ଆମ୍ଭ ଦେଶର ଶାସ୍ତ୍ରରେ ତିନିପ୍ରକାରର ଋଣକଥା ଉଲ୍ଲେଖ ଅଛି । ସେହି ତିନିଋଣ ହେଲା ଦେଵଋଣ,ପିତୃଋଣ ଓ ଋଷିଋଣ।ଵିଷ୍ଣୁଧର୍ମ୍ମୋତ୍ତରମ୍ ଶାସ୍ତ୍ରରେ ଲିଖିତ ହୋଇଛି:
“ଦେଵାନାଞ୍ଚ ପିତୃ଼ଣାଞ୍ଚ ଅଷୀଣାଞ୍ଚ ତଥା ନରଃ ।
ଋଣଵାନ୍ ଜାୟତେ ଯସ୍ମାତ୍ତନ୍ମୋକ୍ଷେ ପ୍ରୟତେତ୍ ସଦା ॥”
××××××××××××××××××××
“ଦେଵାନାମନୃଣୋ ଜନ୍ତୁର୍ଯଜ୍ଞୈର୍ଭଵତି ମାନଵଃ ।
ଅଳ୍ପଵିତ୍ତଶ୍ଚ ପୂଜାଭିରୁପଵାସଵ୍ରତୈସ୍ତଥା ॥ ଶ୍ରାଦ୍ଧେନ ପ୍ରଜୟା ଚୈଵ ପିତୃ଼ଣାମନୃଣୋ ଭଵେତ୍ ।
ଋଷୀଣାଂ ବ୍ରହ୍ମଚର୍ଯ୍ଯେଣ ଶ୍ରୁତେନ ତପସା ତଥା” ॥
ଅର୍ଥାତ୍ — ଦେଵଋଣ ଯାଗଯଜ୍ଞଦ୍ବାରା, ପିତୃଋଣ ପୁତ୍ରୋତ୍ପାଦନଦ୍ବାରା ଓ ଋଷିଋଣ ଵେଦପାଠଦ୍ବାରା ଶୁଝାଯାଇପାରେ ।
ସେହିପରି ମନୁସ୍ମୃତିର ଅଧ୍ୟାୟ ୬, ଶ୍ଳୋକ ୩୪ରୁ ୩୮ତମ ଶ୍ଳୋକ ମଧ୍ୟରେ ତିନି ଋଣ ଵିଷୟରେ ଵର୍ଣ୍ଣନା କରାଯାଇଛି ।
“ଆଶ୍ରମାଦାଶ୍ରମଂ ଗତ୍ୱା ହୁତହୋମୋ ଜିତେନ୍ଦ୍ରିୟଃ ।
ଭିକ୍ଷାଵଳିପରିଶ୍ରାନ୍ତଃ ପ୍ରଵ୍ରଜନ୍ ପ୍ରେତ୍ୟ ଵର୍ଦ୍ଧତେ ॥ ୩୪॥
ଋଣାନି ତ୍ରୀଣ୍ୟପାକୃତ୍ୟ ମନୋ ମୋକ୍ଷେ ନିଵେଶୟେତ୍ ।
ଅନପାକୃତ୍ୟ ମୋକ୍ଷଂ ତୁ ସେଵମାନୋ ଵ୍ରଜତ୍ୟଧଃ ॥ ୩୫॥
ଅଧୀତ୍ୟ ଵିଧିଵଦ୍ ଵେଦାନ୍ ପୁତ୍ରାଂଶ୍ଚୋତ୍ପାଦ୍ୟ ଧର୍ମତଃ ।
ଇଷ୍ଟ୍ୱା ଚ ଶକ୍ତିତୋ ଯଜ୍ଞୈର୍ମନୋ ମୋକ୍ଷେ ନିଵେଶୟେତ୍ ॥ ୩୬॥
ଅନଧୀତ୍ୟ ଦ୍ୱିଜୋ ଵେଦାନନୁତ୍ପାଦ୍ୟ ତଥା ସୁତାନ୍ ।
ଅନିଷ୍ଟ୍ୱା ଚୈଵ ଯଜ୍ଞୈଶ୍ଚ ମୋକ୍ଷମିଚ୍ଛନ୍ ଵ୍ରଜତ୍ୟଧଃ ॥ ୩୭॥
ପ୍ରାଜାପତ୍ୟଂ ନିରୁପ୍ୟେଷ୍ଟିଂ ସର୍ଵଵେଦସଦକ୍ଷିଣାମ୍ ।
ଆତ୍ମନ୍ୟଗ୍ନୀନ୍ ସମାରୋପ୍ୟ ବ୍ରାହ୍ମଣଃ ପ୍ରଵ୍ରଜେଦ୍ ଗୃହାତ୍ ॥ ୩୮॥
ଜଣେ ଵୟସ୍କ ବ୍ୟକ୍ତି ବ୍ରହ୍ମଚର୍ଯ୍ୟ → ଗୃହସ୍ଥ → ଵାନପ୍ରସ୍ଥ ଆଶ୍ରମ କ୍ରମାନୁସାରେ ପାଳନ କରି, ହୋମ-ହଵନ କରି, ଇନ୍ଦ୍ରିୟ ଜୟ କରି, ଭିକ୍ଷା ଓ ଵଳି ଦେଇ ଥକି ଯାଇ ଯେତେବେଳେ ସନ୍ନ୍ୟାସ ଆଶ୍ରମ ଗ୍ରହଣ କରି ଦେହ ତ୍ୟାଗ କରନ୍ତି, ସେ ମୋକ୍ଷ ପ୍ରାପ୍ତ ହୁଅନ୍ତି (ଅର୍ଥାତ୍ ଉନ୍ନତ ଲୋକକୁ ଯାଆନ୍ତି)। ତିନି ଋଣ (ଋଷିଋଣ, ଦେଵଋଣ, ପିତୃଋଣ) ଶୋଧ କରିସାରି ତା’ପରେ ମନକୁ ମୋକ୍ଷ ଧର୍ମରେ ଲଗାଇଵା ଉଚିତ୍। ଏହି ଋଣ ନ ଶୋଧି ମୋକ୍ଷ ଚାହିଁଲେ ନରକକୁ ଯାଏ। ଵିଧିପୂର୍ଵକ ଚାରି ଵେଦ ଅଧ୍ୟୟନ କରି (ଋଷିଋଣ), ଧର୍ମାନୁସାରେ ବିଵାହ କରି ସନ୍ତାନ ଉତ୍ପନ୍ନ କରି (ପିତୃଋଣ), ଯଥାଶକ୍ତି ୟଜ୍ଞ କରି (ଦେଵଋଣ) ଏହି ତିନି ଋଣ ଶୋଧ କରିସାରି ତା’ପରେ ମନକୁ ମୋକ୍ଷରେ ଲଗାଇଵା କର୍ତ୍ତଵ୍ୟ।
ଯେ ଵେଦ ନ ପଢ଼ି, ସନ୍ତାନ ନ ଜନ୍ମାଇ, ଯଜ୍ଞ ନ କରି ସିଧା ସନ୍ନ୍ୟାସ ନେଇ ମୋକ୍ଷ ଚାହାଁନ୍ତି, ସେ ନରକକୁ ଯାଆନ୍ତି। ବ୍ରାହ୍ମଣ ସନ୍ନ୍ୟାସ ନେଵା ପୂର୍ଵରୁ ସର୍ଵସ୍ୱ ଦକ୍ଷିଣା ଦେଇ ପ୍ରାଜାପତ୍ୟ ଇଷ୍ଟି (ଏକ ଵିଶେଷ ଯଜ୍ଞ) କରିବେ, ତା’ପରେ ଅଗ୍ନିକୁ ନିଜ ଆତ୍ମାରେ ସମାରୋପଣ (ଅର୍ଥାତ୍ ଗାର୍ହସ୍ଥ୍ୟ ଅଗ୍ନି ନିର୍ଵାପଣ) କରି ଘର ତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କରିବେ।
ଏହି ଶ୍ଳୋକଗୁଡ଼ିକରେ ଚାରି ଆଶ୍ରମର କ୍ରମ ଓ ତିନି ଋଣ ଶୋଧ ନକରି ସନ୍ନ୍ୟାସ ନେଵାର ନିଷେଧ ଵିଷୟରେ କୁହାଯାଇଛି। ସ୍ଥୂଳ ଭାବେ ଦେଖିଲେ ଅନ୍ୟ ଜୀଵମାନେ ସନ୍ତାନ ଉତ୍ପତ୍ତି ଦ୍ଵାରା କେଵଳ ପିତୃଋଣ ହିଁ ପରିଶୋଧ କରନ୍ତି କିନ୍ତୁ ପ୍ରାଚୀନ ଭାରତୀୟମାନେ ଵେଦପାଠ କରି ତଥା ଯାଗଯଜ୍ଞ ଦ୍ଵାରା ଦେଵଋଣ ଓ ଋଷିଋଣ ମଧ୍ୟ ପରିଶୋଧ କରୁଥିଲେ । ଏହା ହେଉଛି ପ୍ରୋକ୍ତ ଶ୍ଲୋକାଦିର ସ୍ଥୂଳ ମତ ତେବେ ସୂକ୍ଷ୍ମ ଭାବେ ଦେଖିଲେ ମାନଵ ସମେତ ଅନ୍ୟ ଅନେକ ଜୀଵମାନେ ମଧ୍ୟ ତିନୋଟି ଯାକ ଋଣ ପରିଶୋଧ କରିଥାନ୍ତି ।
କିନ୍ତୁ କେମିତି ?
ଶାସ୍ତ୍ରରେ କଥିତ ଅଛି ଯେ ପିତୃଋଣ ସନ୍ତାନ ଉତ୍ପତ୍ତି କରି ପରିଶୋଧ କରାଯାଇପାରେ । ସବୁ ଜୀଵ କୌଣସି ନା କୌଣସି ଉପାୟରେ ସନ୍ତାନ ଉତ୍ପତ୍ତି କରନ୍ତି । ପିତୃଋଣ ପରିଶୋଧନ ପାଇଁ ଵିଵାହ କରାଯାଏ କହିଲେ କିଛି ନାସ୍ତିକ ହେତୁଵାଦୀ କହିପାରନ୍ତି ଆମେ ସେ ଅସିଆ କାଳର ମସିଆ କଥା ମାନୁନାହୁଁ
ତେବେ ଏହାର ଵୈଜ୍ଞାନିକ ପକ୍ଷଟି ସମସ୍ତେ ବୁଝିଵା ଉଚିତ । ଆପଣଙ୍କ ପିତାମାତା ଆପଣଙ୍କୁ ଜନ୍ମ ଦେଲେ । କୌଣସି ଜୀଵ ଜନ୍ମ ଦେଵାର ମୂଳ ସାଂସାରିକ ଉଦ୍ଦେଶ୍ୟ ଵଂଶବୃଦ୍ଧି କରିଵା ଅଟେ । କେଵଳ ମଣିଷ ହିଁ ନୁହେଁ ସଂସାରର ସବୁ ଜୀଵ ତେଣିକି ସେ ପାଦପ ହୁଅନ୍ତୁ ଵା ଜନ୍ତୁ ନିଜର ପରଵର୍ତ୍ତୀ ପିଢ଼ି ସୃଷ୍ଟି କରିଵାକୁ ଚେଷ୍ଟା କରିଥାନ୍ତି ଏଵଂ ସେମାନେ ପ୍ରକୃତିଠାରୁ ଏଥିପାଇଁ ସ୍ଵାଭାଵିକ ଭାବେ ଶକ୍ତି ପ୍ରାପ୍ତ ହୋଇଥାନ୍ତି । ଏଇକଥାକୁ ସନାତନୀମାନେ ବୁଝିଥିଲେ ତେଣୁ ଶାସ୍ତ୍ରରେ ପିତୃଋଣ କଥା ଯୋଡି଼ଥିଲେ ।
କିନ୍ତୁ ଏହି ପିତୃଋଣର କଥା ଯେତେବେଳେ ନାସ୍ତିକ ଵା ଆଧୁନିକ ହେତୁଵାଦୀମାନେ “ପୁରୁଣା କାଳର ଅନ୍ଧବିଶ୍ୱାସ” ବୋଲି କହି ଶାସ୍ତ୍ର ମତକୁ ନ୍ୟୂନ ଦେଖାଇଵାର ଅପଚେଷ୍ଟା କରନ୍ତି, ସେତେବେଳେ ଵିଜ୍ଞାନ ନିଜେ ଆସି ସେମାନଙ୍କ ହାତ ଧରି ଠିଆ ହୋଇ କହେ – “ନା, ଏହା ଅନ୍ଧଵିଶ୍ୱାସ ନୁହେଁ, ଏହା ସବୁଠାରୁ କଡ଼ା ଜୈଵିକ ସତ୍ୟ।”
ଆଧୁନିକ ଵିଵର୍ତ୍ତନୀୟ ଜୀଵଵିଜ୍ଞାନ (Evolutionary Biology)ର ମୌଳିକ ସୂତ୍ର ଅନୁସାରେ ଯେକୌଣସି ଜୀଵର ଅସ୍ତିତ୍ୱର ଏକମାତ୍ର ଲକ୍ଷ୍ୟ - ନିଜର genesକୁ ପରଵର୍ତ୍ତୀ ପିଢ଼ିକୁ ହସ୍ତାନ୍ତର କରିଵା ଯାହାକୁ ଵୈଜ୍ଞାନିକ ଭାଷାରେ Reproductive Success ଵା Inclusive Fitness କୁହାଯାଏ । Richard Dawkins ତାଙ୍କର The Selfish Gene (1976) ଗ୍ରନ୍ଥରେ ସ୍ପଷ୍ଟ ଭାବରେ କହିଛନ୍ତି – ଆମେ ବଞ୍ଚିଛୁ କେଵଳ ଏଥିପାଇଁ ଯେ ଆମର genes ନିଜର କପି ସୃଷ୍ଟି କରି ଆଗକୁ ବଢ଼ିପାରନ୍ତି। ଆମର ଶରୀର ହେଉଛି କେଵଳ ସେହି genesର ଅସ୍ଥାୟୀ ବାହାନ (vehicle)।
ଏହି ଦୃଷ୍ଟିରୁ ଦେଖିଲେ ପିତାମାତା ଯେଉଁ ଋଣ ଆପଣଙ୍କ ଉପରେ ଥୋଇ ଦେଇ ଯାଇଛନ୍ତି ତାହା କେଵଳ ଭାଵପ୍ରବଣମୂଳକ ଋଣ ନୁହେଁ ଵରଂ ତାହା ସିଧାସଳଖ ଜୈଵିକ ଋଣ। ସେମାନେ ନିଜର 50% genes ଆପଣଙ୍କ ଶରୀରରେ ରଖି ଆପଣଙ୍କୁ ଏକ ଜୀଵନ୍ତ “gene vehicle” କରିଛନ୍ତି। ଯଦି ଆପଣ ସନ୍ତାନ ଉତ୍ପାଦନ ନ କରନ୍ତି, ତେବେ ସେହି genesର ଲକ୍ଷ ଲକ୍ଷ ଵର୍ଷର ଯାତ୍ରା ଆପଣଙ୍କ ଠାରେ ହିଁ ଅଟକିଯାଏ – ଏହା ପ୍ରକୃତିର ନିୟମ ଅନୁଯାୟୀ ସବୁଠାରୁ ବଡ଼ ଅପରାଧ ଓ ଅକୃତଜ୍ଞତା।
କେଵଳ ମଣିଷ ହିଁ ନୁହେଁ ଗଛଠାରୁ ଆରମ୍ଭ କରି ମାଛ, ପକ୍ଷୀ, ସ୍ତନ୍ୟପାୟୀ – ସବୁ ଜୀଵ ନିଜର ଜୀଵନଶକ୍ତିର ବହୁ ଅଂଶ ସନ୍ତାନ ଉତ୍ପାଦନ ଓ ସନ୍ତାନ ପାଳନରେ ଖର୍ଚ୍ଚ କରନ୍ତି। ଏହାକୁ ଵିଜ୍ଞାନର ଭାଷାରେ Parental Investment Theory (Trivers, 1972) କୁହାଯାଏ। ଯେଉଁ ଜୀଵ ଏହା କରେ ନାହିଁ ତା’ର gene line ଧୀରେ ଧୀରେ ଲୁପ୍ତ ହୋଇଯାଏ।
ତେଣୁ ସନାତନ ଶାସ୍ତ୍ର ଯେତେବେଳେ କହୁଛି “ପିତୃଋଣ ସନ୍ତାନ ଉତ୍ପାଦନ କରି ପରିଶୋଧ କର”, ସେତେବେଳେ ସେ କେଵଳ ଧର୍ମ ଵା ସଂସ୍କାର କଥା କହୁନାହିଁ – ସେ ସିଧାସଳଖ ପ୍ରକୃତିର ସବୁଠାରୁ ଗଭୀର ଜୈଵିକ ନିୟମକୁ ସରଳ ଭାଷାରେ ପ୍ରକାଶ କରୁଛି। ଆଜିର ଵିଜ୍ଞାନ ତାହାକୁ ନୂଆ ନାମ ଦେଇ ପୁନର୍ବାର ପ୍ରମାଣ କରୁଛି – ଏହା ହେଉଛି ଜୀଵନର ଅଵିଚ୍ଛେଦ୍ୟ ଋଣ ଯାହାକୁ କେହି ଅସ୍ୱୀକାର କରିପାରିବ ନାହିଁ। ପିତୃଋଣ ପରିଶୋଧ କେଵଳ ଧାର୍ମିକ କର୍ତ୍ତଵ୍ୟ ନୁହେଁ ଵରଂ ଏହା ଜୀଵଜଗତର ସବୁଠାରୁ ପ୍ରାଚୀନ, ସବୁଠାରୁ ନିଷ୍ଠୁର ଓ ସବୁଠାରୁ ସଚ୍ଚୋଟ ଵିଜ୍ଞାନସମ୍ମତ ଵାଧ୍ୟଵାଧକତା ଅଟେ।
ସେହିପରି ଵେଦ ହେଉଛି ଜ୍ଞାନର ଭଣ୍ଡାର ଏଵଂ ଵେଦପାଠ ଦ୍ଵାରା ଋଷିଋଣ ପରିଶୋଧ ହୁଏ ବୋଲି ଶାସ୍ତ୍ରରେ କଥିତ ଅଛି । ଵେଦପାଠର ମୂଳ ଉଦ୍ଦେଶ୍ୟ ଜ୍ଞାନଵାନ ହେଵା ହିଁ ଅଟଇ । ଵେଦ ପାଠ ଦ୍ଵାରା ପ୍ରାଚୀନ ଭାରତୀୟ ସାଧୁ ଓ ଶିକ୍ଷିତ ହେଵା ସହିତ ଶୃଙ୍ଖଳିତ ଜୀଵନଯାପନ କରୁଥିଲେ । ଵେଦର ରଚନା ଭାରତର ଵିଦ୍ଵାନ ଋଷିମାନେ କରିଥିଲେ ଏଵଂ ଏହା ରଚନା କରିଵାର ମୂଳ ଲକ୍ଷ୍ୟ ଥିଲା ସେମାନଙ୍କ ଦ୍ଵାରା ଅର୍ଜିତ ଜ୍ଞାନ ସାଧାରଣ ଜନତାଙ୍କୁ ଜଣାଇ ସାଧୁ କରିଵା । କେଵଳ ଭାରତୀୟ ନୁହେଁ କି କେଵଳ ମାତ୍ର ମନୁଷ୍ୟ ବି ନୁହେଁ ଅନେକ ଜୀଵ ସେମାନଙ୍କର ପିତାମାତା ତଥା ସାଙ୍ଗ ସାଥି ଓ ସଂସାରରୁ କିଛି ନା କିଛି ଶିକ୍ଷା କରନ୍ତି ଏଵଂ ଜୀଵନ ଵିଦ୍ୟାଳୟରେ ପଠିତ ସେହି ଶିକ୍ଷାକୁ ପରଵର୍ତ୍ତୀ ପିଢି଼କୁ ଶିଖାଇଥାନ୍ତି । ଵିଶେଷ କରି ସ୍ତନ୍ୟପାୟୀ ପ୍ରାଣୀମାନେ ଏହି କାର୍ଯ୍ୟ କରିଥାନ୍ତି । ବିଲେଇ ହେଉ କି ବାଘ ନିଜ ସନ୍ତାନମାନଙ୍କୁ ଶିକାର କରିଵା ଶିଖାନ୍ତି । ହଁ କେତେକ ଜୀଵ ତ ଜନ୍ମରୁ ମଲାଯାଏଁ ସଂସାର ମଧ୍ୟରେ ସଂଘର୍ଷ କରି କରି ବଞ୍ଚିଥାନ୍ତି ଏଵଂ ପ୍ରତିଦିନ କିଛି ନା କିଛି ଶିଖିଥାନ୍ତି । ସଂସାରରୁ ଶିକ୍ଷାଲାଭ କରିଵା ଓ ଉକ୍ତ ଜ୍ଞାନକୁ ଅନ୍ୟକୁ ଶିଖାଇଵା ଦ୍ଵାରା ଋଷିଋଣ ପରିଶୋଧନ ହୋଇଥାଏ ।
ସଂସାରରୁ ଶିଖି ଅନ୍ୟକୁ ଶିଖାଇ ଋଷିଋଣ ପରିଶୋଧ କରିଵାର ଏହି ଵୈଦିକ ଵିଚାର ଆଧୁନିକ ଵିଜ୍ଞାନ ସହିତ ଆଶ୍ଚର୍ଯ୍ୟଜନକ ଭାବେ ମିଶିଯାଏ। ଵିଜ୍ଞାନରେ ଏହାକୁ Cultural Evolution ଓ Dual Inheritance Theory ନାମ ଦିଆଯାଇଛି। ମଣିଷ ଵ୍ୟତୀତ ଅନ୍ୟ ଅନେକ ପ୍ରାଣୀ ମଧ୍ୟ ସାଂସ୍କୃତିକ ଜ୍ଞାନକୁ ପରଵର୍ତ୍ତୀ ପିଢ଼ିକୁ ହସ୍ତାନ୍ତର କରନ୍ତି। ଜାପାନର କୋଶିମା ଦ୍ୱୀପରେ ୧୯୫୩ ମସିହାରେ Imo ନାମକ ଏକ ମାଈ Japanese macaque(ଜାପାନୀ ମର୍କଟୀ) ମିଠା ଆଳୁକୁ ପାଣିରେ ଧୋଇ ଖାଇଵା ଆରମ୍ଭ କଲା। କିଛି ମାସ ଭିତରେ ଏହି ନୂଆ ଅଭ୍ୟାସ ତା’ର ସାଙ୍ଗସାଥୀ ଓ ସନ୍ତାନଙ୍କ ମଧ୍ୟରେ ଵ୍ୟାପିଗଲା ଏଵଂ ଆଜି ସେହି ଦଳର ପ୍ରାୟ ସବୁ ମାଙ୍କଡ଼ ଏହା କରନ୍ତି । ସିମ୍ପାଞ୍ଜିଙ୍କ ଵିଭିନ୍ନ ଗୋଷ୍ଠୀ ମଧ୍ୟରେ ପୋକ ଧରିଵାର କାଠି ପରି ଯନ୍ତ୍ର ଵ୍ୟଵହାର, ଔଷଧୀୟ ପତ୍ର ଖାଇଵା ଓ ପଥର ଵ୍ୟଵହାର କରି କଠିନ ଫଳ ଭାଙ୍ଗିଵା ଭଳି ଅନେକ ସାଂସ୍କୃତିକ ପାର୍ଥକ୍ୟ ଦେଖାଯାଏ ଏଵଂ ଏସବୁ ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ିକୁ ଶିଖାଯାଇଥାଏ।
ପ୍ରାଣୀମାନଙ୍କ ମଧ୍ୟରେ ସଚେତନ ଶିକ୍ଷାଦାନ ମଧ୍ୟ ଵିଜ୍ଞାନସମ୍ମତ ଭାବେ ପ୍ରମାଣିତ। Caro & Hauser (1992) ଅନୁଯାୟୀ ଶିକ୍ଷକ
ନିଜର ଖର୍ଚ୍ଚ ଵହନ କରି ଶିଷ୍ୟର ଶିଖିଵା ଗତି ବଢ଼ାଇଲେ ତାହାକୁ Teaching କୁହାଯାଏ। ଆଫ୍ରିକାର meerkatମାନେ ସନ୍ତାନମାନଙ୍କୁ ବିଛା ଧରିଵା ଶିଖାନ୍ତି – ପ୍ରଥମେ ମୃତ ବିଛା, ପରେ ଆହତ ବିଛା ଏଵଂ ଶେଷରେ ଜୀଵନ୍ତ ବିଛା ଦେଇ ଅଭ୍ୟାସ କରାନ୍ତି। ବାଘ, ଚିତା ଓ ଘରୋଇ ବିଲେଇ ମଧ୍ୟ ନିଜେ ଶିକାର ଧରି ଆଣି ସନ୍ତାନଙ୍କ ସାମ୍ନାରେ ଛାଡ଼ି ଦିଅନ୍ତି ଯାହାଦ୍ୱାରା ସେମାନେ ଧୀରେ ଧୀରେ ଶିକାର କରିଵା ଶିଖନ୍ତି।
କିନ୍ତୁ ମଣିଷ କ୍ଷେତ୍ରରେ ଏହି ପ୍ରକ୍ରିୟା ଅତି ଉଚ୍ଚସ୍ତରର Cumulative Cultural Evolution ରୂପ ନେଇଛି। ପ୍ରତି ପିଢ଼ି ପୂର୍ଵ ପିଢ଼ିର ଜ୍ଞାନକୁ ଆହୁରି ଉନ୍ନତ କରି ଆଗକୁ ବଢ଼ାଏ । ଅନ୍ୟ ପ୍ରାଣୀଙ୍କର ସାଂସ୍କୃତିକ ଜ୍ଞାନ ସାଧାରଣତଃ ଏକାଧିକ ପିଢ଼ି ଧରି ସ୍ଥାୟୀ ହୋଇ ରହେ ନାହିଁ । ଵେଦ, ଉପନିଷଦ, ଦର୍ଶନ, ଗଣିତ, ଜ୍ୟୋତିର୍ଵିଜ୍ଞାନ ଓ ଆଜିର ଆଧୁନିକ ଵିଜ୍ଞାନ ଏହି ଅଵିରାମ ଜ୍ଞାନ ସଞ୍ଚୟର ଜ୍ୱଳନ୍ତ ଉଦାହରଣ ଏଵଂ ଏହା ଜ୍ଞାନର ସାତ୍ୟତା ଯୋଗୁଁ ସମ୍ଭଵ ହୋଇଅଛି ।
ଋଷିଋଣ ପରିଶୋଧ ବାସ୍ତବରେ ଏହି Inter-generational Knowledge Transfer ତଥା Altruism towards future generationsର ଏକ ସୁନ୍ଦର ଧାର୍ମିକ-ସାଂସ୍କୃତିକ ରୂପ। ମାନଵ ସଭ୍ୟତାର ସର୍ଵଵୃହତ ସଫଳତା ଏହି କାରଣରୁ ହିଁ ଯେ ଆମେ ଶିଖିଥିଵା ଜ୍ଞାନକୁ ଆଗାମୀ ପିଢ଼ିକୁ ସଚେତନ ଭାବରେ ହସ୍ତାନ୍ତର କରିଥାଉ।
ଏହାକୁ Richard Dawkins ୧୯୭୬ରେ Memes ଵା ସାଂସ୍କୃତିକ ଜିନ୍ ନାମ ଦେଇଥିଲେ। Genes ଯେମିତି ଜୈଵିକ ସୂଚନାକୁ ଗୋଟିଏ ପିଢ଼ିରୁ ଆଉ ଏକ ପିଢ଼ିକୁ ଵହନ କରନ୍ତି ଠିକ୍ ସେମିତି Memes (ଗୀତ, ଭାଷା,ଵୈଜ୍ଞାନିକ ସୂତ୍ର,ଵୈଦିକ ମନ୍ତ୍ର, ଯୋଗାସନ, ରେସିପି ଇତ୍ୟାଦି) ସାଂସ୍କୃତିକ ସୂଚନାକୁ ଵହନ କରନ୍ତି । ଋଷିମାନେ ଯେଉଁ ମନ୍ତ୍ର ଶିଷ୍ୟଙ୍କୁ ଶୁଣାଇ ଶୁଣାଇ ଶିଖାଇଲେ ଏଵଂ ସେମାନେ ପୁଣି ଆଉ ଶିଷ୍ୟଙ୍କୁ ଶିଖାଇଲେ – ଏହା ହିଁ ପ୍ରାଚୀନତମ ଓ ସବୁଠାରୁ ଶକ୍ତିଶାଳୀ Memetic transmission। ତେଣୁ ଵୈଦିକ ଋଷିଋଣ ପରିଶୋଧର ଏହି ନିୟମ କେଵଳ ଧାର୍ମିକ ଋଣ ନୁହେଁ ଵରଂ ମାନଵ ସଭ୍ୟତାର ଵିଜ୍ଞାନସମ୍ମତ ମୌଳିକ ଜୈବିକ-ସାଂସ୍କୃତିକ ନୀତି ଅଟେ।
ଶେଷରେ ଦେଵଋଣ କଥା ଵିଚାର କରାଯାଉ । ପ୍ରତ୍ୟେକ ଜୀଵ ଜନ୍ମଠାରୁ ମଲାଯାଏଁ ଦେଵତାମାନଙ୍କର ଋଣୀ ହୋଇଥାନ୍ତି କାରଣ ସେମାନେ ଦେଵତାମାନଙ୍କର ଅଂଶକୁ ନିଜ ମଧ୍ୟରେ ଆଜୀଵନ ଧାରଣ କରିଥାଆନ୍ତି । ଜଳ,ଵାୟୁ,ଭୂମି, ଅନ୍ତରୀକ୍ଷ ଓ ଅଗ୍ନି ଵିନା କୌଣସି ଜୀଵ ସୃଷ୍ଟି ସମ୍ଭଵ ନୁହେଁ । ପ୍ରାଚୀନ ଭାରତୀୟ ଦେଵତାମାନଙ୍କ ମଧ୍ୟରେ ଇନ୍ଦ୍ର,ଵରୁଣ,ଅଗ୍ନି,ଵାୟୁ, ସୂର୍ଯ୍ୟ ଓ ଚନ୍ଦ୍ର ଆଦି ପ୍ରଧାନ । ଏମାନଙ୍କର ଆମ ଉପରେ ଯେଉଁ ଋଣ ଅଛି ତାକୁ ପରିଶୋଧ କରିଵାର ଏକମାତ୍ର ପନ୍ଥା ହେଲା ଯଜ୍ଞ !!!
ହେଲେ ମଣିଷମାନେ ସିନା ଯଜ୍ଞ କରିପାରିବେ ଅନ୍ୟ ଜୀଵମାନେ କ'ଣ ଯଜ୍ଞ କରିଵାକୁ ଯୋଗ୍ୟ କି ?
ହଁ ସୂକ୍ଷ୍ମ ଭାବେ ଦେଖିଲେ ପୃଥିଵୀର ପ୍ରତ୍ୟେକ ଜୀଵ ଏ ସଂସାରର ଦେଵତା ଭାବେ ଗୃହୀତ ଵାୟୁ ,ଜଳ,ଅଗ୍ନି,ମୃତ୍ତିକା ଓ ଆକାଶ ଆଦିରୁ ଯାହା ଗ୍ରହଣ କରନ୍ତି ତାକୁ ଫେରାଇ ମଧ୍ୟ ଦେଇଥାନ୍ତି । ଜୀଵନଚକ୍ରକୁ ପରିଚାଳନା କରିଵାରେ ପ୍ରତ୍ୟେକ ଜୀଵ ଦ୍ଵାରା ଦିଆଯାଉଥିଵା ଯୋଗଦାନ ହିଁ ଦେଵଯଜ୍ଞ ଅଟେ ।
ଆମେ ଜୀଵମାନେ ଖାଦ୍ୟ ଗ୍ରହଣ କଲେ ତହିଁର ଵର୍ଜ୍ୟଵସ୍ତୁ ରୂପେ ଵିଷ୍ଠା ପରିତ୍ୟାଗ କରନ୍ତି ଯାହା ମୃତ୍ତିକାର ଉର୍ଵରତା ବୃଦ୍ଧି ଘଟାଇଵାରେ ସାହାଯ୍ୟ କରିଥାଏ । ଯଦି ଏହା ନ ହେଉଥାନ୍ତା ତାହେଲେ ମୃତ୍ତିକାର ଉର୍ଵରତା ନଷ୍ଟ ହୁଅନ୍ତା ଏଵଂ ଜୀଵନଚକ୍ର ବାଧାପ୍ରାପ୍ତ ହୋଇଯାଆନ୍ତା । ସେହିପରି ମନୁଷ୍ୟ ଜଳ ଗ୍ରହଣ କରି ପୁଣି ମୁତ୍ର ରୂପେ ପରିତ୍ୟାଗ କରେ ଏଵଂ ସେଥିରେ ମଧ୍ୟ ଅନେକ ପ୍ରକାରର ଖଣିଜ ତତ୍ତ୍ବ ଥାଏ ଯାହା ମୃତ୍ତିକାରେ ମିଶ୍ରିତ ହୁଏ । ଜଗତର ପ୍ରତ୍ୟେକ ଜୀଵ ମୃତ୍ୟୁ ସହିତ ସେ ଏହି ସଂସାରରୁ ପାଇଥିଵା ସମସ୍ତ ତତ୍ତ୍ଵ ପୁଣି ମୃତ୍ତିକା,ଵାୟୁ,ଅଗ୍ନି ଆଦିକୁ ଫେରାଇ ଦେଇଥାଏ ।
ଵୃକ୍ଷାଦି ପ୍ରତ୍ୟେକ ପ୍ରାଣୀ ଓ ଜୀଵ ପ୍ରତ୍ୟକ୍ଷ ଵା ପରୋକ୍ଷ ଭାବରେ ଅଗ୍ନିର ଉପଯୋଗ କରନ୍ତି କିନ୍ତୁ ଏ ଅଗ୍ନି ଵାହ୍ୟ ନୁହେଁ ଵରଂ ଆଭ୍ୟନ୍ତରୀଣ ଅଗ୍ନି ଅଟେ । ଚର୍ବି ରୂପେ ଜୀଵମାନେ ଏଵଂ ଅଙ୍ଗାରକ ଵା କାର୍ବନ ରୂପରେ ଵୃକ୍ଷମାନେ ଅଗ୍ନିର ଇନ୍ଧନକୁ ନିଜ ଶରୀର ମଧ୍ୟରେ ସାଇତି ରଖନ୍ତି । ତାହା ଭୂକମ୍ପ ଯୋଗୁଁ ଭୂମିଗତ ହୋଇ ଚାପ ତଥା ତାପ ଦ୍ଵାରା ଲକ୍ଷ ଲକ୍ଷ ଵର୍ଷରେ ପେଟ୍ରୋଲିୟମ ଓ କୋଇଲାରେ ପରିଣତ ହୋଇଥାଏ । ଵୃକ୍ଷର କାଷ୍ଠ ତ ଅଗ୍ନି ବର୍ଦ୍ଧନର ଅନ୍ୟତମ କାରଣ ହୋଇଥାଏ । ଅଗ୍ନିରୁ ସୃଷ୍ଟି ହୋଇ ପ୍ରତ୍ୟେକ ଦରଵ ପୁଣି ପ୍ରଳୟ କାଳରେ ଅଗ୍ନି ମଧ୍ୟରେ ନିର୍ଵାପିତ ହୋଇଯାଏ । ଜଳ ଓ ସ୍ଥଳଭାଗର ଉଦ୍ଭିଦମାନେ ଅମ୍ଳଜାନ ଦ୍ଵାରା ଵାୟୁମଣ୍ଡଳର ସନ୍ତୁଳନ ରକ୍ଷା କରନ୍ତି । ପୃଥିଵୀର ଜୀଵନଚକ୍ରରେ ପ୍ରତ୍ୟେକ ଜୀଵର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି ଏଵଂ ଏହି ଯୋଗଦାନ ଆଉ କିଛି ନୁହେଁ ସେହି ଦେଵଋଣ ଅଟେ । ଯଜ୍ଞ କହିଲେ କେଵଳ କିଛି କାଠ ଜାଳି ସେଥିରେ ଘିଅ ପୋଡ଼ିଵା ନୁହେଁ ଏହା ତ କେଵଳ ଏକ ଦୃଶ୍ୟ କର୍ମକାଣ୍ଡ ମାତ୍ର ଯଜ୍ଞର ପ୍ରକୃତ ଉଦ୍ଦେଶ୍ୟ ଜୀଵ କଲ୍ୟାଣ, ସଂସାର କଲ୍ୟାଣ ଅଟେ । ପୃଥିଵୀର ପ୍ରତ୍ୟେକ ଜୀଵ ସଂସାର କଲ୍ୟାଣ ପାଇଁ ଦେଵଋଣ ପରିଶୋଧ କରିଵାକୁ ଵାଧ୍ୟ କାରଣ ଏତଦ୍ଵାରା ହିଁ ସଂସାରର ଜୀଵନଚକ୍ର ସବୁବେଳେ ଚାଲୁରହୁଛି । ଵିଜାଣୁଠାରୁ ମନୁଷ୍ୟଯାଏଁ ଶୈଵାଳଠାରୁ ମହାଦ୍ରୁମ ପାଦପ ଯାଏଁ ଏ ଜଗତର ପ୍ରତ୍ୟେକ ଜୀଵ ନିଜ ଅଜାଣତରେ ହିଁ ଦେଵଋଣ ପରିଶୋଧ କରିଚାଲିଛନ୍ତି ଏଵଂ ସେ ପର୍ଯ୍ୟନ୍ତ ଏହା କରିଚାଲିଥିବେ ଯେ ପର୍ଯ୍ୟନ୍ତ ଏ ପୃଥିଵୀରେ ଜୀଵଜଗତ ତିଷ୍ଠି ରହିଥିଵ ।
ଏହି ଦେଵଋଣର କଥା ଯେତେବେଳେ ଆଧୁନିକ ହେତୁଵାଦୀ ଓ ନାସ୍ତିକମାନେ ଶୁଣନ୍ତି, ସେମାନେ ଏହାକୁ ହସରେ ଉଡ଼େଇ ଦେଇ କୁହନ୍ତି – ହେକ୍ ! “ଦେଵତା ? ଯଜ୍ଞ ? ଏ ସବୁ ପୌରାଣିକ କଳ୍ପନା!” କିନ୍ତୁ ଵିଜ୍ଞାନ ତା’ର ହାତ ଧରି ପୃଥିଵୀର ଜୀଵନଚକ୍ର ଭିତରକୁ ନେଇଯାଏ ଏବଂ କହେ – “ଦେଖ, ତୁ ଯାହାକୁ ପୌରାଣିକ କହୁଛୁ, ତାହା ପ୍ରକୃତରେ ସବୁଠାରୁ କଡ଼ା ଵୈଜ୍ଞାନିକ ସତ୍ୟ – ଏକ ଅଵିଚ୍ଛେଦ୍ୟ ପରିଵେଶଗତ ଋଣ।”
ଆଜିର ପରିଵେଶ ବିଜ୍ଞାନ (Ecology)ର Ecosystem Services ଓ Biogeochemical Cycles ସହିତ ଏହା ସମ୍ବନ୍ଧିତ । ପୃଥିଵୀର ପ୍ରତ୍ୟେକ ଜୀଵ ନିରନ୍ତର ଋଣଗ୍ରହୀତା ଏଵଂ ଋଣଦାତା ଉଭୟ ଅଟେ। ସେ ଯାହା ଗ୍ରହଣ କରେ (ଅମ୍ଳଜାନ, ଜଳ, ଖଣିଜ, କାର୍ବନ) ତାହାକୁ ଅଵିଶ୍ୱାସ୍ୟ ନିଷ୍ଠାରେ ପରିଵେଶକୁ ଫେରାଇ ଦେଇ ଜୀଵନଚକ୍ରକୁ ଚଳାଏ। ଏହା ଵ୍ୟତୀତ ପୃଥିଵୀରେ ଜୀଵନ ଏକ ମୁହୂର୍ତ୍ତ ବି ତିଷ୍ଠି ରହିପାରେ ନାହିଁ।
ଯେଉଁ ଵିଷ୍ଠା ଓ ମୂତ୍ରକୁ ଆମେ “ଅପଵିତ୍ର” କହି ଘୃଣା କରୁ, ସେହି ଵିଷ୍ଠା ଓ ମୂତ୍ର ମାଟିରେ ମିଶି ନାଇଟ୍ରୋଜେନ୍, ଫସଫରସ୍, ପୋଟାସିୟମ୍ ଫେରାଇ ଦେଇ ଉଦ୍ଭିଦର ଖାଦ୍ୟ ହୁଏ । ଯେଉଁ ଶରୀରକୁ ଆମେ “ମୋର” କହି ଗର୍ଵ କରୁ, ମୃତ୍ୟୁ ପରେ ସେହି ଶରୀର ମାଟିରେ ମିଶି କାର୍ବନ, ହାଇଡ୍ରୋଜେନ୍, ଅକ୍ସିଜେନ୍ ଫେରାଇ ଦେଇ ନୂଆ ଜୀଵନର ଇନ୍ଧନ ହୁଏ । ଗଛଲତା ଯେଉଁ ଅମ୍ଳଜାନ ଛାଡ଼ନ୍ତି ତାହା ଆମେ ନିଶ୍ୱାସ ନେଉ, ଆଉ ଆମେ ଯେଉଁ କାର୍ବନ ଡାଇଅକ୍ସାଇଡ୍ ଛାଡ଼ୁ ତାହା ଗଛଲତା ନେଇ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଵ୍ୟଵହାର କରି ଆମକୁ ଖାଦ୍ୟ ଦିଅନ୍ତି – ଏହା ହିଁ ସବୁଠାରୁ ବଡ଼ ଯଜ୍ଞଶାଳା।
ଯେଉଁ ଅଗ୍ନିକୁ ପ୍ରାଚୀନକାଳରେ ହୋମ କରାଯାଉଥିଲା, ଆଜି ଵିଜ୍ଞାନ ତାହାକୁ ବୁଝିଛି ଯେ ଜୀଵଜଗତ ନିଜେ ଏକ ଅବିରାମ Energy Flow ଓ Nutrient Cycling ମାଧ୍ୟମରେ ଅଗ୍ନିର ଋଣ ଶୁଝୁଛି। ଲକ୍ଷ ଲକ୍ଷ ଵର୍ଷ ପୂର୍ବର ଗଛଲତା ଓ ଜୀଵ ସୂର୍ଯ୍ୟଙ୍କ ଅଗ୍ନିକୁ ନିଜ ଶରୀରରେ ସାଇତି କୋଇଲା ଓ ପେଟ୍ରୋଲିୟମ୍ ହେଲେ, ଆଜି ଆମେ ତାହା ଜାଳି ସେହି ଋଣ ଫେରାଉଛୁ।
ତେଣୁ ଯେତେବେଳେ ଶାସ୍ତ୍ର କହୁଛି “ଦେଵାନାଂ ଋଣଂ ପ୍ରତିଜନ୍ମ ଯଜ୍ଞେନ” – ସେ କେଵଳ ଧାର୍ମିକ କ୍ରିୟା କଥା କହୁ ନ ଥାଏ, ସେ ପୃଥିଵୀର ସବୁଠାରୁ ଗଭୀର ପରିବେଶଗତ ସତ୍ୟକୁ ସରଳ ଭାଷାରେ କହୁଛି। ଆଜିର ଵିଜ୍ଞାନ ତାହାକୁ ନୂଆ ନାମ ଦେଇ ପୁନର୍ବାର ପ୍ରମାଣ କରୁଛି – ପ୍ରତ୍ୟେକ ଜୀଵ ଏକ ନିରନ୍ତର ଯଜ୍ଞଶାଳା, ଏକ ନିରନ୍ତର ଋଣପରିଶୋଧକାରୀ। ଯେତେଦିନ ଏହି ଯଜ୍ଞ ଚାଲିଵ, ସେତେଦିନ ପୃଥିଵୀରେ ଜୀଵନ ତିଷ୍ଠି ରହିଵ।
ତେଣୁ ଦେଵଋଣ କେଵଳ ଧାର୍ମିକ ଋଣ ନୁହେଁ – ଏହା ପୃଥିଵୀର ସବୁଠାରୁ ପ୍ରାଚୀନ, ସବୁଠାରୁ ନିଷ୍ଠୁର ଏଵଂ ସବୁଠାରୁ ଅଵିଚ୍ଛେଦ୍ୟ ପରିଵେଶଗତ ଵାଧ୍ୟଵାଧକତା। ଏହାକୁ କେହି ଅସ୍ୱୀକାର କରିପାରିଵ ନାହିଁ – କାରଣ ଏହା ବଞ୍ଚିଵାର ଏକମାତ୍ର ସର୍ତ୍ତ ଅଟେ ।
ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ସୂକ୍ଷ୍ମ ଦୃଷ୍ଟିରୁ ଵିଚାର କଲେ ଏ ସଂସାରର ପ୍ରତ୍ୟେକ ଜୀଵ ପିତୃଋଣ,ଋଷିଋଣ ଓ ଦେଵଋଣ ପରିଶୋଧ କରିଥାନ୍ତି । କିନ୍ତୁ ଆମ ପୂର୍ଵଵର୍ତ୍ତୀ ପିଢ଼ିମାନେ ପ୍ରାଚୀନ ଜ୍ଞାନକୁ କେଵଳ କର୍ମକାଣ୍ଡ ଓ ଅନ୍ଧଵିଶ୍ୱାସର ଖୋଳପା ଭିତରେ ଆବଦ୍ଧ କରି ରଖିଦେଲେ ଏଵଂ ତାକୁ ସ୍ଵତନ୍ତ୍ର ଵୈଜ୍ଞାନିକ ଦୃଷ୍ଟିକୋଣର ସହିତ ଵିଚାର କଲେ ନାହିଁ । ପ୍ରକୃତରେ ଆମ ପୂର୍ଵଜ ବହୁ ଆଗରୁ ତିନିଗୋଟି ଋଣ ମଧ୍ୟରେ ସମ୍ପୂର୍ଣ୍ଣ ଜୀଵନଚକ୍ର ଵିଷୟରେ ସୂକ୍ଷ୍ମ ଭାବରେ ଅନେକ କଥା କହି ଯାଇଛନ୍ତି ।
ଏହି ତିନିପ୍ରକାର ଋଣର ସୂକ୍ଷ୍ମ ଵିଚାର ଯେତେବେଳେ ଏକାଠି ଦେଖାଯାଏ, ସେତେବେଳେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ଉଦଘାଟିତ ହୁଏ – ଏହା କେଵଳ ମଣିଷର ଧର୍ମ ନୁହେଁ, ଏହା ସମଗ୍ର ଜୀଵଜଗତର ଏକମାତ୍ର ଜୈଵିକ-ପରିଵେଶଗତ-ସାଂସ୍କୃତିକ ନିୟମାଵଳୀ। ପିତୃଋଣ ହେଉଛି ଜୈଵିକ ଅସ୍ତିତ୍ୱର ନିୟମ (Genetic Continuity), ଋଷିଋଣ ହେଉଛି ସାଂସ୍କୃତିକ ଅସ୍ତିତ୍ୱର ନିୟମ (Cultural Continuity), ଆଉ ଦେଵଋଣ ହେଉଛି ପରିଵେଶଗତ ଅସ୍ତିତ୍ୱର ନିୟମ (Ecological Continuity)। ଏହି ତିନୋଟି ଏକାଠି ମିଶି ଜୀଵନର ସମ୍ପୂର୍ଣ୍ଣ ଚକ୍ର ତିଆରି କରନ୍ତି।
ଆଧୁନିକ ଵିଜ୍ଞାନ ଯେତେ ଅଗ୍ରସର ହେଉଥାଉ, ସେ ଯେତେବେଳେ ପୃଥିଵୀର ଜୀଵନକୁ ସାମଗ୍ରିକ ଭାବରେ ଦେଖେ, ସେତେବେଳେ ପୁଣି ସେହି ପ୍ରାଚୀନ ତିନି ଋଣର ମୂଳକୁ ଫେରି ଆସେ। ଆଜିର Systems Biology ଓ Earth System Science କହୁଛି – ଜୀଵନ ହେଉଛି ଏକ ଅଵିଚ୍ଛେଦ୍ୟ ନେଟୱର୍କ ଯେଉଁଠି genetic information, cultural information ଓ biogeochemical information ଏକାଠି ପ୍ରଵାହିତ ହେଉଛନ୍ତି। ଏହି ତିନି ଧାରା ଯେତେଦିନ ନିରନ୍ତର ବହିଚାଲିଥିଵ, ସେତେଦିନ ପର୍ଯ୍ୟନ୍ତ ପୃଥିଵୀରେ ଜୀଵନ ବଞ୍ଚି ରହିଵ।
ଆମର ଋଷିମାନେ ଏହି ତିନି ଋଣକୁ ଏକ ସୁନ୍ଦର ତ୍ରିଵେଣୀ ସଙ୍ଗମ ଭାବେ ଦେଖିଥିଲେ। ସେମାନେ ଜାଣିପାରିଥିଲେ ଯେ ଯେତେବେଳେ ମଣିଷ ଏହି ତିନି ଋଣରୁ ମୁକ୍ତ ହେଵାକୁ ଚେଷ୍ଟା କରିବ, ସେତେବେଳେ ସେ ନିଜର ଜୈଵିକ, ସାଂସ୍କୃତିକ ଓ ପରିଵେଶଗତ ମୂଳକୁ ନିଜେ କାଟି ପକାଇଵ। ଆଜିର ଆଧୁନିକ ମଣିଷ ଯେତେବେଳେ ସନ୍ତାନ ଉତ୍ପତ୍ତି କରିଵାକୁ ଅସ୍ୱୀକାର କରୁଛି, ଜ୍ଞାନ ସଞ୍ଚୟ ଓ ହସ୍ତାନ୍ତରକୁ ଅଣଦେଖା କରୁଛି, ପ୍ରକୃତିକୁ ଲୁଣ୍ଠନ କରୁଛି – ସେ ପ୍ରକୃତରେ ଏହି ତିନି ଋଣର ଋଣୀ ହୋଇ ଋଣ ନ ଶୁଝି ଜୀଵନର ମୂଳ ନିୟମକୁ ଅମାନ୍ୟ କରୁଛି। ଏହାର ପରିଣାମ ଆଜି ଆମେ ଦେଖୁଛୁ – ଜନସଂଖ୍ୟାଗତ ଅସନ୍ତୁଳନ, ସାଂସ୍କୃତିକ ଅଵକ୍ଷୟ ଓ ପରିଵେଶଗତ ଵିପର୍ଯ୍ୟୟ।
ତେଣୁ ପ୍ରାଚୀନ ଭାରତୀୟ ଋଷିମାନେ ଯେଉଁ ତିନି ଋଣର କଥା କହିଥିଲେ, ତାହା କେଵଳ ଧାର୍ମିକ ଋଣ ନୁହେଁ, ତାହା ଜୀଵନର ତିନି ମୌଳିକ ସ୍ତମ୍ଭ। ଏହାକୁ ଅସ୍ୱୀକାର କରିଵା ମାନେ ଜୀଵନକୁ ନିଜେ ଅସ୍ୱୀକାର କରିଵା। ଆଜିର ଵିଜ୍ଞାନ ଯେତେ ନୂଆ ନାମ ଦେଇ ଏହାକୁ ପୁନର୍ଵାର ଆବିଷ୍କାର କରୁ, ସେତେ ପ୍ରମାଣିତ ହେଉଛି ଯେ ଆମର ପୂର୍ଵଜମାନେ ହଜାର ହଜାର ଵର୍ଷ ପୂର୍ଵରୁ ଜୀଵନର ସବୁଠାରୁ ଗଭୀର ସତ୍ୟକୁ ଦେଖି ସାରିଥିଲେ।
ଯେତେଦିନ ପର୍ଯ୍ୟନ୍ତ ଏହି ତିନି ଋଣ ଶୁଝା ହେଉନାହିଁ, ସେତେଦିନ ପର୍ଯ୍ୟନ୍ତ ଜୀଵନ ନିଜେ ମୁକ୍ତ ହେଵ ନାହିଁ, କାରଣ ଏହି ଋଣ ହିଁ ଜୀଵନର ସ୍ଵରୂପ।
ତେଣୁ ଆସନ୍ତୁ ଆମେ ଏହି ତିନି ଋଣକୁ ନୂଆ ଦୃଷ୍ଟିରେ ଦେଖିଵା, ଏକ ଧାର୍ମିକ ବୋଝ ନୁହେଁ ଵରଂ ଜୀଵନର ସବୁଠାରୁ ସୁନ୍ଦର ଦାୟିତ୍ୱ ଭାବେ ଗ୍ରହଣ କରିଵା। ଏହା ହିଁ ପ୍ରାଚୀନ ଭାରତୀୟ ଜ୍ଞାନର ସଚ୍ଚୋଟ ପୁନରାଵିଷ୍କାର ହେଵ। ଏହା ହିଁ ସନାତନ ଧର୍ମର ସବୁଠାରୁ ଗଭୀର ଵୈଜ୍ଞାନିକ ଉତ୍ତରାଧିକାର।
(ଵି:ଦ୍ର — କିଛି ଲୋକ ପଞ୍ଚଋଣ ଗଣନ୍ତି ଏଵଂ ତହିଁରେ ନୃଋଣ ଓ ଭୂତଋଣ ଯୋଡ଼ନ୍ତି କିନ୍ତୁ ପ୍ରାଚୀନ କାଳର ଗ୍ରନ୍ଥରେ ଏହି ଦୁଇ ଋଣ ସମ୍ବନ୍ଧରେ ଵିଶେଷ ତଥ୍ୟ ମିଳେ ନାହିଁ। ମଧ୍ୟଯୁଗୀୟ ଗ୍ରନ୍ଥରେ ଏ ଵିଷୟରେ ଥାଇପାରେ। ପ୍ରକୃତରେ ଏହି ଦୁଇଟି ଋଣ ନୁହେଁ ମହାଯଜ୍ଞର ନାମ ଅଟେ । ମୋଟ୍ ପାଞ୍ଚଗୋଟି ମହାଯଜ୍ଞ ରହିଛି । ପ୍ରଥମ ଯଜ୍ଞ ହେଉଛି ଦେଵଯଜ୍ଞ। ଏହା ସମସ୍ତ ଦେଵତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଵାର ଯଜ୍ଞ। ରୋଷେଇ ପୂର୍ବରୁ ପ୍ରଥମେ ଅଳ୍ପ ଘିଅ କିମ୍ବା ଖାଦ୍ୟ ଅଗ୍ନିରେ ହୋମ କରି ଦେଵା ଏହାର ସାଧାରଣ ଵିଧି। ଯଜ୍ଞଶାଳା ନ ଥିଲେ ସନ୍ଧ୍ୟାଵନ୍ଦନ ଓ ଗାୟତ୍ରୀ ଜପ ମଧ୍ୟ ଦେଵଯଜ୍ଞର ଅଂଶ ହୋଇପାରେ। ଶତପଥ ବ୍ରାହ୍ମଣ ଓ ମନୁସ୍ମୃତି ଏହାକୁ ଅତ୍ୟନ୍ତ ଗୁରୁତ୍ୱ ଦେଇଛନ୍ତି। ଦ୍ୱିତୀୟ ଯଜ୍ଞ ହେଉଛି ପିତୃଯଜ୍ଞ। ଏହା ପିତୃଲୋକର ପୂର୍ଵପୁରୁଷଙ୍କ ପ୍ରତି କୃତଜ୍ଞତା ଓ ତର୍ପଣ। ଦକ୍ଷିଣ ଦିଗକୁ ମୁହଁ କରି ଅଳ୍ପ ଖାଦ୍ୟ ଓ ଜଳ ଅର୍ପଣ କରି “ପିତୃଗଣ ତର୍ପିତା ଭଵନ୍ତୁ” କହିଵା ଏହାର ସରଳ ଉପାୟ। ଅମାଵାସ୍ୟାରେ ଶ୍ରାଦ୍ଧ ଓ ପିଣ୍ଡଦାନ ଏହାର ଵିଶେଷ ରୂପ। ଏହା ଵିନା ପିତୃଋଣ ଶୋଧ ହୋଇନଥାଏ। ତୃତୀୟ ଯଜ୍ଞ ହେଉଛି ଭୂତଯଜ୍ଞ। ଏହା ସମଗ୍ର ଜୀଵଜଗତ ପ୍ରତି ଦୟା ଓ କୃତଜ୍ଞତାର ଯଜ୍ଞ। ଘର ବାହାରେ ଅଳ୍ପ ଚାଉଳ, ଦହି, ଗୁଡ଼ ଇତ୍ୟାଦି ରଖି କାଉ, କୁକୁର, ପିମ୍ପୁଡ଼ି, ପକ୍ଷୀ ଆଦିଙ୍କ ପାଇଁ ଅର୍ପଣ କରି “ଭୂତଗଣ ତୃପ୍ତା ଭଵନ୍ତୁ” କହିଵା ଏହାର ବିଧି। ଗାଈକୁ ରୁଟି, କୁକୁରକୁ ରୁଟି ଦେଵା ମଧ୍ୟ ଏହି ଯଜ୍ଞର ଅଂଶ। ଏହା ଅହିଂସା ଓ ପ୍ରାଣୀସେଵାର ମୂଳ ଧାରଣା। ଚତୁର୍ଥ ଯଜ୍ଞ ହେଉଛି ମନୁଷ୍ୟଯଜ୍ଞ ଵା ଅତିଥିଯଜ୍ଞ। ଏହା ସମଗ୍ର ମାନଵଜାତି ପ୍ରତି ସେଵା ଓ ଅତିଥିସତ୍କାର। ଘରକୁ ଯେ କେହି ଅତିଥି ଆସିଲେ ତାଙ୍କୁ ଭୋଜନ କରାଇଵା, ଅନ୍ନ ଓ ଜଳ ଦେଵା ଏହାର ସରଳ ଉପାୟ। ତୈତ୍ତିରୀୟ ଉପନିଷଦ୍ର “ଅତିଥି ଦେବୋ ଭଵ” ମନ୍ତ୍ର ଏହି ଯଜ୍ଞର ମୂଳମନ୍ତ୍ର। ଏହା ଵିନା ସମାଜର ଋଣ ଶୋଧ ହୋଇନଥାଏ।
ପଞ୍ଚମ ଯଜ୍ଞ ହେଉଛି ବ୍ରହ୍ମଯଜ୍ଞ। ଏହା ଋଷିମାନଙ୍କ ଓ ଵେଦଜ୍ଞାନ ପ୍ରତି କୃତଜ୍ଞତାର ଯଜ୍ଞ। ଗୀତା, ପୁରାଣ,ଵେଦ ପାଠ କରିଵା କିମ୍ବା ଶ୍ରଵଣ କରିଵା ଏହାର ସାଧାରଣ ରୂପ। ଗାୟତ୍ରୀ ଜପ ଓ ସ୍ୱାଧ୍ୟାୟ ଏହି ଯଜ୍ଞର ଅଂଶ। ଏହା ଵିନା ଜ୍ଞାନର ଋଣ ଶୋଧ ହୋଇନଥାଏ।
ଏହି ପାଞ୍ଚଟି ଯଜ୍ଞ ଗୃହସ୍ଥର ନିତ୍ୟଧର୍ମ। ପ୍ରତିଦିନ ରୋଷେଇ ପୂର୍ଵରୁ ଓ ଭୋଜନ ପରେ ଏହା କରିଵା ଦ୍ୱାରା ଜୀଵନ ପବିତ୍ର ହୋଇଥାଏ ଏଵଂ ସମଗ୍ର ସୃଷ୍ଟି ପ୍ରତି କୃତଜ୍ଞତା ପ୍ରକାଶ ପାଏ। ଏହା କେଵଳ ଧାର୍ମିକ କର୍ତ୍ତବ୍ୟ ନୁହେଁ, ପରିଵେଶ, ପ୍ରାଣୀ ଓ ମାନବତା ପ୍ରତି ସଚେତନତାର ଏକ ସୁନ୍ଦର ରୂପ। ଯେଉଁ ଘରେ ଏହି ପାଞ୍ଚ ଯଜ୍ଞ ନିୟମିତ ହୁଏ, ସେ ଘର ଯଜ୍ଞଶାଳା ସଦୃଶ ହୋଇଥାଏ।)
No comments:
Post a Comment