ନିର୍ଗୁଣ ମହାତ୍ମ୍ୟରେ ଅନେକ ପ୍ରାଚୀନ ଓଡ଼ିଆ ଶବ୍ଦ ପ୍ରୟୋଗର ଉଦାହରଣ ରହିଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଚୈତନ୍ୟ ଦାସଙ୍କର ନିର୍ଗୁଣ ମହାତ୍ମ୍ୟରୁ ଅନେକ ପଦର ଉଲ୍ଲେଖ ଅଛି । ଉଦାହରଣ ସ୍ୱରୂପ
“ତୋଳିଵ ଅନହତନାଦ,
ଶ୍ରଵଣେ ଶୁଭିଵ ଶବଦ।”
ହୃଦୟସ୍ଥ ଅନାହତ ଚକ୍ରରୁ 'ଓଁ' ରୂପକ ଯେଉଁ ବ୍ରହ୍ମମୟ ଧ୍ୱନି ବାହାରେ ତାକୁ 'ଅନାହତନାଦ' କହନ୍ତି । ସଂସ୍କୃତ ଭାଷାରେ ଏହାକୁ ଅନାହତନାଦ ଏଵଂ ଓଡ଼ିଆ ଭାଷାରେ ଅନହତନାଦ କୁ଼ହାଯାଉଥିଲା ।
“ଅଵଏ ଵିଷ୍ଣୁ ହେଲେ ରଜା,
ସକଳ କର୍ମଜନ ପ୍ରଜା ।”
×××××
“ଆତ୍ମାଧ୍ୟାନରେ ଚିତ୍ତ ଦେଲେ,
ଅଵୟେ ମୁକତିକି ଗଲେ । ”
ଅଵ୍ୟୟ ଶବ୍ଦର ଓଡ଼ିଆ ରୂପ ଅଵଏ ଅଵିନାଶୀ ଅର୍ଥରେ ପ୍ରୟୋଗ କରାଯାଇଛି । ଆଜିକାଲି ଅଵୟ କହିଲେ ଲୋକେ ତାକୁ ଅଶୁଦ୍ଧ ମନେ କରନ୍ତି କିନ୍ତୁ ଓଡ଼ିଆ ଭାଷା ଏକ ପ୍ରାକୃତ ଭାଷା ହୋଇଥିଵାରୁ ତଥା ଓଡ଼ିଆ ଭାଷାର ପ୍ରଥମ ଭାଷାଵିଦ ଶ୍ରୀଗୋପୀନାଥ ନନ୍ଦଶର୍ମାଙ୍କ ଅନୁସାରେ ପ୍ରାକୃତ ଭାଷାର ନିୟମିତ ଵିକୃତି ନିୟମାନୁସାରେ ତତ୍ସମ ଶବ୍ଦଗୁଡି଼କ ତଦ୍ଭଵ ରୂପେ ପରିଵୃତ୍ତ ହେଲେ ମଧ୍ୟ ଅଶୁଦ୍ଧ ପରିଗଣିତ ହୁଅନ୍ତି ନାହିଁ । ନିର୍ଗୁଣ ମହାତ୍ମ୍ୟରେ ଅଵଏ ଶବ୍ଦ ପ୍ରୟୋଗ ଏହି କଥାକୁ ସ୍ପଷ୍ଟ କରେ । ସଂସ୍କୃତ ଭାଷା ପାଇଁ ଅଵଏ ଓ ଅଵୟ ଶବ୍ଦ ଅଶୁଦ୍ଧ ହୋଇପାରେ ଓଡ଼ିଆ ପାଇଁ ନୁହେଁ । ଏହିପରି ଆଉ ଏକ ପଦ ମଧ୍ୟ ନିର୍ଗୁଣ ମହାତ୍ମ୍ୟରେ ରହିଛି ଯହିଁରେ ଅଵ୍ୟୟ ଶବ୍ଦର ଅନ୍ୟ ଏକ ଓଡ଼ିଆ ରୂପ ଅଵୟ ଵ୍ୟଵହୃତ ହୋଇଅଛି ।
“ଅଵାଇ ଘରେ ଵାଇ ଗଲେ,
ଜ୍ୟୋତି ପ୍ରକାଶିଵ ନିରୋଳେ।”
××××××
“ଗାଇତ୍ରୀ ଛନ୍ଦ ଫିଟାଇଵ,
ଅଵାଇମଣ୍ଡଳ ଭେଦିଵ ।”
ଏଠାରେ ଵ୍ୟଵହୃତ ଅଵାଇ ଶବ୍ଦର ଅର୍ଥ ଵାୟୁଶୂନ୍ୟ ଏଵଂ ଏହା ଅଵାତ ସହିତ ସମୋଦ୍ଧୃତ ବୋଲି ଭାଷାକୋଷରେ କୁହାଯାଇଛି । ସେହିପରି ଆକାଶ ଵା ଶୂନ୍ୟମଣ୍ଡଳକୁ ଆମ ଭାଷାରେ ଅଵାଇମଣ୍ଡଳ କୁହାଯାଉଥିଲା ।
”ଵିଷ୍ଣୁ କଥନେ ଅମରିଷ,
ଯାହାର ମନ ନୁହେ ଵଶ ।”
ଏ ପଦରେ ଵ୍ୟଵହୃତ ଅମରିଷ ଏକ ପ୍ରାଚୀନ ଓଡ଼ିଆ ଶବ୍ଦ ଯାହାର ସଂସ୍କୃତ ଅମର୍ଷ ସହିତ ସଗୋତ୍ରୀୟ ସମ୍ପର୍କ ଅଛି । ଏହି ପଦରେ ଅମରିଷ ଶବ୍ଦ ଅସହିଷ୍ଣୁ; ଅଧୀର ଅର୍ଥରେ ପ୍ରୟୋଗ କରାଯାଇଛି ।
“ଅଲେଖ ପୁରେ କର ଘର,
କେବେହେଁ ନୋହଇ ବାହାର।”
××××××
“ପିତାହିଁ ନ ଜାଣଇଁ ତାହା
ଅଲେଖ ଵିଷ୍ଣୁର ଏ ମାୟା।”
ଅଵାଇମଣ୍ଡଳ ଵା ଆକାଶକୁ ଆମ ଭାଷାରେ ଅଲେଖପୁର କୁହାଯାଉଥିଲା ଯାହା ଏହି ପଦରେ ଵ୍ୟଵହୃତ ହୋଇଅଛି । ସେହିପରି ଅଲେଖଵିଷ୍ଣୁ ହେଉଛନ୍ତି ମହିମା ପନ୍ଥର ନିରାକାର ବ୍ରହ୍ମ ।
”ବାମ ଚରଣ ପରେ ବସି
ଚଞ୍ଚଳ ମନକୁ ଆକ୍ରୋଶି ।”
ଆକ୍ରୋଶିଵା ଏହିପରି ଆଉ ଏକ ପ୍ରାଚୀନ ଓଡ଼ିଆ ଶବ୍ଦ ଯାହା ଵ୍ୟାପିଵା ଓ ଏକାଗ୍ର କରିଵା ଅର୍ଥରେ ପ୍ରୟୋଗ କରାଯାଉଥିଲା ।
“ସକଳ ଧର୍ମ ଆଡ଼େ କରି
ଆଡ଼କେ ବ୍ରହ୍ମଜ୍ଞାନ ଭରି।”
ଏହି ପଦରେ ଵ୍ୟଵହୃତ ଆଡ଼େ କରିଵା ଶବ୍ଦର ଅର୍ଥ ଗୋଟିଏ ପାଖରେ ରଖିଵା ଅଟେ । ଏବେବି ଲୋକେ ଗୋଟେ ଆଡ଼େ,ସେ ଆଡ଼େ ଓ ଏ ଆଡ଼େ ଆଦି କହିଲାବେଳେ ଏହି ଆଡ଼େ ଶବ୍ଦକୁ ପ୍ରୟୋଗ କରିଥାନ୍ତି ।
“କର୍ମ ନ କର ତାତ ମାତ
କର୍ମେ ହୋଇଵ ଆତଯାତ ।”
ଆତଯାତ ଶବ୍ଦର ସାଧାରଣ ଓଡ଼ିଆ ଅର୍ଥ ଯିଵା ଆସିଵା କରିଵା କିନ୍ତୁ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏଠାରେ ପୁନଃ ପୁନଃ ଜନ୍ମୁଥିଵା ଓ ମରୁଥିଵା ଜୀଵନଚକ୍ରକୁ ଉପଲକ୍ଷ୍ୟ କରି ଆତଯାତ ଶବ୍ଦ ପ୍ରୟୋଗ କରାଯାଇଛି ।
“କେ ଊର୍ଦ୍ଧ୍ୱ ବାହୁ ଟେକି ଶୂନ୍ୟେ
ରହିଲେ ପଵନ ଆପ୍ୟାନେ।”
ଆପ୍ୟାନ ଶବ୍ଦଟି ଏଠାରେ ପାନ କରିଵା ଅର୍ଥରେ ପ୍ରୟୋଗ କରାଯାଇଛି । ଏହା ଏକ ପ୍ରାଚୀନ ଓଡ଼ିଆ ଶବ୍ଦ ଯାହା ପୂର୍ଵେ ସାହିତ୍ୟରେ ବହୁଳ ଭାବରେ ଵ୍ୟଵହାର କରାଯାଉଥିଲା ।
“ଜଗତ କଲେ ଉତ୍ତାପନ,
ସାଧୁମାନେ ପାନ୍ତି କଷଣ ॥”
ସଂସ୍କୃତ ଭାଷାରେ ଉତ୍ତାପନର ଅର୍ଥ ତତାଇଵା,ଉଷୁମାଇଵା କିନ୍ତୁ ଓଡ଼ିଆ ଭାଷାରେ ଏହି ଶବ୍ଦକୁ ଲକ୍ଷଣାର୍ଥ ପ୍ରପୀଡ଼ିତ ଅର୍ଥରେ ଏଠାରେ ପ୍ରୟୋଗ କରାଯାଇଛି ।
“ପୃଥ୍ୱୀର ଅନ୍ଧକାର ଦେଖି,
ସେ ଜ୍ୟୋତି ବ୍ରହ୍ମ ଉପଲେଖି ।
ତପନ କଲେ ଉପଗତ,
କଲେ ତାହାକୁ ତେଜଵନ୍ତ।”
ଓଡ଼ିଆ ଭାଷାରେ ଉପଲେଖିଵା ଶବ୍ଦର ଦୁଇଗୋଟି ଅର୍ଥ ଅଛି । ଉପେକ୍ଷା ମୂଳର ଉପଲେଖିଵା ଶବ୍ଦର ଅର୍ଥ ତ୍ୟାଗ କରିଵା କିନ୍ତୁ ଏଠାରେ ଉପଲକ୍ଷ ମୂଳର ଉପଲେଖିଵା ଶବ୍ଦକୁ ଲକ୍ଷ୍ୟ କରିଵା ଵା ଉପଲକ୍ଷ କରିଵା ଅର୍ଥରେ ପ୍ରୟୋଗ କରାଯାଇଛି ।
କଵି ଚୈତନ୍ୟ ଦାସଙ୍କର ନିର୍ଗୁଣ ମହାତ୍ମ୍ୟର ଆଉ କେତେକ ପଦ ନିମ୍ନରେ ପ୍ରଦତ୍ତ ହେଲା...
“ପୃଥିଵୀ କରି ଏକକାର,
ବ୍ରହ୍ମ ଆନନ୍ଦେ ଦିନ ହର।”
“ଅନନ୍ତ ଏ ବିଚାର କରି,
ଅକ୍ଷରେ ମୁଖରୁ ଉଦ୍ଗାରି ।
ଓମ ଅକ୍ଷର ଉଦେ କଲେ,
ତହିଁରୁ ସିଦ୍ଧି ପ୍ରକାଶିଲେ ॥”
“ଅଭ୍ୟାସ କରି ଯୋଗବଳ,
ଭେଦିଵ କାଉଁରିମଣ୍ଡଳ ॥”
“ଜୀଵ ପରମ କର୍ମ କରେ
ସେ କର୍ମ ଫଳ କ୍ଷରେ ବଳେ ।”
”ଆତ୍ମା ବ୍ରହ୍ମର ଗଛାଗଛି
ବାନ୍ଧି ଥୋଇଲା ପ୍ରାୟେ ଅଛି ॥”
ମାଳି ଜାତିରେ ଜନ୍ମ ଲଭିଥିଵା ଶ୍ରୀଚୈତନ୍ୟ ଦାସଙ୍କ ଭଳି କଵି ସତରଶହ ଶତାବ୍ଦୀରେ ନିର୍ଗୁଣ ମହାତ୍ମ୍ୟ ପରି ଅମୂଲ୍ୟ କାଵ୍ୟ ରଚନା କରିଵା ସ୍ପଷ୍ଟ କରେ ଯେ ତିନିଶହ ଵର୍ଷ ତଳେ ଓଡ଼ିଶାର ପଶ୍ଚିମର ଭାଷା ଓଡ଼ିଆ ଥିଲା ଏଵଂ ଓଡ଼ିଶାରେ ଯେକୌଣସି ଜାତିର କଵି କାଵ୍ୟ ରଚନା କରିପାରୁଥିଲେ । ଯେଉଁମାନେ ଓଡ଼ିଆ ଶୈଳୀ ଓ ଜାତି ଵିଶେଷ ଆଧାରରେ ଓଡ଼ିଶା ମାଟି, ଓଡ଼ିଆ ଭାଷା ତଥା ଓଡ଼ିଆ ସମାଜକୁ ବାଣ୍ଟି ଦେଵାକୁ ନାନା ଷଡ଼ଯନ୍ତ୍ର କରୁଛନ୍ତି ସେମାନେ ଶ୍ରୀଚୈତନ୍ୟ ଦାସଙ୍କ ଭଳି ସାହିତ୍ୟ ସାଧକ ଓ ତାଙ୍କ ଜୀଵନୀ ଯୋଗୁଁ ସହଜରେ ଧରା ପଡ଼ିଯାଆନ୍ତି ।
No comments:
Post a Comment