”ମନ୍ଦାମହେ ଦଶତୟସ୍ୟ ଧାସେର୍ଦ୍ୱିର୍ଯ୍ୟତ୍ପଞ୍ଚ ଵିଭ୍ରତୋ ଯନ୍ତ୍ୟନ୍ନା ।
କିମିଷ୍ଟାଶ୍ୱ ଇଷ୍ଟରଶ୍ମିରେତ ଈଶାନାସସ୍ତରୁଷ ଋଞ୍ଜତେ ନୂନ୍ ॥”
ସାୟଣାଚାର୍ଯ୍ୟଙ୍କ ଭାଷ୍ୟ ଅନୁସାରେ
ଏହି ମନ୍ତ୍ରରେ ଋଷି କହୁଛନ୍ତି – ଯେତେବେଳେ ଆମେ ଵିଶ୍ୱଦେଵଗଣଙ୍କ ସ୍ତୁତି କରୁ, ସେତେବେଳେ ଋତ୍ୱିକ୍ମାନେ ଦଶ ଇନ୍ଦ୍ରିୟକୁ ପୋଷଣ କରୁଥିଵା ଦଶ ପ୍ରକାରର ହଵ୍ୟ ନେଇ ଯଜ୍ଞମଣ୍ଡପକୁ ଯାଆନ୍ତି ଏଵଂ ଯଜ୍ଞ ସଫଳ ହୁଏ । କିନ୍ତୁ ଇଷ୍ଟାଶ୍ୱ ଓ ଇଷ୍ଟରଶ୍ମି ଭଳି ରାଜାମାନେ ଯଦିଓ ଅଶ୍ୱଦାନ, ରଥଦାନ ଆଦି କରନ୍ତି, ତଥାପି ଵରୁଣାଦି ଦେଵତାଙ୍କୁ ପ୍ରସନ୍ନ କରି ଶତ୍ରୁଜୟ ଓ ନେତୃତ୍ୱ ପାଇପାରନ୍ତି ନାହିଁ – କାରଣ ସେମାନଙ୍କ ଯଜ୍ଞ ଵିଧିପୂର୍ଵକ ନୁହେଁ ଵା ଋତ୍ୱିକ୍ମାନଙ୍କୁ ଯଥେଷ୍ଟ ଦକ୍ଷିଣା ଦିଅନ୍ତି ନାହିଁ । ଏହା ଏକ ସୂକ୍ଷ୍ମ ଵ୍ୟଙ୍ଗ – କେଵଳ ଧନ ଢାଳିଲେ ହେଲା ନାହିଁ, ଵିଧିମତ ଯଜ୍ଞ ଓ ଋତ୍ୱିକ୍ଙ୍କ ସମ୍ମାନ ନିତାନ୍ତ ଆଵଶ୍ୟକ ।
ତେବେ ଋଗ୍ବେଦ ୧.୧୨୨.୧୩ରେ ଉଲ୍ଲେଖିତ “ଦ୍ୱିର୍ଯ୍ୟତ୍ ପଞ୍ଚ ଵିଭ୍ରତୋ ଯନ୍ତ୍ୟନ୍ନା”ରେ ଦଶ ପ୍ରକାରର ଅନ୍ନ (ହଵ୍ୟ) କଥା କୁହାଯାଇଛି । ଋତ୍ୱିଜ୍ମାନେ ଯଜ୍ଞମଣ୍ଡପକୁ ଏହି ଦଶ ପ୍ରକାରର ହଵିଃ ନେଇଯା’ନ୍ତି ଏଵଂ ଏହା ଦଶ ଇନ୍ଦ୍ରିୟକୁ (୫ ଜ୍ଞାନେନ୍ଦ୍ରିୟ + ୫ କର୍ମେନ୍ଦ୍ରିୟ) ପୋଷଣ କରେ ।
ପ୍ରାଚୀନ ଭାଷ୍ୟକାରମାନେ (ସାୟଣ, ମହୀଧର, ଉବ୍ବଟ, ଭଟ୍ଟ ଭାସ୍କର, ବେଙ୍କଟମାଧବ ଇତ୍ୟାଦି) ଏହି ଦଶ ପ୍ରକାର ଅନ୍ନକୁ ଦୁଇ ଭାଗରେ ଵିଭକ୍ତ କରି ଵର୍ଣ୍ଣନା କରିଛନ୍ତି:
କ. ପଞ୍ଚ ପ୍ରକାରର ପେୟ ଅନ୍ନ (ତରଳ/ପେୟ ହବ୍ୟ – ପିଇଵା ଉଦ୍ଦେଶ୍ୟରେ)
ଏହା ପାଞ୍ଚ ଜ୍ଞାନେନ୍ଦ୍ରିୟକୁ ପୋଷଣ କରେ ।
1.ଦୁଗ୍ଧ (ଗାଈ ଦୁଧ)
2.ଘୃତ(ଘିଅ)
3.ଦଧି(ଦହି)
4.ସୋମ(ସୋମରସ)
5.ଜଳ/ଆପଃ(ଯଜ୍ଞୀୟ ଜଳ)
ଖ. ପଞ୍ଚ ପ୍ରକାରର ଭକ୍ଷ୍ୟ ଅନ୍ନ (କଠିନ/ଚୋବାଇଵା ଉଦ୍ଦେଶ୍ୟରେ)
ଏହା ପାଞ୍ଚ କର୍ମେନ୍ଦ୍ରିୟକୁ ପୋଷଣ କରେ ।
6.ଅନ୍ନ/ଓଦନ(ଭାତ/ଅନ୍ନ)
7.ପୁରୋଡାଶ(ପିଠାଉ/ଯବାଗୁରୁ ତିଆରି ହଵ୍ୟ)
8.ଧାନା(ଭଜା ଯବ, ଚାଉଳ ଇତ୍ୟାଦି)
9.କରମ୍ବ (ଯବାଗୁ ଓ ଦଧି ମିଶାଇ ତିଆରି ଖାଦ୍ୟ)
10.ପକ୍ୱାନ୍ନ/ସ୍ଥାଳୀପାକ(ଵିଭିନ୍ନ ପ୍ରକାରର ପାକ କରାଯାଇଥିଵା ଅନ୍ନ)
ଏହା ପଢ଼ିଲେ ପ୍ରଥମେ ଲାଗେ ଯେ ଏଠାରେ କେଵଳ ଯଜ୍ଞର ଉପକରଣ ଵିଷୟରେ କୁହାଯାଇଛି । କିନ୍ତୁ ଯଦି ଆଧୁନିକ ଵିଜ୍ଞାନର ପ୍ରଚକ୍ଷୁ(ଚଷମା) ଲଗାଇ ଦେଖାଯାଏ, ତା’ହେଲେ ଏହି ଦଶଗୋଟି ହଵିଃ/ଅନ୍ନ ଅଵିଶ୍ୱସନୀୟ ରୂପେ ସମ୍ପୂର୍ଣ୍ଣ ଵୈଜ୍ଞାନିକ ପୁଷ୍ଟିଵିଧାନର ମଡେଲ ଭାବେ ଉଭା ହୋଇଯାଏ ।
ପ୍ରଥମ ପାଞ୍ଚଟି ଅନ୍ନ (ଦୁଧ, ଘିଅ, ଦହି, ସୋମ, ଜଳ) ସବୁ ତରଳ ଓ ମୋଟାମୋଟି ଭାବେ ଫ୍ୟାଟ୍-ଧନାଟ୍ୟ (ଦୁଗ୍ଧଜ ଫ୍ୟାଟ୍ ଓ ପାଣି) । ଆଜିର ଵିଜ୍ଞାନ କହୁଛି ଯେ ମସ୍ତିଷ୍କ ଓ ନର୍ଭ କୋଷର ମୁଖ୍ୟ ଖାଦ୍ୟ ହେଉଛି ଫ୍ୟାଟ୍ ଓ କିଟୋନ୍ ବଡି (ଯାହା ଘିଅ ଓ ଦୁଧରୁ ତିଆରି ହୁଏ) ଏଵଂ ଏହି ଖାଦ୍ୟ ଜ୍ଞାନେନ୍ଦ୍ରିୟକୁ ତୀକ୍ଷ୍ଣ କରେ, ମ୍ୟାଇଲିନ୍ ସିଥ୍ ସଶକ୍ତ କରେ ତଥା ମସ୍ତିଷ୍କର ସ୍ନାୟୁ ସଂଯୋଗକୁ ସୁରୁଖୁରୁରେ ସଂଚାଳନ କରେ। ଆଜି ଯାହାକୁ ଆମେ “Ketogenic diet” ଓ “Brain food” କହୁଛୁ, ସେହି ଧାରଣାଟି ଋଗ୍ଵେଦରେ ହଜାର ହଜାର ଵର୍ଷ ପୂର୍ଵେ ଦେଇଦେଇଛି ।
ପରଵର୍ତ୍ତୀ ପାଞ୍ଚଟି ଅନ୍ନ ସବୁ କାର୍ବୋହାଇଡ୍ରେଟ୍-ଧନାଟ୍ୟ (ଭାତ, ଯଵ, ଧାନା ଇତ୍ୟାଦି) । ଏହା ମାଂସପେଶୀ ଓ ଶରୀରର ତୁରନ୍ତ ଶକ୍ତି ଯୋଗାଏ, ଗ୍ଲୁକୋଜ୍ ଓ ଗ୍ଲାଇକୋଜେନ୍ ଭରି ଦିଏ । ଏହା ଠିକ୍ ଆଜିର ଖେଳାଳିମାନଙ୍କର “Carb-loading” ଭଳି । ଅର୍ଥାତ୍ ଯେଉଁ ଅନ୍ନ କର୍ମେନ୍ଦ୍ରିୟ ଓ ଶାରୀରିକ ପରିଶ୍ରମ ପାଇଁ ଜରୁରୀ । ଏହି ଦୁଇ ଭାଗରେ ଵିଭକ୍ତ କରି ଋଗ୍ବେଦ ଯେଉଁ ପୁଷ୍ଟିବିଧାନ କହିଛି, ତାହା ଆଜିର ବିଜ୍ଞାନର “Dual Fuel System” ସହ ପୁରା ମେଳ ଖାଏ । ମସ୍ତିଷ୍କ ଚାଲେ ଫ୍ୟାଟ୍ ଓ କିଟୋନ୍ ଉପରେ
ମାଂସପେଶୀ ଚାଲେ ଗ୍ଲୁକୋଜ୍ ଓ କାର୍ବୋହାଇଡ୍ରେଟ୍ ଉପରେ । ଆଜି ଯେତେବେଳେ ଡାକ୍ତର କହୁଛନ୍ତି “ଘିଅ ଖାଆନ୍ତୁ, ମସ୍ତିଷ୍କ ଭଲ ରହିଵ”, “ଦହି ଖାଆନ୍ତୁ, ପେଟ ଓ ମନ ଭଲ ରହିଵ”, “ଭାତ ଓ ଯବ ଖାଆନ୍ତୁ, ଶକ୍ତି ରହିଵ” – ସେତେବେଳେ ଆମେ ବୁଝୁ ଯେ ଏହି ସବୁ କଥା ପ୍ରାୟ ୪୦୦୦ ଵର୍ଷ ପୂର୍ବେ ଋଗ୍ବେଦରେ ଲେଖା ହୋଇସାରିଛି । ଋଷିମାନେ ଏହାକୁ ଯଜ୍ଞର ଭାଷାରେ ଲେଖିଥିଲେ, କିନ୍ତୁ ଭିତରେ ଲୁଚିଛି ମଣିଷ ଶରୀର ଓ ମସ୍ତିଷ୍କର ଏକ ସମ୍ପୂର୍ଣ୍ଣ ଵୈଜ୍ଞାନିକ ପୁଷ୍ଟିମଡେଲ ।
ତେଣୁ ଏହି ଦଶ ଅନ୍ନ କେଵଳ ଯଜ୍ଞର ହଵ୍ୟ ନୁହନ୍ତି, ଵରଂ ମଣିଷର ଜ୍ଞାନ ଓ କର୍ମର ସନ୍ତୁଳନ ପାଇଁ ଏକ ଅମର ଵୈଜ୍ଞାନିକ ନିର୍ଦ୍ଦେଶନାମା ।
No comments:
Post a Comment