My Blog List

Showing posts with label ଲୋକକଥା. Show all posts
Showing posts with label ଲୋକକଥା. Show all posts

Sunday, August 25, 2024

କାଳକୂଟ ପୁରାଣ

ଏଣ୍ଡୁଅ ଆଉ କାଳକୂଟ ଦୁଇଜଣ ଅନ୍ତରଙ୍ଗ ବନ୍ଧୁ ଥିଲେ । ଉଭୟଙ୍କର ଉଚ୍ଚ ଆଶା ଥିଲା ଯେ ସେମାନେ କେମିତି ଈଶ୍ଵରଙ୍କଠାରୁ ବର ପାଇ ଶକ୍ତିଶାଳୀ ହେବେ । ତେଣୁ ଉଭୟେ ଵର ପାଇଵାକୁ ଈଶ୍ୱରଙ୍କ ନିକଟକୁ ଗଲେ । ଈଶ୍ଵର ସେମାନଙ୍କ ନିଷ୍ଠା ପରୀକ୍ଷା କରିଵା ପାଇଁ କହିଲେ ମୋତେ ଭାରି ଶୋଷ ,ଯିଏ ପାଣି ଆଣି ଦଵ ତାକୁ ମୁଁ ଇଚ୍ଛା ଅନୁସାରେ ଶକ୍ତି ଦେବି । ଏଣ୍ଡୁଅ ଆଉ କାଳକୂଟ ଜଳ ଯୋଗାଡ଼ରେ ଲାଗିଗଲେ । ଏଣ୍ଡୁଅ ଅତି ବୁଦ୍ଧି ଖଟେଇ ଗୋଟେ ଚଉପତାରେ ନିଜ ମୁତ୍ରକୁ ସଂଗ୍ରହ କରି ତାକୁ ଆଣି ଈଶ୍ୱରଙ୍କୁ ଦେଲା । ଈଶ୍ଵର ତାହା ମୁତ୍ର ଜାଣିପାରି ଅଭିଶାପ ଦେଲେ ଏଣିକି ଏଣ୍ଡୁଅ ଆତ୍ମରକ୍ଷା ପାଇଁ ନିଜର ସବୁ ବୁଦ୍ଧି ଖଟେଇଵ ‌। ଏଣ୍ଡୁଅ ସେଇ ଦିନଠାରୁ ଆଜି ଯାଏଁ ଵିପଦ ଦେଖିଲେ ସେଥିରୁ ମୁକୁଳିଵାକୁ ମୁଣ୍ଡ ଟୁଙ୍ଗାରି ବୁଦ୍ଧି ବାହାର କରୁଛି । 

ଏଣେ କାଳକୂଟ ଚାରି ଆଡ଼େ ବୁଲି ବୁଲି ଘାସ ଉପରେ ଓ ସାରୁଗଛ ପତ୍ର ଉପରେ ଥିଵା ଜଳକୁ ଚଉପତାରେ ସଂଗହ କରି ଆଣି ଈଶ୍ୱରଙ୍କୁ ପିଇଵାକୁ ଦେଲା । ଈଶ୍ଵର କାଳକୂଟର ସେଵାଭାଵ ଦେଖି ପ୍ରସନ୍ନ ହୋଇ ଵର ଯାଚିଲେ । କାଳକୂଟ କହିଲା ପ୍ରଭୁ ମୁଁ ଗୋଟିଏ ନିରୀହ ଜୀଵ ସମସ୍ତେ ମୋତେ ମାରି ଖାଇଯାଆନ୍ତି ତେଣୁ ଆପଣ ମୋର ସାରା ଶରୀର ଵିଷଵତ୍ କରିଦିଅନ୍ତୁ । ଭଗଵାନ ଟିକେ ଭାବି ତାକୁ ତଥାସ୍ତୁ କହି ଵର ଦେଇଦେଲେ । ତାପରେ କାଳକୂଟ ଦିନା କେତେ ଥିର୍ ଥାର୍ କରି ରହିଲା ତାପରେ ମଣିଷ ବିଲେଇ କୁକୁର ବାଘ ହରିଣ ମାଛ ଷଣ୍ଢ ଯାହାକୁ ପାଇଲା କାମୁଡି଼ ଗୋଡ଼ାଇଲା । କାଳକୂଟର ଏତେ ଅହଂକାର ହୋଇଗଲା ଯେ ସେ ଭାବିଲା ମୁଁ ହିଁ ହର୍ତ୍ତାକର୍ତ୍ତା ଦୈଵ ଵିଧାତା ।‌ କାଳକୂଟର ଏତାଦୃଶ ଅହଂ ଅସ୍ମିତା ଦେଖି ଭଗଵାନ ତାହାର ସ୍ମୃତି ଲୋପ କରାଇଦେଲେ ଏଵଂ ଗୁପ୍ତରେ ତା ଲାଙ୍ଗୁଡ଼ରେ 'କାଲି' ଏହି ଶବ୍ଦ ଲେଖି ଦେଲେ । କାଳକୂଟ ମର୍ତ୍ତ୍ୟଲୋକକୁ ଫେରି କାହାକୁ କାମୁଡ଼ିଵାକୁ ଗଲା ବେଳେ ପଛକୁ ଲାଙ୍ଗୁଡ଼ ଆଡ଼କୁ ଚାହିଁ ଦେଇ 'କାଲି କାମୁଡ଼ିଵି' ବୋଲି ଲେଖା ହୋଇଛି ଦେଖି କାମୁଡ଼ିଲା ନାହିଁ ଓ ପ୍ରତିଦିନ ଏହିପରି 'କାଲି' 'କାଲି' କରି ଆଦୌ କାହାକୁ କେବେବି କାମୁଡ଼ିପାରିଲା ନାହିଁ। କାଳକ୍ରମେ ସେଇ କାଳକୂଟର ଚମ୍ପେଇନେଉଳ,ତେଲଗୁଣି ସାପ ଆଦି ଅନେକ ଛୁଆ ହେଲେ କିନ୍ତୁ ପୂର୍ଵଜଙ୍କୁ ମିଳିଥିଵା ଅଭିଶାପ ଯୋଗୁଁ ଵିଷହୀନ ରହିଲେ । 


(ଏହି ଲୋକକଥା ଆଧାରରେ ଓଡ଼ିଆ ଭାଷାରେ ''ଚମ୍ପେଇ ନେଉଳି 'କାଲି' କରିଵା" ପ୍ରବଚନଟିଏ ଚଳୁଅଛି । ଯେକୈଣସି କାର୍ଯ୍ୟ କରିଵାକୁ ଯାଇଁ ପ୍ରତିଦିନ 'କାଲି' କରିବି 'କାଲି' କରିବି ବୋଲି ଯେ କହେ ଓ ଆଦୌ ସେ କରି ପାରେ ନାହିଁ ସେ କ୍ଷେତ୍ରରେ ଏହି ପ୍ରଵଚନ ପ୍ରୟୋଗ କରାଯାଏ ।‌)
•••••••••••••••••••••••••
ଚମ୍ପେଇନେଉଳ : ଇଂରାଜୀ ଭାଷାରେ ଚମ୍ପେଇନେଉଳକୁ skink କୁହନ୍ତି । ଚମ୍ପେଇନେଉଳ Scincidae କୁଳର ଜୀଵ ଏଵଂ ଏହି କୁଳରେ ଶହେରୁ ଅଧିକ ବଂଶ ତଥା ୧୫୦୦ରୁ ଅଧିକ ଜାତିର ଚମ୍ପେଇନେଉଳ ଅଛନ୍ତି। Scincidae ଚମ୍ପେଇନେଉଳ କୁଳକୁ ସାତୋଟି ଉପକୁଳରେ ଵିଭକ୍ତ କରାଯାଇଛି । ଏହି ଉପକୁଳଗୁଡ଼ିକ ମଧ୍ୟରେ Acontinae ଉପକୁଳରେ ପଦହୀନ ସର୍ପ ସାଦୃଶ୍ୟ ତେଲୁଗୁଣି ସାପ ଵା ତେଲୁଗୁଣିଆ ଚମ୍ପେଇ ଅଛନ୍ତି। Egerniinae ଉପକୁଳରେ ଵିଭିନ୍ନ ଜାତୀୟ ରୂପରଙ୍ଗର ଚମ୍ପେଇ ଅଛନ୍ତି। Eugongylinae ଉପକୁଳରେ ଲମ୍ବା ଲାଞ୍ଜଯୁକ୍ତ ଚମ୍ପେଇ ଅଛନ୍ତି। 
Lygosominae ଉପକୁଳରେ ଆମ ଗାଆଁ ଗଣ୍ଡାରେ ଦେଖାଯାଉଥିଵା ଭାରତୀୟ ଚମ୍ପେଇନେଉଳ ଅଛନ୍ତି। 
Mabuyinae ଓ Scincinae ଉପକୁଳରେ ନାନାରଙ୍ଗର ଚମ୍ପେଇ ଅଛନ୍ତି।Sphenomorphinae ଉପକୁଳରେ କାଳକୂଟ ନାମରେ ଜଣାଶୁଣା ଲାଲ ଲାଞ୍ଜିଆ ଚମ୍ପେଇ ଅଛନ୍ତି । ମୋଟ ଉପରେ କହିଵାକୁ ଗଲେ ଝିଟିପିଟି ଜାତୀୟ ଜୀଵଙ୍କ ମଧ୍ୟରେ ଚମ୍ପେଇନେଉଳ କୁଳରେ ସର୍ଵାଧିକ ଵିଵିଧତା ଦେଖାଯାଇଥାଏ। 

ଵିଭିନ୍ନ ଓଡ଼ିଆ ନାମ : ଚମ୍ପେଇନେଉଳର ଓଡ଼ିଶାରେ ଅନେକ ନାମ ଅଛି ଯଥା : ଚମ୍ପେଇନୁଳି, ଚମ୍ପେଇନେଉଳି,ଚେମ୍ପରୁଳି,ଚମ୍ପେଇନଲି,ଚମ୍ପାନାଉଳି,ଚମ୍ପେଇନାଳୀ,ଚେମ୍ପେଇରୁଳି,ଘିର୍‌ଲିଖା,ହାଉଳି,ଆଉଲି,କାଳକୁଟ,କାଲକୁତ,ଗିରୋଳ,ଗେରୁଲ,ଗିଲର୍,ଗିଲ,ଗିହ୍ଲ,ଘିରଲୋ,ବଳଦଲୁକାନି,କେତରାଳି,କେତ୍ରା,କେତ୍ରି,କେଲ୍ କେତ୍ରା ଓ କେତେରା ଇତ୍ୟାଦି ଇତ୍ୟାଦି 

ଵିଷାକ୍ତ ? : ପ୍ରକୃତରେ ମନୁଷ୍ୟମାନଙ୍କ ପାଇଁ ଚମ୍ପେଇନେଉଳି ଵିଷାକ୍ତ ନୁହେଁ ତେବେ ଏ ଜୀଵ ନିଜ ଶିକାରକୁ ସମ୍ପୂର୍ଣ୍ଣ ଗିଳିଵା ଆଗରୁ କାମୁଡ଼ିଥାଏ ବୋଧହୁଏ ସେଥିପାଇଁ ମନୁଷ୍ୟମାନଙ୍କ ମଧ୍ୟରେ ଏ ଜୀଵ ଵିଷାକ୍ତ ବୋଲି ଏକ ଭ୍ରମ ଧାରଣା ଜାତ ହୋଇଥିଲା ଏଵଂ ତତ୍ ଆଧାରରେ ପରେ ଏଭଳି ଏକ କାହାଣୀ ପ୍ରଚଳିତ ହୋଇଛି । 

ଏଣ୍ଡୁଅ କାହିଁକି ମୁଣ୍ଡ ଟୁଙ୍ଗାରିଥାଏ : ନିଜର ଦୃଷ୍ଟିଶକ୍ତିକୁ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ କେନ୍ଦ୍ରିତ କରିଵାକୁ, ଅନ୍ୟାନ୍ୟ ଏଣ୍ଡୁଅ ସହିତ ଯୋଗାଯୋଗ ସ୍ଥାପନ ପାଇଁ,ଗତି କଲାବେଳେ ଶରୀରର ସନ୍ତୁଳନ ରକ୍ଷା କରିଵା ତଥା ଶିକାର କିମ୍ବା ଶିକାରୀର ଦୂରତା ଆକଳନ ଆଦି ଅନେକ କାରଣ ହେତୁ ଏଣ୍ଡୁଅ ମୁଣ୍ଡ ଟୁଙ୍ଗାରିଥାଏ । 

ଲୋକକଥା : କେରଳ, ତାମିଲନାଡୁ,କର୍ଣ୍ଣାଟକ,ଅଵିଭକ୍ତ ଆନ୍ଧ୍ର,ଓଡ଼ିଶା ଓ ଏହାର ହୃତ ଵିଚ୍ଛିନ୍ନାଞ୍ଚଳରେ ଏହି ଲୋକକଥାଟି ସାମାନ୍ୟ ସାମାନ୍ୟ ପରିଵର୍ତ୍ତନ ସହିତ ଲୋକମୁଖରେ ପ୍ରଚଳିତ। କେରଳରେ ଚମ୍ପେଇନେଉଳିକୁ 'ଅରଣ' କୁହନ୍ତି,ଏ ଅଞ୍ଚଳର ଲୋକକଥା ଅନୁସାରେ ଚମ୍ପେଇନେଉଳି ସମସ୍ତଙ୍କୁ କାମୁଡ଼ି ଗୋଡ଼ାଇଵାରୁ ଭଗଵାନ ତାହାର ସ୍ମୃତି ଲୋପ କରିଦେଲେ ଫଳତଃ ସେ କାମୁଡ଼ିଵା ହିଁ ଭୁଲିଗଲା ।

Tuesday, October 10, 2023

ଷଣ୍ଢ ଓ ନଵାବ

ଥରେ ବଙ୍ଗର ନଵାବ, ରାଜା କୃଷ୍ଣଚନ୍ଦ୍ରଙ୍କ ରାଜ୍ଯକୁ ଗଲେ ଏଵଂ ରାଜଧାନୀରେ ନିଜର ଛାଉଣୀ ଲଗାଇଲେ। କିଛି ସମୟ ପରେ ସେହି ଛାଉଣୀ ଆଡ଼କୁ ଗୋଟେ ମୋଟା ଷଣ୍ଢ ଆସିଲା। ନଵାବ ନିଜର ସିପାହୀମାନଙ୍କ ଦ୍ଵାରା ଷଣ୍ଢକୁ ଧରାଇ ସେଦିନ ଦିନ ରାତିରେ ତାକୁ ମାରିକରି ତାହାର ମାଂସ ରନ୍ଧନ କରିଵାକୁ ରଷେଇଆକୁ ଆଦେଶ ଦେଇ ଦେଲେ । 

କିଛି କ୍ଷଣରେ ଏହି ଦୁର୍ଘଟଣାର ସମ୍ବାଦ ରାଜା କୃଷ୍ଣଚନ୍ଦ୍ରଙ୍କୁ ଜ୍ଞାତ ହେଲା । ସେ ଗହନ ଚିନ୍ତାରେ ପଡ଼ି ଗଲେ। ରାଜା ନିଜ ପିତାଙ୍କ ଶ୍ରାଦ୍ଧ ଦିନ ସେହି ଷଣ୍ଢ ଉପରେ ମୋହର ଲଗାଇ ତାକୁ ଛାଡ଼ି ଦେଇଥିଲେ ‌ କିନ୍ତୁ ଦୁର୍ଭାଗ୍ୟକୁ ଏବେ ତାହା ନଵାବ ଓ ତାଙ୍କ ଲୋକଙ୍କ ଖାଦ୍ୟ ହେଵାକୁ ଯାଉଛି ! 

ରାଜା ଚିନ୍ତିତ ଥିଵା ଦେଖି ଵିଦୂଷକ ଗୋପାଳ କାରଣ ଜାଣି ନଵାବଙ୍କୁ ଭେଟିଵାକୁ ଛାଉଣୀକୁ ଗଲେ ଏଵଂ ତାଙ୍କୁ କହିଲେ —“ହଜୂର, ମୁଁ ଆମର ନଗ୍ର ପକ୍ଷରୁ ଆପଣଙ୍କ ପ୍ରତି କୃତଜ୍ଞତା ପ୍ରକଟ କରିଵାକୁ ଆସିଅଛି। ସେ ଷଣ୍ଢକୁ ମାରିଦେଲେ ଆମ୍ଭମାନଙ୍କର ବହୁତ ଉପକାର ହେଵ । ସେହି ମୋଟୁଆ ଷଣ୍ଢଟା ଆମ୍ଭମାନଙ୍କର ଘର ବାଡ଼ିରେ ପଶି ଯାହା ତ ଉଦୁରୁମତା ହେଵା କଥା ହେଉଛି ପୁଣି ଲୋକେ ପୋଖରୀ ପାଣି ଗଲାବେଳେ ତାଙ୍କୁ ମାରି ଗୋଡ଼ାଇ ତାଙ୍କର ଵିଷ୍ଟା ଭକ୍ଷଣ କରିଵାକୁ ବି ପଛାଉ ନାହିଁ । ରାଜାଙ୍କ ଷଣ୍ଢ ବୋଲି ସିନା ଆମ୍ଭେମାନେ ୟାକୁ କିଛି କରିପାରୁନଥିଲୁ କିନ୍ତୁ ଆପଣ ତାକୁ ଉପଯୁକ୍ତ ଶାସ୍ତି ଦେଇ ଆମ୍ଭମାନଙ୍କ ପ୍ରତି ଅଶେଷ ଉପକାର କରୁଛନ୍ତି ।”

ନଵାବ ଯେମିତି ଜାଣିଲେ ଷଣ୍ଢଟା ଗୋଟାଏ ଵିଷ୍ଟାଖିଆ ଜୀଵ ସେ ଏକବାରେ(ହଠାତ୍) ନାକ ଟେକି ଛି ଛି କହି ସେ ଷଣ୍ଢକୁ ଛାଡ଼ି ଦେଵାକୁ ଆଦେଶ ଦେଲେ ‌।

ଏଣେ ରାଜା କୃଷ୍ଣଚନ୍ଦ୍ର ଯେତେବେଳେ ଗୋପାଳଙ୍କର ବୁଦ୍ଧିମତା ଜାଣିଲେ ସେ ତାଙ୍କୁ ଅନେକ ପୁରସ୍କାର ଦେଲେ । 
•••••••••••••••••••••••••••••


Sunday, September 17, 2023

•ତାରକାଙ୍କ ମଧ୍ୟରେ ମହାନାୟକ : ଧ୍ରୁଵତାରା(ଶିଶିର ସାହୁ ମନୋଜ)•


ଧ୍ରୁଵତାରା ଵା Polaris ଉତ୍ତର ଧ୍ରୁଵର ନିକଟରେ ଅଵସ୍ଥିତ ଥିଵାରୁ ଏହା ଏକ ନିଶ୍ଚଳ ତାରକା ପ୍ରତିଭାତ ହୋଇଥାଏ ସେଥିପାଇଁ ଭାରତୀୟମାନେ ଏହି ତାରକାର ନାମ ଧ୍ରୁ ଧାତୁରୁ ସ୍ଥିର ହେଵା ଅର୍ଥରେ ନିଷ୍ପନ୍ନ କରି ଧ୍ରୁଵ ଦେଇଥିଲେ । ଏହା ସର୍ଵଦା ସ୍ଥିର ଜଣାପଡ଼େ ଫଳତଃ ସହସ୍ରାଧିକ ଵର୍ଷ ଧରି ଏହାକୁ ଦେଖି ଅକୂଳ ସମୁଦ୍ରରେ ଓ ମରୁଭୂମିରେ ନାଵିକ ତଥା ପଥିକମାନେ ରାତିରେ ଦିଗ ଓ ଗନ୍ତଵ୍ୟ ପଥ ନିର୍ଣ୍ଣୟ କରି ଆସୁଛନ୍ତି । ପ୍ରାଚୀନ କାଳରେ ଧ୍ରୁଵତାରା ଅଧିକ ମହତ୍ତ୍ବପୂର୍ଣ୍ଣ ଥିଲା କାରଣ ଆଜି ଭଳି ସେ ଯୁଗରେ ପଥିକ ନାଵିକ ପାଇଁ ଦିଗ ନିର୍ଣ୍ଣୟ ହେତୁକ ଏତେ ଯାନ୍ତ୍ରିକ ସୁଵିଧା ସୁଯୋଗ ନଥିଲା । ସେଥିପାଇଁ କ୍ରମେ ଧ୍ରୁଵତାରାକୁ ସାଂସ୍କୃତିକ ମହତ୍ତ୍ଵ ମଧ୍ୟ ମିଳିଲା । ଭାରତରେ ଧ୍ରୁଵତାରାକୁ ନେଇ ଏକ ପୌରାଣିକ ଆଖ୍ୟାନ ରହିଛି ‌। 

ଉତ୍ତାନପାଦ ରାଜାଙ୍କର ପୁତ୍ର ଧ୍ରୁଵ ଜଣେ ପରମଵୈଷ୍ଣଵ ଭକ୍ତବାଳକ ଭାବେ ଭାରତରେ ଜଣାଶୁଣା । କୁହାଯାଏ ଏହି ଵିଷ୍ଣୁଭକ୍ତ ଧ୍ରୁଵ ଧ୍ରୁଵଯୋଗରେ ଜନ୍ମଗ୍ରହଣ କରିଥିଲେ ‌ । ଭାରତୀୟ ପୁରାଣଗାଥା ଅନୁସାରେ ସ୍ଵୟଂଭୂଵ ମନୁଙ୍କର ପୁତ୍ର ଉତ୍ତାନପାଦ ରାଜା ତାଙ୍କ କନିଷ୍ଠା ପତ୍ନୀ ସୁରୁଚିଙ୍କ ପ୍ରେରଣାରେ ତାଙ୍କର ପ୍ରଥମା ରାଣୀ ସୁନୀତିଙ୍କୁ ଵନକୁ ନିର୍ଵାସିତ କଲେ। ସୁନୀତିଙ୍କର ଵନଵାସ ସମୟରେ ଦିନେ ରାଜା ମୃଗୟାକୁ ଯାଇଥିଲେ। ସେ ପଥଭ୍ରଷ୍ଟ ହୋଇ ସୁନୀତିଙ୍କ କୁଟୀରରେ ପହଞ୍ଚିଲେ; ରାଜା ସୁନୀତିଙ୍କୁ ଆପଣା ରାଣୀ ବୋଲି ସେତେବେଳେ ଚିହ୍ନି ପାରି ନ ଥିଲେ; କିନ୍ତୁ ସୁନୀତି ରାଜାଙ୍କୁ ନିଜର ସ୍ୱାମୀ ବୋଲି ଚିହ୍ନିଲେ ଓ ତାଙ୍କୁ ଆଶ୍ରୟ ଦେଇ ଖୁବ୍ ଆଦର ଓ ସତ୍କାର କଲେ। ରାଜା ସୁନୀତିଙ୍କ କୁଟୀରରେ ଏକ ରାତ୍ର ରହିଲେ। ତତ୍ ଫଳରେ ସୁନୀତି ଗର୍ଭଵତୀ ହୋଇ ଧ୍ରୁଵଙ୍କୁ ଜନ୍ମ ଦେଲେ । ରାଜା ପରଦିନ ରାଜଧାନୀକୁ ଚାଲି ଆସିଲେ। ରାଜା ସୁନୀତିଙ୍କୁ ଭେଟିଵା ସମୟରେ ତାଙ୍କୁ ଗୋଟିଏ ଅଭିଜ୍ଞାନ ଵା ସନ୍ତକ ଦେଇଥିଲେ; ସୁନୀତି ତାହା ଧ୍ରୁଵଙ୍କ ହାତରେ ଦେଇ ତାହାଙ୍କୁ ପିତାଙ୍କ ନିକଟକୁ ପଠାଇଲେ। ରାଜା ଉକ୍ତ ସନ୍ତକ ଦେଖି ଧ୍ରୁଵଙ୍କୁ ଆପଣା ପୁତ୍ର ବୋଲି ଜାଣି କୋଳରେ ବସାଇଥିଵା ସମୟରେ ଵିମାତା ସୁରୁଚି ତାହା ଦେଖି ରାଜାଙ୍କୁ ତିରସ୍କାର କଲେ ଏଵଂ ଧ୍ରୁବଙ୍କୁ ରାଜପୁରରୁ ତଡ଼ିଦେଲେ। ଧ୍ରୁଵ ଲାଞ୍ଛନା ପାଇ ଵନକୁ ଫେରି ଆସି ମାତା ସୁନୀତିଙ୍କୁ ଏ କଥା କହିଵାରୁ ସେ ତାଙ୍କୁ ସାନ୍ତ୍ୱନା ଦେଇ କହିଲେ, "ଭଗଵାନ୍ ଦୁଃଖୀର ଦୁଃଖ ଦୂର କରନ୍ତି।" ବାଳକ ଧ୍ରୁଵ ପଚାରିଲେ, "ଭଗଵାନ କାହାନ୍ତି?" ମାତା କହିଲେ, "ସେ ସବୁଠାରେ ଅଛନ୍ତି। ତାଙ୍କୁ ଯେ ଡାକେ ସେ ତା ଦୁଃଖ ଦୂର କରନ୍ତି ଓ ତାକୁ ଦେଖା ଦିଅନ୍ତି।" ବାଳକ ଧ୍ରୁଵ ମାତାଙ୍କଠାରୁ ଏହା ଶୁଣି ଅରଣ୍ୟକୁ ଯାଇ ଏକାନ୍ତଚିତ୍ତରେ ହରିଙ୍କୁ ଡାକିଲେ। ହରି ବାଳକର ଭକ୍ତିରେ ଵିଗଳିତ ହୋଇ ତାଙ୍କୁ ଦେଖା ଦେଲେ। ଉତ୍ତରଦିଗର ଆକାଶରେ ଦେଖା ଯାଉଥିଵା ଧ୍ରୁବ ନକ୍ଷତ୍ରହିଁ ଏହି ଧ୍ରୁଵ ବୋଲି ସନାତନୀମାନେ ଵିଶ୍ୱାସ କରନ୍ତି । 

ଧ୍ରୁଵତାରାର ଭାରତୀୟ ସନାତନୀ ସଂସ୍କୃତିରେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଗୃହ୍ୟସୂତ୍ରମାନଙ୍କରେ ଵିଵାହର ୧୩ ଗୋଟି ଅଙ୍ଗ ଉଲ୍ଲିଖିତ ଅଛି; ଯଥା—ପାଣିଗ୍ରହଣ, ଵିଵାହ ହୋମ, ଲାଜା ହୋମ, ଅଶ୍ମାରୋହଣ, ସପ୍ତପଦୀ, ଧ୍ରୁଵଦର୍ଶନ, ଯାନାରୋହଣ, ଵିଵାହାଗ୍ନୀକୁ ସଙ୍ଗରେ ନେଇ ଗମନ, ଗୃହପ୍ରଵେଶ, ଚତୁର୍ଥୀ କର୍ମ, ଗୃହାଗ୍ନୀପରିଚରଣ, ପକ୍ଷାଦିରେ ସ୍ଥାଳୀପାକ ଓ ଗର୍ଭାଧାନ। ଵିଵାହର ଏହି ତେରଗୋଟି ଅଙ୍ଗ ମଧ୍ୟରେ ଗୋଟିଏ ହେଉଛି ଧ୍ରୁଵ ଦର୍ଶନ । ଏହି 'ଧ୍ରୁଵଦର୍ଶନ' ସନାତନୀମାନଙ୍କ ଵିଵାହ କର୍ମକାଣ୍ଡ ଅନ୍ତର୍ଗତ ଏକ କର୍ମ, ଯହିଁରେ ମନ୍ତ୍ରପାଠପୂର୍ଵକ ଵର କନ୍ୟା ଦୁହେଁ ଧ୍ରୁଵତାରାକୁ ଦର୍ଶନ କରନ୍ତି । ନଵଵିଵାହିତ ଦମ୍ପତିଙ୍କର ପ୍ରେମ ଧ୍ରୁଵତାରା ପରି ନିଶ୍ଚଳ ରହିଵ ଏହି ଉଦ୍ଦେଶ୍ୟରେ ଧ୍ରୁଵଦର୍ଶନ କରାଯାଏ । 

ଧ୍ରୁଵଲୋକ ଓ ଧ୍ରୁଵମଣ୍ଡଳ ମଧ୍ୟ ସନାତନୀମାନଙ୍କ ପାଇଁ ଏକ ପଵିତ୍ର ସ୍ଥାନ । ଵିଷ୍ଣୁ ଭକ୍ତ ଧ୍ରୁଵଙ୍କ ପାଇଁ ନିର୍ମାଣ କରିଥିଵା ବିଷ୍ଣୁ ଲୋକର ଉପରିସ୍ଥ ସତ୍ୟଲୋକାନ୍ତର୍ଗତ ସ୍ୱର୍ଗଧାମକୁ ଧ୍ରୁଵଲୋକ କୁହାଯାଏ । ସେହିପରି ଉତ୍ତର ଦିଗରେ ଧ୍ରୁବତାରାକୁ ଲାଗି ରହିଥିଵା ସାତଗୋଟି ତାରାଯୁକ୍ତ ଶିଶୁମାର ମଣ୍ଡଳକୁ ଧ୍ରୁଵମଣ୍ଡଳ ତଥା ସପ୍ତର୍ଷିମଣ୍ଡଳକୁ ଧ୍ରୁଵଦର୍ଶକ କୁହାଯାଏ। ଭାରତୀୟ ସନାତନୀମାନେ ଵିଶ୍ଵାସ କରନ୍ତି ଯେ ଧ୍ରୁଵଙ୍କ ପରି ଅତ୍ୟନ୍ତ ପୁଣ୍ୟ ତଥା ନିଶ୍ଚଳ ଭକ୍ତି କଲେ ହିଁ ଧ୍ରୁଵଲୋକରେ ସ୍ଥାନ ମିଳେ । ଓଡ଼ିଆ ଭାଗଵତର ତ୍ରୟୋଦଶ ସ୍କନ୍ଦ ତୃତୀୟ ଅଧ୍ୟାୟରେ ଧ୍ରୁଵଲୋକ ତଥା ଵିଷ୍ଣୁଲୋକ ଵିଷୟରେ ସଂକ୍ଷେପରେ ଏମନ୍ତ ବୋଲାଯାଇଛି...

“ଧ୍ରୁଵ ଲୋକର ଯାଏ ବାଟ ।
ଯିଵା ଆସିଵା ଲୋକେ ଭେଟ ॥
ଯିଏ ସେ ତପସ୍ୟା କରଇ ।
ଧ୍ରୁଵ ମଣ୍ତଳ ଯାଏ ଯାଇ ॥
ତେଣିକି ନ ଦିଅଇ ପଥ । 
ହସି କହନ୍ତି ଜଗନ୍ନାଥ ॥
ଧ୍ରୁବ ମଣ୍ତଳ ମାପ ହୋଇ ।
ଦ୍ୱାଦଶ ଯୂଣ ପଥ କହି ॥
ସୂଚି ମୁନରେ ସରୁ ବାଟ ।
ଯିଵାକୁ ବହୁତ ସଙ୍କଟ ॥
ଚାରି ଯୋଜନ ଦ୍ୱାରେ ଯାଇ ।
ତହୁଁ ସୂକ୍ଷ୍ମ ପଥ ଅଟଇ ॥
ପୁଣି ଚାରି ଯୋଜନ ଦ୍ୱାର ।
ତହିଁରୁ ସରୁ ପଥ ତାର ॥
ତହିଁରୁ ଚାରିଯୂଣ ବାଟ । 
ଲେଶ ପ୍ରମାଣେ ପଥ କଷ୍ଟ ॥
ତେତେକ ଯହୁଁ ଗମି ଯାଇ ।
ତେବେ ମୋ ଭୁବନେ ମିଳଇ ॥
ଯେ ଭୂମି ବିସ୍ତାର ଅପାର ।
ଚୌରାଶି କାଠି ଦୀର୍ଘ ତାର ॥
ପ୍ରତି ତା ଦଶ ଲକ୍ଷ କାଠି ।
ତହିଁ ମଧ୍ୟରେ ଯେ ବଇଠି ॥
ବଇଠି ଉପରେ ମୋ ସ୍ଥାନ ।
ଠୁଳ ଆକାରେ ମୋ ଆସନ ॥”

ଭାରତଵର୍ଷର ପ୍ରାଚୀନ ସଂସ୍କୃତିରେ ଧ୍ରୁଵତାରାକୁ ଯେଉଁ ସମ୍ମାନ ମିଳିଛି ତାହା ଅନ୍ୟତ୍ର ଦେଖିଵାକୁ ମିଳେ ନାହିଁ । ଅଵଶ୍ୟ ଅନ୍ୟ ଅନେକ ସଂସ୍କୃତିରେ ଧ୍ରୁଵତାରା ସମ୍ବନ୍ଧରେ ନାନା ଲୋକଗାଥା ରହିଛି କିନ୍ତୁ ଭାରତୀୟ ସଂସ୍କୃତିରେ ଯେଉଁ ଭଳି ଭାବେ ଧ୍ରୁଵତାରାକୁ ଏକ ଉଚ୍ଚ ସ୍ଥାନ ମିଳିଛି ସେଭଳି ଅନ୍ୟତ୍ର ଦେଖିଵାକୁ ମିଳିନଥାଏ । ପୃଥିଵୀର ଵିଭିନ୍ନ ସଂସ୍କୃତିରେ ଧ୍ରୁଵତାରା ସମ୍ବନ୍ଧରେ ଭିନ୍ନ ଭିନ୍ନ ଲୋକଗାଥାର ଵର୍ଣ୍ଣନା ରହିଛି । 

ଉତ୍ତର ଆମେରିକାର Paiute ଜନଜାତି ମଧ୍ୟରେ ଧ୍ରୁଵତାରାକୁ ନେଇ ଅନ୍ୟ ଏକ ଲୋକକଥା ପ୍ରଚଳିତ । Na-gah ନାମରେ ଏକ ପାର୍ଵତ୍ୟ ମେଷ ପର୍ଵତ ଚଢି଼ଵାକୁ ବଡ଼ ସୁଖ ପାଉଥିଲା ଏଵଂ ସେ ଏଥିରେ ବଡ଼ ସୁଦକ୍ଷ ମଧ୍ୟ ଥିଲା । ଫଳତଃ Na-gah ମେଷର ପିତା ସ୍ଵୟଂ ଭଗଵାନ ମଧ୍ୟ ତା'ର ଏହି କାମ ପାଇଁ ବଡ଼ ଗର୍ଵ ଅନୁଭଵ କରୁଥିଲେ । ଦିନେ ପର୍ଵତର ସେ ଏମିତି ଏକ ସ୍ଥାନ ଦେଖିଲା ଯୋଉଠିକି ପହଞ୍ଚିଵା ପ୍ରାୟତଃ କଷ୍ଟସାଧ୍ୟ କାର୍ଯ୍ୟ ତେବେ ସେ ଉତ୍ସୁକତାର ସହ ପର୍ଵତ ମଧ୍ୟରେ ଏକ ଗୁମ୍ଫା ପାଇ ତା ସାହାଯ୍ୟରେ ସେହି ଉଚ୍ଚ ସ୍ଥାନରେ ପହଞ୍ଚିଗଲା ‌। କିନ୍ତୁ ଦୁର୍ଭାଗ୍ୟଵଶତଃ Na-gah ମେଷ ଯେଉଁ ଗୁମ୍ପା ଦେଇ ପର୍ଵତ ଶୀର୍ଷରେ ପହଞ୍ଚିଥିଲା ସେହି ଗୁମ୍ପାଟି ଶୀର୍ଷ ଦେଶରେ ଅଵସ୍ଥିତ ପଥର ପଡ଼ି ନିବୁଜ ହୋଇଗଲା ଫଳତଃ ସେ ସେହିଠାରେ ଫସିଗଲା । ଏହା ଦେଖି Na-gah ମେଷର ପିତା ବଡ଼ ଦୁଃଖ କଲେ କାରଣ ତାଙ୍କ ପୁତ୍ର ଆଉ କେବେବି ସ୍ଵଦେହରେ ଫେରିଵ ନାହିଁ ତେଣୁ ସେ ତାକୁ ସବୁଦିନ ପାଇଁ ଅମର କରିଦେଵାକୁ ଉତ୍ତର ଆକାଶର ଧ୍ରୁଵ ତାରକା କରିଦେଲେ । 

ଆମେରିକାର ଲକୋଟା ଜନଜାତୀୟ ଲୋକେ ଧ୍ରୁଵତାରାକୁ "Wičháȟpi owáŋžila" କହୁଥିଲେ ଯାହାର ଆକ୍ଷରିକ ଅର୍ଥ "ସେହି ତାରା ଯିଏ ସର୍ଵଦା ସ୍ଥିର ରୁହେ" । ଲକୋଟା ଜନସୃତି ଅନୁସାରେ ଏହି ତାରା ଜଣେ ସ୍ଵର୍ଗର ଦେଵ ଥିଲେ ଯିଏ Tapun San Win(ଲାଲ୍ ଗାଲ ଵିଶିଷ୍ଟ ମହିଳା)କୁ ବାହା ହୋଇଥିଲେ । କୌଣସି କାରଣରୁ ତାଙ୍କର ପତ୍ନୀ ସ୍ବର୍ଗରୁ ପତିତ ହେଵାରୁ ପତ୍ନୀ ଵିୟୋଗ ଦୁଃଖରେ ତାକୁ ଉଣ୍ଡିଵାକୁ ସେ ସବୁବେଳେ ସ୍ଥିର ହୋଇ ତାକୁ ଏଯାଵତ୍ ଧରା ମଧ୍ୟରେ ଉଣ୍ଡୁଅଛନ୍ତି ‌ । 

ଆମେରିକାର ଇନ୍ୟୁତ୍ ଜନଜାତୀୟ ଲୋକେ ଧ୍ରୁଵତାରାକୁ Nuuttuittuq କହୁଥିଲେ ଯାହାର ଆକ୍ଷରିକ ଅର୍ଥ ସ୍ଥିରତାରା ଅଟେ । ଏହି ଜନଜାତିରେ ଧ୍ରୁଵତାରା ଓ ସପ୍ତର୍ଷିମଣ୍ଡଳକୁ ନେଇ ଏକ ଲୋକକଥା ପ୍ରଚଳିତ ଥିଲା ‌। ସାତଜଣ ଶିକାରୀ ଜଙ୍ଗଲରେ ହଜିଗଲେ ଆଉ ଘରକୁ ଯିଵାକୁ ଯେତେ ଚେଷ୍ଟା କଲେ ବି ସଫଳ ହୋଇପାରିଲେ ନାହିଁ । ବଡ଼ କଷ୍ଟରେ ରାତ୍ରି ପୂର୍ଵରୁ ସେମାନେ ଗୋଟିଏ ଗଛ ଉପରେ ଚଢ଼ିଗଲେ ଏଵଂ ସେମାନଙ୍କର ଦେଵତାଙ୍କୁ ସାହାଯ୍ୟ କରିଵାକୁ ପ୍ରାର୍ଥନା କଲେ । ହଠାତ୍ ଏକ ଛୋଟ ଝିଅ ସେଠାରେ ଉପସ୍ଥିତ ହୋଇ କହିଲା ମୋତେ ଦେଵତାମାନେ ତୁମମାନଙ୍କୁ ସାହାଯ୍ୟ କରିଵାକୁ ପଠାଇଛନ୍ତି ମୁଁ ତୁମକୁ ବାଟ କଢ଼ାଇ ଦେବି ତୁମେ ମୋ ପଛେ ପଛେ ଆସ । ସାତଜଣ ଶିକାରୀ ତାକୁ ପଚାରିଲେ ତୁମେ କିଏ ସେତେବେଳେ ଝିଅଟି କହିଲା ମୁଁ ଉତ୍ତର ଦିଗର ତାରା । ବହୁତ ଦିନ ପରେ ଯେତେବେଳେ ସେଇ ସାତଜଣ ଶିକାରୀଙ୍କର ଦେହାନ୍ତ ହୋଇଗଲା ସେମାନେ ଆକାଶରେ ତାରକା ହୋଇଗଲେ ଏଵଂ ସପ୍ତର୍ଷିମଣ୍ଡଳ ଭାବେ ପ୍ରତିଷ୍ଠିତ ହେଲେ ।
ଚୀନର ଦେଶର ପୁରାଣଗାଥାରେ ଧ୍ରୁଵତାରା ସମ୍ବନ୍ଧରେ ଏକ ରୋଚକ କଥା ରହିଛି । ଦେଵୀ "(ମ୍ୟାଡାମ୍) ଜି ଗୁଆଙ୍ଗ" ସ୍ଵର୍ଗର ଉଦ୍ୟାନକୁ ବୁଲି ଯାଇଥିଲେ । ସେ କମଳ ପୁଷ୍କରିଣୀ ପାଖରେ ଥିଵା ଉଷ୍ମ ଝରଣା ଦ୍ୱାରା ଆକର୍ଷିତ ହୋଇ ସେଠାରେ ସ୍ନାନ କଲେ, ହଠାତ୍ ଏକ ଚମତ୍କାର ଘଟଣା ଘଟିଲା ଓ ସେଠାରେ ନଅଟି ପଦ୍ମ ଦେଖାଗଲା ଏଵଂ କିଛି ସମୟ ପରେ ସେହି ନଵଗୋଟି ପଦ୍ମ ମଧ୍ୟରୁ ନଅଟି ଶିଶୁ ଉତ୍ପନ୍ନ ହେଲେ । ତା’ପରେ ସେହି ନଅ ଜଣ ପିଲା ବଡ଼ ହେଲେ । ସେମାନଙ୍କ ମଧ୍ୟରୁ ସବୁଠାରୁ ବଡ଼ ପିଲାର ନାମ Gou Cheng Xing ( 勾 城 星 ) ରଖାଗଲା ସେ ହେଲା ସ୍ଵର୍ଗର ଧ୍ରୁଵତାରା । ତାହାର ଅନ୍ୟ ଆଠଜଣ ଭାଇ Tang Lang ( 貪 狼 ), Ju Men ( 巨门 ), Lu Cun ( 路存), Wen Qu ( 文 曲 ), Lian Zhen ( 廉 貞 ), Wu Qu ( 武 曲 ) ଓ Po Jun ( 破 君 ) ସପ୍ତର୍ଷିମଣ୍ଡଳ ଭାବରେ ତାହାର ଶାସନାଧୀନ ହୋଇ ରହିଲେ । 

ଚୀନ ଦେଶର ତାଓ ଧର୍ମରେ ଧ୍ରୁଵତାରା ଓ ସପ୍ତର୍ଷିମଣ୍ଡଳର ଅଧିଷ୍ଠାତ୍ରୀ ଦେଵୀ Dǒumǔ ବୋଲି ଲୋକଵିଶ୍ଵାସ ପ୍ରଚଳିତ । ଏହାଙ୍କର ଅନ୍ୟ ଚୀନ ଦେଶୀୟ ନାମ Dǒumǔ Yuánjūn,Dòulǎo Yuánjūn,Dàomǔ ଓ Tàiyī Yuánjūn ଅଟେ । Dǒumǔଙ୍କୁ ଧ୍ରୁଵତାରାର ଦେଵୀ ( 斗 母 元 君 ) ଅଭିହିତ କରାଯାଏ । ଚୀନଦେଶରେ ଉଭୟ ତାଓ ଧର୍ମାବଲମ୍ବୀ ଓ ବୌଦ୍ଧଧର୍ମ ଗ୍ରହଣ କରିଥିଵା ଲୋକେ ଏହି ଦେଵୀଙ୍କୁ ଆରାଧନା କରିଥାନ୍ତି ‌। ଏହି ଦେଵୀ ହିଁ ସପ୍ତର୍ଷିମଣ୍ଡଳ ଓ ଧ୍ରୁଵତାରାର ଜନନୀ ଓ ନଵପୁତ୍ରଙ୍କ ମାତା ତଥା ଏହାଙ୍କର ସମ୍ପୂର୍ଣ୍ଣ ନାମ Jiu Lin Tai Miao Bai Yu Gui Tai Zu Guang Jin Jing Zu Mu Yuan Jun (九 靈 太 妙 白 玉 貴 台 祖 光 金 精 祖 母 元 君 ) ଅଟେ । ଚୀନ ଦେଶର ଲୋକେ ଧ୍ରୁଵତାରା ନିକଟରେ ଦେଵତାମାନେ ଵାସ କରୁଥିଵା ଵିଶ୍ଵାସ କରୁଥିଲେ । Ziwei Emperor ଵା Beiji Emperor ଏହି ଧ୍ରୁଵତାରାରୁ ପୃଥିଵୀର ସବୁ ଭଲ ମନ୍ଦର ଦେଖାଶୁଣା କରୁଥିଲେ । ଏଭଳି ଲୋକଵିଶ୍ଵାସ ପଛରେ ଧ୍ରୁଵତାରାର ସ୍ଥିର ଅଵସ୍ଥାନ ଏକ କାରଣ ହୋଇଥାଇପାରେ । 

ଆରବୀ ପୁରାଣଗାଥାରେ ଧ୍ରୁଵତାରାକୁ ଏହା ଏକ ଦୁଷ୍ଟ ନକ୍ଷତ୍ର ଅଭିହିତ କରାଯାଇଛି ଯିଏ ଆକାଶର ମହାନ ଯୋଦ୍ଧାଙ୍କୁ ହତ୍ୟା କରିଦେଇଥିଲା । ସେହି ମୃତ ଯୋଦ୍ଧାମାନେ ଏବେ 'Funeral Bier' ନକ୍ଷତ୍ରମଣ୍ଡଳ(ସପ୍ତର୍ଷିମଣ୍ଡଳ ଓ great bear)ର କଫିନ ମଧ୍ୟରେ ଅଛନ୍ତି 
 । ନୋର୍ସ୍ ଲୋକଗାଥାରେ ଧ୍ରୁଵତାରାକୁ ଏକ କୀଳକର ଗୋଜିଆ ଭାଗରେ ଥିଵା ତାରକା ଗଣନା କରାଯାଇଛି ଏଵଂ ଏହା ଚର୍ତୁପାଶ୍ୱର୍ରେ ସାରା ଵିଶ୍ଵର ତାରକା ପରିକ୍ରମା କରୁଛନ୍ତି । ସେହିପରି ମଙ୍ଗୋଲୀୟ ଲୋକକଥା ଅନୁସାରେ ଧ୍ରୁଵତାରା ଗୋଟିଏ ଖୁଣ୍ଟ ସଦୃଶ ବ୍ରହ୍ମାଣ୍ଡର ସମସ୍ତ ତାରକାଙ୍କୁ ଧରି ରଖିଛି । 

ଏହିପରି ଭାବେ ପୃଥିଵୀର ପ୍ରାୟ ସବୁ ସଂସ୍କୃତିରେ ଧ୍ରୁଵତାରା ସମ୍ବନ୍ଧରେ ଵିଭିନ୍ନ ଗାଥା ଓ କଥା ରହିଛି । ତେବେ ଧ୍ରୁଵ ତାରା ଵା Pole star ପ୍ରକୃତରେ ଗୋଟିଏ ତାରକାର ନାମ ନୁହେଁ ଵରଂ ଏକ ପାହ୍ୟା । ପ୍ରତି ଦୁଇରୁ ତିନି ସହସ୍ରାଧିକ ଵର୍ଷ ମଧ୍ୟରେ ଧ୍ରୁଵ ତାରା ପରିଵର୍ତ୍ତିତ ହୋଇଥାଏ ।


ଵର୍ତ୍ତମାନ ସମୟରେ ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ଧ୍ରୁଵତାରା ହେଉଛି Alpha Ursae Minoris ଵା Polaris ଯାହା ଗତ ଦୁଇ ହଜାର ଵର୍ଷ ଧରି ପୃଥିଵୀର ଧ୍ରୁଵତାରା ହୋଇ ରହିଛି । ୩୧୦୦ ଖ୍ରୀଷ୍ଟାବ୍ଦରେ Gamma Cephei ଵା Errai ନକ୍ଷତ୍ର ପୃଥିଵୀର ଧ୍ରୁଵତାରା ପାହ୍ୟା ଲାଭ କରିଵ ତେବେ ଵୈଜ୍ଞାନିକମାନଙ୍କ ଆକଳନ ଅନୁସାରେ ଏହା ଉତ୍ତର ଧ୍ରୁଵଠାରୁ ୩° ଦୂରରେ ରହିଵ । ଏହାପରେ ୫୨୦୦ ଖ୍ରୀଷ୍ଟାବ୍ଦରେ Iota Cephei ଓ ୫୯୦୦ ଖ୍ରୀଷ୍ଟାବ୍ଦରେ Beta Cephei(Alfirk) ନକ୍ଷତ୍ର ପୃଥିଵୀର ଉତ୍ତର ଧ୍ରୁଵତାରା ହେଵେ । Cepheus ନକ୍ଷତ୍ରପୁଞ୍ଜ ୭୫୦୦ ଖ୍ରୀଷ୍ଟାବ୍ଦରେ ଉତ୍ତର ଧ୍ରୁଵରେ ସବୁବେଳେ ସ୍ଥିର ରହିଥିଵା ଦେଖାଯିଵ ଏହି ନକ୍ଷତ୍ରପୁଞ୍ଜର ଉଜ୍ଜ୍ୱଳ ତାରକା Alderamin ଧ୍ରୁଵତାରା ପାହ୍ୟା ଲାଭ କରିଵ । ଏହାପରେ Alpha Cygni ଵା Deneb ୯୮୦୦ ଖ୍ରୀଷ୍ଟାବ୍ଦରେ ପୃଥିଵୀର ଉତ୍ତର ଧ୍ରୁଵତାରା ପାହ୍ୟା ଲାଭ କରିଵ । Cygnus ନକ୍ଷତ୍ରପୁଞ୍ଜର Delta Cygniଵା Fawaris ୧୧,୨୫୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ପୃଥିଵୀର ଉତ୍ତର ଧ୍ରୁଵର ଆହୁରି ନିକଟତର ହୋଇ ଧ୍ରୁଵତାରା ଭାବେ ପ୍ରତିଷ୍ଠିତ ହେଵ । Lyra ନକ୍ଷତ୍ରପୁଞ୍ଜର Vega ନକ୍ଷତ୍ର ୧୨୦୦୦ ଖ୍ରୀଷ୍ଟପୂର୍ଵରେ ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ଧ୍ରୁଵତାରା ଥିଲା ଏଵଂ ଏହା ପୁଣି ୧୪୫୦୦ ଖ୍ରୀଷ୍ଟାବ୍ଦରେ ପୃଥିଵୀର ଉତ୍ତର ଗୋଲାର୍ଦ୍ଧର ଧ୍ରୁଵତାରା ପାହ୍ୟା ଅଳଙ୍କୃତ କରିଵ ଏଵଂ ସେତେବେଳେ ଏହା ହେଵ ପୃଥିଵୀର ସବୁଠାରୁ ଉଜ୍ଵଳତମ ଧ୍ରୁଵତାରା । ଆଜକୁ ୯୦୦୦ ଖ୍ରୀଷ୍ଟପୂର୍ଵରୁ ୭୪୦୦ ଖ୍ରୀଷ୍ଟପୂର୍ଵ ପର୍ଯ୍ଯନ୍ତ Iota Herculis ନକ୍ଷତ୍ର ପୃଥିଵୀର ଉତ୍ତର ଧ୍ରୁଵତାରା ଥିଲା ଏଵଂ ପୁନଶ୍ଚ ଏହି ନକ୍ଷତ୍ର ୧୫୦୦୦ ଖ୍ରୀଷ୍ଟାବ୍ଦରେ ପୃଥିଵୀର ଧ୍ରୁଵତାରା ହୋଇ ୧୮୪୦୦ ଖ୍ରୀଷ୍ଟାବ୍ଦରେ ଉତ୍ତର ଧ୍ରୁଵଠାରୁ ମାତ୍ର ୧° ଛାଡ଼ି ଅଵସ୍ଥିତ ରହିଵ । Draco ନକ୍ଷତ୍ରପୁଞ୍ଜର Thuban ନକ୍ଷତ୍ର ଆଜକୁ ପ୍ରାୟ ୪୪୨୦ ଖ୍ରୀଷ୍ଟପୂର୍ଵଠାରୁ ୩୦୦୦ ଖ୍ରୀଷ୍ଟପୂର୍ଵ ପର୍ଯ୍ଯନ୍ତ ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ଧ୍ରୁଵତାରା ଥିଲା ଏଵଂ ଏହାପରେ Kochab ନକ୍ଷତ୍ର ଏହି ସ୍ଥାନ ଅଳଙ୍କୃତ କରିଥିଲା । ଵର୍ତ୍ତମାନର ଧ୍ରୁଵତାରା Alpha Ursae Minoris ଵା Polaris ପ୍ରାୟ ୧.୧୦୦ ଖ୍ରୀଷ୍ଟପୂର୍ଵଠାରୁ ଵର୍ତ୍ତମାନ ପର୍ଯ୍ଯନ୍ତ ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ଧ୍ରୁଵତାରା ପାହ୍ୟା ଲାଭ କରି ରହିଛି । ପ୍ରଥମେ Polaris ଉତ୍ତର ଧ୍ରୁଵଠାରୁ ୭° ଦୂରରେ ଥିଲା କିନ୍ତୁ ଵର୍ତ୍ତମାନ ଏହା ୦.୫° ଦୂରରେ ଅଵସ୍ଥିତ ଯାହା ଏହାକୁ ପୃଥିଵୀର ଏକ ଯୋଗ୍ୟ ଧ୍ରୁଵତାରା ଭାବେ ପ୍ରତିଷ୍ଠିତ କରିଥାଏ । ଆଜକୁ ବହୁତ ପରେ ୨୭,୮୦୦ ଖ୍ରୀଷ୍ଟାବ୍ଦରେ ଆଜିର ଧ୍ରୁଵତାରା Polaris ପୁଣି ପୃଥିଵୀର ଉତ୍ତର ଧ୍ରୁଵତାରା ପାହ୍ୟା ଲାଭ କରି ଅନେକ ଵର୍ଷ ପର୍ଯ୍ଯନ୍ତ ଧ୍ରୁଵତାରା ହୋଇ ରହିଵ । ପୃଥିଵୀର Axial precession ଯୋଗୁଁ ଏହାର axis rotation cycle ପ୍ରତି ୨୬୦୦୦ ଵର୍ଷରେ ଥରେ ସମ୍ପୂର୍ଣ୍ଣ ହୋଇଥାଏ ଫଳତଃ ସମୟ ସହିତ ଧ୍ରୁଵତାରାର ପାହ୍ୟା ମଧ୍ୟ ପରିଵର୍ତ୍ତିତ ହୋଇଥାଏ । 
 
ଯେମିତି ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ସୁମେରୁ ଧ୍ରୁଵତାରା ଓ ସପ୍ତର୍ଷିମଣ୍ଡଳ ଦେଖାଯାଏ ଠିକ୍ ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ ମଧ୍ୟ ଏକ ଧ୍ରୁଵତାରା ତଥା crux ତାରକାପୁଞ୍ଜ ଅଛି । ଵର୍ତ୍ତମାନ ଉତ୍ତର ଗୋଲାର୍ଦ୍ଧର ଧ୍ରୁଵତାରା ହେଉଛି Polaris (Alpha Ursae Minoris) ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ Polaris Australis (Sigma Octantis) ହେଉଛି କୁମେରୁ ଧ୍ରୁଵତାରା । ଉତ୍ତର ଗୋଲାର୍ଦ୍ଧର ଧ୍ରୁଵ ତାରାକୁ ସୌମ୍ୟ ଧ୍ରୁଵତାରା କୁହାଯାଏ ସେହିପରି ଦକ୍ଷିଣ ଧ୍ରୁଵତାରାକୁ ଯାମ୍ୟ ଧ୍ରୁଵତାରା କହିଥାନ୍ତି । ଦକ୍ଷିଣ ଦିଗଵଳୟ ତଳେ ଥିଵାରୁ ଭାରତରୁ ଏହି ଦକ୍ଷିଣୀ ଧ୍ରୁଵତାରା ଦୃଶ୍ୟ ହୁଏନାହିଁ । ଉତ୍ତର ଗୋଲାର୍ଦ୍ଧରେ ଯେମିତି ସପ୍ତର୍ଷିମଣ୍ଡଳ(big dipper)ର କ୍ରତୁ(Dubhe) ଓ ପୁଲହ(Merak )କୁ ସଂଯୁକ୍ତ କରି ଏକ କାଳ୍ପନିକ ରେଖା ଦ୍ଵାରା ଉତ୍ତର ଗୋଲାର୍ଦ୍ଧର ଧ୍ରୁଵତାରାକୁ ଠାବ କରାଯାଏ ଠିକ୍ ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ ତ୍ରିଶଙ୍କୁମଣ୍ଡଳ(Crux) ନାମକ ଏକ ତାରକାପୁଞ୍ଜର Gacrux ତାରା ଓ Acrux ତାରା ସାହାଯ୍ୟରେ ଦକ୍ଷିଣ ଗୋଲାର୍ଦ୍ଧର ଯାମ୍ୟ ଧ୍ରୁଵତାରା ପ୍ରାପ୍ତ ହୋଇଥାଏ । ଅଵଶ୍ୟ ଦକ୍ଷିଣ ଗୋଲାର୍ଦ୍ଧର ଯାମ୍ୟ ଧ୍ରୁଵତାରା ଆମ୍ଭ କ୍ରାନ୍ତିବୃତ୍ତଵାସୀମାନଙ୍କୁ(Tropical ) ଦେଖାଯାଉନଥିଲେ ବି ତ୍ରିଶଙ୍କୁମଣ୍ଡଳ(Crux)କୁ ଆମ୍ଭେମାନେ ଆକାଶରେ ଏପ୍ରିଲରୁ ଜୁନ ମାସ ମଧ୍ୟରେ ଦେଖିପାରୁଁ । ତେବେ ଉତ୍ତର ଗୋଲାର୍ଦ୍ଧରେ ଦକ୍ଷିଣ ଗୋଲାର୍ଦ୍ଧ ଅପେକ୍ଷା ଭୂଭାଗ ଅଧିକ,ଲୋକ ସଂଖ୍ୟା ଅଧିକ ଫଳତଃ ସଭ୍ୟତା ଓ ସଂସ୍କୃତିର ଵିକାଶ ଉତ୍ତର ଗୋଲାର୍ଦ୍ଧରେ ଅଧିକ ହୋଇଥିଵାରୁ ସାଧାରଣତଃ ଉତ୍ତର ଗୋଲାର୍ଦ୍ଧର ଧ୍ରୁଵତାରାକୁ ପୃଥିଵୀରେ ଅଧିକ ମହତ୍ତ୍ଵ ମିଳିଛି । ଦକ୍ଷିଣ ଗୋଲାର୍ଦ୍ଧର ଯାମ୍ୟ ଧ୍ରୁଵତାରା Sigma Octantisର magnitude +5.42 ଯୋଗୁଁ ପୁଣି ଵର୍ତ୍ତମାନର ଆଲୋକ ପ୍ରଦୂଷଣ ହେତୁ ଏହା ଉତ୍ତର ଗୋଲାର୍ଦ୍ଧର ଧ୍ରୁଵତାରା Polaris ଅପେକ୍ଷା ଖାଲିଆଖିରେ ସହଜରେ ଦେଖାଯାଏ ନାହିଁ । ନାଵିକମାନେ ଦୂରଵିକ୍ଷଣ ଯନ୍ତ୍ର ସାହାଯ୍ୟରେ ଏହି ନକ୍ଷତ୍ରକୁ ଦେଖି ଜାଣିପାରନ୍ତି । ଦକ୍ଷିଣ ଗୋଲାର୍ଦ୍ଧରେ ଵିନା ଦୂରଵିକ୍ଷଣରେ Sigma Octantis'କୁ ଠାବ କରିଵା ପାଇଁ Southern Cross (Crux) , Sigma, Chi, Tau ଓ Upsilon Octantis ଆଦି ନକ୍ଷତ୍ରଗୁଡି଼କର ସାହାଯ୍ୟ ନିଆଯାଏ ‌ । ଭଵିଷ୍ୟତରେ Gamma Chamaeleontis (୪୨୦୦ ଖ୍ରୀଷ୍ଟାବ୍ଦ), I Carinae, Omega Carinae (୫୮୦୦ ଖ୍ରୀଷ୍ଟାବ୍ଦ), Upsilon Carinae, Iota Carinae (Aspidiske, ୮୧୦୦ ଖ୍ରୀଷ୍ଟାବ୍ଦ)ଓ Delta Velorum (Alsephina,୯୨୦୦ ଖ୍ରୀଷ୍ଟାବ୍ଦ) ଇତ୍ୟାଦି ନକ୍ଷତ୍ରଗୁଡି଼କ କୁମେରୁ ଵୃତ୍ତ ନିକଟରେ ଦେଖାଯାଉଥିଵା ଯୋଗୁଁ ଦକ୍ଷିଣ ଗୋଲାର୍ଦ୍ଧର ଧ୍ରୁଵତାରା ପାହ୍ୟା ଲାଭ କରିବେ । ପୁଣି ଵୈଜ୍ଞାନିକମାନେ କୁହନ୍ତି ଆଜକୁ ପ୍ରାୟ ୬୦୦୦୦ ଵର୍ଷ ପରେ ପ୍ରଶ୍ଵା ଵା ଲୁବ୍ଧକ(Sirius ) ନକ୍ଷତ୍ର ଦକ୍ଷିଣ ଗୋଲାର୍ଦ୍ଧର ଧ୍ରୁଵତାରା ପାହ୍ୟା ଲାଭ କରିଵ ଏଵଂ ଉତ୍ତର ଗୋଲାର୍ଦ୍ଧରେ ଆଉ ଦୃଶ୍ୟ ହେଵ ନାହିଁ । ଦକ୍ଷିଣ ଗୋଲାର୍ଦ୍ଧର ଦେଶ ବ୍ରାଜିଲର ଜାତୀୟ ପତାକାରେ ତ୍ରିଶଙ୍କୁମଣ୍ଡଳ (crux) ସହିତ ଯାମ୍ୟ ଧ୍ରୁଵତାରା ଦର୍ଶିତ ହୋଇଛି । 

ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ଥିଵା ଧ୍ରୁଵ ତାରାକୁ ଖାଲି ଆଖିରେ ଦେଖିଲେ ଗୋଟିଏ ତାରକା ବୋଲି ଜଣାପଡ଼େ କିନ୍ତୁ ପ୍ରକୃତରେ 
Polaris ଏକ ତ୍ରି-ତାରକୀୟ ପ୍ରଣାଳୀ (triple star system) ଅଟେ । ଏହି ତିନିଗୋଟି ତାରକା ମଧ୍ୟରେ Polaris Aa ଏକ ଵିଶାଳକାୟ ପୀତଵର୍ଣ୍ଣ ତାରକା ଏଵଂ ଏହାଠାରୁ ଅପେକ୍ଷାକୃତ ଆକାରରେ କ୍ଷୁଦ୍ର Polaris Ab ଓ Polaris B ଏହିପରି ତିନିଗୋଟି ତାରକା ପରସ୍ପରର ଵିଚିତ୍ର ଢଙ୍ଗରେ ପରିକ୍ରମଣ କରୁଛନ୍ତି । Polaris Bକୁ ଅଗଷ୍ଟ ୧୭୭୯ରେ William Herschel ସେସମୟର ଆଧୁନିକ ଦୂରଵିକ୍ଷଣ ଯନ୍ତ୍ର ସାହାଯ୍ୟରେ ଠାଵ କରିଥିଲେ । 

କିନ୍ତୁ କେଵଳ ଯେ ପୃଥିଵୀର ହିଁ ଉତ୍ତର ଓ ଦକ୍ଷିଣ ଧ୍ରୁଵତାରା ଅଛି ତାହା ନୁହେଁ ସୌରମଣ୍ଡଳର ପ୍ରତ୍ୟେକ ଗ୍ରହର ନିଜର ଭିନ୍ନ ଭିନ୍ନ ଉତ୍ତର ଓ ଦକ୍ଷିଣ ଧ୍ରୁଵତାରା ଅଛି । 

•ବୁଧର ଉତ୍ତର ଧ୍ରୁଵତାରା 
Omicron Draconis ଓ ଦକ୍ଷିଣ ଧ୍ରୁଵତାରା Alpha Pictoris ଅଟେ ‌। 

ଶୁକ୍ରର ଉତ୍ତର ଧ୍ରୁଵତାରା"42 Draconis" ଏଵଂ ଦକ୍ଷିଣ ଧ୍ରୁଵତାରା "Eta¹ Doradus" ଅଟେ ।  

ଆମ ପୃଥିଵୀର ଉପଗ୍ରହ ଚନ୍ଦ୍ରର ଦକ୍ଷିଣ ଧ୍ରୁଵତାରା ହେଉଛି Delta Doradus" ଏଵଂ ଉତ୍ତର ଧ୍ରୁଵତାରା "Omicron Draconis" ଅଟଇ । 

ମଙ୍ଗଳଗ୍ରହର ଦକ୍ଷିଣ ଧ୍ରୁଵତାରା Kappa Velorum ହୋଇଥିଲା ବେଳେ ଏହାର ଉତ୍ତର ଧ୍ରୁଵରେ Northern Crossର ଦୁଇଗୋଟି ନକ୍ଷତ୍ର Sadr ଓ Deneb ରହିଥାଏ ଫଳତଃ ଏହି ଦୁଇଗୋଟି ତାରକାକୁ ମଙ୍ଗଳର ଉତ୍ତର ଧ୍ରୁଵତାରା କୁହାଯାଇପାରେ । 

ବୃହସ୍ପତିଙ୍କ ଦକ୍ଷିଣ ଧ୍ରୁଵରେ Zeta Draconis ଓ ଉତ୍ତର ଧ୍ରୁଵରେ Delta Doradus ରହିଥାଏ । 

ଶନିର ଉତ୍ତର ଧ୍ରୁଵଠାରୁ ଛଅ ଡିଗ୍ରୀ ଛାଡ଼ି ଆମ ଗ୍ରହର ଵର୍ତ୍ତମାନ ଧ୍ରୁଵତାରା Polaris ଥିଲାବେଳେ ଏହାର ଦକ୍ଷିଣ ଧ୍ରୁଵର ଧ୍ରୁଵତାରା ହେଉଛି "Delta Octantis" ନକ୍ଷତ୍ର ‌‌। 

ସେହିପରି "Eta Ophiuchi" ୟୁରାନସର ଉତ୍ତର ଧ୍ରୁଵତାରା ଏଵଂ "15 Orionis" ଏହାର ଦକ୍ଷିଣ ଧ୍ରୁଵତାରା ଅଟେ ‌ । 
ନେପଚୁନ୍‌ର ଉତ୍ତର ଧ୍ରୁଵ ନିକଟରେ Gamma Cygni ଓ Delta Cygni ଥିଲାବେଳେ ଏହାର ଦକ୍ଷିଣ ଧ୍ରୁଵରେ Gamma Velorum ଦେଖାଯାଏ । 

ମୋଟ ଉପରେ କହିଵାକୁ ଗଲେ ପ୍ରତ୍ୟେକ ଗ୍ରହର ପରିକ୍ରମଣ ଓ ଆଵର୍ତ୍ତନ ଗତି ତଥା ଏହାର ଅକ୍ଷପଥ ଭିନ୍ନ ଭିନ୍ନ ହୋଇଥାଏ ବୋଲି ସେସବୁ ଗ୍ରହର ଧ୍ରୁଵତାରା ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଏଣୁ ସବୁଗ୍ରହର ଧ୍ରୁଵତାରା ଭିନ୍ନ ଭିନ୍ନ ଅର୍ଥାତ୍ ପୃଥିଵୀର ଧ୍ରୁଵତାରା କେଵଳ ପୃଥିଵୀର ଧ୍ରୁଵତାରା ଅଟେ ଏଵଂ ଅନ୍ୟ ଗ୍ରହରେ ଭିନ୍ନ ଭିନ୍ନ ନକ୍ଷତ୍ରଗୁଡି଼କର ସେଗୁଡ଼ିକର ଦୁଇ ଧ୍ରୁଵରେ ଥିଵା ଦୃଶ୍ୟ ହୁଅନ୍ତି । 

ହଜାର ହଜାର ଵର୍ଷ ଧରି ମନୁଷ୍ୟ ପାଇଁ ରାତ୍ରି ଆକାଶରେ ପଥପ୍ରଦର୍ଶକର କାର୍ଯ୍ୟ କରି ଆସୁଥିଵା ଧ୍ରୁଵତାରାଠାରୁ ଅନେକ କଥା ଶିଖାଯାଇପାରେ । ଧ୍ରୁଵତାରା ସ୍ଥିରତାର ପ୍ରତୀକ,ଯେତେ ଝଡ଼ ଝଞ୍ଜା ଆସୁ ଧ୍ରୁଵତାରା ଭଳି ଆକାଶରେ ସ୍ଥିର ନିଶ୍ଚଳ ରହିଵାକୁ ଶିକ୍ଷା ଦିଆଯାଏ । ନିଜ ପ୍ରତି ତଥା ନିଜର ମୂଲ୍ୟବୋଧ ପ୍ରତି ସବୁବେଳେ ସଚ୍ଚୋଟ ରହିଵାକୁ ଧ୍ରୁଵତାରାଠାରୁ ଶିକ୍ଷା କରାଯାଇପାରେ। ଅନ୍ଧକାର,ଅନିଶ୍ଚିତ ଓ ନିଚ୍ଛାଟିଆ ରାତ୍ରିରେ ଯେମିତି ଧ୍ରୁଵତାରା ପଥିକ ପାଇଁ ଆଶାର କିରଣ ହୋଇଥାଏ ସେହିପରି ଆମେ ମଧ୍ୟ ନିଃସ୍ଵାର୍ଥପର ଭାବେ ଅନ୍ୟକୁ ସାହାଯ୍ୟ କରିପାରିଵା । ଯେତେ ଵିପଦ ଅସୁଵିଧା ଆସୁ ଧ୍ରୁଵତାରା ଭଳି ଅଚଳ ଅଟଳ ରହିଵାର ମଧ୍ୟ ଶିକ୍ଷା ମିଳିଥାଏ । ଧ୍ରୁଵତାରା ଭଳି ଯାହା ସତ୍ୟ ତାକୁ ଅନୁସରଣ କରିଵା ଉଚିତ୍ । 
ଧ୍ରୁଵତାରା ଯେମିତି ନିଜ ଆଲୋକ ଦ୍ଵାରା ଅନ୍ୟକୁ ମାର୍ଗଦର୍ଶନ କରିଥାଏ ଠିକ୍ ସେହିପରି ଆପଣଙ୍କ ଆଭ୍ୟନ୍ତରୀଣ ଆଲୋକ ଆପଣଙ୍କ ଯାତ୍ରାରେ ମାର୍ଗଦର୍ଶକ ହେଉ ...
••••••••••••••••••••••••••
ଲେଖକ—ଶିଶିର ସାହୁ ମନୋଜ
ଢେଙ୍କାନାଳ(କନ୍ତିଓ ପୁଟସାହି)
•••••••••••••••••••••••••••








Tuesday, September 5, 2023

•ଟିଡ୍‌ଲିକ୍ ବେଙ୍ଗ ଓ ଜଳପ୍ରଳୟ•


ଏମିତି ତ ଏ ପୃଥିଵୀରେ ପ୍ରାୟ ସର୍ଵତ୍ର ଏକ ଵା ଏକାଧିକ ଜଳପ୍ରଳୟର କାହାଣୀ ଶୁଣିଵାକୁ ମିଳେ ତେବେ ଅଷ୍ଟ୍ରେଲିଆର ଜନଜାତୀୟ ଲୋକଗାଥାରେ ଜଳପ୍ରଳୟ ସମ୍ବନ୍ଧରେ ଏକ ନିଆରା ଗଳ୍ପ ରହିଛି । 

ଏହି କାହାଣୀର ମୁଖ୍ୟ ଚରିତ୍ର ଜଣେ ବେଙ୍ଗ ଯାହାର ନାମ ଡିଡ୍‌ଲିକ୍ । ଦିନେ ସକାଳେ ଭୀଷଣ ତୃଷ୍ଣା ଯୋଗୁଁ ନିଦ୍ରାରୁ ଉଠି ଡିଡ୍‌ଲିକ୍ ଆଖପାଖରେ ଯେତେ ପାଣି ଥିଲା ସବୁ ପିଇଵାକୁ ଆରମ୍ଭ କରିଦେଲା । ସେ ଯେତେ ପାଣି ପିଉଥାଏ ତା'ର ଶୋଷ ସେତେ ବଢ଼ୁଥାଏ । 
ଇତି ମଧ୍ୟରେ ଜଳ ଅଭାଵରୁ ସବୁ ସ୍ଥାନରେ ପଶୁପକ୍ଷୀ କୀଟ ପତଙ୍ଗ ଓ ଗଛ ବୃଛ ମରିଵାକୁ ଲାଗିଲେ । ଅନ୍ୟ ଜୀଵମାନେ ଡିଡ୍‌ଲିକ୍ ଯୋଗୁଁ ଏସବୁ ଅଘଟଣ ଘଟୁଛି ଜାଣି ତା ଵିରୋଧରେ ଷଡ଼ଯନ୍ତ୍ର କରି ସେ ପିଇଥିବା ସମସ୍ତ ପାଣି ଫେରି ପାଇଵାକୁ ଯୋଜନା କରିଥିଲେ। କିଏ କେତେ ପ୍ରକାରର ଉପାୟ 
କରି ଵିଫଳ ହେଲେ । ଶେଷରେ ଏକ ବୁଦ୍ଧିମାନ ବୃଦ୍ଧ ପେଚା ଉପାୟଟିଏ ଦେଲା । 



ଡିଡ୍‌ଲିକ୍‌କୁ ଯଦି ହସେଇ ଦିଆଯାଏ ତେବେ ସେ ପିଇଥିଵା ସବୁ ପାଣି ତା ପେଟରୁ ବାହାରି ଯିଵ । କୋଚିଆ(eel) କହିଲା ସେ ଏଇ କାମଟି କରିପାରିଵ । କୋଚିଆ ଯୋଉଠି ଟିଡ୍‌ଲିକ୍ ବସିଥିଲା ସେଠାକୁ ଗଲା ଏଵଂ ତା ଆଗରେ ଅଦ୍ଭୁତ ଢଙ୍ଗରେ ପହଁରିଲା । ଟିଡ୍‌ଲିକ୍ ବେଙ୍ଗ ଯେମିତି ସେ ପହଁରା ଦେଖିଲା ହସି ହସି ଗଡ଼ିଗଲା । ଟିଡ୍‌ଲିକ୍ ଏତେ ପରିମାଣରେ ହସିଲା ଯେ ତା ପେଟର ସବୁ ପାଣି ବାହାରି ଯାଇ ନଈ ପୋଖରୀ ଗାଡ଼ିଆ ସମୁଦ୍ରାଦି ପୂର୍ଣ୍ଣ ହୋଇଗଲା କିନ୍ତୁ ପାଣି ବୋହିଵା ଥମିଲା ନାହିଁ ଵରଂ ଆହୁରି ବଢ଼ି ଚାଲିଲା ।

 ସାରା ପୃଥିଵୀ ହଠାତ୍ ଜଳମୟ ହୋଇଗଲା । ଯୁଆଡ଼େ ଦେଖିଲେ କେଵଳ ଜଳ ହିଁ ଜଳ ଦୃଶ୍ୟ ହେଉଥାଇ । ଅନେକ ଜୀଵ ମଲେ ଏଵଂ ଯୋଉ ଯୋଉ ଉଚ୍ଚ ଭୂଭାଗ ବଞ୍ଚିଗଲା ସେଠାରେ ବଞ୍ଚିଯାଇଥିଵା ପଶୁପକ୍ଷୀମାନେ ଆଶ୍ରୟ ନେଲେ । 


ଟିଡ୍‌ଲିକ୍ ବେଙ୍ଗର ଏହି କାହାଣୀ ମୂଳତଃ ଜଳପ୍ରଳୟ ସମ୍ବନ୍ଧରେ ହୋଇଥିଲେ ବି ଆଧୁନିକ ଯୁଗରେ ଏ କାହାଣୀକୁ ଵିଭିନ୍ନ ପ୍ରକାରେ ବୋଲା ଓ ଲେଖାଯାଇଛି । ମୂଳ କାହାଣୀକୁ ପରିଵର୍ତ୍ତନ କରି ପିଲାମାନଙ୍କ ପାଇଁ କେହି କେହି ଏ କାହାଣୀକୁ ସୁଖାନ୍ତ କରି ଶୁଣାଇ ଥାଆନ୍ତି । 

ଗଵେଷକମାନେ କୁହନ୍ତି ଅଷ୍ଟ୍ରେଲିଆରେ ଦେଖାଯାଉଥିଵା Water-holding Frog ନାମରେ ଜଣାଶୁଣା Litoria platycephala ବେଙ୍ଗର ହାବଭାବକୁ ଭିତ୍ତିକରି କାହାଣୀଟି ଗଢ଼ିଉଠିଥିଲା । 

ଟିଡ୍‌ଲିକ୍‌ର କାହାଣୀ ଅଧୁନା ସାରା ଅଷ୍ଟ୍ରେଲିଆରେ ଲୋକପ୍ରିୟ ଥିଲେ ବି ମୂଳତଃ ଏ କାହାଣୀ ଗିପ୍ସଲାଣ୍ଡ୍,ଵିକ୍ଟୋରିଆ ଅଞ୍ଚଳର Gunai Kurnai ଜନଜାତୀୟ ଲୋକଙ୍କ ଲୋକଗାଥା ବୋଲି କେତେକ ଗଵେଷକ ମତ ଦିଅନ୍ତି ।

Friday, August 25, 2023

ଓଡ଼ିଶାର ପମ୍ପାଇ : ଗଞ୍ଜାମର ଗଞ୍ଜା ନଗର

ଗଞ୍ଜାମ ଜିଲ୍ଲାରେ ଗୋଟିଏ ନଗର ଅଛି ତାହାର ନାମ ବି ଗଞ୍ଜାମ । କୁହାଯାଏ ଦୁଇ ଶତାବ୍ଦୀ ତଳେ ଏହି ଗଞ୍ଜାମ ନଗରର ନାମ ଗଞ୍ଜା ଥିଲା । ଗଞ୍ଜାମ ଜିଲ୍ଲାର ନାମକରଣ ଏହି ଗଞ୍ଜା ନଗରରୁ ହୋଇଅଛି । କେହି କୁହନ୍ତି ଏହା ଏକ ପାରସିକ ଶବ୍ଦ ଗଞ୍ଜ୍ ଆଧାରରେ ନାମିତ ହୋଇଛି । ଵ୍ୟାପାର ପେଣ୍ଠସ୍ଥଳୀକୁ ପାର୍ସୀ ଭାଷାରେ ଗଞ୍ଜ୍ କୁହାଯାଏ । 

ଗଞ୍ଜା ନଗରଟି ଏଇ ମାତ୍ର ଦୁଇ ଶତାବ୍ଦୀ ତଳେ ଦକ୍ଷିଣ ଓଡ଼ିଶାର ଅତ୍ୟନ୍ତ ସମୃଦ୍ଧିଶାଳୀ ଓ ଜନପୂର୍ଣ୍ଣ ସ୍ଥାନ ଥିଲା। ତାପରେ ହଠାତ୍ ପ୍ରବଳ ମାଲେରିଆଦ୍ୱାରା ଏହି ଧନଜନପୂର୍ଣ୍ଣ ସୁବୃହତ୍ ମନୋହର ନଗରଟି ଏକାବେଳେ ଜନଶୂନ୍ୟ ଓ ଛାରଖାର ହୋଇଗଲା। ଏହାପରେ ଦେଖା ଦେଲା ଖାଦ୍ୟର ଅଭାଵ ଓ ମରୁଡ଼ି। ଗଞ୍ଜା ଓ ଏହାର ଆଖପାଖ ଅଞ୍ଚଳରେ ବହୁ ଵର୍ଷ ଧରି ମରୁଡ଼ି ପଡ଼ିଲା । ସେ ସମୟର ଗଞ୍ଜା ନଗରର ଚିତ୍ର କଳ୍ପନା ମାତ୍ରେ ଯେ କୌଣସି ଦର୍ଶକର ମନରେ କ୍ଷଣକ ମଧ୍ୟରେ ସଂସାରର ନଶ୍ୱରତାର ଚିତ୍ରଟିଏ ଆଙ୍କି ହୋଇଯିଵ । 

ବାରମ୍ବାର ପ୍ରାକୃତିକ ଦୁର୍ଵିପାକ ଯୋଗୁଁ କ୍ରମେ ଗଞ୍ଜାରୁ ସମସ୍ତ ରାଜକୀୟ କାର୍ଯ୍ୟାଳୟମାନ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଯାଇଥିଲା । ଲୋକମାନେ ସେତେବେଳେ ଏହାକୁ ଠାକୁରାଣୀଙ୍କ ପ୍ରକୋପ ମନେ କରି ଗଞ୍ଜା ନଗର ଛାଡ଼ି ଅନ୍ୟତ୍ର ଚାଲିଯାଇଥିଲେ । ଗଞ୍ଜା ନଗରରେ ହଠାତ୍ ଦେଖା ଦେଇଥିଵା ମେଲେରିଆ ପ୍ରକୋପ ତଥା ମରୁଡ଼ିକୁ ନେଇ ଏକ ଲୋକକଥା ମଧ୍ୟ ରହିଛି । ଏହି ଲୋକକଥା ଅନୁସାରେ ଗଞ୍ଜା ନଗର ନିକଟରେ ଅଵସ୍ଥିତ ପ୍ରାଚୀନ ଦୁର୍ଗ ପୋତାଗଡ଼ର ଅଧିଷ୍ଠାତ୍ରୀ ଦେଵୀଙ୍କ କୋପରେ ପାର୍ଶ୍ୱଵର୍ତ୍ତୀ ଗଞ୍ଜା ନଷ୍ଟ ହୋଇଯାଇଥିଲା ଏଵଂ ସେ ଦୁର୍ଗରେ ରହୁଥିଵା ସ୍ଥାନୀୟ ରାଜା ଗୁପ୍ତ ସୁଡ଼ଙ୍ଗ ଦେଇ ଦୁର୍ଗ ପରିତ୍ୟାଗ କରିଥିଲେ ଓ ଡଙ୍ଗା ସାହାଯ୍ୟରେ ସମୁଦ୍ରପଥରେ ପଳାୟନ କରି ନିଜ ଜୀଵନ ବଞ୍ଚାଇ ଥିଲେ । ଗଞ୍ଜାମର ଅନେକ କର୍ମଠ ଵ୍ୟକ୍ତି ଓ ଵ୍ୟାପାରୀ ମଧ୍ୟ ସେ ଦୁର୍ଦ୍ଦିନରେ ଗଞ୍ଜାକୁ ପରିତ୍ୟାଗ କରି ଗଡ଼ଜାତକୁ ଚାଲି ଯାଇଥିଲେ ଏଵଂ ସେଠାରେ ସ୍ଥାୟୀ ଅଧିଵାସୀ ହୋଇଗଲେ । କେହି କେହି ଗଞ୍ଜାଵାସୀ ପୂର୍ଵ ଉପକୂଳଵର୍ତ୍ତୀ ଓଡ଼ିଶାରେ ରହିଵାକୁ ଲାଗିଲେ । ପରେ ମାଲେରିଆର ପ୍ରକୋପ କମିଯିଵାରୁ କେତେକ ଲୋକ ଏ ନଗରକୁ ଫେରିଲେ ଏଵଂ ଏହାକୁ ଆଉଥରେ ନୂଆ କରି ଗଢ଼ିଲେ । ତେବେ ଗଞ୍ଜାରେ ଦେଖା ଦେଵା ଵିଭିନ୍ନ ପ୍ରାକୃତିକ ଵିପର୍ଯ୍ୟୟ ପରେ ଗଞ୍ଜାର ସେହି ପ୍ରଳୟସଂକାଶ ଭୟାନକ ମହାମାରୀ ଓ ମରୁଡ଼ିକୁ ଲକ୍ଷ୍ୟ କରି ଗଞ୍ଜାମ ଜିଲ୍ଲାର ଗ୍ରାମ୍ୟ ଲୋକମାନେ ଅନ୍ୟକୁ ଗାଳି ଦେଵାରେ ''ଗଞ୍ଜାମରୁଡ଼ି'' କଥା ଵ୍ୟଵହାର କରିଵାକୁ ଲାଗିଲେ । 

ଗଞ୍ଜାମରୁଡ଼ିକୁ ଲକ୍ଷଣାର୍ଥ ସର୍ଵନାଶ,ମହା ଵିପତ୍ତି ଵା ଧ୍ୱଂସକାରୀ ମହାମାରୀ ଅର୍ଥରେ ଲୋକେ ଵ୍ୟଵହାର କରି ସେହି ଦୁଃଖ ଦୁର୍ଵିପାକରେ ପଡ଼ି ମର ବୋଲି ଗାଳି ଦେଲେ । ଗଞ୍ଜା ନଗରର ତତ୍କାଳୀନ ଲୋକେ ଆଜି ଆଉ ଧରା ପୃଷ୍ଠରେ ନାହାନ୍ତି,ସେ କାଳର ସେ ଦୁର୍ଦ୍ଦିନକୁ ମନେ ରଖିଵା ଭଳି କୌଣସି ଵିଶେଷ ଆୟୋଜନ ମଧ୍ୟ ହୋଇନାହିଁ । ତେବେ ତହିଁର ସ୍ମୃତି ସ୍ଵରୂପ ରହି ଯାଇଛି ଏଇ ଗଞ୍ଜାମରୁଡ଼ି ଶବ୍ଦ । 


ନିଃସନ୍ଦେହ ଗଞ୍ଜା ନଗରକୁ ଓଡ଼ିଶାର ପମ୍ପାଇ କହିଲେ ଅତ୍ୟୁକ୍ତି ହେଵ ନାହିଁ । ତେବେ ଇଟାଲୀର Pompei ନଗର ୭୯ ଖ୍ରୀଷ୍ଟାବ୍ଦରେ ଲାଵା ଉଦ୍ଗିରଣ ଯୋଗୁଁ ଧ୍ଵଂସ ପାଇଥିଲା କିନ୍ତୁ ଓଡ଼ିଶାର ଗଞ୍ଜା ନଗର ମହାମାରୀ ଓ ମରୁଡ଼ି ଯୋଗୁଁ ଧ୍ଵଂସ ପାଇ ଯାଇଥିଲା । ମାତ୍ର ଆମ ଗଞ୍ଜା ନଗର କିନ୍ତୁ ପମ୍ପାଇ ନଗର ଭଳି କାଳ ଆଗରେ ହାରି ଯାଇନାହିଁ ଵରଂ ଆଉ ଥରେ ଅଣ୍ଟା ସଳଖି ଆଉଥରେ ଛିଡ଼ା ହୋଇଛି । ଆଜି ସେ ଗଞ୍ଜାନଗରକୁ ଗଞ୍ଜାମ ସହର କୁହାଯାଉଛି । ଗଞ୍ଜାମ ଜିଲ୍ଲାରେ ଆଜି ବି ଗଞ୍ଜାମନଗର ନାମରେ ପ୍ରାଚୀନ କଳିଙ୍ଗ ଦେଶରେ ଏହି ନଗରଟି ତିଷ୍ଠି ରହିଛି । 


(ତଥ୍ୟ ଉତ୍ସ — ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ)

Monday, August 21, 2023

ମାଛ ଓ ବିଲେଇଙ୍କ କଥା

ବହୁତ ଵର୍ଷ ପୂର୍ଵେ ମାଛମାନେ ସ୍ଥଳଭାଗରେ ଵାସ କରୁଥିଲେ । ମାଛମାନେ ମଣିଷଙ୍କ ପରି ଦୁଇ ଗୋଡ଼ରେ ଚାଲୁଥିଲେ । ସେ ଯୁଗରେ ଗୋଟିଏ ମାଛର ଏକ ଚିତା ସହିତ ବନ୍ଧୁତା ହୋଇଯାଇଥିଲା । ସେମାନେ ପରସ୍ପର ସହିତ ଖେଳୁଥିଲେ ସାଥି ହୋଇ ବୁଲୁଥିଲେ । ଚିତାବାଘର ସ୍ତ୍ରୀ ଅତି ସୁନ୍ଦର , ମାଛ ତା ପ୍ରେମରେ ପଡି଼ଗଲା ।ଯେତେବେଳେ ବି ଚିତାବାଘଟା ଅନୁପସ୍ଥିତ ରହୁଥିଲା, ମାଛଟି ଚିତାବାଘର ସ୍ତ୍ରୀ ତୁଲେ ଯାଇ ମିଶୁଥିଲା । ଦିନେ ଗୋଟିଏ ବୁଢ଼ୀ ଚିତାବାଘୁଣୀ ଏ ରହସ୍ୟ ଜାଣିପାରି ଚିତାବାଘକୁ ଜଣାଇ ଦେଲା । ପ୍ରଥମେ ଚିତାବାଘ ଏହା ଜାଣି ଵିଶ୍ଵାସ କରିନଥିଲା ଯେ ତା ବନ୍ଧୁ ମାଛ ଏମିତି କରୁଥିଵ । କିନ୍ତୁ ଦିନେ ରାତିରେ ସେ ଅପ୍ରତ୍ୟାଶିତ ଭାବରେ ଫେରି ଆସି ମାଛ ଏଵଂ ତା ସ୍ତ୍ରୀକୁ ଏକାଠି ପାଇ ଅତ୍ୟନ୍ତ କ୍ରୋଧିତ ହୋଇଗଲା । ମାଛ ଓ ଚିତା ମଧ୍ୟରେ ଝଗଡ଼ା ହୋଇ ଏହାର ଵିଚାର ରାଜାଙ୍କ ପାଖରେ ପହଞ୍ଚିଲା । ସେତେବେଳେ ଜଣେ ସ୍ଵର୍ଗର ଦେଵତା ମର୍ତ୍ତ୍ୟର ଶାସକ ଥାଆନ୍ତି। ସେ ଉଭୟ ପକ୍ଷର ଯୁକ୍ତି ଶୁଣି, ପ୍ରମାଣ ଦେଖି ଆଦେଶ ଦେଲେ ଯେ ମାଛଟି ନିଜ ବନ୍ଧୁପତ୍ନୀଙ୍କ ସହିତ ଅଵୈଧ ସମ୍ପର୍କ ରଖିଛି ତେଣୁ ସେ ଦୋଷୀ ଏଵଂ ଏଥିପାଇଁ ଆଜିଠାରୁ ମାଛ ପାଣିରେ ଯାଇ ଵାସ କରିଵ ।‌ ଯଦି ମାଛ ରାଜ ଆଦେଶ ଅଵଜ୍ଞା କରି ଭୂମିରେ ପାଦ ଦିଏ ତେବେ ସେ ମରିଯିଵ। ରାଜ ଆଦେଶ ପାଇ ମାଛଟି ଦୁଃଖ ମନରେ ପାଣି ଭିତରେ ରହିଵାକୁ ଲାଗିଲା ,ଧିରେ ଧିରେ ତା ଗୋଡ଼ ଦୁଇଟି ଲାଗିଯାଇ ଲାଞ୍ଜରେ ରୂପାନ୍ତରିତ ହୋଇଗଲା । ଏପଟେ ଚିତାବାଘର ମାଛ ପ୍ରତି ରାଗ ଦିନୁଁ ଦିନ ବଢ଼ି ବଢ଼ି ଗଲା । ଚିତାକୁ ତା ସ୍ତ୍ରୀ ଭଲ ପାଉନଥିଲା କାରଣ ସେ ମାଛକୁ ଭୁଲିପାରିନଥିଲା । ତେବେ ଚିତାବାଘ ତା ଛୁଆଙ୍କୁ ତା ଵିଶ୍ଵାସଘାତକ ବନ୍ଧୁ ମାଛକୁ ମାରିଵାକୁ ପଠାଇଲା । ଚିତାବାଘର ଛୁଆମାନେ ମାଛକୁ ଦେଖିଲେ ମାରିଦେବେ ବୋଲି ପ୍ରତିଜ୍ଞା କରି ତାକୁ ଉଣ୍ଡିଵାକୁ ବାହାରିଗଲେ । କ୍ରମେ ସେମାନଙ୍କର ଛୁଆ ଓ ତାଙ୍କ ଛୁଆ ବି ହେଲେ ଏଵଂ ମାଛକୁ ଦେଖିଲେ ମାରି ଦେଵାର ପ୍ରତିଜ୍ଞାଟି ପୁରୁଷାନୁକ୍ରମେ ପରମ୍ପରାରେ ପରିଣତ ହେଲା । ଚିତାର ବଂଶୋଦ୍ଭଵମାନଙ୍କ ମଧ୍ୟରେ କେତେକ ଜଙ୍ଗଲରେ ରହିଗଲେ କିନ୍ତୁ ଆଉ କେତେକ ବଂଶଧର ପ୍ରାଚୀନ କାଳରୁ ଚଳି ଆସୁଥିଵା ପରମ୍ପରାକୁ କଡ଼ାକଡ଼ି ଭାବେ ପାଳନ କରି ଜଳ ଥିଵା ଅଞ୍ଚଳରେ ରହିଵାକୁ ଲାଗିଲେ । ଜଙ୍ଗଲରେ ଯୋଉମାନେ ରହିଗଲେ ସେମାନେ ବାଘ, ସିଂହ ଓ ପେଣ୍ଡ୍ରା ହୋଇଗଲେ ଏଵଂ ଜଳ ଥିଵା ସ୍ଥାନଗୁଡି଼କରେ ରହୁଥିଵା ବଂଶଧରମାନେ ବିଲେଇ ହୋଇଗଲେ । ସେଦିନରୁ ଆଜି ପର୍ଯ୍ୟନ୍ତ ବିଲେଇ ମାଛକୁ ଦେଖିଲେ ତାକୁ ଧରି ଖାଇଵାକୁ ଚେଷ୍ଟା କରନ୍ତି। 
•••••••••••••••••••••••••
ଵି:ଦ୍ର—
•ପ୍ରକୃତରେ ବିଲେଇମାନେ ମାଛମାନଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି କାରଣ ସେମାନେ ଶିକାରୀ ଜୀଵ,ମାଛର ଗନ୍ଧ ସେମାନଙ୍କୁ ଆକର୍ଷିତ କରିଥାଏ,ମାଛର ସ୍ଵାଦ ସେମାନଙ୍କୁ ଭଲ ଲାଗେ,ମାଛ ସହିତ ଖେଳିଵାକୁ ବିଲେଇମାନେ ଭଲ ପାଆନ୍ତି,ମାଛମାନେ ପାଣିରେ ପହଁରିଵା ଦେଖି ବିଲେଇମାନେ ଆକର୍ଷିତ ହୁଅନ୍ତି,ମାଛର ଶବ୍ଦ ମଧ୍ୟ ବିଲେଇମାନଙ୍କୁ ଆକୃଷ୍ଟ କରିଥାଏ ।
•ବିଲେଇ,ବାଘ,ଚିତା,ସିଂହ ଆଦି Felidae ଜୀଵକୁଳରେ ଵର୍ଗୀକୃତ ଏଵଂ ସର୍ଵପ୍ରଥମ Felidae ଜାତୀୟ ଜୀଵ ଆଜକୁ ୨୫ ମିଲିୟନ ଵର୍ଷ ପୂର୍ଵେ Oligocene ସମୟକାଳରେ ସୃଷ୍ଟି ହୋଇଥିଲା 
•ମାଛମାନେ ସ୍ଥଳଭାଗରୁ ଜଳଭାଗକୁ ଆସିନାହାନ୍ତି ତେବେ ଡଲଫିନ୍ ଓ ତିମିଙ୍କ ପୂର୍ଵଜ Indocetusମାନେ ଆଜକୁ ପ୍ରାୟ ୪୫ ମିଲିୟନ ଵର୍ଷ ପୂର୍ଵେ ସ୍ଥଳଭାଗରୁ ଜଳଭାଗକୁ ଚାଲି ଯାଇ ଆଜି ମାଛ ଭଳି ଦେଖାଯାଉଛନ୍ତି ।
•ଚିତ୍ରରେ Felis ଵଂଶର ଜୀଵ । ୟୁରୋପ,ଆଫ୍ରିକା ଓ ଏସିଆର ଭୂଭାଗ Felis ଜାତୀୟ ଜୀଵଙ୍କର ସ୍ଥାନୀୟ ଭୂଭାଗ । ଏହି Felis ବଂଶଟି ୬ ରୁ ୭ ମିଲିୟନ ଵର୍ଷ ପୂର୍ଵେ ସୃଷ୍ଟି ହୋଇଥିଲା । ବିଲେଇମାନେ ପ୍ରାୟ ଦଶରୁ ସାତ ହଜାର ଵର୍ଷ ତଳେ ମାନଵମାନଙ୍କ ସହିତ ରହିଵାକୁ ଲାଗିଲେ । ଗୃହପାଳିତ ବିଲେଇଙ୍କର ଵୈଜ୍ଞାନିକ ନାମ Felis catus ଅଟେ । 
•ଏହା ନାଇଜେରିଆର ମାଛ ଓ ଚିତାବାଘକୁ ନେଇ ପ୍ରଚଳିତ ଏକ ଲୋକକଥା। 
••••••••••••••••••••••••

Saturday, May 27, 2023

ବାଣ୍ଟୁ ଜନଜାତିରେ ଜୀଵ ସୃଷ୍ଟିର କାହାଣୀ

ଆଫ୍ରିକୀୟ ବାଣ୍ଟୁ ଜନଜାତିର ମୁଖ୍ୟ ଦେଵୀଙ୍କ ନାମ Leza(ଲେଜ଼ା) । ଏହାଙ୍କ ଵିଷୟରେ ଵିଭିନ୍ନ ବାଣ୍ଟୁ ଉପଜାତିରେ ନାନା ଗାଥା ରହିଛି । ବାଣ୍ଟୁ ଶାଖାର କାଓଣ୍ଡେ ଜନଜାତିରେ ପ୍ରଚଳିତ ଏକ ଲୋକକଥା ଅନୁସାରେ ଥରେ ଦେଵୀ ଲେଜା ଏକ Honeybird(Indicatoridae)କୁ ତିନୋଟି ଲାଉ ଦେଇଥିଲେ ଏଵଂ ସେଗୁଡି଼କୁ ମଣିଷଙ୍କୁ ପ୍ରଦାନ କରିଵାକୁ ନିର୍ଦ୍ଦେଶ ଦେଇଥିଲେ । 

ସେ ସେହି ପକ୍ଷୀକୁ ଗଲାବେଳେ କହିଥିଲେ ଯେ ଲାଉ ମଧ୍ୟରୁ ଦୁଇଟିରେ ଵିଭିନ୍ନ ଗଛର ମଞ୍ଜି ଅଛି ଏଵଂ ମଣିଷ ସେହି ଦୁଇଟିକୁ ଖୋଲିପାରିଵ । ତେବେ ଦେଵୀ ଲେଜା ପୃଥିଵୀକୁ ନ ଆସିଵା ପର୍ଯ୍ୟନ୍ତ ତୃତୀୟ ଲାଉ ନଭାଙ୍ଗିଵାକୁ ସେ କଡ଼ା ଆଦେଶ ଦେଇଥିଲେ । 

ଲାଉକୁ ନେଇ ଯାଉଥିଵା ସମୟରେ Indicatoridae ଜାତୀୟ ପକ୍ଷୀଟି ଉତ୍ସୁକ ହୋଇ ସବୁ ଲାଉକୁ ଭାଙ୍ଗିଦେଲା। ଫଳତଃ ଦୁଇଗୋଟି ଲାଉରୁ ମଞ୍ଜି ଛିଟିକି ଯାଇ ଚାରିଆଡ଼େ ଗଛ ହୋଇଯାଇଥିଲା, କିନ୍ତୁ ତୃତୀୟ ଲାଉ ଭିତରେ ମୃତ୍ୟୁ, ଅସୁସ୍ଥତା ଆଉ ଵିପଜ୍ଜନକ ଜୀଵ ଥିଲେ। ଚାହୁଁ ଚାହୁଁ ସେ ଲାଉରୁ ବାହାରି ସାରା ପୃଥିଵୀରେ ବାଘ ଭାଲୁ ବିଲୁଆ ଗଧିଆ ସାପ ବିଚ୍ଛା ଆଦି ସବୁ ଜୀଵ ଵ୍ୟାପିଗଲେ । 

ଲେଜା ଯେତେବେଳେ ଏକଥା ଜାଣିଲେ ସେ ଚେଷ୍ଟା କରି ବି ଆଉ ସେମାନଙ୍କୁ ନିୟନ୍ତ୍ରଣ କରିପାରିନଥିଲେ । ତେଣୁ ମଣିଷ ନିଜକୁ ରକ୍ଷା କରିଵା ପାଇଁ ଗୁମ୍ଫା ଆଦିରେ ପ୍ରାରମ୍ଭିକ ଆଶ୍ରୟସ୍ଥଳୀ ନିର୍ମାଣ କରିଵାକୁ ବାଧ୍ୟ ହୋଇଥିଲା ।
     ×••••••••••••••••••••×

ବାଣ୍ଟୁ ଜନଜାତିର ଏକ ଉପଜାତି କାଓଣ୍ଡେ ଏଵଂ ଏମାନେ ଵିଶେଷତଃ ଜାମ୍ବିଆ ଓ କଙ୍ଗୋରେ ଵସଵାସ କରନ୍ତି ।‌ ଏମାନଙ୍କ ସଂଖ୍ୟା ଏବେ ପ୍ରାୟ ତିନି ଲକ୍ଷ ପଚାଶ ହଜାର ଥିଵା ଜଣାପଡି଼ଛି । Indicatoridae ଜାତୀୟ ପକ୍ଷୀଙ୍କୁ Honeybird କୁହାଯାଏ । ଵିଶେଷକରି ଆଫ୍ରିକୀୟ Brown backed Honeybird(Prodotiscus regulus) ଜାମ୍ବିଆ ଓ କଙ୍ଗୋ ଦେଶରେ ଦେଖାଯାଇଥାନ୍ତି ।

Sunday, May 14, 2023

ଏକ ପ୍ରାଚୀନ ନକ୍ଷତ୍ର ସ୍ବାତୀ

ରାତ୍ରି ଆକାଶରେ ସପ୍ତର୍ଷିମଣ୍ଡଳକୁ ଠାବ କରନ୍ତୁ ଏଵଂ ତହିଁରେ ଥିଵା ସାତଗୋଟି ନକ୍ଷତ୍ର ମଧ୍ୟରେ ଵଶିଷ୍ଠରୁ ମରିଚି ନକ୍ଷତ୍ର ଆଡ଼କୁ ଏକ ସାମାନ୍ୟ ଵକ୍ର କାଳ୍ପନିକ ରେଖା ଟାଣି ତାକୁ ଆହୁରି ଟିକିଏ ଲମ୍ବାଇ ଦିଅନ୍ତୁ । ବାସ୍ ! ଯେଉଁ ଉଜ୍ଵଳ ନକ୍ଷତ୍ର ପାଇବେ ତାହା ସ୍ଵାତୀ ନକ୍ଷତ୍ର ଅଟେ । 

ୟୁରୋପରେ ସ୍ଵାତୀ ନକ୍ଷତ୍ରକୁ Arcturus କୁହାଯାଏ। ସ୍ଵାତୀ ନକ୍ଷତ୍ରର ଏହି Arcturus ନାମଟି ଏକ ଗ୍ରୀକ୍ ନାମ Ἀρκτοῦρος (Arktouros)ର ଆଧୁନିକ ରୂପ ଅଟଇ । ଗ୍ରୀକ୍ ଭାଷାରେ , ἄρκτος (arktos)ର ଅର୍ଥ “ଭାଲୁ” ଓ οὖρος (ouros)ର ଅର୍ଥ “ପାଳକ” ଵା “ଜଗୁଆଳି ଅଟେ । The great bear ନାମରେ ଜଣାଶୁଣା Ursa major ନକ୍ଷତ୍ରପୁଞ୍ଜ ନିକଟରେ ଵିଶେଷତଃ ଏହାର ପୁଚ୍ଛରୂପ ସପ୍ତର୍ଷିମଣ୍ଡଳ ନିକଟରେ ଦେଖାଯାଉଥିଵାରୁ ଗ୍ରୀକମାନେ ଏହି ନକ୍ଷତ୍ରର ଏଭଳି ନାମକରଣ କରିଥିଲେ । ଏହି ନାମକରଣ ଵିଷୟରେ ଏକ ଗ୍ରୀକ୍ ଲୋକଗାଥା ରହିଛି । 

ଜିଅସ ଓ କାଲିଷ୍ଟୋଙ୍କର ଗୋଟିଏ ପୁତ୍ର ଥିଲା ଯାହାର ନାମ ଆର୍କସ୍ ଥିଲା । ସେମାନେ ଦେଵୀ ଆର୍ଟେମିସଙ୍କର ଅନୁଗାମୀ ଥିଲେ । ସ୍ଵର୍ଗର ଦେଵତା ଜିଅସ୍ ,କାଲିଷ୍ଟୋଙ୍କ ରୂପରେ ମୋହିତ ହୋଇ ଛଦ୍ମଵେଶ ଧାରଣ କରି ତାଙ୍କ ସହିତ ପ୍ରଣୟ କଲେ । ଆର୍କସଙ୍କର ଜନ୍ମର ବହୁଦିନ ପରେ ଯେତେବେଳେ ଜିଉସଙ୍କର ପତ୍ନୀ ହେରା ଏ ଵିଷୟରେ ଜାଣିଲେ, ସେ କ୍ରୋଧିତ ହୋଇ କଲିଷ୍ଟୋଙ୍କୁ ଭାଲୁରେ ରୂପାନ୍ତରିତ କରିଦେଲେ । ସେହି ଭାଲୁ ରୂପା କାଲିଷ୍ଟୋ କାଳେ ଆର୍କାସଙ୍କର କିଏ କ୍ଷତି ଘଟାଇଵ ଏହି ଭୟରେ ଜିଅସ୍ ତାଙ୍କୁ ସେହି ଅଞ୍ଚଳରେ ଲୁଚାଇ ରଖିଥିଲେ ଯାହା ପରେ ତାଙ୍କ ନାମରେ ଆର୍କାଡିଆ ଭାବେ ନାମିତ ହୋଇଥିଲା । ଏହି ଘଟଣାର ବହୁତ ଦିନ ପରେ ଆର୍କସ୍ ରାଜା ହେଲେ ଏଵଂ ନିଜ ଦେଶର ସର୍ଵୋତ୍ତମ ଶିକାରୀ ଭାବରେ ମଧ୍ୟ ପରିଚିତ ହେଲେ । ଦିନେ ସେ ଜଙ୍ଗଲରେ ଭାଲୁ ରୂପରେ ପରିଵର୍ତ୍ତିତା କଲିଷ୍ଟୋଙ୍କୁ ହାବୁଡ଼ିଗଲେ ।‌ ପୁଅକୁ ଚିହ୍ନି ପାରି କାଲିଷ୍ଟୋ ତାଙ୍କୁ ଆଲିଙ୍ଗନ କରିଵାକୁ ଆଗେଇ ଆସିଲେ କିନ୍ତୁ ଆର୍କସ୍ ନିଜ ମାଆଙ୍କୁ ଚିହ୍ନିପାରିଲେ ନାହିଁ ଏଵଂ କେଵଳ ଏକ ଭାଲୁ ତାଙ୍କ ଆଡ଼କୁ ମାଡି଼ ଆସୁଥିଵାର ଦେଖି ନିଜର ଧନୁ ଉଠାଇ ତୀରଟିଏ ମାରିଦେଲେ । ପୁତ୍ର ହସ୍ତରେ ମାତାର ହତ୍ୟା ସହିନପାରି ସ୍ଵର୍ଗର ଦେଵତା ଜିଅସ୍ ଏଥିରେ ହସ୍ତକ୍ଷେପ କରି ମାଆ ଓ ପୁଅକୁ ନକ୍ଷତ୍ରପୁଞ୍ଜରେ ପରିଣତ କରିଦେଲେ ଯାହାକୁ ପରେ Boötes ଓ Ursa Major କୁହାଗଲା ।  

ଚୀନ ଦେଶରେ ସ୍ଵାତୀ ନକ୍ଷତ୍ରକୁ 大角星(Dàjiǎo xīng) ଓ takio କୁହାଯାଏ ।‌ ଚୀନ ଦେଶର ଲୋକେ ସ୍ଵାତୀ(Arcturus) ତଥା ଏହା ନିକଟରେ ଦୃଶ୍ୟ ହେଉଥିଵା ଚିତ୍ରା(Spica) ନକ୍ଷତ୍ରଦ୍ଵୟକୁ Azure Dragonର ଶିଙ୍ଗ ଵିଚାର କରୁଥିଲେ । ପୁଣି ଚୀନ ଦେଶର ଲୋକେ ସ୍ଵାତୀ ନକ୍ଷତ୍ରକୁ ଦେଵତା ତଥା ସମ୍ରାଟମାନଙ୍କର ଵାସସ୍ଥଳୀ ମନେକରୁଥିଲେ । 
ଉତ୍ତର ଆମେରିକାର ଏସ୍କିମୋମାନେ ସ୍ଵାତୀ ନକ୍ଷତ୍ରକୁ "Sibwudl କହୁଥିଲେ । ଡିସେମ୍ବର ଏବଂ ଜାନୁଆରୀର ରାତିରେ ମାଛ ଧରିବା ସମୟରେ ସ୍ଵାତୀ ନକ୍ଷତ୍ର ଦିଗ ତଥା ସମୟ ନିର୍ଦ୍ଧାରଣ ଆଦି କାର୍ଯ୍ୟ ପାଇଁ ଉପାଦେୟ ହେଉଥିଲା । ଏହି ଉଜ୍ଜ୍ୱଳ ତାରାର ଅଵସ୍ଥିତି ପୁଣି ଧ୍ରୁଵ ଚାରିପଟେ ଏହା ଘୂରି ବୁଲୁଥିଵାରୁ ଏସ୍କିମୋମାନେ ରାତିର ସମୟ ଵିଷୟରେ ଜାଣିପାରୁଥିଲେ । ଏସ୍କିମୋମାନଙ୍କର ଏକ ଭାଷା Inuitରେ ସ୍ଵାତୀ ନକ୍ଷତ୍ରକୁ Uttuqalualuk(ଵୃଦ୍ଧତାରା) ଓ Sivulliik(ପ୍ରଥମ ତାରା) କୁ଼ହାଯାଉଥିଲା । 
‌ସେହିପରି କାନାଡ଼ାର Miꞌkmaq ଜନଜାତି ସ୍ଵାତୀ ନକ୍ଷତ୍ରକୁ Kookoogwéss କୁହନ୍ତି ଯାହାର ଅର୍ଥ ପେଚା ଅଟଇ । 

Polynesian ଲୋକେ ସ୍ଵାତୀ ନକ୍ଷତ୍ରକୁ Hōkūleʻa କହୁଥିଲେ ଯାହାର ଅର୍ଥ ଆନନ୍ଦ ପ୍ରଦାୟକ ତାରା ଅଟେ । Polynesian ନାଵିକମାନେ ସ୍ଵାତୀ ଓ ପ୍ରଶ୍ଵା ନକ୍ଷତ୍ର ସାହାଯ୍ୟରେ ସମୁଦ୍ରରେ ଯାତ୍ରା କରୁଥିଲେ । 

ଆରବୀମାନେ ଚିତ୍ରା ଓ ସ୍ଵାତୀ ନକ୍ଷତ୍ର ଦ୍ଵୟକୁ ସ୍ଵର୍ଗ ରକ୍ଷକ ଭାବେ ଅଵତାରଣା କରି al-simāk ତଥା ħāris al-samā ନାମ ଦେଇଥିଲେ । ଆରବରେ  
 ସ୍ଵାତୀ ନକ୍ଷତ୍ରକୁ Al-simak-al-Ramih ମଧ୍ୟ କୁହାଯାଉଥିଲା । 
 
ଅଷ୍ଟ୍ରେଲିଆର ଦକ୍ଷିଣ ପୂର୍ଵ ଅଞ୍ଚଳର Wotjobaluk Koori ଜନଜାତୀୟ ଲୋକେ ସ୍ଵାତୀ ନକ୍ଷତ୍ରକୁ Marpean-kurrk ନାମ ଦେଇଥିଲେ ଏଵଂ ସେମାନଙ୍କ ମଧ୍ୟରେ ଲୋକଵିଶ୍ଵାସ ପ୍ରଚଳିତ ଥିଲା ଯେ ଏହି ନକ୍ଷତ୍ର Djuit (Antares) ଓ Weet-kurrk (Muphrid)ର ଜନ୍ମଦାତ୍ରୀ ଅଟେ । ଏ ଅଞ୍ଚଳରେ ସ୍ଵାତୀ ନକ୍ଷତ୍ର ଉତ୍ତରରେ ଦେଖାଦେଲେ Formica rufa (wood ant) ନାମକ ଏକ ଜନ୍ଦା ଲାର୍ଭା ଦେଉଥିଲା ଏଵଂ ଏହାର ଦକ୍ଷିଣରେ‌ ଅସ୍ତ ସହିତ ଏମାନଙ୍କର ଲାର୍ଭା ଦେଵା ମଧ୍ୟ ବନ୍ଦ ହୋଇଯାଉଥିଲା ।  

ଆମେରିକାର ଲୁମ୍ମୀ ଓ ସ୍ପୋକନେ ଜନଜାତୀୟ ଲୋକଙ୍କର ଏକ ଲୋକଗାଥା ଅନୁଯାୟୀ ସ୍ଵାତୀ ନକ୍ଷତ୍ର ଏକ ଶୃଗାଳ ଜାତୀୟ ଜୀଵ Coyoteର ଗୋଟିଏ ଆଖି ଅଟେ ।‌ ଉକ୍ତ କାହାଣୀ ଅନୁସାରେ Coyote (ଆମେରିକୀୟ କୋକିଶିଆଳି) ଝିଅମାନଙ୍କୁ ପ୍ରଭାଵିତ କରିଵା ପାଇଁ ସେ ତାହାର ଦୁଇଗୋଟି ଉଜ୍ବଳ ଚକ୍ଷୁ ବାହାର କରି ଉପରକୁ ଫିଙ୍ଗୁଥିଲା ଏଵଂ ପୁଣି ତାକୁ ଧରି ଉଦ୍ଭଟ ଖେଳ ଦେଖାଉଥିଲା । ଦିନେ କୟୋଟେ ଯେତେବେଳେ ସେ ସେମାନଙ୍କ ଆଗରେ ଏହି ଖେଳ ଦେଖାଉଥିଲା ସେତେବେଳେ ସେ ନିଜର ଗୋଟିଏ ଆଖିକୁ ଏତେ ଉଚ୍ଚକୁ ଫିଙ୍ଗିଦେଲା ଯେ ତାହା ଆକାଶରେ ଅଟକି ଗଲା ଏଵଂ ଏକ ତାରକା ହୋଇଗଲା ଆଉ ସେହି ତାରକାଟି ସ୍ଵାତୀ ନକ୍ଷତ୍ର ହୋଇଗଲା ।‌ 

ଭାରତୀୟମାନେ ଅଶ୍ୱିନୀ, ଦ୍ୱିଜା, କୃତ୍ତିକା, ରୋହିଣୀ, ମୃଗଶିରା, ଆର୍ଦ୍ରା, ପୁନର୍ଵସୁ, ପୁଷ୍ୟା, ଅଶ୍ଳେଷା, ମଘା, ପୂର୍ଵଫାଲ୍ଗୁନୀ, ଉତ୍ତରଫାଲ୍ଗୁନୀ, ହସ୍ତା, ଚିତ୍ରା, ସ୍ୱାତୀ, ଵିଶାଖା, ଅନୁରାଧା, ଜ୍ୟୋଷ୍ଠା, ମୂଳା, ପୂର୍ଵାଷାଢ଼ା, ଉତ୍ତରାଷାଢା, ଶ୍ରଵଣା, ଧନିଷ୍ଠା, ଶତଭିଷା, ପୂର୍ଵଭାଦ୍ରପଦ, ଉତ୍ତରଭାଦ୍ରପଦ ଓ ରେଵତୀ ଆଦି ୨୭ଗୋଟି ଉଜ୍ଜ୍ୱଳ ନକ୍ଷତ୍ରକୁ ଚନ୍ଦ୍ରଙ୍କର ପତ୍ନୀ ଅଭିହିତ କରିଥାନ୍ତି ।  

ଏ ଵିଷୟରେ ସାରଳା ମହାଭାରତର ଵନପର୍ଵରେ ଏମନ୍ତ ଉଲ୍ଲେଖ ଅଛି 

“ଚନ୍ଦ୍ର ଦେଵତାଙ୍କୁ ଦିଲା ସତାଇଶ କୁମାରୀ
କାମ୍ୟେକ ପୁରୁଷ ବୋଲି ଦିଲା ସେ ବିଚାରି ॥
ଅଶ୍ୱିନୀ ଦ୍ୱିଜା ଯେ କୃତ୍ତିକା ରୋହିଣୀ ମୃଗଶିରା
ଆର୍ଦ୍ରା ପୁନର୍ଵାସୁ ପୁଷ୍ୟା ଅଶ୍ଲେଷା ମଘା ପୂର୍ଵଫାଲଗୁନୀ ଉତ୍ତରଫାଲଗୁନୀ ହସ୍ତା ଚିତ୍ରା ॥
ସ୍ୱାତୀ ଵିଶାଖା ଅନୁରାଧା ଜ୍ୟେଷ୍ଠା ୟେତେକ ପୁଣି
ମୂଳା ପୂର୍ବାଷାଢ଼ା ଉତ୍ତରାଷାଢ଼ା ଶ୍ରବଣା ଧନିଷ୍ଠୋୟେ ଘେନି ॥
ଶତଭିଷା ପୂର୍ଵଭୋଦୋ ଉତ୍ତରଭୋଦୋ ଯେ ରେଵତୀ
ୟେମନ୍ତେ ସତାଇଶ କନ୍ୟା ଚନ୍ଦ୍ରଙ୍କୁ ଦିଲାକ ଦକ୍ଷ ପ୍ରଜାପତି ॥”

ପ୍ରାଚୀନ ଭାରତୀୟମାନେ ସ୍ବାତୀ ନକ୍ଷତ୍ର ଵିଷୟରେ ତତ୍କାଳୀନ ଵିଜ୍ଞାନ ଆଧାରରେ ଶାସ୍ତ୍ରରେ ଲେଖିଯାଇଛନ୍ତି । ପ୍ରାଚୀନ ଭାରତୀୟମାନଙ୍କ ଅନୁସାରେ ସ୍ଵାତୀ ନକ୍ଷତ୍ର କୁଙ୍କୁମାରୁଣଵର୍ଣ୍ଣ ଓ ଏକତାରକାଯୁକ୍ତ।ଏହାର ଅଧିଦେଵତା ପଵନ। ଏହି ନକ୍ଷତ୍ରଯୁକ୍ତ ତିଥିରେ ପଵନ ଵା ବତାସ ବହେ ଓ ଵୃଷ୍ଟି ହୁଏ ବୋଲି ଭାରତରେ ଲୌକିକ ଵିଶ୍ଵାସ ପ୍ରଚଳିତ । ଅମାଵାସ୍ୟା, ଶନିଵାର ଓ ସ୍ୱାତି ନକ୍ଷତ୍ର ଏହି ତିନିଙ୍କର ଏକତ୍ର ସଂଯୋଗ ମହାଵାତ୍ୟାସୂଚକ ବୋଲି ପ୍ରାଚୀନ ଭାରତୀୟମାନେ ଵିଶ୍ଵାସ କରୁଥିଲେ । ଭାରତୀୟ ପୁରାଣରେ ଉକ୍ତ ଅଛି ଯେ, ସ୍ୱାତି ନକ୍ଷତ୍ରରେ ହେଵା ଵର୍ଷା ଵା ଜଳବିନ୍ଦୁ ସାମୁକାରେ ମୁକ୍ତା, ବାଉଁଶରେ ବଂଶଲୋଚନ ଓ ସର୍ପଙ୍କଠାରେ ଵିଷ ଉତ୍ପାଦନ କରେ। 

“କୁଙ୍କୁମାରୁଣତରୈକତାରକେ ଵାୟୁଭେ ସୁଦତି ମୌଳିମାଗତେ । ଶାୟକାମ୍ବରଚରାଚଳାଃ କଳାଶ୍ଚଞ୍ଚଳାକ୍ଷି ଜଗଦୁର୍ମୃଗୋଦୟାତ୍ ॥” 
 (॥କାଳିଦାସକୃତ ରାତ୍ରିଲଗ୍ନ ନିରୂପକଗ୍ରନ୍ଥ,ଦଂ ୩ । ୧୫ ॥)

କୋଷ୍ଠୀପ୍ରଦୀପ ଶାସ୍ତ୍ର ଅନୁଯାୟୀ 
ସ୍ଵାତୀ ନକ୍ଷତ୍ରରେ ଜାତ ଵ୍ୟକ୍ତି କନ୍ଦର୍ପପରି ରୂପଵାନ୍ କାନ୍ତାଜନପ୍ରିୟ, ରତିପ୍ରସନ୍ନ, ମହାମତି ଓ ବିଭୂତିଶାଳୀ ହୁଅନ୍ତି ।‌

“କନ୍ଦର୍ପରୂପପ୍ରଭୟା ସମେତଃ କାନ୍ତାଜନପ୍ରୀତିରତିପ୍ରସନ୍ନଃ । ସ୍ଵାତିଃ ପ୍ରସୂତୌ ଯଦି ନିତ୍ଯଂ ସ୍ଵାତ୍ ମହାମତିଃ ପ୍ରାତଵିଭୂତିଯୋଗଃ ॥” 
(॥ କୋଷ୍ଠୀପ୍ରଦୀପ ॥ )

ଭାରତୀୟ ଜ୍ୟୋତିଷଶାସ୍ତ୍ରରେ 
ସ୍ୱାତୀ ଯୋଗ ବୋଲି ଏକ ଯୋଗର ଉଲ୍ଲେଖ ରହିଛି। ଆଷାଢ଼ ମାସ ଶୁକ୍ଳ ପକ୍ଷରେ ଚନ୍ଦ୍ରଙ୍କର ସ୍ୱାତି ନକ୍ଷତ୍ର ସଙ୍ଗେ ସଂଯୋଗକୁ ସ୍ବାତୀଯୋଗ କୁହାଯାଏ ।‌ ପୁଣି 
ରଵିଵାର, ଶନିଵାର ଵା ମଙ୍ଗଳଵାର ଦିନ ଅମାଵାସ୍ୟା ହେଵା ଓ ସେ ଦିନ ରଵିଙ୍କର ସ୍ୱାତି ନକ୍ଷତ୍ରରେ ଅଵସ୍ଥିତି ରୂପ ଜ୍ୟୋତିଷିକ ଯୋଗକୁ ବି ସ୍ଵାତୀଯୋଗ କହିଥାନ୍ତି । 

ପ୍ରାଚୀନ ଭାରତୀୟମାନେ ଵିଶ୍ଵାସ କରୁଥିଲେ ଯେ ସ୍ୱାତୀ ନକ୍ଷତ୍ରଯୁକ୍ତ ଆଷାଢ଼ ଶୁକ୍ଳତିଥିରେ ରାତ୍ରିର ପ୍ରଥମ ପ୍ରହରରେ ବୃଷ୍ଟି ହେଲେ ଶସ୍ୟ ବୃଦ୍ଧି ହୁଏ; ଦ୍ୱିତୀୟ ପ୍ରହରରେ ତିଳାଦି ଶସ୍ୟ ପ୍ରଚୁର ହୁଏ; ତୃତୀୟ ପ୍ରହରରେ ଗ୍ରୀଷ୍ମକାଳୀନ ଶସ୍ୟ ପ୍ରଚୁର ହୁଏ। ଦିଵସର ପ୍ରଥମ ତୃତୀୟ ଓ ଚତୁର୍ଥ ଭାଗରେ ଵୃଷ୍ଟି ହେଲେ ହିତକର ହୁଏ, ଅନ୍ଯଥା ଅଶୁଭ ।‌
ଦ୍ୱିଜା ଆର୍ଦ୍ରା, ଅଶ୍ଳେଷା, ସ୍ୱାତି, ଜ୍ୟେଷ୍ଠା ଓ ଶତଭିକ୍ଷା ଏହି ଛଅ ନକ୍ଷତ୍ରକୁ ପ୍ରାଚୀନ ଭାରତରେ ଜଘନ୍ୟଭ କୁ଼ହାଯାଉଥିଲା । 

ଫଳିତ ଜ୍ୟୋତିଷ ମତରେ ଅନୁରାଧା, ଧନିଷ୍ଠା, ହସ୍ତା, ଚିତ୍ରା, ସ୍ୱାତୀ, ଜ୍ୟେଷ୍ଠା, ଶତଭିଷା ଓ ରେଵତୀ ଆଦି ନକ୍ଷତ୍ର ନାଟକ ଆରମ୍ଭ କରିଵା ପାଇଁ ଶୁଭ ନକ୍ଷତ୍ର ଅଟନ୍ତି । 

ପ୍ରାଚୀନ ଭାରତୀୟ ଗ୍ରନ୍ଥମାନଙ୍କରେ ଲେଖା ଅଛି ଯେ ସ୍ୱାତୀ ନକ୍ଷତ୍ର ଯୋଗ ଦିନ ଵର୍ଷା ହେଵା ସମୟରେ ସାମୁକା ପାଣିରେ ପାଟି ମେଲା କରି ପହଁରୁ ଥାଏ ଓ ସେହି ଦିନ ତାହା ଗର୍ଭରେ ଵର୍ଷା ବିନ୍ଦୁ ପଡ଼ିଲେ ତାହା ମୋତି ପାଲଟି ଯାଏ।

ସ୍ଵଭାଵ କଵି ଗଙ୍ଗାଧର ମେହେର ତାଙ୍କର ତପସ୍ଵିନୀ କାଵ୍ୟର ପଞ୍ଚମ ସର୍ଗରେ ଏହି କଥାକୁ ଦୃଷ୍ଟାନ୍ତ ସ୍ବରୂପ ଉଲ୍ଲେଖ କରିଛନ୍ତି । 

“ପ୍ରେମ-ପ୍ରଭାମୟ ରାମ-ହୃଦୟ
ରାଜ-ସିଂହାସନେ ହୋଇ ଅଥୟ
ଉଦ୍ୟାନକୁ କିବା ଆସିଛି ଧାଇଁ
ସତୀଙ୍କ ଯାତନା ନାଶିଵା ପାଇଁ,
ସେ ନେତ୍ର ସୁଭଗ ଜ୍ୟୋତି
ସ୍ୱାତୀ-ଜଳ ପରି ସତୀ ହୃଦୟରେ
ସୃଜୁଥାଏ ପ୍ରେମ-ମୋତି ।”

ଖ୍ରୀଷ୍ଟପୂର୍ଵ ୫୨୭ରେ ଜୈନଗୁରୁ ମହାଵୀର କାର୍ତ୍ତିକ ମାସ ସ୍ୱାତୀ ନକ୍ଷତ୍ରରେ ଅମାଵାସ୍ୟା ଦିନ ରାତ୍ରି ଶେଷରେ ନିର୍ଵାଣ ପ୍ରାପ୍ତ ହୋଇ ଥିଲେ ଫଳତଃ ଜୈନମାନଙ୍କ ପାଇଁ ସେହିଦିନଠାରୁ ଦୀପାଵଳି ଏକ ପଵିତ୍ର ଦିଵସ ଭାବେ ପରିଗଣିତ ହେଉଅଛି । 

ସ୍ଵାତି ନକ୍ଷତ୍ରର ଅନ୍ୟତମ ଭାରତୀୟ ନାମ ଅନିଳ ଅଟେ ‌। ପଵନଙ୍କର ଅନ୍ୟନାମ ଅନିଳ ଅଟେ ଏଵଂ ଯେହେତୁ ସ୍ବାତୀ ନକ୍ଷତ୍ରର ଅଧିଷ୍ଠାତା ଦେଵତା ପଵନ ଅଟନ୍ତି ତେଣୁ ସ୍ଵାତୀ ନକ୍ଷତ୍ରର ଏକ ନାମ ଅନିଳ ହୋଇଅଛି । ମେସୋପୋଟାମିଆର ପ୍ରାଚୀନ ସୁମେରୀୟମାନେ ସେମାନଙ୍କର Enlil,Elil ଓ Nunamnir ନାମରେ ଜଣାଶୁଣା ଜଣେ ଦେଵତାଙ୍କୁ ମଧ୍ୟ ସ୍ଵାତୀ ନକ୍ଷତ୍ରର ଅଧିଷ୍ଠାତା ଦେଵତା ଭାବରେ ଅଭିହିତ କରୁଥିଲେ । ଆଶ୍ଚର୍ଯ୍ୟଜନକ ଭାବେ ଏହି ନାମଟି ଵାୟୁଦେଵଙ୍କର ଭାରତୀୟ ନାମ ଅନିଳ ସହିତ ମିଶିଯାଉଛି । ଭାରତରେ ଯେମିତି ପଵନ ଦେଵଙ୍କୁ ଵାୟୁ ଓ ଝଡ଼ର ଅଧିଷ୍ଠାତା ଦେଵତା ଵିଚାର କରାଯାଏ ଠିକ୍ ସେହିପରି ପ୍ରାଚୀନ ସୁମେରୀୟମାନେ Enlil ଵା Elilଙ୍କୁ ପଵନ,ଵାୟୁ,ଝଡ଼ ଓ ପୃଥିଵୀର ଅଧିଷ୍ଠାତା ଦେଵତା ଵିଚାର କରୁଥିଲେ । 

ତେବେ ଆଧୁନିକ ଯୁଗରେ ଜ୍ୟୋତିର୍ଵିଜ୍ଞାନ କ୍ଷେତ୍ରରେ ଅଦ୍ଭୁତପୂର୍ଵ ଗଵେଷଣା ଓ ଅଧ୍ୟୟନ ଯୋଗୁଁ ଆମ୍ଭମାନଙ୍କୁ ସ୍ଵାତୀ ନକ୍ଷତ୍ର ଵିଷୟରେ ଆହୁରି ଅନେକ ତଥ୍ୟ ପ୍ରାପ୍ତ ହୋଇଛି । 

ସ୍ଵାତୀ ନକ୍ଷତ୍ର ସୂର୍ଯ୍ୟଠାରୁ ପ୍ରାୟ ୩୬.୭ ଆଲୋକଵର୍ଷ ଦୂରରେ ଅଵସ୍ଥିତ ଏଵଂ ଏହାର ପାଶ୍ଚାତ୍ୟ ନାମ Arcturus ଓ alpha Boötis ଅଟଇ । ସ୍ଵାତୀ ନକ୍ଷତ୍ରର ଵୟସ ୭.୧ ଅବ୍ରୁତ ଵର୍ଷ ଅନୁମାନ କରାଯାଇଛି ଏଵଂ ଏହା ଏକ ଲାଲ୍ ଦାନଵ ନକ୍ଷତ୍ର ଅଟେ ।‌ ଦ୍ରଵ୍ୟମାଣ ଦୃଷ୍ଟିରୁ ସ୍ଵାତୀ ନକ୍ଷତ୍ର ସୂର୍ଯ୍ୟ ଓଜନର ପାଖାପାଖି ହୋଇଥିଲେ ବି ଆକାରରେ ୨୫ଗୁଣ ବଡ଼ ତଥା ଆଲୋକ ଦୃଷ୍ଟିରୁ ୧୭୦ ଗୁଣ ଅଧିକ ଉଜ୍ଵଳ ଅଟେ । ସ୍ଵାତୀ ନକ୍ଷତ୍ରର ଵ୍ୟାସ ପ୍ରାୟ ୩୫ ନିୟୁତ କିଲୋମିଟର ଥିଵା ଜଣାପଡି଼ଛି । ସ୍ଵାତୀ ନକ୍ଷତ୍ର ଆମର ନକ୍ଷତ୍ର ସୂର୍ଯ୍ୟ(୪.୬ ଅବ୍ରୁତ ଵର୍ଷ ଵୟସ୍କ) ଅପେକ୍ଷା ଵୟସରେ ଅର୍ଦ୍ଧାଧିକ ପୁରାତନ ନକ୍ଷତ୍ର ଏଵଂ ସୂର୍ଯ୍ୟ ଆଖପାଖରେ ଏଭଳି ଅତି ଵୟସ୍କ ନକ୍ଷତ୍ର କମ୍ ହିଁ ରହିଛି ।‌ 

ସ୍ଵାତୀ ଵା Arcturusକୁ "Arcturus moving group" ଵା Arcturus stream ନାମରେ କେତେଗୁଡ଼ିଏ ତାରକା ସମୂହର ଏକ ତାରକା ଭାବେ ଗଣନା କରାଯାଏ ।‌ ଏହି ତାରକା ସମୂହରେ Arcturus ଛଡ଼ା Anser (Alpha Vulpeculae), 27 Cancri ଓ Kappa Gruis ଭଳି ପ୍ରାୟ ୫୨ରୁ ଅଧିକ ତାରକା ଅଛନ୍ତି । ଅନୁମାନ କରାଯାଏ ଏହି ତାରକା ସମୂହରେ ଥିଵା ତାରକାଗୁଡି଼କ Milky way galaxyକୁ ଅତି ପ୍ରାଚୀନ କାଳରେ ଏକ ଉପ-ଛାୟାପଥ(Satellite Galaxy)ରୁ ଆସିଥିଲେ । 

ସୂର୍ଯ୍ୟ ଏବଂ ସୁପରନୋଭା ଵ୍ୟତୀତ ସ୍ଵାତୀ ଵା Arcturus ପ୍ରଥମ ତାରା ଥିଲା ଯାହା ଦିନ ସମୟରେ ଟେଲିସ୍କୋପ ସାହାଯ୍ୟରେ ଦେଖାଯାଇଥିଲା । ୧୬୩୫ ମସିହାରେ ଫ୍ରାନ୍ସର ଜ୍ୟୋତିର୍ଵିଜ୍ଞାନୀ ଓ ଗଣିତଜ୍ଞ ଜାନ୍-ବାପ୍ଟିଷ୍ଟ ମୋରିନ୍ ପ୍ରଥମ ଵ୍ୟକ୍ତି ଭାବେ ଏହି କାର୍ଯ୍ୟ କରି ଦେଖାଇଥିଲେ । ବେଳେ ବେଳେ ସୂର୍ଯ୍ୟ ଅସ୍ତ ହେଵାର ଠିକ୍ ପୂର୍ଵରୁ ଖାଲି ଆଖିରେ ମଧ୍ୟ ସ୍ଵାତୀ ନକ୍ଷତ୍ର ଦୃଶ୍ୟ ହୋଇଥାଏ । 

ଆମ ସୂର୍ଯ୍ୟ ଅପେକ୍ଷା ଵୟସରେ ସ୍ଵାତୀ ନକ୍ଷତ୍ର ବହୁତ ପୁରୁଣା ନକ୍ଷତ୍ର ଏଵଂ ଵୈଜ୍ଞାନିକମାନେ ଏହାର ଆକାର, ଦ୍ରଵ୍ୟମାଣ ଓ ଵର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ କରି ଅନୁମାନ କରନ୍ତି ଯେ ଏହି ନକ୍ଷତ୍ରଟି କିଛି ଶହ ନିୟୁତ ଵର୍ଷ ପରେ ଏକ ଶୁଭ୍ର ଵାମନ ତାରକା(white dwarf star)ରେ ପରିଣତ ହୋଇ ଶେଷରେ କୃଷ୍ଣ ଵାମନ ତାରକା( black dwarf star)ରେ ପରିଵର୍ତ୍ତିତ ହେଵ ଏଵଂ ମୃତ୍ୟୁଵରଣ କରିଵ । ପାଞ୍ଚ ଵା ଛଅ ଅବ୍ରୁତ ଵର୍ଷ ପରେ ଆମ ସୂର୍ଯ୍ୟର ମଧ୍ୟ ସମଦଶା ହେଵ ଫଳତଃ ଵୈଜ୍ଞାନିକମାନେ ଏହି ତାରକା ଵିଷୟରେ ଅଧିକରୁ ଅଧିକ ଗଵେଷଣା କରୁଛନ୍ତି । 

ଅନେକେ ଏହା ଜାଣି ହୁଏତ ଆଶ୍ଚର୍ଯ୍ୟ ହୋଇପାରନ୍ତି ତେବେ ପ୍ରାୟ ଅର୍ଦ୍ଧ ନିୟୁତ ଵର୍ଷ ପୂର୍ଵେ ସ୍ଵାତୀ ଵା Arcturus ନକ୍ଷତ୍ର ପୃଥିଵୀରୁ ଖାଲି ଆଖିରେ ଦେଖାଯାଉନଥିଲା । ଏହା ଵର୍ତ୍ତମାନ ଆମ ସୌରଜଗତ ଆଡ଼କୁ ଗତି କରୁଛି ଏଵଂ ସୂର୍ଯ୍ୟ ତୁଳନାରେ ୧୨୨ କିଲୋମିଟର/ସେକେଣ୍ଡ ବେଗରେ ଗତି କରି ସୌରମଣ୍ଡଳର ପ୍ରାୟ ନିକଟତମ ବିନ୍ଦୁରେ ପହଞ୍ଚିଛି । ପାଖାପାଖି ୪,୦୦୦ ଵର୍ଷ ମଧ୍ୟରେ ଏହା ଆହୁରି ନିକଟତର ହେଵ । ଵୈଜ୍ଞାନିକମାନେ କୁହନ୍ତି ସ୍ଵାତୀ ନକ୍ଷତ୍ର ଏକ ଆଲୋକ ଵର୍ଷର କିଛି ଶହ ଭାଗ ଵର୍ତ୍ତମାନ ତୁଳନାରେ ନିକଟତର ହେଵ ଏଵଂ ତାପରେ ଏହା ଦକ୍ଷିଣ ଦିଗରେ ଗତି କରିଵା ଆରମ୍ଭ କରିଦେଵ ତଥା ଆଉ ୧,୫୦,୦୦୦ ଵର୍ଷ ପରେ ପୃଥିଵୀରୁ ଖାଲି ଆଖିରେ ଦୃଶ୍ୟମାନ ହେଵ ନାହିଁ । ତେବେ ଵର୍ତ୍ତମାନ ସମୟରେ ସ୍ଵାତୀ ନକ୍ଷତ୍ର ପୃଥିଵୀର ରାତ୍ରୀ ଆକାଶରେ ତୃତୀୟ ସବୁଠାରୁ ଉଜ୍ଵଳତମ ନକ୍ଷତ୍ର ଅଭିହିତ ହେଉଅଛି । 

ସତରେ ଆମେ ଭାଗ୍ୟଵାନ ଯେ ଏଭଳି ଏକ ପ୍ରାଚୀନ ନକ୍ଷତ୍ରକୁ ଆମ୍ଭେମାନେ ପୃଥିଵୀର ରାତ୍ରି ଆକାଶରେ ଦେଖିପାରୁଛନ୍ତି । 

Friday, May 12, 2023

ରାତ୍ରୀ କାଳରେ କିଛି ଜୀଵଙ୍କ ଆଖି ଜଳିଲା ଭଳିଆ କାହିଁକି ଦେଖାଯାଏ ?

ଆମେରିକାର ଉତ୍ତର ପଶ୍ଚିମ ପ୍ରଶାନ୍ତ ଅଞ୍ଚଳରେ ଲୁମ୍ମି(Lummi) ତଥା ସ୍ପୋକନେ(Spokane) ଜନଜାତୀୟ ଲୋକଙ୍କର ଏକ ଲୋକଗାଥା ଅନୁସାରେ କୌଣସି କାରଣରୁ ଗୋଟିଏ Coyote (ଆମେରିକୀୟ କୋକିଶିଆଳି) ଅନେକ ଦିନ ପର୍ଯ୍ୟନ୍ତ ନିଃସଙ୍ଗ ଜୀଵନ କଟାଉଥିଲା । ତେବେ Coyote ନିଜ ଜୀଵନରେ କିଛି ପରିଵର୍ତ୍ତନ ଚାହୁଁଥିଲା କିନ୍ତୁ ଏଥିପାଇଁ ଜଣେ କିଏ ସାଥୀ ଆଵଶ୍ୟକ ଵିଚାର କରି ସେ ଦିନେ ନିକଟରେ ଥିଵା ଝିଅମାନଙ୍କୁ ପ୍ରଭାଵିତ କରିଵା ପାଇଁ ଚେଷ୍ଟା କଲା। Coyote ଅନେକ ପ୍ରକାରର ଖେଳ କୌତୁକ ଦେଖାଇଲା କିନ୍ତୁ ଝିଅମାନେ କୋଉଥିରେ ପ୍ରଭାଵିତ ହେଲେ ନାହିଁ । ଶେଷରେ Coyote ତାହାର ଦୁଇଗୋଟି ଉଜ୍ବଳ ଚକ୍ଷୁ ବାହାର କରି ଉପରକୁ ଫିଙ୍ଗିଲା ଏଵଂ ପୁଣି ତାକୁ ଧରି ଏକ ଉଦ୍ଭଟ ଖେଳ ଦେଖାଇଲା । ଯେତେଥର Coyote ତାହାର ଆଖି ଦୁଇଟିକୁ ଉପରକୁ ଫିଙ୍ଗୁଥିଲା ଝିଅମାନେ ଆନନ୍ଦରେ ତାଳି ମାରି ହସୁଥିଲେ ।‌ ଅତଃ Coyote ଏଥିରେ ଉତ୍ସାହିତ ହୋଇ ଆଉ ଟିକିଏ ଉପରକୁ ଆଖି ଦୁଇଟି ଫିଙ୍ଗିଲା । ଏଥିରେ ଝିଅମାନେ ଆହୁରି ଅଧିକ ସୁଖ ପାଇଲେ ଏଵଂ ତାଳି ବଜାଇ ନାଚିଲେ । ଏହିପରି ଅନେକ ଥର ହେଲା ଆଉ ଶେଷରେ Coyote ତାହାର ଆଖି ଦୁଇଟି ଏତେ ଉଚ୍ଚକୁ ଫିଙ୍ଗିଦେଲା ଯେ ତନ୍ମଧ୍ୟରୁ ଗୋଟିଏ ଆଖି ଆକାଶରେ ଅଟକି ଗଲା ଏଵଂ ତାହା ଏକ ତାରକା ହୋଇଗଲା ।‌ Coyoteର ଆକାଶରେ ଠାକିଯାଇଥିଵା ସେହି ଆଖିଟି ପରେ ସ୍ଵାତୀ ଵା Arcturus ନକ୍ଷତ୍ର ହୋଇଗଲା ।‌ ଏହା ଦେଖି ହସି ନାଚି ତାଳି ବଜାଉଥିଵା ଝିଅମାନେ ଚୁପ୍ ହେଇଗଲେ ଏଵଂ ଭୟରେ ସେଠାରୁ ଦୌଡ଼ି ପଳାଇଲେ । ଦୁଃଖରେ ଭାଙ୍ଗି ପଡି଼ ନିଜର ବଞ୍ଚିଯାଇଥିଵା ଗୋଟିଏ ଆଖିକୁ ଘେନି Coyote ସେଠାରୁ ଜଙ୍ଗଲକୁ ଚାଲିଗଲା । 

ହଁ ସ୍ଥୂଳ ଭାବେ କୁହାଯାଇପାରେ ଯେ ଏହା ଏକ ଜନଜାତୀୟ କାହାଣୀ ଛଡ଼ା ଆଉ କିସ ହୋଇପାରେ ! 
କିନ୍ତୁ ସୂକ୍ଷ୍ମ ଭାବେ ବୁଝିଲେ ଜାଣିହୁଏ ଯେ ଏହି କାହାଣୀ ମାଧ୍ୟମରେ ପ୍ରାଚୀନ ଆମେରକୀୟ ଜନଜାତୀୟ ଲୋକେ ନିଜ ଯୁଵପିଢ଼ିଙ୍କୁ ଶିକ୍ଷା ଦେଵାକୁ ଚେଷ୍ଟା କରିଛନ୍ତି ଯେ ଅନ୍ୟ କାହାକୁ(ଵିଶେଷତଃ ଝିଅମାନଙ୍କୁ) ପ୍ରଭାଵିତ କରିଵା ଚେଷ୍ଟାରେ ଏତେ ପ୍ରାଣପଣେ ଲାଗିପଡ଼ନାହିଁ ନହେଲେ Coyote ନିଜର ଆଖି ହରାଇଵା ଭଳି ଅସୁଵିଧାରେ ପଡି଼ଵା ସାର ହେଵ । Coyote, କୋକିଶିଆଳି, ବିଲୁଆ ଏମନ୍ତକି ବିଲେଇ ଭଳି ଜୀଵମାନଙ୍କର ଆଖି ଅନ୍ଧାରରେ ଆମକୁ ଜଳିଲା ଭଳି ଦେଖାଯାଏ । ତେଣୁ ଏହି ଲୋକକଥାଟି ସେଇ ଆଧାରରେ କଳ୍ପିତ ହୋଇଥିଲା । 

ତେବେ ଏଠାରେ ମନକୁ ପ୍ରଶ୍ନ ଆସୁଛି କିଛି ଜୀଵମାନଙ୍କର ଆଖି ଆମକୁ ଜଳିଲା ଜଳିଲା ଭଳି କାହିଁକି ଦେଖାଯାଏ 🤔

ଅନେକ ଜୀଵମାନଙ୍କର ଅକ୍ଷିପଟ ଵା ଦୃଷ୍ଟିପଟଳ(Retina) ପଛରେ ଏକ ସ୍ୱତନ୍ତ୍ର, ପ୍ରତିଫଳିତ ପୃଷ୍ଠ ଅଛି ଯାହାକୁ Tapetum lucidum କୁହାଯାଏ । ଏହି Tapetum lucidum ପୃଷ୍ଠ ଥିଵା ଯୋଗୁଁ ସେମାନଙ୍କ ଆଖି ଆମକୁ ଜଳିଲା ଭଳି ଦେଖାଯାଏ । ଅଵଶ୍ୟ ମଣିଷମାନଙ୍କ ଆଖିରେ Tapetum lucidum ପୃଷ୍ଠଟି ନାହିଁ ତେଣୁ ଆମ ଆଖି ଜଳିଵା ଭଳି ଦେଖାଯାଏ ନାହିଁ । Tapetum lucidum ପଶୁମାନଙ୍କୁ ରାତ୍ରିକାଳରେ ଦେଖିଵାର ସାମର୍ଥ୍ୟ ପ୍ରଦାନ କରିଥାଏ 
କିନ୍ତୁ ଦିନରେ ଏହା ଦୃଶ୍ୟ କ୍ଷମତାକୁ କମାଇ ଦିଏ । ତେଣୁ ଦୁଃଖ କରିଵାର କିଛି ନାହିଁ ,ଆମେ ମଣିଷମାନେ ଅନ୍ଧକାରରେ ଖାଲି ଆଖିରେ ଦେଖିପାରିଵା ନାହିଁ ସତ ହେଲେ ଦିନରେ ଆମେ ସବୁକିଛି ସ୍ପଷ୍ଟ ଭାବରେ ଦେଖିପାରୁଁ । ଫଳତଃ ଦିଵସ କାଳର ଏହି ସ୍ପଷ୍ଟ ଦୃଶ୍ୟ ଶକ୍ତି , ତୀକ୍ଷ୍ଣ ବୁଦ୍ଧି, ନିରନ୍ତର ଵୈଜ୍ଞାନିକ ଅଧ୍ୟଵସାୟ ତଥା ପିଢ଼ି ପିଢ଼ି ଧରି ଅନ୍ଧକାର ସହିତ ସଂଘର୍ଷ ପରେ ଆମ୍ଭେମାନେ ଆଜି ରାତ୍ରିକାଳରେ ମଧ୍ୟ ଆଲୋକ ସୃଷ୍ଟି କରିପାରିଵାରେ ସକ୍ଷମ ହୋଇଛୁ ଯାହା ପୃଥିଵୀର ଅନ୍ୟ କୌଣସି ଜୀଵ କରିପାରିନାହାନ୍ତି । 

Thursday, November 24, 2022

ଢ,ଢା,ଢୀ,ଢୁ ଓ ମ,ମା,ମି,ମୁ ; ଢେଙ୍କାନାଳ ମଧୁପୁର ସନ୍ଧି ପ୍ରସଙ୍ଗ

ଢେଙ୍କାନାଳର ଵର୍ତ୍ତମାନ ରାଜବଂଶର ପ୍ରତିଷ୍ଠାତା ଥିଲେ ରାଜା ହରିସିଂହ ଵିଦ୍ୟାଧର । ତାଙ୍କ ପରେ ତାଙ୍କ ପୁତ୍ର ଲୋକନାଥ ରାୟସିଂହ ଭ୍ରମରବର ଢେଙ୍କାନାଳର ଶାସନ ଦାୟିତ୍ୱ ଗ୍ରହଣ କଲେ । ଢେଙ୍କାନାଳ ରାଜା ଲୋକନାଥ (ରାୟସିଂହ) ଭ୍ରମରବରଙ୍କ ଵୀରତ୍ଵ, ଦିଗଵିଜୟ ଓ ସହୃଦୟତାର ଅନେକ କାହାଣୀ ରହିଛି ‌ । 

ମଧୁପୁର ଗଡ଼ ଚଣ୍ଡିଖୋଲ ଓ ଜେନାପୁରର ମଧ୍ୟ ଭାଗରେ ବ୍ରାହ୍ମଣୀ ନଦୀର ପଶ୍ଚିମ ପାଖରେ ଅଵସ୍ଥିତ । ଲୋକନାଥ ଭ୍ରମରବରଙ୍କ ସମୟରେ ଏଠାରେ ଜଣେ ରାଜା ଶାସନ କରୁଥିଲେ । ଢେଙ୍କାନାଳ ରାଜା ପୂର୍ଵ ଦିଗରେ ଦିଗଵିଜୟ କରିଵାକୁ ବାହାରି ଥାଆନ୍ତି । ସେ ମଧୁପୁର ନିକଟରେ ପହଞ୍ଚିଵା ଜାଣି ମଧୁପୁର ରାଜା ଭୟଭୀତ ହେଲେ। ସେ ସମୟରେ ଢେଙ୍କାନାଳ ରାଜ୍ୟର ସୈନ୍ୟଶକ୍ତିକୁ ସାମ୍ନା କରିଵାକୁ ମଧୁପୁର ରାଜାଙ୍କ ପାଖରେ ସେଭଳି ଶକ୍ତିଶାଳୀ ସୈନ୍ଯଵାହିନୀ ନଥିଲା । ତେଣୁ ସେ ବୁଦ୍ଧି ବଳରେ ଏହି ସମସ୍ୟାର ସମାଧାନ କରିଵାକୁ ଚେଷ୍ଟା କଲେ । ମଧୁପୁର ରାଜାଙ୍କ ପାଖରେ ଜଣେ ଵିଦୂଷକ ଥିଲେ ‌। ଉକ୍ତ ଵିଦୂଷକ ରାଜାଙ୍କୁ ଏହି ସମସ୍ୟାର ସମାଧାନ କରି ଦେବେ ବୋଲି ପ୍ରତିଶ୍ରୁତି ଦେଲେ ଏଵଂ ତାଙ୍କୁ ଢେଙ୍କାନାଳ ରାଜାଙ୍କ ଛାମୁକୁ ଦୂତ ଭାବେ ପଠାଇଵାକୁ ସଵିନୟ ଅନୁରୋଧ କଲେ । 
 ରାଜଆଦେଶ ପାଇ ଚତୁର ଵିଦୂଷକ ମଧୁପୁର ଗଡ଼ର ରାଜଦୂତ ଭାବରେ ସନ୍ଧି କରିଵା ନିମିତ୍ତ ଢେଙ୍କାନାଳ ରାଜାଙ୍କ ନିକଟକୁ ଗଲେ ।
 
ରାଜା ଲୋକନାଥଙ୍କ ଛାମୁରେ ପହଞ୍ଚି ମଧୁପୁର ରାଜଦୂତ ତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି ଜଣାଇଲେ “ମଣିମା ! ଆପଣଙ୍କ ରାଇଜର ନାମ ଢେଙ୍କାନାଳ ଏଵଂ ତାହା 'ଢ' ଅକ୍ଷରରୁ ଆରମ୍ଭ ହୋଇଥିଵାରୁ ଢ , ଢା , ଢୀ , ଢୁ । ଆମ ମଧୁପୁରର ଆଦ୍ୟ ଅକ୍ଷର ହେଉଛି 'ମ' ଅର୍ଥାତ୍ ଆମେ ମ , ମା , ମି , ମୁ । ଏହାର ଭାବ ହେଲା ଆପଣ ସିଂହ ସଦୃଢ଼ ଢ , ଢା , ଢୀ ଢୁ କଲାବେଳକୁ ଆମେ ଛେଳି ସଦୃଶ ମ , ମା , ମୀ , ମୁ ହେବ । ଦୟାକରି ଆପଣ ଛାର ମଧୁପୁର ପ୍ରତି କୃପା କରନ୍ତୁ ।”
  
ରାଜଦୂତଙ୍କର ଚାଟୁ ଵାକ୍ୟରେ ପ୍ରୀତ ହୋଇ ଢେଙ୍କାନାଳଧୀଶ୍ଵର ଲୋକନାଥ କହିଲେ 
“ଆମ୍ଭେ ଏହି ସ୍ଥାନରୁ ଫେରି ଯାଉଛୁଁ ।” ତହୁଁ ଢେଙ୍କାନାଳ ରାଜା ମଧୁପୁରଗଡ଼ର ରାଜଦୂତଙ୍କୁ ନିକଟସ୍ଥ ପର୍ଵତରୁ ଦେଖାଇ କହିଲେ “ଏହି ପର୍ଵତ ଆଜିଠାରୁ ଦୁଇ ରାଜ୍ୟ ମଧ୍ୟସ୍ଥ ସୀମା ହେଵ । ମଧୁପୁର ରାଜାଙ୍କୁ ଜଣାଇ ଦେବେ ପର୍ଵତର ପୂର୍ଵ ଦିଗରେ ସେ ନିଶ୍ଚିନ୍ତରେ ଶାସନ କରନ୍ତୁ ।”

କୁହାଯାଏ ଯେଉଁ ସ୍ଥାନରେ ଢେଙ୍କାନାଳ ରାଜ୍ୟର ସେତେବେଳେ ସେନାଛାଉଣୀ ପଡ଼ିଥିଲା ଏଵଂ ଯେଉଁଠାରୁ ଲୋକନାଥ ଫେରି ଆସିଥିଲେ ସେହି ସ୍ଥାନର ନାମ ତତ୍ପରେ ଇଚ୍ଛାପୁର ତଥା ତତ୍ ସନ୍ନିକଟ ପର୍ଵତର ନାମ ନିଶ୍ଚିନ୍ତା ପର୍ଵତ ରଖାଯାଇଥିଲା । ମଧୁପୁର ସନ୍ଧି ଫଳରେ ରାଜା ଲୋକନାଥ ଯେଉଁ ଭୂଖଣ୍ଡ ଲାଭ କଲେ ତାକୁ “ରାୟ ସିଂହ ପ୍ରସାଦ” ପ୍ରଗଣା ଵା ଵିଷ ନାମ ଦେଇ ଢେଙ୍କାନାଳ ରାଜ୍ୟଭୁକ୍ତ କଲେ । 

ଓଡ଼ିଶାରେ ଏକାଧିକ ଗଡ଼ମଧୁପୁର , ମଧୁପୁରଗଡ଼ ଵା ମଧୁପୁର ନାମରେ ସ୍ଥାନ ଥିଵା ଜଣାଯାଏ । ଗୋଟିଏ ଗଡ଼ମଧୁପୁର(୭୫୪୦୩୨) କଟକ ଜିଲ୍ଲାର ନରସିଂହପୁର ନିକଟରେ ମହାନଦୀ କୂଳରେ ଅଵସ୍ଥିତ । 

ଆଉ ଏକ ମଧୁପୁର ପୁରୀ ଜିଲ୍ଲାରେ ଅଵସ୍ଥିତ ,ଏକ ମଧୁପୁର ଦେଵୀ ନଦୀ କୂଳରେ ନୂଆଗଡ଼ ନିକଟରେ ଅଵସ୍ଥିତ । 

ଏଠାରେ ଉଲ୍ଲେଖ ଥିଵା ଗଡ଼ମଧୁପୁର (୭୫୫୦୨୩) ବ୍ରାହ୍ମଣୀ ନଦୀ କୂଳରେ ଅଵସ୍ଥିତ ଏଵଂ ଏହି ଗଡ଼ମଧୁପୁରଠାରୁ ପ୍ରାୟ ୭୮ କିମି ଦୂରରେ ଇଚ୍ଛାପୁର(୭୫୯୦୧୫) ବୋଲି ଏକ ଗ୍ରାମ ରହିଛି । ଭାପୁର ଗ୍ରାମ ଓ ସପ୍ତଶଯ୍ୟା ଜଙ୍ଗଲ ମଝିରେ ଏହି ଇଚ୍ଛାପୁର ଗ୍ରାମ ଅଛି । ବ୍ରାହ୍ମଣୀ ନଦୀ କୂଳରେ ଅଵସ୍ଥିତ ଏହି ଗଡ଼ମଧୁପୁର ନିକଟରେ ରାୟ ସିଂହ ପ୍ରସାଦ(୭୫୯୦୧୬) ବୋଲି ଏକ ଗ୍ରାମ ମଧ୍ୟ ଅଛି । ଏହି ମଧୁପୁରଗଡ଼ଟି ଯାଜପୁର ଜିଲ୍ଲାରେ ଅଵସ୍ଥିତ ଏଵଂ ଲୋକକଥାରୁ ଜଣାଯାଏ ଯେ ଏହି ମଧୁପୁରଗଡ଼ରେ ଜଣେ ବ୍ରାହ୍ମଣ ରାଜା ମଧୁସୂଦନ ଵିଦ୍ୟାରତ୍ନ ଶାସନ କରୁଥିଲେ । ତେବେ ସେତେବେଳେ ଏହି ରାଜ୍ୟର ନାମ କମାଗଡ଼ ଥିଲା । ପରେ ୧୫୦୨ରେ ଅନ୍ୟ ଜଣେ ରାଜାଙ୍କ ଦ୍ଵାରା ଏ ଅଞ୍ଚଳ ଶାସନାଧୀନ ହେଵାରୁ ଏହି ରାଜ୍ୟର ନାମକରଣ ମଧୁସୂଦନ ଵିଦ୍ୟାରତ୍ନଙ୍କ ସ୍ମୃତିରେ ମଧୁପୁର ରଖାଯାଇଥିଲା । 

•••••••••••••••••••••••••••••••••••
ତଥ୍ୟ ଉତ୍ସ— 
•ଢେଙ୍କାନାଳର ଐତିହ୍ୟ ଓ ସସ୍କୃତି
ପୁସ୍ତକ(ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର) 
•••••••••••••••••••••••••••••••••••