାବରେ ଗୀତା ପ୍ରେସ୍ ଗୋରଖପୁରର ସଂସ୍କୃତ ମହାଭାରତ ସଂସ୍କରଣରେ ଆଦିପର୍ଵ ନଵମ ଅଧ୍ୟାୟ ୨୩ତମ ଶ୍ଳୋକରେ ମଧ୍ୟ ଏହି କଥା କୁହାଯାଇଛି:
“ନାପରାଧ୍ୟାମି ତେ କିଂଚିଦହମଦ୍ୟ ତପୋଧନ ।
ସଂରମ୍ଭାଚ୍ଚ କିମର୍ଥଂ ମାଂ ଅଭିହଂସି ରୁଷାନ୍ଵିତଃ ॥ ୨୩ ॥”
ତେଣୁ ସଂସ୍କୃତ ମହାଭାରତର ଦୁଇଗୋଟି ସବୁଠାରୁ ଅଧିକ ନିର୍ଭରଯୋଗ୍ୟ ସଂସ୍କରଣରେ
ଆଦିପର୍ଵ ନଵମ ଅଧ୍ୟାୟ ୨୨ କିମ୍ବା ୨୩ତମ ଶ୍ଳୋକରେ "ତସ୍ୟା ସହୋଦରା କନ୍ୟା ପୁନରେଵ ଦଦୌ ଦଶ" ବୋଲି କୌଣସି ପଦ ନାହିଁ।
ପ୍ରକୃତରେ ଧୃତରାଷ୍ଟ୍ରଙ୍କର ଏଗାର ରାଣୀ ଥିଵାର କାହାଣୀ ଅଵିଭକ୍ତ ବଙ୍ଗରେ(ପଶ୍ଚିମ ବଙ୍ଗ ଓ ବଙ୍ଗଳାଦେଶ)ଶୁଣାଯାଏ କିନ୍ତୁ ଭାରତରେ ଅନ୍ୟତ୍ର ଏଭଳି କାହାଣୀ ନାହିଁ ।
ଏହି କଥା ଆଜି ବଙ୍ଗର ଲୋକମାନଙ୍କ ମଧ୍ୟରେ ଏତେ ଗଭୀର ଭାବେ ପ୍ରତିଷ୍ଠିତ ଯେ ଅଧିକାଂଶ ଲୋକ ଏହାକୁ ମହାଭାରତର ମୂଳ କଥା ବୋଲି ଭାବନ୍ତି। ବାଙ୍ଗଲା ୱିକିପିଡି଼ଆର ଧୃତରାଷ୍ଟ୍ର ପୃଷ୍ଠାରେ ଏହା ସ୍ପଷ୍ଟ ଲେଖା ରହିଛି:
“ଧୃତରାଷ୍ଟ୍ର ଗାନ୍ଧାରୀ ଛାଡ଼ାଓ ଗାନ୍ଧାରୀର ଦଶଜନ ସହୋଦରାକେ ଵିଵାହ କରେଛିଲେନ। ତାଁଦେର ନାମ ସତ୍ଯବ୍ରତା, ସତ୍ଯସେନା, ସୁଦେଷ୍ଣା, ସୁସଂହିତା, ତେଜଶ୍ରଵା, ସୁଶ୍ରଵା, ନିକୃତି, ଶୁଭା, ଶମ୍ଭୁଭା ଓ ଦଶାର୍ଣା।”
ସେହିପରି ବଙ୍ଗାଳୀ ୱିକିପିଡ଼ିଆର ଗାନ୍ଧାରୀ ପୃଷ୍ଠାରେ ଲେଖା ଅଛି: “ଧୃତରାଷ୍ଟ୍ର ଗାନ୍ଧାରୀସହ ତାଁର ଏକାଦଶ ଭଗିନୀକେ ବିବାହ କରେଛିଲେନ।”
ଏହି କଥା ୱିକିପିଡି଼ଆରେ ସେମିତି ଆସିନାହିଁ, ବଙ୍ଗର ପାଳାଗାନ ଓ ଯାତ୍ରାରେ ଏହି କଥା ଅତି ପ୍ରଚଳିତ। ଅଶୁତୋଷ ଭଟ୍ଟାଚାର୍ଯ୍ୟଙ୍କ ବାଙ୍ଗ୍ଲାର ଲୋକସାହିତ୍ୟ(ଖଣ୍ଡ ୩) ରେ ଏହାକୁ ବଙ୍ଗର ମହାଭାରତ ଲୋକଗାଥାର ଏକ ଅଵିଚ୍ଛେଦ୍ୟ ଅଂଶ ବୋଲି ଉଲ୍ଲେଖ କରାଯାଇଛି। ସୁକୁମାର ସେନଙ୍କ “ବାଂଲା ଲୋକସାହିତ୍ଯର ଇତିହାସ”ରେ ଏହି ପରିଵର୍ଦ୍ଧନକୁ ଊନଵିଂଶ ଶତାବ୍ଦୀର ଲୌକିକ ଉପାଦାନ ରୂପେ ଚିହ୍ନିତ କରାଯାଇଛି। ନୃସିଂହପ୍ରସାଦ ଭାଦୁଡ଼ିଙ୍କ ମହାଭାରତ କଥା (ବଙ୍ଗ ଅନୁଵାଦ)ରେ ଏହା ସ୍ପଷ୍ଟ ଲେଖା ରହିଛି। ସୁନୀଲ ଗଙ୍ଗୋପାଧ୍ୟାୟଙ୍କ “ପ୍ରଥମ ଆଲୋ”ରେ ମଧ୍ୟ ଏହି ଲୋକପ୍ରଚଳିତ କଥାର ପ୍ରତିଫଳନ ଦେଖାଯାଏ। କିନ୍ତୁ ବଙ୍ଗଦେଶରେ ଏହା ଯେତେ ଵ୍ୟାପକ ହେଲେ ମଧ୍ୟ, ଏହା ପ୍ରାଚୀନ ମହାଭାରତର ମୂଳ ପାଠରେ ନାହିଁ। ବଙ୍ଗାଳୀ କଵି କାଶୀରାମ ଦାସଙ୍କ ଷୋଡ଼ଶ ଶତାବ୍ଦୀର ବଙ୍ଗ ମହାଭାରତରେ ଏହାର ଲେଶମାତ୍ର ଉଲ୍ଲେଖ ନାହିଁ ଏଵଂ ସଂସ୍କୃତ ମହାଭାରତର ବୋରି କ୍ରିଟିକାଲ୍ ଏଡିସନ୍ ହେଉ ଅନ୍ୟାନ୍ୟ କୌଣସି ସଂସ୍କୃତ ମହାଭାରତ ସଂସ୍କରଣ କିମ୍ବା କୌଣସି ପ୍ରାଚୀନ ପାଣ୍ଡୁଲିପିରେ ଧୃତରାଷ୍ଟ୍ରଙ୍କର ଏକାଦଶ ପତ୍ନୀଙ୍କର ନାମ ଵା ଵର୍ଣ୍ଣନା ମିଳେ ନାହିଁ। ଏହା ବଙ୍ଗଦେଶରେ ଉନବିଂଶ ଶତାବ୍ଦୀ ପରେ ମୌଖିକ ପରମ୍ପରା ଓ ଲୋକନାଟ୍ୟ ମାଧ୍ୟମରେ ଏକ ସ୍ଥାନୀୟ ପରିଵର୍ଦ୍ଧନ ରୂପେ ଗଢ଼ି ଉଠିଛି ଏଵଂ ଆଜି ସେ ଅଞ୍ଚଳର ଲୋକମାନଙ୍କ ପାଇଁ ମହାଭାରତର ଅଵିଚ୍ଛେଦ୍ୟ ଅଂଶ ହୋଇଗଲାଣି।
କିନ୍ତୁ ବଙ୍ଗଦେଶରେ ଧୃତରାଷ୍ଟ୍ରଙ୍କର ଏଗାର ରାଣୀ କାହାଣୀ ସୃଷ୍ଟି କରିଵା ପଛର କାରଣ କ’ଣ ଥାଇପାରେ ? ପୁଣି ବଙ୍ଗରେ ଊନଵିଂଶ ଶତାବ୍ଦୀରେ ହିଁ କାହିଁକି ଏଭଳି କାହାଣୀ ସୃଷ୍ଟି ହେଲା ?
ଅନୁମାନ କରାଯାଉଛି ଯେ ଏହାର ଵିଭିନ୍ନ କାରଣ ମଧ୍ୟରୁ ସମ୍ଭଵତଃ ଦୁଇଟି ମୁଖ୍ୟ କାରଣ ଥିଲା ମହାଭାରତରେ “ଧୃତରାଷ୍ଟ୍ରଙ୍କର ଶହେ ପୁତ୍ର” କାହାଣୀକୁ ଵାସ୍ତଵଵାଦୀ ଦେଖାଇଵା ସହିତ ଧାର୍ମିକ କଳହକୁ ହ୍ରାସ କରିଵା । ଆଜି ଯେମିତି ଅନ୍ତର୍ଜାଲର ଵିଭିନ୍ନ ସାମାଜିକ ଗଣମାଧ୍ୟମଗୁଡି଼କକୁ ଆସି ଵିଧର୍ମୀମାନେ ଭାରତୀୟ ପୁରାଣଗାଥାର କୌଣସି ଆଖ୍ୟାନକୁ ଉପଲକ୍ଷ କରି ହିନ୍ଦୁ ଧର୍ମ ଓ ଭାରତୀୟ ସଂସ୍କୃତି ଉପରେ କୁଠାରାଘାତ କରିଵାକୁ ଚେଷ୍ଟା କରୁଛନ୍ତି ଠିକ୍ ସେହିପରି ଊନଵିଂଶ ଶତାବ୍ଦୀର ଆରମ୍ଭରେ ବଙ୍ଗରେ ମଧ୍ୟ ଦେଖା ଦେଇଥିଲା । ସେତେବେଳେ ଖିରସ୍ଥାନୀ ଓ ପଠାଣମାନେ ଅଧିକରୁ ଅଧିକ ଲୋକଙ୍କୁ ଧର୍ମାନ୍ତରୀତ କରୁଥାନ୍ତି। ଆଜି ଯେମିତି “ବ୍ରହ୍ମା-ସରସ୍ଵତୀ ସମ୍ପର୍କ”,“ରାମଙ୍କଦ୍ଵାରା ସୀତାଙ୍କୁ ତ୍ୟାଗ", ଦ୍ରୋଣାଚାର୍ଯ୍ୟଙ୍କର ଏକଲଵ୍ୟଙ୍କଠାରୁ ବୃଦ୍ଧ ଆଙ୍ଗୁଳି ମାଗିଵା ଇତ୍ୟାଦି ଵିଭିନ୍ନ ପୌରାଣିକ ପ୍ରସଙ୍ଗକୁ ଧରି ଅଣହିନ୍ଦୁମାନେ ହିନ୍ଦୁମାନଙ୍କୁ ସାମାଜିକ ଗଣମାଧ୍ୟମଗୁଡ଼ିକରେ ଶାବ୍ଦିକ ଆକ୍ରମଣ କରନ୍ତି ସେତେବେଳେ ଠିକ୍ ଏହିପରି ଭାବେ ବଙ୍ଗରେ ହେଉଥାଏ । ବଙ୍ଗାଳୀ ପଠାଣମାନେ ବଙ୍ଗାଳୀ ହିନ୍ଦୁମାନଙ୍କୁ ହୁଏତ କହୁଥିବେ ଆମର ଆଠ ଦଶୁଟା ଛୁଆ ଏଵଂ ଦୁଇ ତିନୋଟି ସ୍ତ୍ରୀ ଦେଖି କାହିଁକି ଵ୍ୟଙ୍ଗ୍ୟ କରୁଛ ? ରାମଚନ୍ଦ୍ରଙ୍କ ବାପାଙ୍କର ତିନି ସ୍ତ୍ରୀ ଥିଲେ ଆଉ ଧୃତରାଷ୍ଟ୍ରଙ୍କର ଗୋଟିଏ ସ୍ତ୍ରୀ ଶହେ ପୁଅ ଗୋଟିଏ ଝିଅ ଜନ୍ମ କରିଥିଲେ । ସମ୍ଭଵତଃ ଊନଵିଂଶ ଶତାବ୍ଦୀର ବଙ୍ଗଦେଶରେ ମହାଭାରତର କେତେକ ଆଖ୍ୟାନକୁ ଏଥିପାଇଁ ଅଧିକ ଵାସ୍ତଵଵାଦୀ କରାଯାଇଥାଇପାରେ । ସାରଳା ମହାଭାରତରେ ମଧ୍ୟ ଏହିପରି ଭାବେ କର୍ଣ୍ଣଙ୍କ ଜନ୍ମ କାନ ବାଟେ ହୋଇଥିଵାର ଉଲ୍ଲେଖ ଅଛି କିନ୍ତୁ ମୂଳ ମହାଭାରତରେ ଏଭଳି କୌଣସି କଥା ହିଁ ନାହିଁ । ଦଶ ଵର୍ଷର କନ୍ୟା କୁନ୍ତୀ ପିଲା ଜନ୍ମ ଦେଵା ଶୁଣି କାଳେ ସମାଜରେ ସାଧାରଣ ଲୋକେ ସେହିପରି କାର୍ଯ୍ୟ କରିଵା ଆରମ୍ଭ କରିବେ ଏହା ବୁଝି ତତ୍କାଳୀନ ଯୁଗ ଆଧାରରେ ସାରଳା ଦାସ ଏଭଳି ପରିଵର୍ତ୍ତନ କରିଥିଲେ । ଅତଃ ବହୁତ ସମ୍ଭଵ ବଙ୍ଗଦେଶରେ ମଧ୍ୟ ଧୃତରାଷ୍ଟ୍ରଙ୍କର ଏଗାର ରାଣୀ ଉପାଖ୍ୟାନ ଯୋଡ଼ାଯାଇଥିଲା । କିନ୍ତୁ ଏହା ସ୍ପଷ୍ଟ ଯେ ଧୃତରାଷ୍ଟ୍ରଙ୍କର ଏଗାର ଜଣ ରାଣୀ ଥିଵାର ଉଲ୍ଲେଖ ମୂଳ ସଂସ୍କୃତ ମହାଭାରତରେ ନାହିଁ କିମ୍ବା ଭାରତର ଅନ୍ୟାନ୍ୟ କୌଣସି ମହାଭାରତ ସଂସ୍କରଣରେ ନାହିଁ ।
No comments:
Post a Comment