Tuesday, September 5, 2023

•"lagrange point" କାହାକୁ କୁହାଯାଏ ଓ ଏହାର ଉପାଦେୟତା କ'ଣ ?•

ପୃଥିଵୀ ଗୋଲାକାର ଏହା ସତ୍ତ୍ୱେ ପୃଥିଵୀର ମାଧ୍ୟାକର୍ଷଣ ଶକ୍ତି ଆମକୁ ଧରି ରଖିଥାଏ, ଫଳତଃ ଆମେ ଉଡ଼ିଯାଇ ମହାକାଶରେ ହଜିଯାଉ ନାହେଁ । କିନ୍ତୁ କ୍ଷଣକ ପାଇଁ ଚିନ୍ତା କରନ୍ତୁ, ଯଦିଓ ଆମେ ପୃଥିଵୀରେ ଅଛନ୍ତି, ତାହେଲେ ସୂର୍ଯ୍ୟର ମହାକର୍ଷଣ ଶକ୍ତି ମଧ୍ୟ ଆମକୁ ତା ଆଡ଼କୁ ଟାଣୁଅଛି କି ? ଅବଶ୍ୟ ତାହା ହିଁ ହେଉଛି । କିନ୍ତୁ ଯେହେତୁ ଆମ୍ଭେମାନେ ସୂର୍ଯ୍ୟଙ୍କ ତୁଳନାରେ ପୃଥିଵୀର ଅଧିକ ନିକଟତର, ତେଣୁ ଏହି ପରିସ୍ଥିତିରେ ପୃଥିଵୀର ମାଧ୍ୟାକର୍ଷଣ ଶକ୍ତି ଅଧିକ ପ୍ରଭାଵଶାଳୀ ହୁଏ ।

ଧରି ନିଅନ୍ତୁ ଜଣେ ପୃଥିଵୀଠାରୁ ସୂର୍ଯ୍ୟଆଡ଼କୁ, ଏକ ସରଳ ରେଖାରେ ଯାତ୍ରା କରୁଛନ୍ତି । ସୂର୍ଯ୍ୟ ଆଡ଼କୁ ଗତି କରିଵା ମାତ୍ରେ ତାଙ୍କ ଉପରେ ସୂର୍ଯ୍ୟଙ୍କ ମହାକର୍ଷଣ ଶକ୍ତିର ପ୍ରଭାଵ ଅଧିକରୁ ଅଧିକ ହୋଇ ଚାଲିଵ ଏଵଂ ଧୀରେ ଧୀରେ ପୃଥିଵୀର ମାଧ୍ୟାକର୍ଷଣ ଶକ୍ତି ଦୁର୍ଵଳ ହୋଇ ହୋଇ ଯିଵ । 

ଵର୍ତ୍ତମାନ ଏହି ଯାତ୍ରା ସମୟରେ ନିଶ୍ଚିତ ଭାଵରେ ଏମିତି ଏକ ସମୟ ଵା ବିନ୍ଦୁ ଆସିଵ ଯେଉଁଠି ପୃଥିଵୀ ଓ ସୂର୍ଯ୍ୟଙ୍କ ଗୁରୁତ୍ବାକର୍ଷଣ ଶକ୍ତି ସମାନ ରହିଵ । ସରଳ ଶବ୍ଦରେ କହିଲେ ଏହି ସମୟରେ ସୂର୍ଯ୍ୟଙ୍କର ମହାକର୍ଷଣ ଓ ପୃଥିଵୀର ମାଧ୍ୟାକର୍ଷଣ ଶକ୍ତି ପରସ୍ପରକୁ cancel out କରିଦେବେ । ଯେତେବେଳେ ଏହି ବିନ୍ଦୁରେ କେହି ରହିବେ,ସେ ମହାକାଶରେ ତ୍ରିଶଙ୍କୁ ପରି ଝୁଲୁଥିବେ - ନା ଏପାରିକୁ, ନା ସେପାରିକୁ ଯାଇ ପାରିବେ । ଏହି ନିର୍ଦ୍ଦିଷ୍ଟ ବିନ୍ଦୁକୁ "lagrange point" କୁହାଯାଏ ।
ଇଟାଲୀୟ ଗଣିତଙ୍କ ଓ ଜ୍ୟୋତିର୍ଵିଜ୍ଞାନୀ Joseph-Louis Lagrangeଙ୍କ ନାମାନୁସାରେ ଏହାର ନାମକରଣ ହୋଇଅଛି । ଏହି ବିନ୍ଦୁ ସୂର୍ଯ୍ୟ ଓ ପୃଥିଵୀ ମଧ୍ୟରେ ରହିଛି । ଏହା ପୃଥିଵୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ମହାକାଶରେ ଅଵସ୍ଥିତ ।

ସୂର୍ଯ୍ୟ-ପୃଥିଵୀ, ପୃଥିଵୀ-ଚନ୍ଦ୍ର ଇତ୍ୟାଦି ପରି ପରସ୍ପରକୁ ପରିକ୍ରମା କରୁଥିଵା ଯେକୌଣସି ଦୁଇଟି ଖଗୋଳୀୟ ପିଣ୍ଡ ମଧ୍ୟରେ ମହାକାଶରେ ସମୁଦାୟ ୫ଟି ଲଙ୍ଗରାଜ ବିନ୍ଦୁ ଥାଏ , ଯେଉଁଠାରେ ଗୋଟିଏ ମହାକାଶୀୟ ପିଣ୍ଡ ଅନ୍ୟ ପିଣ୍ଡ ଠାରୁ ୨୪.୯୬ ଗୁଣ ଭାରୀ ହୋଇଥାଏ, ଫଳରେ ଉଭୟ ପିଣ୍ଡ ମଧ୍ୟରେ ଗୁରୁତ୍ବାକର୍ଷଣ ଏଵଂ କେନ୍ଦ୍ରୀୟ ବଳ ଏପରି ଚମତ୍କାର ପ୍ରଦର୍ଶନ କରନ୍ତି ଯେ ଏହି ଲାଙ୍ଗରାଜ୍ ବିନ୍ଦୁଗୁଡ଼ିକରେ ଥିଵା ଵସ୍ତୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ରୂପେ ସ୍ଥିର ରହେ । ଅର୍ଥାତ୍ ଲାଙ୍ଗରାଜ ପଏଣ୍ଟରେ ଥିଵା ବସ୍ତୁକୁ ନିଜ ସ୍ଥାନରେ ରହିଵା ପାଇଁ ରକେଟ୍ ବୁଷ୍ଟର୍ ଚଳାଇଵାର ଆଵଶ୍ୟକତା ହୁଏ ନାହିଁ କିମ୍ବା ଆଂଶିକ ଭାବେ ଚଳାଇଵାକୁ ହୋଇଥାଏ । 

ପୃଥିଵୀ ଓ ସୂର୍ଯ୍ୟ ମଝିରେ ଥିଵା L¹ ଲଙ୍ଗରାଜ ବିନ୍ଦୁ ବିଷୟରେ ଆମେ ଜାଣିଲେ । ସେହିପରି ଦ୍ବିତୀୟ ଲାଙ୍ଗରାଜ ବିନ୍ଦୁ L² ସୂର୍ଯ୍ୟଙ୍କର "ସେ ପାରିରେ" ଏଵଂ ତୃତୀୟ ଲାଙ୍ଗରାଜ ବିନ୍ଦୁ L³ ପୃଥିଵୀର "ଏହି ପାରିରେ" ଵିଦ୍ୟମାନ । ଏହି ତିନୋଟି ବିନ୍ଦୁ ଆଂଶିକ ଭାଵରେ ସ୍ଥିର ଅଟେ। ଅର୍ଥାତ୍ ଏଠାରେ ଥିଵା କୌଣସି କୃତ୍ରିମ ଉପଗ୍ରହ ପ୍ରାୟ ୨୩ ଦିନ ପର୍ଯ୍ୟନ୍ତ ତାଙ୍କ ସ୍ଥାନରେ ରହିପାରିବେ। ଏହାପରେ କିଛି କ୍ଷଣ ରକେଟ୍ ଚଳାଇ କରି ତାକୁ ପୁଣି ପୂର୍ଵ ସ୍ଥିତିରେ ପହଞ୍ଚାଇ ଦିଆଯାଏ ।

ଲାଙ୍ଗରାଜ ବିନ୍ଦୁ L⁴ ଓ L⁵ ମହାକାଶର ସେହି ସ୍ଥାନରେ ଅଛି ଯେଉଁଠାରେ ସୂର୍ଯ୍ୟ ଓ ପୃଥିଵୀ ଦ୍ଵାରା ଗଠିତ ୬୦ ଡିଗ୍ରୀ କୋଣ ପରସ୍ପରକୁ ଛେଦ କରିଥାନ୍ତି । L⁴ ଓ L⁵ଏହି ଦୁଇଟି ଯାକ ବିନ୍ଦୁ ସମ୍ପୂର୍ଣ୍ଣ ସ୍ଥିର । ଅର୍ଥାତ୍ ଯଦି ଆପଣ ଏହି ଦୁଇଟି ସ୍ଥାନରେ ଉପସ୍ଥିତ ଥାଆନ୍ତି ଏଵଂ ମୁଁ ଆପଣଙ୍କୁ ଆପଣଙ୍କ ସ୍ଥାନରୁ ଅନ୍ୟତ୍ର ଧକ୍କା ଦେଇଦିଏ, ତେବେ ମଧ୍ୟ ଆପଣ ଆପଣଙ୍କର ପୂର୍ଵ ସ୍ଥାନକୁ ଫେରିଆସିବେ । ଆପଣ ଏହି L⁴ ଓ L⁵ ଲାଙ୍ଗରାଜ୍ ବିନ୍ଦୁ ଦ୍ଵୟକୁ ଚାରି ଦିଗରେ ପର୍ଵତ ଦ୍ୱାରା ଘେରି ରହିଥିଵା ଏକ ଉପତ୍ୟକା ସହିତ ତୁଳନା କରିପାରିବେ, ଯେଉଁଠାରେ ବାମ-ଡାହାଣ-ଆଗକୁ କି ପଛକୁ ଯିଵାର କୌଣସି ଵିକଳ୍ପ ଉପଲବ୍ଧ ନାହିଁ ।


କଳ୍ପନା କରନ୍ତୁ, ମହାକାଶରେ ମଣିଷର ଵିସ୍ତାର ଦୃଷ୍ଟିରୁ ଏହି ଲାଙ୍ଗରାଜ୍ ବିନ୍ଦୁଗୁଡି଼କ ରଣନୈତିକ ଭାବେ କେତେ ଗୁରୁତ୍ୱପୂର୍ଣ୍ଣ । ଏଠାରେ ଆପଣ ଇନ୍ଧନ ଵିଷୟରେ ଚିନ୍ତା ନକରି ଵାସଯୋଗ୍ୟ ମାନଵ ଵସତି ସ୍ଥାପନ କରିପାରିବେ । ଆବଶ୍ୟକ ଲୁହାପଥର କିମ୍ବା ଅନ୍ୟାନ୍ୟ ଧାତଵ ସାମଗ୍ରୀ ଯୋଗାଣ ପାଇଁ ଖଣି ଖନନ ହେତୁ ଧରାଯାଇଥିଵା ଉଲ୍କାଗୁଡ଼ିକୁ ମହାକାଶର ଏହି ସ୍ଥାନରେ ଛଡ଼ାଯାଇପାରିବ। ପୁଣି ଚିନ୍ତା କରନ୍ତୁ ଯେ ଇନ୍ଧନକୁ ପିଇ ଯାଉଥିଵା ଗୁରୁତ୍ବାକର୍ଷଣ କିମ୍ବା ଵାୟୁ ଅଭାଵରେ ଭଵିଷ୍ୟତର ମହାକାଶ ଅଭିଯାନଗୁଡ଼ିକୁ ଏହି ଲାଙ୍ଗରାଜ୍ ବିନ୍ଦୁରୁ ପଠାଇଵା କେତେ ସହଜ ହେଵ ।

କେ ଜାଣେ ହୁଏତ ଏମିତି ଏକ ସମୟ ଆସିଵ ଯେତେବେଳେ ଆମେ ବ୍ରହ୍ମାଣ୍ଡରେ ଅନେକ ସୌରମଣ୍ଡଳର ଲାଙ୍ଗରାଜ୍ ବିନ୍ଦୁରେ ଆମର ଜନଵସତି ସ୍ଥାପନ କରିସାରିଥିଵା । ସେତେବେଳେ ସେହି ସମ୍ଭାଵିତ ଭଵିଷ୍ୟତର ମହାକାଶଚାରୀମାନେ ଦୂରଦୂରାନ୍ତରର ମହାକାଶ ଯାତ୍ରାରୁ ଫେରି ଲାଙ୍ଗରାଜ୍ ବିନ୍ଦୁରେ ଅଵସ୍ଥିତ ମାନଵବସ୍ତିରେ ନିଜର ଯାନ ଅଵତରଣ କରିବେ, ଇନ୍ଧନ ଭରିବେ, ପରିଵାର ସହିତ ସମୟ ବିତାଇବେ ଏବଂ ପୁନର୍ଵାର ଏକ ଅଜଣା ଦୁଃସାହସିକ ମହାକାଶ ଯାତ୍ରାରେ ବାହାରି ଯିବେ ।

ଭାରତର ସୂର୍ଯ୍ୟଯାନ ଆଦିତ୍ୟ L¹, ଲାଙ୍ଗରାଜ୍ ବିନ୍ଦୁ L¹ରେ ରହି ସୂର୍ଯ୍ୟଙ୍କ ଵିଷୟରେ ଅଧ୍ୟୟନ କରିଵ । ଏହି ଲାଙ୍ଗରାଜ୍ ବିନ୍ଦୁ L¹ ସୂର୍ଯ୍ୟ ଓ ପୃଥିଵୀର ମଧ୍ୟଭାଗରେ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଅଵସ୍ଥିତ। ଏଠାରେ ସ୍ଥିର ରହି ସୂର୍ଯ୍ୟଙ୍କର ଵାଧାରହିତ ଅଧ୍ୟୟନ ସହଜ ଅଟେ । ଏବେ ବି ଏହି ଲାଙ୍ଗରାଜ୍ ବିନ୍ଦୁ L¹ରେ ନାସା’ ଓ ୟୁରୋପୀୟନ୍ ସ୍ପେସ୍ ଏଜେନ୍ସିର SOHO(Solar and Heliospheric Observatory) ମହାକାଶ ଯାନ ଏଠାରେ ୧୯୯୬ରୁ ସକ୍ରିୟ ଅଛି । ତେବେ ଭାରତର ମହାକାଶ ଯାନ ଆଦିତ୍ୟ L¹ ନୂଆ ଵୈଷୟିକ ସାମର୍ଥ୍ୟଯୁକ୍ତ ହୋଇ ସେଠାକୁ ଯାଉଛି । ଆମର ଆଶା ଓ ଵିଶ୍ବାସ ଆମ ଇସ୍ରୋ ଏହି ଅଭିଯାନରେ ନିଶ୍ଚୟ ସଫଳ ହେଵ । 

No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...