My Blog List

Showing posts with label ବ୍ୟାକରଣ. Show all posts
Showing posts with label ବ୍ୟାକରଣ. Show all posts

Wednesday, February 23, 2022

ଓଡ଼ିଆ ଲିପି ସଂହାର ଓ ଅକ୍ଷର ଵିଲୋପନ(ଡାକ୍ତର ଦେଵାଶିଷ ଜ୍ୟୈଷ୍ଠୀ ଓ ଶିଶିର ସାହୁ ମନୋଜ)


ଜନ୍ମରୁ କହି ଶୁଣି ପଢ଼ି ଲେଖି ମଧ୍ଯ କିଛି ଭୁଷ୍ ପଣ୍ଡିତଙ୍କୁ ତାଙ୍କ ମାତୃଭାଷା ବୋଧଗମ୍ୟ ହେଲା ନାହିଁ ବୋଲି ସେମାନେ ଇଂରାଜୀ, ହିନ୍ଦୀ, ବଙ୍ଗଳାକୁ ‘ହନୁକରଣ’ କରି ଶାସ୍ତ୍ରୀୟ ଭାଷା ଓଡ଼ିଆର ସରଳୀକରଣ ନାମରେ ଆମର  ସାହିତ୍ୟରେ ଥିବା ଅକ୍ଷରକୁ ବଳି ଦେବାକୁ ଷଡ଼ଯନ୍ତ୍ର କଲେ । ଵର୍ଣ୍ଣହତ୍ୟାକାରୀମାନେ
ଏହି ଷଡ଼ଯନ୍ତ୍ରକୁ ଲିପି ସଂସ୍କାର ନାଆଁ ଦେଲେ ।
ପରାଧିନ ଭାରତରେ ଛପୁଥିଵା ଆଶା ପତ୍ରିକାର ଏକ ଆହ୍ଵାନରୁ ଲିପିସଂହାର ଷଡ଼ଯନ୍ତ୍ରର ଅୟମାରମ୍ଭ ହୁଏ । ଏ ଵିଷୟରେ ରାମଶଙ୍କର ରାୟ ତାଙ୍କ ଲିପି ସଂସ୍କାର ପ୍ରବନ୍ଧରେ ଏମନ୍ତ ଲେଖିଛନ୍ତି ...

❝ଆଜିକାଲି ଚତୁର୍ଦ୍ଦିଗରେ ସଂସ୍କାରର ହୁରି ପଡ଼ି ଯାଇଥିଵା ସମୟରେ ଗଞ୍ଜାମର ନଵୀନା ‘ ଆଶା’ ମଧ୍ୟ ଗୋଟିଏ ସଂସ୍କାର ଘେନି ଉପସ୍ଥିତ।
× × × × × × × × × × × × × × × × × ×
‘ଆଶା’ର ଲିପିସଂସ୍କାର ‘ ସ୍ଵାଧୀନତା' ଉପରେ ସ୍ଥାପିତ ହୋଇଅଛି । ‘ପଞ୍ଚମ’ ଇତ୍ୟାଦିକି ‘ ପଂଚମ’ ଇତ୍ୟାଦି ଛାପା କରିଵାରେ ମୁଁ ସ୍ଵଭାଵତଃ ମନେ କରିଥିଲି ଯେ ‘ଆଶା’ର ନୂତନ ପ୍ରେସରେ ବୋଧହୁଏ ଯୁକ୍ତାକ୍ଷର ନ ଥିଵାରୁ ଏପରି ଘଟିଅଛି; ମାତ୍ର ବାଲେଶ୍ଵରର ସମ୍ବାଦଵାହିକା ଟିପି ଦେଵାରୁ କଥାଟା ବାହାରିପଡ଼ିଲା- ଖାଲି ‘ ଆଶା’ର କଥା ନୁହେଁ, ତାଙ୍କ ପୃଷ୍ଠପୋଷକ ମଧ୍ଯ ବାହାରି ପଡ଼ିଲେ।❞

ସେହି “ଲିପିସଂସ୍କାର”ପ୍ରବନ୍ଧରେ ନାନା ଆଲୋଚନା କରିଵା ପରେ ପୁଣିଥରେ ରାମଶଙ୍କର ରାୟ ଲିପି ସଂସ୍କାର ଵିଷୟରେ ଯାହା ଲେଖିଛନ୍ତି ତାହା ଏଠାରେ ଉଦ୍ଧାର କରାଗଲା ..

❝ଆଶା’ର ସମ୍ପାଦକ ଓ ଲେଖକମାନେ ଦେଶ ଲୋକଙ୍କୁ ତାଙ୍କ ଲିପିସଂସ୍କାରର ଅନୁଵର୍ତ୍ତୀ ହୋଇ ଲେଖିଵାକୁ ପ୍ରାର୍ଥନା କରିଅଛନ୍ତି। କେହି ମାନିବେ, ଏହା ମୋତେ ଲାଗୁନାହିଁ। ମୁଁ ତାହା ପଢ଼ିଲା ମାତ୍ରକେ ଲାଙ୍ଗୁଳହୀନ ଶୃଗାଳର କଥା ମନରେ ପଡ଼ିଗଲା ।
× × × × × ×× × × × × ×× × × × × ×
ଆଶା'ର ପ୍ରତ୍ୟାଶ ଆକାଶକୁସୁମରେ ପରିଣତ ହେଵାରେ ସନ୍ଦେହ ନାହିଁ। ଏହା ଲିପି ସଂସ୍କାର ଵା ଭାଷା ସଂସ୍କାର ନୁହେଁ- ଏହାକୁ ଲିପି ଵିଭ୍ରାଟ୍ ଵା ଭାଷା ଵିଭ୍ରାଟ୍ ବୋଲାଯିଵ।❞

ଵର୍ଣ୍ଣହତ୍ୟାକାରୀମାନେ ❝ଛପା ସମସ୍ୟା ତଥା ଲିପି ସରଳୀକରଣ❞ର ଯେତେ ଦ୍ଵାହି ଦେଲେ ମଧ୍ୟ ସେମାନେ ଯେ ହିନ୍ଦୀ, ବଙ୍ଗାଳୀ ତଥା ହିନ୍ଦୀଦ୍ଵାରା ପ୍ରଭାଵିତ ହୋଇ ସେହି ସବୁ ଭାଷାର ହନୁକରଣରେ ଓଡ଼ିଆ ଲିପିରୁ ଅକ୍ଷର ,ଦ୍ଵିତକରଣ ତଥା ଯୁକ୍ତାକ୍ଷର ପରମ୍ପରା ଇତ୍ୟାଦି ଉଠାଇଦେଵାକୁ ଚେଷ୍ଟା କରୁଥିଲେ ତାହା ଜଣାପଡି଼ଯାଇଥିଲା ।

ଓଡ଼ିଶାରେ ଆଧୁନିକ ଯୁଗର କଵି ଲେଖକମାନେ ସାଧାରଣତଃ ହିନ୍ଦୀ,ଇଂରାଜୀ ଓ ବଙ୍ଗାଳୀ ଭାଷାଦ୍ଵାରା ପ୍ରଭାଵିତ ହୋଇଥିଲେ । ଓଡ଼ିଆ ଭାଷାରେ ଥିଵା ମୌଳିକତାକୁ ସେମାନେ ଏହି ତିନୋଟି ଭାଷାରେ ନପାଇ ସେସବୁ ମୌଳିକଗୁଣ ଓଡ଼ିଆ ଭାଷାର ଦୁର୍ଗୁଣ ମନେ କରି କଳେ ବଳେ କୌଶଳେ ଲିପିସଂହାରକୁ ଲିପି ସଂସ୍କାର ନାମ ଦେଇ ଚକ୍ରାନ୍ତ କଲେ  ।‌

ଇଂରାଜୀ ଦ୍ଵାରା ପ୍ରଭାଵିତ ଓଡ଼ିଆମାନେ ଯୁକ୍ତିକଲେ ❝ଆମ ଅକ୍ଷର ସଂଖ୍ୟା ପଚାଶ ଟପୁଛି ତାକୁ ଇଂରାଜୀ ଭଳି ଛବିଶ କରିଦେଵାକୁ ହେଵ❞ ...

କିନ୍ତୁ ଇଂରାଜୀରେ ମଧ୍ୟ ଛୋଟ ଓ ବଡ଼ ଅକ୍ଷର (small/capital, lower/upper case) ମିଶାଇଲେ ୨୬×୨= ୫୨ ହୁଏ ! ଗଣିତ ଓ ଵିଜ୍ଞାନ ଶାସ୍ତ୍ରାଦି ଲେଖିବାକୁ ଇଂରାଜୀ ଅକ୍ଷର ନିଅଣ୍ଟ ପଡ଼େ ବୋଲି ଗ୍ରୀକ ଅକ୍ଷର ଯଥା→ ଆଲ୍ଫା (alpha-α),ବିଟା (Beta~β),
ଗାମା(Gamma-Γ,γ)
ଇତ୍ୟାଦି ଆହୁରି ଅନେକ ବର୍ଣ୍ଣ
ଆଵଶ୍ୟକ ପଡ଼େ । ଅର୍ଥାତ୍ ଇଂରାଜୀ ଅକ୍ଷର ବଢ଼େଇ ଲିପିକୁ ଵୈଜ୍ଞାନିକୀକରଣ କରିବା ବେଳେ ଆମ ଭୁଷପଣ୍ଡିତେ ସେଥିକୁ ନିଘା ନଦେଇ ଓଡ଼ିଆ ଅକ୍ଷର ମାରିବାରେ ଵ୍ୟସ୍ତ ହୋଇଗଲେ ।

ପୁଣି ଦଳେ ବାହାରିପଡି଼ଲେ କହିଲେ ❝ଇଂରାଜୀରେ ତ ଗୋଟିଏ S , ଆମର କାହିଁକି ତିନୋଟି ? ଚାଲ ତିନୋଟି ସ/ଶ/ଷ କୁ ମିଶାଇ ଗୋଟିଏ କରିଦେଵା❞

କିନ୍ତୁ ଇଂରାଜୀରେ ମଧ୍ୟ s, sh, ss, sc, c, ti ଇତ୍ୟାଦି ଅନ୍ୟୁନ ଛଅଟି ପ୍ରକାରେ ଶ,ଷ,ସ ଲେଖାଯାଏ । ଇଂରାଜୀରେ ତ କେବେ ସବୁ ମିଶାଇ କେଵଳ ଗୋଟିଏ ‘S’ କରିବାକୁ ଚାହିଁନାହାନ୍ତି  । ଆମେ କାହିଁକି ଶ,ଷ,ସ କୁ କେଵଳ ସ କରିଦେଇ ଆମ ଭାଷାକୁ ଓ ତାହାର ଲିପିକୁ ଅଵୈଜ୍ଞାନିକ କରିଦେଵାକୁ ତତ୍ପର ?

ଇଂରାଜୀରେ ❝a, e, i, o, u❞ କୁ ଦେଖି ସେମାନେ ପୁଣି ମତ ଦେଲେ ❝ଵିଶ୍ଵଭାଷା ଇଂରାଜୀକୁ ଦେଖ ହୋ ସେଥିରେ ମାତ୍ର ପାଞ୍ଚଟି ସ୍ଵର ତେଣୁ ସେ ଭାଷା ସରଳ ଏବେ ଆମକୁ ମଧ୍ୟ ସ୍ୱରଵର୍ଣ୍ଣରେ ଥିବା ହ୍ରସ୍ୱ ଓ ଦୀର୍ଘ (ଇ,ଈ ଉ,ଊ) ଉଚ୍ଚାରଣକୁ ମିଶାଇ ଦେଵାକୁ ହେଵ ।ଅ❞

ଇଂରାଜୀରେ ସ୍ଵରତତ୍ତ୍ୱକୁ ଗଵେଷଣା କରି a, e, i, o, u ସହ ee, oo, ae, au, ou, oe, oa ଇତ୍ୟାଦି ଅନେକ ଦୀର୍ଘ ସ୍ୱର ଓ ସଂଯୁକ୍ତ ସ୍ୱର ଵ୍ୟଵହାର କରନ୍ତି କିନ୍ତୁ ଆମ ଭୁଷପଣ୍ଡିତେ ସ୍ୱରଵର୍ଣ୍ଣ ମାରିବାରେ ଵ୍ୟସ୍ତ !

ତେବେ ଓଡ଼ିଆ ଲୋକେ ଇଂରାଜୀ ଅପେକ୍ଷା ହିନ୍ଦୀ ଅନୁକରଣରେ ସବା ଆଗରେ ! ଇଂରାଜୀ ଶାସନ ଯୁଗରେ ଆମ ଓଡ଼ିଶାର କେତେଟା କଵି ଲେଖକ ବିହାର ଇତ୍ୟାଦି ହିନ୍ଦୀଭାଷୀ ଅଞ୍ଚଳ ବୁଲି ଆସି ଓଡ଼ିଶାରେ ଜ୍ଞାନ ଦେଵାକୁ ଲାଗିଲେ ଓଡ଼ିଆ ଭାଷାରୁ ଯୁକ୍ତାକ୍ଷର ହଟାଇ ଦିଅ ,ଵର୍ଣ୍ଣଦ୍ଵିତକରଣ ହଟାଇ ଦିଅ କାରଣ ହିନ୍ଦୀରେ ନାହିଁ । ସେହିପରି ଓଡ଼ିଆରେ ‛ଜ’ ଓ ‛ଯ’କୁ ମିଶାଇ ଗୋଟିଏ କରିଦେଵାକୁ ସେତେବେଳେ ଅନେକେ ଚେଷ୍ଟା କରିଥିଲେ । ହିନ୍ଦୀରେ ଗୋଟିଏ ଜ ରହିଛି ବୋଲି ଏହି ଵିଜାତୀୟ ଭୁଷପଣ୍ଡିତେ ଭାବନ୍ତି କିନ୍ତୁ ପ୍ରକୃତରେ ହିନ୍ଦୀରେ ମଧ୍ୟ ଜ ତଳେ ବିନ୍ଦୁ ଵା ନୁଖ୍ତା ଦେଇ ଏହାର ସମସ୍ୱନିମକୁ ପ୍ରକାଶ କରାଯାଏ ଯଥା :-
ग़ज़ल, फ़र्ज़, फ़िज़ा ଇତ୍ୟାଦି l ଇଂରାଜୀରେ ମଧ୍ୟ G, J, S, Z, Scz ଇତ୍ୟାଦିର ସମସ୍ୱନିମ ଭାଵରେ ଵ୍ୟଵହାର ରହିଛି l  ଓଡ଼ିଆରେ ଵର୍ଗ୍ୟ ‛ଜ’ ଓ ଅଵର୍ଗ୍ୟ ‛ଯ’ ଦୁଇଟି ସହ ‘ୟ’ ମଧ୍ୟ ଵ୍ୟଵହାର ହୁଏ ଯାହା ଏହାକୁ ହିନ୍ଦୀ, ସଂସ୍କୃତ ଓ ଅନ୍ୟ ଭାରତୀୟ ଭାଷା ସମୂହଠାରୁ ଭିନ୍ନ ପରିଚୟ ପ୍ରଦାନ କରେ କିନ୍ତୁ ଆମ ଭୁଷପଣ୍ଡିତେ ଏ ମୌଳିକ ଓଡ଼ିଆ ଵୈଶିଷ୍ଟ୍ୟକୁ ମାରିବା ଷଡ଼ଯନ୍ତ୍ରରେ ନିମଗ୍ନ l

ବଙ୍ଗାଳୀ ଅନୁକରଣରେ ମଧ୍ୟ ଓଡ଼ିଆ ଭାଷା ଓ ଲିପିକୁ ଅଵୈଜ୍ଞାନିକ କରିଦେଵାକୁ ଚକ୍ରାନ୍ତ ହୋଇଥିଲା । ❝‘ବ’ ଓ ‘ଵ’ କୁ ମିଶାଇ ଓଡ଼ିଆରେ ମଧ୍ୟ ଏକ କରିଦେଵା❞ ଥିଲା ଆମ ପୂର୍ଵ ଦୁଇ ଵା ତିନି ପିଢ଼ିଙ୍କର ଦ୍ୱାରା ବଙ୍ଗାଳୀ ଲିପିର ହନୁକରଣ ।ଏ ଚକ୍ରାନ୍ତର ପ୍ରଭାଵ ଯୋଗୁଁ  ଆଜି ଅଧିକାଂଶ ଓଡ଼ିଆ   ‛ଵ’ କୁ ଅନାଵଶ୍ୟକ ମନେ କରନ୍ତି ।
ବଙ୍ଗଳାରେ ଉଭୟ ‘ବ’ ଓ ‘ଵ’ ପାଇଁ ଗୋଟିଏ ଅକ୍ଷର ‘ব’ ରହିଛି l ବଙ୍ଗଳା ର ହନୁକରଣ ଯୋଗୁଁ  ଓଡ଼ିଆଙ୍କର ଇଂରାଜୀ ଓ ସଂସ୍କୃତ ଉଚ୍ଚାରଣ ଵିକୃତ ଓ ହାସ୍ୟାସ୍ପଦ ହୋଇପଡ଼ିଲା ଯଥା: ଟେଲିଵିଜନ କୁ ପଢ଼ିଲେ ଟେଲିଭିଜନ ତଥା ‘ଵୋଡ଼ା’ ଫୋନ୍ କୁ କହିଲେ ‘ଭୋଡ଼ା’ ଫୋନ୍, ‘ଭଲ’ (bhala) କୁ ଲେଖିଲେ ‘ଵଲ’ (vala) l

ଲିପିସଂହାରକମାନେ ଓଡ଼ିଆ ଭାଷା ଓ ଲିପିକୁ ଅଵୈଜ୍ଞାନିକ ଓ ଶକ୍ତିହୀନ କରିଦେଵା ପ୍ରୟାସରେ ଆଜି ବି ଚେଷ୍ଟିତ । କୌଣସି ଭାଷାକୁ ମାରିବାକୁ ହେଲେ ପ୍ରଥମେ କିଛି ଅକ୍ଷରକୁ ମାରିଦିଆଯାଏ ଼ ଲିପି ପଙ୍ଗୁ ହୋଇଗଲେ ଶବ୍ଦର ବୈଜ୍ଞାନିକତା ନଷ୍ଟ ହେବ ଆଉ ତାପରେ ଭାଷା ଆପେ ଆପେ ମରିଯିବ l ଏକଥା ଲିପିସଂହାରକମାନେ ହୃଦବୋଧ କରିନାହାନ୍ତି । ଦୁର୍ଭାଗ୍ୟର ଵିଷୟ ଓଡ଼ିଶାରେ ଆଜି ନିଜକ ଓଡ଼ିଆ ରକ୍ଷକ କହୁଥିଵା ବୁଦ୍ଧିଜୀଵୀମାନେ ହିଁ ନିଜର ଅଦୂରଦର୍ଷିତା ଯୋଗୁଁ ଲିପିସଂହାର ରୂପ ଲିପି ସଂସ୍କାରକୁ ସମର୍ଥନ କରି ଭକ୍ଷକ ସାଜିଛନ୍ତି l ଯେଉଁମାନେ ଭାଷା ପାଇଁ ବାଟ ଦେଖାଇବା କଥା, ସେମାନେ ନିଜେ ବାଟ ହୁଡ଼ି ଅବାଟରେ ଚାଲିଛନ୍ତି । ସମସ୍ୱନିମ ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଇଵା ଲୋକ ହିଁ ଅନ୍ଧ ହୋଇଛନ୍ତି , ମାତୃଭାଷାକୁ ଟାଣି ଅନ୍ଧାରକୁ ନେଉଛନ୍ତି  l ଓଡ଼ିଶାର ବୁଦ୍ଧିଜୀଵିମାନେ ବୁଝିଵା କଥା ଯେ ପ୍ରତ୍ୟେକ ଭାଷାରେ କିଛି ଭଲ, କିଛି ଦୁର୍ଵଳତା ଥାଏ ଯାହା ସେହି ଭାଷାର ପରିଚାୟକ ଓ ଵୈଶିଷ୍ଟ୍ୟ l ଆମେ ଅନ୍ୟର ଭଲକୁ ଗ୍ରହଣ ନ କରି ଯଦି ଏମିତି କେଵଳ ଦୁର୍ବଳତାକୁ ଅନୁକରଣ କରିଚାଲିଵା ତେବେ ଆମ ଭାଷା ନିଜର ମୌଳିକତା ହରାଇଵା ସହ ଏକ ହାସ୍ୟାସ୍ପଦ ଭାଷାରେ ପରିଣତ ହେବ l

🟢🟢🟢🟢🟢🟢🟢🟢
ତଥ୍ୟ ସଂଗ୍ରହ — ଶିଶିର ସାହୁ ମନୋଜ  ଓ ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ
ସମ୍ପାଦନା — ଶିଶିର ସାହୁ ମନୋଜ
🟢🟢🟢🟢🟢🟢🟢🟢

Tuesday, October 16, 2018

ଅଵ୍ୟୟ

★::::::: ଅଵ୍ୟୟ ଶବ୍ଦର ଶାବ୍ଦିକ ଅର୍ଥ :::::::★

ଯାହା ଵ୍ୟୟ ହୁଏନାହିଁ(lndeclinable words,not liable to change) ତାହା ଅଵ୍ୟୟ ଅଟେ

    ★:::::::::ଅଵ୍ୟୟର ସଂଜ୍ଞା ::::::::::★

ଵ୍ୟାକରଣରେ ଯାହାର ପ୍ରୟୋଗ ସବୁ ଲିଙ୍ଗ, ସମସ୍ତ ଵିଭକ୍ତି ଓ ସବୁ ଵଚନରେ ସମାନ ରୂପେ ହୋଇଥାଏ.......

【•】ଏହାର ଲିଙ୍ଗ, ଵଚନ, ପୁରୁଷ, କାରକ ଓ କାଳ ଇତ୍ୟାଦି ଯୋଗୁଁ କୌଣସି ପରିଵର୍ତ୍ତନ ପରିଲକ୍ଷିତ ହୁଏନାହିଁ
【•】ଯେକୌଣସି ସ୍ଥିତିରେ ସୁଦ୍ଧା ଆପଣା ମୂଳରୂପ ଧାରଣ ପୂର୍ଵକ ରହିଥାନ୍ତି
【•】ରୂପାନ୍ତର ହୁଏ ନାହିଁ ତେଣୁ ଅଵିକାରୀ ପରିଗଣିତ ହୋଇଥାନ୍ତି 

【•】ଅଵ୍ୟୟର ସଂଜ୍ଞା ନିରୂପଣ କରିବାକୁ ହେତୁରୁ ଏକ ଶ୍ଲୋକ ରହିଛି
“ସଦୃଶଂ ତ୍ରିଷୁ ଲିଙ୍ଗେଷୁ ସର୍ଵାଷୁ ଚ ଵିଭକ୍ତିଷୁ ।
ଵଚନେଷୁ ଚ ସର୍ଵେଷଃ ଯନ୍ନଵ୍ୟେତି ତଦଵ୍ୟୟଂ ।।

【•】ସବୁପ୍ରକାରର ଉପସର୍ଗ, ଵିସ୍ମୟସୂଚକ ଶବ୍ଦ, ସମ୍ବୋଧନ ସୂଚକ ଶବ୍ଦ,ଧ୍ଵନ୍ୟାତ୍ମକ ଶବ୍ଦ ମାନ ଅଵ୍ୟୟ ପଦଵାଚ୍ୟ ହୋଇଥାନ୍ତି ।”

  ★::::::: ଅଵ୍ୟୟର ପ୍ରକାର ଭେଦ :::::::★

→ଅଵ୍ୟୟ ମୁଖ୍ୟତଃ ପାଞ୍ଚ ପ୍ରକାରର........

●୧●―କ୍ରିୟା ଵିଶେଷଣ―●୧●

ଯେଉଁ ଵିଶେଷଣମାନ କ୍ରିୟାର ଵିଶେଷତା ପ୍ରକାଶ କରନ୍ତି ତାହାକୁ କ୍ରିୟା ଵିଶେଷଣ ଅଵ୍ୟୟ କୁହାଯାଏ......

       ★::::: ଏହା ଚାରିପ୍ରକାରର :::::★

【■】(କ)କାଳଵାଚକ କ୍ରାୟାଵିଶେଷଣ:
―ଯେଉଁ ଅଵ୍ୟୟ ଗୁଡି଼କ ଦ୍ଵାରା କାଳସମ୍ଵନ୍ଧୀ କ୍ରିୟାର ଵିଶେଷତା ବୋଧ ହୋଇଥାଏ
ଉଦାହରଣ ସ୍ୱରୂପ:-ଆଜି, କାଲି, ପରଦିନ, ଯେବେ, ତେବେ, ଏବେ ଇତ୍ୟାଦି
【■】(ଖ) ସ୍ଥାନଵାଚକ କ୍ରିୟା ଵିଶେଷଣ:
―ଯେଉଁ କ୍ରିୟା ଵିଶେଷଣ ଅଵ୍ୟୟ କ୍ରିୟାର ହେବା / ନ ହେବାର ସ୍ଥାନ ବୋଧ କରାଇଥାଏ ।
ଉଦାହରଣ ସ୍ୱରୂପ ― ଏଠି, ସେଠି, ଏପଟେ, ସେପଟେ, ଆଗରେ, ପଛରେ, ସାମ୍ନାରେ, ଇଆଡେ଼, ସିଆଡେ଼, ଏକାନି, ସେକାନି ଇତ୍ୟାଦି
【■】(ଗ)ପରିମାଣଵାଚକ କ୍ରିୟାଵିଶେଷଣ ଅଵ୍ୟୟ:
- ଯେଉଁ ଅଵ୍ୟୟ ଦ୍ଵାରା କ୍ରିୟାର ପରିମାଣ/ମାତ୍ରା ଆଦି ଵିଶେଷତାର ବୋଧ ହୋଇଥାଏ
-ଟିକେ, କିଛି, ଅଧିକ, ଅଳ୍ପ, କେଵଳ ଇତ୍ୟାଦି
【■】(ଘ)ରୀତିଵାଚକ କ୍ରିୟାଵିଶେଷଣ ଅଵ୍ୟୟ:
ଏହି ଅଵ୍ୟୟ ଗୁଡିକ ଦ୍ଵାରା କ୍ରିୟା ର ଢଙ୍ଗ ଜଣାପଡି଼ଥାଏ
ଜ଼ୋର୍ ରେ, ଧୀରେ ଧୀରେ, ଏମିତି, ସହସା, ନାହିଁ, କେମିତି, ସେମିତି, ଯେମିତି ଇତ୍ୟାଦି

●୨●―ସମ୍ଵନ୍ଧବୋଧକ ଅଵ୍ୟୟ―●୨●

―ଯେଉଁ ଅଵିକାରୀ ଶବ୍ଦ ସଂଜ୍ଞା ଅଥଵା ସର୍ଵନାମ ଶବ୍ଦ ସହିତ ଯୋଡି଼ହୋଇ ଅନ୍ୟ ଶବ୍ଦ ସହିତ ସେମାନଙ୍କ ସମ୍ପର୍କ ପ୍ରକାଶ କରନ୍ତି ସେହି ଅଵ୍ୟୟ ଗୁଡି଼କୁ ସମ୍ଵନ୍ଧବୋଧକ ଅଵ୍ୟୟ କୁହାଯାଏ ।
ପରେ, ଉପରେ, କାରଣେ, ନେଇ, ଯାଏଁ, ଅନୁସାରେ, ଭିତରେ, ପାଇଁ, ବିନା ଇତ୍ୟାଦି

●୩●―ସମୁଚ୍ଚୟବୋଧକ ଅଵ୍ୟୟ―●୩●

―ଦୁଇଟି ଶବ୍ଦ, ଵାକ୍ୟାଂଶ ଵା ଵାକ୍ୟକୁ ପରସ୍ପର ସହ ଯୋଡୁ଼ଥିବା ଅଵିକାରୀ ଶବ୍ଦ  ଗୁଡି଼କୁ ସମୁଚ୍ଚୟବୋଧକ ଅଵ୍ୟୟ କୁହାଯାଏ ।
ଯେ, ଆଦି, ଏବଂ, ଓ, ଅଥଵା, ଅର୍ଥାତ୍, ଏଥିପାଇଁ, କିନ୍ତୁ, ତଥାପି, ଯେହେତୁ ଇତ୍ୟାଦି l

●୪●―ଵିସ୍ମୟାଦିବୋଧକ ଅଵ୍ୟୟ―●୪●

―ଯେଉଁ ଅଵିକାରୀ ଶବ୍ଦ ଆମ୍ଭ ମନର ହର୍ଷ, ଵିଷାଦ, ଘୃଣା, ପ୍ରଶଂସା, ଵିସ୍ମୟ ଆଦି ଭାଵ ଗୁଡି଼କୁ ଵ୍ୟକ୍ତ କରନ୍ତି ସେଗୁଡ଼ିକୁ ଵିସ୍ମୟାଦିବୋଧକ ଅଵ୍ୟୟ କୁହାଯାଏ ।
ଉଦାହରଣ ସ୍ୱରୂପ:::-
ଆ ! ଓ ! ହାୟ !  ହେ ! ଇତ୍ୟାଦି ....

        ●୫●―ନିପାତ―●୫●

―ଯେଉଁ ଅଵିକାରୀ ଶବ୍ଦ କୌଣସି ଶବ୍ଦ ଵା ପଦରେ ଯୋଡ଼ି ହେଲେ ତାହାର ଅର୍ଥରେ ଵିଶେଷ ପ୍ରକାରର ବଳ ବଢା଼ଇ ଦିଅନ୍ତି ସେଗୁଡି଼କୁ ନିପାତ ଅଵ୍ୟୟ ପଦ କୁହାଯାଏ ।
ହିଁ,ବି,ତ,ଯାଏଁ,କେଵଳ,ମାତ୍ର ଇତ୍ୟାଦି......!

●●●●●●●●●●●●●●●●
-------ଶାସ୍ତ୍ରୀୟ ସଂସ୍କୃତଭାଷାରେ ପ୍ରଚଳିତ କେତେକ ଅଵ୍ୟୟର ଉଦାହରଣ------●●●●●●●●●●●●●●●●
ଅକସ୍ମାତ,ଅଗ୍ରତଃ,ଅଗ୍ରେ,ଅଜ୍ଞାନତଃ,ଅନ୍ତର୍,ଅତଃ,ଅତୀଵ,ଅତ୍ର,ଅଦ୍ୟ,ଅଧଃ,ଅଧୁନା,ଅନ୍ୟତ୍ର,ଅପି,ଅରେ,ଅଳମ୍,ଅଵଶ୍ୟମ୍,ଆମ୍,ଇତଃ,ଇତଃସ୍ଥତଃ,ଇଦାନୀମ୍,ଇଵ,ଇହ,ଉଚୈଃ,ଉଭୟତଃ,ଋତେ(ବିନା),ଏକତ୍ର,ଏକଦା,ଏଵ,ଏଵମ୍,କତି,କଥମ୍,କଥମପି,କଦା,କଦାଚିତ୍,କଶ୍ଚିତ୍,କିନ୍ତୁ,କିମ୍,କିମର୍ଥମ୍,କିଳ୍(ନିଶ୍ଚୟ),କୁତଃ,କୁତ୍ର,କୁତ୍ରଚିତ୍,କେଵଳମ୍,କ୍ଵଚିତ,ଖଳୁ(ନିଶ୍ଚୟ),ଚ,ଚେତ୍(ତ,ତେଣୁ)ନୋ ଚେତ୍(ନାହିଁ ତ),ଝଟତି,ତତଃ,ତଥା,ତଦର୍ଥମ୍,ତଦା,ତଦ୍ବତ୍,ତସ୍ମାତ୍,ତର୍ହି(ତେଣୁ),ତାଵତ୍(ଯାଏଁ),ତୁଷ୍ଣୀମ୍(ଚୁପ୍),ଦୂରମ୍,ଧିକ୍,ନ,ନନୁ,ନୁ,ନମଃ,ନାମ,ନୀଚୈଃ,ପରନ୍ତୁ, ପରଶ୍ଵଃ,ପରିତଃ,ପର୍ଯ୍ୟାପ୍ତମ୍,ପଶ୍ଚାତ୍,ପୁନଃ, ପୁରତଃ,ପୃଥକ୍,ପ୍ରତି,ପ୍ରତିଦିନମ୍,ପ୍ରାକ୍,ପ୍ରାତଃ,ବଲାତ୍,ବହିଃ,ଭୂୟଃ,ମା,ଯତ୍,ଯତଃ,ଯତ୍ର,ଯଥା,ତଥା,ଯଦା,ଯଦ୍ୟପି,ଯାଵତ୍,ଵା,ଵିନା,ଵିଶେଷତଃ, ଶନୈଃ,ଶୀଘ୍ରମ୍,ଶ୍ଵଃ,ସତତମ୍,ସଦା,ସତ୍ୟମ୍,ସମୀପମ୍,ସମୀଚୀନମ୍,ସମ୍ୟକ୍,ସର୍ଵତଃ,ସର୍ଵତ୍ର,ସର୍ଵଦା,ସହ,ସହିତମ୍,ସାକ୍ଷାତ୍,ସାମାନ୍ୟତଃ,ସାୟମ୍,ସ୍ଵୟମ୍,ହି,ହ୍ୟ.........

●●●●●●●●●●●●●●●●
-------କଳିଙ୍ଗ ଭାଷା/କୁଈ ଭାଷାରେ ପ୍ରଚଳିତ କେତେକ ଅଵ୍ୟୟର ଉଦାହରଣ------●●●●●●●●●●●●●●●●
→ହୁଁ,ହାଁଆଁ(ହଁ)
→ଆ’ଏ(ନା)
→କି,କିଡା଼(କି ?)
→କା’ଏ(କି ନାହିଁ)
→ଏ(ଏଵଂ)
→ତଅଲେ(ସହିତ)
→ନୈଲେ(ନହେଲେ)
→ଯକା(ବି ମଧ୍ଯ)
→ମାତ୍ର(କିନ୍ତୁ)
→ଇଚେଏଁ(ଯଦି)
→ପତା,ପତ୍ତା(ପର୍ଯ୍ୟନ୍ତ)
→ଓଡେ଼,ଓଡ଼ନେଏ(ପୁନଶ୍ଚ)
→ଓଡେ଼ଏନି(ତଥାପି)
→ଆତେ(ହେଲା)
→ପିସାନା(ହିଁ)ଈ(ଛାଡ଼ି, ଛଡା଼)
→ଏଟ୍କେ,ଏଟ୍କେ(ଅନ୍ୟାନ୍ୟ)
→ଏଚି,ଏଚାକା,ଏଚଣା(କେତେ)
→ଇଚାକା,ଇଚଣ(ଏତିକି)
→ଏଚାକା(ସେତିକି)
→ଇଚି(ସାନ)
→କାଜ୍ଜା,କାଜ୍ଜାତାୟୁଁ(ବଡ଼)
→ଗାଟ୍ଟି,ଗାଟ୍ଟିଦିଁ(ବହୁତ)
→ନି’ଏ(ଏବେ,ବର୍ତ୍ତମାନ)
→ନିଞ୍ଜୁ(ଆଜି)
→ରେ’ଏନି,ରେ’ଏଲା(ଗତକାଲି)
→ଵି(ଓ୍ଵି)ଏ(ଆସନ୍ତାକାଲି)
→ମା’ଏ(ପହରଦିନ)

Sunday, October 14, 2018

ଠିକ ଓ ଠିକ୍

ଠିକ୍ ଓ ଠିକ ଉଭୟ ଦେଶଜ ଶବ୍ଦ ଏବଂ ଏ ଉଭୟର ଵ୍ୟଵହାର ଓଡ଼ିଆ ତଥା ହିନ୍ଦୀ ଆଦି ଅନ୍ୟ ଭାରତୀୟ ଭାଷାରେ ଊଣା ଅଧିକେ ରହିଛି......

ଓଡ଼ିଆ ଭାଷାରେ ମୌଳିକ ଅକାରାନ୍ତ ଉଚ୍ଚାରଣ ଵିଧି ଥିବାରୁ ଠିକ ଓ ଠିକ୍ ଏ ଉଭୟ ଶବ୍ଦ ସହଜରେ ବାରିହୋଇପଡନ୍ତି
କିନ୍ତୁ ହିନ୍ଦୀରେ ହଳନ୍ତଵତ୍ ଉଚ୍ଚାରଣ ରହିଥିବାରୁ ଏକା ଉଚ୍ଚାରଣ ଯୋଗୁଁ ଏହାକୁ ଗୋଟାଏ ଶବ୍ଦ ବୋଲି ସାଧାରଣ ହିନ୍ଦୀଭାଷୀର ମନରେ ଭ୍ରମ ଉତ୍ପନ୍ନ ହୋଇଥାଏ ।

ହିନ୍ଦୀ ଏଵଂ ଓଡ଼ିଆ ଭାଷାରେ ଉଭୟ ଶବ୍ଦର ବନାନ ମଧ୍ଯ ଭିନ୍ନ ଭିନ୍ନ । ଆମ୍ଭେମାନେ ଠିକ୍ ଓ ଠିକ ଲେଖିଲାବେଳେ ‛ଠ’  ରେ ହର୍ସ୍ଵ ଇ କାର ଦେଇ ଲେଖନ୍ତି କିନ୍ତୁ ହିନ୍ଦୀରେ ଏଠାରେ ଦୀର୍ଘ ଈକାର ହୋଇ ठीक ଲେଖା ଯାଇଥାଏ ।

ତେବେ ନେପାଳୀ ଭାଷାରେ ସେହି ସମାନ ଦେଵନାଗରୀ ଲିପି ଵ୍ୟଵହାର ହେଉଥିଲେ ହେଁ ठीक ପରିଵର୍ତ୍ତେ ठिक ଲେଖାଯାଏ ।

ହିନ୍ଦୀ ଅପେକ୍ଷା ଓଡ଼ିଆ ଭାଷାରେ ଠିକ ଓ ଠିକ୍ ଶବ୍ଦ ଦ୍ଵୟର ଵ୍ୟଵହାର ଅଧିକ ପରି ଅନୁଭୂତ ହୁଏ । ଉଭୟ ଭାଷାର ଦୁଇଟି ପ୍ରକାଣ୍ଡକାୟ ଭାଷାକୋଷ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏଵଂ ହିନ୍ଦୀ ଶବ୍ଦ ସାଗରରେ ଏହି ଶବ୍ଦର ଅର୍ଥ ଓ ଵ୍ୟଵହାର ଉଲ୍ଲେଖରୁ ଏଭଳି ଅନୁମାନ କରାଯାଉଛି ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଠିକ୍ ଶବ୍ଦର ଅନେକ ଅର୍ଥ ରହିଛି । ଓଡ଼ିଆ ଭାଷାରେ ଠିକ୍ ଶବ୍ଦର ଵ୍ୟଵହାର ଵିଶେଷଣ ତଥା କ୍ରିୟା ଵିଶେଷଣ ଭାବେ ରହିଛି ।

→ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଠିକ୍ ଶବ୍ଦର କେଉଁ କେଉଁ ଅର୍ଥ ସହ ଵ୍ୟଵହାର ହୁଏ ତହିଁର ଉଲ୍ଲେଖ କରାଗଲା.....

●୧.ପ୍ରକୃତ; ଯଥାର୍ଥ — ୧
(ଯଥା—ମୁଁ ଆପଣଙ୍କ ଘଟଣାର ଠିକ୍ ବିବରଣ କହୁଛି;ହିନ୍ଦୀ ରେ ମଧ୍ଯ କୁହନ୍ତି ―तुम्हारी बात ठीक निकली )
●୨. ଶୁଦ୍ଧ; ଅଭାନ୍ତ
(ଯଥା—ଏ ଛାତ୍ରର ଅଙ୍କ ଖଣ୍ଡିକ ଠକ୍ ହୋଇଛି;ହିନ୍ଦୀରେ କୁହାଯାଏ—आठ में से तुम्हारे कितने सवाल ठीक हैं ?)
●୩. ଉପଯୁକ୍ତ
(ଯଥା—ଠିକ୍ ସମୟରେ ନ ଶୋଇଲେ ମୋ ଦେହ ବିଗିଡ଼େ;ହିନ୍ଦୀ ରେ କୁହାଯାଏ―उनका बर्ताव ठीक नहीं होता  ଵା तुम्हारे लिये कहना ठीक नहीं है )
●୪. ନିର୍ଦ୍ଦିଷ୍ଟ ବା ନିର୍ଦ୍ଧାରିତ ସମୟରୁ କ୍ଷଣମାତ୍ର ବେଶି ବା କମ୍ ନୁହେଁ
(ଯଥା—ସେ ଠିକ୍ ୧୨: ବେଳେ ଆସି ପହଞ୍ଚି ଗଲା;ହିନ୍ଦୀ ଶବ୍ଦସାଗରରେ ଏହାର ଉଲ୍ଲେଖ ନାହିଁ)
●୫. ତଚ୍ଛରୂପ; ସ୍ୱାଭାବିକ
(ଯଥା—ବିରାଡ଼ିଟା ଠିକ୍ ବାଘଛୁଆ ପରି ଦିଶୁଛି;ହିନ୍ଦୀ ଶବ୍ଦସାଗରରେ ଏହାର ଉଲ୍ଲେଖ   ନାହିଁ)
●୬. ସତ୍ୟ
(ଯଥା—ସାକ୍ଷୀ ହାକିମଙ୍କ ଆଗରେ ହଲପ ନେଇ ଠିକ୍ କଥା କହି ଗଲା)
●୭.ଅବିକଳ
(ଯଥା—ଏ ପିତଳ ଖଣ୍ଡିକ ଠିକ୍ ସୁନା ପରି ଦେଖାଯାଉଛି)
●୮. ନିଶ୍ଚିତ
(ଯଥା—ହଜି ଥିବା ବଳଦର ଠିକ୍ ଖବର ମୁଁ ପାଇଲି ନାହିଁ)
●୯. ସ୍ଥିର; ନିଶ୍ଚଳ
(ଯଥା—ଘୋଡ଼ା ପିଠିରେ ଠିକ୍ ଆସନ୍ନ ଜମାଇ ବସି ନ ପାରିଲେ ତୁମେ ଖସି ପଡ଼ିବ)
●୧୦.ନ୍ୟାୟପର; ସତ୍
(ଯଥା—ରାଜା ଠିକ୍ ବିଚାର କଲେ)
●୧୧. ସ୍ଥିରୀକୃତ; ନିଶ୍ଚିତ
(ଯଥା—ମକରମାସର ୮ ଦିନକୁ ବିବାହ ଠିକ୍ ହେଲା;ହିନ୍ଦୀରେ ଵ୍ୟଵହାର―काम करने के लिये आदमी ठीक करना, गाड़ी ठीक करना, भाड़ा ठीक करना, विवाह ठीक करना ଇତ୍ୟାଦି)
●୧୨. ଦୋଷଶୂନ୍ୟ
(ଯଥା—ଏ ପିଲାଟାର ଆଚରଣ ଠିକ୍ ଅଟେ)
●୧୩. ଅପରିବର୍ତ୍ତନୀୟ; ଅଟଳ
(ଯଥା—ଆମ ସାଆନ୍ତଙ୍କ ଜବାବ୍ ଠିକ୍ ଅଟେ)
●୧୪. ଆଚ୍ଛା; ସୁନ୍ଦର; ଉତ୍ତମ
(ଯଥା—ଛାମୁଙ୍କ ମିଞ୍ଜାସ୍ ଠିକ୍ ଥିଲାବେଳେ ମୋ ଗୁହାରିଟା ଛାମୁରେ ପଡ଼ିଗଲା;ହିନ୍ଦୀରେ କୁହାଯାଏ―हमारी तबीयत ठीक नहीं है )
●୧୫.ସୁଶାସିତ
(ଯଥା—ଚାବୁକସୁଅର ଦୁଷ୍ଟ ଘୋଡ଼ାକୁ ଠିକ୍ କରିଦେଲା)
●୧୬. ସୁଧାରାକୁ ଆନୀତ; ସୁଧୁରିଥିବା
(ଯଥା—ଘଡ଼ିବାଲା ବିଗିଡ଼ିଥିବା ଘଣ୍ଟାକୁ ଠିକ୍ କରି ଦେଲା)
●୧୭.ସୁବ୍ୟବସ୍ଥିତ — ୧୭

ଠିକ୍ ଶବ୍ଦର କ୍ରିୟାଵିଶେଷଣ ଭାବରେ ମଧ୍ଯ ଵ୍ୟଵହାର ହୋଇଥାଏ ....
ଯଥା:::::-

■ଠିକ୍ ଶବ୍ଦର କ୍ରି. ବିଶେଷଣ ଭାବେ ଅର୍ଥ■
●୧. ସତ୍ୟରେ; ସତେ ସତେ
●୨. ସମ୍ପୂର୍ଣ୍ଣରୂପେ
●୩. ନିଶ୍ଚିତରୂପେ; ନିର୍ଦ୍ଦିଷ୍ଟରୂପେ
●୪. ନିୟମିତରୂପେ
●୫. ପ୍ରକୃତିରେ
●୬. ଅବିକଳ
●୭. ନ୍ୟାୟତଃ
●୮. ଅବିକଳ
●୯. ଉପଯୁକ୍ତରୂପେ
●୧୦. ଅଭ୍ରାନ୍ତରୂପେ
●୧୧. କ୍ଷଣମାତ୍ର ଆଗପଛ ନକରି
●୧୨. ସମାନଭାବରେ
●୧୩. ସୁନ୍ଦରଭାବରେ

ସେହିପରି
ହିନ୍ଦୀ ଭାଷାରେ କେଵଳ ଅଵିକଳ ଵା ଉପଯୁକ୍ତ ପ୍ରଣାଳୀ ଅର୍ଥରେ ଠିକ୍ ଶବ୍ଦର କ୍ରିୟାଵିଶେଷଣ ଵ୍ୟଵହାର ରହିଥିବା ହିନ୍ଦୀ ଶବ୍ଦ ସାଗରରେ ଉଲ୍ଲେଖ ରହିଛି ।

ଠିକ୍ ଶବ୍ଦର ଵ୍ୟଵହାର ଵିଶେଷଣ ଭାବେ ଅଧିକ ହେଉଥିବା ବେଳେ ଠିକ ଶବ୍ଦର  ଉଭୟ ଵିଶେଷ୍ୟ ଓ ଵିଶେଷଣ ଭାବେ ପ୍ରାୟ ସମପରିମାଣରେ ଵ୍ୟଵହାର ରହିଛି.......

ଦେଶଜ ‛ଠିକ’ ଶବ୍ଦର ଅର୍ଥ ଓ ଅର୍ଥ ଆଧାରରେ ଵ୍ୟଵହାର ସମ୍ପୂର୍ଣ୍ଣ ଭିନ୍ନ ଅଟେ.....

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଠିକ ଶବ୍ଦର ଵ୍ୟଵହାର ଅନୁସାରେ ଯେଉଁ ଅର୍ଥଗୁଡି଼କ ଉଲ୍ଲେଖ ରହିଛି   ସେଗୁଡ଼ିକ ହେଲା―

କ→ନିଶ୍ଚୟ
ଖ→ସମଷ୍ଟି
(ଗରଭ ହୋଇଥିବା ଗାଈଟି ମାନଙ୍କ
ନାମ ପକାଇଲେ କରଣେ କରି ଠିକ―କୃଷ୍ଣଚନ୍ଦ୍ର ମହାଭାରତ)
ଗ→ସ୍ଥିରତା

ଘ→ସାରକଥା;ସଂକ୍ଷିପ୍ତ
(ଯେତେ କହିଲ ଵେଦ ଠିକ―ପ୍ରାଚୀ ନିର୍ଗୁଣ ମହାତ୍ମ୍ୟ)

ସେଇଭଳି ଦେଶଜ ଠିକ ଶବ୍ଦର ଵିଶେଷଣ ଭାବେ ମଧ୍ଯ ଵ୍ୟଵହାର ରହିଛି-
ଯଥା―

କ―ସାର;ବହୁମୁଲ୍ୟଵାନ କଥା
(ଠିକ କଥା ପଦେ ଏ ସମୟରେ ଶୁଣାଯାଉନାହିଁ)
ଖ―ସୁନ୍ଦର; ମନୋହର
(ଆରେ ଠିକହାସି ! ଠକପଣ ପୁଣି କିଛି ଥାଏ ମିଶି !―କଵିସୂର୍ଯ୍ୟ ସଙ୍ଗୀତ)
ଗ―ସମ୍ପୂର୍ଣ୍ଣ;ଅକ୍ଷୁର୍ଣ୍ଣ
(ଠିକ ଠ ଵର୍ତ୍ତୁଳ ଚନ୍ଦ୍ରାନନା ତୋ ଚିତ୍ତରେ―କଵିସୂର୍ଯ୍ୟ କିଶୋରୀ ଚମ୍ପୁ ଠ ଗୀତ)

ଓଡ଼ିଆ ଭଳି ହିନ୍ଦୀ ଭାଷାରେ ମଧ୍ଯ ଓଡ଼ିଆ ଶବ୍ଦ ଠିକ ପରି ठीक ଶବ୍ଦର ନିୟତି,ନିଶ୍ଚୟ,ଯୋଗ ଓ ଭୂଲେଇବା(ଆନ ଲୋକକୁ ଠକିବା) ଅର୍ଥରେ ଵ୍ୟଵହାର ରହିଥିବା ହିନ୍ଦୀ ଶବ୍ଦ ସାଗର ଶବ୍ଦକୋଷରୁ ଜଣାଯାଏ କିନ୍ତୁ ଓଡ଼ିଆ ଭାଷାରେ ଠିକ ଶବ୍ଦର ଵିଶେଷଣ ଵ୍ୟଵହାର ଆମ୍ଭ ଭାଷାର ସଂପୂର୍ଣ୍ଣ ନିଜସ୍ଵ ଅଟଇ ....

➡ଦୁଃଖର ଵିଷୟ ଆଜିକାଲି
ଓଡ଼ିଆଲୋକଙ୍କ ବହୁଳ ଭାବରେ
ହିନ୍ଦୀ ଭାଷା ତଥା ତହିଁର ଶାବ୍ଦିକ ଉଚ୍ଚାରଣଗତ ଅନୁକରଣ ଯୋଗୁଁ ଆମ୍ଭେମାନେ
ଦୁଇଗୋ ଦୋଷ କରୁଅଛନ୍ତି
୧―ଅନେକ ଲୋକ ଠିକ ଓ ଠିକ୍ ମଧ୍ୟରେ ଭେଦ ଜାଣିନଥିବା ହେତୁରୁ  ହିନ୍ଦୀ ଅନୁକରଣରେ ଵ୍ୟାକ୍ୟ ଗଠନ କରିବାକୁ ଯାଇ
ଠିକ ଶବ୍ଦର ଉଚ୍ଚାରଣ ହଳନ୍ତଵତ୍ ଠିକ୍ କରିଥାନ୍ତି....
୨―ଉପସର୍ଗ ସହ ଵିଶେଷଣ ଯୁକ୍ତ କରି ଶବ୍ଦ ଗଠନ ଵ୍ୟାକରଣ ନିୟମ ଵିରୁଦ୍ଧ ଥିଲେ ହେଁ ଅନେକ ଲୋକ ସଠିକ ପରି ଅଶୁଦ୍ଧ ଶବ୍ଦର ଵ୍ୟଵହାର କେଵଳ ହିନ୍ଦୀ ଅନୁକରଣରେ କରିଥାଅନ୍ତି । ହିନ୍ଦୀ ଭାଷାରେ ସଟିକ ଶବ୍ଦର ଅନୁକରଣରେ ସଠିକ ଶବ୍ଦର ଵ୍ୟଵହାର ଓଡ଼ିଆ ଭାଷାରେ ଆସି ଚଳୁଅଛି......

Sunday, March 18, 2018

ଉଡ୍ରୀ :-ଓଡ଼ିଆ ଭାଷାର ମୂଳ


କୁହାଯାଏ ଉଡ୍ରୀ ହେଉଛି ଓଡ଼ିଆ ଭାଷାର ପ୍ରାଚୀନ ରୂପ ।
ଔଡ୍ରୀ ବା ଉଡ୍ରୀ ମତଵାଦ ପକ୍ଷରେ କେତେକ ପ୍ରମୁଖ ପ୍ରମାଣ ଦିଆଯାଇଥାଏ ।

1. ପ୍ରାଚୀନ ପାଲି ଭାଷାର ଦକ୍ଷିଣ ପୂର୍ବ ଅପଭ୍ରଂଶକୁ ଔଡ୍ରୀ ଅପଭ୍ରଂଶ କୁହାଯାଉଥିବାର ଅନେକ ପ୍ରମାଣ ମିଳେ ।
ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଡ୍ରଜା ଵା ଉଡ୍ର ଵିଭାଷାର ଉଲ୍ଲେଖ ଅଛି
ଯଥା:-
“ଶକରାଭୀର ଚାଣ୍ଡାଳ ଶଵର ଦ୍ରାଵିଡୋ଼ଡ୍ରଜାଃ
ହୀନାବନେଚରାଣାଂ ଚ ଵିଭାଷାଃ ସପ୍ତକୀର୍ତ୍ତିତାଃ  ।” ୬
**********
ଆଵନ୍ତୀ ଦାକ୍ଷିଣାତ୍ୟାଚ ତଥା ଚୈବୋଡ୍ରମାଗଧୀ
ପାଞ୍ଚାଳୀ ମଧ୍ଯମି ଚେତି ଵିଜ୍ଞେୟାସ୍ତୁ ପ୍ରବୃତ୍ତୟଃ ।। ୭

୨.ପାଲି ଭାଷାରେ ଅନ୍ୟ ଭାରତୀୟ ପ୍ରାକୃତ ତଥା ଅଷ୍ଟ୍ରିକ ଆଦି ଭାଷାର ଶବ୍ଦ ଓ ଶୈଳୀ ମିଶ୍ରଣରେ ଖ୍ରୀଷ୍ଟାବ୍ଦ ଦ୍ଵିତୀୟ ଶତାବ୍ଦୀ ବେଳକୁ ଉଡ୍ର ଵିଭାଷା ସୃଷ୍ଟି ହୋଇଥିଲା ।

୩.ସପ୍ତମ ଶତାବ୍ଦୀ ବେଳକୁ ପଶ୍ଚିମ ଓଡିଶାରେ ଇନ୍ଦ୍ରଭୁତିଙ୍କ ଦ୍ଵାରା ଉଡ୍ଡିୟାନ ରାଜ୍ୟ ସ୍ଥାପନ ବେଳକୁ ଆଧୁନିକ ଓଡ଼ିଆ ଭାଷା ଵିକଶିତ ହେବାକୁ ଲାଗିଥିଲା ଏବଂ ସେହି ଵିକଶିତ ଭାଷାରେ କାହ୍ନୁପା ଲୁଇପା ଆଦି କବିମାନେ ଚର୍ଯ୍ୟାଗୀତି ରଚନା କରି ବୌଦ୍ଧ ଧର୍ମ ପ୍ରଚାର କରିଥିଲେ ।

୪.ସପ୍ତମ ଶତାବ୍ଦୀରେ ଚୀନ ପରିବ୍ରାଜକ ହୁଏନ ସାଂ ଭାରତ ଭ୍ରମଣ ରେ ଆସିଥିଲେ । ସେ ଏହି ଆଧୁନିକ ଭାଷାକୁ ‛ଉ-ଚ’ ଭାବରେ ଉଲ୍ଲେଖ କରିଅଛନ୍ତି । ଏହା ଉଡ୍ର ଶବ୍ଦ ର ବିକୃତି ଉଦାହରଣ ମାତ୍ର ।

୫.ଷୋଡ଼ଶ ଶତାବ୍ଦୀରେ  ବ୍ୟାକରଣାକାର ମାର୍କଣ୍ଡେୟ ଉଡ୍ରୀ ଅପଭ୍ରଂଶର ଲକ୍ଷଣ ଉଲ୍ଲେଖ କରିବାକୁ ଯାଇ ତାଙ୍କ ପ୍ରାକୃତ ସର୍ଵସ୍ଵରେ ଲେଖିଛନ୍ତି
“ଶବର୍ଯ୍ୟାମେବୈଡ୍ରୀ ଯୋଗାତ୍ତଦ୍ଦେଶ୍ୟ ଶୌରସେନ୍ୟାଦେଃ ।”
ତାଙ୍କ ମତରେ ଉଡ୍ର ଦେଶର କଥିତ ଭାଷାରେ ଶୌରସେନୀ ଓ ଶଵର ଭାଷାର ପ୍ରଭାବ ଫଳରେ ଉଡ୍ରୀ ଅପଭ୍ରଂଶର ସୃଷ୍ଟି ।
ଉଡ୍ରୀ ଅପଭ୍ରଂଶର ନିମ୍ନଲିଖିତ ଉଦାହରଣ ସେ ଦେଇଛନ୍ତି

“ଦେବ ଜସୋଆ ଣନ୍ଦଣ କର ମଇ କରୁଣା ଲେସ
ଏତ୍ତିକେ ଜମଉ ଅଚ୍ଛ (ଉ) ଇ ପିଟ୍ଟଇ ସବ୍ବ କିଳେସ”
। ଇତ୍ୟୋଡ୍ରୀ ।(୧୦)
ଏହାର ସଂସ୍କୃତ ରୂପ ଏଇଭଳି

“ଦେବ ଯଶୋଦା ନନ୍ଦନ କୁରୁ ମୟି କରୁଣା ଲେଶମ୍
ଇହତ୍ୟଃ ଜନ୍ମତଃ ଅସ୍ମି ଇତି ପୀଡ଼ୟତି ସର୍ଵ କ୍ଲେଶଃ ।”

ପଦଟିର ସମୟକାଳ ସମ୍ଭବତଃ ଦଶମ ଶତାବ୍ଦୀ ।

ତେବେ ବୈୟାକରଣୀକ ମାର୍କଣ୍ଡେୟ ଅନ୍ୟ ଏକ ସ୍ଥାନରେ ଭାରତର ୨୭ଟି ଅପଭ୍ରଂଶର ନାମୋଲ୍ଲେଖ କରିଅଛନ୍ତି ।

“ଗୌଡୌଡ୍ର ଚୈବ ପାଶ୍ଚାତ୍ୟ ପାଣ୍ଡ୍ୟ କୌନ୍ତକ ସିଂହଳା
କାଳିଙ୍ଗ୍ୟ ପ୍ରାଚ୍ୟ କର୍ଣ୍ଣାଟକାଞ୍ଚ୍ୟ ଦ୍ରାଵିଡ଼ ଗୌର୍ଜରା ।
ଏଠାରେ ସେ କଳିଙ୍ଗ ଦେଶରେ କେବଳ ଉଡ୍ର ଅପଭ୍ରଂଶ ନୁହେଁ ବରଂ କାଳିଙ୍ଗ୍ୟ ଓ ଉତ୍କଳୀ ଅପଭ୍ରଂଶ ଚଳୁଥିବା ଉଲ୍ଲେଖ କରିଛନ୍ତି ।

୬.ଦଶମ ଶତାବ୍ଦୀର ବିଖ୍ୟାତ ପ୍ରାକୃତ ବ୍ୟାକରଣାକାର ପୁରୁଷୋତ୍ତମ  ତାଙ୍କର ପ୍ରାକୃତାନୁଶାସନ ଗ୍ରନ୍ଥରେ ଔଡ୍ରୀ ଅପଭ୍ରଂଶର ଉଲ୍ଲେଖ କରିଛନ୍ତି ଓ ଏହାକୁ ଇ ଏବଂ ଓ ପ୍ରତ୍ୟୟ ବହୁଳ ଭାଷା(ଇକାରୌକାର ପ୍ରାୟ୍ୟୋଡ୍ରୀ) ବୋଲି ମତ ଦେଇଛନ୍ତି ।

୭.ଦ୍ଵାଦଶ ଶତାବ୍ଦୀରେ ଅନିରୁଦ୍ଧ ଭଟ୍ଟ ତାଙ୍କର ପ୍ରାକୃତ କଳ୍ପତରୁ ଗ୍ରନ୍ଥରେ ଓଡ୍ରୀ ଅପଭ୍ରଂଶ ଛଡା଼ ଉତ୍କଳୀ ନାମକ ଆଉ ଏକ ଅପଭ୍ରଂଶର ଉଲ୍ଲେଖ କରିଛନ୍ତି ।
ଯଥା...
“ଆଭୀରକା ଦ୍ରାଵିଡି଼କୋତ୍କଳୀନ ବନୌକସୀ ମାଣ୍ଡୂରିକେତ ନାମ୍ନା ଶାକର ଓଡ୍ର ଦ୍ରାଵିଡାଦି ବାଚୋପଭ୍ରଂଶତାମ୍ ।”

ଔଡ୍ରୀ ଵିଭାଷା ସମର୍ଥନରେ କିଛି ଭାଷାଵିଦ କୁହନ୍ତି ଭରତଙ୍କ ନାଟ୍ୟଶାସ୍ତ୍ରରେ ଯେହେତୁ ଉଡ୍ରୀ ଵିଭାଷା ର ଉଲ୍ଲେଖ ଅଛି ତେଣୁ ବହୁତ ସମ୍ଭବ ଔଡ୍ରୀ ଵିଭାଷା ହିଁ ପରଵର୍ତ୍ତୀ କାଳରେ ଔଡ୍ରୀ ଅପଭ୍ରଂଶରେ ପରିଵର୍ତ୍ତିତ ହୋଇଅଛି । ଉଡ୍ରୀ ଵିଭାଷାକୁ ସେମାନେ ଓଡ଼ିଆ ଭାଷାର ମୂଳ ବୋଲି ମତ ଦେଇଥାନ୍ତି ତେବେ ଏଇଠି ତାଙ୍କ ଆଗରେ ଵଡ଼ ପ୍ରଶ୍ନଟିଏ ମୁଣ୍ଡ ଟେକି ଠିଆ ହୋଇଯାଏ  ଯେ
“ଯଦି ଓଡ଼ିଆ ଭାଷାର ମୂଳ ଉଡ୍ର ଵିଭାଷା ତେବେ ବୈୟାକରଣିକ ମାର୍କଣ୍ଡେୟ ଓ ଅନିରୁଦ୍ଧ ଭଟ୍ଟ ଙ୍କ ଦ୍ଵାରା ଉଲ୍ଲେଖିତ କାଳିଙ୍ଗ୍ୟ ଓ ଉତ୍କଳୀ ଅପଭ୍ରଂଶର ମୂଳ କେଉଁ ଵିଭାଷା ଅଟେ ? ”

ତେବେ କ’ଣ ଓଡ଼ିଆ ଭାଷାର ମୂଳ ଉଡ୍ର ଵିଭାଷା ନୁହେଁ ଵରଂ “ପାଲି ପ୍ରାକୃତ ତଥା ପ୍ରାଚୀନ ଭାରତୀୟ ଆର୍ଯ୍ୟଭାଷା ” ଯହିଁରୁ ଗୋଟିଏ ପଟରେ ଉଡ୍ର ଵିଭାଷା ସୃଷ୍ଟି ହୋଇଥିଲା ବେଳେ ଅନ୍ୟପଟେ ଆଉ କୌଣସି ଵିଭାଷା ରୁ କାଳିଙ୍ଗ୍ୟ ତଥା ଉତ୍କଳୀ ଅପଭ୍ରଂଶର ଉଦଭଵ ହୋଇଥିଲା ? କିମ୍ବା
ହୁଏତ ଏମିତି ମଧ୍ଯ ହୋଇପାରେ ଯେ
ଉଡ୍ର ଵିଭାଷା ରୁ ତିନୋଟି ଅପଭ୍ରଂଶ ସୃଷ୍ଟି ହୋଇ ଭିନ୍ନ ଭିନ୍ନ ଅଞ୍ଚଳରେ ପ୍ରଚଳିତ ହୋଇ ପରେ ତହିଁର ସ୍ଵତଃ ତଥା ସାହିତ୍ୟିକ ମାନକୀକରଣ ଘଟି ଆଧୁନିକ ଓଡ଼ିଆ ଭାଷାର ଅଭ୍ୟୁଦୟ ହୋଇଥିଲା ?