Sunday, April 30, 2023

•ଗୋଵର ଓ ତତ୍ ସମ୍ବନ୍ଧୀୟ ଶବ୍ଦ ସମ୍ଭାର•





ଆଜିକାଲି ଆଉ ଅଧିକାଂଶତଃ ଗୋଵର ଦ୍ଵାରା ଘର ଲିପା ହେଉନାହିଁ କାରଣ ଚାରିଆଡ଼େ ଏବେ କୋଠାଘର ହୋଇଗଲାଣି ତେବେ ଗ୍ରାମାଞ୍ଚଳରେ ଵିଶେଷ ପୂଜା ପର୍ଵ ପାର୍ଵଣ ପୂର୍ଵରୁ କାଁ ଭାଁ କେହି କେହି ଗୋଵର ଦ୍ଵାରା ଘର ଲିପୁଛନ୍ତି । ଆଗକାଳରେ ଗୋଵରରେ ଲିପାପୋଛାକୁ ନେଇ ଆମ ଭାଷାରେ ଅନେକ ଶବ୍ଦ ଚଳୁଥିଲା ହେଲେ ଏହି ପରମ୍ପରା ଧିରେ ଧିରେ ସମାଜରୁ ଅପସରି ଯାଉଥିଵାରୁ ସେ ଶବ୍ଦ ସବୁ ମଧ୍ୟ ଲୋପ ପାଇଯାଉଛି ।

କୌଣସି ଅପରିଷ୍କୃତ ସ୍ଥାନକୁ ଗୋଵର ଲଗାଇ ଲିପିଵାକୁ ଗୋଵର ଲଗାଇଵା କୁହାଯାଉଥିଲା ପୁଣି ଲକ୍ଷଣାର୍ଥ ଏ ଶବ୍ଦ କୌଣସି କାର୍ଯ୍ୟରେ ଭୁଲଭଟକା ରଖିଵା ଵା ତନ୍ତରମାଧିଆ କରି କାର୍ଯ୍ୟ କରିଵା ଅର୍ଥରେ ବି ଵ୍ଯଵହୃତ ହେଉଥିଲା । 

ଦୈନିକ କାର୍ଯ୍ୟ ସ୍ୱରୂପ ଵିଶେଷତଃ ପର୍ଵପର୍ଵାଣିରେ ଘରର ଦୁଆରମୁହଁ ପାଖ ଗୋଵରମିଶା ପାଣିରେ ଲିପିଵାକୁ କଟକାଞ୍ଚଳରେ ଚଉକା ଦେଵା କୁହାଯାଉଥିଲା । କେତେକ ଅଞ୍ଚଳରେ ପାକ ପୂର୍ଵରୁ ଚୂଲିର ଚାରିପାଖ ଗୋଵରରେ ଲିପି ପରିଷ୍କାର ଓ ପରିଶୁଦ୍ଧ କରିଵାକୁ ମଧ୍ୟ ଲୋକେ ଚଉକା ଦେଵା କହୁଥିଲେ ।‌ ଉତ୍ତର ଓଡ଼ିଶାରେ ଗୋଵରରେ ଘର ଲିପିଵାକୁ ଛଁଚ୍ କୁହାଯାଉଥିଲା ।‌ ଉପକୂଳଵର୍ତ୍ତୀ ଓଡ଼ିଶାରେ ମାଟିଘରର ତଳରେ ମାଟିଗୋଵରପାଣି ଅଳ୍ପ ଅଳ୍ପ ଛିଞ୍ଚି କନାରେ ଲିପିଵାକୁ ଛିଞ୍ଚ ଦେଵା କୁହାଯାଉଥିଲା। ଏ ଶବ୍ଦ କେତେକ ଅଞ୍ଚଳରେ ଛୁଞ୍ଚ ଓ ଛୁଞ୍ଚ ଦେଵା ରୂପେ ବି ଚଳୁଥିଲା । ଵିଶେଷତଃ ସକାଳୁ ଗୋଵରପାଣିରେ ଅଗଣା ଆଦି ଲିପିଵାକୁ ଛୁଞ୍ଚ ଦେଵା କୁହାଯାଉଥିଲା । ସେହିପରି ଘର ଲିପିଵାର କନାକୁ ଆଗେ ଲୋକେ ମାଟି ଗୋଵରକନା, ଛିଞ୍ଚକନା ଓ ଛୁଞ୍ଚିକନା କହୁଥିଲେ ।‌ ପ୍ରତ୍ୟହ ସକାଳେ ଘର ଓ ଅଗଣାଆଦି ଲିପିଵାରେ ଵ୍ୟଵହୃତ ଗୋଵରପାଣିକୁ ଛୁଞ୍ଚପାଣି ଓ ନିତି ସକାଳେ ଘରଦ୍ୱାର ଲିପିଵା ପାଇଁ ଯେଉଁ ହାଣ୍ଡିରେ ମାଟିଗୋଵର ମିଶା ପାଣି ରଖାଯାଉଥିଲା ତାକୁ ଛୁଞ୍ଚହାଣ୍ଡି କହୁଥିଲେ ।‌

ମଧ୍ୟ ଗଡ଼ଜାତରେ ଲୋକେ ଗୋଵରରେ ଘର ଲିପିଵାକୁ ନିକା କହୁଥିଲେ ଏଵଂ ଆଜି ବି ଘର ଲିପିଵା , ସଜାଡି଼ଵା ଓ ବାଛିଵା ଅର୍ଥରେ ନିକେଇଵା ଶବ୍ଦ ଵ୍ୟଵହାର ହୋଇଥାଏ । 

ବାଲେଶ୍ଵରରେ ଆଗକାଳରେ ଲୋକମାନେ ଗୋଵର ଓ ପାଣିରେ ଘର ପୋଛିଵାକୁ ବୁରି ଦେଵା କହୁଥିଲେ । 

ଆଉ କେତେକ ଅଞ୍ଚଳରେ ଘରର ତଳକୁ ଓ କାନ୍ଥକୁ ଗୋଵର ଗୋଳା ପାଣିରେ ବୁଡ଼ା ହୋଇଥିଵା କନାପୁଡ଼ାରେ ଲିପିଵାକୁ ଲୁଣ୍ଡାଇଵା କୁହାଯାଉଥିଲା ।‌ଘର ଲିପିଵା ପାଇଁ ଵ୍ୟଵହୃତ ମାଟିଗୋଵରର ଏହି ଲୁଣ୍ଡାକୁ ସମ୍ବଲପୁରରେ ସର୍କା କହୁଥିଲେ । 

କୌଣସି ଫାଟକୁ ଗୋବର ବୋଳି ବନ୍ଦ କରିଵାକୁ ଗୋଵର ଲେସିଵା ଓ ଗୋଵର ଲଗାଇଵା କୁହାଯାଉଥିଲା । 
ପ୍ରତିଦିନ ସକାଳେ ଓଡ଼ିଶାର ସ୍ତ୍ରୀଲୋକମାନେ ଗାଈଗୁହାଳକୁ ପୋଛି ପରିଷ୍କାର କରୁଥିଲେ ଏଵଂ 
ଯେଉଁ ଟୋକେଇରେ ଗୁହାଳର ଗୋଵର ଓ ଅଳିଆ ପୂରାଇ ଵାହାରକୁ ଅର୍ଥାତ୍ ଖତଗଦା,ଗୋଵରଖାତ,ଗୋଵରଗଦା,ଗୋଵରଗାଡ଼ ଵା ଖତକୁଡ଼କୁ ନିଆଯାଉଥିଲା ତାକୁ ଗାଣ୍ଡୁଆ ଓ ଗୋଵରପୋଛା କହୁଥିଲେ । ଗୋଵର ପାଣିରେ ଲିପାପୋଛାକୁ ଅଧିକାଂଶ ଅଞ୍ଚଳରେ ଲିପିଵା ପୋଛିଵା କୁହାଯାଉଥିଲା ଯାହା ଆଜି ବି ଚଳୁଅଛି । 

କେଵଳ ଗାଈ ଗୋଵରରେ ଘର ଲିପା ଯାଉଥିଲା ଏଵଂ ଷଣ୍ଢ ଗୋଵର ଦ୍ୱାରା ଯଜ୍ଞ ଭୂମିଆଦି ଲିପିଵା ନିଷିଦ୍ଧ ଥିଵାରୁ “ଅଵ୍ୟଵହାର୍ଯ୍ୟ ପଦାର୍ଥ” ଅର୍ଥରେ ଲକ୍ଷଣାର୍ଥ "ଷଣ୍ଢଗୋଵର" ଶବ୍ଦ ବି ଵିଶେଷ ଵ୍ୟଵହାର ହେଉଥିଲା ।‌

ପ୍ରତିଦିନ ସକାଳେ ଗୃହର ଯେଉଁ ଯେଉଁ ଆଵଶ୍ୟକୀୟ କର୍ମ ଯଥା 
ଅଗଣାରେ ଗୋବର ପାଣି ଛିଞ୍ଚିଵା, ଘରଲିପିଵା, ଗତ କାଲିର ଅଇଁଠା ବାସନ ମାଜିଵା, ଦାଣ୍ଡ, ବାଡ଼ିଆଡ଼ ଓ ଅଗଣା ଓଳାଇଵା ଇତ୍ୟାଦି କରାଯାଉଥିଲା ତାକୁ ଓଡ଼ିଶାର ଲୋକେ 'ବାସୀ ଆଡ଼ତି' କହୁଥିଲେ । ରାନ୍ଧିବା ପୂର୍ଵରୁ ଚୁଲୀର ଚାରିପାଖ ଗୋଵରପାଣିରେ ଲିପି ପରିଷ୍କାର କରିଵାକୁ ଓଡ଼ିଆ ଲୋକେ ଚୂଲି ଚଉକା ଦେଵା କହୁଥିଲେ ।‌

ଆଜିକାଲି ତ ଅନେକ ସ୍ଥାନରେ ସିମେଣ୍ଟ ତିଆରି ଚଉରା କରାଯାଉଛି ତେବେ ଯୁଗ ଥିଲା ଉତ୍କଳର ସନାତନୀ ମହିଳାମାନେ ପ୍ରତିଦିନ ସ୍ନାନ କରି ଚଉରାରେ ପାଣି ଦେଉଥିଲେ ଆଉ କୁଳଵଧୂମାନେ ପ୍ରତିଦିନ ଏଵଂ ଵିଶେଷତଃ ଗୁରୁବାର, ଏକାଦଶୀ ଓ କାର୍ତ୍ତିକମାସରେ ସକାଳୁ ଉଠି ଗୋଵରପାଣିରେ ଚଉରାମୂଳକୁ ଲିପୁଥିଲେ । 


ଆଗକାଳରେ ଏମନ୍ତକି ନବେ ଦଶକ ପର୍ଯ୍ଯନ୍ତ ଓଡ଼ିଶାର ଅଧିକାଂଶ ଗ୍ରାମାଞ୍ଚଳରେ ସକାଳୁଁ ସ୍ତ୍ରୀଲୋକମାନେ ଅଗଣା ଓଳାଇ ଗୋଵରପାଣି ଛିଞ୍ଚୁଥିଲେ ଏଵଂ ତାକୁ ଛରା ଦେଵା ଓ ଛେରା ଦେଵା କହୁଥିଲେ ।‌ ଏହି ପ୍ରକିୟାକୁ ଛରା ଓ ଛେରା ମଧ୍ୟ କୁହାଯାଉଥିଲା ।‌ ସମ୍ବଲପୁର ଅଞ୍ଚଳରେ ଏହି ପରମ୍ପରାକୁ ଝୁଣ୍ଟି ଏଵଂ ସକାଳୁ ଦୁଆରେ ଗୋଵର ପାଣି ଛିଞ୍ଚିଵାକୁ ଝୁଣ୍ଟିଵା କହୁଥିଲେ । 

ଗୋଵର ମିଶା ପାଣି ଦ୍ଵାରା ଦାଣ୍ଡ ଆଗରେ ଠ ଆକାରର ଏକ ଗୋଲାଇ କରି ତହିଁରେ ଦେଵୀ ଦେଵତାଙ୍କୁ ପଣା ଦିଆଯାଉଥିଲା । ଆଜିକାଲି କେହି କେହି ଏହା ପରିଵର୍ତ୍ତେ ରଙ୍ଗ ମୁରୁଜ କରୁଛନ୍ତି । 

ଗୋଵର ଲିପାପୋଛା କରିଵାରେ ସର୍ଵାଧିକ ଯୋଗଦାନ ମହିଳାମାନଙ୍କର ଥିଲା ତେଣୁ ଯେଉଁ ସ୍ତ୍ରୀ ଅତିରିକ୍ତ ଭାବରେ ଆଚାର ନିଷ୍ଠା ପାଳନ କରୁଥିଲା ତାକୁ ଥଟ୍ଟା କରିଵାକୁ ଢଗ ପ୍ରଚଳିତ ହୋଇଥିଲା 

“ନିୟାମୀ ନାନୀ,ଦିହରେ ମାରୁଛି ଗୋଵର ପାଣି"

ଆଗକାଳରେ ଗୋଵର ପାଣିକୁ ଲିପିଵା ଛଡ଼ା ଅନ୍ୟ କାର୍ଯ୍ୟରେ ବି ଲଗାଯାଉଥିଲା ।‌ ଖଜୁରିପିଞ୍ଛକୁ ଗୋଵର ପାଣିରେ ବୁଡ଼ାଇ ତଦ୍ଦ୍ୱାରା ଧାନ ଗଛରେ ଗୋଵର ପାଣି ଛଟାଯାଉଥିଲା ଫଳତଃ ଗୋଵର ଧାନ ଗଛରେ ବୋଳି ହୋଇଯାଉଥିଲା ଏଵଂ ଗୋବର ଗନ୍ଧରେ ଗୋରୁ ଉକ୍ତ ଧାନ ଗଛକୁ ଖାଉନଥିଲେ । ଏହି ପ୍ରକ୍ରିୟାକୁ ପିଛଦେଵା ଓ ପିଞ୍ଛ ମାରିଵା ମଧ୍ୟ କୁହାଯାଉଥିଲା।

ଗୋବର ଓଦା ଥିଵା ଅବସ୍ଥାରେ ତାକୁ ଚକଟି ହାତରେ ପିଠା ପରି ବଳି ତାହା ଖରାରେ ଶୁଖିବା ପାଇଁ ଭୂମିରେ ବା କାନ୍ଥରେ ଥାପିଵାକୁ ଘଷିପାଡି଼ଵା ଵା ଘଷିପାରିଵା କୁହାଯାଉଥିଲା ଏଵଂ ଏହି କାର୍ଯ୍ୟ କରୁଥିଵା ଵ୍ୟକ୍ତିଙ୍କୁ ଘଷି ପରାଳି କହୁଥିଲେ । କରତଳ ଦ୍ୱାରା ଚାପି ଗୋଵରକୁ ଚକ୍ରାକାର କରି ଭୂମିରେ ଵା କାନ୍ଥରେ ଘସି ପାରିଵାକୁ ଚାପଡ଼ାଇଵା କୁହାଯାଉଥିଲା । କେତେକ ଅଞ୍ଚଳରେ ଘଷି କରିଵା ପାଇଁ ଗୋଵରକୁ ପିଠା ପରି ଭୂମିରେ ବସାଇଵାକୁ ତାରିଵା,ଥାପିଵା ବି କହୁଥିଲେ । 

ଯାଜପୁରରେ ଗାଈ ଵା ବଳଦ ଵିକ୍ରି କରିଵା ବେଳେ, ଵିକ୍ରେତା କ୍ରେତାକୁ ଟିକିଏ ମାଟିଗୋଵର ଓ କେରାଏ ଦୁବ ଘାସ ଦେଉଥିଲା ତାକୁ ଛୁତ ଦେଵା କୁହାଯାଉଥିଲା। 

ରସାୟନିକ ସାର ଵ୍ୟଵହାର ପୂର୍ଵରୁ ଗୋଵର ଥିଲା କୃଷିକ୍ଷେତ୍ରର ମୁଖ୍ୟ ଜୈଵିକ ଖତ । ଗୋଵରକୁ କିଏ ଖରସୀ କିଏ ଖତ ତ ଆଉ କିଏ ଗୁଵର କହୁଥିଲେ । ଭିନ୍ନ ଭିନ୍ନ ଅଞ୍ଚଳରେ ଏହାର ନାନା ନାମ ପ୍ରଚଳିତ ଥିଲା । କୃଷିକ୍ଷେତ୍ରକୁ ଖତଗଦାରୁ ଶଗଡ଼ରେ ଡୋଲି ଯୋଗେ ଗାଡ଼ି ଗାଡ଼ି ଗୋଵର ପକାଯାଉଥିଲା । ଗୋରୁ ମଇଁଷିଙ୍କ ଗୋଵର ଓ ମୂତକୁ ବିଲରେ ସାରରୂପେ ସମ୍ପାଦିଵା ଉଦ୍ଦେଶ୍ୟରେ ଗୋରୁ ଵା ମଇଁଷି ପଲଙ୍କୁ ନେଇ କ୍ଷେତ୍ରସ୍ୱାମୀଙ୍କ ବିଲରେ ରାତିରେ ଗଉଡ଼ ପକାଇଵା ପ୍ରକ୍ରିୟା ମଧ୍ୟ ହେଉଥିଲା ଯାହାକୁ ଆଗକାଳର ଲୋକେ ମଳେଇ କହୁଥିଲେ । 

କିନ୍ତୁ ନବେ ଦଶକ ପରେ ସବୁକିଛି ବଦଳି ଗଲା । ଆଧୁନିକ ଭାରତୀୟଙ୍କ ଘରେ ଘରେ ଟିଵି ଓ ପରେ ମୋଵାଇଲ ଆସିଗଲା । ସରକାରୀ ସାହାଯ୍ୟରୁ ଆଵାସ ଯୋଜନା ଦ୍ଵାରା ପକ୍କାଘର ମିଳିଲା କେହି କେହି ନିଜ ଉଦ୍ୟମରେ କୋଟାଘର କଲେ । ଲୋକେ କ୍ରମଶଃ ପଶ୍ଚିମ ସଭ୍ୟତା ଦ୍ଵାରା ପ୍ରଭାଵିତ ହେଲେ ଏଵଂ ବିଲରେ କାର୍ଯ୍ୟ କରିଵା ତଥା ଗୋପାଳନ ପ୍ରତି ଵିମୁଖ ହେଲେ । ମୁଖ୍ୟତଃ ପଶୁ ଖାଦ୍ୟ ଯୋଗାଡ଼ ନକରିପାରିଵାରୁ ନବେ ଦଶକ ପରେ ଧିରେ ଧିରେ ଗୋପାଳନ କମି କମି ଗଲା । ଇତି ମଧ୍ୟରେ ଗ୍ରାମାଞ୍ଚଳରେ ଟ୍ରାକ୍ଟର୍,ଧାନ କଟା ଯନ୍ତ୍ର ଓ ବେଙ୍ଗଳା ଯନ୍ତ୍ର ଇତ୍ୟାଦି ବହୁପ୍ରଚଳିତ ହୋଇଗଲା ଆଉ ସର୍ଵ ଶେଷରେ ରସାୟନିକ ସାର ତଥା କୀଟନାଶକର ବହୁଳ ଵ୍ୟଵହାର ଯୋଗୁଁ ଗାଈ,ବଳଦ ଆଉ ଗୋଵରର ଆଵଶ୍ୟକତା ରହିଲା ନାହିଁ ‌। 
ଗୋଵର ଦ୍ଵାରା ଲିପିଵା ଓ ଗୋଵରର ଅନ୍ୟାନ୍ୟ ଜଣାଶୁଣା ଵ୍ୟଵହାର ଆଜି ବହୁତ କମି ଯାଇଛି । ନୂଆ ଭୁଆସୁଣୀମାନେ ଆଉ ଗୁହାଳ ପୋଛୁନାହାନ୍ତି,ଗୋଵର ଲିପୁନାହାନ୍ତି କି କୃଷକମାନେ ଖଜୁରିପିଞ୍ଚରେ ଗୋଵର ପାଣି ଛିଞ୍ଚି ନିଜ ଧାନଗଛକୁ ସୁରକ୍ଷିତ କରୁନାହାନ୍ତି । କୃଷିକ୍ଷେତ୍ରରେ ଆଗ ଭଳି ଜୈଵିକ ଗୋଵର ଵା ଖତ ପକାଇ ତାକୁ ଉର୍ଵର କରାଯାଉନାହିଁ । 

ହଁ ପରମ୍ପରା ନାମରେ କୋଉଠି କେମିତି କେହି କେହି ମଧ୍ୟ ଵୟସ୍କା ଓ ଵୟସ୍କା ମହିଳାମାନେ ଗୋଵରରେ ଲିପାପୋଛା କରି ଦିଅନ୍ତି । ଆଉ କ'ଣ ଗୋଵରର ଦିନକାଳ ଫେରିଵ ନା ଗୋଵର ସମ୍ବନ୍ଧୀୟ ଏସବୁ ଓଡ଼ିଆ ଶବ୍ଦ ସମ୍ଭାର ଆଉ ବଞ୍ଚି ରହିପାରିଵ ?

No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...