My Blog List

Sunday, August 30, 2026

ଚାଆଖଟି

ଗାଁ ମୁଣ୍ଡ ବରଗଛ ମୂଳେ ରଘୁଆର ‘ଚାଆଖଟି’ରେ ସଞ୍ଜ ବେଳର ଭିଡ଼ ଜମିଲାଣି। ଚୁଲିରେ ଗରମ ଚା’ ଫୁଟୁଛି, ଆଉ ତା’ ସାଙ୍ଗକୁ ଫୁଟୁଛି ରାଜନୈତିକ ତର୍କ। ଟେବୁଲ ଉପରେ ପଡ଼ିଥିଵା ଖବରକାଗଜର ଏକ ଖବର ହିଁ ଆଜିର ଆଲୋଚନାର କେନ୍ଦ୍ରବିନ୍ଦୁ—କେନ୍ଦ୍ର ସରକାରଙ୍କ ଖଣି ଆଇନ, ଅର୍ଥାତ୍ ଏମ୍.ଏମ୍.ଡି.ଆର୍ ଆକ୍ଟ (MMDR Act)ର ନୂଆ ସଂଶୋଧନ ଏଵଂ ଏହାର ଓଡ଼ିଶା ଉପରେ ସମ୍ଭାଵ୍ୟ ପ୍ରଭାଵ।
କାନ୍ଧରେ ଲାଲ୍ ଗାମୁଛା ପକାଇଥିଵା ଶକ୍ତିଭୂଷଣ ମିଶ୍ର ଖବରକାଗଜଟାକୁ ଟେବୁଲ ଉପରେ ଜୋର୍‌ରେ ଥୋଇଦେଇ କହିଲେ, “ଦେଖୁଛ କମ୍ରେଡ୍! ଦେଶର ଜଳ, ଜଙ୍ଗଲ, ଜମିକୁ କେମିତି କର୍ପୋରେଟ୍ ହାତରେ ଟେକି ଦିଆଯାଉଛି। କ୍ରିଟିକାଲ୍ ଖଣିଜର ଆଳ ଦେଖାଇ ଦିଲ୍ଲୀବାଲା ଏବେ ରାଜ୍ୟର ସମ୍ପତ୍ତି ଉପରେ କବଜା କରୁଛନ୍ତି। ଘରୋଇ ପୁଞ୍ଜିପତି ଆଉ କମ୍ପାନୀ ମାଲିକଙ୍କ ପାଇଁ ଏବେ ଖୋଲା ଲୁଟ୍ ଚାଲିଛି!”
ଏତିକିବେଳେ ଖଦଡ଼ ପଞ୍ଜାବୀ ପିନ୍ଧିଥିଵା ପ୍ରେମାନନ୍ଦ ପରିଡ଼ା ନିଜ ଚା’ କପ୍‌ଟା ତଳେ ରଖି ଏକ ଦୀର୍ଘଶ୍ୱାସ ଛାଡ଼ିଲେ। “ଆରେ, ଗତ ସତୁରି ଵର୍ଷରେ ତିଆରି ହୋଇଥିଵା ଦେଶଟାକୁ ତ ଏମାନେ ଧୀରେ ଧୀରେ ବିକି ଦେଲେଣି। ଆଉ ବାକି କ’ଣ ଥିଲା କି? ଏବେ ନୂଆ ଆଇନ କରି ଓଡ଼ିଶାର ହକ୍ ମାରି ଦିଲ୍ଲୀ ନିଜ ପକେଟ୍ ଗରମ କରିଵ। ଆମ ସରକାର ଥିଵା ସମୟରେ ଅନ୍ତତଃ ଏମିତି ଏକଚାଟିଆ ଶାସନ ନଥିଲା। ନେହରୁଙ୍କଠାରୁ ରାଜୀବ ଗାନ୍ଧୀଙ୍କ ଯାଏଁ ଆମ ଦେଶର ସେଵା କରି ଯାଇଛନ୍ତି । ଯାହା ହେଲେ ବି ଆମ ସରକାର ସମୟରେ ଗୋଟେ ଗଣତାନ୍ତ୍ରିକ ପ୍ରକ୍ରିୟା ଥିଲା, ରାଜ୍ୟମାନଙ୍କୁ ପଚରା ଯାଉଥିଲା, ଏବେ ତ ସବୁକିଛି ଉପରୁ ଲଦି ଦିଆଯାଉଛି!”

ପାଖରେ ବସିଥିଵା ହରିହର ପ୍ରଧାନଙ୍କ ମୁହଁ ଟିକେ ଶୁଖିଗଲା ଭଳି ଲାଗୁଥିଲା। ସେ କଥା ଛଡ଼ାଇ ନେଇ କହିଲେ, “ସତ କହିଲ ଭାଇ, ନଵୀନ ବାବୁଙ୍କ ସମୟରେ ଏସବୁ ଆଦୌ ହେଉନଥିଲା! ସେତେବେଳେ କେନ୍ଦ୍ର ଯେତେ ଚେଷ୍ଟା କଲେ ବି ରାଜ୍ୟର ଅଧିକାରକୁ ଏମିତି ଖୋଲାଖୋଲି ଛଡ଼େଇ ନେଇପାରୁନଥିଲା। ଏବେ ସୁପ୍ରିମକୋର୍ଟ ରାଜ୍ୟଗୁଡ଼ିକର କର ଲଗାଇଵା କ୍ଷମତା ସପକ୍ଷରେ ରାୟ ଦେଲା ପରେ ବି, ଏମାନେ ନୂଆ ନିୟମ ଆଣି ଆମ ଓଡ଼ିଶାର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଵାକୁ ବସିଲେଣି। ଯେଉଁ ଡି.ଏମ୍.ଏଫ୍ (DMF) ଟଙ୍କାରେ ଆମ ଖଣି ଅଞ୍ଚଳର ଵିକାଶ ହେଉଥିଲା, ତା’ ଉପରେ ବି ଏବେ ଦିଲ୍ଲୀର ହୁକୁମ୍ ଚାଲିଵ। ରାଜ୍ୟର ସ୍ୱାୟତ୍ତତା ବୋଲି ଆଉ କିଛି ରହିଲା କି?”

ଏସବୁ ଶୁଣି ଚୁପ୍‌ଚାପ୍ ଚା’ ପିଉଥିଵା ରାଜୁ ସାହୁ ମୁଣ୍ଡ ଟେକିଲେ। ଯୋଡ଼ା-ବଡ଼ବିଲ୍ ଖଣି ଅଞ୍ଚଳରେ ତାଙ୍କର କଣ୍ଟ୍ରାକ୍ଟର୍ କାମ ଥିଵାରୁ ସେ ଵିଷୟଟିକୁ ଟିକେ ଅଲଗା ଦୃଷ୍ଟିରୁ ଦେଖୁଥିଲେ। ସେ ହସିଦେଇ କହିଲେ, “ଆରେ ଭାଇମାନେ, ସବୁ କଥାରେ ଵିରୋଧ କଲେ ହେଵନି। ଦେଶ ଆତ୍ମନିର୍ଭର ହେଵ କେମିତି? ଆମେ କ’ଣ ସବୁଦିନେ ଚୀନ୍ ଉପରେ ଲିଥିୟମ୍ ଆଉ କୋବାଲ୍ଟ ପାଇଁ ନିର୍ଭର କରି ବସି ରହିଥିଵା କି ? କ୍ରିଟିକାଲ୍ ମିନେରାଲ୍‌ର ଖଣି ନିଲାମରେ କେନ୍ଦ୍ର ହସ୍ତକ୍ଷେପ କରୁଛି ମାନେ ନୁହେଁ ଯେ ସବୁ ରୟାଲଟି ଦିଲ୍ଲୀ ପଳେଇଵ। ଗୋଟେ ସ୍ୱଚ୍ଛ ଓ ପାରଦର୍ଶୀ ଵ୍ୟଵସ୍ଥା ଆସିଵ, ଆଉ ରାଜସ୍ୱର ବଡ଼ ଅଂଶ ତ ରାଜ୍ୟକୁ ହିଁ ମିଳିଵ ! କେଵଳ ‘ଦିଲ୍ଲୀ ଲୁଟି ନେଵ’ ବୋଲି କହି ମିଛରେ ଲୋକଙ୍କୁ ଭୟଭୀତ କରାଯାଉଛି।”

ପ୍ରେମାନନ୍ଦ ଟିକେ ଥମିଗଲେ। ହରିହର ପୁଣି ନିଜ ଯୁକ୍ତି ବାଢ଼ିଲେ, “ହେଲେ ରାଜ୍ୟ ଉପରେ ଜମି ଅଧିଗ୍ରହଣ, ପରିଵେଶ ମଞ୍ଜୁରୀ ଭଳି ଅତିରିକ୍ତ ବୋଝ ପଡ଼ିଵ, ଅଥଚ ନିଷ୍ପତ୍ତି ନେଵ କେନ୍ଦ୍ର ! ଏହା କି ପ୍ରକାର ନ୍ୟାୟ?”

ରାଜୁ ସିଧାସଳଖ ଉତ୍ତର ଦେଲେ, “ଦେଖନ୍ତୁ, ନିଲାମ କିଏ କଲା ସେଇଟା ବଡ଼ କଥା ନୁହେଁ। ବଡ଼ କଥା ହେଉଛି ପ୍ରକ୍ରିୟା ସ୍ୱଚ୍ଛ ହେଉଛି କି ନାହିଁ। ଦୁର୍ନୀତିମୁକ୍ତ ଵ୍ୟଵସ୍ଥାରେ ଉଭୟ ରାଜ୍ୟ ଓ ରାଷ୍ଟ୍ରର ଲାଭ। ଆଉ ବୋଝ କଥା ଯଦି ଉଠୁଛି, ତେବେ ଦେଶର ଵିକାଶ ପାଇଁ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ପଡ଼ିଵ—ଡବଲ୍ ଇଞ୍ଜିନ୍ ଭଳି କାମ କଲେ ଯାଇ ଉନ୍ନତି ହେବ।”

ଶକ୍ତିଭୂଷଣ ଚା’ କପ୍‌ଟା ହାତରେ ଧରି ତାଚ୍ଛଲ୍ୟରେ ହସିଲେ, “ହଁ, ସେ ଲାଭଟା କେଵଳ ସେଇ ବଡ଼ ବଡ଼ କମ୍ପାନୀ ବାଲାଙ୍କର ହେଵ, ଆଉ ଗରିବ ଖଟିଖିଆ ସେମିତି ମାଟି ତଳେ ଘାଣ୍ଟି ହେଉଥିବେ!”

ଚାଆଖଟିରେ କିଛିକ୍ଷଣ ନୀରବତା ଖେଳିଗଲା। ରାଜୁ ସ୍ମିତ ହାସ୍ୟ ଦେଇ କହିଲେ, “ଆଇନ କେବେ ପୂରା କଳା କି ଧଳା ହୁଏନାହିଁ, ତା’ର ପ୍ରଭାବ ସମୟ ହିଁ କହିଵ।”

ରଘୁଆ ଦୂରରୁ ଚିତ୍କାର କଲା, “ଆଉ କାହାର ଚା’ ଦରକାର?”

ହରିହର ଚା’ କପ୍‌ଟା ଉଠାଇ କହିଲେ, “ମୋର ଦିଅ ଗୋଟେ। ଏ ତର୍କ ଆଉ ଟିକେ ଲମ୍ବିଵ !”

ସମସ୍ତେ ହସିଦେଲେ। କିଛିକ୍ଷଣ ପୂର୍ଵରୁ ଯେଉଁ ଚାଆଖଟିରେ ଚାରିଟି ଭିନ୍ନ ରାଜନୈତିକ ଵିଚାରଧାରାରୁ ଚାରିଟି ଅଲଗା ସତ୍ୟ ଦେଖାଯାଉଥିଲା, ଏବେ ସେଠାରେ ଏକ ନୂଆ ପ୍ରଶ୍ନ ଜନ୍ମ ନେଇଥିଲା—ଖଣିଜ ସମ୍ପଦର ମାଲିକାନା କାହାର, ତା’ଠାରୁ ବଡ଼ କଥା ହେଉଛି ତା’ର ପ୍ରକୃତ ଲାଭ କାହା ପାଖକୁ ଯାଉଛି? କେହି ନିଜ ଜିଦ୍‌ରୁ ସମ୍ପୂର୍ଣ୍ଣ ଓହରିଲେ ନାହିଁ, କିନ୍ତୁ ସମସ୍ତେ ଅନ୍ତତଃ ଏତିକି ବୁଝିସାରିଥିଲେ ଯେ, ଖଣି ଭଳି ଜଟିଳ ଵିଷୟକୁ କେଵଳ ଗୋଟିଏ ରଙ୍ଗର ଚଷମାରେ ଦେଖିଲେ ସତ୍ୟର ଅଧା ହିଁ ଦେଖାଯାଏ।

ବରଗଛ ଉପରେ ବସିଥିଵା କାଉଟିଏ କା’ କା’ କରି ଉଡ଼ିଗଲା। ଚୁଲିରେ ଚା’ ପୁଣି ଫୁଟିଲା। ଆଉ ଚାଆଖଟିର ରାଜନୀତି? ସେଇଟା କାଲି ପୁଣି ଫୁଟିଵ।

No comments:

Post a Comment