ଉନଵିଂଶ ଶତାବ୍ଦୀରେ ଯେତେବେଳେ ୟୁରୋପୀୟ ଵିଦ୍ୱାନମାନେ ଭାରତୀୟ ଶାସ୍ତ୍ରଗୁଡ଼ିକର ଅଧ୍ୟୟନ ଆରମ୍ଭ କଲେ, ସେତେବେଳେ ସେମାନେ ଭାରତୀୟ ଇତିହାସର ଏକ ନୂତନ ରୂପରେଖ ପ୍ରସ୍ତୁତ କରିଥିଲେ। ଜର୍ମାନ ପ୍ରାଚ୍ୟଵିଦ୍ ମ୍ୟାକ୍ସ ମୁଲର୍ଙ୍କ ଭଳି ପଣ୍ଡିତମାନେ ଭାଷାଵିଜ୍ଞାନକୁ ଆଧାର କରି ମତ ରଖିଥିଲେ ଯେ ଋଗ୍ଵେଦର ରଚନା ସମ୍ଭଵତଃ ଖ୍ରୀଷ୍ଟପୂର୍ଵ ବାର ଶହରୁ ଏକ ହଜାର ମଧ୍ୟରେ ହୋଇଥିଲା। ଏହି ସମୟସୀମାକୁ ସମର୍ଥନ କରିଵା ପାଇଁ ସେମାନେ ଆର୍ଯ୍ୟ ଆକ୍ରମଣ ଵା ଆର୍ଯ୍ୟ ସ୍ଥାନାନ୍ତରଣ ତତ୍ତ୍ୱର ଅଵତାରଣା କରିଥିଲେ। ଏହି ତତ୍ତ୍ୱ ଅନୁଯାୟୀ, ଆର୍ଯ୍ୟମାନେ ଭାରତର ମୂଳ ଅଧିଵାସୀ ନଥିଲେ। ସେମାନେ ମଧ୍ୟ ଏସିଆ ଵା କାସ୍ପିଆନ୍ ସାଗର ଅଞ୍ଚଳରୁ ବାହାରି ଖ୍ରୀଷ୍ଟପୂର୍ଵ ୧୫୦୦ରୁ ଖ୍ରୀଷ୍ଟପୂର୍ଵ ୨୦୦୦ ସମୟରେ ଉତ୍ତର-ପଶ୍ଚିମ ଭାରତରେ ପ୍ରଵେଶ କରିଥିଲେ। ସେମାନେ ନିଜ ସହିତ ସଂସ୍କୃତ ଭାଷା, ଘୋଡ଼ା ଓ ଵୈଦିକ ସଂସ୍କୃତି ଆଣିଥିଲେ ଏଵଂ ଭାରତରେ ପହଞ୍ଚିଵା ପରେ ସିନ୍ଧୁ ଉପତ୍ୟକା ଓ ପଞ୍ଜାବ ଅଞ୍ଚଳରେ ଵସଵାସ କରି ଋଗ୍ଵେଦ ସମେତ ଅନ୍ୟାନ୍ୟ ଵେଦଗୁଡ଼ିକର ରଚନା କରିଥିଲେ। ଦୀର୍ଘ ଦଶନ୍ଧି ଧରି ଏହି ତତ୍ତ୍ୱକୁ ଭାରତୀୟ ଇତିହାସର ଏକ ନିର୍ଵିଵାଦୀୟ ସତ୍ୟ ଭାବରେ ସ୍କୁଲ କଲେଜର ପାଠ୍ୟକ୍ରମରେ ପଢ଼ାଯାଉଥିଲା। ଆଜି ବି ଅନେକେ ଏହି ତତ୍ତ୍ଵକୁ ବୁକୁଚା କରି ମୁଣ୍ଡରେ ବୋହି ଚାଲିଛନ୍ତି । ଏହି ତତ୍ତ୍ୱ ଭାରତୀୟ ସଭ୍ୟତାକୁ ଦୁଇ ଭାଗରେ ଵିଭକ୍ତ କରିଦେଇଥିଲା । ଏଥିରେ ସିନ୍ଧୁ ଘାଟି ସଭ୍ୟତାକୁ ମୂଳ ନିଵାସୀଙ୍କର ଏଵଂ ଵୈଦିକ ସଭ୍ୟତାକୁ ବାହାରୁ ଆସିଥିଵା ଆର୍ଯ୍ୟମାନଙ୍କର ବୋଲି ଦର୍ଶାଯାଇଥିଲା। Devide and ruleର ଏହା ଅନ୍ୟତମ ଉଦାହରଣ ଥିଲା ।
କିନ୍ତୁ ଯେତେବେଳେ ଏହା ଵିପକ୍ଷରେ କିଛି ସ୍ଵାଭିମାନୀ ଲୋକ ତଥ୍ୟ ଉଣ୍ଡିଵା ଆରମ୍ଭ କଲେ ସେମାନେ ଅନେକ ଵିସଙ୍ଗତି ଲକ୍ଷ କଲେ । ଯେତେବେଳେ ଋଗ୍ବେଦର ଶ୍ଳୋକଗୁଡ଼ିକୁ ଗଭୀର ଭାବରେ ଅଧ୍ୟୟନ କରାଗଲା ସେତେବେଳେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଲା । ଋଗ୍ଵେଦରେ ସରସ୍ୱତୀ ନଦୀଙ୍କର ଯେଉଁ ଵର୍ଣ୍ଣନା ରହିଛି, ତାହା କୌଣସି ସାଧାରଣ ନଦୀର ଵର୍ଣ୍ଣନା ନୁହେଁ। ଋଗ୍ଵେଦରେ ସରସ୍ୱତୀଙ୍କୁ 'ନଦୀତମା', 'ଅମ୍ବିତମା' ଓ 'ଦେଵୀତମା' ଭାବରେ ସମ୍ବୋଧିତ କରାଯାଇଛି । ଅର୍ଥାତ୍ ସରସ୍ବତୀ —ନଦୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି ନଦୀତମା, ମାତାମାନଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି ଅମ୍ବିତମା ଏଵଂ ଦେଵୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି ଦେଵୀତମା । ଵେଦର ଅନେକ ସୂକ୍ତରେ ସରସ୍ୱତୀଙ୍କୁ ଏକ ଅତ୍ୟନ୍ତ ଵେଗଵାନ ଓ ଵିଶାଳ ନଦୀ ଭାବରେ ଚିତ୍ରଣ କରାଯାଇଛି ଯାହା ପର୍ଵତ ଶିଖରରୁ ବାହାରି ନିଜର ପ୍ରଚଣ୍ଡ ସ୍ରୋତରେ ପାହାଡ଼କୁ ଭାଙ୍ଗି ସିଧାସଳଖ ସମୁଦ୍ରରେ ଯାଇ ମିଶୁଥିଲା। ଏହି ନଦୀ କୂଳରେ ବସି ଋଷିମାନେ ଵେଦ ମନ୍ତ୍ର ରଚନା କରିଥିଲେ ଏଵଂ ଯଜ୍ଞାଦି କର୍ମ ସମ୍ପାଦନ କରୁଥିଲେ। ଋଗ୍ଵେଦର ସପ୍ତସିନ୍ଧୁ ଅଞ୍ଚଳରେ ସରସ୍ୱତୀ ଥିଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନଦୀ, ଏପରିକି ସିନ୍ଧୁ ନଦୀଠାରୁ ମଧ୍ୟ ଅଧିକ ମହିମାମୟ ନଦୀ ସରସ୍ଵତୀ ଥିଲା । ଯଦି ଆର୍ଯ୍ୟମାନେ ଖ୍ରୀଷ୍ଟପୂର୍ଵ ୧୫୦୦ରେ ଭାରତ ଆସିଥିଲେ, ତେବେ ସେମାନେ ନିଶ୍ଚିତ ରୂପେ ଏହି ଵିଶାଳ ସରସ୍ୱତୀ ନଦୀକୁ ଦେଖିଥିବେ ଏଵଂ ତା'ର କୂଳରେ ବସି ଏହି ମନ୍ତ୍ରଗୁଡ଼ିକ ରଚନା କରିଥିବେ, ଯାହାକି ପାଶ୍ଚାତ୍ୟ ପଣ୍ଡିତମାନଙ୍କ ମତରେ ସମ୍ଭଵ ହୋଇଥିଲା।
କିନ୍ତୁ ଆଧୁନିକ ଵିଜ୍ଞାନ ଏହି କଥାକୁ ସମ୍ପୂର୍ଣ୍ଣ ରୂପେ ଭୁଲ ପ୍ରମାଣିତ କରିଦେଲା। ଏହା କେମିତି ହୋଇଥିଲା ଜାଣିଵାକୁ ହେଲେ ଆମକୁ ଏହା ପଛରେ ଥିଵା ନିକଟ ଅତୀତର ଇତିହାସକୁ ଜାଣିଵାକୁ ହେଵ ।
ଵିୟ୍ଯଶ ଶତାବ୍ଦୀର ସପ୍ତମ ଓ ଅଷ୍ଟମ ଦଶକ ସମୟର କଥା । ଭାରତ ତାର ଵିକାଶ ପଥରେ ଅଗ୍ରସର ହେଉଥିଵା ବେଳେ ଉତ୍ତର-ପଶ୍ଚିମ ଭାରତ ଵିଶେଷତଃ ରାଜସ୍ଥାନ, ହରିୟାଣା ଓ ଗୁଜରାଟର ଵିସ୍ତୀର୍ଣ୍ଣ ଅଞ୍ଚଳ ଏକ ଭୟଙ୍କର ପ୍ରାକୃତିକ ସମସ୍ୟାର ସମ୍ମୁଖୀନ ହେଉଥିଲା। ଥର୍ ମରୁଭୂମିର କ୍ରମାଗତ ସମ୍ପ୍ରସାରଣ ଓ ଉତ୍କଟ ଜଳ ସଙ୍କଟ ଏହି ଅଞ୍ଚଳର ଜନଜୀଵନକୁ ଦୁର୍ଵିସହ କରିପକାଇଥିଲା। ପାନୀୟ ଜଳ ଓ କୃଷି ପାଇଁ ଆଵଶ୍ୟକ ଜଳର ଘୋର ଅଭାବ ଦେଖାଦେଇଥିଲା। ଏହି ସମୟରେ ଵୈଜ୍ଞାନିକମାନେ ଅନୁଭଵ କଲେ ଯେ, ପୃଥିଵୀ ପୃଷ୍ଠରେ ଜଳ ନଥିଲେ ମଧ୍ୟ ହଜାର ହଜାର ଵର୍ଷ ତଳେ ଶୁଖିଯାଇଥିଵା ପ୍ରାଚୀନ ନଦୀଗୁଡ଼ିକର ଶେଯ ଵା ଗର୍ଭ ମରୁଭୂମିର ବାଲି ତଳେ ପୋତି ହୋଇ ରହିଥାଇପାରେ। ଵର୍ଷା ଜଳ ସେହି ପୁରାତନ ନଦୀର ଖାଲୁଆ ପଥରେ ଜମା ହୋଇ ଵିଶାଳ ଭୂଗର୍ଭସ୍ଥ ମଧୁର ଜଳଭଣ୍ଡାର ସୃଷ୍ଟି କରିଵାର ସମ୍ଭାବନା ଥିଲା। ତେଣୁ ଦେଶର ଜଳ ସମସ୍ୟାର ସମାଧାନ, ଭୂଗର୍ଭସ୍ଥ ଜଳର ସନ୍ଧାନ ଓ ମରୁଭୂମିକରଣକୁ ଅଟକାଇଵା ପାଇଁ ଭାରତ ସରକାର ଏକ ବଡ଼ ଧରଣର ଵୈଜ୍ଞାନିକ ଅନୁଧ୍ୟାନ ଆରମ୍ଭ କରିଵାକୁ ନିଷ୍ପତ୍ତି ନେଲେ। ଏହି ଅଭିଯାନର ନେତୃତ୍ୱ ନେଇଥିଲା ଭାରତୀୟ ମହାକାଶ ଗଵେଷଣା ସଂସ୍ଥା ଅର୍ଥାତ୍ ଇସ୍ରୋ ଏଵଂ ଏଥିରେ ଵିଶେଷ ସହଯୋଗ କରିଥିଲା ଆମେରିକାର ମହାକାଶ ସଂସ୍ଥା ନାସା। ୧୯୭୦ ମସିହା ପରଠାରୁ ଉପଗ୍ରହ ଜ୍ଞାନକୌଶଳର ଵ୍ୟାପକ ଉନ୍ନତି ସହିତ ରିମୋଟ୍ ସେନ୍ସିଂ ଵା ଦୂର-ସମ୍ବେଦନ ପ୍ରଣାଳୀର ଵ୍ୟଵହାର ଆରମ୍ଭ ହେଲା। ଇସ୍ରୋ ଓ ନାସାର ଉପଗ୍ରହଗୁଡ଼ିକ ଉତ୍ତର-ପଶ୍ଚିମ ଭାରତର ଆକାଶରୁ ରାଡାର୍ ଇମେଜିଂ ଓ ମଲ୍ଟିସ୍ପେକ୍ଟ୍ରାଲ୍ ଫଟୋଗ୍ରାଫି ମାଧ୍ୟମରେ ମାଟିର ଗଭୀରକୁ ଭେଦ କରିପାରୁଥିଵା ଚିତ୍ରମାନ ଉତ୍ତୋଳନ କରିଵାକୁ ଲାଗିଲେ। ଵୈଜ୍ଞାନିକମାନେ ମରୁଭୂମିର ଶୁଖିଲା ବାଲି ତଳେ ଲୁଚି ରହିଥିଵା ମାଟିର ଆର୍ଦ୍ରତା, ଖଣିଜ ସମ୍ପଦ ଏଵଂ ଵିଶେଷତଃ ଭୂଗର୍ଭସ୍ଥ ଜଳଭଣ୍ଡାରର ସନ୍ଧାନ ପାଇଁ ଏହି ଉନ୍ନତ ପ୍ରଯୁକ୍ତିଵିଦ୍ୟାର ପ୍ରୟୋଗ କରିଥିଲେ। ଆରମ୍ଭରୁ ଏହା ଏକ ନିଚ୍ଛକ ଭୂତାତ୍ତ୍ୱିକ ତଥା ପରିଵେଶଗତ ମିଶନ୍ ଥିଲା ଯାହାର ଭାରତୀୟ ଇତିହାସ କିମ୍ବା ପ୍ରତ୍ନତତ୍ତ୍ୱ ସହିତ କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନଥିଲା।
କିନ୍ତୁ ଯେତେବେଳେ କମ୍ପ୍ୟୁଟର ମାଧ୍ୟମରେ ମହାକାଶରୁ ଆସିଥିଵା ଏହି ଅଗଣିତ ଚିତ୍ରଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଯୋଡ଼ି ଵିଶ୍ଳେଷଣ କରାଗଲା, ସେତେବେଳେ ଏକ ଆଶ୍ଚର୍ଯ୍ୟଜନକ ଓ ଅଵିଶ୍ୱସନୀୟ ଦୃଶ୍ୟ ଵୈଜ୍ଞାନିକମାନଙ୍କ ସମ୍ମୁଖକୁ ଆସିଲା। ଵୈଜ୍ଞାନିକମାନେ ଦେଖିଲେ ଯେ ଭୂମି ତଳେ ଥିଵା ସେହି ଜଳଭଣ୍ଡାରଗୁଡ଼ିକ କୌଣସି ସ୍ଥାନୀୟ ଵା ବିଚ୍ଛିନ୍ନ ଖାଲ ନଥିଲା। ସେଗୁଡ଼ିକ ପ୍ରକୃତରେ ଥିଲା ଏକ ଵିଶାଳ, ସୁଦୀର୍ଘ ଓ ନିରଵଚ୍ଛିନ୍ନ ନଦୀ ପ୍ରଣାଳୀର ଅଵଶେଷ। ଏହି ଶୁଖିଲା ନଦୀର ପଥ ହିମାଳୟର ଶିଵାଲିକ୍ ପର୍ଵତମାଳାରୁ ବାହାରି ହରିୟାଣା, ପଞ୍ଜାବ ଓ ରାଜସ୍ଥାନର ଥର୍ ମରୁଭୂମି ଦେଇ ଗୁଜରାଟର କଚ୍ଛ ଉପସାଗର ପର୍ଯ୍ୟନ୍ତ ପ୍ରାୟ ପନ୍ଦର ଶହ କିଲୋମିଟର ଧରି ସିଧାସଳଖ ଵ୍ୟାପିଥିଲା। ଏହାର ପ୍ରସ୍ଥ କେତେକ ସ୍ଥାନରେ ଛଅରୁ ଆଠ କିଲୋମିଟର ପର୍ଯ୍ୟନ୍ତ ଵିସ୍ତୃତ ଥିଲା। ଏତେ ଵିରାଟକାୟ ନଦୀର ଲୁକ୍କାୟିତ ଅଵଶେଷ ଦେଖି ସମଗ୍ର ଵୈଜ୍ଞାନିକ ମହଲ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ।
ଏହି ଯୁଗାନ୍ତକାରୀ ଆଵିଷ୍କାରର ଖବର ପାଇଵା ପରେ ଇତିହାସକାର ଓ ପ୍ରତ୍ନତତ୍ତ୍ୱଵିତ୍ମାନେ ସେହି ସାଟେଲାଇଟ୍ ଚିତ୍ରଗୁଡ଼ିକୁ ଗଭୀର ଭାବରେ ଅଧ୍ୟୟନ କଲେ। ସେମାନେ ହୃଦୟଙ୍ଗମ କଲେ ଯେ ସାଟେଲାଇଟ୍ ପ୍ରଦର୍ଶନ କରୁଥିଵା ଏହି ନଦୀର ଭୂଗୋଳ, ଋଗ୍ଵେଦ ତଥା ମହାଭାରତରେ ବଳରାମଙ୍କ ତୀର୍ଥ ସମୟରେ ଵର୍ଣ୍ଣିତ ମହାନ୍ 'ସରସ୍ୱତୀ ନଦୀ'ର ଗତିପଥ ଏଵଂ ଵର୍ଣ୍ଣନା ସହିତ ସ୍ପଷ୍ଟ ଭାବରେ ମିଶି ଯାଉଛି। ଯାହା କେଵଳ ପାନୀୟ ଜଳ ଖୋଜିଵାର ଏକ ସାଧାରଣ ପ୍ରକଳ୍ପ ଭାବରେ ଆରମ୍ଭ ହୋଇଥିଲା, ତାହା ଅଜାଣତରେ ଭାରତୀୟ ସଭ୍ୟତାର ଏକ ବୃହତ୍ତମ ଐତିହାସିକ ରହସ୍ୟକୁ ଉନ୍ମୋଚନ କରିଦେଲା। ଏହି ଆଵିଷ୍କାର ପରେ ହିଁ ସେହି ଶୁଖିଲା ନଦୀ ଅଵଵାହିକାରେ ପ୍ରତ୍ନତାତ୍ତ୍ୱିକ ଖନନ ଵ୍ୟାପକ ହେଲା ଏଵଂ ହରପ୍ପା ଓ ମୋହେଞ୍ଜୋଦାରୋ ସମୟର ଶତାଧିକ ପ୍ରାଚୀନ ନଗରୀ ସେହି ନଦୀ କୂଳରୁ ଲୋକଲୋଚନକୁ ଆସିଲା। ଜଳ ସଙ୍କଟ ଦୂର କରିଵା ପାଇଁ ଆରମ୍ଭ ହୋଇଥିଵା ଏକ ଆଧୁନିକ ଭୂତାତ୍ତ୍ୱିକ ମିଶନ୍ ଶେଷରେ ଇତିହାସର ଗତିପଥ ବଦଳାଇ ଦେଲା ଏଵଂ ଭାରତୀୟ ସଭ୍ୟତାର ନିରଵଚ୍ଛିନ୍ନ ତଥା ଗୌରଵମୟ ସତ୍ୟକୁ ସମଗ୍ର ଵିଶ୍ୱ ଦରବାରରେ ପ୍ରତିଷ୍ଠା କରିଵାରେ ସଫଳ ହେଲା।
ତେବେ ଯେତେବେଳେ ସେହି ପୁରାତନ ନଦୀ ସରସ୍ଵତୀର ଶେଯଗୁଡ଼ିକର ଚିତ୍ର ସାମ୍ନାକୁ ଆସିଲା ସେତେବେଳେ ଭୂତତ୍ତ୍ୱଵିତ୍ମାନେ ଦେଖିଲେ ଯେ ଵର୍ତ୍ତମାନର ଶୁଖିଲା ଘାଗରା ଓ ହାକ୍ରା ନଦୀର ପଥ ତଳେ ଏକ ଵିଶାଳ ନଦୀର ଅଵଵାହିକା ଲୁଚି ରହିଛି, ଯାହାର ପ୍ରସ୍ଥ କିଛି ସ୍ଥାନରେ ଛଅରୁ ଆଠ କିଲୋମିଟର ପର୍ଯ୍ୟନ୍ତ ଵିସ୍ତୃତ ଥିଲା। ଏହି ଵିଶାଳ ସରସ୍ଵତୀ ନଦୀ ଶିଵାଲିକ୍ ପର୍ଵତମାଳାରୁ ବାହାରି ହରିୟାଣା, ରାଜସ୍ଥାନ ଓ ଗୁଜରାଟ ଦେଇ ଆରବ ସାଗରରେ କଚ୍ଛର ରଣ ନିକଟରେ ମିଶୁଥିଲା। ଭୂଵିଜ୍ଞାନୀମାନେ ସ୍ପଷ୍ଟ କଲେ ଯେ ଏହି ଘାଗର-ହାକ୍ରା ନଦୀ ପ୍ରଣାଳୀ ହିଁ ପ୍ରାଚୀନ କାଳର ସେହି ଵୈଦିକ ସରସ୍ୱତୀ ନଦୀ ଥିଲା।
ଏହି ଵୈଜ୍ଞାନିକ ଆଵିଷ୍କାର ପରେ ଆରମ୍ଭ ହେଲା ସରସ୍ଵତୀ ନଦୀର ଵୟସ ନିର୍ଦ୍ଧାରଣ ପ୍ରକ୍ରିୟା। ନଦୀ କୂଳର ମାଟି, ଭୂଗର୍ଭସ୍ଥ ଜଳ ଏଵଂ ସେଠାରେ ଥିଵା ପ୍ରତ୍ନତାତ୍ତ୍ୱିକ ଅଵଶେଷଗୁଡ଼ିକର ରେଡିଓକାର୍ବନ ଡେଟିଂ କରାଗଲା। ପ୍ରାରମ୍ଭିକ ଗଵେଷଣାରୁ ଜଣାପଡ଼ିଲା ଯେ ପ୍ରାଚୀନ କାଳରେ ସତଲେଜ୍ ଵା ଶତଦ୍ରୁ ନଦୀ ଏଵଂ ଯମୁନା ନଦୀ ସରସ୍ୱତୀ ନଦୀର ଦୁଇଟି ପ୍ରମୁଖ ଶାଖା ଥିଲେ। ଏହି ଦୁଇଟି ହିମାଳୟରୁ ବାହାରୁଥିଵା ଚିରସ୍ରୋତା ଜଳପୂର୍ଣ୍ଣ ନଦୀ ସରସ୍ୱତୀକୁ ନିରନ୍ତର ଜଳ ଯୋଗାଉଥିଲେ, ଯାହା ଫଳରେ ସରସ୍ୱତୀ ଏକ ଚିରସ୍ରୋତା ଏଵଂ ଵିଶାଳ ନଦୀରେ ପରିଣତ ହୋଇଥିଲା। ଅଵଶ୍ୟ ସାମ୍ପ୍ରତିକ ଗଵେଷଣା ସୂଚାଏ ଯେ ସତଲୁଜ ବହୁ ପ୍ରାଚୀନ କାଳରେ(୮୦୦୦ରୁ ୧୦୦୦୦ ଵର୍ଷ ତଳେ) ନିଜ ପଥ ବଦଳାଇ ସିନ୍ଧୁ ନଦୀ ପ୍ରଣାଳୀରେ ମିଶିଯାଇଥିଲା।
ଆଜକୁ ପ୍ରାୟ ୫୦୦୦ ଵର୍ଷ ତଳେ ପ୍ରଵଳ ଟେକ୍ଟୋନିକ୍ ପରିଵର୍ତ୍ତନ ଵା ଭୂମିକମ୍ପ ଯୋଗୁଁ ଉତ୍ତର ଭାରତର ଭୂଗୋଳରେ ଵ୍ୟାପକ ପରିଵର୍ତ୍ତନ ଆସିଲା। ଭୂମିର ଉତ୍ଥାନ ଯୋଗୁଁ ଯମୁନା ନଦୀ ନିଜର ଗତିପଥ ବଦଳାଇ ପୂର୍ଵ ଆଡ଼କୁ ମୁହାଁଇଲା ଏଵଂ ଗଙ୍ଗା ନଦୀ ସହିତ ମିଶିଗଲା। ଅଵଶ୍ୟ କେହି କେହି ଗଵେଷକ ମତ ଦିଅନ୍ତି ଯେ ଯମୁନା ନଦୀ ଏହାର ବହୁତ ପୂର୍ଵରୁ ଗଙ୍ଗା ନଦୀ ପ୍ରଣାଳୀରେ ମିଶିଯାଇଥିଲା ତେବେ ଏ ସମ୍ବନ୍ଧରେ ଏବେ ମଧ୍ୟ ମତଭେଦ ରହିଛି ।
ପ୍ରମୁଖ ଜଳ ଉତ୍ସଗୁଡ଼ିକ ଅଲଗା ହୋଇଯିଵା ତଥା ହୋଲୋସିନ୍ ଯୁଗରେ ମନସୁନ୍ ଵର୍ଷା କ୍ରମଶଃ ଦୁର୍ଵଳ ହେଵାରୁ ଘଗ୍ଗର-ହକ୍ରା ଵା ସରସ୍ଵତୀ ନଦୀ ପ୍ରଣାଳୀର ଜଳପ୍ରଵାହ ମଧ୍ୟ ହ୍ରାସ ପାଇଲା।
ଫଳରେ ସରସ୍ୱତୀ ନଦୀରେ ଜଳ ପ୍ରଵାହ କମିଵାକୁ ଲାଗିଲା। ଵୈଜ୍ଞାନିକ ତଥ୍ୟ ଅନୁଯାୟୀ, ଖ୍ରୀଷ୍ଟପୂର୍ଵ ୩୦୦୦ ବେଳକୁ ସରସ୍ୱତୀ ନଦୀ କ୍ଷୀଣ ହେଵା ଆରମ୍ଭ କରିଥିଲା ଏବଂ ଖ୍ରୀଷ୍ଟପୂର୍ଵ ୨୧୦୦ ବେଳକୁ ଏହାର ଅଧିକାଂଶ ଭାଗ ଶୁଖିଵାକୁ ଲାଗିଲା। ଶେଷରେ ଖ୍ରୀଷ୍ଟପୂର୍ଵ ୧୯୦୦ ବେଳକୁ ଏହି ଵିଶାଳ ନଦୀ ସମ୍ପୂର୍ଣ୍ଣ ରୂପେ ଶୁଖିଯାଇ ଏକ ଛୋଟ ଵର୍ଷାଦିନିଆ ନାଳରେ ପରିଣତ ହୋଇଗଲା ଏଵଂ ସମୁଦ୍ର ପର୍ଯ୍ୟନ୍ତ ଏହାର ଯାତ୍ରା ସବୁଦିନ ପାଇଁ ବନ୍ଦ ହୋଇଗଲା।
ସାଟେଲାଇଟ୍ ଚିତ୍ର ଓ ଭୂତାତ୍ତ୍ୱିକ ପ୍ରମାଣ ସ୍ପଷ୍ଟ ଭାବରେ ସୂଚାଉଛି ଯେ ସରସ୍ୱତୀ ନଦୀ ଖ୍ରୀଷ୍ଟପୂର୍ଵ ଉଣେଇଶ ଶହ ସୁଦ୍ଧା ସମ୍ପୂର୍ଣ୍ଣ ଭାବରେ ଶୁଖିଯାଇଥିଲା। ଏହି ତଥ୍ୟକୁ ଆଧାର କରି ଯଦି ଆମେ ପାଶ୍ଚାତ୍ୟ ପଣ୍ଡିତମାନଙ୍କ ଦ୍ୱାରା ଦିଆଯାଇଥିଵା ଆର୍ଯ୍ୟ ଆକ୍ରମଣ ତତ୍ତ୍ୱକୁ ଵିଶ୍ଳେଷଣ କରିଵା ତେବେ ଏକ ଵିରାଟ ବଡ଼ ଅସଙ୍ଗତି ଵା ଵିରୋଧାଭାସ ସାମ୍ନାକୁ ଆସେ। ମ୍ୟାକ୍ସ ମୁଲର୍ ଏଵଂ ଅନ୍ୟ ଐତିହାସିକମାନଙ୍କ ମତରେ ଆର୍ଯ୍ୟମାନେ ଖ୍ରୀଷ୍ଟପୂର୍ଵ ପନ୍ଦର ଶହରେ ଭାରତକୁ ଆସିଥିଲେ। ଯଦି ଏହି କଥାକୁ ସତ୍ୟ ବୋଲି ଧରିନିଆଯାଏ, ତେବେ ଆର୍ଯ୍ୟମାନେ ଭାରତରେ ପହଞ୍ଚିଵା ବେଳକୁ ସରସ୍ୱତୀ ନଦୀ ଶୁଖିଵାର ପ୍ରାୟ ଚାରି ଶହ ଵର୍ଷ ବିତିଯାଇଥିଲା। ଅର୍ଥାତ୍ ଖ୍ରୀଷ୍ଟପୂର୍ଵ ପନ୍ଦର ଶହରେ ସେଠାରେ କୌଣସି ପ୍ରଵାହମାନ ନଦୀ ନଥିଲା, କେଵଳ ଏକ ଵିସ୍ତୀର୍ଣ୍ଣ ଶୁଖିଲା ନଦୀ ଶେଯ ଏଵଂ ମରୁଭୂମିର ବାଲି ଥିଲା। ଏପରି ସ୍ଥିତିରେ ସେହି ସମୟରେ ଭାରତ ଆସିଥିଵା ତଥାକଥିତ ଆର୍ଯ୍ୟ ଲୋକମାନେ କିପରି ଏକ ଜଳପୂର୍ଣ୍ଣ, ଗର୍ଜନକାରୀ ଏଵଂ ସମୁଦ୍ରକୁ ଯାଇ ମିଶିଥିଵା ଵିଶାଳ ନଦୀକୁ ନିଜ ଆଖିରେ ଦେଖିଲେ? ସେମାନେ କିପରି ଏକ ଶୁଖିଲା ମରୁଭୂମିକୁ ଦେଖି ସରସ୍ୱତୀଙ୍କୁ 'ନଦୀତମା' ଵା ଶ୍ରେଷ୍ଠ ନଦୀ ବୋଲି ସ୍ତୁତି କଲେ? କୌଣସି ଵ୍ୟକ୍ତି ଗୋଟିଏ ଶୁଖିଯାଇଥିଵା ଖାଲ ସ୍ଥାନକୁ ଦେଖି ଏତେ ଗଭୀର ଓ ଜୀଵନ୍ତ ଵର୍ଣ୍ଣନା କଦାପି କରିପାରିଵ ନାହିଁ। ଵେଦରେ ଥିଵା ଵର୍ଣ୍ଣନା କୌଣସି ଶୁଣା କଥା ନୁହେଁ ଵରଂ ନିଜ ଆଖିରେ ଦେଖିଥିଵା ଏକ ପ୍ରାକୃତିକ ସତ୍ୟର ନିଚ୍ଛକ ଚିତ୍ରଣ ଅଟେ। ଯେଉଁ ଋଷିମାନେ ଋଗ୍ଵେଦର ରଚନା କରିଥିଲେ, ସେମାନେ ନିଶ୍ଚିତ ରୂପେ ସେତେବେଳେ ଜୀଵିତ ଥିଲେ ଯେତେବେଳେ ସରସ୍ୱତୀ ନଦୀ ନିଜର ପୂର୍ଣ୍ଣ ଯୌଵନରେ ଥିଲା ଏଵଂ ସମୁଦ୍ର ସହିତ ମିଶୁଥିଲା। ଯେହେତୁ ନଦୀଟି ଖ୍ରୀଷ୍ଟପୂର୍ଵ ୧୯୦୦ ବେଳକୁ ସମ୍ପୂର୍ଣ୍ଣ ଶୁଖିଯାଇଥିଲା ଏଵଂ ତା'ର ଶୁଖିଵା ପ୍ରକ୍ରିୟା ଖ୍ରୀଷ୍ଟପୂର୍ଵ ୩୦୦୦ରୁ ଆରମ୍ଭ ହୋଇଥିଲା, ତେଣୁ ଋଗ୍ଵେଦର ରଚନା କାଳ ନିଶ୍ଚିତ ଭାବରେ ଖ୍ରୀଷ୍ଟପୂର୍ଵ ଦୁଇ ହଜାରରୁ ଅନେକ ପୂର୍ଵରୁ ଅର୍ଥାତ୍ ଅତି କମ୍ରେ ଖ୍ରୀଷ୍ଟପୂର୍ଵ ତିନି ହଜାର କିମ୍ବା ତା'ଠାରୁ ମଧ୍ୟ ପୁରୁଣା ହୋଇଥିଵ। ସେହି ସମୟରେ ହିଁ ସରସ୍ୱତୀ ଏକ ଵିରାଟ ଜଳରାଶି ହୋଇ ସମୁଦ୍ରକୁ ଯାଉଥିଲା। ଏହି ଗୋଟିଏ ପ୍ରତ୍ନତାତ୍ତ୍ୱିକ ଓ ଭୂତାତ୍ତ୍ୱିକ ସତ୍ୟ ସମ୍ପୂର୍ଣ୍ଣ ଆର୍ଯ୍ୟ ଆକ୍ରମଣ ତତ୍ତ୍ୱକୁ ମୂଳରୁ ଉପାଡ଼ି ଫିଙ୍ଗିଦିଏ। ଏହା ପ୍ରମାଣ କରେ ଯେ ଖ୍ରୀଷ୍ଟପୂର୍ଵ ୧୫୦୦ ବାହାରୁ ଆସି କେହି ଵେଦ ରଚନା କରିନଥିଲେ। ଵେଦଗୁଡ଼ିକର ରଚନା ଭାରତ ଵର୍ଷର ମାଟିରେ ହିଁ ହୋଇଥିଲା ଏଵଂ ତାହା ମଧ୍ୟ ସେହି ସମୟରେ ଯେତେବେଳେ ସରସ୍ୱତୀ ନଦୀ ଉପତ୍ୟକା ଜୀଵନ୍ତ ଓ ଶସ୍ୟଶ୍ୟାମଳା ଥିଲା। ଏହା ଵ୍ୟତୀତ ପ୍ରତ୍ନତାତ୍ତ୍ୱିକ ଖନନ ମଧ୍ୟ ଏହି ନୂତନ କାଳକ୍ରମକୁ ଦୃଢ଼ ସମର୍ଥନ କରେ। ପ୍ରଥମେ ପ୍ରଥମେ ଯେତେବେଳେ ମୋହେଞ୍ଜୋଦାରୋ ଓ ହରପ୍ପା ସହର ଆଵିଷ୍କୃତ ହୋଇଥିଲା, ସେତେବେଳେ ଐତିହାସିକମାନେ ଭାବିଥିଲେ ଯେ ଏହି ସଭ୍ୟତା କେଵଳ ସିନ୍ଧୁ ନଦୀ କୂଳରେ ସୀମିତ ଥିଲା। କିନ୍ତୁ ଗତ କିଛି ଦଶନ୍ଧି ମଧ୍ୟରେ ଭାରତୀୟ ପୁରାତତ୍ତ୍ୱ ଵିଭାଗ ଦ୍ୱାରା କରାଯାଇଥିଵା ଵ୍ୟାପକ ଖନନରୁ ଜଣାପଡ଼ିଛି ଯେ ଏହି ସଭ୍ୟତାର ଶତକଡ଼ା ଅଶୀ ଭାଗରୁ ଅଧିକ ସ୍ଥାନ ସିନ୍ଧୁ ନଦୀ କୂଳରେ ନୁହେଁ ଵରଂ ଘାଗର-ହାକ୍ରା ଅର୍ଥାତ୍ ସରସ୍ୱତୀ ନଦୀର ଶୁଖିଲା ଅଵଵାହିକାରେ ରହିଛି। ରାକ୍ଷୀଗଢ଼ୀ, ଧୋଲାବିରା, ବନାୱାଲୀ ଓ କାଲିବାଙ୍ଗା ଭଳି ପ୍ରମୁଖ ପ୍ରାଚୀନ ମହାନଗରଗୁଡ଼ିକ ସରସ୍ୱତୀ ନଦୀ ପ୍ରଣାଳୀର କୂଳରେ ହିଁ ଗଢ଼ି ଉଠିଥିଲା। ଏହି କାରଣରୁ ଏବେ ଅନେକ ଵିଦ୍ୱାନ ଏହାକୁ କେଵଳ ସିନ୍ଧୁ ସଭ୍ୟତା ନକହି 'ସିନ୍ଧୁ-ସରସ୍ୱତୀ ସଭ୍ୟତା' ବୋଲି ନାମକରଣ କରିଛନ୍ତି। ଏହି ସଭ୍ୟତାର ପରିପକ୍ୱ ସମୟ ଖ୍ରୀଷ୍ଟପୂର୍ଵ ଛବିଶ ଶହରୁ ଖ୍ରୀଷ୍ଟପୂର୍ଵ ଉଣେଇଶ ଶହ ମଧ୍ୟରେ ବୋଲି ନିର୍ଦ୍ଧାରଣ କରାଯାଇଛି।
ଆଶ୍ଚର୍ଯ୍ୟର କଥା ହେଉଛି, ଯେଉଁ ସମୟରେ ସରସ୍ୱତୀ ନଦୀ ଶୁଖିଵାକୁ ଲାଗିଲା ଅର୍ଥାତ୍ ଖ୍ରୀଷ୍ଟପୂର୍ଵ ଉଣେଇଶ ଶହ ଆଖପାଖରେ, ଠିକ୍ ସେହି ସମୟରେ ହିଁ ସିନ୍ଧୁ-ସରସ୍ୱତୀ ସଭ୍ୟତାର ପତନ ମଧ୍ୟ ଆରମ୍ଭ ହୋଇଥିଲା।
ନଦୀ ଶୁଖିଯିବା କାରଣରୁ ପାନୀୟ ଜଳ ଓ କୃଷି ପାଇଁ ଘୋର ଅଭାବ ସୃଷ୍ଟି ହେଲା। ଜୀଵନ ଧାରଣ ଅସମ୍ଭଵ ହୋଇପଡ଼ିଵାରୁ ସେହି ଅଞ୍ଚଳର ଲୋକମାନେ ନିଜର ଵିଶାଳ ନଗରୀଗୁଡ଼ିକୁ ପରିତ୍ୟାଗ କରି ପୂର୍ଵ ଦିଗରେ ଗଙ୍ଗା-ଯମୁନା ଅଵଵାହିକା ଆଡ଼କୁ ଏଵଂ ଦକ୍ଷିଣ ଦିଗରେ ଗୁଜରାଟ ଆଡ଼କୁ ସ୍ଥାନାନ୍ତରିତ ହେଵାକୁ ବାଧ୍ୟ ହେଲେ। ଏହି ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଭୂତାତ୍ତ୍ୱିକ ପ୍ରମାଣ ସହିତ ସମ୍ପୂର୍ଣ୍ଣ ରୂପେ ଖାପ ଖାଉଛି। ଏହା ପ୍ରମାଣ କରୁଛି ଯେ ଯେଉଁମାନେ ସିନ୍ଧୁ-ସରସ୍ୱତୀ ସଭ୍ୟତାର ନିର୍ମାତା ଥିଲେ, ସେମାନେ ହିଁ ସେହି ଵୈଦିକ ଆର୍ଯ୍ୟ ଥିଲେ ଯେଉଁମାନେ ସରସ୍ୱତୀ କୂଳରେ ରହି ଵେଦ ରଚନା କରିଥିଲେ। ସେମାନଙ୍କର ସଭ୍ୟତା କୌଣସି ଵିଦେଶୀ ଆକ୍ରମଣକାରୀଙ୍କ ଦ୍ୱାରା ଧ୍ୱଂସ ହୋଇନଥିଲା ଵରଂ ଏକ ଭୟଙ୍କର ପ୍ରାକୃତିକ ଓ ପରିଵେଶଗତ ପରିଵର୍ତ୍ତନ ବିଶେଷତଃ ସରସ୍ୱତୀ ନଦୀର ମୃତ୍ୟୁ କାରଣରୁ ଵିଲୟ ଘଟିଥିଲା।
ସରସ୍ୱତୀ ନଦୀର ଏହି କାଳକ୍ରମ କେଵଳ ଏକ ନଦୀର ଇତିହାସ ନୁହେଁ, ଏହା ହେଉଛି ସମଗ୍ର ଭାରତୀୟ ସଭ୍ୟତାର ସତ୍ୟତାକୁ ପ୍ରମାଣିତ କରିଵାର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର। ଔପନିଵେଶିକ ମାନସିକତା ରଖିଥିଵା ପାଶ୍ଚାତ୍ୟ ପଣ୍ଡିତମାନେ ଭାରତୀୟ ସଂସ୍କୃତିର ପ୍ରାଚୀନତାକୁ ନ୍ୟୁନ କରି ଦେଖାଇଵା ପାଇଁ ଵେଦର ସମୟକୁ ଖୁବ୍ ପଛକୁ ଟାଣି ଆଣିଥିଲେ ଏଵଂ ଏକ ମନଗଢ଼ା ତତ୍ତ୍ୱ ଜରିଆରେ ଆମ ସଭ୍ୟତାକୁ ଦୁଇ ଫାଳ କରିଦେଇଥିଲେ। କିନ୍ତୁ ସରସ୍ୱତୀ ନଦୀର ଶୁଖିଯିଵା ତଥ୍ୟ ସେହି ସମସ୍ତ ମିଥ୍ୟାକୁ ଖଣ୍ଡନ କରିଦେଲା। ଭୂମି ତଳେ ପୋତି ହୋଇଯାଇଥିଵା ଏକ ନଦୀ ନିଜର ଶୁଖିଲା ବାଲୁକା ଶେଯ ମାଧ୍ୟମରେ ଆଜି ସତ୍ୟର ଗୁମର ଖୋଲିଦେଇଛି। ଏହି ଯୁକ୍ତି ଅତ୍ୟନ୍ତ ସରଳ ଓ ସ୍ପଷ୍ଟ: ଏକ ଶୁଖିଲା ନଦୀକୁ ଦେଖି କେହି ତାର ଗର୍ଜନ କରୁଥିଵା ଜଳରାଶି ଉପରେ କଵିତା ଲେଖିପାରିବେ ନାହିଁ। ଋଗ୍ଵେଦର ଋଷିମାନେ ସରସ୍ୱତୀର ସେହି ରୂପକୁ ଦେଖିଥିଲେ ଯାହା ଖ୍ରୀଷ୍ଟପୂର୍ଵ ତିନି ହଜାର ସମୟରେ ଵିଦ୍ୟମାନ ଥିଲା। ତେଣୁ ଵେଦର ସୃଷ୍ଟି ଭାରତୀୟ ଉପମହାଦେଶରେ, ଭାରତୀୟମାନଙ୍କ ଦ୍ୱାରା ଏଵଂ ସିନ୍ଧୁ-ସରସ୍ୱତୀ ସଭ୍ୟତାର ଉତ୍କର୍ଷ ସମୟରେ ହିଁ ହୋଇଥିଲା। ଏହି ଵୈଜ୍ଞାନିକ ଓ ତାର୍କିକ ମତ ଦ୍ୱାରା ଆଜି ଆର୍ଯ୍ୟ ଆକ୍ରମଣ ତତ୍ତ୍ୱ ଇତିହାସର ଏକ ଭ୍ରାନ୍ତ ପୃଷ୍ଠା ହୋଇ ରହିଯାଇଛି ଏଵଂ ସରସ୍ୱତୀ ନଦୀର ସାକ୍ଷ୍ୟ ଭାରତୀୟ ସଭ୍ୟତାର ପ୍ରାଚୀନତା ଓ ନିରଵଚ୍ଛିନ୍ନତାକୁ ସମଗ୍ର ଵିଶ୍ୱ ସମ୍ମୁଖରେ ପ୍ରମାଣିତ କରିପାରିଛି।
No comments:
Post a Comment