ଯେ ଦିନ ଅନ୍ଧାରେ ତୀଵ୍ର ତୃଷାରେ
କମ୍ପୂଥିବି ଶୀତ ନିଶୀଥେ,
ଜଳୁ ଜଳୁ ତଵ କ୍ଷୁଦ୍ର ପ୍ରଦୀପ
ଗୁପ୍ତ ଏ ଚିତ୍ତେ ସ୍ତିମିତେ ।
ଯେ ଦିନ ରୁଦ୍ର ରୌଦ୍ର ଦହନେ
ବୁଲୁଥିବି ତୃଷା ଘର୍ମରେ,
କ୍ଷୁଦ୍ର ତୁମର କୃପା ଝରଣାର
କଳଗୀତି ବାଜୁ ମର୍ମରେ ।
ଯେ ଦିନ ନୀରବ ରୋଗ ଶେଯେ ପଡି଼
ନୟନ କାନ୍ଦିବ ରୁଧିରେ,
ଅଲକ୍ଷିତ ହାତେ ଛୁଇଁ ଯାଅ ମୋତେ
ସ୍ନେହି ସଖା ସମ ସୁଧୀରେ ।
ଯେ ଦିନ ଭିକାରୀ ପରାଏ ବୁଲିବି
ହକାରି ଦୁଆରେ ଦୁଆରେ,
ତୁମରି ଦୁଆର ମେଲା ଥାଉ ପ୍ରଭୁ
ଦୀନ ଦୁଃଖୀତର ଆଗରେ ।
ଯେ ଦିନ ଭୀଷଣ ରଣ ପ୍ରାଙ୍ଗଣରେ
ଏକା ହୋଇଥିବି ଛିଡ଼ା ମୁଁ,
ଶତ କରେ ଶସ୍ତ୍ର ଧରି ବାହାରିବ
ଶତ ଵୀର ଵେଶେ ଶ୍ରୀଛାମୁ ।
ଯେ ଦିନ କଠିନ କାରା ନିଗଡ଼ରେ
ଦୃଢେ଼ ହୋଇଥିବି ବନ୍ଧନ,
ନକ୍ରନାଶନ ଚକ୍ର ତୁମରି
କରୁ ତାହା କ୍ଷଣେ ଛେଦନ ।
©ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାଵତ
No comments:
Post a Comment