ଓଡ଼ିଶାରେ ଅନେକ ପ୍ରକାରର ଠାରଭାଷା ଚଳୁଥିଲା । ତନ୍ମଧ୍ୟରୁ ଗୋଟିଏ ଠାରଭାଷା ଅଶଳେଷ ଵା ଅଶେଳେଷା ଅଟେ । ଏଥିରେ ଵାକ୍ୟର ପ୍ରତ୍ୟେକ ଅକ୍ଷର ପରେ 'ଶେଳେଷ' ଯୁକ୍ତ ହୋଇ ତହିଁ ସଙ୍ଗେ ସ୍ୱରଵର୍ଣ୍ଣ ମିଶି ବୋଲାଯାଏ ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହାର ଏକ ଉଦାହରଣ ଦିଆଯାଇଛି । ଯଥା :-
"ଆମେ ଯିଵା"କୁ ଆଶେଳେଷା ଠାରଭାଷାରେ ବୋଲାଯାଉଥିଲା
“ଅ'ଶେଳେଷା 'ମ'ଶେଳେଷେ' 'ଯ'ଶେଳେଷି' 'ବ'ଶେଳେଷା'”
'ଅଶେଳେଷା'ରେ ଆରମ୍ଭରେ 'ଅ' ଓ ଶେଷରେ 'ଆ(ା)କାର' ଅଛି; ଏହା 'ଆମେ' ଶବ୍ଦର 'ଆ' ଅର୍ଥରେ ବୋଲାଗଲା...
'ମ'ଶେଳେଷେ'ରେ ଆମେ ଶବ୍ଦର ମେ ପାଇଁ ଆରମ୍ଭରେ 'ମ' ଓ ଶେଷରେ 'ଏ(େ)କାର'
ବୋଲାଗଲା...
'ଯିଵା' ଶବ୍ଦର 'ଯି' ପାଇଁ 'ଯ'ଶେଳେଷି'ରେ ଆରମ୍ଭକୁ 'ଯ' ତଥା ଶେଷକୁ 'ଇ(ି)କାର' ବୋଲାଗଲା...
ଶେଷରେ ' ଯିଵା' ଶବ୍ଦର 'ଵା' ପାଇଁ 'ଵ'ଶେଳେଷା'ର ଆରମ୍ଭରେ 'ଵ' ତଥା ଶେଷରେ 'ଆ(ା)କାର' ବୋଲାଗଲା ...
ଅଶଳେଷ ଵା ଅଶେଳେଷା ନାମଟି ଶ୍ଳେଷ ଶବ୍ଦ ସହିତ ସମୋଦ୍ଧୃତ ହୋଇଥାଇପାରେ।
ସର୍ଵଭାରତୀୟ ଶବ୍ଦ ଭାବରେ ଶ୍ଳେଷ ଶବ୍ଦଟି ଆଲିଙ୍ଗନ,ସଂଶ୍ରଵ, ସଂଯୋଗ,ସମ୍ବନ୍ଧ,ଶବ୍ଦର ଅନେକାର୍ଥରେ ପ୍ରୟୋଗ,ଏକଶବ୍ଦର ଦ୍ୱିଵିଧାର୍ଥରେ ପ୍ରୟୋଗ,ସନ୍ଦିଗ୍ଧାର୍ଥତା,ପ୍ରହେଳିକା ଓ ଶ୍ଳେଷ ଶବ୍ଦାଳଙ୍କାର ଵିଶେଷ ଆଦି ଅର୍ଥରେ ପ୍ରୟୋଗ କରାଯାଏ। କିନ୍ତୁ ଓଡ଼ିଆ ଭାଷାରେ ଏହାର ଏକ ସ୍ଵତନ୍ତ୍ର ଅର୍ଥ ହେଲା 'ପରିହାସ'(Joke) !
ଓଡ଼ିଆ ଭାଷାରେ ଶ୍ଳେଷ ମୂଳର ଦେଶଜ ଶେଳଶ ଶବ୍ଦର ଅର୍ଥ ଥଟ୍ଟା, ପରିହାସ ତଥା
ଶେଳଶ ଵଚନର ଅର୍ଥ ଥଟ୍ଟିଲକଥା ଓ ଵ୍ୟଙ୍ଗ୍ୟ ଵଚନ ବୋଲି ଭାଷାକୋଷରେ ଉଲ୍ଲେଖ ଅଛି ।
ଶେଳେଷା ଠାରଭାଷା ଵା ଯେକୌଣସି ଠାରଭାଷା ପ୍ରହେଳିକା ଭଳି ଓ ଏହାର ଅର୍ଥ କ'ଣ ବୋଲି ଜାଣିନଥିଵା ଲୋକ ପାଇଁ ଏହି ଠାରଭାଷା ସନ୍ଦିଗ୍ଧ ହୋଇଥାଏ । ପୁଣି ଠାରଭାଷାଗୁଡ଼ିକ ବୁଝିପାରୁନଥିଵା ଲୋକଙ୍କୁ
ଚିଡ଼ାଇଵା ପାଇଁ ଵା ଥଟ୍ଟା କରିଵା ପାଇଁ ଠାରଭାଷା ବୁଝୁଥିଵା ଲୋକେ ପରସ୍ପର ସହିତ ଏହି ଭାଷାରେ ତା ସମ୍ମୁଖରେ କଥା ହୁଅନ୍ତି । ଶେଳେଷା ଭଳି ଠାରଭାଷା ସହଜରେ ବୁଝି ହୁଏନାହିଁ,ଏହା ପ୍ରହେଳିକା ଭଳି ହୋଇଥିଵାରୁ ତଥା ଏ ଠାରଭାଷା ଜାଣିନଥିଵା ଲୋକମାନଙ୍କ ଆଗରେ ଥଟ୍ଟା କରିଵାକୁ ଏହାକୁ ଜାଣିଥିଵା ଲୋକେ ବୋଲୁଥିଵାରୁ ଏହାର ନାମକରଣ ଶେଳେଷା ହୋଇଥାଇପାରେ ।
ତେବେ ଶେଳେଷା ଠାରଭାଷା ପ୍ରୟୋଗ କରି କ୍ଷୁଦ୍ର କ୍ଷୁଦ୍ର ପଦ ବୋଲାଯାଏ । ଶେଳେଷା ଠାରଭାଷା ପ୍ରୟୋଗ କରି ବଡ଼ ବଡ଼ ପଦ ବୋଲିଵା ଅପେକ୍ଷାକୃତ କଠିନ ହୋଇପାରେ । ଏ ଠାରଭାଷାରେ ଅଭ୍ୟସ୍ତ ଵ୍ୟକ୍ତି ହିଁ ବଡ଼ ବଡ଼ ପଦ ଅକ୍ଳେଷରେ ବୋଲି ପାରନ୍ତି।
ଠାରଭାଷାଗୁଡ଼ିକୁ ସାହିତ୍ୟ, ଚଳଚ୍ଚିତ୍ର ଆଦିରେ ଯେତିକି ମହତ୍ତ୍ଵ ମିଳିଵା କଥା ତାହା ନମିଳିପାରିଵାରୁ ଅଶେଳେଷା ଭଳି ଠାରଭାଷା ଗ୍ରାମଵାସୀଙ୍କ ମଧ୍ୟରେ ହିଁ ସୀମିତ ରହିଥିଲା ।
ନବେ ଦଶକ ପରେ ଓଡ଼ିଆ ସମାଜରେ ଟିଵି ରେଡ଼ିଓ ଓ ଶେଷରେ ମୋବାଇଲ ଆଦି ଵୈଷୟିକ ଦରଵର ବହୁଳ ଵ୍ୟଵହାର , କ୍ରିକେଟ୍ ଭଳି ଵୈଦେଶିକ ଖେଳର ଲୋକପ୍ରିୟତା ବୃଦ୍ଧି ଏଵଂ ଇଂରାଜୀ ତଥା ହିନ୍ଦୀ ଭାଷା ସହିତ ପରିଚିତ ହୋଇ ଓଡ଼ିଆମାନେ ଠାରଭାଷାଗୁଡ଼ିକୁ ପାଶୋରି ଗଲେ । ଆଜି ଓଡ଼ିଆ ସମାଜରେ ଅଶେଳେଷା ଠାରଭାଷା ଆଉ ସେତେ ଜଣାଶୁଣା ନୁହେଁ । ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଥିଵା ଯାଏଁ ଅଶେଳେଷା ଠାରଭାଷା ଆଗେ ଥିଲା ବୋଲି ଆମ ପାଖରେ ପ୍ରମାଣଟିଏ ରହିଵ ।
••••••••••••••••••••••••••••••
ତଥ୍ୟ ଉତ୍ସ: ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
No comments:
Post a Comment