My Blog List

Showing posts with label ସେପିଏନ୍ସ: ମାନଵଜାତିର ସଂକ୍ଷିପ୍ତ ଇତିହାସ. Show all posts
Showing posts with label ସେପିଏନ୍ସ: ମାନଵଜାତିର ସଂକ୍ଷିପ୍ତ ଇତିହାସ. Show all posts

Sunday, August 2, 2026

ଜ୍ଞାନର ଵୃକ୍ଷ (The Tree of Knowledge)

ପୂର୍ଵ ଅଧ୍ୟାୟରେ ଆମେ ଦେଖିଲେ ଯେ ଯଦିଓ Homo Sapiensମାନେ ପ୍ରାୟ ୧୫୦,୦୦୦ ଵର୍ଷ ପୂର୍ଵରୁ ହିଁ ପୂର୍ଵ ଆଫ୍ରିକାରେ ଵସଵାସ କରୁଥିଲେ, ତଥାପି ସେମାନେ ପ୍ରାୟ ୭୦,୦୦୦ ଵର୍ଷ ପୂର୍ଵେ ହିଁ ସମଗ୍ର ପୃଥିଵୀରେ ନିଜର ପ୍ରଭାଵ ଵିସ୍ତାର କରିଵାକୁ ଲାଗିଲେ ଏଵଂ ମାନଵର ଅନ୍ୟାନ୍ୟ Homo ଜାତିଗୁଡ଼ିକୁ ଵିଲୁପ୍ତି ଆଡ଼କୁ ଠେଲି ଦେଲେ। ଏହି ମଧ୍ୟଵର୍ତ୍ତୀ ସହସ୍ରାବ୍ଦୀଗୁଡ଼ିକରେ, ଯଦ୍ୟପି ଏହି ପ୍ରାଚୀନ ସାପିଏନ୍ସମାନେ ଦେଖିଵାକୁ ପୂରା ଆମ ଭଳି ଥିଲେ ଏଵଂ ସେମାନଙ୍କ ମସ୍ତିଷ୍କ ମଧ୍ୟ ଆମ ମସ୍ତିଷ୍କ ଭଳି ବଡ଼ ଥିଲା, ତଥାପି ଅନ୍ୟ ମାନଵ ଵା Homo ଜାତିଗୁଡ଼ିକ ତୁଳନାରେ ସେମାନଙ୍କର କୌଣସି ଵିଶେଷ ସୁଵିଧା ଵା ଅଧିକାର ନଥିଲା, ସେମାନେ କୌଣସି ଅତ୍ୟାଧୁନିକ ହାତହତିଆର ତିଆରି କରିପାରି ନଥିଲେ କିମ୍ଵା ଅନ୍ୟ କୌଣସି ଵିଶେଷ ସଫଳତା ଲାଭ କରିପାରି ନଥିଲେ।
ପ୍ରକୃତରେ କହିଵାକୁ ଗଲେ, ସାପିଏନ୍ସ ଓ ନିଆଣ୍ଡରଥାଲ୍‌ମାନଙ୍କ ମଧ୍ୟରେ ହୋଇଥିଵା ପ୍ରଥମ ସଂଘର୍ଷରେ ନିଆଣ୍ଡରଥାଲ୍‌ମାନେ ହିଁ ଜିତିଥିଲେ। ପ୍ରାୟ ୧୦୦,୦୦୦ ଵର୍ଷ ପୂର୍ଵେ, କିଛି ସାପିଏନ୍ସ ଗୋଷ୍ଠୀ ଉତ୍ତର ଆଡ଼କୁ Levant ଅଞ୍ଚଳକୁ ପ୍ରଵ୍ରଜନ ଵା ସ୍ଥାନାନ୍ତରଣ କରିଥିଲେ । ସେତେବେଳେ ସେ ଅଞ୍ଚଳ ନିଆଣ୍ଡରଥାଲ୍‌ମାନଙ୍କର ସାମ୍ରାଜ୍ୟ ଥିଲା । ସାପିଏନ୍ସମାନେ Levant ଅଞ୍ଚଳରେ ନିଜର ସ୍ଥାନ ସୁଦୃଢ଼ କରିଵାରେ ଵିଫଳ ହେଲେ। ଏହା ସେଠାକାର ଉଗ୍ର ସ୍ଥାନୀୟ ବାସିନ୍ଦା, ପ୍ରତିକୂଳ ଜଳଵାୟୁ କିମ୍ଵା ଅପରିଚିତ ସ୍ଥାନୀୟ ପରଜୀଵୀମାନଙ୍କ ଯୋଗୁଁ ହୋଇଥାଇପାରେ। କାରଣ ଯାହା ବି ହେଉ, ଶେଷରେ ସାପିଏନ୍ସମାନେ ସେଠାରୁ ପଛକୁ ହଟିଗଲେ ଏଵଂ ମଧ୍ୟପ୍ରାଚ୍ୟ ଉପରେ ନିଆଣ୍ଡରଥାଲ୍‌ମାନଙ୍କର ଆଧିପତ୍ୟ ବଜାୟ ରହିଲା।

ସଫଳତାର ଏହି ଦୁର୍ଵଳ ରେକର୍ଡ ଗଵେଷକମାନଙ୍କୁ ଏହା ଅନୁମାନ କରିଵାକୁ ବାଧ୍ୟ କରିଛି ଯେ, ସେହି ସମୟର ସାପିଏନ୍ସମାନଙ୍କ ମସ୍ତିଷ୍କର ଆଭ୍ୟନ୍ତରୀଣ ଗଠନ ବୋଧହୁଏ ଆମଠାରୁ ଭିନ୍ନ ଥିଲା। ସେମାନେ ଦେଖିଵାକୁ ଆମ ଭଳି ଥିଲେ ସତ, କିନ୍ତୁ ସେମାନଙ୍କର ଜ୍ଞାନଗତ ଦକ୍ଷତା ଯଥା :  ଶିଖିଵା, ମନେରଖିଵା ଓ ଭାଵ ଵିନିମୟ କରିଵା ଇତ୍ୟାଦି ବହୁତ ସୀମିତ ଥିଲା। ସେହିଭଳି ଜଣେ ପ୍ରାଚୀନ ସାପିଏନ୍ସକୁ ଇଂରାଜୀ ଶିଖାଇଵା, ଖ୍ରୀଷ୍ଟିଆନ ଧର୍ମର ନୀତି ଵିଷୟରେ ବୁଝାଇଵା କିମ୍ଵା ଵିଵର୍ତ୍ତନଵାଦର ସିଦ୍ଧାନ୍ତ ବୁଝାଇଵା ସମ୍ପୂର୍ଣ୍ଣ ନିରର୍ଥକ ପ୍ରୟାସ ହୋଇଥାନ୍ତା। ଅନୁରୂପ ଭାବରେ, ଆମ ପାଇଁ ମଧ୍ୟ ତାଙ୍କ ଭାଷା ଶିଖିଵା ଏଵଂ ତାଙ୍କର ଚିନ୍ତାଧାରାକୁ ବୁଝିଵା ଅତ୍ୟନ୍ତ କଷ୍ଟକର ହୋଇଥାନ୍ତା।

କିନ୍ତୁ ତା’ପରେ, ପ୍ରାୟ ୭୦,୦୦୦ ଵର୍ଷ ପୂର୍ଵରୁ ଆରମ୍ଭ କରି Homo sapiens କିଛି ଅତି ଵିଶେଷ କାର୍ଯ୍ୟ କରିଵା ଆରମ୍ଭ କଲେ। ସେହି ସମୟ ମଧ୍ୟରେ ସାପିଏନ୍ସ ଦଳ ଦ୍ୱିତୀୟ ଥର ପାଇଁ ଆଫ୍ରିକା ଛାଡ଼ି ବାହାରକୁ ଆସିଲେ। ଏଥର ସେମାନେ ନିଆଣ୍ଡରଥାଲ୍ ଏଵଂ ଅନ୍ୟ ସମସ୍ତ ମାନଵଜାତିକୁ କେଵଳ ମଧ୍ୟପ୍ରାଚ୍ୟରୁ ନୁହେଁ, ଵରଂ ସମଗ୍ର ପୃଥିଵୀ ପୃଷ୍ଠରୁ ନିଶ୍ଚିହ୍ନ କରିଦେଲେ। ପୁଣି ଆଶ୍ଚର୍ଯ୍ୟଜନକ ଭାବେ ସ୍ୱଳ୍ପ ସମୟ ମଧ୍ୟରେ, ସାପିଏନ୍ସମାନେ ୟୁରୋପ ଏଵଂ ପୂର୍ଵ ଏସିଆରେ ପହଞ୍ଚିଗଲେ। ପ୍ରାୟ ୪୫,୦୦୦ ଵର୍ଷ ପୂର୍ଵେ, Homo sapiensମାନେ କେମିତି କେଜାଣି ଖୋଲା ସମୁଦ୍ର ପାର ହୋଇ ଅଷ୍ଟ୍ରେଲିଆରେ ପାଦ ଥାପିଲେ ତାହା ଆଜି ବି ରହସ୍ୟ ହୋଇ ରହିଛି । ସେ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଏମିତି ଏକ ମହାଦେଶ ଥିଲା ଯେଉଁଠାକୁ ପୂର୍ଵରୁ କେଵେ ମଣିଷ ପହଞ୍ଚି ନଥିଲା।

ପ୍ରାୟ ୭୦,୦୦୦ ଵର୍ଷ ପୂର୍ଵରୁ ୩୦,୦୦୦ ଵର୍ଷ ପୂର୍ଵ ପର୍ଯ୍ୟନ୍ତର ସମୟସୀମା ମଧ୍ୟରେ ଡଙ୍ଗା, ତେଲ ଦୀପ, ଧନୁ-ତୀର ଓ ଛୁଞ୍ଚି (ଯାହା ଶୀତଦିନେ ଗରମ ପୋଷାକ ସିଲେଇ କରିଵା ପାଇଁ ଅତ୍ୟନ୍ତ ଜରୁରୀ ଥିଲା) ଭଳି ଜିନିଷର ଉଦ୍ଭାଵନ ହୋଇଥିଲା। ଏହି ଯୁଗରୁ ହିଁ ପ୍ରଥମ ଥର ପାଇଁ କଳାତ୍ମକ ଜିନିଷର ପ୍ରମାଣ ମିଳିଥାଏ ଏଵଂ ଏହି ସମୟରେ ହିଁ ଧର୍ମ, ଵାଣିଜ୍ୟ ଏଵଂ ସାମାଜିକ ସ୍ତରୀକରଣର ପ୍ରଥମ ସ୍ପଷ୍ଟ ପ୍ରମାଣ ମିଳିଥାଏ। ଅଧିକାଂଶ ଗଵେଷକ ଵିଶ୍ୱାସ କରନ୍ତି ଯେ, ଏହି ଅଭୂତପୂର୍ଵ ସଫଳତାଗୁଡ଼ିକ ସାପିଏନ୍ସମାନଙ୍କର ଜ୍ଞାନଗତ ଦକ୍ଷତାରେ ଆସିଥିଵା ଏକ ଵିପ୍ଳଵର ପରିଣାମ ଥିଲା। ସେମାନଙ୍କ ମତରେ, ଯେଉଁମାନେ ନିଆଣ୍ଡରଥାଲ୍‌ମାନଙ୍କୁ ଵିଲୁପ୍ତ କଲେ, ଅଷ୍ଟ୍ରେଲିଆରେ ଵସତି ସ୍ଥାପନ କଲେ ଏଵଂ ଷ୍ଟାଡେଲ୍ ସିଂହ-ମାନଵର ମୂର୍ତ୍ତି ଖୋଦେଇ କଲେ, ସେମାନେ ଆଜିର ଆମ ସଦୃଶ ହିଁ ବୁଦ୍ଧିମାନ, ସୃଜନଶୀଳ ଓ ସମ୍ଵେଦନଶୀଳ ଥିଲେ। ଯଦି ଆମେ ଷ୍ଟାଡେଲ୍ ଗୁମ୍ଫାର ସେହି କଳାକାରମାନଙ୍କୁ ଭେଟିଵା, ତେବେ ଆମେ ସେମାନଙ୍କ ଭାଷା ଶିଖିପାରିଵା ଏଵଂ ସେମାନେ ଆମ ଭାଷା ଶିଖିପାରିବେ। ଆମେ ସେମାନଙ୍କୁ ଆମେ ଜାଣିଥିଵା ସବୁକିଛି ବୁଝାଇ ପାରିଵା – 'Alice in Wonderland'ର ଦୁଃସାହସିକ କାହାଣୀଠାରୁ ଆରମ୍ଭ କରି କ୍ୱାଣ୍ଟମ୍ ଫିଜିକ୍ସର ଜଟିଳତା ପର୍ଯ୍ୟନ୍ତ – ଏଵଂ ସେମାନେ ମଧ୍ୟ ସେମାନଙ୍କର ଲୋକମାନେ ଦୁନିଆକୁ କେମିତି ଦେଖନ୍ତି, ତାହା ଆମକୁ ଶିଖାଇ ପାରିଵେ।

ଆଜକୁ ପ୍ରାୟ ୭୦,୦୦୦ରୁ ୩୦,୦୦୦ ଵର୍ଷ ପୂର୍ଵେ ଚିନ୍ତା କରିଵା ଏଵଂ ଭାଵ ଵିନିମୟ କରିଵାର ଏହି ନୂତନ ଶୈଳୀର ଆଵିର୍ଭାଵକୁ ହିଁ "ଜ୍ଞାନଗତ ଵିପ୍ଳଵ" ଵା Cognitive Revolution କୁହାଯାଏ। ଏହାର କାରଣ କଣ ଥିଲା? ଆମେ ନିଶ୍ଚିତ ଭାବେ ଏହାର କାରଣ ଜାଣିପାରିନାହୁଁ। ତେବେ ଏ ସମ୍ବନ୍ଧୀୟ ସବୁଠାରୁ ଗ୍ରହଣୀୟ ସିଦ୍ଧାନ୍ତ ଅନୁଯାୟୀ, ଆକସ୍ମିକ ଜେନେଟିକ୍ ମ୍ୟୁଟେସନ୍ ଵା ଵଂଶଗତ ପରିଵର୍ତ୍ତନ ଯୋଗୁଁ ସାପିଏନ୍ସମାନଙ୍କ ମସ୍ତିଷ୍କର ଆଭ୍ୟନ୍ତରୀଣ ଗଠନକୁ ବଦଳାଇ ଦେଇଥିଲା ଯାହା ସେମାନଙ୍କୁ ଏକ ଅଭୂତପୂର୍ଵ ଢଙ୍ଗରେ ଚିନ୍ତା କରିଵାକୁ ଏଵଂ ଏକ ସମ୍ପୂର୍ଣ୍ଣ ନୂତନ ପ୍ରକାରର ଭାଷା ଵ୍ୟଵହାର କରି ଯୋଗାଯୋଗ କରିଵାକୁ ସକ୍ଷମ କଲା। ଆମେ ଏହାକୁ "ଜ୍ଞାନର ଵୃକ୍ଷ ପରିଵର୍ତ୍ତନ" Tree of Knowledge mutation ବୋଲି କହିପାରିଵା। ଏହା ନିଆଣ୍ଡରଥାଲ୍‌ମାନଙ୍କ ବଦଳରେ କେଵଳ ସାପିଏନ୍ସଙ୍କ ଡିଏନ୍ଏ (DNA) ରେ କାହିଁକି ଘଟିଲା? ଆମ ଜ୍ଞାତସାରରେ ଏହା କେଵଳ ସୌଭାଗ୍ୟଵଶତଃ ଘଟିଥିଲା। କିନ୍ତୁ ଏହି "ଜ୍ଞାନର ଵୃକ୍ଷ ପରିଵର୍ତ୍ତନ" ର କାରଣ ଅପେକ୍ଷା ତାର ପରିଣାମକୁ ବୁଝିଵା ଅଧିକ ଗୁରୁତ୍ୱପୂର୍ଣ୍ଣ। ସାପିଏନ୍ସଙ୍କ ଏହି ନୂତନ ଭାଷାରେ ଏମିତି କଣ ଵିଶେଷତ୍ୱ ଥିଲା, ଯାହା ଆମକୁ ସାରା ପୃଥିଵୀ ଜୟ କରିଵାରେ ସାହାଯ୍ୟ କଲା?

ଏହା ପୃଥିଵୀର ପ୍ରଥମ ଭାଷା ନଥିଲା। ପ୍ରତ୍ୟେକ ଜୀଵଙ୍କର କିଛି ନା କିଛି ଭାଷା ଥାଏ। ଏପରିକି ପିମ୍ପୁଡ଼ି ଓ ମହୁମାଛି ଭଳି କୀଟପତଙ୍ଗମାନେ ମଧ୍ୟ ପରସ୍ପର ସହ ଅତ୍ୟନ୍ତ ଜଟିଳ ଭାବେ ଯୋଗାଯୋଗ କରିପାରନ୍ତି ଏଵଂ ଖାଦ୍ୟ କେଉଁଠି ଅଛି ତାହାର ସୂଚନା ଦେଇଥାନ୍ତି। ଏହା ପ୍ରଥମ କଣ୍ଠସ୍ୱର ଭିତ୍ତିକ ଭାଷା ଵା vocal language ମଧ୍ୟ ନଥିଲା। ମାଙ୍କଡ଼ ଓ ସିମ୍ପାଞ୍ଜୀ ଜାତି ସମେତ ଅନେକ ପ୍ରାଣୀଙ୍କର କଣ୍ଠସ୍ୱର ଭିତ୍ତିକ ଭାଷା ରହିଛି। ଉଦାହରଣ ସ୍ୱରୂପ, ସବୁଜ ମାଙ୍କଡ଼ମାନେ ପରସ୍ପର ସହିତ ଯୋଗାଯୋଗ ପାଇଁ ଵିଭିନ୍ନ ପ୍ରକାରର ଶବ୍ଦ ଵ୍ୟଵହାର କରନ୍ତି। ପ୍ରାଣୀଵିଜ୍ଞାନୀମାନେ ଏମିତି ଏକ ଶବ୍ଦ ଚିହ୍ନଟ କରିଛନ୍ତି ଯାହାର ଅର୍ଥ ହେଉଛି, ‘ସାଵଧାନ! ଚିଲ/ଈଗଲ୍!’ ଏଵଂ ଅନ୍ୟ ଏକ ଭିନ୍ନ ଶବ୍ଦ ଚେତାଵନୀ ଦିଏ, ‘ସାଵଧାନ! ସିଂହ!’ ଯେତେବେଳେ ଗଵେଷକମାନେ ମାଙ୍କଡ଼ ଦଳ ସାମ୍ନାରେ ପ୍ରଥମ ଶବ୍ଦର ଏକ ରେକର୍ଡିଂ ବଜାଇଲେ, ମାଙ୍କଡ଼ମାନେ ସେମାନଙ୍କ କାମ ବନ୍ଦ କରି ଭୟରେ ଉପରକୁ ଚାହିଁଲେ। ଯେତେବେଳେ ସେହି ଦଳ ଦ୍ୱିତୀୟ ଶବ୍ଦ ଅର୍ଥାତ୍ ସିଂହର ଚେତାଵନୀ ଶୁଣିଲେ, ସେମାନେ ଶୀଘ୍ର ଦୌଡ଼ିଯାଇ ଗଛ ଉପରକୁ ଚଢ଼ିଗଲେ। ସାପିଏନ୍ସମାନେ ସବୁଜ ମାଙ୍କଡ଼ମାନଙ୍କ ଅପେକ୍ଷା ଅଧିକ ସ୍ପଷ୍ଟ ଏଵଂ ଭିନ୍ନ ଭିନ୍ନ ଶବ୍ଦ ସୃଷ୍ଟି କରିପାରନ୍ତି, କିନ୍ତୁ ତିମି ଓ ହାତୀମାନଙ୍କର ମଧ୍ୟ ସେହିଭଳି ଚମତ୍କାର ଦକ୍ଷତା ଅଛି। ଆଲବର୍ଟ ଆଇନଷ୍ଟାଇନ ଯାହା ବି କହିପାରୁଥିଲେ, ଏକ ଶୁଆ ମଧ୍ୟ ସେସବୁ କହିପାରିଵ ଏଵଂ ତା’ ସହିତ ଫୋନ୍ ରିଙ୍ଗ୍ ହେଵା, କବାଟ ବାଡ଼େଇଵା ଓ ସାଇରନ୍ ବାଜିଵାର ଶବ୍ଦକୁ ମଧ୍ୟ ନକଲ କରିପାରିଵ। ଆଇନଷ୍ଟାଇନଙ୍କର ଶୁଆ ପାଖରେ ଯାହା ବି ସୁଵିଧା ଵା ଶ୍ରେଷ୍ଠତା ଥିଲା, ତାହା କଣ୍ଠସ୍ୱର ଜନିତ ନଥିଲା। ତାହେଲେ, ଆମ ଭାଷାରେ ଏମିତି କ’ଣ ଵିଶେଷତ୍ୱ ଅଛି?

ଏହାର ସବୁଠାରୁ ସାଧାରଣ ଉତ୍ତର , ଆମ ଭାଷା ଆଶ୍ଚର୍ଯ୍ୟଜନକ ଭାବେ ନମନୀୟ ଵା ପରିଵର୍ତ୍ତନଶୀଳ ଅଟେ । ଆମେ ଏକ ସୀମିତ ସଂଖ୍ୟକ ଶବ୍ଦ ଓ ସଙ୍କେତକୁ ଯୋଡ଼ି ଅସୀମ ସଂଖ୍ୟକ ଵାକ୍ୟ ତିଆରି କରିପାରିଵା, ଯାହାର ପ୍ରତ୍ୟେକର ଏକ ଭିନ୍ନ ଓ ସ୍ପଷ୍ଟ ଅର୍ଥ ଥାଏ। ଏହାଦ୍ୱାରା ଆମେ ଆମ ଚାରିପାଖର ଦୁନିଆ ଵିଷୟରେ ବହୁତ ବଡ଼ ପରିମାଣର ସୂଚନା ଗ୍ରହଣ, ସଂରକ୍ଷଣ ଓ ଆଦାନପ୍ରଦାନ କରିପାରୁ। ଏକ ସବୁଜ ମାଙ୍କଡ଼ ତାର ସାଥୀମାନଙ୍କୁ ଚିତ୍କାର କରି କହିପାରେ, 'ସାଵଧାନ! ସିଂହ!' କିନ୍ତୁ ଜଣେ ଆଧୁନିକ ମଣିଷ ତାର ସାଙ୍ଗମାନଙ୍କୁ କହିପାରିଵ ଯେ, ଆଜି ସକାଳେ ନଦୀର ବାଙ୍କ ପାଖରେ ସେ ଏକ ସିଂହକୁ ଅରଣା ମଇଁଷି ଦଳର ପିଛା କରୁଥିଵାର ଦେଖିଛି। ସେ ଏହାପରେ ସେହି ସ୍ଥାନର ନିର୍ଭୁଲ୍ ଅଵସ୍ଥିତି ଏଵଂ ସେଠାକୁ ଯାଉଥିଵା ଵିଭିନ୍ନ ରାସ୍ତା ଵିଷୟରେ ମଧ୍ୟ ଵର୍ଣ୍ଣନା କରିପାରିଵ। ଏହି ସୂଚନା ସାହାଯ୍ୟରେ, ତାର ଦଳର ସଦସ୍ୟମାନେ ଏକାଠି ବସି ଆଲୋଚନା କରିପାରିବେ ଯେ ସେମାନେ ସିଂହକୁ ଘଉଡ଼ାଇଵା ଏଵଂ ଅରଣାମଇଁଷି ଶିକାର କରିଵା ପାଇଁ ନଦୀ ପାଖକୁ ଯିଵା ଉଚିତ୍ କି ନୁହେଁ।
ଗଵେଷକମାନଙ୍କ ଦ୍ଵାରା ପ୍ରଦତ୍ତ ଆଉ ଏକ ଦ୍ୱିତୀୟ ସିଦ୍ଧାନ୍ତ ମଧ୍ୟ ଏହା ସ୍ୱୀକାର କରେ ଯେ ଆମର ଏହି ଅଦ୍ୱିତୀୟ ଭାଷା ଦୁନିଆ ଵିଷୟରେ ସୂଚନା ବାଣ୍ଟିଵା ପାଇଁ ଵିକଶିତ ହୋଇଛି। କିନ୍ତୁ ଗଵେଷକମାନଙ୍କ ମତରେ, ଯାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଵା ଦରକାର ଥିଲା, ତାହା ସିଂହ ଏଵଂ ମଇଁଷି ଵିଷୟରେ ନୁହେଁ, ଵରଂ ମଣିଷମାନଙ୍କ ଵିଷୟରେ ଥିଲା। ଆମ ଭାଷା ପ୍ରକୃତରେ 'ଗପସପ' କିମ୍ଵା ପରଚର୍ଚ୍ଚା କରିଵା ପାଇଁ ଵିକଶିତ ହୋଇଥିଲା ଏଵଂ ଏହାକୁ 'Gossip Theory' ଦ୍ଵାରା ଵ୍ୟାଖ୍ୟା କରାଯାଇଛି । ଏହି ସିଦ୍ଧାନ୍ତ ଅନୁଯାୟୀ, ହୋମୋ ସାପିଏନ୍ସ ମୁଖ୍ୟତଃ ଏକ ସାମାଜିକ ପ୍ରାଣୀ। ସାମାଜିକ ସହଯୋଗ ହିଁ ଆମର ବଞ୍ଚିଵା ଓ ଵଂଶଵୃଦ୍ଧିର ଚାବିକାଠି ଅଟେ। କେଵଳ ସିଂହ ଓ ମଇଁଷି କେଉଁଠି ଅଛନ୍ତି ତାହା ଜଣେ ପୁରୁଷ ଵା ମହିଳା ଜାଣିଵା ଯଥେଷ୍ଟ ନୁହେଁ। ସେମାନଙ୍କ ପାଇଁ ଏହା ଜାଣିଵା ଅଧିକ ଗୁରୁତ୍ୱପୂର୍ଣ୍ଣ ଯେ ସେମାନଙ୍କ ଦଳରେ କିଏ କାହାକୁ ସ୍ନେହ କରେ ଵା ଘୃଣା କରେ, କିଏ କାହା ସହ ଶୋଉଛି, କିଏ ସଚ୍ଚୋଟ ଏଵଂ କିଏ ପ୍ରତାରକ ଵା ଠକ ଅଟେ । ମାତ୍ର କିଛି ଡର୍ଜନ ଲୋକଙ୍କର ସଦା-ପରିଵର୍ତ୍ତନଶୀଳ ସମ୍ପର୍କ ଉପରେ ଦୃଷ୍ଟି ରଖିଵା ପାଇଁ ଯେଉଁ ପରିମାଣର ସୂଚନା ସଂଗ୍ରହ ଓ ସଂରକ୍ଷଣ କରିଵାକୁ ପଡ଼େ ତାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ। ଉଦାହରଣ ସ୍ୱରୂପ ପଚାଶ ଜଣ ଵିଶିଷ୍ଟ ଏକ ଦଳରେ, ୧,୨୨୫ଟି ଵ୍ୟକ୍ତିଗତ ଵା ଦ୍ୱିପାକ୍ଷିକ ସମ୍ପର୍କ ଥାଏ, ଏଵଂ ଏହାଠାରୁ ଅଧିକ ଜଟିଳ ସାମାଜିକ ସଂଯୋଗ ମଧ୍ୟ ଥାଏ। ସମସ୍ତ ମାଙ୍କଡ଼ କିମ୍ଵା ଗରିଲା ଜାତି ଏଭଳି ସାମାଜିକ ସୂଚନା ପ୍ରତି ପ୍ରଵଳ ଆଗ୍ରହ ଦେଖାନ୍ତି, କିନ୍ତୁ ସେମାନେ ପ୍ରଭାଵଶାଳୀ ଭାବେ ଗପସପ ଵା ପରଚର୍ଚ୍ଚା କରିପାରନ୍ତି ନାହିଁ। ନିଆଣ୍ଡରଥାଲ୍ ଓ ପ୍ରାଚୀନ ହୋମୋ ସାପିଏନ୍ସମାନଙ୍କ ପାଇଁ ମଧ୍ୟ ପରସ୍ପର ପଛରେ ବସି ଚର୍ଚ୍ଚା କରିଵା ବୋଧହୁଏ କଷ୍ଟକର ଥିଲା । ପରଚର୍ଚ୍ଚା କରିଵା ଏମିତି ଦକ୍ଷତା ଯାହାକୁ ସାଧାରଣତଃ ଖରାପ ବୋଲି କୁହାଯାଏ, କିନ୍ତୁ ଵାସ୍ତଵରେ ବଡ଼ ସଂଖ୍ୟାରେ ଏକାଠି ସହଯୋଗ କରି କାମ କରିଵା ପାଇଁ ଏହା ଅତ୍ୟନ୍ତ ଜରୁରୀ।
ଏହି ନୂତନ ଭାଷାଗତ ଦକ୍ଷତା ଯାହା ଆଧୁନିକ ସାପିଏନ୍ସମାନେ ପ୍ରାୟ ୭୦,୦୦୦ ଵର୍ଷ ପୂର୍ଵେ ଲାଭ କରିଥିଲେ, ତାହା ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ଗପସପ କରିଵାକୁ ସକ୍ଷମ କଲା। କାହାକୁ ଵିଶ୍ୱାସ କରାଯାଇପାରିଵ, ସେ ଵିଷୟରେ ଠିକ୍ ସୂଚନା ମିଳିଵା ଯୋଗୁଁ ଛୋଟ ଛୋଟ ଦଳଗୁଡ଼ିକ ବଡ଼ ଦଳରେ ପରିଣତ ହୋଇପାରିଲେ ଏଵଂ ସାପିଏନ୍ସମାନେ ଅଧିକ ନିଵିଡ଼ ଓ ସୁଦୃଢ଼ ସହଯୋଗ ପ୍ରତିଷ୍ଠା କରିପାରିଲେ।

ଏହି 'Gossip Theory' ଵା ଗପସପ ସିଦ୍ଧାନ୍ତ ହୁଏତ ଏକ ମଜାଳିଆ କଥା ଭଳି ମନେହୋଇପାରେ, କିନ୍ତୁ ଅନେକ ଗଵେଷଣା ଏହାକୁ ସମର୍ଥନ କରେ। ଆଜି ମଧ୍ୟ ମାନଵ ସମାଜର ଅଧିକାଂଶ ଯୋଗାଯୋଗ – ତାହା ଇମେଲ୍, ଫୋନ୍ କଲ୍ କିମ୍ଵା ଖଵରକାଗଜର ସ୍ତମ୍ଭ ଆକାରରେ ହେଉ ନା କାହିଁକି – ସେସବୁ ପ୍ରକୃତରେ ଏକ ପ୍ରକାର ଗପସପ କିମ୍ଵା ପରଚର୍ଚ୍ଚା ହିଁ ଅଟେ। ଏହା ଆମ ଭିତରେ ଏତେ ସ୍ୱାଭାଵିକ ଭାବେ ଦେଖାଯାଏ ଯେ ମନେହୁଏ ଯେମିତି ଆମ ଭାଷା କେଵଳ ଏହି ଉଦ୍ଦେଶ୍ୟ ପାଇଁ ହିଁ ଵିକଶିତ ହୋଇଛି। ଆପଣ କଣ ଭାବୁଛନ୍ତି, ଇତିହାସର ପ୍ରଫେସରମାନେ ଯେତେବେଳେ ମଧ୍ୟାହ୍ନ ଭୋଜନ ପାଇଁ ଏକାଠି ହୁଅନ୍ତି, ସେତେବେଳେ ପ୍ରଥମ ଵିଶ୍ୱଯୁଦ୍ଧର କାରଣ ଵିଷୟରେ ଆଲୋଚନା କରନ୍ତି? କିମ୍ଵା ପରମାଣୁ ଵିଜ୍ଞାନୀମାନେ ଵୈଜ୍ଞାନିକ ସମ୍ମିଳନୀରେ ସେମାନଙ୍କ କଫି ବ୍ରେକ୍ ସମୟରେ କ୍ୱାର୍କ (quarks) ଵିଷୟରେ କଥା ହୁଅନ୍ତି ? ବେଳେ ବେଳେ ହୁଏତ କରନ୍ତି। କିନ୍ତୁ ଅଧିକାଂଶ ସମୟରେ, ସେମାନେ ସେହି ମହିଳା ପ୍ରଫେସରଙ୍କ ଵିଷୟରେ ଗପନ୍ତି ଯିଏ ତାଙ୍କ ସ୍ୱାମୀଙ୍କ ପ୍ରତାରଣା ଧରିଛନ୍ତି କିମ୍ଵା ଵିଭାଗୀୟ ମୁଖ୍ୟ ଓ ଡିନ୍‌ଙ୍କ ମଧ୍ୟରେ ହୋଇଥିଵା କଳି ଵିଷୟରେ, କିମ୍ଵା କୌଣସି ଜଣେ ସହକର୍ମୀ ନିଜ ଗଵେଷଣା ପାଣ୍ଠିରୁ ଏକ Lexus ଗାଡ଼ି କିଣିଥିଵା ଗୁଜବ ଵିଷୟରେ ଆଲୋଚନା କରନ୍ତି। ଗପସପ ସାଧାରଣତଃ କାହାର ଭୁଲ୍ କାମ ଉପରେ କେନ୍ଦ୍ରୀଭୂତ ହୋଇଥାଏ। ଏହି ଗୁଜବ ସୃଷ୍ଟି କରୁଥିଵା ଲୋକମାନେ ହିଁ ପ୍ରକୃତରେ ସମାଜର ମୂଳ 'ଚତୁର୍ଥ ସ୍ତମ୍ଭ' (fourth estate), ଅର୍ଥାତ୍ ସେମାନେ ସାମ୍ଵାଦିକଙ୍କ ଭଳି କାମ କରନ୍ତି ଯିଏ ସମାଜକୁ ଠକ ଓ ମାଗଣାଖୋର ମାନଙ୍କ ଵିଷୟରେ ସୂଚନା ଦେଇ ସୁରକ୍ଷିତ ରଖନ୍ତି।

କଳ୍ପନା ଏଵଂ ସାମୂହିକ ଵିଶ୍ୱାସର ଶକ୍ତି
ଖୁଵ୍ ସମ୍ଭଵ, ଉଭୟ 'Gossip Theory' ଏଵଂ 'There-is-a-lion-near-the-river Theory' (ନଦୀ କୂଳରେ ସିଂହ ଅଛି ସିଦ୍ଧାନ୍ତ) ଦୁଇଟିଯାକ ଵୈଧ ଵା ସତ ଅଟେ। ତଥାପି, ଆମ ଭାଷାର ପ୍ରକୃତ ଅଦ୍ୱିତୀୟ ଵୈଶିଷ୍ଟ୍ୟ ଏହା ନୁହେଁ ଯେ ଏହା ମଣିଷ ଓ ସିଂହ ଵିଷୟରେ ସୂଚନା ଦେଇପାରେ। ଵରଂ, ଏହାର ପ୍ରକୃତ ଵିଶେଷତ୍ୱ ହେଉଛି ଏମିତି ଜିନିଷ ଵିଷୟରେ ସୂଚନା ଦେଵା, ଯାହାର ଵାସ୍ତଵରେ କୌଣସି ଅସ୍ତିତ୍ୱ ହିଁ ନାହିଁ। ଯେଉଁ ପର୍ଯ୍ୟନ୍ତ ଆମେ ଜାଣିଛୁ, କେଵଳ ସାପିଏନ୍ସ ହିଁ ଏଭଳି ଜିନିଷ ଵା ସତ୍ତା ଵିଷୟରେ କଥା ହୋଇପାରନ୍ତି ଯାହାକୁ ସେମାନେ କେବେ ଦେଖିନାହାନ୍ତି, ଛୁଇଁନାହାନ୍ତି କିମ୍ଵା ଶୁଙ୍ଘିନାହାନ୍ତି।

ପୌରାଣିକ କାହାଣୀ, କିମ୍ଵଦନ୍ତୀ, ଭଗଵାନ ଓ ଧର୍ମ – ଏସବୁ ଜ୍ଞାନଗତ ଵିପ୍ଳଵ ଵା Cognitive Revolution ସହିତ ପ୍ରଥମ ଥର ପାଇଁ ପ୍ରକାଶ ପାଇଲା। ଅନେକ ପଶୁ ଏଵଂ ମାନଵ ଜାତି ପୂର୍ଵରୁ କହିପାରୁଥିଲେ, 'ସାଵଧାନ! ସିଂହ!' କିନ୍ତୁ ଜ୍ଞାନଗତ ଵିପ୍ଳଵ ଯୋଗୁଁ, ହୋମୋ ସାପିଏନ୍ସ ଏହା କହିଵାର କ୍ଷମତା ଲାଭ କଲେ ଯେ, 'ସିଂହ ହେଉଛି ଆମ ଜାତି ଵା ଆଦିଵାସୀ ଗୋଷ୍ଠୀର ରକ୍ଷାକାରୀ ଆତ୍ମା ଵା guardian spirit।' କାଳ୍ପନିକ କଥା ଵା fictions ଵିଷୟରେ କହିଵାର ଏହି କ୍ଷମତା ହିଁ ସାପିଏନ୍ସ ଭାଷାର ସବୁଠାରୁ ଅଦ୍ୱିତୀୟ ଵୈଶିଷ୍ଟ୍ୟ।

ଏହି କଥାରେ ସହମତ ହେଵା ସହଜ ଯେ କେଵଳ ହୋମୋ ସାପିଏନ୍ସ ହିଁ ଵାସ୍ତଵରେ ଅସ୍ତିତ୍ୱ ନଥିଵା ଜିନିଷ ଵିଷୟରେ କଥା ହୋଇପାରନ୍ତି ଏଵଂ ସକାଳ ଜଳଖିଆ ପୂର୍ଵରୁ ଛଅଟି ଅସମ୍ଭଵ କଥା ଉପରେ ଵିଶ୍ୱାସ କରିପାରନ୍ତି। ଆପଣ କେବେ ହେଲେ ଗୋଟିଏ ମାଙ୍କଡ଼କୁ ଏହା କହି ବୁଝାଇପାରିବେ ନାହିଁ ଯେ, 'ତୁ ମତେ ଏବେ ଗୋଟେ କଦଳୀ ଦେଇଦେ, ମଲା ପରେ ମାଙ୍କଡ଼ ସ୍ୱର୍ଗରେ ତତେ ଅସଂଖ୍ୟ କଦଳୀ ମିଳିଵ।' କିନ୍ତୁ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ? ପରିଶେଷରେ, କଳ୍ପନା ତ ଵିପଜ୍ଜନକ ଭାବେ ଵିଭ୍ରାନ୍ତିକର କିମ୍ଵା ମନକୁ ଅନ୍ୟଆଡ଼େ ନେଇଯାଉଥିଵା ଜିନିଷ ହୋଇପାରେ। ଯେଉଁ ଲୋକମାନେ ଜଙ୍ଗଲକୁ ପରୀ (fairies) ଓ ଏକଶୃଙ୍ଗୀ ଘୋଡ଼ା (unicorns) ଖୋଜିଵାକୁ ଯାଆନ୍ତି, ସେମାନଙ୍କ ବଞ୍ଚିଵାର ସମ୍ଭାଵନା ସେହି ଲୋକମାନଙ୍କ ଅପେକ୍ଷା କମ୍ ଯେଉଁମାନେ ଛତୁ ଓ ହରିଣ ଖୋଜିଵାକୁ ଯାଆନ୍ତି। ଏଵଂ ଯଦି ଆପଣ କାଳ୍ପନିକ ରକ୍ଷାକାରୀ ଆତ୍ମାମାନଙ୍କୁ ପ୍ରାର୍ଥନା କରି ଘଣ୍ଟା ଘଣ୍ଟା ସମୟ ନଷ୍ଟ କରୁଛନ୍ତି, ତେବେ ଆପଣ ସେହି ମୂଲ୍ୟଵାନ ସମୟକୁ ନଷ୍ଟ କରୁନାହାନ୍ତି କି, ଯେଉଁ ସମୟକୁ ଖାଦ୍ୟ ସଂଗ୍ରହ କରିଵାରେ, ଯୁଦ୍ଧ କରିଵାରେ କିମ୍ଵା ଶାରୀରିକ ସମ୍ପର୍କ ରଖିଵାରେ ଵ୍ୟଵହାର କରାଯାଇପାରନ୍ତା?
କିନ୍ତୁ କଳ୍ପନା ଆମକୁ କେଵଳ ଜିନିଷଗୁଡ଼ିକୁ ଭାବିଵା ପାଇଁ ସକ୍ଷମ କରିନାହିଁ ଵରଂ ତାହା 'ସାମୂହିକ ଭାବେ' କିଛି କରିଵାକୁ ସକ୍ଷମ କରିଛି। ଆମେ ସମସ୍ତେ ମିଶି କିଛି ସାଧାରଣ ପୁରାଣ ଵା କାହାଣୀ ପ୍ରସ୍ତୁତ କରିପାରୁ, ଯେପରିକି ବାଇବେଲର ସୃଷ୍ଟି କାହାଣୀ, ଅଷ୍ଟ୍ରେଲିଆର ଆଦିଵାସୀମାନଙ୍କର ଡ୍ରିମଟାଇମ୍ ପୁରାଣ ଏଵଂ ଆଧୁନିକ ରାଷ୍ଟ୍ରଗୁଡ଼ିକର ଜାତୀୟତାଵାଦୀ କାହାଣୀ। ଏହିଭଳି କାଳ୍ପନିକ କାହାଣୀ କିମ୍ଵା ଵିଶ୍ୱାସ ସାପିଏନ୍ସମାନଙ୍କୁ ବହୁତ ବଡ଼ ସଂଖ୍ୟାରେ ଏଵଂ ଅତି ନମନୀୟ ଵା ସହଜ ଭାବରେ ଏକାଠି କାମ କରିଵାର ଅଭୂତପୂର୍ଵ କ୍ଷମତା ଦେଇଥାଏ।

ପିମ୍ପୁଡ଼ି ଓ ମହୁମାଛିମାନେ ମଧ୍ୟ ଵିଶାଳ ସଂଖ୍ୟାରେ ଏକାଠି କାମ କରିପାରନ୍ତି, କିନ୍ତୁ ସେମାନଙ୍କର କାମ କରିଵାର ଶୈଳୀ ଅତି ସୀମିତ ଵା କଠୋର ଏଵଂ ସେମାନେ କେଵଳ ନିଜର ନିକଟତର ସମ୍ପର୍କୀୟମାନଙ୍କ ସହ ହିଁ ଏକାଠି କାମ କରନ୍ତି। କୋକିଶିଆଳି, ଗଧିଆ ଓ ସିମ୍ପାଞ୍ଜୀମାନେ ପିମ୍ପୁଡ଼ିମାନଙ୍କ ଅପେକ୍ଷା ଅଧିକ ନମନୀୟ ଭାବେ ସହଯୋଗ କରନ୍ତି, କିନ୍ତୁ ସେମାନେ କେଵଳ ସେହି ଅଳ୍ପ ସଂଖ୍ୟକ ଜୀଵମାନଙ୍କ ସହ କାମ କରିପାରନ୍ତି ଯାହାଙ୍କୁ ସେମାନେ ଭଲଭାଵେ ଜାଣିଥାନ୍ତି। ଅପରପକ୍ଷରେ, ସାପିଏନ୍ସମାନେ ଅସଂଖ୍ୟ ଅପରିଚିତ ଲୋକମାନଙ୍କ ସହିତ ଅତି ନମନୀୟ ଏଵଂ ଵିଭିନ୍ନ ଉପାୟରେ ସହଯୋଗ କରିପାରନ୍ତି। ଏହି କାରଣରୁ ହିଁ ସାପିଏନ୍ସମାନେ ସାରା ପୃଥିଵୀ ଉପରେ ଶାସନ କରୁଛନ୍ତି କିନ୍ତୁ ପିମ୍ପୁଡ଼ିମାନେ ଆମର ଵଳକା ଖାଦ୍ୟ ଖାଉଛନ୍ତି ଏଵଂ ସିମ୍ପାଞ୍ଜୀମାନେ ଚିଡ଼ିଆଖାନା ଓ ଗଵେଷଣାଗାର ଭିତରେ ବନ୍ଦ ହୋଇ ରହିଛନ୍ତି।
••••••••••••••••••••••••••••••••••••••••
ୟୁଵାଲ୍ ନୋଆ ହାରାରିଙ୍କ ପୁସ୍ତକ A brief history of humankindର ଦ୍ଵିତୀୟ ଅଧ୍ୟାୟର ପ୍ରଥମ ଭାଗ The Tree of Knowledgeର ଓଡ଼ିଆ ଭାଵାନୁଵାଦ 
••••••••••••••••••••••••••••••••••••••••


Wednesday, June 10, 2026

ଆମ ଭ୍ରାତୃଗଣଙ୍କ ରକ୍ଷକ(Our Brothers’ Keepers)

ନିଆଁର ସୁଵିଧା ସତ୍ତ୍ୱେ ଆଜକୁ ପ୍ରାୟ ୧,୫୦,୦୦୦ ଵର୍ଷ ପୂର୍ଵେ ମଣିଷମାନେ ପୃଥିଵୀରେ ଅତି ନଗଣ୍ୟ ପ୍ରାଣୀ ହୋଇ ରହିଥିଲେ । ସେମାନେ ସେତେବେଳେ ସିଂହମାନଙ୍କୁ ଡରାଇ ଦୂରେଇ ଦେଇପାରୁଥିଲେ, ଶୀତଳ ରାତିରେ ନିଜକୁ ଉଷୁମ ରଖିପାରୁଥିଲେ ଏଵଂ ବେଳେବେଳେ ଜଙ୍ଗଲ ମଧ୍ୟ ପୋଡ଼ି ଦେଇପାରୁଥିଲେ । ତଥାପି ସମସ୍ତ Homo ଜାତିର ଜନସଂଖ୍ୟାକୁ ମିଶାଇଲେ ମଧ୍ୟ, ଇଣ୍ଡୋନେସିଆର ଦ୍ୱୀପପୁଞ୍ଜଠାରୁ ଆରମ୍ଭ କରି ଆଇବେରିଆନ୍ ଉପଦ୍ୱୀପ ପର୍ଯ୍ୟନ୍ତ ଵାସ କରୁଥିଵା ମଣିଷଙ୍କ ସଂଖ୍ୟା ପ୍ରାୟ ୧୦ ଲକ୍ଷରୁ ଅଧିକ ନଥିଲା ଏଵଂ ତାହା ପରିଵେଶ ଦୃଷ୍ଟିକୋଣରୁ ଅତି ସାମାନ୍ୟ ଥିଲା ।

ଆମର ନିଜ ଜାତି 'ହୋମୋ ସାପିଏନ୍ସ' ସେତେବେଳକୁ ଵିଶ୍ୱ ମଞ୍ଚରେ ପହଞ୍ଚି ସାରିଥିଲେ କିନ୍ତୁ ସେହି ପର୍ଯ୍ୟନ୍ତ ସେମାନେ କେଵଳ ଆଫ୍ରିକାର ଏକ କୋଣରେ ନିଜ କାମରେ ସୀମିତ ଥିଲେ । କେଉଁଠି ଓ କେବେ ପ୍ରଥମେ ହୋମୋ ସାପିଏନ୍ସ ଭାବେ ଗଣାଯାଉଥିଵା ପ୍ରାଣୀମାନେ ପୂର୍ଵର କୌଣସି ମାନଵ ଜାତିରୁ ଵିକଶିତ ହେଲେ, ତାହା ଆମେ ଠିକ୍ ଭାବେ ଜାଣିନାହୁଁ; କିନ୍ତୁ ଅଧିକାଂଶ ଵୈଜ୍ଞାନିକ ଏକମତ ଯେ ୧,୫୦,୦୦୦ ଵର୍ଷ ପୂର୍ଵକୁ ପୂର୍ଵ ଆଫ୍ରିକାରେ ଆମ ପରି ଦେଖାଯାଉଥିଵା 'ସାପିଏନ୍ସ' ଵାସ କରୁଥିଲେ । ଯଦି ସେମାନଙ୍କ ମଧ୍ୟରୁ ଜଣେ ଆଜିର କୌଣସି ଶଵ ଵ୍ୟଵଚ୍ଛେଦ ଗୃହକୁ ଆସନ୍ତି, ତେବେ ସେଠାକାର ଡାକ୍ତର ତାଙ୍କଠାରେ କୌଣସି ଅସ୍ୱାଭାଵିକତା ଦେଖିଵାକୁ ପାଇବେ ନାହିଁ । ନିଆଁର ଆଶୀର୍ଵାଦ ଯୋଗୁଁ ସେମାନଙ୍କର ଦାନ୍ତ ଓ ହନୁ ହାଡ଼ ସେମାନଙ୍କ ପୂର୍ଵପୁରୁଷଙ୍କ ତୁଳନାରେ ଛୋଟ ଥିଲା ଆଉ ମସ୍ତିଷ୍କର ଆକାର ଆମ ମସ୍ତିଷ୍କ ସହିତ ସମାନ ଥିଲା ।

ଵୈଜ୍ଞାନିକମାନେ ଏହା ମଧ୍ୟ ସ୍ୱୀକାର କରନ୍ତି ଯେ ପ୍ରାୟ ୭୦,୦୦୦ ଵର୍ଷ ପୂର୍ଵେ ପୂର୍ଵ-ଆଫ୍ରିକାରୁ ସାପିଏନ୍ସମାନେ ଆରବ ଉପଦ୍ୱୀପକୁ ଵ୍ୟାପିଥିଲେ ଏଵଂ ସେଠାରୁ ସେମାନେ ଅତି ଶୀଘ୍ର ସମଗ୍ର ୟୁରେସିଆ ଭୂଭାଗକୁ ନିଜ ଅକ୍ତିଆରକୁ ନେଇଥିଲେ ।
ଯେତେବେଳେ ହୋମୋ ସାପିଏନ୍ସ ଆରବରେ ପହଞ୍ଚିଲେ, ସେତେବେଳେ ୟୁରେସିଆର ଅଧିକାଂଶ ଅଞ୍ଚଳରେ ଅନ୍ୟ ମାନଵ ଜାତିମାନେ ଆଗରୁ ଵସଵାସ କରୁଥିଲେ । ସେମାନଙ୍କର କ’ଣ ହେଲା? ଏହି ଵିଷୟରେ ଦୁଇଟି ପରସ୍ପର ଵିରୋଧୀ ସିଦ୍ଧାନ୍ତ ରହିଛି । 'ଅନ୍ତଃପ୍ରଜନନ ସିଦ୍ଧାନ୍ତ' ଵା Interbreeding Theory ଆକର୍ଷଣ, ଯୌନ ସମ୍ପର୍କ ଓ ମିଶ୍ରଣର କାହାଣୀ କୁହେ । ଏହି ମତ ଅନୁସାରେ, ଯେତେବେଳେ ଆଫ୍ରିକୀୟ ପ୍ରଵାସୀ Homo sapiensମାନେ ସମଗ୍ର ଵିଶ୍ୱରେ ଵ୍ୟାପିଗଲେ, ସେମାନେ ଅନ୍ୟ Homo ଜାତିର ଜନସଂଖ୍ୟା ସହିତ ପ୍ରଜନନ କଲେ ଏଵଂ ଆଜିର ମଣିଷ ହେଉଛନ୍ତି ସେହି ମିଶ୍ରଣର ପରିଣାମ । ଉଦାହରଣ ସ୍ୱରୂପ, ଯେତେବେଳେ ସାପିଏନ୍ସ ମଧ୍ୟପ୍ରାଚ୍ୟ ଓ ୟୁରୋପରେ ପହଞ୍ଚିଲେ ସେମାନେ ନିଆଣ୍ଡରଥାଲମାନଙ୍କର ସାମ୍ନା କଲେ । ଏହି ମଣିଷମାନେ ସାପିଏନ୍ସଙ୍କ ତୁଳନାରେ ଅଧିକ ମାଂସପେଶୀ ବହୁଳ ଥିଲେ, ସେମାନଙ୍କର ମସ୍ତିଷ୍କ ବଡ଼ ଥିଲା ଏଵଂ ସେମାନେ ଶୀତଳ ଜଳଵାୟୁରେ ରହିଵା ପାଇଁ ଅଧିକ ଉପଯୁକ୍ତ ଥିଲେ । ସେମାନେ ହତିଆର ଓ ନିଆଁ ଵ୍ୟଵହାର କରୁଥିଲେ, ଭଲ ଶିକାରୀ ଥିଲେ ଏଵଂ ସ୍ପଷ୍ଟ ଭାଵେ ନିଜ ଦଳର ଅସୁସ୍ଥ ଓ ଦୁର୍ଵଳ ଲୋକଙ୍କ ଯତ୍ନ ନେଉଥିଲେ । (ପ୍ରତ୍ନତତ୍ତ୍ୱଵିତ୍‌ମାନେ ଏପରି କିଛି ନିଆଣ୍ଡରଥାଲଙ୍କ ହାଡ଼ ପାଇଛନ୍ତି ଯେଉଁମାନେ ଗୁରୁତର ଶାରୀରିକ ଅକ୍ଷମତା ସତ୍ତ୍ୱେ ଅନେକ ଵର୍ଷ ବଞ୍ଚିଥିଲେ, ଯାହା ପ୍ରମାଣ କରେ ଯେ ସେମାନଙ୍କର ସମ୍ପର୍କୀୟମାନେ ସେମାନଙ୍କ ସେଵା କରୁଥିଲେ ।) ନିଆଣ୍ଡରଥାଲମାନଙ୍କୁ ପ୍ରାୟତଃ ଅସଭ୍ୟ ଏଵଂ ନିର୍ବୋଧ 'ଗୁମ୍ଫା ମାନଵ' ଭାବେ ଚିତ୍ରଣ କରାଯାଇଛି, କିନ୍ତୁ ନିକଟ ଅତୀତର ପ୍ରମାଣ ସେମାନଙ୍କର ଏହି ଭାବମୂର୍ତ୍ତିକୁ ବଦଳାଇ ଦେଇଛି ।ଅନ୍ତଃପ୍ରଜନନ ସିଦ୍ଧାନ୍ତ ଅନୁସାରେ, ଯେତେବେଳେ ସାପିଏନ୍ସମାନେ ନିଆଣ୍ଡରଥାଲଙ୍କ ଅଞ୍ଚଳକୁ ଗଲେ, ସେଠାରେ ଦୁଇ Homo ଜାତି ମଧ୍ୟରେ ପ୍ରଜନନ ହେଲା ଏଵଂ ଶେଷରେ ଉଭୟ ଜନସଂଖ୍ୟା ପରସ୍ପର ସହ ମିଶିଗଲେ । ଯଦି ଏହା ସତ୍ୟ ହୋଇଥାଏ, ତେବେ ଆଜିର ୟୁରେସିଆର ଲୋକମାନେ ଶୁଦ୍ଧ ସାପିଏନ୍ସ ନୁହନ୍ତି । ସେମାନେ ସାପିଏନ୍ସ ଓ ନିଆଣ୍ଡରଥାଲଙ୍କ ମିଶ୍ରଣ । ସେହିପରି, ଯେତେବେଳେ ସାପିଏନ୍ସ ପୂର୍ଵ ଏସିଆରେ ପହଞ୍ଚିଲେ, ସେମାନେ ସ୍ଥାନୀୟ ଏରେକ୍ଟସଙ୍କ ସହ ମିଶିଗଲେ, ତେଣୁ ଚୀନ୍ ଓ କୋରିଆର ଲୋକମାନେ ସାପିଏନ୍ସ ଓ ଏରେକ୍ଟସଙ୍କ ମିଶ୍ରଣ ।

ଏହାର ଵିପରୀତ ମତକୁ 'ସ୍ଥାନାନ୍ତରଣ ସିଦ୍ଧାନ୍ତ' ଵା Replacement Theory କୁହାଯାଏ ଏଵଂ ଏହା ଏକ ସମ୍ପୂର୍ଣ୍ଣ ଭିନ୍ନ କାହାଣୀ କୁହେ । ସ୍ଥାନାନ୍ତରଣ ସିଦ୍ଧାନ୍ତରେ ସାମଞ୍ଜସ୍ୟର ଅଭାଵ, ଘୃଣା ଏଵଂ ହୁଏତ ଗଣହତ୍ୟାର କଥା ରହିଛି । ଏହି ସିଦ୍ଧାନ୍ତ ଅନୁସାରେ, ସାପିଏନ୍ସ ଏଵଂ ଅନ୍ୟ ମାନଵ ଜାତିଙ୍କ ଶାରୀରିକ ଗଠନ ଅଲଗା ଥିଲା ପୁଣି ସମ୍ଭଵତଃ ସେମାନଙ୍କର ପ୍ରଜନନ ଅଭ୍ୟାସ ତଥା ଶରୀରର ଗନ୍ଧ ମଧ୍ୟ ଭିନ୍ନ ଥିଲା । ତେଣୁ ସେମାନଙ୍କ ମଧ୍ୟରେ ପରସ୍ପର ପ୍ରତି କୌଣସି ଯୌନ ଆକର୍ଷଣ ନଥିଲା ।

ଯଦ୍ୟପି ଜଣେ ନିଆଣ୍ଡରଥାଲ୍ 'ରୋମିଓ' ଏଵଂ ସାପିଏନ୍ସ 'ଜୁଲିଏଟ୍' ପରସ୍ପର ପ୍ରେମରେ ପଡ଼ିଥାନ୍ତେ, ତଥାପି ସେମାନେ ପ୍ରଜନନକ୍ଷମ ସନ୍ତାନ ଜନ୍ମ କରିପାରିନଥାନ୍ତେ; କାରଣ ଦୁଇ ଜନସଂଖ୍ୟାକୁ ପୃଥକ କରୁଥିଵା ଜେନେଟିକ୍ ଵ୍ୟଵଧାନ ସେତେବେଳକୁ ଅତିକ୍ରମ କରିଵା ଅସମ୍ଭଵ ହୋଇସାରିଥିଲା । ଏହି ଦୁଇ ଗୋଷ୍ଠୀ ସମ୍ପୂର୍ଣ୍ଣ ଅଲଗା ହୋଇ ରହିଲେ ଏଵଂ ଯେତେବେଳେ ନିଆଣ୍ଡରଥାଲମାନେ ଵିଲୁପ୍ତ ହେଲେ କିମ୍ଵା ସେମାନଙ୍କୁ ମାରି ଦିଆଗଲା, ସେମାନଙ୍କର ଜିନ୍ (genes) ମଧ୍ୟ ସେମାନଙ୍କ ସହିତ ଶେଷ ହୋଇଗଲା । ଏହି ମତ ଅନୁସାରେ, ସାପିଏନ୍ସମାନେ ପୂର୍ଵର ସମସ୍ତ ମାନଵ ପ୍ରଜାତିଙ୍କ ସହ ନମିଶି ସେମାନଙ୍କ ସ୍ଥାନ ଦଖଲ କରିନେଲେ । ଯଦି ଏହା ସତ୍ୟ ହୋଇଥାଏ, ତେବେ ଆଜିର ସମସ୍ତ ମଣିଷଙ୍କ ଵଂଶାଵଳୀ କେଵଳ ୭୦,୦୦୦ ଵର୍ଷ ପୂର୍ଵର ପୂର୍ଵ ଆଫ୍ରିକା ସହିତ ଜଡ଼ିତ । ଆମେ ସମସ୍ତେ 'ଶୁଦ୍ଧ ସାପିଏନ୍ସ' ।

ଏହି ଵିତର୍କ ଉପରେ ଅନେକ କିଛି ନିର୍ଭର କରେ । ଵିଵର୍ତ୍ତନ ଦୃଷ୍ଟିକୋଣରୁ ୭୦,୦୦୦ ଵର୍ଷ ହେଉଛି ଏକ ସ୍ୱଳ୍ପ ସମୟ । ଯଦି 'ସ୍ଥାନାନ୍ତରଣ ସିଦ୍ଧାନ୍ତ' ଠିକ୍ ହୁଏ, ତେବେ ପୃଥିଵୀର ସମସ୍ତ ଜୀଵନ୍ତ ମଣିଷଙ୍କ ଜେନେଟିକ୍ ଗଠନ ପ୍ରାୟ ସମାନ ଏଵଂ ସେମାନଙ୍କ ମଧ୍ୟରେ ଥିଵା ଜାତିଗତ ପାର୍ଥକ୍ୟ ନଗଣ୍ୟ । କିନ୍ତୁ ଯଦି 'ଅନ୍ତଃପ୍ରଜନନ ସିଦ୍ଧାନ୍ତ' ଠିକ୍ ହୁଏ, ତେବେ ଆଫ୍ରିକୀୟ, ୟୁରୋପୀୟ ଓ ଏସୀୟମାନଙ୍କ ମଧ୍ୟରେ ଜେନେଟିକ୍ ପାର୍ଥକ୍ୟ ଥାଇପାରେ ଯାହା ଲକ୍ଷ ଲକ୍ଷ ଵର୍ଷ ପୁରୁଣା । ଏହା ଏକ ଵିସ୍ଫୋରକ ରାଜନୈତିକ ଵିଷୟ ହୋଇପାରେ, ଯାହା ଭୟଙ୍କର ଜାତିଗତ ଭେଦଭାଵ ସୃଷ୍ଟି କରୁଥିଵା ମତଵାଦକୁ ଖୋରାକ ଯୋଗାଇଵ ।

ନିକଟ ଦଶନ୍ଧିଗୁଡ଼ିକରେ 'ସ୍ଥାନାନ୍ତରଣ ସିଦ୍ଧାନ୍ତ'କୁ ଅଧିକ ଗ୍ରହଣ କରାଯାଉଥିଲା । ଏହାର ଶକ୍ତ ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଥିଲା ଏଵଂ ଏହା ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ଅଧିକ ଗ୍ରହଣୀୟ ଥିଲା (ଵୈଜ୍ଞାନିକମାନେ ଆଧୁନିକ ମଣିଷଙ୍କ ମଧ୍ୟରେ ଜେନେଟିକ୍ ପାର୍ଥକ୍ୟ ଦର୍ଶାଇ ଜାତିଵାଦର ପାଣ୍ଡୋରା ବକ୍ସ ଖୋଲିଵାକୁ ଚାହୁଁନଥିଲେ) । କିନ୍ତୁ ୨୦୧୦ ମସିହାରେ ଏହି ଧାରଣା ବଦଳିଗଲା, ଯେତେବେଳେ ନିଆଣ୍ଡରଥାଲ୍ ଜେନୋମ୍ ମ୍ୟାପିଂର ଚାରି ଵର୍ଷର ପରିଶ୍ରମର ଫଳାଫଳ ପ୍ରକାଶ ପାଇଲା । ଜେନେଟିକ୍ ଵିଶେଷଜ୍ଞମାନେ ଜୀଵାଶ୍ମରୁ ଯଥେଷ୍ଟ ପରିମାଣର ନିଆଣ୍ଡରଥାଲ୍ ଡିଏନ୍ଏ (DNA) ସଂଗ୍ରହ କରିଵାରେ ସଫଳ ହେଲେ ଏଵଂ ଆଧୁନିକ ମଣିଷର ଡିଏନ୍ଏ ସହିତ ଏହାର ତୁଳନା କଲେ । ଏହାର ଫଳାଫଳ ଵୈଜ୍ଞାନିକ ଜଗତକୁ ଆଶ୍ଚର୍ଯ୍ୟ କରିଦେଲା ।

ଜଣାପଡ଼ିଲା ଯେ ମଧ୍ୟପ୍ରାଚ୍ୟ ଓ ୟୁରୋପର ଆଧୁନିକ ଜନସଂଖ୍ୟାର ପ୍ରାୟ ୧-୪ ପ୍ରତିଶତ ଡିଏନ୍ଏ ହେଉଛି ନିଆଣ୍ଡରଥାଲ୍ ଡିଏନ୍ଏ । ଏହା ଅଧିକ ନହେଲେ ମଧ୍ୟ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ । ଦ୍ୱିତୀୟ ଆଶ୍ଚର୍ଯ୍ୟଜନକ ତଥ୍ୟ କିଛି ମାସ ପରେ ଆସିଲା, ଯେତେବେଳେ 'ଡେନିସୋଵା' ଗୁମ୍ଫାରୁ ମିଳିଥିଵା ଏକ ଆଙ୍ଗୁଠି ହାଡ଼ରୁ ଡିଏନ୍ଏ ପରୀକ୍ଷା କରାଗଲା । ଏଥିରୁ ପ୍ରମାଣିତ ହେଲା ଯେ ଆଧୁନିକ ମେଲାନେସିଆନ୍ ଏଵଂ ଅଷ୍ଟ୍ରେଲିଆର ଆଦିଵାସୀମାନଙ୍କ ଡିଏନ୍ଏର ପ୍ରାୟ ୬ ପ୍ରତିଶତ ହେଉଛି ଡେନିସୋଵାନ୍ ଡିଏନ୍ଏ ।
ଯଦି ଏହି ଫଳାଫଳଗୁଡ଼ିକ ଠିକ୍ ହୁଏ, ତେଵେ ଅନ୍ତଃପ୍ରଜନନ ସିଦ୍ଧାନ୍ତଵାଦୀଙ୍କ କଥା କିଛି ମାତ୍ରାରେ ଠିକ୍ ଥିଲା । କିନ୍ତୁ ଏହାର ଅର୍ଥ ନୁହେଁ ଯେ ସ୍ଥାନାନ୍ତରଣ ସିଦ୍ଧାନ୍ତ ସମ୍ପୂର୍ଣ୍ଣ ଭୁଲ୍ । ଯେହେତୁ ନିଆଣ୍ଡରଥାଲ୍ ଓ ଡେନିସୋଵାନ୍‌ ମାନଵମାନେ ଆମର ଵର୍ତ୍ତମାନର ଜେନୋମ୍‌ରେ କେଵଳ ଅଳ୍ପ ପରିମାଣର ଡିଏନ୍ଏ ଅଵଦାନ ଦେଇଛନ୍ତି, ତେଣୁ ସାପିଏନ୍ସ ଏଵଂ ଅନ୍ୟ ମାନଵ ଜାତିଙ୍କ ମଧ୍ୟରେ ଏକ ସମ୍ପୂର୍ଣ୍ଣ 'ମିଶ୍ରଣ' ହୋଇଥିଵା କହିଵା ଅସମ୍ଭଵ । ଯଦ୍ୟପି ସେମାନଙ୍କ ମଧ୍ୟରେ ଥିଵା ପାର୍ଥକ୍ୟ ପ୍ରଜନନ ପାଇଁ ସମ୍ପୂର୍ଣ୍ଣ ଵାଧକ ନଥିଲା, କିନ୍ତୁ ଏପରି ସମ୍ପର୍କ ଅତି ଵିରଳ ଥିଲା ।

ତେବେ ଆମେ ସାପିଏନ୍ସ, ନିଆଣ୍ଡରଥାଲ୍ ଓ ଡେନିସୋଵାନ୍‌ଙ୍କ ମଧ୍ୟରେ ଜୈଵିକ ସମ୍ପର୍କକୁ କିପରି ବୁଝିଵା? ସ୍ପଷ୍ଟ ଭାଵେ, ସେମାନେ ଘୋଡ଼ା ଓ ଗଧ ପରି ସମ୍ପୂର୍ଣ୍ଣ ଅଲଗା ଜାତି ନଥିଲେ । ଅନ୍ୟପଟେ, ସେମାନେ କେଵଳ ବୁଲ୍‌ଡଗ୍ ଏଵଂ ସ୍ପାନିଏଲ୍ କୁକୁର ପରି ଏକା ଜାତିର ଦୁଇଟି ଭିନ୍ନ ଗୋଷ୍ଠୀ ମଧ୍ୟ ନଥିଲେ । ଜୈଵିକ ଵାସ୍ତଵତା କେଵଳ କଳା କିମ୍ଵା ଧଳା ନୁହେଁ, ଏଥିରେ କିଛି ଧୂସର ଅଞ୍ଚଳ ମଧ୍ୟ ରହିଛି । ଏକ ସାଧାରଣ ପୂର୍ଵପୁରୁଷରୁ ଵିକଶିତ ହୋଇଥିଵା ପ୍ରତ୍ୟେକ ଦୁଇଟି ଭିନ୍ନ ଜାତି କୌଣସି ଏକ ସମୟରେ ଏକା ଜାତିର ଦୁଇଟି ଗୋଷ୍ଠୀ ହୋଇ ରହିଥିଵେ । ଏପରି ଏକ ସମୟ ନିଶ୍ଚୟ ଆସିଥିଵ ଯେତେବେଳେ ସେମାନେ ପରସ୍ପରଠାରୁ ଯଥେଷ୍ଟ ଅଲଗା ହୋଇ ସାରିଥିଵେ, କିନ୍ତୁ ଵିରଳ ଅଵସ୍ଥାରେ ଶାରୀରିକ ସମ୍ପର୍କ ଏଵଂ ସନ୍ତାନ ଜନ୍ମ କରିଵା ପାଇଁ ସକ୍ଷମ ଥିଵେ । ପରେ ଅନ୍ୟ ଏକ ନଵୋଦ୍ଭଵନ ଵା mutation ଏହି ଶେଷ ସମ୍ପର୍କକୁ ମଧ୍ୟ କାଟି ଦେଇଥିଵ ଏଵଂ ସେମାନେ ନିଜ ନିଜର ଅଲଗା ଵିଵର୍ତ୍ତନ ପଥରେ ଆଗେଇ ଯାଇଥିଵେ ।
ମନେହୁଏ ଯେ ପ୍ରାୟ ୫୦,୦୦୦ ଵର୍ଷ ପୂର୍ଵେ ସାପିଏନ୍ସ, ନିଆଣ୍ଡରଥାଲ୍ ଏଵଂ ଡେନିସୋଵାନ୍‌ମାନେ ସେହି ସୀମା ରେଖାରେ ଥିଲେ । ସେମାନେ ପ୍ରାୟ ଅଲଗା ଜାତି ହୋଇସାରିଥିଲେ, କିନ୍ତୁ ସମ୍ପୂର୍ଣ୍ଣ ଭାବେ ନୁହେଁ । ସାପିଏନ୍ସମାନେ ସେତେବେଳକୁ ନିଆଣ୍ଡରଥାଲ୍ ଓ ଡେନିସୋଵାନ୍‌ଙ୍କଠାରୁ କେଵଳ ଶାରୀରିକ ଗଠନରେ ନୁହେଁ ଵରଂ ବୌଦ୍ଧିକ ଓ ସାମାଜିକ ଦକ୍ଷତାରେ ମଧ୍ୟ ବହୁତ ଆଗରେ ଥିଲେ । ତଥାପି ଏକ ସାପିଏନ୍ସ ଓ ନିଆଣ୍ଡରଥାଲ୍ ମଧ୍ୟରେ ସନ୍ତାନ ଜନ୍ମ ହେଵା ସମ୍ଭଵ ଥିଲା । ତେଣୁ ଏହି ଗୋଷ୍ଠୀଗୁଡ଼ିକ ସମ୍ପୂର୍ଣ୍ଣ ମିଶିଲେ ନାହିଁ, କିନ୍ତୁ କିଛି ଭାଗ୍ୟଵାନ ନିଆଣ୍ଡରଥାଲ୍ ଜିନ୍ ସାପିଏନ୍ସଙ୍କ ସହିତ ଆଗକୁ ବଢ଼ିଵାର ସୁଯୋଗ ପାଇଲେ । ଏହା ଚିନ୍ତା କରିଵାକୁ ଟିକେ ଅଡ଼ୁଆ ଲାଗିପାରେ କିମ୍ଵା ରୋମାଞ୍ଚକର ହୋଇପାରେ ଯେ ଆମେ ସାପିଏନ୍ସମାନେ କୌଣସି ଏକ ସମୟରେ ଅନ୍ୟ ଏକ ଜାତିର ପ୍ରାଣୀ ସହ ସନ୍ତାନ ଜନ୍ମ କରିଥିଲେ ।

କିନ୍ତୁ ଯଦି ନିଆଣ୍ଡରଥାଲ୍ ଓ ଡେନିସୋଵାନ୍‌ମାନେ ସାପିଏନ୍ସଙ୍କ ସହ ମିଶିଲେ ନାହିଁ, ତେବେ ସେମାନେ କାହିଁକି ଅଦୃଶ୍ୟ ହୋଇଗଲେ ଵା ଲୋପ ପାଇଗଲେ ? ଏକ ସମ୍ଭାଵନା ହେଉଛି ଯେ ହୋମୋ ସାପିଏନ୍ସ ସେମାନଙ୍କୁ ଵିଲୁପ୍ତ ହେଵାକୁ ବାଧ୍ୟ କଲେ । କଳ୍ପନା କରନ୍ତୁ, ଏକ ସାପିଏନ୍ସ ଦଳ ବାଲକାନ୍ ଉପତ୍ୟକାରେ ପହଞ୍ଚିଲେ ଯେଉଁଠି ନିଆଣ୍ଡରଥାଲମାନେ ଲକ୍ଷ ଲକ୍ଷ ଵର୍ଷ ଧରି ଵାସ କରି ଆସୁଥିଲେ । ନୂଆକରି ଆସିଥିଵା ସାପିଏନ୍ସମାନେ ସେଠାକାର ହରିଣ ଶିକାର କରିଵା ଏଵଂ ଫଳମୂଳ ସଂଗ୍ରହ କରିଵା ଆରମ୍ଭ କଲେ ଯାହା ନିଆଣ୍ଡରଥାଲମାନଙ୍କର ମୁଖ୍ୟ ଖାଦ୍ୟ ଥିଲା । ଉନ୍ନତ ଜ୍ଞାନକୌଶଳ ତଥା ସାମାଜିକ ଦକ୍ଷତା ଯୋଗୁଁ ସାପିଏନ୍ସମାନେ ଶିକାର ଓ ସଂଗ୍ରହ କରିଵାରେ ଅଧିକ ପାରଙ୍ଗମ ଥିଲେ, ତେଣୁ ସେମାନଙ୍କ ସଂଖ୍ୟା ବଢ଼ିଲା ଏଵଂ ସେମାନେ ଵ୍ୟାପିଗଲେ । କମ୍ ଦକ୍ଷ ନିଆଣ୍ଡରଥାଲମାନଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିଵା କଷ୍ଟକର ହେଲା । ସେମାନଙ୍କ ସଂଖ୍ୟା କମିଲା ଏଵଂ ଧୀରେ ଧୀରେ ସେମାନେ ମରିଗଲେ ।

ଅନ୍ୟ ଏକ ସମ୍ଭାଵନା ହେଉଛି ଯେ ସମ୍ଵଳ ପାଇଁ ପ୍ରତିଯୋଗିତା ଶେଷରେ ହିଂସା ଏଵଂ ଗଣହତ୍ୟାର ରୂପ ନେଲା । ସହନଶୀଳତା ସାପିଏନ୍ସମାନଙ୍କର ପରିଚୟ ନୁହେଁ । ଆଧୁନିକ ସମୟରେ ଚର୍ମର ରଙ୍ଗ, ଭାଷା କିମ୍ଵା ଧର୍ମର ସାମାନ୍ୟ ପାର୍ଥକ୍ୟ ଗୋଟିଏ ସାପିଏନ୍ସ ଗୋଷ୍ଠୀକୁ ଅନ୍ୟ ଏକ ଗୋଷ୍ଠୀର ସର୍ଵନାଶ କରିଵା ପାଇଁ ଯଥେଷ୍ଟ ହେଇ ଯାଉଛି । ତେବେ ପ୍ରାଚୀନ ସାପିଏନ୍ସମାନେ କ’ଣ ଏକ ସମ୍ପୂର୍ଣ୍ଣ ଭିନ୍ନ ମାନଵ ଜାତି ପ୍ରତି ଅଧିକ ସହନଶୀଳ ହୋଇଥିଵେ? ସମ୍ଭଵତଃ ସାପିଏନ୍ସ ଓ ନିଆଣ୍ଡରଥାଲଙ୍କ ସାମ୍ନାସାମ୍ନି ହେଵାର ଫଳାଫଳ ଥିଲା ଇତିହାସର ପ୍ରଥମ ଏଵଂ ସବୁଠାରୁ ବଡ଼ ଜାତିଗତ ନିପାତ ଅଭିଯାନ (ethnic-cleansing) ।

ଯାହା ବି ହୋଇଥାଉ, ନିଆଣ୍ଡରଥାଲ୍ ଏଵଂ ଅନ୍ୟ ମାନଵଜାତିମାନେ ଇତିହାସର ଏକ ବଡ଼ ପ୍ରଶ୍ନଵାଚୀ ହୋଇ ରହିଛନ୍ତି । କଳ୍ପନା କରନ୍ତୁ, ଯଦି ନିଆଣ୍ଡରଥାଲ୍ ଵା ଡେନିସୋଵାନ୍‌ମାନେ ସାପିଏନ୍ସଙ୍କ ସହିତ ଆଜି ପର୍ଯ୍ୟନ୍ତ ଵଞ୍ଚିଥାନ୍ତେ, ତେଵେ ୟେ ଦୁନିଆ କିପରି ହୋଇଥାନ୍ତା ? ଏକାଧିକ ମାନଵ ଜାତି ଵାସ କରୁଥିଵା ପୃଥିଵୀରେ କେଉଁ ପ୍ରକାରର ସଂସ୍କୃତି, ସମାଜ ଏଵଂ ରାଜନୈତିକ ଗଠନ ସୃଷ୍ଟି ହୋଇଥାନ୍ତା? ଉଦାହରଣ ସ୍ୱରୂପ, ଧାର୍ମିକ ଵିଶ୍ୱାସଗୁଡ଼ିକ କିପରି ଵିକଶିତ ହୋଇଥାନ୍ତା? କ’ଣ ବାଇବେଲ୍ କହିଥାନ୍ତା ଯେ ନିଆଣ୍ଡରଥାଲମାନେ ମଧ୍ୟ ଆଡାମ ଓ ଇଵ୍‌ଙ୍କ ଵଂଶଧର? କ’ଣ ଯୀଶୁ ଖ୍ରୀଷ୍ଟ ଡେନିସୋଵାନ୍‌ମାନଙ୍କ ପାପ ପାଇଁ ମଧ୍ୟ ମୃତ୍ୟୁଵରଣ କରିଥାନ୍ତେ? କ’ଣ କୁରାନରେ ସବୁ ଜାତିର ଧାର୍ମିକ ମଣିଷଙ୍କ ପାଇଁ ସ୍ୱର୍ଗରେ ସ୍ଥାନ ସଂରକ୍ଷିତ ଥାନ୍ତା? କ’ଣ ନିଆଣ୍ଡରଥାଲମାନେ ରୋମାନ୍ ସେନାରେ କିମ୍ଵା ଚୀନର ସରକାରୀ କାର୍ଯ୍ୟାଳୟରେ ଚାକିରି କରିପାରିଥାନ୍ତେ? କ’ଣ ଆମେରିକାର ସ୍ୱାଧୀନତା ଘୋଷଣାନାମା ଏହାକୁ ଏକ ସ୍ୱତଃସିଦ୍ଧ ସତ୍ୟ ବୋଲି ମାନିଥାନ୍ତା ଯେ 'ହୋମୋ' ଜାତିର ସମସ୍ତ ସଦସ୍ୟ ସମାନ ଭାବେ ସୃଷ୍ଟି ହୋଇଛନ୍ତି? କ’ଣ କାର୍ଲ ମାର୍କ୍ସ ସମସ୍ତ Homo ଜାତିର ଶ୍ରମିକମାନଙ୍କୁ ଏକଜୁଟ ହେଵାକୁ ଆହ୍ୱାନ ଦେଇଥାନ୍ତେ?
ଗତ ୧୦,୦୦୦ ଵର୍ଷ ଧରି ହୋମୋ ସାପିଏନ୍ସ ଏକମାତ୍ର Homo ଜାତି ଭାଵେ ରହିଵାକୁ ଏତେ ଅଭ୍ୟସ୍ତ ହୋଇଯାଇଛି ଯେ, ଆମ ପାଇଁ ଅନ୍ୟ କୌଣସି ସମ୍ଭାଵନା ଵିଷୟରେ ଚିନ୍ତା କରିଵା କଷ୍ଟକର ହୋଇଯାଇଛି । ଆମର କୌଣସି ଅନ୍ୟ Homo ଜାତିର ଭାଇଭଉଣୀ ନଥିଵାରୁ ଆମେ ନିଜକୁ ସୃଷ୍ଟିର ଶ୍ରେଷ୍ଠ ଜୀଵ ବୋଲି ଭାବିଵା ସହଜ ହୋଇଯାଉଛି । ଯେତେବେଳେ ଚାର୍ଲସ ଡାରୱିନ୍ କହିଲେ ଯେ ମଣିଷ କେଵଳ ଅନ୍ୟ ଏକ ପ୍ରକାରର ପ୍ରାଣୀ, ସେତେବେଳେ ଲୋକମାନେ କ୍ରୋଧିତ ହୋଇଥିଲେ । ଆଜି ମଧ୍ୟ ଅନେକ ଏହା ଵିଶ୍ୱାସ କରନ୍ତି ନାହିଁ । ଯଦି ନିଆଣ୍ଡରଥାଲମାନେ ବଞ୍ଚିଥାନ୍ତେ, ତେବେ କ’ଣ ଆମେ ନିଜକୁ ଅନ୍ୟ ପ୍ରାଣୀଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ବୋଲି ଭାବିଥାନ୍ତେ?
ବୋଧହୁଏ ଏହି କାରଣ ପାଇଁ ହିଁ ଆମର ପୂର୍ଵପୁରୁଷମାନେ ନିଆଣ୍ଡରଥାଲମାନଙ୍କୁ ଶେଷ କରିଦେଲେ । ସେମାନେ ଆମ ପରି ଦେଖାଯାଉଥିଵାରୁ ସେମାନଙ୍କୁ ଅଣଦେଖା କରିଵା ସମ୍ଭଵ ନଥିଲା, କିନ୍ତୁ ସେମାନେ ଏତେ ଅଲଗା ଥିଲେ ଯେ ସେମାନଙ୍କୁ ସହ୍ୟ କରିଵା ମଧ୍ୟ ସମ୍ଭଵ ନଥିଲା ।

ସାପିଏନ୍ସମାନେ ଦାୟୀ ହୁଅନ୍ତୁ ଵା ନହୁଅନ୍ତୁ, ସେମାନେ ଯେଉଁ ନୂଆ ସ୍ଥାନକୁ ଗଲେ, ସେଠାକାର ପୁରୁଣା ମାନଵ ଜନସଂଖ୍ୟା ଵିଲୁପ୍ତ ହୋଇଗଲା । ହୋମୋ ସୋଲୋଏନ୍ସିସ୍ ପ୍ରାୟ ୫୦,୦୦୦ ଵର୍ଷ ପୂର୍ଵେ ଲୋପ ହେଲେ । ତା’ ପରେ ଡେନିସୋଵାନ୍ ମାନଵ ମଧ୍ୟ ଅଦୃଶ୍ୟ ହୋଇଗଲେ । ନିଆଣ୍ଡରଥାଲମାନେ ପ୍ରାୟ ୩୦,୦୦୦ ଵର୍ଷ ପୂର୍ଵେ ପୃଥିଵୀରୁ ଵିଦାୟ ନେଲେ । ଫ୍ଲୋରେସ୍ ଦ୍ୱୀପରୁ ଶେଷ ଵାମନ ମଣିଷମାନେ ୧୨,୦୦୦ ଵର୍ଷ ପୂର୍ଵେ ଵିଲୁପ୍ତ ହୋଇଗଲେ । ସେମାନେ ପଛରେ କିଛି ହାଡ଼, ପଥରର ହତିଆର, ଆମ ଡିଏନ୍ଏରେ କିଛି ଜିନ୍ ଏଵଂ ଅନେକ ଅନୁତ୍ତରିତ ପ୍ରଶ୍ନ ଛାଡ଼ି ଯାଇଛନ୍ତି । ସେମାନେ ଆମକୁ, ଅର୍ଥାତ୍ ହୋମୋ ସାପିଏନ୍ସଙ୍କୁ ମଧ୍ୟ ଛାଡ଼ି ଯାଇଛନ୍ତି, ଯିଏ କି ପୃଥିଵୀର ଶେଷ ମାନଵ ଜାତି ।

ସାପିଏନ୍ସଙ୍କ ସଫଳତାର ରହସ୍ୟ କ’ଣ ଥିଲା? ଆମେ କିପରି ଏତେ ଶୀଘ୍ର ଏତେଗୁଡ଼ିଏ ଦୂର ଏଵଂ ଵିଭିନ୍ନ ପରିଵେଶରେ ଵସଵାସ କରିଵାରେ ସଫଳ ହେଲୁ? ଆମେ କିପରି ଅନ୍ୟ ସମସ୍ତ Homo ଜାତିଙ୍କୁ ଵିସ୍ମୃତିର ଗର୍ଭକୁ ଠେଲି ଦେଲୁ? ଶକ୍ତିଶାଳୀ, ବୁଦ୍ଧିମାନ ଏଵଂ ପ୍ରଵଳ ଶୀତ ସହ୍ୟ କରିପାରୁଥିଵା ନିଆଣ୍ଡରଥାଲମାନେ ମଧ୍ୟ ଆମ ଆକ୍ରମଣ ଆଗରେ କାହିଁକି ବଞ୍ଚିପାରିଲେ ନାହିଁ? ଏହି ଵିତର୍କ ଏବେ ବ ଜାରି ରହିଛି । ଏହାର ସବୁଠାରୁ ସମ୍ଭାଵ୍ୟ ଉତ୍ତରଟି ହେଉଛି ସେହି ଜିନିଷ, ଯାହା ଏହି ଵିତର୍କକୁ ସମ୍ଭଵ କରିଛି: ହୋମୋ ସାପିଏନ୍ସ ସମଗ୍ର ଵିଶ୍ୱ ଜୟ କଲା, ମୁଖ୍ୟତଃ ନିଜର ଅଦ୍ୱିତୀୟ ଭାଷା ଯୋଗୁଁ ।
•••••••••••••••••••••••••••••••
ୟୁଵାଲ୍ ନୋଆ ହାରାରିଙ୍କ ତାଙ୍କର ଵିଶ୍ୱପ୍ରସିଦ୍ଧ ପୁସ୍ତକ 'Sapiens: A Brief History of Humankind'ର ଏହି ନିର୍ଦ୍ଦିଷ୍ଟ ଅଧ୍ୟାୟର ଶୀର୍ଷକ "Our Brothers’ Keepers" (ଆମ ଭ୍ରାତୃଗଣଙ୍କ ରକ୍ଷକ) ରଖିଵା ପଛରେ ଗଭୀର ଆଧ୍ୟାତ୍ମିକ, ସାମାଜିକ ଓ ଵିଵର୍ତ୍ତନଗତ ବ୍ୟଙ୍ଗ ଲୁଚି ରହିଛି ।

ବାଇବେଲ୍‌ର 'Book of Genesis'ରେ ଆଦାମ ଓ ଇଵ୍‌ଙ୍କ ଦୁଇ ପୁତ୍ର କେନ୍ (Cain) ଓ ଏବେଲ୍ (Abel)ଙ୍କ କାହାଣୀ ରହିଛି । କେନ୍ ନିଜ ଭାଇ ଏବେଲ୍‌ଙ୍କୁ ଈର୍ଷାଵଶତଃ ହତ୍ୟା କରିଵା ପରେ, ଭଗଵାନ ଯେତେବେଳେ ତାଙ୍କୁ ପଚାରିଲେ, "ତୁମ ଭାଇ ଏବେଲ୍ କେଉଁଠି?", ସେତେବେଳେ କେନ୍ ମିଛ କହି ନିଜ ଦାୟିତ୍ୱରୁ ଖସିଯିଵାକୁ ଚେଷ୍ଟା କରି କହିଥିଲେ: "Am I my brother's keeper?" (ମୁଁ କଣ ମୋ ଭାଇର ରକ୍ଷକ?)
ହାରାରି ଏହି ପ୍ରସଙ୍ଗକୁ ମାନଵ ଇତିହାସ ସହ ଯୋଡ଼ିଛନ୍ତି । ନିଆଣ୍ଡରଥାଲ୍, ଡେନିସୋଵାନ୍ ଓ ହୋମୋ ଏରେକ୍ଟସ ଆଦି ମାନଵଜାତିମାନେ ଵିଵର୍ତ୍ତନ ଦୃଷ୍ଟିକୋଣରୁ ହୋମୋ ସାପିଏନ୍ସ ଵା ଆମର 'ଭାଇ' ପରି ଥିଲେ । ଆମର ଦାୟିତ୍ୱ ଥିଲା ସେମାନଙ୍କର ସହ-ଅସ୍ତିତ୍ୱକୁ ସ୍ୱୀକାର କରିଵା ଏଵଂ ସେମାନଙ୍କ ରକ୍ଷକ ସାଜିଵା । କିନ୍ତୁ କେନ୍‌ଙ୍କ ଭଳି, ସାପିଏନ୍ସମାନେ ନିଜର ଏହି 'ଭ୍ରାତୃଗଣ'ଙ୍କ ପ୍ରତି ସହନଶୀଳ ହେଲେ ନାହିଁ;ଵରଂ ସେମାନଙ୍କୁ ଗଣହତ୍ୟା କିମ୍ବା ସମ୍ବଳର ପ୍ରତିଯୋଗିତା ଦ୍ୱାରା ପୃଥିଵୀ ପୃଷ୍ଠରୁ ସମ୍ପୂର୍ଣ୍ଣ ରୂପେ ନିଶ୍ଚିହ୍ନ କରିଦେଲେ ।

Our Brothers’ Keepers ଶୀର୍ଷକଟି ଶୁଣିଵାକୁ ଅତି ଦୟାଳୁ ଓ ସକାରାତ୍ମକ ଲାଗେ ଯେମିତି କି ଆମେ ସାପିଏନ୍ସମାନେ ଆମର ଅନ୍ୟ Hom ଜାତିର ସଗୋତ୍ରୀୟମାନଙ୍କୁ ସୁରକ୍ଷା ଦେଇଛୁ । କିନ୍ତୁ ପ୍ରବନ୍ଧର ଵିଷୟବସ୍ତୁ ସମ୍ପୂର୍ଣ୍ଣ ଓଲଟା କଥା ପ୍ରମାଣ କରେ ।
ସାପିଏନ୍ସମାନେ ଅନ୍ୟ ହୋମୋ ଜାତିମାନଙ୍କର ରକ୍ଷକ (Keepers) ସାଜିଵା ପରିଵର୍ତ୍ତେ ସେମାନଙ୍କର ଭକ୍ଷକ କିମ୍ବା ଵିଲୁପ୍ତିର କାରଣ ସାଜିଲେ । ପୃଥିଵୀର ଯେଉଁଠିକି ବି ସାପିଏନ୍ସ ଗଲେ, ସେଠାରେ ଅନ୍ୟ Homo ଜାତିଙ୍କର ଅନ୍ତ ଘଟିଲା । ତେଣୁ ଏହି ନାମକରଣ ସାପିଏନ୍ସଙ୍କର ହିଂସ୍ର ଓ ସ୍ୱାର୍ଥପର ପ୍ରକୃତି ପ୍ରତି ଏକ କଟୁ ଆକ୍ଷେପ ।

ଏହି ଶୀର୍ଷକର ଆଉ ଏକ ଵୈଜ୍ଞାନିକ ଦିଗ ମଧ୍ୟ ଅଛି ଯାହା ନିକଟ ଅତୀତର DNA ଗଵେଷଣାରୁ ଜଣାପଡ଼ିଛି । ଯଦ୍ୟପି Homo ଜାତିମାନଙ୍କର ଶାରୀରିକ ଭାବେ ଧରାପୃଷ୍ଠରୁ ଵିଲୁପ୍ତି ଘଟିଛି, ତଥାପି ସେମାନଙ୍କ ସହ ସୀମିତ ଅନ୍ତଃପ୍ରଜନନ କରିଵା ଯୋଗୁଁ ଆଜିର ଆଧୁନିକ ମଣିଷ ଶରୀରରେ ୧ ରୁ ୪ ପ୍ରତିଶତ ନିଆଣ୍ଡରଥାଲ୍ DNA ଏଵଂ ପ୍ରାୟ ୬ ପ୍ରତିଶତ ଡେନିସୋଵାନ୍ DNA ସୁରକ୍ଷିତ ରହିଛି ।
ଏହି ଦୃଷ୍ଟିକୋଣରୁ, ଆମେ ଆଜି ବି ଆମର ସେହି ଵିଲୁପ୍ତ ହୋଇଯାଇଥିଵା 'ଭ୍ରାତୃଗଣ'ଙ୍କର ଜେନେଟିକ୍ ସ୍ମୃତିକୁ ନିଜ ଭିତରେ ଵହନ କରି ରଖିଛୁ । ଆମେ ସେମାନଙ୍କର ଅସ୍ତିତ୍ୱର ଶେଷ ସନ୍ତକର 'ରକ୍ଷକ' ପାଲଟିଛୁ ।

ପ୍ରକୃତରେ ୟୁଵାଲ୍ ନୋଆ ହାରାରି ଏହି ଶୀର୍ଷକ ମାଧ୍ୟମରେ ପାଠକକୁ ଏକ ନୈତିକ ପ୍ରଶ୍ନ ପଚାରିଛନ୍ତି । ସେ ଆମକୁ ମନେ ପକାଇ ଦେଉଛନ୍ତି ଯେ ଆମେ ଏହି ପୃଥିଵୀରେ କେବେ ବି 'ଏକମାତ୍ର ମଣିଷ' ନଥିଲୁ । ଆମର ଅନେକ ସଗୋତ୍ରୀୟ Homo ଭାତୃଗଣ ଥିଲେ ଯେଉଁମାନଙ୍କୁ ଆମେ ଇତିହାସର ଅନ୍ଧାର ଭିତରକୁ ଠେଲି ଦେଇଛୁ । ଏହି ଅଧ୍ୟାୟର ନାମକରଣ ସାପିଏନ୍ସର ସେହି ପୁରୁଣା ଅପରାଧବୋଧ ଏଵଂ ସେମାନଙ୍କ ପ୍ରତି ଥିଵା ଆମର ଜୈଵିକ ସମ୍ପର୍କର ଏକ ସୁନ୍ଦର ପ୍ରତିଫଳନ ।

(ଏହି ପ୍ରବନ୍ଧ ସହିତ Sapiens a brief history of humankind ପୁସ୍ତକର ପ୍ରଥମ ଅଧ୍ୟାୟ ଶେଷ ହୋଇଛି। ଏହାପରେ ଦ୍ଵିତୀୟ ଅଧ୍ଯାୟର ପ୍ରବନ୍ଧ ଉପସ୍ଥାପନ କରାଯିଵ) 


Thursday, May 28, 2026

ରାନ୍ଧୁଣିଆଙ୍କ ଏକ ଜାତି(A Race of Cooks)

ଖାଦ୍ୟ ଶୃଙ୍ଖଳାର ଶୀର୍ଷକୁ ଯିଵା ପଥରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଗ୍ନି ଵା ନିଆଁ ଉପରେ ନିୟନ୍ତ୍ରଣ ଥିଲା। ମଣିଷ ଏକ ଦୀର୍ଘକାଳୀନ ଭିତ୍ତିରେ ଅଗ୍ନିକୁ ପୋଷା ମନାଇଵା ଶିଖିଥିଲା । ପ୍ରାୟ ୮,୦୦,୦୦୦ ଵର୍ଷ ପୂର୍ଵେ କିଛି ମାନଵ ଜାତି ବେଳେବେଳେ ନିଆଁର ଵ୍ୟଵହାର କରୁଥିଲେ । ଅଗ୍ନି ଵ୍ୟଵହାର କ୍ଷେତ୍ରରେ ହୋମୋ ଇରକ୍ଟସ୍ ପ୍ରଥମ ମାନଵଜାତି ଥିଲା । କିନ୍ତୁ ପ୍ରାୟ ୩,୦୦,୦୦୦ ଵର୍ଷ ପୂର୍ଵକୁ ଆସିଵା ବେଳକୁ ହୋମୋ ଏରେକ୍ଟସ, ନିଆଣ୍ଡରଥାଲ୍ ଏଵଂ ହୋମୋ ସାପିଏନ୍ସଙ୍କ ପୂର୍ଵପୁରୁଷମାନେ ପ୍ରତିଦିନ ନିଆଁ ଵ୍ୟଵହାର କରୁଥିଲେ । ମଣିଷ ପାଖରେ ଏବେ ଆଲୋକ ଏଵଂ ଉଷ୍ମତାର ଏକ ନିର୍ଭରଯୋଗ୍ୟ ଉତ୍ସ ଥିଲା ଏଵଂ ବୁଲୁଥିଵା ସିଂହ ଵ୍ୟାଘ୍ର ହେଟାବାଘ ଇତ୍ୟାଦି ହିଂସ୍ରଜନ୍ତୁମାନଙ୍କ ଵିରୁଦ୍ଧରେ ଏକ ମାରାତ୍ମକ ଅସ୍ତ୍ର ମଧ୍ୟ ଥିଲା । ଏହାର କିଛି ସମୟ ପରେ, ମଣିଷ ବୋଧହୁଏ ନିଜ ଆଖପାଖ ଅଞ୍ଚଳରେ ଜାଣିଶୁଣି ନିଆଁ ଲଗାଇଵା ଆରମ୍ଭ କଲା । ସତର୍କତାର ସହ ଲଗାଯାଇଥିଵା ନିଆଁ ଦ୍ୱାରା ଅଗମ୍ୟ ଘଞ୍ଚ ବୁଦାଗୁଡ଼ିକୁ ଉତ୍କୃଷ୍ଟ ଘାସ ପଡ଼ିଆରେ ପରିଣତ କରାଯାଇପାରୁଥିଲା ।‌ ଫଳତଃ ଏଭଳି ପଡ଼ିଆରୁ ପ୍ରଚୁର ଶିକାର ମିଳୁଥିଲେ । ଏହାଛଡ଼ା ନିଆଁ ଲିଭିଯିଵା ପରେ ସେହି ପାଉଁଶ ଓ ଧୂଆଁ ଭିତରୁ ପ୍ରସ୍ତର ଯୁଗର ଲୋକମାନେ ପୋଡ଼ି ହୋଇଯାଇଥିଵା ପ୍ରାଣୀ, ବାଦାମ ଓ କନ୍ଦମୂଳ ସଂଗ୍ରହ କରିପାରୁଥିଲେ ।

କିନ୍ତୁ ନିଆଁର ସବୁଠାରୁ ବଡ଼ ଅଵଦାନ ଥିଲା ରୋଷେଇ । ଗହମ,ଧାନ୍ୟ ଓ ଆଳୁ ଭଳି ଯେଉଁ ଖାଦ୍ୟଗୁଡ଼ିକୁ ମଣିଷ ପ୍ରାକୃତିକ ଅଵସ୍ଥାରେ ହଜମ କରିପାରେ ନାହିଁ ଏବେ ରୋଷେଇ ଯୋଗୁଁ ତାହା ଆମ ଖାଦ୍ୟର ମୁଖ୍ୟ ଅଂଶ ହୋଇପାରିଲା । ନିଆଁ କେଵଳ ଖାଦ୍ୟର ରାସାୟନିକ ଗଠନ ବଦଳାଇ ଦେଲା ନାହିଁ ଵରଂ ଏହାର ଜୈଵିକ ଗଠନ ମଧ୍ୟ ବଦଳାଇ ଦେଲା । ରୋଷେଇ ଦ୍ୱାରା ଖାଦ୍ୟରେ ଥିଵା ଜୀଵାଣୁ,ଵୀଜାଣୁ,ଭୂତାଣୁ ଇତ୍ୟାଦି ପରଜୀଵୀମାନେ ମରିଗଲେ । ଏହାସହ ମଣିଷର ପ୍ରିୟ ଖାଦ୍ୟ ଯଥା ଫଳ, ବାଦାମ, ପୋକଜୋକ ଓ ମାଂସ ଯଦି ରନ୍ଧା ହେଉଥିଲା ତେବେ ସେଗୁଡ଼ିକୁ ଚୋଵାଇଵା ଏଵଂ ହଜମ କରିଵା ଆହୁରି ସହଜ ହେଲା । ଚିମ୍ପାଞ୍ଜିମାନେ ଦିନକୁ ପାଞ୍ଚ ଘଣ୍ଟା କଞ୍ଚା ଖାଦ୍ୟ ଚୋଵାଇଵାରେ ବିତାଇ ଦେଉଥିଲାବେଳେ ମନୁଷ୍ୟମାନେ ରନ୍ଧା ଖାଦ୍ୟ ଖାଉଥିଵାରୁ ସେମାନଙ୍କ ପାଇଁ ଖାଦ୍ୟ କ୍ଷେତ୍ରରେ ମାତ୍ର ଗୋଟିଏ ଘଣ୍ଟା ଵ୍ୟୟ ହେଲା ।

ରୋଷେଇର ପ୍ରଚଳନ ଫଳରେ ମଣିଷ ଅଧିକ ପ୍ରକାରର ଖାଦ୍ୟ ଖାଇଵାକୁ ସକ୍ଷମ ହେଲା, ଖାଇଵା ପାଇଁ କମ୍ ସମୟ ଵ୍ୟୟ କଲା ଏଵଂ ଛୋଟ ଦାନ୍ତ ତଥା ତା' ପାଇଁ ଛୋଟ ଅନ୍ତଃନଳୀ (Intestines) ସହ ଵଞ୍ଚିଵା ସମ୍ଭଵ ହେଲା । କେତେକ ଵିଦ୍ୱାନ ଵିଶ୍ୱାସ କରନ୍ତି ଯେ ରୋଷେଇର ଆରମ୍ଭ, ମାନଵ ଅନ୍ତଃନଳୀର ସଂକୋଚନ ଏଵଂ ମସ୍ତିଷ୍କର ଅଭିଵୃଦ୍ଧି ମଧ୍ୟରେ ଏକ ପ୍ରତ୍ୟକ୍ଷ ସମ୍ପର୍କ ରହିଛି । 

ଯେହେତୁ ଲମ୍ଵା ଅନ୍ତଃନଳୀ ଏଵଂ ବଡ଼ ମସ୍ତିଷ୍କ ଉଭୟ ପ୍ରଚୁର ଶକ୍ତି ଵ୍ୟଵହାର କରନ୍ତି ତେଣୁ ଏକାସଙ୍ଗେ ଉଭୟକୁ ରଖିଵା କଷ୍ଟକର । ଅନ୍ତଃନଳୀକୁ ଛୋଟ କରି ଏଵଂ ତହିଁର ଶକ୍ତି ଵ୍ୟଵହାରକୁ କମ୍ କରି, ରୋଷେଇ ଅଜାଣତରେ ନିଆଣ୍ଡରଥାଲ୍ ଓ ସାପିଏନ୍ସଙ୍କ ବଡ଼ ମସ୍ତିଷ୍କ ପାଇଁ ପଥ ପରିଷ୍କାର କରିଦେଲା ।

ନିଆଁ ମଧ୍ୟ ମଣିଷ ଏଵଂ ଅନ୍ୟ ପ୍ରାଣୀମାନଙ୍କ ମଧ୍ୟରେ ପ୍ରଥମ ବଡ଼ ପାର୍ଥକ୍ୟ ସୃଷ୍ଟି କଲା । ପ୍ରାୟ ସମସ୍ତ ପ୍ରାଣୀଙ୍କ ଶକ୍ତି ସେମାନଙ୍କ ଶରୀର ଉପରେ ନିର୍ଭର କରେ: ସେମାନଙ୍କ ମାଂସପେଶୀର ବଳ, ଦାନ୍ତର ଆକାର କିମ୍ଵା ଡେଣାର ପ୍ରସାର ଉପରେ ନିର୍ଭର କରିଥାଏ । ଯଦ୍ୟପି ସେମାନେ ପଵନ ଓ ଜଳସ୍ରୋତର ସାହାଯ୍ୟ ନିଅନ୍ତି କିନ୍ତୁ ସେମାନେ ଏହି ପ୍ରାକୃତିକ ଶକ୍ତିଗୁଡ଼ିକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ ଏଵଂ ସର୍ଵଦା ନିଜ ଶାରୀରିକ ଗଠନ ଉପରେ ନିର୍ଭର କରନ୍ତି । ଉଦାହରଣ ସ୍ୱରୂପ, ଚିଲ ଵା ଇଗଲ୍‌ମାନେ ଭୂମିରୁ ଉଠୁଥିଵା ଗରମ ପଵନର ସ୍ରୋତକୁ ଚିହ୍ନଟ କରନ୍ତି, ନିଜର ଵିଶାଳ ଡେଣା ମେଲାଇ ଦିଅନ୍ତି ଏଵଂ ସେହି ପଵନ ସେମାନଙ୍କୁ ଉପରକୁ ଉଠାଇଵାରେ ସାହାଯ୍ୟ କରେ । ତଥାପି ସେମାନେ ସେହି ପଵନର ଉତ୍ସ କେଉଁଠି ସୃଷ୍ଟି ହେଵ ତାହା ନିୟନ୍ତ୍ରଣ କରିପାରନ୍ତି ନାହିଁ ଏଵଂ ସେମାନଙ୍କର ବୋହିଵା କ୍ଷମତା ସେମାନଙ୍କ ଡେଣାର ଆକାର ଅନୁସାରେ ସୀମିତ ଥାଏ ।

କିନ୍ତୁ ଯେତେବେଳେ ମଣିଷ ନିଆଁକୁ ଵଶ କଲା, ସେ ଏକ ଆଜ୍ଞାଵହ ଓ ଅସୀମ ଶକ୍ତି ଉପରେ ନିୟନ୍ତ୍ରଣ ଲାଭ କଲା । ଇଗଲ୍ ପରି ନୁହେଁ, ମଣିଷ ନିଜେ ସ୍ଥିର କରିପାରିଲା ଯେ କେତେବେଳେ ଓ କେଉଁଠି ନିଆଁ ଜଳାଇଵ ଏଵଂ ସେ ଅନେକ କାର୍ଯ୍ୟ ପାଇଁ ନିଆଁର ଵ୍ୟଵହାର କରିଵାରେ ସକ୍ଷମ ହେଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିଆଁର ଶକ୍ତି ମଣିଷ ଶରୀରର ରୂପ, ଗଠନ ଵା ବଳ ମଧ୍ୟରେ ସୀମିତ ନଥିଲା । ଚକମକି ପଥର ଵା ନିଆଁ କାଠି ଧରିଥିଵା ଜଣେ ମହିଳା ମାତ୍ର କିଛି ଘଣ୍ଟା ମଧ୍ୟରେ ଏକ ସମ୍ପୂର୍ଣ୍ଣ ଜଙ୍ଗଲକୁ ପୋଡ଼ି ପାଉଁଶ କରିପାରୁଥିଲେ ।
ନିଆଁର ଵଶୀକରଣ ହିଁ ଭଵିଷ୍ୟତରେ ଆସିଵାକୁ ଥିଵା ବଡ଼ ପରିଵର୍ତ୍ତନଗୁଡ଼ିକର ଏକ ସଙ୍କେତ ଥିଲା ।
••••••••••••••••••••••••••••••••••••••••
ସେପିଏନ୍ସ: ମାନଵଜାତିର ସଂକ୍ଷିପ୍ତ ଇତିହାସ — (ଭାଗ —୪)
ମୂଳ ଲେଖକ: ୟୁଵାଲ୍ ନୋଆ ହାରାରି
••••••••••••••••••••••••••••••••••••••••

Thursday, May 21, 2026

ଚିନ୍ତା କରିଵାର ମୂଲ୍ୟ(The Cost of Thinking)

ଅନେକ ପାର୍ଥକ୍ୟ ସତ୍ତ୍ୱେ, ସମସ୍ତ ମାନଵ ଜାତିଙ୍କ ମଧ୍ୟରେ କିଛି ନିର୍ଦ୍ଦିଷ୍ଟ ସମାନତା ଦେଖିଵାକୁ ମିଳେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅନ୍ୟ ପ୍ରାଣୀମାନଙ୍କ ତୁଳନାରେ ମଣିଷର ମସ୍ତିଷ୍କ ଅସାଧାରଣ ଭାବେ ବଡ଼ । ଷାଠିଏ କିଲୋଗ୍ରାମ ଓଜନର ସ୍ତନ୍ୟପାୟୀ ପ୍ରାଣୀଙ୍କ ମସ୍ତିଷ୍କର ହାରାହାରି ଆକାର ୨୦୦ କ୍ୟୁବିକ୍ ସେଣ୍ଟିମିଟର ହୋଇଥାଏ । କିନ୍ତୁ ୨୫ ଲକ୍ଷ ଵର୍ଷ ପୂର୍ଵର ଆଦି ମାନଵ ଓ ମାନଵୀଙ୍କ ମସ୍ତିଷ୍କର ଆକାର ପ୍ରାୟ ୬୦୦ କ୍ୟୁଵିକ୍ ସେଣ୍ଟିମିଟର ଥିଲା । ଆଧୁନିକ ସାପିଏନ୍ସଙ୍କ ମସ୍ତିଷ୍କ ହାରାହାରି ୧,୨୦୦ ରୁ ୧,୪୦୦ କ୍ୟୁବିକ୍ ସେଣ୍ଟିମିଟର । ନିଆଣ୍ଡରଥାଲମାନଙ୍କ ମସ୍ତିଷ୍କ ତ ଏହାଠାରୁ ମଧ୍ୟ ବଡ଼ ଥିଲା । ଵିଵର୍ତ୍ତନ କାହିଁକି ବଡ଼ ମସ୍ତିଷ୍କକୁ ବାଛିଲା, ତାହା ହୁଏତ ଆମକୁ ଏକ ସାଧାରଣ କଥା ପରି ଲାଗିପାରେ । ଆମେ ନିଜ ବୁଦ୍ଧିମତ୍ତାକୁ ନେଇ ଏତେ ଗର୍ଵିତ ଯେ ଆମେ ଭାବୁ ମସ୍ତିଷ୍କ ଯେତେ ବଡ଼ ହେଵ, ସେତେ ଭଲ । କିନ୍ତୁ ଯଦି ତାହା ହିଁ ହୋଇଥାନ୍ତା, ତେବେ ମାର୍ଜାର କୁଳରୁ ମଧ୍ୟ ଏପରି ବିଲେଇ ଜନ୍ମ ହୋଇଥାନ୍ତେ ଯେଉଁମାନେ କଳନ ଵା Calculus କରିପାରନ୍ତେ ।

ସମଗ୍ର ପ୍ରାଣୀ ଜଗତରେ କେଵଳ 'ହୋମୋ' ଵଂଶ କାହିଁକି ଏପରି ଏକ ଵିଶାଳ ଚିନ୍ତାଶୀଳ ମସ୍ତିଷ୍କ ଵିକଶିତ କଲା? ଵାସ୍ତଵରେ ଏକ ଵିଶାଳ ମସ୍ତିଷ୍କ ଶରୀର ପାଇଁ ଏକ ବଡ଼ ବୋଝ ସଦୃଶ । ଏହାକୁ ବୋହିଵା ସହଜ ନୁହେଁ, ଵିଶେଷ କରି ଯେତେବେଳେ ଏହା ଏକ ଓଜନିଆ ଖପୁରି ଭିତରେ ଥାଏ । ଏହାକୁ ଶକ୍ତି ଯୋଗାଇଵା ଆହୁରି କଷ୍ଟକର । ହୋମୋ ସାପିଏନ୍ସ ଶରୀରର ମୋଟ ଓଜନର ମାତ୍ର ୨-୩ ପ୍ରତିଶତ ହେଉଛି ମସ୍ତିଷ୍କ, କିନ୍ତୁ ଶରୀର ଵିଶ୍ରାମ ସମୟରେ ଥିଲେ ମଧ୍ୟ ଏହା ମୋଟ୍ ଶକ୍ତିର ୨୫ ପ୍ରତିଶତ ଵ୍ୟଵହାର କରିଥାଏ । ତୁଳନାତ୍ମକ ଭାବେ, ଅନ୍ୟ ଵାନର ଜାତିଙ୍କ ମସ୍ତିଷ୍କ ଵିଶ୍ରାମ ସମୟରେ ମାତ୍ର ୮ ପ୍ରତିଶତ ଶକ୍ତି ଖର୍ଚ୍ଚ କରେ । ପ୍ରାଚୀନ ମଣିଷମାନଙ୍କୁ ନିଜ ବଡ଼ ମସ୍ତିଷ୍କ ପାଇଁ ଦୁଇଟି ମୂଲ୍ୟ ଦେଵାକୁ ପଡ଼ିଥିଲା । ପ୍ରଥମତଃ, ସେମାନଙ୍କୁ ଖାଦ୍ୟ ସନ୍ଧାନରେ ଅଧିକ ସମୟ ବିତାଇଵାକୁ ପଡ଼ିଲା । ଦ୍ୱିତୀୟତଃ, ସେମାନଙ୍କର ମାଂସପେଶୀ ଗୁଡ଼ିକ ଦୁର୍ଵଳ ହୋଇଗଲା । ଏକ ସରକାର ପ୍ରତିରକ୍ଷା ବଜେଟ୍‌ରୁ ଟଙ୍କା କାଟି ଶିକ୍ଷା କ୍ଷେତ୍ରରେ ଵିନିଯୋଗ କଲା ପରି, ମାନଵ ଶରୀର ଶକ୍ତିର ଅଧିକାଂଶ ଅଂଶ ମାଂସପେଶୀକୁ ନଦେଇ ଏକ ବଡ଼ ଅଂଶ ସ୍ନାୟୁକୋଷ ଵା Neuronsକୁ ପ୍ରଦାନ କଲା । ସେହି ସମୟର ଜଙ୍ଗଲ ଵା ତୃଣଭୂମିରେ ଵଞ୍ଚିଵା ପାଇଁ ଏହା ଏକ ଭଲ ରଣନୀତି ଥିଲା ବୋଲି ନିଶ୍ଚିତ ଭାବେ କୁହାଯାଇପାରିଵ ନାହିଁ । ଏକ ସିମ୍ପାଞ୍ଜି ହୁଏତ ହୋମୋ ସାପିଏନ୍ସ ସହ ଯୁକ୍ତିରେ ଜିତିପାରିଵ ନାହିଁ, କିନ୍ତୁ ସେ ଜଣେ ମଣିଷକୁ ଖେଳନା ପରି ଚିରି ଦେଇପାରିଵ ।

ଆଜି ଆମର ବଡ଼ ମସ୍ତିଷ୍କ ଆମକୁ ବହୁତ ଲାଭ ଦେଉଛି, କାରଣ ଆମେ ଗାଡ଼ି ଓ ବନ୍ଧୁକ ତିଆରି କରିପାରୁଛୁ ଯାହା ଆମକୁ ସିମ୍ପାଞ୍ଜିଠାରୁ ଅଧିକ ଦ୍ରୁତ କରିଛି ଏଵଂ ସେମାନଙ୍କ ସହ ମଲ୍ଲଯୁଦ୍ଧ କରିଵା ବଦଳରେ ଦୂରରୁ ଗୁଳି କରିଵାକୁ ସକ୍ଷମ କରିଛି । କିନ୍ତୁ ଗାଡ଼ି ଓ ବନ୍ଧୁକ ତ ମାତ୍ର କିଛି ଦିନ ତଳର କଥା । ପ୍ରାୟ ୨୦ ଲକ୍ଷ ଵର୍ଷ ଧରି ମଣିଷର ମସ୍ତିଷ୍କ କ୍ରମାଗତ ଭାବେ ବଢ଼ିଵାରେ ଲାଗିଥିଲା, କିନ୍ତୁ ପଥରର ଛୁରୀ ଆଉ ମୁନିଆ ବାଡ଼ି ଵ୍ୟତୀତ ମଣିଷ ପାଖରେ ନିଜକୁ ସଫଳ ପ୍ରମାଣ କରିଵା ପାଇଁ କିଛି ବି ନଥିଲା । ତେବେ ସେହି ୨୦ ଲକ୍ଷ ଵର୍ଷ ଧରି ଏହି ଵିଶାଳ ମସ୍ତିଷ୍କର ଵିକାଶ ପଛରେ ପ୍ରକୃତ କାରଣ କ'ଣ ଥିଲା ? ସତ କହିଵାକୁ ଗଲେ, ଆମେ ଏହା ଜାଣିନାହୁଁ ।

ଆମ ମଣିଷମାନଙ୍କର ଅନ୍ୟ ଏକ ଵିଶେଷ ଗୁଣ ହେଉଛି ଆମେ ଦୁଇଟି ଗୋଡ଼ରେ ସିଧା ହୋଇ ଚାଲିପାରୁ । ସିଧା ହୋଇ ଠିଆ ହେଲେ ଶିକାର କିମ୍ଵା ଶତ୍ରୁ ଉପରେ ନଜର ରଖିଵା ସହଜ ହୁଏ । ଚାଲିଵା ପାଇଁ ଵ୍ୟଵହାର ହେଉନଥିଵା ହାତଗୁଡ଼ିକ ଅନ୍ୟ କାମ ପାଇଁ, ଯେପରିକି ପଥର ଫିଙ୍ଗିଵା କିମ୍ଵା ସଙ୍କେତ ଦେଵା ପାଇଁ ମୁକ୍ତ ହୋଇଗଲେ । ଏହି ହାତଗୁଡ଼ିକ ଯେତେ ଅଧିକ କାମ କଲେ, ସେଗୁଡ଼ିକର ମାଲିକମାନେ ସେତେ ଅଧିକ ସଫଳ ହେଲେ । ତେଣୁ ଵିଵର୍ତ୍ତନର ଚାପ ଫଳରେ ହାତର ପାପୁଲି ଓ ଆଙ୍ଗୁଠିରେ ସ୍ନାୟୁ ତଥା ମାଂସପେଶୀର ସୂକ୍ଷ୍ମ ସଂରଚନା ଵିକଶିତ ହେଲା । ଫଳରେ, ମଣିଷ ନିଜ ହାତରେ ଅତି ଜଟିଳ କାର୍ଯ୍ୟ କରିପାରେ । ଵିଶେଷ କରି,Homo ଵଂଶଜମାନେ ଉନ୍ନତ ହତିଆର ତିଆରି କରିଵା ସହ ଵ୍ୟଵହାର ମଧ୍ୟ କରିପାରନ୍ତି । ହତିଆର ତିଆରିର ପ୍ରଥମ ପ୍ରମାଣ ପ୍ରାୟ ୨୫ ଲକ୍ଷ ଵର୍ଷ ପୂର୍ଵରୁ ମିଳିଥାଏ ଏଵଂ ହତିଆରର ପ୍ରସ୍ତୁତି ଓ ଵ୍ୟଵହାରକୁ ଆଧାର କରି ପ୍ରତ୍ନତତ୍ତ୍ୱଵିତ୍‌ମାନେ ପ୍ରାଚୀନ ମଣିଷଙ୍କୁ ଚିହ୍ନଟ କରନ୍ତି । ତଥାପି, ସିଧା ହୋଇ ଚାଲିଵାର କିଛି ଖରାପ ଦିଗ ମଧ୍ୟ ଅଛି । ଆମର ପୂର୍ଵପୁରୁଷମାନଙ୍କ କଙ୍କାଳ ଲକ୍ଷ ଲକ୍ଷ ଵର୍ଷ ଧରି ଚାରି ଗୋଡ଼ରେ ଚାଲୁଥିଵା ଏଵଂ ଛୋଟ ମୁଣ୍ଡ ଥିଵା ପ୍ରାଣୀ ପାଇଁ ଵିକଶିତ ହୋଇଥିଲା । ଏକ ସିଧା ସ୍ଥିତି ସହ ଖାପ ଖୁଆଇଵା ଏକ ବଡ଼ ଆହ୍ୱାନ ଥିଲା, ଵିଶେଷ କରି ଯେତେବେଳେ ଏହି ଢାଞ୍ଚାକୁ ଏକ ଅତି ବଡ଼ ଖପୁରିର ଭାର ସହିଵାକୁ ପଡ଼ିଲା । ନିଜର ଦୂରଦୃଷ୍ଟି ଏଵଂ ପରିଶ୍ରମୀ ହାତ ପାଇଁ ମଣିଷ ଜାତିକୁ ଅଣ୍ଟା ବିନ୍ଧା ଏଵଂ ମନ୍ୟାସ୍ତମ୍ଭ ଵା ବେକ ଧରିଵା (stiff necks) ରୂପେ ମୂଲ୍ୟ ଦେଵାକୁ ପଡ଼ିଲା ।ମହିଳାମାନଙ୍କୁ ଏଥିପାଇଁ ଅଧିକ କଷ୍ଟ ସହିଵାକୁ ପଡ଼ିଲା । ସିଧା ହୋଇ ଚାଲିଵା ପାଇଁ ଅଣ୍ଟା ହାଡ଼ ଵା hips ସଂକୀର୍ଣ୍ଣ ହେଵା ଆଵଶ୍ୟକ ଥିଲା, ଯାହା ପ୍ରସଵ ମାର୍ଗକୁ ସଂକୁଚିତ କରିଦେଲା ଏଵଂ ଠିକ୍ ସେହି ସମୟରେ ହିଁ ଶିଶୁମାନଙ୍କ ମୁଣ୍ଡ ବଡ଼ରୁ ବଡ଼ ହେଵାରେ ଲାଗିଥିଲା । ପ୍ରସଵ ସମୟରେ ମୃତ୍ୟୁ ମାନଵୀମାନଙ୍କ ପାଇଁ ଏକ ବଡ଼ ଵିପଦ ହୋଇଗଲା । ଯେଉଁ ମହିଳାମାନେ ଶୀଘ୍ର ପ୍ରସଵ କରୁଥିଲେ, ଯେତେବେଳେ ଶିଶୁର ମସ୍ତିଷ୍କ ଓ ମୁଣ୍ଡ ଅପେକ୍ଷାକୃତ ଛୋଟ ଏଵଂ ନରମ ଥାଏ, ସେମାନେ ଵଞ୍ଚି ରହିଲେ ଏଵଂ ଅଧିକ ସନ୍ତାନ ଜନ୍ମ ଦେଇପାରିଲେ । ଫଳରେ ପ୍ରାକୃତିକ ଚୟନ (Natural selection) ଶୀଘ୍ର ଜନ୍ମ ହେଉଥିଵା ଶିଶୁମାନଙ୍କୁ ପ୍ରାଧାନ୍ୟ ଦେଲା । ଏଵଂ ଵାସ୍ତଵରେ, ଅନ୍ୟ ପ୍ରାଣୀମାନଙ୍କ ତୁଳନାରେ ମଣିଷମାନେ ସମୟ ପୂର୍ଵରୁ ଜନ୍ମ ହୁଅନ୍ତି, ଯେତେବେଳେ ସେମାନଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ସମ୍ପୂର୍ଣ୍ଣ ଵିକଶିତ ହୋଇନଥାଏ ।

ଘୋଡ଼ାଛୁଆ ଜନ୍ମ ହେଵାର କିଛି ସମୟ ପରେ ଚାଲିପାରେ; ଵିଲେଇଛୁଆ ମାତ୍ର କିଛି ସପ୍ତାହର ହୋଇଥିଵା ବେଳେ ନିଜ ପାଇଁ ଖାଦ୍ୟ ଖୋଜିଵାକୁ ମା'କୁ ଛାଡ଼ି ଚାଲିଯାଏ । କିନ୍ତୁ ମଣିଷ ଶିଶୁ ଅସହାୟ ହୋଇଥାନ୍ତି ଏଵଂ ଖାଦ୍ୟ, ସୁରକ୍ଷା ତଥା ଶିକ୍ଷା ପାଇଁ ଅନେକ ଵର୍ଷ ଧରି ବଡ଼ମାନଙ୍କ ଉପରେ ନିର୍ଭର କରିଥାନ୍ତି ।

ମଣିଷର ଜନ୍ମ ସମୟର ଅସହାୟତା ପ୍ରକୃତରେ ମାନଵଜାତିର ଅସାଧାରଣ ସାମାଜିକ ଦକ୍ଷତା ଏଵଂ ଏହାର ଅଦ୍ୱିତୀୟ ସାମାଜିକ ସମସ୍ୟା ଉଭୟ କ୍ଷେତ୍ରରେ ଵହୁତ ବଡ଼ ଯୋଗଦାନ ଦେଇଛି । ଜଣେ ମା' ଏକାକୀ ନିଜର ଏଵଂ ନିଜର ଅସହାୟ ଶିଶୁ ପାଇଁ ଯଥେଷ୍ଟ ଖାଦ୍ୟ ସଂଗ୍ରହ କରିଵା ପ୍ରାୟତଃ ଅସମ୍ଭଵ ଥିଲା । ଶିଶୁମାନଙ୍କୁ ବଡ଼ କରିଵା ପାଇଁ ପରିଵାରର ଅନ୍ୟ ସଦସ୍ୟ ଏଵଂ ପଡ଼ୋଶୀମାନଙ୍କର ନିରନ୍ତର ସାହାଯ୍ୟ ଆଵଶ୍ୟକ ହେଉଥିଲା ।ମଣିଷଛୁଆକୁ ପାଳି ପୋଷି ବଡ଼ କରିଵା ପାଇଁ ଏକ ସମ୍ପୂର୍ଣ୍ଣ ଗୋଷ୍ଠୀ ଵା ଦଳର ଆଵଶ୍ୟକତା ପଡ଼େ । ତେଣୁ, ଵିଵର୍ତ୍ତନ ସେହିମାନଙ୍କୁ ହିଁ ପ୍ରାଧାନ୍ୟ ଦେଲା ଯେଉଁମାନେ ଦୃଢ଼ ସାମାଜିକ ସମ୍ପର୍କ ଗଠନ କରିଵାରେ ସକ୍ଷମ ଥିଲେ । ଏହାଛଡ଼ା, ମଣିଷମାନେ ଅପରିପକ୍ୱ ଅଵସ୍ଥାରେ ଜନ୍ମ ହେଉଥିଵାରୁ, ସେମାନଙ୍କୁ ଅନ୍ୟ ଯେକୌଣସି ପ୍ରାଣୀ ଅପେକ୍ଷା ଅଧିକ ଭଲ ଭାବେ ଶିକ୍ଷିତ ଏଵଂ ସାମାଜିକ କରାଯାଇପାରିଵ । ଅଧିକାଂଶ ସ୍ତନ୍ୟପାୟୀ ପ୍ରାଣୀ ଗର୍ଭାଶୟରୁ ଏପରି ବାହାରନ୍ତି ଯେମିତି କୁମ୍ଭାର ଶାଳରୁ ପୋଡ଼ା ମାଟିର ପାତ୍ର ତେଣୁ ସେମାନଙ୍କୁ ପୁଣି ଥରେ ନୂଆ ରୂପ ଦେଵାକୁ ଚେଷ୍ଟା କଲେ ସେମାନେ ଭାଙ୍ଗିଯିବେ । କିନ୍ତୁ ମଣିଷ ଗର୍ଭାଶୟରୁ ଏପରି ଵାହାରନ୍ତି ଯେମିତି ଏକ ଭାଟିରୁ ତରଳ କାଚ । ସେମାନଙ୍କୁ ଅତି ସହଜରେ ବୁଲାଯାଇପାରିଵ, ଟଣାଯାଇପାରିଵ ଏଵଂ ନିଜ ଇଚ୍ଛା ଅନୁସାରେ ରୂପ ଦିଆଯାଇପାରିଵ । ସେଥିପାଇଁ ଆଜି ଆମେ ଆମର ପିଲାମାନଙ୍କୁ ଖ୍ରୀଷ୍ଟିଆନ କିମ୍ଵା ବୌଦ୍ଧ, ପୁଞ୍ଜିଵାଦୀ କିମ୍ଵା ସମାଜଵାଦୀ, ଯୁଦ୍ଧପ୍ରିୟ କିମ୍ଵା ଶାନ୍ତିପ୍ରିୟ ହେଵା ପାଇଁ ଶିକ୍ଷା ଦେଇପାରୁଛୁ ।

ଆମେ ଭାବୁ ଯେ ଏକ ବଡ଼ ମସ୍ତିଷ୍କ, ହତିଆରର ଵ୍ୟଵହାର, ଶ୍ରେଷ୍ଠ ଶିକ୍ଷାଗ୍ରହଣ ଦକ୍ଷତା ଏଵଂ ଜଟିଳ ସାମାଜିକ ସଂରଚନା ହେଉଛି ବଡ଼ ସୁଵିଧା । ଏହା ସ୍ପଷ୍ଟ ଜଣାପଡ଼େ ଯେ ଏହି ଗୁଣଗୁଡ଼ିକ ହିଁ ମାନଵଜାତିକୁ ପୃଥିଵୀର ସବୁଠାରୁ ଶକ୍ତିଶାଳୀ ପ୍ରାଣୀ ଭାବେ ଗଢ଼ିତୋଳିଛି । କିନ୍ତୁ ମଣିଷ ପାଖରେ ଏହି ସବୁ ସୁଵିଧା ପୂରା ୨୦ ଲକ୍ଷ ଵର୍ଷ ଧରି ଥିଲା, ଯେଉଁ ସମୟରେ ସେମାନେ ଅତି ଦୁର୍ବଳ ଏଵଂ ନଗଣ୍ୟ ପ୍ରାଣୀ ହୋଇ ରହିଥିଲେ । ତେଣୁ ୧୦ ଲକ୍ଷ ଵର୍ଷ ପୂର୍ଵେ ଵାସ କରୁଥିଵା ମଣିଷମାନେ, ସେମାନଙ୍କର ବଡ଼ ମସ୍ତିଷ୍କ ଏଵଂ ଧାରୁଆ ପଥର ହତିଆର ସତ୍ତ୍ୱେ, ସର୍ଵଦା ଶିକାରୀ ପଶୁମାନଙ୍କ ଭୟରେ ଵଞ୍ଚୁଥିଲେ; ସେମାନେ ବଡ଼ ପଶୁ ଶିକାର କରିପାରୁନଥିଲେ ଏଵଂ ମୁଖ୍ୟତଃ ଗଛପତ୍ର, ପୋକଜୋକ, ଛୋଟ ପ୍ରାଣୀ ଏଵଂ ଅନ୍ୟ ଶକ୍ତିଶାଳୀ ମାଂସାହାରୀ ପଶୁମାନଙ୍କ ଦ୍ୱାରା ଖିଆଯାଇ ବଳିଥିଵା ମାଂସ (Carrion) ଖାଇ ଵଞ୍ଚୁଥିଲେ ।

ଆଦିମ ପଥର ହତିଆରର ସବୁଠାରୁ ସାଧାରଣ ଵ୍ୟଵହାର ଥିଲା ହାଡ଼ ଭାଙ୍ଗି ସେଥିରୁ ମଜ୍ଜା ଵା Marrow ବାହାର କରିଵା । କେତେକ ଗଵେଷକ ଵିଶ୍ୱାସ କରନ୍ତି ଯେ ଏହା ହିଁ ଆମର ମୂଳ ଦକ୍ଷତା ଥିଲା । ଯେପରି କାଠହଣା ପକ୍ଷୀ (Woodpecker) ଗଛ ଗଣ୍ଡିରୁ ପୋକ ବାହାର କରିଵାରେ ପାରଙ୍ଗମ, ପ୍ରଥମ ମଣିଷମାନେ ହାଡ଼ରୁ ମଜ୍ଜା ବାହାର କରିଵାରେ ପାରଙ୍ଗମ ଥିଲେ । ମଜ୍ଜା କାହିଁକି ? ଧରିନିଅନ୍ତୁ ଆପଣ ଦେଖୁଛନ୍ତି ଯେ ସିଂହ ଦଳ ଏକ ଜିରାଫକୁ ମାରି ଖାଉଛନ୍ତି । ଆପଣ ସେମାନେ ଖାଇ ସାରିଵା ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ଅପେକ୍ଷା କରନ୍ତି । କିନ୍ତୁ ତଥାପି ଆପଣଙ୍କ ପାଳି ଆସେ ନାହିଁ, କାରଣ ପ୍ରଥମେ ହେଟାବାଘ(Hyena) ଏଵଂ ଶିଆଳମାନେ ବଳିଥିଵା ମାଂସ ଖାଆନ୍ତି ଆଉ ଆପଣ ସେମାନଙ୍କ ସହ ଲଢ଼ିଵାକୁ ସାହସ କରନ୍ତି ନାହିଁ । କେଵଳ ସେମାନେ ଯିଵା ପରେ ହିଁ ଆପଣ ଏଵଂ ଆପଣଙ୍କ ଦଳ ମୃତ ପଶୁ ପାଖକୁ ଯିଵାକୁ ସାହସ କରନ୍ତି, ସତର୍କତାର ସହ ଏପାଖ ସେପାଖ ଚାହାନ୍ତି ଆଉ ତାପରେ ବଳିଥିଵା ହାଡ଼ ଭିତରୁ ଖାଇଵା ଯୋଗ୍ୟ ମଜ୍ଜାକୁ ବାହାର କରନ୍ତି ।
ଆମର ଇତିହାସ ଓ ମନୋଵିଜ୍ଞାନକୁ ବୁଝିଵା ପାଇଁ ଏହା ଏକ ଚାବିକାଠି । ଖାଦ୍ୟ ଶୃଙ୍ଖଳା (Food chain) ରେ 'ହୋମୋ' ଵଂଶର ସ୍ଥାନ ଖୁବ୍ ନିକଟ ଅତୀତ ପର୍ଯ୍ୟନ୍ତ ମଝିରେ ଥିଲା । ଲକ୍ଷ ଲକ୍ଷ ଵର୍ଷ ଧରି ମଣିଷ ଛୋଟ ପ୍ରାଣୀଙ୍କୁ ଶିକାର କରୁଥିଲା ଏଵଂ ଯାହା ପାଉଥିଲା ସଂଗ୍ରହ କରୁଥିଲା । ବେଳେବେଳେ ବଡ଼ ଶିକାରୀ ପଶୁମାନେ ମଣିଷକୁ ଶିକାର କରୁଥିଲେ । ମାତ୍ର ୪,୦୦,୦୦୦ ଵର୍ଷ ପୂର୍ଵେ ମଣିଷର କିଛି ଜାତି ନିୟମିତ ଭାବେ ବଡ଼ ଶିକାର କରିଵା ଆରମ୍ଭ କଲେ, ଏଵଂ କେଵଳ ଗତ ୧,୦୦,୦୦୦ ଵର୍ଷ ମଧ୍ୟରେ 'ହୋମୋ ସାପିଏନ୍ସ'ର ଅଭ୍ୟୁଦୟ ସହ - ମଣିଷ ଖାଦ୍ୟ ଶୃଙ୍ଖଳାର ଶୀର୍ଷକୁ ଲମ୍ଫ ପ୍ରଦାନ କଲା ।

ମଝିରୁ ଶୀର୍ଷକୁ ଏହି ଚିତ୍ତାକର୍ଷକ ଲମ୍ଫର ପରିଣାମ ଵହୁତ ଭୟଙ୍କର ଥିଲା । ଖାଦ୍ୟ ଶୃଙ୍ଖଳାର ଶୀର୍ଷରେ ଥିଵା ଅନ୍ୟ ପ୍ରାଣୀମାନେ, ଯେପରିକି ସିଂହ ଓ ସାର୍କ, ଲକ୍ଷ ଲକ୍ଷ ଵର୍ଷର ଵିଵର୍ତ୍ତନ ପରେ ଧୀରେ ଧୀରେ ସେହି ସ୍ଥାନରେ ପହଞ୍ଚିଛନ୍ତି । ଏହା ଫଳରେ ପରିବେଶରେ ଏକ ସନ୍ତୁଳନ ସୃଷ୍ଟି ହେଲା ଯାହା ସିଂହ କିମ୍ଵା ସାର୍କମାନଙ୍କୁ ଅତ୍ୟଧିକ ଵିନାଶ କରିଵାରୁ ଅଟକାଇଥାଏ । ସିଂହମାନେ ଯେତିକି ଭୟଙ୍କର ହେଲେ, ହରିଣମାନେ ସେତିକି ଦ୍ରୁତ ଗତିରେ ଦୌଡ଼ିଵା ଶିଖିଲେ, ହେଟାବାଘମାନେ ମିଳିମିଶି ରହିଵା ଶିଖିଲେ ଏଵଂ ଗଣ୍ଡାମାନେ ଅଧିକ କ୍ରୋଧୀ ହେଲେ । ଏହାର ଵିପରୀତରେ, ମଣିଷ ଶୀର୍ଷକୁ ଏତେ ଶୀଘ୍ର ପହଞ୍ଚିଗଲା ଯେ ପରିଵେଶକୁ ନିଜକୁ ସଜାଡ଼ିଵା ପାଇଁ ସମୟ ମିଳିଲା ନାହିଁ । ଏହାଛଡ଼ା, ମଣିଷ ନିଜେ ମଧ୍ୟ ନିଜକୁ ବଦଳାଇଵାରେ ଵିଫଳ ହେଲା । ପୃଥିଵୀର ଅଧିକାଂଶ ଶୀର୍ଷ ଶିକାରୀ ପ୍ରାଣୀ ବହୁତ ଶାନ୍ତ ଏଵଂ ଗମ୍ଭୀର । ଲକ୍ଷ ଲକ୍ଷ ଵର୍ଷର ଶାସନ ସେମାନଙ୍କୁ ଆତ୍ମଵିଶ୍ୱାସରେ ଭରି ଦେଇଛି । କିନ୍ତୁ ସାପିଏନ୍ସ ହେଉଛି ଜଣେ ସାଧାରଣ ଏକଛତ୍ରଵାଦୀ ଶାସକ (Dictator) ପରି । ନିକଟ ଅତୀତ ପର୍ଯ୍ୟନ୍ତ ଜଙ୍ଗଲରେ ଅସହାୟ ଅଵସ୍ଥାରେ ଥିଵାରୁ, ଆମେ ଆମର ସ୍ଥାନକୁ ନେଇ ସର୍ଵଦା ଭୟ ଏଵଂ ଚିନ୍ତାରେ ରହୁ, ଯାହା ଆମକୁ ଅଧିକ ନିର୍ଦ୍ଦୟ ଏଵଂ ଵିପଜ୍ଜନକ କରିଥାଏ । ଅନେକ ଐତିହାସିକ ଵିପର୍ଯ୍ୟୟ, ଭୟଙ୍କର ଯୁଦ୍ଧଠାରୁ ଆରମ୍ଭ କରି ପରିଵେଶର ଵିନାଶ ପର୍ଯ୍ୟନ୍ତ, ଏହି ଅତି ଶୀଘ୍ର ଖାଦ୍ୟ ଶୃଙ୍ଖଳାର ଶୀର୍ଷକୁ ପହଞ୍ଚିଯିଵାର କୁଫଳ ଅଟେ ।

••••••••••••••••••••••••••••••••••••••
ପ୍ରକୃତିରେ ଵିଵର୍ତ୍ତନ ଵା Evolution ବହୁତ ଧୀର ଗତିରେ ହୋଇଥାଏ । ଯେତେବେଳେ ସିଂହ ଭଳି ଜୀଵମାନେ ଲକ୍ଷ ଲକ୍ଷ ଵର୍ଷ ଧରି ଖାଦ୍ୟ ଶୃଙ୍ଖଳାର ଶୀର୍ଷକୁ ଗଲେ, ସେତେବେଳେ ସେମାନଙ୍କ ଶିକାର (ଯେପରିକି ହରିଣ ଵା ଗଣ୍ଡା) ମଧ୍ୟ ନିଜକୁ ବଞ୍ଚାଇଵା ପାଇଁ ଦ୍ରୁତଗତିରେ ଦୌଡ଼ିଵା ଵା ଆତ୍ମରକ୍ଷା କରିଵା ଶିଖିଗଲେ । ଏହାଦ୍ୱାରା ପ୍ରକୃତିରେ ଏକ ସନ୍ତୁଳନ ରହିଲା । କିନ୍ତୁ ମଣିଷ ମାତ୍ର କିଛି ହଜାର ଵର୍ଷ ମଧ୍ୟରେ, ନିଜର ବୁଦ୍ଧି ଓ ଅସ୍ତ୍ରଶସ୍ତ୍ର ବଳରେ ଶୀର୍ଷରେ ପହଞ୍ଚିଗଲା । ପରିଵେଶର ଅନ୍ୟ ଜୀଵମାନେ ମଣିଷଠାରୁ କିପରି ନିଜକୁ ରକ୍ଷା କରିବେ, ତାହା ଶିଖିଵା ପାଇଁ ସମୟ ପାଇଲେ ନାହିଁ । ଫଳରେ ମଣିଷ ଅନ୍ୟ ପ୍ରାଣୀମାନଙ୍କର ଅତ୍ୟଧିକ ଶିକାର ଓ ଵିନାଶ କରିଵା ଆରମ୍ଭ କଲା, ଯାହା ଅନେକ ଜୀଵଙ୍କ ବିଲୁପ୍ତି ଏଵଂ ପରିବେଶ ଵିପର୍ଯ୍ୟୟର କାରଣ ହେଲା । ଲକ୍ଷ ଲକ୍ଷ ଵର୍ଷ ଧରି ମଣିଷ ଖାଦ୍ୟ ଶୃଙ୍ଖଳାର ମଝିରେ ଥିଲା, ଅର୍ଥାତ୍ ସେ ସେତେବେଳେ ଶିକାରୀ ନଥିଲା ଵରଂ ଅନ୍ୟ ବଡ଼ ପଶୁମାନଙ୍କର ଶିକାର ହେଉଥିଲା । ଏହି କାରଣରୁ ମଣିଷର ଡିଏନଏ (DNA)ରେ ଏକ ଗଭୀର ଭୟ ଓ ଅସୁରକ୍ଷା ଭାବ ରହିଯାଇଛି । ଜଣେ ପ୍ରକୃତ ଶକ୍ତିଶାଳୀ ରାଜା ନିଜ ସ୍ଥାନକୁ ନେଇ ସର୍ଵଦା ଶାନ୍ତ ଓ ଆତ୍ମଵିଶ୍ୱାସୀ ଥାଏ, କିନ୍ତୁ ଜଣେ ଦୁର୍ଵଳ ଗରିବ ଲୋକ ଯଦି ହଠାତ୍ କୌଣସି ଉପାୟରେ ଦେଶର ଶାସକ ଵା ଏକଛତ୍ରଵାଦୀ ହୋଇଯାଏ ତେବେ ସେ ସର୍ଵଦା ଭୟରେ ଥାଏ ଯେ କାଳେ କିଏ ତାକୁ ଗାଦିରୁ ହଟାଇଦେବ । ମଣିଷର ଅଵସ୍ଥା ଠିକ୍ ସେହିପରି ଅଟେ । ଏହି ଭୟ ଯୋଗୁଁ ମଣିଷ ନିଜକୁ ସୁରକ୍ଷିତ ରଖିଵା ପାଇଁ ପ୍ରକୃତି ଓ ନିଜ ଜାତି ଉପରେ ଅଧିକ କ୍ରୂର ଓ ନିର୍ଦ୍ଦୟ ଭାବେ ଆଧିପତ୍ୟ ଵିସ୍ତାର କରିଵାକୁ ଚେଷ୍ଟା କଲା । ଯେତେବେଳେ ମଣିଷ ଶୀର୍ଷକୁ ଗଲା, ସେ ନିଜର ସୁରକ୍ଷା ଓ ସୁଵିଧା ପାଇଁ ଜଙ୍ଗଲ ସଫା କଲା, ଚାଷ କଲା ଏଵଂ ସମ୍ପଦ ଗଚ୍ଛିତ କରିଵା ଆରମ୍ଭ କଲା । ଆମ ଭିତରେ ଥିବା ସେହି ପ୍ରାଚୀନ 'ଅସୁରକ୍ଷା ଭାବ' ଯୋଗୁଁ ଆମେ କେବେ ମଧ୍ୟ ସନ୍ତୁଷ୍ଟ ହୋଇପାରିଲୁ ନାହିଁ । ଅଧିକ ସମ୍ପଦ, ଅଧିକ ଜମି ଏଵଂ ଅଧିକ ଶକ୍ତି ଲାଭ କରିଵା ନେଇ ମଣିଷ-ମଣିଷ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହେଲା । ଏହି ମାନସିକତା ହିଁ ସମାଜରେ ଶ୍ରେଣୀଭେଦ, ସାମ୍ରାଜ୍ୟଵାଦ ଏଵଂ ପରଵର୍ତ୍ତୀ ସମୟରେ ଭୟଙ୍କର ମାନଵୀୟ ଯୁଦ୍ଧ ଓ ଵିପର୍ଯ୍ୟୟର ମୂଳ କାରଣ ସାଜିଲା । ମଣିଷ ଶରୀର ଓ ମସ୍ତିଷ୍କରେ ଶୀର୍ଷ ଶିକାରୀ ହେଵାର କ୍ଷମତା ସିନା ଆସିଗଲା, କିନ୍ତୁ ସେହି ସ୍ଥାନକୁ ସମ୍ଭାଳିଵା ପାଇଁ ଯେଉଁ ଧୈର୍ଯ୍ୟ, ମାନସିକ ପରିପକ୍ଵତା ଏଵଂ ପ୍ରାକୃତିକ ସନ୍ତୁଳନର ଆଵାଶ୍ୟକତା ଥିଲା, ତାହା ଆସିଵା ପାଇଁ ସମୟ ମିଳିଲା ନାହିଁ । ଏକ ଅସୁରକ୍ଷିତ ଓ ଭୟଭୀତ ପ୍ରାଣୀ ହାତରେ ସମଗ୍ର ପୃଥିଵୀର ଅସୀମ କ୍ଷମତା ଆସିଯିଵା ହିଁ ସମସ୍ତ ଐତିହାସିକ ଓ ପରିଵେଶଗତ ସଙ୍କଟର ମୂଳ କାରଣ । ୟୁଵାଲ୍ ନୋଆ ହାରାରି ଏଠାରେ ସେହି କଥା ଲେଖିଛନ୍ତି । 

ତେବେ ହରାରୀଙ୍କର ଏହି The Sudden Leap ତଥା ମଣିଷର ଅସୁରକ୍ଷିତ ଏକଛତ୍ରଵାଦୀ ମାନସିକତା ସମ୍ପର୍କିତ ମତକୁ ଵିଶ୍ୱର ଅନେକ ନୃତତ୍ତ୍ୱଵିତ୍,ଵିଵର୍ତ୍ତନଵାଦୀ ଜୀଵଵିଜ୍ଞାନୀ ଓ ଐତିହାସିକମାନେ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରନ୍ତି ନାହିଁ । ହରାରୀ ଯେପରି ଦର୍ଶାଇଛନ୍ତି ଯେ ମଣିଷ ଖାଦ୍ୟ ଶୃଙ୍ଖଳାର ମଝିରୁ ଶୀର୍ଷକୁ ହଠାତ୍ ଲମ୍ଫ ପ୍ରଦାନ କଲା, ସମାଲୋଚକମାନେ ଏହାକୁ ପ୍ରତ୍ୟାଖ୍ୟାନ କରନ୍ତି । ହୋମୋ ସାପିଏନ୍ସଙ୍କ ପୂର୍ଵରୁ Homo erectus ଓ Neanderthals ଆଦି ଅନ୍ୟାନ୍ୟ ମାନଵଜାତିମାନେ ମଧ୍ୟ ଲକ୍ଷ ଲକ୍ଷ ଵର୍ଷ ଧରି ନିଆଁର ଵ୍ୟଵହାର, ପଥରର ଅସ୍ତ୍ରଶସ୍ତ୍ର ଓ ଦଳଗତ ଶିକାର ଶୈଳୀ ଵିକଶିତ କରୁଥିଲେ । ମଣିଷର ଏହି ପ୍ରକ୍ରିୟା ପାଇଁ ପ୍ରାୟ ୨୦ ଲକ୍ଷରୁ ଅଧିକ ଵର୍ଷ ସମୟ ଲାଗିଥିଲା, ଯାହାକି ଵିଵର୍ତ୍ତନ ଦୃଷ୍ଟିରୁ ଏକ ବହୁତ ବଡ଼ ସମୟ । ତେଣୁ ଏହାକୁ ଏକ 'ଆକସ୍ମିକ ଲମ୍ଫ' କହିଵା ଐତିହାସିକ ଓ ଜୈଵିକ ଦୃଷ୍ଟିରୁ ଠିକ୍ ନୁହେଁ । ହରାରୀ ମଣିଷକୁ ଏକ ଭୟଭୀତ ଏକଛତ୍ରଵାଦୀ ଶାସକ ଵା Anxious Dictator ଭାବେ ଚିତ୍ରିତ କରିଛନ୍ତି, ଯିଏ କେବଳ ନିର୍ଦ୍ଦୟତା ପ୍ରଦର୍ଶନ କରେ । ସମାଲୋଚକମାନେ ଏହି ନକାରାତ୍ମକ ଦୃଷ୍ଟିକୋଣକୁ ଵିରୋଧ କରନ୍ତି । ନୃତତ୍ତ୍ୱଵିତ୍‌ମାନଙ୍କ ମତରେ, ମଣିଷ ଖାଦ୍ୟ ଶୃଙ୍ଖଳାର ଶୀର୍ଷକୁ ଯିଵାର ମୁଖ୍ୟ କାରଣ ତା'ର କ୍ରୂରତା ନଥିଲା ଵରଂ ତାର ସହଯୋଗ କରିଵାର ଅସାଧାରଣ କ୍ଷମତା, ସହାନୁଭୂତି ଏଵଂ ପରସ୍ପରକୁ ସାହାଯ୍ୟ କରିଵାର ପ୍ରବୃତ୍ତି ଥିଲା । ପ୍ରାଚୀନ ମଣିଷ କେଵଳ ସଂଗ୍ରାମ କରିନାହିଁ ଵରଂ ଆହତ ଓ ଦୁର୍ଵଳ ସଦସ୍ୟମାନଙ୍କର ସେଵା ମଧ୍ୟ କରିଛି, ଯାହା ଅନ୍ୟ ହିଂସ୍ର ଶିକାରୀ ପ୍ରାଣୀଙ୍କ ପାଖରେ ଦେଖାଯାଏ ନାହିଁ । ସମାଲୋଚକମାନେ କୁହନ୍ତି ଯେ ସମସ୍ତ ମାନଵ ସଂସ୍କୃତି ପ୍ରକୃତିର ଵିନାଶ କରିନାହାନ୍ତି । ହରାରୀଙ୍କ ମତ ପାଶ୍ଚାତ୍ୟ ଓ ଆଧୁନିକ ଶିଳ୍ପାୟନ ସମାଜ ଉପରେ ଅଧିକ ଆଧାରିତ । ପୃଥିଵୀର ଅନେକ ଆଦିବାସୀ ଓ ପ୍ରାଚୀନ ଜନଜାତି ହଜାର ହଜାର ଵର୍ଷ ଧରି ପ୍ରକୃତି ଓ ଜଙ୍ଗଲ ସହିତ ସମ୍ପୂର୍ଣ୍ଣ ସନ୍ତୁଳନ ରକ୍ଷା କରି ରହିଆସିଛନ୍ତି । ସେମାନେ ପ୍ରକୃତିକୁ ଭଗଵାନ ମାନନ୍ତି ଏଵଂ କେଵଳ ଆଵଶ୍ୟକ ଅନୁସାରେ ସମ୍ପଦ ଗ୍ରହଣ କରନ୍ତି । ତେଣୁ ପରିଵେଶର ଵିନାଶ ପାଇଁ ସାପିଏନ୍ସ ଜାତିର ଵିଵର୍ତ୍ତନକୁ ଦାୟୀ ନକରି, ଆଧୁନିକ ଉପଭୋକ୍ତାଵାଦ ଓ ପୁଞ୍ଜିଵାଦକୁ ଦାୟୀ କରାଯିଵା ଉଚିତ୍ ।

ୟୁଵାଲ୍ ନୋଆ ହରାରୀ ଯୁକ୍ତି କରନ୍ତି ଯେ ମଣିଷର ପ୍ରତ୍ୟେକ କାର୍ଯ୍ୟ ପଛରେ ତା'ର ପୁରୁଣା ଅସୁରକ୍ଷା ଭାଵ ଓ ଭୟ ଲୁଚି ରହିଛି । ସମାଲୋଚକମାନେ ଏହାକୁ ମନସ୍ତାତ୍ତ୍ଵିକ ଦୃଷ୍ଟିରୁ ଏକପାଖିଆ ବୋଲି କୁହନ୍ତି । ମଣିଷ ନୂଆ ସ୍ଥାନ ଆଵିଷ୍କାର କରିଵା, ଚନ୍ଦ୍ରକୁ ଯିଵା ଵା ଵିଜ୍ଞାନର ଵିକାଶ କରିଵା ପଛରେ କେଵଳ 'ଭୟ' ନାହିଁ ଵରଂ ତା'ର ଜିଜ୍ଞାସା, କଳ୍ପନାଶୀଳତା ତଥା ଜ୍ଞାନ ଆହରଣର ଇଚ୍ଛା ରହିଛି । ମଣିଷକୁ କେଵଳ ଏକ 'ଭୟଭୀତ ପଶୁ' ଭାବେ ଦେଖିବା ମାନଵୀୟ ଚେତନାର ଅପମାନ ଅଟେ । ଅନେକ ପେସାଦାର୍ ଐତିହାସିକ ହରାରୀଙ୍କ ଲିଖନ ଶୈଳୀକୁ 'ପପୁଲାର୍ ସାଇନ୍ସ' ଵା ସାଧାରଣ ପାଠକଙ୍କୁ ଆକୃଷ୍ଟ କଲା ଭଳି ଗପ ବୋଲି କୁହନ୍ତି, ଯହିଁରେ ଜଟିଳ ତଥ୍ୟକୁ ଅତି ସରଳ କରିଦିଆଯାଇଛି । ଯୁଦ୍ଧ ଏଵଂ ଐତିହାସିକ ଵିପର୍ଯ୍ୟୟ ପଛରେ ଅନେକ ଆଞ୍ଚଳିକ, ରାଜନୈତିକ, ଅର୍ଥନୈତିକ ଓ ସାମାଜିକ କାରଣ ଥାଏ । ସବୁ ଜିନିଷକୁ ଲକ୍ଷେ ଵର୍ଷ ତଳର "ଖାଦ୍ୟ ଶୃଙ୍ଖଳାର ଲମ୍ଫ" ସହ ଯୋଡ଼ିଦେଵା ଦ୍ୱାରା ପ୍ରକୃତ ସମସ୍ୟାର ସମାଧାନ ମିଳେନାହିଁ । ସଂକ୍ଷେପରେ କହିଵାକୁ ଗଲେ, ସମାଲୋଚକମାନଙ୍କ ମତରେ ମଣିଷ କେଵଳ ଏକ 'ଭୟଭୀତ ଶିକାରୀ' ନୁହେଁ । ପ୍ରକୃତିର ଵିନାଶ ଓ ଯୁଦ୍ଧ ହେଉଛି ଆମର ଆଧୁନିକ ରାଜନୈତିକ ଓ ଅର୍ଥନୈତିକ ଵ୍ୟଵସ୍ଥାର ତ୍ରୁଟି, ଏହା ଆମର ଜୈଵିକ ଵିଵର୍ତ୍ତନର କୌଣସି ଅପରିହାର୍ଯ୍ୟ ପରିଣାମ ନୁହେଁ ।
••••••••••••••••••••••••••••••••••••••
ମୂଳ ଲେଖକ: ୟୁଵାଲ୍ ନୋଆ ହାରାରି
sapiens a brief history of humankind 

Saturday, May 16, 2026

ଲଜ୍ଜାଜନକ ଗୁପ୍ତ ଇତିହାସ(ଭାଗ-୨)

ହୋମୋ ସାପିଏନ୍ସ ଆହୁରି ଏକ ଅସ୍ୱାଭାଵିକ ରହସ୍ୟ ଲୁଚାଇ ରଖିଛି । ଆମର ଯେ କେଵଳ ଅସଭ୍ୟ କୁଳ ସମ୍ପର୍କୀୟ ମହାଵାନର ଭାତୃଗଣମାନେ(ସିମ୍ପାଞ୍ଜି,ବବୁନ୍,ଗରିଲା ଓ ଓରାଙ୍ଗଓଟାଙ୍ଗ) ଅଛନ୍ତି ତାହା ନୁହେଁ, ଵରଂ କୌଣସି ଏକ ସମୟରେ ଆମ୍ଭମାନଙ୍କ ଭଳି ଦେଖାଯାଉଥିଵା ଆମର ଅନେକ Homo ଵଂଶର ଭାତୃଗଣ ମଧ୍ୟ ଥିଲେ । ଆମେ ନିଜକୁ ଏକମାତ୍ର ମଣିଷ ବୋଲି ଭାବିଵାରେ ଅଭ୍ୟସ୍ତ, କାରଣ ଗତ ୧୦,୦୦୦ ଵର୍ଷ ଧରି ପୃଥିଵୀରେ ଆମ Homo sapiens ଜାତି ହିଁ ଏକମାତ୍ର ମାନଵ ଜାତି ଭାବେ ରହିଆସିଛି । କିନ୍ତୁ 'ମାନଵ' (Human) ଶବ୍ଦର ପ୍ରକୃତ ଅର୍ଥ ହେଉଛି 'ହୋମୋ (Homo) ଵଂଶର ଅନ୍ତର୍ଗତ ଏକ ପ୍ରାଣୀ', ଏଵଂ ଅତୀତରେ ହୋମୋ ସାପିଏନ୍ସ ଵ୍ୟତୀତ ଏହି ଵଂଶର ଅନ୍ୟ ଅନେକ ଜାତି ମଧ୍ୟ ଥିଲେ । ଏହାଛଡ଼ା, ଆମେ ଏହି ପୁସ୍ତକର ଶେଷ ଅଧ୍ୟାୟରେ ଦେଖିଵାକୁ ପାଇଵା ଯେ, ନିକଟ ଭଵିଷ୍ୟତରେ ଆମକୁ ପୁଣି ଥରେ 'ଅଣ-ସାପିଏନ୍ସ' (Non-sapiens) ମଣିଷମାନଙ୍କ ସହ ସାମ୍ନାସାମ୍ନି ହେଵାକୁ ପଡ଼ିପାରେ । ଏହି ଵିଷୟଟିକୁ ସ୍ପଷ୍ଟ କରିଵା ପାଇଁ, ମୁଁ ପ୍ରାୟତଃ ହୋମୋ ସାପିଏନ୍ସ ଜାତିର ସଦସ୍ୟମାନଙ୍କ ପାଇଁ 'ସାପିଏନ୍ସ' ଶବ୍ଦ ଵ୍ୟଵହାର କରିବି ଏଵଂ 'ମାନଵ' ଶବ୍ଦଟିକୁ ହୋମୋ ଵଂଶର ସମସ୍ତ ଜାତିଙ୍କ ପାଇଁ ଵ୍ୟଵହାର କରିବି ।
ପ୍ରାୟ ୨୫ ଲକ୍ଷ ଵର୍ଷ ପୂର୍ଵେ ପୂର୍ଵ ଆଫ୍ରିକାରେ 'ଅଷ୍ଟ୍ରାଲୋପିଥେକସ' (Australopithecus) ନାମକ ଏକ ପୁରୁଣା ଵାନର ଵଂଶରୁ ମଣିଷର ଵିଵର୍ତ୍ତନ ହୋଇଥିଲା । ଅଷ୍ଟ୍ରାଲୋପିଥେକସ ଶବ୍ଦର ଅର୍ଥ ହେଉଛି 'ଦକ୍ଷିଣୀ ଵାନର' । ପ୍ରାୟ ୨୦ ଲକ୍ଷ ଵର୍ଷ ପୂର୍ଵେ, ଏହି ପ୍ରାଚୀନ ପୁରୁଷ ଓ ମହିଳାଙ୍କ ମଧ୍ୟରୁ କିଛି ଜଣ ନିଜ ମାତୃଭୂମି ଛାଡ଼ି ଉତ୍ତର ଆଫ୍ରିକା, ୟୁରୋପ ଓ ଏସିଆର ଵିଶାଳ ଅଞ୍ଚଳକୁ ଯାତ୍ରା କଲେ ଏଵଂ ସେଠାରେ ଵସଵାସ କଲେ । ୟୁରୋପର ଵରଫାଵୃତ ଜଙ୍ଗଲରେ ଵଞ୍ଚିଵା ପାଇଁ ଯେଉଁ ପ୍ରକାରର ଗୁଣ ଆଵଶ୍ୟକ ଥିଲା, ତାହା ଇଣ୍ଡୋନେସିଆର ଗରମ ଜଙ୍ଗଲରେ ଵଞ୍ଚିଵା ପାଇଁ ଦରକାର ଥିଵା ଗୁଣଠାରୁ ସମ୍ପୂର୍ଣ୍ଣ ଅଲଗା ଥିଲା । ତେଣୁ ମାନଵ ଜନସଂଖ୍ୟା ଭିନ୍ନ ଭିନ୍ନ ଦିଗରେ ଵିକଶିତ ହେଲେ । ଏହାର ପରିଣାମ ସ୍ୱରୂପ କେତେକ ଭିନ୍ନ ଜାତିର ସୃଷ୍ଟି ହେଲା, ଯାହାକୁ ଵୈଜ୍ଞାନିକମାନେ ଏକ ଏକ ଗମ୍ଭୀର ଲାଟିନ୍ ନାମ ଦେଇଛନ୍ତି ।
ୟୁରୋପ ତଥା ପଶ୍ଚିମ ଏସିଆର ମଣିଷମାନେ 'ହୋମୋ ନିଆଣ୍ଡରଥାଲେନସିସ୍' (ନିଆଣ୍ଡର ଉପତ୍ୟକାର ମଣିଷ) ଭାବେ ଵିକଶିତ ହେଲେ, ଯାହାଙ୍କୁ ସାଧାରଣତଃ 'ନିଆଣ୍ଡରଥାଲ୍' (Neanderthals) କୁହାଯାଏ । ନିଆଣ୍ଡରଥାଲମାନେ ଆମ ସାପିଏନ୍ସଙ୍କ ତୁଳନାରେ ଅଧିକ ଶକ୍ତିଶାଳୀ ଏଵଂ ମାଂସପେଶୀ ବହୁଳ ଥିଲେ । ସେମାନେ ଶୀତଯୁଗର ପଶ୍ଚିମ ୟୁରେସିଆର ଶୀତଳ ଜଳଵାୟୁ ସହ ଖାପ ଖୁଆଇ ରହିଵା ପାଇଁ ସକ୍ଷମ ଥିଲେ । ଏସିଆର ପୂର୍ଵ ଅଞ୍ଚଳରେ 'ହୋମୋ ଏରେକ୍ଟସ' (Homo erectus) ଵା 'ଠିଆ ହୋଇ ଚାଲୁଥିଵା ମଣିଷ' ଵାସ କରୁଥିଲେ, ଯେଉଁମାନେ ସେଠାରେ ପ୍ରାୟ ୨୦ ଲକ୍ଷ ଵର୍ଷ ଧରି ଵଞ୍ଚି ରହିଥିଲେ । Homo erectus ଏପର୍ଯ୍ୟନ୍ତର ସବୁଠାରୁ ଦୀର୍ଘସ୍ଥାୟୀ ମାନଵ ଜାତି ଅଟେ । ଏହି ରେକର୍ଡ ହୁଏତ ଆମ ନିଜ ଜାତି ଦ୍ୱାରା ଭାଙ୍ଗିଵା ସମ୍ଭଵ ନୁହେଁ । ହୋମୋ ସାପିଏନ୍ସ ଆଜିଠାରୁ ହଜାରେ ଵର୍ଷ ପରେ ରହିବେ କି ନାହିଁ ସେଥିରେ ସନ୍ଦେହ ଅଛି, ତେଣୁ ୨୦ ଲକ୍ଷ ଵର୍ଷ ପର୍ଯ୍ୟନ୍ତ ରହିଵା ଆମ ପାଇଁ ଏକ ବଡ଼ କଥା ।

ଇଣ୍ଡୋନେସିଆର ଜାଭା ଦ୍ୱୀପରେ 'ହୋମୋ ସୋଲୋଏନସିସ୍' (ସୋଲୋ ଉପତ୍ୟକାର ମଣିଷ) ଵାସ କରୁଥିଲେ, ଯେଉଁମାନେ କ୍ରାନ୍ତୀୟ ଜଳଵାୟୁରେ ରହିଵା ପାଇଁ ଉପଯୁକ୍ତ ଥିଲେ । ଇଣ୍ଡୋନେସିଆର ଅନ୍ୟ ଏକ ଛୋଟ ଦ୍ୱୀପ 'ଫ୍ଲୋରେସ୍'ରେ ପ୍ରାୟ ପ୍ରାଚୀନ ମଣିଷମାନେ ଏକ ଵାମନ ପ୍ରକ୍ରିୟା (dwarfing) ଦେଇ ଗତି କରିଥିଲେ । ଯେତେବେଳେ ସମୁଦ୍ରର ଜଳସ୍ତର ଖୁବ୍ କମ୍ ଥିଲା, ସେତେବେଳେ ମଣିଷମାନେ ପ୍ରଥମେ ଫ୍ଲୋରେସରେ ପହଞ୍ଚିଥିଲେ ଏଵଂ ମୁଖ୍ୟ ଭୂଭାଗରୁ ସେଠାକୁ ଯିଵା ସହଜ ଥିଲା । କିନ୍ତୁ ଯେତେବେଳେ ସମୁଦ୍ର ପତ୍ତନ ପୁଣି ବଢ଼ିଗଲା, କିଛି ଲୋକ ସେହି ଦ୍ୱୀପରେ ଫସିଗଲେ । ସେଠାରେ ସମ୍ଵଳ ଵା ଖାଦ୍ୟର ଅଭାଵ ଥିଲା । ବଡ଼ ଲୋକମାନେ, ଯାହାଙ୍କୁ ଅଧିକ ଖାଦ୍ୟ ଦରକାର ହୁଏ, ସେମାନେ ପ୍ରଥମେ ମୃତ୍ୟୁଵରଣ କଲେ । ଛୋଟ ଆକାରର ଲୋକମାନେ ବଞ୍ଚି ରହିଵାରେ ସଫଳ ହେଲେ । ପିଢ଼ି ପରେ ପିଢ଼ି ଧରି ଫ୍ଲୋରେସର ଲୋକମାନେ ଵାମନ ହୋଇଗଲେ । ଏହି ଅଦ୍ୱିତୀୟ ଜାତି, ଯାହାଙ୍କୁ ଵୈଜ୍ଞାନିକମାନେ 'ହୋମୋ ଫ୍ଲୋରେସିଏନସିସ୍' (Homo floresiensis) ନାମରେ ଜାଣନ୍ତି, ସେମାନଙ୍କର ସର୍ଵାଧିକ ଉଚ୍ଚତା ମାତ୍ର ଏକ ମିଟର ଥିଲା ଏଵଂ ଓଜନ ୨୫ କିଲୋଗ୍ରାମରୁ ଅଧିକ ନଥିଲା । ତଥାପି ସେମାନେ ପଥରର ହତିଆର ତିଆରି କରିପାରୁଥିଲେ ଏଵଂ ବେଳେବେଳେ ଦ୍ୱୀପର ହାତୀମାନଙ୍କୁ ମଧ୍ୟ ଶିକାର କରୁଥିଲେ - ଯଦିଓ ସତ କହିଵାକୁ ଗଲେ, ସେହି ହାତୀମାନେ ମଧ୍ୟ ଵାମନ ଆକାରର ଜାତି ଥିଲେ ।

୨୦୧୦ ମସିହାରେ ଆଉ ଏକ ହଜିଯାଇଥିଵା ମାନଵଜାତିକୁ ଲୋକଲୋଚନକୁ ଅଣାଯାଇଥିଲା, ଯେତେବେଳେ ଵୈଜ୍ଞାନିକମାନେ ସାଇବେରିଆର 'ଡେନିସୋଵା' ଗୁମ୍ଫା ଖୋଳୁଥିଵା ସମୟରେ ଏକ ପଥର ପାଲଟିଯାଇଥିଵା ଆଙ୍ଗୁଠି ହାଡ଼ ପାଇଥିଲେ । ଜିନେଟିକ୍ ଵିଶ୍ଳେଷଣରୁ ପ୍ରମାଣିତ ହେଲା ଯେ ସେହି ଆଙ୍ଗୁଠିଟି ଏକ ଅଜ୍ଞାତ ମାନଵ ଜାତିର ଥିଲା, ଯାହାର ନାମ 'ହୋମୋ ଡେନିସୋଵା' (Homo denisova) ରଖାଗଲା ।
କିଏ ଜାଣେ, ଆମର ଏମିତି କେତେ ହଜିଯାଇଥିଵା ସମ୍ପର୍କୀୟମାନେ ଅନ୍ୟ ଗୁମ୍ଫାରେ, ଅନ୍ୟ ଦ୍ୱୀପରେ କିମ୍ଵା ଅନ୍ୟ କୌଣସି ଜଳଵାୟୁରେ ଆଵିଷ୍କାର ହେଵା ପାଇଁ ଅପେକ୍ଷା କରି ରହିଛନ୍ତି ।

•ଯେତେବେଳେ ଏହି ମଣିଷମାନେ ୟୁରୋପ ଓ ଏସିଆରେ ଵିକଶିତ ହେଉଥିଲେ, ସେହି ସମୟରେ ପୂର୍ଵ ଆଫ୍ରିକାରେ ମଧ୍ୟ ଵିଵର୍ତ୍ତନ ପ୍ରକ୍ରିୟା ଅଟକି ନଥିଲା । ମାନଵଜାତିର ଏହି ସୂତିକାଗୃହ (Cradle of humanity) ଅନେକ ନୂତନ ଜାତିଙ୍କୁ ପାଳନ କରିଵାରେ ଲାଗିଥିଲା, ଯେପରିକି 'ହୋମୋ ରୁଡଲଫେନସିସ୍' (ରୁଡଲଫ୍ ହ୍ରଦର ମଣିଷ), 'ହୋମୋ ଏରଗାଷ୍ଟର୍' (କାମିକା ମଣିଷ) ଏଵଂ ଶେଷରେ ଆମର ନିଜ ଜାତି, ଯାହାକୁ ଆମେ ଅତି ଗର୍ଵର ସହ 'Homo Sapiens' (ଜ୍ଞାନୀ ମଣିଷ) ନାମରେ ନାମିତ କରିଛୁ ।

ଏହି ଜାତିଗୁଡ଼ିକ ମଧ୍ୟରୁ କିଛି ଵହୁତ ବଡ଼ ଥିଲେ ଏଵଂ କିଛି ଵାମନ ଥିଲେ । କେତେକ ଭୟଙ୍କର ଶିକାରୀ ଥିଲେ ତ ଆଉ କେତେକ ଶାନ୍ତ ସ୍ୱଭାଵର ଵୃକ୍ଷଲତା ସଂଗ୍ରହକାରୀ ଥିଲେ । କେହି କେଵଳ ଗୋଟିଏ ଦ୍ୱୀପରେ ଵାସ କରୁଥିଲେ ତ ଆଉ ଅନେକ ଵିଶାଳ ମହାଦେଶଗୁଡ଼ିକରେ ଘୂରି ବୁଲୁଥିଲେ । କିନ୍ତୁ ସେମାନେ ସମସ୍ତେ 'ହୋମୋ' ଵଂଶର ଅନ୍ତର୍ଗତ ଥିଲେ । ସେମାନେ ସମସ୍ତେ ମାନଵ ଥିଲେ ।
ଏହି ଜାତିଗୁଡ଼ିକୁ ଏକ ସରଳ ରେଖାର ଵଂଶାଵଳୀ ଭାବେ କଳ୍ପନା କରିଵା ଏକ ସାଧାରଣ ଭୁଲ୍ ଧାରଣା - ଯେପରିକି ଏରଗାଷ୍ଟରରୁ ଏରେକ୍ଟସ, ଏରେକ୍ଟସରୁ ନିଆଣ୍ଡରଥାଲ୍ ଏଵଂ ନିଆଣ୍ଡରଥାଲରୁ ଆମର ସୃଷ୍ଟି ହୋଇଛି । ଏହି ସରଳରୈଖିକ ମଡେଲ୍ (Linear model) ଏକ ଭୁଲ୍ ପ୍ରଭାଵ ପକାଏ ଯେ କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ପୃଥିଵୀରେ କେଵଳ ଗୋଟିଏ ପ୍ରକାରର ମଣିଷ ଵାସ କରୁଥିଲେ ଏଵଂ ପୂର୍ଵର ସମସ୍ତ ଜାତି କେଵଳ ଆମର ପୁରୁଣା ସଂସ୍କରଣ ଥିଲେ । ପ୍ରକୃତ ସତ୍ୟ ହେଉଛି ଯେ ପ୍ରାୟ ୨୦ ଲକ୍ଷ ଵର୍ଷ ପୂର୍ଵରୁ ପ୍ରାୟ ୧୦,୦୦୦ ଵର୍ଷ ପୂର୍ଵ ପର୍ଯ୍ୟନ୍ତ, ପୃଥିଵୀ ଏକ ସମୟରେ ଅନେକ ମାନଵ ଜାତିଙ୍କର ଵାସସ୍ଥାନ ଥିଲା ।

ଏଵଂ ଏହା କାହିଁକି ଵା ଅସମ୍ଭଵ ହେଵ? ଆଜି ପୃଥିଵୀରେ ଅନେକ ଜାତିର ଶିଆଳ, ଭାଲୁ ଓ ଘୁଷୁରି ଅଛନ୍ତି । ଏକ ଲକ୍ଷ ଵର୍ଷ ପୂର୍ବେ ପୃଥିଵୀରେ ଅତି କମ୍‌ରେ ଛଅଟି ଭିନ୍ନ ମାନଵ ଜାତି ଵିଚରଣ କରୁଥିଲେ । ଆମର ଵର୍ତ୍ତମାନର ଏକଛତ୍ରଵାଦ (Exclusivity) ହିଁ ଅଦ୍ଭୁତ, ସେହି ବହୁ-ଜାତି ଵିଶିଷ୍ଟ ଅତୀତ ନୁହେଁ - ଏଵଂ ବୋଧହୁଏ ଏହା ଆମ ପାଇଁ ଏକ ଦୋଷାରୋପ ମଧ୍ୟ ଅଟେ । ଯେପରି ଆମେ ଶୀଘ୍ର ଦେଖିଵାକୁ ପାଇଵା, ଆମେ ସାପିଏନ୍ସମାନଙ୍କ ପାଖରେ ନିଜ ଭାତୃଗଣମାନଙ୍କର ସ୍ମୃତିକୁ ଚପାଇ ରଖିଵାର ଯଥେଷ୍ଟ କାରଣ ରହିଛି ।

(ୟୁଵାଲ୍ ନୋଆ ହରାରିଙ୍କ ପୁସ୍ତକ sapiens:a brief history of humankind ପୁସ୍ତକର ଧାରାଵାହିକ ଓଡ଼ିଆ ଅନୁଵାଦର ଏହା ଦ୍ଵିତୀୟ ଭାଗ)