My Blog List

Showing posts with label ଜଣାଅଜଣା. Show all posts
Showing posts with label ଜଣାଅଜଣା. Show all posts

Wednesday, December 28, 2022

ଭାରତରେ ଭାଷା~ କିଛି ଜାଣିଵା କଥା

•ଭାରତରେ ଛଅଗୋଟି ମୁଖ୍ୟ ଭାଷାପରିଵାରର ୧୩୬୯ରୁ ଅଧିକ ଭାଷା ବୋଲାଯାଏ । 

•ଭାରତରେ କଥିତ ହେଉଥିଵା ଭାଷାଗୁଡ଼ିକ ଯେଉଁ ଛଅଗୋଟି ଭାଷାପରିଵାରରେ ଵିଭକ୍ତ ସେଗୁଡ଼ିକ ହେଲା ...

(କ)ଭାରୋପୀୟ ଭାଷାପରିଵାର
(ଓଡ଼ିଆ, ବଙ୍ଗାଳୀ,ଗୁଜରାଟୀ, ହିନ୍ଦୀ)

ଖ) ଦ୍ରାବିଡ଼ ଭାଷା ପରିଵାର
(କୁଈ, ତାମିଲ,ତୁଲୁ,ମଳୟାଳ଼ମ)

(ଗ)ଆଷ୍ଟ୍ରୋଏସିଆଟିକ୍ ଭାଷା ପରିଵାର
(ସଉରା,ମୁଣ୍ଡା, ସାନ୍ତାଳୀ,ଖାସି)

(ଘ)ସିନୋ ତିବତ୍ତୀୟ ଭାଷାପରିଵାର
(ତିବତ୍ତୀ,ବୋଡୋ,ଗାରୋ,ମେଇତେଇ)

(ଙ)ତାଇ କଦାଇ ଭାଷା ପରିଵାର
(ତାଇ ଲୂ ଭାଷା,ଅହୋମ ଭାଷା)

(ଚ)ଆଣ୍ଡାମାନ ଭାଷା ପରିଵାର
(୰ବୋ ଭାଷା,ଜୁୱୋଇ,ଅଣ୍ଡାମାନୀ)

•ଭାରତରେ ମୋଟ ୭୮.୫ ଭାଗ ଲୋକେ ଭାରୋପୀୟ ଭାଷାପରିଵାରର ଭାଷାଗୁଡ଼ିକ ଦ୍ଵାରା ପରସ୍ପର ସହିତ କଥୋପକଥନ ହେଉଥିଲା ବେଳେ ୧୯.୬୪ ଭାଗ ଲୋକେ ତାମିଳ ଭାଷାପରିଵାରର ଭାଷା ଵ୍ୟଵହାର କରି କଥାଭାଷା ହୋଇଥାନ୍ତି । 

•ଭାରତରେ ହିନ୍ଦୀଭାଷୀ ଓ ବଙ୍ଗାଳୀ ଆଦି ଭାଷାଭାଷୀଙ୍କ ଯୋଗୁଁ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜର ଆଣ୍ଡାମାନ ଭାଷାପରିଵାରର ଭାଷାଗୁଡି଼କ ସର୍ଵାଧିକ କ୍ଷତିଗ୍ରସ୍ତ ହୋଇ ପ୍ରାୟତଃ ଲୋପ ପାଇଵାକୁ ଯାଉଛନ୍ତି । 

•ଭାରତରେ ଆଧୁନିକ ଭାଷାଵିଵାଦ ମଧ୍ୟରେ ଓଡ଼ିଆ-ବଙ୍ଗାଳୀ ଭାଷା ଵିଵାଦ ଅନ୍ୟତମ । ଓଡ଼ିଆମାନେ ବଙ୍ଗାଳୀମାନଙ୍କ କଵଳରୁ ନିଜ ଭାଷାକୁ ବଞ୍ଚାଇଵାକୁ ୧୮୧୦ରୁ ୧୯୧୦ ଯାଏଁ ଶହେ ଵର୍ଷରୁ ଅଧିକ ସମୟକାଳ ଯାଏଁ ସଂଗ୍ରାମ କରିଥିଲେ ବି ଵିଶ୍ଵ ମାତୃଭାଷା ଦିଵସ ଭାବେ ବଙ୍ଗାଳୀମାନଙ୍କୁ ଵିଶ୍ଵରେ ମହତ୍ତ୍ଵ ଦିଆଯାଉଛି । ଦ୍ଵିତୀୟ ଭାଷା ଵିଵାଦ ହିନ୍ଦୀ Vs ଅଣହିନ୍ଦୀ ଭାଷାକୁ ନେଇ ଏବେ ବି ରହିଛି । 

•ଭାରତରେ ସର୍ଵାଧିକ ଭାରୋପୀୟ ଭାଷାପରିଵାରର ଭାଷାଗୁଡି଼କ ବୋଲାଯାଏ ଏଵଂ ତତ୍ପରେ କଥିତ ଭାଷା ଭାବରେ ଵ୍ୟଵହାର ହେଵା କ୍ଷେତ୍ରରେ ଦ୍ରାଵିଡ଼ ଭାଷାପରିଵାର ଦ୍ଵିତୀୟ ସ୍ଥାନରେ ଅଛି । 

• ଭାରତର କେନ୍ଦ୍ର ସରକାରର ଦୁଇଟି ରାଜଭାଷା ହିନ୍ଦୀ ଓ ଇଂରାଜୀ ଭାଷା ଏଵଂ ଏହି ଦୁଇଟି ଭାଷା ଦ୍ଵାରା ଭାରତୀୟ ରାଜ୍ୟଗୁଡ଼ିକର ଲୋକେ ପରସ୍ପର ସହିତ କଥୋପକଥନ କରିଥାନ୍ତି । 

•ତେବେ ଭାରତରେ ସର୍ଵାଧିକ ହିନ୍ଦୀ, ବଙ୍ଗାଳୀ ଓ ମରାଠୀରେ ଲୋକେ କଥା ଭାଷା ହୁଅନ୍ତି କିନ୍ତୁ ଏହି ତିନୋଟି ଯାକ ଭାଷାକୁ ଦେଶରେ ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ମିଳିନାହିଁ । 

•ପ୍ରାଚୀନ,ଵୈଜ୍ଞାନିକ ଓ ଶୁଦ୍ଧ ଭାଷା ଭିତ୍ତିରେ ସଂସ୍କୃତ, ଓଡ଼ିଆ,ତାମିଳ,ମଳୟାଳ଼ମ, କନ୍ନଡ଼ ଓ ତେଲୁଗୁ ଏହି ଛଅଗୋଟି ଭାରତୀୟ ଭାଷାକୁ ହିଁ ଭାରତରେ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଛି । 

•ଭାରତରେ ଏମିତି ୧୨୧ଟି ଭାଷା ଅଛି ଯହିଁରେ ଦଶ ହଜାରରୁ ଅଧିକ ଲୋକ କଥାଭାଷା କରନ୍ତି ଏଵଂ ଏହି ୧୨୧ଟି ମଧ୍ୟରେ ୨୨ଟି ଭାଷାକୁ ରାଜଭାଷାର ମାନ୍ୟତା ମିଳିଛି । 

•ଭାରତର ବାଇଶଗୋଟି ରାଜଭାଷା ହେଲା —ଅହମିଆ, ବଙ୍ଗାଳୀ,ବୋଡୋ,ଡୋଗରୀ,ଗୁଜରାଟୀ,ହିନ୍ଦୀ, କନ୍ନଡ଼, କଶ୍ମୀରୀ,କୋଙ୍କଣୀ, ମୈଥିଳୀ,ମଳୟାଳ଼ମ,ମଣିପୁରୀ ଵା ମେଇତେଇ,ମରାଠୀ,ନେପାଳୀ, ଓଡ଼ିଆ,ପଞ୍ଜାବୀ, ସଂସ୍କୃତ, ସାନ୍ତାଳୀ,ସିନ୍ଧୀ,ତାମିଳ,ତେଲୁଗୁ ଓ ଉର୍ଦ୍ଦୁ 

•ସଂସ୍କୃତ ଭାରତର ସ୍ଵାଭାଵିକ ରାଷ୍ଟ୍ରଭାଷା । ଭାରତର ପ୍ରାୟ ଅଧିକାଂଶ ଭାଷାରେ ସଂସ୍କୃତ ଭାଷାର ଶବ୍ଦ ରହିଛି ଏଵଂ ତାମିଳ,ମୁଣ୍ଡାରୀ ଆଦି ଭାଷାରୁ ସଂସ୍କୃତ ଭାଷାରେ ହଜାର ହଜାର ଶବ୍ଦ ଗୃହୀତ ମଧ୍ୟ ହୋଇଛି । 

•ଭାରତରେ ସନାତନୀମାନେ ନିଜ ସନ୍ତାନମାନଙ୍କର ନାମକରଣ ସଂସ୍କୃତ ଭାଷାର ଶବ୍ଦ ଆଧାରରେ କରିଥାନ୍ତି । 

•ଭାରତରେ ଵିଭିନ୍ନ ସମୟରେ ଭିନ୍ନ ଭିନ୍ନ ଭାଷା ସରକାରୀ ଭାଷାର ମାନ୍ୟତା ଲାଭ କରିଛି । ସଂସ୍କୃତ,ପାଲୀ,ପାର୍ସୀ, ଇଂରାଜୀ ଆଦି ଭାଷା ତନ୍ମଧ୍ୟରୁ ଅନ୍ୟତମ । 

•ଅଧୁନା ଭାରତରେ କେନ୍ଦ୍ର ସରକାର ଓ ଉତ୍ତର ଭାରତୀୟ ଲୋକେ ହିନ୍ଦୀକୁ ରାଷ୍ଟ୍ରଭାଷା କହି ପ୍ରଚାର କରୁଛନ୍ତି ତେବେ ଆଧିକାରିକ ଭାବରେ ଭାରତର କୌଣସି ରାଷ୍ଟ୍ରଭାଷା ଘୋଷିତ ହୋଇନାହିଁ । 

•ଭାରତରେ ପ୍ରଚାର କରାଯାଉଛି ଯେ ଭାଷା ଵିଵିଧତା କ୍ଷେତ୍ରରେ ନାଗାଲାଣ୍ଡ ସବା ଆଗରେ ଅଛି । ନାଗାଲାଣ୍ଡରେ ୩୬ଟି ଭାଷା ବୋଲାଯାଏ ତେବେ ଓଡ଼ିଶାରେ କେଵଳ ଓଡ଼ିଆ ଭାଷାର ତିରିଶରୁ ଅଧିକ ଶୈଳୀ ଏଵଂ ୬୪ ଜନଜାତୀୟ ଲୋକଙ୍କର ଶହେ ପାଖାପାଖି କଥିତ ଭାଷା ପ୍ରଚଳିତ ଅଛି ବୋଲି ଏ ଦେଶରେ ଅନେକେ ଜାଣନ୍ତି ନାହିଁ । 

•ଭାରତରେ ହିନ୍ଦୀ,ମରାଠୀ ଭଳି ଅଶିରୁ ଅଧିକ ଭାଷା ଦେଵନାଗରୀ ଲିପିରେ ଲେଖାଯାଏ କିନ୍ତୁ ପ୍ରକୃତରେ ଦେଵନାଗରୀ ଲିପି ହେଉଛି ସଂସ୍କୃତ ଭାଷାର ଲିପି । ହିନ୍ଦୀ ପୂର୍ଵେ ମୁଖ୍ୟତଃ କୈଥୀ ଓ ମହାଜନୀ ଲିପିରେ ଲେଖାଯାଉଥିଲା ସେହିପରି ମରାଠୀ ମୋଡି ଲିପିରେ ଲେଖା ଯାଉଥିଲା । ବଙ୍ଗାଳୀ ମଧ୍ୟ ପୂର୍ଵେ କୈଥୀ ଲିପିରେ ଲେଖାଯାଉଥିଵା ଜଣାଯାଏ ତେବେ ପରେ ଆସାମର କାମରୂପୀ ଲିପିକୁ ବଙ୍ଗାଳୀମାନେ ନିଜର ଲିପି ଭାବେ ଗ୍ରହଣ କଲରିନେଲେ । 

•ଭାରତରେ ଅଧିକାଂଶ ଭାଷାର ଲିପି ମୂଳତଃ ବ୍ରାହ୍ମୀଲିପିରୁ ସୃଷ୍ଟି ହୋଇଛି ଏଵଂ ତେଲୁଗୁ, ଓଡ଼ିଆ,କାମରୂପୀ ଓ ନାଗରୀ ଆଦି ଅଧିକାଂଶ ପୂର୍ଵ ତଥା ଉତ୍ତରଭାରତୀୟ ଲିପି କଳିଙ୍ଗ ଲିପି(ଅଶୋକ-ଖାରବେଳ କାଳୀନ ବ୍ରାହ୍ମୀଲିପି)ରୁ ସୃଷ୍ଟି ହୋଇଛି । ଓଡ଼ିଶା ଭାରତର ଏମିତି ଏକ ରାଜ୍ୟ ଯେଉଁଠାରେ ପ୍ରାକ୍ ବ୍ରାହ୍ମୀ,ବ୍ରାହ୍ମୀ ଓ ବ୍ରାହ୍ମୀ ପରଵର୍ତ୍ତୀ ତିନି ସମୟକାଳର ଲିପି ମିଳିଛି ।

•ଭାରତରେ ପ୍ରଚଳିତ କେତେକ ଭାଷା ଭାରତର ପଡ଼ୋଶୀ ଦେଶରେ ମଧ୍ୟ ପ୍ରଚଳିତ ଥିଵା ଦେଖାଯାଏ । ଉଦାହରଣ ସ୍ୱରୂପ ଶ୍ରୀଲଙ୍କାରେ ତାମିଳ,ନେପାଳରେ ନେପାଳୀ ଓ ମୈଥିଳୀ, ଥାଇଲାଣ୍ଡରେ ତାଇ, ପାକିସ୍ତାନରେ ସିନ୍ଧୀ,ପଞ୍ଜାଵୀ ଓ ହିନ୍ଦୀ ତଥା ବଙ୍ଗଳାଦେଶରେ ବଙ୍ଗାଳୀ ଆଦି ଭାଷା ଉଲ୍ଲେଖ ଯୋଗ୍ୟ । 

•ଭାରତରେ ସମସ୍ତ ଛଅଗୋଟି ଭାଷାପରିଵାରର ଭାଷା ବୋଲୁଥିଵା ଲୋକଙ୍କ ମଧ୍ୟରେ ଜନଜାତୀୟ ଓ ନଗର ତଥା ଗ୍ରାମଵାସୀ ଉଭୟ ଜାତୀୟ ଲୋକେ ଅଛନ୍ତି । ଭାରୋପୀୟ ଭାଷାପରିଵାରର ଭାଷା ବୋଲୁଥିଵା ଭିଲି,ହଲବୀ ଓଡ଼ିଆ,ଭତ୍ରୀ ଓଡ଼ିଆ,ବାଥୁଡ଼ୀ,କୁଡ଼ମଲୀ,ନାଗପୁରୀ ଆଦି ଅନେକ ଭାରୋପୀୟ ଭାଷା ବୋଲୁଥିଵା ଆଦିଵାସୀ ଵା ଜନଜାତୀୟ ଲୋକେ ମଧ୍ୟ ଭାରତରେ ଦେଖାଯାଆନ୍ତି ।