My Blog List
Wednesday, September 13, 2023
•ଖଡ଼ିଆଳର ପ୍ରାଚୀନ ଓଡ଼ିଆ କଵି ଚୈତନ୍ୟ ଦାସ•
Saturday, September 11, 2021
ସାରା ଓଡ଼ିଶାର ପର୍ଵ ନୂଆଖାଇ
Wednesday, August 25, 2021
ପଶ୍ଚିମ ଓଡ଼ିଶାର ଲୁପ୍ତ ଖେଳ ଖମଖମାଲୋ
ଗଡ଼ଜାତ ଓଡ଼ିଶାରେ ପୂର୍ଵେ ‘ଖମଖମାଲୋ’ ବୋଲି ଏକ ଖେଳ ଖେଳାଯାଉଥିଲା । ସାଧାରଣତଃ ଏହା ପିଲାମାନଙ୍କର ଖେଳ ଏଵଂ ଖମ୍ବ ଵା ଖୁମ୍ବ ଏ ଖେଳର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥିଵାରୁ ଏହାର ନାମ ଖମଖମାଲୋ ରଖାଯାଇଥିଲା । ଏ ଖେଳର ଅନ୍ୟନାମ ଖମମଖାଲୁ ଓ ଖମଖମାଲି ଇତ୍ୟାଦି ରହିଥିଲା ।ସମ୍ବଲପୁର ଜିଲ୍ଲାରେ ଏ ଖେଳକୁ ଖମ୍ ଖମାଲି କୁହାଯାଉଥିଲା ବୋଲି କଥିତ ଓଡ଼ିଆ ଶବ୍ଦକୋଷରୁ ଜଣାଯାଏ ।
ଏହି ଖମ୍ ଶବ୍ଦଟି ସହିତ ତତ୍ସମ ସ୍ତମ୍ବ ଵା ସ୍ତମ୍ଭ ଏଵଂ ପ୍ରାକୃତ ଖଂଭ ଓ ଓଡ଼ିଆ ଖମ୍ବ ଶବ୍ଦ ସମୋଦ୍ଧୃତ ।
ଓଡ଼ିଶାରେ ତତ୍ସମ ସ୍ତମ୍ବ ଵା ସ୍ତମ୍ଭ ଶବ୍ଦର ଵିଭିନ୍ନ ରୂପ ପ୍ରଚଳିତ ଥିଲା ଏଵଂ ଏବେ ମଧ୍ୟ ରହିଛି । ଓଡ଼ିଶାରେ ସ୍ତମ୍ବ ଵା ସ୍ତମ୍ଭ ଶବ୍ଦ ଏକ ଦିଗରେ ଖମ୍ବ,ଖୁମ୍ବ,ଖମ୍,ଖମ ଓ ଖମା ହୋଇ ପ୍ରଚଳିତ ଥିଵା ବେଳେ ଅନ୍ୟ ଏକ ପକ୍ଷରେ ଏହାର ଏକ ସମୟରେ ଥମ୍ବ ଓ ଥମ୍ ରୂପ ପରିଵୃତ୍ତ ହୋଇ ମଧ୍ୟ ପ୍ରଚଳିତ ଅଛି ।
ପ୍ରାଚୀନ ଓଡ଼ିଆ ସାହିତ୍ୟରେ ମଧ୍ୟ ଖମ ଶବ୍ଦର ସ୍ତମ୍ଭ ଅର୍ଥରେ ଵ୍ୟଵହାର ଦୃଷ୍ଟିଗୋଚର ହୋଇଥାଏ
ଯଥା ବ୍ରହ୍ମନିରୂପଣ ଗୀତାରେ ଖମ ଶବ୍ଦର ଏମନ୍ତ ଵ୍ୟଵହାର ରହିଛି
“ଅଲେଖ ପ୍ରଭୂ ଏ ବ୍ରହ୍ମାଣ୍ଡରେ ମେରୁ ଖମ”
ସେହିପରି ଢେଙ୍କାନାଳ ଗଡ଼ଜାତ ତଥା ଓଡ଼ିଶାର ଅନ୍ୟ କେତେକ ଅଞ୍ଚଳରେ ଖମ୍ବ ପରିଵର୍ତ୍ତେ ଖୁମ୍ବ ଶବ୍ଦର ଵ୍ୟଵହାର ପ୍ରଚଳିତ ଅଛି । ସାହିତ୍ୟରେ ମଧ୍ୟ ଖୁମ୍ବ ଶବ୍ଦ ଵ୍ୟଵହାରର ଉଦାହରଣ ରହିଛି
ଯଥା —
“ଆବର ରତନର ପୁର ।
ଖୁମ୍ବ ନ ଥାଇ ସେ ତିଆର ।।
ଆଡ଼ଦୀର୍ଘ ତା ନୋହେ କଳି ।
ମଧ୍ୟେ ଅଛଇ ରାସସ୍ଥଳି ।।”
(ରାଧାଷ୍ଟମୀ ଵ୍ରତ,କ୍ଷେତ୍ରମୋହନ)
ଓଡ଼ିଶାର କେତେକ ଅଞ୍ଚଳରେ ଖମା ଶବ୍ଦଟି ମଧ୍ୟ ଖୁଣ୍ଟ ଅର୍ଥରେ ଵ୍ୟଵହାର ହୋଇଥାଏ ବୋଲି କଥିତ ଓଡ଼ିଆ ଶବ୍ଦକୋଷର ଉଲ୍ଲେଖରୁ ଜଣାଯାଏ ।
ସେହିପରି ସ୍ତମ୍ବ ଶବ୍ଦର ଅନ୍ଯ ଏକ ଓଡ଼ିଆ ରୂପ ଥମ୍ବର ଵ୍ୟଵହାର କଵି ପ୍ରତାପ ରାୟ ତାଙ୍କ ଶଶିସେଣା କାଵ୍ୟରେ ପ୍ରୟୋଗ କରିଅଛନ୍ତି
“ଥମ୍ବ ପ୍ରତିମା ପ୍ରାୟେକ ବେନି ବାମା
ନ ପାରନ୍ତି କଥା କହି।”
ଆଜି ବି ମାଲକାନଗିରିରେ ଥମ୍ ତଥା ଜଗତସିଂହପୁର ଜିଲ୍ଲାରେ ଥମ୍ବ ଶବ୍ଦର ଵ୍ୟଵହାର ସ୍ତମ୍ଭ ଅର୍ଥରେ ହେଉଥିଵା କଥିତ ଓଡ଼ିଆ ଶବ୍ଦକୋଷରେ ଉଲ୍ଲେଖ କରାଯାଇଛି ।
ତେଣୁ ଖମ୍ବ ଦ୍ଵାରା ଖେଳାଯାଉଥିଵାରୁ ଗଡ଼ଜାତର ଏହି ଖେଳକୁ ଖମଖମାଲୋ,ଖମଖମାଲୁ ଓ ଖମଖମାଲି ଇତ୍ୟାଦି କୁହାଯାଉଥିଲା ।
ଏହା ଥିଲା ଏକ ଆବଦ୍ଧପ୍ରାଙ୍ଗଣର କ୍ରୀଡ଼ା କିନ୍ତୁ ଯଦି ଖୋଲା ପଡ଼ିଆରେ ଯେଉଁଠି ଚାରି ଵା ତତୋଧିକ ବଡ଼ ଖୁଣ୍ଟ ପୋତା ହେଉଥିଲା କିଂଵା ଆମ୍ବ ତୋଟାରେ ଲଗାଲଗି ହୋଇ ବଡ଼ ଵୃକ୍ଷ ରହୁଥିଲା ସେଠାରେ ମଧ୍ୟ ପିଲାଏ ଏ ଖେଳ ଖେଳୁଥିଲେ । କେହି କେହି ଏ ଖେଳକୁ ଘରର ଚାରି କୋଣକୁ ଆଧାର କରି ଖେଳୁଥିଵାର ମଧ୍ୟ ଜଣାଯାଏ । କିନ୍ତୁ ପୂର୍ଵକାଳରେ ସାଧାରଣତଃ ଗୁହାଳ ଘରେ ଚାରିଗୋଟି ଖୁମ୍ବ ରହୁଥିଵାରୁ ଏହି ଖମଖମାଲୋ ଖେଳ ସେଠାରେ ଅଧିକ ଖେଳାଯାଉଥିଲା ।
ଖମଖମାଲୋ ଖେଳରେ ଉଭୟ ପୁଅ ପିଲା ଓ ଝିଅପିଲା ଅଂଶଗ୍ରହଣ କରିପାରୁଥିଲେ । ଖେଳାଳିଙ୍କ ଵୟସ ସୀମା ତିନିରୁ ଦଶ ଵର୍ଷ ଵୟସ ଭିତରେ ସୀମିତ ରହୁଥିଲେ ହେଁ ବେଳେବେଳେ ଏଥିରେ ବଡ଼ ନାନୀ ଭାଇମାନେ ଯୋଗ ଦେଉଥିଵାର ଦେଖାଯାଉଥିଲା ।
ଏହି ଖେଳ ସାଧାରଣତଃ ଘରେ କିଂଵା ଗୁହାଳଘରେ ଖେଳାଯାଉଥିଵାରୁ ଘରେ ପିତାଙ୍କ ଅନୁପସ୍ଥିତିରେ କିଂଵା ଗୁହାଳରେ ଗାଈ ଗୋରୁ ନଥିଵା ସମୟରେ ହିଁ ଏହି ଖେଳ ଖେଳାଯାଉଥିଲା ।
ଗୁହାଳରେ ଥିଵା ଖମ୍ବ ଆଧାରରେ ଖେଳାଳି ଭାଗ ନେଉଥିଲେ । ସାଧାରଣତଃ ଗୁହାଳଗୁଡି଼କରେ ଚାରିଗୋଟି ଖମ୍ବ ରହୁଥିଲା ଘରେ ମଧ୍ୟ ଚାରିଗୋଟି କୋଣ ରହିଥାଏ ତେଣୁ ଏ ଖେଳରେ ଚାରିଗୋଟି ଖମ୍ବ ଵା କୋଣ ଆଧାରରେ ଚାରିଜଣ ସାଧାରଣ ଖେଳାଳି ଓ ଜଣେ ମାଈ ଖେଳାଳି ଯୋଗ ଦେଉଥିଲେ ।
ଚାରିଜଣ ସାଧାରଣ ଖେଳାଳି ଗୁହାଳର ଚାରିଗୋଟି ଖମ୍ବ ଵା ଘରର ଚାରୋଟି କୋଣକୁ ଧରି ରହୁଥିଲେ ଏଵଂ ମାଈ ଖେଳାଳି ସେମାନଙ୍କ ମଝିରେ ଗୋଟିଏ ଗୋଲାଇ ଭିତରେ ରହି ଗୀତ ବୋଲୁଥିଲା ।
ଯଦି ଖମ୍ବ ,ଗଛ ଵା ଘରର କୋଣଠାରୁ ଖେଳାଳୀ ସଂଖ୍ୟା କମ୍ ରହୁଥିଲା ତାହେଲେ ତହିଁରୁ ଗୋଟିଏ ଦୁଇଟି ଖମ୍ବ,କୋଣ ଵା ଗଛ ଵାଦ୍ ଦିଆଯାଉଥିଲା ।
ଖେଳାଳୀମାନଙ୍କ ଭିତରୁ ଯେଉଁ ଖେଳାଳି ମଝିରେ ଗୋଲେଇ ଘାଇ ମଧ୍ୟରେ ରହୁଥିଲା ତାକୁ ‘ମାଇ’ କୁହାଯାଉଥିଲା କିନ୍ତୁ ଗଡ଼ଜାତରେ ଏହି ମାଈ ଖେଳାଳିକୁ ‘ଖମଖମାଲୋ ଗୀତ’ ଗାଇଵାକୁ ପଡୁ଼ଥିଲା ।
“ଖମଖମାଲୋ
ବାଏଗନ୍ ମାଲୋ
ମଝିର ଖମକେ ଛାଡ଼ିଦେ
ମଝିର ଖମକେ ଛାଡ଼ିଦେ
ବିଲ୍ ବିଲାଲେ
ଆମୁଲ୍ କୁଲେ
ନନିର ଟୁଁଡ଼େ ଭରି ଦେ
ନନିର ଟୁଁଡେ଼ ଭରିଦେ।।”
ପୁଣି କେଉଁଠି କେଉଁଠି ଏ ଗୀତ ଆହୁରି ସହଜ ହୋଇ ଗାୟନ ହେଉଥିଲା...
“ଖମ୍ ଖମାଲୋ
ବାଏଗନ୍ ମାଲୋ
ମୋର ଖମ୍ କେ ଛାଡି଼ ଦେ
ମୋର୍ ଖମ୍ କେ ଛାଡି଼ଦେ”
‘ମାଇ’ ଖେଳାଳି ଏହି ଗୀତ ଗାଉଥିଵା ସମୟରେ ଅନ୍ୟ ଖେଳାଳୀ ସବୁ ପରସ୍ପର ଖମ୍ବ ଅଦଳବଦଳ କରୁଥିଲେ ।
ଚାରିଗୋଟି ଗଛ,ଖମ୍ବ ଵା କୋଣକୁ ଧରି ରହିଥିଵା ଖେଳାଳିମାନଙ୍କ ଦ୍ଵାରା ଖମ୍ବ,କୋଣ ଵା ଗଛ ଅଦଳବଦଳ ସମୟରେ ଯଦି ମଝିରେ ଛିଡ଼ା ହୋଇ ଗୀତ ବୋଲୁଥିଵା ‘ମାଇ’ ଖେଳାଳୀ ସେମାନଙ୍କ ମଧ୍ୟରୁ କାହାକୁ ଛୁଇଁ ଦେଉଥିଲା ତେବେ ସେହି ଖେଳାଳୀ ଜଣକ ‘ମାଇ’ ହେଉଥିଲା । ମାତ୍ର ଯଦି ‘ମାଇ’ ଖେଳାଳି ଅନ୍ୟ ଖେଳାଳିକୁ ଛୁଇଁଵା ସମୟରେ ଘାଇରୁ ବାହାର ହୋଇ କାହାକୁ ଛୁଉଁଥିଲା କିଂଵା ରାହା ନପାଇଵାରୁ ଵା ଅନ୍ୟ କାରଣରୁ ଖମଖମାଲୋ ଗୀତ ଗାଇଵା ବନ୍ଦ କରିଦେଇ କାହାକୁ ଛୁଇଁ ଦେଉଥିଲା ତେବେ ସେହି ଛୁଆଁକୁ ଗଡ଼ରେ ଗଣନା କରାଯାଉନଥିଲା ଏଵଂ ଆଉଥରେ ଖେଳ ଆରମ୍ଭ ହେଉଥିଲା । ଏହିପରି ଏହି ଖମଖମାଲୋ ଖେଳ ଘଣ୍ଟାଏରୁ ଦେଢ଼ ଘଣ୍ଟାଯାଏଁ ଖେଳାଯାଉଥିଲା ।
ଭାରତର ଅନ୍ୟ ଖେଳଗୁଡି଼କ ପରି ଏ ଖେଳରେ ମଧ୍ୟ ଗୁହିଁ ଵା ଗୁନ୍ଧୁରୀ ହେଲେ ଅର୍ଥାତ୍ ଗୋଳ ହେଲେ ଖେଳରେ ଗୁନ୍ଧୁରୀ କରିଥିଵା ଖେଳାଳିଙ୍କୁ ଵାଦ୍ ଦିଆଯାଇ ମଝିରେ ନୂଆ ଖେଳାଳିଙ୍କୁ ଖେଳାଯାଉଥିଲା ।
ଏ ଖେଳ ସାଧାରଣତଃ ଆଵଦ୍ଧ ଘରେ ଓ ଗୁହାଳରେ ଖେଳାଯାଉଥିଵାରୁ ଅଵିଭାଵକ ଓ ସମଵୟସ୍କ ପିଲାଏ ଦର୍ଶକ ହୋଇ ଖେଳକୁ ଉପଭୋଗ କରିପାରୁଥିଲେ ।
ସମୟ ସହ ଏ ଖେଳ ଅଧୁନା ଓଡ଼ିଶାରୁ ଲୁପ୍ତ ହୋଇ ସାରିଛି କିନ୍ତୁ ଆଜି ମଧ୍ୟ ଘର କୋଣ ଵା ସ୍ତମ୍ଭ ଓ ଲଗାଲଗି ଉଠିଥିଵା ଆମ୍ବଗଛ ପୂର୍ଣ୍ଣ ଆମ୍ବ ତୋଟା ଵା ଜଙ୍ଗଲର ଗଛମୂଳରେ ମଧ୍ୟରେ ଏ ଖେଳ ଖେଳାଯାଇପାରେ ।
ଆଧୁନିକ ଯୁଗରେ ଦୂରଦର୍ଶନ , ମୋବାଇଲ ଆସିଵା ଦିନଠାରୁ ଅନେକ ଭାରତୀୟ କ୍ରୀଡ଼ା ଵର୍ତ୍ତମାନ ଲୁପ୍ତ ହୋଇଯାଇଅଛି । ଖମଖମାଲୋ ଖେଳ ମଧ୍ୟ କାଳ ଆଗରେ ପରାଜିତ ହୋଇ ଆଜି ମୃତ ହୋଇ ସାରିଛି । ଅସ୍ତୁ, ଓଡ଼ିଶାର ଲୋକେ ଵିଶେଷ ଉତ୍ସଵାଦିରେ ଏହି ଖେଳର ପ୍ରତିଯୋଗିତା ଆୟୋଜନ କରି ଏହାକୁ ଯଦି ବଞ୍ଚାଇଵାକୁ ଚେଷ୍ଟା କରନ୍ତେ ତେବେ ହୁଏତ ଏ ଖେଳଟି କେଵଳ ବହି ଓ ପୁରୁଣା ଲୋକଙ୍କ ସ୍ମତି ମଧ୍ୟରେ ସୀମିତ ନରହି ଆଉ ଥରେ ପୁନଃ ପ୍ରଚଳିତ ହୋଇପାରନ୍ତା ।
⚫⚫⚫⚫⚫⚫⚫⚫⚫⚫⚫⚫⚫
🟠—ତଥ୍ୟ ଉତ୍ସ—🟠
କ) ପଶ୍ଚିମ ଓଡ଼ିଶାର ପାରମ୍ପାରିକ ଖେଳ;ଏକ ଲୋକତାତ୍ତ୍ଵିକ ଅଧ୍ୟୟନ— ଶ୍ରୀସଞ୍ଜୟ କୁମାର ବାଗ୍
ଖ) କଥିତ ଓଡ଼ିଆ ଶବ୍ଦକୋଷ— ଓଡ଼ିଆ ଭାଷା ପ୍ରତିଷ୍ଠାନ
ଗ) ସମ୍ବଲପୁରୀ ଓଡ଼ିଆ ଶବ୍ଦକୋଷ— ଶ୍ରୀ ସନ୍ତୋଷ ତ୍ରୀପାଠୀ
ଘ) ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ— ଶବ୍ଦଗୁରୁ ଶ୍ରୀଗୋପାଳ ଚନ୍ଦ୍ରପ୍ରହରାଜ
⚫⚫⚫⚫⚫⚫⚫⚫⚫⚫⚫⚫⚫
Sunday, August 8, 2021
🔵🔵ଓଡ଼ିଶା ଓ ଶ୍ରାଵଣ ଅମାଵାସ୍ୟା 🔵🔵
ଶ୍ରାଵଣ ଅମାଵାସ୍ୟାକୁ ଓଡ଼ିଶାରେ ଚିତଉ ଅମାଵାସ୍ୟା ଵା ଚିତାଲାଗି ଅମାଵାସ୍ୟା କୁହାଯାଏ । ଓଡ଼ିଆ ଭାଷାରେ ଚିତାଲାଗି ହେଵା କ୍ରିୟାର ଅର୍ଥ "ଦେହରେ ଚନ୍ଦନ ବୋଳି ହେଵା" କିନ୍ତୁ ଶ୍ରୀମନ୍ଦିରରେ ସ୍ନାନପୂର୍ଣ୍ଣିମା ରାତିରେ ତିନିଠାକୁରଙ୍କୁ ଅଣସର ଘରେ ଯେଉଁ ରତ୍ନ ଅଳଙ୍କାର ଵିଶେଷ ହୀରା,ଲୀଳା ଓ ମାଣିକ୍ୟ ଚିତା ଉଲାଗି ହୋଇଥାଏ ତାହା ଆଜିର ଦିନରେ ଲାଗି ହେଉଥିଵାରୁ ଶ୍ରାଵଣ ଅମାଵାସ୍ୟାର ନାମକରଣ ଚିତାଲାଗି ଅମାଵାସ୍ୟା ହୋଇଅଛି ।
ଠାକୁରମାନେ ଏହି ରତ୍ନଖଚିତ ସୁନାଚିତାମାନ ଏହିଦିନ ଶ୍ରୀମନ୍ଦିରର ରତ୍ନବେଦୀରେ ପିନ୍ଧନ୍ତି ଏଵଂ ତାହା ଅତ୍ୟନ୍ତ ଦୁର୍ମୂଲ୍ୟ ଅଟଇ । ଶ୍ରୀଜଗନ୍ନାଥଙ୍କ ରତ୍ନଚିତାକୁ ‘ହୀରାଚିତା’ କୁହାଯାଏ । ଏହି ଚିତା ମଝିରେ ନାୟକ ଭାବରେ ଗୋଟିଏ ବଡ଼ ହୀରା ଖଞ୍ଜା ଯାଇଛି। ତାହାର ରଙ୍ଗ ଧଳା ହୋଇଥିବାରୁ ତାହାର ଅନ୍ୟନାମ ‘ଧଳାଚିତା’। ଶ୍ରୀବଳଭଦ୍ରଙ୍କ ରତ୍ନଚିତାକୁ ‘ନୀଳାଚିତା’ କୁହାଯାଏ । ସେଥିରେ ନାୟକ ଭାବରେ ଗୋଟିଏ ବଡ଼ ମର୍କତ ମଣି ଖଞ୍ଜା ଯାଇଥାଏ । ଏହି ନୀଳାଚିତା ସବୁଜ ରଙ୍ଗର ହୋଇଥାଏ ଏଵଂ ଏହି ରତ୍ନଚିତାରେ ଗୋଟିଏ ନୀଳା ଖଚିତ ହେଉଥିଵାରୁ ଏହାକୁ ‘ନୀଳାଚିତା’ କୁହାଯାଏ । ଦେଵୀ ସୁଭଦ୍ରାଙ୍କ ରତ୍ନଚିତାକୁ ‘ମାଣିକ୍ୟଚିତା’ ଓ ‘ନାଲିଚିତା’ କହିଥାନ୍ତି । ଶ୍ରୀବଳଭଦ୍ରଙ୍କ ରତ୍ନଚିତା ପରି ଏହି ମାଣିକ୍ୟଚିତାରେ ମଧ୍ୟ ନାୟକ ଭାଵରେ ରହିଛି ଗୋଟିଏ ବଡ଼ ମର୍କତ ମଣି ।
ସ୍ନାନପୂର୍ଣ୍ଣମୀରେ ସ୍ନାନବେଦୀରେ ଠାକୁରମାନେ ସ୍ନାନ କରିଵାବେଳେ ଏହି ରତ୍ନଖଚିତ ସୁନାଚିତା ସେମାନଙ୍କର ମସ୍ତକରେ ଥାଏ। କିନ୍ତୁ ହାତୀବେଶ ଉଲାଗି ହୋଇ ଅଣସର ଘରକୁ ଯିଵା ପରେ ସେହି ଚିତାଯାକ ଓହ୍ଲାଇ ଆଣି ସୁରକ୍ଷିତ ରଖିଦିଆଯାଏ । ଅଣସର ପରେ ନଵ ଯୌଵନ ଦର୍ଶନ , ରଥରେ ଶ୍ରୀଗୁଣ୍ଡିଚା ଯାତ୍ରା କରିଵା ବେଳେ, ସେମାନଙ୍କର ମସ୍ତକରେ ସ୍ବତନ୍ତ୍ର ଭାବରେ ସୋଲରେ ତିଆରି କାରୁକାର୍ଯ୍ୟପୂର୍ଣ୍ଣ ଚିତା ଲାଗି କରାଯାଏ। ନୀଳାଦ୍ରି ବିଜେରେ ରତ୍ନସିଂହାସନକୁ ଲେଉଟିଵା ପରେ ମଧ୍ୟ ଏହି ରତ୍ନଚିତା ଲାଗି କରାଯାଇନଥାଏ । ଚିତାଲାଗି ଅମାବାସ୍ୟା ଦିନ ହିଁ ଏହା ଲାଗି କରାଯାଏ। ଏହିକାରଣରୁ ଶ୍ରାଵଣ ଅମାଵାସ୍ୟାକୁ ଓଡ଼ିଶାରେ ଚିତାଲାଗି ଅମାଵାସ୍ୟା କହିଥାନ୍ତି ।
ଶ୍ରାଵଣ ମାସର ଅମାଵାସ୍ୟା ତିଥିକୁ ‘ଚିତଉ ଅମାଵାସ୍ୟା’ ମଧ୍ୟ କହିଥାନ୍ତି କାରଣ ଏହିଦିନ ଶ୍ରୀମନ୍ଦିରରେ ଚିତଉପିଠା ଓ ‘ଘିଉଡି ପିଠା’ ଭୋଗ ହୋଇଥାଏ । ଶ୍ରୀମନ୍ଦିରରେ ଏହି ଧରଣର ଭୋଗକୀ ପର୍ଵଣି ଭୋଗ କହିଥାନ୍ତି ।
ସାଧାରଣତଃ ବଡ଼ ଦେଉଳରେ ବଡ଼ ଓ ଛୋଟ ଦୁଇପ୍ରକାରର ଚିତଉ ଭୋଗ ଲାଗି ଥାଏ ।
ଓଡ଼ିଶାର ଗୃହସ୍ଥମାନେ ମଧ୍ୟ ଏହିଦିନ ଚିତଉ ପିଠା କରି ଇଷ୍ଟଙ୍କୁ ଭୋଗ କରାଯାଏ । କେତେକ ଅଞ୍ଚଳରେ ଏହି ପିଠା ଧାନ କ୍ଷେତରେ ଓ ପୋଖରୀ ଗାଡ଼ିଆରେ ଗେଣ୍ଡାମାନଙ୍କୁ ମଧ୍ୟ ଦିଆଯାଏ । ଓଡ଼ିଶାରେ ଲୋକଵିଶ୍ଵାସ ପ୍ରଚଳିତ ଯେ ଗେଣ୍ତା- ଶାମୁକାଙ୍କ ଦେଵତା ଗେଣ୍ତେଇଶୁଣୀଙ୍କୁ ଚିତଉ ଅମଵାସ୍ଯା ଦିନ ଚିତଉ ପିଠା ଦେଲେ ଗେଣ୍ଡାମାନେ ମନୁଷ୍ୟମାନଙ୍କୁ କାମୁଡି଼ବେ ନାହିଁ ।
ଓଡ଼ିଶାର କେତେକ ଗ୍ରାମାଞ୍ଚଳରେ ଆଜି ମଧ୍ୟ ସ୍ତ୍ରୀଲୋକମାନେ ପୋଖରୀ ତୁଠକୁ ଯାଇ ଗେଣ୍ତେଇଶୁଣୀଙ୍କ ନାମ ଧରି ଖଣ୍ତେ ପିଠା ପାଣିକୁ ପକେଇ ଦେଇ ଆସନ୍ତି । ଗେଣ୍ତେଇଶୁଣୀ ଚିତଉ ପିଠା ଲାଞ୍ଚ ଖାଇ ପିଷ୍ଟକଦାତ୍ରୀ ଓ ତାଙ୍କର ଆତ୍ମୀଯମାନଙ୍କ ଗୋଡ଼କୁ କାଟିବେ ନାହିଁ ଏହି ଆଶା ଓ ଵିଶ୍ଵାସ ଘେନି ବହୁ ପ୍ରାଚୀନ କାଳରୁ ଗେଣ୍ଡାମାନଙ୍କୁ ଚିତାଲାଗି ଅମାଵାସ୍ୟା ଦିନ ଚିତଉପିଠା ଦେଵାର ପ୍ରଥା ଚଳି ଆସୁଅଛି । କେତେକ ଅଞ୍ଚଳରେ ଏହାକୁ ସ୍ଵତନ୍ତ୍ର ଭାବେ "ଗେଣ୍ଡେଇକଟା ଓଷା" ମଧ୍ୟ କୁହାଯାଏ । ସେହିପରି ବାଲେଶ୍ୱର, ମୟୁରଭଞ୍ଜ ଓ କେଉଁଝର ଆଦି ଅଞ୍ଚଳରେ ଏହି ପର୍ଵକୁ "ଗେଣ୍ଡାକଟା ଅମାଵାସ୍ୟା" କୁହାଯାଏ ।
ପୋଖରୀରେ ଗେଣ୍ଡେଇଶୁଣୀଙ୍କୁ ପିଠା ଅର୍ପଣ କରି ଓଡ଼ିଶାର ମହିଳାମାନେ ଗେଣ୍ଡେଇଶୁଣୀଙ୍କ ଉଦ୍ଦେଶ୍ୟରେ କୁହନ୍ତି...
“ଗେଣ୍ଡେଇଶୁଣି ଲୋ ଗେଣ୍ଡେଇଶୁଣି
ମୋ ଗୋଡ଼ କାଟିବୁ ନାହିଁ,
ମୋ ବାପା ଗୋଡ଼ କାଟିବୁ ନାହିଁ,
ମୋ ବୋଉ ଗୋଡ଼ କାଟିବୁ ନାହିଁ,
ଭାଇ ଗୋଡ଼ କାଟିବୁ ନାହିଁ ।
ଆମ ଫସଲ କାଟିବୁ ନାହିଁ ।”
ଵୈଜ୍ଞାନିକ ଦୃଷ୍ଟିକୋଣରୁ ବର୍ଷାଋତୁର ଆରମ୍ଭ ସମୟରେ ଗେଣ୍ଡାମାନଙ୍କର ପ୍ରଜନନର ଋତୁ । ବର୍ଷା ଋତୁ ଧାନ ଫସଲର ଅଭିବୃଦ୍ଧିର ସମୟ, ବିଲରେ ଗେଣ୍ଡା ଯୋଗୁଁ ଗୋଡ଼ କାଟି ହୋଇ କ୍ଷତି ହୋଇଥାଏ ଏଣୁ ଏହି ସମ୍ବାଵନାକୁ ଏଡ଼େଇଵା ନିମନ୍ତେ ଚିତଉ ପିଠାକୁ ସାରୁ ପତ୍ରରେ ରଖି ଗେଣ୍ଡା ମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଜଳାଶ୍ରୟରେ ଭସାଯାଇଥାଏ । ସମ୍ଭଵତଃ ଏହିକାରଣରୁ ପୂର୍ଵକାଳରେ ଧାନଗଛର ସୁରକ୍ଷା ନିମନ୍ତେ ଆମ ପୂର୍ଵଜ ଏଭଳି ଏକ ସାଂସ୍କୃତିକ ପଦକ୍ଷେପ ଗ୍ରହଣ କରିଥିଲେ ।
ଆଜି ଓଡ଼ିଶାର ନଗରାଞ୍ଚଳର, ସୀମାନ୍ତ ଓଡ଼ିଶାର ଲୋକ ପାଶ୍ଚାତ୍ୟାଭିମୁଖୀ ହୋଇ ଏଵଂ ଉତ୍ତର ଓ ଦକ୍ଷିଣ ଭାରତୀୟ ଲୋକଙ୍କ ପରମ୍ପରାଦ୍ଵାରା ପ୍ରଭାଵିତ ହୋଇ ଓଡ଼ିଶାର ମୌଳିକ ଖାଦ୍ୟ ଓ ସଂସ୍କୃତିଠାରୁ କ୍ରମଶଃ ଦୂରେଇ ଯାଉଛନ୍ତି । ଏଭଳି ଓଡ଼ିଆ ବଂଶୋଦ୍ଭଵ ସମ୍ଭଵତଃ ନିଜ ଜୀଵନରେ କେବେ ଚିତଉ ପିଠା ଦେଖି ନଥିବେ କି ଖାଇ ନଥିବେ । ତେବେ ଚିତଉ ପିଠା କରିଵାର ଵିଧି ସହଜ । ଚାଉଳକୁ ବାଟି ପିଠଉ କରି ସେଥିରେ ନଡ଼ିଆ ମିଶାଇ ସେହି ପିଠଉକୁ ନିଆଁଉପରେ ପଲମ ଵା ତେଲଉଣିରେ ଢ଼ାଳି ତା ଉପରେ ଗୋଟିଏ ସରା ଘୋଡ଼ାଇ ଦିଆଯାଏ ଏଵଂ ସରା ଉପରେ ପାଣିଛିଞ୍ଚାଯାଏ । ଏ ପିଠା ବାଷ୍ପଦ୍ବାରା ସିଦ୍ଧ ହୋଇଥାଏ ଫଳତଃ ଏହାର ଦେହଯାକ ଛିଦ୍ରଯୁକ୍ତ ହୋଇଥାଏ ଓ ଉପର ପାଖ ଫୁଲିଯାଏ । କେହି କେହି ଗୃହରେ ଚିତଉ ପିଠା କଲାବେଳେ ତହିଁରେ ଗୁଡ଼ ଓ ଦୁଗ୍ଧ କିଂଵା ଦଧି ଆଦି
ମଧ୍ୟ ମିଶାଇଥାନ୍ତି । ଚିତଉ ପିଠାର ନାମଟି ତତ୍ସମ ଚିତ୍ର , ଚିତ୍ରକ ଵା ଚତ୍ରଗୂ ଶବ୍ଦ ସହ ସମ ମୂଳରୁ ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି ।ଚିତ୍ର ଶବ୍ଦର ଏକ ଅର୍ଥ ଚିହ୍ନ ଵା ଦାଗ ଓ ଛାପିଛାପିକିଆ ଚିହ୍ନ ଏଵଂ ଯେଉଁଥିରେ ଏଭଳି ଦାଗ ଥାଏ ତାକୁ ଚିତ୍ରକ କୁହାଯାଏ । ଚିତଉ ପିଠାରେ ଫୋଡ଼ାଫୋଡ଼ି ଦାଗ ହୋଇଥିଵାରୁ ଏଭଳି ନାମକରଣ ହୋଇଥିଵା ସମ୍ଭଵ । ଚିତାଲାଗି ଅମାଵାସ୍ୟା ଛଡ଼ା ଏହି ଚିତଉ ପିଠା କୌଣସି ସ୍ତ୍ରୀ ଗର୍ଭଵତୀ ହେଲେ ଗର୍ଭସଞ୍ଚାରର ସାତମାସ ପରେ ତାହାର ବାପଘରୁ ଓ ବନ୍ଧୁବାନ୍ଧବମାନଙ୍କ ଘରୁ ଶଙ୍ଖୁଳା ଭାବେ ପଠାଯାଇଥାଏ । ଗର୍ଭିଣୀର ଭକ୍ଷଣେଚ୍ଛା ଯୋଗୁଁ ସାଦରୁ , ସ୍ଵାଦିଷ୍ଟ ଖାଦ୍ୟ ଦିଆଯାଉଥିଵାରୁ ସ୍ବାଦରୁ କିଂଵା ଶ୍ରଦ୍ଧାରେ ଦିଆଯାଇଥାଏ ବୋଲି ଶାଧଖିଆ ତଥା କେତେକ ଅଞ୍ଚଳରେ ମୁଖ୍ୟତଃ ଚିତଉପିଠା ଦିଆଯାଉଥିଵାରୁ ଏହି ଶଙ୍ଖୁଳା ଭାରକୁ 'ଚିତଉଖିଆ' କୁହାଯାଏ ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ଶ୍ରାଵଣମାସର ଚିତଉ ଅମାଵାସ୍ଯା ଦିନ ସମ୍ବଲପୁର ଅଞ୍ଚଳରେ କାଦୋବରିଷ୍ଟ ନାମରେ ଗୋଟିଏ ପର୍ଵ ପାଳନ କରାଯାଉଥିଲା ଏଵଂ ସମ୍ଭଵତଃ ଏ ପର୍ଵ ଅଧୁନା ଲୁପ୍ତ ।
ପଶ୍ଚିମ ଓଡ଼ିଶାର ଗ୍ରାମାଞ୍ଚଳଗୁଡ଼ିକରେ ଶ୍ରାଵଣ ମାସର ଉଁଆସକୁ "ଟଣ୍ଡେଇମାନଙ୍କର ରାଏତ୍" ବୋଲି ମଧ୍ୟ କୁହାଯାଏ । ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ଡାହାଣୀମାନଙ୍କୁ ଟଣେଇ,ଅଵିଭକ୍ତ ହୀରାଖଣ୍ଡରେ ଟଣ୍ଟେଇ,ଟଣ୍ଡେଇ ଓ ଟଣ୍ଢେଇଁ ଆଦି କୁହାଯାଏ । ସମ୍ଭଵତଃ ନକାରାତ୍ମକ ଶକ୍ତି ବଳରେ ଜୀଵକୁ ନିଜପାଖକୁ ଟାଣି ଆଣିପାରୁଥିଵାରୁ କିଂଵା ତଣ୍ଟିରେ ପାଟି ଲଗାଇ ରକ୍ତ ପିଉଥିଵାରୁ ଡାହାଣୀମାନଙ୍କର ଏଭଳି ନାମକରଣ ହୋଇଛି ।
ଲୋକଵିଶ୍ଵାସ ଅନୁସାରେ ପଶ୍ଚିମ ଓଡ଼ିଶା ଵିଶେଷତଃ କୁଆଁରୀ ପାଟଣା ଵା ଆଧୁନିକ ପାଟଣାଗଡ଼ ଏକଦା ଗୁଣି ଗାରେଡ଼ି ତନ୍ତ୍ର ସାଧନା ପାଇଁ ଖ୍ୟାତ ଥିଲା । ଏଠାରେ କେତୋଟି ନିର୍ଦ୍ଧିଷ୍ଟ ତିଥିରେ ଵିଶେଷ ତନ୍ତ୍ର ସାଧନା ହେଉଥିଲା ତନ୍ମଧ୍ୟରୁ ଶ୍ରାଵଣ ଅମାଵାସ୍ୟା ଅନ୍ୟତମ । ଏଣୁ ଶ୍ରାଵଣ ଅମାଵାସ୍ୟାର ରାତ୍ରିକୁ ଗୁଣି ଗାରେଡି, ଡ଼ାହାଣି ବିଦ୍ୟା ତନ୍ତ୍ର ସାଧାନାର ସିଦ୍ଧି ପ୍ରାପ୍ତିର ନିଶାରାତି ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଜି ବି ଵିଶ୍ୱାସ ରହିଛି । ଚତାଲାଗି ଅମାଵାସ୍ୟା ଦିନ ପଶ୍ଚିମ ଓଡ଼ିଶାର ଗ୍ରାମାଂଚଳ ଗୁଡ଼ିକରେ ଗ୍ରାମଦେଵୀ ପୂଜା କରାଯାଇଥାଏ ଏଵଂ ପୁରାତନ ପ୍ରଥା ଅନୁସାରେ ଗ୍ରାମଦେଵୀଙ୍କ ନିକଟରେ ଚିତାଲାଗି ଅମାବାସ୍ୟା ଦିନ ବୋଦା, କୁକୁଡ଼ା, ପାରା ଆଦି ବଳି ଦିଆଯାଏ । ସ୍ଥାନୀୟ ଲୋକେ ଚାଷ କାମ ସାରିଵା ପରେ ଭଲ ଚାଷ ଅମଳ ତଥା ଗ୍ରାମରେ ସୁଖ ଶାନ୍ତି ବଜାୟ ରଖିଵାକୁ ନେଇ ଗ୍ରାମଦେଵୀଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି । ଏ ଅଞ୍ଚଳରେ ଶ୍ରାଵଣ ଅମାବାସ୍ଯା ଦିନ ଗ୍ରାମର ଗାଈ ଚରାଇଵା ଗଉଡ଼ ଲୋକ ଶତାଵରୀ ଡାଳ ଆଣି ଗ୍ରାମର ପ୍ରତ୍ଯେକ ବ୍ୟକ୍ତିଙ୍କ ଘରେ ଖୋସିଯାଏ। ଲୋକ ଵିଶ୍ବାସ ଅଛି ଯେ, ଏହା ଦ୍ବାରା ଗ୍ରାମବାସୀମାନେ କୁଶଳରେ ରହନ୍ତି।
ତେବେ ଉତ୍ତର ଭାରତୀୟଙ୍କ ପ୍ରଭାଵରେ ଓଡ଼ିଶାର ସୀମାନ୍ତ ଅଞ୍ଚଳ ତଥା ଓଡ଼ିଶାର ଵିଚ୍ଛିନ୍ନାଞ୍ଚଳର ଓଡ଼ିଆ ବଂଶୋଦ୍ଭଵମାନେ ଶ୍ରାଵଣ ଅମାଵାସ୍ୟାକୁ
ହରିଏଲ୍ ଉଆଁସ,ହରିଆଲି ଉଆଁସ ଵା ହରେଇଲି ଉଆଁସ ଭାବେ ପାଳିଥାଆନ୍ତି ଏଵଂ ଏହାକୁ ସେମାନେ ହରିଆଲି ଉଆଁସ କହିଥାନ୍ତି । ଅଦ୍ୟପି ଉତ୍ତର ଭାରତୀୟମାନେ ହରିଆଲୀ ଅମାବାସ୍ୟା ଭାବେ ଶ୍ରାଵଣ ଅମାଵାସ୍ୟାକୁ ଵିଧିଵଧ ଭାବେ ପାଳିଥାନ୍ତି । ଶ୍ରାଵଣ ଅମାଵାସ୍ୟା ଦିନ ବୃକ୍ଷ ରୋପଣ କରିଵା ପରମ୍ପରା ଉତ୍ତର ଭାରତରେ ପ୍ରଚଳିତ ହୋଇଆସୁଛି । ଵୃକ୍ଷରୋପଣ ଦ୍ଵାରା ସବୁଜିମା ଵୃଦ୍ଧି ଏହି ପର୍ଵର ମୂଳ ଉଦ୍ଦେଶ୍ୟ ହୋଇଥିଵାରୁ ଏହାକୁ ଏହି କାରଣରୁ ହରିଆଲୀ ଅମାଵାସ୍ୟା କୁହାଯାଏ । ହରିଆଲୀ ଅମାଵାସ୍ୟାରେ ପିପ୍ପଳ(ଅଶ୍ୱତ୍ଥ), ବଟବୃକ୍ଷ, ଆମ୍ବ, ନିମ୍ଵ ଏବଂ ଶମୀ ଆଦି ପାଞ୍ଚୋଟି ମହାନ୍ ବୃକ୍ଷକୁ ରୋପଣ କରିବା ସହ ପୂଜାର୍ଚ୍ଚନା କରାଯାଇଥାଏ । ଏହି ପାଞ୍ଚଵୃକ୍ଷରେ ଆଧ୍ୟାତ୍ମିକ ଗୁଣ ଭରିରହିଥିଵାରୁ ହିନ୍ଦୁମାନେ ଦେଵତୁଲ୍ୟ ପୂଜାକରନ୍ତି ।
ଶ୍ରାଵଣ ଅମାଵାସ୍ୟା ଏକ କୃଷିଭିତ୍ତିକ ପର୍ଵ । ଧାନ ଗଛର ରକ୍ଷା ହେତୁକ ଗେଣ୍ଡାମାନଙ୍କୁ ଚିତଉପିଠା ଅର୍ପଣ କରିଵା ହେଉ,ଭଲ ଅମଳ ପାଇଁ ଦେଵୀ ଉପାସନା କରାଯିଵା ହେଉ ଵା ପାଞ୍ଚଗୋଟି ପଵିତ୍ର ଵୃକ୍ଷ ରୋପଣ ହେଉ ଏ ପର୍ଵ ପରୋକ୍ଷରେ ପ୍ରକୃତି ଉପାସନାର ଵାର୍ତ୍ତା ଦେଇଥାଏ ।
🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠
Tuesday, July 6, 2021
ଗଡ଼ଜାତର କାଣ୍ଠଲା ଖେଳ
ଓଡ଼ିଶାର ଗଡ଼ଜାତରେ କାଣ୍ଠଡ଼ା ଚୋର ନାମରେ ଏକ ଖେଳ ଖେଳାଯାଏ । ଅଞ୍ଚଳ ଭେଦରେ ଏହି ଖେଳକୁ ‘ପଣସି ଗୋଛା’, ‘କୁକୁର ଚୋର୍’, ‘କାକରୀ ଚୋର' ଆଦି କୁହାଯାଏ ।
‘କଣ୍ଠଡ଼ା ଚୋର’ ମଧ୍ୟରେ ଥିଵା "କଣ୍ଠଡ଼ା" ଶବ୍ଦର ଅର୍ଥ ପଣସ । କଣ୍ଟକଫଳ ,କଣ୍ଟଫଳ ଵା କଣ୍ଟାଫଳ ଶବ୍ଦ ସହ ଓଡ଼ିଆ କଣ୍ଠଡ଼ା ଓ ହିନ୍ଦୀ କଠଲ ତଥା କଟହଲ ଶବ୍ଦ ସମଦ୍ଧୃତ । ଗଡ଼ଜାତରେ ଯେଉଁଠି ପଣସକୁ କଣ୍ଠଡ଼ା କୁହାଯାଏ ନାହିଁ ସେଠାକାର ଲୋକ ଏ ଖେଳକୁ ପଣସି ଖେଳ କହିଥାନ୍ତି । କେତେକ ଅଞ୍ଚଳରେ ପଣସ ସ୍ଥାନରୈ କାକୁଡ଼ି ଓ କୁକୁର ଶବ୍ଦ ମଧ୍ୟ ପରିଦୃଷ୍ଟ ହୁଏ ।
ଏହି ଖେଳରେ ଅଳ୍ପ ବୟସ୍କ ପୁଅପିଲା ଓ ଝିଅପିଲା ଅଂଶଗ୍ରହଣ କରିଥାନ୍ତି। ଦୁଆର କିମ୍ବା ଗାଁ ଦାଣ୍ଡକୁ ଏଥିପାଇଁ କ୍ରୀଡ଼ାକ୍ଷେତ୍ର ଭାବରେ ବଛାଯାଇଥାଏ ।
ଏହି ଖେଳରେ ପାଞ୍ଚରୁ ଦଶ ଜଣ ପର୍ଯ୍ୟନ୍ତ ପିଲା ଭାଗ ନେଇଥାନ୍ତି। ଏମାନଙ୍କ ବୟସ ତିନିରୁ ଦଶବର୍ଷ ଭିତରେ ହୋଇଥାଏ ଏଵଂ ବେଳେବେଳେ ତତୋଽଧିକ ମଧ୍ୟ ହୋଇପାରେ । ଖେଳାଳୀମାନଙ୍କୁ ପଣସିଗଛ, ପଣସ, ବୁଢ଼ାବୁଢ଼ୀ, ଚୋର, ଓ କୁକୁର ଭୂମିକାରେ ଅଵତୀର୍ଣ୍ଣ କରିବାକୁ ପଡ଼େ।
ଜଣେ ଖେଳାଳୀ ପଣସଗଛ, ଦିଜଣ ଖେଳାଳୀ ବୁଢ଼ାବୁଢ଼ୀ, ଜଣେ ଚୋର ଏଵଂ ଜଣେ କୁକୁର ହେଉଥିଵା ବେଳେ ଅନ୍ୟ ଖେଳାଳୀମାନେ ପଣସ ଗଛ ହୋଇଥିଵା ଖେଳାଳୀଙ୍କ ସହିତ ପଣସ ପରି ଲାଗିକି ରହିଥାନ୍ତି ।
ଯେତେବେଳେ ଚୋର ପଣସ ଚୋରେଇଵାକୁ ଆସେ । ସେହି ସମୟରେ ବୁଢ଼ାବୁଢ଼ୀ ଘର ଭିତରେ ଅର୍ଥାତ୍ ନିକଟସ୍ଥ ଏକ ସ୍ଥାନରେ ଶୋଇଥିଵାର ଅଭିନୟ କରନ୍ତି ।
ଚୋରକୁ ଦେଖୁ କୁକୁର ଭୂମିକାରେ ଥିଵା ପିଲା ଭୁକିଵା ଆରମ୍ଭ କରେ କିନ୍ତୁ କୁକୁରକୁ ଫାଙ୍କି ଦେଇ ଚୋର ଗୋଟିଏ ପରେ ଗୋଟିଏ ପଣସ ଚୋରି କରି ନେଇଯାଏ।
ଅର୍ଥାତ୍ ଚୋର,ପଣସ ଭୂମିକାରେ ଥିଵା ଏଵଂ ପଣସଗଛ ସହିତ ଲାଗି ରହିଥିଵା ଖେଳାଳୀଙ୍କୁ ଟେକି ନେଇ ଆଢୁଆଳରେ ଲୁଚାଇ ରଖେ।
ଶେଷରେ ବୁଢ଼ାବୁଢ଼ୀ ଘରୁ ବାହାରି ଦେଖିଵାକୁ ପାଆନ୍ତି ଯେ ଚୋର ସବୁ ପଣସ ନେଇ ଯାଇଛି। ସେମାନେ ରାଗିଯାଆନ୍ତି ଓ ଚୋରକୁ ମାରିଵାକୁ ଗୋଡ଼େଇଥାନ୍ତି।
ଚୋର ଦୌଡ଼ିଥାଏ ଏବଂ ତା’ ସହିତ ପଣସ ଭୂମିକାରେ ଅଭିନୟ କରୁଥିଵା ଖେଳଳୀମାନେ ମଧ୍ୟ ଦୌଡ଼ିଥାନ୍ତି।
ଯେଉଁ ଖେଳାଳୀ ଦୌଡ଼ି ପାରେନାହିଁ ତାହାକୁ ଚୋର ଛାଡ଼ି ଦେଇଥାଏ । ବୁଢ଼ାବୁଢ଼ୀ ଓ ପଛରେ ଦୌଡ଼ୁଥିଵା କୁକୁର ତାକୁ ନେଇ ଆସନ୍ତି ।
ଏହିପରି ସମସ୍ତ ପଣସ ସଂଗ୍ରହ କରିସାରିଵା ପରେ ବୁଢ଼ାବୁଢ଼ୀ ଓ କୁକୁର ଚୋରକୁ ଧରିଥାନ୍ତି।
ଏହି ଖେଳ ଏହିପରି ଦୁଇରୁ ତିନିଘଣ୍ଟା ଯାଏଁ ଖେଳା ଯାଇଥାଏ। ଏ ଖେଳରେ ପ୍ରାୟ ସମସ୍ତ ସମବୟସ୍କମାନେ ଅଂଶଗ୍ରହଣ କରିପାରୁଥିଵାରୁ ଦର୍ଶକଙ୍କ କ୍ଵଚିତ୍ର ସମ୍ଭାଵନା ଏଠାରେ ଦେଖିଵାକୁ ମିଳେ ।
ଏହି ଖେଳ ସହ ଉପକୂଳ ଓଡ଼ିଶାରେ ପ୍ରଚଳିତ ଵୋହୂଚୋରୀ ଖେଳର କେତେକ ସାମଞ୍ଜସ୍ୟ ପରିଲକ୍ଷିତ ହୋଇଥାଏ ।
ତେଵେ ଆମ ସମାଜରେ ମୋବାଇଲ ଦୂରଦର୍ଶନର ଵ୍ୟଵହାର ବଢି଼ଵା ପରଠାରୁ ବାଟି,ଡାବଲପୁଆ ,ଵୋହୂଚୋରୀ ଭଳି ଏହି ଖେଳଟି ମଧ୍ୟ ଲୁପ୍ତ ହେଵାକୁ ବସିଛି ।