My Blog List

Showing posts with label ପଶ୍ଚିମ ଓଡ଼ିଶା. Show all posts
Showing posts with label ପଶ୍ଚିମ ଓଡ଼ିଶା. Show all posts

Wednesday, September 13, 2023

•ଖଡ଼ିଆଳର ପ୍ରାଚୀନ ଓଡ଼ିଆ କଵି ଚୈତନ୍ୟ ଦାସ•


ପୂର୍ଵେ ଅଵିଭକ୍ତ ବଲାଙ୍ଗୀର ଜିଲ୍ଲାର ଅଂଶ ଥିଵା ଖଡ଼ିଆଳରେ(ଵର୍ତ୍ତମାନ ଏହା ନୂଆପଡ଼ା ଜିଲ୍ଲାରେ ଅଵସ୍ଥିତ) ସତରଶ ଶତାବ୍ଦୀରେ ଚୈତନ୍ୟ ଦାସ ନାମରେ ଜଣେ କଵି ହୋଇଥିଲେ । ତାଙ୍କ ପିତାଙ୍କ ନାମ ବୁଦ୍ଧେଶ୍ବର ଓ ମାତାଙ୍କ ନାମ ମେଘାଵତୀ । ତାଙ୍କର ବାଲ୍ୟନାମ ଧ୍ୟାନ ଦାସ ଥିଲା । ସେ ଜାତିରେ ମାଳୀ ଥିଲେ କିନ୍ତୁ ଓଡ଼ିଆ ସାହିତ୍ୟ ରଚନାରେ ନିଜର ଜୀଵନୋତ୍ସର୍ଗ କରିଥିଲେ । ବଲାଙ୍ଗୀର ଜିଲ୍ଲାର ଓଡ଼ିଆ କଵି ଚୈତନ୍ୟ ଦାସଙ୍କର ତିନିଗୋଟି ଅମର କୃତି ହେଲା ନିର୍ଗୁଣ ମହାତ୍ମ୍ୟ, ଦେଵଦର୍ଶନ ପୁରାଣ ଓ ଵିଷ୍ଣୁଗର୍ଭପୁରାଣ । ଵିଷ୍ଣୁଗର୍ଭପୁରାଣ ଦାଣ୍ଡିଵୃତ୍ତରେ ଲିଖିତ ହୋଇଥିଲାବେଳେ ନିର୍ଗୁଣ ମହାତ୍ମ୍ୟ ନଵାକ୍ଷରୀ ଭାଗଵତ ଵୃତ୍ତରେ ରଚିତ । ପ୍ରସିଦ୍ଧ କଵି ଭୂପତି ପଣ୍ଡିତ ଏହି ଚୈତନ୍ୟ ଦାସଙ୍କର ଶିଷ୍ୟ ଥିଲେ । 

ନିର୍ଗୁଣ ମହାତ୍ମ୍ୟରେ ଅନେକ ପ୍ରାଚୀନ ଓଡ଼ିଆ ଶବ୍ଦ ପ୍ରୟୋଗର ଉଦାହରଣ ରହିଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଚୈତନ୍ୟ ଦାସଙ୍କର ନିର୍ଗୁଣ ମହାତ୍ମ୍ୟରୁ ଅନେକ ପଦର ଉଲ୍ଲେଖ ଅଛି । ଉଦାହରଣ ସ୍ୱରୂପ 

“ତୋଳିଵ ଅନହତନାଦ,
ଶ୍ରଵଣେ ଶୁଭିଵ ଶବଦ।”

ହୃଦୟସ୍ଥ ଅନାହତ ଚକ୍ରରୁ 'ଓଁ' ରୂପକ ଯେଉଁ ବ୍ରହ୍ମମୟ ଧ୍ୱନି ବାହାରେ ତାକୁ 'ଅନାହତନାଦ' କହନ୍ତି । ସଂସ୍କୃତ ଭାଷାରେ ଏହାକୁ ଅନାହତନାଦ ଏଵଂ ଓଡ଼ିଆ ଭାଷାରେ ଅନହତନାଦ କୁ଼ହାଯାଉଥିଲା । 

“ଅଵଏ ଵିଷ୍ଣୁ ହେଲେ ରଜା,
ସକଳ କର୍ମଜନ ପ୍ରଜା ।”
×××××
“ଆତ୍ମାଧ୍ୟାନରେ ଚିତ୍ତ ଦେଲେ,
ଅଵୟେ ମୁକତିକି ଗଲେ । ”

ଅଵ୍ୟୟ ଶବ୍ଦର ଓଡ଼ିଆ ରୂପ ଅଵଏ ଅଵିନାଶୀ ଅର୍ଥରେ ପ୍ରୟୋଗ କରାଯାଇଛି ‌। ଆଜିକାଲି ଅଵୟ କହିଲେ ଲୋକେ ତାକୁ ଅଶୁଦ୍ଧ ମନେ କରନ୍ତି କିନ୍ତୁ ଓଡ଼ିଆ ଭାଷା ଏକ ପ୍ରାକୃତ ଭାଷା ହୋଇଥିଵାରୁ ତଥା ଓଡ଼ିଆ ଭାଷାର ପ୍ରଥମ ଭାଷାଵିଦ ଶ୍ରୀଗୋପୀନାଥ ନନ୍ଦଶର୍ମାଙ୍କ ଅନୁସାରେ ପ୍ରାକୃତ ଭାଷାର ନିୟମିତ ଵିକୃତି ନିୟମାନୁସାରେ ତତ୍ସମ ଶବ୍ଦଗୁଡି଼କ ତଦ୍ଭଵ ରୂପେ ପରିଵୃତ୍ତ ହେଲେ ମଧ୍ୟ ଅଶୁଦ୍ଧ ପରିଗଣିତ ହୁଅନ୍ତି ନାହିଁ । ନିର୍ଗୁଣ ମହାତ୍ମ୍ୟରେ ଅଵଏ ଶବ୍ଦ ପ୍ରୟୋଗ ଏହି କଥାକୁ ସ୍ପଷ୍ଟ କରେ । ସଂସ୍କୃତ ଭାଷା ପାଇଁ ଅଵଏ ଓ ଅଵୟ ଶବ୍ଦ ଅଶୁଦ୍ଧ ହୋଇପାରେ ଓଡ଼ିଆ ପାଇଁ ନୁହେଁ । ଏହିପରି ଆଉ ଏକ ପଦ ମଧ୍ୟ ନିର୍ଗୁଣ ମହାତ୍ମ୍ୟରେ ରହିଛି ଯହିଁରେ ଅଵ୍ୟୟ ଶବ୍ଦର ଅନ୍ୟ ଏକ ଓଡ଼ିଆ ରୂପ ଅଵୟ ଵ୍ୟଵହୃତ ହୋଇଅଛି । 


“ଅଵାଇ ଘରେ ଵାଇ ଗଲେ,
ଜ୍ୟୋତି ପ୍ରକାଶିଵ ନିରୋଳେ।”
××××××
“ଗାଇତ୍ରୀ ଛନ୍ଦ ଫିଟାଇଵ,
ଅଵାଇମଣ୍ଡଳ ଭେଦିଵ ।”


ଏଠାରେ ଵ୍ୟଵହୃତ ଅଵାଇ ଶବ୍ଦର ଅର୍ଥ ଵାୟୁଶୂନ୍ୟ ଏଵଂ ଏହା ଅଵାତ ସହିତ ସମୋଦ୍ଧୃତ ବୋଲି ଭାଷାକୋଷରେ କୁହାଯାଇଛି । ସେହିପରି ଆକାଶ ଵା ଶୂନ୍ୟମଣ୍ଡଳକୁ ଆମ ଭାଷାରେ ଅଵାଇମଣ୍ଡଳ କୁହାଯାଉଥିଲା । 

”ଵିଷ୍ଣୁ କଥନେ ଅମରିଷ,
ଯାହାର ମନ ନୁହେ ଵଶ ।‌”

ଏ ପଦରେ ଵ୍ୟଵହୃତ ଅମରିଷ ଏକ ପ୍ରାଚୀନ ଓଡ଼ିଆ ଶବ୍ଦ ଯାହାର ସଂସ୍କୃତ ଅମର୍ଷ ସହିତ ସଗୋତ୍ରୀୟ ସମ୍ପର୍କ ଅଛି ‌। ଏହି ପଦରେ ଅମରିଷ ଶବ୍ଦ ଅସହିଷ୍ଣୁ; ଅଧୀର ଅର୍ଥରେ ପ୍ରୟୋଗ କରାଯାଇଛି ‌। 

“ଅଲେଖ ପୁରେ କର ଘର,
କେବେହେଁ ନୋହଇ ବାହାର।”
××××××
“ପିତାହିଁ ନ ଜାଣଇଁ ତାହା
 ଅଲେଖ ଵିଷ୍ଣୁର ଏ ମାୟା।”

ଅଵାଇମଣ୍ଡଳ ଵା ଆକାଶକୁ ଆମ ଭାଷାରେ ଅଲେଖପୁର କୁହାଯାଉଥିଲା ଯାହା ଏହି ପଦରେ ଵ୍ୟଵହୃତ ହୋଇଅଛି । ସେହିପରି ଅଲେଖଵିଷ୍ଣୁ ହେଉଛନ୍ତି ମହିମା ପନ୍ଥର ନିରାକାର ବ୍ରହ୍ମ । 


”ବାମ ଚରଣ ପରେ ବସି 
ଚଞ୍ଚଳ ମନକୁ ଆକ୍ରୋଶି ।”

ଆକ୍ରୋଶିଵା ଏହିପରି ଆଉ ଏକ ପ୍ରାଚୀନ ଓଡ଼ିଆ ଶବ୍ଦ ଯାହା ଵ୍ୟାପିଵା ଓ ଏକାଗ୍ର କରିଵା ଅର୍ଥରେ ପ୍ରୟୋଗ କରାଯାଉଥିଲା ।

“ସକଳ ଧର୍ମ ଆଡ଼େ କରି 
ଆଡ଼କେ ବ୍ରହ୍ମଜ୍ଞାନ ଭରି।”

ଏହି ପଦରେ ଵ୍ୟଵହୃତ ଆଡ଼େ କରିଵା ଶବ୍ଦର ଅର୍ଥ ଗୋଟିଏ ପାଖରେ ରଖିଵା ଅଟେ ‌। ଏବେବି ଲୋକେ ଗୋଟେ ଆଡ଼େ,ସେ ଆଡ଼େ ଓ ଏ ଆଡ଼େ ଆଦି କହିଲାବେଳେ ଏହି ଆଡ଼େ ଶବ୍ଦକୁ ପ୍ରୟୋଗ କରିଥାନ୍ତି । 

“କର୍ମ ନ କର ତାତ ମାତ 
କର୍ମେ ହୋଇଵ ଆତଯାତ ।”

ଆତଯାତ ଶବ୍ଦର ସାଧାରଣ ଓଡ଼ିଆ ଅର୍ଥ ଯିଵା ଆସିଵା କରିଵା କିନ୍ତୁ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏଠାରେ ପୁନଃ ପୁନଃ ଜନ୍ମୁଥିଵା ଓ ମରୁଥିଵା ଜୀଵନଚକ୍ରକୁ ଉପଲକ୍ଷ୍ୟ କରି ଆତଯାତ ଶବ୍ଦ ପ୍ରୟୋଗ କରାଯାଇଛି । 

“କେ ଊର୍ଦ୍ଧ୍ୱ ବାହୁ ଟେକି ଶୂନ୍ୟେ
 ରହିଲେ ପଵନ ଆପ୍ୟାନେ।”
ଆପ୍ୟାନ ଶବ୍ଦଟି ଏଠାରେ ପାନ କରିଵା ଅର୍ଥରେ ପ୍ରୟୋଗ କରାଯାଇଛି । ଏହା ଏକ ପ୍ରାଚୀନ ଓଡ଼ିଆ ଶବ୍ଦ ଯାହା ପୂର୍ଵେ ସାହିତ୍ୟରେ ବହୁଳ ଭାବରେ ଵ୍ୟଵହାର କରାଯାଉଥିଲା । 

“ଜଗତ କଲେ ଉତ୍ତାପନ,
ସାଧୁମାନେ ପାନ୍ତି କଷଣ ॥”

ସଂସ୍କୃତ ଭାଷାରେ ଉତ୍ତାପନର ଅର୍ଥ ତତାଇଵା,ଉଷୁମାଇଵା କିନ୍ତୁ ଓଡ଼ିଆ ଭାଷାରେ ଏହି ଶବ୍ଦକୁ ଲକ୍ଷଣାର୍ଥ ପ୍ରପୀଡ଼ିତ ଅର୍ଥରେ ଏଠାରେ ପ୍ରୟୋଗ କରାଯାଇଛି । 

“ପୃଥ୍ୱୀର ଅନ୍ଧକାର ଦେଖି,
ସେ ଜ୍ୟୋତି ବ୍ରହ୍ମ ଉପଲେଖି ।
ତପନ କଲେ ଉପଗତ,
କଲେ ତାହାକୁ ତେଜଵନ୍ତ।”

ଓଡ଼ିଆ ଭାଷାରେ ଉପଲେଖିଵା ଶବ୍ଦର ଦୁଇଗୋଟି ଅର୍ଥ ଅଛି । ଉପେକ୍ଷା ମୂଳର ଉପଲେଖିଵା ଶବ୍ଦର ଅର୍ଥ ତ୍ୟାଗ କରିଵା କିନ୍ତୁ ଏଠାରେ ଉପଲକ୍ଷ ମୂଳର ଉପଲେଖିଵା ଶବ୍ଦକୁ ଲକ୍ଷ୍ୟ କରିଵା ଵା ଉପଲକ୍ଷ କରିଵା ଅର୍ଥରେ ପ୍ରୟୋଗ କରାଯାଇଛି । 

କଵି ଚୈତନ୍ୟ ଦାସଙ୍କର ନିର୍ଗୁଣ ମହାତ୍ମ୍ୟର ଆଉ କେତେକ ପଦ ନିମ୍ନରେ ପ୍ରଦତ୍ତ ହେଲା...
 
“ପୃଥିଵୀ କରି ଏକକାର,
ବ୍ରହ୍ମ ଆନନ୍ଦେ ଦିନ ହର।”

“ଅନନ୍ତ ଏ ବିଚାର କରି,
ଅକ୍ଷରେ ମୁଖରୁ ଉଦ୍ଗାରି ।
ଓମ ଅକ୍ଷର ଉଦେ କଲେ,
ତହିଁରୁ ସିଦ୍ଧି ପ୍ରକାଶିଲେ ॥”

“ଅଭ୍ୟାସ କରି ଯୋଗବଳ,
ଭେଦିଵ କାଉଁରିମଣ୍ଡଳ ॥”

“ଜୀଵ ପରମ କର୍ମ କରେ 
ସେ କର୍ମ ଫଳ କ୍ଷରେ ବଳେ ।”

”ଆତ୍ମା ବ୍ରହ୍ମର ଗଛାଗଛି 
ବାନ୍ଧି ଥୋଇଲା ପ୍ରାୟେ ଅଛି ॥”

ମାଳି ଜାତିରେ ଜନ୍ମ ଲଭିଥିଵା ଶ୍ରୀଚୈତନ୍ୟ ଦାସଙ୍କ ଭଳି କଵି ସତରଶହ ଶତାବ୍ଦୀରେ ନିର୍ଗୁଣ ମହାତ୍ମ୍ୟ ପରି ଅମୂଲ୍ୟ କାଵ୍ୟ ରଚନା କରିଵା ସ୍ପଷ୍ଟ କରେ ଯେ ତିନିଶହ ଵର୍ଷ ତଳେ ଓଡ଼ିଶାର ପଶ୍ଚିମର ଭାଷା ଓଡ଼ିଆ ଥିଲା ଏଵଂ ଓଡ଼ିଶାରେ ଯେକୌଣସି ଜାତିର କଵି କାଵ୍ୟ ରଚନା କରିପାରୁଥିଲେ । ଯେଉଁମାନେ ଓଡ଼ିଆ ଶୈଳୀ ଓ ଜାତି ଵିଶେଷ ଆଧାରରେ ଓଡ଼ିଶା ମାଟି, ଓଡ଼ିଆ ଭାଷା ତଥା ଓଡ଼ିଆ ସମାଜକୁ ବାଣ୍ଟି ଦେଵାକୁ ନାନା ଷଡ଼ଯନ୍ତ୍ର କରୁଛନ୍ତି ସେମାନେ ଶ୍ରୀଚୈତନ୍ୟ ଦାସଙ୍କ ଭଳି ସାହିତ୍ୟ ସାଧକ ଓ ତାଙ୍କ ଜୀଵନୀ ଯୋଗୁଁ ସହଜରେ ଧରା ପଡ଼ିଯାଆନ୍ତି । 





Saturday, September 11, 2021

ସାରା ଓଡ଼ିଶାର ପର୍ଵ ନୂଆଖାଇ

ପୂର୍ଵ କି ପଶ୍ଚିମ ଓଡ଼ିଶାର ନୁହେଁ ନୂଆଖାଇ ସମସ୍ତଙ୍କର ପର୍ଵ ସବୁ ଓଡ଼ିଆମାନଙ୍କର ପର୍ବ । ରଥଯାତ୍ରା ସମ୍ବନ୍ଧରେ ମଧ୍ୟ ଏହିକଥା କୁହାଯାଇପାରେ । ରଥଯାତ୍ରା କଳିଙ୍ଗୀମାନେ ପ୍ରଥମେ ପାଳିଵା ଆରମ୍ଭ କଲେ ବି ତାହା ଆଜି ସାରା ଵିଶ୍ଵରେ ପାଳିତ ହୋଇଥାଏ । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସାରା ଵିଶ୍ଵରେ ପାଳିତ ହୁଏ ତାକୁ ଏବେ ଜଣେ ଓଡ଼ିଆ ଓଡ଼ିଶାର ପର୍ଵ କହିଵ ନା ଵୈଶ୍ଵିକ ପର୍ଵ କହିଲେ ଉଚିତ୍ ହେଵ ? 

  ପୂର୍ଵେ ଓଡ଼ିଶାରେ ନୂଆଖାଇ ସବୁଠି ଥିଲା ତାକୁ ବଞ୍ଚେଇ ରଖିଲେ ଗଡ଼ଜାତର ଲୋକ କିନ୍ତୁ ଅନ୍ୟ ଅଞ୍ଚଳର ଲୋକେ ଛାଡ଼ି ଦେଲେ ଏଵଂ କେଉଁଠି କେଉଁଠି ଭିନ୍ନ ଦିନରେ ଯଥା ଦଶହରା ସମୟରେ ଧାନ ଅମଳ ହେଵାରୁ ନୂଆଖିଆ ଓ ନଵାନ୍ନ ଆଦି ନାମରେ ପାଳନ କଲେ । 
  
ଉପକୂଳିଆ ଅନ୍ୟ ଅଞ୍ଚଳର ଲୋକଙ୍କ ସଂସ୍ପର୍ଶରେ ଆସି ନିଜ ସଂସ୍କୃତି ପରମ୍ପରା, ଶବ୍ଦ ଛାଡ଼ିଦେଲାବେଳେ ଗଡ଼ଜାତରେ ସେସବୁରୁ କିଛି କିଛି ବଞ୍ଚିରହିଛି କିନ୍ତୁ ତାହା ପଶ୍ଚିମ ଓଡ଼ିଶାର ଭିନ୍ନତା ନୁହେଁ ମହାନତା । ସେମାନେ ଓଡ଼ିଆ ସଂସ୍କୃତି ସହ ସମ୍ବନ୍ଧିତ ଦରଵ ପରଵ ବଞ୍ଚାଇ ରଖିଛନ୍ତି ଏହା ହିଁ ସେମାନଙ୍କର ମହାନତା । ସେଇମିତି ପ୍ରାଚୀନ ସନାତନ ସଂସ୍କୃତିର ଅନେକ ପର୍ଵ ଯଥା ରଜ,ଦୋଳ ଆଦି ଓଡ଼ିଶାର ସଂସ୍କୃତିରେ ତଥା ଲକ୍ଷ ଲକ୍ଷ ସଂସ୍କୃତ ଶବ୍ଦ ଓ ମୂଳ ଆର୍ଯ୍ୟ ଭାଷାର ଅକାରାନ୍ତ ଉଚ୍ଚାରଣ ଓଡ଼ିଆ ଭାଷାରେ ଆଜି ବି ବଞ୍ଚି ରହିଛି । ଏହି ସବୁ ନିଆରାପଣ ଯୋଗୁଁ ଭାରତଠାରୁ କଳିଙ୍ଗୋତ୍କଳ କି ମୋଗଲବନ୍ଦୀ ଓଡ଼ିଶାଠାରୁ ଗଡ଼ଜାତ ଓଡ଼ିଶା ଵିଭିନ୍ନ ନୁହେଁ ଵରଂ ଅଭିନ୍ନ ବୋଲି ହିଁ ହୃଦବୋଧ ହୋଇଥାଏ । 

“ଵସୁଧୈଵ କୁଟୁମ୍ବକମ୍”ର ଭାଵ ସମସ୍ତ ପର୍ଵ ମଧ୍ୟରେ ଥାଏ ଓ ରହିଵା ଉଚିତ୍ । ଇଂରାଜୀ ନଵଵର୍ଷ ଆଜି ଵୈଶ୍ଵିକ ପର୍ଵ । ଭାରତର ରଥଯାତ୍ରା ଓ ହୋଲୀ ମଧ୍ୟ ସମାନ ଭାଵେ ଵୈଶ୍ଵିକ ପର୍ଵ ହୋଇପାରିଛି । କିନ୍ତୁ ଯେକୌଣସି ପର୍ଵରୁ ଏହି ଵିଶ୍ଵଭାତୃତ୍ଵର ଭାଵ ନଷ୍ଟକରେ ଆଞ୍ଚଳିକତା । ଆଞ୍ଚଳିକ ବନ୍ଧନ ଦ୍ଵାରା ଗୋଟାଏ ପର୍ଵ ଅନ୍ଯତ୍ର ଲୋକପ୍ରିୟ ହୋଇନପାରି ସ୍ଥାନୀୟ ଅଞ୍ଚଳରେ ଲୁକ୍କାୟିତ ରହିଯାଏ । ଆଜି ରଥଯାତ୍ରା ଲୋକପ୍ରିୟ ହୋଇ ପାରିଛି ତ କେଵଳ ଓଡ଼ିଆ ଲୋକଙ୍କ ଵିଶ୍ଵଭାତୃତ୍ଵ ଯୋଗୁଁ । ଓଡ଼ିଆ ପର୍ଵ କହି ଓଡ଼ିଶା ଭିତରେ ବାନ୍ଧି ରଖିଥିଲେ ତାହା ଅନ୍ଯତ୍ର ଅନୁକରଣୀୟ ହୋଇନଥାନ୍ତା । 

ନୂଆଖାଇ କେଵଳ ପଶ୍ଚିମ ଓଡ଼ିଶାର ପର୍ଵ ନୁହେଁ ସାରା ଓଡ଼ିଶାର ଲୋକ ନୂଆଖାଇ ପାଳୁଥିଲେ ଏବେ ବି ଉତ୍ତର, ଦକ୍ଷିଣ ଓ ପୂର୍ଵ ଓଡ଼ିଶାରେ ଭିନ୍ନ ତିଥିରେ ଊଣା ଅଧିକେ ହେଉ ପଛେ ଏ ପର୍ଵ ପାଳିତ ହୋଇଥାଏ । ଆଗକାଳରେ ଦେଶୀୟ ରାଜାମାନେ ନିଜ ନିଜର ଇଷ୍ଟଦେଵତାଙ୍କ ନାମ ଅନୁସାରେ ନୂଆଖାଇଵାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆଖିଆ ପର୍ଵର ତିଥି ନିର୍ଣ୍ଣୟ କରାଉଥିଲେ । ରାଜଶାସନ ଉଠିଗଲାପରେ ମଧ୍ୟ ରାଜାଙ୍କ ଇଷ୍ଟଦେଵତାଙ୍କ ନାମ ଅନୁସାରେ ପଣ୍ଡିତମାନେ ଅନେକ ଵର୍ଷ ଯାଏଁ ନଵାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ । 

 ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଖାଇ ପର୍ଵ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ପଶ୍ଚିମ ଓଡ଼ିଶାରେ ଭାଦ୍ରବ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା । ସେହିପରି ପୂର୍ଵାଞ୍ଚଳରେ ନୂଆଖିଆ ପର୍ଵ ଆଶ୍ୱିନ ମାସର ମହାଳୟା ତିଥି ଭିତରେ ସମ୍ପନ୍ନ ହେଉଥିଲା । ପୂର୍ଵାଞ୍ଚଳରେ ଏହି ନଵାନ୍ନ ପିତୃପୁରୁଷଙ୍କ ପିଣ୍ଡଦାନରେ ଵ୍ୟଵହୃତ ହୋଇଥାଏ । ଦକ୍ଷିଣ ଓଡ଼ିଶାରେ 
 କୃଷକମାନେ ନୂଆଖିଆ ପର୍ଵ ମାସ ମଧ୍ୟରେ ଶ୍ରେଷ୍ଠ ମାର୍ଗଶିର ମାସର ଶେଷ ଓ ପୌଷର ଆରମ୍ଭ ସମୟରେ ପାଳନ କରିଥାନ୍ତି । କେତେକ ଅଞ୍ଚଳରେ ମକର ସଂକ୍ରାନ୍ତି ଵା ମାଘ ସଂକ୍ରାନ୍ତି ଦିନ ଶାଲ୍ଯୋଦନ ପର୍ଵ ପାଳନ ଅଵସରରେ ନୂଆଖିଆ ଯାଏ ଏହାକୁ ମକର ଚାଉଳ ଖିଆ ମଧ୍ୟ କୁହାଯାଏ । କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ ତିଥିରେ ମଧ୍ୟ ପୂର୍ଵେ ନଵାନ୍ନ ଭକ୍ଷଣ କରାଯାଉଥିଲା । ଵିଭିନ୍ନ ଅଞ୍ଚଳରେ ଶସ୍ୟଅମଳକୁ ନେଇ ଭିନ୍ନ ଭିନ୍ନ ସମୟରେ ନୂଆଖିଆ ଯାଉଥିଲା । 
 
 ଓଡ଼ିଶାର ପୂର୍ଵତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଗୋଟିଏ ଦିନରେ ନୂଆଖାଇ ପର୍ଵ ପାଳନ କରାଯିଵା ପାଇଁ ୧୯୯୧ରେ ଆହ୍ଵାନ ଦେଲେ ତଥା ସାରା ଓଡ଼ିଶାରେ ନୂଆଖାଇ ଦିନକୁ ସରକାରୀ ଛୁଟି କରିଵା ପାଇଁ ମଧ୍ୟ ଘୋଷଣା କରିଥିଲେ । ପଶ୍ଚିମ ଓଡ଼ିଶାର ବୁଦ୍ଧିଜୀଵୀମାନଙ୍କ ମଧ୍ୟରେ ଏ ଵିଷୟରେ ଅନେକ ଆଲୋଚନା ହେଲାପରେ ସର୍ଵସମ୍ମତି କ୍ରମେ ଗଣେଶ ପୂଜାର ପରଦିନ ଅର୍ଥାତ୍ ଋଷି ପଞ୍ଚମୀ ଦିନଟି ନୂଆଖାଇ ପାଇଁ ସ୍ଥିର କରାଗଲା । ସେହି ଵର୍ଷ ଅର୍ଥାତ୍ ୧୯୯୧ ପରଵର୍ଷଠାରୁ ପ୍ରତ୍ୟେକ ଵର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ଵ ତିଥି ଅନୁସାରେ ପାଳିତ ହୋଇ ଆସୁଛି । ତେବେ କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ଭାଦ୍ରଵ ଶୁକ୍ଳ ଦଶମୀ ତିଥିରେ ନୂଆଖାଇ ପାଳନ କରାଯାଇଥାଏ । 
ଏହି ଭାଦ୍ରଵ ମାସର ଏକାଦଶୀ ତିଥିରେ ଆଉ ଏକ ପର୍ଵ ପଶ୍ଚିମ ଓଡ଼ିଶା, ଛତିଶଗଡ଼ ଆଦି ଅଞ୍ଚଳରେ ପାଳିତ ହୋଇଥାଏ ତାକୁ କରମା ପର୍ଵ କହିଥାନ୍ତି । କରମା ପର୍ଵ ସହ ନୂଆଖାଇର କେତେକ ସାମଞ୍ଜସ୍ୟ ରହିଛି । ଏ ଉଭୟ ପର୍ଵ ଭାଦ୍ରଵମାସ ଶୁକ୍ଳପକ୍ଷରେ ଆୟୋଜିତ ହୁଏ । ଉଭୟ ପର୍ଵ ପଶ୍ଚିମାଞ୍ଚଳ ତଥା ଵିଚ୍ଛିନ୍ନାଞ୍ଚଳ ଓଡ଼ିଶାରେ ପାଳିତ ହୁଏ । ଏ ଉଭୟ ପର୍ଵରେ ଭଗଵାନଙ୍କୁ ନଵାନ୍ନ ଲାଗି ଦିଆଯାଏ । କେଵଳ କରମା ପରଵ ହିଁ ନୁହେଁ ଛାଡ଼ଖାଇ ସହିତ ମଧ୍ୟ ନୂଆଖାଇର ଗୋଟିଏ ସମାନତା ରହିଛି । ପୂର୍ଵକାଳରେ ସକାଳେ ନୂଆଖାଇ ପାଳନପରେ ସନ୍ଧ୍ଯାବେଳେ ସମସ୍ତେ ଆମିଷ ଭୋଜନ କରି ଶୋଇଵାର ଵିଧାନ ଥିଲା । ସେତେବେଳେ ଗଡ଼ଜାତରେ ଲୋକଵିଶ୍ଵାସ ପ୍ରଚଳିତ ଥିଲା ଏହିଦିନ ଆମିଷ ଖାଇ ନ ଥିଵା ବ୍ୟକ୍ତି ପର ଜନ୍ମରେ ବକ ଯୋନିରେ ଜନ୍ମ ହୁଏ । ଶହେ ଵର୍ଷ ତଳେ ସଂକଳିତ ଓଡ଼ିଆ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହିକଥା ଉଲ୍ଲେଖ ରହିଛି କିନ୍ତୁ ଶହେ ଵର୍ଷ ମଧ୍ୟରେ ଅନେକ ରୀତିନୀତି ବଦଳି ସାରିଛି ଆଜି ନୂଆଖାଇ ବାସିରେ ଆମିଷ ଭକ୍ଷଣର ପରମ୍ପରା ପ୍ରଚଳିତ । 

ନୂଆଖାଇ ପରି ଆହୁରି ଅନେକ ପର୍ଵ ଓଡ଼ିଶାରେ ପ୍ରଚଳିତ ଥିଲା କିନ୍ତୁ ଲୋକପ୍ରିୟ ନହେଵା ଯୋଗୁଁ ସେଗୁଡ଼ିକ ଜନାଦୃତ ଓ ପ୍ରସିଦ୍ଧ ହୋଇପାରିନାହିଁ । ସେହିପରି ଗୋଟିଏ ପର୍ଵ ହେଉଛି ଗୁଣ୍ଡିଖିଆ । ଦୋଳପୂର୍ଣ୍ଣିମା ଦିନ ଗଡ଼ଜାତର କେତେକ ଜାତିଙ୍କ ମଧ୍ୟରେ ଏହି ନୂଆଖିଆ ନଵାନ୍ନ ପରି ଉତ୍ସବ ଵିଶେଷର ପ୍ରଚଳନ ଥିଲା । ଏ ଦିନ ଲୋକେ ଵର୍ଷର ପ୍ରଥମ ମହୁଲଫୁଲ ନୂଆ କରି ଖାଉଥିଲେ ‌ । ସିମଖାଇ ଵା ଝଣ୍ଟାନୂଆଁ ପର୍ଵ ଏହିଧରଣର ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ପର୍ଵ । ଏ ପର୍ଵରେ ଗ୍ରାମର ଉପକଣ୍ଠରେ ଥିଵା ଗ୍ରାମଦେବତାଙ୍କ ଆସ୍ଥାନରେ ନୂଆ ଧାନର ଅନ୍ନ ଖେଚୁଡ଼ି ଖିରି ଚୂଡ଼ା ସହ ଝୁଣ୍ଟା ଵା ସିମ୍ବ ଆଦି ଭୋଗ ଦିଆଯାଉଥିଲା । ଗ୍ରାମଵାସୀଙ୍କ ଘରେ ନୈବେଦ୍ଯ ଓ ନୂଆଖିଆ ଉତ୍ସଵ କରୁଥିଲେ ଵିଶେଷତଃ ଏହି ଦିନଠାରୁ ନୂଆ ଝଣ୍ଟା ଵା ସିମ୍ବ ଖାଇଵାର ଵିଧି ରହିଥିଲା । ଓଡ଼ିଶାର ପରଜା ଓ ଦୁରଵା ଜନଜାତିଙ୍କ ମଧ୍ୟରେ ଏହିପରି ଆଉ ଗୋଟିଏ ପର୍ଵ ପାଳିତ ହୋଇଥାଏ ଆମାଖାୟୀ । ଏହି ପର୍ଵ ଆମ୍ବ ଫଳିଵା ସମୟରେ ପାଳିତ ହୋଇଥାଏ । ସାଧାରଣତଃ ଓଡ଼ିଶାରେ ମହା ଵିଷୁଵ ପଣା ସଂକ୍ରାନ୍ତିରେ ଦେଵତାଙ୍କୁ ନୂଆ ଆମ୍ଵ ମିଶା ପଣା ଦେଲାପରେ ହିଁ ଆମ୍ବ ଖାଇଵାର ରୀତି ରହିଛି । ଏହା ସେହି ଧରଣର ପର୍ଵ । ମୁଣ୍ଡା ଜନଜାତିର ଜମଲମା ପରଵ ମଧ୍ୟ ନୂଆଖାଇ ପର୍ଵ ପରି ଏକ ପର୍ଵ । ଏହିପର୍ଵ ଅଵସରରେ ମୁଣ୍ଡା ଜନଜାତିର ଲୋକେ ନଵାନ୍ନ ଭକ୍ଷଣ କରିଥାନ୍ତି । 

 ପୂର୍ଵାଞ୍ଚଳରେ ଏକ ସମୟରେ ନୂଆଖାଇ ହୋଇପାରେନି । ପଶ୍ଚିମ ଓଡିଶାର ଭୌଗଳିକ ପରିସ୍ଥିତି ଯୋଗୁଁ ଏଠାରେ ସ୍ୱଳ୍ପ ସମୟରେ ଫଳ ଧରୁଥିବା ଧାନ ଚାଷ ହୁଏ ପୁଣି ଖରିଫ୍ ଓ ରଵି ଭେଦରେ ଵାର୍ଷିକ ଦୁଇଥର ଧାନ ଚାଷ ହୋଇଥାଏ । ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାର ଚାଷକ୍ଷେତ୍ର ପାହାଡି଼ଆ ଏଠିକା ଭୂଇଁ ପାଇଁ ଅଳ୍ପ ଜଳରେ ଶିଘ୍ର ଅମଳ ହୋଇପାରୁଥିଵା ଧନ୍ୟ ଜାତିକୁ ଵିକଶିତ କରାଯାଇଥିଲା ।‌ ଅର୍ଥାତ୍ ପାହାଡ଼ିଆ ଅଞ୍ଚଳରେ ବଞ୍ଚିପାରୁଥିଵା ଭଳି ଧାନଗଛକୁ ହିଁ ଗଡ଼ଜାତରେ ଚାଷ କରିଵାକୁ ପ୍ରାଚୀନ କଳିଙ୍ଗୀମାନେ ଚୟନ କରିଥିଲେ । 
 ଓଡ଼ିଶାର‌ ଅନ୍ୟାନ୍ୟ ଅଞ୍ଚଳରେ ମାତ୍ର ଥରେ ସମତଳ ବିଲରେ ଧାନଚାଷ ହୋଇଥାଏ । ଫଳତଃ ଓଡ଼ିଶାର ଅନ୍ୟ ଅଞ୍ଚଳରେ ଭାଦ୍ରଵ ଶୁକ୍ଳପକ୍ଷରେ ମୁଖ୍ୟ ଖାଦ୍ୟଶସ୍ୟ ଧାନ ଅମଳ ହେଉନଥିଵାରୁ ଏହି ସମୟରେ ନୂଆଖାଇ ପାଳିତ ନହୋଇ ଭିନ୍ନ ସମୟରେ ହେଉଥିଲା ‌ । 

କିଛି ଵର୍ଷ ହେଲା ପଶ୍ଚିମ ଓଡ଼ିଶାର କେତେକ ଅସାମାଜିକ ଲୋକ ନୂଆଖାଇ ପର୍ଵକୁ ଧରି ପଶ୍ଚିମାଞ୍ଚଳ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାର ଲୋକଙ୍କ ମନରେ ପୂର୍ଵାଞ୍ଚଳ,ଦକ୍ଷିଣାଞ୍ଚଳ ଓ ଉତ୍ତରାଞ୍ଚଳର ଲୋକଙ୍କ ପ୍ରତି ଘୃଣା ରୂପ ଵିଷ ଜନ୍ମାଇଵାକୁ ଚେଷ୍ଟା କରୁଅଛନ୍ତି । 

ଏଭଳି ଲୋକେ କୁହନ୍ତି “ଆମ ନୂଆଖାଇ ପର୍ଵ ଉପକୂଳିଏ ପାଳନ୍ତି ନାହିଁ ଆମର ହତାଦର କରନ୍ତି ସେମାନେ ଆମ ଭାଇ ନୁହନ୍ତି” ଇତ୍ୟାଦି ।

ତେବେ ପୂର୍ଵୋକ୍ତ ଆଲୋଚନାରୁ ସ୍ପଷ୍ଟ ହୋଇଛି ଯେ ଓଡ଼ିଶାର ସବୁ ଲୋକେ ଭିନ୍ନ ଭିନ୍ନ ସମୟରେ ନୂଆଖାଇ ପାଳନ୍ତି ଏଵଂ ନଵାନ୍ନ ଭକ୍ଷଣ ପର୍ଵ ସମସ୍ତ କୃଷକ ଘରେ ପାଳନ କରାଯାଏ । ତେବେ ସରକାରୀ ଛୁଟି ଘୋଷଣା ହୋଇଥିବା ଭାଦ୍ରଵ ଶୁକ୍ଳ ପଞ୍ଚମୀ ସୁଦ୍ଧା ଓଡ଼ିଶାର ପୂର୍ଵାଞ୍ଚଳ, ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳର ଅନେକ ଅଞ୍ଚଳରେ ଧାନ କେଣ୍ଡା ଧରିନଥାଏ । ଯେବେ ନୂଆ ଧାନ ହିଁ ହୋଇନଥାଏ ତେବେ ଏହି ଅଞ୍ଚଳର କୃଷକମାନେ ଏହିଦିନ ନୂଆଖାଇ କେମିତି ପାଳନ୍ତେ ?

ଉପକୂଳ ଓଡ଼ିଶା ତଥା ପଶ୍ଚିମ ଓଡ଼ିଶାର ର ଭୌଗଳିକ ପରିସ୍ଥିତି ଭିନ୍ନ ଭିନ୍ନ । ଉପକୂଳ ଓଡ଼ିଶାରେ ଅଖି ତୃତୀୟା ଦିନ ଧାନ ମଞ୍ଜି ବୁଣାଯାଏ,ଗେଣ୍ଡା ନୂଆ ଧାନଗଛ କାଟି ନିଅନ୍ତୁ ସେଥିପାଇଁ ଚିତଉ ଉଆଁସ ଦିନ ନୁଆଁ ପାଣି ରେ ଗେଣ୍ଡା ଦି ପ୍ରାଣୀ ଙ୍କୁ ପିଠା ଦେଇ ସନ୍ତୁଷ୍ଟ କରାଯାଏ । ଗର୍ଭଣା ସଂକ୍ରାନ୍ତି ବେଳକୁ ଧାନଗଛ ଗର୍ଭରେ ଧାନ ରହେ । 
ବିଜୟା ଦଶମୀ ଏଵଂ କୁମାର ଉତ୍ସଵ ସମୟରେ ଉପକୂଳରେ ଉଭା କେଣ୍ଡା ପୂଜା ହୋଇଥାଏ । ମାଣବସା ଶେଷ ପାଳି ଦିନ ନୂଆଧାନରେ ଲକ୍ଷ୍ମୀ ଆଵାହନ ଏଵଂ ନୂଆ ଚାଉଳ ଲକ୍ଷ୍ମୀ ପ୍ରସାଦ ଭକ୍ଷଣ ହୁଏ କିନ୍ତୁ ଏହାରଭାତ ହୁଏନାହିଁ । ପୌଷ ପ୍ରଥମ ଦିନରୁ କେଉଁଠି କେଉଁଠି ମାଘ ମାସରେ ପହିଲି ଭୋଗ ଦେଵସ୍ଥାନରେ ଲାଗି ହେଵାପରେ ସେହି ଦିନୁ ନୂଆ ଚାଉଳ ଭାତ ଖିଆଯାଏ । ଏହାପରେ ଧନୁ ସଂକ୍ରାନ୍ତି ଦିନ ନୂଆଧାନରେ ଲିଆ ହୁଏ ଏଵଂ ଦେଵୀଘରକୁ ଝିଅଘରକୁ ନୂଆମୁଆଁ ଦିଆଯାଏ । ପୂର୍ଵ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ଧାନ ଅମଳ ହେଵାପରେ ହିଁ ନୂଆଖାଇ ପର୍ଵ ପାଳିତ ହୋଇଥାଏ । ଏହା ନୂଆଖାଇ ପରି ଏକ କୃଷି ପର୍ଵକୁ ହତାଦର ନୁହେଁ ଯେତେବେଳେ ଯେଉଁଠି ଶସ୍ୟ ଅମଳ ହୁଏ ଉତ୍ପାଦିତ ହୁଏ ପ୍ରଥମେ ଇଷ୍ଟଙ୍କୁ ଦିଆଗଲାପରେ ଲୋକେ ନଵାନ୍ନ ଭକ୍ଷଣ କରିଥାନ୍ତି । ସେଇ ପରମ୍ପରା ସବୁ ଚଷା ଘରେ ଭିନ୍ନ ଭିନ୍ନ ତିଥିରେ ପାଳିତ ହେଉଥିଲେ ହେଁ ବଞ୍ଚିଛି ଏଵଂ ଚାଷ ଓ ଚାଷୀ ଥିଲା ଯାଏଁ ରହିଥିଵ । ତେବେ ଉପକୂଳ ଓଡ଼ିଶାରେ ପାରମ୍ପରିକ ଭାବରେ କୃଷକପରିଵାରମାନେ ଋଷି ପଞ୍ଚମୀ ତିଥିରେ ନୂଆଖାଇ ପାଳୁନଥିଲେ ବି ଏହି ଗଣପର୍ଵର ଆୟୋଜନ ଏଠାକାର କେତେକ ଓଡ଼ିଆ ସଂଗଠନ ଆୟୋଜିତ କରିଥାନ୍ତି । ନୂଆଖାଇ ସାରା ଓଡ଼ିଶାର ପର୍ଵ ସବୁ ଓଡ଼ିଆମାନଙ୍କର ପର୍ଵ ଓଡ଼ିଆ ଜାତିର ପର୍ଵ ସେଇଥିପାଇଁ ତ ଏହି ପର୍ଵର ନାଆଁ ଓଡ଼ିଆ,ତାକୁ ପାଳନ୍ତି ମଧ୍ୟ ଓଡ଼ିଆ ଜାତିର ଲୋକ ।। 
🌾🌾🌾🌾🌾🌾🌾🌾🌾🌾🌾🌾🌾
🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾
   

Wednesday, August 25, 2021

ପଶ୍ଚିମ ଓଡ଼ିଶାର ଲୁପ୍ତ ଖେଳ ଖମଖମାଲୋ

ଗଡ଼ଜାତ ଓଡ଼ିଶାରେ ପୂର୍ଵେ  ‘ଖମଖମାଲୋ’ ବୋଲି ଏକ ଖେଳ ଖେଳାଯାଉଥିଲା । ସାଧାରଣତଃ ଏହା ପିଲାମାନଙ୍କର ଖେଳ ଏଵଂ ଖମ୍ବ ଵା ଖୁମ୍ବ ଏ ଖେଳର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥିଵାରୁ ଏହାର ନାମ ଖମଖମାଲୋ ରଖାଯାଇଥିଲା । ଏ ଖେଳର ଅନ୍ୟନାମ ଖମମଖାଲୁ ଓ ଖମଖମାଲି ଇତ୍ୟାଦି ରହିଥିଲା ।ସମ୍ବଲପୁର ଜିଲ୍ଲାରେ ଏ ଖେଳକୁ ଖମ୍ ଖମାଲି  କୁହାଯାଉଥିଲା ବୋଲି କଥିତ ଓଡ଼ିଆ ଶବ୍ଦକୋଷରୁ ଜଣାଯାଏ ।




ଏହି ଖମ୍ ଶବ୍ଦଟି ସହିତ ତତ୍ସମ ସ୍ତମ୍ବ ଵା ସ୍ତମ୍ଭ ଏଵଂ ପ୍ରାକୃତ ଖଂଭ ଓ ଓଡ଼ିଆ ଖମ୍ବ ଶବ୍ଦ ସମୋଦ୍ଧୃତ ।

ଓଡ଼ିଶାରେ ତତ୍ସମ ସ୍ତମ୍ବ ଵା ସ୍ତମ୍ଭ ଶବ୍ଦର  ଵିଭିନ୍ନ ରୂପ ପ୍ରଚଳିତ ଥିଲା ଏଵଂ ଏବେ ମଧ୍ୟ ରହିଛି । ଓଡ଼ିଶାରେ ସ୍ତମ୍ବ ଵା ସ୍ତମ୍ଭ ଶବ୍ଦ ଏକ ଦିଗରେ ଖମ୍ବ,ଖୁମ୍ବ,ଖମ୍,ଖମ ଓ ଖମା ହୋଇ ପ୍ରଚଳିତ ଥିଵା ବେଳେ ଅନ୍ୟ ଏକ ପକ୍ଷରେ ଏହାର ଏକ ସମୟରେ ଥମ୍ବ ଓ ଥମ୍ ରୂପ ପରିଵୃତ୍ତ ହୋଇ ମଧ୍ୟ ପ୍ରଚଳିତ ଅଛି ।

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ମଧ୍ୟ ଖମ ଶବ୍ଦର ସ୍ତମ୍ଭ ଅର୍ଥରେ ଵ୍ୟଵହାର  ଦୃଷ୍ଟିଗୋଚର  ହୋଇଥାଏ

ଯଥା ବ୍ରହ୍ମନିରୂପଣ ଗୀତାରେ ଖମ ଶବ୍ଦର ଏମନ୍ତ ଵ୍ୟଵହାର ରହିଛି
“ଅଲେଖ ପ୍ରଭୂ ଏ ବ୍ରହ୍ମାଣ୍ଡରେ ମେରୁ ଖମ”

ସେହିପରି ଢେଙ୍କାନାଳ ଗଡ଼ଜାତ ତଥା ଓଡ଼ିଶାର ଅନ୍ୟ କେତେକ ଅଞ୍ଚଳରେ ଖମ୍ବ ପରିଵର୍ତ୍ତେ ଖୁମ୍ବ ଶବ୍ଦର ଵ୍ୟଵହାର ପ୍ରଚଳିତ ଅଛି । ସାହିତ୍ୟରେ ମଧ୍ୟ ଖୁମ୍ବ ଶବ୍ଦ ଵ୍ୟଵହାରର ଉଦାହରଣ ରହିଛି
ଯଥା —
“ଆବର ରତନର ପୁର ।
ଖୁମ୍ବ ନ ଥାଇ ସେ ତିଆର ।।
ଆଡ଼ଦୀର୍ଘ ତା ନୋହେ କଳି ।
ମଧ୍ୟେ ଅଛଇ ରାସସ୍ଥଳି ।।”
(ରାଧାଷ୍ଟମୀ ଵ୍ରତ,କ୍ଷେତ୍ରମୋହନ)

ଓଡ଼ିଶାର କେତେକ ଅଞ୍ଚଳରେ ଖମା ଶବ୍ଦଟି ମଧ୍ୟ ଖୁଣ୍ଟ ଅର୍ଥରେ ଵ୍ୟଵହାର ହୋଇଥାଏ ବୋଲି କଥିତ ଓଡ଼ିଆ ଶବ୍ଦକୋଷର ଉଲ୍ଲେଖରୁ ଜଣାଯାଏ ।

ସେହିପରି ସ୍ତମ୍ବ ଶବ୍ଦର ଅନ୍ଯ ଏକ ଓଡ଼ିଆ ରୂପ ଥମ୍ବର ଵ୍ୟଵହାର କଵି ପ୍ରତାପ ରାୟ ତାଙ୍କ ଶଶିସେଣା କାଵ୍ୟରେ ପ୍ରୟୋଗ କରିଅଛନ୍ତି

“ଥମ୍ବ ପ୍ରତିମା ପ୍ରାୟେକ ବେନି ବାମା
ନ ପାରନ୍ତି କଥା କହି।”

ଆଜି ବି ମାଲକାନଗିରିରେ ଥମ୍ ତଥା ଜଗତସିଂହପୁର ଜିଲ୍ଲାରେ ଥମ୍ବ ଶବ୍ଦର ଵ୍ୟଵହାର ସ୍ତମ୍ଭ ଅର୍ଥରେ ହେଉଥିଵା କଥିତ ଓଡ଼ିଆ ଶବ୍ଦକୋଷରେ ଉଲ୍ଲେଖ କରାଯାଇଛି ।‌

ତେଣୁ ଖମ୍ବ ଦ୍ଵାରା ଖେଳାଯାଉଥିଵାରୁ ଗଡ଼ଜାତର ଏହି ଖେଳକୁ ଖମଖମାଲୋ,ଖମଖମାଲୁ ଓ ଖମଖମାଲି ଇତ୍ୟାଦି କୁହାଯାଉଥିଲା ।




ଏହା ଥିଲା ଏକ ଆବଦ୍ଧପ୍ରାଙ୍ଗଣର କ୍ରୀଡ଼ା କିନ୍ତୁ ଯଦି ଖୋଲା ପଡ଼ିଆରେ ଯେଉଁଠି ଚାରି ଵା ତତୋଧିକ ବଡ଼ ଖୁଣ୍ଟ ପୋତା ହେଉଥିଲା କିଂଵା ଆମ୍ବ ତୋଟାରେ ଲଗାଲଗି ହୋଇ ବଡ଼ ଵୃକ୍ଷ ରହୁଥିଲା ସେଠାରେ ମଧ୍ୟ ପିଲାଏ ଏ ଖେଳ ଖେଳୁଥିଲେ । କେହି କେହି ଏ ଖେଳକୁ ଘରର ଚାରି କୋଣକୁ ଆଧାର କରି ଖେଳୁଥିଵାର ମଧ୍ୟ ଜଣାଯାଏ । କିନ୍ତୁ ପୂର୍ଵକାଳରେ ସାଧାରଣତଃ ଗୁହାଳ ଘରେ ଚାରିଗୋଟି ଖୁମ୍ବ ରହୁଥିଵାରୁ ଏହି ଖମଖମାଲୋ ଖେଳ ସେଠାରେ ଅଧିକ ଖେଳାଯାଉଥିଲା ।



ଖମଖମାଲୋ ଖେଳରେ ଉଭୟ ପୁଅ ପିଲା ଓ ଝିଅପିଲା  ଅଂଶଗ୍ରହଣ କରିପାରୁଥିଲେ । ଖେଳାଳିଙ୍କ ଵୟସ ସୀମା ତିନିରୁ ଦଶ ଵର୍ଷ ଵୟସ ଭିତରେ ସୀମିତ ରହୁଥିଲେ ହେଁ ବେଳେବେଳେ ଏଥିରେ ବଡ଼ ନାନୀ ଭାଇମାନେ ଯୋଗ ଦେଉଥିଵାର ଦେଖାଯାଉଥିଲା  ।

ଏହି ଖେଳ ସାଧାରଣତଃ ଘରେ କିଂଵା ଗୁହାଳଘରେ ଖେଳାଯାଉଥିଵାରୁ ଘରେ ପିତାଙ୍କ ଅନୁପସ୍ଥିତିରେ କିଂଵା ଗୁହାଳରେ ଗାଈ ଗୋରୁ ନଥିଵା ସମୟରେ ହିଁ ଏହି ଖେଳ ଖେଳାଯାଉଥିଲା ।

ଗୁହାଳରେ ଥିଵା ଖମ୍ବ ଆଧାରରେ ଖେଳାଳି ଭାଗ ନେଉଥିଲେ । ସାଧାରଣତଃ ଗୁହାଳଗୁଡି଼କରେ ଚାରିଗୋଟି ଖମ୍ବ ରହୁଥିଲା ଘରେ ମଧ୍ୟ ଚାରିଗୋଟି କୋଣ ରହିଥାଏ ତେଣୁ ଏ ଖେଳରେ ଚାରିଗୋଟି ଖମ୍ବ ଵା କୋଣ ଆଧାରରେ ଚାରିଜଣ ସାଧାରଣ ଖେଳାଳି ଓ ଜଣେ ମାଈ ଖେଳାଳି ଯୋଗ ଦେଉଥିଲେ ।

ଚାରିଜଣ ସାଧାରଣ ଖେଳାଳି ଗୁହାଳର ଚାରିଗୋଟି ଖମ୍ବ ଵା ଘରର ଚାରୋଟି କୋଣକୁ ଧରି ରହୁଥିଲେ ଏଵଂ ମାଈ ଖେଳାଳି ସେମାନଙ୍କ ମଝିରେ ଗୋଟିଏ ଗୋଲାଇ ଭିତରେ ରହି ଗୀତ ବୋଲୁଥିଲା ।

ଯଦି ଖମ୍ବ ,ଗଛ ଵା ଘରର କୋଣଠାରୁ ଖେଳାଳୀ ସଂଖ୍ୟା କମ୍ ରହୁଥିଲା ତାହେଲେ ତହିଁରୁ ଗୋଟିଏ ଦୁଇଟି ଖମ୍ବ,କୋଣ ଵା ଗଛ ଵାଦ୍ ଦିଆଯାଉଥିଲା ।




ଖେଳାଳୀମାନଙ୍କ ଭିତରୁ ଯେଉଁ ଖେଳାଳି ମଝିରେ ଗୋଲେଇ ଘାଇ ମଧ୍ୟରେ ରହୁଥିଲା ତାକୁ ‘ମାଇ’ କୁହାଯାଉଥିଲା କିନ୍ତୁ ଗଡ଼ଜାତରେ  ଏହି ମାଈ ଖେଳାଳିକୁ  ‘ଖମଖମାଲୋ ଗୀତ’ ଗାଇଵାକୁ ପଡୁ଼ଥିଲା  ।

“ଖମଖମାଲୋ
    ବାଏଗନ୍ ମାଲୋ
ମଝିର ଖମକେ ଛାଡ଼ିଦେ
        ମଝିର ଖମକେ ଛାଡ଼ିଦେ
ବିଲ୍ ବିଲାଲେ
        ଆମୁଲ୍ କୁଲେ
  ନନିର ଟୁଁଡ଼େ ଭରି ଦେ
           ନନିର ଟୁଁଡେ଼ ଭରିଦେ।।”

ପୁଣି କେଉଁଠି କେଉଁଠି ଏ ଗୀତ ଆହୁରି ସହଜ ହୋଇ ଗାୟନ ହେଉଥିଲା...

“ଖମ୍ ଖମାଲୋ
ବାଏଗନ୍ ମାଲୋ
ମୋର ଖମ୍ କେ ଛାଡି଼ ଦେ
ମୋର୍ ଖମ୍ କେ ଛାଡି଼ଦେ”

‘ମାଇ’ ଖେଳାଳି ଏହି ଗୀତ ଗାଉଥିଵା ସମୟରେ ଅନ୍ୟ ଖେଳାଳୀ ସବୁ ପରସ୍ପର ଖମ୍ବ ଅଦଳବଦଳ କରୁଥିଲେ । 



ଚାରିଗୋଟି ଗଛ,ଖମ୍ବ ଵା କୋଣକୁ ଧରି ରହିଥିଵା ଖେଳାଳିମାନଙ୍କ ଦ୍ଵାରା ଖମ୍ବ,କୋଣ ଵା ଗଛ ଅଦଳବଦଳ ସମୟରେ ଯଦି ମଝିରେ ଛିଡ଼ା ହୋଇ ଗୀତ ବୋଲୁଥିଵା ‘ମାଇ’ ଖେଳାଳୀ ସେମାନଙ୍କ ମଧ୍ୟରୁ କାହାକୁ ଛୁଇଁ ଦେଉଥିଲା ତେବେ ସେହି ଖେଳାଳୀ ଜଣକ ‘ମାଇ’ ହେଉଥିଲା । ମାତ୍ର ଯଦି ‘ମାଇ’ ଖେଳାଳି ଅନ୍ୟ ଖେଳାଳିକୁ ଛୁଇଁଵା ସମୟରେ ଘାଇରୁ ବାହାର ହୋଇ କାହାକୁ ଛୁଉଁଥିଲା କିଂଵା ରାହା ନପାଇଵାରୁ ଵା ଅନ୍ୟ କାରଣରୁ ଖମଖମାଲୋ ଗୀତ ଗାଇଵା ବନ୍ଦ କରିଦେଇ କାହାକୁ ଛୁଇଁ ଦେଉଥିଲା ତେବେ ସେହି ଛୁଆଁକୁ ଗଡ଼ରେ ଗଣନା କରାଯାଉନଥିଲା ଏଵଂ ଆଉଥରେ ଖେଳ ଆରମ୍ଭ ହେଉଥିଲା । ଏହିପରି ଏହି ଖମଖମାଲୋ ଖେଳ ଘଣ୍ଟାଏରୁ ଦେଢ଼ ଘଣ୍ଟାଯାଏଁ ଖେଳାଯାଉଥିଲା ।

ଭାରତର ଅନ୍ୟ ଖେଳଗୁଡି଼କ ପରି ଏ ଖେଳରେ ମଧ୍ୟ ଗୁହିଁ ଵା ଗୁନ୍ଧୁରୀ ହେଲେ ଅର୍ଥାତ୍ ଗୋଳ ହେଲେ ଖେଳରେ ଗୁନ୍ଧୁରୀ କରିଥିଵା ଖେଳାଳିଙ୍କୁ ଵାଦ୍ ଦିଆଯାଇ ମଝିରେ ନୂଆ ଖେଳାଳିଙ୍କୁ ଖେଳାଯାଉଥିଲା ।



ଏ ଖେଳ ସାଧାରଣତଃ ଆଵଦ୍ଧ ଘରେ ଓ ଗୁହାଳରେ ଖେଳାଯାଉଥିଵାରୁ ଅଵିଭାଵକ ଓ ସମଵୟସ୍କ ପିଲାଏ ଦର୍ଶକ ହୋଇ ଖେଳକୁ ଉପଭୋଗ କରିପାରୁଥିଲେ ।

ସମୟ ସହ ଏ ଖେଳ ଅଧୁନା ଓଡ଼ିଶାରୁ ଲୁପ୍ତ ହୋଇ ସାରିଛି କିନ୍ତୁ ଆଜି ମଧ୍ୟ ଘର କୋଣ ଵା ସ୍ତମ୍ଭ ଓ ଲଗାଲଗି ଉଠିଥିଵା ଆମ୍ବଗଛ ପୂର୍ଣ୍ଣ ଆମ୍ବ ତୋଟା ଵା ଜଙ୍ଗଲର ଗଛମୂଳରେ ମଧ୍ୟରେ ଏ ଖେଳ ଖେଳାଯାଇପାରେ ।

ଆଧୁନିକ ଯୁଗରେ ଦୂରଦର୍ଶନ , ମୋବାଇଲ ଆସିଵା ଦିନଠାରୁ ଅନେକ ଭାରତୀୟ କ୍ରୀଡ଼ା ଵର୍ତ୍ତମାନ ଲୁପ୍ତ ହୋଇଯାଇଅଛି । ଖମଖମାଲୋ ଖେଳ ମଧ୍ୟ କାଳ ଆଗରେ ପରାଜିତ ହୋଇ ଆଜି ମୃତ ହୋଇ ସାରିଛି । ଅସ୍ତୁ, ଓଡ଼ିଶାର ଲୋକେ ଵିଶେଷ ଉତ୍ସଵାଦିରେ ଏହି ଖେଳର ପ୍ରତିଯୋଗିତା ଆୟୋଜନ କରି ଏହାକୁ ଯଦି ବଞ୍ଚାଇଵାକୁ ଚେଷ୍ଟା କରନ୍ତେ ତେବେ ହୁଏତ ଏ ଖେଳଟି କେଵଳ ବହି ଓ ପୁରୁଣା ଲୋକଙ୍କ ସ୍ମତି ମଧ୍ୟରେ ସୀମିତ ନରହି ଆଉ ଥରେ ପୁନଃ ପ୍ରଚଳିତ ହୋଇପାରନ୍ତା ।
⚫⚫⚫⚫⚫⚫⚫⚫⚫⚫⚫⚫⚫
              🟠—ତଥ୍ୟ ଉତ୍ସ—🟠
କ) ପଶ୍ଚିମ ଓଡ଼ିଶାର ପାରମ୍ପାରିକ ଖେଳ;ଏକ ଲୋକତାତ୍ତ୍ଵିକ ଅଧ୍ୟୟନ— ଶ୍ରୀସଞ୍ଜୟ କୁମାର ବାଗ୍
ଖ) କଥିତ ଓଡ଼ିଆ ଶବ୍ଦକୋଷ— ଓଡ଼ିଆ ଭାଷା ପ୍ରତିଷ୍ଠାନ
ଗ) ସମ୍ବଲପୁରୀ ଓଡ଼ିଆ ଶବ୍ଦକୋଷ— ଶ୍ରୀ ସନ୍ତୋଷ ତ୍ରୀପାଠୀ
ଘ) ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ— ଶବ୍ଦଗୁରୁ ଶ୍ରୀଗୋପାଳ ଚନ୍ଦ୍ରପ୍ରହରାଜ
⚫⚫⚫⚫⚫⚫⚫⚫⚫⚫⚫⚫⚫

Sunday, August 8, 2021

🔵🔵ଓଡ଼ିଶା ଓ ଶ୍ରାଵଣ ଅମାଵାସ୍ୟା 🔵🔵


ଶ୍ରାଵଣ ଅମାଵାସ୍ୟାକୁ ଓଡ଼ିଶାରେ ଚିତଉ ଅମାଵାସ୍ୟା ଵା ଚିତାଲାଗି ଅମାଵାସ୍ୟା କୁହାଯାଏ । ଓଡ଼ିଆ ଭାଷାରେ ଚିତାଲାଗି ହେଵା କ୍ରିୟାର ଅର୍ଥ "ଦେହରେ ଚନ୍ଦନ ବୋଳି ହେଵା" କିନ୍ତୁ ଶ୍ରୀମନ୍ଦିରରେ   ସ୍ନାନପୂର୍ଣ୍ଣିମା ରାତିରେ ତିନିଠାକୁରଙ୍କୁ ଅଣସର ଘରେ ଯେଉଁ ରତ୍ନ ଅଳଙ୍କାର ଵିଶେଷ ହୀରା,ଲୀଳା ଓ ମାଣିକ୍ୟ ଚିତା ଉଲାଗି ହୋଇଥାଏ ତାହା ଆଜିର ଦିନରେ ଲାଗି ହେଉଥିଵାରୁ ଶ୍ରାଵଣ ଅମାଵାସ୍ୟାର  ନାମକରଣ ଚିତାଲାଗି ଅମାଵାସ୍ୟା ହୋଇଅଛି ।

ଠାକୁରମାନେ ଏହି ରତ୍ନଖଚିତ ସୁନାଚିତାମାନ ଏହିଦିନ  ଶ୍ରୀମନ୍ଦିରର ରତ୍ନବେଦୀରେ ପିନ୍ଧନ୍ତି ଏଵଂ ତାହା ଅତ୍ୟନ୍ତ ଦୁର୍ମୂଲ୍ୟ ଅଟଇ ।  ଶ୍ରୀଜଗନ୍ନାଥଙ୍କ ରତ୍ନଚିତାକୁ ‘ହୀରାଚିତା’ କୁହାଯାଏ । ଏହି ଚିତା ମଝିରେ ନାୟକ ଭାବରେ ଗୋଟିଏ ବଡ଼ ହୀରା ଖଞ୍ଜା ଯାଇଛି। ତାହାର ରଙ୍ଗ ଧଳା ହୋଇଥିବାରୁ ତାହାର ଅନ୍ୟନାମ ‘ଧଳାଚିତା’। ଶ୍ରୀବଳଭଦ୍ରଙ୍କ ରତ୍ନଚିତାକୁ  ‘ନୀଳାଚିତା’ କୁହାଯାଏ ।  ସେଥିରେ ନାୟକ ଭାବରେ ଗୋଟିଏ ବଡ଼ ମର୍କତ ମଣି ଖଞ୍ଜା ଯାଇଥାଏ । ଏହି ନୀଳାଚିତା ସବୁଜ ରଙ୍ଗର ହୋଇଥାଏ ଏଵଂ  ଏହି ରତ୍ନଚିତାରେ ଗୋଟିଏ ନୀଳା ଖଚିତ ହେଉଥିଵାରୁ ଏହାକୁ ‘ନୀଳାଚିତା’ କୁହାଯାଏ । ଦେଵୀ ସୁଭଦ୍ରାଙ୍କ ରତ୍ନଚିତାକୁ  ‘ମାଣିକ୍ୟଚିତା’ ଓ ‘ନାଲିଚିତା’ କହିଥାନ୍ତି । ଶ୍ରୀବଳଭଦ୍ରଙ୍କ ରତ୍ନଚିତା ପରି ଏହି ମାଣିକ୍ୟଚିତାରେ ମଧ୍ୟ ନାୟକ ଭାଵରେ ରହିଛି ଗୋଟିଏ ବଡ଼ ମର୍କତ ମଣି  ।

ସ୍ନାନପୂର୍ଣ୍ଣମୀରେ ସ୍ନାନବେଦୀରେ ଠାକୁରମାନେ ସ୍ନାନ କରିଵାବେଳେ ଏହି ରତ୍ନଖଚିତ ସୁନାଚିତା ସେମାନଙ୍କର ମସ୍ତକରେ ଥାଏ। କିନ୍ତୁ ହାତୀବେଶ ଉଲାଗି ହୋଇ ଅଣସର ଘରକୁ ଯିଵା ପରେ ସେହି ଚିତାଯାକ ଓହ୍ଲାଇ ଆଣି ସୁରକ୍ଷିତ ରଖିଦିଆଯାଏ । ଅଣସର ପରେ ନଵ ଯୌଵନ ଦର୍ଶନ , ରଥରେ ଶ୍ରୀଗୁଣ୍ଡିଚା ଯାତ୍ରା କରିଵା ବେଳେ, ସେମାନଙ୍କର ମସ୍ତକରେ ସ୍ବତନ୍ତ୍ର ଭାବରେ ସୋଲରେ ତିଆରି କାରୁକାର୍ଯ୍ୟପୂର୍ଣ୍ଣ ଚିତା ଲାଗି କରାଯାଏ। ନୀଳାଦ୍ରି ବିଜେରେ ରତ୍ନସିଂହାସନକୁ ଲେଉଟିଵା ପରେ ମଧ୍ୟ ଏହି ରତ୍ନଚିତା ଲାଗି କରାଯାଇନଥାଏ । ଚିତାଲାଗି ଅମାବାସ୍ୟା ଦିନ ହିଁ ଏହା ଲାଗି କରାଯାଏ। ଏହିକାରଣରୁ ଶ୍ରାଵଣ ଅମାଵାସ୍ୟାକୁ ଓଡ଼ିଶାରେ ଚିତାଲାଗି ଅମାଵାସ୍ୟା କହିଥାନ୍ତି ।

ଶ୍ରାଵଣ ମାସର ଅମାଵାସ୍ୟା ତିଥିକୁ ‘ଚିତଉ ଅମାଵାସ୍ୟା’ ମଧ୍ୟ କହିଥାନ୍ତି କାରଣ ଏହିଦିନ ଶ୍ରୀମନ୍ଦିରରେ ଚିତଉପିଠା ଓ  ‘ଘିଉଡି ପିଠା’ ଭୋଗ ହୋଇଥାଏ । ଶ୍ରୀମନ୍ଦିରରେ ଏହି ଧରଣର ଭୋଗକୀ ପର୍ଵଣି ଭୋଗ କହିଥାନ୍ତି ।
ସାଧାରଣତଃ ବଡ଼ ଦେଉଳରେ ବଡ଼ ଓ ଛୋଟ ଦୁଇପ୍ରକାରର ଚିତଉ ଭୋଗ ଲାଗି ଥାଏ । 

ଓଡ଼ିଶାର ଗୃହସ୍ଥମାନେ ମଧ୍ୟ ଏହିଦିନ ଚିତଉ ପିଠା କରି ଇଷ୍ଟଙ୍କୁ ଭୋଗ କରାଯାଏ ।  କେତେକ ଅଞ୍ଚଳରେ  ଏହି ପିଠା ଧାନ କ୍ଷେତରେ ଓ  ପୋଖରୀ ଗାଡ଼ିଆରେ ଗେଣ୍ଡାମାନଙ୍କୁ ମଧ୍ୟ ଦିଆଯାଏ । ଓଡ଼ିଶାରେ ଲୋକଵିଶ୍ଵାସ ପ୍ରଚଳିତ ଯେ ଗେଣ୍ତା- ଶାମୁକାଙ୍କ ଦେଵତା ଗେଣ୍ତେଇଶୁଣୀଙ୍କୁ  ଚିତଉ ଅମଵାସ୍ଯା ଦିନ ଚିତଉ ପିଠା ଦେଲେ ଗେଣ୍ଡାମାନେ ମନୁଷ୍ୟମାନଙ୍କୁ କାମୁଡି଼ବେ ନାହିଁ ।

ଓଡ଼ିଶାର କେତେକ ଗ୍ରାମାଞ୍ଚଳରେ ଆଜି ମଧ୍ୟ ସ୍ତ୍ରୀଲୋକମାନେ  ପୋଖରୀ ତୁଠକୁ ଯାଇ ଗେଣ୍ତେଇଶୁଣୀଙ୍କ ନାମ ଧରି ଖଣ୍ତେ ପିଠା ପାଣିକୁ ପକେଇ ଦେଇ ଆସନ୍ତି ।  ଗେଣ୍ତେଇଶୁଣୀ ଚିତଉ ପିଠା ଲାଞ୍ଚ ଖାଇ ପିଷ୍ଟକଦାତ୍ରୀ ଓ ତାଙ୍କର ଆତ୍ମୀଯମାନଙ୍କ ଗୋଡ଼କୁ କାଟିବେ ନାହିଁ ଏହି ଆଶା ଓ ଵିଶ୍ଵାସ ଘେନି ବହୁ ପ୍ରାଚୀନ କାଳରୁ ଗେଣ୍ଡାମାନଙ୍କୁ ଚିତାଲାଗି ଅମାଵାସ୍ୟା ଦିନ ଚିତଉପିଠା ଦେଵାର  ପ୍ରଥା ଚଳି ଆସୁଅଛି । କେତେକ ଅଞ୍ଚଳରେ ଏହାକୁ ସ୍ଵତନ୍ତ୍ର ଭାବେ "ଗେଣ୍ଡେଇକଟା ଓଷା" ମଧ୍ୟ କୁହାଯାଏ । ସେହିପରି ବାଲେଶ୍ୱର, ମୟୁରଭଞ୍ଜ ଓ କେଉଁଝର ଆଦି ଅଞ୍ଚଳରେ ଏହି ପର୍ଵକୁ "ଗେଣ୍ଡାକଟା ଅମାଵାସ୍ୟା" କୁହାଯାଏ ।

ପୋଖରୀରେ ଗେଣ୍ଡେଇଶୁଣୀଙ୍କୁ ପିଠା ଅର୍ପଣ କରି ଓଡ଼ିଶାର ମହିଳାମାନେ ଗେଣ୍ଡେଇଶୁଣୀଙ୍କ ଉଦ୍ଦେଶ୍ୟରେ କୁହନ୍ତି...

“ଗେଣ୍ଡେଇଶୁଣି ଲୋ ଗେଣ୍ଡେଇଶୁଣି
ମୋ ଗୋଡ଼ କାଟିବୁ ନାହିଁ,
ମୋ ବାପା ଗୋଡ଼ କାଟିବୁ ନାହିଁ,
ମୋ ବୋଉ ଗୋଡ଼ କାଟିବୁ ନାହିଁ,
ଭାଇ ଗୋଡ଼ କାଟିବୁ ନାହିଁ ।
ଆମ ଫସଲ କାଟିବୁ ନାହିଁ ।”

ଵୈଜ୍ଞାନିକ ଦୃଷ୍ଟିକୋଣରୁ ବର୍ଷାଋତୁର ଆରମ୍ଭ ସମୟରେ ଗେଣ୍ଡାମାନଙ୍କର ପ୍ରଜନନର‌ ଋତୁ ।  ବର୍ଷା ଋତୁ ଧାନ ଫସଲର ଅଭିବୃଦ୍ଧିର ସମୟ, ବିଲରେ ଗେଣ୍ଡା ଯୋଗୁଁ ଗୋଡ଼ କାଟି ହୋଇ କ୍ଷତି ହୋଇଥାଏ ଏଣୁ ଏହି ସମ୍ବାଵନାକୁ ଏଡ଼େଇଵା ନିମନ୍ତେ ଚିତଉ ପିଠାକୁ ସାରୁ ପତ୍ରରେ ରଖି ଗେଣ୍ଡା ମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଜଳାଶ୍ରୟରେ ଭସାଯାଇଥାଏ । ସମ୍ଭଵତଃ ଏହିକାରଣରୁ ପୂର୍ଵକାଳରେ ଧାନଗଛର ସୁରକ୍ଷା ନିମନ୍ତେ ଆମ ପୂର୍ଵଜ ଏଭଳି ଏକ ସାଂସ୍କୃତିକ ପଦକ୍ଷେପ ଗ୍ରହଣ କରିଥିଲେ ।

ଆଜି ଓଡ଼ିଶାର ନଗରାଞ୍ଚଳର, ସୀମାନ୍ତ ଓଡ଼ିଶାର ଲୋକ ପାଶ୍ଚାତ୍ୟାଭିମୁଖୀ ହୋଇ ଏଵଂ ଉତ୍ତର ଓ  ଦକ୍ଷିଣ ଭାରତୀୟ ଲୋକଙ୍କ ପରମ୍ପରାଦ୍ଵାରା ପ୍ରଭାଵିତ ହୋଇ ଓଡ଼ିଶାର ମୌଳିକ ଖାଦ୍ୟ ଓ ସଂସ୍କୃତିଠାରୁ କ୍ରମଶଃ ଦୂରେଇ ଯାଉଛନ୍ତି । ଏଭଳି ଓଡ଼ିଆ ବଂଶୋଦ୍ଭଵ ସମ୍ଭଵତଃ ନିଜ ଜୀଵନରେ କେବେ ଚିତଉ ପିଠା ଦେଖି ନଥିବେ କି ଖାଇ ନଥିବେ । ତେବେ ଚିତଉ ପିଠା କରିଵାର ଵିଧି ସହଜ । ଚାଉଳକୁ ବାଟି ପିଠଉ କରି ସେଥିରେ ନଡ଼ିଆ ମିଶାଇ ସେହି ପିଠଉକୁ ନିଆଁଉପରେ ପଲମ ଵା ତେଲଉଣିରେ ଢ଼ାଳି ତା ଉପରେ ଗୋଟିଏ ସରା ଘୋଡ଼ାଇ ଦିଆଯାଏ ଏଵଂ ସରା ଉପରେ ପାଣିଛିଞ୍ଚାଯାଏ । ଏ ପିଠା ବାଷ୍ପଦ୍ବାରା ସିଦ୍ଧ ହୋଇଥାଏ ଫଳତଃ ଏହାର ଦେହଯାକ ଛିଦ୍ରଯୁକ୍ତ ହୋଇଥାଏ ଓ ଉପର ପାଖ ଫୁଲିଯାଏ । କେହି କେହି ଗୃହରେ ଚିତଉ ପିଠା କଲାବେଳେ ତହିଁରେ ଗୁଡ଼ ଓ ଦୁଗ୍ଧ କିଂଵା ଦଧି ଆଦି
ମଧ୍ୟ ମିଶାଇଥାନ୍ତି ।  ଚିତଉ ପିଠାର ନାମଟି ତତ୍ସମ ଚିତ୍ର , ଚିତ୍ରକ ଵା ଚତ୍ରଗୂ ଶବ୍ଦ ସହ ସମ ମୂଳରୁ ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି ।ଚିତ୍ର ଶବ୍ଦର ଏକ ଅର୍ଥ ଚିହ୍ନ ଵା ଦାଗ ଓ ଛାପିଛାପିକିଆ ଚିହ୍ନ ଏଵଂ ଯେଉଁଥିରେ ଏଭଳି ଦାଗ ଥାଏ ତାକୁ ଚିତ୍ରକ କୁହାଯାଏ । ଚିତଉ ପିଠାରେ ଫୋଡ଼ାଫୋଡ଼ି ଦାଗ ହୋଇଥିଵାରୁ ଏଭଳି ନାମକରଣ ହୋଇଥିଵା ସମ୍ଭଵ । ଚିତାଲାଗି ଅମାଵାସ୍ୟା ଛଡ଼ା ଏହି ଚିତଉ ପିଠା କୌଣସି ସ୍ତ୍ରୀ ଗର୍ଭଵତୀ ହେଲେ  ଗର୍ଭସଞ୍ଚାରର ସାତମାସ ପରେ ତାହାର ବାପଘରୁ ଓ ବନ୍ଧୁବାନ୍ଧବମାନଙ୍କ ଘରୁ ଶଙ୍ଖୁଳା ଭାବେ ପଠାଯାଇଥାଏ । ଗର୍ଭିଣୀର ଭକ୍ଷଣେଚ୍ଛା ଯୋଗୁଁ ସାଦରୁ , ସ୍ଵାଦିଷ୍ଟ ଖାଦ୍ୟ ଦିଆଯାଉଥିଵାରୁ ସ୍ବାଦରୁ କିଂଵା ଶ୍ରଦ୍ଧାରେ ଦିଆଯାଇଥାଏ ବୋଲି ଶାଧଖିଆ ତଥା କେତେକ ଅଞ୍ଚଳରେ ମୁଖ୍ୟତଃ ଚିତଉପିଠା ଦିଆଯାଉଥିଵାରୁ ଏହି ଶଙ୍ଖୁଳା ଭାରକୁ 'ଚିତଉଖିଆ'  କୁହାଯାଏ ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ଶ୍ରାଵଣମାସର ଚିତଉ ଅମାଵାସ୍ଯା ଦିନ ସମ୍ବଲପୁର ଅଞ୍ଚଳରେ କାଦୋବରିଷ୍ଟ ନାମରେ ଗୋଟିଏ ପର୍ଵ ପାଳନ କରାଯାଉଥିଲା ଏଵଂ ସମ୍ଭଵତଃ ଏ ପର୍ଵ ଅଧୁନା ଲୁପ୍ତ ।‌

ପଶ୍ଚିମ ଓଡ଼ିଶାର ଗ୍ରାମାଞ୍ଚଳଗୁଡ଼ିକରେ ଶ୍ରାଵଣ ମାସର ଉଁଆସକୁ "ଟଣ୍ଡେଇମାନଙ୍କର ରାଏତ୍‍" ବୋଲି ମଧ୍ୟ କୁହାଯାଏ । ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ଡାହାଣୀମାନଙ୍କୁ ଟଣେଇ,ଅଵିଭକ୍ତ ହୀରାଖଣ୍ଡରେ ଟଣ୍ଟେଇ,ଟଣ୍ଡେଇ ଓ ଟଣ୍ଢେଇଁ ଆଦି କୁହାଯାଏ । ସମ୍ଭଵତଃ  ନକାରାତ୍ମକ ଶକ୍ତି ବଳରେ ଜୀଵକୁ ନିଜପାଖକୁ ଟାଣି ଆଣିପାରୁଥିଵାରୁ କିଂଵା ତଣ୍ଟିରେ ପାଟି ଲଗାଇ ରକ୍ତ ପିଉଥିଵାରୁ ଡାହାଣୀମାନଙ୍କର ଏଭଳି ନାମକରଣ ହୋଇଛି ।

ଲୋକଵିଶ୍ଵାସ ଅନୁସାରେ ପଶ୍ଚିମ ଓଡ଼ିଶା ଵିଶେଷତଃ କୁଆଁରୀ ପାଟଣା ଵା ଆଧୁନିକ ପାଟଣାଗଡ଼ ଏକଦା ଗୁଣି ଗାରେଡ଼ି ତନ୍ତ୍ର ସାଧନା ପାଇଁ ଖ୍ୟାତ ଥିଲା । ଏଠାରେ କେତୋଟି ନିର୍ଦ୍ଧିଷ୍ଟ ତିଥିରେ ଵିଶେଷ ତନ୍ତ୍ର ସାଧନା ହେଉଥିଲା ତନ୍ମଧ୍ୟରୁ ଶ୍ରାଵଣ ଅମାଵାସ୍ୟା ଅନ୍ୟତମ ।  ଏଣୁ ଶ୍ରାଵଣ ଅମାଵାସ୍ୟାର ରାତ୍ରିକୁ ଗୁଣି ଗାରେଡି, ଡ଼ାହାଣି ବିଦ୍ୟା ତନ୍ତ୍ର ସାଧାନାର ସିଦ୍ଧି ପ୍ରାପ୍ତିର ନିଶାରାତି ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଜି ବି ଵିଶ୍ୱାସ ରହିଛି । ଚତାଲାଗି ଅମାଵାସ୍ୟା ଦିନ ପଶ୍ଚିମ ଓଡ଼ିଶାର ଗ୍ରାମାଂଚଳ ଗୁଡ଼ିକରେ ଗ୍ରାମଦେଵୀ ପୂଜା କରାଯାଇଥାଏ ଏଵଂ ପୁରାତନ ପ୍ରଥା ଅନୁସାରେ ଗ୍ରାମଦେଵୀଙ୍କ ନିକଟରେ ଚିତାଲାଗି ଅମାବାସ୍ୟା ଦିନ ବୋଦା, କୁକୁଡ଼ା, ପାରା ଆଦି ବଳି ଦିଆଯାଏ ।  ସ୍ଥାନୀୟ ଲୋକେ ଚାଷ କାମ ସାରିଵା ପରେ ଭଲ ଚାଷ ଅମଳ ତଥା ଗ୍ରାମରେ ସୁଖ ଶାନ୍ତି ବଜାୟ ରଖିଵାକୁ ନେଇ ଗ୍ରାମଦେଵୀଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି । ଏ ଅଞ୍ଚଳରେ ଶ୍ରାଵଣ ଅମାବାସ୍ଯା ଦିନ ଗ୍ରାମର ଗାଈ ଚରାଇଵା ଗଉଡ଼ ଲୋକ ଶତାଵରୀ ଡାଳ ଆଣି ଗ୍ରାମର ପ୍ରତ୍ଯେକ ବ୍ୟକ୍ତିଙ୍କ ଘରେ ଖୋସିଯାଏ। ଲୋକ ଵିଶ୍ବାସ ଅଛି ଯେ, ଏହା ଦ୍ବାରା ଗ୍ରାମବାସୀମାନେ କୁଶଳରେ ରହନ୍ତି।

ତେବେ ଉତ୍ତର ଭାରତୀୟଙ୍କ ପ୍ରଭାଵରେ ଓଡ଼ିଶାର ସୀମାନ୍ତ ଅଞ୍ଚଳ ତଥା ଓଡ଼ିଶାର ଵିଚ୍ଛିନ୍ନାଞ୍ଚଳର ଓଡ଼ିଆ ବଂଶୋଦ୍ଭଵମାନେ ଶ୍ରାଵଣ ଅମାଵାସ୍ୟାକୁ
ହରିଏଲ୍ ଉଆଁସ,ହରିଆଲି ଉଆଁସ ଵା ହରେଇଲି ଉଆଁସ ଭାବେ ପାଳିଥାଆନ୍ତି ଏଵଂ ଏହାକୁ ସେମାନେ ହରିଆଲି ଉଆଁସ କହିଥାନ୍ତି ।  ଅଦ୍ୟପି ଉତ୍ତର ଭାରତୀୟମାନେ ହରିଆଲୀ ଅମାବାସ୍ୟା ଭାବେ ଶ୍ରାଵଣ ଅମାଵାସ୍ୟାକୁ ଵିଧିଵଧ ଭାବେ ପାଳିଥାନ୍ତି । ଶ୍ରାଵଣ ଅମାଵାସ୍ୟା ଦିନ  ବୃକ୍ଷ ରୋପଣ କରିଵା ପରମ୍ପରା ଉତ୍ତର ଭାରତରେ ପ୍ରଚଳିତ ହୋଇଆସୁଛି । ଵୃକ୍ଷରୋପଣ ଦ୍ଵାରା ସବୁଜିମା ଵୃଦ୍ଧି ଏହି ପର୍ଵର ମୂଳ ଉଦ୍ଦେଶ୍ୟ ହୋଇଥିଵାରୁ ଏହାକୁ ଏହି କାରଣରୁ ହରିଆଲୀ ଅମାଵାସ୍ୟା କୁହାଯାଏ । ହରିଆଲୀ ଅମାଵାସ୍ୟାରେ  ପିପ୍ପଳ(ଅଶ୍ୱତ୍‌ଥ), ବଟବୃକ୍ଷ, ଆମ୍ବ, ନିମ୍ଵ ଏବଂ ଶମୀ ଆଦି ପାଞ୍ଚୋଟି ମହାନ୍‌ ବୃକ୍ଷକୁ ରୋପଣ କରିବା ସହ ପୂଜାର୍ଚ୍ଚନା କରାଯାଇଥାଏ  । ଏହି ପାଞ୍ଚଵୃକ୍ଷରେ ଆଧ୍ୟାତ୍ମିକ ଗୁଣ ଭରିରହିଥିଵାରୁ ହିନ୍ଦୁମାନେ ଦେଵତୁଲ୍ୟ ପୂଜାକରନ୍ତି  ।

ଶ୍ରାଵଣ ଅମାଵାସ୍ୟା ଏକ କୃଷିଭିତ୍ତିକ ପର୍ଵ । ଧାନ ଗଛର ରକ୍ଷା ହେତୁକ ଗେଣ୍ଡାମାନଙ୍କୁ ଚିତଉପିଠା ଅର୍ପଣ କରିଵା ହେଉ,ଭଲ ଅମଳ ପାଇଁ ଦେଵୀ ଉପାସନା କରାଯିଵା ହେଉ ଵା ପାଞ୍ଚଗୋଟି ପଵିତ୍ର ଵୃକ୍ଷ ରୋପଣ ହେଉ ଏ ପର୍ଵ ପରୋକ୍ଷରେ ପ୍ରକୃତି ଉପାସନାର ଵାର୍ତ୍ତା ଦେଇଥାଏ ।

🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠🟠

Tuesday, July 6, 2021

ଗଡ଼ଜାତର କାଣ୍ଠଲା ଖେଳ

ଓଡ଼ିଶାର ଗଡ଼ଜାତରେ କାଣ୍ଠଡ଼ା ଚୋର ନାମରେ ଏକ ଖେଳ ଖେଳାଯାଏ ‌ । ଅଞ୍ଚଳ ଭେଦରେ ଏହି ଖେଳକୁ ‘ପଣସି ଗୋଛା’, ‘କୁକୁର ଚୋର୍’, ‘କାକରୀ ଚୋର' ଆଦି କୁହାଯାଏ ।

‘କଣ୍ଠଡ଼ା ଚୋର’ ମଧ୍ୟରେ ଥିଵା "କଣ୍ଠଡ଼ା" ଶବ୍ଦର ଅର୍ଥ ପଣସ । କଣ୍ଟକଫଳ ,କଣ୍ଟଫଳ ଵା କଣ୍ଟାଫଳ ଶବ୍ଦ ସହ ଓଡ଼ିଆ  କଣ୍ଠଡ଼ା ଓ ହିନ୍ଦୀ କଠଲ ତଥା କଟହଲ ଶବ୍ଦ ସମଦ୍ଧୃତ । ଗଡ଼ଜାତରେ ଯେଉଁଠି ପଣସକୁ କଣ୍ଠଡ଼ା କୁହାଯାଏ ନାହିଁ ସେଠାକାର ଲୋକ ଏ ଖେଳକୁ ପଣସି ଖେଳ କହିଥାନ୍ତି । କେତେକ ଅଞ୍ଚଳରେ ପଣସ ସ୍ଥାନରୈ କାକୁଡ଼ି ଓ କୁକୁର ଶବ୍ଦ ମଧ୍ୟ ପରିଦୃଷ୍ଟ ହୁଏ ।

ଏହି ଖେଳରେ ଅଳ୍ପ ବୟସ୍କ ପୁଅପିଲା ଓ ଝିଅପିଲା ଅଂଶଗ୍ରହଣ କରିଥାନ୍ତି।  ଦୁଆର କିମ୍ବା ଗାଁ ଦାଣ୍ଡକୁ ଏଥିପାଇଁ କ୍ରୀଡ଼ାକ୍ଷେତ୍ର ଭାବରେ ବଛାଯାଇଥାଏ ।

ଏହି ଖେଳରେ ପାଞ୍ଚରୁ ଦଶ ଜଣ ପର୍ଯ୍ୟନ୍ତ ପିଲା ଭାଗ ନେଇଥାନ୍ତି। ଏମାନଙ୍କ ବୟସ ତିନିରୁ ଦଶବର୍ଷ ଭିତରେ ହୋଇଥାଏ ଏଵଂ ବେଳେବେଳେ ତତୋଽଧିକ ମଧ୍ୟ ହୋଇପାରେ । ଖେଳାଳୀମାନଙ୍କୁ ପଣସିଗଛ, ପଣସ, ବୁଢ଼ାବୁଢ଼ୀ, ଚୋର, ଓ କୁକୁର ଭୂମିକାରେ ଅଵତୀର୍ଣ୍ଣ କରିବାକୁ ପଡ଼େ।

ଜଣେ ଖେଳାଳୀ ପଣସଗଛ, ଦିଜଣ ଖେଳାଳୀ ବୁଢ଼ାବୁଢ଼ୀ, ଜଣେ ଚୋର ଏଵଂ ଜଣେ କୁକୁର ହେଉଥିଵା ବେଳେ ଅନ୍ୟ ଖେଳାଳୀମାନେ ପଣସ ଗଛ ହୋଇଥିଵା ଖେଳାଳୀଙ୍କ ସହିତ ପଣସ ପରି ଲାଗିକି ରହିଥାନ୍ତି ।

ଯେତେବେଳେ ଚୋର ପଣସ ଚୋରେଇଵାକୁ ଆସେ । ସେହି ସମୟରେ ବୁଢ଼ାବୁଢ଼ୀ ଘର ଭିତରେ ଅର୍ଥାତ୍ ନିକଟସ୍ଥ ଏକ ସ୍ଥାନରେ ଶୋଇଥିଵାର ଅଭିନୟ କରନ୍ତି ।

ଚୋରକୁ ଦେଖୁ କୁକୁର ଭୂମିକାରେ ଥିଵା ପିଲା ଭୁକିଵା ଆରମ୍ଭ କରେ କିନ୍ତୁ କୁକୁରକୁ ଫାଙ୍କି ଦେଇ ଚୋର ଗୋଟିଏ ପରେ ଗୋଟିଏ ପଣସ ଚୋରି କରି ନେଇଯାଏ।

ଅର୍ଥାତ୍ ଚୋର,ପଣସ ଭୂମିକାରେ ଥିଵା ଏଵଂ ପଣସଗଛ ସହିତ ଲାଗି ରହିଥିଵା ଖେଳାଳୀଙ୍କୁ ଟେକି ନେଇ ଆଢୁଆଳରେ ଲୁଚାଇ ରଖେ।

ଶେଷରେ ବୁଢ଼ାବୁଢ଼ୀ ଘରୁ ବାହାରି ଦେଖିଵାକୁ ପାଆନ୍ତି ଯେ ଚୋର ସବୁ ପଣସ ନେଇ ଯାଇଛି। ସେମାନେ ରାଗିଯାଆନ୍ତି ଓ ଚୋରକୁ ମାରିଵାକୁ ଗୋଡ଼େଇଥାନ୍ତି।

ଚୋର ଦୌଡ଼ିଥାଏ ଏବଂ ତା’ ସହିତ ପଣସ ଭୂମିକାରେ ଅଭିନୟ କରୁଥିଵା ଖେଳଳୀମାନେ ମଧ୍ୟ ଦୌଡ଼ିଥାନ୍ତି।

ଯେଉଁ ଖେଳାଳୀ ଦୌଡ଼ି ପାରେନାହିଁ ତାହାକୁ ଚୋର ଛାଡ଼ି ଦେଇଥାଏ । ବୁଢ଼ାବୁଢ଼ୀ ଓ ପଛରେ ଦୌଡ଼ୁଥିଵା କୁକୁର ତାକୁ ନେଇ ଆସନ୍ତି ।

ଏହିପରି ସମସ୍ତ ପଣସ ସଂଗ୍ରହ କରିସାରିଵା ପରେ ବୁଢ଼ାବୁଢ଼ୀ ଓ କୁକୁର ଚୋରକୁ ଧରିଥାନ୍ତି।

ଏହି ଖେଳ ଏହିପରି ଦୁଇରୁ ତିନିଘଣ୍ଟା ଯାଏଁ ଖେଳା ଯାଇଥାଏ। ଏ ଖେଳରେ ପ୍ରାୟ ସମସ୍ତ ସମବୟସ୍କମାନେ ଅଂଶଗ୍ରହଣ କରିପାରୁଥିଵାରୁ ଦର୍ଶକଙ୍କ କ୍ଵଚିତ୍ର ସମ୍ଭାଵନା ଏଠାରେ ଦେଖିଵାକୁ ମିଳେ ।

ଏହି ଖେଳ ସହ ଉପକୂଳ ଓଡ଼ିଶାରେ ପ୍ରଚଳିତ ଵୋହୂଚୋରୀ ଖେଳର କେତେକ ସାମଞ୍ଜସ୍ୟ ପରିଲକ୍ଷିତ ହୋଇଥାଏ ‌।

ତେଵେ ଆମ ସମାଜରେ ମୋବାଇଲ ଦୂରଦର୍ଶନର ଵ୍ୟଵହାର ବଢି଼ଵା ପରଠାରୁ ବାଟି,ଡାବଲପୁଆ ,ଵୋହୂଚୋରୀ ଭଳି ଏହି ଖେଳଟି ମଧ୍ୟ ଲୁପ୍ତ ହେଵାକୁ ବସିଛି ।