ତେବେ ଏହି ରାଜକୀୟ ସମ୍ମାନ ଓ ଉଲ୍ଲାସ ମଧ୍ୟରେ ମଣିଷର ଅହଙ୍କାରକୁ ସୀମିତ ରଖିଵା ପାଇଁ ଏକ ସ୍ୱତନ୍ତ୍ର ପ୍ରଥା ରହିଥିଲା— ରଥରେ ସେନାପତିଙ୍କ ପଛରେ ଜଣେ ସରକାରୀ କ୍ରୀତଦାସ (Servus publicus) ଏକ ଭାରୀ ସୁନାର ମୁକୁଟ ଧରି ଠିଆ ହେଉଥିଲେ। ପ୍ରାଚୀନ ଇତିହାସଵିତ୍ ଟର୍ଟୁଲିଆନ୍ଙ୍କ ବିବରଣୀ ଅନୁଯାୟୀ, ସେ ସେନାପତିଙ୍କ କାନରେ ସତର୍କଵାଣୀ ଶୁଣାଉଥିଲେ— ଯେପରିକି ଲାଟିନ୍ ଭାଷାରେ କଥିତ “Respice post te, hominem te esse memento” (ଅର୍ଥାତ୍ "ପଛକୁ ଦେଖ, ମନେରଖ ତୁମେ ଜଣେ ମରଣଶୀଳ ମଣିଷ ମାତ୍ର")। ପରଵର୍ତ୍ତୀ କାଳରେ ‘Memento mori’("ମନେରଖ, ତୁମକୁ ଦିନେ ମରିଵାକୁ ହେଵ") ଭଳି ଵ୍ୟାପକ ଦାର୍ଶନିକ ଅଭିଵ୍ୟକ୍ତି ମାଧ୍ୟମରେ ଏହି ଚିନ୍ତାଧାରା ପାଶ୍ଚାତ୍ୟ ସାହିତ୍ୟ ଓ କଳାରେ ସ୍ଥାନ ପାଇଥିଲା।
ଇତିହାସର ଏହି ପ୍ରାଚୀନ ପରମ୍ପରା ମଣିଷର ସୁଵର୍ଣ୍ଣାଦି ଧନ ସମ୍ପତ୍ତିର ଅହଙ୍କାର ଏଵଂ ମୃତ୍ୟୁର ନଗ୍ନ ସତ୍ୟ ମଧ୍ୟରେ ଥିଵା ଚିରନ୍ତନ ଵ୍ୟଵଧାନକୁ ପ୍ରକାଶ କରିଥାଏ। କିନ୍ତୁ ଏହି ଐତିହାସିକ ପ୍ରତିଫଳନ କେଵଳ ପ୍ରାଚୀନ ରୋମରେ ନୁହେଁ ଵରଂ ସାମାଜିକ ଜୀଵନର ପ୍ରତ୍ୟେକ ସ୍ତରରେ ଏଵଂ ଭାଷାର ଗର୍ଭରେ ମଧ୍ୟ ଅତ୍ୟନ୍ତ ମର୍ମସ୍ପର୍ଶୀ ଭାବେ ଉପସ୍ଥିତ ଥାଏ।
ଆମ ଓଡ଼ିଆ ଭାଷାରେ ମଧ୍ୟ ଏଭଳି ଏକ ଵ୍ୟଙ୍ଗାତ୍ମକ ଶବ୍ଦ ରହିଛି ଯାହା ମାନଵର ଆଡମ୍ବର ଓ ଅହଙ୍କାର ଉପରେ ପ୍ରହାର କରେ । ଇତିହାସର କେଉଁ ଏକ ଅଜ୍ଞାତ କୋଣରୁ, ଜୀଵନର କଠୋର ଵାସ୍ତଵତାରୁ ଏଵଂ ଅଭାଵର ଅଗ୍ନିକୁଣ୍ଡରୁ ଜନ୍ମ ନେଇଥିଵା ସେହି ଅତି ମର୍ମସ୍ପର୍ଶୀ ତଥା ଵ୍ୟଙ୍ଗାତ୍ମକ ଓଡ଼ିଆ ଶବ୍ଦଟି ହେଉଛି ‘ହାଡ଼ମାଳ’। ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଦ୍ୱାରା ସଂକଳିତ ଅମର କୃତି ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ର ପୃଷ୍ଠା ୯୦୫୦ରେ ଏହି ଶବ୍ଦଟି ନୀରଵରେ ଏକ ଵିରାଟ ସାମାଜିକ ସତ୍ୟକୁ ବାନ୍ଧି ରଖିଛି। ଏହି ଶବ୍ଦଟିର ଗର୍ଭରେ ଯେତିକି ଧର୍ମୀୟ ଓ ପୌରାଣିକ ଗାମ୍ଭୀର୍ଯ୍ୟ ରହିଛି, ସେତିକି ପରିମାଣରେ ରହିଛି ସାମାଜିକ ଵୈଷମ୍ୟ ଵିରୁଦ୍ଧରେ ଜଣେ କ୍ଷୁଧାର୍ତ୍ତ, ଅଵହେଳିତ ମନୁଷ୍ୟର ତୀଵ୍ର, ଜ୍ୱଳନ୍ତ ଓ ଶାଣିତ ଵ୍ୟଙ୍ଗ।
ପ୍ରଥମେ ଆମକୁ ଏହି ଶବ୍ଦର ଶାବ୍ଦିକ ଏଵଂ ପ୍ରଚଳିତ ଅର୍ଥଗୁଡ଼ିକର ଗଭୀରତାକୁ ବୁଝିଵାକୁ ପଡିଵ। ଭାଷାକୋଷ ଅନୁଯାୟୀ, ‘ହାଡ଼ମାଳ’ର ପ୍ରଥମ ଅର୍ଥ ହେଉଛି ଅସ୍ଥିମାଳା, ଅର୍ଥାତ୍ ଖଣ୍ଡ ଖଣ୍ଡ ଅସ୍ଥି ଵା ହାଡ଼ ଦ୍ୱାରା ଗୁନ୍ଥା ହୋଇଥିଵା ଏକ ମାଳା। ଏହି ଅର୍ଥଟି ସିଧାସଳଖ ଆମକୁ ନେଇଯାଏ ମହାକାଳୀଙ୍କ ସେହି ଭୀଷଣ ଓ କରୁଣ ରୂପ ପାଖକୁ, ଯାହାଙ୍କ ଗଳାରେ ଏଭଳି ଏକ ମୁଣ୍ଡମାଳ ଵା ଅସ୍ଥିମାଳ ଶୋଭାପାଏ। ଏହା କେଵଳ ଭୟର ପ୍ରତୀକ ନୁହେଁ, ଵରଂ ଏହା ମର୍ତ୍ତ୍ୟର ସମସ୍ତ ଅହଙ୍କାର, କ୍ଷମତା ଏଵଂ ସାମ୍ରାଜ୍ୟର ଚରମ ପରିଣତିକୁ ମନେ ପକାଇ ଦିଏ। ଯେତେବେଳେ ବଡ଼ ବଡ଼ ସମ୍ରାଟ ଏଵଂ ଜୟୀମାନେ ନିଜର ଵିଜୟରେ ମଦମତ୍ତ ହୁଅନ୍ତି ଆଉ ତାପରେ ଆଖିଥାଇ ବି ଅନ୍ଧ ହୋଇଯା’ନ୍ତି, ସେତେବେଳେ କାଳୀଙ୍କ ଗଳାର ଏହି ହାଡ଼ମାଳ ମୁକ ସାକ୍ଷୀ ଭାବେ ଘୋଷଣା କରେ ଯେ ଏହି ପାର୍ଥିଵ ଶରୀରର ଶେଷ ଗନ୍ତଵ୍ୟସ୍ଥଳ କେଵଳ କେତୋଟି ଶୁଖିଲା ହାଡ଼ ଛଡ଼ା ଆଉ କିଛି ନୁହେଁ। ଏହା ପରେ ଆସେ ହାଡ଼ମାଳ ଶବ୍ଦର ଦ୍ୱିତୀୟ ଅର୍ଥ, ଯାହା ଅସ୍ଥି-କଙ୍କାଳ ମାଳ ଵା ଅତି ଜୀର୍ଣ୍ଣଶୀର୍ଣ୍ଣ ଅଵସ୍ଥାକୁ ବୁଝାଏ। ଏହା ମାନଵୀୟ ଦାରିଦ୍ର୍ୟର ସବୁଠାରୁ ଦୁର୍ଦ୍ଦାନ୍ତ ରୂପ। ଯେତେବେଳେ ମଣିଷ ପେଟରେ ଦାନା ନଥାଏ, ଶରୀରର ମାଂସ ଶୁଖିଯାଇ କେଵଳ ଚର୍ମ ଓ ହାଡ଼ର ଏକ ପଞ୍ଜରା ହାଡ଼ ବାକି ରହେ, ସେତେବେଳେ ତାହା ମଧ୍ୟ ଏକ ଜୀଵନ୍ତ ହାଡ଼ମାଳ ପାଲଟିଯାଏ। ସମାଜର ଭୋକିଲା କୋଣରେ ପଡିରହିଥିଵା ଏହି ଜୀଵନ୍ତ କଙ୍କାଳଗୁଡ଼ିକ ହେଉଛନ୍ତି ସେହି ଵ୍ୟଵସ୍ଥାର ପ୍ରତୀକ, ଯାହା ସମୃଦ୍ଧିର ମିଥ୍ୟା ଆଡମ୍ଵର ତଳେ ମଣିଷକୁ ପଶୁଠାରୁ ମଧ୍ୟ ହୀନ ସ୍ଥିତିକୁ ଠେଲି ଦେଇଥାଏ।
କିନ୍ତୁ ପ୍ରକୃତ ମଜା, ଵରଂ କହିଵାକୁ ଗଲେ ମାନଵୀୟ ଵିଡମ୍ଵନାର ସବୁଠାରୁ ବଡ଼ ପ୍ରହସନଟି ଲୁଚି ରହିଛି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଥିଵା ହାଡ଼ମାଳ ଶବ୍ଦର ତୃତୀୟ ଅର୍ଥରେ।
ଯେତେବେଳେ ସମାଜର ଜଣେ ଅଭାଵୀ, ଦୀନଦୁଃଖୀ ମଣିଷ ଦେଖେ ଯେ ଦେଶର ଧନୀ, ମହାଜନ ଵା ସାମନ୍ତମାନେ ନିଜ ଗଳାରେ କିପରି ସୁନାର ମୂଲ୍ୟଵାନ ହାର ପିନ୍ଧି ଗର୍ଵରେ ଛାତି ଫୁଲାଇ ବୁଲୁଛନ୍ତି, ସେତେବେଳେ ତା’ର ଭୋକିଲା ମନ ଏଵଂ ଶାଣିତ ବୁଦ୍ଧି ଏକ ମାର୍ମିକ ଵିଦ୍ରୋହ କରି ବସେ। ସେହି ସୁନାର ହାରକୁ ସେ ସୁନାର ହାର ବୋଲି ସ୍ୱୀକାର କରେ ନାହିଁ, ଵରଂ ତାକୁ ଅତି ଵ୍ୟଙ୍ଗାତ୍ମକ ଭାବେ ‘ହାଡ଼ମାଳ’ ବୋଲି କହିଥାଏ। ଏଠାରେ ହିଁ ଆରମ୍ଭ ହୁଏ ମାନଵୀୟ ମନସ୍ତତ୍ତ୍ଵର ଏକ ଚମତ୍କାର ନାଟକ ଆଉ ତତ୍ପରେ ଗରିଵର ଵ୍ୟଙ୍ଗ ଧନୀର ଅହଙ୍କାରକୁ ଧୂଳିସାତ୍ କରିଦିଏ।
ମଣିଷ ଜାତିର ସବୁଠାରୁ ବଡ଼ ଵିଚିତ୍ରତା ହେଉଛି ଏହାର ଆଡମ୍ଵରପ୍ରିୟତା। ଜଣେ ଧନୀ ଵ୍ୟକ୍ତି, ଯାହାଙ୍କ ପେଟ ସବୁବେଳେ ଭଲ ଭଲ ଖାଦ୍ୟରେ ପୂର୍ଣ୍ଣ ରହିଥାଏ ଏଵଂ ଯାହାଙ୍କ ଜୀଵନରେ ଶ୍ରମର କୌଣସି ଅନୁଭୂତି ନଥାଏ, ସେ ଯେତେବେଳେ ବଜାରରୁ କିଣି ଅଣାଯାଇଥିଵା କେତେ ଓଜନର ସୁନାର ହାର ଗଳାରେ ଝୁଲାଇ ରାସ୍ତାରେ ଚାଲେ, ସେତେବେଳେ ସେ ଭାବେ ଯେ ସେ ସମଗ୍ର ଵିଶ୍ଵର ମାଲିକ। ସେ ଭାବେ ଯେ ତା’ର ଗଳାର ଏହି ହଳଦିଆ ଝଲକ ତାକୁ ସାଧାରଣ ମଣିଷଠାରୁ କୌଣସି ଦେଵତା ଵା ଅମର ପ୍ରାଣୀରେ ପରିଣତ କରିଦେଇଛି। କିନ୍ତୁ ସେହି ସମୟରେ ରାସ୍ତାର କଡ଼ରେ, ଭାଙ୍ଗିଯାଇଥିଵା ଚା’ ଦୋକାନ ବେଞ୍ଚରେ ବସି କପ୍ରୁ ଶେଷ ଚା’ ବୁନ୍ଦା ମାରୁଥିଵା ସେହି ମଜୁରିଆ, ଯାହାର ପାପୁଲିରେ କଠୋର ପରିଶ୍ରମ ଯୋଗୁଁ ବିଣ୍ଡି ପଡ଼ିଯାଇଛି, ସେ ସେହି ଧନୀ ଵ୍ୟକ୍ତି ଆଡ଼େ ଏକ ତୀକ୍ଷ୍ଣ, ଵକ୍ର ନଜର ପକାଏ। ତା’ର ମନରେ ଟିକିଏ ବି ଈର୍ଷା ଜାତ ହୁଏ ନାହିଁ, ଵରଂ ଆସେ ଏକ ଗଭୀର, ନିର୍ମମ କରୁଣା ଏଵଂ ପ୍ରଚଣ୍ଡ ଵିଦ୍ରୁପ। ସେ ମନେ ମନେ ହସେ ଏଵଂ ନିଜ ସହକର୍ମୀଙ୍କୁ କହେ ଯେ ଦେଖ, ସେ ସାହେବ କିପରି ନିଜ ଗଳାରେ ଏକ ହାଡ଼ମାଳ ପିନ୍ଧି ବୁଲୁଛନ୍ତି।
“ଯାହାର ଗଳାରେ ସୁନାର ଏତେ ଭାର,
ସେ କି ବୁଝିପାରେ ଭୋକିଲାର ଚିତ୍କାର?
ଯାହାର ଥାଳିରେ ଅମୃତର ଅଫୁରନ୍ତ ଭୋଜନ,
ତା' ପାଇଁ କି ଜାଣିଵା ସହଜ ଅନ୍ୟର କ୍ରନ୍ଦନ?”
କିନ୍ତୁ ଏଠାରେ ପ୍ରଶ୍ନ ଉଠିପାରେ, ସୁନା ହେଉଛି ସୌଭାଗ୍ୟ, ସମୃଦ୍ଧି ଏଵଂ ସୌନ୍ଦର୍ଯ୍ୟର ପ୍ରତୀକ, ତେବେ ତାକୁ କାହିଁକି ‘ହାଡ଼ମାଳ’ କୁହାଯିଵ? ଏହାର ଉତ୍ତର ଲୁଚି ରହିଛି ସେହି ଶ୍ରମିକର ବୁଦ୍ଧିଜୀଵୀ ସତ୍ୟରେ। ଗରିଵ ଲୋକଟି ଜାଣେ ଯେ ଏହି ଧନୀମାନଙ୍କର ଗଳାରେ ଚମକୁଥିଵା ସୁନାର ଓଜନ କୌଣସି ଆକାଶରୁ ଖସିନାହିଁ କିମ୍ଵା ମାଟି ଖୋଳିଲେ ଆପେ ଆପେ ବାହାରି ଆସିନାହିଁ। ଏହି ସୁନାର ପ୍ରତ୍ୟେକଟି ଗ୍ରାମ୍ ପଛରେ ରହିଛି ଶହ ଶହ ଭୋକିଲା ଶ୍ରମିକଙ୍କର ଝାଳ, ସେମାନଙ୍କ ଶୁଖିଯାଇଥିଵା ହାଡ଼ ଏଵଂ ସେମାନଙ୍କ ପରିଵାରର ଲୁହ। ଧନୀମାନେ ଯେତେବେଳେ ସେହି ସୁନା ପିନ୍ଧି ଗର୍ଵ କରନ୍ତି, ସେତେବେଳେ ସେମାନେ ପ୍ରକୃତରେ ସେହି ଅଭାଵୀ ମନୁଷ୍ୟମାନଙ୍କର ଶୋଷିତ ହାଡ଼ ଏଵଂ ମୁଣ୍ଡଖର୍ଚ୍ଚକୁ ହିଁ ନିଜ ଗଳାରେ ଝୁଲାଇ ରଖିଥା’ନ୍ତି। ସେଥିପାଇଁ ତ ସାମାଜିକ ଵିଡମ୍ଵନାର ଏହି କୁଟିଳତାକୁ ଧରିପକାଇ ଗରିଵ ଲୋକଟି ସେହି ସୁନାର ହାରକୁ ‘ହାଡ଼ମାଳ’ ବୋଲି କହି ସେହି ଧନୀର ସମଗ୍ର ଆଡମ୍ଵରକୁ ଏକ ମୁହୂର୍ତ୍ତରେ ମାଟିରେ ମିଶାଇଦିଏ। ଏହା ଏକ ଅଦ୍ଭୁତ ମାନଵୀୟ ପ୍ରତିକ୍ରିୟା, ଯହିଁରେ ଶବ୍ଦଗୁଡ଼ିକ ତରଵାରୀଠାରୁ ମଧ୍ୟ ଅଧିକ ଶାଣିତ ହୋଇଯା’ନ୍ତି।
ମଣିଷର ଅହଙ୍କାର ଏକ ଏଭଳି ବେଲୁନ୍ ଯାହାକୁ ଫୁଟାଇଵା ପାଇଁ କୌଣସି
ବନ୍ଧୁକର ଆଵଶ୍ୟକତା ପଡ଼େ ନାହିଁ, କେଵଳ ଗୋଟିଏ ଛୋଟ, ଶାଣିତ ଵ୍ୟଙ୍ଗାତ୍ମକ ଶବ୍ଦର ଏକ ଶୁଦ୍ଧ ସୁଚିନ୍ତିତ ପ୍ରୟୋଗ ହିଁ ଯଥେଷ୍ଟ। ଧନୀ ଵ୍ୟକ୍ତିଟି ଯେତେବେଳେ ସମାଜରେ ନିଜର ଧନ ପ୍ରଦର୍ଶନ କରିଵାକୁ ବାହାରେ, ସେ ଭାବେ ଯେ ସେ ସମସ୍ତଙ୍କୁ ପ୍ରଭାଵିତ କରୁଛି। କିନ୍ତୁ ସେ ଜାଣେ ନାହିଁ ଯେ ତା’ର ପଛରେ, ଚା’ ଦୋକାନର ଅନ୍ଧାରିଆ କୋଣରୁ କିମ୍ଵା ରାସ୍ତାର ଧୂଳିରୁ କେହି ଜଣେ ତା’ର ଏହି କୃତ୍ରିମ ଚମକକୁ ଦେଖି ମନେ ମନେ ହସୁଛି ଏଵଂ ଭାବୁଛି ଯେ ଏହି ମଣିଷଟି କେତେ ନିର୍ବୋଧ। ସେ ଜାଣେ ନାହିଁ ଯେ ସେ ଯେଉଁ ସୁନାକୁ ନେଇ ଏତେ ଗର୍ଵ କରୁଛି, କାଳର ନିୟମରେ ଆଜି ହେଉ କି କାଲି, ସେହି ଶରୀର ପୋଡ଼ା ଗଲେ କିମ୍ଵା ପୋତିଦେଵା ପରେ ତାହା ମାଟିରେ ମିଶିଯିଵ ଏଵଂ ସେତେବେଳେ ଏହି ସୁନାର ହାର କୌଣସି କାମରେ ଆସିଵ ନାହିଁ, ଵରଂ ତା’ର ଶେଷ ଅଵଶେଷ କେଵଳ କେତୋଟି ଖଣ୍ଡ ହାଡ଼ ହିଁ ହୋଇ ରହିଵ। ଏହି ପ୍ରକାରର ଵ୍ୟଙ୍ଗ କେଵଳ ଏକ ଶବ୍ଦଗତ ପ୍ରୟୋଗ ନୁହେଁ, ଵରଂ ଏହା ହେଉଛି ସାମାଜିକ ଅନ୍ୟାୟ ଵିରୁଦ୍ଧରେ ମାନଵ ମନର ଏକ ମୂକ ପ୍ରତିଵାଦ।
ଭାଷାରେ ଏହି ଵ୍ୟଙ୍ଗର ଉପସ୍ଥିତି ପ୍ରମାଣ କରେ ଯେ ମଣିଷ ଯେତେ ଅସହାୟ ହେଉନା କାହିଁକି, ସେ କେବେହେଲେ ନିଜର ଵିଵେକ ଓ ବୁଦ୍ଧିକୁ ବନ୍ଧା ପକାଏ ନାହିଁ। ଯେତେବେଳେ ରାଜା, ମହାରାଜା କିମ୍ଵା ସମାଜର ପ୍ରଭାଵଶାଳୀ ଵର୍ଗର ଲୋକମାନେ ନିଜର କ୍ଷମତାର ପ୍ରଦର୍ଶନ କରିଵା ପାଇଁ ହୀରା,ମାଣିକ୍ୟ ଓ ସୁନାର ହାର ପିନ୍ଧି ସମାଜର ଆଗରେ ଚାଲନ୍ତି, ସେତେବେଳେ ସେମାନେ ଭାବନ୍ତି ଯେ ସମସ୍ତେ ସେମାନଙ୍କୁ ଭୟ କରିବେ ଏଵଂ ଆଦର କରିବେ। କିନ୍ତୁ ସେମାନେ ଜାଣି ନଥା’ନ୍ତି ଯେ ସେମାନଙ୍କର ପଛପଟେ ସାଧାରଣ ଜନତା ସେହି ଆଡମ୍ଵରକୁ କିପରି ଏକ ହାସ୍ୟାସ୍ପଦ ନାଟକ ବୋଲି ଭାବୁଛନ୍ତି। ‘ହାଡ଼ମାଳ’ ଶବ୍ଦଟି ଏହାର ଏକ ଜ୍ୱଳନ୍ତ ପ୍ରମାଣ। ଏହା ଗୋଟିଏ ଶବ୍ଦରେ ଦୁଇଟି ଵିପରୀତ ମେରୁକୁ ଏକାଠି କରିଦିଏ, ଗୋଟିଏ ପଟେ ସୁନାର ଚମକ ଏଵଂ ଅନ୍ୟ ପଟେ ହାଡ଼ର ଶୂନ୍ୟତା। ସୁନା ଯାହା ଜୀଵନର, ଉଷ୍ମତାର ଏଵଂ ସମୃଦ୍ଧିର ପ୍ରତୀକ, ତାକୁ ଯେତେବେଳେ ହାଡ଼ ସହିତ ଯୋଡ଼ି ଦିଆଯାଏ, ସେତେବେଳେ ସେହି ସୁନାର ସମସ୍ତ ମୂଲ୍ୟ ମୁହୂର୍ତ୍ତକେ ଧୂଳିସାତ୍ ହୋଇଯାଏ। ଏହା ଗରିଵର ସେହି ମାନସିକ ଵିଜୟ, ଯହିଁରେ ସେ ଧନୀର ଅର୍ଥକୁ ପରାସ୍ତ ନକରି ପାରିଲେ ମଧ୍ୟ, ତା’ର ସେହି ଅହଙ୍କାରକୁ ଭାଷାର କୁଠାରଘାତରେ ଖଣ୍ଡଖଣ୍ଡ କରିଦିଏ।
ୟେ ହାଡ଼ମାଳ !
"କାହା ପାଇଁ ହାଡ଼ର ଭୟଙ୍କର ମାଳା,
କାହା ପାଇଁ ସୁନାର ଅହଙ୍କାରୀ ହାର;
କାହା ପାଇଁ ଅଭାଵର ଅନ୍ତହୀନ ବେଦନା,
କାହା ପାଇଁ ଵିଳାସର ମିଥ୍ୟା ଶୃଙ୍ଗାର।"
ତେଣୁ ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ର ୯୦୫୦ତମ ପୃଷ୍ଠାରେ ସ୍ଥାନ ପାଇଥିଵା ‘ହାଡ଼ମାଳ’ ଶବ୍ଦଟି ମାନଵ ସମାଜର ଏକ ଚିରନ୍ତନ ସତ୍ୟର ପ୍ରତିଫଳନ। ଏହା ଆମକୁ ମନେ ପକାଇ ଦେଇଥାଏ ଯେ ମଣିଷର ଵାହ୍ୟ ଆଡମ୍ଵର ଯେତେ ଵିରାଟ କିମ୍ଵା ଚମକପୂର୍ଣ୍ଣ ହେଉନା କାହିଁକି, ଶେଷରେ ସମସ୍ତଙ୍କୁ ସେହି ମାଟିରେ ମିଶିଵାକୁ ହିଁ ପଡିଵ଼ ଏଵଂ ସେହି କଙ୍କାଳର ରୂପ ନେଵାକୁ ହେଵ । ଧନୀ ଓ ଗରିଵ ମଧ୍ୟରେ ଥିଵା ଏହି ଶାଶ୍ୱତ ଦ୍ୱନ୍ଦ୍ୱକୁ ଵ୍ୟଙ୍ଗର ମାଧ୍ୟମରେ ପ୍ରକାଶ କରିଵାରେ ଓଡ଼ିଆ ଭାଷାର ଯେଉଁ କ୍ଷମତା ରହିଛି, ତାହା ଅତ୍ୟନ୍ତ ପ୍ରଶଂସନୀୟ। ଯେତେବେଳେ ଜଣେ ଗରିଵ ମଣିଷ ଧନୀର ସୁନାର ହାରକୁ ‘ହାଡ଼ମାଳ’ ବୋଲି କହି ମନେ ମନେ ହସେ, ସେତେବେଳେ ସେ କେଵଳ ସେହି ଵ୍ୟକ୍ତିକୁ ନୁହେଁ, ଵରଂ ସମଗ୍ର ଅନ୍ୟାୟପୂର୍ଣ୍ଣ ସାମାଜିକ ଵ୍ୟଵସ୍ଥାକୁ ଉପହାସ କରୁଥାଏ। ଏହିଭଳି ଶବ୍ଦଗୁଡ଼ିକ ହିଁ ଭାଷାକୁ ଜୀଵନ୍ତ ରଖେ ଏଵଂ ସମାଜର ଅନ୍ଧକାର କୋଣରେ ଆଲୋକର ଏକ କ୍ଷୁଦ୍ର ଶିଖା ଜାଳି ରଖିଥାଏ, ଯାହା ଦ୍ୱାରା ଅହଙ୍କାରୀମାନେ ନିଜର ପ୍ରକୃତ ସ୍ୱରୂପକୁ ଟିକିଏ ହେଲେ ଚିହ୍ନିଵାକୁ ବାଧ୍ୟ ହୁଅନ୍ତି।
ସୁନାର ହାରକୁ ହାଡ଼ମାଳ କହିଵାର ଏହି ଭାଷାଗତ ସାହସ ହିଁ ଓଡ଼ିଆ ଲୋକପ୍ରଜ୍ଞାର ଏକ ନିଆରା ପରିଚୟ। କାରଣ ସୁନାର ଚମକ ଆଖିକୁ ଅନ୍ଧ କରିପାରେ, କିନ୍ତୁ ହାଡ଼ମାଳ ମଣିଷକୁ ତା'ର ଶେଷ ପରିଣତି ମନେ ପକାଇଦିଏ।