Sunday, August 27, 2023

ଓଡ଼ିଆ ଭାଷାରେ କ'ଣ ଶବ୍ଦ ତଥା ଅନ୍ୟାନ୍ୟ ପ୍ରଶ୍ନଵାଚକ ଶବ୍ଦ

ଓଡ଼ିଆ ଭାଷାରେ ଗୋଟିଏ ଶବ୍ଦର ଅନେକ ରୂପ ଦେଖାଯାଏ । ଆମ କଳିଙ୍ଗ ଦେଶରେ ଵିଭିନ୍ନ ଅଞ୍ଚଳର ଶବ୍ଦଗୁଡ଼ିକର ମାନକୀକରଣରୁ ମାନକ ଓଡ଼ିଆ ଭାଷା ପ୍ରତିଷ୍ଠିତ ହୋଇଅଛି ଏଵଂ ଏହାର ସୁନ୍ଦର ଉଦାହରଣ ହେଉଛି ପ୍ରଶ୍ନଵାଚକ 'କ’ଣ' ଓ ତତ୍ ସମ୍ବନ୍ଧୀୟ ଶବ୍ଦ ସମୂହ । 

ତେବେ ଓଡ଼ିଆ ଭାଷାରେ Whatର ମାନକ ପ୍ରତିଶବ୍ଦ ହେଉଛି କ’ଣ /କଅଣ ଏଵଂ ଏହି କ'ଣ ଶବ୍ଦର କୋଡ଼ିଏରୁ ଅଧିକ ପ୍ରତିରୂପ ସାରା ଓଡ଼ିଶାରେ ଦୃଶ୍ୟ ହୋଇଥାଏ । ଭାରତର ଅନ୍ୟ କୌଣସି ଇଣ୍ଡିକ୍ ଭାଷାରେ ଏତେ ସଂଖ୍ୟକ what ଵା କ'ଣ ଅର୍ଥଜ ଶବ୍ଦ ଦେଖାଯାଏ ନାହିଁ। 

ଓଡ଼ିଶାରେ ତଥା ଓଡ଼ିଆ ଭାଷାରେ ପ୍ରଶ୍ନାର୍ଥକ What ଵା କ'ଣକୁ ତିନୋଟି ଭିନ୍ନ ଭିନ୍ନ ପଦ୍ଧତିରେ ପଚରାଯାଏ । 

⬤(କ) ସାଂକେତିକ ଠାର ଭାଷାରେ 
⬤(ଖ) ନିର୍ଦ୍ଧିଷ୍ଟ ଶବ୍ଦ ଉଚ୍ଚାରଣ ଦ୍ଵାରା
⬤(ଗ)what ଅର୍ଥଜ ପ୍ରଶ୍ନାର୍ଥକ ଶବ୍ଦ ପ୍ରୟୋଗ ଦ୍ଵାରା

ସାଂକେତିକ ଭାଷାରେ କ'ଣ ଵା what ବୋଲି ପଚାରିଵାର ପଦ୍ଧତି ହେଲା ମୁଣ୍ଡକୁ ଉପରକୁ ଉଠାଇ ଆଖିର ଭୃଲ୍ଲତାକୁ ଉପରକୁ ନଚାଇ ପୁଣି ସାମାନ୍ୟ ମୁଣ୍ଡକୁ ତଳକୁ କରିଦେଵା । ଦ୍ଵିତୀୟ ପଦ୍ଧତିରେ କେହି ଡାକିଲେ କ'ଣ ବୋଲି ପଚାରିଵା ପାଇଁ ଅଁ,ଆଁ,ଉଁ,ଏଁ ଭଳି ନିର୍ଦ୍ଧିଷ୍ଟ ଶବ୍ଦ ଉଚ୍ଚାରଣ କରାଯାଏ । ତୃତୀୟ ପଦ୍ଧତିରେ ମାନକ କ'ଣ (କଅଣ) ଓ ଅନ୍ୟ ଅନେକ କଥିତ ଶୈଳୀ ପ୍ରତିରୂପ ପ୍ରୟୋଗ କରାଯାଏ । ଆମ ଭାଷାରେ ଦେଖାଯାଉଥିଵା ଏହି ତିନିଗୋଟି ପଦ୍ଧତିଗୁଡି଼କ ଆମ ଭାଷା ଵିକାଶର ତିନୋଟି ସ୍ତରକୁ ପ୍ରକାଶ କରୁଅଛି । ତେବେ ଏଠାରେ କଥିତ ହୋଇଥିଵା ଏହି ତିନୋଟି ପଦ୍ଧତି ମଧ୍ୟରେ ତୃତୀୟ ପଦ୍ଧତିର ଵ୍ୟଵହାର ଅଧୁନା ଅଧିକ ପରିମାଣରେ ହେଉଅଛି । ମାନକ ଓଡ଼ିଆ ଵା ବହି ଓଡ଼ିଆ ଶୈଳୀରେ ସାରା ଓଡ଼ିଶାର ନଗରାଞ୍ଚଳରେ "କ'ଣ ଵା କଅଣ" ଶବ୍ଦ ପ୍ରଚଳିତ ତେବେ ସମଗ୍ର ଓଡ଼ିଶାର ଗ୍ରାମାଞ୍ଚଳରେ ଏହି ଶବ୍ଦ ସହିତ ସମୋଦ୍ଧୃତ ଅନେକ ଶବ୍ଦରୂପ ମଧ୍ୟ ଚଳୁଅଛି । 

ଓଡ଼ିଆ ଭାଷାରେ 'କ’ଣ' ଶବ୍ଦର ଵିଭିନ୍ନ ସମୋଦ୍ଧୃତ ରୂପ ରହିଛି । ଗଡ଼ଜାତ ଓ ଅଵିଭକ୍ତ କୋରାପୁଟ ଅଞ୍ଚଳର ବିଭିନ୍ନ କଥିତ ଓଡ଼ିଆ ଭାଷାଗୁଡି଼କରେ କ'ଣ ଶବ୍ଦର କାଣା,କିରା,କାଏଁ,କାଏ,କାଏଁଟା,କଅଁଟା,କାଁ,କାଡା଼,
କାରା,କେଏଁଟା,କାଇଟା,କିଗା, କାଏଟା ,କିସ୍'ଟା ଓ କାଇଁଟା ଇତ୍ୟାଦି ଅନେକ ରୂପ ଚଳୁଥିଵାବେଳେ ଦକ୍ଷିଣ ଓଡ଼ିଶା, ଉପକୂଳ ଓଡ଼ିଶା ତଥା ଉତ୍ତର ଓଡ଼ିଶାରେ କ'ଣ ଶବ୍ଦର କି,କିସ,କିନା,କିୟଣ,କିଅଁଣ,କିସ'ତି,କଁ ଓ କିସ୍(ଦକ୍ଷିଣ ଓଡ଼ିଶା) ଇତ୍ୟାଦି ରୂପ ଚଳୁଅଛି। 

ଵର୍ତ୍ତମାନ ଓଡ଼ିଆ ଭାଷାରେ ପ୍ରଚଳିତ ‘କ'ଣ’ ଶବ୍ଦର ସେହିସବୁ ସମାର୍ଥକ ପ୍ରତିଶବ୍ଦଗୁଡ଼ିକୁ 'କାର' ଦୃଷ୍ଟିରୁ ଚାରିଭାଗରେ ଵିଭକ୍ତ କରାଯାଇପାରେ ।‌

∎(ଅ)•କଣ୍,କଁ,କଁଣ,କଅଁଟା
∎(ଆ)•କାଁ,କାଏ,କାଏଁ,କାଇଟା,କାଏଟା,କାଁଟା,କାଡ଼ା,କାଣା,
∎(ଇ)•କି,କିଅଣ,କିୟଣ,କିରା,କିଗା,କିନା,କିସ,କିସ୍,କିସ୍‌ଟା,କିସ୍‌ତି
∎(ଏ)•କେଁଟା

ଉତ୍ତର ଭାରତୀୟ ପ୍ରାଚୀନ ସାହିତ୍ୟ ତଥା କଥିତ ଭାଷାଗୁଡି଼କରେ ପୂର୍ଵେ कत,कस,काँइँ,काजि,काहे,किथौँ,कीसीव,केम् ଇତ୍ୟାଦି ଶବ୍ଦ କ'ଣ ଵା what ଅର୍ଥରେ ଵ୍ୟଵହାର ହେଉଥିଵା ହିନ୍ଦୀ ଶବ୍ଦ ସାଗରର ଉଲ୍ଲେଖରୁ ଜଣାଯାଏ ‌। ତେବେ ଉତ୍ତର ଭାରତରେ ଏସବୁ ଶବ୍ଦ ମଧ୍ୟରେ ପ୍ରାୟତଃ ଅଧିକାଂଶ ଶବ୍ଦର ଆଉ ହିନ୍ଦୀ ଆଦି ଉତ୍ତର ଭାରତୀୟ ଭାଷାରେ ଵିଶେଷ ପ୍ରଚଳନ ନାହିଁ ଏଵଂ କେଵଳ क्या ଶବ୍ଦ ହିଁ ଵିଶେଷ ଵ୍ୟଵହୃତ ହେଉଛି । 

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ସେହିପରି କି,କଅଣ,କିବା,କିସ ,
କଉଁ,କାହା ଇତ୍ୟାଦି ଶବ୍ଦ "what ଵା କ'ଣ" ଅର୍ଥରେ ପୂର୍ଵେ ପ୍ରୟୋଗ କରାଯାଉଥିଲା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି ଶବ୍ଦଗୁଡି଼କ ତଳେ ପ୍ରାଚୀନ ସାହିତ୍ୟରୁ ପଦର ଉଦାହରଣ ସହ ଉଲ୍ଲେଖ ଅଛି । 

'କଉଁ' ଶବ୍ଦର ପ୍ରାଚୀନ ସାହିତ୍ୟରେ‌ ଉଭୟ କ'ଣ ଓ‌ କେଉଁ ଅର୍ଥରେ ଗୋଟିଏ ପଦରେ ପ୍ରୟୋଗ କରାଯାଇଛି ...

“କଉଁ ଗୁଣେ କଉଁ ନାରୀ ହେଵ ସମ’
(ଦୀନକୃଷ୍ଣ, ଜଗମୋହନ।)

'ଅବା' ଶବ୍ଦକୁ ପ୍ରାଚୀନ ସାହିତ୍ୟରେ ସେହିପରି ପ୍ରଶ୍ନାର୍ଥକ କି; କି ଅବା ଅର୍ଥରେ ପ୍ରୟୋଗ କରାଯାଇଥିଵା ଜଣାଯାଏ ‌। 

"ବାଟରେ ମୋତେ ହରବରିଆ କରିବେ ଯେବେ କି କଜିଆ କରିବି ଅବା ତାଙ୍କ ସଙ୍ଗେ ନୁହେଁ ମୁଁ ବଳୁଆ।"
(ଭିକାରୀ,ଗୀତଲହରୀ)

ଆଜିକାଲି କାହା ଶବ୍ଦଟି ‘କାହାର’ ଅର୍ଥରେ 
ବହୁପ୍ରଚଳିତ କିନ୍ତୁ ପ୍ରାଚୀନ ସାହିତ୍ୟରେ 'କାହା' ଶବ୍ଦ କିସ,କଅଣ ପରି ଵ୍ୟଵହୃତ ହେଉଥିଲା । 

“ତାହାକୁ ନୃପେ କରି ପାରନ୍ତିଟି କାହା।” 
(କୃଷ୍ଣସିଂହ, କୃଷ୍ଣ ମହାଭାରତ, ସଭାପର୍ଵ)
 
ଆମ ଭାଷାରେ ଦ୍ବିତୀୟା ଆଦି ଵିଭକ୍ତିରେ କାହାକୁ, କାହାଦ୍ୱାରା, କାହାଠାରୁ, କାହାର ଆଦି ରୂପ ହୁଏ ‌। ପ୍ରଥମା ଵିଭକ୍ତି ଏକ ଵଚନରେ 'କାହା' ରୂପେ ଆଧୁନିକ ଓଡ଼ିଆରେ ଆଉ ପ୍ରଚଳନ ନାହିଁ।

'କିବା' ସର୍ଵନାମ ମଧ୍ୟ ଓଡ଼ିଆ ସାହିତ୍ୟରେ 'କ'ଣ' ଅର୍ଥରେ ପ୍ରୟୋଗ କରାଯାଏ। 

“ଅଶେଷ ମହିମା ସେ ଧରେ,
 କିବା ଉପମା ଦେବା ତାରେ ।
 (ଜଗନ୍ନାଥ, ଭାଗଵତ।)

ତେବେ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ସର୍ଵାଧିକ ପ୍ରୟୋଗ ହୋଇଥିଵା What ଵା କ'ଣ ଅର୍ଥଜ ପ୍ରତିଶବ୍ଦଟି ହେଉଛି ‘କିସ’ । ତହିଁର କେତେକ ଉଦାହରଣ ନିମ୍ନରେ ପ୍ରଦତ୍ତ ହେଲା । 

“କେତେ କେତେ ହରି ତାରିଛ
 କର୍ଣ୍ଣେ ଶୁଣିଛି ମୁହିଂ । 
କିସ କଥା ମୁହିଂ ଵର୍ଣ୍ଣିବି 
ମୋର ଶକତି କାହିଂ ॥”
(ନଵଗୁଜ୍ଜରି, ଅଚ୍ୟୁତାନନ୍ଦ ଦାସ)

ନାହିଁ ବୋଲିଵା ଵାଣୀ, 
ନିପଟ ନାହିଁ ଶୁଣି,
ନଳିନାକ୍ଷିରେ ହୋଇ 
କିସ ହେଵ, 
ନନ୍ଦନନ୍ଦନ ପ୍ରେମା, 
ପ୍ରେମାରେ ନୁହେ ଜମା, 
ନିତମ୍ବିନୀଙ୍କ ଯେବେ ଗତି ଥିଵ ॥”
(କିଶୋରୀ ଚନ୍ଦ୍ରାନନ୍ଦ ନ ଚମ୍ପୂ, କଵିସୂର୍ଯ୍ୟ ବଳଦେଵ ରଥ)

“ଵ୍ୟାଜ ପାଳନା ଏତିକି ବୋଲୁଁ ଇଶ ମୃଗ୍‌ଧାଭାବେ ଭାଷେ କିସ । 
ବିହୁ ଯାହା ତାହା ସୁଦେହା
ସୁତ୍ସ୍ନେହା ଜାଣି ତ ଥିବୁ ଅଵଶ୍ୟ ।”
(ଵୈଦେହୀଶ ଵିଳାସ, ଉପେନ୍ଦ୍ର ଭଞ୍ଜ)

„ଚଭୁର୍ଦ୍ଦଶ ଭୁଵନରେ କି ଦେଵା ଉପମା । 
ମୁ କିସ କହିବି ପ୍ରଭୁ ଅଙ୍ଗର ମହିମା ॥”
(ଜଗମୋହନ ରାମାୟଣ, ବଳରାମ ଦାସ)

“ବୋଲନ୍ତି ଵୃକ୍ଷେ ଏତ କିସ ।
 ଦେଖ ଗୋ ଦଇବ ଭବିଷ୍ୟ ॥
 ଏଠାକୁ କେମନ୍ତେ ଅଇଲା । 
 ବାଳକ ମେଳେ ନନ୍ଦବାଳା ॥”
(ଓଡ଼ିଆ ଭାଗଵତ, ଜଗନ୍ନାଥ ଦାସ)

ସୁଦଶା ଵ୍ରତରେ ସେହିପରି ଉଭୟ କିସ ଓ କଅଣ ଶବ୍ଦ ଵ୍ୟଵହୃତ ହୋଇଥିଵା ଦେଖାଯାଏ । 

“ଏଠାରେ ସ୍ନାହାନ କରି ଯେ କିସ କରିଵା। 
ପାଶରେ ତ କିଛି ନାହିଁ କଅଣ ଖାଇଵା ॥”
(ସୁଦଶା ଵ୍ରତ)

କେତେକ ନିର୍ଦ୍ଦିଷ୍ଟ ପରିପ୍ରେକ୍ଷୀରେ "କୋଉ,କିନା ଏଵଂ କିଛି" ଶବ୍ଦ ମଧ୍ୟ ଆମ ଭାଷାର କଥିତ ଶୈଳୀରେ 'କ’ଣ' ଶବ୍ଦ ପରି ଵ୍ୟଵହୃତ ହୋଇଥାଏ ।‌

ଯଥା—
•"ମୁଁ 'କିଛି'(କ'ଣ)ତୁନି ହୋଇ ବସିଛି ?"
କିମ୍ବା "କିଛି କହିଵ କି ?"
•"ତା’ର କିନା(କ'ଣ)ଏତେ ବୁଦ୍ଧି ଅଛି ?"
•ସାଆନ୍ତ ମତେ କୋଉ(କ'ଣ) ଦେଇ ନ ଥିଲେ ଯେ ଆଜି ତାଙ୍କର ଧନ ସରିଗଲା ବୋଲି ସେ ମୋତେ କିଛି ନ ଦେଉଛନ୍ତି ବୋଲି ମୁଁ ତାଙ୍କୁ ନିନ୍ଦିବି !

କୋଉ ଶବ୍ଦଟି ଵିଶେଷତଃ କେଉଁ ଵା Which ଅର୍ଥରେ ପ୍ରୟୋଗ କରାଯାଉଥିଲେ ବି ନଞାର୍ଥକ କ୍ରିୟା ପୂର୍ଵରେ ଲାଗିଲେ ଏହା ଉକ୍ତ କ୍ରିୟାର ଆଧିକ୍ୟ ବୁଝାଏ । 
ଯଥା—“ସେ ଝିଅ ସାଙ୍ଗେ ଭାରବେଭାର କୋଉ ଦେଇ ନାହିଁ କି?”
ଅର୍ଥାତ୍ ଖୁବ୍ ଦେଇଛି। ମୁଁ କୋଉ ସୁଖ କରି ନ ଥିଲି ଯେ, ଅର୍ଥାତ୍ ଖୁବ୍ ସୁଖ କରିଥିଲି। 

ପୁଣି ‘କିନା’ ଶବ୍ଦଟି ପ୍ରାଚୀନ ସାରଳା ମହାଭାରତରେ ‘କି’,'କ'ଣ' ଅର୍ଥରେ ପ୍ରୟୋଗ କରାଯାଇଛି :
"ତୁହି କରୁ କିନା ପ୍ରିୟ ଏକାଦଶୀ ଵ୍ରତ"
(ସାରଳା ମହାଭାରତ)

ପ୍ରାଚୀନ ସାହିତ୍ୟରେ ଏଭଳି ଵ୍ୟଵହୃତ ଅନ୍ୟ ଏକ ପ୍ରଶ୍ନାର୍ଥକ ଶବ୍ଦ ହେଉଛି 'କି' । 

ଅନେକ ସ୍ଥଳରେ 'କି' ଶବ୍ଦ 'କେଉଁ' ଅର୍ଥରେ ପ୍ରାଚୀନ ସାହିତ୍ୟରେ ପ୍ରୟୋଗ କରାଯାଇଛି 

“କେବା କେମନ୍ତ ଭୋଗ କଲା । 
କି ରୂପ କଳି ଵିଶ୍ରାମିଲା ॥”
(ଭାଗଵତ)
ପୁନଶ୍ଚ ସେହି ଜଗନ୍ନାଥ ଦାସ ଵିରଚିତ ଓଡ଼ିଆ ଭାଗଵତରେ ‘କ'ଣ’ ଅର୍ଥରେ ମଧ୍ୟ 'କି' ଶବ୍ଦ ଵ୍ୟଵହାର ହୋଇଅଛି ।

“କି ଅବା ଵନେ ଥିଲା ଦୋଷ ।
 କିବା ଶଙ୍କର କଲେ ରୋଷ ॥”

ସାରଳା ମହାଭାରତରେ ମଧ୍ୟ 'କି' ଶବ୍ଦ ନଞାର୍ଥକ 'କ'ଣ' ଅର୍ଥରେ ପ୍ରୟୋଗ ହୋଇଥିଵା ଜଣାଯାଇଛି

“ପଳାଇଵା ଲୋକଙ୍କୁ କି ଵିକଳ ହୋଇଵା, ଦୂତ ବରଗିଵା କି ଆପଣେ ଲୋଡିଵା”
(ସାରଳା ମହାଭାରତ)

କ'ଣ ଛଡ଼ା "କାହିଁକି, କିପରି, କେଉଁ, କେମିତି,କିଏ" ଆଦି ଓଡ଼ିଶାରେ ପ୍ରଚଳିତ ପ୍ରଶ୍ନଵାଚକ ଶବ୍ଦଗୁଡ଼ିକର ଅଞ୍ଚଳ ଭେଦରେ ଅନେକ ପ୍ରତିରୂପ ପ୍ରଚଳିତ। ନିମ୍ନରେ ପ୍ରାଚୀନ ଓଡ଼ିଆ ସାହିତ୍ୟ ତଥା ଲିଖିତ ଓ କଥିତ ଓଡ଼ିଆ ଭାଷାରେ ପ୍ରଚଳିତ କେତେକ ପ୍ରଶ୍ନଵାଚକ ଶବ୍ଦଗୁଡ଼ିକର ସୂଚୀ ପ୍ରଦତ୍ତ ହେଲା । 

⦿କଅଣ―କି,କିସ,ଵିସ୍ମୟାଦିବୋଧକ ଶବ୍ଦ
⦿କଅଁ— କ'ଣ (ନୟାଗଡ଼)
⦿କଅଁଠକେ/କଁଠକେ—କେଉଁଠାକୁ(ମୟୂ)
⦿କଅଁବାଟେ/କଁବାଟେ—କେଉଁପଟେ(ମୟୂ)
⦿କଅଁଠେ―କେଉଁଠି(ମୟୂରଭଞ୍ଜ)
⦿କଇକ―କୁଆଡେ଼(କନ୍ଧମାଳ)
⦿କଇକି―କେଉଁଠିକି(କନ୍ଧମାଳ)
⦿କଇସେ— କିପରି ଭାବରେ (ମୟୂରଭଞ୍ଜ)
⦿କଉ―କେଉଁ(ଢେଙ୍କାନାଳ)
⦿କଉଟା/କଉଁଟା— କେଉଁଟା(କଟକାଞ୍ଚଳ)
⦿କଉଁଟି— କେଉଁଟି(କଟକାଞ୍ଚଳ)
⦿କଉଁଠା—କେଉଁସ୍ଥାନ, କେଉଁ ସ୍ଥାନର
⦿କଉଁଠାଇଁ—କେଉଁଠି
⦿କଉଠି/କଉଁଠି―କେଉଁଠି(ଢେଙ୍କାନାଳ)
⦿କଉଁଠୁଁ/କଉଠୁ—କେଉଁ ଠାରୁ; କେଉଁ ସ୍ଥାନରୁ
⦿କଉଁଠେଇଁ/କଉଠେଇ—କେଉଁଠାରେ; କାହିଁ
⦿କଉଂଣିସି—କୌଣସି(ପ୍ରାଚୀନ)
“ମୁନି ହେ ଦୁଇଵରଷ ହେଲା ମୁହିଁ ବାହୁଅଛି ନାଵ,କଉଂଣିସି ଦିନେ ନାହିଁ ଏସନେକ ଭାଵ ॥”(ସାରଳା ମହାଭାରତ)
⦿କଉଁସିଲା—କୌଣସି
⦿କଉଣସିଲା—କୌଣସି
⦿କଉତିକି―କେଉଁଠିକି(ଅନୁଗୋଳ)
⦿କଏ—କି; କଅଣ; କେଉଁ
(ପଶ୍ଚିମ ଓଡ଼ିଶାରେ ଆଗେ ପିଲାଙ୍କୁ ପ୍ରଶ୍ନ କରୁଥିଲେ ନଏଦ୍ ତରାତରା କଏ ଗଛ ? କହ; ଏଥିର ଉତ୍ତର—'କହ'(=ଅର୍ଜୁନ ଗଛ)। ଢେଙ୍କାନାଳର କାମାକ୍ଷାନଗର ଅଞ୍ଚଳରେ ସେମିତି ଓଉ ଗଛକୁ କଉ କୁହାଯାଏ ତେଣୁ ପିଲାଙ୍କୁ କଉ ଗଛ ଦେଖାଇ ପଚରାଯାଏ ଏଇଟା କଉ ଗଛ ? )
⦿କଏକ୍―କୁଆଡେ଼(କନ୍ଧମାଳ)
⦿କଏବାର―କେତେଥର(ଜଗତସିଂହପୁର)

⦿କଖନ୍―କେତେଵେଳେ
(କେଉଁ+କ୍ଷଣେ;ମୟୂରଭଞ୍ଜ)
⦿କଟ୍’କୁ―କୁଆଡେ଼
(କେଉଁ+ଠାକୁ;ମୟୂରଭଞ୍ଜ)
⦿କଁଟା― କ’ଣ(ଢେଙ୍କାନାଳ)
⦿କତମ—ଅନେକଙ୍କ ମଧ୍ୟରୁ କୌଣସି ଵ୍ୟକ୍ତି ଵା ବସ୍ତୁ; ବହୁମଧ୍ୟରୁ କେଉଁ 
⦿କତର—ଦୁହିଁଙ୍କ ମଧ୍ୟରୁ କୌଣସି ଵ୍ୟକ୍ତି ଵା ଵସ୍ତୁ; ଦୁଇ ମଧ୍ୟରୁ କେଉଁ
⦿କତଵା―କେତେଵେଳେ(ମୟୂରଭଞ୍ଜ)
⦿କତିକା―କେତେ(ସାହିତ୍ୟ)
⦿କଦଵା―କେଵେକେଵେ(ମୟୂରଭଞ୍ଜ)
⦿କଦା—କେବେ, କେଉଁ ସମୟରେ
“ସନ୍ନିଧେ ରହିଲେ କଦା ନୁହଇ ପୀରତୀ” (ପିତାମ୍ବର. ନୃସିଂହପୁରାଣ। )
⦿କଦାଚିତ୍/କଦଚିତ୍―କେଵେ(ସାହିତ୍ୟ)
⦿କଦାକାଳେ―କୌଣସି ସମୟରେ(ଜଗତସିଂହପୁର)
⦿କଦାଚ―କଦାଚିତ, କେଵେ କେତେଵେଳେ ହେଲେ
⦿କଦାପି―କେଵେହେଁ,କେଭେଁ, କୌଣସି(ସାହିତ୍ୟ)
⦿କନ୍―କେଉଁଠି, କିଏ(କୋରାପୁଟ: କନ୍ଧମାଳ)
⦿କନ୍'ଠେକେ―କେଉଁଠାକୁ(ମୟୂରଭଞ୍ଜ)
⦿କରି—(କି) ପରି; (କେଉଁ) ପ୍ରକାରେ
“ତୁମ୍ଭେ ଛାର ଵିପ୍ର ବୋଲେ ଆସିବେ କି କରି।”( ପୀତାମ୍ବର, ନୃସିଂହପୁରାଣ।)
⦿କା―କାହା
⦿କାଇଁ ―କାହିଁ
⦿କାଇ—କେଉଁଠାରେ; କାହିଁ, କଣ; କିସ(ଭତ୍ରୀ ହଲବୀ ଓଡ଼ିଆ)
⦿କାଇକି―କଣ୍ ପାଇଁ(କାହିଁକି:କନ୍ଧମାଳ)
⦿କାଇଚେ― କାହିଁ(ସୁନ୍ଦରଗଡ଼)
⦿କାଇରା―କ'ଣ(କନ୍ଧମାଳ)
⦿କାଇଲାଗି―କଣ୍ ପାଇଁ(କନ୍ଧମାଳ)
⦿କାଇଁଘେନି―କେଉଁଥିପାଇଁ(କୋରାପୁଟ)
⦿କାଇଁଟା―କ'ଣ୍(କାହିଁଟା)
ସୁନ୍ଦରଗଡ଼,ସୁଵର୍ଣ୍ଣପୁର,ବୌଦ୍ଧ
⦿କାଇଁପେ―କାହିଁକି(ବାଲେଶ୍ଵର)
⦿କାଇଁରେ―(କାହିଁରେ)
କୋଉଥିରେ(କୋରାପୁଟ)
⦿କା/କାଆ— କାହା, କଣ(କା କର୍ବୁ—କଣ୍ କରିବୁ = କନ୍ଧମାଳ)
⦿କାଏ — କ'ଣ (ରାୟଗଡ଼ା), କାହିଁକି (ଅନୁଗୋଳ, ଦେବଗଡ଼)
⦿କାଏ କାଜେ —କ'ଣ ପାଇଁ (ସମ୍ବଲପୁର)
⦿କାଏଟା— କେଉଁଟା(ମାଲକାନଗିରି)
⦿କାଏଁ— କ'ଣ (ସୁନ୍ଦରଗଡ଼),କି(ସମ୍ବଲପୁର: କଳାହାଣ୍ଡି)
⦿କାଏଁ କାଏଁ—କି କି ଵିଷୟ; କେଉଁ କେଉଁ ଵିଷୟମାନ
⦿କାଏଁକରି— କାହିଁକି ( କଳାହାଣ୍ଡି)
⦿କାଏଁଯେ— କାହିଁକି (ସୁନ୍ଦରଗଡ଼)
⦿କାଏଁଟା—କେଉଁଟା(ସୁନ୍ଦରଗଡ଼), କ'ଣ (କଳାହାଣ୍ଡି)
⦿କାଏଁଥି— କେଉଁଠି,କାହାଦ୍ଵାରା,କେଉଁଠାରେ (ସୁନ୍ଦରଗଡ଼)
⦿କାଏଁଥିର ଲାଗି— କେଉଁଥି ଲାଗି ,କେଉଁଥି ପାଇଁ, କ'ଣ ପାଇଁ (କଳାହାଣ୍ଡି)
⦿କାଏଁ ସେ— କାହିଁକି (ନୂଆପଡ଼ା)
⦿କାକେ— କାହାକୁ (ମୟୂରଭଞ୍ଜ)
⦿କାଡା଼— କ'ଣ (କନ୍ଧମାଳ)
⦿କାଡ଼େ—କୁଆଡ଼େ,କେଉଁ ଆଡ଼େ,କେଉଁ ଆଡ଼କୁ,କେଉଁ ଦିଗକୁ(ବାଲେଶ୍ଵର, ମେଦିନୀପୁର)
⦿କାଣା— କ'ଣ (ସମ୍ବଲପୁର)
⦿କାଣାଁ — କ'ଣ (ସମ୍ବଲପୁର)
⦿କାତେ— କେତେ(ବାଲେଶ୍ଵର)
⦿କାର—କାହାର
("ଶିରୀଷ ଅଙ୍ଗୀକାର କାରରେ।" କଵିସୂର୍ଯ୍ୟସଙ୍ଗୀତ।)
⦿କାରେ—କାହାଦ୍ଵାରା,କାହାକୁ(ପ୍ରାଚୀନ)
•“ଦେଵତା ଵିନା ଏହା କାରେ(କାହାଦ୍ଵାରା) ତ ନୁହଇ ।” (କୃଷ୍ଣସିଂହ, ମହାଭାରତ, ସଭା।)
•“ଏ ଲୋକରେ ହିଂସା କାରେ(କାହାକୁ) ନ କରି, ଜନ ଥିଵା ପରି ତ ମୋର ପାଉ ନାହିଁ ମନ ।”(କୃଷ୍ଣସିଂହ, ମହାଭାରତ, ଶାନ୍ତି)

⦿କାହା—କେଉଁ ଵ୍ୟକ୍ତି-ପ୍ରାଣୀ ଵା ପଦାର୍ଥର
ପ୍ରାଚୀନ ସାହିତ୍ୟରେ ଏ ଶବ୍ଦଟି କେ, କ'ଣ, କିଛି,କାହାକୁ ଓ କିଏ ଆଦି ଅର୍ଥରେ ଵ୍ୟଵହୃତ ହୋଇଅଛି । 
•“ତାହାକୁ ନୃପେ କରି ପାରନ୍ତିଟି କାହା(କ'ଣ)।“ (କୃଷ୍ଣସିଂହ, ମହାଭାରତ, ସଭାପର୍ଵ।)
•“ସେ ଥିଲେ କରି ନ ପାରଇ ମୋର କାହା(କିଛି)।”
(କୃଷ୍ଣସିଂହ, ମହାଭାରତ, ସଭା।)
•“ତୋତେ ନ ପାଇ ଭାଵଗ୍ରହୀ ! 
ଦିନ ବଞ୍ଚିବୁ କାହା(କାହାକୁ) ଚାହିଁ?”
(ଜଗନ୍ନାଥ, ଭାଗଵତ।)
•“କାହା(କିଏ) ଛାର ଵା ମୋତେ ହୋଇଵ ସମର୍ଥ।”( କୃଷ୍ଣସିଂହ, ମହାଭାରତ, ଆଦି।)

⦿କାହାକଇ—କାହାକୁ(କଇ = କୁ)
”କାହାକଇ ପ୍ରଦାନ ନୋହିଲା କୁମାରୀ”
(ସାରଳା ମହାଭାରତ)
⦿କାହାକୁ(ମାନକ)—To whom
ମାନ୍ୟାର୍ଥେ ଏ ଶବ୍ଦ କାହାଙ୍କୁ ହୋଇଥାଏ ।
“କାହାକୁ ବା ପାଞ୍ନସ୍ତିରୀ କରନ୍ତି ଢମାଳି । କାହାକୁ ସ୍ନାନ କରାନ୍ତି ମିଳି ଷଡ ବାଳି ॥”
(ଜଗମୋହନ ରାମାୟଣ, ବଳରାମ ଦାସ)

⦿କାହାକେ — କାହାକୁ(ନୂଆ:ସମ୍ବ:କଳାହାଣ୍ଡି)
⦿କାହାତକ—କାହାକୁ(ଅନୁଗୋଳ)
⦿କାହା କାହା—କେଉଁ କେଉଁ ଵ୍ୟକ୍ତି ଵା ପ୍ରାଣୀଙ୍କର
⦿କାହାର—କେଉଁ ଲୋକର
⦿କାହାରିକି—କାହାକୁ, କାହାରିକୁ, କୌଣସି ଵ୍ୟକ୍ତିକୁ
⦿କାହାରେ—କାହାରିକୁ,କାହାକୁ,କାହା ଦ୍ୱାରା
“ତୁମ୍ଭ ଵିନା ଦୀନବନ୍ଧୁ! 
ଦୁଃଖୀ ଡାକିବ କାହାରେ”
(ମଧୁସୂଦନ, ସଙ୍ଗୀତମାଳା।)
⦿କାହାରବେଳେ— କାହାଦ୍ଵାରା,କାହାରେ
(ପ୍ରାଚୀନ)
⦿କାହାଁକା— କେଉଁଠାରେ, କେଉଁ ସ୍ଥାନ,କେଉଁଠିକାର(ଭଦ୍ରକ: ଖୋର୍ଦ୍ଧା)

⦿କାହିଂ(ପ୍ରାଚୀନ)/କାହିଁ — କାଇଁ,କେଉଁଠାରେ,ଯେ କୌଣସି ସ୍ଥାନରେ,କିପରି, (ପ୍ରଶ୍ନରୂପକ)କାହିଁ ନାହିଁ

“ଧରାଧରାଧିପସ୍ତନା ଚରାଚରାତେ ତୋ ଵିନା ପରାଭଵ କାହିଁ(କିପରି ଅର୍ଥଜ) ହେଵ ନିନ୍ଦା।” (କଵିସୂର୍ଯ୍ୟ, ସଙ୍ଗୀତ।)

“ଯାର ଚିତ୍ତେ ନିତ୍ୟେ ଥାଇଁ;
 ତା ହୃଦେ ଅମଙ୍ଗଳ କାହିଁ(କାହିଁ ନାହିଁ ଅର୍ଥଜ)।”
  (ଜଗନ୍ନାଥ, ଭାଗଵତ।)

“ଆହୁଟ ହାଥ କଳେଵର ଭିଥର କାହିଂ ଥାଇଂ ଜୀ ସେ ଦିଅଇ ଉତ୍ତର । 
ତତ ପ୍ରାପତ ଜପାଜୋ ନାହିଂ ମଲେଣ ପ୍ରାଣ କାହିଂ ସମ୍ଭାଇ ।” (ଶ୍ରୀ ସୀସୁଵେଦ)
⦿କାହିଁକି/କାହିଂକି(ପ୍ରାଚୀନ)— କିମ୍ପାଇଁ, କେଉଁ କାରଣରୁ, କୁଆଡେ଼

“ଅମ୍ୱାକନ୍ୟା ବୋଇଲା ଆର କାହିଂକି ମୁଂ ଯିବି
ମୋହୋରେଣ ଅଵଶ୍ୟ ତୁ ହୋଇବୁ ପରାଭଵି ।”(ସାରଳା ମହାଭାରତ)
⦿କାହିଁଛି—କେଉଁଠାରେ ଅଛି; କାହିଁ ଅଛି
“କାହିଁଛି କାହିଁଛି ବୋଲି ଵିରାଟ ଦେଶ ଖୋଜି ଖୋଜି ତଡ଼ାଗେ ହୋଇଛି ପ୍ରଵେଶ।” (ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ। )
⦿କାହିଁ ପାଇଁ କି —କିପାଇଁ,କାହିଁକି,କେଉଁ କାରଣରୁ
“ବଳିତ ପଡ଼ିଅଛି ଉତ୍କଣ୍ଠା ମୋହର। 
କହ କାହିଁ ପାଇଁକି ନ କଲୁ ତୋହର।” (କୃଷ୍ଣସିଂହ, ମହାଭାରତ, ଵନ।)
⦿କାହିଁର—କାହାର, କେଉଁ ସ୍ଥାନରେ,କେଉଁ ଵିଷୟରେ
⦿କାହିଁରୁ—କାଉଁଠାରୁ, କେଉଁ ଦେଶରୁ,
କେଉଁ ଵସ୍ତୁରୁ,କେଉଁ କାରଣରୁ
⦿କାହିଁରୁ କାହିଁ ଯାଏ—କେଉଁ ସ୍ଥାନରୁ କେଉଁ ସ୍ଥାନ ପର୍ଯ୍ୟନ୍ତ
⦿କାହିଁରେ— କେଉଁଥିରେ ,ଯେ କୌଣସି ଵିଷୟରେ
“କାହିଁରେ ମନ ସହି ପ୍ରସନ୍ନ ହେଉ ନାହିଁ, ଏଥିକି କହ କେଉଁ ଗତି କିରେ।” (କଵିସୂର୍ଯ୍ୟ, ସଙ୍ଗୀତ।)
⦿କାହିଁର୍— କେଉଁଥିର(କଳାହାଣ୍ଡି)
⦿କାହିଁର୍ ଲାଗି— କେଉଁଥି ପାଇଁ (କଳାହାଣ୍ଡି)
⦿କାହୁଁ/କାହୁଂ— କେଉଁଠୁ(ଖୋର୍ଦ୍ଧା),କେଉଁଠାରୁ, କେଉଁ ଆଡ଼ୁ, କେଉଁ କାରଣରୁ,କିପରି
“କାହୁଂ ପ୍ରଦାନ ହୋଇଲୁ ଏ ଗଙ୍ଗା ଛଞ୍ଜାଳି”
(ସାରଳା ମହାଭାରତ)
“ନଵନୀତ ତହୁଁ ମୃଦୁ ଦେହେ କାହୁଁ[କିପରି] ସମ୍ଭଵିଲା ଏ କଦନ।” (କଵିସୂର୍ଯ୍ୟ, କିଶୋରୀଚମ୍ପୂ, ଙ ଗୀତ।)
⦿କାହୁଁ ଅଇଲା—କୁଆଡ଼ୁ ଆସିଲା; ଅଜ୍ଞାତକୁଳଶୀଳ
⦿କାହୁଁ କାହୁଁ —ଅନେକ ସ୍ଥାନରୁ,କେଉଁ କେଉଁ ସ୍ଥାନମାନଙ୍କରୁ,ଅଜ୍ଞାତ କାରଣ ଵଶତଃ[ହଠାତ୍ ଅର୍ଥରେ ଵ୍ୟଵହୃତ କାହୁଁ କାହୁଁ ଶବ୍ଦଟି ଚାହୁଁ ଚାହୁଁର ପରିଵର୍ତ୍ତିତ ରୂପ)
“ଅକାରଣେ ଦଣ୍ଡ ପଡ଼େ କାହୁଁ କାହୁଁ ।” (ଦାଶରଥି, ବ୍ରଜବିହାର।)
⦿କାଁ— କ'ଣ (ସୁନ୍ଦରଗଡ଼: କଳାହାଣ୍ଡି)
⦿କାଏଁକରି— କାହିଁକି (ସୁନ୍ଦରଗଡ଼)
⦿କାଁକରି— କାହିଁକି, କ'ଣ ପାଇଁ (କଳାହାଣ୍ଡି:ସୁଵର୍ଣ୍ଣପୁର)
⦿କାଁ କାଜେ— କ'ଣ ପାଇଁ, କେଉଁ ନିମନ୍ତେ (ନୂଆପଡ଼ା, କଳାହାଣ୍ଡି)
⦿କାଁକାଯେ— କାହିଁକି (ନୂଆପଡ଼ା)
⦿କାଁଯେ— କାହିଁକି (ସୁନ୍ଦରଗଡ଼)
⦿କାଁଥି— କେଉଁଥିରେ, କାହିଁରେ(ଅଵିଭକ୍ତ ସମ୍ବଲପୁର)
⦿କା’ର୍ — କାହାର(ବାଲେଶ୍ଵର, କଳାହାଣ୍ଡି)
⦿କିଂକେ—କିମ୍ପାଇଁ, କିଆଁ, କାହିଁକି (ପ୍ରାଚୀନ)
“ବାବୁ କିଂକେ ଶରୀରକୁ କରୁଅଛି ଏଡ଼େ ପ୍ରାସ,ବେଳେ ବେଳେ ଭୁଞ୍ଜୁଥାଉ ନୋହୁରେ ତୁ ତୋଷ ।(ସାରଳା ମହାଭାରତ)
⦿କି— କ'ଣ,କିମ୍ପା, କେଉଁ (ମୟୂରଭଞ୍ଜ:କେନ୍ଦୁ:କନ୍ଧ)
"ସୁନ୍ଦର ଶ୍ରୀମୁଖେ ନୀଳଗିରି ପାଏ ଶୋଭା। କି ଜାଣି କି ପଟାନ୍ତର ଶରତଶଶି ପ୍ରଭା ॥"
(ଜଗମୋହନ ରାମାୟଣ, ବଳରାମ ଦାସ)

⦿କିଅଣ — ଗଞ୍ଜାମ
⦿କିଆତି—କି ପ୍ରକାରର,କେଉଁ ଶ୍ରେଣୀର,
କି ପ୍ରକାରେ; କିପରି
“କିଆତି? ମଗୁଶିର ମାସେ ଚୁଡ଼ା ଗୁଡ଼ ଖାଇ କଣ୍ଡୁ କୁଣ୍ଡେଇଲେ ଯିଆତି।” (ଢଗ)
(ତୁଳନା —ଇଆତି=ଏପରି; ଯିଆତି=ଯେପରି; ସିଆତି= ସେପରି।)
⦿କିଏ —(ମାନକ)
⦿କିଏ ଅଵା— କେହି ଅଵା
⦿କିଏ କଦଵା— କେହି କଦଵା
⦿କିଏ କିମିତି — କେହି କେମିତି 
⦿କିଏ କେନ୍ତି— କିଏ କେମିତି (ବୌଦ୍ଧ)
⦿କିଏ ନା କିଏ — କେହି ନା କେହି
⦿କିଏଵା/ କିଏ ଵା — କିଏ ଅଵା,କିଏ ଵା ?
⦿କିଏସେ— କେଉଁ ଵ୍ୟକ୍ତି
(“ପୁଛିଲେ ମହିଷୀ କହ ତୁ କିଏସେ କିମ୍ପାଇ ଭ୍ରମ ଏ ପୁରେ।” ରାଧାନାଥ, ପାର୍ଵତୀ।)
⦿କିଛି—କୌଣସି(ମାନକ), କ'ଣ
⦿କିଛିଟା— କୌଣସିଟା
⦿କିଛିଟି— କୌଣସିଟି
⦿କିଛୁ— କିଛି (କଳାହାଣ୍ଡି)
⦿କିଜାତିଆ— କେଉଁ ପ୍ରକାରର (କେନ୍ଦ୍ରାପଡ଼ା)
⦿କିନା— କ'ଣ,କି, ନୁହେଁ କି ?(ମୟୁର,ରାୟ, ପ୍ରାଚୀନ ସାହିତ୍ୟ)
"ତୁହି କରୁ କିନା ପ୍ରିୟ ଏକାଦଶୀ ଵ୍ରତ"
(ସାରଳା ମହାଭାରତ)
⦿କିନାଗି— କାହିଁକି (ମୟୂରଭଞ୍ଜ)
⦿କିନ୍ତା— କେମିତିକା,କେନ୍ତା କିପରି(ବା:ଦେ)
⦿କିଇଁତି— କେମିତି (ଢେଙ୍କାନାଳ,କଟକ)
⦿କିନ୍ତି— କେମିତି (ଦେଵଗଡ଼)
⦿କିପାଇଁ — କି କାରଣରୁ, କେଉଁ ନିମନ୍ତେ, କିଆଁ, କାହିଁକି, କ’ଣ ସକାଶେ 
⦿କିବା—କ’ଣ, କେଡ଼େ (ପ୍ରାଚୀନ ପ୍ରୟୋଗ)
ଅଶେଷ ମହିମା ସେ ଧରେ,
 କିବା ଉପମା ଦେଵା ତାରେ ‌
 (କ'ଣ/ଜଗନ୍ନାଥ, ଭାଗଵତ। )
⦿କିମୌ—କାହିଁକି,କି ଅର୍ଥରେ(ପ୍ରାଚୀନ)
“ଅନମିତେ ମୋହୋର କିମୌ ନାଶିଲୁ ଗଣ୍ଡାଜୀଵ”(ସାରଳା ମହାଭାରତ)
⦿କିମ୍ପା— କାହିଁକି
⦿କିମ୍ପାଇଁ— କାହିଁ ପାଇଁ 

“ସେ ନିର୍ମଳ ମୁଖପଦ୍ମ କିବା ମନୋହର”—(କେଡ଼େ/ମଧୂସୂଦନ ଉତ୍ତରରାମଚରିତ)
⦿କି ରକମ୍— କେଉଁ ପ୍ରକାର (ମୟୂରଭଞ୍ଜ)
⦿କିରା— କ'ଣ (ଢେ:ଅନୁ:ଦେଵ)
⦿କିରାପାଇଁ— କ'ଣ ପାଇଁ (ଢେ,ଅନୁ,ଦେଵ)
⦿କିରେ ! — ପ୍ରଶ୍ନଵାଚକ ସମ୍ବୋଧନ
⦿କିସ/କିସ୍ — କ'ଣ(ବାଲେଶ୍ଵର: ଗଜପତି)
⦿କିସ୍‌କି— କେଜାଣି,କ'ଣ ,କ'ଣ ପାଇଁ, କ'ଣ ପାଇଁ କି (କୋ:ରାୟ:ଗଜ)
⦿କିସ୍‌ତି— କ'ଣ (ରାୟଗଡ଼ା)
⦿କିହାବ— କ'ଣ ହେଵ(ବାଲେଶ୍ଵର)
⦿କିହେଁ—କେହି; କିଏ; କୌଣସି ଵ୍ୟକ୍ତି
⦿କିଁନ୍ତା— କେମିତି (ମୟୂରଭଞ୍ଜ)
⦿କିଂଟା— କେଉଁଟା(ରାୟ:ଅନୁ)

⦿କୁଆଡ଼— କେଉଁ ଆଡ଼
⦿କୁଆଡେ଼— କେଉଁ ଆଡ଼େ
⦿କୁଇକେ— କେଉଁ ଆଡ଼େ (କନ୍ଧମାଳ)
⦿କୁଇସ୍ — କାହିଁ (କନ୍ଧମାଳ)
⦿କୁକଡେ଼— କେଉଁ କଡ଼େ(କୋରାପୁଟ)
⦿କୁଟା— କେଉଁଟା(ରାୟଗଡ଼ା)
⦿କୁଠେ— କେଉଁଠେ(ରାୟଗଡ଼ା)
⦿କୋଟା— କେଉଁ ଟା(ଗଞ୍ଜାମ;ପୂ ଭା ୧୭୮୪)
⦿କୌଟା— କେଉଁଟା(ଅଵିଭକ୍ତ କଟକ)
⦿କୁଥି— କେଉଁଠି (ଗଦ୍ୟ ସାହିତ୍ୟ,ସମ୍ବଲ)
⦿କୁନ୍—କେଉଁ(ମାଲ),କିଏ(କଳା)
⦿କେ — କିଏ, କୁ,(ଦେ:ମା:କଳା:ନୂ:)
(କେ ତୁ ମୋହନ—କଵିସୂର୍ଯ୍ୟ, ସଙ୍ଗୀତ)
⦿କେଁ— କ'ଣ
⦿କେଇଟା —କେତେ ଗୁଡିଏ, କେତୋଟି(କେ)
⦿କେଇଟିଆ — କେତୋଟି(ବାଲେଶ୍ଵର)
⦿କେଇଁ —କାହିଁ, କେଉଁଆଡେ(କଳାହାଣ୍ଡି)
⦿କେଉଣ—କିପରି, କେମିତି (ପ୍ରାଚୀନ)
“ଜନ‌ଗମ୍ୟ ନାହିଂ ଅଗମ୍ୟ ବନ ଘୋର
କେଉଣ ଜୀବେ ଲକ୍ଷ୍ମଣକୁ କଲେକ ଆଧାର”
(ସୀତାଙ୍କ ଵନଗମନ, ସାରଳା ଦାସ)
⦿କେଉଁ—କିଏ, କୌଣସି
⦿କେଏଁ— କେଉଁ,କି(କେନ୍ଦୁଝର)
⦿କେଏଁଟା— କ'ଣ (କଳାହାଣ୍ଡି)
⦿କେକହୁ—କିଏ କହିପାରିଵ?; ଅକଥନୀୟ
"ତାର ମହିମା ଏ ସଂସାରେ ,
କେ କହୁ ସହସ୍ରେ ଵତ୍ସରେ। 
(ଜଗନ୍ନାଥ, ଭାଗଵତ।)
⦿କେଜାଣି— କି ନିମନ୍ତେ; କାହିଁକି ମୁଁ କହି ପାରିବି ନାହିଁ; ମତେ ଜଣା ନାହିଁ, ଅନ୍ଯ କେହି ଅବା ଜାଣିଥିଵ; ଏହା ଅଜ୍ଞାତ ଅଟେ 
“ଜୀଵନ ହୁଡ଼ ଯୁଆରଣେ
 କେଜାଣି କେ ହାରେ କେ ଜିଣେ।” (ଜଗନ୍ନାଥ, ଭାଗଵତ।)
⦿କେଜାନେ— କେଜାଣି(କଳାହାଣ୍ଡି)
⦿କେଟା— କେଉଁଟା(ମୟୂରଭଞ୍ଜ)
⦿କେଠି— କେଉଁଠି (ବାଲେଶ୍ଵର)
⦿କେଡ଼େ— କେତେ, ଆକାର ଵାଚକ ପ୍ରଶ୍ନଵାଚୀ
⦿କେଢ଼ାଏଁ— କେଡ଼େ, କେଡ଼େ ବଡ଼ ଆନୁମାନିକ ମାପ
⦿କେଢ଼େ— କେଡ଼େ(ଢେ:କ)
⦿କେଢ଼େ ହାତେଁ —କେଡ଼େ ଆକାରର (ଢେ:କ)
⦿କେଣିକି— କେଉଁଠିକି(ଜଗତସିଂହପୁର)
⦿କେତିକି— କେତେ ପରିମାଣ(ମାନକ)
⦿କେତୁଟା— କେତେ ସଂଖ୍ୟକ
⦿କେତେଲେ— କେତେବେଳେ (କନ୍ଧମାଳ)
⦿କେନ— କେଉଁ, କେଉଁଠାରେ (ବାଲେଶ୍ଵର)
⦿କେନ୍‌କେ— କେଉଁଠାକୁ, କୁଆଡ଼େ, କୁଆଡ଼କୁ(କଳା:ସ:କନ୍ଧ:କୋ)
⦿କେନ୍ କେନ୍—କିଏ କିଏ, କେଉଁକେଉଁ
                            (କଳା:ସ)
⦿କେନ୍‌ଚେ‌ —କାହିଁ, କେଉଁଠି (କଳା)
⦿କେନ୍‌ଠାଇ—କେଉଁଠିକୁ(ମୟୂରଭଞ୍ଜ)
⦿କେନ୍‌ଠାନୁ —କେଉଁଠାରୁ (କଳାହାଣ୍ଡି)
⦿କେନ୍‌ଠି/କେନ୍‌ଠେ—କେଉଁଠି(ମୟୂରଭଞ୍ଜ)
⦿କେନ୍‌ତା‌— କେମିତି, କିପରି(ସ:କଳା)
⦿କେନ୍‌‌ଥିର ଲାଗି—କେଉଁଥିପାଇଁ କି(ବୌ) ⦿କେନ୍‌ପତେ— କେଉଁ ପର୍ଯ୍ୟନ୍ତ(କଳା)
⦿କେନ୍‌ଫାଲ୍—କେଉଁଆଡ଼େ ଓ ଯେକୌଣସି ଆଡ଼କୁ କେଣେ, କୁଆଡ଼େ(କଳା: ନୂଆ)
⦿କେନ୍‌ମନ୍‌ —କେଉଁମାନଙ୍କୁ(ନୂଆ)
⦿କେନ୍ ଇକେ—କେଉଁଠାରେ(ନୂଆ)
⦿କେନ୍‌ସି—କୌଣସି(କଳା:କନ୍ଧ:ସ:ନୂଆ)
⦿କେନ କେନ୍ତା—କେଉଁଠି କେମିତି(ସ)
⦿କେନଠାନେ—କେଉଁଠାରେ, କେଉଁ    
     ଜାଗାରେ, କେଉଁଠି(ସୁଵ:ସୁନ୍ଦ)
⦿କେନତି—କେମିତି, କିପରି(ସୁଵ)
⦿କେନ୍ ଥିଁ—କେଉଁଠି, କେଉଁଟାରେ(ସୁଵ)
⦿କେନଥେଇ — କିପରି(ସୁଵ)
⦿କେନନିକେ —କେଉଁଠାକୁ( କଳା)
⦿କେନନେ କେଉଁଠାରେ, କେଉଁଠି(କଳା)
⦿କେନର—କେଉଁ ସ୍ଥାନର(ସୁଵ)
⦿କେନର୍ଚା — କେଉଁଠିକାର(ସୁନ୍ଦ)
⦿କେନଲକେ—କେଉଁଠାରେ, କେଉଁଠି, କେଉଁ
       ସ୍ଥାନରେ(କଳାହାଣ୍ଡି)
⦿କେନୁ —କେଉଁଠୁ(କନ୍ଧମାଳ)
⦿କେନେ —କାହିଁକି, କେଉଁଠାରେ, କେଉଁଆଡ଼େ, କୋଉଠି(ବାଲେଶ୍ଵର, ଭଦ୍ରକ)
⦿କେନେଡ଼େ—କେଉଁଆଡ଼େ(କନ୍ଧମାଳ)
⦿କେନେନିକେନେ— କୁଆଡ଼େ ନାଇଁ କୁଆଡ଼େ 
                    (କଳାହାଣ୍ଡି)
         
⦿କେନ୍ତା—କେମିତି କିପରି
                  (କନ୍ଧ:ସ:ସୁନ୍ଦ:ବୌ:ମା)
⦿କେନ୍ତାକେନ୍ତା—କେମିତି କେମିତି(ସମ୍ବଲପୁର)
⦿କେନ୍ତୁ, କେନ୍‌ଠାନୁ—କେଉଁଠୁ(ସୁନ୍ଦ)
⦿କେନ୍ଥେହି— କେମିତି (ସମ୍ବଲ)
⦿କେବ୍‌କେ—କେବେକୁ,କେବେ, କେଉଁ
      ସମୟରେ(କଳା)
⦿କେବଣ—କିପରି , କେମିତି (ପ୍ରାଚୀନ)
⦿କେବର—କେଉଁ ସମୟର(ରାୟଗଡ଼ା)
⦿କେବା— କିଏ ଅବା, କେଉଁ ଵସ୍ତୁ ଅଵା 
(ଏ ଶବ୍ଦ or ଵା କିମ୍ବା ଅର୍ଥରେ ମଧ୍ୟ ଵ୍ୟଵହାର କରାଯାଏ ଯଥା “ଜାଣିଲେ ନଳ ଦିଵସ କେବା ରାତି” ସେ କୃଷ୍ଣ ମହାଭାରତ)
⦿କେବୁରୁ— କେବେଠାରୁ (କନ୍ଧମାଳ)
⦿କେବେ— କେତେବେଳେ
⦿କେମନ୍ତ— କିପ୍ରକାର,କିପରି
⦿କେରକମ୍— କେମିତି, କିପରି,କିଭଳି(ବା:ମ)
⦿କେସନ— କେମନ୍ତ, କିପରି
“ବରିଣ ବିଭା ନୋହିଲୁ କେସନେ ଅମ୍ବେ କନ୍ୟାକୁ”(ସାରଳା ମହାଭାରତ)
⦿କେସେ—କେଉଁ ଵ୍ୟକ୍ତି? କିଏ ସେ?

“କେହି ନଚାଇ ସୁଭୂରୁ ଭୂରୁ।
 ଶିକ୍ଷା କି ଵୃକ୍ଷରୁ ସରୁପତି ହେଲା ଗୁରୁ ଗୁରୁସ୍ତନୀ କେସେ।”( ଭଞ୍ଜ, ପ୍ରେମସୁଧାନିଧି।)
 
⦿କେରୁ— କେବେଠାରୁ (ଅନୁଗୁଳ)
⦿କେହି— କିଏ,କିଏ ଜଣେ
⦿କେହୁ— କିଏ ,କିଏ ଜଣେ(ପ୍ରାଚୀନ)
“ଯହୁଂ ସେ ବାଳୀକି କେହୁଂ ପ୍ରଦାନ ନୋହିଲା”(ସାରଳା ମହାଭାରତ)
⦿କେହୁଣସି—ଯେକୌଣସି ବ୍ଯକ୍ତି,କୌଣସି, କିଛିହେଲେ(ପ୍ରାଚୀନ)
"କେହୁଣସି ସୁଖକୁ ନ କର ଅଵଧାନ"(ରହସ୍ୟମଞ୍ଜରୀ।)
⦿କେହୁଣି—କୌଣସି(ପ୍ରାଚୀନ)
⦿କେହୁଣିସି—କୌଣସି(ପ୍ରାଚୀନ)
⦿କେହେନ୍‌ସି— କୌଣସି (ସମ୍ବଲପୁର)
⦿କେହେନେକ—କେହ୍ନେ,କିପରି(ପ୍ରାଚୀନ)
“କେହେନେକ ପ୍ରକାରଣେ ଯଦୁ ଘରୁଂ ହେଲେ ପାରି ।”(ସାରଳା ମହାଭାରତ)
⦿କେହେନି— କୌଣସି,କୋଉ(କନ୍ଧମାଳ)
⦿କେଁ— କି ପ୍ରଶ୍ନସୂଚକ ଅଵ୍ୟୟ(କଳା:ନୂ)
⦿କେଁଠକ୍— କୁଆଡ଼େ(ବାଲେଶ୍ଵର)
⦿କେଁନୁ— କେଉଁ ସ୍ଥାନରୁ,କେଉଁଠାରୁ(ସୁଵ)
⦿କୋ— କେଉଁ (ଗଞ୍ଜାମ;ପୂ.ଭା.ପୃ—୧୭୭୩)
⦿କୋଉ— କେଉଁ,କି, କ'ଣ
⦿କୋଉଁ—କେଉଁ,କି, କ'ଣ
⦿କୋଉଣସି—କୌଣସି
⦿କୋଉଣସିଲା— କୌଣସି
⦿କୋଉଣିସି—କୌଣସି
⦿କୋଉଣିସିଲା—କୌଣସି
⦿କୋଉରା— କେଉଁ ଗୁଡ଼ା (କଟକ)
⦿କୋଉଁ— କେଉଁ (କଟକ)
⦿କୋଉଣସି/କୋଉଣିସି— କୌଣସି
⦿କୋକାଳ — କେଉଁ କାଳ
("କୋକାଳେ କୋ ଭଵିଷ୍ୟତି"—ଦେଶୀୟ. ଅଶୁଦ୍ଧ ସଂସ୍କୃତ ଵଚନ।)
⦿କୋଠଣେ— କେଉଁଠାର, କେଉଁ ସ୍ଥାନର(ଗ)
⦿କୋଓଠି— କେଉଁଠି (ଦେଵଗଡ଼)
⦿କୋଓଠେ—କେଉଁଠାରେ(ଦେ:ଗ)
⦿କୋନି— କେଉଁ (କନ୍ଧମାଳ)
⦿କୋବା— କିଏ,କିଏ ଅବା
“ବେଭାରେ ମୁଁ ବୋଲି ଚିହ୍ନି ନ ପାରିଟି ପୁଚ୍ଛି କୋବା ଡାକେ।”(ଭଞ୍ଜ, ଵୈଦେହୀଶଵିଳାସ। )
⦿କୌ— କେଉଁ?
⦿କୌଁ— କେଉଁ
କୌଁ କୌଶଳା ସେ ବି, କରି ଜିଣିଵା। 
ଅଭିମନ୍ଯୁ ଵିଦଗ୍ଧଚିନ୍ତାମଣି)
⦿କୌଠା— କେଉଁ ସ୍ଥାନ
  (ଏଥିର ୨ୟା ଵିଭକ୍ତିରେ କୌଠାକୁ, ୫ମୀରେ କୋଠାରୁ ୬ଷ୍ଠୀରେ କୌଠାରେ;୭ମୀରେ କୌଠାରେ ହୂଏ)]
⦿କୌଠି—କେଉଁ ସ୍ଥାନ , କେଉଁଠି ,କେଉଁଠାରେ କେଉଁ ସ୍ଥାନରେ(ଏଥିର ୨ୟା ଵିଭକ୍ତିରେ କୌଠିକି, କୌଠିକୁ ହୁଏ। ପୂ.ଭା. ୧୮୧୫ ପୃ)
⦿କୌଣସି— କେହିଜଣେ, କିଛି ଵସ୍ତୁ
⦿କୌଣସି କୌଣସି(କୌଣସିର ବହୁଵଚନ) କେହି କେହି ଵ୍ୟକ୍ତି, ଜଣେ ଜଣେ ଲୋକ,କୌଣସି ସ୍ଥାନମାନ,କୌଣସି ଵସ୍ତୁମାନ
⦿କୌଣସିଲା— କୌଣସି 
⦿କୌଣିସିଲା— କୌଣସି 
⦿କୌନ୍— କିଏ,କଅଣ
          (ଭତ୍ରୀ ଓଡ଼ିଆ;ପୂ.ଭା./ ୧୮୧୬ ପୃ)
⦿କ୍ୟାଂ— କିଆଁ; କାହିଁକି
 ଆହା ମଙ୍ଗରାଜେ ! ପୁଅମାନଙ୍କୁ କ୍ଯାଂ ପାଖ ପୂରାଅ ନାହିଁ(ଫକୀରମୋହନ. ଛମାଣ ଆଠକଗୁଣ୍ଠ)
⦿କ୍ୟାଡ଼େ— କୁଆଡ଼କୁ,କୁଆଡ଼େ(ବାଲେଶ୍ଵର)

ଏହିସବୁ ଶବ୍ଦ ମଧ୍ୟରେ ପ୍ରାଚୀନ ଓଡ଼ିଆ ସାହିତ୍ୟରେ କି,କିନା,କିସ,କିଵା, କାହୁଂ ଆଦି ପ୍ରୟୋଗ ହୋଇଛି ଏଵଂ ତାକୁ ଆଜି ବି ଓଡ଼ିଶାର ଗ୍ରାମାଞ୍ଚଳରେ ଲୋକେ ନିଜ କଥିତ ଭାଷାରେ ବଞ୍ଚାଇ ରଖିଛନ୍ତି । ଆଧୁନିକ ଓଡ଼ିଆ ସାହିତ୍ୟରେ ଏହି ସବୁ ନଞାର୍ଥକ ଶବ୍ଦଗୁଡି଼କର ପ୍ରୟୋଗ କରି ଏଗୁଡ଼ିକୁ ବଞ୍ଚାଇ ରଖାଯାଇପାରିଵ । 
   ×•••••••••••••••••••••••••×

No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...