ଭାରତ ଓ india ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ ଅଛି । ପ୍ରଥମତଃ ନିରୁକ୍ତି ଦୃଷ୍ଟିରୁ India ଗୋଟିଏ ସାଧାରଣ ନାମ କିନ୍ତୁ ଭାରତ ଏକ ଵୈଜ୍ଞାନିକ ନାମ । ଭାରତର India ନାମଟି ଵିଦେଶୀମାନେ ରଖିଛନ୍ତି କିନ୍ତୁ ଭାରତୀୟମାନେ ନିଜେ ନିଜ ଦେଶର ନାମ ଭାରତ ରଖିଥିଲେ । ଵିଭିନ୍ନ ଭାରତୀୟ ଭାଷାର ପ୍ରାଚୀନ ସାହିତ୍ୟରେ ଭାରତର ‘ଭାରତ’ ନାମ ହିଁ ଦେଖିଵାକୁ ମିଳେ । କିନ୍ତୁ କୌଣସି ଭାଷାର ପ୍ରାଚୀନ ଭାରତୀୟ ସାହିତ୍ୟରେ ଇଣ୍ଡିଆ ଶବ୍ଦ ଦେଖିଵାକୁ ମିଳେ ନାହିଁ ।
ଭାରତର İndia ନାମ ପ୍ରଥମେ ଗ୍ରୀକ୍ ଆକ୍ରାନ୍ତାମାନେ ଉତ୍ତର ଭାରତଵର୍ଷର କିଛି ଅଂଶ ଵିଜୟ ପରେ ରଖିଥିଲେ । ପରେ ଇଂରେଜ,ଫ୍ରେଞ୍ଚ୍ ,ଡଚ୍,
ଓନ୍ଦଲାଜ୍ ଓ ପର୍ତ୍ତୁଗୀଜ୍ ଆଦି ଖିରସ୍ତାନୀ ଆକ୍ରାନ୍ତାମାନେ ଭାରତରେ ଅତ୍ୟାଚାର,ଲୁଣ୍ଠନ ଓ ହତ୍ୟାକାଣ୍ଡ ଚଳାଇ ପୁଣି ସେହି ପୁରୁଣା ପରାଧୀନର ସନ୍ତକ ଇଣ୍ଡିଆକୁ ଏ ଦେଶର ନାଆଁ କରି ଥୋଇ ଦେଲେ । ମାତ୍ର ଭାରତ ନାମଟି ଭାରତୀୟମାନଙ୍କର ସ୍ଵାଧୀନତାର ପରିଚୟ । ପ୍ରାଚୀନ ଭାରତୀୟମାନେ ବହୁତ ଭାବି ଚିନ୍ତି ନିଜ ଦେଶର ନାମ ଭାରତ ରଖିଥିଲେ । India କେମିତି ଏକ ସାଧାରଣ ନାମ ଓ ଭାରତ କିପରି ଗୋଟିଏ ଅସାଧାରଣ ନାମ ଏ ପ୍ରଶ୍ନର ଉତ୍ତର ଉଭୟ ଶବ୍ଦର ଵ୍ୟୁତ୍ପତ୍ତି ଓ ନିରୁକ୍ତି ମଧ୍ୟରେ ଲୁଚି ରହିଛି ।
ୟୁରୋପୀୟ ଜାତିମାନଙ୍କ ମଧ୍ୟରେ ସର୍ଵପ୍ରଥମେ ଗ୍ରୀକ୍ମାନେ ଭାରତ ଉପରେ ଆକ୍ରମଣ କରିଥିଲେ । ଯେତେବେଳେ ଗ୍ରୀକ୍ମାନେ ଭାରତଵର୍ଷର ଉତ୍ତର ଭାଗକୁ ଆକ୍ରମଣ କଲେ ସେମାନେ ମୁଖ୍ୟତଃ ସିନ୍ଧୁ ନଦୀ ଉପତ୍ୟକା ଓ ଏହାର ଆଖପାଖ ଅଞ୍ଚଳକୁ ଅଧିକାର କରିଥିଲେ । ମହାନ ଆଲେକଜାଣ୍ଡାର ବି ଏହି ଅଞ୍ଚଳ ପର୍ଯ୍ୟନ୍ତ ଆସି ରୋଗିଣା ହୋଇ ପଳାୟନ କରିଥିଲେ । ସେତେବେଳେ ପାରସ୍ୟର ଲୋକେ ସିନ୍ଧୁନଦୀ ଓ ଏହାର ଆଖପାଖ ଅଞ୍ଚଳରେ ରହୁଥିଵା ଲୋକଙ୍କୁ 𐏃𐎡𐎯𐎢𐏁(hindūš) କହୁଥିଲେ ।
ଏହି ପ୍ରାଚୀନ ପାରସ୍ୟ ଶବ୍ଦର ପ୍ରାକ୍ ଇରାନୀ ରୂପ *hínduš ଏଵଂ ପ୍ରାକ୍ ଭାରୋ-ଇରାନୀୟ ରୂପ *síndʰuš(ନଦୀ/ସାଗର) ଥିଲା । ଅର୍ଥାତ୍ ମୂଳ ସିନ୍ଧୁ ଶବ୍ଦଟି ପାରସ୍ୟରେ କ୍ରମେ ହିନ୍ଦୁସ୍ ରୂପେ ପ୍ରଚଳିତ ଥିଲା । ଗ୍ରୀକ୍ ଆକ୍ରାନ୍ତାମାନେ ସେହି ପାରସ୍ୟ ହିନ୍ଦୁସ୍ ଶବ୍ଦକୁ ସାମାନ୍ୟ ପରିଵର୍ତ୍ତନ କରି Ἰνδόςକହିଲେ ତଥା ସିନ୍ଧୁ ନଦୀର ନାମ Indós ଓ ସେ ନଦୀ ପ୍ରଵାହିତ ଅଞ୍ଚଳକୁ Ἰνδία(Indía) ନାମ ଦେଲେ । ଏହି ଗ୍ରୀକ୍ Ἰνδία(Indía) ଶବ୍ଦଟି ପରେ ଲାଟିନ୍ ଭାଷାରେ india ରୂପେ ପ୍ରଚଳିତ ହେଲା ।
ଗ୍ରୀକ୍ମାନେ ସେତେବେଳେ ଭାରତରେ ଆସି ଦେଖିଲେ ଏ ଦେଶରେ କେହି ବି ଦାସତ୍ଵର ଶିକୁଳିରେ ବନ୍ଧା ନୁହନ୍ତି ଵରଂ ମୁକ୍ତ ଭାବେ ଜୀଵନଯାପନ କରୁଛନ୍ତି। ଠିକ୍ ସେହି ସମୟରେ ୟୁରୋପ ଓ ଆରବ ଆଦି ଅଞ୍ଚଳରେ ଦାସତ୍ବପ୍ରଥା ଉତ୍କଟ ଥିଲା । ଏକଥାକୁ ସେତେବେଳେ Lucius Flavius Arrianus ତାଙ୍କର Anabasis Alexandri ପୁସ୍ତକରେ ଵର୍ଣ୍ଣନା କରିଥିଲେ । ମୂଳ ଗ୍ରୀକ୍ ଭାଷାରୁ AEdgar Iliff Robsonଙ୍କ ଦ୍ଵାରା ତହିଁର ଇଂରାଜୀ ଅନୁଵାଦ ଏହିପରି କରାଯାଇଛି...
❝This also is remarkable in India, that all Indians are free, and no Indian at all is a slave. In this the Indians agree with the Lacedaemonians. Yet the Lacedaemonians have Helots for slaves, who perform the duties of slaves; but the Indians have no slaves at all, much less is any Indian a slave.❞
ତେବେ ସେ ଯୁଗରେ ଭାରତୀୟମାନେ ଏ ଇଣ୍ଡିଆ ଶବ୍ଦ ସହିତ ସେତେ ପରିଚିତ ନଥିଲେ କିନ୍ତୁ ୟୁରୋପରେ ଏ ନାମ ଭାରତର ନାମ ଭାବେ ଵ୍ୟଵହୃତ ହେଵାକୁ ଲାଗିଲା । ରୋମାନ୍ ତଥା ଆରବୀମାନଙ୍କଠାରୁ ଭାରତର ଇଣ୍ଡିଆ ନାମ ପାଇ ତତ୍କାଳୀନ ଇଂରେଜମାନେ ଭାରତକୁ Indea କହୁଥିଲେ ଏଵଂ ଏ ଶବ୍ଦ ଶବ୍ଦ ଵ୍ଯଵହାର ସେତେବେଳେ ଅଧିକ ଥିଲା ଏଵଂ ଇଂରାଜୀ ଭାଷାର ପ୍ରାରମ୍ଭିକ ଆଧୁନିକ କାଳରେ ଏହା indie ଓ inde ହୋଇଥିଲା ଯାହା ଲାଟିନ୍ ଭାଷାର India ଶବ୍ଦ ସହିତ ସମୋଦ୍ଧୃତ । ବହୁତ ପରେ ପଞ୍ଚଦଶ ଶତାବ୍ଦୀ ବେଳକୁ ଇଂରାଜୀ ଭାଷାରେ ଲାଟିନ ଶବ୍ଦ indiaକୁ ହିଁ ଵ୍ୟଵହାର କରାଗଲା ଓ indie,inde ତଥା Indea ଇଂରାଜୀ ଭାଷାରେ ଅପ୍ରଚଳିତ ହୋଇଗଲା । ସେହି ପଞ୍ଚଦଶ ଶତାବ୍ଦୀରେ ପର୍ତ୍ତୁଗାଲୀ, ଫ୍ରେଞ୍ଚ ଓ ଇଂରେଜଙ୍କ ଭାରତ ଆଗମନ ପରେ ୟୁରୋପୀୟଙ୍କ ପ୍ରଦତ୍ତ ଇଣ୍ଡିଆ ନାମ ସହିତ ଭାରତୀୟଙ୍କର ପ୍ରଥମେ ପରିଚୟ ହୋଇଥିଲା । ପନ୍ଦରଶହରୁ ଷୋହଳଶହ ଶତାବ୍ଦୀରେ ଭାରତକୁ ସ୍ବଚକ୍ଷୁରେ ଦେଖିଵା ପରେ ୟୁରୋପର ଲୋକେ ତାଙ୍କର ଵିଭିନ୍ନ ଅଞ୍ଚଳରେ ଭାରତ ପାଇଁ ଥିଵା ନାନା ନାମଵାଚକ ପ୍ରତିଶବ୍ଦର ମୂଳ ଲାଟିନ୍ ଭାଷାର India ଶବ୍ଦର ବହୁଳ ଵ୍ଯଵହାର କରିଵାକୁ ଲାଗିଲେ ଯାହା ଵିଶ୍ଵରେ ଭାରତର ଏକ ନାମ ଭାବରେ ଜଣାଶୁଣା ହୋଇଗଲା । ପଞ୍ଚଦଶ ଶତାବ୍ଦୀରୁ ଏଯାଵତ୍ ଇଣ୍ଡିଆ ଶବ୍ଦ ପାଶ୍ଚାତ୍ୟଵାସୀ ଵିଭିନ୍ନ ଅର୍ଥରେ ପ୍ରୟୋଗ କରୁଅଛନ୍ତି । ପ୍ରଥମତଃ ଭାରତକୁ ଇଣ୍ଡିଆ କୁହାଯାଏ । ପାଶ୍ଚାତ୍ୟ ଦେଶଗୁଡି଼କରେ ମହିଳାମାନଙ୍କୁ ଇଣ୍ଡିଆ ନାମ ଦିଆଯାଏ । NATO phonetic alphabetରେ ❝I❞କୁ india କୁହାଯାଏ ।
ବୋଇତିଆ ଧ୍ଵଜାର ସାଂକେତିକ ଚିହ୍ନ ❝I❞କୁ ବି ଇଣ୍ଡିଆ କୁହନ୍ତି । Time zone UTC+09:00ର ଏକ ଆଧିକାରିକ ନାମ ଇଣ୍ଡିଆ ରଖାଯାଇଛି । ପୂର୍ଵେ ଆମେରିକାର ଲୋକେ ଆମେରିକାର ପ୍ରାଚୀନ ଅଧିଵାସୀ ଲୋହିତ ଭାରତୀୟଙ୍କୁ Red Indian ଓ ବେଳେବେଳେ କେଵଳ indian କହୁଥିଲେ ।
ଵର୍ତ୍ତମାନ ଯୁଗରେ କିନ୍ତୁ ସିନ୍ଧୁନଦୀ ଓ ଏହାର ଉପତ୍ୟକା ତଥା ତ୍ରିକୋଣଭୂମି ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ଭାରତରେ ନାହିଁ ଵରଂ ସେହି ଅଞ୍ଚଳ ଏବେ ପାକିସ୍ତାନ ନାମରେ ଜଣାଶୁଣା ହୋଇଛି । ଭାରତଵର୍ଷର ଶତାଧିକ ନଦୀ ମଧ୍ୟରେ ଗୋଟିଏ ନଦୀ ସିନ୍ଦୁନଦୀ ନାମରେ ଇଣ୍ଡିଆ ନାମକରଣ ହୋଇଥିଵାରୁ ଏହା ଏକ ସାଧାରଣ ନାମ ବୋଲି ସହଜେ ଅନୁମେୟ ।
କିନ୍ତୁ ଭାରତଵର୍ଷର ପୁରାତନ ଓ ମୌଳିକ ନାମ 'ଭାରତ' ନିରୁକ୍ତି ଦୃଷ୍ଟିରୁ ଏକ ଵୈଜ୍ଞାନିକ ନାମ କହିଲେ ଅତ୍ୟୁକ୍ତି ହେଵ ନାହିଁ ।
ଵିଷ୍ଣୁପୁରାଣର ଦ୍ଵିତୀୟ ଅଂଶ ତୃତୀୟ ଅଧ୍ୟାୟରେ ଭାରତ ଦେଶର ଵିସ୍ତୃତ ଵର୍ଣ୍ଣନା ହୋଇଅଛି । ତାହା ଏଠାରେ ନିମ୍ନରେ ପ୍ରଦତ୍ତ ହେଲା ।
❝ଉତ୍ତରଂ ଯତ୍ ସମୁଦ୍ରସ୍ଯ ହିମାଦ୍ରେଶ୍ଚୈଵ ଦକ୍ଷିଣମ୍ ।
ଵର୍ଷଂ ତଦ୍ଭାରତଂ ନାମ ଭାରତୀ ଯତ୍ର ସନ୍ତତିଃ ॥
ନଵଯୋଜନସାହସ୍ରୋ ଵିସ୍ତାରୋଽସ୍ଯ ମହାମୁନେ ! ।
କର୍ମ୍ମଭୂମିରିୟଂ ସ୍ଵର୍ଗମପଵର୍ଗଞ୍ଚ ଗଚ୍ଛତାମ୍ ॥ ମହେନ୍ଦ୍ରୋ ମଳୟଃ ସହ୍ଯଃ ଶୁକ୍ତିମାନୃକ୍ଷପର୍ଵ୍ଵତଃ ।
ବିନ୍ଧ୍ଯଶ୍ଚ ପାରିପାତ୍ରଶ୍ଚ ସପ୍ତାତ୍ର କୁଳପର୍ଵ୍ଵତାଃ ॥
ଅତଃ ସଂପ୍ରାପ୍ଯତେ ସ୍ଵର୍ଗୋ ମୁକ୍ତିମସ୍ମାତ୍ ପ୍ରୟାନ୍ତି ଚ ।
ତିର୍ଯ୍ଯକ୍ତ୍ଵଂ ନରକଂ ଚାପି ଯାନ୍ତ୍ଯତଃ ପୁରୁଷା ମୁନେ ! ॥
ଇତଃ ସ୍ଵର୍ଗଶ୍ଚ ମୋକ୍ଷଶ୍ଚ ମଧ୍ଯଞ୍ଚାନ୍ତଶ୍ଚ ଗମ୍ଯତେ ।
ନ ଖଲ୍ଵନ୍ଯତ୍ର ମର୍ତ୍ଯାନାଂ କର୍ମ୍ମଭୂମୌ ଵିଧୀୟତେ ॥
ଭାରତସ୍ଯାସ୍ଯ ଵର୍ଷସ୍ଯ ନଵ ଭେଦାନ୍ନିଶାମୟ ।
ଇନ୍ଦ୍ରଦ୍ଵୀପଃ କଶେରୁଶ୍ଚ ତାମ୍ରପର୍ଣ୍ଣୋ ଗଭସ୍ତିମାନ୍ ॥
ନାଗଦ୍ଵୀପସ୍ତଥା ସୌମ୍ଯୋ ଗାନ୍ଧର୍ଵ୍ଵସ୍ତ୍ଵଥ ଵାରୁଣଃ ।
ଅୟନ୍ତୁ ନଵମସ୍ତେଷାଂ ଦ୍ଵୀପଃ ସାଗରସଂଵୃତଃ ॥
ଯୋଜନାନାଂ ସହସ୍ରନ୍ତୁ ଦ୍ବୀପୋଽଯଂ ଦକ୍ଷିଣୋତ୍ତରାତ୍ ।
ପୂର୍ବ୍ବେ କିରାତା ଯସ୍ଯାନ୍ତେ ପଶ୍ଚିମେ ଯଵନାଃ ସ୍ଥିତାଃ ॥
ବ୍ରାହ୍ମଣାଃ କ୍ଷତ୍ତ୍ରିୟା ଵୈଶ୍ଯା ମଧ୍ଯେ ଶୂଦ୍ରାଶ୍ଚ ଭାଗଶଃ ।
ଇଜ୍ଯାଯୁଦ୍ଧବଣିଜ୍ଯାଦ୍ଯୈର୍ଵ୍ଵର୍ତ୍ତୟନ୍ତୋ ଵ୍ଯଵସ୍ଥିତାଃ ॥
ଶତଦ୍ରୁଶ୍ଚନ୍ଦ୍ରଭାଗାଦ୍ଯା ହିମଵତ୍ପାଦନିଃସୃତାଃ । ଵେଦସ୍ମୃତିମୁଖାଶ୍ଚାନ୍ଯାଃ ପାରିପାତ୍ରୋଦ୍ଭଵା ମୁନେ ! ॥
ନର୍ମ୍ମଦାସୁରସାଦ୍ଯାଞ୍ଚ ନଦ୍ଯୋ ବିନ୍ଧ୍ଯଵିନିଃସୃତାଃ ।
ତାପୀ ପୟୋଷ୍ଣୀ ନିର୍ଵିନ୍ଧ୍ଯାପ୍ରମୁଖା ଋକ୍ଷସମ୍ଭଵାଃ ॥
ଗୋଦାଵରୀ ଭୀମରଥୀ କୃଷ୍ଣଵେଣ୍ଯାଦିକାସ୍ତଥା ।
ସହ୍ଯପାଦୋଦ୍ଭଵା ନଦ୍ଯଃ ସ୍ମୃତାଃ ପାପଭୟାପହାଃ ॥
କୃତମାଳା ତାମ୍ରପର୍ଣ୍ଣୀ ପ୍ରମୁଖା ମଳୟୋଦ୍ଭଵାଃ ।
ତ୍ରିସାମା ଋଷିକୁଲ୍ଯାଦ୍ଯା ମହେନ୍ଦ୍ରପ୍ରଭଵାଃ ସ୍ମୃତାଃ ॥
ଋଷିକୁଲ୍ଯା କୁମାର୍ଯ୍ଯାଦ୍ଯାଃ ଶୁକ୍ତିମତ୍ପାଦସମ୍ଭଵାଃ ।
ଆସାଂ ନଦ୍ଯୁପନଦ୍ଯଶ୍ଚ ସନ୍ତ୍ଯନ୍ଯାଶ୍ଚ ସହସ୍ରଶଃ ॥
ତାସ୍ଵିମେ କୁରୁପାଞ୍ଚାଳମଧ୍ଯଦେଶାଦୟୋ ଜନାଃ ।
ପୂର୍ବ୍ବଦେଶାଦିକାଶ୍ଚୈଵ କାମରୂପନିଵାସିନଃ ॥
ଓଡ୍ରାଃ କଳିଙ୍ଗା ମଗଧା ଦାକ୍ଷିଣାତ୍ଯାଶ୍ଚ କୃତ୍ସ୍ନଶଃ ।
ତଥାପରାନ୍ତାଃ ସୌରାଷ୍ଟ୍ରାଃ ଶୂରାଭୀରାସ୍ତଥାର୍ଵ୍ଵୁଦାଃ ॥
ମାରୁକା ମାଳଵାଶ୍ଚୈଵ ପାରିପାତ୍ରନିଵାସିନଃ ।
ସୌଵୀରାଃ ସୈନ୍ଧଵା ହୂଣାଃ ଶାଲ୍ଵାଃ ଶାକଳଵାସିନଃ ॥
ମଦ୍ରା ରାମାସ୍ତଥାମ୍ବଷ୍ଠାଃ ପାରସୀକାଦୟସ୍ତଥା ।
ଆସାଂ ପିବନ୍ତି ସଲିଳଂ ଵସନ୍ତି ସରିତାଂ ସଦା ॥
ସମୀପତୋ ମହାଭାଗ ! ହୃଷ୍ଟପୁଷ୍ଟଜନାକୁଳାଃ ।
ଚତ୍ଵାରି ଭାରତେ ଵର୍ଷେ ଯୁଗାନ୍ଯତ୍ର ମହାମୁନେ ! ॥
କୃତଂ ତ୍ରେତା ଦ୍ଵାପରଞ୍ଚ କଳିଶ୍ଚାନ୍ଯତ୍ର ନ କ୍ଵଚିତ୍ ।
ତପସ୍ତପ୍ଯନ୍ତି ଯତୟୋ ଜୁହ୍ଵତେ ଚାତ୍ର ଯଜ୍ଵିନଃ ॥
ଦାନାନି ଚାତ୍ର ଦୀୟନ୍ତେ ପରଲୋକାର୍ଥମାଦରାତ୍ ।
ପୁରୁଷୈର୍ଯଜ୍ଞପୁରୁଷୋ ଜମ୍ବୁଦ୍ବୀପେ ସଦେଜ୍ଯତେ ॥
ଯଜ୍ଞୈର୍ଯଜ୍ଞପତିର୍ଵିଷ୍ଣୁରନ୍ଯଦ୍ଵୀପେଷୁ ଚାନ୍ଯଥା ।
ତତ୍ରାପି ଭାରତଂ ଶ୍ରେଷ୍ଠଂ ଜମ୍ବୁଦ୍ଵୀପେ ମହାମୁନେ ! ॥
ଯତୋ ହି କର୍ମ୍ମଭୂରେଷା ତତୋଽନ୍ଯା ଭୋଗଭୂମୟଃ ।
ଅତ୍ର ଜନ୍ମସହସ୍ରାଣାଂ ସହସ୍ରୈରପି ସତ୍ତମ ! ।
କଦାଚିଲ୍ଲଭତେ ଜନ୍ତୁର୍ମାନୁଷ୍ଯଂ ପୁଣ୍ଯସଞ୍ଚୟାତ୍ ॥
ଗାୟନ୍ତି ଦେଵାଃ କିଳ ଗୀତକାନି ଧନ୍ଯାସ୍ତୁ ଯେ ଭାରତଭୂମିଭାଗେ । ସ୍ଵର୍ଗାପଵର୍ଗାସ୍ପଦମାର୍ଗଭୂତେ ଭଵନ୍ତି ଭୂୟଃ ପୁରୁଷାଃ ସୁରତ୍ଵାତ୍ ॥ କର୍ମ୍ମାଣ୍ଯସଙ୍କଳ୍ପିତତତ୍ଫଳାନି ସଂନ୍ଯସ୍ଯ ଵିଷ୍ଣୌ ପରମାତ୍ମରୂପେ ।
ଅଵାପ୍ଯ ତାଂ କର୍ମ୍ମମହୀମନନ୍ତେ ତସ୍ମିଲ୍ଲୟଂ ଯେ ତ୍ଵମଳାଃ ପ୍ରୟାନ୍ତି ॥
ଜାନୀମ ନୈତତ୍ କ୍ଵ ଵୟଂ ଵିଲୀନେ ସ୍ଵର୍ଗପ୍ରଦେ କର୍ମ୍ମଣି ଦେହବନ୍ଧମ୍ ।
ପ୍ରାପ୍ସ୍ଯାମ ଧନ୍ଯାଃ ଖଳୁ ତେ ମନୁଷ୍ଯା ଯେ ଭାରତେ ନେନ୍ଦ୍ରିୟଵିପ୍ରହୀନାଃ ॥
ନଵଵର୍ଷନ୍ତୁ ମୈତ୍ରେୟ ! ଜମ୍ବୁଦ୍ଵୀପମିଦଂ ମୟା ।
ଲକ୍ଷଯୋଜନଵିସ୍ତାରଂ ସଂକ୍ଷେପାତ୍ କଥିତଂ ତଵ ॥
ଜମ୍ବୂଦ୍ବୀପଂ ସମାଵୃତ୍ଯ ଲକ୍ଷଯୋଜନଵିସ୍ତରଃ ।
ମୈତ୍ରେୟ ! ଵଳୟାକାରଃ ସ୍ଥିତଃ କ୍ଷାରୋଦଧିର୍ବହିଃ ॥❞
(॥ଇତି ଶ୍ରୀଵିଷ୍ଣୁପୁରାଣେ ୨ ଅଂଶେ ୩ ଅଧ୍ୟାୟଃ॥)
ଏହି ସଂସ୍କୃତ ଶ୍ଳୋକଗୁଡ଼ିକରେ ସମ୍ପୂର୍ଣ୍ଣ ଭାରତଵର୍ଷର ସୀମା ଓ ଆୟତନ, ତହିଁର ଦେଶ , ମାନଵଗୋଷ୍ଠୀ,ପର୍ଵତ ଓ ନଦୀ ଆଦି ଵିଷୟରେ ଉଲ୍ଲେଖ ରହିଛି । ଉତ୍ତରରେ ହିମାଳୟଠାରୁ ଦକ୍ଷିଣରେ ମହାସାଗର ପର୍ଯ୍ୟନ୍ତ
ନଵଯୋଜନ ସହସ୍ର ଵିସ୍ତାର ଯୁକ୍ତ ଭାରତଵର୍ଷରେ ମହେନ୍ଦ୍ର, ମଳୟ, ସହ୍ଯ, ଶୁକ୍ତିମାନ,ଋକ୍ଷ,ବିନ୍ଧ୍ଯ ଓ ପାରିପାତ୍ର ଇତ୍ୟାଦି ସପ୍ତ କୁଳ ପର୍ଵତର ଉଲ୍ଲେଖ ମଧ୍ୟ କରାଯାଇଛି । ପୁଣି ଭାରତଵର୍ଷ ନଵ ଭାଗରେ ଵିଭକ୍ତ ଏଵଂ ସେହିସବୁ ଭୂଭାଗକୁ ଇନ୍ଦ୍ରଦ୍ଵୀପ, କଶେରୁ, ତାମ୍ରପର୍ଣ୍ଣ(ସିଂହଳ), ଗଭସ୍ତିମାନ, ନାଗଦ୍ଵୀପ, ସୌମ୍ଯ, ଗନ୍ଧର୍ଵ ଓ ଵାରୁଣ ବୋଲି ମଧ୍ୟ ଵିଷ୍ଣୁପୁରାଣରେ ଉଲ୍ଲେଖ କରାଯାଇଛି । ନର୍ମଦା,ତାପୀ,ଗୋଦାଵରୀ,ଭୀମରଥୀ,କୃଷ୍ଣାବେଣୀ,କୃତମାଳା,ତାମ୍ରପର୍ଣ୍ଣୀ ଓ ଋଷିକୂଲ୍ୟା ଆଦି ନଦୀଗୁଡ଼ିକର ନାମ ବି ଵର୍ଣ୍ଣିତ ହୋଇଛି । ଭାରତଵର୍ଷର ଏଭଳି ସୁନ୍ଦର ଵର୍ଣ୍ଣନା ଅନ୍ୟତ୍ର ଦୃଷ୍ଟିଗୋଚର ହୁଏ ନାହିଁ ।
ପୃଥିଵୀର ସମସ୍ତ ପ୍ରାଚୀନ କଳା , ସଂସ୍କୃତି , ଭାଷା , ଗଣିତ ଓ ଵିଜ୍ଞାନର ମୂଳଦୁଆ ଭାରତଵର୍ଷରେ ପଡ଼ିଥିଲା । ସେଇଥିପାଇଁ ଏ ଦେଶର ମହିମାଗାନ କରିଵାକୁ ଯାଇ ଵିଷ୍ଣୁପୁରାଣରେ କୁହାଯାଇଛି-
❝ ଗାୟନ୍ତି ଦେଵାଃ କିଳ ଗୀତକାନି ଧାନ୍ଯାସ୍ତୁ ଯେ ଭାରତଭୂମିଭାଗେ ।
ସ୍ଵର୍ଗାପଵର୍ଗାସ୍ପଦହେତୁଭୂତେ ଭଵନ୍ତି ଭୂୟଃ ପୁରୁଷାଃ ସୁରତ୍ଵାତ୍ ।।❞
(ଵିଷ୍ଣୁ ପୁରାଣ(୨।୩।୨୪))
ଅର୍ଥାତ୍
❝ଦେଵତା ଗୀତ ଗାୟନ ପୂର୍ଵକ କହୁଛନ୍ତି
ଯେ-ସ୍ଵର୍ଗ ଓ ଉପଵର୍ଗର ମାର୍ଗଭୂତ ଭାରତଭୂମିରେ ଜନ୍ମିତ ଲୋକେ ଆମ୍ଭ ମାନଙ୍କ ଠାରୁ(ଦେଵତା ମାନଙ୍କ ଅପେକ୍ଷା) ଅଧିକ ଧନ୍ୟ ଵା ଭାଗ୍ୟଵାନ ଅଟନ୍ତି । ଅର୍ଥାତ୍ ସ୍ଵର୍ଗ ଓ ଉପଵର୍ଗ(ମୋକ୍ଷ-କୈଵଲ୍ୟ)ର ମାର୍ଗ ସ୍ଵରୂପ ଭାରତଭୂମିକୁ ଧନ୍ୟ ଧନ୍ୟ କହିଵା ସହ ଦେଵଗଣ ଏହାର ଶୌର୍ଯ୍ୟ ଗାନ କରୁଅଛନ୍ତି । ସଂକ୍ଷେପରେ କହିଲେ ଭାରତରେ ମନୁଷ୍ୟ ଜନ୍ମ ପାଇଵା ଦେଵତ୍ଵ ପଦ ପ୍ରାପ୍ତ କରିଵା ଠାରୁ ବି ବଡ଼ କଥା ଅଟଇ ।❞
ସେତେବେଳେ ଭାରତ ଯଥାର୍ଥରେ ଵିଶ୍ଵଗୁରୁ ଥିଲା ତେଣୁ ମନୁ ସ୍ମୃତିର ଦ୍ଵିତୀୟ ଅଧ୍ୟାୟରେ ଆଉ ପଦେ ଯୋଡା଼ଯାଇଛି―
❝ଏତ ଦେଶ ପ୍ରସୂତସ୍ଯ ସକାଶାଦଗ୍ର ଜନ୍ମନଃ ।
ସ୍ଵଂ ସ୍ଵଂ ଚରିତ୍ର ଶିକ୍ଷେରନ୍ ପୃଥିଵ୍ଯାଂ ସର୍ଵ ମାନଵାଃ ।।❞
ଅର୍ଥାତ୍
❝ଏ ଦେଶରେ ଉତ୍ପନ୍ନ ହୋଇଥିଵା ଅଗ୍ରଜନ୍ମା ମହାପୁରୁଷଙ୍କ ପାଖରେ ବସି ସଂସାର ଯାକର ମାନଵ ଶିକ୍ଷାଗ୍ରହଣ କରନ୍ତୁ । କାରଣ ଏ ଦେଶ ଵିଶ୍ଵଗୁରୁ ଅଟେ ।❞
ଏ କଥା ଅନେକ ଵର୍ଷ ପରେ ଵିଦେଶୀ ଵିଦ୍ଵାନ ମଧ୍ଯ ମାନିଛନ୍ତି ଏଵଂ ଭାରତୀୟଙ୍କୁ ଏଥିପାଇଁ ଧନ୍ୟଵାଦ ବି ଦେଇଛନ୍ତି ।
ପ୍ରଶିଦ୍ଧ ଜର୍ମାନ- ଆମେରିକୀୟ ଵୈଜ୍ଞାନିକ
Albert Einstein କହିଥିଲେ―
❝We owe a lot to the Indians, who taught us how to count, without which no worthwhile scientific discovery could have been made.❞
❨ଆମେ ସମସ୍ତ ଭାରତୀୟଙ୍କୁ ଅଭିଵାଦନ କରୁଛୁ,ଯେଉଁ ମାନେ ଆମ୍ଭମାନଙ୍କୁ ଗଣନା କରିବା ଶିଖେଇଛନ୍ତି କାରଣ ଏହା ବିନା ଵିଜ୍ଞାନ ର କୌଣସି ବି ଏଷଣା ସମ୍ଭଵପର ହୋଇପାରି ନଥାନ୍ତା❩
ସେହିପରି ଆମେରକୀୟ ଦାର୍ଶନିକ ଓ ଐତିହାସିକ Will Durant ଏ କଥାକୁ ଆହୁରି ସ୍ପଷ୍ଟ କରି କହିଛନ୍ତି । ତାଙ୍କ ଭାଷାରେ–
❝It is true that even across the Himalayan barrier India has sent to the west, such gifts as grammar and logic, philosophy and fables, hypnotism and chess, and above all numerals and the decimal system.❞
❨“ଏହା ସତ୍ୟ ଅଟେ ଯେ ହିମାଳୟର ଵାଧା ପରେ ବି ଭାରତଵର୍ଷ ଏହି ପଶ୍ଚିମ ଵିଶ୍ଵରେ ଵ୍ୟାକରଣ,ତର୍କ,ଦର୍ଶନ,ନୀତିକଥା,ସମ୍ମୋହନ,ଦ୍ୟୁତ,ଗଣନ ପଦ୍ଧତି ଏଵଂ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦଶମିକ ପ୍ରଣାଳୀର ଜ୍ଞାନ ପଠେଇ ପାରିଥିଲା ।”❩
ଯଥାର୍ଥରେ ଆମ ଦେଶର ଭାରତ ନାମ ସର୍ଵୋତ୍କୃଷ୍ଟ ଓ ଶ୍ରେଷ୍ଠ ନାମ ଅଟଇ । କିନ୍ତୁ ଏ ଶବ୍ଦର ନିରୁକ୍ତିକୁ ନେଇ ନାନା ମତ ରହିଛି ।
କେହି କେହି କୁହନ୍ତି ଭାରତ ଶବ୍ଦ 'ଭା ଧାତୁ'ରୁ ନିଷ୍ପନ୍ନ ହୋଇଛି । ସେମାନଙ୍କ ମତରେ
ଭା+ରତ=ଭାରତ । 'ଭା'ର ଅର୍ଥ ଜ୍ଞାନ ଆଉ
ରତ ଶବ୍ଦର ଅର୍ଥ ଅନୁରକ୍ତ,ଲିପ୍ତ,ଆସକ୍ତ । ପୁଣି ରତ ଶବ୍ଦର ଆଉ କେତେକ ଅର୍ଥ ମଧ୍ଯ ଅଛି
ଯଥା :- ନିଯୁକ୍ତ,ଵ୍ଯାପୃତ,ରମଣ,ପ୍ରେମ,ପ୍ରଣୟ,
ଅନୁରାଗ,ଆମୋଦ ପ୍ରମୋଦ, ଆସକ୍ତି ଇତ୍ୟାଦି । ଭାରତ ଶବ୍ଦର ଵ୍ଯାଖ୍ଯା କରିଵାକୁ ଯାଇ ଏହି ମତଵାଦୀମାନେ କୁହନ୍ତି ଯେ ଯେଉଁ ଦେଶର ଲୋକେ ସଦା ଜ୍ଞାନ ପିପାସୁ ସେ ଦେଶ ହେଉଛି ଭାରତ !
ତେବେ ପ୍ରକୃତରେ ଭା ଧାତୁର ଅର୍ଥ ଦିପ୍ତି ପାଇଵା ଅଟେ । କୌଣସି ଅଭିଧାନରେ ଭା ଶବ୍ଦର ଅର୍ଥ ଜ୍ଞାନ ବୋଲି ଉଲ୍ଲେଖ ହୋଇନାହିଁ । ଅଧିକାଂଶ ପୁରାତନ ଭାଷାକୋଷରେ ଭା ଧାତୁ ଶବ୍ଦର ଅର୍ଥ ଦିପ୍ତି ପାଇଵା ଲେଖାଥିଵା ଦେଖାଯାଏ । ସେଇଭଳି ସଂସ୍କୃତ ଭାଃ ଶବ୍ଦର ଅର୍ଥ ଦିପ୍ତି,ପ୍ରଭା,କିରଣ ଓ ଶୋଭା ବୋଲି ପ୍ରାୟ ସମସ୍ତ ଅଭିଧାନରେ ଲିଖିତ ଅଛି ।
ତେଣୁ ଯେଉଁ ଦେଶର ଲୋକମାନେ ସଦା ଦିପ୍ତି ଵା ପ୍ରଭାର ଆସକ୍ତ ସେ ଦେଶର ନାମ ଭାରତ ଆଉ କୌଣସି ଦେଶର ପ୍ରଭା,ଦିପ୍ତି,କିରଣ ଵା ଶୋଭା ସେ ଦେଶର ଜନତା - ଜ୍ଞାନୀ, ଗୁଣୀ ତଥା ବୁଦ୍ଧିମାନ ହୋଇ ତତ୍ ବଳରେ ଧନୀକ ହୋଇଥିଲେ ହିଁ ସମ୍ଭଵପର ହୋଇଥାଏ ।
ପୌରାଣିକ ମତରେ ଭରତଙ୍କ ନାମରେ ଭାରତଵର୍ଷର ନାମକରଣ ଭାରତ ହୋଇଛି
କେତେକ ଭାଷାକୋଷ ଅନୁସାରେ ଭରତ ଓ ଅଣ୍[ଅ] ପ୍ରତ୍ୟୟ ଯୁକ୍ତ ହୋଇ ଭାରତ ଶବ୍ଦ ନିଷ୍ପନ୍ନ ହୋଇଅଛି।
ପୁରାଣ କହେ ସମ୍ରାଟ ଭରତ ଓ ତାଙ୍କ ଵଂଶଜଙ୍କ ଶାସିତ ଭୂଭାଗ ହିଁ ଭାରତଵର୍ଷ ଅଟେ । ଶକୁନ୍ତଳା ଗର୍ଭସମ୍ଭୁତ ଦୁଷ୍ମନ୍ତପୁତ୍ର ଭରତ ନାମରେ ଖ୍ୟାତ ହୋଇଥିଲେ । ଋଷି କଣ୍ଵଙ୍କ ଆଶ୍ରମରେ ଏହାଙ୍କର ନାମ ସର୍ଵଦମନ ରଖାହୋଇଥିଲା । ବଡ଼ ହେଲାପରେ ସର୍ଵଦମନ ବଡ଼ ପ୍ରତାପୀ ଓ ସାର୍ଵଭୌମ ସମ୍ରାଟ ହୋଇଥିଲେ । ଵିଦର୍ଭରାଜଙ୍କର ତିନି କନ୍ୟାଙ୍କ ସହ ଏହାଙ୍କର ଵିଵାହ ସମ୍ପନ୍ନ ହୋଇଥିଲା । ସମ୍ରାଟ ଭରତ ଜମ୍ଵୁଦ୍ଵୀପରେ ଅନେକାନେକ ଅଶ୍ଵମେଧ ଓ ରାଜସୂୟ ଯଜ୍ଞ ଆୟୋଜନ କରେଇଥିଲେ । କୁହାଯାଏ ପ୍ରଜାନୁରଞ୍ଜକ ସମ୍ରାଟ ହୋଇଥିଵା ହେତୁରୁ ଏହାଙ୍କ ନାମାନୁସାରେ ଜମ୍ବୁଦ୍ଵୀପର ଏକ ଵର୍ଷର ନାମ ଭରତଖଣ୍ଡ,ଭରତଭୂମି ଓ ଭାରତଵର୍ଷ ରଖାଯାଇଥିଲା ।
ଭାରତ ଶବ୍ଦର ଅର୍ଥ କେଵଳ ଭାରତ ଦେଶ ନୁହେଁ ଵରଂ ଏ ଶବ୍ଦର ଆହୁରି ଅନେକ ଅର୍ଥ ଅଛି । ପ୍ରଥମତଃ ଭାରତ ଦେଶକୁ ଭାରତ କୁହାଯାଏ,ଭରତବଂଶୀମାନଙ୍କୁ ମଧ୍ୟ ଭାରତ କୁହାଯାଏ । ଭରତବଂଶୀ ହୋଇଥିଵାରୁ ଶ୍ରୀକୃଷ୍ଣ ଗୀତାରେ ଅନେକ ଥର ଅର୍ଜୁନଙ୍କୁ ଭାରତ ସମ୍ବୋଧନ କରିଛନ୍ତି । ସେହିପରି ଭରତଙ୍କ ତନୟମାନେ ଭାରତ ଵିଦିତ ହେଉଥିଲେ । ପୁଣି ଅଭିନେତା ଵା ନଟ,ଅଗ୍ନି, ଭରତମୁନୀଙ୍କ ଭରତଙ୍କ ସଂକଳିତ ସଙ୍ଗୀତ, ବାଦ୍ୟ ଓ ନାଟ୍ୟ ଵିଷୟକ ନାଟ୍ୟଶାସ୍ତ୍ରକୁ ଭାରତ କୁହାଯାଉଥିଲା । ବଟ୍ଟ,ବଟର ଵା ଲାଵପକ୍ଷୀ( Quail)ର ଏ ଶାସ୍ତ୍ରୀୟ ନାମ ଭାରତ ଅଟେ । ଵାକ୍(speech) ଓ ଵାକ୍ ଦେଵତାଙ୍କୁ ମଧ୍ୟ ଭାରତ କୁହାଯାଏ । ଏହା ଛଡ଼ା ସୂର୍ଯ୍ୟଙ୍କର ଦକ୍ଷିଣାୟନକୁ ଭାରତ କୁ଼ହାଯାଉଥିଲା । ଦେଶଜ ଶବ୍ଦ ଭାବେ ଭାରତ ଶବ୍ଦଟି ଭୀଷଣ ଯୁଦ୍ଧ,ଲମ୍ବା ଚଉଡ଼ା ଵିଵରଣ ଵା କଥା ଅର୍ଥରେ ମଧ୍ୟ ପ୍ରୟୋଗ କରାଯାଏ । ଭାରତ ଶବ୍ଦର ଏହି ଦେଶଜ ଅର୍ଥଗୁଡ଼ିକ ମହାଭାରତ ଗ୍ରନ୍ଥ ଓ ମହାଭାରତ ଯୁଦ୍ଧ ଆଧାରରେ ପ୍ରଚଳିତ ହୋଇଅଛି । ଉଲ୍ଲେଖଯୋଗ୍ୟ ଯେ ମହାଭାରତ ଗ୍ରନ୍ଥକୁ କେଵଳ ଭାରତ ବି କୁହାଯାଏ । ମହାଭାରତ ଗ୍ରନ୍ଥକୁ କାହିଁକି ଭାରତ କୁହାଯାଏ ସେ ଵିଷୟରେ ସଂସ୍କୃତ କଳ୍ପଦ୍ରୁମ ଶବ୍ଦକୋଷରେ କୁହାଯାଇଛି ଯେ ମହାଭାରତ ମହାକାଵ୍ୟର ଭାରତ ନାମଟି ଭାରଂ ଶବ୍ଦରେ ତନ୍ ଓ ଙଃ(ଅ) ପ୍ରତ୍ୟୟ ଯୁକ୍ତ ହୋଇ ନିଷ୍ପନ୍ନ ହୋଇଅଛି । ସେଠାରେ ଏହାର
ଵ୍ଯାଖ୍ୟା କରି କୁହାଯାଇଛି “ଵେଦାଦିଶାସ୍ତ୍ରେଭ୍ଯୋଽପି ସାରାଂଶଂ ତନୋତି” ଅର୍ଥାତ୍ ଵେଦାଦିଶାସ୍ତ୍ର ଗୁଡ଼ିକର ଯାହା ସାରାଂଶ ତାହା ଭାରତ । ଆଗେ ମହାଭାରତ ଗ୍ରନ୍ଥକୁ ଭାରତଗ୍ରନ୍ଥ କୁହାଯାଉଥିଵା ହେତୁରୁ କେହି କେହି ଏହି ଵ୍ୟାଖ୍ୟାକୁ ମହାଭାରତ ଅର୍ଥରେ ଵ୍ୟଵହାର କରିଥାନ୍ତି । ହିନ୍ଦୀ ଶବ୍ଦ ସାଗର ଓ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପ୍ରୋକ୍ତ ନିରୁକ୍ତି ଵ୍ଯାଖ୍ୟାକୁ ଆହୁରି ସହଜ ଭାଵେ ଭାର+ତ=ଭାରତ କୁହାଯାଇଛି । ଏହି ନିରୁକ୍ତି ଵ୍ଯାଖ୍ୟାରୁ ମିଳୁଥିବା ଭାର ଵା ଭାରଂ ଶବ୍ଦର ନିରୁକ୍ତି ହେଲା— ଭୃଧାତୁ+ଭାଵ.ଅ = ଭାର ।
ଭୃ ଧାତୁରୁ ଧାରଣ କରିଵା ଓ ପାଳନପୋଷଣ କରିଵା ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ ।ଗୁରୁତ୍ୱ,ଗାମ୍ଭୀର୍ଯ୍ୟ,ସମୂହ,ଦାୟିତ୍ୱ ଓ ପରିମାଣ ଆଦି ଅର୍ଥରେ ଭାର ଵା ଭାରଂ ଶବ୍ଦ ପ୍ରୟୋଗ କରାଯାଏ । ତେବେ ଯଦି ଏହାକୁ ଭାରତ ନାମର ନିରୁକ୍ତି ଭାବେ ଗ୍ରହଣ କରାଯାଏ ତାହେଲେ ଏସବୁ ଅର୍ଥକୁ ନେଇ ଭାରତ ଶବ୍ଦର ଆଉ ଏକ ଭାଵଗତ ଵ୍ୟାଖ୍ୟା ହହୋଇପାରିଵ । ଯଥା : “ଯେଉଁଠି ସମସ୍ତଙ୍କୁ,ସମସ୍ତଙ୍କ କଥା ଏବଂ ଭାବନାକୁ ଗୁରୁତ୍ୱ ଦିଆଯାଏ(ଯାଉଥିଲା),
ଯେଉଁ ଦେଶର ଜନତା ସବୁ ବିଷୟରେ ଗମ୍ଭୀର ରହି କାର୍ଯ୍ୟ କରିବାକୁ ସୁଖ ପାଅନ୍ତି(ପାଉଥିଲେ),ଯେଉଁ ଦେଶ ସହସ୍ରାଧିକ ଜାତି ଓ ସମୂହର ଭାର ବହନ କରିଛି ଏବଂ ମାତାର ଦାୟିତ୍ୱ ଵହନ ପୂର୍ଵକ ସେମାନଙ୍କୁ ଅନ୍ନ,ଭୂମି ତଥା ପଵନ ଦେଇ ଲାଳନପାଳନ ପୋଷଣ କରିଛି ସେ ଦେଶ ଏ ଦେଶ ଭାରତଵର୍ଷ ଅଟେ ...”!
ବହୁ ପୁଣ୍ୟ କରିଥିଲେ କର୍ମଭୂମି ଭାରତଵର୍ଷରେ ପ୍ରାଣୀ ଜନ୍ମ ଲଭନ୍ତି ବୋଲି ବ୍ରହ୍ମଵୈଵର୍ତ୍ତପୁରାଣରେ ଏମନ୍ତ ଉଲ୍ଲେଖ ଅଛି...
❝ଶତଜନ୍ମତପଃ କୃତ୍ଵା ଜନ୍ମେଦଂ ଭାରତେ ଲଭେତ୍ ।
କରୋତି ସଫଳଂ ଜନ୍ମ ଶ୍ରୁତ୍ଵା ହରିକଥାମୃତମ୍ ॥
ଅର୍ଚ୍ଚନଂ ଵନ୍ଦନଂ ମନ୍ତ୍ରଜପଃ ସେଵନମେଵ ଚ । ସ୍ମରଣଂ କୀର୍ତ୍ତନଂ ଶଶ୍ଵଦ୍ଗୁଣଶ୍ରଵଣମୀପ୍ସିତମ୍ ॥ ନିଵେଦନଂ ସ୍ଵସ୍ଯ ଦାସ୍ଯଂ ନଵଧା ଭକ୍ତିଲକ୍ଷଣମ୍ ।
କରୋତି ସଫଳଂ ଜନ୍ମ କୃତ୍ଵୈତାନି ଚ ଭାରତେ ॥❞
ଭାରତ ଭଳି ଏକ ପଵିତ୍ର ଭୂମି ଏ ବ୍ରହ୍ମାଣ୍ଡରେ ଦୁର୍ଲଭ ବୋଲି ମଧ୍ୟ ସେହି ବ୍ରହ୍ମଵୈଵର୍ତ୍ତପୁରାଣରେ ଏପରି କୁହାଯାଇଛି
❝କର୍ମ୍ମଣାଂ ଫଳଭୋଗଶ୍ଚ ସର୍ଵ୍ଵେଷାଂ ସୁରସୁନ୍ଦରି ! ।
ନୈଵ ସ୍ଵର୍ଗେ ନ ପାତାଳେ ନାନ୍ଯଦ୍ଵୀପେ ଶ୍ରୁତୌ ଶ୍ରୁତମ୍ ॥
କୃତ୍ଵା ଶୁଭାଶୁଭଂ କର୍ମ୍ମ ପୁଣ୍ଯକ୍ଷେତ୍ରେ ଚ ଭାରତେ ।
ଅନ୍ଯତ୍ର ତତ୍ଫଳଂ ଭୁଙ୍କ୍ତେ କର୍ମ୍ମୀ କର୍ମ୍ମନିବନ୍ଧନାତ୍ ॥
ହିମାଳୟାଦାସମୁଦ୍ରଂ ପୁଣ୍ଯକ୍ଷେତ୍ରଞ୍ଚ ଭାରତମ୍ । ଶ୍ରେଷ୍ଠଂ ସର୍ଵ୍ଵସ୍ଥଳାନାଞ୍ଚ ମୁନୀନାଞ୍ଚ ତପଃସ୍ଥଳମ୍ ॥
ଲବ୍ଧ୍ଵା ତତ୍ର ଜନ୍ମ ଜୀଵୋ ଵଞ୍ଚୋତୋ ଵିଷ୍ଣୁମାୟୟା ।
ଶଶ୍ଵତ୍ କରୋତି ଵିଷୟଂ ଵିହାୟ ସେଵନଂ ହରେଃ ॥
କୃତ୍ଵା ତତ୍ର ମହତ୍ ପୁଣ୍ଯଂ ସ୍ଵର୍ଗଂ ଗଚ୍ଛତି ପୁଣ୍ଯଵାନ୍ ।
ଗୃହୀତ୍ଵା ସ୍ଵର୍ଗକନ୍ଯାଶ୍ଚ ଚିରଂ ସ୍ଵର୍ଗେ ପ୍ରମୋଦତେ ॥
ସ୍ଵର୍ଗମାଗଚ୍ଛତି ନରୋ ଵିହାୟ ମାନଵୀଂ ତନୂମ୍ ॥❞
ତେବେ india ଓ ଭାରତ ଛଡ଼ା ଭାରତ ଦେଶର ପ୍ରାଚୀନ କାଳରୁ ଏଯାଵତ୍ ଅନେକ ନାମ ରଖାଯାଇଛି ।
ଆରବୀ,ପାର୍ସୀ ଓ ତୁର୍କ ଲୋକଙ୍କ ଭାରତ ଆଗମନ ପରେ ପରେ ଭାରତର ହିନ୍ଦୁସ୍ଥାନ ନାମଟି ଭାରତଵର୍ଷରେ ଲୋକପ୍ରିୟ ହେଵାକୁ ଲାଗିଲା । ପ୍ରଥମେ ପ୍ରଥମେ ଉତ୍ତର ଭାରତକୁ ହିନ୍ଦୁସ୍ତାନ କୁହାଯାଉଥିଲା । ପରେ ଏଠାକାର ସ୍ଥାନୀୟ ସନାତନୀଙ୍କୁ ହିନ୍ଦୁ ଓ ସେମାନଙ୍କ ଭାଷାକୁ ହିନ୍ଦୀ ନାମ ଦିଆଗଲା । ପାର୍ସୀ ଲୋକେ ଭାରତକୁ ହିନ୍ଦ୍ ଓ ସିନ୍ଧୁନଦୀକୁ ହିନ୍ଦ୍ ଵା ହିନ୍ଦୁସ୍ ନଦୀ କହୁଥିଲେ ଯାହା ଏକ ଦିଗରେ ୟୁରୋପ ଯାଇ ଇନ୍ଦସ୍ ଵା ଇଣ୍ଡସ୍ ହେଲା ଓ ଭାରତର ନାମକରଣ ଇଣ୍ଡିଆ କରାଗଲା । ଏଠାରେ ହିନ୍ଦସ୍ ଓ ଇଣ୍ଡସ୍ ଶବ୍ଦ୍ ମୂଳ ସିନ୍ଧୁ ଵା ସିନ୍ଧୁସ୍ ଶବ୍ଦରେ ‘ସ’ ଵର୍ଣ୍ଣ ‘ହ’ ରେ ପରିଣତ ହୋଇ ପରେ ୟୁରୋପୀୟ ଭାଷାରେ ‘ହ’ ଲୁପ୍ତ ହୋଇ କେଵଳ ‘ଇ’ ରହିଯାଇଛି । ପାର୍ସୀ,ଗୁଜରାଟୀ, ଓଡ଼ିଆ (ଢେଙ୍କାନାଳ ଓ ନୟାଗଡ଼ ର କଥିତ ଭାଷା) ଓ ଆସାମୀ ଆଦି ଅନେକ ଭାଷାରେ ଦନ୍ତ୍ଯ ‘ସ’ ଟି ‘ହ’ ରେ ପରିଣତ ହୁଏ । ଢେଙ୍କାନାଳରେ ସେଇଟାକୁ ହେଇଟା କୁହନ୍ତି,ସାପକୁ ହାପ କୁହାଯାଏ କିନ୍ତୁ ଏ ଅଞ୍ଚଳରେ ଏହା ସୀମିତ ଶବ୍ଦରେ ହୋଇଥାଏ । ଗୁଜରାଟରେ ମଧ୍ୟ ଶହେ ପାଇଁ ଲେଖନ୍ତି ଶୋ ରୂପୟା କିନ୍ତୁ କୁହନ୍ତି ହୋ ରୂପୟା,ସେଇଭଳି ଲେଖନ୍ତି ସାରୁ ଛେ(ଭଲ ଅଟେ) କିନ୍ତୁ କୁହନ୍ତି ହାରୁ ଛେ !!! ଏହି ଵର୍ଣ୍ଣ ପରିବୃତ୍ତି ଵୈଶ୍ଵିକ ଅଧିକାଂଶ ଭାରୋପୀୟ ଭାଷାରେ ଏ ଵର୍ଣ୍ଣପରିଵୃତ୍ତି ଦୃଷ୍ଟିଗୋଚର ହୋଇଥାଏ ।
ଭାରତର ଆଉ ଏକ ପ୍ରାଚୀନ ନାମ ଆର୍ଯ୍ୟଵର୍ଷ ଅଟଇ । ଆର୍ଯ୍ୟ ଶବ୍ଦକୁ ବହୁଲୋକ ଜାତିଵାଚକ ଭାବୁଥିଲେ ହେଁ ସଂସ୍କୃତ ଭାଷାରେ ଏ ଶବ୍ଦଟି ଏକ ଵିଶେଷ୍ଯ ଵା ନାମଵାଚକ ଶବ୍ଦ ନୁହେଁ ଵରଂ ଗୋଟିଏ ଵିଶେଷଣ ଵା ଗୁଣଵାଚକ ଶବ୍ଦ ଅଟଇ । ପୂର୍ଵେ ପ୍ରାୟ ସମସ୍ତ ଭାରତଵାସୀ ସାଧୁ,ବୁଦ୍ଧିମାନ,ଵିଜ୍ଞ ଓ ସଚ୍ଚୋଟ ଥିଲେ ଏଵଂ ଏ ଗୁଣ ଆଜି ବି ଆମ ଦେଶର ଜନତାଙ୍କ ପାଖରେ ରହିଛି । ଏ ସମସ୍ତ ଗୁଣ ଥିଵା ଲୋକଙ୍କୁ ସସମ୍ମାନେ ଆର୍ଯ୍ୟ କୁହାଯାଉଥିଲା । ବୟସରେ ବଡ଼ବାପା,ବଡ଼ବାପା,
ଜେଜେବାପା,ଅଜା,ଶଶ୍ଵର ମାମୁଁ ,ମଉସା ଓ ପିଉସା ଆଦିଙ୍କୁ ପ୍ରାଚୀନକାଳରେ ଆର୍ଯ୍ୟ କୁହାଯାଉଥିଲା । ଭାରତୀୟ ମାନେ ଯଥାର୍ଥରେ ଆର୍ଯ୍ୟ ଅର୍ଥାତ୍ ସାଧୁ ଗୁଣ ସମ୍ପନ୍ନ ଥିଲେ ତେଣୁ ଏ ଦେଶର ଏକ ନାମ ଆର୍ଯ୍ୟଵର୍ଷ ମଧ୍ଯ ଅଟଇ । କେହି କେହି ଆର୍ଯ୍ୟଵର୍ଷ କୁ ଆର୍ଯ୍ୟାଵର୍ତ୍ତ ମଧ୍ଯ କହିଥାନ୍ତି । ଆର୍ଯ୍ୟ ଶବ୍ଦ ସହିତ ଆଵର୍ତ୍ତ ଶବ୍ଦ ଯୋଗ କରି ଅର୍ଯ୍ୟାଵର୍ତ୍ତ ଶବ୍ଦ ହୋଇଛି। ଏଠାରେ ଆଵର୍ତ୍ତ ଶବ୍ଦର ଅର୍ଥ ବାସସ୍ଥାନ ଅଟେ ।
ପୁଣି ଭାରତର ନାମ ବହୁପ୍ରାଚୀନ କାଳରେ ବ୍ରହ୍ମାଵର୍ତ୍ତ ମଧ୍ୟ ଥିଲା । କେତେକ ଐତିହାସିକଙ୍କ ମତରେ ସିନ୍ଧୁ ନଦୀର ଉଭୟ ପାର୍ଶ୍ଵସ୍ଥ ଅଞ୍ଚଳକୁ ହିଁ ବ୍ରହ୍ମାଵର୍ତ୍ତ କୁହାଯାଉଥିଲା । ତେଵେ ଆଉ କେତେକଙ୍କ ମତରେ ଭାରତର ନାମ ଆର୍ଯ୍ୟାଵର୍ତ୍ତ ଓ ଆର୍ଯ୍ୟଵର୍ଷ ବୋଲାଇଵାର ପୂର୍ଵରୁ ଏହାର ନାମ ବ୍ରହ୍ମାଵର୍ତ୍ତ ଥିଲା । ଋକବେଦରେ ଆମେ ଏ ଶବ୍ଦର ଵ୍ଯଵହାର ଦେଖିଵାକୁ ପାଇଥାଉ ।
ଵରାହପୁରାଣ ଆଦି କେତେକ ଗ୍ରନ୍ଥରେ ଆମେ ଭାରତଵର୍ଷର ନାମ ହୈମଵତ୍ ଵର୍ଷ ଉଲ୍ଲେଖ ଥିଵା ଦେଖିଵାକୁ ପାଇଥାନ୍ତି । ସାଧାରଣତଃ ହିମାଳୟ ପର୍ଵତମାଳାକୁ ହୈମଵତ କୁହାଯାଏ । ତେଣୁ ପୁରାଣମାନଙ୍କରେ ଏହି ହିମାଳୟର ଦକ୍ଷିଣଵର୍ତ୍ତୀ ସମସ୍ତ ଭୂଭାଗକୁ ହୈମଵତ ଵର୍ଷ କୁହାଯାଇଛି । ଭାରତକୁ ଉତ୍ତରରେ ହିମାଳୟ ରକ୍ଷାକଵଚ ଭଳି ଘେରି ରହିଛି । ଭାରତକୁ ଶସ୍ୟଶ୍ୟାମଳା ରଖିଵାରେ ହିମାଳୟର ଯୋଗଦାନ ଅତୁଳନୀୟ । ଭାରତରେ ଯେଉଁ ନାତିଶିତୋଷ୍ଣ ଜଳଵାୟୁ ଦୃଷ୍ଟ ହୁଏ ତାହା ହିମାଳୟ ଭଳି ଉଚ୍ଚ ପର୍ଵତାମାଳା ଯୋଗୁଁ ହିଁ ସମ୍ଭଵପର ହୋଇପାରିଛି କାରଣ ପୃଥିଵୀର ଯେଉଁ କର୍କଟ କ୍ରାନ୍ତି ବଳୟରେ ଭାରତ ରହିଛି ସେହି ଵଳୟରେ ସାହାରା ଓ ଆରବୀ ମରୁଭୂମି ରହିଛି । ହିମାଳୟ ନଥିଲେ ଭାରତରେ ମୌସୁମୀ ଵର୍ଷା ସମ୍ଭଵ ହୋପାରନ୍ତା ନାହିଁ । ହିମାଳୟ ପର୍ବତମାଳା ହଜାର ହଜାର ମିଟର ଉପରେ ପ୍ରଵାହିତ ଜେଟ୍ ଷ୍ଟ୍ରୋମ୍ କୁ ଦକ୍ଷିଣରେ ବାଧା ଦେଇଥାଏ ପୁଣି ଉତ୍ତର ଗୋଲାର୍ଦ୍ଧରୁ ପ୍ରଵାହିତ ଶୁଷ୍କ ଶୀତଳ ଵାୟୁକୁ ମଧ୍ଯ ଉତ୍ତର ପଟୁ ପ୍ରଵେଶ କରିଵାକୁ ଦିଏ ନାହିଁ । ଫଳରେ ଭାରତରେ ଗୁରୁଚାପ ସୃଷ୍ଟି ହୋଇପାରେ ଏଵଂ ତାହାର ପ୍ରଭାଵ ଭାରତ ମହାସାଗରରେ ପଡି଼ଲେ ଲଘୁଚାପ ହୋଇଥାଏ । ବୋଧହୁଏ ଏ କଥା ଆମ ପ୍ରାଚୀନ ପୂର୍ଵଜ ଜାଣିଥିଲେ । ସମ୍ଭଵତଃ ସେଇଥିପାଇଁ ସେମାନେ ନିଜ ଦେଶର ନାମ ହିମାଳୟର ନାମାନୁସାରେ ରଖିଯାଇଛନ୍ତି ।
ଭାରତଵର୍ଷର ଆଉ ଦୁଇଗୋଟି ପ୍ରାଚୀନ ନାମ ହେଲା ଅଜନାଭଵର୍ଷ ଓ ନାଭି ଖଣ୍ଡ ।
ପୁରାଣନୁସାରେ ଅଗ୍ନୀଧ୍ର ରାଜା ତାଙ୍କର ନଅ ପୁଅଙ୍କୁ ଜମ୍ବୁଦ୍ବୀପ(ତତ୍କାଳୀନ ଏସିଆ)କୁ ନଅ ଖଣ୍ଡ କରି ବାଣ୍ଟି ଦେଇଥିଲେ। ତାଙ୍କ ପୁତ୍ର ନାଭିଙ୍କୁ ଯେଉଁ ଖଣ୍ଡ ଦିଆ ଯାଇଥିଲା ତହିଁର ନାମ ନାଭିଖଣ୍ଡ ହେଲା । ଏହି ନାଭିଙ୍କ ଅନ୍ଯନାମ ଅଜନାଭ ଅଟେ । ଏହାଙ୍କ ନାମାନୁସାରେ କେତେକାଳ ଭାରତର ନାମ ଅଜନାଭଖଣ୍ଡ ଓ ନାଭିଖଣ୍ଡ ହୋଇଥିଲା । ପରେ ନାଭିଙ୍କ ପୌତ୍ର ଭରତଙ୍କ ନାମ ଅନୁସାରେ ଏହା ଭାରତ ଖଣ୍ଡ ବା ଭାରତଵର୍ଷ ବୋଲି ପ୍ରସିଦ୍ଧ ହେଲା ।
ଏତଦଵ୍ୟତୀତ ଆମ ଦେଶକୁ ଆଗେ ନରଭୂ ଓ ନରଭୂମି ବି କୁହାଯାଉଥିଲା । ନର ଶବ୍ଦର ଅର୍ଥ ସାଧାରଣତଃ ମନୁଷ୍ୟ ଜାତି ଓ ପୁରୁଷ ଜାତି ପ୍ରତି ଵ୍ଯଵହୃତ ହେଉଥିଲେ ହେଁ ଏହାର ଵ୍ଯାପକ ଅର୍ଥ ରହିଛି । ଶ୍ରୀଵିଷ୍ଣୁ ଓ ସଦାଶିଵଙ୍କୁ ମଧ୍ୟ ‘ନର’ କୁହାଯାଏ ।ଅର୍ଜୁନଙ୍କର ଏକ ନାମ ମଧ୍ୟ ନର ଅଟେ । ତେଵେ ଭାରତଵର୍ଷକୁ ନରଭୂ ଵା ନରଭୂମି କହିଵାଵେଳେ ସମ୍ଭଵତଃ ନିମ୍ନୋକ୍ତ ଅର୍ଥରେ ଵ୍ଯଵହୃତ ହୋଇଥାଏ ।
କ)ଯେଉଁଠାରେ ନର ପଦଵାଚ୍ଯ ଵ୍ଯକ୍ତିମାନେ ଅର୍ଥାତ୍ ସାଧୁ ସ୍ଵଭାଵର ଲୋକେ ବାସ କରନ୍ତି ।
ଖ) ଯେଉଁ ଭୂମିରେ ଯୁଗେ ଯୁଗେ ସଦାଶିଵ ଓ ଶ୍ରୀନାରାୟଣ ଅଵତାର ନେଇଥାନ୍ତି ।
ଭାରତଭୂମିର ଆଉ ତିନୋଟି ଶାସ୍ତ୍ରୀୟ ନାମ ଫଳ ଭୁମି,କର୍ମଭୂମି ଓ ପୁଣ୍ୟଭୂମି ଅଟେ ।
ଯେଉଁ ଭୂଭାଗ କର୍ମଫଳ ଭୋଗର ସ୍ଥାନ ତାହା ଏଇ ଭାରତଵର୍ଷ ବୋଲି ଆମ ପୂର୍ଵଜଙ୍କର ଵିଶ୍ଵାସ ଥିଲା । ଭାରତୀୟ ଵାଙ୍ମୟ ଶାସ୍ତ୍ରାନୁଯାୟୀ ଭାରତରେ ପାପପୂଣ୍ଯର ଫଳ ଭୋଗ ହେଉଥିଲା । ତେଣୁ ଆମ ଦେଶର କର୍ମଭୂମି, ପୁଣ୍ୟଭୂମି ଓ ଫଳଭୂମି ଆଦି ନାମକରଣ କରାଯାଇଥିଵା ଅନୁମାନ କରାଯାଏ । ସ୍ଥୂଳ ଭାଵେ ଦେଖିଲେ ବି ଭାରତରେ ଯେତେ ଫୁଳ ପୁଷ୍ପାଦି ମିଳେ ତେତେ ଵିଶ୍ଵରେ ଅନ୍ୟତ୍ର ଦୃଷ୍ଟିଗୋଚର ହୁଏ
ନାହିଁ । ଏ ଦେଶର ଜନତା ମଧ୍ୟ ପାପପୁଣ୍ଯର ଵିଚାର କରି ହିଁ ଅସାଧୁ କାର୍ଯ୍ୟ କରିଵାକୁ ଭୟ କରୁଥିଲେ । ସେହିପରି ଭାରତଵର୍ଷକୁ କର୍ମଭୂମି ମଧ୍ୟ କୁହାଯାଏ କାରଣ ଏହା ଧର୍ମକର୍ମ କରିବାର ପ୍ରସିଦ୍ଧ ସ୍ଥାନ । ଭାରତ ହେଉଛି ସମସ୍ତ ଜ୍ଞାନର ଆଵିଷ୍କାର ଓ ଉଦ୍ଭାବନର ଭୂମି । ପ୍ରାଚୀନ ଭାରତର ଲୋକେ
କର୍ମଵାଦୀ ଥିଲେ କର୍ମକୁ ଈଶ୍ଵର ମାନି ଚଳୁଥିଲେ ଏଵଂ ଗଣନପଦ୍ଧତି,ମାପ ପଦ୍ଧତି,ରନ୍ଧନକଳା,ସଂଗୀତ ଓ ନୃତ୍ୟ କଳା, ଭାସ୍କର୍ଯ୍ୟ ଜୀବନଜୀଵିକା ପଦ୍ଧତି,ଭାଷା ଓ ଲିପି ଲିଖନର ପଦ୍ଧତି ଇତ୍ୟାଦି ଅନେକାନେକ କଳା କୌଶଳ ଜ୍ଞାନ ଵିଜ୍ଞାନର ଆରମ୍ଭ ଏଇ ଦେଶରୁ ହିଁ ହୋଇଥିଲା । ଏସବୁ ଆଵିଷ୍କାର ଓ ଉଦ୍ଭାବନ କେଵଳ ପୁରୁଷାର୍ଥ ଦ୍ଵାରା ହିଁ ସମ୍ଭଵ ହୋଇପାରିଥିଵ । ସକାରାତ୍ମକ କର୍ମ ବିନା ଏସବୁ ବଡ଼ ବଡ଼ ଆଵିଷ୍କାର ଓ ଉଦ୍ଭାବନ କଷ୍ଟସାଧ୍ୟ ଅଟେ । ସମ୍ଭଵତଃ ସେଇଥିପାଇଁ ଭାରତର ଏକ ନାମ କର୍ମଭୂମି ହୋଇଅଛି ।
ଵାମନପୁରାଣରେ ପ୍ରାଚୀନ ଭାରତଵର୍ଷର ଏକ ନାମ କୁମାର/କୁମାରଖଣ୍ଡ ଥିଵା ଉଲ୍ଲେଖ ରହିଛି । କେତେକଙ୍କ ମତରେ ଯେହେତୁ ସିନ୍ଧୁ ନଦୀର ଏକ ନାମ କୁମାର ଅଟେ ତେଣୁ ଏହି ନଦୀର ନାମାନୁସାରେ ଭାରତର ଏକ ନାମ କୁମାରଖଣ୍ଡ ରଖାଯାଇଥିଵ । ଆଉ କେତେକ ମତ ଦିଅନ୍ତି ଯେ ସମ୍ରାଟ ଭରତ ମଧ୍ୟ ‘କୁମାର’ ନାମରେ ପ୍ରଶିଦ୍ଧ ଥିଵାରୁ ବହୁତ ସମ୍ଭଵ ଭାରତର ଏକ ନାମ କୁମାରଖଣ୍ଡ ରଖାଯାଇଥିଲା । ତେଵେ ମଧ୍ଯଭାରତର ଏକ ନାମ କୁମାରୀ ହୋଇଥିଵା ଵେଳେ ଭାରତୀୟ ଅନ୍ତରୀପ Cape Comorinକୁ କୁମାରୀକା କୁହାଯାଇଥାଏ ।
ଭାରତ ଦେଶର ଯେତିକି ନାମ ଅଛି
ପୃଥିଵୀର ଅନ୍ୟ କୌଣସି ଦେଶର ଏତେ ସଂଖ୍ୟକ ନାମ ଥିଵା ଜଣାଯାଏ ନାହିଁ ।
ଇଣ୍ଡିଆ ନାମଟି ଵିଦେଶୀମାନେ ସିନ୍ଧୁନଦୀର ନାମାନୁସାରେ ଦେଇଥିଲେ ସେହି ସିନ୍ଧୁନଦୀର ଅନ୍ୟ ଏକ ପାରସ୍ୟ ନାମ ହିନ୍ଦୁ ଵା ହିନ୍ଦୁସ୍ରୁ ଭାରତର ନାମ ହିନ୍ଦୁସ୍ଥାନ ଓ ଭାରତୀୟ ସନାତନୀମାନଙ୍କର ନାମ ହିନ୍ଦୁ ହୋଇଅଛି । ହୁଏତ ପ୍ରାଚୀନ କାଳରେ ଭାରତ ନାମ ଭଳି ଭାରତଵର୍ଷରେ india ନାମଟି ସାହିତ୍ୟ ଓ ଗ୍ରନ୍ଥାଦିରେ ସେତେ ଵ୍ୟଵହୃତ ହୋଇନାହିଁ କିନ୍ତୁ ୟୁରୋପ,ଏସିଆ ଓ ଆଫ୍ରିକାର ଅନ୍ୟ ଅନେକ ଦେଶରେ ପ୍ରାୟ ଦୁଇ ହଜାର ଵର୍ଷରୁ ଏଯାଵତ୍ ଭାରତର ନାମ ଭାବେ india ହିଁ ଲୋକପ୍ରିୟ ହୋଇଅଛି । ଆରଵ ଦେଶର الْهِنْد(al-hind);
ଆର୍ମେନୀୟ ଭାଷାର Հնդիկք (Hndikkʿ) ଓ Հնդկաստան (Hndkastan); ଆଲବାନିଆର Indi;ଅମ୍ହାରିକ୍ରେ ህንድ (hənd),ଚୀନ ଦେଶର Йиндў (Yindw),印度 (Yin-thu),印度 (zh) (Yìndù),印度 (Éng-dô),印度 (Ìn-tō͘) ଓ 印度 (1in-du) ;କୋପ୍ଟିକ୍ର ϩⲉⲛⲧⲟⲩ (hentou);ଇଜିପ୍ଟିଅନର hndwꜣy ; ଜର୍ଜିଅନ୍ର ინდოეთი (indoeti) ; ହିବ୍ରୁର הודו / הֹדּוּ (hódu) ;ଖମେର୍ ଭାଷାର ឥណ្ឌា (ʼəndiə) ଓ ឥណ្ឌៀ (ʼəndiə) ; କୋରିଆନ୍ର 인도(印度)(Indo); ମଙ୍ଗୋଲୀୟ ଭାଷାର ᠡᠨᠡᠳᠬᠡᠭ (enedkeg) ଓ ୟେଡିଶ୍ ଭାଷାର אינדיע (indye) ଇତ୍ୟାଦି ନାମ ଏହି ଭାରତଵର୍ଷ ପାଇଁ ହଜାର ହଜାର ଵର୍ଷ ଧରି ଵ୍ୟଵହୃତ ହେଉଅଛି । ଆଜି ଯଦି ଆମେ ଏ ନାମ ଛାଡ଼ି ଦେଵା କାଲିକୁ ପାକିସ୍ତାନ ଏ ନାମ ଗ୍ରହଣ କରି ନିଜକୁ india ଅଭିହିତ କରିଵାକୁ ଲାଗିଵ । ଫଳରେ ଭାରତକୁ ଇଣ୍ଡିଆ ନାମରେ ଜାଣିଥିଵା ଲୋକେ ଭ୍ରମରେ ପାକିସ୍ତାନକୁ ଇଣ୍ଡିଆ ଭାବି ନେବେ । ଭାରତ ପାଇଁ ଇଣ୍ଡିଆ ନାମରେ ବୋଲା ଯାଇଥିଵା ସମସ୍ତ ଭଲ ମନ୍ତଵ୍ୟର ଶ୍ରେୟ ପାକିସ୍ତାନ ଓ ପାକିସ୍ଥାନୀ ନେଇଯିବେ । ଭାରତର india ଏକ ସାଧାରଣ ଓ ଵିଦେଶୀମାନଙ୍କ ଦ୍ଵାରା ପ୍ରଦତ୍ତ ନାମ ହୋଇପାରେ କିନ୍ତୁ ଏହା ଭାରତଵର୍ଷର ଏକ ମୁଖ୍ୟ ନଦୀ ସିନ୍ଧୁନଦୀ ତଥା ସନାତନୀମାନଙ୍କର ହିନ୍ଦୁ ନାମ ଆଧାରରେ ରଖାଯାଇଥିଵାରୁ ଏତେ ଘୃଣ୍ୟ ହୀନ ନୁହେଁ । ଅକ୍ସଫୋର୍ଡ୍ ଅଭିଧାନରେ ଶହେ ଦେଢ଼ ଶହ ଵର୍ଷ ତଳେ ଇଣ୍ଡିଆ ଶବ୍ଦର କୌଣସି ଘୃଣ୍ୟ ଅର୍ଥ
ଯଦିଵା ଛପା ଯାଇଥାଏ ତାହା Red Indian ଵା ମୂଳ ଆମେରକୀୟମାନଙ୍କ ପାଇଁ ଛପା ଯାଇଥିଵ ଭାରତ କିମ୍ବା ଭାରତୀୟମାନଙ୍କ ପାଇଁ ନୁହେଁ । India ଶବ୍ଦର ଵ୍ୟୁତ୍ପତ୍ତି ଦୃଷ୍ଟିରୁ ଦେଖିଲେ ଏହା ଏକ ଅପମାନଜନକ ଘୃଣ୍ୟ ଶବ୍ଦ ଆଦୌ ନୁହେଁ ଵରଂ ସିନ୍ଧୁନଦୀ ଓ ହିନ୍ଦୁ ସନାତନୀଙ୍କ ନାମାନୁସାରେ ରଖାଯାଇଥିଵା ନାମ ବୋଲି ସ୍ପଷ୍ଟ ହୁଏ । ଅସ୍ତୁ ହୁଏତ india ନାମଟି ଭାରତର ଗୋଟିଏ ସାଧାରଣ ନାମ ହୋଇଥାଇପାରେ କିନ୍ତୁ ଭାରତର ଦୁଇ ସହସ୍ରାଧିକ ଵର୍ଷ ଧରି ଏକ ନାମ ହୋଇ ରହିଥିଵାରୁ ଏହା ସିଙ୍ଗିଡ଼ା ଭିତରେ ଆଳୁ ଭଳି ଭାରତ ସହିତ ଜଡ଼ିତ ହୋଇ ରହିଯାଇଛି ।
•••••••••••••••••••••••••••
ଶିଶିର ସାହୁ ମନୋଜ(କାମାକ୍ଷାନଗର, ଢେଙ୍କାନାଳ)
•••••••••••••••••••••••••••
No comments:
Post a Comment