Saturday, August 2, 2025

ନୀଳାମ୍ବର ରାୟସିଂହ ଭ୍ରମରବର: ଢେଙ୍କାନାଳର ଜଣେ ସ୍ମରଣୀୟ ଶାସକ

ଓଡ଼ିଶାର ଐତିହାସିକ ମାଟିରେ ଅନେକ ମହାନ ଵ୍ୟକ୍ତିତ୍ୱ ଜନ୍ମ ହୋଇଛନ୍ତି ଏଵଂ ବିଭିନ୍ନ କ୍ଷେତ୍ରରେ ଅଵିସ୍ମରଣୀୟ ଅବଦାନ ରଖିଛନ୍ତି। ଏ ମାଟିରେ ଅନେକ ନୀଳାମ୍ବର ଜନ୍ମ ଲଭିଛନ୍ତି। ଜନୈକ ଓଡ଼ିଆ କଵି ହୋଇଛନ୍ତି ତାଙ୍କ ନାମ ନୀଳାମ୍ବର ଦାସ। ଏ କଵି 'ଜୈମିନୀ ଭାରତ' ଓ 'ପଦ୍ମପୁରାଣ' ଓଡ଼ିଆ ଭାଷାରେ ଅନୁଵାଦ କରିଥିଲେ। 'ରୁଦ୍ରସ୍ତୁତି' ଓ 'ପୁରୁଷୋତ୍ତମ ଦେଉଳ କାର୍ଯ୍ୟ' ଏହାଙ୍କର ଅନ୍ୟତମ ଗ୍ରନ୍ଥ। ଆଉ ଜଣେ କଵି ବି ଏହି ନାମରେ ପରିଚିତ ହୋଇଥିଲେ, ତାଙ୍କ ନାମ ନୀଳାମ୍ବର ଭଞ୍ଜ ଅଟେ। ଏ କଵି ହଳଦିଆର ରାଜା ଥିଲେ। 'କୃଷ୍ଣଲୀଳାମୃତ' ଓ 'ପଞ୍ଚସାୟକ' ନାମକ ଦୁଇଟି ଗ୍ରନ୍ଥ ଏହାଙ୍କ ଦ୍ୱାରା ରଚିତ। ନୀଳାମ୍ବର ଶର୍ମା ନାମରେ ଜନୈକ ପଣ୍ଡିତ ମଧ୍ୟ ଏ ମାଟିରେ ଭୂମିଷ୍ଠ ହୋଇଛନ୍ତି। ପାଶ୍ଚାତ୍ୟ ପଦ୍ଧତି ଅନୁସାରେ ଏହାଙ୍କୁ 'ଗୋଳ ପ୍ରକାଶ' ନାମକ ସଂସ୍କୃତ ଗଣିତ ଗ୍ରନ୍ଥ ରଚନା କରିଥିଲେ; ଆହୁରି ମଧ୍ୟ ଲୀଳାବତୀଙ୍କ ପ୍ରଣୀତ ଗଣିତ ଶାସ୍ତ୍ରର ଟୀକା କରିଥିଲେ। ଏହାଙ୍କର ଜନ୍ମସ୍ଥାନ ବଲାଙ୍ଗୀର ପାଟନା ଗଡ଼ଜାତ। ନୀଳାମ୍ବର ଵିଦ୍ୟାରତ୍ନ ଜଣେ ପ୍ରସିଦ୍ଧ ଓଡ଼ିଆ ସାହିତ୍ୟିକ ଓ ଶିକ୍ଷାବିତ୍ ଥିଲେ, ଯିଏ ୧୯ଶ ଶତାବ୍ଦୀରେ ଓଡ଼ିଶାରେ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ଜଣେ ସ୍ୱାଧୀନତା ସଂଗ୍ରାମୀ ବି ହୋଇଛନ୍ତି, ତାଙ୍କ ନାମ ନୀଳାମ୍ବର ଦାସ। ଏହିପରି ଭାବେ ମୋଗଲ ଶାସନ କାଳରେ ଢେଙ୍କାନାଳର ଜଣେ ରାଜା ହୋଇଥିଲେ, ତାଙ୍କ ନାମ ବି ଥିଲା ନୀଳାମ୍ବର। 
୧୭ଶ ଶତାବ୍ଦୀରେ ଓଡ଼ିଶା ଏକ ରାଜନୈତିକ ଅସ୍ଥିରତାର ସମୟ ଦେଇ ଗତି କରୁଥିଲା। ମୋଗଲ ଶାସନର ପ୍ରଭାବ ଓଡ଼ିଶାର ଉପକୂଳଵର୍ତ୍ତୀ ଅଞ୍ଚଳରେ ପଡ଼ିଥିଲା । ୧୬୩୩ ମସିହାରେ ଇଂରେଜ ବଣିକମାନେ ମୋଗଲ ସମ୍ରାଟ ଶାହାଜାହାନ ତଥା ଓଡ଼ିଶାର ସୁବେଦାରଙ୍କଠାରୁ ବାଣିଜ୍ୟ ଅନୁମତି ପାଇଥିଲେ। ଏହି ସମୟରେ ଓଡ଼ିଶାର ଗଜପତି ଥିଲେ ବଳଭଦ୍ର ଦେଵ, ଯାହାଙ୍କ ଅନ୍ତେ ତାଙ୍କ ତବ୍ଦୀୟ ପୁତ୍ର ରାଜା ନୀଳାମ୍ବର ରାୟସିଂହ ଭ୍ରମରବର ଢେଙ୍କାନାଳର ଶାସନଭାର ଗ୍ରହଣ କରିଥିଲେ। ୧୬୫୦ ମସିହାରେ ଆଉରଙ୍ଗଜେବ ବଳପୂର୍ଵକ ଦିଲ୍ଲୀ ସିଂହାସନ ଅଧିକାର କରିଥିଲେ, ଯାହା ଓଡ଼ିଶାରେ ମୋଗଲ ଶାସନର ପ୍ରଭାବକୁ ଆହୁରି ଜଟିଳ କରିଥିଲା। ଏହି ଦୁର୍ଦ୍ଦିନରେ ରାଜା ନୀଳାମ୍ବର ଢେଙ୍କାନାଳର ଶାସନ ସମ୍ଭାଳିଥିଲେ ଏଵଂ ସେ ମୋଗଲ ଓ ଇଂରେଜମାନଙ୍କୁ ତାଙ୍କ ରାଜ୍ୟରେ ପ୍ରବେଶ କରିଵାକୁ ଦେଇନଥିଲେ ।‌

ରାଜା ନୀଳାମ୍ବର ଥିଲେ ଜଣେ ଦୂରଦୃଷ୍ଟିସମ୍ପନ୍ନ ଓ ଚତୁର ଶାସକ। ସେ ଢେଙ୍କାନାଳରେ ଏକ ସୁଦୃଢ଼ ସୈନ୍ୟଵାହିନୀ ଗଠନ କରିଥିଲେ, ଯେଉଁଥିରେ ଗଜାରୋହୀ, ଅଶ୍ୱାରୋହୀ, ପଦାତିକ, ନାଗା ଓ ତେଲଙ୍ଗା ସୈନ୍ୟ ଯୋଗ ଦେଇଥିଲେ। ଏହି ସୈନ୍ୟଵାହିନୀ ଭୀମନଗରୀ, ହଦଗଡ଼, କରମୂଳ, ନୂଆଗଡ଼, ଡମରାଜା କଟକ, ଗୋବିନ୍ଦପୁର ଆଦି ଦୁର୍ଗରେ ସଜାଗ ରହି ଵାହ୍ୟ ଶତ୍ରୁଙ୍କ ଆକ୍ରମଣ ପ୍ରତିରୋଧ କରୁଥିଲେ। ରାଜା ନୀଳାମ୍ବର ଯୁଦ୍ଧ ଵିଗ୍ରହ ଦ୍ୱାରା ରାଜ୍ୟର ପରିସୀମା ବୃଦ୍ଧି କରିଵାକୁ ଚେଷ୍ଟା ନକରି ଆଭ୍ୟନ୍ତରୀଣ ଶୃଙ୍ଖଳା ଓ ସୀମା ସୁରକ୍ଷା ପ୍ରତି ଵିଶେଷ ଧ୍ୟାନ ଦେଇଥିଲେ। ଜାୟଗିରୀ ପାଇକମାନେ ଯୁଦ୍ଧ ନିମିତ୍ତ ସର୍ଵଦା ପ୍ରସ୍ତୁତ ରହୁଥିଲେ ଏଵଂ ଏହା ତାଙ୍କ ଶାସନର ସ୍ଥିରତାକୁ ସୁନିଶ୍ଚିତ କରିଥିଲା। ତାଙ୍କ ରାଜତ୍ୱରେ ଢେଙ୍କାନାଳରେ କୌଣସି ଵିଶୃଙ୍ଖଳା ସୃଷ୍ଟି ହୋଇନଥିଲା, ଯାହା ତାଙ୍କର କୁଶଳ ଶାସନ କୌଶଳର ପରିଚାୟକ।

ରାଜା ନୀଳାମ୍ବର ଥିଲେ ନୃସିଂହଙ୍କର ପରମ ଭକ୍ତ। ସେ ତାଙ୍କ ରାଜଗୁରୁଙ୍କ ନିର୍ଦ୍ଦେଶ କ୍ରମେ ପାରିମାଳ ପ୍ରଗଣାର ବ୍ରାହ୍ମଣୀ ନଦୀ କୂଳରେ କନ୍ତିଓ ଗାଆଁରେ ଵୈଷ୍ଣଵ ମଠ ସ୍ଥାପନା କରିଥିଲେ, ଯାହା ଢେଙ୍କାନାଳର ରାଜଗୁରୁଗାଦି ନାମରେ ପରିଚିତ। ଉଲ୍ଲେଖଯୋଗ୍ୟ ଯେ ମହନ୍ତ, ମହାପୁରୁଷ ଓ ହାକିମଆଦିଙ୍କ ଆସନ ଵା ବସିଵାର ସ୍ଥାନକୁ ଗାଦି କୁହନ୍ତି । ପୋଥି ଆଦି ଏକତ୍ର ରଖାଯିଵା ସ୍ଥାନକୁ ଗାଦି କୁହାଯାଏ ।‌ ମହାପୁରୁଷମାନଙ୍କ କବର ସ୍ଥାନ ଵା ସମାଧିକୁ ଗାଦି କୁହାଯାଏ ‌ । ଶାସନକର୍ତ୍ତାଙ୍କ ପଦ ଵା ଅଧିକାରକୁ ଗାଦି କୁହାଯାଏ । ଠିକ୍ ସେହିପରି 
ମହନ୍ତ ଵା ମହାପୁରୁଷ ଆଦିଙ୍କ ମଠକୁ ମଧ୍ୟ ଗାଦି କୁହାଯାଏ । ତେଣୁ ଢେଙ୍କାନାଳର କନ୍ତିଓ ପୁଟସାହି ଗ୍ରାମପଞ୍ଚାୟତରେ ଦୁଇଟି ଗାଦି ଅଛି : ମହିମାଗାଦି - ଜକା ଓ ରାଜଗୁରୁଗାଦି- କନ୍ତିଓ ।

ରାଜା ନୀଳାମ୍ବର ଅନେକ ବ୍ରାହ୍ମଣ ଶାସନ ପ୍ରତିଷ୍ଠା କରାଇଥିଲେ । ପୁରୀ ଅଞ୍ଚଳରୁ ମୁସଲମାନମାନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଆସିଥିଵା ଶ୍ରୋତ୍ରୀୟ ବ୍ରାହ୍ମଣମାନଙ୍କୁ ସେ ଆଶ୍ରୟ ଦେଇଥିଲେ। ତାଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ କରି ସେ ସ୍ୱରାଜଧାନୀଠାରୁ ପ୍ରାୟ ଦଶ କିଲୋମିଟର ଦୂରରେ 'ନୀଳାମ୍ବର ପୁର' ନାମକ ଶାସନ ପ୍ରତିଷ୍ଠା କରି ନିଷ୍କର ଲାଖରାଜ ସନନ୍ଦ ପ୍ରଦାନ କରିଥିଲେ। ଏହା ତାଙ୍କର ଧାର୍ମିକ ସହନଶୀଳତା ଓ ସାଂସ୍କୃତିକ ସମନ୍ୱୟର ଏକ ଉଜ୍ଜ୍ୱଳ ଉଦାହରଣ।

ଏହା ସହିତ, ରାଜା ନୀଳାମ୍ବର ଶୈଵ ଓ ଵୈଷ୍ଣଵ ଧର୍ମର ସମନ୍ୱୟକାରୀ ଥିଲେ। ସେ ଢେଙ୍କାନାଳ ଅଞ୍ଚଳରେ ବହୁ ଶିଵଲିଙ୍ଗ ପ୍ରତିଷ୍ଠା କରିଥିଲେ ଏଵଂ କପିଳାସ, କୁଆଁଳୋ ଓ ନାଗନା ପୀଠର ପରିଚାଳନା ନିମିତ୍ତ ସୁବନ୍ଦୋବସ୍ତ କରିଥିଲେ। ବ୍ରାହ୍ମଣୀ ଅଵଵାହିକାରେ ଅଵସ୍ଥିତ ଅନ୍ୟାନ୍ୟ ଶୈଵପୀଠର ସେଵା ଓ ପୂଜା ନିମିତ୍ତ ମଧ୍ୟ ସେ ପ୍ରୟାସୀ ଥିଲେ। ଏହା ପ୍ରମାଣିତ କରେ ଯେ, ତାଙ୍କ ରାଜତ୍ୱରେ ଢେଙ୍କାନାଳରେ ଏକ ସମନ୍ୱୟାତ୍ମକ ସାଂସ୍କୃତିକ ପରିବେଶ ଗଢ଼ି ଉଠିଥିଲା।

ରାଜା ନୀଳାମ୍ବରଙ୍କ ଶାସନକାଳରେ ଓଡ଼ିଶାରେ ରାଜନୈତିକ ଅନିଶ୍ଚିତତା ଵିରାଜ କରୁଥିଲା। ୧୬୫୮ ମସିହାରେ ଆଉରଙ୍ଗଜେବଙ୍କ ଦିଲ୍ଲୀ ସିଂହାସନ ଆରୋହଣ ଓଡ଼ିଶାରେ ମୋଗଲ ଶାସନର ପ୍ରଭାବକୁ ଆହୁରି ବୃଦ୍ଧି କରିଥିଲା। ଏହି ପରିପ୍ରେକ୍ଷୀରେ ରାଜା ନୀଳାମ୍ବର ଅତ୍ୟନ୍ତ ସତର୍କତାର ସହିତ ଶାସନ କାର୍ଯ୍ୟ ନିର୍ଵାହ କରିଥିଲେ। ସେ ପ୍ରତିଵେଶୀ ରାଜା ଓ ଜମିଦାରମାନଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିଥିଲେ। ହଦଗଡ଼ରେ ପ୍ରତିଷ୍ଠିତ ସାମନ୍ତ ବଂଶର ବଳରାମ ସାମନ୍ତଙ୍କ ସହିତ ତାଙ୍କର ଆତ୍ମୀୟତା ଥିଲା ଏଵଂ ଏହା ତାଙ୍କୁ ଢେଙ୍କାନାଳର ସୈନ୍ୟଵାହିନୀକୁ ସୁଦୃଢ଼ କରିଵାରେ ସାହାଯ୍ୟ କରିଥିଲା। ୧୬୫୯ ମସିହାରେ ଖୋର୍ଦ୍ଧାର ଗଜପତି ମୁକୁନ୍ଦଦେଵଙ୍କ ସହିତ ମିତ୍ରତା ସ୍ଥାପନ କରି ସେ ଢେଙ୍କାନାଳର ସ୍ୱାଧୀନତାକୁ ସୁନିଶ୍ଚିତ କରିଥିଲେ। ମୟୁରଭଞ୍ଜ ଓ କେନ୍ଦୁଝର ରାଜ୍ୟ ଉପରେ ମୋଗଲମାନଙ୍କର ଲୋଲୁପ ଦୃଷ୍ଟି ପଡ଼ିଥିଲେ ମଧ୍ୟ, ଢେଙ୍କାନାଳ ସ୍ୱାଧୀନ ରହିଥିଲା।

ରାଜା ନୀଳାମ୍ବର ରାୟସିଂହ ଭ୍ରମରବରଙ୍କ ଶାସନକାଳ ଢେଙ୍କାନାଳର ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ତାଙ୍କର ଚତୁର ଶାସନ, ସୁଦୃଢ଼ ସୈନ୍ୟଵାହିନୀ, ଧାର୍ମିକ ସହନଶୀଳତା ଓ ସାଂସ୍କୃତିକ ସମନ୍ୱୟ ତାଙ୍କୁ ଜଣେ ମହାନ ଶାସକ ରୂପେ ପ୍ରତିଷ୍ଠିତ କରିଛି। ୧୬୮୦ ମସିହାରେ ତାଙ୍କର ସ୍ୱର୍ଗାରୋହଣ ପରେ ମଧ୍ୟ ତାଙ୍କ ଅଵଦାନ ଓଡ଼ିଶାର ଇତିହାସରେ ଅମର ହୋଇ ରହିଛି। ତାଙ୍କ ଶାସନକାଳ ଢେଙ୍କାନାଳର ସ୍ୱାଧୀନତା ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷାରେ ଏକ ଉଲ୍ଲେଖନୀୟ ଅଧ୍ୟାୟ ରଚନା କରିଛି।
...

ତଥ୍ୟ ଉତ୍ସ : 
୧.ପୂର୍ଣ୍ଣଚନ୍ଦ୍ର ଭାଷାକୋଷ : ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ
୨.ଢେଙ୍କାନାଳର ଐତିହ୍ୟ ଓ ସଂସ୍କୃତି: ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର 
•••

No comments:

Post a Comment

ନୀଳାମ୍ବର ରାୟସିଂହ ଭ୍ରମରବର: ଢେଙ୍କାନାଳର ଜଣେ ସ୍ମରଣୀୟ ଶାସକ

ଓଡ଼ିଶାର ଐତିହାସିକ ମାଟିରେ ଅନେକ ମହାନ ଵ୍ୟକ୍ତିତ୍ୱ ଜନ୍ମ ହୋଇଛନ୍ତି ଏଵଂ ବିଭିନ୍ନ କ୍ଷେତ୍ରରେ ଅଵିସ୍ମରଣୀୟ ଅବଦାନ ରଖିଛନ୍ତି। ଏ ମାଟିରେ ଅନେକ ନୀଳାମ୍ବର ଜନ୍ମ ଲଭିଛ...