My Blog List

Showing posts with label ଗୌରବଗାଥା. Show all posts
Showing posts with label ଗୌରବଗାଥା. Show all posts

Wednesday, February 5, 2020

ଲଵଣକର ଵିପକ୍ଷରେ ଓଡ଼ିଶାରେ ହୋଇଥିଲା ପ୍ରଥମ ଶଙ୍ଖନାଦ

ଭାରତରେ ଲଵଣକର ଵିରୋଧୀ ଆନ୍ଦୋଳନର ଶଙ୍ଖନାଦ ପ୍ରଥମେ ଓଡ଼ିଶା ମାଟିରେ ହୋଇଥିଲା ।
କଟକ ମ୍ଯୁନିସିପାଲିଟି ପଡି଼ଆରେ ଏହି ଲଵଣକର ଓ ତତ୍କାଳୀନ ବଙ୍ଗଳା ପ୍ରଦେଶରୁ ନିମକମାହଲ ଉଠିଯାଇ ମାନ୍ଦ୍ରାଜ ପ୍ରଦେଶକୁ ମିଳିଵା ଵିପକ୍ଷରେ ପ୍ରତିଵାଦ ସଭାର ଆୟୋଜନ ହୋଇଥିଲା । ଏହି ସଭାର କେତେକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ―

୧)ଲଵଣ ସତ୍ୟାଗ୍ରହ ର ବହୁପୂର୍ଵରୁ ଓଡ଼ିଆ ଲୋକେ ସର୍ଵପ୍ରଥମେ ଲଵଣକର ଵିରୋଧରେ ଆନ୍ଦୋଳନ କରିଥିଲେ । ଆଉ ସେହି ପ୍ରଥମ ଶଙ୍ଖନାଦ କଟକନଗରରୁ ସାରା ଵିଶ୍ଵକୁ ପ୍ରତିଧ୍ବନିତ ହୋଇଥିଲା ।

୨)କଟକନଗରର ଓଡ଼ିଆ ସ୍ଵାଭିମାନୀ ବୁଦ୍ଧିଜୀଵୀମାନେ ପ୍ରାୟତଃ କଟକ ପ୍ରିଣ୍ଟିଙ୍ଗ କମ୍ପାନୀଠାରେ କୌଣସି ସଭାର ଆୟୋଜନ କରୁଥିଲେ । କିନ୍ତୁ ଲଵଣକର ସମ୍ଵନ୍ଧୀୟ ସଭାର ଆୟୋଜନ କଟକ ମ୍ଯୁନିସିପାଲିଟି ପଡି଼ଆରେ ହୋଇଥିଲା ।

୨୩)୧୮୮୧ରୁ ବଙ୍ଗରୁ ଓଡ଼ିଶା ଲେଉଟିଵା ପରଠୁଁ ୧୮୮୮ ଯାଏଁ ଉତ୍କଳ ଗୌରଵ ମଧୁସୂଦନ ଦାସ ଓଡ଼ିଶାର ସମସ୍ୟା ଵିଷୟରେ ଯେଉଁସବୁ ଭାଷଣ ଦେଇଥିଲେ ତାହା ଇଂରାଜୀ ଭାଷାରେ ହେଉଥିଲା । ତେଵେ ଏହି ସଭାରେ ପ୍ରଥମକରି ମଧୁବାବୁ ଓଡ଼ିଆ ଭାଷାରେ ଭାଷଣ ଦେଇଥିଲେ ।

ସେଦିନ ମଧୁବାବୁ ଯେଉଁ ଭାଷଣ ଦେଇଥିଲେ ତାହା ଏଠାରେ ପ୍ରଦାନ କରାଗଲା...

  ●●●●●●●●●●●●●●●●●●●●●●●●●●●●
ଭାରତଵାସୀ ସମସ୍ତ ଏକ ଦେଶୀୟ ହେଵାରୁ ଭାଇ ଅଟନ୍ତି, ସମସ୍ତଙ୍କ ମଧ୍ୟରେ ଭ୍ରାତୃଭାଵ ରହିଵା ଉଚିତ । ଧନୀ ଓ ଗରିଵ ମଧ୍ୟରେ କିଛି ପ୍ରଭେଦ ନାହିଁ ।

ବାସ୍ତଵରେ ଗରିଵମାନେ ଦେଶର  ଖୁଣ୍ଟ ଅଟନ୍ତି ଏବଂ ଯେ ସ୍ଥଳେ ସେ ଦିଏ ‌ଯେ ଧନୀ ଓ ଯେ ନିଏ ସେ ନିର୍ଦ୍ଧନ ; ​ସେ ସ୍ଥଳେ ଗରିଵମାନେ କର ଦେଉଥିଵା ଓ ଜମିଦାର ଓ ରାଜା ପ୍ରଭୃତି ତାହା ନେଇ ବଡ଼ଲୋକ  ହେଉଥିଵାରୁ ପ୍ରକୃତରେ ସେହିମାନେ ଧନୀ ଅଟନ୍ତି ଓ ତାହାଙ୍କର ​‌ଯେଉଁ ଶକ୍ତି ଅଛି ତାହା ସେମାନେ ଜାଣୁ ନ ଥିଵାରୁ ଆପଣାକୁ ଗରିଵ ଓ ଅସହାୟ ଭାଳୁ ଅଛନ୍ତି ।

ଇଂ​‌ରେଜ ରାଜ ଗରିଵଙ୍କର ବନ୍ଧୁ, ପ୍ରଜାଙ୍କୁ କଷ୍ଟ ଦେବା ତାହାଙ୍କର ଅଭିପ୍ରାୟ ନୁହେଁ । ପ୍ରଜାମାନେ ସମଵେତ ହୋଇ ଆପଣା ଦୁଃଖ ଜଣାଇଲେ ​‌ସେ ଅଵଶ୍ୟ ତହିଁର ପ୍ରତିକାର କରିବେ । ଏକତ୍ର ହୋଇ ଦୁଃଖ ଜଣାଇଵା ଓ ରାଜନୈତିକ ଵିଷୟରେ ମତାମତ ପ୍ରକାଶ କରିଵା ପ୍ରଜାମାନଙ୍କର ଗୋଟିଏ ଭାରି ଅଧିକାର । ଏହି ଅଧିକାର ରାଜଭକ୍ତି ଅଥଚ ଦମ୍ଭ ଭାଵରେ ପ୍ରକାଶ କଲେ କଦାଚ ଵ୍ଯର୍ଥ  ​‌ହେବ ନାହିଁ । ରୋଗୀ ଆପଣାର ପୀଡ଼ାର ବୃତ୍ତାନ୍ତ ନ ଜଣାଇଲେ ଯେମନ୍ତ ବୈଦ୍ୟ ତହିଁର ପ୍ରତିକାର କରି ନ ପାରେ ପ୍ରଜାମାନେ ଆପଣା ଦୁଃଖ ନ ଜଣାଇଲେ ରାଜାଙ୍କ ଦ୍ୱାରା ତହିଁର ପ୍ରତିକାର ହୋଇ ନ ପାରେ । ଇଂରାଜ ଗଵର୍ଣ୍ଣମେଣ୍ଟ କେତେବେଳେ ପ୍ରଜାପୀଡ଼କ ନୁହନ୍ତି ।…

ଭାରତଵାସୀମାନେ ବିଲାତ ତୁଳନାରେ ବିଲାତର ଵାର୍ଷିକ ଆୟ ହାରାହାରିରେ ଜଣ ପ୍ରତି ଟ୩୦୦ଙ୍କା ମାତ୍ର ଭାରତଵର୍ଷରେ ଟ୨୦ଙ୍କା ଅଟଇ ଅଥଚ ବିଲାତରେ କରର ସମଷ୍ଟି ଶତକଡ଼ା ଟ୮ଙ୍କା ସ୍ଥଳେ ଭାରତଵର୍ଷରେ ଟ୧୬ଙ୍କା  ଲେଖାଏଁ ପଡ଼ିଅଛି । ଭାରତଵାସୀମାନେ ଗରିଵ ହୋଇ ଏତେ ଅଧିକ କର ଦେଉଥିଵା ସ୍ଥଳେ ସେମାନଙ୍କ ଉପରେ ଆଉ ଗୋଟିଏ କର ଭିଡ଼ିଵା ନିତାନ୍ତ ଅନ୍ୟାୟ ।

ଲୁଣକର ନୂତନ କର ନ ହେଲେ ହେଁ ଯେତେଵେଳେ ପୁରୁଣା ଘା ଉପ‌ରେ ଆଉ ଚୋଟେ ବସିଲା ସେତେଵେଳେ ଅନାୟାସ ନୂତନ ପୀଡ଼ା ବୋଲାଯାଇପାରେ ।

ଲଵଣ ସମସ୍ତ ଲୋକଙ୍କର ନିତ୍ୟ ପ୍ରୟୋଜନୀୟ ପଦାର୍ଥ ପୁଣି ଓଡ଼ିଶାରେ ପଖାଳଖିଆଟି ଅଧିକ ଥିଵାରୁ ବହୁତ ଲୁଣ ଲୋଡ଼ା ହୁଅଇ ।

ଏପରି ଦେଶପ୍ରତି ଲଵଣକର ଅଳପ ବଢ଼ିଲେ ସୁଧା ଅଧିକ ବାଧିଵାର କଥା ।

ଏଥର ଓଡ଼ିଶାର ନିମକ ମାହାଲ ବଙ୍ଗଳାରୁ ମାନ୍ଦ୍ରାଜକୁ ବଦଳି ହେବାରୁ ଏଠା ଲୁଣ ପ୍ରୋକ୍ତାନ ବନ୍ଦ ହୋଇ ଅନେକ ଲୋକଙ୍କର ରୋଜଗାର ବନ୍ଦ ହୋଇଅଛି ।
©ଉତ୍କଳ ଗୌରଵ ମଧୁସୂଦନ ଦାସ
  ●●●●●●●●●●●●●●●●●●●●●●●●●●●●●

   ◆◆◆◆ଭାଷଣ ସମ୍ବନ୍ଧରେ ଵିଶେଷ ଦ୍ରଷ୍ଟଵ୍ୟ◆◆◆◆

୧୮୮୮ରେ ପୂର୍ଵ ଭାରତରୁ ନିମକ ମାହାଲ ଉଠିଯାଇ ତାହା ମାନ୍ଦ୍ରାଜକୁ ମିଳିଥିଲା । ଏହାର ପ୍ରତିଵାଦରେ ସର୍ଵପ୍ରଥମେ ଓଡ଼ିଶାରେ ପ୍ରତିଵାଦ ସଭାର ଆୟୋଜନ ହୋଇଥିଲା । ଲଵଣ ସତ୍ଯାଗ୍ରହର ବହୁପୂର୍ଵରୁ, ଗାନ୍ଧୀଙ୍କ ବହୁ ପୂର୍ଵରୁ ଓଡ଼ିଶାର ଜନସାଧାରଣ ପ୍ରଥମେ ଇଂରେଜ ସରକାରଙ୍କ ଵିପକ୍ଷରେ ଦ୍ଵେଷ ରହିତ ଶାନ୍ତିପୂର୍ଣ୍ଣ ପ୍ରତିଵାଦ ସଭା କରିଥିଲେ । ଏହି ସଭାରେ ଜନ ଅସନ୍ତୋଷ ନହେଉ ସେଥିପାଇଁ ଚତୁରତାର ସହ ଉତ୍କଳ ଗୌରଵ  ଇଂରେଜ ସରକାରଙ୍କ ପ୍ରଥମେ ପ୍ରଶଂସା କରୁଥିଲେ
ଯଥା—
“ଇଂ‌ରେଜ ରାଜ ଗରିଵଙ୍କର ବନ୍ଧୁ, ପ୍ରଜାଙ୍କୁ କଷ୍ଟ ଦେବା ତାହାଙ୍କର ଅଭିପ୍ରାୟ ନୁହେଁ”

“ଇଂରାଜ ଗଵର୍ଣ୍ଣମେଣ୍ଟ କେତେବେଳେ ପ୍ରଜାପୀଡ଼କ ନୁହନ୍ତି !”

କିନ୍ତୁ ତାପରେ ସେ ତଥ୍ୟ ସହ ଇଂରେଜ ସରକାର ଭାରତୀୟଙ୍କ ଉପରେ କେମିତି ଅଧିକ କର ବସେଇ ଶୋଷଣ କରୁଛି ତାହା ପ୍ରକାଶ କରିଛନ୍ତି ।
ଯଥା—
“ବିଲାତରେ ଵାର୍ଷିକ ହାରାହାରି ଆୟ
ଟ୩୦୦.୦୦ଙ୍କା ହୋଇଥିଵାଵେଳେ ଭାରତରେ ହାରାହାରି ଆୟ ଟ୨୦.୦୦ଙ୍କା କିନ୍ତୁ ଭାରତୀୟମାନେ ଟ୧୬.୦୦ଙ୍କା କର ଦେଉଥିଲାଵେଳେ ଇଂଲଣ୍ଡଵାସୀ ମାତ୍ର ଟ୮.୦୦ଙ୍କା ଦିଅନ୍ତି ।”

ଏଇ ତଥ୍ୟ ଦେଇ ଉତ୍କଳ ଗୌରଵ ପରୋକ୍ଷରେ ଇଂରେଜ ସରକାରଙ୍କୁ ପ୍ରଜାପୀଡ଼କ ପ୍ରମାଣିତ କରିଛନ୍ତି ।

ଉତ୍କଳ ଗୌରଵ ପ୍ରକୃତରେ ଭାରତ ଗୌରଵ ଅଟନ୍ତି । କିଛି ଉତ୍ତର ଭାରତୀୟ ମଧୁବାବୁଙ୍କୁ ଆଞ୍ଚଳିକ ନେତା ମନେ କରନ୍ତି । ଓଡ଼ିଶାର କେତେକ ଶିକ୍ଷିତ ସୀମାନ୍ତଵାସୀ ଅଞ୍ଚଳ—ଅଞ୍ଚଳ ମଧ୍ୟରେ ମିଛକଥା ପ୍ରେରଣକରି ଘୃଣା ଵୃଦ୍ଧି କରୁଛନ୍ତି କିନ୍ତୁ ତତ୍କାଳୀନ ଭାରତରେ ସବୁଠାରୁ ନିମ୍ନସ୍ତରରେ ଥିଵା, ବଙ୍ଗାଳୀ-ମରାଠୀ-ହିନ୍ଦିଆ-ତେଲେଙ୍ଗାଙ୍କ ଦ୍ଵାରା ୩୦୦ ଵର୍ଷ ଧରି ଶୋଷଣର ଶିକାର ହୋଇଥିଵା ଓଡ଼ିଆ ଜାତୀୟ ଲୋକଙ୍କ ଅଗ୍ରନେତା ମଧୁବାବୁ ମହାଭାରତୀୟ ଏକ ଜାତି ଓ ଭାଇ ବୋଲି ଭାଷଣ ଆରମ୍ଭରେ ଘୋଷଣା କରିଛନ୍ତି ।

■★★★★★★★★★★★★★★★★★■
(ଲଵଣକର ସମ୍ବନ୍ଧୀୟ ସଭା ଵିଷୟରେ ଵିଶଦ ଭାଵେ ଜାଣିଵାପାଇଁ ସୁରେନ୍ଦ୍ର ମହାନ୍ତିଙ୍କ ପୁସ୍ତକ “ଶତାବ୍ଦୀର ସୂର୍ଯ୍ୟ” ପାଠକରନ୍ତୁ)

Friday, January 24, 2020

ବଙ୍ଗାଳି ଓଡ଼ିଆ ଭାଷାଯୁଦ୍ଧ ଲାଗିଥିଵାଵେଳେ ଓଡ଼ିଆ ଲୋକଙ୍କ ପାଖରେ କଣ୍ କଣ୍ ଥିଲା ?

ଆଜିକାଲି ଓଡ଼ିଶାର କିଛି ଵିଚ୍ଛିନ୍ନତାଵାଦୀ କୁହନ୍ତି ଆଗେ ଯେମିତି ଓଡ଼ିଆ ବଙ୍ଗାଳି ଭାଷାଯୁଦ୍ଧ ହୋଇ ଗୋଟିଏ ଭାଷାଭିତ୍ତିକ ସ୍ଵତନ୍ତ୍ର ରାଜ୍ୟ ଗଠନ ହୋଇଥିଲା ଆମେ ବି ସେଇଭଳି ଏକ ରାଜ୍ୟ ଗଠନକରିଵାକୁ ପ୍ରଚେଷ୍ଟା କରୁଛୁ । ସେମାନେ ଆହୁରି କୁହନ୍ତି ଯେ ସେ ଯୁଗରେ ବଙ୍ଗାଳିମାନେ ଓଡ଼ିଆ ଲୋକଙ୍କ ଉପରେ ବଙ୍ଗାଳି ଭାଷାକୁ ଲଦିଦେଇଥିଲେ ଏଵେ ସେଇମିତି କଟକିଏ ଓଡ଼ିଆ ଭାଷାକୁ ଆମ ସମ୍ବଲପୁରିଆ ଵା କୋଶଲୀମାନଙ୍କ ଉପରେ ଲଦିଦେଉଛନ୍ତି  !!!

ତେଵେ କ'ଣ ସତରେ ଓଡ଼ିଆଭାଷାର ସ୍ଥିତି ଆଜିର ସମ୍ବଲପୁରୀ ଭଳି ଥିଲା ? କଣ୍ ସତରେ ଓଡ଼ିଆ ଭାଷା ବଙ୍ଗାଳିର ଗୋଟିଏ ଉପଭାଷା ? କିଛି ଗଡ଼ଜାତିଆ ମୂର୍ଖ ଏଇଭଳି ମତ ପୋଷଣ କରନ୍ତି ।

ତେଵେ ଏହାର

   ―ଓଡ଼ିଆଭାଷା ବନାମ୍ ବଙ୍ଗାଳି ଭାଷା―

■ଓଡ଼ିଆ ଭାଷାର ପ୍ରାଚୀନତା:-
୧)ଉଡ୍ର ବୋଲି ୨୪୦୦ ଵର୍ଷ ପୁରାତନ ଗୋଟିଏ ଜାତି ଓ ତହିଁର ଭାଷାର ପ୍ରାମାଣିକ ଐତିହାସିକ ସାକ୍ଷ୍ଯ ଥିଲା । ଵିଭିନ୍ନ ପୁରାଣ ଓ ଅନ୍ୟ ଗ୍ରନ୍ଥାଦିରେ ଏ ଜାତିର ଉଲ୍ଲେଖ ରହିଥିଵା ପ୍ରମାଣ କରାଯାଇଥିଲା । ନିମ୍ନରେ କେତେକ ତଥ୍ୟ ପ୍ରମାଣ ସ୍ଵରୁପ ପ୍ରଦାନ କରାଗଲା ।

)ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଡ୍ରଜା ଵା ଉଡ୍ର ଵିଭାଷାର ଉଲ୍ଲେଖ ଅଛି
ଯଥା:-
“ଶକରାଭୀର ଚାଣ୍ଡାଳ ଶଵର ଦ୍ରାଵିଡୋ଼ଡ୍ରଜାଃ
ହୀନାବନେଚରାଣାଂ ଚ ଵିଭାଷାଃ ସପ୍ତକୀର୍ତ୍ତିତାଃ  ।”

ଖ)ସପ୍ତମ ଶତାବ୍ଦୀ ବେଳକୁ ପଶ୍ଚିମ ଓଡିଶାରେ ଇନ୍ଦ୍ରଭୁତିଙ୍କ ଦ୍ଵାରା ଉଡ୍ଡିୟାନ ରାଜ୍ୟ ସ୍ଥାପନ ବେଳକୁ ଆଧୁନିକ ଓଡ଼ିଆ ଭାଷା ଵିକଶିତ ହେବାକୁ ଲାଗିଥିଲା ଏବଂ ସେହି ଵିକଶିତ ଭାଷାରେ କାହ୍ନୁପା ଲୁଇପା ଆଦି କବିମାନେ ଚର୍ଯ୍ୟାଗୀତି ରଚନା କରି ବୌଦ୍ଧ ଧର୍ମ ପ୍ରଚାର କରିଥିଲେ । ସପ୍ତମ ଶତାବ୍ଦୀରେ ହିଁ ଚୀନ ପରିବ୍ରାଜକ ହୁଏନ ସାଂ ଭାରତ ଭ୍ରମଣ ରେ ଆସିଥିଲେ । ସେ ଏହି ଆଧୁନିକ ଭାଷାକୁ ‛ଉ-ଚ’ ଭାବରେ ଉଲ୍ଲେଖ କରିଅଛନ୍ତି । ଏହା ଉଡ୍ର ଶବ୍ଦ ର ବିକୃତି ଉଦାହରଣ ମାତ୍ର ।

ଗ)ଷୋଡ଼ଶ ଶତାବ୍ଦୀରେ  ବ୍ୟାକରଣାକାର ମାର୍କଣ୍ଡେୟ ଉଡ୍ରୀ ଅପଭ୍ରଂଶର ଲକ୍ଷଣ ଉଲ୍ଲେଖ କରିବାକୁ ଯାଇ ତାଙ୍କ ପ୍ରାକୃତ ସର୍ଵସ୍ଵରେ ଲେଖିଛନ୍ତି
“ଶବର୍ଯ୍ୟାମେବୈଡ୍ରୀ ଯୋଗାତ୍ତଦ୍ଦେଶ୍ୟ ଶୌରସେନ୍ୟାଦେଃ ।”

ତାଙ୍କ ମତରେ ଉଡ୍ର ଦେଶର କଥିତ ଭାଷାରେ ଶୌରସେନୀ ଓ ଶଵର ଭାଷାର ପ୍ରଭାବ ଫଳରେ ଉଡ୍ରୀ ଅପଭ୍ରଂଶର ସୃଷ୍ଟି । ଉଡ୍ରୀ ଅପଭ୍ରଂଶର ନିମ୍ନଲିଖିତ ଉଦାହରଣ ସେ ଦେଇଛନ୍ତି

“ଦେବ ଜସୋଆ ଣନ୍ଦଣ କର ମଇ କରୁଣା ଲେସ
ଏତ୍ତିକେ ଜମଉ ଅଚ୍ଛ (ଉ) ଇ ପିଟ୍ଟଇ ସବ୍ବ କିଳେସ”
। ଇତ୍ୟୋଡ୍ରୀ ।(୧୦)
ଏହାର ସଂସ୍କୃତ ରୂପ ଏଇଭଳି
“ଦେବ ଯଶୋଦା ନନ୍ଦନ କୁରୁ ମୟି କରୁଣା ଲେଶମ୍
ଇହତ୍ୟଃ ଜନ୍ମତଃ ଅସ୍ମି ଇତି ପୀଡ଼ୟତି ସର୍ଵ କ୍ଲେଶଃ ।”
ପ୍ରୋକ୍ତ ପଦଟିର ସମୟକାଳ ସମ୍ଭବତଃ ଦଶମ ଶତାବ୍ଦୀ । ତେବେ ବୈୟାକରଣୀକ ମାର୍କଣ୍ଡେୟ ଅନ୍ୟ ଏକ ସ୍ଥାନରେ ଭାରତର ୨୭ଟି ଅପଭ୍ରଂଶର ନାମୋଲ୍ଲେଖ କରିଅଛନ୍ତି ।

“ଗୌଡୌଡ୍ର ଚୈବ ପାଶ୍ଚାତ୍ୟ ପାଣ୍ଡ୍ୟ କୌନ୍ତକ ସିଂହଳା
କାଳିଙ୍ଗ୍ୟ ପ୍ରାଚ୍ୟ କର୍ଣ୍ଣାଟକାଞ୍ଚ୍ୟ ଦ୍ରାଵିଡ଼ ଗୌର୍ଜରା ।
ଏଠାରେ ସେ କଳିଙ୍ଗ ଦେଶରେ କେବଳ ଉଡ୍ର ଅପଭ୍ରଂଶ ନୁହେଁ ବରଂ କାଳିଙ୍ଗ୍ୟ ଓ ଉତ୍କଳୀ ଅପଭ୍ରଂଶ ଚଳୁଥିବା ଉଲ୍ଲେଖ କରିଛନ୍ତି ।

ଘ)ଦଶମ ଶତାବ୍ଦୀର ଵିଖ୍ୟାତ ପ୍ରାକୃତ ଵ୍ଯାକରଣାକାର ପୁରୁଷୋତ୍ତମ  ତାଙ୍କର ପ୍ରାକୃତାନୁଶାସନ ଗ୍ରନ୍ଥରେ ଔଡ୍ରୀ ଅପଭ୍ରଂଶର ଉଲ୍ଲେଖ କରିଛନ୍ତି ଓ ଏହାକୁ ଇ ଏବଂ ଓ ପ୍ରତ୍ୟୟ ବହୁଳ ଭାଷା(ଇକାରୌକାର ପ୍ରାୟ୍ୟୋଡ୍ରୀ) ବୋଲି ମତ ଦେଇଛନ୍ତି ।

ଙ)ଦ୍ଵାଦଶ ଶତାବ୍ଦୀରେ ଅନିରୁଦ୍ଧ ଭଟ୍ଟ ତାଙ୍କର ପ୍ରାକୃତ କଳ୍ପତରୁ ଗ୍ରନ୍ଥରେ ଓଡ୍ରୀ ଅପଭ୍ରଂଶ ଛଡା଼ ଉତ୍କଳୀ ନାମକ ଆଉ ଏକ ଅପଭ୍ରଂଶର ଉଲ୍ଲେଖ କରିଛନ୍ତି ।
ଯଥା...
“ଆଭୀରକା ଦ୍ରାଵିଡି଼କୋତ୍କଳୀନ ବନୌକସୀ ମାଣ୍ଡୂରିକେତ ନାମ୍ନା ଶାକର ଓଡ୍ର ଦ୍ରାଵିଡାଦି ବାଚୋପଭ୍ରଂଶତାମ୍ ।”

ତେଵେ ଓଡ଼ିଆ ଭାଷା ଭଳି ବଙ୍ଗାଳି ଭାଷାର ଏଭଳି ଏତେ ଉଲ୍ଲେଖ ଦେଖାଯାଏ ନାହିଁ । ଆଜିର ସମ୍ବଲପୁରୀ ଭାଷାର ଏଭଳି କୌଣସି ପ୍ରାଚୀନ ଉଲ୍ଲେଖ କେଉଁ ପୁରାତନ ଵ୍ଯାକରଣକାର କରାଥିଵା ଦେଖାଯାଏ ନାହିଁ । ତେଣୁ ପ୍ରାଚୀନତା ଦୃଷ୍ଟିରୁ ସମ୍ବଲପୁରୀଟା ଝିଅ ଆଉ ଓଡ଼ିଆ ଭାଷା ତାହାର ମାଆ ପଦଵାଚ୍ଯ ହେଵା ଉଚିତ ।

■ଓଡ଼ିଆ ଭାଷାରେ ସମୃଦ୍ଧ ସାହିତ୍ୟ,ପ୍ରାଚୀନ ପାଣ୍ଡୁଲିପି ଓ ଶିଳାଲେଖ :―

୧)ବଙ୍ଗାଳି ଅପେକ୍ଷା ଓଡ଼ିଆ ଭାଷାରେ ଅଧିକ ସମୃଦ୍ଧ ପ୍ରାଚୀନ ସାହିତ୍ଯ ରହିଥିଲା । ଓଡ଼ିଆ ଭାଷାର ଶବ୍ଦସମ୍ଭାର ଓ ଶୈଳୀ ଵିଵିଧତା ମଧ୍ୟ ବଙ୍ଗାଳି ଅପେକ୍ଷା ଶ୍ରେଷ୍ଠଥିଲା । ଓଡ଼ିଶାରେ ସାରଳାଦାସ,ଜଗନ୍ନାଥ ଦାସ,ଅଚ୍ଯୁତାନନ୍ଦ,ଅର୍ଜୁନ ଦାସ, କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ କଵିରଵି ବଳଦେଵ ରଥଙ୍କ ଭଳି ଶ୍ରେଷ୍ଠ ସାହିତ୍ଯିକ ଜନ୍ମ ଲଭିସାରିଥିଲାଵେଳେ ବଙ୍ଗାଳିମାନଙ୍କ କ୍ଷେତ୍ରରେ ସେମନ୍ତ କିଛି ନଥିଲା ।

୨)ଓଡ଼ିଆ ଭାଷା ଆନ୍ଦୋଳନ ସମୟରେ ଓଡ଼ିଆ ଲୋକଙ୍କ ପାଖରେ ବଙ୍ଗାଳିମାନଙ୍କ ଅପେକ୍ଷା ଓଡ଼ିଆ ଭାଷାରେ ଅନେକ ପ୍ରାଚୀନ ପାଣ୍ଡୁଲିପି ପୋଥି ରହିଥିଲା । ଏ କ୍ଷେତ୍ରରେ ସଂସ୍କୃତ ପରେ ଓଡ଼ିଆ ଆଜି ବି ଦ୍ଵିତୀୟ ସ୍ଥାନରେ ରହିଛି ।

୫)ଓଡ଼ିଶାରେ ଶହ ଶହ ଶିଳାଲେଖ ମିଳିଥିଲା ଯେଉଁଥିରେ ଓଡ଼ିଆ ଭାଷା ଓ ଲିପି ରହିଥିଲା କେଉଁଠି ବି ବଙ୍ଗାଳି ଭାଷା କି ଲିପିର ଶିଳାଲେଖ ମିଳିନଥିଲା ।

୬)ଓଡ଼ିଆଭାଷା ଆନ୍ଦୋଳନ ସମୟରେ ଓଡ଼ିଆ ଓ ବଙ୍ଗାଳି ଉଭୟ ଭାଷାର ଭିନ୍ନ ଭିନ୍ନ ଲିପି ମଧ୍ୟ ଥିଲା ।

୭)ଓଡ଼ିଆ ଓ ବଙ୍ଗାଳି ଭାଷା ମଧ୍ୟରେ ଵାକ୍ଯଗଠନ, ଧ୍ଵନିଗତ ପାର୍ଥକ୍ୟ,କ୍ରିୟା, କ୍ରିୟାପଦ, ଅଵ୍ଯୟ,ସର୍ଵନାମ ଓ ପ୍ରତ୍ଯୟାଦି ଅନେକାଂଶରେ ଭିନ୍ନ  ଓ ପ୍ରାୟ କେତେକ ପରସ୍ପର ଅସମଦ୍ଧୃତ ଥିଲା ।

                ―ରାଜନୈତିକ―

୧)ଉଡ୍ର―କଳିଙ୍ଗ―ଉତ୍କଳ ଦେଶ ଅନ୍ତତଃ ୨୦୦୦ ଵର୍ଷ ଧରି ଗୋଟିଏ ସ୍ଵତନ୍ତ୍ର ଦେଶ ରହିଥିଵାର ଐତିହାସିକ ପ୍ରମାଣ ରହିଥିଲା ।

୨)ଓଡ଼ିଆ ରାଜା ଓ ସମ୍ରାଟ ବଙ୍ଗଦେଶକୁ ଅନେକବାର ନିଜର ଶାସନାଧୀନ କରିଥିଲାଵେଳେ ବଙ୍ଗାଳିମାନେ କେଵେବି ସଂମ୍ପୂର୍ଣ୍ଣ ଓଡ଼ିଶାରେ ଶାସନ କରିନଥିଲେ କି ତାଙ୍କର କୌଣସି ରାଜା କେଵେ କଳିଙ୍ଗ ସମ୍ରାଟ ମହେନ୍ଦ୍ର ଦେଵ(କରକଣ୍ଡୁ),ଶତ୍ରୁଭଞ୍ଜ କି  ଖାରଵେଳଙ୍କ ଭଳି ଵୀରତ୍ଵ ପ୍ରଦର୍ଶନ କରିନଥିଲେ ।

୩)ବଙ୍ଗାଳିମାନଙ୍କ ଅପେକ୍ଷା ଭାରତଵର୍ଷରେ କଳିଙ୍ଗୀମାନେ ଅଧିକ ଵୀର ବୋଲି କଳିଙ୍ଗ ଯୁଦ୍ଧଠାରୁ ଆରମ୍ଭ କରି ଫରାସୀ ଓ ଇଂରେଜମାନଙ୍କ ଵିପକ୍ଷରେ ୧୭୫୩ ଘୁମୁସର ଵିଦ୍ରୋହ ଓ ୧୮୬୦ ସମ୍ବଲପୁର ଵିପ୍ଳଵ ଯାଏଁ ଐତିହାସିକ ପ୍ରମାଣ ରହିଥିଲା । ପୁରାଣ କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାଵ ଉଲ୍ଲେଖଯୋଗ୍ୟ ।  ମହାଭାରତରେ କୌରଵ ପକ୍ଷରୁ ଯୁଦ୍ଧ କରି କେମିତି କଳିଙ୍ଗ ଦେଶର ରାଜା ଅଦ୍ଭୁତ ଯୁଦ୍ଧ କୌଶଳ ପ୍ରୟୋଗ କରିଥିଲେ ତାହା ଉଲ୍ଲେଖ ରହିଛି କିନ୍ତୁ ବଙ୍ଗାଳି ଜାତିର ରାଜାଙ୍କର ସେଥିରେ ନାଆଁ ବି ନାହିଁ ।

୪)ଓଡ଼ିଆ ଲୋକେ ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ଶ୍ରୀଵିଜୟ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ,ବଙ୍ଗାଳି ଭାରତ ମଧ୍ୟରେ ସେତେଵେଳେ ଥିଲେ କି ନାହିଁ ତାହା ଗଵେଷଣା ସାପେକ୍ଷ 🤣🤣

୫)ଓଡ଼ିଆ ପୁଅ ଲଙ୍କା  ଓ ମାଲଡିଵ ଦ୍ଵୀପପୁଞ୍ଜରେ ସାମ୍ରାଜ୍ୟ ସ୍ଥାପନ କରିଥିଲେ କିନ୍ତୁ ବଙ୍ଗାଳି ସେମିତି କିଛି କରିନଥିଲେ ।

                  ―ସାମାଜିକ―

୧)ଓଡ଼ିଆମାନଙ୍କ ଵିଵାହ ଶ୍ରାଦ୍ଧ,ଜୀଵନଶୈଳୀ ଅନେକାଂଶରେ ବଙ୍ଗାଳିମାନଙ୍କଠାରୁ ଭିନ୍ନ ସ୍ଵତନ୍ତ୍ର ନିଆରା ଓ ଶ୍ରେଷ୍ଠ ଥିଲା । ଯେଉଁ କେତେକ ପର୍ଵପର୍ଵାଣୀ ଓ ସାମାଜିକ ରୀତିନୀତି ଉଭୟ ଅଞ୍ଚଳରେ ସମାନ ଥିଲା ତାହା ମହାଭାରତୀୟ ପର୍ଵପର୍ଵାଣୀ ଥିଲା । ଉଦାହରଣ ସ୍ଵରୂପ ମହାଵିଷୁଵ ପଣାସଂକ୍ରାନ୍ତିକୁ ଉଭୟ ନୂଆଵର୍ଷ ଭାଵେ ପାଳୁଥିଲେ କିନ୍ତୁ ମୈଥିଳୀ,କେରଳୀ,କନ୍ନଡଭାଷୀ,ଅହମିୟା, ପଞ୍ଜାବୀ ମଧ୍ୟ ଏଇଦିନକୁ ପାରମ୍ପରିକ ନଵଵର୍ଷ ଭାଵେ ପାଳୁଥିଲେ । ଓଡ଼ିଆମାନେ ରଜ,ବୁଧିବାମନ ଓଷା,ଦୋଳ,ଝାମୁ ଇତ୍ୟାଦି ସ୍ଵତନ୍ତ୍ର ପର୍ଵ ପାଳୁଥିଲେ କିନ୍ତୁ ଏସବୁ ବଙ୍ଗଦେଶରେ ନଥିଲା କି ନାହିଁ ।

୨)ଓଡ଼ିଆ ଲୋକଙ୍କ ନୌଵାଣିଜ୍ଯ ପରମ୍ପରା ଏତେ ଉନ୍ନତ ଥିଲା ଯେ ତାଙ୍କର ଭାଷାରେ ନୌଵାଣିଜ୍ଯ ସମ୍ବନ୍ଧୀୟ ସ୍ଵତନ୍ତ୍ର ଶବ୍ଦ ରହିଥିଲା ଏମନ୍ତକି ଓଡ଼ିଆ ଭାଷାର ସ୍ଵତନ୍ତ୍ର ଜାହଜିଆ ଦିଗ ସମ୍ବନ୍ଧୀୟ ଶବ୍ଦ ବି ରହିଥିଲା କିନ୍ତୁ ବଙ୍ଗାଳି ଭାଷାରେ ସେମନ୍ତ କିଛି ଦୃଶ୍ୟ ହେଉନଥିଲା ! ଓଡ଼ିଆ ଲୋକେ ନୌଵାଣିଜ୍ୟ କରୁଥିଵାର ପ୍ରମାଣ କୋଣାର୍କ ମନ୍ଦିରରେ ଆଫ୍ରିକାର ଜିରାଫ,ବାଲିଦ୍ଵୀପରେ ସମ୍ବଲପୁରୀ ସମସାଦୃଶ୍ଯ ପାଟୋଲା ଵସ୍ତ୍ର ଓ ଭୂଵନେଶ୍ଵର ସଂଗ୍ରହାଳୟରେ ସଂରକ୍ଷିତ ଗ୍ରୀକ୍ ଦେଶୀୟ anchor ସହିତ ସାମ୍ଯ ଥିଵା ଆଙ୍କୁଡି଼ଯନ୍ତ୍ର ମଧ୍ୟ ଉଲ୍ଲେଖଯୋଗ୍ୟ ।  ତେଵେ ବଙ୍ଗାଳିମାନଙ୍କର ସେଭଳି କିଛି ସାଂସ୍କୃତିକ ସିଦ୍ଧି ନଥିଲା ।

୩)ଓଡ଼ିଶାରେ ଶ୍ରୀଜଗନ୍ନାଥ ପୂଜା ପାଉଥିଲାଵେଳେ ବଙ୍ଗାଳିମାନେ ମଧ୍ୟ ତାଙ୍କୁ ନିଜର ଈଶ୍ୱର ଭଳି ପୂଜା କରୁଥିଲେ ଵରଂ ସେମାନେ ତ ଓଡ଼ିଆ ଲୋକଙ୍କ ଅପେକ୍ଷା ଶ୍ରୀଜଗନ୍ନାଥଙ୍କର ବଡ଼ ଭକ୍ତ ଥିଵାର ପ୍ରମାଣ ମିଳେ । ତେଵେ ଶ୍ରୀଜଗନ୍ନାଥଙ୍କ ମୂଳଦେଶ କଳିଙ୍ଗ ଥିଵାରୁ ଵରଂ ବଙ୍ଗାଳି ଏଇ ଓଡ଼ିଆ ଜାତିର ଗୋଟିଏ ଉପଜାତି ଭଳି ପ୍ରତିଭାତ ହେଉଥିଲା ।

୪)ବଙ୍ଗାଳିମାନେ ଯେଉଁ ଖାଦ୍ୟ ଖାଉଥିଲେ ତାହାର ମୂଳ ଓଡ଼ିଶାରେ ହୋଇଥିଵାର ପ୍ରମାଣ ରହିଥିଲା । ତେଵେ ଓଡ଼ିଶାରେ ପ୍ରତ୍ଯେକ ଖାଦ୍ଯଵିଶେଷରେ ମିଳୁଥିଵା ଵିଵିଧତା ବଙ୍ଗଳା ଦେଶରେ ଦେଖାଯାଉନଥିଲା । ଉଦାହରଣ ସ୍ଵରୂପ ବଙ୍ଗରେ ଗୋଟିଏ ପ୍ରକାରର ରସଗୋଲା ମିଳୁଥିଵାଵେଳେ ଓଡ଼ିଶାରେ ହଜାର ହଜାର ପ୍ରକାରର ମିଳିଥାଏ ।

୫)ଓଡ଼ିଶାରେ ଛଉନୃତ୍ଯଠାରୁ ବାଘନାଚ ଯାଏଁ ଗୋଟିପୁଅଠାରୁ ଓଡ଼ିଶୀ ଭଳି ଶାସ୍ତ୍ରୀୟ ନୃତ୍ୟ ପର୍ଯ୍ୟନ୍ତ ଶହ ଶହ ପ୍ରକାରର ନୃତ୍ୟ ଶୈଳୀ ରହିଥିଵାଵେଳେ ବଙ୍ଗାଳିମାନଙ୍କ ପାଖରେ ଗୋଟିଏ ପ୍ରକାରର ସ୍ଵତନ୍ତ୍ର ଶାସ୍ତ୍ରୀୟ ନୃତ୍ୟ ଶୈଳୀ ବି ନଥିଲା ।

୬)ଓଡ଼ିଶାରେ ତିରିଶରୁ ଅଧିକ ଭିନ୍ନ ଭିନ୍ନ ଵସ୍ତ୍ର ତିଆରି କଳା ରହିଥିଲା । ତନ୍ମଧ୍ୟରୁ ସମ୍ବଲପୁରୀ ଵସ୍ତ୍ର ଥିଲା ଓଡ଼ିଆ ଜାତିର ମାନକ ରାଜସିକ ଵସ୍ତ୍ର । ସେଇଥିପାଇଁ ଏହା ମାଲେସିଆ ଯାଏଁ ଯାଇ ଚଳୁଅଛି ।

୬)ଓଡ଼ିଶାର କଳା ଭାସ୍କର୍ଯ୍ୟ ବଙ୍ଗାଳିଠାରୁ ଅନେକାଂଶରେ ଭିନ୍ନ ଓ ନିଆରା ଥିଲା ଏଵଂ ଏଠାରେ ବଙ୍ଗଳାଦେଶ ଅପେକ୍ଷା ସହସ୍ରାଧିକ ଗୁଣ ଅଧିକ ପ୍ରାଚୀନ ମନ୍ଦିର ରହିଥିଲା । ଓଡ଼ିଆ ଓ ବଙ୍ଗାଳି ମନ୍ଦିର ନିର୍ମାଣ ପଦ୍ଧତି ମଧ୍ୟ ଭିନ୍ନ ଭିନ୍ନ ଥିଲା ।

୭)ଓଡ଼ିଶାରେ ଭାରତର ସବୁଠାରୁ ଉତ୍କୃଷ୍ଟ ପଟ୍ଟଚିତ୍ର ତିଆରି ହେଉଥିଵାଵେଳେ ବଙ୍ଗଳାରେ ସେମନ୍ତ କୌଣସି ପରମ୍ପରା ହିଁ ନଥିଲା ।

ବଙ୍ଗାଳିମାନେ ଓଡ଼ିଆ ଲୋକଙ୍କଠାରୁ ଅନେକ କ୍ଷେତ୍ରରେ ପଛୁଆଥିଲେ କିନ୍ତୁ ନିଜକୁ ଶ୍ରେଷ୍ଠ ବୋଲି ହେଣ୍ଡି ମାରୁଥିଲେ । ବଙ୍ଗାଳିମାନଙ୍କ ଏହି ଅଯଥା ଅହଂକାର ହିଁ ଭଵିଷ୍ଯତରେ ଭାଷାଯୁଦ୍ଧର କାରଣ ହୋଇଥିଲା । ...

Saturday, April 28, 2018

●ଯେତେବେଳେ ଶ୍ରୀଅରଵିନ୍ଦ କହିଥିଲେ ଓଡ଼ିଆ ଅଞ୍ଚଳ ପୁନଃମିଶ୍ରଣକୁ କ୍ଷେତ୍ରଵାଦୀ ଆନ୍ଦୋଳନ●

1905ରେ ବଙ୍ଗଭଙ୍ଗ ପରେ ଅଵିଭକ୍ତ ଵଙ୍ଗରେ ଜନ ଅସନ୍ତୋଷ ହଟାତ୍ ଆନ୍ଦୋଳନ ର ରୂପ ନେଲା କାରଣ ସେତେବେଳେ କଲିକତା ଥିଲା ପରାଧୀନ ଭାରତର ରାଜଧାନୀ । ଗୋଟିଏ କ୍ଷେତ୍ର ଵିଶେଷର ଆନ୍ଦୋଳନ ତେଣୁ ଦେଶଟା ଯାକରେ ଵ୍ୟାପିଗଲା ଓ ଚର୍ଚ୍ଚିତ ମଧ୍ଯ ହେଲା ।

ସେ ସମୟରେ ସାଧରଣ ଲୋକଙ୍କ ଠାରୁ ଆରମ୍ଭ କରି ଶ୍ରୀ ଅରବିନ୍ଦଙ୍କ ପରି ମହାତ୍ମା ମଧ୍ଯ ବଙ୍ଗଭଙ୍ଗ ଆନ୍ଦୋଳନ ଵହ୍ନିରେ ସ୍ବେଚ୍ଛାକୃତ ଝାସ ଦେଇଥିଲେ । 

ଦୁଇ ଵର୍ଷ ପରେ......

1907 ଡିସେମ୍ବର13 ତାରିଖରେ
ଶ୍ରୀଅରଵିନ୍ଦ ଆପଣା ପତ୍ରିକା ବନ୍ଦେମାତରଂ ରେ ଏକ ସମ୍ପାଦକୀୟ ଲେଖିଲେ....

ଏଥିରେ ସେ ଓଡ଼ିଶା ତଥା ମଧୁସୂଦନ ଦାସଙ୍କ ସଂକ୍ରାନ୍ତରେ କହିଥିଲେ.....

"ଓଡ଼ିଶା ପ୍ରେସିଡେନ୍ସି ରେ ବର୍ତ୍ତମାନ ସମୟରେ ନଵଜାଗରଣ-ନଵଚେତନା ଯୁଗର ସୂର୍ଯ୍ୟୋଦୟ ହୋଇଛି । ଓଡ଼ିଆ ଲୋକେ ଆପଣା ତଥା ଓଡ଼ିଶାର ଅସ୍ତିତ୍ଵ ରକ୍ଷା ହେତୁ ମଧୁସୂଦନ ଦାସଙ୍କ ପରି ଦକ୍ଷ,ଶକ୍ତିଶାଳୀ ନେତାଙ୍କ ନେତୃତ୍ୱରେ ଅଣ୍ଟା ଭିଡ଼ି ଲାଗିପଡି଼ଛନ୍ତି । ଆମେ ଜାଣିନୁ ତାଙ୍କର ଭଵିଷ୍ୟତ ଉଦ୍ଦେଶ୍ୟ କ’ଣ କିନ୍ତୁ ଆମ୍ଭମାନଙ୍କୁ ଆଶଙ୍କା ହୁଏ ଯେ ଏହି ଓଡ଼ିଆ ଭାଷା ଆନ୍ଦୋଳନ କାଳେ  କ୍ଷେତ୍ରଵାଦର ଵୀଜ ଵପନର କାରଣ ନହୋଇଯାଉ । ଆମେ ଭାରତକୁ ଏକ
ଦେଖିଵାକୁ ଚାହୁଁଛୁ ।”

ଏହାର ଉତ୍ତରରେ ଉତ୍କଳ ଗୌରବ ମଧୁସୂଦନ ଦାସ ଏକ ଇଂରାଜୀ ପ୍ରବନ୍ଧ ଲେଖିଲେ
ଯେଉଁଥିରେ ସେ ପ୍ରଥମେ ତ ଶ୍ରୀଅରଵିନ୍ଦ ଏବଂ ତାଙ୍କର ଉତ୍ତମ କାର୍ଯ୍ୟ ଗୁଡି଼କ ପାଇଁ ତାଙ୍କର ପ୍ରଶଂସା କରିବା ସହ ପରେ ତାଙ୍କ ଆଶଙ୍କା ଦୂର କରିବାକୁ ଯାଇ କହିଥିଲେ.....

“ଯଦି ଦୁଇଭାଗରେ ଵିଭକ୍ତ ବଙ୍ଗର ପୁନଃ ମିଶ୍ରଣ ପାଇଁ ହେଉଥିବା ଏକ କ୍ଷେତ୍ରଵିଶେଷର ଆନ୍ଦୋଳନକୁ ଜାତୀୟ ସର୍ବଭାରତୀୟ ଆନ୍ଦୋଳନର ମାନ୍ୟତା ମିଳିଅଛି ତେବେ  ଚାରୋଟି ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭକ୍ତ ପ୍ରଶିଦ୍ଧ ପ୍ରାଚୀନ କଳିଙ୍ଗୋତ୍କଳ(କଳିଙ୍ଗ+ଉତ୍କଳ) ର ପୁନଃ ଏକତ୍ରୀକରଣ କୁ କେମିତି କ୍ଷେତ୍ରଵାଦ କୁହାଯାଇପାରିବ ?
ବଙ୍ଗଭଙ୍ଗ ବିରୋଧରେ ତୁମ୍ଭର ଆନ୍ଦୋଳନ ର ଯେଉଁ ଉଦ୍ଦେଶ୍ୟ ପ୍ରାୟ ସେହି ଉଦ୍ଦେଶ୍ୟରେ ଆମ୍ଭମାନେ ମଧ୍ଯ ଲଢୁଅଛୁ । ସେଇଥିପାଇଁ ବଙ୍ଗଭଙ୍ଗ ଆନ୍ଦୋଳନରେ ଯୋଗଦେଇଥିବା ଲୋକେ ଆମ୍ଭକୁ ମଧ୍ଯ ସମର୍ଥନ କରିବା ଉଚିତ୍ ଫଳରେ ଆମ୍ଭେ ଉଭୟ ଏଥିରେ ସଫଳ ହୋଇପାରିବା”

ତେବେ ମଧୁସୂଦନ ଦାସଙ୍କ ଦ୍ଵାରା କହିଦେଲେ କ’ଣ ତାଙ୍କର ଚିନ୍ତାଧାରାରେ ପରିଵର୍ତ୍ତନ ଆସିଯାଇଥିବ ?
ପ୍ରକୃତରେ ସେତେବେଳେ ତଥାକଥିତ ରାଷ୍ଟ୍ରୀୟ ନେତାମାନେ ଓଡ଼ିଆ ଅଞ୍ଚଳ ଏକତ୍ରୀକରଣ ଆନ୍ଦୋଳନ କୁ କଦାପି ଏକ ରାଷ୍ଟ୍ରୀୟ ଆନ୍ଦୋଳନ ଭାବିନଥିଲେ । ଏମନ୍ତ କି ସେବେ ତଥାକଥିତ ଜାତିର ପିତା ମହାତ୍ମା ଗାନ୍ଧୀ ମଧ୍ଯ ସ୍ଵାଭିମାନୀ ଓଡ଼ିଆ ନେତୃବୃନ୍ଦଙ୍କୁ ଏସବୁ ଆଞ୍ଚଳିକ ଆନ୍ଦୋଳନ ବନ୍ଦ କରିଦିଅ ବୋଲି ଉପଦେଶ ଦେଇଥିଲେ ।
ଆଜିବି ଏହି ସବୁକଥା ହେଉଛି ।
ଅଧୁନା ମଧ୍ଯ ଯେତେବେଳେ ଜଣେ ଓଡ଼ିଆ ଆପଣା ଅଞ୍ଚଳର ସମର୍ଥନରେ କିଛି କହୁଛି ତାକୁ ଏ ସଂଘରାଷ୍ଟ୍ରରେ ଜଣେ କ୍ଷେତ୍ରଵାଦୀର ଆଖ୍ୟା ମିଳିଯଉଛି ।
ତେବେ ସତ କହିବାକୁ ଗଲେ
ନା ତ ସେତେବେଳେ ଓଡ଼ିଆ ଅଞ୍ଚଳ ପୁନଃମିଶ୍ରଣ ଆନ୍ଦୋଳନ କ୍ଷେତ୍ରଵାଦ ଥିଲା ନା ଏବେ ସ୍ଵାଭିମାନୀ ଓଡ଼ିଆ ମାନେ କ୍ଷେତ୍ରଵାଦକୁ ପ୍ରଶୟ ଦିଅନ୍ତି ଯଦି ଦେଉଥାନ୍ତେ ତେବେ 70 ଵର୍ଷ କାଳ ଏକ ସଂଘରାଷ୍ଟ୍ର ରେ ଆପଣା ଦୂରାଵସ୍ଥା ଦେଖି ନୂତନ ରାଷ୍ଟ୍ର ଗଠନ ହେତୁ
ସଂଘର୍ଷ କରିବା ଆରମ୍ଭ କରିଦିଅନ୍ତେ ।
ସ୍ଵ-ମାତୃଭୂମିକୁ ନେଇ ସମସ୍ତଙ୍କର ସ୍ଵାଭିମାନ ରହିବା ଉଚିତ୍ । କାହା ଦ୍ଵାରା ଯଦି ଆମ ମାଟି,ସଂସ୍କୃତି, ଭାଷା ,ଖାଦ୍ୟ ଓ ଚଳଣି ଉପରେ ମୂର୍ଖତାପୂର୍ଣ୍ଣ ଟିପ୍ପଣୀ ଆସେ ତାକୁ ତାହାର ଭାଷାରେ ଉତ୍ତର ଦେବା ହିଁ ପ୍ରତ୍ୟେକ ଓଡ଼ିଆ ସ୍ଵାଭିମାନୀର କର୍ତ୍ତଵ୍ୟ ହେଉ ବିଧେୟ ।

-ବନ୍ଦେ ଉତ୍କଳ ଜନନୀ-

Friday, April 13, 2018

ମହାନଦୀ ଓ ଶାତକୋଶିଆ ଗଣ୍ଡ

ସୁକାନ୍ତି ମହର୍ଷିଙ୍କର ସଂସାର କଲ୍ୟାଣାର୍ଥେ କରାଯାଇଥିବା ତପସ୍ୟା ହେତୁରୁ ଚିତ୍ରୋତ୍ପଳା ମହାନଦୀ ର ଜନ୍ମ ହୋଇଥିଲା ।
ଏ ନଦୀ ଆପଣା ସୃଷ୍ଟି ସ୍ଥାନରୁ ବାହାରି
ସାରା ସଂସାର ବୁଲି ଦେଖିବା ଲାଳସାରେ ପଶ୍ଚିମ ରୁ ପୂର୍ବକୁ ବହିବାକୁ ଲାଗିଲା ।
ଏ ନଦୀ ଉତ୍ସାହ ସହକାରେ ବହି ଯାଉଥିବା ବେଳେ ଗୋଟିଏ ଇର୍ଷାପରାଯଣ ଦୁଷ୍ଟ ପର୍ବତ ତା’ର ବାଟ ଓଗାଳିଲା । ସେ ପର୍ଵତ ସପ୍ତକ୍ରୋଶ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା ଏବଂ ଚିତ୍ରୋତ୍ପଳା ବହୁ ଯତ୍ନ କରି ସୁଦ୍ଧା ତାକୁ ଭେଦି ଆଗକୁ ବଢିପାରିବାରେ ଅକ୍ଷମ ହେଲା ।
ଶେଷକୁ ଚିତ୍ରୋତ୍ପଳା ଅନ୍ୟନ୍ୟୋପାୟ ହୋଇ
ଆପଣା ପିତାଙ୍କୁ ସ୍ମରଣ କରିବାକୁ ଲାଗିଲା ।
ସୁକାନ୍ତି ଋଷି ସେଇଠୁ ଇନ୍ଦ୍ରଙ୍କୁ ପ୍ରସନ୍ନ କରିବା ପାଇଁ ଘୋର ତପସ୍ୟା କରିବାକୁ ଲାଗିଲେ ।

ବହୁଦିନ ଯାଏଁ ତପ କରିବା ଉତ୍ତାରୁ
ଦେବରାଜ ଇନ୍ଦ୍ର ଋଷି ସୁକାନ୍ତି ଙ୍କ
ନିକଟରେ ଉପସ୍ଥିତ ହୋଇ ତାଙ୍କ ମନୋବାଞ୍ଝା ଜିଜ୍ଞାସା କରନ୍ତେ ଋଷି ପୂର୍ବ ସମସ୍ୟା ମାନ କହି ଶୁଣାଇଲେ ।

ଇନ୍ଦ୍ର ତହୁଁ ଆପଣା ବଜ୍ରର ଶକ୍ତି ବଳରେ
ପାହାଡ଼ କୁ ଚୁନାକରି ଚିତ୍ରୋତ୍ପଳା ଲାଗି ଗୋଟିଏ ବାଟ କରିଦେଲେ । ଏବେ ସେହି ବାଟକୁ ଲୋକେ ସାତକୋଶିଆ ଗଣ୍ଡ ନାଆଁ ରେ ଜାଣୁଛନ୍ତି ।

ମାର୍ଜାର କେଶରୀ

ତ୍ରେତୟା ଯୁଗରେ ଉଡଙ୍ଗ ମୁନିଙ୍କର ମାଳତି ନାମକ କନ୍ୟାକୁ ଲଙ୍କାର ରାବଣ ଧର୍ଷଣ କରି ଗୋଦାବରୀ ନଦୀରେ ଫିଙ୍ଗି ଦେଇଗଲା  ଗୋଦାବରୀ ନଦୀ ତାହାକୁ ଦୟା ଦେଖାଇ କୂଳରେ ପହଞ୍ଚାଇ ଦେଲା । ଗଣପତିଙ୍କର ବାହନ ଇନ୍ଦୁର ମାଳତି କୁ ପିତାମାତାଙ୍କ ପାଖରେ ଛାଡ଼ି ଦେବ କହି ବାଟରେ ବଳାତ୍କାର ଶୃଙ୍ଗାର କଲା । ମାଳତି ତଥା ରାବଣ ଇନ୍ଦୁର ଔରସରୁ ମୂଷିକ ଦୈତ୍ୟ ଜନ୍ମ ନେଇଥିଲା ।
ଜନ୍ମ ହେଲା କ୍ଷଣି ସେ ପ୍ରଥମେ ତା' ମାଆକୁ ଭକ୍ଷଣ କଲା ।
ତା'ର କୋପରେ ସମ୍ପୂର୍ଣ୍ଣ ପ୍ରୃଥିବୀ ପ୍ରକମ୍ପିତ ହେଲାରୁ ଅଯୋଧ୍ୟା ର ରାମଚନ୍ଦ୍ର ଙ୍କୁ ସବୁ ଦେବାଦେବୀ ଅନୁରୋଧ କରନ୍ତେ ସେ ମୂଷିକ ଦୈତ୍ୟ କୁ ନରସିଂହ ରୂପରେ ଗୋଡାଇଲେ ।
ଦୈତ୍ୟ ଭୟ ପାଇ ସର୍ବତ୍ର ବୁଲି ବୁଲି ଗନ୍ଧଗିରି ର ଏକ ସୁଡଙ୍ଗରେ ଆଶ୍ରୟ ନେଲା । ନୃସିଂହ ଯେତେବେଳେ ଏଠାରେ ପ୍ରବେଶ କଲେ, ଗନ୍ଧଗିରି ତାକୁ ଶରଣ ଦେଇଥିବାରୁ ତାଙ୍କ ପାଦ ତଳେ ଗୁହାରି କଲା  । ତେଣୁ ରାମଚନ୍ଦ୍ର ମାର୍ଜାର କେଶରୀ ବେଶରେ ସୁଡଙ୍ଗ ପାଖରେ ମୂଷିକ ଦୈତ୍ୟ କୁ ଜଗିରହିଲେ । ସେଠାରେ ତାଙ୍କର ପୀଠ ସୃଷ୍ଟି ହେଲା ।

ହରି ଓ ସହଦେବ ଶବର ଦୁଇ ଭାଇ ଶ୍ରୀ ନୃସିଂହନାଥ ଅଞ୍ଚଳରେ ବାସକରୁଥିଲେ ।
ସେମାନଙ୍କର ସ୍ତ୍ରୀ ଯଥାକ୍ରମେ ଯମୁନା ଓ ରୋଦନା । ଗନ୍ଧଗିରି ପର୍ବତ ରୁ କନ୍ଦମୂଳ  ଆଦି ଖୋଳି ଜୀବନଧାରଣ କରୁଥିଲେ ।
ଦିନେ ଯମୁନା କନ୍ଧୁଣୀ ପାପହରଣ ନାଳ କୂଳରେ ଗୋଟିଏ ବେଲଗଛକୁ ମାଡିଥିବା ପିଠକନ୍ଦା ଦେଖିବାକୁ ପାଇଲା ।
ଖଣତି ସାହାଯ୍ୟରେ ପିଠକନ୍ଦାକୁ ଖୋଳିବା ସମୟରେ ରକ୍ତ ବାହାରିବା​ ଦେଖି ଆଦିବାସୀ ରମଣୀଟି ଭୟ ପାଇ ତାହାର ସ୍ବାମୀ କୁ ଜଣାଇଲା । କନ୍ଧ ଦମ୍ପତି ଯଥା ସମୟରେ ପହଞ୍ଚି ଦେଖିଲେ ଯେ ରକ୍ତ ପରିବର୍ତ୍ତେ କ୍ଷୀର ବାହାରୁଛି ।
ସେତିକି ବେଳେ ଶୂନ୍ୟ ବାଣୀ ହେଲା
"ରେ ହରିଆ ମୁଁ ତୋ ପ୍ରତି ପ୍ରସନ୍ନ ହୋଇଛି ।
ତୁ ମୋତେ ନେଇ ଏକ ମନ୍ଦିର ପ୍ରତିଷ୍ଠା କରି ରକ୍ଷା କର । ମୁଁ ମୂଷିକ ଦୈତ୍ୟ କୁ ମାରିବା ସକାଶେ ଏଠାରେ ଅପେକ୍ଷା କରି ରହିଲି" ।
ଏହାପରେ କଳାମୁଗୁନୀ ପଥର ମୂର୍ତ୍ତିଟିଏ
ଗର୍ତ୍ତରୁ ମିଳିଲା ।
ମୂର୍ତ୍ତି କୁ ନେଇ ତତ୍କାଳୀନ ପାଟଣାଗଡ଼ ରାଜା
ବୈଜଳଦେବଙ୍କୁ ଜଣାଇଲାରୁ ସେ ସେଠାରେ ଏକ ମନ୍ଦିର ନିର୍ମାଣ କରାଇଦେଲେ ।
କନ୍ଧ ବଂଶଧର ମାନେ ଏହି ଦେବତାଙ୍କ ପୂଜା
ଆରମ୍ଭ କଲେ ।

Friday, March 23, 2018

କାଞ୍ଜି


କାଞ୍ଜି ସମସ୍ତ ଏସିଆରେ ଲୋକପ୍ରିୟ ହୋଇଥିବା ଏକ ଖାଦ୍ୟ ଦ୍ରବ୍ୟ । ଏହା ପଖାଳ ଵା ଅନ୍ନର  ଵାସି ତୋରାଣି ରୁ ତିଆରି କରାଯାଇଥାଏ । ବହୁତ ସମ୍ଭବ ଏ ଶବ୍ଦଟି ଦକ୍ଷିଣ ଭାରତୀୟ କିମ୍ବା ପୂର୍ଵଭାରତୀୟ ଦ୍ରାଵିଡ ଭାଷା ପରିଵାରର ଶବ୍ଦ । ଦ୍ରାଵିଡ ଭାଷାପରିବାରର ସବୁଠାରୁ ଶକ୍ତିଶାଳୀ ଭାଷା ତାମିଳରେ କାଞ୍ଜି ର ଅର୍ଥ ଉଭୟ ପଖାଳ ଏବଂ କାଞ୍ଜି ଅଟେ ।
ଵିଶ୍ଵର ଵିଭିନ୍ନ ଭାଷାରେ କାଞ୍ଜି/ପଖାଳର ନାମ →hsan pyok(ବର୍ମୀ ଭାଷା)
→kanji(ତାମିଳ/ତୁଲୁ)
→kaṇhji(ମଲାୟଲମ)
→ganji(କନ୍ନଡ/ତେଲୁଗୁ)
→baw baw(ଖମେର)
→juk(ହକ୍କା,କାଣ୍ଟୋନୀଜ,କୋରିଆନ୍)
→muay(ହୁକ୍କୀନ,ତେଉଚେଉ)
→zhōu(ମାଣ୍ଡାରିନ୍)
→cháo(ଭୀଏତନାମୀ)
→deythuk(ତିବ୍ବତ)
→chokorkhao tom(ଥାଇ)
→kayu(ଜାପାନୀ)
→lúgaw(ତଗାଲଗ)
→Bubur,kanji(ମାଳୟ,ଭାଷା ଇଣ୍ଡୋନେସିଆ)
→jaulo(ନେପାଳୀ)
→jaou(ବଙ୍ଗାଳୀ)
→କାଞ୍ଜିକା(ସଂସ୍କୃତ)
→canja(Portuguese)

ଚୀନଦେଶର ଐତିହାସିକ ଙ୍କ ମତରେ 
ଜାଉ ଶବ୍ଦ ଟା ତାଙ୍କର....
ସେମାନଙ୍କ ଅନୁସାରେ
ଏହାର ମୂଳ ଶବ୍ଦ ହେଉଛି zhōu ଯାହାର ଗୋଟିଏ ଅର୍ଥ  ଆମ ଭାଷା ପରି ଚୀନରେ ଖୀରିସା-ଖୀରି ଵା gruel) ଅଟେ ।
ଚୀନ ଦେଶୀୟ ଏକ ପୁସ୍ତକ
“The Book of Zhou” ଅନୁସାରେ
"ସମ୍ରାଟ ହ୍ଵାଙ୍ଗୁଦୀ (Huangdi) ପ୍ରଥମେ ଯଵରୁ କାଞ୍ଜି ବା ଖିରି ତିଆରି କରିଥିଲେ ।

ଏ ତଥ୍ୟକୁ ଧରି ସେଠାର ଲୋକେ
କହନ୍ତି ଜାଉ ଶବ୍ଦ ଟା ଆମର ।
ଏଠାରେ ଜାଣିରଖିବାକୁ ହେବ ଯେ କାଞ୍ଜି ଓ ଖିରି ଦୁଇଟି ଭିନ୍ନ ଖାଦ୍ୟ ଦ୍ରଵ୍ୟ ଏବଂ ଏ ଉଭୟକୁ ତିଆରି କରିବାର ବିଧି ମଧ୍ୟ ଭିନ୍ନ ।
ଏଇଥି ଯୋଗୁଁ
କାଞ୍ଜି ଏବଂ ଜାଉ ଦୁଇଟି ଭିନ୍ନ ଭିନ୍ନ ଅର୍ଥ ସହିତ ଆମ ଭାଷାରେ ଵ୍ୟଵହାର ହୋଇଥାଏ ।
ଭାରତୀୟ ନିରୁକ୍ତୀ ଶାସ୍ତ୍ର ଅନୁସାରେ
ଜାଉ ଶବ୍ଦ ଟି ହୁଏତ ଭାରତୀୟ ଶବ୍ଦ ହୋଇଥିବ
କାରଣ ଏହାର ମାନକ ସଂସ୍କୃତ ପ୍ରତିଶବ୍ଦ
ହେଉଛି ଯବାଗୂ ଯାହାର ନିରୁକ୍ତୀ ହେଲା

ଯୁ ଧାତୁ+ କର୍ମ.ଆଗୂ

ଏହି
ଯୁ ଧାତୁର ଅନେକ ଅର୍ଥ ଅଛି
୧.ମିଶ୍ରଣ କରିବା
୨.ଯୋଡି଼ବା
୩.ବାନ୍ଧିବା
୪.ପୃଥକ କରିବା

ଏ ଯୁ ଧାତଟି
ଯୁଜ୍ ଧାତୁର ମୂଳ ।
ଯୁଜ୍ ଧାତୁ ରୁ ଯୁକ୍ତ,ଯୁକ୍ତି,ଶବ୍ଦ ନିଷ୍ପନ୍ନ ହୋଇଥିଲା ବେଳେ ଯୁ ଧାତୁରୁ ଯୁଗ ପରି ଅନେକ  ଶବ୍ଦର ନିରୁକ୍ତୀ ନିର୍ଣ୍ଣୟ ହୋଇଅଛି । ଏ ଧାତୁ ଶବ୍ଦର ଵ୍ୟଵହାର ମଧ୍ୟ ବିସ୍ତୃତ । ତେଣୁ ବହୁତ ସମ୍ଭବ ଭାରତୀୟ ମାନଙ୍କର ମୂଳ ଶବ୍ଦ ଜାଉ ଇତ୍ୟାଦି ଚୀନ ଯାଇ ସେଠାରେ ଯ୍ହାଉ ହୋଇଛି ଯେହେତୁ ଟି ଚୀନ ଦେଶ 2000 ଵର୍ଷ ତଳେ ଭାରତ ଠାରୁ ଶର୍କରା ତିଆରି ଜ୍ଞାନ କୌଶଳ ପାଇଥିଲା ଆଉ ବିନା ଶର୍କରା ରେ ଜାଉ ତିଆରି କଷ୍ଟକର ବ୍ୟାପାର । ତା ଛଡ଼ା ଧାନ ତଥା ଯବଧାନର ଜନ୍ମସ୍ଥଳୀ ହେଉଛି ଭାରତ । ଭାରତରେ ସେଇଥିପାଇଁ ଧାନ ର ଚାଉଳରୁ ତିଆରି ନାନାଵିଧ ଦ୍ରଵ୍ୟ ଵ୍ୟଵହାର କରାଯାଇଥାଏ । ତେଣୁ ବୋଧହୁଏ ଓଡ଼ିଆ ମାନଙ୍କ ଯୋଗୁଁ ଜାଉ ଶବ୍ଦ ଟି ଏସିଆ ମହାଦେଶରେ ଲୋକପ୍ରିୟ ହୋଇଥିଲା ଏବଂ ସେତିକି ପ୍ରଶିଦ୍ଧ ହୋଇଥିଲା କାଞ୍ଜି ଶବ୍ଦ ।

ଓଡ଼ିଶାର ଦକ୍ଷିଣାଞ୍ଚଳରେ ଲୋକେ ସର୍ବାଧିକ କାଞ୍ଜି ତିଆରି କରି ଖାଇଥାନ୍ତି । ତହିଁ ରେ ପୁଣି ବ୍ରାହ୍ମଣ ସମାଜରେ କାଞ୍ଜି ର ଆଦାର ବହୁତ ଅଧିକ । କାହିଁକି ଅଧିକ ?
ଏ ଵିଷୟରେ ଏକ କୌତୁକିଆ ଗୀତଟିଏ ଅଛି ଯାହାକୁ ଏକଦା ଅକ୍ଷୟ ମହାନ୍ତି ତାଙ୍କ ଦୈବୀଦତ୍ତ କଣ୍ଠରେ ଗାଇଥିଲେ ।

ଗୀତଟି ଏଇଭଳି:-
■■■■■■■■■■■■■■■■■■■■■
କାର୍ତ୍ତିକ ମାସରେ ଆସିଲା କାଞ୍ଜି
କାଞ୍ଜି କି କଲେ ନାୟକ ପୁଞ୍ଜି
ପାଞ୍ଜି ରେ ଦେଲେ ଅକ୍ଷତ ଦୂବ
କାଞ୍ଜି କି କହିଲେ ଦେଶକୁ ଯିବ କି ଦେଶକୁ ଯିବ-2

ତହୁଁ କାଞ୍ଜି ଗଲା ଖରେ
ଯାଇ ପସିଲା କମାର ଘରେ
ଏଣେ କମାରୁଣୀ ତେଣେ କମାର-2
କାଞ୍ଜି କି କହିଲେ ହାତୁଡି଼ ଧର କି ହାତୁଡି଼ ଧର-2

ତହୁଁ କାଞ୍ଜି ଗଲା ଖରେ
ଯାଇ ପସିଲା ଭଣ୍ଡାରୀ ଘରେ
ଏଣେ ଭଣ୍ଡାରୁଣୀ ତେଣେ ଭଣ୍ଡାରୀ-2
କାଞ୍ଜି କି ଦେଲେ ଖିଅର କରି କି ଖିଅର କରି-2

ତହୁଁ କାଞ୍ଜି ଗଲା ଖରେ
ଯାଇ ପସିଲା ଗଉଡ଼ ଘରେ
ଏଣେ ଗଉଡୁଣୀ ତେଣେ ଗଉଡ଼-2
କାଞ୍ଜି କି ଦେଲେ ବାହୁଙ୍ଗି ମାଡ଼ କି ବାହୁଙ୍ଗି ମାଡ଼-2

ତହୁଁ କାଞ୍ଜି ଗଲା ଖରେ
ଯାଇ ପସିଲା କରଣ ଘରେ
କରଣ ଘରେ ଦେଖି ପଲମ
ଆମ୍ଵିଳି ପାଣିରେ ରହିଲା ମନ କି ରହିଲା ମନ-2

ତହୁଁ କାଞ୍ଜି ଗଲା ଖରେ
ଯାଇ ପସିଲା ବାହ୍ମଣ ଘରେ
ଏଣେ ବାହ୍ମୁଣୀ କି ତେଣେ ବାହ୍ମୁଣ-2
କାଞ୍ଜି କି କଲେ ବଡ଼ ତିଅଣ କି ବଡ଼ ତିଅଣ-2

■■■■■■■■■■■■■■■■■■■■■