Friday, November 21, 2025

କୁମାରୀକଣ୍ଡ(ନ୍ଦ)ମ୍‌ର ଅସ୍ତିତ୍ୱ କାହିଁକି ଅସମ୍ଭଵ ?

“କୁମାରୀକଣ୍ଡ(ନ୍ଦ)ମ୍” ଵା “ଲେମୁରିଆ” ନାମରେ ପରିଚିତ କଳ୍ପିତ ଭୂଖଣ୍ଡକୁ ଆଧୁନିକ ତାମିଳ ଜାତୀୟତାଵାଦୀମାନେ ଏକ ଵିରାଟ ପ୍ରାଚୀନ ତାମିଳ ସଭ୍ୟତାର ଜନ୍ମଭୂମି ବୋଲି ଦାବି କରନ୍ତି। ସେମାନଙ୍କ ଅନୁଯାୟୀ, ଏହା କନ୍ୟାକୁମାରୀର ଦକ୍ଷିଣରେ ଭାରତୀୟ ମହାସାଗର ଭିତରେ ଅଵସ୍ଥିତ ଥିଲା ଏଵଂ ପ୍ରାୟ ୧୦,୦୦୦–୧୫,୦୦୦ ଵର୍ଷ ପୂର୍ଵେ ସମୁଦ୍ରଗର୍ଭରେ ବୁଡ଼ିଯାଇଥିଲା। ଏହି ଆଖ୍ୟାନ ପ୍ରାଚୀନ ତାମିଳ ସାହିତ୍ୟ, ପୌରାଣିକ କଥା ଓ ୧୯ଶ ଶତାବ୍ଦୀର ପାଶ୍ଚାତ୍ୟ ଭ୍ରମାତ୍ମକ ଵିଜ୍ଞାନର ମିଶ୍ରଣ। କିନ୍ତୁ ଯେତେବେଳେ ଆମେ ଏହାକୁ ପ୍ରାଚୀନ ଭାରତୀୟ ପୌରାଣିକ ଆଖ୍ୟାନ, ପ୍ରାଚୀନ ଗ୍ରନ୍ଥ, ପ୍ରାଚୀନ ମାନଵ ଇତିହାସ, ପ୍ରାଚୀନ ପୃଥିଵୀର ଭୂତତ୍ତ୍ୱ ଇତିହାସ ଏଵଂ ଆଧୁନିକ ଭୂଵିଜ୍ଞାନ ଇତ୍ୟାଦି ପାଞ୍ଚଟି ମୌଳିକ ଆଧାରରେ ପରୀକ୍ଷା କରୁ ସେତେବେଳେ ଏହା ଏକ ଅଵୈଜ୍ଞାନିକ ମିଥ୍ୟା ବୋଲି ସ୍ପଷ୍ଟ ହୋଇଯାଏ।
ଦାବି କରାଯାଏ ଯେ ପ୍ରାଚୀନ ସଙ୍ଗମ ସାହିତ୍ୟ (ତୋଲ୍‌କାପ୍ପିୟମ୍, ଅଷ୍ଟାଦ୍ଧ୍ୟାୟୀ, ପୁରନାନୂରୁ, ଐଙ୍କୁରୁନୂରୁ ଇତ୍ୟାଦି) ଓ ପରଵର୍ତ୍ତୀ କାବ୍ୟ ସିଲପ୍ପଦିକାରମ୍ (୫ମ–୬ଷ୍ଠ ଶତାବ୍ଦୀ ଖ୍ରୀ.) ଓ ମଣିମେକଳାଇ ଇତ୍ୟାଦି ପ୍ରାଚୀନ ତାମିଳ ଗ୍ରନ୍ଥରେ କୁମାରୀକାଣ୍ଡମ୍‌ର ଉଲ୍ଲେଖ ଅଛି । କିନ୍ତୁ ଏହା ସତ୍ୟ ନୁହେଁ।

“ସଙ୍ଗମ ସାହିତ୍ୟରେ ‘କୁମାରୀ’ ଶବ୍ଦଟି କେଵଳ ଆଜିର କନ୍ୟାକୁମାରୀ ଅଞ୍ଚଳ କିମ୍ବା ସେହି ନାମରେ ଥିଵା ଏକ ନଦୀକୁ ବୁଝାଏ – ଏହା କୌଣସି ଵିରାଟ ଡୁବିଯାଇଥିଵା ମହାଦେଶକୁ ସୂଚିତ କରେ ନାହିଁ।

 ସିଲପ୍ପଦିକାରମ୍‌ର ଵିଖ୍ୟାତ ‘କଡଲ୍‌ପୁରତ୍ତ କାଥାଇ’ ଅଧ୍ୟାୟରେ ଯାହା ଵର୍ଣ୍ଣନା କରାଯାଇଛି, ତାହା କେଵଳ ପାଣ୍ଡ୍ୟ ରାଜଧାନୀ ପୁହାର୍‌ଠାରୁ (ଆଜିର ପୁମ୍‌ପୁହାର୍ ଵା କାଵେରୀପୁମ୍‌ପଟ୍ଟିନମ୍) ଅଳ୍ପ ଦକ୍ଷିଣକୁ ଥିଵା ଏକ ସ୍ଥାନୀୟ ଉପକୂଳଭୂମିର କଥା – ଯେଉଁଠି ପହ୍ରୁଳି ନଦୀ ଓ କୁମରି ନଦୀ ମଧ୍ୟରେ ଥିଵା ଅତି ଉର୍ଵର ଜମିକୁ ସମୁଦ୍ର ଧୀରେ ଧୀରେ ଗ୍ରାସ କରି ନେଇଥିଲା। ଏହା ଆଜି ପାକ୍ ଜଳସନ୍ଧି(Palk Strait)ର ଅଗଭୀର ସମୁଦ୍ର ତଳେ ରହିଛି। ଏହା କୌଣସି ଵିଶାଳ ମହାଦେଶ ନୁହେଁ ଵରଂ କେଵଳ କିଛି ଶହ ଵର୍ଗକିଲୋମିଟରର ଏକ ସାଧାରଣ ଉପକୂଳଭୂମି ଯାହା ସମୁଦ୍ର ବଢ଼ିଵା ଯୋଗୁଁ ହଜିଯାଇଥିଲା । ଏପରି ଘଟଣା ପୃଥିଵୀର ଅନେକ ଉପକୂଳରେ ହଜାର ହଜାର ଵର୍ଷ ଧରି ଘଟିଆସୁଛି।

ଚତୁର୍ଦ୍ଦଶ ଶତାବ୍ଦୀର ପ୍ରସିଦ୍ଧ ତାମିଳ ଟିକାକାର ନକ୍କୀରର୍ (Nakkīrar) ତାଙ୍କର ଇରୟନାର୍ ଅହପ୍ପୋରୁଳ ଉରୈ ନାମକ ଗ୍ରନ୍ଥରେ ପ୍ରଥମେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ତାମିଳ ସଙ୍ଗମ ପରମ୍ପରାରେ ମୋଟ୍ ତିନିଟି ସଙ୍ଗମ ଏକାଡେମୀ ଥିଲା । 
•ପ୍ରଥମ ସଙ୍ଗମ୍ 
ରାଜଧାନୀ: ତେନ୍ମଦୁରୈ / ଦକ୍ଷିଣ ମଦୁରା
•ଦ୍ୱିତୀୟ ସଙ୍ଗମ୍ 
ରାଜଧାନୀ: କପଡ଼ପୁରମ୍
 •ତୃତୀୟ ସଙ୍ଗମ୍ 
ରାଜଧାନୀ: ଉତ୍ତର ମଦୁରା / ବର୍ତ୍ତମାନର ମଦୁରାଇ
ଏହା ସହିତ ନକ୍କୀରର୍ ଲେଖିଛନ୍ତି ଯେ, ପ୍ରଥମ ଓ ଦ୍ୱିତୀୟ ସଙ୍ଗମ୍‌ର ରାଜଧାନୀ ସହ ପାଣ୍ଡ୍ୟ ରାଜ୍ୟର ଵିଶାଳ ଦକ୍ଷିଣ ଭୂଖଣ୍ଡ ସମୁଦ୍ର ଗ୍ରାସ କରି ନେଇଥିଲା । ଏହି ଵର୍ଣ୍ଣନାକୁ ଆଧାର କରି ପରଵର୍ତ୍ତୀ କାଳରେ କୁମରିକ୍କଣ୍ଡମ୍ ଵା ପୁମ୍ପୁକାର ଭୂମିର ଵିଚାର ସୃଷ୍ଟି ହେଲା । 
ତେବେ ୧୩୦୦ ଖ୍ରୀଷ୍ଟାବ୍ଦ ପରେ ଏହା ଲେଖା ହୋଇଥିଲା କିନ୍ତୁ ଏହା ପୂର୍ଵରୁ କୌଣସି ପ୍ରାଚୀନ ଗ୍ରନ୍ଥରେ ଏଭଳି ଉଲ୍ଲେଖ ନାହିଁ।

ମହାଭାରତ, ରାମାୟଣ, ଵିଷ୍ଣୁ ପୁରାଣ, ଭାଗଵତ, ମତ୍ସ୍ୟ ପୁରାଣ ଇତ୍ୟାଦିରେ ଦକ୍ଷିଣ ଭାରତର ଵିସ୍ତୃତ ଵର୍ଣ୍ଣନା ରହିଛି। କିନ୍ତୁ କୌଣସି ପୁରାଣରେ କନ୍ୟାକୁମାରୀର ଦକ୍ଷିଣରେ ଅବଳଵସ୍ଥିତ ଏକ ଵିରାଟ ତାମିଳ ମହାଦେଶ ବୁଡ଼ିଯାଇଥିଵାର କଥା ନାହିଁ। ଏହା ଯଦି ସତରେ ଘଟିଥାଆନ୍ତା, ତେବେ ଏତେ ବଡ଼ ଘଟଣା ସମଗ୍ର ଭାରତର ପୌରାଣିକ ସାହିତ୍ୟରେ ଅଵଶ୍ୟ ସ୍ଥାନ ପାଇଥାଆନ୍ତା।

ମଣିଷର ଆଧୁନିକ ରୂପ (Homo sapiens) ଆଫ୍ରିକାରୁ ପ୍ରାୟ ୭୦,୦୦୦ ଵର୍ଷ ପୂର୍ଵରୁ ଭାରତ ଉପକୂଳରେ ପହଞ୍ଚିଥିଲା। କୁମାରୀକାଣ୍ଡମ୍ ଯଦି ୧୫,୦୦୦ ଵର୍ଷ ପୂର୍ଵେ ଥିଲା ତେବେ ଦକ୍ଷିଣ ଭାରତର ସଭ୍ୟତା ଅତି ପ୍ରାଚୀନ ହୋଇଥାଆନ୍ତା ‌। କିନ୍ତୁ ଆଧୁନିକ ଐତିହାସିକ କୁହନ୍ତି ଯେ ଭାରତର ଦକ୍ଷିଣରେ ସବୁଠାରୁ ପୁରୁଣା ସଭ୍ୟତା ହେଉଛି କୀଲାଡି (Keezhadi, ତାମିଳନାଡୁ) ଏଵଂ ଏହାର ଵୟସ ମାତ୍ର ୨୬୦୦ ବର୍ଷ (୬ଷ୍ଠ ଶତାବ୍ଦୀ ଖ୍ରୀଷ୍ଟପୂର୍ଵ) ଅଟେ ।‌ ଆଦିଚ୍ଚନଲ୍ଲୁର, ପଟ୍ଟଣମ୍, ଅରିକମେଡୁ ଆଦି ସ୍ଥାନରେ ମିଳିଥିଵା ପୁରାତତ୍ତ୍ୱ ପ୍ରମାଣ ୨୫୦୦–୩୦୦୦ ଵର୍ଷ ପୁରୁଣା ଅଟେ । ସେହିପରି ସମୁଦ୍ର ତଳେ କୌଣସି ପ୍ରାଚୀନ ନଗର ଵା ସଭ୍ୟତାର ଅଵଶେଷ ମିଳିନାହିଁ। ହଁ ସଭ୍ୟତା ଗଢ଼ି ଉଠିଵା ପୂର୍ଵରୁ ଆଜକୁ ପ୍ରାୟ ୫୦୦୦୦ରୁ ୭୦୦୦୦ ଵର୍ଷ ତଳେ ଦକ୍ଷିଣ ଭାରତରେ ହୋମୋ ସାପିଏନ୍ସ୍‌ମାନେ ରହୁଥାଇପାରନ୍ତି କିନ୍ତୁ ତାହା ପ୍ରାକ୍-ମାନଵସଂସ୍କୃତିକାଳୀନ ଜନଵସତି ରୂପେ ହିଁ ଗଣ୍ୟ ହୋଇଥାଏ । ସେ ସମୟରେ ସାରା ପୃଥିଵୀରେ ହୋମୋ ସାପିଏନ୍ସ୍‌ ତଥା ଅନ୍ୟାନ୍ୟ ହୋମୋ ଵଂଶର ମାନଵଜାତି ଥିଲେ । କେହି କେହି ତାମିଲ ଅସ୍ମିତାଵାଦୀମାନେ ଏହା ମଧ୍ୟ ଦାବି କରନ୍ତି ଯେ ପାକିସ୍ତାନ ଓ ଗୁଜରାଟ ଆଡ଼ୁ ଏକ ବଡ଼ ଭୂଭାଗ କେରଳ ଓ ତାମିଲନାଡ଼ୁ ପର୍ଯ୍ୟନ୍ତ ଵ୍ୟାପି ରହିଥିଲା ଯାହା ପରେ ସମୁଦ୍ର ଜଳସ୍ତର ବଢ଼ିଵା ଯୋଗୁଁ ବୁଡ଼ିଯାଇଛି । ଏହାର ପ୍ରମାଣ ସ୍ଵରୂପ ତାମିଲ ଅସ୍ମିତାଵାଦୀମାନେ 
 ଗୁଜରାଟର ଖମ୍ବାତ ଉପସାଗର ଵା କାମ୍ବେ ଉପସାଗରରେ ୨୦୦୦ ମସିହାରେ ଭାରତର ରାଷ୍ଟ୍ରୀୟ ସମୁଦ୍ର ପ୍ରଯୁକ୍ତି ସଂସ୍ଥାନ (NIOT) ଦ୍ୱାରା ଆଵିଷ୍କୃତ ଏକ ସମ୍ଭାବ୍ୟ ପ୍ରାଚୀନ ନଗର ଵିଷୟରେ ଉଲ୍ଲେଖ କରନ୍ତି । କିଛି ତାମିଲ ଅସ୍ମିତାଵାଦୀମାନେ କୁହନ୍ତି ଯେ ଏହିପଟ ଦେଇ ଇରାନ ଓ ସିନ୍ଧୁ ନଦୀ ମୁହାଣ ଆଡ଼ୁ ପ୍ରାଚୀନ ମାନଵମାନେ ଦକ୍ଷିଣ ଭାରତକୁ ଆସିଥିଲେ ତେବେ ଭୂତାତ୍ତ୍ଵିକ ପ୍ରମାଣ ଅଭାଵରୁ ଏହା ଅସତ୍ୟ ଵିଵେଚିତ ହୋଇସାରିଛି । 
ତେବେ ଗୁଜରାଟର ଖମ୍ବାତ ଉପସାଗରର ସମୁଦ୍ର ମଧ୍ୟରେ ବୁଡ଼ିଯାଇଥିଵା ପ୍ରୋକ୍ତ ପ୍ରାଚୀନ ନଗରର ସମ୍ଭାଵ୍ୟ ଵୟସ ୯,୫୦୦ ଵର୍ଷ (ପ୍ରାୟ ୭୫୦୦ ଖ୍ରୀଷ୍ଟପୂର୍ବ) ହୋଇପାରେ ବୋଲି ଅନୁମାନ କରାଯାଉଛି । ଏଠାରେ ସମୁଦ୍ର ତଳେ ଭିତ୍ତି, ରାସ୍ତା, ସ୍ଥାନାନ୍ତର ସ୍ତର ଓ କିଛି କଳାକୃତି (ଯଥା ମାଟିର ପାତ୍ର, ମାନଵ ଅଵଶେଷ) ମିଳିଥିଵା କୁହାଯାଏ, କିନ୍ତୁ ଏହା ଵୈଜ୍ଞାନିକ ଭାବେ ପ୍ରମାଣିତ ନୁହେଁ ଏଵଂ ପ୍ରାକୃତିକ ଗଠନ ହୋଇପାରେ ବୋଲି ଵିଶେଷଜ୍ଞମାନେ ମନେ କରନ୍ତି । ଏଠାରେ ହୁଏତ ଏକ ପ୍ରାଚୀନ ମାନଵ ସଭ୍ୟତା ଗଢ଼ିଉଠିଥିଲା ଯାହାକୁ କେହି ପ୍ରାକ୍ ହରପ୍ପା ସଭ୍ୟତା ଆଉ କେହି କେହି ପ୍ରାଚୀନ ଦ୍ଵାରକା ନଗରୀ ବୋଲି ଵିଶ୍ୱାସ କରନ୍ତି ତେବେ ଏହା କୁମାରୀକଣ୍ଡମ୍ କିମ୍ବା ଲେମୁରିଆ ହୋଇଥିଵାର ସମ୍ଭାଵନା ନାହିଁ।

ପୃଥିଵୀର ଭୂତତ୍ତ୍ୱ ଇତିହାସ ଓ ପ୍ଲେଟ୍ ଟେକ୍ଟୋନିକ୍ସ୍ ସମ୍ବନ୍ଧୀୟ ଵୈଜ୍ଞାନିକ ତଥ୍ୟ ଦୃଷ୍ଟିରୁ ମଧ୍ୟ କୁମାରୀକଣ୍ଡମ୍ ବୋଲି କୌଣସି ଏକ ଵିଶାଳ ଭୂଭାଗ ଭାରତର ନିମ୍ନଭାଗରେ ଥିଵାର ସମ୍ଭାଵନା ନାହିଁ।‌

କଣ୍ଟିନେଣ୍ଟାଲ୍ କ୍ରଷ୍ଟ୍ ଵା ମହାଦେଶୀୟ ଭୂତ୍ୱକ୍ ସମୁଦ୍ରରେ ବୁଡ଼ିଯାଏ ନାହିଁ, କାରଣ ଏହାର ଘନତ୍ୱ କମ୍ (ପ୍ରାୟ ୨.୭ ଗ୍ରାମ୍/ସେମି³) ଏଵଂ ଏହା ମାଣ୍ଟଲ୍ ଉପରେ ଭାସେ ।
ସମୁଦ୍ର ତଳେ କେଵଳ ଓସିଆନିକ୍ କ୍ରଷ୍ଟ୍ ଵା ମହାସାଗରୀୟ ଭୂତ୍ଵକ (ଘନତ୍ୱ ୩.୦) ବୁଡ଼ିଯାଏ । ଏହା ସବଡ଼କ୍ସନ୍ ଦ୍ୱାରା ମାଣ୍ଟଲ୍ ଭିତରକୁ ଯାଇପାରେ। ଭାରତୀୟ ପ୍ଲେଟ୍ ଗଣ୍ଡୱାନାରୁ ପୃଥକ୍ ହୋଇ ୧୩୦ ନିୟୁତ ଵର୍ଷ ପୂର୍ଵରୁ ଉତ୍ତର ଦିଗରେ ଗତି କରି ଏସିଆ ସହ ଯୋଡ଼ି ହିମାଳୟ ସୃଷ୍ଟି କଲା। ଏହାର ଦକ୍ଷିଣ ଭାଗରେ କୌଣସି ଵିରାଟ ଭୂଖଣ୍ଡ ବୁଡ଼ିଯାଇନାହିଁ। ଅଵଶ୍ୟ ମାଉରିଟିଆ (Mauritia) ନାମକ ଏକ ଛୋଟ ମାଇକ୍ରୋକଣ୍ଟିନେଣ୍ଟ୍ ୮୪ ନିୟୁତ ଵର୍ଷ ପୂର୍ଵରୁ ମଡାଗାସ୍କର୍ ଓ ଭାରତ ମଧ୍ୟରୁ ପୃଥକ୍ ହୋଇ ସମୁଦ୍ର ତଳେ ରହିଗଲା। କିନ୍ତୁ ଏହାର ଆୟତନ କେଵଳ ଫ୍ରାନ୍ସ ପରି ଏବଂ ମାନଵ ସଭ୍ୟତାର ଅନେକ ପୂର୍ଵରୁ ଏମନ୍ତକି ପ୍ରାଇମେଟ୍ସଙ୍କ ଆଗମନ ପୂର୍ଵରୁ ଏହା ସମୁଦ୍ର ଭିତରେ ବୁଡ଼ିଯାଇଥିଲା।

ଶେଷ ହିମଯୁଗ (Last Glacial Maximum)ସମୟରେ ଆଜକୁ ପ୍ରାୟ ୨୦,୦୦୦ ଵର୍ଷ ପୂର୍ଵେ ସମୁଦ୍ର ସ୍ତର ଆଜି ଅପେକ୍ଷା ୧୨୦ ମିଟର ତଳେ ଥିଲା। ସେତେବେଳେ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଏକ ସ୍ଥଳ ସେତୁ ଥିଲା ଯାହାକୁ ରାମସେତୁ କୁହାଯାଏ। କିନ୍ତୁ ଏହା ମଧ୍ୟ କେଵଳ ୫୦–୭୦ କିମି ଚଉଡ଼ା ଥିଲା, କୌଣସି ଵିରାଟ ମହାଦେଶ ନଥିଲା। ୧୦,୦୦୦ ଵର୍ଷ ପୂର୍ଵେ ସମୁଦ୍ର ସ୍ତର ବଢ଼ି ଏହି ସ୍ଥଳସେତୁ ବୁଡ଼ିଗଲା। କେହି କେହି କୁହନ୍ତି ଏହି ଘଟଣାକୁ ଅତିରଞ୍ଜନ କରି କୁମାରୀକାଣ୍ଡମ୍ ମିଥ୍ୟା ସୃଷ୍ଟି ହୋଇଥିଲା।

ଆଧୁନିକ ଭୂଵିଜ୍ଞାନ ଓ ସାଟେଲାଇଟ୍ ତଥ୍ୟ ମଧ୍ୟ କୁମାରୀକଣ୍ଡମ୍ ନାମରେ ଭାରତଵର୍ଷର ନିମ୍ନଭାଗରେ କୌଣସି ଵିଶାଳ ଭୂଭାଗ ଥିଵାର ଧାରଣା ଭୁଲ୍ ବୋଲି ପ୍ରମାଣ କରେ । 
କୃତ୍ରିମ ଉପଗ୍ରହ ମାଧ୍ୟାକର୍ଷଣ ମାନଚିତ୍ର (GRACE, GOCE) ଓ ବାଥିମେଟ୍ରି ମାନଚିତ୍ର ଅନୁଯାୟୀ ଭାରତୀୟ ମହାସାଗରରେ କୌଣସି ବୁଡ଼ିଯାଇଥିଵା ମହାଦେଶର ଚିହ୍ନ ନାହିଁ। ସିସ୍ମିକ୍ ସର୍ଵେ ଓ ଡିପ୍-ସି ଡ୍ରିଲିଂରୁ ଜଣାପଡ଼ୁଛି ଯେ ଭାରତର ଦକ୍ଷିଣରେ କେଵଳ ପତଳା ଓସିଆନିକ୍ କ୍ରଷ୍ଟ୍ ଅଛି, କୌଣସି ପୁରୁଣା କଣ୍ଟିନେଣ୍ଟାଲ୍ କ୍ରଷ୍ଟ୍ ନାହିଁ।

ତେବେ ଏହି କୁମାରୀକଣ୍ଡମ୍ ନାମକ ମିଥ୍ୟାର ଜନ୍ମ ଓ ରାଜନୈତିକ ଵ୍ୟଵହାରର ଇତିହାସ 
ବହୁ ଵର୍ଷ ପୁରୁଣା । ୧୮୬୦ରେ ବ୍ରିଟିଶ୍ ଜୀଵଵିଜ୍ଞାନୀ ଫିଲିପ୍ ସ୍କ୍ଲାଟର୍ ଲେମୁର୍ ପ୍ରାଣୀଙ୍କ ବଣ୍ଟନ ବୁଝାଇଵାକୁ ଯାଇ “ଲେମୁରିଆ” ନାମକ ଏକ ସେତୁ ଭୂଖଣ୍ଡ ପ୍ରସ୍ତାଵ ଦେଲେ। ୧୯୨୦–୩୦ ଦଶକରେ ତାମିଳ ପୁନରୁତ୍ଥାନଵାଦୀମାନେ ଏହାକୁ ତାମିଳ ଅସ୍ମିତାର ପ୍ରତୀକ କରି କୁମାରୀକଣ୍ଡମ୍ ନାମ ଦେଲେ। ଆଧୁନିକ ତାମିଳ ରାଜନୀତିରେ ଏହା ଏକ ପ୍ରଚାର ଉପକରଣ ହୋଇଗଲା।

କିନ୍ତୁ ଏହି କୁମାରୀକଣ୍ଡମ୍ ନାମଟି କନ୍ୟାକୁମାରୀ ସହିତ ଜଡ଼ିତ ଏକ ସ୍ଥାନୀୟ ଲୋକକଥାରୁ ପ୍ରେରିତ ହୋଇଥିଵା ଜଣାଯାଏ । ପ୍ରକୃତରେ ସଂସ୍କୃତ ଭାଷାର କୁମାରୀଖଣ୍ଡ ଶବ୍ଦଟି କୁମାରୀକଣ୍ଡମ୍ ଵା କୁମାରୀକନ୍ଦମ୍ ହୋଇଅଛି । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୧୩୦୫ତମ ପୃଷ୍ଠାରେ 
କନ୍ୟାକୁମାରୀ ଶବ୍ଦର ଦୁଇଗୋଟି ଅର୍ଥ ଲେଖାଅଛି — “କୁମାରିକାଅନ୍ତରୀପ ଓ 
କୁମାରୀକାଅନ୍ତରୀପରେ ପୂଜିତା ଦେଵୀଵିଶେଷଙ୍କ ନାମ” । ଏହି କନ୍ୟାକୁମାରୀ ଵା କୁମାରୀ ଦେଵୀଙ୍କ ସମ୍ବନ୍ଧରେ ଏକ ସ୍ଥାନୀୟ ଲୋକକଥା ରହିଛି । ଉକ୍ତ ଲୋକକଥା ଅନୁସାରେ: ରାଜା ଭରତଙ୍କର ନଅ ସନ୍ତାନ ଥିଲେ – ଆଠ ପୁଅ ଓ ଜଣେ ଝିଅ (କୁମାରୀ)। ରାଜା ମରିଵା ପୂର୍ଵରୁ ସାମ୍ରାଜ୍ୟକୁ ନଅ ଭାଗରେ ବାଣ୍ଟି ଦେଇଥିଲେ, ଦକ୍ଷିଣ ଭାଗ ଝିଅ କୁମାରୀଙ୍କୁ ମିଳିଥିଲା। କୁମାରୀ ଦେଵୀ ଶକ୍ତିଙ୍କର ଅଵତାର ଥିଲେ। ସେ ଶିଵଙ୍କୁ ଵିଵାହ କରିବାକୁ ଚାହୁଁଥିଲେ, ଶିଵ ମଧ୍ୟ ରାଜି ହୋଇଥିଲେ ଓ ଵିଵାହର ସବୁ ଵ୍ୟଵସ୍ଥା ଚାଲିଥିଲା। ନାରଦ ମୁନି ଚାହୁଁଥିଲେ ଯେ ବାଣାସୁରର ଵଧ କୁମାରୀଙ୍କ ହାତରେ ହେଉ, ତେଣୁ ମୁହୂର୍ତ୍ତ ବିତିଗଲା ଓ ଵିଵାହ ଭାଙ୍ଗିଗଲା। ଏହାପରେ ବାଣାସୁର କୁମାରୀଙ୍କ ସୌନ୍ଦର୍ଯ୍ୟ ଶୁଣି ଵିଵାହ ପ୍ରସ୍ତାବ ଦେଲା। କୁମାରୀ କହିଲେ, ‘‘ମୋତେ ଯୁଦ୍ଧରେ ହରାଇଲେ ଵିଵାହ କରିବି।’’ ଯୁଦ୍ଧରେ ବାଣାସୁର ମରିଗଲା କିନ୍ତୁ ମରିଵା ଆଗରୁ ଜାଣିପାରିଲା ଯେ ଏ କେଵଳ କୁମାରୀ ନୁହନ୍ତି, ସାକ୍ଷାତ ଦେଵୀ ଶକ୍ତି। ସେ କ୍ଷମା ମାଗିଲା। ତା’ପରେ ଦେଵୀ ଶିଵଲୋକକୁ ଚାଲିଗଲେ, କିନ୍ତୁ ଆରାଧ୍ୟା ରୂପେ କନ୍ୟାକୁମାରୀ ମନ୍ଦିରରେ ସେ ପୂଜା ପାଇଵାକୁ ଲାଗିଲେ। ଵିଵାହ ପାଇଁ ଆସିଥିଵା ହଳଦୀ ଚାଉଳ-ଡାଲି ରଙ୍ଗୀନ ବାଲିରେ ପରିଣତ ହେଲା। ଏହି କାରଣରୁ ଏ ସ୍ଥାନର ନାଁ ହେଲା କନ୍ୟାକୁମାରୀ। ତେବେ ଏହା ସମ୍ପୂର୍ଣ୍ଣ ସ୍ଥାନୀୟ ଲୋକକଥା । 

ହେଲେ ମୂଳ ସଂସ୍କୃତ ପୁରାଣରେ ଥିଵା ପ୍ରକୃତ ସର୍ଵମାନ୍ୟ ପୌରାଣିକ ଵର୍ଣ୍ଣନା ବହୁତ ଭିନ୍ନ । 
କନ୍ୟାକୁମାରୀ ଦେଵୀ ହେଉଛନ୍ତି ଭଗଵତୀ ପାର୍ଵତୀଙ୍କର ବାଲ୍ୟ/କୁମାରୀ ରୂପ। ସେଥିପାଇଁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୧୬୬୮,ତମ ପୃଷ୍ଠାରେ କୁମାରୀ ଶବ୍ଦର ଅର୍ଥ ଯଥାକ୍ରମେ ଦୁର୍ଗା,ଅଵିଵାହିତା ବାଳିକା,ଝିଅ ଵା କନ୍ଯା,୧୦ ଠାରୁ ୧୨ ଵର୍ଷିୟା ବାଳିକା ଓ ଷୋଡ଼ଶଵର୍ଷୀୟା ଯୁଵତୀ ଇତ୍ୟାଦି ଅର୍ଥ ଉଲ୍ଲେଖ ଅଛି । ସେହି ପୃଷ୍ଠାରେ କୁମାରିକା ଶବ୍ଦର ଅର୍ଥ ଯଥାକ୍ରମେ ଭାରତର ଦକ୍ଷିଣସ୍ଥ ଅନ୍ତରୀପ, କୁମାରୀ କନ୍ୟା,ଦଶମ ଠାରୁ ଦ୍ୱାଦଶ ଵର୍ଷୀୟା ବାଳିକା,ଶିଶୁକନ୍ଯା,ଦୁର୍ଗା ଓ ସୀତା ଆଦି ଅର୍ଥ ଉଲ୍ଲେଖ ଅଛି । ଦୁର୍ଗା ହିଁ ପାର୍ଵତୀ। ଏମାନେ ଦୁହେଁ ଦେଵୀ ଆଦିଶକ୍ତିଙ୍କ ରୂପ ଵିଶେଷ ଓ ନାମାନ୍ତର ମାତ୍ର। 
ପାର୍ଵତୀ,ଶିଵଙ୍କ ପତ୍ନୀ ରୂପେ ସୌମ୍ୟ, ଶାନ୍ତ, ମାତୃଭାବଯୁକ୍ତ, ଗୃହିଣୀ ରୂପ। ସେ ପର୍ଵତରାଜ ହିମାଳୟଙ୍କର ଝିଅ ହୋଇଥିଵାରୁ ପାର୍ଵତୀ (ଗିରିଜା, ହୈମବତୀ) ନାମେ ଖ୍ୟାତ। ସେହି ପାର୍ଵତୀ ହିଁ ଅସୁରମାନଙ୍କୁ ବଧ କରିବା ପାଇଁ ଯେଉଁ ଭୟଙ୍କର, ଯୁଦ୍ଧକାରିଣୀ ରୂପ ଧାରଣ କରନ୍ତି ଏଵଂ ଦୁର୍ଗତିରୁ ନାଶ କରନ୍ତି ତାହାଙ୍କ ନାମ ଦୁର୍ଗା ଅଟେ । ମହିଷାସୁରମର୍ଦ୍ଦିନୀ ଦୁର୍ଗା ହେଉଛନ୍ତି ପାର୍ଵତୀଙ୍କର ଶକ୍ତିଶାଳୀ ରୂପ।
ଦେଵୀଭାଗଵତ ପୁରାଣ, କାଳିକା ପୁରାଣ, ଦୁର୍ଗାସପ୍ତଶତୀ (ଚଣ୍ଡୀପାଠ) ଆଦି ଗ୍ରନ୍ଥରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ:
“ପାର୍ଵତୀ ଦୁର୍ଗା ରୂପେଣ ପ୍ରକଟିତା।”
ଅର୍ଥାତ୍‍, ପାର୍ଵତୀ ନିଜେ ଦୁର୍ଗା ରୂପ ଧାରଣ କରି ମହିଷାସୁରକୁ ଵଧ କରିଥିଲେ।

ଅସ୍ତୁ ପାର୍ଵତୀଙ୍କ ସହିତ ଜଡ଼ିତ କନ୍ୟାକୁମାରୀ ସମ୍ବନ୍ଧୀୟ ପୌରାଣିକ କଥାଟି ଦେଵୀଭାଗଵତ ପୁରାଣ, କାଳିକା ପୁରାଣ, ମହାଭାଗଵତ ପୁରାଣ ତଥା ଵିଭିନ୍ନ ଶାକ୍ତ-ତାନ୍ତ୍ରିକ ଗ୍ରନ୍ଥରେ ଵର୍ଣ୍ଣିତ ହୋଇଛି।ସଂକ୍ଷେପରେ ପ୍ରକୃତ ପୌରାଣିକ କାହାଣୀଟି ତଳେ ପ୍ରଦତ୍ତ ହେଲା । 

ପାର୍ଵତୀ ଶିଵଙ୍କୁ ଵିଵାହ କରିଵା ପାଇଁ କଠୋର ତପସ୍ୟା କରୁଥିଲେ। ସେ ଦକ୍ଷିଣ ଭାରତର ଏହି ଅଞ୍ଚଳରେ (ଯାହାକୁ ଆଜି କନ୍ୟାକୁମାରୀ କୁହାଯାଏ) କୁମାରୀ (ଅଵିଵାହିତା କନ୍ୟା) ରୂପରେ ତପସ୍ୟାରେ କଲେ। ଶିଵଙ୍କ ସହ ଵିଵାହ ନିମନ୍ତେ ମୁହୂର୍ତ୍ତ ନିର୍ଦ୍ଧାରଣ ହୋଇଥିଲା। ଵରଯାତ୍ରୀ କୈଳାସରୁ ବାହାରି ଆସୁଥିଲେ କିନ୍ତୁ ନାରଦଙ୍କ ପରାମର୍ଶରେ ଦେଵତାମାନେ ଚାହୁଁଥିଲେ ଯେ ଏହି ସ୍ଥାନ ସଦା ଶକ୍ତିପୀଠ ରୂପେ ରହୁ (ଯାହା ଦ୍ୱାରା ଦକ୍ଷିଣ ଭାରତରେ ଶକ୍ତି ଉପାସନା ପ୍ରତିଷ୍ଠିତ ହେଵ)। 

ପ୍ରାଚୀନ କାଳରେ ଵିଵାହ କେଵଳ ବ୍ରାହ୍ମ ମୁହୂର୍ତ୍ତରେ ହେଉଥିଲା । ସାଧାରଣତଃ ସୂର୍ଯ୍ୟୋଦୟର ଠିକ୍ ୯୬ ମିନିଟ୍ (ଅର୍ଥାତ୍ ୧ ଘଣ୍ଟା ୩୬ ମିନିଟ୍) ପୂର୍ଵରୁ ଏହା ଆରମ୍ଭ ହୋଇଥାଏ ଏଵଂ ୪୮ ମିନିଟ୍ (ପ୍ରାୟ ୨ ମୁହୂର୍ତ୍ତ) ଧରି ରହିଥାଏ। ଅର୍ଥାତ୍ ସୂର୍ଯ୍ୟୋଦୟର ଠିକ୍ ୪୮ ମିନିଟ୍ ପୂର୍ଵରୁ ଏହା ଶେଷ ହୋଇଯାଏ। ଏହି ବ୍ରାହ୍ମ ମୁହୂର୍ତ୍ତର ଶେଷ ଭାଗ (ଅର୍ଥାତ୍ ସୂର୍ଯ୍ୟୋଦୟର ଠିକ୍ ୪୮ ମିନିଟ୍ ପୂର୍ଵରୁ ଆରମ୍ଭ ହେଉଥିଵା ୨୪ ମିନିଟ୍) କୁ “ଵିଜୟ ମୁହୂର୍ତ୍ତ” ଵା “କନ୍ୟାଦାନ ମୁହୂର୍ତ୍ତ” ମଧ୍ୟ କୁହାଯାଏ।

ଏହି ସମୟରେ ହିଁ ଶିଵ ଓ କୁମାରୀ ଦେଵୀଙ୍କ ଵିଵାହ ହେଵାର ଥିଲା ।‌ ଦେଵତାମାନେ ଗୋଟିଏ କୌଶଳ କଲେ । ପ୍ରାଚୀନ କାଳରେ ଘଡ଼ି ନଥିଵାରୁ ଲୋକେ ପକ୍ଷୀଙ୍କ ଡାକ ଦେଖି ସମୟ ବୁଝୁଥିଲେ। ବ୍ରାହ୍ମ ମୁହୂର୍ତ୍ତରେ ମୟୂର ନାଚେ ଓ ଡାକେ – ଏହା ଥିଲା ଵିଵାହର ଠିକ୍ ସମୟର ଚିହ୍ନ। କୁକୁଡ଼ା ସାଧାରଣତଃ ସୂର୍ଯ୍ୟୋଦୟ ପୂର୍ବର ଅଳ୍ପ ଆଗରୁ (ପ୍ରାୟ ୫:୩୦-୬:୦୦) ଡାକେ। ତେଣୁ ଦେଵତାମାନେ ଯୋଜନା କରି ବ୍ରାହ୍ମ ମୂହୁର୍ତ୍ତରେ ମୟୂର ଡାକିଵା ଆଗରୁ କୁକୁଡ଼ା ଡାକିଵା ଵ୍ୟଵସ୍ଥା କରିଦେଲେ । କେତେକ ପୌରାଣିକ କଥା ଅନୁଯାୟୀ ଇନ୍ଦ୍ର ସ୍ଵୟଂ କୁକୁଡ଼ା ରୂପ ଧରି ବୋବାଇଥିଵାର ଉଲ୍ଲେଖ ଅଛି । 

କିନ୍ତୁ ମୟୂର ଆଗରୁ କୁକୁଡ଼ା ଡାକିଵା ଶୁଣି ଶିଵ ଭାବିଲେ ମୁହୂର୍ତ୍ତ ବିତିଗଲା ତେଣୁ ସେ ଆଉ ଵିଵାହ କରିଵାକୁ ନଯାଇ କୈଳାସକୁ ଫେରିଗଲେ। କୁମାରୀ ପାର୍ଵତୀ ଅପେକ୍ଷାରେ ରହିଗଲେ। ଵିଵାହ ପାଇଁ ତିଆରି ହୋଇଥିଵା ସବୁ ଚାଉଳ, ଡାଲି, ହଳଦୀ ଆଦି ପଥର ଓ ରଙ୍ଗୀନ ବାଲିରେ ପରିଣତ ହେଲା (ଯାହା ଆଜି ବି କନ୍ୟାକୁମାରୀ ସୈକତରେ ଦେଖାଯାଏ)। ଏହି କାରଣରୁ ଦେଵୀ ସେଠାରେ ସଦା କୁମାରୀ ରୂପରେ ରହିଗଲେ ଓ ସେହି ସ୍ଥାନ କନ୍ୟାକୁମାରୀ ନାମ ପାଇଲା।ଏହା ହିଁ ମୂଳ ପୁରାଣରେ ଓ ଶାକ୍ତ ପରମ୍ପରାରେ ସ୍ୱୀକୃତ କାହାଣୀ।  
ବାଣାସୁର ଓ ରାଜା ଭରତଙ୍କ ଝିଅ କୁମାରୀ ଆଦି କୌଣସି କଥା ସଂସ୍କୃତ ଗୋଷ୍ଠୀର ପୁରାଣରେ ନାହିଁ। ପ୍ରକୃତରେ ରାଜା ଭରତଙ୍କର ପ୍ରଥମେ ନଅଜଣ ପୁତ୍ର ହୋଇଥିଲେ କିନ୍ତୁ ସେମାନେ ଯୋଗ୍ୟ ନହେଵା ଯୋଗୁଁ ଭରତ ସେମାନଙ୍କୁ ତ୍ୟାଗ କରିଥିଲେ । 

ଗୀତା ପ୍ରେସ୍(ଗୋରଖପୁର) ଦ୍ଵାରା ପ୍ରକାଶିତ 
ମହାଭାରତର – ଆଦିପର୍ଵର ସମ୍ଭଵପର୍ଵରେ(୯୪ତମ ଅଧ୍ୟାୟ) ତିନୋଟି ଶ୍ଳୋକରେ ଭରତଙ୍କ ପୁତ୍ରଙ୍କ ସମ୍ବନ୍ଧରେ ସମସ୍ତ ତଥ୍ୟ ରହିଛି । 
“ଭରତସ୍ତିସୃଷୁ ସ୍ତ୍ରୀଷୁ ନଵ ପୁତ୍ରାନଜୀଜନତ୍ ।
ନାଭ୍ୟନନ୍ଦତ ତାନ୍ ରାଜା ନାନୁରୂପା ମମେତ୍ୟୁତ ॥ ୨୦ ॥”

 ଅର୍ଥାତ୍ : ରାଜା ଭରତ ତିନି ରାଣୀଙ୍କଠାରୁ ନଅଜଣ ପୁଅ ଜନ୍ମ କରାଇଥିଲେ, କିନ୍ତୁ ସେ କହିଲେ – “ଏମାନେ ମୋ ପରି ନୁହନ୍ତି, ମୋର ଅନୁରୂପ ନୁହନ୍ତି” ବୋଲି ସେହି ଶିଶୁମାନଙ୍କୁ ଗ୍ରହଣ କଲେ ନାହିଁ ।


“ତତସ୍ତାନ୍ ମାତରଃ କ୍ରୁଦ୍ଧାଃ ପୁତ୍ରାନ୍ ନିନ୍ୟୁର୍ୟମକ୍ଷୟମ୍ ।
ତତସ୍ତସ୍ୟ ନରେନ୍ଦ୍ରସ୍ୟ ବିତଥଂ ପୁତ୍ରଜନ୍ମ ତତ୍ ॥ ୨୧ ॥”

ଅର୍ଥାତ୍: ଏଥିରେ ରାଗିଯାଇ ତିନି ମା’ ସେହି ନଅଜଣ ଶିଶୁଙ୍କୁ ମାରି ଦେଲେ । ଏହିପରି ଭରତଙ୍କର ସେହି ପୁତ୍ରଜନ୍ମ ଵିଫଳ ହୋଇଗଲା ।


“ତତୋ ମହଦ୍ଭିଃ କ୍ରତୁଭିରୀଜାନୋ ଭରତସ୍ତଦା ।
ଲେଭେ ପୁତ୍ରଂ ଭରଦ୍ଵାଜାଦ୍ ଭୁମନ୍ୟୁଂ ନାମ ଭାରତ ॥ ୨୨ ॥”

ଅର୍ଥାତ୍: ତା’ପରେ ରାଜା ଭରତ ଅନେକ ମହାନ୍ ଯଜ୍ଞ କରି ମହର୍ଷି ଭରଦ୍ଵାଜଙ୍କ କୃପାରୁ “ଭୂମନ୍ୟୁ” ନାମକ ଜଣେ ପୁତ୍ର ପାଇଲେ ।

ତେଣୁ ସଂସ୍କୃତ ମହାଭାରତର ଆଦିପର୍ଵର କଥାଵସ୍ତୁ ଅନୁସାରେ ଭରତଙ୍କର କୁମାରୀ ନାମରେ କୌଣସି କନ୍ୟା ନଥିଲା ଵରଂ ଏହା ପୁରାଣରେ ଵର୍ଣ୍ଣିତ ପାର୍ଵତୀଙ୍କ କୁମାରୀ ରୂପ ସହିତ ସମ୍ବନ୍ଧିତ । ପୁରାଣରେ କୁମାରୀ ପାର୍ଵତୀଙ୍କ ନାମରେ ନାମିତ କନ୍ୟାକୁମାରୀର ଅନ୍ୟନାମ କୁମାରୀଖଣ୍ଡ ଯହିଁରୁ ପ୍ରେରିତ ହୋଇ ତାମିଲ ଅସ୍ମିତାଵାଦୀମାନେ ସମୁଦ୍ରରେ ବୁଡ଼ିଯାଇଥିଵା ଏକ କାଳ୍ପନିକ ଭୂଭାଗର କାହାଣୀ ଗଢ଼ିଥିଲେ । 
 
କୁମାରୀକାଣ୍ଡମ୍ ଏକ ସୁନ୍ଦର ସାଂସ୍କୃତିକ ମିଥ୍ୟା, ଯାହା ପ୍ରାଚୀନ ସ୍ଥାନୀୟ ଵନ୍ୟା ଓ ସମୁଦ୍ର ସ୍ତର ଵୃଦ୍ଧିର ସ୍ମୃତିକୁ ଅତିରଞ୍ଜିତ କରି ସୃଷ୍ଟି ହୋଇଛି। କିନ୍ତୁ ପ୍ରାଚୀନ ଗ୍ରନ୍ଥ, ପୌରାଣିକ ଆଖ୍ୟାନ, ପୁରାତତ୍ତ୍ୱ, ମାନଵ ଇତିହାସ ଓ ସର୍ଵୋପରି ଆଧୁନିକ ଭୂଵିଜ୍ଞାନ ଏହାର ଅସ୍ତିତ୍ୱକୁ ସମ୍ପୂର୍ଣ୍ଣ ରୂପେ ଅସମ୍ଭଵ ପ୍ରମାଣ କରିଛି। ତାମିଲ ଅସ୍ମିତାଵାଦୀଙ୍କର କୁମାରୀକଣ୍ଡମ୍ ଵା କୁମାରୀକନ୍ଦମ୍ ଏକ ରୋମାଣ୍ଟିକ୍ କଳ୍ପନା କହିଲେ ଅତ୍ୟୁକ୍ତି ହେଵ ନାହିଁ । ମୂଳ ଭାରତ ଭୂଖଣ୍ଡରୁ ମୂଳ ଭାରତଵର୍ଷର ଲୋକଙ୍କଠାରୁ ନିଜକୁ ଭିନ୍ନ ସ୍ଵତନ୍ତ୍ର ଦେଖାଇଵା ପାଇଁ ତାମିଲ ଅସ୍ମିତାଵାଦୀମାନେ ଏହି କୁମାରୀକଣ୍ଡମ୍ ଵା କୁମାରୀକନ୍ଦମ୍ ମିଥ୍ୟା ପ୍ରୋପୋଗଣ୍ଡା ଚଳାଇଥିଲେ କିନ୍ତୁ ଏହାର କୌଣସି ସତ୍ୟତା ନାହିଁ ବୋଲି ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇସାରିଛି । 

କୁମାରୀକଣ୍ଡମ୍/କୁମାରୀକନ୍ଦମ୍ କେଵଳ ଏକ ଭୂଖଣ୍ଡର ନାମ ନୁହେଁ, ଏହା ଏକ ରୋମାଣ୍ଟିକ୍ ସ୍ୱପ୍ନ ଏଵଂ ଏହି ସ୍ଵପ୍ନ ଦେଖିଥିଲେ କିଛି ତାମିଲ ଅସ୍ମିତାଵାଦୀ । ସେମାନେ ସ୍ଵପ୍ନରେ ଦେଖିଥିଲେ ଯେ ପ୍ରାଚୀନ ତାମିଳ ସଭ୍ୟତା ସମଗ୍ର ଵିଶ୍ୱକୁ ଆଲୋକ ଦେଇ ସମୁଦ୍ରଗର୍ଭରେ ଲୁଚିଗଲା। କିନ୍ତୁ ଅନେକ ସ୍ଵପ୍ନ ଭଳି ଏହା ବି ଏକ ମିଥ୍ୟା ହିଁ ଥିଲା । ‌ଯେତେବେଳେ ଆମେ ଏହି ସ୍ୱପ୍ନକୁ ପ୍ରାଚୀନ ଗ୍ରନ୍ଥର ଆଲୋକରେ ନିରୀକ୍ଷଣ କରନ୍ତି, ପୁରାତତ୍ତ୍ୱ ପ୍ରମାଣର ନିକିତିରେ ଓଜନ କରନ୍ତି ଏଵଂ ଆଧୁନିକ ଭୂଵିଜ୍ଞାନର ନିର୍ମମ ଵାସ୍ତଵତା ସହିତ ମୁହାଁମୁହିଁ କରାଇ ଦେଖନ୍ତି ସେତେବେଳେ ଏହି “ତାମିଲ ଅସ୍ମିତାଵାଦୀ ଗପ”ଟି ଧୂଳିରେ ମିଶିଯାଏ। ଏହା କୌଣସି ବୁଡ଼ିଯାଇଥିଵା ମହାଦେଶ ନୁହେଁ ଵରଂ ଏକ ସ୍ଥାନୀୟ ଉପକୂଳ ହ୍ରାସର ସ୍ମୃତିକୁ ଅତିରଞ୍ଜିତ କରି ଗଢ଼ା ଗୋଟାଏ ରାଜନୈତିକ କଳ୍ପକାହାଣୀ।

ପ୍ରକୃତ ତଥ୍ୟ ସବୁ ଏକ ସ୍ୱରରେ ଚିତ୍କାର କରି କହୁଛନ୍ତି – ଭାରତୀୟ ମହାସାଗର ତଳେ କୌଣସି ଵିରାଟ ପ୍ରାଚୀନ ତାମିଳ ମହାଦେଶ ନାହିଁ କି ନାହିଁ ତାହାର କୌଣସି ଭୂତତ୍ତ୍ୱ ଚିହ୍ନ। ଯେଉଁ ସଙ୍ଗମ ସାହିତ୍ୟକୁ ଏହାର ଆଧାର କୁହାଯାଏ, ସେ ମଧ୍ୟ କେଵଳ କନ୍ୟାକୁମାରୀ ଅଞ୍ଚଳର ଏକ ସାଧାରଣ ଉପକୂଳ ହ୍ରାସର ଘଟଣା ଵର୍ଣ୍ଣନା କରେ, କୌଣସି ଅତିପ୍ରାଚୀନ ମହାସଭ୍ୟତାର ନୁହେଁ।

ତଥାପି ଏହି ମିଥ୍ୟା ଆଜି ବି ବଞ୍ଚିରହିଛି, କାରଣ ଏହା ଏକ ଜାତିର ଅସ୍ମିତା ମିଶ୍ରିତ ସ୍ଵାଭିମାନ ସହିତ ଜଡ଼ିତ। କିନ୍ତୁ ସ୍ଵାଭିମାନ ଯଦି ଅସ୍ମିତା ମିଶା ମିଛର ଇଷ୍ଟକ ଦ୍ଵାରା ଗଢ଼ାଯାଏ, ତେବେ ତାହା କେତେ ଦିନ ତିଷ୍ଟିପାରିଵ? 

ପ୍ରକୃତ ଗୌରଵ କେବେ ହଜିଯାଇଥିଵା ଭୂଖଣ୍ଡ ଖୋଜୁନି, ଵରଂ ଆଜି ବି ଜୀଵନ୍ତ ଥିଵା ସଂସ୍କୃତି, ଭାଷା ଓ ପରମ୍ପରାରେ ରହିଛି।
କୁମାରୀକାଣ୍ଡମ୍ ନାହିଁ କି କେବେ ନଥିଲା ଏହା ହିଁ ସତ୍ୟ । ଯିଏ ଥିଲା ବୋଲି ଭାବୁଛି ତାହା ପାଇଁ ଏହା ଏକ ସୁନ୍ଦର କଵିତା କିମ୍ବା ମନୋରମ ଗଳ୍ପ ହୋଇପାରେ, କିନ୍ତୁ ଇତିହାସ ଆଦୌ ନୁହେଁ। ଏହାକୁ ଛାଡ଼ି ଆମେ ଯଦି ସତ୍ୟକୁ ଗ୍ରହଣ କରୁ, ତେବେ ହିଁ ଆମ୍ଭେମାନଙ୍କର ପ୍ରକୃତ ଗୌରଵ ଓ ଏକତା ଅକ୍ଷୂଣ୍ଣ ରହିଵ। 
•••••••••••••••••••••••••••••••••
ତଥ୍ୟ ଉତ୍ସ: 
1.The Smile of Murugan: On Tamil Literature of South India – Kamil Zvelebil

2.Tamil Literature – Kamil Zvelebil

3.The Interior Landscape – A. K. Ramanujan

4.संस्कृत महाभारत — गीताप्रेस गोरखपुर 

5.श्रीमददेवीभागवत पुराण – गीता प्रेस गोरखपुर 

6.The Hindus: An Alternative History – Wendy Doniger

7.Tamil Nadu: The Land of the Tamils – R. Nagaswamy

8.Archaeology of Tamil Nadu – K. Rajan

9.Colliding Continents – Mike Searle

10.The Lost Land of Lemuria: Fabulous Geographies, Catastrophic Histories – Sumathi Ramaswamy

11.The Tamils Eighteen Hundred Years Ago – V. Kanakasabhai

12.ପୂର୍ଣ୍ଣଚନ୍ଦ୍ର ଭାଷାକୋଷ – ଗୋପାଳ ଚନ୍ଦ୍ର ପ୍ରହରାଜ 
••••••••••••••••••••••••••••••••

No comments:

Post a Comment

•ଯେତେବେଳେ DNA ମିଛ କହେ : ମାନଵ ଚିମେରାର ରହସ୍ୟ•

୧୯୯୮ ମସିହା ଶରତ ଋତୁ ସମୟରେ ବୋଷ୍ଟନ୍ ସହରର ଘଟଣା । ପଚାଶ ଵର୍ଷୀୟା ଜଣେ ସାଧାରଣ ଗୃହିଣୀ Karen Keegan ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ। ତାଙ୍କ ଯକୃତ ଧୀରେ ଧୀରେ କାମ କ...