ବାରାଣସୀ ନଗରୀର ଅଦୂରରେ ବୌଦ୍ଧତୀର୍ଥ ଭାଵରେ ଯେଉଁ ସାରନାଥ ଵିଶ୍ବ ଵିଖ୍ୟାତ, ଏକଦା ତାହା ଥିଲା ଏକ ସୁଗମ ଅରଣ୍ୟ । ସୁଗମ କାରଣ ମାରାତ୍ମକ ପ୍ରାଣୀମାନଙ୍କର ନିଵାସ ନ ହୋଇ ସେ ଅରଣ୍ୟ ଥିଲା ହରିଣମାନଙ୍କର ଆଶ୍ରୟ । ଅରଣ୍ୟର ଅଦୂରରେ ଜଣେ ରାଜାଙ୍କର ପ୍ରାସାଦ। ରାଜାଙ୍କର ବୋଧହୁଏ
ଵିଶେଷ କାମଦାମ ନ ଥିଲା, ଅତଏଵ ଦୈନିକ ପୂର୍ଵାହ୍ନରେ ସେ ମୃଗୟା କରିଵାକୁ
ଅରଣ୍ୟକୁ ଆସୁଥିଲେ । ସାଥିରେ ସୈନ୍ୟସାମନ୍ତ ସମେତ ଆସୁଥିଲେ ଶହ ଶହ ପ୍ରଜା । ପ୍ରଜାମାନେ ଅରଣ୍ୟର ଏକ ଵ୍ୟାପକ ଅଂଶ ଘେରାଉ କରି ରାଜା ଓ ତାଙ୍କ ସୈନ୍ୟସାମନ୍ତ ଛକି ରହିଥିଵା ଅଞ୍ଚଳ ଆଡ଼କୁ ମୃଗମାନଙ୍କୁ ତଡ଼ିନେଇଯିବେ । ରାଜା ସ୍ଵୟଂ ଗୋଟାଏ ଯୋଡ଼ାଏ ମୃଗ ଵଧ କରିବେ । ମୃଗମାଂସ ସକାଶେ ତାଙ୍କର ଲୋଭ ଅଦମ୍ୟ । ଅରଣ୍ୟର ଦ୍ବାର ଦେଶରେ ପଡ଼ିଥିଵା ଖଣ୍ଡିଏ ମସୃଣ ଶିଳା ଉପରେ ମୃତ ମୃଗଟି କଟାହେଵା ମଧ୍ୟ ରାଜା ଦେଖିଵେ । ଦିନେ ପ୍ରଜାଵର୍ଗ-ରଚିତ-ବଳୟ ଭିତରେ ବନ୍ଦୀ ମୃଗମାନଙ୍କ ଆଡ଼େ ଅନାଇ କାହା ଉପରକୁ ତୀର ପ୍ରୟୋଗ କରିଵେ, ରାଜା ସେ କଥା ଭାବୁଛନ୍ତି, ତାଙ୍କର ଦୃଷ୍ଟି ଗୋଟିଏ ମୃଗ ଉପରେ ଯାଇ ଅଟକିଗଲା । ତାହା ମୃଗଟିଏ ନା କୌଣସି ଅସାଧାରଣ
ପ୍ରତିଭାସମ୍ପନ୍ନ ଶିଳ୍ପୀ ନିର୍ମିତ ଏକ ହିରଣ୍ମୟ ମୂର୍ତ୍ତି ? ଏଡ଼େ ଉଜ୍ଜ୍ବଳ, ଏଡ଼େ ସୁଦର୍ଶନ,
ଏଡ଼େ ପ୍ରଶାନ୍ତ କୌଣସି ଵଣ୍ୟପ୍ରାଣୀ ହେଵା ସମ୍ଭଵ ? ରାଜା ଧୀରେ ଧୀରେ ସେ ମୃଗଆଡ଼େ ଅଗ୍ରସର ହେଲେ । ମୃଗ ରହିଲା ଅଵିଚଳିତ । ଵିସ୍ମିତ ରାଜା ତାକୁ ପ୍ରଶ୍ନ କଲେ, ‘‘ତୁମେ କିଏ ??’ କହିବା ଵାହୁଲ୍ୟ, ତାକୁ ମୃଗ ବୋଲି ଜାଣୁଥିଵା ସତ୍ତ୍ଵେ ପ୍ରଶ୍ନଟି ସ୍ଵତଃସ୍ଫୁର୍ତ୍ତ ଭାବରେ ଉଚ୍ଚାରିତ ହେଲା ।
-‘‘ ମହାରାଜ ! ମୁଁ ଏ ମୃଗଦଳର ହତଭାଗ୍ୟ ଦଳପତି ।’’
- ‘‘ ତମେ ହତଭାଗ୍ୟ କାହିଁକି ହେଵ ? ଆଜିଠାରୁ ତୁମେ ମୋର ମିତ୍ର !’’
ପାତ୍ରମିତ୍ରଙ୍କ ଆଡ଼େ ଦୃଷ୍ଟିପାତ କରି ରାଜା ଅତଃପର କହିଲେ, ‘‘ଏ ଦଳପତିଙ୍କ
ଦେହରେ ଯେପରି କସ୍ମିନ୍କାଳେ ଆଞ୍ଚ ନ ଆସେ !”
-‘‘ମହାରାଜ !’’ ମୃଗ ଦଳପତି କହିଲା, ‘‘ ଆପଣଙ୍କର ଦୈନିକ ଲୋଡ଼ା
ମାତ୍ର ଗୋଟିଏ ମୃଗ । ଆପଣ ଯେତେବେଳେ ତୀର ଉଦ୍ୟତ କରନ୍ତି, ସେତେବେଳେ ଭୀତ ମୃଗମାନେ ପ୍ରାଣ ଵିକଳରେ ଏଣେତେଣେ ଦୌଡ଼ାଦୌଡ଼ି କରି କ୍ଷତବିକ୍ଷତ ହୁଅନ୍ତି । ଜଣେ ଆଉ ଜଣକ ପଛରେ ଆତ୍ମଗୋପନ କରିଵାକୁ ଉଦ୍ୟମ କରିଵା ଫଳରେ ଶୃଙ୍ଗାଘାତରେ ପ୍ରତ୍ୟହ ଏକାଧିକ ମୃଗ ଆହତ ହୁଅନ୍ତି। ମୋର ପ୍ରସ୍ତାଵ, ପ୍ରତିଦିନ ଗୋଟିଏ ଗୋଟିଏ ମୃଗ ଯାଇ ସେ ଶିଳା ଉପରେ ମୁଣ୍ଡ ରଖିଵେ । ଆପଣ ଵା ଆପଣଙ୍କ କର୍ମଚାରୀ ସିଧାସଳଖ ତାକୁ ହାଣିପକାଇଵେ । ଶିକାରଜନିତ କ୍ଳେଶରୁ ବି ଆପଣଙ୍କୁ ଛୁଟି ମିଳିଯିଵ !’’
ଶିକାର ରାଜାଙ୍କ ପାଇଁ କ୍ଳେଶ ପରିବର୍ତ୍ତେ ଆମୋଦର ହେତୁ ଥିଲା, ମଣିଷ
ମନର ଏ ଵିଚିତ୍ର ତଥ୍ୟ ଵା ନିରୀହ ମୃଗକୁ କାହିଁକି ଜ୍ଞାତ ଥିବ ! ରାଜା ହୁଏତ ଟିକିଏ
ଦ୍ଵିଧାକଲେ; କିନ୍ତୁ ସେ ମହାମତି ମୃଗ ଆଖିରେ ନିଜ ଆଖି ପଡ଼ନ୍ତେ ତାଙ୍କ ପାଟିରୁ
ବାହାରିଗଲା, ‘‘ବେଶ୍ ! ତାହାହିଁ ହେଵ ।”
ଅରଣ୍ୟର ସେ ମୁଲକରେ ରାଜକୀୟ ଶିକାର ବନ୍ଦହେଲା । ବଦଳରେ ଘଟିଲା
ପ୍ରତ୍ୟହ ଏକ ଅଭାଵନୀୟ; କିନ୍ତୁ ଅଣନାଟକୀୟ ମୃଗଵଧ । ରାଜାଙ୍କ ମଣୋହି-ସମ୍ପୃକ୍ତ ଜଣେ ଦୁଇଜଣ କର୍ମଚାରୀ ଖଡ୍ଗହସ୍ତେ ପାଷାଣ ଖଣ୍ଡିକ ପାଖରେ ଆସି ଅପେକ୍ଷା କରିଵେ । ଅଦୂରରେ ସମଵେତ ମୃଗୟୂଥଠୁଁ ଵିଦାୟ ନେଇ ଗୋଟିଏ ମୃଗ ଧୀରେ ଧୀରେ ଆସି ସଜଳ ନୟନରେ ଥରେ ଅପେକ୍ଷମାଣ ଖଡ୍ଧାରୀଙ୍କୁ ଅନାଇ ଶିର ଅଵନତ କରିଵ ଏଵଂ ପର ମୁହୂର୍ତ୍ତରେ ପ୍ରାଣ ଦେଵ । କେଉଁ ରୀତିରେ ମୃଗମାନେ ପ୍ରତିଦିନର ଵଳି ମନୋନୟନ କରୁଥିଲେ ଜଣାନାହିଁ । ଦିନେ ଗୋଟିଏ ମୃଗୁଣୀର ପାଳି ପଡ଼ିଲା । ସେ ଗୋଟିଏ ପରେ ଗୋଟିଏ ମୃଗକୁ ଵିନୟଭରେ କହିଲା, ‘‘ମୁଁ ଅନ୍ତଃସଜ୍ଜା । ଆଜି ମୋ ବଦଳରେ ଆଉ କେହି ପ୍ରାଣ ଦେଉ । ମୋ ଶାଵକ ଜନ୍ମ ହେଵାର ଦୁଇ ମାସ ପରେ ମୁଁ ଯାଇ ଵଳିପଡ଼ିବି ।’’ ମୃଗୁଣୀ ଯେଉଁମାନଙ୍କ ଆଗରେ ଏ ଆଵେଦନ କରୁଥିଲା, ସେ ସମସ୍ତଙ୍କର ଵଳି ତାରିଖ ସ୍ଥିରୀକୃତ ହୋଇସାରିଥାଏ। ତଥାପି ଦିନକ ଆଗରୁ ମଧ୍ୟ କେହି ପ୍ରାଣତ୍ୟାଗ କରିଵାକୁ ପ୍ରସ୍ତୁତ ନଥିଲେ। ଯୁଥପତି ହିରଣ୍ମୟ ହରିଣଙ୍କ କାନରେ ହଠାତ୍ ମୃଗୁଣୀର ଏ ଆକୁଳ ନିଵେଦନ ପଡ଼ିଲା । ସେ ବାହାରିଆସି କହିଲେ, ‘‘କନ୍ୟା ! ଚିନ୍ତା ନାହିଁ । ତୋ ସ୍ଥାନ ଆଜି ମୁଁ ନେଵାକୁ ପ୍ରସ୍ତୁତ ।’’ ଅଵିଳମ୍ବେ ସେ ଯାଇ ଶିଳା ପାଖରେ ପହଞ୍ଚିଲେ ।ରାଜକର୍ମଚାରୀମାନେ କିନ୍ତୁ ତାଙ୍କୁ ଵଧ କରିଵାକୁ ସାହସ କଲେ ନାହିଁ । କଟୁଆଳଠୁଁ ମନ୍ତ୍ରୀ, ମନ୍ତ୍ରୀଙ୍କଠୁଁ ଯାଇ ଖବର ପହଞ୍ଚିଲା ରାଜାଙ୍କ ପାଖରେ । ରାଜା ଆସି ପହଞ୍ଚିଲେ ଘଟଣାସ୍ଥଳରେ । ହିରଣ୍ମୟ ମୃଗକୁ ଆଉଁସି ସେ ପ୍ରଶ୍ନ କଲେ, ‘‘ମିତ୍ର ! ତୁମର ଜୀଵନ ନେବି, ମୁଁ କ’ଣ ଏଡ଼ିକି ଅଧମ ???
-‘‘ମହାରାଜ ! ମୁଁ କିନ୍ତୁ ନିଜକୁ ବଡ଼ ଅଧମ ମଣିବି, ଯଦି ଅନ୍ତଃସତ୍ତ୍ଵା
ମୃଗୁଣୀଟିକୁ ରକ୍ଷାକରି ନ ପାରିବି ।’’ କହିଲା ଯୁଥପତି ।
- ‘ଆଜି ମୋର ମୃଗମାଂସ ଲୋଡ଼ା ନାହିଁ। ମୃଗଣୀକୁ କେବେ ମଧ୍ୟ ଜୀଵନ
ଦେଵାକୁ ପଡ଼ିଵ ନାହିଁ ।’’ ରାଜା କହିଲେ ।
-‘‘ମହାରାଜ ! ଆପଣଙ୍କ ପ୍ରତି ମୁଁ କୃତଜ୍ଞ । କିନ୍ତୁ ତଥାପି ଅନୁରୋଧ କରୁଛି,
ମୋର ପ୍ରାଣ ନିଅନ୍ତୁ।’’
ଯୁଥପତି ଆଵେଦନ କଲେ ।
-‘‘କାହିଁକି ?”’ ପ୍ରଶ୍ନ କଲେ ଵିସ୍ମିତ ରାଜା।
-‘‘ମହାରାଜ ! ଆପଣ ମୋତେ ମିତ୍ର ବୋଲି ସମ୍ବୋଧନ କରି ଯେଉଁ ସମ୍ମାନ
ଦେଇଛନ୍ତି, ସେ ସମ୍ମାନଜନକ ଆସନରେ ଥାଇ ମଧ୍ୟ ମୁଁ ମୋର ଅନୁଗତ ମୃଗମାନଙ୍କୁ
ରକ୍ଷାକରି ପାରିବି ନାହିଁ । ପ୍ରତିଦିନ ଜଣ ଜଣ କରି ବଳିପଡ଼ୁଥିଵାର ଦେଖୁଥିବି, ଏହାଠାରୁ ବଳି ଅଭିଶାପ କ’ଣ ହୋଇପାରେ ? ଏଭଳି ଅଭିଶପ୍ତ ଜୀଵନର ଅଵସାନ ଘଟାଇଲେ ହିଁ ଆପଣ ମୋର ପ୍ରକୃତ ମିତ୍ର ବୋଲି ଜାଣିବି ।”’
ହିରଣ୍ମୟ ମୃଗଙ୍କର ଏ ନିଷ୍କପଟ ଵିଵୃତିରେ ରାଜା କେତେକ ମୁହୂର୍ତ୍ତ ହତବାକ୍
ରହିଲେ। ତା’ପରେ ସେ କହିଲେ, ‘‘ମିତ୍ର ମୃଗରାଜ ! ତୁମର ପ୍ରାଣ ନେଇ ତୁମର
ଯଥାର୍ଥ ମିତ୍ର ହେଵା ଅପେକ୍ଷା ମହତ୍ତର
ଅନ୍ୟ କୌଣସି ମାର୍ଗରେ କ’ଣ ମୁଁ ତାହା
ହୋଇପାରିବି ନାହିଁ ? ଆଜିଠାରୁ ମୃଗଵଧ ବନ୍ଦ ହେଲା । ଵସ୍ତୁତଃ ମୃଗମାଂସ ପାଇଁ ମୋର ଆଉ ରୁଚି ନାହିଁ ।’?
- ‘‘ଧନ୍ୟଵାଦ ମହାରାଜ ! ତଥାପି ମୋର ହୃଦୟର ଉଦ୍ଵେଳନ କମୁନାହିଁ ।
କାରଣ ଆପଣଙ୍କ ପାତ୍ରମିତ୍ର ଏ ଅରଣ୍ୟରେ ଅନ୍ୟାନ୍ୟ ପଶୁପକ୍ଷୀ ଶିକାର କରୁଥିଵେ ଏଵଂ ସେ ଵିକଳ ଦୃଶ୍ୟ ମୋତେ ଦେଖିଵାକୁ ପଡୁଥିଵ ।’’
- ‘‘ହେ ମହାନ୍ ମିତ୍ର ! ଆଜିଠାରୁ ଶିକାର ନିଷିଦ୍ଧ ।’’
ଭାରତର ଅନନ୍ୟ କିମ୍ବଦନ୍ତୀ-ପରମ୍ପରାର ଏହି ଅଜ୍ଞାତ ରାଜପୁରୁଷଙ୍କ ସିଦ୍ଧାନ୍ତ
ଶୁଣି ସେଦିନର ଜନସାଧାରଣ ଵିସ୍ମିତ ହୋଇଥିବେ, କିନ୍ତୁ ଏ କାହାଣୀର ଲିପିକାରମାନଙ୍କ ପାଇଁ ରାଜାଙ୍କ ଆଚରଣରେ କୌଣସି ଆକସ୍ମିକତା ଵା ଵିସ୍ମୟ ନଥିଲା । କାରଣ,ସେ ହିରଣ୍ମୟ ମୃଗ ଥିଲେ ବୋଧିସତ୍ତ୍ଵ-ଗୌତମବୁଦ୍ଧଙ୍କ ଆତ୍ମାର ଏକ ପୂର୍ଵ ଅଵତାର । ପ୍ରଥମ ଦର୍ଶନରୁ ହିଁ ରାଜା ନିଜ ଅଜ୍ଞାତସାରରେ ତାଙ୍କ ଦ୍ବାରା ପ୍ରଭାଵିତ ହେଵାକୁ ଆରମ୍ଭ କରିଥିଲେ। ଅଵଶେଷରେ ଵର୍ଣ୍ଣିତ ଘଟଣାର ସୁଯୋଗ ନେଇ ତାଙ୍କ ଭାଵାନ୍ତରର ସ୍ଫୁରଣ ଘଟିଲା ।
ଅଵିରତ ମୃଦୁ ଵାରିପାତ ଭିତରେ ଆମେ ଯାଇ ସେଦିନର ସେ ଅରଣ୍ୟ, ଆଜିର
ସାରନାଥରେ ପହଞ୍ଚିଵାବେଳକୁ ସୂର୍ଯ୍ୟ ଦେଖା ନ ଦେଲେ ବି ସଦ୍ୟସ୍ନାତ ସକାଳର
ଆଲୋକ ଵାତାବରଣକୁ କମନୀୟ କରିଥାଏ। ଘଟଣା-ବହୁଳ ଏ ସ୍ଥାନ । ଏକଦା ଅରଣ୍ୟ ତା'ପରେ ଜନପଦ । ସାଧାରଣ ଜନପଦଟି ପୁଣି ଦିନେ ଅନନ୍ୟ ବୌଦ୍ଧତୀର୍ଥରେ ପରିଣତ ହେଲା । ଅନନ୍ୟ କାରଣ ଗୌତମ ବୁଦ୍ଧ ଏହିଠାରେ ପ୍ରଥମେ ତାଙ୍କ ବାଣୀ ପ୍ରଦାନ କରିଥିଲେ । ସେ ଆଉ ଏକ ଅଭାବନୀୟ ଦୃଶ୍ୟ ହୋଇଥିଵ ନିଶ୍ଚୟ । ନିକାଞ୍ଚନରେ, ଗୟା ନିକଟଵର୍ତ୍ତୀ ଅଶ୍ୱତ୍ଥ ଵୃକ୍ଷ ତଳେ ଗୌତମ ତପସ୍ୟାରତ ଥିଵାବେଳେ ତାଙ୍କ ସିଦ୍ଧି ଅଵଶ୍ୟମ୍ଭାଵୀ ଏଵଂ ସେ ସିଦ୍ଧିର ଆଲୋକରେ ସେମାନେ ବି ଆଲୋକିତ ହେଵେ, ଏହି ଆଶାରେ ପାଞ୍ଚଜଣ ସାଧୁ ତାଙ୍କୁ ଜଗିରହୁଥିଲେ ଓ ତାଙ୍କ ସେଵା ପାଇଁ ପ୍ରସ୍ତୁତ ଥିଲେ । ଗୌତମଙ୍କର ଅଵଶ୍ୟ କୌଣସି ପରିଚର୍ଯ୍ୟାର ପ୍ରୟୋଜନ ନଥିଲା । ତେବେ କୌଣ୍ଡିନ୍ୟ, ଭଦ୍ରକ, ଅଶ୍ଵଜିତ୍, ମହାନାମ ଏଵଂ ଵାସଵ ନାମଧେୟ ସେ ପଞ୍ଚସାଧୁ ଗୌତମଙ୍କ ଚିତ୍ରରେ ସ୍ନେହଭାଵର ଉଦ୍ରେକ କରିଥିଲେ ନିଶ୍ଚୟ ।
କିନ୍ତୁ ଯେତେବେଳେ ଗୌତମ ହୃଦୟଙ୍ଗମ କଲେ ଯେ ଶରୀରକୁ କ୍ଳେଶ ନ ଦେଇ, ପ୍ରୟୋଜନୀୟ ଖାଦ୍ୟ ଗ୍ରହଣ କରି ତାକୁ ସାଧନାର ମାଧ୍ୟମ କରିଵା ଶ୍ରେୟ ଏଵଂ ଯେତେବେଳେ ଅଦୂର ପଲ୍ଲୀର ଜନୈକା ଵିଵେକୀ ମହିଳା ପରିଵେଷିତ ସୁଖାଦ୍ୟ ତପସ୍ବୀ ଗୌତମ ସାଦରେ ଗ୍ରହଣ କଲେ, ସେତେବେଳେ ସାମାନ୍ୟ ଧ୍ୟାନଧାରଣାର ତରାଜୁରେ ଅସାମାନ୍ୟକୁ ତଉଲିଵାର ଚିରାଚରିତ ଅଭ୍ୟାସ ଅନୁସାରେ ପଞ୍ଚସାଧୁ ସିଦ୍ଧାନ୍ତ କଲେ ଯେ ଗୌତମ ଯୋଗଭ୍ରଷ୍ଟ ହେଲେଣି । ସୁଖାଦ୍ୟ ଭୋଜନ କରି, ନଦୀ ସରୋଵରରେ ସ୍ନାନକରି, କେହି ସତ୍ୟର ସନ୍ଧାନ ପାଇପାରେ ? ପଞ୍ଚସାଧୁ ଅଵଶ୍ୟ ଗୌତମଙ୍କ ସହ ଯୁକ୍ତିତର୍କ କଲେ ନାହିଁ । ସେ ସଦ୍ବୁଦ୍ଧି ସେମାନଙ୍କର ଥିଲା । ପଥଭ୍ରଷ୍ଟ ଗୌତମଙ୍କୁ ଵିପଥରେ ଯିଵାକୁ ଛାଡ଼ିଦେଇ ସେମାନେ ବାରାଣସୀ ଉପକଣ୍ଠକୁ ପଳାଇଆସିଲେ। ଗୌତମ କିନ୍ତୁ ବୁଦ୍ଧତ୍ଵ ପ୍ରାପ୍ତ କରିବା ସଙ୍ଗେ ସଙ୍ଗେ ଯେତେବେଳେ ତାଙ୍କ ଉପଲବ୍ଧ ସତ୍ୟଦ୍ୱାରା ଜିଜ୍ଞାସୁମାନଙ୍କୁ ସଚେତନ କରିଵାର ପ୍ରେରଣା ଅନୁଭଵ କଲେ, ସେତେବେଳେ ସେ ପ୍ରଥମେ ଏକଦା ଅନୁଗତ ଏହି ପଞ୍ଚସାଧୁଙ୍କୁ ସ୍ମରଣ କଲେ ।
ହୁଏତ ନିଜର ଅନ୍ତର୍ବୋଧଦ୍ଵାରା ପରିଚାଳିତ ହୋଇ ସେ ଚାଲି ଚାଲି ଆସି ସାରନାଥରେ ପହଞ୍ଚିଲେ । ଏ ସ୍ଥାନ ସେତେବେଳେ ଏକ ସର୍ଵସାଧାରଣ ଉଦ୍ୟାନ ତଥା ପଥିକମାନଙ୍କର ଵିଶ୍ରାମସ୍ଥଳ। ସରୋଵର ସମେତ ସେଠାରେ ଥିଲା କେତୋଟି
ପାନ୍ଥଶାଳା ।
ପଞ୍ଚସାଧୁ ସରୋଵର କୂଳରେ ବସିଥିଲେ। ଜଣେ ଚମକିପଡ଼ି କହିଲେ, ‘‘ଦେଖ, ଦେଖ, ଆମ ଆଡ଼େ ଆସୁଛି ସେ କିଏ ?’’
ପାଞ୍ଚଜଣଯାକ ଯଥା-ସତର୍କ ଦୃଷ୍ଟିପାତକଲେ । ସନ୍ଦେହ ରହିଲା ନାହିଁ । ସନ୍ନ୍ୟାସୀ ଗୌତମ ହିଁ ଆସୁଛନ୍ତି । ତାଙ୍କୁ କିଛି ନ କହି ପଳାଇ ଆସିଥିବା ଯୋଗୁଁ ପାଞ୍ଚଜଣଯାକ ଗ୍ଳାନି-ପୀଡ଼ିତ ଥିଲେ । ଗୌତମଙ୍କ ସହ ମୁହାଁମୁହିଁ ନ ହେଵା ହିଁ ସୁଵିଧାଜନକ । ସେମାନେ ତରତରରେ ଉଠିପଡ଼ିଲେ । କିନ୍ତୁ ଚାଲିଵାକୁ ଆରମ୍ଭ କରିଵା ପୂର୍ଵରୁ ଆଉ ଥରେ, ଅସତର୍କ ଭାବରେ, ଆଗନ୍ତୁକଙ୍କ ଆଡ଼େ ଦୃଷ୍ଟିପାତ କଲେ । ଦୃଷ୍ଟି କିନ୍ତୁ ଆଉ ଫେରାଇ ଆଣିପାରିଲେ ନାହିଁ । ପାଦ ବି ଆଗକୁ ଚଳିଲା ନାହିଁ । ସ୍ମିତହସଶୋଭିତ ବୁଦ୍ଧ ନିକଟତର ହୋଇ ଆସିଲେ ।ଯନ୍ତ୍ରଚାଳିତଵତ୍ ପାଞ୍ଚଜଣଯାକ ସାଧୁ ତାଙ୍କୁ ପ୍ରଣିପାତ କଲେ । ପ୍ରଶାନ୍ତ ବୁଦ୍ଧ ସେମାନଙ୍କୁ ଆଲିଙ୍ଗନ କରି ସେଇଠି ବସିପଡ଼ିଲେ । ତାଙ୍କ ଆଗରେ ବସିଲେ ପଞ୍ଚସାଧୁ-ତାଙ୍କର ପ୍ରଥମ କିସ୍ତିର ଶିଷ୍ୟଵର୍ଗ-ପୃଥିବୀର ପ୍ରଥମ ପାଞ୍ଚଜଣ
ବୌଦ୍ଧ ।
ଏହାର କେଇଦିନ ପରେ ଭଦ୍ଭ୍ରାନ୍ତ-ପ୍ରାୟ ଦିଶୁଥିଵା ଜଣେ ଯୁଵକ କ୍ଷିପ୍ରଗତିରେ
ଉଦ୍ୟାନ ଅତିକ୍ରମ କରୁଥିଵାବେଳେ ବୁଦ୍ଧଙ୍କୁ ଦେଖିପକାଇ ଅଟକିଗଲେ।
-‘‘ଗତି କୁଆଡ଼େ ?’’ ବୁଦ୍ଧ ପ୍ରଶ୍ନ କଲେ।
‘ହେ ମହାମତି ? ମୁଁ ସେହି ପ୍ରଶ୍ନର ଉତ୍ତର ଲୋଡୁଛି। ମୋର ଗତି କୁଆଡ଼େ ? ଆଉ ସମସ୍ତଙ୍କର ଗତି ଵା କୁଆଡ଼େ ? ଆଜି ମଧ୍ୟରାତ୍ରିରେ ଚେଇଁ ଉଠି ମୋ ଘରର ଚାରିଆଡ଼େ ଅନାଇ ଦେଖିଲି, ସମସ୍ତେ ମୃତପ୍ରାୟ ପଡ଼ିଛନ୍ତି । ପ୍ରଭାତ ହେଲା । ସମସ୍ତେ ଉଠିପଡ଼ି କାମରେ ଲାଗିଗଲେ । ପୁଣି ଯେତେବେଳେ ରାତି ହେବ ସମସ୍ତେ ପୁନର୍ଵାର ମୃତପ୍ରାୟ ପଡ଼ିଯିଵେ ବିଛଣାରେ । ପୁଣି ପ୍ରଭାତ ହେଵ, ପୁଣି ସମସ୍ତେ କାମରେ ଲାଗିଵେ । ଏହାର ଅର୍ଥ କ’ଣ ? ? ?
‘ ଯୁବକ ! ଯାହା ମନରେ ଏ ପ୍ରଶ୍ନ ଉଠିନାହିଁ, ତା ପାଇଁ ଏସବୁର ଅର୍ଥ
ଯାହା ହେଉନା କାହିଁକି, ରହିଛି। ତମ ମନରେ ଯେତେବେଳେ ଏ ପ୍ରଶ୍ନ ଉଠିଛି,
ସେତେବେଳେ ମୋର ଉତ୍ତର ଶୁଣ- ଏସବୁର କିଛି ଅର୍ଥ ନାହିଁ । ଆଶା-ଆକାଂକ୍ଷାଚାଳିତ ମଣିଷ କର୍ମ କରେ । କର୍ମର ବନ୍ଧନରେ ତାକୁ ଵାରମ୍ଵାର ଜନ୍ମ ନେଵାକୁ ହୁଏ । ଆଶାର ଵିନାଶରେ ହିଁ ଏ ଅର୍ଥହୀନ ଜନ୍ମମୃତ୍ୟୁ ପ୍ରଵାହର ସମାପ୍ତି ।’’— କହିଲେ ବୁଦ୍ଧ ।
- ଆଶାର ଵିନାଶ ? ତାହା ସମ୍ଭଵ ?’’
-‘‘ସମ୍ଭଵ । ସେଥିପାଇଁ ଲୋଡ଼ା ସାଧନା ଓ ଶୃଙ୍ଖଳା । ତମେ ଚାହିଁଲେ ସେ ପଦ୍ଧତି ମୁଁ ତୁମକୁ ଶିଖାଇଵାକୁ ପ୍ରସ୍ତୁତ ।’’
ଯଶନାମଧାରୀ ସେ ଯୁଵକ ଶିଷ୍ୟତ୍ୱ ଗ୍ରହଣ କଲେ । ତାଙ୍କ ସନ୍ଧାନରେ ପରଦିନ
ସେଠି ଆସି ପହଞ୍ଚିଲେ ତାଙ୍କ ପିତା- ଜଣେ ଧନୀ ବଣିକ। ସେତେବେଳେ ବୁଦ୍ଧ
ଶିଷ୍ୟମାନଙ୍କୁ କିଛି ବୁଝାଉଥାନ୍ତି । ତାଙ୍କୁ ଲାଗିକରି ବସିଥାନ୍ତି ଯଶ । କିନ୍ତୁ କିମ୍ବଦନ୍ତୀ କହେ, ବଣିକ ନିଜ ପୁତ୍ରକୁ ଦେଖିପାରିଲେ ନାହିଁ । କାରଣ, ବୁଦ୍ଧଙ୍କ ଉପରେ ଆଖି ପଡ଼ିଵାମାତ୍ରେ ସେ ନିର୍ନିମେଷ ଭାଵରେ ତାଙ୍କୁ ହିଁ ଅନାଇରହିଲେ । ବୁଦ୍ଧଙ୍କର ଭାଷଣ ଶେଷ ହୁଅନ୍ତେ ବଣିକ ତାଙ୍କୁ ପ୍ରଣାମ କଲେ, ପରେ ପରେ ତାଙ୍କ ଶିଷ୍ୟତ୍ଵ ଗ୍ରହଣ କଲେ।
କେଇଦିନ ପରେ, ଦିନେ ପାର୍ଶ୍ଵଵର୍ତ୍ତୀ ଜନପଦରୁ ବୁଦ୍ଧ ଉଦ୍ୟାନ ଭିତରକୁ ଲେଉଟି
ଆସୁଛନ୍ତି, ଉଦ୍ୟାନ ଭିତରୁ ଅଣନିଃଶ୍ୱାସୀ ହୋଇ ନିର୍ଗତ ହେଉଥିଵା କେତେଜଣ ତରୁଣଙ୍କ ସହ ସେ ମୁହାଁମୁହିଁ ହୋଇଗଲେ ।
-‘‘କୁଆଡ଼େ ଦୌଡୁଛ ?’’ ବୁଦ୍ଧ ପଚାରିଲେ।
-‘‘ଆମେ ସରୋଵର କୂଳରେ ଭୋଜି କରି ଶୋଇପଡି଼ଥିଲୁ । ଆମକୁ ଆନନ୍ଦ
ଦେଵାପାଇଁ ଜଣେ ନର୍ତ୍ତକୀକୁ ଆଣିଥିଲୁ । ସେ ଆମ ସମ୍ପଦତକ ଧରି ପଳାଇଯାଇଛି ।
ତାକୁ ଧରି ହୃତସମ୍ପଦ ଉଦ୍ଧାର କରିଵାକୁ ଆମେ ଵ୍ୟଗ୍ର ।’’
-‘‘କିନ୍ତୁ ତମ ସମ୍ପଦ ତ ଚୋରି ହୋଇନାହିଁ ???
-‘‘ମାନେ ?’’
-‘‘ମାନେ, ତମ ସମ୍ପଦ ତମଠି ଥିଵାର ମୁଁ ଦେଖିପାରୁଛି ।’’
ତରୁଣମାନେ ନିଜ ନିଜ ଉପରେ ଆଖି ବୁଲାଇ ଆଣିଲେ। ବୁଦ୍ଧ ଥଟ୍ଟା କରୁଛନ୍ତି, ଏକଥା ଭାଵିଵାର ପ୍ରଶ୍ନ ନଥିଲା । ସେମାନେ ଅଵାକ୍ ଢଙ୍ଗରେ ଅନାଇଲେ ।
-‘‘ତୁମ ସମ୍ପଦ ତୁମ ନିଜ ଭିତରେ । ତାକୁ କେହି ଚୋରି କରି ନେଇଯାଇ ପାରେନା । ଶୁଣ, ତୁମ ଆଗରେ ଵର୍ତ୍ତମାନ ଦୁଇଟି ପଥ । ହୁଏତ ତୁମେ ସେ ନର୍ତ୍ତକୀକୁ ଧରିଵା ପାଇଁ ଦୌଡ଼ିଵା; କିମ୍ବା ନିଜ ଭିତରେ ଲୁକ୍କାୟିତ ସମ୍ପଦର ସନ୍ଧାନ ପାଇଁ ମୋତେ ଅନୁସରଣ କରିଵ।’’ ଏତକ କହି ବୁଦ୍ଧ ଉଦ୍ୟାନ ଭିତରେ ତାଙ୍କ ଡେରା ଅଭିମୁଖେ ଚାଲିଵାକୁ ଆରମ୍ଭ କଲେ । ମନ୍ତ୍ରମୁଗ୍ଧ ଭଳି ତରୁଣମାନେ ତାଙ୍କୁ ଅନୁସରଣ କଲେ । ଯେଉଁଠାରେ ବୁଦ୍ଧଦେଵ ତାଙ୍କ ପ୍ରଥମ ଶିଷ୍ୟଵର୍ଗଙ୍କୁ ଉପଦେଶ ଦେଇଥିଲେ,
ପରମ୍ପରା-ଚିହ୍ନିତ ସେହି ସ୍ଥାନରେ ସମ୍ରାଟ ଅଶୋକ ଏକ ଵିରାଟ ସ୍ତୂପ ନିର୍ମାଣ କରିଥିଲେ । ଆଜି ତାକୁ ‘ଧାମେକ୍ ସ୍ତୂପ’ ବୋଲି କୁହାଯାଏ । ସମ୍ଭଵତଃ ‘ଧର୍ମରାଜିକ’ରୁ ଧାମେକ୍। ଅଵଶ୍ୟ ଅଶୋକ ନିର୍ମିତ ସ୍ତୂପର ଅଵଶେଷ ଉପରେ ପରବର୍ତ୍ତୀ (ଏକାଦଶ ଶତାବ୍ଦୀ) କାଳରେ ସ୍ତୂପ ପୁନଃନିର୍ମିତ ହୋଇଛି। ପଞ୍ଚମ ଶତାବ୍ଦୀରେ ଫାହିଆନ୍ ଓ ସପ୍ତମ ଶତାବ୍ଦୀରେ ହୁଏନ୍ସାଂ ସାରନାଥ ଭ୍ରମଣ କରି ଯେଉଁ ଵିଵରଣୀ ରଖାଯାଇଛନ୍ତି, ଆଜିର ଭଗ୍ନାଵଶେଷ ଭିତରେ ସେସବୁ ଚିହ୍ନିବା ଵିଶେଷଜ୍ଞ ଵିନା ଆଉ କାହା ପକ୍ଷରେ ସମ୍ଭଵ ନୁହେଁ । ଵାରମ୍ଵାର ଵିଦେଶୀ ଆକ୍ରମଣକାରୀମାନେ ଏ କ୍ଷେତ୍ର ଧ୍ବଂସ କରିଛନ୍ତି ।
ଦେଶୀ ଲୁଣ୍ଠନକାରୀମାନଙ୍କ ଅଵଦାନ ବି କମ୍ ନୁହେଁ । ବାରାଣସୀର ଜଗତ୍ସିଂହ ନାମକ ଧନିକ ସାରନାଥରୁ ଅମାପ ଶିଳା ନେଇଯାଇ ସାଧାରଣ କୋଠାଘରମାନ ବନାଉଥିଲା । ଜଣେ ଐତିହାସିକ ଲେଖିଛନ୍ତି, ‘‘ଜଗତ୍ସିଂହର କୁକର୍ମକୁ ଅମରତ୍ୱ ପ୍ରଦାନ କରିଵା ନିମନ୍ତେ ସେ ନିର୍ମୂଳ କରିଥିଵା ଗୋଟିଏ ସ୍ତୂପର ଅଵଶେଷକୁ ଜନସାଧାରଣ ‘ଜଗତ୍ସିଂହ ସ୍ତୂପ’ ବୋଲି କହନ୍ତି !’’ ଯେଉଁଠି ବୁଦ୍ଧ ପ୍ରଥମେ ପଞ୍ଚସାଧୁଙ୍କୁ ଭେଟିଥିଲେ, ଯେଉଁଠି ଵର୍ଷାଦିନେ ସେ ଆଶ୍ରୟ ନେଉଥିଲେ, ସେ ସମସ୍ତ ସ୍ଥାନ ଚିହ୍ନିତ ହୋଇଥିଲା ସୁନ୍ଦର ଶିଳ୍ପ-ମଣ୍ଡିତ ସ୍ମାରକୀଗୃହ ଦ୍ଵାରା । ସେସବୁର ଅଦୂରରେ ଥିଲା ଶ୍ରମଣମାନଙ୍କ ପାଇଁ ଵିରାଟ ଆଶ୍ରୟଶାଳା । ସବୁ କାଳକ୍ରମେ ନିଶ୍ଚିହ୍ନ ଅଥଵା ଚିହ୍ନସର୍ଵସ୍ଵ ମାତ୍ର। ଆମ ସାଧାରଣତନ୍ତ୍ରର ପ୍ରତୀକ ସିଂହ-ଚକ୍ର (ଅଶୋକ ଚକ୍ର) ଏଇଠାରେ ପ୍ରତିଷ୍ଠିତ ହୋଇଥିଲା । ସ୍ଥାନୀୟ ଯାଦୁଘରେ ଵିକ୍ଷତ ଅଵସ୍ଥାରେ ତାହା ସୁରକ୍ଷିତ । ଏ ଅପୂର୍ଵ ଭାସ୍କର୍ଯ୍ୟକୁ ଯେ କିଏ, କାହିଁକି ଓ କିପରି ଵିକଳାଙ୍ଗ କଲା, ସେସବୁ ବଡ଼ ବେଦନାଦାୟକ ପ୍ରଶ୍ନ । ବାରାଣସୀରୁ ଯାଉଥିଲି ଦିଲ୍ଲୀ । ମୋ ଡବାରେ ଥିଲେ ଦୁଇଜଣ ୟୁରୋପୀୟ ପର୍ଯ୍ୟଟକ ଓ ସେମାନଙ୍କର ଜଣେ ଭାରତୀୟ ବନ୍ଧୁ। ଭଙ୍ଗା ଇଂରାଜୀରେ ଦୁଇ ୟୁରୋପୀୟ ପ୍ରଶ୍ନ କରୁଥିଲେ, ‘‘ଯେଉଁ ଭାରତରେ ବୌଦ୍ଧବାଦର ଜନ୍ମ ଓ ଵିକାଶ
ସେଠାରୁ ତାହା ଲୁପ୍ତ ହେଲା କିପରି ???
ଅନର୍ଗଳ ଇଂରାଜୀରେ ଭାରତୀୟ ବନ୍ଧୁ ଉତ୍ତର ଦେଉଥିଲେ । ସାରନାଥର ଭଗ୍ନ
ବୌଦ୍ଧକୀର୍ଭି ସବୁ ଦେଖି ମନ ଯେତିକି ଵିଷଣ୍ଣ ଲାଗିଥିଲା, ଭଦ୍ରଲୋକଙ୍କ କୈଫିୟତରେ ତାହା ଦ୍ବିଗୁଣ ହେଲା । ତାଙ୍କ ଵକ୍ତଵ୍ୟର ମର୍ମ; ‘‘ହିନ୍ଦୁମାନେ ବୌଦ୍ଧମାନଙ୍କୁ ଏମିତି କଲବଲ କଲେ ଯେ ସେମାନେ ସେମାନଙ୍କ ଧର୍ମ ଭୁଲିଗଲେ । ବ୍ରାହ୍ମଣମାନେ ବୌଦ୍ଧମାନଙ୍କ ଚୁଟି ଧରି ଝିଙ୍କି ଝିଙ୍କି ଗାଁଗହଳ ସହର ନଗରରୁ ନିକାଲିଦେଲେ- ପିଟିପିଟି ବେଦମ୍ କରି ।’’ ମୋ ଵିରକ୍ତି ଏକ ହସର ଅଭିଵ୍ୟକ୍ତି ନେଲା । ଭଦ୍ରଲୋକ ମନେକଲେ ମୁଁ ତାଙ୍କ ଚିତ୍ରକଳ୍ପ ପ୍ରୟୋଗରେ ଚମତ୍କୃତ । ମୋ ଆଡ଼େ ଅନାଇ ସେ ବି ମଧୁର ଭାବରେ ହସି ସମର୍ଥନ ଆଦାୟ କରିଵା ପାଇଁ କହିଲେ, ‘‘ଠିକ୍ ନୁହେଁ ?’’
ମୁଁ କହିଲି, ‘‘ଆପଣ ଏଡ଼େ ଜୀଵନ୍ତ ଭାବରେ ଆପଣଙ୍କ ଐତିହାସିକ ବ୍ୟାଖ୍ୟା
ପରିଵେଷଣ କରୁଛନ୍ତି, ମୋର ମନେହେଲା ଯେଉଁ ବ୍ରାହ୍ମଣଟି ଜଣେ ବୌଦ୍ଧର ଚୁଟିଧରି
ଭିଡ଼ିନେଇଗଲା ଆପଣ ତାହାରି ଅଵତାର । ଅନ୍ତତଃ ଏକ ପୂର୍ବଜନ୍ମରେ ଆପଣ ସେ
ଦୃଶ୍ୟର ସାକ୍ଷୀ ଥିଲେ ।’’ ସେ ଆପ୍ୟାୟିତ ଭାଵରେ କହିଲେ, ‘‘ମୁଁ ଅଵଶ୍ୟ ଇତିହାସ ଅଧ୍ୟାପକ ନୁହେଁ,ତେବେ ଇତିହାସ ପ୍ରତି ମୋର ଆକର୍ଷଣ ତୀଵ୍ର। ବହୁତ ପଢ଼ିଛି।’’
‘‘ନିଶ୍ଚୟ ପଢ଼ିଛନ୍ତି ।’’ ତା’ପରେ ଟିକିଏ ନିର୍ଭୟ ହୋଇ କହିଲି - ୟୁରୋପୀୟମାନେ ଯେମିତି ଶୁଣିନପାରିବେ ସେମିତି ନିମ୍ନ କଣ୍ଠରେ, ‘‘ତେବେ,ଵିଚରା ବ୍ରାହ୍ମଣମାନେ ବୌଦ୍ଧମାନଙ୍କ ଚୁଟି ଅଣ୍ଡାଳିଵାକୁ ଯାଇ ଵିଷମ ସମସ୍ୟାର ସମ୍ମୁଖୀନ ହୋଇଥିବେ । କାରଣ, ବୌଦ୍ଧମାନେ ମସ୍ତକ ମୁଣ୍ଡନ କରୁଥିଲେ ।’’ଭଦ୍ରଲୋକ ବଡ଼ ଉଦାର । ସେ ଏହାକୁ ଵ୍ୟଙ୍ଗ ଭାବରେ ଗ୍ରହଣ ନକରି ମୋ ସହ କରମର୍ଦ୍ଦନ କଲେ ।
ଅଧଘଣ୍ଟାଏ ପରେ କିନ୍ତୁ ୟୁରୋପୀୟଙ୍କ ଭିତରୁ କମ୍ଵୟସ୍କ ଜଣକ ମୋତେ
ପ୍ରଶ୍ନ କଲେ, ‘‘ମୋର ଧାରଣା ଭାରତରୁ ବୌଦ୍ଧବାଦର ଵିଲୋପ ସମ୍ପର୍କରେ
ଆପଣଙ୍କର କିଛି ମତ ଅଛି। ଆମକୁ କହିଵେ ନାହିଁ ?’’
‘‘ଏ ପ୍ରଶ୍ନ ଉପରେ ଵାସ୍ତବିକ ମୁଁ ଚର୍ଚ୍ଚା କରିନାହିଁ । ମୋର ଯାହା ମନେହୁଏ
ବୌଦ୍ଧଧର୍ମ ଭାରତରୁ ଲୁପ୍ତ ହୋଇନାହିଁ। ଯାହାକୁ ହିନ୍ଦୁଧର୍ମ ବୋଲି କୁହାଯାଏ,
ବୌଦ୍ଧଧର୍ମ ତାହାର ଅଙ୍ଗୀଭୂତ ହୋଇଗଲା । ହିନ୍ଦୁଧର୍ମର ଵ୍ୟାପକ ପରିସର ଭିତରେ ବହୁ ମତ, ବହୁ ପଥର ଅଵସ୍ଥାନ-ସହାଵସ୍ଥାନ ଘଟିଛି। ନିର୍ଵାଣ ମାର୍ଗ ହିନ୍ଦୁଧର୍ମର ଅନ୍ୟତମ ଧାରା । ଯେତେବେଳେ ଶଙ୍କରାଚାର୍ଯ୍ୟ ଅନୁରୂପ ଆଭିମୁଖ୍ୟର ପ୍ରସାର କଲେ, ସେତେବେଳେ ବୌଦ୍ଧଵାଦର ସ୍ଵାତନ୍ତ୍ର୍ୟ ବହୁ ପରିମାଣରେ ହ୍ରାସ ହେଲା ।
ହିନ୍ଦୁମାନେ ବୁଦ୍ଧଙ୍କୁ ଵିଷ୍ଣୁଙ୍କର ଅଵତାର ରୂପେ ମାନ୍ୟକରି ବୌଦ୍ଧଦର୍ଶନକୁ ସ୍ବୀକୃତି
ଦେଲେ। ଏସବୁ ଐତିହାସିକ କାରଣ। ତା’ଛଡ଼ା ଗୂଢ଼ କାରଣ ମଧ୍ୟ ରହିଛି ।’’
ହେଲା ।
-‘‘ତାହା କ’ଣ ?’’ ଦୁଇ ପର୍ଯ୍ୟଟକ ମୋର ଶେଷ ମନ୍ତଵ୍ୟକୁ ଏମିତି ସଂକ୍ଷିପ୍ତ
ରହିଵାକୁ ଦେଲେ ନାହିଁ !
-‘‘ସେ କାରଣ ଅତି ମହତ୍ । କର୍ମଜନିତ ଦୁଃଖ, ଜୀଵନ-ଯନ୍ତ୍ରଣା । ଏଥିରୁ ମୁକ୍ତି ଲୋଡ଼ି ନିର୍ଵାଣ ପାଇଁ ଵ୍ୟାକୁଳତା–ଏସବୁର ସତ୍ୟତା ଅଵିସମ୍ବାଦିତ । କିନ୍ତୁ ସମଗ୍ର ସତ୍ୟ ଏହା ନୁହେଁ । ସୃଷ୍ଟି ଯେତେ ଅସତ୍ୟ ମନେହେଲେ ବି ଏହାର ଆଧାର ସତ୍ୟ । ଜୀଵନ ଯେତେ ଯନ୍ତ୍ରଣାଜର୍ଜର ହେଲେ ବି ତା’ର ଆଧାର ଆନନ୍ଦ । ଏହି ପୂର୍ଣ୍ଣ ସତ୍ୟ ଉପରେ ଵୈଦିକ ପରମ୍ପରା ପ୍ରତିଷ୍ଠିତ। ସେ ସତ୍ୟ ଵାରମ୍ବାର ଆମ ଚେତନାକୁ ପ୍ରତ୍ୟାଵର୍ତ୍ତନ କରିଵ ହିଁ କରିଵ ।’’ ଭାରତୀୟ ସହଚର ବୁଝିଲେ କି ନାହିଁ ଜାଣେନା; ଵିଦେଶୀ ଦୁଇଜଣ ବୁଝିଵା
ଭଳି ମନେହେଲା ।
ଭାରତରୁ ବୌଦ୍ଧ ଧର୍ମର ଵିଲୁପ୍ତ କିପରି ହେଲା ବୋଲି ଯେତେ ପ୍ରଶ୍ନ ହୁଏ,
ବୌଦ୍ଧବାଦୀ ବୋଲାଉଥିଵା ଦେଶମାନଙ୍କରେ ବୁଦ୍ଧଦେଵଙ୍କ ଵାଣୀ କେଉଁ ଭାଵରେ ଵା କେତେମାତ୍ରାରେ ଅନୁସୃତ, ସେ ପ୍ରଶ୍ନ ସେତେ ଶୁଣିଵାକୁ ମିଳେ ନାହିଁ । ବୌଦ୍ଧ ଦେଶ ଥାଇଲାଣ୍ଡ୍ର ରାଜଧାନୀ ବ୍ୟାଙ୍କକ୍ର ପୁରୁଣା ରାଜପ୍ରାସାଦ ପରିସ ରଭିତରେ ଅଵସ୍ଥିତ ପୃଥିଵୀର ସବୁଠୁଁ ମୂଲ୍ୟଵାନ୍, ଵୈଦୂର୍ଯ୍ୟ-ନିର୍ମିତ- ବୁଦ୍ଧମୂର୍ତ୍ତି-ବହୁପୂଜିତ, ବହୁଵିଖ୍ୟାତ । ସେ ପ୍ରତିମା ଆଗରେ ଭକ୍ତମାନେ ପରଷିଥିଵା ପୂଜାର୍ଘ୍ୟ ଭିତରେ ଯାହା ଦେଖିଲି, ତାହା ଵାସ୍ତଵ ବୋଲି ଵିଶ୍ଵାସ କରିଵାକୁ ସମୟ ଲାଗିଥିଲା : କୁକୁଡା ଓ ଆଉ ଗୋଟିଏ ଯୋଡ଼ିଏ ବଳି !
ସାରନାଥଠାରେ ବି ଲକ୍ଷ୍ୟ କରିଥିଲି ଆଉ ଏକ ଵିଡ଼ମ୍ବନା : ଯେଉଁ ବୁଦ୍ଧ ଜୀଵନର ନଶ୍ବରତା ଓ ଖ୍ୟାତିର ଅସାରତା ଉପରେ ଏତେ ତତ୍ତ୍ଵ ପରିଵେଷଣ କଲେ, ସେହି ବୁଦ୍ଧଙ୍କ ଦେହାବଶେଷ-ସମ୍ବଳିତ ମନ୍ଦିର (ମହାବୋଧି ସମିତି) ନିର୍ମାଣ ପାଇଁ କିଏ କେତେ ଟଙ୍କା ଦେଇଛି, ଆଖିକୁ କର୍କଶ ଦିଶୁଥିଵା ସେ ତାଲିକା ଶଙ୍ଖ ମଲମଲ
ପଥରରେ ଖୋଦାଇ ହୋଇ ମନ୍ଦିରର ଦ୍ବାରଦେଶରେ ଆପଣଙ୍କ ସମ୍ଭ୍ରମ ଉଦ୍ରେକ କରିଵା ମାନସରେ ପ୍ରଦର୍ଶିତ !
(ଏହି ପ୍ରସଙ୍ଗଟି ଶ୍ରୀମନୋଜ ଦାସଙ୍କ ଲିଖିତ ‘ଅନ୍ତରଙ୍ଗ ଭାରତ’ର ଦ୍ୱିତୀୟ ପର୍ଯ୍ୟାୟରୁ
ଆନୀତ । ଏଥିରେ ଗୌତମ ବୁଦ୍ଧଙ୍କର ଲୋକ ପ୍ରସିଦ୍ଧି, ବୌଦ୍ଧପୀଠ ଗୁଡ଼ିକର
ଐତିହାସିକ ଖ୍ୟାତି ଓ ତତ୍ସମ୍ପର୍କିତ ପରିଦୃଷ୍ଟ ସାଧାରଣ ଦୃଷ୍ଟିଭଙ୍ଗୀ ଆଦିର ଵର୍ଣ୍ଣନା କରାଯାଇଛି । ପୂର୍ଵେ ଏହା ଉଚ୍ଚ ବିଦ୍ୟାଳୟର[ଦଶମ ଶ୍ରେଣୀ-୨୦୦୧ରୁ ୨୦୦୬]ଓଡ଼ିଆ ସାହିତ୍ୟ ପାଠ୍ୟକ୍ରମରେ ପଢ଼ାଯାଉଥିଲା)
No comments:
Post a Comment