ପୂର୍ଵ ଅଧ୍ୟାୟରେ ଆମେ ଦେଖିଲେ ଯେ ଯଦିଓ Homo Sapiensମାନେ ପ୍ରାୟ ୧୫୦,୦୦୦ ଵର୍ଷ ପୂର୍ଵରୁ ହିଁ ପୂର୍ଵ ଆଫ୍ରିକାରେ ଵସଵାସ କରୁଥିଲେ, ତଥାପି ସେମାନେ ପ୍ରାୟ ୭୦,୦୦୦ ଵର୍ଷ ପୂର୍ଵେ ହିଁ ସମଗ୍ର ପୃଥିଵୀରେ ନିଜର ପ୍ରଭାଵ ଵିସ୍ତାର କରିଵାକୁ ଲାଗିଲେ ଏଵଂ ମାନଵର ଅନ୍ୟାନ୍ୟ Homo ଜାତିଗୁଡ଼ିକୁ ଵିଲୁପ୍ତି ଆଡ଼କୁ ଠେଲି ଦେଲେ। ଏହି ମଧ୍ୟଵର୍ତ୍ତୀ ସହସ୍ରାବ୍ଦୀଗୁଡ଼ିକରେ, ଯଦ୍ୟପି ଏହି ପ୍ରାଚୀନ ସାପିଏନ୍ସମାନେ ଦେଖିଵାକୁ ପୂରା ଆମ ଭଳି ଥିଲେ ଏଵଂ ସେମାନଙ୍କ ମସ୍ତିଷ୍କ ମଧ୍ୟ ଆମ ମସ୍ତିଷ୍କ ଭଳି ବଡ଼ ଥିଲା, ତଥାପି ଅନ୍ୟ ମାନଵ ଵା Homo ଜାତିଗୁଡ଼ିକ ତୁଳନାରେ ସେମାନଙ୍କର କୌଣସି ଵିଶେଷ ସୁଵିଧା ଵା ଅଧିକାର ନଥିଲା, ସେମାନେ କୌଣସି ଅତ୍ୟାଧୁନିକ ହାତହତିଆର ତିଆରି କରିପାରି ନଥିଲେ କିମ୍ଵା ଅନ୍ୟ କୌଣସି ଵିଶେଷ ସଫଳତା ଲାଭ କରିପାରି ନଥିଲେ।
ପ୍ରକୃତରେ କହିଵାକୁ ଗଲେ, ସାପିଏନ୍ସ ଓ ନିଆଣ୍ଡରଥାଲ୍ମାନଙ୍କ ମଧ୍ୟରେ ହୋଇଥିଵା ପ୍ରଥମ ସଂଘର୍ଷରେ ନିଆଣ୍ଡରଥାଲ୍ମାନେ ହିଁ ଜିତିଥିଲେ। ପ୍ରାୟ ୧୦୦,୦୦୦ ଵର୍ଷ ପୂର୍ଵେ, କିଛି ସାପିଏନ୍ସ ଗୋଷ୍ଠୀ ଉତ୍ତର ଆଡ଼କୁ Levant ଅଞ୍ଚଳକୁ ପ୍ରଵ୍ରଜନ ଵା ସ୍ଥାନାନ୍ତରଣ କରିଥିଲେ । ସେତେବେଳେ ସେ ଅଞ୍ଚଳ ନିଆଣ୍ଡରଥାଲ୍ମାନଙ୍କର ସାମ୍ରାଜ୍ୟ ଥିଲା । ସାପିଏନ୍ସମାନେ Levant ଅଞ୍ଚଳରେ ନିଜର ସ୍ଥାନ ସୁଦୃଢ଼ କରିଵାରେ ଵିଫଳ ହେଲେ। ଏହା ସେଠାକାର ଉଗ୍ର ସ୍ଥାନୀୟ ବାସିନ୍ଦା, ପ୍ରତିକୂଳ ଜଳଵାୟୁ କିମ୍ଵା ଅପରିଚିତ ସ୍ଥାନୀୟ ପରଜୀଵୀମାନଙ୍କ ଯୋଗୁଁ ହୋଇଥାଇପାରେ। କାରଣ ଯାହା ବି ହେଉ, ଶେଷରେ ସାପିଏନ୍ସମାନେ ସେଠାରୁ ପଛକୁ ହଟିଗଲେ ଏଵଂ ମଧ୍ୟପ୍ରାଚ୍ୟ ଉପରେ ନିଆଣ୍ଡରଥାଲ୍ମାନଙ୍କର ଆଧିପତ୍ୟ ବଜାୟ ରହିଲା।
ସଫଳତାର ଏହି ଦୁର୍ଵଳ ରେକର୍ଡ ଗଵେଷକମାନଙ୍କୁ ଏହା ଅନୁମାନ କରିଵାକୁ ବାଧ୍ୟ କରିଛି ଯେ, ସେହି ସମୟର ସାପିଏନ୍ସମାନଙ୍କ ମସ୍ତିଷ୍କର ଆଭ୍ୟନ୍ତରୀଣ ଗଠନ ବୋଧହୁଏ ଆମଠାରୁ ଭିନ୍ନ ଥିଲା। ସେମାନେ ଦେଖିଵାକୁ ଆମ ଭଳି ଥିଲେ ସତ, କିନ୍ତୁ ସେମାନଙ୍କର ଜ୍ଞାନଗତ ଦକ୍ଷତା ଯଥା : ଶିଖିଵା, ମନେରଖିଵା ଓ ଭାଵ ଵିନିମୟ କରିଵା ଇତ୍ୟାଦି ବହୁତ ସୀମିତ ଥିଲା। ସେହିଭଳି ଜଣେ ପ୍ରାଚୀନ ସାପିଏନ୍ସକୁ ଇଂରାଜୀ ଶିଖାଇଵା, ଖ୍ରୀଷ୍ଟିଆନ ଧର୍ମର ନୀତି ଵିଷୟରେ ବୁଝାଇଵା କିମ୍ଵା ଵିଵର୍ତ୍ତନଵାଦର ସିଦ୍ଧାନ୍ତ ବୁଝାଇଵା ସମ୍ପୂର୍ଣ୍ଣ ନିରର୍ଥକ ପ୍ରୟାସ ହୋଇଥାନ୍ତା। ଅନୁରୂପ ଭାବରେ, ଆମ ପାଇଁ ମଧ୍ୟ ତାଙ୍କ ଭାଷା ଶିଖିଵା ଏଵଂ ତାଙ୍କର ଚିନ୍ତାଧାରାକୁ ବୁଝିଵା ଅତ୍ୟନ୍ତ କଷ୍ଟକର ହୋଇଥାନ୍ତା।
କିନ୍ତୁ ତା’ପରେ, ପ୍ରାୟ ୭୦,୦୦୦ ଵର୍ଷ ପୂର୍ଵରୁ ଆରମ୍ଭ କରି Homo sapiens କିଛି ଅତି ଵିଶେଷ କାର୍ଯ୍ୟ କରିଵା ଆରମ୍ଭ କଲେ। ସେହି ସମୟ ମଧ୍ୟରେ ସାପିଏନ୍ସ ଦଳ ଦ୍ୱିତୀୟ ଥର ପାଇଁ ଆଫ୍ରିକା ଛାଡ଼ି ବାହାରକୁ ଆସିଲେ। ଏଥର ସେମାନେ ନିଆଣ୍ଡରଥାଲ୍ ଏଵଂ ଅନ୍ୟ ସମସ୍ତ ମାନଵଜାତିକୁ କେଵଳ ମଧ୍ୟପ୍ରାଚ୍ୟରୁ ନୁହେଁ, ଵରଂ ସମଗ୍ର ପୃଥିଵୀ ପୃଷ୍ଠରୁ ନିଶ୍ଚିହ୍ନ କରିଦେଲେ। ପୁଣି ଆଶ୍ଚର୍ଯ୍ୟଜନକ ଭାବେ ସ୍ୱଳ୍ପ ସମୟ ମଧ୍ୟରେ, ସାପିଏନ୍ସମାନେ ୟୁରୋପ ଏଵଂ ପୂର୍ଵ ଏସିଆରେ ପହଞ୍ଚିଗଲେ। ପ୍ରାୟ ୪୫,୦୦୦ ଵର୍ଷ ପୂର୍ଵେ, Homo sapiensମାନେ କେମିତି କେଜାଣି ଖୋଲା ସମୁଦ୍ର ପାର ହୋଇ ଅଷ୍ଟ୍ରେଲିଆରେ ପାଦ ଥାପିଲେ ତାହା ଆଜି ବି ରହସ୍ୟ ହୋଇ ରହିଛି । ସେ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଏମିତି ଏକ ମହାଦେଶ ଥିଲା ଯେଉଁଠାକୁ ପୂର୍ଵରୁ କେଵେ ମଣିଷ ପହଞ୍ଚି ନଥିଲା।
ପ୍ରାୟ ୭୦,୦୦୦ ଵର୍ଷ ପୂର୍ଵରୁ ୩୦,୦୦୦ ଵର୍ଷ ପୂର୍ଵ ପର୍ଯ୍ୟନ୍ତର ସମୟସୀମା ମଧ୍ୟରେ ଡଙ୍ଗା, ତେଲ ଦୀପ, ଧନୁ-ତୀର ଓ ଛୁଞ୍ଚି (ଯାହା ଶୀତଦିନେ ଗରମ ପୋଷାକ ସିଲେଇ କରିଵା ପାଇଁ ଅତ୍ୟନ୍ତ ଜରୁରୀ ଥିଲା) ଭଳି ଜିନିଷର ଉଦ୍ଭାଵନ ହୋଇଥିଲା। ଏହି ଯୁଗରୁ ହିଁ ପ୍ରଥମ ଥର ପାଇଁ କଳାତ୍ମକ ଜିନିଷର ପ୍ରମାଣ ମିଳିଥାଏ ଏଵଂ ଏହି ସମୟରେ ହିଁ ଧର୍ମ, ଵାଣିଜ୍ୟ ଏଵଂ ସାମାଜିକ ସ୍ତରୀକରଣର ପ୍ରଥମ ସ୍ପଷ୍ଟ ପ୍ରମାଣ ମିଳିଥାଏ। ଅଧିକାଂଶ ଗଵେଷକ ଵିଶ୍ୱାସ କରନ୍ତି ଯେ, ଏହି ଅଭୂତପୂର୍ଵ ସଫଳତାଗୁଡ଼ିକ ସାପିଏନ୍ସମାନଙ୍କର ଜ୍ଞାନଗତ ଦକ୍ଷତାରେ ଆସିଥିଵା ଏକ ଵିପ୍ଳଵର ପରିଣାମ ଥିଲା। ସେମାନଙ୍କ ମତରେ, ଯେଉଁମାନେ ନିଆଣ୍ଡରଥାଲ୍ମାନଙ୍କୁ ଵିଲୁପ୍ତ କଲେ, ଅଷ୍ଟ୍ରେଲିଆରେ ଵସତି ସ୍ଥାପନ କଲେ ଏଵଂ ଷ୍ଟାଡେଲ୍ ସିଂହ-ମାନଵର ମୂର୍ତ୍ତି ଖୋଦେଇ କଲେ, ସେମାନେ ଆଜିର ଆମ ସଦୃଶ ହିଁ ବୁଦ୍ଧିମାନ, ସୃଜନଶୀଳ ଓ ସମ୍ଵେଦନଶୀଳ ଥିଲେ। ଯଦି ଆମେ ଷ୍ଟାଡେଲ୍ ଗୁମ୍ଫାର ସେହି କଳାକାରମାନଙ୍କୁ ଭେଟିଵା, ତେବେ ଆମେ ସେମାନଙ୍କ ଭାଷା ଶିଖିପାରିଵା ଏଵଂ ସେମାନେ ଆମ ଭାଷା ଶିଖିପାରିବେ। ଆମେ ସେମାନଙ୍କୁ ଆମେ ଜାଣିଥିଵା ସବୁକିଛି ବୁଝାଇ ପାରିଵା – 'Alice in Wonderland'ର ଦୁଃସାହସିକ କାହାଣୀଠାରୁ ଆରମ୍ଭ କରି କ୍ୱାଣ୍ଟମ୍ ଫିଜିକ୍ସର ଜଟିଳତା ପର୍ଯ୍ୟନ୍ତ – ଏଵଂ ସେମାନେ ମଧ୍ୟ ସେମାନଙ୍କର ଲୋକମାନେ ଦୁନିଆକୁ କେମିତି ଦେଖନ୍ତି, ତାହା ଆମକୁ ଶିଖାଇ ପାରିଵେ।
ଆଜକୁ ପ୍ରାୟ ୭୦,୦୦୦ରୁ ୩୦,୦୦୦ ଵର୍ଷ ପୂର୍ଵେ ଚିନ୍ତା କରିଵା ଏଵଂ ଭାଵ ଵିନିମୟ କରିଵାର ଏହି ନୂତନ ଶୈଳୀର ଆଵିର୍ଭାଵକୁ ହିଁ "ଜ୍ଞାନଗତ ଵିପ୍ଳଵ" ଵା Cognitive Revolution କୁହାଯାଏ। ଏହାର କାରଣ କଣ ଥିଲା? ଆମେ ନିଶ୍ଚିତ ଭାବେ ଏହାର କାରଣ ଜାଣିପାରିନାହୁଁ। ତେବେ ଏ ସମ୍ବନ୍ଧୀୟ ସବୁଠାରୁ ଗ୍ରହଣୀୟ ସିଦ୍ଧାନ୍ତ ଅନୁଯାୟୀ, ଆକସ୍ମିକ ଜେନେଟିକ୍ ମ୍ୟୁଟେସନ୍ ଵା ଵଂଶଗତ ପରିଵର୍ତ୍ତନ ଯୋଗୁଁ ସାପିଏନ୍ସମାନଙ୍କ ମସ୍ତିଷ୍କର ଆଭ୍ୟନ୍ତରୀଣ ଗଠନକୁ ବଦଳାଇ ଦେଇଥିଲା ଯାହା ସେମାନଙ୍କୁ ଏକ ଅଭୂତପୂର୍ଵ ଢଙ୍ଗରେ ଚିନ୍ତା କରିଵାକୁ ଏଵଂ ଏକ ସମ୍ପୂର୍ଣ୍ଣ ନୂତନ ପ୍ରକାରର ଭାଷା ଵ୍ୟଵହାର କରି ଯୋଗାଯୋଗ କରିଵାକୁ ସକ୍ଷମ କଲା। ଆମେ ଏହାକୁ "ଜ୍ଞାନର ଵୃକ୍ଷ ପରିଵର୍ତ୍ତନ" Tree of Knowledge mutation ବୋଲି କହିପାରିଵା। ଏହା ନିଆଣ୍ଡରଥାଲ୍ମାନଙ୍କ ବଦଳରେ କେଵଳ ସାପିଏନ୍ସଙ୍କ ଡିଏନ୍ଏ (DNA) ରେ କାହିଁକି ଘଟିଲା? ଆମ ଜ୍ଞାତସାରରେ ଏହା କେଵଳ ସୌଭାଗ୍ୟଵଶତଃ ଘଟିଥିଲା। କିନ୍ତୁ ଏହି "ଜ୍ଞାନର ଵୃକ୍ଷ ପରିଵର୍ତ୍ତନ" ର କାରଣ ଅପେକ୍ଷା ତାର ପରିଣାମକୁ ବୁଝିଵା ଅଧିକ ଗୁରୁତ୍ୱପୂର୍ଣ୍ଣ। ସାପିଏନ୍ସଙ୍କ ଏହି ନୂତନ ଭାଷାରେ ଏମିତି କଣ ଵିଶେଷତ୍ୱ ଥିଲା, ଯାହା ଆମକୁ ସାରା ପୃଥିଵୀ ଜୟ କରିଵାରେ ସାହାଯ୍ୟ କଲା?
ଏହା ପୃଥିଵୀର ପ୍ରଥମ ଭାଷା ନଥିଲା। ପ୍ରତ୍ୟେକ ଜୀଵଙ୍କର କିଛି ନା କିଛି ଭାଷା ଥାଏ। ଏପରିକି ପିମ୍ପୁଡ଼ି ଓ ମହୁମାଛି ଭଳି କୀଟପତଙ୍ଗମାନେ ମଧ୍ୟ ପରସ୍ପର ସହ ଅତ୍ୟନ୍ତ ଜଟିଳ ଭାବେ ଯୋଗାଯୋଗ କରିପାରନ୍ତି ଏଵଂ ଖାଦ୍ୟ କେଉଁଠି ଅଛି ତାହାର ସୂଚନା ଦେଇଥାନ୍ତି। ଏହା ପ୍ରଥମ କଣ୍ଠସ୍ୱର ଭିତ୍ତିକ ଭାଷା ଵା vocal language ମଧ୍ୟ ନଥିଲା। ମାଙ୍କଡ଼ ଓ ସିମ୍ପାଞ୍ଜୀ ଜାତି ସମେତ ଅନେକ ପ୍ରାଣୀଙ୍କର କଣ୍ଠସ୍ୱର ଭିତ୍ତିକ ଭାଷା ରହିଛି। ଉଦାହରଣ ସ୍ୱରୂପ, ସବୁଜ ମାଙ୍କଡ଼ମାନେ ପରସ୍ପର ସହିତ ଯୋଗାଯୋଗ ପାଇଁ ଵିଭିନ୍ନ ପ୍ରକାରର ଶବ୍ଦ ଵ୍ୟଵହାର କରନ୍ତି। ପ୍ରାଣୀଵିଜ୍ଞାନୀମାନେ ଏମିତି ଏକ ଶବ୍ଦ ଚିହ୍ନଟ କରିଛନ୍ତି ଯାହାର ଅର୍ଥ ହେଉଛି, ‘ସାଵଧାନ! ଚିଲ/ଈଗଲ୍!’ ଏଵଂ ଅନ୍ୟ ଏକ ଭିନ୍ନ ଶବ୍ଦ ଚେତାଵନୀ ଦିଏ, ‘ସାଵଧାନ! ସିଂହ!’ ଯେତେବେଳେ ଗଵେଷକମାନେ ମାଙ୍କଡ଼ ଦଳ ସାମ୍ନାରେ ପ୍ରଥମ ଶବ୍ଦର ଏକ ରେକର୍ଡିଂ ବଜାଇଲେ, ମାଙ୍କଡ଼ମାନେ ସେମାନଙ୍କ କାମ ବନ୍ଦ କରି ଭୟରେ ଉପରକୁ ଚାହିଁଲେ। ଯେତେବେଳେ ସେହି ଦଳ ଦ୍ୱିତୀୟ ଶବ୍ଦ ଅର୍ଥାତ୍ ସିଂହର ଚେତାଵନୀ ଶୁଣିଲେ, ସେମାନେ ଶୀଘ୍ର ଦୌଡ଼ିଯାଇ ଗଛ ଉପରକୁ ଚଢ଼ିଗଲେ। ସାପିଏନ୍ସମାନେ ସବୁଜ ମାଙ୍କଡ଼ମାନଙ୍କ ଅପେକ୍ଷା ଅଧିକ ସ୍ପଷ୍ଟ ଏଵଂ ଭିନ୍ନ ଭିନ୍ନ ଶବ୍ଦ ସୃଷ୍ଟି କରିପାରନ୍ତି, କିନ୍ତୁ ତିମି ଓ ହାତୀମାନଙ୍କର ମଧ୍ୟ ସେହିଭଳି ଚମତ୍କାର ଦକ୍ଷତା ଅଛି। ଆଲବର୍ଟ ଆଇନଷ୍ଟାଇନ ଯାହା ବି କହିପାରୁଥିଲେ, ଏକ ଶୁଆ ମଧ୍ୟ ସେସବୁ କହିପାରିଵ ଏଵଂ ତା’ ସହିତ ଫୋନ୍ ରିଙ୍ଗ୍ ହେଵା, କବାଟ ବାଡ଼େଇଵା ଓ ସାଇରନ୍ ବାଜିଵାର ଶବ୍ଦକୁ ମଧ୍ୟ ନକଲ କରିପାରିଵ। ଆଇନଷ୍ଟାଇନଙ୍କର ଶୁଆ ପାଖରେ ଯାହା ବି ସୁଵିଧା ଵା ଶ୍ରେଷ୍ଠତା ଥିଲା, ତାହା କଣ୍ଠସ୍ୱର ଜନିତ ନଥିଲା। ତାହେଲେ, ଆମ ଭାଷାରେ ଏମିତି କ’ଣ ଵିଶେଷତ୍ୱ ଅଛି?
ଏହାର ସବୁଠାରୁ ସାଧାରଣ ଉତ୍ତର , ଆମ ଭାଷା ଆଶ୍ଚର୍ଯ୍ୟଜନକ ଭାବେ ନମନୀୟ ଵା ପରିଵର୍ତ୍ତନଶୀଳ ଅଟେ । ଆମେ ଏକ ସୀମିତ ସଂଖ୍ୟକ ଶବ୍ଦ ଓ ସଙ୍କେତକୁ ଯୋଡ଼ି ଅସୀମ ସଂଖ୍ୟକ ଵାକ୍ୟ ତିଆରି କରିପାରିଵା, ଯାହାର ପ୍ରତ୍ୟେକର ଏକ ଭିନ୍ନ ଓ ସ୍ପଷ୍ଟ ଅର୍ଥ ଥାଏ। ଏହାଦ୍ୱାରା ଆମେ ଆମ ଚାରିପାଖର ଦୁନିଆ ଵିଷୟରେ ବହୁତ ବଡ଼ ପରିମାଣର ସୂଚନା ଗ୍ରହଣ, ସଂରକ୍ଷଣ ଓ ଆଦାନପ୍ରଦାନ କରିପାରୁ। ଏକ ସବୁଜ ମାଙ୍କଡ଼ ତାର ସାଥୀମାନଙ୍କୁ ଚିତ୍କାର କରି କହିପାରେ, 'ସାଵଧାନ! ସିଂହ!' କିନ୍ତୁ ଜଣେ ଆଧୁନିକ ମଣିଷ ତାର ସାଙ୍ଗମାନଙ୍କୁ କହିପାରିଵ ଯେ, ଆଜି ସକାଳେ ନଦୀର ବାଙ୍କ ପାଖରେ ସେ ଏକ ସିଂହକୁ ଅରଣା ମଇଁଷି ଦଳର ପିଛା କରୁଥିଵାର ଦେଖିଛି। ସେ ଏହାପରେ ସେହି ସ୍ଥାନର ନିର୍ଭୁଲ୍ ଅଵସ୍ଥିତି ଏଵଂ ସେଠାକୁ ଯାଉଥିଵା ଵିଭିନ୍ନ ରାସ୍ତା ଵିଷୟରେ ମଧ୍ୟ ଵର୍ଣ୍ଣନା କରିପାରିଵ। ଏହି ସୂଚନା ସାହାଯ୍ୟରେ, ତାର ଦଳର ସଦସ୍ୟମାନେ ଏକାଠି ବସି ଆଲୋଚନା କରିପାରିବେ ଯେ ସେମାନେ ସିଂହକୁ ଘଉଡ଼ାଇଵା ଏଵଂ ଅରଣାମଇଁଷି ଶିକାର କରିଵା ପାଇଁ ନଦୀ ପାଖକୁ ଯିଵା ଉଚିତ୍ କି ନୁହେଁ।
ଗଵେଷକମାନଙ୍କ ଦ୍ଵାରା ପ୍ରଦତ୍ତ ଆଉ ଏକ ଦ୍ୱିତୀୟ ସିଦ୍ଧାନ୍ତ ମଧ୍ୟ ଏହା ସ୍ୱୀକାର କରେ ଯେ ଆମର ଏହି ଅଦ୍ୱିତୀୟ ଭାଷା ଦୁନିଆ ଵିଷୟରେ ସୂଚନା ବାଣ୍ଟିଵା ପାଇଁ ଵିକଶିତ ହୋଇଛି। କିନ୍ତୁ ଗଵେଷକମାନଙ୍କ ମତରେ, ଯାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଵା ଦରକାର ଥିଲା, ତାହା ସିଂହ ଏଵଂ ମଇଁଷି ଵିଷୟରେ ନୁହେଁ, ଵରଂ ମଣିଷମାନଙ୍କ ଵିଷୟରେ ଥିଲା। ଆମ ଭାଷା ପ୍ରକୃତରେ 'ଗପସପ' କିମ୍ଵା ପରଚର୍ଚ୍ଚା କରିଵା ପାଇଁ ଵିକଶିତ ହୋଇଥିଲା ଏଵଂ ଏହାକୁ 'Gossip Theory' ଦ୍ଵାରା ଵ୍ୟାଖ୍ୟା କରାଯାଇଛି । ଏହି ସିଦ୍ଧାନ୍ତ ଅନୁଯାୟୀ, ହୋମୋ ସାପିଏନ୍ସ ମୁଖ୍ୟତଃ ଏକ ସାମାଜିକ ପ୍ରାଣୀ। ସାମାଜିକ ସହଯୋଗ ହିଁ ଆମର ବଞ୍ଚିଵା ଓ ଵଂଶଵୃଦ୍ଧିର ଚାବିକାଠି ଅଟେ। କେଵଳ ସିଂହ ଓ ମଇଁଷି କେଉଁଠି ଅଛନ୍ତି ତାହା ଜଣେ ପୁରୁଷ ଵା ମହିଳା ଜାଣିଵା ଯଥେଷ୍ଟ ନୁହେଁ। ସେମାନଙ୍କ ପାଇଁ ଏହା ଜାଣିଵା ଅଧିକ ଗୁରୁତ୍ୱପୂର୍ଣ୍ଣ ଯେ ସେମାନଙ୍କ ଦଳରେ କିଏ କାହାକୁ ସ୍ନେହ କରେ ଵା ଘୃଣା କରେ, କିଏ କାହା ସହ ଶୋଉଛି, କିଏ ସଚ୍ଚୋଟ ଏଵଂ କିଏ ପ୍ରତାରକ ଵା ଠକ ଅଟେ । ମାତ୍ର କିଛି ଡର୍ଜନ ଲୋକଙ୍କର ସଦା-ପରିଵର୍ତ୍ତନଶୀଳ ସମ୍ପର୍କ ଉପରେ ଦୃଷ୍ଟି ରଖିଵା ପାଇଁ ଯେଉଁ ପରିମାଣର ସୂଚନା ସଂଗ୍ରହ ଓ ସଂରକ୍ଷଣ କରିଵାକୁ ପଡ଼େ ତାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ। ଉଦାହରଣ ସ୍ୱରୂପ ପଚାଶ ଜଣ ଵିଶିଷ୍ଟ ଏକ ଦଳରେ, ୧,୨୨୫ଟି ଵ୍ୟକ୍ତିଗତ ଵା ଦ୍ୱିପାକ୍ଷିକ ସମ୍ପର୍କ ଥାଏ, ଏଵଂ ଏହାଠାରୁ ଅଧିକ ଜଟିଳ ସାମାଜିକ ସଂଯୋଗ ମଧ୍ୟ ଥାଏ। ସମସ୍ତ ମାଙ୍କଡ଼ କିମ୍ଵା ଗରିଲା ଜାତି ଏଭଳି ସାମାଜିକ ସୂଚନା ପ୍ରତି ପ୍ରଵଳ ଆଗ୍ରହ ଦେଖାନ୍ତି, କିନ୍ତୁ ସେମାନେ ପ୍ରଭାଵଶାଳୀ ଭାବେ ଗପସପ ଵା ପରଚର୍ଚ୍ଚା କରିପାରନ୍ତି ନାହିଁ। ନିଆଣ୍ଡରଥାଲ୍ ଓ ପ୍ରାଚୀନ ହୋମୋ ସାପିଏନ୍ସମାନଙ୍କ ପାଇଁ ମଧ୍ୟ ପରସ୍ପର ପଛରେ ବସି ଚର୍ଚ୍ଚା କରିଵା ବୋଧହୁଏ କଷ୍ଟକର ଥିଲା । ପରଚର୍ଚ୍ଚା କରିଵା ଏମିତି ଦକ୍ଷତା ଯାହାକୁ ସାଧାରଣତଃ ଖରାପ ବୋଲି କୁହାଯାଏ, କିନ୍ତୁ ଵାସ୍ତଵରେ ବଡ଼ ସଂଖ୍ୟାରେ ଏକାଠି ସହଯୋଗ କରି କାମ କରିଵା ପାଇଁ ଏହା ଅତ୍ୟନ୍ତ ଜରୁରୀ।
ଏହି ନୂତନ ଭାଷାଗତ ଦକ୍ଷତା ଯାହା ଆଧୁନିକ ସାପିଏନ୍ସମାନେ ପ୍ରାୟ ୭୦,୦୦୦ ଵର୍ଷ ପୂର୍ଵେ ଲାଭ କରିଥିଲେ, ତାହା ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ଗପସପ କରିଵାକୁ ସକ୍ଷମ କଲା। କାହାକୁ ଵିଶ୍ୱାସ କରାଯାଇପାରିଵ, ସେ ଵିଷୟରେ ଠିକ୍ ସୂଚନା ମିଳିଵା ଯୋଗୁଁ ଛୋଟ ଛୋଟ ଦଳଗୁଡ଼ିକ ବଡ଼ ଦଳରେ ପରିଣତ ହୋଇପାରିଲେ ଏଵଂ ସାପିଏନ୍ସମାନେ ଅଧିକ ନିଵିଡ଼ ଓ ସୁଦୃଢ଼ ସହଯୋଗ ପ୍ରତିଷ୍ଠା କରିପାରିଲେ।
ଏହି 'Gossip Theory' ଵା ଗପସପ ସିଦ୍ଧାନ୍ତ ହୁଏତ ଏକ ମଜାଳିଆ କଥା ଭଳି ମନେହୋଇପାରେ, କିନ୍ତୁ ଅନେକ ଗଵେଷଣା ଏହାକୁ ସମର୍ଥନ କରେ। ଆଜି ମଧ୍ୟ ମାନଵ ସମାଜର ଅଧିକାଂଶ ଯୋଗାଯୋଗ – ତାହା ଇମେଲ୍, ଫୋନ୍ କଲ୍ କିମ୍ଵା ଖଵରକାଗଜର ସ୍ତମ୍ଭ ଆକାରରେ ହେଉ ନା କାହିଁକି – ସେସବୁ ପ୍ରକୃତରେ ଏକ ପ୍ରକାର ଗପସପ କିମ୍ଵା ପରଚର୍ଚ୍ଚା ହିଁ ଅଟେ। ଏହା ଆମ ଭିତରେ ଏତେ ସ୍ୱାଭାଵିକ ଭାବେ ଦେଖାଯାଏ ଯେ ମନେହୁଏ ଯେମିତି ଆମ ଭାଷା କେଵଳ ଏହି ଉଦ୍ଦେଶ୍ୟ ପାଇଁ ହିଁ ଵିକଶିତ ହୋଇଛି। ଆପଣ କଣ ଭାବୁଛନ୍ତି, ଇତିହାସର ପ୍ରଫେସରମାନେ ଯେତେବେଳେ ମଧ୍ୟାହ୍ନ ଭୋଜନ ପାଇଁ ଏକାଠି ହୁଅନ୍ତି, ସେତେବେଳେ ପ୍ରଥମ ଵିଶ୍ୱଯୁଦ୍ଧର କାରଣ ଵିଷୟରେ ଆଲୋଚନା କରନ୍ତି? କିମ୍ଵା ପରମାଣୁ ଵିଜ୍ଞାନୀମାନେ ଵୈଜ୍ଞାନିକ ସମ୍ମିଳନୀରେ ସେମାନଙ୍କ କଫି ବ୍ରେକ୍ ସମୟରେ କ୍ୱାର୍କ (quarks) ଵିଷୟରେ କଥା ହୁଅନ୍ତି ? ବେଳେ ବେଳେ ହୁଏତ କରନ୍ତି। କିନ୍ତୁ ଅଧିକାଂଶ ସମୟରେ, ସେମାନେ ସେହି ମହିଳା ପ୍ରଫେସରଙ୍କ ଵିଷୟରେ ଗପନ୍ତି ଯିଏ ତାଙ୍କ ସ୍ୱାମୀଙ୍କ ପ୍ରତାରଣା ଧରିଛନ୍ତି କିମ୍ଵା ଵିଭାଗୀୟ ମୁଖ୍ୟ ଓ ଡିନ୍ଙ୍କ ମଧ୍ୟରେ ହୋଇଥିଵା କଳି ଵିଷୟରେ, କିମ୍ଵା କୌଣସି ଜଣେ ସହକର୍ମୀ ନିଜ ଗଵେଷଣା ପାଣ୍ଠିରୁ ଏକ Lexus ଗାଡ଼ି କିଣିଥିଵା ଗୁଜବ ଵିଷୟରେ ଆଲୋଚନା କରନ୍ତି। ଗପସପ ସାଧାରଣତଃ କାହାର ଭୁଲ୍ କାମ ଉପରେ କେନ୍ଦ୍ରୀଭୂତ ହୋଇଥାଏ। ଏହି ଗୁଜବ ସୃଷ୍ଟି କରୁଥିଵା ଲୋକମାନେ ହିଁ ପ୍ରକୃତରେ ସମାଜର ମୂଳ 'ଚତୁର୍ଥ ସ୍ତମ୍ଭ' (fourth estate), ଅର୍ଥାତ୍ ସେମାନେ ସାମ୍ଵାଦିକଙ୍କ ଭଳି କାମ କରନ୍ତି ଯିଏ ସମାଜକୁ ଠକ ଓ ମାଗଣାଖୋର ମାନଙ୍କ ଵିଷୟରେ ସୂଚନା ଦେଇ ସୁରକ୍ଷିତ ରଖନ୍ତି।
କଳ୍ପନା ଏଵଂ ସାମୂହିକ ଵିଶ୍ୱାସର ଶକ୍ତି
ଖୁଵ୍ ସମ୍ଭଵ, ଉଭୟ 'Gossip Theory' ଏଵଂ 'There-is-a-lion-near-the-river Theory' (ନଦୀ କୂଳରେ ସିଂହ ଅଛି ସିଦ୍ଧାନ୍ତ) ଦୁଇଟିଯାକ ଵୈଧ ଵା ସତ ଅଟେ। ତଥାପି, ଆମ ଭାଷାର ପ୍ରକୃତ ଅଦ୍ୱିତୀୟ ଵୈଶିଷ୍ଟ୍ୟ ଏହା ନୁହେଁ ଯେ ଏହା ମଣିଷ ଓ ସିଂହ ଵିଷୟରେ ସୂଚନା ଦେଇପାରେ। ଵରଂ, ଏହାର ପ୍ରକୃତ ଵିଶେଷତ୍ୱ ହେଉଛି ଏମିତି ଜିନିଷ ଵିଷୟରେ ସୂଚନା ଦେଵା, ଯାହାର ଵାସ୍ତଵରେ କୌଣସି ଅସ୍ତିତ୍ୱ ହିଁ ନାହିଁ। ଯେଉଁ ପର୍ଯ୍ୟନ୍ତ ଆମେ ଜାଣିଛୁ, କେଵଳ ସାପିଏନ୍ସ ହିଁ ଏଭଳି ଜିନିଷ ଵା ସତ୍ତା ଵିଷୟରେ କଥା ହୋଇପାରନ୍ତି ଯାହାକୁ ସେମାନେ କେବେ ଦେଖିନାହାନ୍ତି, ଛୁଇଁନାହାନ୍ତି କିମ୍ଵା ଶୁଙ୍ଘିନାହାନ୍ତି।
ପୌରାଣିକ କାହାଣୀ, କିମ୍ଵଦନ୍ତୀ, ଭଗଵାନ ଓ ଧର୍ମ – ଏସବୁ ଜ୍ଞାନଗତ ଵିପ୍ଳଵ ଵା Cognitive Revolution ସହିତ ପ୍ରଥମ ଥର ପାଇଁ ପ୍ରକାଶ ପାଇଲା। ଅନେକ ପଶୁ ଏଵଂ ମାନଵ ଜାତି ପୂର୍ଵରୁ କହିପାରୁଥିଲେ, 'ସାଵଧାନ! ସିଂହ!' କିନ୍ତୁ ଜ୍ଞାନଗତ ଵିପ୍ଳଵ ଯୋଗୁଁ, ହୋମୋ ସାପିଏନ୍ସ ଏହା କହିଵାର କ୍ଷମତା ଲାଭ କଲେ ଯେ, 'ସିଂହ ହେଉଛି ଆମ ଜାତି ଵା ଆଦିଵାସୀ ଗୋଷ୍ଠୀର ରକ୍ଷାକାରୀ ଆତ୍ମା ଵା guardian spirit।' କାଳ୍ପନିକ କଥା ଵା fictions ଵିଷୟରେ କହିଵାର ଏହି କ୍ଷମତା ହିଁ ସାପିଏନ୍ସ ଭାଷାର ସବୁଠାରୁ ଅଦ୍ୱିତୀୟ ଵୈଶିଷ୍ଟ୍ୟ।
ଏହି କଥାରେ ସହମତ ହେଵା ସହଜ ଯେ କେଵଳ ହୋମୋ ସାପିଏନ୍ସ ହିଁ ଵାସ୍ତଵରେ ଅସ୍ତିତ୍ୱ ନଥିଵା ଜିନିଷ ଵିଷୟରେ କଥା ହୋଇପାରନ୍ତି ଏଵଂ ସକାଳ ଜଳଖିଆ ପୂର୍ଵରୁ ଛଅଟି ଅସମ୍ଭଵ କଥା ଉପରେ ଵିଶ୍ୱାସ କରିପାରନ୍ତି। ଆପଣ କେବେ ହେଲେ ଗୋଟିଏ ମାଙ୍କଡ଼କୁ ଏହା କହି ବୁଝାଇପାରିବେ ନାହିଁ ଯେ, 'ତୁ ମତେ ଏବେ ଗୋଟେ କଦଳୀ ଦେଇଦେ, ମଲା ପରେ ମାଙ୍କଡ଼ ସ୍ୱର୍ଗରେ ତତେ ଅସଂଖ୍ୟ କଦଳୀ ମିଳିଵ।' କିନ୍ତୁ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ? ପରିଶେଷରେ, କଳ୍ପନା ତ ଵିପଜ୍ଜନକ ଭାବେ ଵିଭ୍ରାନ୍ତିକର କିମ୍ଵା ମନକୁ ଅନ୍ୟଆଡ଼େ ନେଇଯାଉଥିଵା ଜିନିଷ ହୋଇପାରେ। ଯେଉଁ ଲୋକମାନେ ଜଙ୍ଗଲକୁ ପରୀ (fairies) ଓ ଏକଶୃଙ୍ଗୀ ଘୋଡ଼ା (unicorns) ଖୋଜିଵାକୁ ଯାଆନ୍ତି, ସେମାନଙ୍କ ବଞ୍ଚିଵାର ସମ୍ଭାଵନା ସେହି ଲୋକମାନଙ୍କ ଅପେକ୍ଷା କମ୍ ଯେଉଁମାନେ ଛତୁ ଓ ହରିଣ ଖୋଜିଵାକୁ ଯାଆନ୍ତି। ଏଵଂ ଯଦି ଆପଣ କାଳ୍ପନିକ ରକ୍ଷାକାରୀ ଆତ୍ମାମାନଙ୍କୁ ପ୍ରାର୍ଥନା କରି ଘଣ୍ଟା ଘଣ୍ଟା ସମୟ ନଷ୍ଟ କରୁଛନ୍ତି, ତେବେ ଆପଣ ସେହି ମୂଲ୍ୟଵାନ ସମୟକୁ ନଷ୍ଟ କରୁନାହାନ୍ତି କି, ଯେଉଁ ସମୟକୁ ଖାଦ୍ୟ ସଂଗ୍ରହ କରିଵାରେ, ଯୁଦ୍ଧ କରିଵାରେ କିମ୍ଵା ଶାରୀରିକ ସମ୍ପର୍କ ରଖିଵାରେ ଵ୍ୟଵହାର କରାଯାଇପାରନ୍ତା?
କିନ୍ତୁ କଳ୍ପନା ଆମକୁ କେଵଳ ଜିନିଷଗୁଡ଼ିକୁ ଭାବିଵା ପାଇଁ ସକ୍ଷମ କରିନାହିଁ ଵରଂ ତାହା 'ସାମୂହିକ ଭାବେ' କିଛି କରିଵାକୁ ସକ୍ଷମ କରିଛି। ଆମେ ସମସ୍ତେ ମିଶି କିଛି ସାଧାରଣ ପୁରାଣ ଵା କାହାଣୀ ପ୍ରସ୍ତୁତ କରିପାରୁ, ଯେପରିକି ବାଇବେଲର ସୃଷ୍ଟି କାହାଣୀ, ଅଷ୍ଟ୍ରେଲିଆର ଆଦିଵାସୀମାନଙ୍କର ଡ୍ରିମଟାଇମ୍ ପୁରାଣ ଏଵଂ ଆଧୁନିକ ରାଷ୍ଟ୍ରଗୁଡ଼ିକର ଜାତୀୟତାଵାଦୀ କାହାଣୀ। ଏହିଭଳି କାଳ୍ପନିକ କାହାଣୀ କିମ୍ଵା ଵିଶ୍ୱାସ ସାପିଏନ୍ସମାନଙ୍କୁ ବହୁତ ବଡ଼ ସଂଖ୍ୟାରେ ଏଵଂ ଅତି ନମନୀୟ ଵା ସହଜ ଭାବରେ ଏକାଠି କାମ କରିଵାର ଅଭୂତପୂର୍ଵ କ୍ଷମତା ଦେଇଥାଏ।
ପିମ୍ପୁଡ଼ି ଓ ମହୁମାଛିମାନେ ମଧ୍ୟ ଵିଶାଳ ସଂଖ୍ୟାରେ ଏକାଠି କାମ କରିପାରନ୍ତି, କିନ୍ତୁ ସେମାନଙ୍କର କାମ କରିଵାର ଶୈଳୀ ଅତି ସୀମିତ ଵା କଠୋର ଏଵଂ ସେମାନେ କେଵଳ ନିଜର ନିକଟତର ସମ୍ପର୍କୀୟମାନଙ୍କ ସହ ହିଁ ଏକାଠି କାମ କରନ୍ତି। କୋକିଶିଆଳି, ଗଧିଆ ଓ ସିମ୍ପାଞ୍ଜୀମାନେ ପିମ୍ପୁଡ଼ିମାନଙ୍କ ଅପେକ୍ଷା ଅଧିକ ନମନୀୟ ଭାବେ ସହଯୋଗ କରନ୍ତି, କିନ୍ତୁ ସେମାନେ କେଵଳ ସେହି ଅଳ୍ପ ସଂଖ୍ୟକ ଜୀଵମାନଙ୍କ ସହ କାମ କରିପାରନ୍ତି ଯାହାଙ୍କୁ ସେମାନେ ଭଲଭାଵେ ଜାଣିଥାନ୍ତି। ଅପରପକ୍ଷରେ, ସାପିଏନ୍ସମାନେ ଅସଂଖ୍ୟ ଅପରିଚିତ ଲୋକମାନଙ୍କ ସହିତ ଅତି ନମନୀୟ ଏଵଂ ଵିଭିନ୍ନ ଉପାୟରେ ସହଯୋଗ କରିପାରନ୍ତି। ଏହି କାରଣରୁ ହିଁ ସାପିଏନ୍ସମାନେ ସାରା ପୃଥିଵୀ ଉପରେ ଶାସନ କରୁଛନ୍ତି କିନ୍ତୁ ପିମ୍ପୁଡ଼ିମାନେ ଆମର ଵଳକା ଖାଦ୍ୟ ଖାଉଛନ୍ତି ଏଵଂ ସିମ୍ପାଞ୍ଜୀମାନେ ଚିଡ଼ିଆଖାନା ଓ ଗଵେଷଣାଗାର ଭିତରେ ବନ୍ଦ ହୋଇ ରହିଛନ୍ତି।
••••••••••••••••••••••••••••••••••••••••
ୟୁଵାଲ୍ ନୋଆ ହାରାରିଙ୍କ ପୁସ୍ତକ A brief history of humankindର ଦ୍ଵିତୀୟ ଅଧ୍ୟାୟର ପ୍ରଥମ ଭାଗ The Tree of Knowledgeର ଓଡ଼ିଆ ଭାଵାନୁଵାଦ
••••••••••••••••••••••••••••••••••••••••
No comments:
Post a Comment