My Blog List

Wednesday, June 10, 2026

ଆମ ଭ୍ରାତୃଗଣଙ୍କ ରକ୍ଷକ(Our Brothers’ Keepers)

ନିଆଁର ସୁଵିଧା ସତ୍ତ୍ୱେ ଆଜକୁ ପ୍ରାୟ ୧,୫୦,୦୦୦ ଵର୍ଷ ପୂର୍ଵେ ମଣିଷମାନେ ପୃଥିଵୀରେ ଅତି ନଗଣ୍ୟ ପ୍ରାଣୀ ହୋଇ ରହିଥିଲେ । ସେମାନେ ସେତେବେଳେ ସିଂହମାନଙ୍କୁ ଡରାଇ ଦୂରେଇ ଦେଇପାରୁଥିଲେ, ଶୀତଳ ରାତିରେ ନିଜକୁ ଉଷୁମ ରଖିପାରୁଥିଲେ ଏଵଂ ବେଳେବେଳେ ଜଙ୍ଗଲ ମଧ୍ୟ ପୋଡ଼ି ଦେଇପାରୁଥିଲେ । ତଥାପି ସମସ୍ତ Homo ଜାତିର ଜନସଂଖ୍ୟାକୁ ମିଶାଇଲେ ମଧ୍ୟ, ଇଣ୍ଡୋନେସିଆର ଦ୍ୱୀପପୁଞ୍ଜଠାରୁ ଆରମ୍ଭ କରି ଆଇବେରିଆନ୍ ଉପଦ୍ୱୀପ ପର୍ଯ୍ୟନ୍ତ ଵାସ କରୁଥିଵା ମଣିଷଙ୍କ ସଂଖ୍ୟା ପ୍ରାୟ ୧୦ ଲକ୍ଷରୁ ଅଧିକ ନଥିଲା ଏଵଂ ତାହା ପରିଵେଶ ଦୃଷ୍ଟିକୋଣରୁ ଅତି ସାମାନ୍ୟ ଥିଲା ।

ଆମର ନିଜ ଜାତି 'ହୋମୋ ସାପିଏନ୍ସ' ସେତେବେଳକୁ ଵିଶ୍ୱ ମଞ୍ଚରେ ପହଞ୍ଚି ସାରିଥିଲେ କିନ୍ତୁ ସେହି ପର୍ଯ୍ୟନ୍ତ ସେମାନେ କେଵଳ ଆଫ୍ରିକାର ଏକ କୋଣରେ ନିଜ କାମରେ ସୀମିତ ଥିଲେ । କେଉଁଠି ଓ କେବେ ପ୍ରଥମେ ହୋମୋ ସାପିଏନ୍ସ ଭାବେ ଗଣାଯାଉଥିଵା ପ୍ରାଣୀମାନେ ପୂର୍ଵର କୌଣସି ମାନଵ ଜାତିରୁ ଵିକଶିତ ହେଲେ, ତାହା ଆମେ ଠିକ୍ ଭାବେ ଜାଣିନାହୁଁ; କିନ୍ତୁ ଅଧିକାଂଶ ଵୈଜ୍ଞାନିକ ଏକମତ ଯେ ୧,୫୦,୦୦୦ ଵର୍ଷ ପୂର୍ଵକୁ ପୂର୍ଵ ଆଫ୍ରିକାରେ ଆମ ପରି ଦେଖାଯାଉଥିଵା 'ସାପିଏନ୍ସ' ଵାସ କରୁଥିଲେ । ଯଦି ସେମାନଙ୍କ ମଧ୍ୟରୁ ଜଣେ ଆଜିର କୌଣସି ଶଵ ଵ୍ୟଵଚ୍ଛେଦ ଗୃହକୁ ଆସନ୍ତି, ତେବେ ସେଠାକାର ଡାକ୍ତର ତାଙ୍କଠାରେ କୌଣସି ଅସ୍ୱାଭାଵିକତା ଦେଖିଵାକୁ ପାଇବେ ନାହିଁ । ନିଆଁର ଆଶୀର୍ଵାଦ ଯୋଗୁଁ ସେମାନଙ୍କର ଦାନ୍ତ ଓ ହନୁ ହାଡ଼ ସେମାନଙ୍କ ପୂର୍ଵପୁରୁଷଙ୍କ ତୁଳନାରେ ଛୋଟ ଥିଲା ଆଉ ମସ୍ତିଷ୍କର ଆକାର ଆମ ମସ୍ତିଷ୍କ ସହିତ ସମାନ ଥିଲା ।

ଵୈଜ୍ଞାନିକମାନେ ଏହା ମଧ୍ୟ ସ୍ୱୀକାର କରନ୍ତି ଯେ ପ୍ରାୟ ୭୦,୦୦୦ ଵର୍ଷ ପୂର୍ଵେ ପୂର୍ଵ-ଆଫ୍ରିକାରୁ ସାପିଏନ୍ସମାନେ ଆରବ ଉପଦ୍ୱୀପକୁ ଵ୍ୟାପିଥିଲେ ଏଵଂ ସେଠାରୁ ସେମାନେ ଅତି ଶୀଘ୍ର ସମଗ୍ର ୟୁରେସିଆ ଭୂଭାଗକୁ ନିଜ ଅକ୍ତିଆରକୁ ନେଇଥିଲେ ।
ଯେତେବେଳେ ହୋମୋ ସାପିଏନ୍ସ ଆରବରେ ପହଞ୍ଚିଲେ, ସେତେବେଳେ ୟୁରେସିଆର ଅଧିକାଂଶ ଅଞ୍ଚଳରେ ଅନ୍ୟ ମାନଵ ଜାତିମାନେ ଆଗରୁ ଵସଵାସ କରୁଥିଲେ । ସେମାନଙ୍କର କ’ଣ ହେଲା? ଏହି ଵିଷୟରେ ଦୁଇଟି ପରସ୍ପର ଵିରୋଧୀ ସିଦ୍ଧାନ୍ତ ରହିଛି । 'ଅନ୍ତଃପ୍ରଜନନ ସିଦ୍ଧାନ୍ତ' ଵା Interbreeding Theory ଆକର୍ଷଣ, ଯୌନ ସମ୍ପର୍କ ଓ ମିଶ୍ରଣର କାହାଣୀ କୁହେ । ଏହି ମତ ଅନୁସାରେ, ଯେତେବେଳେ ଆଫ୍ରିକୀୟ ପ୍ରଵାସୀ Homo sapiensମାନେ ସମଗ୍ର ଵିଶ୍ୱରେ ଵ୍ୟାପିଗଲେ, ସେମାନେ ଅନ୍ୟ Homo ଜାତିର ଜନସଂଖ୍ୟା ସହିତ ପ୍ରଜନନ କଲେ ଏଵଂ ଆଜିର ମଣିଷ ହେଉଛନ୍ତି ସେହି ମିଶ୍ରଣର ପରିଣାମ । ଉଦାହରଣ ସ୍ୱରୂପ, ଯେତେବେଳେ ସାପିଏନ୍ସ ମଧ୍ୟପ୍ରାଚ୍ୟ ଓ ୟୁରୋପରେ ପହଞ୍ଚିଲେ ସେମାନେ ନିଆଣ୍ଡରଥାଲମାନଙ୍କର ସାମ୍ନା କଲେ । ଏହି ମଣିଷମାନେ ସାପିଏନ୍ସଙ୍କ ତୁଳନାରେ ଅଧିକ ମାଂସପେଶୀ ବହୁଳ ଥିଲେ, ସେମାନଙ୍କର ମସ୍ତିଷ୍କ ବଡ଼ ଥିଲା ଏଵଂ ସେମାନେ ଶୀତଳ ଜଳଵାୟୁରେ ରହିଵା ପାଇଁ ଅଧିକ ଉପଯୁକ୍ତ ଥିଲେ । ସେମାନେ ହତିଆର ଓ ନିଆଁ ଵ୍ୟଵହାର କରୁଥିଲେ, ଭଲ ଶିକାରୀ ଥିଲେ ଏଵଂ ସ୍ପଷ୍ଟ ଭାଵେ ନିଜ ଦଳର ଅସୁସ୍ଥ ଓ ଦୁର୍ଵଳ ଲୋକଙ୍କ ଯତ୍ନ ନେଉଥିଲେ । (ପ୍ରତ୍ନତତ୍ତ୍ୱଵିତ୍‌ମାନେ ଏପରି କିଛି ନିଆଣ୍ଡରଥାଲଙ୍କ ହାଡ଼ ପାଇଛନ୍ତି ଯେଉଁମାନେ ଗୁରୁତର ଶାରୀରିକ ଅକ୍ଷମତା ସତ୍ତ୍ୱେ ଅନେକ ଵର୍ଷ ବଞ୍ଚିଥିଲେ, ଯାହା ପ୍ରମାଣ କରେ ଯେ ସେମାନଙ୍କର ସମ୍ପର୍କୀୟମାନେ ସେମାନଙ୍କ ସେଵା କରୁଥିଲେ ।) ନିଆଣ୍ଡରଥାଲମାନଙ୍କୁ ପ୍ରାୟତଃ ଅସଭ୍ୟ ଏଵଂ ନିର୍ବୋଧ 'ଗୁମ୍ଫା ମାନଵ' ଭାବେ ଚିତ୍ରଣ କରାଯାଇଛି, କିନ୍ତୁ ନିକଟ ଅତୀତର ପ୍ରମାଣ ସେମାନଙ୍କର ଏହି ଭାବମୂର୍ତ୍ତିକୁ ବଦଳାଇ ଦେଇଛି ।ଅନ୍ତଃପ୍ରଜନନ ସିଦ୍ଧାନ୍ତ ଅନୁସାରେ, ଯେତେବେଳେ ସାପିଏନ୍ସମାନେ ନିଆଣ୍ଡରଥାଲଙ୍କ ଅଞ୍ଚଳକୁ ଗଲେ, ସେଠାରେ ଦୁଇ Homo ଜାତି ମଧ୍ୟରେ ପ୍ରଜନନ ହେଲା ଏଵଂ ଶେଷରେ ଉଭୟ ଜନସଂଖ୍ୟା ପରସ୍ପର ସହ ମିଶିଗଲେ । ଯଦି ଏହା ସତ୍ୟ ହୋଇଥାଏ, ତେବେ ଆଜିର ୟୁରେସିଆର ଲୋକମାନେ ଶୁଦ୍ଧ ସାପିଏନ୍ସ ନୁହନ୍ତି । ସେମାନେ ସାପିଏନ୍ସ ଓ ନିଆଣ୍ଡରଥାଲଙ୍କ ମିଶ୍ରଣ । ସେହିପରି, ଯେତେବେଳେ ସାପିଏନ୍ସ ପୂର୍ଵ ଏସିଆରେ ପହଞ୍ଚିଲେ, ସେମାନେ ସ୍ଥାନୀୟ ଏରେକ୍ଟସଙ୍କ ସହ ମିଶିଗଲେ, ତେଣୁ ଚୀନ୍ ଓ କୋରିଆର ଲୋକମାନେ ସାପିଏନ୍ସ ଓ ଏରେକ୍ଟସଙ୍କ ମିଶ୍ରଣ ।

ଏହାର ଵିପରୀତ ମତକୁ 'ସ୍ଥାନାନ୍ତରଣ ସିଦ୍ଧାନ୍ତ' ଵା Replacement Theory କୁହାଯାଏ ଏଵଂ ଏହା ଏକ ସମ୍ପୂର୍ଣ୍ଣ ଭିନ୍ନ କାହାଣୀ କୁହେ । ସ୍ଥାନାନ୍ତରଣ ସିଦ୍ଧାନ୍ତରେ ସାମଞ୍ଜସ୍ୟର ଅଭାଵ, ଘୃଣା ଏଵଂ ହୁଏତ ଗଣହତ୍ୟାର କଥା ରହିଛି । ଏହି ସିଦ୍ଧାନ୍ତ ଅନୁସାରେ, ସାପିଏନ୍ସ ଏଵଂ ଅନ୍ୟ ମାନଵ ଜାତିଙ୍କ ଶାରୀରିକ ଗଠନ ଅଲଗା ଥିଲା ପୁଣି ସମ୍ଭଵତଃ ସେମାନଙ୍କର ପ୍ରଜନନ ଅଭ୍ୟାସ ତଥା ଶରୀରର ଗନ୍ଧ ମଧ୍ୟ ଭିନ୍ନ ଥିଲା । ତେଣୁ ସେମାନଙ୍କ ମଧ୍ୟରେ ପରସ୍ପର ପ୍ରତି କୌଣସି ଯୌନ ଆକର୍ଷଣ ନଥିଲା ।

ଯଦ୍ୟପି ଜଣେ ନିଆଣ୍ଡରଥାଲ୍ 'ରୋମିଓ' ଏଵଂ ସାପିଏନ୍ସ 'ଜୁଲିଏଟ୍' ପରସ୍ପର ପ୍ରେମରେ ପଡ଼ିଥାନ୍ତେ, ତଥାପି ସେମାନେ ପ୍ରଜନନକ୍ଷମ ସନ୍ତାନ ଜନ୍ମ କରିପାରିନଥାନ୍ତେ; କାରଣ ଦୁଇ ଜନସଂଖ୍ୟାକୁ ପୃଥକ କରୁଥିଵା ଜେନେଟିକ୍ ଵ୍ୟଵଧାନ ସେତେବେଳକୁ ଅତିକ୍ରମ କରିଵା ଅସମ୍ଭଵ ହୋଇସାରିଥିଲା । ଏହି ଦୁଇ ଗୋଷ୍ଠୀ ସମ୍ପୂର୍ଣ୍ଣ ଅଲଗା ହୋଇ ରହିଲେ ଏଵଂ ଯେତେବେଳେ ନିଆଣ୍ଡରଥାଲମାନେ ଵିଲୁପ୍ତ ହେଲେ କିମ୍ଵା ସେମାନଙ୍କୁ ମାରି ଦିଆଗଲା, ସେମାନଙ୍କର ଜିନ୍ (genes) ମଧ୍ୟ ସେମାନଙ୍କ ସହିତ ଶେଷ ହୋଇଗଲା । ଏହି ମତ ଅନୁସାରେ, ସାପିଏନ୍ସମାନେ ପୂର୍ଵର ସମସ୍ତ ମାନଵ ପ୍ରଜାତିଙ୍କ ସହ ନମିଶି ସେମାନଙ୍କ ସ୍ଥାନ ଦଖଲ କରିନେଲେ । ଯଦି ଏହା ସତ୍ୟ ହୋଇଥାଏ, ତେବେ ଆଜିର ସମସ୍ତ ମଣିଷଙ୍କ ଵଂଶାଵଳୀ କେଵଳ ୭୦,୦୦୦ ଵର୍ଷ ପୂର୍ଵର ପୂର୍ଵ ଆଫ୍ରିକା ସହିତ ଜଡ଼ିତ । ଆମେ ସମସ୍ତେ 'ଶୁଦ୍ଧ ସାପିଏନ୍ସ' ।

ଏହି ଵିତର୍କ ଉପରେ ଅନେକ କିଛି ନିର୍ଭର କରେ । ଵିଵର୍ତ୍ତନ ଦୃଷ୍ଟିକୋଣରୁ ୭୦,୦୦୦ ଵର୍ଷ ହେଉଛି ଏକ ସ୍ୱଳ୍ପ ସମୟ । ଯଦି 'ସ୍ଥାନାନ୍ତରଣ ସିଦ୍ଧାନ୍ତ' ଠିକ୍ ହୁଏ, ତେବେ ପୃଥିଵୀର ସମସ୍ତ ଜୀଵନ୍ତ ମଣିଷଙ୍କ ଜେନେଟିକ୍ ଗଠନ ପ୍ରାୟ ସମାନ ଏଵଂ ସେମାନଙ୍କ ମଧ୍ୟରେ ଥିଵା ଜାତିଗତ ପାର୍ଥକ୍ୟ ନଗଣ୍ୟ । କିନ୍ତୁ ଯଦି 'ଅନ୍ତଃପ୍ରଜନନ ସିଦ୍ଧାନ୍ତ' ଠିକ୍ ହୁଏ, ତେବେ ଆଫ୍ରିକୀୟ, ୟୁରୋପୀୟ ଓ ଏସୀୟମାନଙ୍କ ମଧ୍ୟରେ ଜେନେଟିକ୍ ପାର୍ଥକ୍ୟ ଥାଇପାରେ ଯାହା ଲକ୍ଷ ଲକ୍ଷ ଵର୍ଷ ପୁରୁଣା । ଏହା ଏକ ଵିସ୍ଫୋରକ ରାଜନୈତିକ ଵିଷୟ ହୋଇପାରେ, ଯାହା ଭୟଙ୍କର ଜାତିଗତ ଭେଦଭାଵ ସୃଷ୍ଟି କରୁଥିଵା ମତଵାଦକୁ ଖୋରାକ ଯୋଗାଇଵ ।

ନିକଟ ଦଶନ୍ଧିଗୁଡ଼ିକରେ 'ସ୍ଥାନାନ୍ତରଣ ସିଦ୍ଧାନ୍ତ'କୁ ଅଧିକ ଗ୍ରହଣ କରାଯାଉଥିଲା । ଏହାର ଶକ୍ତ ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଥିଲା ଏଵଂ ଏହା ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ଅଧିକ ଗ୍ରହଣୀୟ ଥିଲା (ଵୈଜ୍ଞାନିକମାନେ ଆଧୁନିକ ମଣିଷଙ୍କ ମଧ୍ୟରେ ଜେନେଟିକ୍ ପାର୍ଥକ୍ୟ ଦର୍ଶାଇ ଜାତିଵାଦର ପାଣ୍ଡୋରା ବକ୍ସ ଖୋଲିଵାକୁ ଚାହୁଁନଥିଲେ) । କିନ୍ତୁ ୨୦୧୦ ମସିହାରେ ଏହି ଧାରଣା ବଦଳିଗଲା, ଯେତେବେଳେ ନିଆଣ୍ଡରଥାଲ୍ ଜେନୋମ୍ ମ୍ୟାପିଂର ଚାରି ଵର୍ଷର ପରିଶ୍ରମର ଫଳାଫଳ ପ୍ରକାଶ ପାଇଲା । ଜେନେଟିକ୍ ଵିଶେଷଜ୍ଞମାନେ ଜୀଵାଶ୍ମରୁ ଯଥେଷ୍ଟ ପରିମାଣର ନିଆଣ୍ଡରଥାଲ୍ ଡିଏନ୍ଏ (DNA) ସଂଗ୍ରହ କରିଵାରେ ସଫଳ ହେଲେ ଏଵଂ ଆଧୁନିକ ମଣିଷର ଡିଏନ୍ଏ ସହିତ ଏହାର ତୁଳନା କଲେ । ଏହାର ଫଳାଫଳ ଵୈଜ୍ଞାନିକ ଜଗତକୁ ଆଶ୍ଚର୍ଯ୍ୟ କରିଦେଲା ।

ଜଣାପଡ଼ିଲା ଯେ ମଧ୍ୟପ୍ରାଚ୍ୟ ଓ ୟୁରୋପର ଆଧୁନିକ ଜନସଂଖ୍ୟାର ପ୍ରାୟ ୧-୪ ପ୍ରତିଶତ ଡିଏନ୍ଏ ହେଉଛି ନିଆଣ୍ଡରଥାଲ୍ ଡିଏନ୍ଏ । ଏହା ଅଧିକ ନହେଲେ ମଧ୍ୟ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ । ଦ୍ୱିତୀୟ ଆଶ୍ଚର୍ଯ୍ୟଜନକ ତଥ୍ୟ କିଛି ମାସ ପରେ ଆସିଲା, ଯେତେବେଳେ 'ଡେନିସୋଵା' ଗୁମ୍ଫାରୁ ମିଳିଥିଵା ଏକ ଆଙ୍ଗୁଠି ହାଡ଼ରୁ ଡିଏନ୍ଏ ପରୀକ୍ଷା କରାଗଲା । ଏଥିରୁ ପ୍ରମାଣିତ ହେଲା ଯେ ଆଧୁନିକ ମେଲାନେସିଆନ୍ ଏଵଂ ଅଷ୍ଟ୍ରେଲିଆର ଆଦିଵାସୀମାନଙ୍କ ଡିଏନ୍ଏର ପ୍ରାୟ ୬ ପ୍ରତିଶତ ହେଉଛି ଡେନିସୋଵାନ୍ ଡିଏନ୍ଏ ।
ଯଦି ଏହି ଫଳାଫଳଗୁଡ଼ିକ ଠିକ୍ ହୁଏ, ତେଵେ ଅନ୍ତଃପ୍ରଜନନ ସିଦ୍ଧାନ୍ତଵାଦୀଙ୍କ କଥା କିଛି ମାତ୍ରାରେ ଠିକ୍ ଥିଲା । କିନ୍ତୁ ଏହାର ଅର୍ଥ ନୁହେଁ ଯେ ସ୍ଥାନାନ୍ତରଣ ସିଦ୍ଧାନ୍ତ ସମ୍ପୂର୍ଣ୍ଣ ଭୁଲ୍ । ଯେହେତୁ ନିଆଣ୍ଡରଥାଲ୍ ଓ ଡେନିସୋଵାନ୍‌ ମାନଵମାନେ ଆମର ଵର୍ତ୍ତମାନର ଜେନୋମ୍‌ରେ କେଵଳ ଅଳ୍ପ ପରିମାଣର ଡିଏନ୍ଏ ଅଵଦାନ ଦେଇଛନ୍ତି, ତେଣୁ ସାପିଏନ୍ସ ଏଵଂ ଅନ୍ୟ ମାନଵ ଜାତିଙ୍କ ମଧ୍ୟରେ ଏକ ସମ୍ପୂର୍ଣ୍ଣ 'ମିଶ୍ରଣ' ହୋଇଥିଵା କହିଵା ଅସମ୍ଭଵ । ଯଦ୍ୟପି ସେମାନଙ୍କ ମଧ୍ୟରେ ଥିଵା ପାର୍ଥକ୍ୟ ପ୍ରଜନନ ପାଇଁ ସମ୍ପୂର୍ଣ୍ଣ ଵାଧକ ନଥିଲା, କିନ୍ତୁ ଏପରି ସମ୍ପର୍କ ଅତି ଵିରଳ ଥିଲା ।

ତେବେ ଆମେ ସାପିଏନ୍ସ, ନିଆଣ୍ଡରଥାଲ୍ ଓ ଡେନିସୋଵାନ୍‌ଙ୍କ ମଧ୍ୟରେ ଜୈଵିକ ସମ୍ପର୍କକୁ କିପରି ବୁଝିଵା? ସ୍ପଷ୍ଟ ଭାଵେ, ସେମାନେ ଘୋଡ଼ା ଓ ଗଧ ପରି ସମ୍ପୂର୍ଣ୍ଣ ଅଲଗା ଜାତି ନଥିଲେ । ଅନ୍ୟପଟେ, ସେମାନେ କେଵଳ ବୁଲ୍‌ଡଗ୍ ଏଵଂ ସ୍ପାନିଏଲ୍ କୁକୁର ପରି ଏକା ଜାତିର ଦୁଇଟି ଭିନ୍ନ ଗୋଷ୍ଠୀ ମଧ୍ୟ ନଥିଲେ । ଜୈଵିକ ଵାସ୍ତଵତା କେଵଳ କଳା କିମ୍ଵା ଧଳା ନୁହେଁ, ଏଥିରେ କିଛି ଧୂସର ଅଞ୍ଚଳ ମଧ୍ୟ ରହିଛି । ଏକ ସାଧାରଣ ପୂର୍ଵପୁରୁଷରୁ ଵିକଶିତ ହୋଇଥିଵା ପ୍ରତ୍ୟେକ ଦୁଇଟି ଭିନ୍ନ ଜାତି କୌଣସି ଏକ ସମୟରେ ଏକା ଜାତିର ଦୁଇଟି ଗୋଷ୍ଠୀ ହୋଇ ରହିଥିଵେ । ଏପରି ଏକ ସମୟ ନିଶ୍ଚୟ ଆସିଥିଵ ଯେତେବେଳେ ସେମାନେ ପରସ୍ପରଠାରୁ ଯଥେଷ୍ଟ ଅଲଗା ହୋଇ ସାରିଥିଵେ, କିନ୍ତୁ ଵିରଳ ଅଵସ୍ଥାରେ ଶାରୀରିକ ସମ୍ପର୍କ ଏଵଂ ସନ୍ତାନ ଜନ୍ମ କରିଵା ପାଇଁ ସକ୍ଷମ ଥିଵେ । ପରେ ଅନ୍ୟ ଏକ ନଵୋଦ୍ଭଵନ ଵା mutation ଏହି ଶେଷ ସମ୍ପର୍କକୁ ମଧ୍ୟ କାଟି ଦେଇଥିଵ ଏଵଂ ସେମାନେ ନିଜ ନିଜର ଅଲଗା ଵିଵର୍ତ୍ତନ ପଥରେ ଆଗେଇ ଯାଇଥିଵେ ।
ମନେହୁଏ ଯେ ପ୍ରାୟ ୫୦,୦୦୦ ଵର୍ଷ ପୂର୍ଵେ ସାପିଏନ୍ସ, ନିଆଣ୍ଡରଥାଲ୍ ଏଵଂ ଡେନିସୋଵାନ୍‌ମାନେ ସେହି ସୀମା ରେଖାରେ ଥିଲେ । ସେମାନେ ପ୍ରାୟ ଅଲଗା ଜାତି ହୋଇସାରିଥିଲେ, କିନ୍ତୁ ସମ୍ପୂର୍ଣ୍ଣ ଭାବେ ନୁହେଁ । ସାପିଏନ୍ସମାନେ ସେତେବେଳକୁ ନିଆଣ୍ଡରଥାଲ୍ ଓ ଡେନିସୋଵାନ୍‌ଙ୍କଠାରୁ କେଵଳ ଶାରୀରିକ ଗଠନରେ ନୁହେଁ ଵରଂ ବୌଦ୍ଧିକ ଓ ସାମାଜିକ ଦକ୍ଷତାରେ ମଧ୍ୟ ବହୁତ ଆଗରେ ଥିଲେ । ତଥାପି ଏକ ସାପିଏନ୍ସ ଓ ନିଆଣ୍ଡରଥାଲ୍ ମଧ୍ୟରେ ସନ୍ତାନ ଜନ୍ମ ହେଵା ସମ୍ଭଵ ଥିଲା । ତେଣୁ ଏହି ଗୋଷ୍ଠୀଗୁଡ଼ିକ ସମ୍ପୂର୍ଣ୍ଣ ମିଶିଲେ ନାହିଁ, କିନ୍ତୁ କିଛି ଭାଗ୍ୟଵାନ ନିଆଣ୍ଡରଥାଲ୍ ଜିନ୍ ସାପିଏନ୍ସଙ୍କ ସହିତ ଆଗକୁ ବଢ଼ିଵାର ସୁଯୋଗ ପାଇଲେ । ଏହା ଚିନ୍ତା କରିଵାକୁ ଟିକେ ଅଡ଼ୁଆ ଲାଗିପାରେ କିମ୍ଵା ରୋମାଞ୍ଚକର ହୋଇପାରେ ଯେ ଆମେ ସାପିଏନ୍ସମାନେ କୌଣସି ଏକ ସମୟରେ ଅନ୍ୟ ଏକ ଜାତିର ପ୍ରାଣୀ ସହ ସନ୍ତାନ ଜନ୍ମ କରିଥିଲେ ।

କିନ୍ତୁ ଯଦି ନିଆଣ୍ଡରଥାଲ୍ ଓ ଡେନିସୋଵାନ୍‌ମାନେ ସାପିଏନ୍ସଙ୍କ ସହ ମିଶିଲେ ନାହିଁ, ତେବେ ସେମାନେ କାହିଁକି ଅଦୃଶ୍ୟ ହୋଇଗଲେ ଵା ଲୋପ ପାଇଗଲେ ? ଏକ ସମ୍ଭାଵନା ହେଉଛି ଯେ ହୋମୋ ସାପିଏନ୍ସ ସେମାନଙ୍କୁ ଵିଲୁପ୍ତ ହେଵାକୁ ବାଧ୍ୟ କଲେ । କଳ୍ପନା କରନ୍ତୁ, ଏକ ସାପିଏନ୍ସ ଦଳ ବାଲକାନ୍ ଉପତ୍ୟକାରେ ପହଞ୍ଚିଲେ ଯେଉଁଠି ନିଆଣ୍ଡରଥାଲମାନେ ଲକ୍ଷ ଲକ୍ଷ ଵର୍ଷ ଧରି ଵାସ କରି ଆସୁଥିଲେ । ନୂଆକରି ଆସିଥିଵା ସାପିଏନ୍ସମାନେ ସେଠାକାର ହରିଣ ଶିକାର କରିଵା ଏଵଂ ଫଳମୂଳ ସଂଗ୍ରହ କରିଵା ଆରମ୍ଭ କଲେ ଯାହା ନିଆଣ୍ଡରଥାଲମାନଙ୍କର ମୁଖ୍ୟ ଖାଦ୍ୟ ଥିଲା । ଉନ୍ନତ ଜ୍ଞାନକୌଶଳ ତଥା ସାମାଜିକ ଦକ୍ଷତା ଯୋଗୁଁ ସାପିଏନ୍ସମାନେ ଶିକାର ଓ ସଂଗ୍ରହ କରିଵାରେ ଅଧିକ ପାରଙ୍ଗମ ଥିଲେ, ତେଣୁ ସେମାନଙ୍କ ସଂଖ୍ୟା ବଢ଼ିଲା ଏଵଂ ସେମାନେ ଵ୍ୟାପିଗଲେ । କମ୍ ଦକ୍ଷ ନିଆଣ୍ଡରଥାଲମାନଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିଵା କଷ୍ଟକର ହେଲା । ସେମାନଙ୍କ ସଂଖ୍ୟା କମିଲା ଏଵଂ ଧୀରେ ଧୀରେ ସେମାନେ ମରିଗଲେ ।

ଅନ୍ୟ ଏକ ସମ୍ଭାଵନା ହେଉଛି ଯେ ସମ୍ଵଳ ପାଇଁ ପ୍ରତିଯୋଗିତା ଶେଷରେ ହିଂସା ଏଵଂ ଗଣହତ୍ୟାର ରୂପ ନେଲା । ସହନଶୀଳତା ସାପିଏନ୍ସମାନଙ୍କର ପରିଚୟ ନୁହେଁ । ଆଧୁନିକ ସମୟରେ ଚର୍ମର ରଙ୍ଗ, ଭାଷା କିମ୍ଵା ଧର୍ମର ସାମାନ୍ୟ ପାର୍ଥକ୍ୟ ଗୋଟିଏ ସାପିଏନ୍ସ ଗୋଷ୍ଠୀକୁ ଅନ୍ୟ ଏକ ଗୋଷ୍ଠୀର ସର୍ଵନାଶ କରିଵା ପାଇଁ ଯଥେଷ୍ଟ ହେଇ ଯାଉଛି । ତେବେ ପ୍ରାଚୀନ ସାପିଏନ୍ସମାନେ କ’ଣ ଏକ ସମ୍ପୂର୍ଣ୍ଣ ଭିନ୍ନ ମାନଵ ଜାତି ପ୍ରତି ଅଧିକ ସହନଶୀଳ ହୋଇଥିଵେ? ସମ୍ଭଵତଃ ସାପିଏନ୍ସ ଓ ନିଆଣ୍ଡରଥାଲଙ୍କ ସାମ୍ନାସାମ୍ନି ହେଵାର ଫଳାଫଳ ଥିଲା ଇତିହାସର ପ୍ରଥମ ଏଵଂ ସବୁଠାରୁ ବଡ଼ ଜାତିଗତ ନିପାତ ଅଭିଯାନ (ethnic-cleansing) ।

ଯାହା ବି ହୋଇଥାଉ, ନିଆଣ୍ଡରଥାଲ୍ ଏଵଂ ଅନ୍ୟ ମାନଵଜାତିମାନେ ଇତିହାସର ଏକ ବଡ଼ ପ୍ରଶ୍ନଵାଚୀ ହୋଇ ରହିଛନ୍ତି । କଳ୍ପନା କରନ୍ତୁ, ଯଦି ନିଆଣ୍ଡରଥାଲ୍ ଵା ଡେନିସୋଵାନ୍‌ମାନେ ସାପିଏନ୍ସଙ୍କ ସହିତ ଆଜି ପର୍ଯ୍ୟନ୍ତ ଵଞ୍ଚିଥାନ୍ତେ, ତେଵେ ୟେ ଦୁନିଆ କିପରି ହୋଇଥାନ୍ତା ? ଏକାଧିକ ମାନଵ ଜାତି ଵାସ କରୁଥିଵା ପୃଥିଵୀରେ କେଉଁ ପ୍ରକାରର ସଂସ୍କୃତି, ସମାଜ ଏଵଂ ରାଜନୈତିକ ଗଠନ ସୃଷ୍ଟି ହୋଇଥାନ୍ତା? ଉଦାହରଣ ସ୍ୱରୂପ, ଧାର୍ମିକ ଵିଶ୍ୱାସଗୁଡ଼ିକ କିପରି ଵିକଶିତ ହୋଇଥାନ୍ତା? କ’ଣ ବାଇବେଲ୍ କହିଥାନ୍ତା ଯେ ନିଆଣ୍ଡରଥାଲମାନେ ମଧ୍ୟ ଆଡାମ ଓ ଇଵ୍‌ଙ୍କ ଵଂଶଧର? କ’ଣ ଯୀଶୁ ଖ୍ରୀଷ୍ଟ ଡେନିସୋଵାନ୍‌ମାନଙ୍କ ପାପ ପାଇଁ ମଧ୍ୟ ମୃତ୍ୟୁଵରଣ କରିଥାନ୍ତେ? କ’ଣ କୁରାନରେ ସବୁ ଜାତିର ଧାର୍ମିକ ମଣିଷଙ୍କ ପାଇଁ ସ୍ୱର୍ଗରେ ସ୍ଥାନ ସଂରକ୍ଷିତ ଥାନ୍ତା? କ’ଣ ନିଆଣ୍ଡରଥାଲମାନେ ରୋମାନ୍ ସେନାରେ କିମ୍ଵା ଚୀନର ସରକାରୀ କାର୍ଯ୍ୟାଳୟରେ ଚାକିରି କରିପାରିଥାନ୍ତେ? କ’ଣ ଆମେରିକାର ସ୍ୱାଧୀନତା ଘୋଷଣାନାମା ଏହାକୁ ଏକ ସ୍ୱତଃସିଦ୍ଧ ସତ୍ୟ ବୋଲି ମାନିଥାନ୍ତା ଯେ 'ହୋମୋ' ଜାତିର ସମସ୍ତ ସଦସ୍ୟ ସମାନ ଭାବେ ସୃଷ୍ଟି ହୋଇଛନ୍ତି? କ’ଣ କାର୍ଲ ମାର୍କ୍ସ ସମସ୍ତ Homo ଜାତିର ଶ୍ରମିକମାନଙ୍କୁ ଏକଜୁଟ ହେଵାକୁ ଆହ୍ୱାନ ଦେଇଥାନ୍ତେ?
ଗତ ୧୦,୦୦୦ ଵର୍ଷ ଧରି ହୋମୋ ସାପିଏନ୍ସ ଏକମାତ୍ର Homo ଜାତି ଭାଵେ ରହିଵାକୁ ଏତେ ଅଭ୍ୟସ୍ତ ହୋଇଯାଇଛି ଯେ, ଆମ ପାଇଁ ଅନ୍ୟ କୌଣସି ସମ୍ଭାଵନା ଵିଷୟରେ ଚିନ୍ତା କରିଵା କଷ୍ଟକର ହୋଇଯାଇଛି । ଆମର କୌଣସି ଅନ୍ୟ Homo ଜାତିର ଭାଇଭଉଣୀ ନଥିଵାରୁ ଆମେ ନିଜକୁ ସୃଷ୍ଟିର ଶ୍ରେଷ୍ଠ ଜୀଵ ବୋଲି ଭାବିଵା ସହଜ ହୋଇଯାଉଛି । ଯେତେବେଳେ ଚାର୍ଲସ ଡାରୱିନ୍ କହିଲେ ଯେ ମଣିଷ କେଵଳ ଅନ୍ୟ ଏକ ପ୍ରକାରର ପ୍ରାଣୀ, ସେତେବେଳେ ଲୋକମାନେ କ୍ରୋଧିତ ହୋଇଥିଲେ । ଆଜି ମଧ୍ୟ ଅନେକ ଏହା ଵିଶ୍ୱାସ କରନ୍ତି ନାହିଁ । ଯଦି ନିଆଣ୍ଡରଥାଲମାନେ ବଞ୍ଚିଥାନ୍ତେ, ତେବେ କ’ଣ ଆମେ ନିଜକୁ ଅନ୍ୟ ପ୍ରାଣୀଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ବୋଲି ଭାବିଥାନ୍ତେ?
ବୋଧହୁଏ ଏହି କାରଣ ପାଇଁ ହିଁ ଆମର ପୂର୍ଵପୁରୁଷମାନେ ନିଆଣ୍ଡରଥାଲମାନଙ୍କୁ ଶେଷ କରିଦେଲେ । ସେମାନେ ଆମ ପରି ଦେଖାଯାଉଥିଵାରୁ ସେମାନଙ୍କୁ ଅଣଦେଖା କରିଵା ସମ୍ଭଵ ନଥିଲା, କିନ୍ତୁ ସେମାନେ ଏତେ ଅଲଗା ଥିଲେ ଯେ ସେମାନଙ୍କୁ ସହ୍ୟ କରିଵା ମଧ୍ୟ ସମ୍ଭଵ ନଥିଲା ।

ସାପିଏନ୍ସମାନେ ଦାୟୀ ହୁଅନ୍ତୁ ଵା ନହୁଅନ୍ତୁ, ସେମାନେ ଯେଉଁ ନୂଆ ସ୍ଥାନକୁ ଗଲେ, ସେଠାକାର ପୁରୁଣା ମାନଵ ଜନସଂଖ୍ୟା ଵିଲୁପ୍ତ ହୋଇଗଲା । ହୋମୋ ସୋଲୋଏନ୍ସିସ୍ ପ୍ରାୟ ୫୦,୦୦୦ ଵର୍ଷ ପୂର୍ଵେ ଲୋପ ହେଲେ । ତା’ ପରେ ଡେନିସୋଵାନ୍ ମାନଵ ମଧ୍ୟ ଅଦୃଶ୍ୟ ହୋଇଗଲେ । ନିଆଣ୍ଡରଥାଲମାନେ ପ୍ରାୟ ୩୦,୦୦୦ ଵର୍ଷ ପୂର୍ଵେ ପୃଥିଵୀରୁ ଵିଦାୟ ନେଲେ । ଫ୍ଲୋରେସ୍ ଦ୍ୱୀପରୁ ଶେଷ ଵାମନ ମଣିଷମାନେ ୧୨,୦୦୦ ଵର୍ଷ ପୂର୍ଵେ ଵିଲୁପ୍ତ ହୋଇଗଲେ । ସେମାନେ ପଛରେ କିଛି ହାଡ଼, ପଥରର ହତିଆର, ଆମ ଡିଏନ୍ଏରେ କିଛି ଜିନ୍ ଏଵଂ ଅନେକ ଅନୁତ୍ତରିତ ପ୍ରଶ୍ନ ଛାଡ଼ି ଯାଇଛନ୍ତି । ସେମାନେ ଆମକୁ, ଅର୍ଥାତ୍ ହୋମୋ ସାପିଏନ୍ସଙ୍କୁ ମଧ୍ୟ ଛାଡ଼ି ଯାଇଛନ୍ତି, ଯିଏ କି ପୃଥିଵୀର ଶେଷ ମାନଵ ଜାତି ।

ସାପିଏନ୍ସଙ୍କ ସଫଳତାର ରହସ୍ୟ କ’ଣ ଥିଲା? ଆମେ କିପରି ଏତେ ଶୀଘ୍ର ଏତେଗୁଡ଼ିଏ ଦୂର ଏଵଂ ଵିଭିନ୍ନ ପରିଵେଶରେ ଵସଵାସ କରିଵାରେ ସଫଳ ହେଲୁ? ଆମେ କିପରି ଅନ୍ୟ ସମସ୍ତ Homo ଜାତିଙ୍କୁ ଵିସ୍ମୃତିର ଗର୍ଭକୁ ଠେଲି ଦେଲୁ? ଶକ୍ତିଶାଳୀ, ବୁଦ୍ଧିମାନ ଏଵଂ ପ୍ରଵଳ ଶୀତ ସହ୍ୟ କରିପାରୁଥିଵା ନିଆଣ୍ଡରଥାଲମାନେ ମଧ୍ୟ ଆମ ଆକ୍ରମଣ ଆଗରେ କାହିଁକି ବଞ୍ଚିପାରିଲେ ନାହିଁ? ଏହି ଵିତର୍କ ଏବେ ବ ଜାରି ରହିଛି । ଏହାର ସବୁଠାରୁ ସମ୍ଭାଵ୍ୟ ଉତ୍ତରଟି ହେଉଛି ସେହି ଜିନିଷ, ଯାହା ଏହି ଵିତର୍କକୁ ସମ୍ଭଵ କରିଛି: ହୋମୋ ସାପିଏନ୍ସ ସମଗ୍ର ଵିଶ୍ୱ ଜୟ କଲା, ମୁଖ୍ୟତଃ ନିଜର ଅଦ୍ୱିତୀୟ ଭାଷା ଯୋଗୁଁ ।
•••••••••••••••••••••••••••••••
ୟୁଵାଲ୍ ନୋଆ ହାରାରିଙ୍କ ତାଙ୍କର ଵିଶ୍ୱପ୍ରସିଦ୍ଧ ପୁସ୍ତକ 'Sapiens: A Brief History of Humankind'ର ଏହି ନିର୍ଦ୍ଦିଷ୍ଟ ଅଧ୍ୟାୟର ଶୀର୍ଷକ "Our Brothers’ Keepers" (ଆମ ଭ୍ରାତୃଗଣଙ୍କ ରକ୍ଷକ) ରଖିଵା ପଛରେ ଗଭୀର ଆଧ୍ୟାତ୍ମିକ, ସାମାଜିକ ଓ ଵିଵର୍ତ୍ତନଗତ ବ୍ୟଙ୍ଗ ଲୁଚି ରହିଛି ।

ବାଇବେଲ୍‌ର 'Book of Genesis'ରେ ଆଦାମ ଓ ଇଵ୍‌ଙ୍କ ଦୁଇ ପୁତ୍ର କେନ୍ (Cain) ଓ ଏବେଲ୍ (Abel)ଙ୍କ କାହାଣୀ ରହିଛି । କେନ୍ ନିଜ ଭାଇ ଏବେଲ୍‌ଙ୍କୁ ଈର୍ଷାଵଶତଃ ହତ୍ୟା କରିଵା ପରେ, ଭଗଵାନ ଯେତେବେଳେ ତାଙ୍କୁ ପଚାରିଲେ, "ତୁମ ଭାଇ ଏବେଲ୍ କେଉଁଠି?", ସେତେବେଳେ କେନ୍ ମିଛ କହି ନିଜ ଦାୟିତ୍ୱରୁ ଖସିଯିଵାକୁ ଚେଷ୍ଟା କରି କହିଥିଲେ: "Am I my brother's keeper?" (ମୁଁ କଣ ମୋ ଭାଇର ରକ୍ଷକ?)
ହାରାରି ଏହି ପ୍ରସଙ୍ଗକୁ ମାନଵ ଇତିହାସ ସହ ଯୋଡ଼ିଛନ୍ତି । ନିଆଣ୍ଡରଥାଲ୍, ଡେନିସୋଵାନ୍ ଓ ହୋମୋ ଏରେକ୍ଟସ ଆଦି ମାନଵଜାତିମାନେ ଵିଵର୍ତ୍ତନ ଦୃଷ୍ଟିକୋଣରୁ ହୋମୋ ସାପିଏନ୍ସ ଵା ଆମର 'ଭାଇ' ପରି ଥିଲେ । ଆମର ଦାୟିତ୍ୱ ଥିଲା ସେମାନଙ୍କର ସହ-ଅସ୍ତିତ୍ୱକୁ ସ୍ୱୀକାର କରିଵା ଏଵଂ ସେମାନଙ୍କ ରକ୍ଷକ ସାଜିଵା । କିନ୍ତୁ କେନ୍‌ଙ୍କ ଭଳି, ସାପିଏନ୍ସମାନେ ନିଜର ଏହି 'ଭ୍ରାତୃଗଣ'ଙ୍କ ପ୍ରତି ସହନଶୀଳ ହେଲେ ନାହିଁ;ଵରଂ ସେମାନଙ୍କୁ ଗଣହତ୍ୟା କିମ୍ବା ସମ୍ବଳର ପ୍ରତିଯୋଗିତା ଦ୍ୱାରା ପୃଥିଵୀ ପୃଷ୍ଠରୁ ସମ୍ପୂର୍ଣ୍ଣ ରୂପେ ନିଶ୍ଚିହ୍ନ କରିଦେଲେ ।

Our Brothers’ Keepers ଶୀର୍ଷକଟି ଶୁଣିଵାକୁ ଅତି ଦୟାଳୁ ଓ ସକାରାତ୍ମକ ଲାଗେ ଯେମିତି କି ଆମେ ସାପିଏନ୍ସମାନେ ଆମର ଅନ୍ୟ Hom ଜାତିର ସଗୋତ୍ରୀୟମାନଙ୍କୁ ସୁରକ୍ଷା ଦେଇଛୁ । କିନ୍ତୁ ପ୍ରବନ୍ଧର ଵିଷୟବସ୍ତୁ ସମ୍ପୂର୍ଣ୍ଣ ଓଲଟା କଥା ପ୍ରମାଣ କରେ ।
ସାପିଏନ୍ସମାନେ ଅନ୍ୟ ହୋମୋ ଜାତିମାନଙ୍କର ରକ୍ଷକ (Keepers) ସାଜିଵା ପରିଵର୍ତ୍ତେ ସେମାନଙ୍କର ଭକ୍ଷକ କିମ୍ବା ଵିଲୁପ୍ତିର କାରଣ ସାଜିଲେ । ପୃଥିଵୀର ଯେଉଁଠିକି ବି ସାପିଏନ୍ସ ଗଲେ, ସେଠାରେ ଅନ୍ୟ Homo ଜାତିଙ୍କର ଅନ୍ତ ଘଟିଲା । ତେଣୁ ଏହି ନାମକରଣ ସାପିଏନ୍ସଙ୍କର ହିଂସ୍ର ଓ ସ୍ୱାର୍ଥପର ପ୍ରକୃତି ପ୍ରତି ଏକ କଟୁ ଆକ୍ଷେପ ।

ଏହି ଶୀର୍ଷକର ଆଉ ଏକ ଵୈଜ୍ଞାନିକ ଦିଗ ମଧ୍ୟ ଅଛି ଯାହା ନିକଟ ଅତୀତର DNA ଗଵେଷଣାରୁ ଜଣାପଡ଼ିଛି । ଯଦ୍ୟପି Homo ଜାତିମାନଙ୍କର ଶାରୀରିକ ଭାବେ ଧରାପୃଷ୍ଠରୁ ଵିଲୁପ୍ତି ଘଟିଛି, ତଥାପି ସେମାନଙ୍କ ସହ ସୀମିତ ଅନ୍ତଃପ୍ରଜନନ କରିଵା ଯୋଗୁଁ ଆଜିର ଆଧୁନିକ ମଣିଷ ଶରୀରରେ ୧ ରୁ ୪ ପ୍ରତିଶତ ନିଆଣ୍ଡରଥାଲ୍ DNA ଏଵଂ ପ୍ରାୟ ୬ ପ୍ରତିଶତ ଡେନିସୋଵାନ୍ DNA ସୁରକ୍ଷିତ ରହିଛି ।
ଏହି ଦୃଷ୍ଟିକୋଣରୁ, ଆମେ ଆଜି ବି ଆମର ସେହି ଵିଲୁପ୍ତ ହୋଇଯାଇଥିଵା 'ଭ୍ରାତୃଗଣ'ଙ୍କର ଜେନେଟିକ୍ ସ୍ମୃତିକୁ ନିଜ ଭିତରେ ଵହନ କରି ରଖିଛୁ । ଆମେ ସେମାନଙ୍କର ଅସ୍ତିତ୍ୱର ଶେଷ ସନ୍ତକର 'ରକ୍ଷକ' ପାଲଟିଛୁ ।

ପ୍ରକୃତରେ ୟୁଵାଲ୍ ନୋଆ ହାରାରି ଏହି ଶୀର୍ଷକ ମାଧ୍ୟମରେ ପାଠକକୁ ଏକ ନୈତିକ ପ୍ରଶ୍ନ ପଚାରିଛନ୍ତି । ସେ ଆମକୁ ମନେ ପକାଇ ଦେଉଛନ୍ତି ଯେ ଆମେ ଏହି ପୃଥିଵୀରେ କେବେ ବି 'ଏକମାତ୍ର ମଣିଷ' ନଥିଲୁ । ଆମର ଅନେକ ସଗୋତ୍ରୀୟ Homo ଭାତୃଗଣ ଥିଲେ ଯେଉଁମାନଙ୍କୁ ଆମେ ଇତିହାସର ଅନ୍ଧାର ଭିତରକୁ ଠେଲି ଦେଇଛୁ । ଏହି ଅଧ୍ୟାୟର ନାମକରଣ ସାପିଏନ୍ସର ସେହି ପୁରୁଣା ଅପରାଧବୋଧ ଏଵଂ ସେମାନଙ୍କ ପ୍ରତି ଥିଵା ଆମର ଜୈଵିକ ସମ୍ପର୍କର ଏକ ସୁନ୍ଦର ପ୍ରତିଫଳନ ।

(ଏହି ପ୍ରବନ୍ଧ ସହିତ Sapiens a brief history of humankind ପୁସ୍ତକର ପ୍ରଥମ ଅଧ୍ୟାୟ ଶେଷ ହୋଇଛି। ଏହାପରେ ଦ୍ଵିତୀୟ ଅଧ୍ଯାୟର ପ୍ରବନ୍ଧ ଉପସ୍ଥାପନ କରାଯିଵ) 


No comments:

Post a Comment