My Blog List

Showing posts with label ପର୍ଯ୍ୟଟନ. Show all posts
Showing posts with label ପର୍ଯ୍ୟଟନ. Show all posts

Tuesday, January 10, 2023

ରାୟଗଡ଼ାର ପାତାଳେଶ୍ଵର କ୍ଷେତ୍ର : ପାଇକପଡ଼ା

ଓଡ଼ିଶାରେ ପାଇକପଡ଼ା ନାମରେ ଅନେକ ସ୍ଥାନ ରହିଛି କିନ୍ତୁ ରାୟଗଡ଼ା ଜିଲ୍ଲାର ପାଇକପଡ଼ା ଅଞ୍ଚଳ ନାଗାବଳୀ ନଦୀକୂଳରେ ଅଵସ୍ଥିତ ଏକ ଐତିହାସିକ ସ୍ଥାନ । ରାୟଗଡ଼ା ଜିଲ୍ଲାର ଥେରୁବାଲି ନିକଟରେ ଏହି ପାଇକପଡ଼ା ଅଞ୍ଚଳ ଅଵସ୍ଥିତ । 
ଏହି ଅଞ୍ଚଳ ରାଜାଙ୍କର ପାଇକ ଵା ସୈନ୍ୟମାନଙ୍କ ଦ୍ବାରା ସ୍ଥାପିତ ହୋଇଥିଲା ବୋଲି ଏହାର ନାମ ପାଇକପଡ଼ା ହୋଇଥିଵା ଦେଶିଆ ଜ୍ଞାନକୋଷରୁ ଜଣାଯାଏ । ରାୟଗଡ଼ା ଜିଲ୍ଲାର ପାଇକପଡ଼ା ଅଞ୍ଚଳ
ପାତାଳେଶ୍ଵର କ୍ଷେତ୍ରଭାବରେ ପରିଚିତ । 



ଅତୀତରେ ଏଠାରେ ପାତାଳରୁ ଫୁଟି
ବାହାରିଥିଵା ସ୍ଵୟଂ ଲିଙ୍ଗ ପାତାଳେଶ୍ବର ମହାଦେଵଙ୍କୁ କନ୍ଧମାନେ ପୂଜା
କରୁଥିଲେ ବୋଲି ପ୍ରଵାଦ ପ୍ରଚଳିତ । କଥିତ ଅଛି ଦ୍ଵାପର ଯୁଗରେ ଭଗଵାନ ଶେଷଦେଵ ଵା ବଳରାମ ଏହି
ଅଞ୍ଚଳ ଦେଇ ଯାତ୍ରା କରୁଥିଵା ସମୟରେ ପାଞ୍ଚଟି କ୍ଷେତ୍ରରେ ପାଞ୍ଚଟି ଶିଵଲିଙ୍ଗ ସ୍ଥାପନ
କରିଥିଲେ । ସେଗୁଡ଼ିକ ମଧ୍ୟରୁ ପାଇକପଡ଼ାସ୍ଥ ଗୁମ୍ଫାରେ ଥିଵା ପାତାଳେଶ୍ୱର ମହାଦେଵ
ଅନ୍ୟତମ ।

ଏଠାକାର ଶିଵ ମନ୍ଦିରଟି ନଵମ ଶତାବ୍ଦୀର ବୋଲି ଜଣାଯାଏ । ମନ୍ଦିରରେ ୯୯,୯୯୯ଟି ଶିଵ ଲିଙ୍ଗ (ଏକ ଲକ୍ଷରୁ ଗୋଟିଏ ଊଣା) ରହିଥିଵାର ଵିଶ୍ୱାସ ଅଛି ।

ପାଇକପଡ଼ାର ପାତାଳେଶ୍ଵର ଶୈବ ପୀଠରେ ମହାଶିଵରାତ୍ରି ପର୍ଵ ମହାଡ଼ମ୍ବରରେ ପାଳିତ ହୁଏ । ଅନ୍ୟାନ୍ୟ ପର୍ଵ ମଧ୍ୟ ଏଠାରେ ପାଳିତ ହୁଏ । କାର୍ତ୍ତିକ ମାସରେ ଵିଶେଷ କରି ସୋମଵାର ଗୁଡି଼କରେ ଏଠାରେ ପ୍ରଵଳ ଭିଡ଼ ପରିଲକ୍ଷିତ ହୁଏ । ଏଠାରେ ଶିଵଙ୍କ ଵ୍ୟତୀତ ଶ୍ରୀଜଗନ୍ନାଥ, ମା ଦକ୍ଷିଣେଶ୍ୱରୀ କାଳିକା ଓ ଚାମୁଣ୍ଡାଙ୍କର ମଧ୍ୟ ପୂଜା ହୁଏ । ରାୟଗଡ଼ା ଜିଲ୍ଲାର ପାଇକପଡ଼ା ଓଡ଼ିଶା 
ସରକାରଙ୍କ ଦ୍ଵାରା ଚିହ୍ନିତ ଏକ ପର୍ଯ୍ୟଟନସ୍ଥଳୀ ହୋଇଥିଲେ ବି ଓଡିଶାର ଅନେକେ ଏ ଅଞ୍ଚଳ ସହିତ ସେତେଟା ପରିଚିତ ହୋଇନଥିଵା ଅନୁଭୂତ ହୁଏ । 

ସହସ୍ରାଧିକ ପର୍ଯ୍ୟଟନସ୍ଥଳୀର ଦେଶ କଳିଙ୍ଗ ଦେଶରେ ଏହିପରି ଶତାଧିକ ପର୍ଯ୍ୟଟନସ୍ଥଳ ଲୋକଲୋଚନକୁ ଆସିପାରିନାହିଁ କି ସମଗ୍ର ଓଡ଼ିଶା ତଥା ଭାରତର ଲୋକେ ସେସବୁ ଅଞ୍ଚଳର ଐତିହ୍ୟ ଵିଷୟରେ ସେତେଟା ଜାଣିପାରିନାହାନ୍ତି । 

•••••••••••••••••••••••••••••••
•ଶିଶିର ସାହୁ ମନୋଜ•
•ପାରିମାଳ,ଢେଙ୍କାନାଳ•
•••••••••••••••••••••••••••••••

Thursday, December 22, 2022

କୋରାପୁଟର କେଚଲା(କେଚେଲା)

କେଚେଲା ନାଆଁ ସହିତ ହୁଏତ ଓଡ଼ିଶାର ଅନେକ ଲୋକେ ପରିଚିତ ନଥିବେ ତେବେ ଏହା କୋରାପୁଟ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏକ ଐତିହାସିକ ସ୍ଥାନ । ପ୍ରକୃତରେ ଏହା ଏକ ଜନଜାତୀୟ ଗ୍ରାମର ନାମ । ତେବେ ପୂର୍ଵେ ଏଠାରେ ଏକ ପ୍ରାଚୀନ ଜୈନ ପୀଠ ଥିଲା ତେଣୁ ଏହା ଏବେ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଛି। କୋରାପୁଟ ଟାଉନଥାନା ନିକଟରେ ଏକ ନଦୀ ପ୍ରଵାହିତ ହେଉଛି ଏଵଂ ଏହାର ନାମ କେଚଲା ନଦୀ ଅଟେ । 


କେଚେଲା ଵା କେଚଲା ଅଞ୍ଚଳର ପ୍ରଶାସନିକ ଫଳକାଦିରେ ନାମ କେଚଲା ଓ କେଚେଲା ଉଭୟ ଲେଖାଯାଉଅଛି ଫଳତଃ କେଚେଲା ଓ କେଚଲା କେଉଁ ନାମଟି ଠିକ୍ ତାକୁ ନେଇ ଦ୍ଵନ୍ଦ୍ଵ ଉପୁଜିଵା ଦେଖାଯାଏ ‌ । 


କୋରାପୁଟ ସହରଠାରୁ ଦକ୍ଷିଣ ଦିଗକୁ ୧୨ରୁ ୧୫କି.ମି. ଦୂରରେ କୋଲାବ ନଦୀ କୂଳରେ ଦେଓଡଙ୍ଗର ନାମକ ପାହାଡ଼ର ପାଦ ଦେଶରେ ଏହି କେଚଲା ଵା କେଚେଲା ନାମକ ସ୍ଥାନଟି ଅଵସ୍ଥିତ । ଏହି ସ୍ଥାନଟି ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀରେ ୩୦ଫୁଟ ଉଚ୍ଚତାର ଏକ ଜୈନ ମନ୍ଦିର ପାଇଁ ପ୍ରସିଦ୍ଧଥିଲା । ତେବେ ଉକ୍ତ ମନ୍ଦିରଟି ଏବେ କୋଲାବ ଜଳ ଭଣ୍ଡାର ସୃଷ୍ଟି ହେଲାପରେ ସେହି ଜଳଭଣ୍ଡାର ଭିତରେ ମଗ୍ନ ହୋଇ ଯାଇଅଛି । ଉଲ୍ଲେଖଯୋଗ୍ୟ ଯେ କୋଲାବ ଜଳଭଣ୍ଡାର ଆଗକୁ ଜଲାପୁଟ ଜଳଭଣ୍ଡାର ଅଵସ୍ଥିତ ଏଵଂ ଜଳଭଣ୍ଡାର ମଧ୍ୟରେ ଓଡ଼ିଶ ଓ ଆନ୍ଧ୍ର ପ୍ରଦେଶର ସୀମା ନିର୍ଦ୍ଧାରଣ କରାଯାଇଛି । 


 କୋରାପୁଟ ଜିଲ୍ଲାର ପ୍ରଶାସନିକ ଜାଲସ୍ଥଳ ଅନୁସାରେ ଏଠାରେ ଥିବା ଏକତାମ୍ର ଫଳକରୁ ଜଣାଯାଏ ଯେ ୧୬୨୦ ଖ୍ରୀଷ୍ଟାବ୍ଦ ସେପ୍ତେମ୍ବର ୨୪ ତାରିଖରେ(ଉଇକିପିଡ଼ିଆ ଅନୁସାରେ ୧୬୨୮ ମସିହା) ପଡିଥିଵା ସୂର୍ଯ୍ୟପରାଗ ସମୟରେ ଜୟପୁର ମହାରାଜା ଶ୍ରୀ ରଘୁନାଥ କୃଷ୍ଣଦେଵ ଏହି କେଚଲା/କେଚେଲା ଗ୍ରାମଟିକୁ ନରସିଂହ ମିଶ୍ର ନାମକ ଏକ ବ୍ରାହ୍ମଣକୁ ଦାନ କରିଥିଲେ । 


କେଚଲା/କେଚେଲା ନିକଟରେ ଅଵସ୍ଥିତ ଉକ୍ତ ପ୍ରାଚୀନ ଜୈନ ମନ୍ଦିରଟି ଜଳମଗ୍ନ ହେଵା ପୂର୍ଵରୁ ସ୍ଥାନୀୟ ବୁଡ଼ି ଅଞ୍ଚଳର ଲୋକମାନେ ସେଠାରେ ସ୍ଥିତ ସମସ୍ତ ପୁରାତନ ମୂର୍ତ୍ତି ଗୁଡ଼ିକୁ ଉଦ୍ଧାର କରିନେଇ ଆଣି ନିଜେ ନୂଆକରି ଵସଵାସ କରୁଥିଵା କେଚଲା ନାମକ ଗ୍ରାମ ନିକଟରେ ଥିଵା ଏକ ସୁଉଚ୍ଚ ପାହାଡ଼ରେ ସ୍ଥାପନ କରିଛନ୍ତି । ଏସବୁ ମୂର୍ତ୍ତିକୁ ଭୈରଵ ଦେଵତା ନାମରେ ନାମିତ କରି , ପୂଜା ଅର୍ଚ୍ଚନା କରୁଛନ୍ତି । 

ଉକ୍ତ ପ୍ରାଚୀନ ଜୈନ ମନ୍ଦିରରୁ ସଂଗୃହୀତ ଓ ଜାନୀଗୁଡ଼ା ପାହାଡ଼ରେ ସ୍ଥାପିତ ୫ଟି ମୂର୍ତ୍ତି ମଧ୍ୟରୁ ତିନୋଟି ମୂର୍ତ୍ତି ଜୈନ ତୀର୍ଥଙ୍କର ମାନଙ୍କର ଥିଵା ଜଣାପଡ଼ିଛି । ସଂଗୃହିତ ମୂର୍ତ୍ତିମାନଙ୍କ ଭିତରୁ ଋଷଭନାଥ, ଶାନ୍ତିନାଥ, ମହାବୀର, ଅଜିତନାଥ, ଦେଵୀ ଅମ୍ବିକା ଓ ଗୋମେଦଙ୍କର ମୂର୍ତ୍ତି ପ୍ରମୁଖ ଅଟେ ।


 ଅମ୍ବିକା ଦେଵୀଙ୍କର ମୂର୍ତ୍ତିରେ ଆମେ ଦେଖିଵାକୁ ପାଆନ୍ତି ଯେ ଏ ଦେଵୀ ତାଙ୍କ କାଖରେ ଏ ଛୋଟ ପିଲା ଧରିଛନ୍ତି । ଦେଵୀ ଅମ୍ବିକା ଜୈନମାନଙ୍କର ଶାସନ ଦେଵୀ ରୂପେ ପରିଚିତ । ପୁଣି ଯକ୍ଷ ଓ ଯକ୍ଷିଣୀଙ୍କର ଯୁଗ୍ମ ମୂର୍ତ୍ତି ମଧ୍ୟ ଦେଖିଵାକୁ ମିଳେ । ସେହିପରି କେଚଲା/କେଚେଲା ଗ୍ରାମଦେଵୀ ପୀଠରେ ମଧ୍ୟ ୨ଟି ଜୈନମୂର୍ତ୍ତି ରହିଛି । 


ସମୟକ୍ରମେ ଅଷ୍ଟମ ଶତାବ୍ଦୀର ଏଇ ଜୈନ ମୂର୍ତ୍ତିଗୁଡ଼ିକ ଦର୍ଶକମାନଙ୍କର ଦୃଷ୍ଟିକୁ ଆସିଛି ଓ କେଚଲା/କେଚେଲା ଗ୍ରାମଟି ପାଲଟି ଯାଇଛି ଏକ ଦର୍ଶନୀୟ ସ୍ଥାନ ।

ଏତଦଵ୍ୟତୀତ କୋଲାବ୍ ଜଳଭଣ୍ଡାର ମଧ୍ୟରେ କେଚଲା/କେଚେଲା ଗ୍ରାମର ଅନତି ଦୂରରେ କେଚଲା ନାମକ ଏକ ପର୍ଯ୍ୟଟନ କେନ୍ଦ୍ର ମଧ୍ୟ ରହିଛି । ଚାରିପଟେ ଜଳଭାଗ ମଝିରେ ଏକ ସୁନ୍ଦର ଟାପୁ , ଅଦୂରରେ ଶ୍ୟାମଳ ପର୍ଵତର ମନମୁଗ୍ଧକାରୀ ଦୃଶ୍ୟ , ଦର୍ଶକମାନଙ୍କୁ ଏଠାକୁ ଟାଣି ଆଣିଥାଏ । ଵର୍ଷର ଵିଭିନ୍ନ ସମୟରେ ଦର୍ଶକମାନେ ଏଠାକୁ ଅଵସର ଵିନୋଦନ ପାଇଁ ଆସିଥାନ୍ତି।


କେଚଲା/କେଚେଲା ଗ୍ରାମ ନିକଟରେ କାନସ ପାବିଲି ନାମକ ଛୋଟ ପାହାଡ଼ିଆ ଜଳ ଭଣ୍ଡାର ମଧ୍ୟ ରହିଛି। ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ଏକ ଦର୍ଶନ ମଞ୍ଚ ନିର୍ମାଣ କରାଯାଇଛି।

କେଚଲା/କେଚେଲାକୁ ଯିଵା ଆସିଵା କରିଵାପାଇଁ କୋରାପୁଟଠାରୁ ଯାନଵାହନର ସୁବିଧା ରହିଛି ତେବେ କୋରାପୁଟ ନଗରଠାରୁ କେଚଲାକୁ ସିଧାସଳଖ ସଡ଼କପଥର ସୁଵିଧା ନାହିଁ । କୋଲାବ ନଦୀର ଦକ୍ଷିଣ ପାର୍ଶ୍ୱରେ କୋରାପୁଟ ଠାରୁ ଭାୟା ପଣ୍ଡିଘାଟ ଦେଇ କେଚଲାକୁ ବୋଟ୍ ଵା ଡଙ୍ଗା ଯୋଗେ ଯିଵାକୁ ହୋଇଥାଏ । କାରଣ କୋରାପୁଟ ନଗର ଓ କେଚଲା ମଝିରେ କୋଲାବ୍ ଜଳଭଣ୍ଡାର ଅଵସ୍ଥିତ ‌। କୋରାପୁଟ ନଗର ଆଡ଼ୁ କେଚଲା ଆସିଵାକୁ ହେଲେ ଚମ୍ପାଗୁଡ଼ା ପାଟ କିମ୍ବା ପରଜାପଣ୍ଡିଠାରୁ ମୋଟର ଲଞ୍ଚ ଅଥଵା ପାଣି ଡଙ୍ଗା ମାଧ୍ୟମରେ ପ୍ରାୟ ୮ କିଲୋମିଟର ଜଳଯାତ୍ରା କରିଵାକୁ ହୋଇଥାଏ । ସେହିପରି କେଚଲାକୁ ନନ୍ଦପୁର ଦେଇ ଏଠାକୁ ଗଲେ ପ୍ରାୟ ୭୧ କିମି ହେଵ ।


କୋରାପୁଟ ଜିଲ୍ଲା ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏକ ସୁନ୍ଦର ଜିଲ୍ଲା ତଥାପି ଗମନାଗମନର ଵିକାଶ ତଥା ପର୍ଯ୍ୟଟନ କ୍ଷେତ୍ର ଭାବରେ ଯେତିକି ସୁଵିଧା ସୁଯୋଗ ମିଳିଵା କଥା କେତେକ ଅଵ୍ଯଵସ୍ଥା ପରିଲକ୍ଷିତ ହେଇଥାଏ । ସେହିପରି ଦୂରଦର୍ଶନ ତଥା ସମ୍ବାଦପତ୍ର ଆଦିରେ କୋରାପୁଟ ଵିଷୟରେ ଅଧିକରୁ ଅଧିକ ତଥ୍ୟ ପ୍ରଦତ୍ତ କରାଗଲେ କେଚଲା ଭଳି ପର୍ଯ୍ୟଟନସ୍ଥଳୀ ସହିତ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳର ଲୋକମାନେ ସହଜରେ ପରିଚିତ ହୋଇପାରନ୍ତେ । ସ୍ଥାନୀୟ ବୁଦ୍ଧିଜୀଵୀ,ଓ ସରକାରଙ୍କ ମିଳିତ ପ୍ରଚେଷ୍ଟା ଦ୍ଵାରା ହିଁ କେଚଲା/କେଚେଲା ଭଳି ଓଡ଼ିଶାର ସହସ୍ର ସହସ୍ର ପର୍ଯ୍ୟଟନ ସ୍ଥଳୀ ଲୋକପ୍ରିୟ ହୋଇପାରନ୍ତା । 

(•ତଥ୍ୟ ଉତ୍ସ — ଦେଶିଆ ଜ୍ଞାନକୋଷ ଓ ଅନ୍ତର୍ଜାଲ
ଚିତ୍ର ଉତ୍ସ — ଗୁଗଲ ମାନଚିତ୍ର•)

Thursday, October 20, 2022

ପୃଥିବୀର ଭୂସ୍ବର୍ଗ ଦେବଗଡ଼


ଓଡ଼ିଶାର କନ୍ଧମାଳ, ଫୁଲବାଣୀ, ଦେଓଗଡ଼, ମାଲକାନଗିରି, ମୟୂରଭଞ୍ଜ କୋରାପୁଟ ଆଦି ସବୁ ଜିଲ୍ଲାରେ ସ୍ବର୍ଗ ପରି ସୁନ୍ଦର ସୁନ୍ଦର ସ୍ଥାନ ଅଛି ଯାହା ଦେଖିଲେ ହିଁ ଜଣେ ବିଶ୍ୱାସ କରି ପାରିବ। 

ଦେବଗଡ ଜିଲ୍ଲା ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ର ସମେତ ତତ୍ ସଂଲଗ୍ନ ଦେବାଦେବୀଙ୍କ ପୀଠ ଗୁଡିକ ଦ୍ଵାରା ସମୃଦ୍ଧ । ଦେବଗଡ଼ରେ ଅନେକ ସୁନ୍ଦର ସୁନ୍ଦର ସ୍ଥାନ ଅଛି କିନ୍ତୁ ବଡ଼ ରେଳଷ୍ଟେସନ କି ବିମାନବନ୍ଦରଟିଏ ନଥିବାରୁ ଏ ନଗରକୁ ଗମନାଗମନରେ ଉନ୍ନତି ହୋଇପାରୁନାହିଁ । ଦେଵଗଡ଼ର ନିକଟତମ ରେଳଷ୍ଟେସନ ହେଉଛି ରେଢ଼ାଖୋଲ ଏଵଂ ତାହା ମଧ୍ୟ ସେତେ ବଡ଼ ରେଳଷ୍ଟେସନ ନୁହେଁ ତେଣୁ ସବୁ ଗାଡ଼ି ସେଠାରେ ରୁହେ ନାହିଁ ତଥା ଏହି ରେଳ ଷ୍ଟେସନଟି ଦେବଗଡ଼ ଠାରୁ ଦୂର ପଡି଼ବ । 


ଦେବଗଡ ରୁ ଅନୁଗୁଳ ଭାୟା ରିଆମାଳ ଗଲେ ଚିକିଣିଘାଟି ବୋଲି ଏକ ସ୍ଥାନ ରହିଛି । ଏଇ ଚିକିଣିଘାଟିଠାରୁ ସହର ଓ ପ୍ରଧାନପାଟ ଜଳପ୍ରପାତ ତଥା ପାହାଡ଼ ଜଙ୍ଗଲର ମନୋରମ ଦୃଶ୍ଯ ଦେଖିବାକୁ ମିଳେ। ସ୍ଥାନୀୟ ଲୋକଙ୍କ ଦ୍ଵାରା ଏଠାରେ ଏକ ୱାଚ ଟାୱାର ନିର୍ମାଣ ପାଇଁ ସରକାରଙ୍କ ନିକଟରେ ବହୁ ବର୍ଷ ଧରି ଦାବି ହେଇ ଆସୁଛି।

ସେହିପରି ସମ୍ବଲପୁରକୁ ଯାଇଥିବା ଜାତୀୟ ରାଜପଥରୁ ରିଆମାଳ ବ୍ଲକକୁ ଯିବା ରାସ୍ତାର ବାମପଟରେ ଚିକିଣି ଘାଟି ପୂର୍ବରୁ ଝାଡ଼େଶ୍ଵର ଭଗଵାନଙ୍କର ମନ୍ଦିର ଅବସ୍ଥିତ । ଏହି ଝାଡ଼େଶ୍ବର ମନ୍ଦିରଟି ଦେବଗଡ ସହର ଠାରୁ ୫ କିଲୋମିଟର ଦୂରରେ ଅବସ୍ଥିତ । 


ଏହି ମନ୍ଦିରଟି ବାମଣ୍ଡା ରାଜବଂଶୀୟ ରାଜା ବ୍ରଜସୁନ୍ଦର ଦେବଙ୍କ ଦ୍ଵାରା ୧୮୫୪ ମସିହାରେ ନିର୍ମିତ ଏବଂ ଏହା ତତ୍କାଳୀନ ବାମଣ୍ଡା ରାଜ୍ୟର ପୁରାତନ ମନ୍ଦିର ମଧ୍ୟରୁ ଅନ୍ଯତମ । ଏଠାରେ ପୂଜିତ ଦେବ ଦେବ ମହାଦେବ । ଲିଙ୍ଗଟି ସ୍ଵୟଂଭୂ ଯାହା କି କାହା ଦ୍ଵାରା ସ୍ଥାପିତ ହୋଇ ନାହାନ୍ତି । ମନ୍ଦିରଟି କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ।


ଚିଣିକାଘାଟି ପରି ଦେବଗଡ଼ ଜିଲ୍ଲାରେ ଆଉ ଏକ ଘାଟି ଅଛି କଟାସର ଘାଟି । ଦେବଗଡ ଅନୁଗୋଳ ରାଜରାସ୍ତାର ୪୫ କିଲୋମିଟର ବ୍ଯବଧାନରେ ଅବସ୍ଥିତ କଟାସର ଘାଟି । ଏହା କାଙ୍କରଖୋଲ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଭୂକ୍ତ । ସଂରକ୍ଷିତ ଜଙ୍ଗଲ ହୋଇ ଥିବାରୁ କଟାସର ଘାଟି ସ୍ଥଳରେ ନିଘଞ୍ଚ ବନରାଜି ଦୃଷ୍ଟି ଗୋଚର ହୋଇଥାଏ । ଏହି ଘାଟିର ଶୀର୍ଷରେ ଅବସ୍ଥିତ ମା ବନଦୂର୍ଗାଙ୍କ ମନ୍ଦିର । ବନଦୂର୍ଗାଙ୍କ ପୃଷ୍ଠ ଦେଶରୁ ପ୍ରବାହିତ ହେଉଛି ଚିରସ୍ରୋତା ସ୍ରୋତସ୍ଵିନୀ । ଏହାର ଜଳକୁ ଅଧୁନା କଂକ୍ରିଟ କୁଣ୍ଡ ଦ୍ଵାରା ଆବଦ୍ଧ କରାଯାଇ ମନ୍ଦିର ବାତାବରଣକୁ ଆହୁରି ଆନନ୍ଦ ପ୍ରଦାୟକ କରାଯାଇପାରିଛି। ସ୍ରୋତସ୍ଵିନୀର ଅପର ପାର୍ଶ୍ଵରେ ଦେବ ଦେବ ମହାଦେବଙ୍କ ଭବ୍ୟ ମନ୍ଦିର ଏବଂ ଗୋଟିଏ ମଣ୍ଡପ ନିର୍ମାଣ କରାଯାଇଛି ।

କଟାସର ଘାଟି ଠାରୁ ଦେବଗଡ ଦିଗରେ ଅଗ୍ରସର ହେଲେ ୨ କିଲୋମିଟର ଅନ୍ତରରେ ରାଜରାସ୍ତାର ଦକ୍ଷିଣ ଦିଗରେ ଅବସ୍ଥିତ ସନାତନ ହିନ୍ଦୁ ଧର୍ମର ଆଶ୍ରମ ମଣ୍ଡଳ । ଏହି ଆଶ୍ରମ ରେଙ୍ଗାଳପାଲି ଗ୍ରାମରେ ଅବସ୍ଥିତ ହୋଇଥିବାରୁ ଏହା ରେଙ୍ଗାଳପାଲି ମଠ ନାମରେ ନାମିତ । ମଠର ପରିସୀମା ମଧ୍ୟରେ ସାଧୁ ସନ୍ୟାସୀମାନଙ୍କ ପ୍ରଚେଷ୍ଟା ବଳରେ ପୁଷ୍ପ ଉଦ୍ୟାନ ଓ ପନିପରିବା ବଗିଚା ବେଶ୍ ଆକର୍ଷଣୀୟ । ସାଧୁସନ୍ୟାସୀ ମାନଙ୍କ ସାଧନା, ସ୍ଵାଧ୍ୟାୟ ହିନ୍ଦୁ ଧର୍ମାନୁସାରେ ପରିଚାଳିତ ।

କେବଳ ଘାଟି ହିଁ ନୁହେଁ ବରଂ ଦେବଗଡ଼ ଜିଲ୍ଲାରେ ଅନେକ ସୁନ୍ଦର ସୁନ୍ଦର ଜଳପ୍ରପାତ,ଝରଣା ତଥା ଗିରି ନଦୀ ମଧ୍ୟ ରହିଛି ଯାହାର ମନୋରମ ପାର୍ବତ୍ୟ ରୂପ ଅତ୍ୟନ୍ତ ମନୋହର । 

ଦେବଗଡ ଜିଲ୍ଲା ସଦର ମହକୁମାଠାରୁ ଜାତୀୟ ରାଜପଥରେ ପୂର୍ବାଭିମୁଖେ ଗଲେ ରାଜରାସ୍ତା ପାର୍ଶ୍ଵରେ ଜିଲ୍ଲାର ଶେଷ ଗ୍ରାମ ଠିଆନାଳ ପଡିଥାଏ । ଏହି ଗ୍ରାମଟି ଯୌତୁକନାଳ ପଶ୍ଚିମ ପାର୍ଶ୍ଵରେ ଅବସ୍ଥିତ । ଏହି ଗ୍ରାମ ମଧ୍ୟ ଦେଇ ଉତ୍ତର ଦିଗକୁ ଏକ ରାସ୍ତା ପାଉଡି ପାହାଡ ପ୍ରଦେଶ ପର୍ଯ୍ୟନ୍ତ ଲମ୍ବି ଯାଇଛି । ଏହି ରାସ୍ତାରେ ପ୍ରାୟ ୨୦ ରୁ ୨୨ କିଲୋମିଟର ଗଲେ ପଡେ ଟାଇଁସିରା ଗ୍ରାମ । ପଥ ମଧ୍ୟରେ ବଡ ଜନବସତି ଭାବରେ ଗୁରୁସଙ୍ଗ ଓ ସରୁଆଳି ଗ୍ରାମ ପଡିଥାଏ । ଟାଇଁସିରା ଗ୍ରାମରେ ଅବସ୍ଥିତ ଦରଗଡି ପର୍ଯ୍ୟଟନ କ୍ଷେତ୍ର । ଟାଇଁସିରା ଗ୍ରାମର ଉତ୍ତର ପୁର୍ବରେ ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲା, ପୂର୍ବ ଓ ଦକ୍ଷିଣରେ ଅନୁଗୋଳ ଜିଲ୍ଲା ଓ ପଶ୍ଚିମରେ ଦେବଗଡ ଜିଲ୍ଲାର ସୀମା ସରହଦ ରହିଛି । ସଂକ୍ଷେପରେ କହିବାକୁ ଗଲେ , ଟାଇଁସିରା ଗ୍ରାମଟି ତିନୋଟି ଜିଲ୍ଲାର ସୀମା ସରହଦରେ ଅବସ୍ଥିତ ଏକ ପାର୍ବତ୍ୟ ଗ୍ରାମ । ଗ୍ରାମର ଚତୁଃପାର୍ଶ୍ଵ ନିଘଞ୍ଚ ବନରାଜି ତଥା ଆକାଶଛୁଆଁ ପର୍ବତ ଦ୍ୱୟ ମଧ୍ୟରେ ପ୍ରାକୃତିକ ଶୋଭାଶ୍ରୀ ବିମଣ୍ଡିତ । ପର୍ବତ ଦ୍ୱୟର ଗିରି ଗହ୍ଵର ଭେଦ କରି ଏକ ଚିରସ୍ରୋତା ଝରଣା ପ୍ରବାହିତ ହୋଇ ଗ୍ରାମର ଜଳାଭାବ ଦୂର କରିବା ସହ କୃଷି କାର୍ଯ୍ୟରେ ସାହାଯ୍ୟ କରୁଅଛି । ଏହି ଝରଣା କୂଳରେ ପ୍ରାକୃତିକ ପରିବେଶ ମଧ୍ୟରେ ଏକ ବିଶାଳକାୟ ପ୍ରସ୍ତର ଚଟାଣ ରହିଛି । ଏହି ଦରଗଡି ଝରଣା ନିମ୍ନ ପ୍ରଦେଶକୁ ପ୍ରବାହିତ ହୋଇ ଯୌତୁକ ନାଳ ନାମରେ ବ୍ରାହ୍ମଣୀ ନଦୀରେ ମିଶିଛି । ବାସ୍ତବରେ ଦରଗଡିର ପ୍ରାକୃତିକ ସୌନ୍ଦର୍ଯ୍ୟ ଅନନ୍ୟ ଓ ଅନୁପମ । କବି, ଲେଖକ, ପର୍ଯ୍ୟଟକମାନଙ୍କ ନିମିତ୍ତ ଅପାଶୋରା ଅନୁଭୂତିର ପର୍ଯ୍ୟଟନ କ୍ଷେତ୍ର ହେଉଛି ଦରଗଡି ।


ନବ ନିର୍ମିତ ଦେବଗଡ ଜିଲ୍ଲାର ଉତ୍ତର ଦିଗରେ ପ୍ରାଚୀର ସଦୃଶ୍ୟ ପ୍ରଧାନପାଟ ଜଳପ୍ରପାତ ଅବସ୍ଥିତ । କୈଦନ୍ତା ପର୍ବତ ମାଳର ସପ୍ତକୁଣ୍ଡ ମଧ୍ୟ ଦେଇ ପାଞ୍ଚ କିଲୋମିଟର ପାର୍ବତ୍ଯ ପଥ ଅତିକ୍ରମ କରି ଏହା ପ୍ରବାହିତ ହେଊଅଛି। ଏହାର ଗତି ପଥରେ ମା-ଝିଅ କୁଣ୍ଡ ଓ କବାଟ ଦ୍ଵାର ଦେଇ ଏହା ଲମ୍ପ ପ୍ରଦାନ କରି ପ୍ରପାତ ସୃଷ୍ଟି କରିଛି । ନିଦାଘ ଗ୍ରୀଷ୍ମ କାଳରେ ପ୍ରଧାନପାଟ ଜଳପ୍ରପାତ ନିକଟରେ ପ୍ରବଳ ଶୀତ ଅନୁଭୂତ ହୋଇଥାଏ । ପ୍ରପାତ ନିକଟସ୍ଥ ବସନ୍ତ ନିବାସରେ ଅନ୍ୟ ଋତୁରେ ବସନ୍ତର ଅନୁଭୂତି ଆସିଥାଏ । ଏହି ପ୍ରାକୃତିକ ଶୋଭା ବିମଣ୍ଡିତ ସ୍ଥାନରେ ଅଧିଷ୍ଠିତା ଦେବଗଡର ଅଧିଷ୍ଠାତ୍ରୀ ଦେବୀ ପ୍ରଧାନ ପାଟେଶ୍ଵରୀ ।

ପ୍ରଧାନପାଟ ର ନୈସର୍ଗିକ ସୌନ୍ଦର୍ଯ୍ୟ କବି, କୋବିଦ, ଦର୍ଶକ ତଥା ଭାବୁକମାନଙ୍କୁ କରିଥାଏ ଆତ୍ମବିଭୋର । କବି ପଦ୍ୟାଳଙ୍କାର ପଣ୍ଡିତ ଶ୍ରୀ ଦାମୋଦର ମିଶ୍ରଙ୍କ ଭାଷାରେ

” ତୁ ଅଟୁ ବାମଣ୍ଡା ସୁଷମା ଭଣ୍ଡାର,
ବିଶାଳ ଉତ୍କଳ ଶାନ୍ତି ଲୀଳାଗାର
ଯେ ଦେଖିଛି ଥରେ ତୋ ରୁକ୍ଷ ମୋହନ,
ପ୍ରାଣ ଥିଲେ ସେ କି ହେବ ବିସ୍ମରଣ । “

ଦେବଗଡ ସହରରୁ ପ୍ରଧାନ ପାଟ ଯିବାରାସ୍ତାର ବାମ ପାର୍ଶ୍ଵରେ ଅଧିଷ୍ଠିତ ଅଛନ୍ତି ଗିରି ଗୋବର୍ଦ୍ଧନ । ତଦୀୟ ମନ୍ଦିର ନିର୍ମାଣ କରିଥିଲେ ରାଜା ବ୍ରଜସୁନ୍ଦର ଦେବ (୧୮୩୧-୧୮୬୮) । ଏହି ମନ୍ଦିରର ଅନତି ଦୂରରେ ଅବସ୍ଥିତ ଓ ପୂଜିତ ଚମ୍ପକେଶ୍ଵର ମହାଦେବ । ପ୍ରଧାନପାଟର ଅନ୍ଯତମ ଆକର୍ଷଣ ହେଲା ବସନ୍ତ ନିବାସ ଓ ଲଲିତବସନ୍ତ ନିବାସ । ଏହି ଶୈଳନିବାସ ଦ୍ୱୟ ନିର୍ମାଣ କରିଥିଲେ ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ (୧୯୦୩-୧୯୦୬)।


ଦେବଗଡ ସହରଠାରୁ ସମ୍ବଲପୁର ଯିବା ରାସ୍ତାରେ ୧୩ କିଲୋମିଟର ବ୍ଯବଧାନରେ କୈଳାଶ ଅବସ୍ଥିତ । ଏହିଠାରେ ଥିବା ଜଙ୍ଗଲ ପରିବେଷ୍ଟିତ ଉଚ୍ଚ ପର୍ବତ ଶ୍ରେଣୀ ଜନମନ ହରଣକାରୀ । ଏଠାରେ ପର୍ବତର ପାଦଦେଶରେ ରାଜା ଦିବ୍ୟଶଙ୍କର ସୁଢଳଦେବ (୧୯୧୬-୧୯୨୦) ନିର୍ମାଣ କରିଥିଲେ ଏକ ମନୋରମ ଶୈଳନିବାସ । ପ୍ରକୃତିପ୍ରେମୀ ତଥା ବଣଭୋଜି ନିମିତ୍ତ କୈଳାସ ପ୍ରକୃତି ମାତାର ଏକ ଅନବଦ୍ୟ ଅବଦାନ ।


ପ୍ରଧାନପାଟ ଜଳପ୍ରପାତର ପଶ୍ଚିମକୁ ୨ କିଲୋମିଟର ଅନ୍ତରରେ ରହିଛି ଅନ୍ୟ ଏକ ନିର୍ଝରିଣୀ କୋରଡକୋଟ । ଏହାର ଜଳକୁ ବ୍ୟବହାର କରି ବାମଣ୍ଡା ରାଜା ସଚ୍ଚିଦାନନ୍ଦ ଏଠାରେ ଏକ ଜଳବିଦ୍ୟୁତ କେନ୍ଦ୍ର ସ୍ଥାପନ କରିଥିଲେ । ଏହା ଏସିଆ ମହାଦେଶର ଦ୍ଵିତୀୟ ଜଳ ବିଦ୍ୟୁତ କେନ୍ଦ୍ର । ବର୍ତ୍ତମାନ ଏହାର ମୁକସାକ୍ଷୀ ରୂପେ କିଛି ଲୌହ ନଳ ଏବଂ ଏହାର ପ୍ରକୋଷ୍ଠଟି ଦଣ୍ଡାୟମାନ । ପ୍ରପାତ ଜଳରେ ନିମ୍ନ ଦେଶରେ ଥିବା ଓଡିଶା ଉଦ୍ୟାନ ବିଭାଗର ଉଦ୍ୟାନ ତଥା ପାଖରେ ଥିବା ଚାଷ ଜମି ପରିପୁଷ୍ଟ । କୋରଡ କୋଟ ଠାରେ ରହିଛି “ସତୀକୁଣ୍ଡ” । ଯାହାକି ବାମଣ୍ଡାର ୨୨ ତମ ରାଜା ସର୍ବେଶ୍ଵର ଦେବଙ୍କ ଅକାଳ ବିୟୋଗରେ ରାଣୀ ଚନ୍ଦ୍ରକୁମାରୀ ଦୁଃଖରେ ମ୍ରିୟମାଣ ହୋଇ ରାଜାଙ୍କ ଚିତାନଳରେ ଝାସ ଦେଇଥିବାର ସ୍ମାରକୀ ବହନ କରିଛି ।

ଘଞ୍ଚ ବନାନୀ ଦ୍ଵାରା ପରିବେଷ୍ଠିତ ତଥା ସପ୍ତ ପାହାଡର ମିଳନସ୍ଥଳୀ କୋରଡକୋଟ ଓ ପ୍ରଧାନପାଟ ଜଳପ୍ରପାତର ଜଳଧାରା ଦେବଗଡ ସହରର ଜନସାଧାରଣଙ୍କ ଜୀବନଧାରା ରୂପେ ପରିଚିତି ଲାଭ କରିଛି । ବିଜ୍ଞାନ ବିନୋଦ ରାଜା ସଚ୍ଚିଦାନନ୍ଦ ତ୍ରିଭୁବନଦେବଙ୍କ ରାଜତ୍ଵ ସମୟରେ ୧୯୦୫ ମସିହାରେ ତାଙ୍କର ଜ୍ୟେଷ୍ଠ ପୁତ୍ର ଟିକାୟତ ଦିବ୍ୟଶଙ୍କର ଦେବଙ୍କ ଶୁଭ ବ୍ରତୋପନୟନ ଅବସରରେ ଇଂଲଣ୍ଡରୁ ଦୁଇଟି ଡାଇନାମୋ ଓ ଷ୍ଟିମ୍ ଇଞ୍ଜିନ୍ ଆଣି ରାଜା ନବର ପରିସରରେ ଗୋଟିଏ ପାୱାର ହାଉସ ନିର୍ମାଣ କରି ସହର ଓ ରାଜପ୍ରସାଦକୁ ଆଲୋକିତ କରାଇଥିଲେ । ଏହି ଷ୍ଟିମ୍ ଇଞ୍ଜିନ୍ ନିମନ୍ତେ ପ୍ରଚୁର ପରିମାଣର କାଠ ଆବଶ୍ୟକ ହେଉଥିବାରୁ ଜଙ୍ଗଲ କ୍ଷୟ ହେବାର ଆଶଙ୍କା କରି ବିଜ୍ଞାନ ଅନୁରାଗୀ ରାଜା ସଚ୍ଚିଦାନନ୍ଦ ୧୮୯୭ ମସିହାରେ ଇଂରେଜ ମାନଙ୍କ ଦ୍ଵାରା ଦାର୍ଜିଲିଂରେ ନିର୍ମିତ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ଅନୁକରଣରେ ଏଠାରେ ଏକ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରାଇଥିଲେ । ଏହି ପ୍ରକଳ୍ପଟି କଲିକତାର ଅସ୍କାର କମ୍ପାନୀର ଜଣେ ୟୁରୋପୀୟ ଇଞ୍ଜିନିୟରଙ୍କ ସାହାଯ୍ୟରେ କୋରଡକୋଟଠାରେ ୧୯୧୫ ମସିହାରୁ ଆରମ୍ଭ ହୋଇ ୧୯୧୬ ମସିହାରେ ଜାନୁୟାରୀ ମାସରେ କାର୍ଯ୍ଯକ୍ଷମ ହୋଇଥିଲା । ଏହା ଏସିଆ ମହାଦେଶରେ ସେତେବେଳର ଦ୍ଵିତୀୟ ଜଳ ବିଦ୍ୟୁତ କେନ୍ଦ୍ର ଭାବରେ ସାରା ଭାରତରେ ଚହଳ ପକାଇଥିଲା । ଏହି ସମ୍ବାଦ “ସମ୍ବଲପୁର ହିତୈଷିଣୀ” ପତ୍ରିକାରେ (୨୬/୩୫ ସଂସ୍କରଣ) ୧୯-୦୫-୧୯୧୫ ତାରିଖରେ ପ୍ରକାଶିତ ହୋଇଥିଲା । କୋରଡକୋଟ ଜଳଉତ୍ସଟି କୈଦନ୍ତା ପାହାଡର ପାଦଦେଶରୁ ଏକ ପ୍ରାକୃତିକ ଚିରସ୍ରୋତା ସ୍ରୋତରୁ ବାହାରି “କବାଟଦ୍ଵାର” ନିକଟରେ ଦୁଇଭାଗ ହୋଇ ଏକ ଧାର ପ୍ରଧାନପାଟ ଓ ଅନ୍ଯଟି କୋରଡକୋଟ ଧାରା ନାମରେ ପ୍ରବାହିତ ହୋଇଅଛି । କୋରଡକୋଟ ଜଳଧାରା ୧୯୧୬ ମସିହାରୁ ବିଦ୍ୟୁତ ଉତ୍ପାଦନରେ ନିୟୋଜିତ ହେବା ସହିତ ପୁରୁଣାଗଡର ଚାଷକାର୍ଯ୍ୟ ରେ ବ୍ୟବହୃତ ହୋଇ ଆସୁଛି ।

ଏହି ଜଳବିଦ୍ୟୁତ କେନ୍ଦ୍ର ବିଷୟରେ କେତୋଟି ଜ୍ଞାତବ୍ୟ ତଥ୍ୟ :
୧୨୦ ଫୁଟ୍ ଉଚ୍ଚରୁ ପ୍ରତି ଘଣ୍ଟାରେ ୨୮୦୦୦ ଗ୍ୟାଲନ୍ ଜଳ ଆସିଥାଏ ।
ଟର୍ବାଇନ୍ ଟି ୧୧.୫ କିଲୋ ହର୍ସ ପାୱାର ଶକ୍ତି ସମ୍ପନ୍ନ ।
ଡାଇନାମୋ ଟି ୬.୫ କିଲୋୱାଟ୍ କ୍ଷମତା ସମ୍ପନ୍ନ ।
ଟର୍ବାଇନ୍ କୁ ଆସୁଥିବା ପାଣି ନଳର ବ୍ଯାସ ୯ ଇଞ୍ଚ ।
ଏଠାରୁ ଉତ୍ପନ୍ନ ବିଦ୍ୟୁତ ଦ୍ଵାରା ୩୦ କ୍ଯାଣ୍ଡେଲ୍ ପାୱାର ର ୧୪୦ ଟି ବଲ୍ବ , ୨୨ କ୍ଯାଣ୍ଡେଲ୍ ପାୱାର ର ୧୯୦ ଟି ବଲ୍ବ,, ୧୬ କ୍ଯାଣ୍ଡେଲ୍ ପାୱାରର ୨୮୦ ଟି ମେଟାଲିକ୍ ଫିଲାମେଣ୍ଟର ବଲ୍ବ ସବୁ ୨୨୦ ଭୋଲ୍ଟ ର ଆଲୋକ ପ୍ରଦାନ କରୁଥିଲା ।
ଏହି କୋରଡକୋଟ ଜଳବିଦ୍ୟୁତ କେନ୍ଦ୍ରରୁ ୧୯୭୦ ମସିହା ପର୍ଯ୍ୟନ୍ତ ବିଦ୍ୟୁତ ଦେବଗଡ ସହରକୁ ଆଲୋକିତ କରୁଥିଲା । ପରେ ଏହା ସହ ଦୁଇଗୋଟି ଡିଜେଲ୍ ଇଞ୍ଜିନ୍ ସାହାଯ୍ୟରେ ମଧ୍ୟ ବିଦ୍ୟୁତ ସରବରାହ କାର୍ଯ୍ୟକାରୀ ହେଉଥିଲା ।
୧୯୭୧ ମସିହାରେ ରାଉରକେଲା ବାଟ ଦେଇ ହୀରାକୁଦ ଜଳବିଦ୍ୟୁତ କେନ୍ଦ୍ରରୁ ବିଦ୍ୟୁତ ସରବରାହ ଆରମ୍ଭ ହେବା ପରେ କୋରଡକୋଟ ଜଳବିଦ୍ୟୁତ କେନ୍ଦ୍ର ଓ ଡିଜେଲ୍ ଇଞ୍ଜିନ୍ କୁ ବନ୍ଦ କରିଦିଆଗଲା ।

ଅନ୍ୟ ଏକ ଜଳପ୍ରପାତ ଦେଓଝର ପ୍ରପାତ 
କୈଳାଶ ଠାରୁ ଜାତୀୟ ରାଜପଥରେ ସମ୍ବଲପୁର ଅଭିମୁଖେ ୬-୭ କିଲୋମିଟର ଅନ୍ତରରେ ଥିଵା ବରଘାଟ ନିକଟରେ ଅଵସ୍ଥିତ । ବରଘାଟଠାରୁ ଦକ୍ଷିଣ ଦିଗକୁ ଯାଇଥିବା ପିଚୁ ରାସ୍ତାର ୨ କିଲୋମିଟର ପରେ ବରଘାଟ ନାଳରେ ସୃଷ୍ଟି ହୋଇଛି ସୁଦୃଶ୍ୟ ଜଳ ପ୍ରପାତ ଦେଓଝର । ଚତୁର୍ପାର୍ଶ୍ୱ ଘଞ୍ଚବନାନୀର ଶ୍ୟାମଳିମା ତଥା ପ୍ରପାତର ମନ୍ଦ୍ର ନାଦ ପର୍ଯ୍ୟଟକମାନଙ୍କ ପ୍ରାଣରେ ଭରିଦିଏ ଅଫୁରନ୍ତ ଉଦ୍ଦୀପନା ଓ ପ୍ରେରଣା । ପ୍ରକୃତିପ୍ରେମୀ ତଥା ବଣଭୋଜି ନିମିତ୍ତ ଏହା ଏକ ପ୍ରକୃଷ୍ଟ ସ୍ଥାନ ।

କେବଳ ନଦୀ,ଝରଣା ଓ ଜଳପ୍ରପାତ ହିଁ ନୁହେଁ ଦେବଗଡ଼ ଜିଲ୍ଲାରେ ଅନେକ ଧର୍ମସ୍ଥଳୀ ମଧ୍ୟ ରହିଛି । 


ଶ୍ରୀ ଜଗନ୍ନାଥ ମନ୍ଦିର ଦେବଗଡ ସହରର ପୁରୁଣାଗଡ ଅଞ୍ଚଳରେ ଅବସ୍ଥିତ । ଏହି ମନ୍ଦିରଟି ଦେବଗଡ ସହର ମଧ୍ୟରେ ଥିବା ସର୍ବ ପୁରାତନ ମନ୍ଦିର । ଏହା ଗଙ୍ଗବଂଶୀୟ ରାଜା ପ୍ରତାପରୁଦ୍ର ଦେବଙ୍କ ଦ୍ଵାରା ୧୭୦୫ ମସିହା ରେ ନିର୍ମିତ ହୋଇଛି । ଏହି ମନ୍ଦିରଟି କଳିଙ୍ଗ ମନ୍ଦିର ସ୍ଥାପତ୍ୟ କଳା ଅନୁଯାୟୀ ନିର୍ମିତ ହୋଇଛି । ମନ୍ଦିରଟିର ୪ ଟି ମୁଖ୍ୟ ଅଙ୍ଗ ରହିଛି , ଯଥା : ଗର୍ଭ ଗୃହ, ନାଟ୍ୟଶାଳା, ଯଜ୍ଞଶାଳା ଓ ଭୋଗ ମଣ୍ଡପ । ଏହାର ଚତୁର୍ପାର୍ଶ୍ୱରେ ସିମେଣ୍ଟ ନିର୍ମିତ ପ୍ରାଙ୍ଗଣ ରହିଛି । ଏହାଛଡା ଏହି ମନ୍ଦିର ପରିସରରେ ଅନ୍ୟାନ୍ୟ ଦେବାଦେବୀ ମାନଙ୍କର ନିଜସ୍ଵ ମନ୍ଦିରମାନ ରହିଛି । ମୁଖ୍ୟ ଉତ୍ସବ ଗୁଡିକ ମଧ୍ୟରେ ରଥ ଯାତ୍ରା ଏବଂ ବାହୁଡା ଯାତ୍ରା ଅନ୍ଯତମ ।

ଦେବଗଡ଼ ଜିଲ୍ଲା ଓଲଟ ବଟବୃକ୍ଷ ପାଇଁ ମଧ୍ୟ ଯହ ଲୋକପ୍ରିୟ । ଏହି ଓଲଟ ବଟ ଦେବଗଡ ସହର ଅନ୍ତର୍ଭୁକ୍ତ ପୁରୁଣାଗଡ ଅଞ୍ଚଳରେ ଅବସ୍ଥିତ ଏକ ଭିନ୍ନ ପ୍ରଜାତିର ଏବଂ ଦୁର୍ଲଭ ତଥା ଦୁଷ୍ପ୍ରାପ୍ୟ ବରଗଛ । ସମ୍ବଲପୁର ଦିଗରୁ ଦେବଗଡ ସହରକୁ ପ୍ରବେଶ କରିବା ସମୟରେ ସ୍ଵାଗତ କରିବା ମୁଦ୍ରାରେ ଦଣ୍ଡାୟମାନ ଏହି ବରଗଛଟି । ଏହାର ପତ୍ର ଗୁଡିକ ଓଲଟା । ଏହି ବରଗଛଟି ଏଠାକାର ଜନସାଧାରଣଙ୍କ ଧାର୍ମିକ ଭାବନା ସହ ସଂଯୁକ୍ତ ଏବଂ ପୂଜିତ ।

ଏହିପରି ଆନେକ ପର୍ଯ୍ୟଟନ ସ୍ଥଳୀ ଥିବାରୁ ଏହାକୁ ଦେଵଙ୍କ ଗଡ଼ ଦେବଗଡ଼ କୁହାଯାଏ। ଯଥାର୍ଥରେ ଦେବଗଡ଼ ପୃଥିବୀରେ ଭୂସର୍ଗ କିନ୍ତୁ ଏତେ ସବୁ ପ୍ରାକୃତିକ ବିଭବ ଥାଇ ବି ସ୍ବାଧୀନତାକୁ ୭୫ ବର୍ଷ ହୋଇଗଲାଣି ହେଲେ ଦେବଗଡ଼କୁ ରେଳଷ୍ଟେସନଟିଏ ଆଜିଯାଏଁ ମିଳିଲା ନାହିଁ । ଦେବଗଡ଼ ଜିଲ୍ଲାକୁ ରେଳ ଦ୍ଵାରା ସଂଯୋଗ କରାଯାଇଥିଲେ ଏଠାକାର ପର୍ଯ୍ୟଟନ ସ୍ଥଳୀ ଅଧିକ ଲୋକପ୍ରିୟ ହୋଇପାରନ୍ତା ଓ ପର୍ଯ୍ୟଟକ ମଧ୍ୟ ମାନସିକ ଶାନ୍ତି ପାଇ ଲାଭାନ୍ଵିତ ହୁଅନ୍ତେ । 

(ତଥ୍ୟ ଓ ଚିତ୍ର ~ ଅନ୍ତର୍ଜାଲରୁ ସଂଗୃହୀତ)