My Blog List

Showing posts with label କାହାଣୀ. Show all posts
Showing posts with label କାହାଣୀ. Show all posts

Wednesday, December 3, 2025

ଅଦୃଶ୍ୟ ଲୁଗାର ଅମର ଯାତ୍ରା : ଡନ୍ ଜୁଆନ୍ ମାନୁଏଲ୍‌ଙ୍କ ମଧ୍ୟଯୁଗୀୟ ଉପକଥାରୁ ହାନ୍ସ କ୍ରିଷ୍ଟିଆନ ଆଣ୍ଡରସନ୍‌ଙ୍କ ସମ୍ରାଟ୍‌ଙ୍କର ନୂଆ ଲୁଗା ପର୍ଯ୍ୟନ୍ତ

ହାନ୍ସ କ୍ରିଷ୍ଟିଆନ ଆଣ୍ଡରସନ୍‌ଙ୍କ ଵିଶ୍ୱପ୍ରସିଦ୍ଧ କାହାଣୀ “ସମ୍ରାଟ୍‌ଙ୍କର ନୂଆ ଲୁଗା” (The Emperor’s New Clothes, ୧୮୩୭) ଅହଂକାର ଓ ମିଛ ଗର୍ଵର ଏକ ଅମର ଉପହାସ ଅଟେ। ଏହି କାହାଣୀଟି ଅନେକେ ହୁଏତ ଶୁଣିଥିବେ । ସଂକ୍ଷେପରେ କାହାଣୀର କଥାନକ ନିମ୍ନରେ ଦିଆଗଲା । 

ଗୋଟେ ବଡ଼ ରାଜ୍ୟରେ ଜଣେ ସମ୍ରାଟ୍ ରହୁଥିଲେ, ଯାହାଙ୍କର ସବୁଠାରୁ ବଡ଼ ଵ୍ୟସନ ଥିଲା ନୂଆ ନୂଆ ଲୁଗା ପିନ୍ଧିଵା । ତାଙ୍କର ଗନ୍ତାଘରେ ଅଢେଇ ସହସ୍ରରୁ ଅଧିକ ଲୁଗା ଥିଲା, କିନ୍ତୁ ତଥାପି ସେ ସବୁବେଳେ ନୂଆ ଲୁଗା ଉଣ୍ଡୁଥିଲେ। ଦିନେ ଦୁଇ ଠକ ନିଜକୁ ସିପୁଟି(ଦର୍ଜି ) ପରିଚୟ ଦେଇ ରାଜଧାନୀକୁ ଆସି ଘୋଷଣା କଲେ ଯେ ସେମାନେ ଏକ ଅଦ୍ଭୁତ ଲୁଗା ବୁଣି ପାରନ୍ତି। ଏହି ଲୁଗାର ଵିଶେଷତ୍ୱ ଥିଲା – ଏହା ଅତି ସୁନ୍ଦର ଓ ଚମତ୍କାର, କିନ୍ତୁ ଯିଏ ଅଯୋଗ୍ୟ ଵା ବୋକା ସେ ଏହାକୁ ଦେଖି ପାରିଵ ନାହିଁ। କେଵଳ ଯୋଗ୍ୟ ଓ ବୁଦ୍ଧିମାନ୍ ଲୋକେ ହିଁ ଏହାର ରଙ୍ଗ ଓ ଡିଜାଇନ୍ ଦେଖିପାରିବେ।

ସମ୍ରାଟ୍ ଏହା ଶୁଣି ବହୁତ ଖୁସି ହେଲେ ଏଵଂ ସେମାନଙ୍କୁ ରାଜପ୍ରାସାଦରେ ରହି ଲୁଗା ତିଆରି କରିଵାକୁ କହିଲେ। ଦୁଇ ଠକ ସିପୁଟି ଖାଲି ହାତରେ ବୁଣାକାର ଭଳି ଅଭିନୟ କରି କହିଲେ, “ଆମେ ସୁନା ଓ ରେଶମରେ ଲୁଗା ବୁଣୁଛୁ।” ସମ୍ରାଟ୍ ପ୍ରଥମେ ଜଣେ ବୁଢ଼ା ଵିଶ୍ୱସ୍ତ ମନ୍ତ୍ରୀଙ୍କୁ ପଠାଇଲେ। ମନ୍ତ୍ରୀ କିଛି ଦେଖି ପାରିଲେ ନାହିଁ, କିନ୍ତୁ କାଳେ ସେ ଅଯୋଗ୍ୟ ବୋଲି ପ୍ରମାଣିତ ହୋଇଯିବେ ସେଇ ଭୟରେ ଫେରି ଆସି କହିଲେ, “ମହାରାଜ, ଲୁଗାଟି ବଡ଼ ସୁନ୍ଦର ହୋଇଛି । ରଙ୍ଗ ଓ କାରୁକାର୍ଯ୍ୟ ଅଦ୍ଭୁତ।” ପରେ ଆଉ ଜଣେ ଅଧିକାରୀ ଗଲେ ଏଵଂ ସେ ମଧ୍ୟ କିଛି ନ ଦେଖି ସେହି କଥା କହି ଆସିଲେ। ଯେତେଜଣ ଦେଖିଵାକୁ ଗଲେ ସେମାନେ ସମସ୍ତେ ଏହିପରି ଭୟରେ ମିଛ କହିଲେ।

ଶେଷରେ ସମ୍ରାଟ୍ ନିଜେ ଗଲେ। ସେ ମଧ୍ୟ କିଛି ଦେଖିପାରିଲେ ନାହିଁ, କିନ୍ତୁ ନିଜକୁ ଅଯୋଗ୍ୟ ବୋଲି ସ୍ୱୀକାର କରିଵାର ଡରରେ କହିଲେ, “ଅପୂର୍ଵ ! ଏହା ମୋର ଜୀଵନର ସବୁଠାରୁ ସୁନ୍ଦର ଲୁଗା।” ଠକ ସିପୁଟିମାନେ ସମ୍ରାଟ୍‌ଙ୍କୁ ନଗ୍ନ ଅଵସ୍ଥାରେ ହିଁ ଲୁଗା ପିନ୍ଧାଇ ଦେଲେ ଏଵଂ ସମ୍ରାଟ୍ ବଡ଼ ଧୁମ୍‌ଧାମ୍‌ରେ ରାଜପଥରେ ଶୋଭାଯାତ୍ରା ବାହାର କଲେ। ସଭାସଦ, ଅମାତ୍ୟ ଓ ପ୍ରଜା ସବୁ ନିଜେ ନିଜକୁ ବୁଦ୍ଧିମାନ ଦେଖାଇଵା ପାଇଁ ଚିତ୍କାର କରି କହିଲେ, “କି ଅଦ୍ଭୁତ ଲୁଗା ! କେତେ ସୁନ୍ଦର ରଙ୍ଗ!”
କିନ୍ତୁ ହଠାତ୍ ଜଣେ ନିଷ୍ପାପ ଛୋଟ ପିଲା ଚିତ୍କାର କରି ଉଠିଲା, “କିନ୍ତୁ ରାଜାଙ୍କର ତ ଦେହରେ କିଛି ଲୁଗା ନାହିଁ! ସେ ପୁରା ନଗ୍ନ!” ଏହି ସରଳ ସତ୍ୟ କଥା ଶୁଣି ସମସ୍ତ ପ୍ରଜା ଏକା ସଙ୍ଗେ ହସି ଉଠିଲେ ଏଵଂ ସତ୍ୟ ପ୍ରକାଶ ପାଇଗଲା। ସମ୍ରାଟ୍ ଲଜ୍ଜାରେ ମୂକ ହୋଇଗଲେ, କିନ୍ତୁ ଅହଂକାର ଯୋଗୁଁ ଶୋଭାଯାତ୍ରା ଜାରି ରଖିଲେ ଏଵଂ ନଗ୍ନ ଅଵସ୍ଥାରେ ହିଁ ପ୍ରାସାଦକୁ ଫେରି ଆସିଲେ।

ହାନ୍ସ କ୍ରିଷ୍ଟିଆନ ଆଣ୍ଡରସନ୍‌ଙ୍କ ଏହି କାହାଣୀଟି ଆଜିବି ଵିଶ୍ୱର ସବୁଠାରୁ ଶକ୍ତିଶାଳୀ ଉପହାସ ଭାବେ ପଢ଼ାଯାଏ ଏଵଂ ଅହଂକାର, ମିଛ ଗର୍ଵ ଓ ସାମୂହିକ ମୌନତାର ଏକ ଅମର ଚିତ୍ରଣ ଅଟେ। ଏହା ୧୮୩୭ ମସିହାରେ “ଫେରୀ ଟେଲ୍ସ ଟୋଲ୍ଡ ଫର ଚିଲଡ୍ରେନ” ସଂକଳନର ତୃତୀୟ ଖଣ୍ଡରେ ପ୍ରଥମେ ପ୍ରକାଶ ପାଇଥିଲା।

ଏହି କାହାଣୀର ମୂଳ ଧାରଣା ଓ କାହାଣୀକଥା ସତରେ ଅନେକ ପୁରୁଣା ଅଟେ। ଆଣ୍ଡରସନ୍ ନିଜେ ସ୍ପଷ୍ଟ ଭାବେ ସ୍ୱୀକାର କରିଛନ୍ତି ଯେ ଏହାର ମୂଳ ଉତ୍ସ ହେଉଛି ସ୍ପେନୀୟ ଲେଖକ Don Juan Manuel(୧୨୮୨–୧୩୪୮)ଙ୍କ ଵିଖ୍ୟାତ ପୁସ୍ତକ El Conde Lucanor(୧୩୩୫)ର ୩୨ତମ ଉପକଥା ““ଏଜେମ୍ପ୍ଲୋ ଏନ୍ କ୍ୱେ କୋଣ୍ଟା ଦେ ଲୋ କ୍ୱେ କୋଣ୍ଟେସିଓ ଦେ ତ୍ରେସ୍ ଏଙ୍ଗାଞାଡୋରେସ୍ ଅ ଲ କ୍ୱେ ଲେ କୋଣ୍ଟେସିଓ ଅ ଲ ରେଇ ଦେ ଲାସ୍ ତ୍ରେସ୍ ଫେରିଦାସ୍” ଯାହାର ସଂକ୍ଷିପ୍ତ ଭାଵାର୍ଥ ହେଉଛି ““ତିନି ଠକ୍ ଯେଉଁମାନେ ରାଜାଙ୍କୁ ଠକିଲେ ଏଵଂ ତିନି ଆଘାତ ଵିଷୟରେ ଯାହା ଘଟିଥିଲା”।

ସେହି ମଧ୍ୟଯୁଗୀୟ ସ୍ପେନୀୟ କାହାଣୀରେ ତିନି ଠକ୍ ଏକ କଳା ରାଜା (ମୋରିଶ୍ ରାଜା)ଙ୍କୁ ଠକନ୍ତି ଏଵଂ କହନ୍ତି ଯେ ସେମାନେ ଏକ ଅଦୃଶ୍ୟ ଲୁଗା ତିଆରି କରୁଛନ୍ତି ଯାହା କେଵଳ ଵୈଧ ସନ୍ତାନମାନେ ହିଁ ଦେଖିପାରିବେ। ଶେଷରେ ଜଣେ କଳା ଘୋଡ଼ାଚାଳକ ସତ୍ୟ କହି ଚିତ୍କାର କରେ ଯେ ରାଜା ନଗ୍ନ ଅଛନ୍ତି। ଆଣ୍ଡରସନ୍ ଏହି ପୁରୁଣା କାହାଣୀକୁ ଅନେକ ପରିଵର୍ତ୍ତନ କରି ଅଧିକ ସରଳ, ତୀକ୍ଷ୍ଣ ଓ ସାର୍ଵଜନୀନ କରିଛନ୍ତି। 

ଡନ୍ ଜୁଆନ୍ ମାନୁଏଲ୍‌ଙ୍କ ପୁସ୍ତକ “El Conde Lucanor”ର ସମ୍ପୂର୍ଣ୍ଣ ଗଠନ ପଞ୍ଚତନ୍ତ୍ର ଓ ହିତୋପଦେଶ ଶୈଳୀରେ ଲିଖିତ ହୋଇଛି । ପୁସ୍ତକଟିରେ ମୋଟ ୫୧ଟି ଉପକଥା ରହିଛି ଏଵଂ ପ୍ରତ୍ୟେକ ଉପକଥା ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ଲେଖା ହୋଇଛି। ସେହି ଢାଞ୍ଚାଟି ଏହିପରି ଯେ Count Lucanor ଜଣେ ଯୁଵ ଅଭିଜାତ ରାଜକୁମାର ଅଟନ୍ତି। ସେ ଜୀଵନର ବିଭିନ୍ନ ସମସ୍ୟା ନେଇ ନିଜର ବୁଦ୍ଧିମାନ୍ ଓ ଅନୁଭଵୀ ଉପଦେଷ୍ଟା Patronioଙ୍କ ପାଖକୁ ଯାଆନ୍ତି ଏଵଂ ପଚାରନ୍ତି – “ଏହି ପରିସ୍ଥିତିରେ ମୁଁ କ’ଣ କରିବି?”  

ପାଟ୍ରୋନିଓ ତାଙ୍କୁ ସିଧାସଳଖ ଉପଦେଶ ଦିଅନ୍ତି ନାହିଁ। ଵରଂ କହନ୍ତି – “ମଣିମା, ଏହାର ଉତ୍ତର ମୁଁ ଆପଣଙ୍କୁ ଏକ ଉଦାହରଣ କହି ବୁଝାଇବି।” ତା’ପରେ ସେ ଏକ ଛୋଟ କାହାଣୀ କହନ୍ତି। କାହାଣୀ ଶେଷ ହେଲା ପରେ ପାଟ୍ରୋନିଓ ସେହି କାହାଣୀରୁ ନିଷ୍ପତ୍ତି ଵା ନୈତିକ ଉପଦେଶ କାଉଣ୍ଟ ଲୁକାନୋର୍‌ଙ୍କୁ ସ୍ପଷ୍ଟ ଭାବେ କହି ଦିଅନ୍ତି ଏଵଂ କାଉଣ୍ଟ ତାହା ଗ୍ରହଣ କରନ୍ତି। 

ତେଣୁ ୩୨ତମ ଉପକଥାରେ ବି ଠିକ୍ ସେହିପରି ହୋଇଛି। ପାଟ୍ରୋନିଓ ହିଁ କାଉଣ୍ଟ ଲୁକାନୋର୍‌ଙ୍କୁ ଠକ୍ ସିପୁଟିଙ୍କ କାହାଣୀ କହନ୍ତି ଏଵଂ ଶେଷରେ ତହିଁରୁ ପ୍ରାପ୍ତ ତିନି ଆଘାତ ଵା las tres feridasର ଉପଦେଶ ଦିଅନ୍ତି।

ଏହି ଢାଞ୍ଚା ମଧ୍ୟଯୁଗୀୟ ସ୍ପେନ୍ ଓ ଆରବୀୟ ସାହିତ୍ୟର ଏକ ପ୍ରଚଳିତ ଶୈଳୀ ଥିଲା ଏଵଂ ହୁଏତ ପ୍ରାଚୀନ ଭାରତୀୟ ତଥା ଗ୍ରୀକ୍ ରୋମାନ୍ କା‌ହାଣୀ ସମ୍ବଳିତ ଉପଦେଶ ଗ୍ରନ୍ଥଗୁଡ଼ିକରୁ ପ୍ରଭାଵିତ ହୋଇଥିଲା । ଏହିପରି ଉପକଥା ମାଧ୍ୟମରେ ଉପଦେଶ ଦେଲେ ଶ୍ରୋତା କିମ୍ବା ପାଠକ ନିଜେ ନିଜର ଜୀଵନ ସହିତ ତୁଳନା କରି ଶିଖିପାରନ୍ତି ଏଵଂ ଉପଦେଶଟି ଅଧିକ ଗଭୀର ଭାବେ ମନେ ରହିଥାଏ। ଏହି ଶୈଳୀ ପରେ ବୋକାଚିଓ, ଚୌସର୍ ଆଦି ଲେଖକମାନେ ମଧ୍ୟ ଅନୁସରଣ କରିଥିଲେ।

ତେବେ Don Juan Manuelଙ୍କ ପ୍ରୋକ୍ତ 
କାହାଣୀର ପ୍ରାମାଣିକ ସଂକ୍ଷିପ୍ତ ରୂପ ଏହିପରି:

କୌଣସି ଏକ ସମୟରେ ତିନି ଜଣ ଭ୍ରମଣକାରୀ ଠକ୍ ଏକ ମୋରିଶ୍ (ପଠାଣ) ରାଜାଙ୍କ ରାଜ୍ୟକୁ ଆସିଲେ। ସେମାନେ ରାଜାଙ୍କ ପାଖରେ ନିଜକୁ ଅତି ନିପୁଣ ସିପୁଟି(ଦର୍ଜି) ବୋଲି ପରିଚୟ ଦେଲେ ଏଵଂ କହିଲେ ଯେ ସେମାନେ ଏପରି ଏକ ଅଦ୍ଭୁତ ଲୁଗା ତିଆରି କରିପାରନ୍ତି ଯାହାକୁ କେଵଳ ସେହି ଲୋକେ ଦେଖିପାରିବେ ଯେଉଁମାନେ ନିଜ ବାପାଙ୍କ ଵୈଧ ସନ୍ତାନ (ଅର୍ଥାତ୍ ଯାହାର ମା’ ବାପାଙ୍କ ଵିଵାହ ହୋଇଥିଵ ଵା ସେମାନେ ନିଜ ମାଆ ବାପାଙ୍କ ସନ୍ତାନ ହୋଇଥିବେ)। 

ଯେଉଁ ଲୋକ ଅଵୈଧ ସନ୍ତାନ ସେ ଏହି ଲୁଗା ଦେଖିପାରିଵ ନାହିଁ । ରାଜା ଏହା ଶୁଣି ଅତ୍ୟନ୍ତ ଉତ୍ସାହିତ ହେଲେ ଏଵଂ ସେମାନଙ୍କୁ ପ୍ରଚୁର ସୁନା ଓ ରେଶମ କପଡ଼ା ଦେଇ ଲୁଗା ତିଆରି କରିଵାକୁ କହିଲେ। ଠକ୍‌ମାନେ ଖାଲି ଘରେ ବସି କେଵଳ ଅଭିନୟ କରୁଥାନ୍ତି ଯେ ସେମାନେ ତନ୍ତ ବୁଣୁଛନ୍ତି ଓ ସିଲେଇ କରୁଛନ୍ତି। ସେମାନେ ସୁନା ଓ କପଡ଼ା ନିଜ ପେଟିରେ ଭର୍ତ୍ତି କରି ଲୁଚାଇ ଦେଲେ।
କିଛି ଦିନ ପରେ ରାଜା ନିଜ ମନ୍ତ୍ରୀମାନଙ୍କୁ ପଠାଇଲେ ଲୁଗା ଦେଖିଵାକୁ। ପ୍ରଥମେ ଜଣେ ଯାଇ କିଛି ଦେଖିପାରିଲା ନାହିଁ, କିନ୍ତୁ କାଳେ ସେ ଅଵୈଧ ସନ୍ତାନ ବୋଲାଇଵ ଏହି ଭୟରେ ମିଛରେ କହିଲା ଯେ ଲୁଗାଟି ଅତି ସୁନ୍ଦର। ଅନ୍ୟ ମନ୍ତ୍ରୀମାନେ ମଧ୍ୟ ସେହିପରି କହିଲେ ଏଵଂ ଏକେ ଅନ୍ୟକୁ ଚାଟୁକାରିତା କଲେ। ଶେଷରେ ରାଜା ନିଜେ ଯାଇ କିଛି ଦେଖିପାରିଲେ ନାହିଁ, କିନ୍ତୁ ନିଜର ଵୈଧତା ଉପରେ ସନ୍ଦେହ କରିଵାକୁ ଭୟ କଲେ ଏବଂ କହିଲେ ଯେ ଲୁଗାଟି ଅତୀଵ ଚମତ୍କାର ହୋଇଛି।

ଶେଷରେ ବଡ଼ ଧୁମ୍‌ଧାମ୍‌ରେ ଏକ ଶୋଭାଯାତ୍ରା ବାହାର କରାଗଲା। ରାଜା ସମ୍ପୂର୍ଣ୍ଣ ନଗ୍ନ ଅଵସ୍ଥାରେ ଘୋଡ଼ା ଉପରେ ବସି ଶୋଭାଯାତ୍ରା କଲେ ଏଵଂ ସମସ୍ତ ପ୍ରଜା ଓ ଅମାତ୍ୟମାନେ ମିଛରେ ଲୁଗାର ପ୍ରଶଂସା କଲେ। କିନ୍ତୁ ରାଜାଙ୍କ ପଛରେ ଯେଉଁ ଜଣେ କଳା ଘୋଡ଼ାଚାଳକ (ମୋରିଶ୍ ଦାସ) ଘୋଡ଼ାର ଲଗାମ ଧରି ଚାଲୁଥିଲା, ସେ ସ୍ପଷ୍ଟ ଦେଖିଲା ଯେ ରାଜା ନଗ୍ନ ଅଛନ୍ତି। ସେ ବଡ଼ ପାଟିରେ ଚିତ୍କାର କରି କହିଲା:
“ହେ ରାଜନ୍! ଆପଣ ନଗ୍ନ ଅଛନ୍ତି! ଆପଣଙ୍କ ଦେହରେ କୌଣସି ଲୁଗା ନାହିଁ!”
ଏହା ଶୁଣି ରାଜା ବୁଝିଗଲେ ଯେ ସେ ଠକି ହୋଇ ଯାଇଛନ୍ତି, କିନ୍ତୁ ଶୋଭାଯାତ୍ରା ଜାରି ରଖିଲେ ଏଵଂ ଅଧିକ ଗର୍ଵରେ ମୁଣ୍ଡ ଉଠାଇ ଚାଲିଲେ। ଠକ୍‌ମାନେ ତା’ ପୂର୍ଵରୁ ସବୁ ସମ୍ପତ୍ତି ନେଇ ପଳାଇ ସାରିଥିଲେ।

କାହାଣୀ ଶୁଣେଇ ସାରି ପାଟ୍ରୋନିଓ (ଉପଦେଷ୍ଟା) କାଉଣ୍ଟ ଲୁକାନୋର୍‌ଙ୍କୁ ଏହି ଘଟଣାରୁ ତିନି ପ୍ରକାରର ବଡ଼ ଆଘାତ ଵା las tres feridas କ’ଣ ବୁଝାଇ ନୈତିକ ଉପଦେଶ ଦିଅନ୍ତି। ସେହି ତିନି ଆଘାତ୍ ହେଲା:

(୧)ପ୍ରଥମ ଆଘାତ – ଧନହାନି ଵା ଅର୍ଥ ହରାଇଵା

ରାଜା ଠକ୍‌ମାନଙ୍କୁ ପ୍ରଚୁର ସୁନା, ରେଶମ କପଡ଼ା ଓ ଅନ୍ୟାନ୍ୟ ସମ୍ପତ୍ତି ଦେଇ ଠକି ହୋଇ ସବୁ ହରାଇଲେ। ଏହା ମଣିଷର ଜୀଵନର ପ୍ରଥମ ବଡ଼ ଆଘାତ– ଯେତେବେଳେ କେହି ମୂର୍ଖ ଭାବେ କିମ୍ବା ଅହଂକାରରେ ନିଜର ଧନ ହରାଇ ବସେ ସେତେବେଳେ ସେ ଏହି ଆଘାତ ପାଏ ।

(୨)ଦ୍ୱିତୀୟ ଆଘାତ – ସମ୍ମାନହାନି ଵା ଇଜ୍ଜତ ହରାଇଵା

ଶୋଭାଯାତ୍ରାରେ ସମ୍ପୂର୍ଣ୍ଣ ନଗ୍ନ ହୋଇ ରାଜା ସାରା ରାଜ୍ୟ ଆଗରେ ଉନ୍ମୁକ୍ତ ହୋଇଗଲେ। ସମସ୍ତ ପ୍ରଜା ତାଙ୍କୁ ନଗ୍ନ ଦେଖି ହସିଲେ ଏଵଂ ତାଙ୍କର ରାଜକୀୟ ସମ୍ମାନ ଚିରକାଳ ପାଇଁ ନଷ୍ଟ ହୋଇଗଲା। ଏହା ଦ୍ୱିତୀୟ ଆଘାତ – ଯେତେବେଳେ ମିଛ ଗର୍ଵ ଓ ଚାଟୁକାରିତା ଯୋଗୁଁ ମଣିଷ ସମାଜ ଆଗରେ ଅପମାନିତ ହୁଏ ସେତେବେଳେ ସେ ଏହି ଆଘାତ ପାଇଥାଏ।

୩.ତୃତୀୟ ଆଘାତ୍ – ଆତ୍ମପ୍ରତାରଣାର ଆଘାତ ଵା ନିଜକୁ ନିଜେ ଠକିଵା

ଏହା ସବୁଠାରୁ ଭୟଙ୍କର ଆଘାତ । କଳା ଦାସଟି ଚିତ୍କାର କରି ସତ୍ୟ କହିଦେଲା ପରେ ମଧ୍ୟ ରାଜା ନିଜର ଭୁଲ୍ ସ୍ୱୀକାର କଲେ ନାହିଁ, ଵରଂ ଅଧିକ ଗର୍ଵରେ ମୁଣ୍ଡ ଉଠାଇ ନଗ୍ନ ଅଵସ୍ଥାରେ ଶୋଭାଯାତ୍ରା ଜାରି ରଖିଲେ। ଏହା ଦର୍ଶାଏ ଯେ ମଣିଷ ନିଜର ଅହଂକାରକୁ ଏତେ ଭଲ ପାଏ ଯେ ସ୍ପଷ୍ଟ ସତ୍ୟ ଦେଖି ମଧ୍ୟ ନିଜକୁ ଠକି ଚାଲେ – ଏହା ହେଉଛି ତିନି ଆଘାତ ମଧ୍ୟରେ ସବୁଠାରୁ ଗଭୀର ଓ ଅପୂରଣୀୟ। 

ଏହା ହିଁ ମଧ୍ୟଯୁଗୀୟ ସ୍ପେନୀୟ ମୂଳ କାହାଣୀର ସବୁଠାରୁ ଗଭୀର ନୈତିକ ଉପଦେଶ ଅଟେ, ଯାହାକୁ ଆଣ୍ଡରସନ୍ ପରେ ଆଉ ସିଧାସଳଖ କହିନଥିଲେ, କିନ୍ତୁ କାହାଣୀ ନିଜେ ହିଁ ତାହା ବୁଝାଇ ଦେଇଛି।

ହାନ୍ସ କ୍ରିଷ୍ଟିଆନ ଆଣ୍ଡରସନ୍‌ଙ୍କ ୧୮୩୭ର “ସମ୍ରାଟ୍‌ଙ୍କର ନୂଆ ଲୁଗା” ଏଵଂ ଡନ୍ ଜୁଆନ୍ ମାନୁଏଲ୍‌ଙ୍କ ୧୩୩୫ର ୩୨ତମ ଉପକଥା ମଧ୍ୟରେ ମୂଳ ଧାରଣା ଏକ ହେଲେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ରହିଛି। ନିମ୍ନରେ ସେହି ପାର୍ଥକ୍ୟଗୁଡ଼ିକୁ ସ୍ପଷ୍ଟ ଭାବେ ତୁଳନା କରାଗଲା।

ମାନୁଏଲ୍‌ଙ୍କ କାହାଣୀରେ ରାଜା ଜଣେ ମୋରିଶ୍ (ମୁସଲମାନ୍) ରାଜା ଅଟନ୍ତି ଏଵଂ ସେ କୌଣସି ଵିଶେଷ ଅହଂକାରୀ ବୋଲି କୁହାଯାଇନି। ଆଣ୍ଡରସନ୍‌ଙ୍କ କାହାଣୀରେ ସମ୍ରାଟ୍ ଜଣେ ଅତ୍ୟନ୍ତ ଅହଂକାରୀ ଓ ଲୁଗାପ୍ରେମୀ ରାଜା ଅଟନ୍ତି ଯିଏ ରାଜକାର୍ଯ୍ୟ ଅପେକ୍ଷା ନୂଆ ନୂଆ ଲୁଗା ପିନ୍ଧିଵାକୁ ଅଧିକ ପସନ୍ଦ କରନ୍ତି। ଏହା ଦ୍ୱାରା ଅହଂକାରର ଉପହାସ ଅଧିକ ତୀକ୍ଷ୍ଣ ହୋଇଛି।

ମାନୁଏଲ୍‌ଙ୍କ କାହାଣୀରେ ତିନି ଜଣ ଠକ୍‌ଙ୍କ କଥା କୁହାଯାଇଛି। ଆଣ୍ଡରସନ୍ ଏହାକୁ ଦୁଇ ଜଣ କରି କାହାଣୀକୁ ଅଧିକ ସରଳ କରିଛନ୍ତି।

ଅଦୃଶ୍ୟ ଲୁଗାର ସର୍ତ୍ତ ହେଉଛି ଦୁଇ କାହାଣୀ ମଧ୍ୟରେ ସବୁଠାରୁ ବଡ଼ ପାର୍ଥକ୍ୟ। ମାନୁଏଲ୍‌ଙ୍କ କାହାଣୀରେ ଲୁଗାଟି କେଵଳ ସେହି ଲୋକେ ଦେଖିପାରିବେ ଯେଉଁମାନେ ଵୈଧ ସନ୍ତାନ (ବିବାହିତ ମା’ବାପାଙ୍କ ସନ୍ତାନ)। ଅଵୈଧ ସନ୍ତାନ ଏହା ଦେଖିପାରିବ ନାହିଁ। ଆଣ୍ଡରସନ୍ ଏହାକୁ ପୂରା ପରିଵର୍ତ୍ତନ କରି କହିଛନ୍ତି ଯେ ଲୁଗାଟି କେଵଳ ସେହି ଲୋକେ ଦେଖିପାରିବେ ନାହିଁ ଯେଉଁମାନେ ନିଜ ପଦଵୀ ପାଇଁ ଅଯୋଗ୍ୟ ଅଟନ୍ତି। ଏହା ଦ୍ୱାରା ଉପହାସଟି ରାଜକୀୟ ଚାଟୁକାରିତା ଓ ଆତ୍ମପ୍ରତାରଣା ଉପରେ ଅଧିକ କେନ୍ଦ୍ରୀଭୂତ ହୋଇଛି।

ମାନୁଏଲ୍‌ଙ୍କ କାହାଣୀରେ ସତ୍ୟ କହୁଛି ଜଣେ କଳା ଘୋଡ଼ାଚାଳକ ଦାସ (ଯାହାକୁ ସେ ସମୟରେ ସାମାଜିକ ଭାବେ ନିମ୍ନତମ ସ୍ଥାନ ଦିଆଯାଉଥିଲା)। ଆଣ୍ଡରସନ୍ ସେହି ଚରିତ୍ରକୁ ପରିଵର୍ତ୍ତିତ କରି ଏକ ନିଷ୍ପାପ ଛୋଟ ପିଲା କରିଦେଇଛନ୍ତି। ଏହା କାହାଣୀକୁ ଅଧିକ ସର୍ଵଜନୀନ ଓ ହୃଦୟସ୍ପର୍ଶୀ କରିଛି ଏଵଂ ଶିଶୁଙ୍କ ନିଷ୍କଳଙ୍କ ସତ୍ୟଵାଦିତାକୁ ଅମର କରିଛି।

ମାନୁଏଲ୍‌ଙ୍କ କାହାଣୀ ମଧ୍ୟଯୁଗୀୟ ନୈତିକ ଉପଦେଶ ପୁସ୍ତକର ଏକ ଅଂଶ ଅଟେ ଯାହା ରାଜକୀୟ ଉପଦେଷ୍ଟା ପାଟ୍ରୋନିଓ ଓ କାଉଣ୍ଟ ଲୁକାନୋର୍ ମଧ୍ୟରେ କଥୋପକଥନ ଆକାରରେ ଲେଖା ହୋଇଛି। ଆଣ୍ଡରସନ୍ ଏହାକୁ ଏକ ସ୍ୱତନ୍ତ୍ର ଶିଶୁକାହାଣୀ ଭାବେ ଲେଖିଛନ୍ତି ଯାହା ଶିଶୁ ଓ ବଡ଼ ଉଭୟଙ୍କ ପାଇଁ ସମାନ ଭାବେ ଗ୍ରହଣୀୟ ଏଵଂ ଯାହାର ଉପହାସ ଅଧିକ ତୀକ୍ଷ୍ଣ ଓ ସାର୍ବଜନୀନ।

ସଂକ୍ଷେପରେ କହିଲେ ଡନ୍ ଜୁଆନ୍ ମାନୁଏଲ୍ ଏକ ଚତୁର ଲୋକକଥା ଲେଖିଥିଲେ ଯାହା ଅହଂକାର ଓ ଚାଟୁକାରିତାକୁ ଉପହାସ କରୁଥିଲା। ହାନ୍ସ କ୍ରିଷ୍ଟିଆନ ଆଣ୍ଡରସନ୍ ସେହି ପୁରୁଣା କାହାଣୀକୁ ନେଇ ଏତେ ସୁନ୍ଦର ଭାବେ ନୂଆ ରୂପ ଦେଇଛନ୍ତି ଯେ ଆଜି ସାରା ଵିଶ୍ୱରେ ଏହି କାହାଣୀଟି କେଵଳ ତାଙ୍କର ବୋଲି ପରିଚିତ। ସେ ଏକ ମଧ୍ୟଯୁଗୀୟ ଉପକଥାକୁ ଅମର ସାହିତ୍ୟର ଏକ ଅଂଶ କରି ଦେଇଛନ୍ତି।