My Blog List

Showing posts with label ପରମ୍ପରା. Show all posts
Showing posts with label ପରମ୍ପରା. Show all posts

Sunday, April 30, 2023

•ଗୋଵର ଓ ତତ୍ ସମ୍ବନ୍ଧୀୟ ଶବ୍ଦ ସମ୍ଭାର•





ଆଜିକାଲି ଆଉ ଅଧିକାଂଶତଃ ଗୋଵର ଦ୍ଵାରା ଘର ଲିପା ହେଉନାହିଁ କାରଣ ଚାରିଆଡ଼େ ଏବେ କୋଠାଘର ହୋଇଗଲାଣି ତେବେ ଗ୍ରାମାଞ୍ଚଳରେ ଵିଶେଷ ପୂଜା ପର୍ଵ ପାର୍ଵଣ ପୂର୍ଵରୁ କାଁ ଭାଁ କେହି କେହି ଗୋଵର ଦ୍ଵାରା ଘର ଲିପୁଛନ୍ତି । ଆଗକାଳରେ ଗୋଵରରେ ଲିପାପୋଛାକୁ ନେଇ ଆମ ଭାଷାରେ ଅନେକ ଶବ୍ଦ ଚଳୁଥିଲା ହେଲେ ଏହି ପରମ୍ପରା ଧିରେ ଧିରେ ସମାଜରୁ ଅପସରି ଯାଉଥିଵାରୁ ସେ ଶବ୍ଦ ସବୁ ମଧ୍ୟ ଲୋପ ପାଇଯାଉଛି ।

କୌଣସି ଅପରିଷ୍କୃତ ସ୍ଥାନକୁ ଗୋଵର ଲଗାଇ ଲିପିଵାକୁ ଗୋଵର ଲଗାଇଵା କୁହାଯାଉଥିଲା ପୁଣି ଲକ୍ଷଣାର୍ଥ ଏ ଶବ୍ଦ କୌଣସି କାର୍ଯ୍ୟରେ ଭୁଲଭଟକା ରଖିଵା ଵା ତନ୍ତରମାଧିଆ କରି କାର୍ଯ୍ୟ କରିଵା ଅର୍ଥରେ ବି ଵ୍ଯଵହୃତ ହେଉଥିଲା । 

ଦୈନିକ କାର୍ଯ୍ୟ ସ୍ୱରୂପ ଵିଶେଷତଃ ପର୍ଵପର୍ଵାଣିରେ ଘରର ଦୁଆରମୁହଁ ପାଖ ଗୋଵରମିଶା ପାଣିରେ ଲିପିଵାକୁ କଟକାଞ୍ଚଳରେ ଚଉକା ଦେଵା କୁହାଯାଉଥିଲା । କେତେକ ଅଞ୍ଚଳରେ ପାକ ପୂର୍ଵରୁ ଚୂଲିର ଚାରିପାଖ ଗୋଵରରେ ଲିପି ପରିଷ୍କାର ଓ ପରିଶୁଦ୍ଧ କରିଵାକୁ ମଧ୍ୟ ଲୋକେ ଚଉକା ଦେଵା କହୁଥିଲେ ।‌ ଉତ୍ତର ଓଡ଼ିଶାରେ ଗୋଵରରେ ଘର ଲିପିଵାକୁ ଛଁଚ୍ କୁହାଯାଉଥିଲା ।‌ ଉପକୂଳଵର୍ତ୍ତୀ ଓଡ଼ିଶାରେ ମାଟିଘରର ତଳରେ ମାଟିଗୋଵରପାଣି ଅଳ୍ପ ଅଳ୍ପ ଛିଞ୍ଚି କନାରେ ଲିପିଵାକୁ ଛିଞ୍ଚ ଦେଵା କୁହାଯାଉଥିଲା। ଏ ଶବ୍ଦ କେତେକ ଅଞ୍ଚଳରେ ଛୁଞ୍ଚ ଓ ଛୁଞ୍ଚ ଦେଵା ରୂପେ ବି ଚଳୁଥିଲା । ଵିଶେଷତଃ ସକାଳୁ ଗୋଵରପାଣିରେ ଅଗଣା ଆଦି ଲିପିଵାକୁ ଛୁଞ୍ଚ ଦେଵା କୁହାଯାଉଥିଲା । ସେହିପରି ଘର ଲିପିଵାର କନାକୁ ଆଗେ ଲୋକେ ମାଟି ଗୋଵରକନା, ଛିଞ୍ଚକନା ଓ ଛୁଞ୍ଚିକନା କହୁଥିଲେ ।‌ ପ୍ରତ୍ୟହ ସକାଳେ ଘର ଓ ଅଗଣାଆଦି ଲିପିଵାରେ ଵ୍ୟଵହୃତ ଗୋଵରପାଣିକୁ ଛୁଞ୍ଚପାଣି ଓ ନିତି ସକାଳେ ଘରଦ୍ୱାର ଲିପିଵା ପାଇଁ ଯେଉଁ ହାଣ୍ଡିରେ ମାଟିଗୋଵର ମିଶା ପାଣି ରଖାଯାଉଥିଲା ତାକୁ ଛୁଞ୍ଚହାଣ୍ଡି କହୁଥିଲେ ।‌

ମଧ୍ୟ ଗଡ଼ଜାତରେ ଲୋକେ ଗୋଵରରେ ଘର ଲିପିଵାକୁ ନିକା କହୁଥିଲେ ଏଵଂ ଆଜି ବି ଘର ଲିପିଵା , ସଜାଡି଼ଵା ଓ ବାଛିଵା ଅର୍ଥରେ ନିକେଇଵା ଶବ୍ଦ ଵ୍ୟଵହାର ହୋଇଥାଏ । 

ବାଲେଶ୍ଵରରେ ଆଗକାଳରେ ଲୋକମାନେ ଗୋଵର ଓ ପାଣିରେ ଘର ପୋଛିଵାକୁ ବୁରି ଦେଵା କହୁଥିଲେ । 

ଆଉ କେତେକ ଅଞ୍ଚଳରେ ଘରର ତଳକୁ ଓ କାନ୍ଥକୁ ଗୋଵର ଗୋଳା ପାଣିରେ ବୁଡ଼ା ହୋଇଥିଵା କନାପୁଡ଼ାରେ ଲିପିଵାକୁ ଲୁଣ୍ଡାଇଵା କୁହାଯାଉଥିଲା ।‌ଘର ଲିପିଵା ପାଇଁ ଵ୍ୟଵହୃତ ମାଟିଗୋଵରର ଏହି ଲୁଣ୍ଡାକୁ ସମ୍ବଲପୁରରେ ସର୍କା କହୁଥିଲେ । 

କୌଣସି ଫାଟକୁ ଗୋବର ବୋଳି ବନ୍ଦ କରିଵାକୁ ଗୋଵର ଲେସିଵା ଓ ଗୋଵର ଲଗାଇଵା କୁହାଯାଉଥିଲା । 
ପ୍ରତିଦିନ ସକାଳେ ଓଡ଼ିଶାର ସ୍ତ୍ରୀଲୋକମାନେ ଗାଈଗୁହାଳକୁ ପୋଛି ପରିଷ୍କାର କରୁଥିଲେ ଏଵଂ 
ଯେଉଁ ଟୋକେଇରେ ଗୁହାଳର ଗୋଵର ଓ ଅଳିଆ ପୂରାଇ ଵାହାରକୁ ଅର୍ଥାତ୍ ଖତଗଦା,ଗୋଵରଖାତ,ଗୋଵରଗଦା,ଗୋଵରଗାଡ଼ ଵା ଖତକୁଡ଼କୁ ନିଆଯାଉଥିଲା ତାକୁ ଗାଣ୍ଡୁଆ ଓ ଗୋଵରପୋଛା କହୁଥିଲେ । ଗୋଵର ପାଣିରେ ଲିପାପୋଛାକୁ ଅଧିକାଂଶ ଅଞ୍ଚଳରେ ଲିପିଵା ପୋଛିଵା କୁହାଯାଉଥିଲା ଯାହା ଆଜି ବି ଚଳୁଅଛି । 

କେଵଳ ଗାଈ ଗୋଵରରେ ଘର ଲିପା ଯାଉଥିଲା ଏଵଂ ଷଣ୍ଢ ଗୋଵର ଦ୍ୱାରା ଯଜ୍ଞ ଭୂମିଆଦି ଲିପିଵା ନିଷିଦ୍ଧ ଥିଵାରୁ “ଅଵ୍ୟଵହାର୍ଯ୍ୟ ପଦାର୍ଥ” ଅର୍ଥରେ ଲକ୍ଷଣାର୍ଥ "ଷଣ୍ଢଗୋଵର" ଶବ୍ଦ ବି ଵିଶେଷ ଵ୍ୟଵହାର ହେଉଥିଲା ।‌

ପ୍ରତିଦିନ ସକାଳେ ଗୃହର ଯେଉଁ ଯେଉଁ ଆଵଶ୍ୟକୀୟ କର୍ମ ଯଥା 
ଅଗଣାରେ ଗୋବର ପାଣି ଛିଞ୍ଚିଵା, ଘରଲିପିଵା, ଗତ କାଲିର ଅଇଁଠା ବାସନ ମାଜିଵା, ଦାଣ୍ଡ, ବାଡ଼ିଆଡ଼ ଓ ଅଗଣା ଓଳାଇଵା ଇତ୍ୟାଦି କରାଯାଉଥିଲା ତାକୁ ଓଡ଼ିଶାର ଲୋକେ 'ବାସୀ ଆଡ଼ତି' କହୁଥିଲେ । ରାନ୍ଧିବା ପୂର୍ଵରୁ ଚୁଲୀର ଚାରିପାଖ ଗୋଵରପାଣିରେ ଲିପି ପରିଷ୍କାର କରିଵାକୁ ଓଡ଼ିଆ ଲୋକେ ଚୂଲି ଚଉକା ଦେଵା କହୁଥିଲେ ।‌

ଆଜିକାଲି ତ ଅନେକ ସ୍ଥାନରେ ସିମେଣ୍ଟ ତିଆରି ଚଉରା କରାଯାଉଛି ତେବେ ଯୁଗ ଥିଲା ଉତ୍କଳର ସନାତନୀ ମହିଳାମାନେ ପ୍ରତିଦିନ ସ୍ନାନ କରି ଚଉରାରେ ପାଣି ଦେଉଥିଲେ ଆଉ କୁଳଵଧୂମାନେ ପ୍ରତିଦିନ ଏଵଂ ଵିଶେଷତଃ ଗୁରୁବାର, ଏକାଦଶୀ ଓ କାର୍ତ୍ତିକମାସରେ ସକାଳୁ ଉଠି ଗୋଵରପାଣିରେ ଚଉରାମୂଳକୁ ଲିପୁଥିଲେ । 


ଆଗକାଳରେ ଏମନ୍ତକି ନବେ ଦଶକ ପର୍ଯ୍ଯନ୍ତ ଓଡ଼ିଶାର ଅଧିକାଂଶ ଗ୍ରାମାଞ୍ଚଳରେ ସକାଳୁଁ ସ୍ତ୍ରୀଲୋକମାନେ ଅଗଣା ଓଳାଇ ଗୋଵରପାଣି ଛିଞ୍ଚୁଥିଲେ ଏଵଂ ତାକୁ ଛରା ଦେଵା ଓ ଛେରା ଦେଵା କହୁଥିଲେ ।‌ ଏହି ପ୍ରକିୟାକୁ ଛରା ଓ ଛେରା ମଧ୍ୟ କୁହାଯାଉଥିଲା ।‌ ସମ୍ବଲପୁର ଅଞ୍ଚଳରେ ଏହି ପରମ୍ପରାକୁ ଝୁଣ୍ଟି ଏଵଂ ସକାଳୁ ଦୁଆରେ ଗୋଵର ପାଣି ଛିଞ୍ଚିଵାକୁ ଝୁଣ୍ଟିଵା କହୁଥିଲେ । 

ଗୋଵର ମିଶା ପାଣି ଦ୍ଵାରା ଦାଣ୍ଡ ଆଗରେ ଠ ଆକାରର ଏକ ଗୋଲାଇ କରି ତହିଁରେ ଦେଵୀ ଦେଵତାଙ୍କୁ ପଣା ଦିଆଯାଉଥିଲା । ଆଜିକାଲି କେହି କେହି ଏହା ପରିଵର୍ତ୍ତେ ରଙ୍ଗ ମୁରୁଜ କରୁଛନ୍ତି । 

ଗୋଵର ଲିପାପୋଛା କରିଵାରେ ସର୍ଵାଧିକ ଯୋଗଦାନ ମହିଳାମାନଙ୍କର ଥିଲା ତେଣୁ ଯେଉଁ ସ୍ତ୍ରୀ ଅତିରିକ୍ତ ଭାବରେ ଆଚାର ନିଷ୍ଠା ପାଳନ କରୁଥିଲା ତାକୁ ଥଟ୍ଟା କରିଵାକୁ ଢଗ ପ୍ରଚଳିତ ହୋଇଥିଲା 

“ନିୟାମୀ ନାନୀ,ଦିହରେ ମାରୁଛି ଗୋଵର ପାଣି"

ଆଗକାଳରେ ଗୋଵର ପାଣିକୁ ଲିପିଵା ଛଡ଼ା ଅନ୍ୟ କାର୍ଯ୍ୟରେ ବି ଲଗାଯାଉଥିଲା ।‌ ଖଜୁରିପିଞ୍ଛକୁ ଗୋଵର ପାଣିରେ ବୁଡ଼ାଇ ତଦ୍ଦ୍ୱାରା ଧାନ ଗଛରେ ଗୋଵର ପାଣି ଛଟାଯାଉଥିଲା ଫଳତଃ ଗୋଵର ଧାନ ଗଛରେ ବୋଳି ହୋଇଯାଉଥିଲା ଏଵଂ ଗୋବର ଗନ୍ଧରେ ଗୋରୁ ଉକ୍ତ ଧାନ ଗଛକୁ ଖାଉନଥିଲେ । ଏହି ପ୍ରକ୍ରିୟାକୁ ପିଛଦେଵା ଓ ପିଞ୍ଛ ମାରିଵା ମଧ୍ୟ କୁହାଯାଉଥିଲା।

ଗୋବର ଓଦା ଥିଵା ଅବସ୍ଥାରେ ତାକୁ ଚକଟି ହାତରେ ପିଠା ପରି ବଳି ତାହା ଖରାରେ ଶୁଖିବା ପାଇଁ ଭୂମିରେ ବା କାନ୍ଥରେ ଥାପିଵାକୁ ଘଷିପାଡି଼ଵା ଵା ଘଷିପାରିଵା କୁହାଯାଉଥିଲା ଏଵଂ ଏହି କାର୍ଯ୍ୟ କରୁଥିଵା ଵ୍ୟକ୍ତିଙ୍କୁ ଘଷି ପରାଳି କହୁଥିଲେ । କରତଳ ଦ୍ୱାରା ଚାପି ଗୋଵରକୁ ଚକ୍ରାକାର କରି ଭୂମିରେ ଵା କାନ୍ଥରେ ଘସି ପାରିଵାକୁ ଚାପଡ଼ାଇଵା କୁହାଯାଉଥିଲା । କେତେକ ଅଞ୍ଚଳରେ ଘଷି କରିଵା ପାଇଁ ଗୋଵରକୁ ପିଠା ପରି ଭୂମିରେ ବସାଇଵାକୁ ତାରିଵା,ଥାପିଵା ବି କହୁଥିଲେ । 

ଯାଜପୁରରେ ଗାଈ ଵା ବଳଦ ଵିକ୍ରି କରିଵା ବେଳେ, ଵିକ୍ରେତା କ୍ରେତାକୁ ଟିକିଏ ମାଟିଗୋଵର ଓ କେରାଏ ଦୁବ ଘାସ ଦେଉଥିଲା ତାକୁ ଛୁତ ଦେଵା କୁହାଯାଉଥିଲା। 

ରସାୟନିକ ସାର ଵ୍ୟଵହାର ପୂର୍ଵରୁ ଗୋଵର ଥିଲା କୃଷିକ୍ଷେତ୍ରର ମୁଖ୍ୟ ଜୈଵିକ ଖତ । ଗୋଵରକୁ କିଏ ଖରସୀ କିଏ ଖତ ତ ଆଉ କିଏ ଗୁଵର କହୁଥିଲେ । ଭିନ୍ନ ଭିନ୍ନ ଅଞ୍ଚଳରେ ଏହାର ନାନା ନାମ ପ୍ରଚଳିତ ଥିଲା । କୃଷିକ୍ଷେତ୍ରକୁ ଖତଗଦାରୁ ଶଗଡ଼ରେ ଡୋଲି ଯୋଗେ ଗାଡ଼ି ଗାଡ଼ି ଗୋଵର ପକାଯାଉଥିଲା । ଗୋରୁ ମଇଁଷିଙ୍କ ଗୋଵର ଓ ମୂତକୁ ବିଲରେ ସାରରୂପେ ସମ୍ପାଦିଵା ଉଦ୍ଦେଶ୍ୟରେ ଗୋରୁ ଵା ମଇଁଷି ପଲଙ୍କୁ ନେଇ କ୍ଷେତ୍ରସ୍ୱାମୀଙ୍କ ବିଲରେ ରାତିରେ ଗଉଡ଼ ପକାଇଵା ପ୍ରକ୍ରିୟା ମଧ୍ୟ ହେଉଥିଲା ଯାହାକୁ ଆଗକାଳର ଲୋକେ ମଳେଇ କହୁଥିଲେ । 

କିନ୍ତୁ ନବେ ଦଶକ ପରେ ସବୁକିଛି ବଦଳି ଗଲା । ଆଧୁନିକ ଭାରତୀୟଙ୍କ ଘରେ ଘରେ ଟିଵି ଓ ପରେ ମୋଵାଇଲ ଆସିଗଲା । ସରକାରୀ ସାହାଯ୍ୟରୁ ଆଵାସ ଯୋଜନା ଦ୍ଵାରା ପକ୍କାଘର ମିଳିଲା କେହି କେହି ନିଜ ଉଦ୍ୟମରେ କୋଟାଘର କଲେ । ଲୋକେ କ୍ରମଶଃ ପଶ୍ଚିମ ସଭ୍ୟତା ଦ୍ଵାରା ପ୍ରଭାଵିତ ହେଲେ ଏଵଂ ବିଲରେ କାର୍ଯ୍ୟ କରିଵା ତଥା ଗୋପାଳନ ପ୍ରତି ଵିମୁଖ ହେଲେ । ମୁଖ୍ୟତଃ ପଶୁ ଖାଦ୍ୟ ଯୋଗାଡ଼ ନକରିପାରିଵାରୁ ନବେ ଦଶକ ପରେ ଧିରେ ଧିରେ ଗୋପାଳନ କମି କମି ଗଲା । ଇତି ମଧ୍ୟରେ ଗ୍ରାମାଞ୍ଚଳରେ ଟ୍ରାକ୍ଟର୍,ଧାନ କଟା ଯନ୍ତ୍ର ଓ ବେଙ୍ଗଳା ଯନ୍ତ୍ର ଇତ୍ୟାଦି ବହୁପ୍ରଚଳିତ ହୋଇଗଲା ଆଉ ସର୍ଵ ଶେଷରେ ରସାୟନିକ ସାର ତଥା କୀଟନାଶକର ବହୁଳ ଵ୍ୟଵହାର ଯୋଗୁଁ ଗାଈ,ବଳଦ ଆଉ ଗୋଵରର ଆଵଶ୍ୟକତା ରହିଲା ନାହିଁ ‌। 
ଗୋଵର ଦ୍ଵାରା ଲିପିଵା ଓ ଗୋଵରର ଅନ୍ୟାନ୍ୟ ଜଣାଶୁଣା ଵ୍ୟଵହାର ଆଜି ବହୁତ କମି ଯାଇଛି । ନୂଆ ଭୁଆସୁଣୀମାନେ ଆଉ ଗୁହାଳ ପୋଛୁନାହାନ୍ତି,ଗୋଵର ଲିପୁନାହାନ୍ତି କି କୃଷକମାନେ ଖଜୁରିପିଞ୍ଚରେ ଗୋଵର ପାଣି ଛିଞ୍ଚି ନିଜ ଧାନଗଛକୁ ସୁରକ୍ଷିତ କରୁନାହାନ୍ତି । କୃଷିକ୍ଷେତ୍ରରେ ଆଗ ଭଳି ଜୈଵିକ ଗୋଵର ଵା ଖତ ପକାଇ ତାକୁ ଉର୍ଵର କରାଯାଉନାହିଁ । 

ହଁ ପରମ୍ପରା ନାମରେ କୋଉଠି କେମିତି କେହି କେହି ମଧ୍ୟ ଵୟସ୍କା ଓ ଵୟସ୍କା ମହିଳାମାନେ ଗୋଵରରେ ଲିପାପୋଛା କରି ଦିଅନ୍ତି । ଆଉ କ'ଣ ଗୋଵରର ଦିନକାଳ ଫେରିଵ ନା ଗୋଵର ସମ୍ବନ୍ଧୀୟ ଏସବୁ ଓଡ଼ିଆ ଶବ୍ଦ ସମ୍ଭାର ଆଉ ବଞ୍ଚି ରହିପାରିଵ ?

Friday, April 7, 2023

ଗଦବାମାନଙ୍କର କୃଷିଭିତ୍ତିକ ଘୋଟନା(ଘଟ୍‌ନା) ପର୍ଵ ଓ ଗଞ୍ଜାମର ଦଣ୍ଡନାଚରେ ଏହାର ସ୍ବରୂପ

ଦଣ୍ଡନାଚରେ ଵିଶେଷତଃ ଗଞ୍ଜାମର ଦଣ୍ଡନାଚରେ ଜନଜାତୀୟ ସଂସ୍କୃତିର ଵିଶେଷ ପ୍ରଭାଵ ପଡ଼ିଛି । ଗଞ୍ଜାମର ଦଣ୍ଡନାଚରେ ଜନଜାତୀୟ ସଂସ୍କୃତି ସହିତ ଜଡ଼ିତ ଘୋଟଣା ନାଚ ଓ ଗୀତ ପରିଵେଷଣ କରାଯାଏ ‌ । ଅନ୍ୟ ଅଞ୍ଚଳର ଦଣ୍ଡନାଚରେ ଏଭଳି ପରମ୍ପରା ପ୍ରଚଳିତ ଥିଵା ଜଣାଯାଏ ନାହିଁ । 

ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଘୋଟଣା ଶବ୍ଦର ଅର୍ଥ ଓ ଵ୍ୟଵହାର ଭିନ୍ନ ଭିନ୍ନ ହୋଇଥାଏ । ଯେଉଁ ଦଣ୍ଡରେ ଘୋଟିଵା କାର୍ଯ୍ୟ ହୁଏ ତାକୁ ପୂର୍ଵାଞ୍ଚଳରେ ଘୋଟଣା କୁହାଯାଏ । ଓଡ଼ିଶାର କେତେକ ଉପକୂଳଵର୍ତ୍ତୀ ଅଞ୍ଚଳରେ ପଥର ଚକିକୁ ଲୋକେ ଘୋଟଣା କହିଥାନ୍ତି ।‌ କେତେକ ଅଞ୍ଚଳରେ ଶିଳ ଆଦି ବାଟଣା ୟନ୍ତ୍ରକୁ ଘୋଟଣା କୁହାଯାଏ । ଭାଙ୍ଗ ବଟା ଯାଉଥିଵା ଶିଳକୁ କିଛି ଅଞ୍ଚଳରେ ଘୋଟଣା କୁହାଯାଏ । କିନ୍ତୁ ଓଡ଼ିଶାର ଦକ୍ଷିଣାଞ୍ଚଳରେ ଘୋଟଣା ଶବ୍ଦର ଅର୍ଥ ଭିନ୍ନ ଅଟେ । ଏ ଅଞ୍ଚଳରେ ଆଗେ “ବିଲକୁ ସ୍ତ୍ରୀଲୋକମାନେ ଘରୁ ଖାଦ୍ୟ ନେଇଯିଵା” ପ୍ରଥାକୁ ଘୋଟଣା କୁହାଯାଉଥିଲା ‌ । କଥିତ ଓଡ଼ିଆ ଶବ୍ଦକୋଷରେ ମଧ୍ୟ ଘୋଟଣା ଶବ୍ଦର ଅର୍ଥ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଲକୁ ନିଆଯିଵା ଭାତ ବୋଲି ଉଲ୍ଲେଖ ରହିଛି । 


ଓଡ଼ିଆ ଘୋଟିଵା କ୍ରିୟାରୁ ଘୋଟଣା ଶବ୍ଦ ସୃଷ୍ଟି ହୋଇଛି । ବାଟିଵା,ଘାଣ୍ଟିଵା,ବେଢି଼ଵା,
ଘେରିଵା,ଘୋଡ଼ାଇଵା,ଢାଙ୍କିଵା,ଆଚ୍ଛାଦିଵା,ଵ୍ୟାପିଵା,ଆକ୍ରମଣ କରିଵା, ଆକ୍ରାନ୍ତ କରିଵା ଆଦି ଅର୍ଥରେ ଓଡ଼ିଆ ଭାଷାରେ ଘୋଟିଵା କ୍ରିୟା ଵ୍ୟଵହୃତ ହୋଇଥାଏ । ଘୋଟିଵା କ୍ରିୟାରୁ ଆଚ୍ଛାଦିଵା,ଘୋଡ଼ାଇଵା ଅର୍ଥ ଘେନି ଘୋଟଣା ଶବ୍ଦ ସୃଷ୍ଟି ହୋଇଛି । ପ୍ରକୃତରେ ବିଲକୁ ଖାଦ୍ୟ ନେଇ ଗଲାବେଳେ ଏହା ଉପରେ କାହାର କୁଦୃଷ୍ଟି ନପଡ଼ୁ ସେଥିପାଇଁ ମହିଳାମାନେ ତାକୁ ଯତ୍ନରେ ଘୋଡ଼ାଇ ନେଇଥାନ୍ତି । ସେଥିପାଇଁ ଏହାର ନାମକରଣ ଘୋଟଣା କରାଯାଇଛି । ଗଞ୍ଜାମରେ ଘୋଟଣା ଶବ୍ଦ ଏକ ବହୁପ୍ରଚଳିତ ଶବ୍ଦ ଥିଲା ତେଣୁ ସାହିତ୍ୟରେ ମଧ୍ୟ ଏ ଶବ୍ଦ ପ୍ରୟୋଗ କରାଯାଇଛି। 

“କେଉଁଠାରେ ପୁଣି କନ୍ଧ ବାମାଗଣ,
ହୋଇଥାନ୍ତି ଠିଆ ଘୋଟଣା ଘେନିଣ।”
(ତାରିଣୀଚରଣ. ଋଷିକୁଲ୍ୟା।)

ଗଞ୍ଜାମଵାସୀ ଆଜି ବି ଧୂଳିଦଣ୍ଡ ସମୟରେ ଘୋଟଣା ନାଚ ଓ ଘୋଟଣା ଗୀତ ଗାଇଥାନ୍ତି ‌। ଗଞ୍ଜାମ ଜିଲ୍ଲାରେ ଧୂଳିଦଣ୍ଡ ସମୟରେ ଦେଵୀ ମାଆଙ୍କ ଭୂମି ଚାଷ କରିଵା ଵିଧି ସବୁ ଅଭିନୀତ ହୋଇଥାଏ ଏଵଂ ତନ୍ମଧ୍ୟରେ “ଚଷା ପାଇଁ ବିଲକୁ ଘୋଟଣା ନେଇ ଯିଵା”, ମନ୍ଦିର ନିର୍ମାଣ କରିଵା, ହଳ ଚଳାଇଵା, ଲୁଗା ବୁଣିଵା, ହଳଦୀ ବାଟିଵା, କୂଅ ଖୋଳିଵା ଓ ଶସ୍ୟ ଅମଳ କରିଵା ଇତ୍ୟାଦି ଦୃଶ୍ୟକୁ ଟାହିଟାପରା ଦ୍ବାରା ପରିଵେଷଣ କରାହୁଏ ଯାହା ଦେଖିଵାକୁ ଆମୋଦକର ହୋଇଥାଏ । ଢେଙ୍କାନାଳ ଆଦି ଓଡ଼ିଶାର ଅନ୍ୟ ଅଞ୍ଚଳର ଧୂଳିଦଣ୍ଡରେ ଦେଵୀଙ୍କର ଚାଷାଵାସ ଵିଷୟରେ ଵର୍ଣ୍ଣନା ଥିଲେ ବି ତହିଁରେ ଘୋଟଣା ନୃତ୍ୟ ଓ ଗୀତ ନଥାଏ । ଏହା ଗଞ୍ଜାମ ଜିଲ୍ଲାର ଦଣ୍ଡର ଏକ ମୌଳିକତା । ପୂର୍ଵକାଳରେ ଗଞ୍ଜାମ ଜିଲ୍ଲାର ଧୂଳିଦଣ୍ଡରେ ପୁରୁଷମାନେ ମାଇପି ବେଶ ଧାରଣ କରି ବିଲକୁ ଖାଦ୍ୟ ନେଇ ଯିଵାର ଅଭିନୟ କରୁଥିଲେ । କ୍ରମଶଃ ଏଥିରେ କିନ୍ନରମାନେ ଭାଗ ନେଵାକୁ ଲାଗିଲେ । ଆଜିକାଲି ଷାଠିଏ ସତୁରୀ ଭାଗ ଦଣ୍ଡନାଚର ଘୋଟଣା ନୃତ୍ୟ ଓ ଗୀତ ପାଇଁ କିନ୍ନରମାନଙ୍କୁ ଦଣ୍ଡନାଚ ସମୟରେ ଡକାଯାଉଛି । ଧୂଳିଦଣ୍ଡ ସମୟରେ କିନ୍ନରମାନଙ୍କୁ ଯୋଡି଼ଵାକୁ ନେଇ ଏକପ୍ରକାରର ପ୍ରତିଯୋଗିତା ଲାଗିରହିଛି । କେତେକ ପାରମ୍ପରିକ ଘୋଟଣା ଗୀତକୁ ଛାଡ଼ି ଦେଲେ ଅଧିକାଂଶ ଘୋଟଣା ଗୀତ ପୂର୍ଵରୁ ଲେଖା ହୋଇନଥାଏ ଵରଂ ଗାୟକ ଦ୍ଵାରା ରଚିତ ହୋଇଥାଏ ଏଵଂ ଗାୟନ ସମୟରେ ଶବ୍ଦ ମନେ ନପଡି଼ଲେ ପରିଵର୍ତ୍ତିତ ମଧ୍ୟ ହୋଇପାରେ । ଅଧୁନା କେତେକ ଅଞ୍ଚଳରେ ଅଶ୍ଳୀଳ ଶବ୍ଦଯୁକ୍ତ କେତେକ ଘୋଟଣା ଗୀତ ଗାୟନ ଯୋଗୁଁ ଏହି ପ୍ରସଙ୍ଗକୁ ନେଇ ସାମାଜିକ ଗଣମାଧ୍ୟମରେ ତର୍କ ଵିତର୍କ ଆରମ୍ଭ ହୋଇଯାଇଥିଲା । 

ତେବେ ବହୁତ କମ୍ ଲୋକ ଜାଣିଥିବେ ଯେ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଠିକ୍ ଏହି ସମୟରେ ଗଦବା ଜନଜାତିର ଲୋକେ ଏକ କୃଷିଭିତ୍ତିକ ପର୍ଵ ପାଳନ କରିଥାନ୍ତି 
ଯାହାକୁ “ଘୋଟନା ଵା ଘଟ୍‌ନା ପରଵ୍” କୁହାଯାଏ । ଚଇତି ପର୍ଵ ଚୈତ୍ର ପୂର୍ଣ୍ଣିମାରେ ସମାପନ ପରେ ଗାଦବାମାନେ ଚାଷକର୍ମ ଆରମ୍ଭ କରନ୍ତି । ଵର୍ଷର ପ୍ରଥମ କୃଷି କର୍ମ ପାଇଁ ଜମିକୁ ହଳ କରିଵା ସକାଶେ ପୁରୁଷମାନେ ବାହାରି ଯାଆନ୍ତି । ଖାଇଵାବେଳ ହେଲେ ସ୍ତ୍ରୀମାନେ ଏହି ଅନ୍ନ ଵ୍ୟଞ୍ଜନାଦି ନେଇ ସେମାନଙ୍କୁ ଜମି(ବେଡ଼ା)ରେ ଖୁଆଇଥାନ୍ତି । ଏହି ଅନ୍ନ ଵ୍ୟଞ୍ଜନକୁ ‘ ଘଟନା’ କୁହାଯାଏ । ଘଟନା ପରଵ୍ ହେଉଛି ଗଦବାମାନଙ୍କ ବିହନ ବୁଣା ପର୍ଵ । ଏହି ପର୍ଵରେ ଗାଦବାମାନେ ଚୈତ୍ର ଶେଷ ଵା ଵୈଶାଖ ଆରମ୍ଭରେ ପ୍ରତିଘରୁ ବିହନ ସଂଗ୍ରହ କରି ଜମିରେ ବୁଣନ୍ତି । ବୁଣିଵା ପର୍ଵ ସରିଲା ପରେ ଘଟନା ପରଵ ଆରମ୍ଭ ହୁଏ । ଏହି ପରଵରେ ଘଟନା (ଘୋଟନା ଵା ଘୋଟଣା) ଖାଇଵା ପାଇଁ ସ୍ତ୍ରୀଲୋକମାନେ ଭାତ, ସାଦା ତିଅଣ, ମାଂସ ତରକାରୀ, ମାଛ ତରକାରୀ ଆଦି ସ୍ତ୍ରୀଲୋକମାନେ ଯେଝା ମତେ ରାନ୍ଧି ଜମିକୁ ଧରି ଯାଆନ୍ତି । ଏହାକୁ ଘୋଟଣାଖିଆ ‌ମଧ୍ୟ କୁହାଯାଏ । ହଳ କରିସାରିଵା ପରେ ସ୍ତ୍ରୀ ଲୋକମାନେ ପୁରୁଷମାନଙ୍କୁ ସେହି ‘ଘଟନା’କୁ ଭାଗବାଣ୍ଟି ଖୁଆଇଥାନ୍ତି । ଲଙ୍ଗଳକୁ ମଧ୍ୟ ଧୂଙ୍ଗିଆଧୂପ (ଧୂଆଁପତ୍ର) ଦ୍ଵାରା ପୂଜା କରି ଘଟନା ପରଵ ଶେଷ କରନ୍ତି । ଘଟନା ପର୍ଵରେ ବିଲକୁ ଯାଇ ଗଦବାମାନେ ମାଂସ ଭୋଜନ କରନ୍ତି । 

ଦକ୍ଷିଣ ଓଡ଼ିଶାରେ ଵିଶେଷତଃ ଗଞ୍ଜାମରେ “ବିଲକୁ ନିଆଯିଵା ଖାଦ୍ୟ”କୁ ଘୋଟଣା କୁହାଯାଏ ଏଵଂ ଦଣ୍ଡନାଚ ସମୟରେ ବିଲକୁ ଘୋଟଣା ନେଇଯିଵା ପ୍ରଥାକୁ ଅଭିନୟ ଦ୍ଵାରା ପ୍ରଦର୍ଶିତ କରିଯାଏ । ଏହି ଅଵସରରେ ଘୋଟଣା ନାଚ ଓ ଘୋଟଣା ଗୀତର‌ ଆୟୋଜନ କରାଯାଇଥାଏ । ଗଦବାମାନେ ମଧ୍ୟ ଏହି ଚୈତ୍ର ମାସ ଶେଷ ଓ ଵୈଶାଖ ମାସ ଆରମ୍ଭ ସମୟରେ ନିଜର କୃଷିଭିତ୍ତିକ ଘୋଟନା ଵା ଘଟ୍‌ନା ପର୍ଵ ପାଳନ୍ତି ଏଵଂ ଏଥିରେ ଗଦବା ଚାଷୀ ବିଲକୁ ବିହନ ବୁଣିଵାକୁ ଗଲାରୁ ସେମାନଙ୍କ ସ୍ତ୍ରୀମାନେ ଯେଉଁ ମାଂସ ମାଛ ଆଦି ରାନ୍ଧି ବିଲକୁ ନେଇ ଯାଆନ୍ତି ତାକୁ ସେମାନେ ଭକ୍ଷଣ କରିଥାନ୍ତି । ଅର୍ଥାତ୍ ଏ ଉଭୟ ପରସ୍ପର ସମ୍ବନ୍ଧିତ ଏଵଂ ଗଞ୍ଜାମଵାସୀ ନିଜ ଦଣ୍ଡନାଚ ମଧ୍ୟରେ ଗଦବାମାନଙ୍କର ଜନଜାତୀୟ ପର୍ଵକୁ ମନେ ରଖିଵାକୁ ଓ ଏହାର ମହତ୍ତ୍ଵକୁ ସମସ୍ତଙ୍କୁ ଜଣାଇଦେଵାକୁ ଯୋଡ଼ିଅଛନ୍ତି । ଦକ୍ଷିଣ ଓଡ଼ିଶାରେ ଅନେକ ଜନଜାତୀୟ ଲୋକେ ଵସଵାସ କରୁଥିଵାରୁ ଏହି ପରମ୍ପରା ଦଣ୍ଡନାଚରେ ମଧ୍ୟ ସ୍ଥାନ ପାଇପାରିଛି ।

(ତଥ୍ୟ ଉତ୍ସ : ପୂର୍ଣ୍ଣଚନ୍ଦ୍ର ଭାଷାକୋଷ,ଦେଶିଆ‌ ଜ୍ଞାନକୋଷ ; ସାହାଯ୍ୟ: ସନ୍ତୋଷ ପଟ୍ଟନାୟକ )

Sunday, December 25, 2022

ଉତ୍କଳୀୟ ସଂସ୍କୃତିରେ ତୁଳସୀପୂଜନ

ସନାତନ ସଂସ୍କୃତିରେ ତୁଳସୀ ଏକ ମହତ୍ତ୍ୱପୂର୍ଣ୍ଣ ପାଦପ ବୋଲି ସର୍ଵଵିଦିତ । ସନାତନ ପୂଜା ଆରାଧନା ସମୟରେ ଜଳ ପଦ୍ମ, ଧୌତ ଵସ୍ତ୍ର, ତୁଳସୀ , ବିଲ୍ୱପୁଷ୍ପଦଳାଦି ଓ ସାଷ୍ଟାଙ୍ଗ ପ୍ରଣାମ ଏହି ପଞ୍ଚ ଉପଚାରଦ୍ୱାରା ଆରାଧନା କରାଯାଏ ଏଵଂ ଏହାକୁ ନିରାଜନ ଵା ନିରାଜନା ବୋଲାଯାଏ । ଶ୍ରୀଵିଷ୍ଣୁଙ୍କ ପୂଜା ସମୟରେ ତୁଳସୀ ପତ୍ରର ଆଵଶ୍ୟକତା ସର୍ଵତ୍ର ଓ ସର୍ଵଦା ହୋଇଥାଏ ।‌ ଏ ଦେଶରେ ସନାତନୀମାନଙ୍କର ଦେଵପୂଜା, ସ୍ତୁତିପାଠ, ସନ୍ଧ୍ୟା ଵନ୍ଦନା, ମାଳା ଗଡ଼ାଇଵା, ସଂକୀର୍ତ୍ତନ କରିଵା, ଚିତା ଘେନିଵା, ନିର୍ମାଲ୍ୟ ସେବା କରିଵା, ଧର୍ମଶାସ୍ତ୍ର ପଢ଼ିଵା, ହୋମ କରିଵା ଓ ତୁଳସୀ ମୂଳରେ ପାଣି ଦେଵା ପ୍ରଭୃତି ଦୈନିକ ପୂଜାର ଅନ୍ତର୍ଗତ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । ଓଡ଼ିଶାର ସଧଵାମାନେ ପ୍ରତିଦିନ ସକାଳେ ଗାଧୋଇ ସାରି ତୁଳସୀକୁ ଜଳଦାନ କରନ୍ତି ଓ ସନ୍ଧ୍ୟାରେ ତୁଳସୀ ମୂଳରେ ସନ୍ଧ୍ୟାଵତୀ ଦିଅନ୍ତି । ଓଡ଼ିଶା, କଳିଙ୍ଗ ଵା ଉତ୍କଳ ତୁଳସୀକ୍ଷେତ୍ରର ଦେଶ, ଶ୍ରୀଜଗନ୍ନାଥଙ୍କ ଦେଶ ସେଥିପାଇଁ ଭାରତର ଅନ୍ୟ ଭୂଭାଗ ଅପେକ୍ଷା ଏ ଦେଶରେ ପାରମ୍ପରିକ ତୁଳସୀ ପୂଜନ ସର୍ଵାଧିକ ହୋଇଥାଏ । ଓଡ଼ିଶାର ଲୋକେ କେଵଳ ତୁଳସୀ ପୂଜା କରୁନଥିଲେ ଵରଂ ତୁଳସୀ ଗଛର ଔଷଧୀୟ ଗୁଣ ଵିଷୟରେ ମଧ୍ୟ ଏଠାକାର ସାଧାରଣ ଜନତାଙ୍କୁ ଜଣାଥିଲା । ଆଜକୁ ମାତ୍ର କୋଡି଼ଏ ତିରିଶ ଵର୍ଷ ତଳେ ଗ୍ରାମାଞ୍ଚଳରେ ଅଧିକାଂଶ ଛୋଟ ପିଲାଙ୍କୁ ସାଧାରଣ ଥଣ୍ଡା କାଶ ହେଲେ ମହୁ ସହିତ ତୁଳସୀ ପତ୍ର ବାଟି ପିଆଉଥିଲେ । ତୁଳସୀ ପତ୍ର ଖାଇଲେ ପିଲାଙ୍କର ସ୍ମୃତିଶକ୍ତି ବୃଦ୍ଧି ପାଏ ତେଣୁ ପିଲାଏ ପ୍ରତିଦିନ ଗୋଟିଏ ତୁଳସୀ ପତ୍ର ଖାଇଵା ପୂର୍ଵେ ଏ ଦେଶରେ ପରମ୍ପରା ପ୍ରଚଳିତ ଥିଲା । ପ୍ରତିଦିନ କିଛି ତୁଳସୀ ପତ୍ର ଚୋବାଇ ଖାଇଲେ ଥଣ୍ଡା ଜ୍ୱର ରୋଗରୁ ଉପଶମ ମିଳେ । ତାଛଡା ମୂଖ ଗହ୍ୱର କ୍ଷତ ବା ସଂକ୍ରାମଣରୁ ରକ୍ଷା ପାଇଵାକୁ ହେଲେ କିଛି ତୁଳସୀ ପତ୍ର ଚୋବାଇ ଖିଆଯାଇପାରେ । ତୁଳସୀ ପତ୍ରକୁ ଖରାରେ ଶୁଖାଇ ତାହାର ଚୂର୍ଣ୍ଣରେ ଦାନ୍ତ ଘଷିଲେ ମାଢି ଶକ୍ତ ରହେ । ତୁଳସୀ ପତ୍ର ଗୁଣ୍ଡକୁ ଚନ୍ଦନରେ ଫେଣ୍ଟି କପାଳରେ ଲଗାଇଲେ ଗ୍ରୀଷ୍ମତାପ ଓ ମୁଣ୍ଡବିନ୍ଧାରୁ ରକ୍ଷା ମିଳେ । ତୁଳସୀ ଗଛର ଏହିପରି ଅନେକ ଔଷଧୀୟ ଗୁଣ ଅଛି । ଆମ ପୂର୍ଵଜମାନେ ତୁଳସୀ ଏକ ମହତ୍ତ୍ୱପୂର୍ଣ୍ଣ ଔଷଧୀୟ ଗୁଳ୍ମ ଜାଣି ଏହାର ରକ୍ଷଣାବେକ୍ଷଣ ହେତୁକ ଘରେ ଘରେ ତୁଳସୀ ଲଗାଉଥିଲେ ଏଵଂ ପୂଜାର୍ଚ୍ଚନା କରୁଥିଲେ । ପୂଜାର୍ଚ୍ଚନା ମଧ୍ୟରେ ତୁଳସୀପତ୍ରଟିଏ ଭକ୍ଷଣ ଦ୍ଵାରା ଶରୀର ନିରୋଗ ରଖିଵା ହିଁ ତୁଳସୀ ପୂଜନର ମୂଳ ଉଦ୍ଦେଶ୍ୟ ଥିଲା । ପ୍ରାଚୀନ ଓଡ଼ିଆ ସଂଗୀତରେ (କଳା)ତୁଳସୀ ଗଛର ଉପକାରିତା ଵର୍ଣ୍ଣିତ ହୋଇଛି 

କଫ ଵାତ କଣ୍ଠାଗ୍ରତେ ଯେବେ ରୁନ୍ଧିଵ; 
ଶ୍ୟାମ ତୁଳସୀମଞ୍ଜରୀ, 
ଵଦନେ ଦେଵ ମୋହରି, 
ଶ୍ୟାମ ନାମ ଯତ୍ନ କରି, 
କର୍ଣ୍ଣରେ ଶୁଣାଉଥିଵ। 
(ପ୍ରାଚୀନ ସଙ୍ଗୀତ)

ତୁଳସୀକୁ ଓଡ଼ିଶାର ଲୋକେ ସବୁଠାରୁ ପଵିତ୍ର ପାଦପ ମାନୁଥିଲେ ତେଣୁ ଉତ୍କଳୀୟ ସଂସ୍କୃତିରେ ତୁଳସୀର ସ୍ଥାନ ସର୍ଵୋଚ୍ଚ ହୋଇପାରିଛି । 

ନିମ୍ନରେ ଓଡ଼ିଶାରେ ତୁଳସୀ ପୂଜାର କେତେକ ଉଦାହରଣ ପ୍ରଦତ୍ତ ହେଲା —

୩୬୫ ଦିନ ତୁଳସୀ ପୂଜା ଵା ଚଉରାସେଵା :

ଓଡ଼ିଶାର ସଧଵାମାନେ ଵର୍ଷକ ବାରମାସ ପ୍ରତ୍ୟେକ ଦିନ ତୁଳସୀ ପୂଜା କରନ୍ତି ‌ । ସକାଳୁ ଗାଧୋଇ ସାରି ଜଳଦାନ ଏଵଂ ସନ୍ଧ୍ୟାରେ ଦୀପଦାନ ଓଡ଼ିଆ ଘରର ଝିଅଵୋହୂଙ୍କର ମୁଖ୍ୟ କର୍ତ୍ତଵ୍ୟକର୍ମ ଅଟଇ । ତୁଳସୀଚଉରାରେ ରୋପିତ ଓ ସଯତ୍ନବର୍ଦ୍ଧିତ ତୁଳସୀ ଵା ଵୃନ୍ଦାଵତୀଙ୍କୁ ଜଳଦାନ, ଦୀପଦାନ ଓ ପୂଜାଆଦି କରିଵା ରୂପ ଏହି କର୍ତ୍ତଵ୍ୟ କାର୍ଯ୍ୟକୁ #ଚଉରାସେଵା କୁହାଯାଏ । ସେହିପରି ଆଗେ ଘରର ପୁରୁଷମାନେ ଘରୁ ବାହାରି ଗଲା ବେଳେ ତୁଳସୀ ଚଉରାକୁ ପ୍ରଣାମ କରି ତୁଳସୀ ପତ୍ରଟିଏ ସେଵନ କରି ଦୂରକୁ ଯାତ୍ରା କରିଵାର ପରମ୍ପରା ପ୍ରଚଳିତ ଥିଲା । ଏ ଦେଶର ଵୈଷ୍ଣଵମାନେ ଗାଧୋଇ ସାରି ତୁଳସୀଗଛରେ ଜଳଦାନ ପରେ ତୁଳସୀ ପତ୍ରଟିଏ ସେଵନ କରିଵାର ପରମ୍ପରା ମଧ୍ୟ ରହିଛି । ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳରେ ଦୀପଦାନ କରିଵାକୁ ଓଡ଼ିଆ ମାନେ ସନ୍ଧ୍ୟା ଦେଵା ,ସଞ୍ଜ ଦେଵା 
,ସଞ୍ଜ ବସାଇଵା ,ସଞ୍ଜଵତୀ ଦେଵା ଓ ବଳିତା ବସାଇଵା ଆଦି କହିଥାନ୍ତି । 

 

ମହା ଵିଷୁଵ ପଣା ସଂକ୍ରାନ୍ତି ଦିନ ତୁଳସୀ ପୂଜା :

ଆଗେ ମହା ଵିଷୁଵ ପଣା ସଂକ୍ରାନ୍ତି ଅଵସରରେ ଓଡ଼ିଶାରେ ତୁଳସୀ ଗଛ ଉପରେ ଜଳ ପୂର୍ଣ୍ଣ ବସୁନ୍ଦରା ଘଟ ଦିଆଯାଉଥିଲା ଓ ଵିଶେଷ ପୂଜାର ଆୟୋଜନ କରାଯାଉଥିଲା । ଯେଉଁ ଘଡ଼ିର ତଳେ କଣାରୁ ପାଣି ଟୋପା ଟୋପା ବୋହି ତୁଳସୀ ଗଛ ଵା ଦେଵତାଙ୍କ ଉପରେ ପଡ଼ୁଥିଲା ତାକୁ ବସୁନ୍ଧରା ଘଟ ଵା ଘଡ଼ି କୁହାଯାଉଥିଲା । ଆଗେ ପଣାସଂକ୍ରାନ୍ତିଠାରୁ ଏକ ମାସ ପର୍ଯ୍ୟନ୍ତ ତୁଳସୀ ଗଛ ଉପରେ ସବୁବେଳେ ଜଳଧାରା ଦେବା ନିମନ୍ତେ ସଚ୍ଛିଦ୍ର କଳସ ଵା ବସୁନ୍ଧରା ଘଡ଼ି ଟଙ୍ଗାଯାଉଥିଲା । ଏହି ଘଡି଼କୁ ଧର୍ମଘଡି଼ ବି କୁହାଯାଉଥିଲା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ସିଂହଭୂମି ଆଦି କେତେକ ଅଞ୍ଚଳରେ ଚୈତ୍ର ମାସରେ ତୁଳସୀ ଗଛ ଉପରେ ଧର୍ମଘଡି଼ ସ୍ଥାପନ କରାଯାଉଥିଲା । ତେବେ ଏ ପରମ୍ପରା ଅଧୁନା ଅନେକ ସ୍ଥାନରେ ଲୁପ୍ତ ହୋଇଯାଇଥିଵା ହୃଦବୋଧ ହୁଏ । 

ମାର୍ଗଶୀର କୃଷ୍ଣନଵମୀରେ ତୁଳସୀ ପୂଜା :

ମାର୍ଗଶିରମାସ କୃଷ୍ଣନଵମୀରେ‌ କାଞ୍ଜି ଅଅଁଳା ପର୍ଵ ପଡି଼ଥାଏ ‌ । ଏ ଦିନ ସ୍ତ୍ରୀ ଲୋକେ ଅଅଁଳା କୋଳି ପଡି଼ଥିଵା କାଞ୍ଚି ନେଇ ତୁଳସୀ ଚଉରାମୂଳେ ସନ୍ଧ୍ୟାବେଳେ ପୂଜା କରନ୍ତି। 

କାର୍ତ୍ତିକ ମାସରେ ତୁଳସୀ ପୂଜା :

କାର୍ତ୍ତିକ ମାସକୁ ତୁଳସୀ ମାସ କୁହାଯିଵା କଥା କାରଣ ଏ ମାସରେ କଳିଙ୍ଗ ଦେଶରେ ତୁଳସୀ ଗଛର ଵିଶେଷ ପୂଜାର୍ଚ୍ଚନା ହୋଇଥାଏ । କାର୍ତ୍ତିକ ମାସସାରା ଏ କଳିଙ୍ଗ ଦେଶର ହବିଷିଆଳିମାନେ ତୁଳସୀ ମୂଳରେ ପଞ୍ଚୁଵର୍ଣ୍ଣୀ ମୁରୁଜରେ ଚିତ୍ର ଅଙ୍କନ କରି କାର୍ତ୍ତିକପୂଜା ଓ ଦୀପଦାନ ଆଦି କରନ୍ତି । ଯାହା ଦାଣ୍ଡରେ ତୁଳସୀ ଗଛ ଥାଏ ସେଠାରେ ଗୋଟିଏ ବଡ଼ ଦଣ୍ଡ ପୋତାଯାଇ ପିତୃପୁରୁଷଙ୍କୁ ଦୀପଦାନ କରାଯାଏ । 

କାର୍ତ୍ତିକ ଵ୍ରତ ଵା ରାଇଦାମୋଦର ଵ୍ରତ ଓ ତୁଳସୀ :

କାର୍ତ୍ତିକ ମାସରେ କରାଯିଵା ଵ୍ରତକୁ କାର୍ତ୍ତିକ ଵ୍ରତ, 'ରାଇଦାମୋଦର ଵ୍ରତ' ଵା 'ରାଇଦାମୋଦର ପୂଜା' ବୋଲାଯାଏ। ଏହି କାର୍ତ୍ତିକ ଵ୍ରତ ଵା ରାଧାଦାମୋଦର ପୂଜା ଓ ମନ୍ତ୍ର ପଦ୍ମପୁରାଣରେ ଵର୍ଣ୍ଣିତ ହୋଇଅଛି। କୁମାରପୂର୍ଣ୍ଣିମା ପରଦିନଠାରୁ କାର୍ତ୍ତିକପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି କାର୍ତ୍ତିକ ଵ୍ରତ ଵା ଊର୍ଜ୍ଜଵ୍ରତ କରାଯାଏ। ଏଥିରେ ପ୍ରାତଃସ୍ନାନ, ଦିନାନ୍ତେ ହବିଷ୍ୟାନ୍ନ ଭୋଜନ, ସନ୍ଧ୍ୟାସମୟରେ ତୁଳସୀ ଚଉରା ନିକଟରେ ଦୀପଦାନ ଓ ରାଧାଦାମୋଦର ମନ୍ତ୍ର ଜପ ପ୍ରଧାନ କର୍ତ୍ତଵ୍ୟ ଅଟଇ। ଵିଧଵା ଓ ହବିଷିଆଳିମାନେ ତୁଳସୀଚଉରାମୂଳ ସକାଳୁ ଲିପି ସେଠାରେ ପଞ୍ଚୁଵର୍ଣ୍ଣୀ ମୁରୁଜରେ ରାଧାକୃଷ୍ଣାଦିଙ୍କ ରୂପ ଅଙ୍କିତ କରି ପୂର୍ଵଦିଗକୁ ମୁହଁ କରି ନୈଵେଦ୍ୟାଦି ଭୋଗ କରନ୍ତି ଓ ମାଳା ଜପ କରନ୍ତି। ଵିଧଵା ଓ ହବିଷିଆଳିମାନଙ୍କର ଏହି ତୁଳସୀ ଚଉରା ମୂଳର ପୂଜାଆଦିକୁ 'ରାଇଦାମୋଦର ପୂଜା' ବୋଲାଯାଏ। ଏହି ସମୟରେ କାପତାକାପତୀ (କପୋତ କପୋତୀ ଦ୍ୱୟ)ଙ୍କୁ ମଧ୍ୟ ନୈଵେଦ୍ୟ (ଭୋଗ) ଦିଆଯାଏ। ଏହି ନୈଵେଦ୍ୟାଦିକୁ ବ୍ରାହ୍ମଣମାନେ ଉତ୍ସର୍ଗ ନ କରି ଵିଧଵା ଓ ହବିଷିଆଳି ଵ୍ରତିନୀମନେ ଉତ୍ସର୍ଗ କରନ୍ତି। ସାଧାରଣତଃ ବୃଦ୍ଧାମାନେ ରାଧାଦାମୋଦର ପୂଜା କରିଥାନ୍ତି । ରାଇଦାମୋଦର ବିଷୟରେ ଢଗଟିଏ ଓଡ଼ିଆ ଭାଷାରେ ପ୍ରଚଳିତଏଵଂ ସେଥିରୁ ଏକଥା ଜଣାଯାଏ । 

“ପୁଅଙ୍କୁ ସୁନ୍ଦର ପାଟ ପୀତାମ୍ବର, 
ଝିଅଙ୍କୁ ସୁନ୍ଦର ନେତ, 
ବୁଢ଼ୀଙ୍କି ସୁନ୍ଦର ରାଇଦାମୋଦର, 
ବୁଢ଼ାଙ୍କୁ ସୁନ୍ଦର ଶୀତ।”

କାର୍ତ୍ତିକ ପୂର୍ଣ୍ଣିମା ଓ ତୁଳସୀ ଗଛ :

କୁମାରପୂର୍ଣ୍ଣମୀ ସନ୍ଧ୍ୟାବେଳେ ଚନ୍ଦ୍ରଙ୍କୁ ପୂଜା କରିଵା ପାଇଁ ଛେନାଗୁଡ଼ ଵା ଖଇଚକଟା ତୁଳସୀଚଉରା ମୂଳେ ଥୋଇଵାକୁ ହୋଇଥାଏ ‌। ଏ ଦିନ ତୁଳସୀ ଚଉରାକୁ ଲିପି ଵିଶେଷ ଭାବେ ଧୂପ ଦୀପ ଦ୍ଵାରା ପୂଜା କରାଯାଏ ‌ । ଚନ୍ଦ୍ରଙ୍କ ପାଇଁ ପ୍ରସ୍ତୁତ ଭୋଗକୁ ସଜ୍ଜିତ ତୁଳସୀ ଚଉରା ମୂଳରେ ବଢ଼ାଯାଏ ଯାହାକୁ ଚାନ୍ଦ ବାଢି଼ଵା କୁହନ୍ତି । 

ତୁଳସୀ ଵିଵାହ : 
ତୁଳସୀ ଵିଵାହୋତ୍ସଵ କାର୍ତ୍ତିକ କୃଷ୍ଣ ଦ୍ୱାଦଶୀ ଦିନ ପାଳିତ ହୋଇଥାଏ । ଏହି ଦିନ ଶ୍ରୀଵିଷ୍ଣୁଙ୍କ ସହିତ ଵୃନ୍ଦାଵତୀ ଵା ତୁଳସୀ ଚଉରାରେ ଥିଵା ତୁଳସୀ ଗଛର ଵିଵାହ ରୂପକ ଉତ୍ସଵ ପାଳିତ ହୁଏ ‌ । 

ଅଷ୍ଟପ୍ରହରୀ ସମୟରେ ତୁଳସୀ ପୂଜା :
ଅଷ୍ଟପ୍ରହରୀ ସମୟରେ ଵିଭିନ୍ନ ଗ୍ରାମରୁ ସଂକୀର୍ତ୍ତନ ଦଳ ଆସିଥାନ୍ତି । ସେତେବେଳେ ଠାକୁରମାନଙ୍କୁ ଓ ସଂକୀର୍ତ୍ତନଦଳକୁ ମେଳନ ଆଦିକୁ ନିମନ୍ତ୍ରଣ କରିଵା ପାଇଁ ଫୁଲ ଓ ତୁଳସୀ ପ୍ରେରଣ କରାଯାଏ । ଏତଦଵ୍ୟତୀତ ଅଷ୍ଟପ୍ରହରୀ ଆରମ୍ଭ ଓ ଶେଷରେ ଗ୍ରାମର ଭାଗଵତ ଘର ଆଗରେ ଥିଵା ତୁଳସୀ ଗଛର ଵିଶେଷ ପୂଜାର୍ଚ୍ଚନା ହୋଇଥାଏ ‌ । 

ଜହ୍ନି ଓଷା ଓ ତୁଳସୀ :
ଗାଆଁ ଝିଅମାନେ ତୁଳସୀ ଚଉରା ମୂଳରେ ଜହ୍ନିଓଷା କରିଥାନ୍ତି । ଏହି ଜହ୍ନି ଓଷା ଭାଦ୍ର ପୂର୍ଣ୍ଣିମାଠାରୁ ଆଶ୍ୱିନ ପୂର୍ଣ୍ଣିମା (କୁମାର ପୁର୍ଣ୍ଣିମା) ଯାଏ ପାଳିଵାକୁ ହୁଏ। ଏହି ଓଷା ଏକ ମାସ ଵ୍ୟାପି ପାଳିତ ହୁଏ ଏଵଂ ଏହି ଓଷାରେ ପ୍ରତିଦିନ ତୁଳସୀ ଗଛର ଵିଶେଷ ପନ୍ଦାପନା କରାଯାଇ ପିଲାଙ୍କ ମଧ୍ୟରେ ଭୋଗ ବଣ୍ଟନ କରାଯାଏ । ଏଥିର ଶେଷ ପାଳି ଦିନ ବାଳିକାମାନେ ସନ୍ଧ୍ୟାବେଳେ ଗୁଡ଼ିଏ ଜହ୍ନି ଫୁଲ ତୋଳି ଆଣି ତିନି ଗୋଟି ମଣ୍ଡଳ କାଟି ତିନି ଗୋଟି ଜହ୍ନି ପତ୍ରରେ ଫୁଳଗୁଡ଼ିକ ରଖି ନିଜନିଜର ଭାଇ ବାପାଙ୍କ ମଙ୍ଗଳକାମନାରେ ତାକୁ ଚାଳ ଉପରକୁ ଫୋଫାଡ଼ନ୍ତି ।

ଶାମ୍ବ ଦଶମୀ ଓ ତୁଳସୀ :
ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ଵ କିନ୍ତୁ ଓଡ଼ିଆ ଘରର ଝିଅ ଵୋହୂମାନେ ତୁଳସୀ ଚଉରା ମୂଳରେ ସାମୁହିକ ଭାବରେ ଏକତ୍ରିତ ହୋଇ ଏହାର ଆୟୋଜନ କରିଥାନ୍ତି ଏଵଂ ଏହି ପୂଜାର ଆୟୋଜନ ଶେଷରେ ସୂର୍ଯ୍ୟ ଦେଵଙ୍କୁ ଧୂପ ଓ ନୈଵେଦ୍ୟ ଅର୍ପଣ କରାଯାଏ । ଶାମ୍ବ ଦଶମୀର ପୂଜା ତୁଳସୀ ଚଉରା ମୂଳରେ ହେଉଥିଵାରୁ ପ୍ରଥମେ ତୁଳସୀ ପୂଜନ କରାଯାଇ ତହିଁ ମୂଳରେ ଦୀପଦାନ କରାଯାଏ

ବଡ଼ ଓଷା ଓ ତୁଳସୀ 
ଓଡ଼ିଶାରେ ଦୁଇ ଜାତୀୟ ବଡ଼ଓଷା ପାଳନ କରାଯାଏ । 

(କ) କାର୍ତ୍ତିକ ପୂର୍ଣ୍ଣିମା ପୂର୍ଵଦିନ 
କଟକ ଓ ପୁରୀ ଆଦି ଜିଲ୍ଲାରେ ଆଠଗଡ଼ର ଧବଳେଶ୍ୱର ମହାଦେଵଙ୍କଠାରେ କାର୍ତ୍ତିକ ପୂର୍ଣ୍ଣିମାର ପୂର୍ଵଦିନ ଏହି ଓଷା କରିଥିଵା ଲୋକମାନେ ଭୋଗ ଲଗାନ୍ତି। 

(ଖ)ସୋମନାଥ ଵ୍ରତକୁ ଗଞ୍ଜାମ ଜିଲ୍ଲାରେ 'ବଡ଼ ଓଷା' ବୋଲି କହନ୍ତି। ଏହି ଵ୍ରତ ଭାଦ୍ର ଶୁକ୍ଳ ଷଷ୍ଠୀ ଦିନ ଆରମ୍ଭ କରାଯାଇ ଆଶ୍ୱିନ ଶୁକ୍ଳଦଶମୀ (ଦଶହରା) ଦିନ ଉଦ୍ୟାପନା କରାଯାଏ।

ତେବେ କାର୍ତ୍ତିକ ପୂର୍ଣ୍ଣିମା ପୂର୍ଵଦିନ ଯେଉଁ ବଡ଼ ଓଷା ହୋଇଥାଏ ତାହା ତୁଳସୀ ଗଛର ଚଉରା ମୂଳରେ ଅନେକ ସ୍ତ୍ରୀ ଲୋକଙ୍କ ଦ୍ଵାରା ସାମୁହିକ ଭାବରେ ଆୟୋଜିତ ହୋଇଥାଏ । ଗ୍ରାମାଞ୍ଚଳରେ ଯାହା ଯାହା ଘରେ ତୁଳସୀ ଚଉରା ରହିଛି ସେମାନଙ୍କ ଘରେ ହିଁ ବଡ଼ ଓଷା ପାଳନ ହୋଇଥାଏ । ଏଥିରେ ପ୍ରଥମେ ତୁଳସୀ ଚଉରାକୁ ବନ୍ଦାପନା କରି ଦୀପଦାନ କରାଯାଏ ଏଵଂ ତତ୍ପରେ ଗାତ ଖୋଳି ସେଥିରେ ଚୂଲି କରି ଭୋଗ ପ୍ରସ୍ତୁତ କରାଯାଏ ।  

ଏହିପରି ଆହୁରି ଅନେକ ଉତ୍କଳୀୟ ପର୍ଵପର୍ଵାଣୀରେ ତୁଳସୀ ଗଛର ପ୍ରଥମେ ପୂଜାର୍ଚ୍ଚନା ହୋଇଥାଏ । 

ଉତ୍କଳୀୟ ସଂସ୍କୃତି ସାହିତ୍ୟ ଓ ସମାଜରେ ତୁଳସୀ :—

ଉତ୍କଳୀୟ ସମାଜ ସହିତ ତୁଳସୀ ଓତଃପ୍ରୋତଭାବେ ଜଡ଼ିତ । ଶ୍ରୀଜଗନ୍ନାଥ ଆଉ ତୁଳସୀ ମଧ୍ୟ ପରସ୍ପର ସହିତ ଜଡ଼ିତ । ଅଚ୍ୟୁତାନନ୍ଦ ଦାସଙ୍କ କଵିତାର ନିମ୍ନୋକ୍ତ ପଦଟି ପାଠକଲେ ଆମେ ଏକଥା ସ୍ପଷ୍ଟ ଅନୁଭଵ କରିଥାନ୍ତି ...

“ତୁଳସୀର ଜଟ ତୁଳସୀ ମୁକୁଟ
ତୁଳସୀ ଭୂଷଣ ହୋଇ ।
ତୂୁଳସୀ ଚଉଁରା ପାଶେ ଅନାଇଲେ
ନୀଳଚକ୍ର ଦିଶୁଥାଇ ॥”
(ଅଚ୍ୟୁତାନନ୍ଦ)

ଶ୍ରୀଜଗନ୍ନାଥ ଓ ତାଙ୍କ ଭକ୍ତଙ୍କ ପାଇଁ ତୁଳସୀ ଗଛ କେତେ ମହତ୍ତ୍ୱପୂର୍ଣ୍ଣ ତାହା ଆମେ ସାଲବେଗଙ୍କ ଭଜନରୁ ଜଣିଵାକୁ ପାଆନ୍ତି ...

“ଆହେ ନୀଳଗିରି !
ତୁମ୍ଭ ଶ୍ରୀଭୁଜେ ଦୟଣା କେରି କେରି ।
ତୁଳସୀ ଚଉରା ପାଶେ ଜଗି
ବସି ଧ୍ୟାଉଛନ୍ତି କେତେ ଯୋଗୀ,
ବ୍ୟାଘ୍ରଚର୍ମ ପାରି ସ୍ତୁତି କରୁଛନ୍ତି,
 ଜପୁଛନ୍ତି ନାମ ସଂଖ୍ୟା କରି ।୧।”

ପୁଣି ଵନମାଳୀ ଦାସଙ୍କ ଭଜନରୁ ଜଣାଯାଏ ଯେ ଶ୍ରୀଜଗନ୍ନାଥଙ୍କ ଛଡ଼ା ତୁଳସୀ ମଧ୍ୟ ଭକ୍ତମାନେ ଅତି ଆଦରର ସହିତ ନିଜ ପାଖରେ ରଖୁଥିଲେ

“ନାସା ମୋର ତୃପ୍ତି ନ ଲଭଇ ଆନ
ସୁଵାସ ଦ୍ରଵ୍ୟ ଆଘ୍ରାଣେ
ତୋହ ଛଡ଼ା ମାଳ ତୁଳସୀ କୁସୁମ
ଚନ୍ଦନ କର୍ପୂର ଧ୍ୟାନେ । ୩ ।”

ସାଲବେଗଙ୍କ ଭଜନରୁ ଜଣାଯାଏ ଯେ ଭକ୍ତମାନେ ସେହି ଛଡ଼ା ତୁଳସୀ ଭକ୍ଷଣ ମଧ୍ୟ କରୁଥିଲେ

“ଶ୍ରୀ ପୁରୁଷୋତ୍ତମ ରହଣି କରିଵା
ଖାଇଵା ଛଡା଼ ତୁଳସୀ 
କହେ ସାଲବେଗ ସିଂହଦ୍ୱାରଠାରେ
ହୋଇଥିଵା କ୍ଷେତ୍ରଵାସୀ”

ତୁଳସୀ ଶ୍ରୀଜଗନ୍ନାଥଙ୍କର ଵା ଶ୍ରୀଵିଷ୍ଣୁ ଭଗଵାନଙ୍କର ଅତି ପ୍ରିୟ । ତୁଳସୀ ପତ୍ର ଵିନା ଶ୍ରୀଵିଷ୍ଣୁଙ୍କୁ ଭୋଗ ଅର୍ପଣ କରାଯାଏ ନାହିଁ । ସେଥିପାଇଁ ତ ତୁଳସୀଙ୍କ ନାମ ଵୈଷ୍ଣବୀ, ଵିଷ୍ଣୁ ବଲ୍ଲଭା ଓ ହରିପ୍ରିୟା ଇତ୍ୟାଦି ରଖାଯାଇଛି ।

ସେଥିପାଇଁ ଓଡ଼ିଆ ଭାଗଵତର ଵିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥ , ଶ୍ରୀକୃଷ୍ଣ ଵା ଶ୍ରୀଵିଷ୍ଣୁଙ୍କ ଚରଣରେ ତୁଳସୀ ପତ୍ର ଦାନର ଉଲ୍ଲେଖ ଅଛି । 

ଶ୍ରୀକୃଷ୍ଣ-ଚରଣ-ତୁଳସୀ । 
ପାଦଉଦକରଜେ ମିଶି ॥ 
(ପ୍ରଥମ ସ୍କନ୍ଦ,ଭାଗଵତ)

ଶ୍ରୀକୃଷ୍ଣଚରଣ ତୁଳସୀ । 
ତା'ର ରସନା ତେଣେ ରସି ॥
(ନଵମ ସ୍କନ୍ଦ,ଭାଗଵତ)

ତୋହର ଚରଣ ତୁଳସୀ । 
କବରୀଭାରେ ତାହା ଖୋସି ॥
(ଦଶମ ସ୍କନ୍ଦ,ଭାଗଵତ)

ଓଡ଼ିଶାରେ ସାରଳା ଦେଵୀଙ୍କୁ ଲୋକେ ଵିଦ୍ୟାଦାତ୍ରୀ ଵାଗ୍ଦେଵୀ ବୋଲି ମଧ୍ୟ ଗ୍ରହଣ କରନ୍ତି। ବନଦୁର୍ଗା ମନ୍ତ୍ରରେ ଏହାଙ୍କ ପୂଜାହୁଏ; କିନ୍ତୁ ଏହାଙ୍କ ପୂଜାରେ ତୁଳସୀ ଓ ବେଲେପତ୍ରୀ ଉଭୟ ଲାଗେ। 

ଭାରତରେ ଦେଵଵିଗ୍ରହ, ମନ୍ଦିର, ତୁଳସୀବୃକ୍ଷ, ଗୁରୁଜନ ଓ ତୀର୍ଥଆଦିର ଚାରିପାଖେ ବୁଲି ଆସିଵାର ଵା ପ୍ରଦକ୍ଷିଣା କରିଵାର ପରମ୍ପରା ପ୍ରଚଳିତ ଏଵଂ ଏହାକୁ ପରିକ୍ରମ ବୋଲାଯାଏ ।

କନ୍ୟାକୁ ଗୋଟିଏ ତୁଳସୀ ପତ୍ର ସହିତ ଜାମାତାଙ୍କ ହସ୍ତରେ ଅର୍ପଣ କରି ଦେଵାକୁ "ତୁଳସୀ ପତ୍ର ପାତ୍ର କରି ଟେକି ଦେଵା" କୁହାଯାଏ । ତୋଳାକନ୍ୟା ଵିଵାହ ପ୍ରଥାରେ ଏହିପରି କରାଯାଏ । ଅଭାଵଗ୍ରସ୍ତ ପିତା ଵିଵାହଵ୍ୟୟ ଵହନ କରିଵାକୁ ଅକ୍ଷମ ହୋଇ କନ୍ୟାକୁ ଵିଵାହ ପୂର୍ଵେ ବର ହସ୍ତରେ ତୁଳସୀପତ୍ର ସହିତ ସମର୍ପଣ କରେ ଏଵଂ ବର ନିଜ ଗୃହରେ ସେହି କନ୍ୟାର ପାଣିଗ୍ରହଣ କରେ । 

ଵୈଷ୍ଣଵ ଗୁରୁ କୌଣସି ଶିଷ୍ୟକୁ ମନ୍ତ୍ର ଦେଇ ଦୀକ୍ଷିତ କଲାବେଳେ ଉକ୍ତ ଶିଷ୍ୟକୁ ଡୋର, କଉପୁନି, ମାଳା ଓ ତିଳକ ଦିଅନ୍ତି, ଅର୍ଥାତ୍, ଶିଷ୍ୟ ଉକ୍ତ ଡୋରକୁ ଅଣ୍ଟାରେ ପିନ୍ଧି ତା ଉପରେ କୌପୀନ ପରିଧାନ କରେ। ଗୁରୁ ଶିଷ୍ୟର ବେକରେ ତୁଳସୀ ମାଳାଟି ପିନ୍ଧାଇ ଦିଅନ୍ତି ଓ ଆପଣାର ସମ୍ପ୍ରଦାୟର ବିଶିଷ୍ଟ ତିଳକ ଚିହ୍ନ ତା କପାଳରେ କାଟିଦିଅନ୍ତି, ଅର୍ଥାତ୍ ନିଜେ ଶିଷ୍ୟ ମୁଣ୍ଡରେ ଅଙ୍କିତ କରିଦିଅନ୍ତି । 

ପୂର୍ଵେ ତୁଳସୀ ପତ୍ର ଵା ଗଛ ଦିଆଦେଇ ହୋଇ ଓଡ଼ିଶାରେ ମିତ ବସୁଥିଲେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି କଥା ଉଲ୍ଲେଖ କରାଯାଇଛି । ଜ୍ଞାତିତ୍ୱ, ରକ୍ତସଂପର୍କ ଵା ଵିଵାହ ଦ୍ୱାରା ସମ୍ବନ୍ଧଯୁକ୍ତ ହୋଇ ନଥିଵା ବ୍ଯକ୍ତିମାନେ ଧର୍ମକୁ, ଇଷ୍ଟ ଦେଵତା ଅଥଵା ତାଙ୍କର ପ୍ରସାଦକୁ କିମ୍ବା ତୁଳସୀ ଆଦି ପଵିତ୍ର ଵୃକ୍ଷଙ୍କୁ ସାକ୍ଷୀ ରଖି ପରସ୍ପର ମଧ୍ୟରେ ନାନାପ୍ରକାର ମିତ୍ରତା ସ୍ଥାପନ କରନ୍ତି।
ଦୁଇ ଜଣ ଵ୍ୟକ୍ତି ପରସ୍ପର ସଙ୍ଗେ ଧର୍ମବାପ, ଧର୍ମପୁଅ, ଧର୍ମଭାଇ, ଧର୍ମଭଉଣୀ, ଧର୍ମ ମାଆ, ଧର୍ମଝିଅ, ସଙ୍ଗାତ, ମୈତ୍ର, ଓଶକା, ସରପୁଳି, ଅଭଡ଼ା, ଚାନ୍ଦ, ବଉଳ, ଗଙ୍ଗାଜଳ, ତୁଳସୀ, ଗୋଦାବରୀ, ପହିଲି ଭୋଗ, ଏହିପରି ନାନାପ୍ରକାର ଧର୍ମ-ବନ୍ଧୁତା ସ୍ଥାପନ କରନ୍ତି । ଏମାନଙ୍କୁ ପ୍ରୀତିବନ୍ଧୁ ଵା ଧର୍ମବନ୍ଧୁ ବୋଲାଯାଏ।

ସେହିପରି ଆଗକାଳରେ ତୁଳସୀକୁ ଛୁଇଁ ଲୋକେ ଶପଥ କରୁଥିଲେ । କଳିଙ୍ଗ ଦେଶରେ ଲୋକଵିଶ୍ୱାସ ଥିଲା ଯେ ତମ୍ବା, ତୁଳସୀ, ଶାଳଗ୍ରାମ ଵା ହରିବଂଶ ପୋଥି ଛୁଇଁ ନିୟମ ଵା ହଲପ କରି ମିଛ କହିଲେ ହଲପ କରିଵା ଵ୍ୟକ୍ତିର ସର୍ଵନାଶ ଘଟେ। ଏଣୁ ନ୍ଯାୟନିଷାପରେ ଓ ଅଦାଲତରେ ମଧ୍ୟ ଲୋକେ ଵିପକ୍ଷପକ୍ଷକୁ 'ନିର୍ଭର ହଲପ' ମାନୁଥିଲେ, ଅର୍ଥାତ୍ ଵିପକ୍ଷପକ୍ଷ 'ତମ୍ବାତୁଳସୀ', 'ତମ୍ବାତୁଳସୀ ଶାଳଗ୍ରାମ' ବା 'ତମ୍ବାତୁଳସୀ ହରିବଂଶପୋଥି' ଛୁଇଁ ହଲପ କରି ଯାହା କହିଯିଵ ତାହାଦ୍ୱାରା ହଲପ ଦିଆଇଵା ଲୋକ ବାଧ୍ୟ ହେଵ ବୋଲି ସ୍ୱୀକାର କରୁଥିଲେ । ଆଜିକାଲି ଏସବୁ ପରମ୍ପରା ପ୍ରାୟତଃ ଲୁପ୍ତ ଏଵଂ ଅଦାଲତରେ ତୁଳସୀ ପ୍ରଭୃତି ପ୍ରୋକ୍ତ ପଵିତ୍ର ଦ୍ରଵ୍ୟାଦିର ସ୍ଥାନ ଭାଗଵତ ଗୀତା ନେଇଅଛି । 

ତୁଳସୀକୁ ନେଇ ଭାରତରେ ଅନେକ ଅନ୍ଧଵିଶ୍ଵାସ ମଧ୍ୟ ପ୍ରଚଳିତ ଯଥା — ରଵିଵାର ତୁଳସୀରେ ଜଳଦାନ କରିଵ ନାହିଁ ଲକ୍ଷ୍ମୀ ରାଗିବେ । କେତେକ ପାଶ୍ଚାତ୍ୟ ଵୈଜ୍ଞାନିକ ନିଜ ପାଶ୍ଚାତ୍ୟ ଔଷଧ ଵିକ୍ରି ପାଇଁ ମଧ୍ୟ ପ୍ରଚାର କରୁଛନ୍ତି ଯେ ତୁଳସୀ ପତ୍ର ଚୋବାଇଲେ ଦାନ୍ତ କ୍ଷତି ହୁଏ ଇତ୍ୟାଦି । କୌଣସି ଦ୍ରଵ୍ୟ ଅତି ପ୍ରୟୋଗ ଭଲ ନୁହେଁ । ସେହିପରି ତୁଳସୀ ପତ୍ର ଅଧିକ ଚୋବାଇଵା କ'ଣ ଆଵଶ୍ୟକ କିନ୍ତୁ ପ୍ରତ୍ୟହ ଗୋଟିଏ ତୁଳସୀ ପତ୍ର ଚୋବାଇଲେ କ୍ଷତି ନାହିଁ । ରଵିଵାର ଦିନ ଜଳଦାନ ନକରିଵାର କୌଣସି ଵୈଜ୍ଞାନିକ କାରଣ ନାହିଁ ତେଣୁ ଏସବୁ ପ୍ରତି ଧ୍ୟାନ ନଦେଇ ତୁଳସୀ ଗଛରେ ଜଳ ଦିଆଯିଵା ଉଚିତ୍ ।

“ପତ୍ରଂ ପୁଷ୍ପଂ ଫଳଂ ଶାଖା ତ୍ବକ୍ ସ୍କନ୍ଧଜ୍ଞିତମ୍ ।
ତୁଳସୀସମ୍ବଵଂ ସର୍ଵଂ ପାଵନଂ ମୃତ୍ତିକାଦିକମ୍ ॥”

ଅର୍ଥାତ୍ ତୁଳସୀର ପତ୍ର,ଫୁଲ,ଫଲ,ଶାଖା,ଛଲି, ଗଣ୍ଡି ଓ ମାଟି ଆଦି ସବୁ ପଵିତ୍ର ଅଟେ । ଏଠାରେ ପଵିତ୍ର କହିଲେ ଔଷଧୀୟ ବୋଲି ବୁଝିଵାକୁ ହେଵ ‌। ତୁଳସୀ ପ୍ରଥମେ ଏକ ଔଷଧୀୟ ପାଦପ ବୋଲି ଆମକୁ ହୃଦୟଙ୍ଗମ କରିଵାକୁ ହେଵ । ତୁଳସୀ ଭାରତର ଏକ ମହତ୍ତ୍ୱପୂର୍ଣ୍ଣ ଔଷଧୀୟ ପାଦପ ଏଵଂ ଏହାକୁ ବଞ୍ଚାଇ ରଖିଵାକୁ ହେଲେ ପ୍ରତ୍ୟେକ ସନାତନୀ ତାହାର ଘରେ ଵର୍ଷର ଗୋଟିଏ ଦିନ ନୁହେଁ ଵରଂ ଚଉରା ପ୍ରସ୍ତୁତ କରି ଵର୍ଷକୁ ୩୬୫ ଦିନ ଜଳଦାନ,ଦୀପଦାନ ପୂର୍ଵକ ତୁଳସୀ ପୂଜନ ଦିଵସ ପାଳନ କରିଵା ଆଵଶ୍ୟକ । 

ଜୟ ଜଗନ୍ନାଥ 
ଜୟ କଳିଙ୍ଗ 🙏

Thursday, August 11, 2022

ଗହ୍ମା ପୂର୍ଣ୍ଣିମାରେ ବଳଦେଵଙ୍କ ଜନ୍ମ ଉତ୍ସଵ ଓ ରକ୍ଷା ବନ୍ଧନ ପରମ୍ପରା

ଓଡିଶା ସମେତ ପୂର୍ଵଭାରତର ଵିଭିନ୍ନ ସ୍ଥାନରେ ଶ୍ରାଵଣ ମାସର ପୂର୍ଣ୍ଣିମା ତିଥିକୁ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଶ୍ରାଵଣ ପୂର୍ଣ୍ଣିମା ଦିନ କୃଷ୍ଣଙ୍କର ବଡ଼ ଭାଇ ବଳରାମଙ୍କ ଜନ୍ମ ହୋଇଥିଲା ବୋଲି ପୁରାଣରେ କଥିତ ଅଛି । ବଳରାମ ମଧ୍ୟ ବଳଦେବ, ବଳଭଦ୍ର, ଓ ହଳଧର ଆଦି ଵିଭିନ୍ନ ନାମରେ ପୂଜା ପାଆନ୍ତି । 


ଆଗେ କଳିଙ୍ଗୋଡ୍ରୋତ୍କଳରେ ଗହ୍ମାପୂର୍ଣିମା ଦିନ ବଳଦେଵ ଜୀଉଙ୍କ ଵିଶେଷ ପୂଜାର୍ଚ୍ଚନା ହେଉଥିଲା । ପରମ୍ପରା ଅନୁଯାୟୀ ପ୍ରତି ଶ୍ରାଵଣ ପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିର ଓ କେନ୍ଦ୍ରାପଡ଼ାର ବଳଦେଵ ଜୀଉ ଦେଉଳରେ ବଳଦେଵଙ୍କ ଜନ୍ମନୀତି ମହା ସମାରୋହରେ ପାଳିତ ହୋଇଥାଏ ।ଏହି ଦିନ ଗାଈ ଓ ବଳଦମାନଙ୍କୁ ପ୍ରଭୁ ବଳରାମଙ୍କ ପ୍ରତୀକ ଭାବେ ପୂଜା କରାଯାଇଥାଏ ।

ଗହ୍ମା ଶବ୍ଦ ଗୋମାତା ଶବ୍ଦରୁ ଆସିଛି ବୋଲି ଏକ ଲୋକପ୍ରିୟ ମତ ପ୍ରଚଳିତ । ଗାଈକୁ ହିନ୍ଦୁ ଶାସ୍ତ୍ରରେ ଗୋମାତା ବୋଲି କୁହାଯାଇଛି । ସମ୍ଭଵତଃ ଗୋମତା ଶବ୍ଦ କ୍ରମଶଃ ଗୋମା ଏଵଂ ପରେ ଗହ୍ମା ହୋଇଥାଇପାରେ । ଗାଭୀ ପୂଜନର ପର୍ଵ ହୋଇଥିଵାରୁ ଏମନ୍ତ ହୋଇଥିଵା ଅସମ୍ଭଵ ନୁହେଁ ।

ମତାନ୍ତରେ ଓଡ଼ିଆ ଗମାଇଵା କ୍ରିୟା ସହିତ ଗହ୍ମା ଶବ୍ଦ ସମୋଦ୍ଧୃତ ହୋଇଥାଇପାରେ । ଗମିଵା କ୍ରିୟାର ଅର୍ଥ ଗମନ କରିଵା ଵା ଯିଵା ଏଵଂ ଏହାର ଜିଣନ୍ତ ଧାତୁରୂପ ଗମାଇଵା ଅଟଇ । ଗମାଇଵା କ୍ରିୟାଟି ଅନ୍ୟଦ୍ଵାରା ଯିଵା,ଗତି କରାଇଵା, କାଟିଵା ଵା ଗତ କରିଵା,ପାରକରିଵା, ଅତିଵାହିତ କରିଵା, କଟାଇଵା,ହଜାଇଵା(ଗୁପ୍ତ ଧାତୁ),ଗମର କରିଵା ଵା ସଢ଼ାଇଵା ଅର୍ଥରେ ଆମ ଭାଷାରେ ପ୍ରୟୋଗ କରାଯାଏ । ଗହ୍ମାଡିଆଁ ସମୟରେ ପ୍ରଥମେ ଗୋଟିଏ ଅଣ୍ଡିରା ବାଛୁରିକୁ ନେଇ ଗମ୍ହାଵେଦୀକୁ ଡିଆଁଇ ଦେଵାର ଵିଧି ପ୍ରଚଳିତ ଏଵଂ ତତ୍ପରେ ମାନଵମାନେ ଵିଶେଷତଃ କିଶୋର/ଯୁଵକମାନେ ଗହ୍ମାଡିଆଁ କରିଥାନ୍ତି । ତେଣୁ ପ୍ରଥମେ ଲୋକେ ଅଣ୍ଡିରା ବାଛୁରୀକୁ ଗହ୍ମାଵେଦୀ ଡିଆଁଉଥିଵାରୁ ଗମାଇଵା କ୍ରିୟାର "ଅନ୍ୟଦ୍ଵାରା ଡିଆଁଇ ଗତି କରାଇଵା" ଅର୍ଥ ଘେନି ଗମା ଓ ପରେ ଗହ୍ମା ଶବ୍ଦ ସୃଷ୍ଟି ହୋଇଥିଵା ସମ୍ଭଵପର ହୃଦବୋଧ ହୁଏ । 


ଅନ୍ୟ ଏକ ମତ ଅନୁସାରେ ଗମା ଶବ୍ଦଟି ଆଗେ ମାଟିଗଦା ଵା ଉଚ୍ଚସ୍ଥାନ ଅର୍ଥରେ ପ୍ରୟୋଗ କରାଯାଉଥିଲା । ଏହାର ପ୍ରମାଣ ସ୍ବରୂପ ଆଜି ବି ଓଡ଼ିଶାରେ ବଡ଼ମୁଣ୍ଡିଆକୁ ଗହ୍ଭାମୁଣ୍ଡିଆ କୁହାଯାଏ ଏଵଂ ମାଟିଗଦା ତଥା ଉଚ୍ଚାସ୍ଥାନକୁ ଆଜି ମଧ୍ୟ ଗଡ଼ଜାତରେ ଗୁମା କୁହାଯାଏ ।‌ ଗହ୍ମାଡିଆଁ ସମୟରେ ଗହ୍ମାଵେଦୀ ମଧ୍ୟ ମାଟିଗଦାକୁ ନେଇ ଗଢ଼ାଯାଏ ତେଣୁ ହୁଏତ ଗହ୍ଭା,ଗୁମାର ମାଟିଗଦା ଵା ଉଚ୍ଚସ୍ଥାନ ଅର୍ଥ ଘେନି ଗହ୍ମାପୂର୍ଣ୍ଣିମା ଓ ଗହ୍ମାଡିଆଁର ନାମକରଣ କରାଯାଇଛି ।‌

ସେ ଯାହା ହେଉ ଆଗେ ନିଜ ନିଜ ଗୃହରେ ସମସ୍ତ ଉତ୍କଳୀୟ ପ୍ରଜା ଏହିଦିନ ଗାଈ ବଳଦମାନଙ୍କୁ ପୂଜା କରି ସେମାନଙ୍କୁ ପିଠା, ମିଷ୍ଟାନ୍ନ ଖୁଆଇଵା ସହ ସନ୍ଧ୍ୟାରେ ଗୃହ ସମ୍ମୁଖରେ ଘାସ ରଖୁଥିଲେ । ଚରିଵାକୁ ଯାଇଥିଵା ଗାଈ ଅପରାହ୍ନ ସମୟରେ ଫେରିଵା ବେଳେ ଲୋକେ ତାଙ୍କ ଦାଣ୍ଡଗୁଡି଼କରେ ରଖିଥିଵା ଘାସ ଖାଉଥିଲେ । ଆଜି ମଧ୍ୟ ଓଡି଼ଶାର କେତେକ ଅଞ୍ଚଳରେ ଏହି ପରମ୍ପରା ବଞ୍ଚିରହିଛି । 

ଗହ୍ମାପୂର୍ଣ୍ଣିମା ଦିନ ଗୋ (ଗାଭି)ଙ୍କ ପ୍ରତି ସାମାନ୍ୟତମ ଅନାଦର କରିବାକୁ ମଧ୍ଯ ସମସ୍ତଙ୍କୁ ବାରଣ କରାଯାଇଥାଏ । 


ଦକ୍ଷିଣ ଓଡ଼ିଶାର ଗ୍ରାମାଞ୍ଚଳରେ ଆଜି ବି ଗହ୍ମା ପୂର୍ଣ୍ଣିମାରେ ଗ୍ରାମ ପ୍ରାନ୍ତରରେ ଗୋଟିଏ ହସ୍ତପଦ ଅଙ୍କିତ ବଳଦ ଶୋଇଵା ଆକାରର ମୃତ୍ତିକା ସ୍ତୁପ ନିର୍ମାଣ କରାଯାଏ । ସେହି ଵଳୀଵୃର୍ଦ୍ଧାକୃତି ମୃତ୍ତିକା ସ୍ତୁପକୁ ହିଁ ଗହ୍ମାଵେଦୀ କହିଥାନ୍ତି । 
 

 ଗହ୍ମାଵେଦୀ ନିକଟରେ ଗ୍ରାମର ସାଧାରଣ ବଳଦେବ ପୂଜା ଓ ଭୋଗ ହୁଏ ତଥା ଶେଷରେ ଗୋଟିଏ ଅଣ୍ଡିରା ବାଛୁରୀକୁ ଏ ସ୍ତୁପକୁ ଆଡ଼ବାଗରେ ଡିଆଁନ୍ତି । ଅଣ୍ଡିରା ବାଛୁରୀକୁ ଗହ୍ମାଵେଦୀ ଡିଆଁଇଵା ପରେ କିଶୋର ଯୁଵକମାନେ ଗହ୍ମାଵେଦୀ ଉପରୁ ଲମ୍ଫ ପ୍ରଦାନ କରନ୍ତି । ଏହିପରି ଭାବେ ଗହ୍ମାପୂର୍ଣ୍ଣିମା ପର୍ଵ ସହ ମନୋରଞ୍ଜନ ଧର୍ମୀ କ୍ରୀଡ଼ା ଗହ୍ମା ଡିଆଁ ପରମ୍ପରା ଯୋଡ଼ି ହୋଇଛି । ଗହ୍ମାଡିଆଁ ପରେ ସେଠାରେ ହୋଇଥିବା ଭୋଗକୁ ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟନ କରାଯାଏ । 


ଆଗେ ପୁରୀଜିଲ୍ଲାର ଶାସନମାନଙ୍କରେ ଗହ୍ମାପୂର୍ଣ୍ଣମୀ ଦିନ ଗହ୍ମାଵେଦୀଠାରେ ହୋଇଥିଵା ଭୋଗରୁ ପ୍ରତ୍ଯେକ ମହାଜନଙ୍କ ଭାଗ ଅନୁସାରେ ମହାଜନଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ଭାଗ ଅନୁସାରେ ବଣ୍ଟାଯାଉଥିଲା ଏଵଂ ଏହାକୁ ଗହ୍ମା ହକରା କୁହାଯାଉଥିଲା ।‌ ଗହ୍ମାପୂର୍ଣ୍ଣିମୀଦିନ ଗହ୍ମାଵେଦୀଠାରେ ବଳଦେଵଙ୍କୁ ଭୋଗ ହୋଇଥିଵା ହକରା ନେବାକୁ ଉପସ୍ଥିତ ହେଵାପାଇଁ ବ୍ରାହ୍ମଣଶାସନ ଗ୍ରାମଵାସୀ ମହାଜନମାନଙ୍କୁ ନାମସୂଚୀ ଅନୁସାରେ ଜଣ ଜଣ କରି ଆହ୍ବାନ କରାଯାଉଥିଲା । ଏହି ଵିଧିକୁ ଲୋକେ ଗହ୍ମା ଡାକରା କହୁଥିଲେ । ଉଲ୍ଲେଖଯୋଗ୍ୟ ଯେ ଵିଵାହର ପ୍ରଥମ ଵର୍ଷମଧ୍ୟରେ କୁମାର ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା ଓ ଦୋଳ ପୂର୍ଣ୍ଣିମା ଛଡ଼ା ଗହ୍ମାପୂର୍ଣ୍ଣିମୀଦିନ ଶଶୁରଘରକୁ ଯିଵାପାଇଁ ଜ୍ବାଇଁକୁ ନିମନ୍ତ୍ରଣ କରାଯିଵାର ପରମ୍ପରା ଓଡ଼ିଶାରେ ପ୍ରଚଳିତ ଥିଲା ଏଵଂ ତାକୁ ମଧ୍ୟ ଗହ୍ମାଡାକରା କୁହାଯାଉଥିଲା । 

ଗହ୍ମା ଶବ୍ଦଯୁକ୍ତ କେତେକ ଗଡ଼ଜାତିଆ ଶବ୍ଦ ରହିଛି ଯାହା ପ୍ରମାଣ କରେ ଯେ ଏକଦା ଗଡ଼ଜାତରେ ମଧ୍ୟ ଗହ୍ମା ପୂର୍ଣ୍ଣିମାରେ ଗୋପୂଜା ପରମ୍ପରା ବହୁପରିମାଣରେ ପ୍ରଚଳିତ ଥିଲା । 

ସମ୍ବଲପୁରରେ ତେଲୁଣି ଵା ତେଲଗୁଣି ପୋକକୁ ଗମାକୀଡ଼ା, ଗମିକୀଡ଼ା,ଗମ୍‌କିରା,ଗମ୍‌ପୋକ୍ ,କନ୍ଧମାଳରେ ଗମାପୁକ୍ ତଥା ଢେଙ୍କାନାଳ ଓ ଅନୁଗୋଳରେ ଗମିପୋକ କୁହାଯାଏ । ଏହି ତେଲୁଣି ପୋକ ସାଧାରଣତଃ ଶ୍ରାଵଣ ମାସରେ ବହୁପରିମାଣରେ ଦୃଶ୍ୟ ହୋଇଥାନ୍ତି । ସୂଚନାଯୋଗ୍ୟ ଯେ ଗଡ଼ଜାତରେ ଧାନରେ ଲାଗୁଥିଵା ଏକପ୍ରକାରର ଧଳାପୋକକୁ ଗହ‌୍‌ମା ପୋକ୍ କୁହାଯାଏ କାରଣ ଏହା ଗମୁଆ ଗମୁଆ ଗନ୍ଧଯୁକ୍ତ ହୋଇଥାଏ । ବହୁତ ସମ୍ଭଵ ଗହ୍ଭାପୂର୍ଣ୍ଣିମାର ଗହ୍ମା ଶବ୍ଦ ଆଧାରରେ ତେଲୁଣି ପୋକର ଗମ୍‌କିରା ଓ ଗମିପୋଟ ନାମ ରଖାଯାଇଥିଲା । ଏହାର ପ୍ରମାଣ ସ୍ବରୂପ ଆଉ ଏକ ଶବ୍ଦ ଆମ ଭାଷାରେ ରହିଛି । ଓଡ଼ିଶାରେ ଗହ୍ମାପୂର୍ଣ୍ଣିମୀ ସମୟକୁ ଗଛରେ ପାଚି ଯାଇଥିଵା ଛୋଟ ନଡି଼ଆକୁ
ଗହ୍ମାକଠା କୁହାଯାଏ । ନଡ଼ିଆ କଷି ହେଵାଠାରୁ ପାଚିଵା ପର୍ଯ୍ୟନ୍ତ ୧୦ ମାସ ସମୟ ଲାଗେ । ମାର୍ଗଶିର ମାସରେ ଯେଉଁ ନଡି଼ଆ କଷି ଧରି ଥାଏ ତାହା ସାଧାରଣତଃ ଛୋଟ ଓ ଅପୁଷ୍ଟ ହୋଇଥାଏ ଏଵଂ ତାହା ଗହ୍ମାପୂର୍ଣ୍ଣିମୀକୁ ତୋଳା ହେଵା ସମୟରେ ସାଧାରଣ ନଡ଼ିଆ ଅପେକ୍ଷା ଛୋଟ (କଠା) ଥିବା ଦେଖାଯାଏ ଫଳତଃ ଏ ଜାତୀୟ ନଡି଼ଆକୁ ଗହ୍ମାକଠା କୁହାଯାଏ । 

ତେବେ ଆଜି ଗହ୍ମାପୂର୍ଣ୍ଣିମା ସହିତ ଯୋଡ଼ି ହେଲାଣି ରକ୍ଷା ବନ୍ଧନ ପରମ୍ପରା । ଭାଇ ଭଉଣୀଙ୍କ ପଵିତ୍ର ସମ୍ପର୍କକୁ ନେଇ ରକ୍ଷାବନ୍ଧନର ପରିକଳ୍ପନା । ଵୈଦିକକାଳରେ ଗୁରୁଶିଷ୍ୟ ପରମ୍ପରାରେ ଗୁରୁଙ୍କ ଦ୍ଵାରା ଶିଷ୍ୟକୁ ସୂତ୍ର ବନ୍ଧନର ପରମ୍ପରା ପ୍ରଚଳିତ ଥିଲା । କେତେକ ଗବେଷକଙ୍କ ମତରେ କ୍ରମଶଃ ସେହି ପରମ୍ପରା ପରିଵର୍ତ୍ତିତ ହୋଇ ରକ୍ଷାବନ୍ଧନର ରୂପ ନେଇଅଛି । ସେହିପରି ଯୁଦ୍ଧକ୍ଷେତ୍ରକୁ ଯାଉଥିଵା ଵୀର ହସ୍ତରେ ଭାରତୀୟ ସଧଵାମାନେ ରକ୍ଷାସୂତ୍ର ବାନ୍ଧୁଥିଲେ । ଯୁଦ୍ଧକୁ ଯାଉଥିଵା ଵୀରଙ୍କ ହସ୍ତରେ ଏହି ରକ୍ଷା ସୂତା ବାନ୍ଧି ତାଙ୍କ ମଙ୍ଗଳ ତଥା ବିଜୟ କାମନା କରାଯାଉଥିଲା । ଏହି ପରମ୍ପରା ଆଧାରରେ ମଧ୍ୟ ରାକ୍ଷୀ ପୂର୍ଣ୍ଣିମାର ପରମ୍ପରା ପ୍ରଚଳିତ ହୋଇଥିଵା ଅନୁମାନ କରାଯାଏ । ଆମ ତଥାକଥିତ ସମାଜରେ ନାରୀ ସର୍ଵଦା ଅବଳା ଓ ଦୁର୍ଵଳା ଭାବେ ଵିଵେଚିତ ହୋଇ ଆସିଛି ତେଣୁ ତା’ର ସୁରକ୍ଷା ନିତାନ୍ତ ଆଵଶ୍ୟକ । ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଦେଇ ତା’ର ସୁରକ୍ଷା କାମନା କରିଥାଏ । ମତାନ୍ତରରେ ଭାଇର ସୁରକ୍ଷା ପାଇଁ ଭଉଣୀ ଭାଇର ହାତରେ ରକ୍ଷାସୂତ୍ର ବାନ୍ଧି ଦିଏ । ଭାଇ ଭଉଣୀର ଏହି ଅନାଵିଳ ପ୍ରେମରୁ ରକ୍ଷା ବନ୍ଧନର ସୃଷ୍ଟି । ଏ ରକ୍ଷା ସୂତ୍ର ସମ୍ପର୍କର, କର୍ତ୍ତଵ୍ୟବଦ୍ଧତାର, ସ୍ନେହ ପ୍ରେମର, ସୁରକ୍ଷାର ଓ ଭରସାର ସେତୁ ଅଟଇ ।

କିନ୍ତୁ ଓଡ଼ିଶାରେ ଆଜକୁ ପ୍ରାୟ ୬୦-୭୦ ଵର୍ଷ ତଳେ ରକ୍ଷାବନ୍ଧନ ଏତେ ଲୋକପ୍ରିୟ ହୋଇନଥିଲା । ଭାଇମାନଙ୍କ ପାଇଁ ତାଙ୍କ ଭଉଣୀମାନେ କାର୍ତ୍ତିକ ଶୁକ୍ଳ ଦ୍ଵିତୀୟା ଦିନ ଯମ ଦ୍ଵିତୀୟା ଓଷା ଵା ଭାତୃଦ୍ବିତୀୟା ବ୍ରତ ରଖୁଥିଲେ । ଏହା ହିନ୍ଦୀ ଭାଷୀ ଅଞ୍ଚଳର ଭାଇଦୁଜ ବ୍ରତ ଭଳି ଏକ ପ୍ରକାରର ବ୍ରତ ଥିଲା । କେତେକ ଗଵେଷକଙ୍କ ମତରେ ପଶ୍ଚିମଭାରତର ଗାଣପତ୍ୟ ପନ୍ଥରୁ ଅନୁପ୍ରାଣିତ ହୋଇ ପ୍ରଥମେ ଉତ୍ତରଭାରତ ତଥା ବଙ୍ଗରେ ରକ୍ଷାବନ୍ଧନ ଆରମ୍ଭ ହୋଇଥିଲା କିନ୍ତୁ ଆଉ କେତେକ ଗଵେଷକ ଏହି ମତକୁ ଖଣ୍ଡନ କରନ୍ତି । କୁହାଯାଏ ପଶ୍ଚିମ ଭାରତରୁ ଲୋକପ୍ରିୟ ହୋଇ ଉତ୍ତରଭାରତରେ ପ୍ରଚଳିତ ହୋଇ ବଙ୍ଗ ଦେଇ ଓଡ଼ିଶାକୁ ଆସିଲା ରକ୍ଷାସୂତ୍ର ବନ୍ଧନର ନଵ୍ୟ ପରମ୍ପରା । ବୋଧହୁଏ ଓଡିଶାରେ ଵୈଷ୍ଣଵ ସମ୍ପ୍ରଦାୟର ପ୍ରଭାଵରେ ପରେ ଶ୍ରୀଜଗନ୍ନାଥ ମନ୍ଦିରରେ ରାକ୍ଷୀପୂର୍ଣ୍ଣିମା ପାଳନ କରାଯାଉଅଛି । ଆଜକୁ ଚାଳିଶ ପଚାଶ ଵର୍ଷ ତଳେ କେଵଳ ଓଡ଼ିଶାର ନଗରଵାସୀ ଧନୀକ ଧାର୍ମିକ ବୁଦ୍ଧିଜୀଵୀମାନଙ୍କ ମଧ୍ୟରେ ହିଁ ରକ୍ଷାବନ୍ଧନ ସୀମିତ ଥିଲା । ଓଡ଼ିଶାରେ ପ୍ରଥମେ ପ୍ରଥମେ ଯେତେବେଳେ ରକ୍ଷାବନ୍ଧନ ଆସିଲା ଓଡ଼ିଆ ଲୋକେ ତାହା ସମ୍ପୂର୍ଣ୍ଣ ଵୈଦିକ ରୀତିନୀତିରେ ପାଳନ କରୁଥିଲେ । 

ମନ୍ତ୍ର ଦ୍ୱାରା ଅଭିମନ୍ତ୍ରିତ ସୂତାକୁ ଶୁଦ୍ଧ ହଳଦୀଜଳରେ ବୁଡ଼ାଇ ଭଉଣୀମାନେ ତାଙ୍କ ଭାଇଙ୍କ ହାତରେ ରକ୍ଷାସୂତ୍ର ବାନ୍ଧୁଥିଲେ ।
ସେ ଦିନିଆ ରେଶମ ଡୋରିର ଵ୍ୟଵହାର ରକ୍ଷାବନ୍ଧନପାଇଁ ହେଉନଥିଲା କାରଣ ଲୋକ ଭାବୁଥିଲେ ଗୋଟାଏ ଜୀଵକୁ ମାରି ତା’ର ମୃତ ଶରୀରରୁ ଉତ୍ପାଦିତ ସୂତା ଭଲା କାହାର କିପରି ରକ୍ଷା କରି ପାରିଵ ! 

କ୍ରମେ ବଲିଉଡ ତଥା ଓଲିଉଡ ଚଳଚ୍ଚିତ୍ରରେ ରକ୍ଷାବନ୍ଧନ ପରମ୍ପରାର ପ୍ରଚାର ପ୍ରସାର ଯୋଗୁଁ ଆଜି ଓଡ଼ିଶାର ଘରେ ଘରେ ଲୋକେ ତହିଁରୁ ପ୍ରଭାଵିତ ହୋଇ ରାକ୍ଷୀ ବାନ୍ଧିଵା ଆରମ୍ଭ କରିଛନ୍ତି । 

ମାତ୍ର ସ୍ବାଧୀନତା ପରେ ପରେ ଦୂରଦର୍ଶନ, ଅଲ୍ ଇଣ୍ଡିଆ ରେଡିଓ, ସମ୍ବାଦପତ୍ର, ସାହିତ୍ୟ କୃତି, ଚଳଚ୍ଚିତ୍ର ଆଦି ଗଣମାଧ୍ୟମରେ ପ୍ରଚାର ଯୋଗୁଁ ଓଡ଼ିଆଙ୍କ ପାଇଁ ଆଜି ଗହ୍ମାପୂର୍ଣିମାଟା ରାକ୍ଷୀପୂର୍ଣ୍ଣିମା ହୋଇଯାଇଛି । ଆଜି ପରିସ୍ଥିତି ଏଭଳି ହୋଇଛି ଗହ୍ମା କହିଲେ କେତେକ ଲୋକ ରାକ୍ଷୀ ବୋଲି କହୁଛନ୍ତି କିନ୍ତୁ ପ୍ରକୃତରେ ଏହା ସମ୍ପୂର୍ଣ୍ଣ ଭ୍ରମାତ୍ମକ । ରାକ୍ଷୀ ସହିତ ଗହ୍ମାର କୌଣସି ସମ୍ପର୍କ ନାହିଁ ଅଧିକନ୍ତୁ ଗହ୍ମା ପୂର୍ଣ୍ଣିମା ଓଡ଼ିଶାର ନିଜସ୍ଵ ପାରମ୍ପରିକ ପର୍ଵ ଯାହା ଭାରତରେ ଅନ୍ୟତ୍ର ଦେଖିଵାକୁ ମିଳେନାହିଁ ।

•••••••••••••••••••••••••
ଶିଶିର ସାହୁ ମନୋଜ
କାମାକ୍ଷାନଗର, ଢେଙ୍କାନାଳ 
••••••••••••••••••••••••