“ଗୋଵିନ୍ଦ ଗୋଵିନ୍ଦ ଗୋଵିନ୍ଦ
ପଦୁଁ ଗଳୁଛି ମକରନ୍ଦ”
ଏଠାରେ ତିନି ଥର ଗୋବିନ୍ଦ ଶବ୍ଦ
କାହିଁକି ରହିଲା ?
ଉପରୋକ୍ତ ପ୍ରଶ୍ନ ର
ଅନେକ ସମ୍ଭାବିତ ଉତ୍ତର ହୋଇପାରେ ତହିଁରୁ କେତେକ ଏଠାରେ
ଦିଆଗଲା
🚩🚩୧■ଜନସୃତି→
ଜଗନ୍ନାଥ ଦେସେ ଓଡିଆ ଭାଗବତ ରଚନା କରିବା ପରେ କାଳିଆ ସାଆନ୍ତେ ସ୍ବପ୍ନରେ କହିଲେ
“ଦାସେ ଭାଗବତ ସିନା ରଚନା ସରିଲା ତା ଦେହରେ କିନ୍ତୁ ଆଦୌ ଲୁଣ ପଡିନି । ଏହା ଶୁଣି ଜଗନ୍ନାଥ ଦାସେ ଉପାୟ ପଚାରିବାରୁ
“ଅମୁକ କୈବର୍ତ୍ତ ପାଖକୁ ଯାଅ ସେ ଲୁଣ ପକାଇ ଦେବେ ବୋଲି ଆଦେଶ ହେଲା ।”
ତହୁଁ ଜଗନ୍ନାଥ ଦାସେ ସକାଳୁ ଉଠି କୈଵର୍ତ୍ତଙ୍କୁ ଭେଟିବା ପାଇଁ ଗଲାବେଳକୁ ସେ କୈଵର୍ତ୍ତ ମାଛ ଜାଲ ଧରି ମାଛ ମାରିବା ପାଇଁ ଯାଇଥାନ୍ତି ।
ବହୁସମୟ ଅପେକ୍ଷା କରିବା ପରେ କୈଵର୍ତ୍ତ ଆସିଲେ । ବାଡିପଟରୁ କୈଵର୍ତ୍ତ ସ୍ତ୍ରୀ କହିଲା ଗୋସେଇଁ ବହୁତ ସମୟ ଅପେକ୍ଷା କରିଲେଣି । ଏହାଶୁଣି କୈଵର୍ତ୍ତ ସେଇ ବେଶରେ ଗୋସେଇଁଙ୍କୁ ଭେଟିଲେ ମାନ୍ୟ ହୋଇ ପଚାରିଲେ କଣ ହେଇଚି ଗୋସେଇଁ ,
ଦାସେ କହିଲେ “ଆମେ ଏକ ଓଡିଆ ଭାଗଵତ ରଚନା କରିଛୁ ହେଲେ ଜଗନ୍ନାଥଙ୍କ ଆଦେଶ ଏଥିରେ ଆପଣ ଲୁଣ ପକେଇବେ ଏଥିରେ ଲୁଣ ପଡିନି।"
କୈଵର୍ତ୍ତ କହିଲେ “କଣ ସେ ଭାଗବତ ଟିକେ ଶୁଣାଇଲେ ।”
ଦାସେ ଆରମ୍ଭ କଲେ ନମଁଇ ନୃସିଂହ ଚରଣ
ଅନାଦୀ ପରମ କାରଣ....
ଏହାଶୁଣି କୈବର୍ତ୍ତ କହିଲେ ସତରେ ଲୁଣ ପଡିନି ..!
କୈଵର୍ତ୍ତ ଆରମ୍ଭ କଲେ....
ଗୋଵିନ୍ଦ ଗୋଵିନ୍ଦ ଗୋଵିନ୍ଦ
ପଦୁଁ ଗଳୁଛି ମକରନ୍ଦ....
ଆଧ୍ଯାତ୍ମିକ ଦୃଷ୍ଟିରେ ଏହା ଗୁରୁତତ୍ତ୍ବଜ୍ଞାନ
ଗୋଵିନ୍ଦ ମାନେ ଶରୀର
ଗୋଵିନ୍ଦ ମାନେ ପଵନ
ଗୋଵିନ୍ଦ ଵିନ୍ଦୁ ଦେହ ମାନେ ବ୍ରହ୍ମନାମ.....
🚩🚩୨■ତାତ୍ତ୍ଵିକ→
ତିନି ଗୋଵିନ୍ଦ ମଧ୍ୟରେ ତତ୍ତ୍ୱ ଲୁଚିରହିଛି ।
ତାହା ହେଉଛି
→ବ୍ରହ୍ମା,ଵିଷ୍ଣୁ,ମହେଶ୍ଵର
→ହ୍ଲିଙ୍ଗ,ସ୍ଲିଙ୍ଗ,କ୍ଲିଙ୍ଗ
→ସ୍ଵର୍ଗ,ମର୍ତ୍ତ୍ୟ, ପାତାଳ
→ଵାତ,କଫ,ପୀତ୍ତ
→ପିଙ୍ଗଳା,ଅନଳା,ସିଷୁମ୍ନା
ଇତ୍ୟାଦି ତ୍ରିଶକ୍ତି ଆଦିର ଧ୍ଯୋତକ
ଗୋଵିନ୍ଦ ସର୍ଵଵ୍ୟାପୀ ଅର୍ଥାତ୍ ସର୍ଵରୂପୀ ।
ସେ ମଧ୍ଯ ବଳଭଦ୍ର ସେ ହିଁ ସୁଭଦ୍ରା ।
ଏହି ତ୍ରିଶକ୍ତି ପରମାଣୁ ରେ ମଧ୍ଯ ଅଛି ।
ଏମାନେ ସର୍ଵଵ୍ୟାପକ । ସର୍ଵତ୍ର ଵିଦ୍ୟମାନ ।
🚩🚩୩■ଶବ୍ଦତତ୍ତ୍ୱ→
ଗୋଵିନ୍ଦ ଶବ୍ଦ ର ନୈରୁକ୍ତୀ―
ଗୋ+ଵିଦ୍ ଧାତୁ+କର୍ତ୍ତୁ.ଅ=ଗୋଵିନ୍ଦ
ଗୋ ଶବ୍ଦର ତେତିଶିଟି ଅର୍ଥ ଅଛି
―ଧେନୁ,
―ବୃଷ
―ଗାଈଠାରୁ ଉତ୍ପନ୍ନ ଦ୍ରବ୍ୟ
―ପଶୁ
―ପୃଥିବୀ
―ମାତା
―ଦିଗ
―ଗାୟତ୍ରୀ
―ଵାକ୍ୟ
―ସ୍ଵର୍ଗ
―ଚକ୍ଷୁ
―ଇନ୍ଦ୍ରିୟ
―ଦୃଷ୍ଟି
―ଵିଦିଗ
―କେଶ
―କିରଣ
―ଜଳ
―ବାଣ;ଶର
―ସୂର୍ଯ୍ୟ
―ନକ୍ଷତ୍ର
―ଚନ୍ଦ୍ର
―ଯାଗବିଶେଷ
―ବଜ୍ର
―ହୀରକ
―ଗୁଆ
―ଲୋମ
―ବୃଷରାଶି
―ଏକ ନିୟୁତ ସଂଖ୍ୟା
―ନଅ ସଂଖ୍ୟା
―ଗାୟକ
―ଗୋମେଧ ଯଜ୍ଞ
―ଗୃହ.
ଵିଦ୍ ଧାତୁର ଅର୍ଥ
ଜାଣିଵା,ଦେଖିବା ଇତ୍ୟାଦି
ଏହି ଵୈଜ୍ଞାନିକ କ୍ଷୁଦ୍ର ରୂପ ଵିଦ୍ ଧାତୁ ସହ
ଆଧୁନିକ “Proto Indo European” roots ପ୍ରଣାଳୀ ଯୁକ୍ତ କ୍ଷୁଦ୍ର ରୂପ *weyd ର ଆର୍ଥିକ ଓ ଶବ୍ଦସୃଷ୍ଟିଗତ ସମ୍ଵନ୍ଧ ରହିଛି ।
ତେବେ ଏହି ଗୋଵିନ୍ଦ ଶବ୍ଦ ର ନୈରୁକ୍ତି ରୁ ମିଳୁଥିବା ତଥ୍ୟ ଆଧାରରେ ଵ୍ୟାଖ୍ୟା କଲେ
ଏମିତି ହେବ―――
★ଧେନୁ,ବୃଷ,ପଶୁ,ପୃଥିବୀ ଆଦିର ଯେ ଜ୍ଞାତା ଯେ ସଂପୂର୍ଣ୍ଣ ବ୍ରହ୍ମାଣ୍ଡ ଵିଷୟରେ ଜାଣନ୍ତି,
ଭୂତ,ଵର୍ତ୍ତମାନ,ଭଵିଷ୍ୟତ ମଧ୍ୟରେ ଥିବା ସମସ୍ତ ଜ୍ଞାନ ରେ ଯେ ଜ୍ଞାତା ସେ ସ୍ଵୟଂ ଈଶ୍ୱର ହିଁ ଗୋଵିନ୍ଦ ଅଟନ୍ତି । ସେ ଈଶ୍ୱର ପାଳନ କର୍ତ୍ତା,ସେ ହିଁ ଦିଗଗୁଡି଼କର ରକ୍ଷକ ସେ ,ଵିଵେକ ଦ୍ଵାରା ଜୀଵକୁ ଵାକ୍ୟ ସଂଯମ ର ଜ୍ଞାନ ସିଏ ଦିଅନ୍ତି,ସ୍ଵର୍ଗ ରକ୍ଷକ ସେ,ସେ ହିଁ ଜୀଵମାତ୍ରଙ୍କ ଜ୍ଞାନଚକ୍ଷୁ,ସେ ଇନ୍ଦ୍ରିୟ ମାନଙ୍କୁ ଵିଵେକ ଦ୍ଵାରା ନିୟନ୍ତ୍ରଣ ର ଶିକ୍ଷା ଦିଅନ୍ତି,ସେ ଆଶାର କିରଣ,ପ୍ରଳୟ ଓ ସୃଷ୍ଟି ଜଳ ମଧ୍ୟରେ ତାହାଙ୍କର ଵାସ,ସେ ସୂର୍ଯ୍ୟ,ନକ୍ଷତ୍ର,ଚନ୍ଦ୍ର ଆଦି ଗ୍ରହ ଉପଗ୍ରହ ନକ୍ଷତ୍ର ର ସୃଷ୍ଟି ,ପ୍ରଳୟ ଓ ନିୟନ୍ତ୍ରଣକାରୀ ସେ ହେଉଛନ୍ତି
ହେଉଛନ୍ତି ଗୋଵିନ୍ଦ ଅର୍ଥାତ ଭଗଵାନ ।★
ଏଠାରେ ଗୋଵିନ୍ଦ ଶବ୍ଦ ର ଅନେକ ଭାଵଗତ ଅର୍ଥ ସମ୍ଭବ ହେଉଛି । ବୋଧହୁଏ
ସୃଷ୍ଟି, ପାଳନ ଓ ପ୍ରଳୟ – ସୃଷ୍ଟିକର୍ତ୍ତା,ପାଳନକର୍ତ୍ତା,ଵିନାଶକର୍ତ୍ତା ଭଗଵାନଙ୍କର ଏହି ତିନିଗୋଟି ଗୁଣକୁ ବୁଝେଇବା ହେତୁ ରୁ ,ପ୍ରକାଶ କରିବା ଉଦ୍ଦେଶ୍ୟ ରେ ତିନି ତିନି ଥର ଗୋଵିନ୍ଦ ଶବ୍ଦ ଵ୍ୟଵହାର କରାଯାଇଛି ।
🚩🚩୪■ମୌଳିକ ପ୍ରୟୋଗ→
ଏହା ଆମର ଅତିବଡ଼ ଜଗନ୍ନାଥ ଦାସଙ୍କର ନିଜସ୍ବ ପ୍ରୟୋଗ ହେଇଥାଇପାରେ । କୌଣସି
ଏକ କଥାକୁ ଗୁରୁତ୍ବ ଦେଇ କହିଲା ବେଳେ ସେଇ କଥାକୁ ଵାରମ୍ଵାର ଦୋହରାଇଥାଉ,କାଳେ ତାହା ପାଶୋର ହେଇଯିବ ।
ପୁଣି ଅନ୍ଯ ଦୃଷ୍ଟିରୁ ଦେଖିଲେ,ରଚୟିତା ଗୋବିନ୍ଦ ଶବ୍ଦ ବିଶେଷତଃ କୌଣସି ସାଧାରଣ ବାଙ୍ମୟ ନୁହଁ ଏହା ସ୍ମରଣ କରାଇବା ସକାଶେ ସେ'ପଦରୁ ମକରନ୍ଦ ଭଳି ବସ୍ତୁ ର ଅଵତାରଣା କରାଇଛନ୍ତି, ଯାହାକି ଏକାବେଳେ ନିଷ୍କଳଙ୍କ ବୋଧ ହେଉଛି ।
ଆମେ କେତେବେଳେ କେମିତି, କଥା କଥାରେ ମା'ରାଣ,ଵିଦ୍ଯା ରାଣ,ଆଖି ଛୁଉଁଛି, କେହି ବିଶ୍ବାସ ନ କଲା ପରି ମନେହେଲେ ଶେଷକୁ ମାହାପୁରୁ ରାଣ ମଧ୍ଯ ପକେଇଦେଉ। ବୋଧହୁଏ ଏଠାରେ ଏହି ଵାକ୍ୟାଂଶ ତଥ୍ଯର ଦୃଢତା ପରିପ୍ରକାଶ ପାଇଁ ପ୍ରୟୋଗ ହୋଇଛି । ସେମିତି ଧାର୍ମିକ ଦୃଢତା ପାଇଁ ମଧ୍ଯ ଅନୁରୂପ ପ୍ରୟୋଗର ଆଵଶ୍ଯକତା ରହିଛି। ତ୍ରିବାର ସତ୍ଯର ଆଵଶ୍ଯକତା ଯେମିତି ତ୍ରିବାର ଗୋଵିନ୍ଦ ଶବ୍ଦର ପ୍ରୟୋଗ ମଧ୍ଯ ତଦ୍ରୂପ ଲାଗୁଅଛି ।
(🚩ଆପଣଙ୍କୁ ଏତଦ୍ବ୍ୟତୀତ ଆଉ କିଛି କାରଣ ଜ୍ଞାତ ଥିଲେ ତାହା ଦୟାକରି ଏଠାରେ ଉପସ୍ଥାପନ କରିଵାକୁ ଵିନୀତ ଅନୁରୋଧ ରହିଲା🚩)
No comments:
Post a Comment