My Blog List

Tuesday, June 2, 2026

Mangifera acutigemma : ଏକ ଵିରଳ ଆମ୍ଵ ଜାତି

Mangifera acutigemma ଆମ ସମସ୍ତଙ୍କ ପ୍ରିୟ 'ଆମ୍ଵ' ଵା Mangifera Indicaର ଏକ ଅତି ଵିରଳ, ରହସ୍ୟମୟ ଜଙ୍ଗଲୀ ସମ୍ପର୍କୀୟ ।
ଲାଟିନ୍ ଭାଷାରେ 'acuti'ର ଅର୍ଥ ତୀକ୍ଷ୍ଣ ଵା ମୁନିଆ ଏଵଂ 'gemma ର ଅର୍ଥ କଢ଼ ଵା ରତ୍ନ ଅଟେ । ଏହାର ଗଛର କଢ଼ଗୁଡ଼ିକର ସ୍ୱତନ୍ତ୍ର ମୁନିଆ ଗଠନ ପାଇଁ ବୋଧହୁଏ ଏହାକୁ ଏଭଳି ନାମ ଦିଆଯାଇଛି। ସତେ ଯେମିତି ପ୍ରକୃତି ନିଜ ହାତରେ ଏକ ସବୁଜ ରତ୍ନ ଗଢ଼ିଛି !
 
ଏହି ଗଛଟି କୌଣସି ସାଧାରଣ ବଗିଚାରେ ଦେଖିଵାକୁ ମିଳେନାହିଁ। ଏହା ମୁଖ୍ୟତଃ ଭାରତର ସିକିମ୍ ଓ ଅରୁଣାଚଳ ପ୍ରଦେଶ ଭଳି ପାର୍ଵତ୍ୟ ଅଞ୍ଚଳ, ଏଵଂ ପଡ଼ୋଶୀ ଦେଶ ମିଆଁମାର ଓ ଚୀନ୍ (ୟୁନାନ ପ୍ରଦେଶ)ର ଚିରହରିତ୍ ପାର୍ଵତ୍ୟ ଜଙ୍ଗଲରେ ଦେଖାଯାଏ। ସମୁଦ୍ର ପତନଠାରୁ ପ୍ରାୟ ୬୦୦ ରୁ ୧୫୦୦ ମିଟର ଉଚ୍ଚତାରେ, ମେଘ ଓ କୁହୁଡ଼ି ଘେରା ପାହାଡ଼ିଆ ପରିଵେଶରେ ବଢ଼ିଵାକୁ ଏହା ଭଲପାଏ।

ଆମେ ଖାଉଥିଵା ସୁଆଦିଆ ଆଲଫାନ୍ସୋ କିମ୍ଵା ଵାଇଗଣପାଲି ଭଳି Mangifera acutigemma ବଡ଼ ବଡ଼ ହୋଇନଥାଏ।
ଏହାର ଫଳଗୁଡ଼ିକ ଛୋଟ ଏଵଂ ସାମାନ୍ୟ ଚେପ୍ଟା-ଡିମ୍ଵାକୃତିର ହୋଇଥାଏ।

ଜଙ୍ଗଲୀ ଆମ୍ଵ ହୋଇଥିଵାରୁ Mangifera acutigemmaର ସ୍ୱାଦ ଆମ ବାଡ଼ିର ଆମ୍ଵ ଭଳି ଅତି ମିଠା ହୋଇନଥାଏ; ଏଥିରେ ଏକ ଖଟା-ମିଠା ଵନ୍ୟ ସ୍ୱାଦ ଥାଏ, ଯାହା ପକ୍ଷୀ ଏଵଂ ଜଙ୍ଗଲୀ ଜୀଵଜନ୍ତୁଙ୍କର ଅତି ପ୍ରିୟ।

ଵର୍ତ୍ତମାନ ପ୍ରଶ୍ନ ଉଠିପାରେ ଯେ ଯଦି Mangifera acutigemma ଏତେ ମିଠା ନୁହେଁ, ତେଵେ ଏହାକୁ ନେଇ ଵୈଜ୍ଞାନିକମାନେ ଏତେ ଉତ୍ସାହିତ କାହିଁକି?

ଜଳଵାୟୁ ପରିଵର୍ତ୍ତନ ଏଵଂ ଵିଭିନ୍ନ ରୋଗ ଜୀଵାଣୁଙ୍କ ଦାଉରୁ ଆମର ସାଧାରଣ ଆମ୍ଵ ପ୍ରଜାତିକୁ ଵଞ୍ଚାଇଵା ପାଇଁ ଏହି ଜଙ୍ଗଲୀ ଆମ୍ଵ Mangifera acutigemma ହେଉଛି ଏକ ଵରଦାନ। Mangifera acutigemma ପାଖରେ ପ୍ରତିକୂଳ ପରିଵେଶ ଓ ରୋଗ ପ୍ରତିରୋଧ କରିଵାର ଅଦ୍ଭୁତ କ୍ଷମତା (Resilience) ଥାଏ। ଭଵିଷ୍ୟତର ନୂଆ ଆମ୍ଵ କିସମ ସୃଷ୍ଟି ପାଇଁ Mangifera acutigemmaର Gene ଅତି ମୂଲ୍ୟଵାନ।

ତେବେ ଜଙ୍ଗଲ କ୍ଷୟ ଏଵଂ ପ୍ରାକୃତିକ ପରିଵେଶର ଵିନାଶ ଯୋଗୁଁ ଆଜି Mangifera acutigemma ଭଳି ଅନେକ ଜଙ୍ଗଲୀ ଆମ୍ଵ ଜାତି ଵିଲୁପ୍ତ ହେଵା ସ୍ଥିତିକୁ ଚାଲିଆସିଲାଣି। 

ପ୍ରାକୃତିକ ଭାବରେ Mangifera acutigemma ଗଛ ଓଡ଼ିଶାର ଜଙ୍ଗଲରେ ଦେଖାଯାଏ ନାହିଁ। ଏହାର ମୁଖ୍ୟ କାରଣ ହେଉଛି ଓଡ଼ିଶାର ଜଳଵାୟୁ ଓ ଭୌଗଳିକ ପରିବେଶ ଏହି ସ୍ୱତନ୍ତ୍ର ଜାତି ପାଇଁ ଅନୁକୂଳ ନୁହେଁ। 

Mangifera acutigemma ଏକ ସ୍ୱତନ୍ତ୍ର ପାର୍ଵତ୍ୟ ପ୍ରଜାତି ଯାହା ସମୁଦ୍ର ପତନଠାରୁ ପ୍ରାୟ ୬୦୦ ରୁ ୧୫୦୦ ମିଟର କିମ୍ବା ତା’ଠାରୁ ଅଧିକ ଉଚ୍ଚତାରେ ଥିଵା ପାହାଡ଼ିଆ ଉପତ୍ୟକାରେ ବଢ଼ିଥାଏ। ଏହା ଅତି ଆଦ୍ର, କୁହୁଡ଼ିଆ ଓ ଅପେକ୍ଷାକୃତ ଥଣ୍ଡା ଚିରହରିତ୍ ଜଙ୍ଗଲ ପସନ୍ଦ କରେ।

ଓଡ଼ିଶାର ଜଙ୍ଗଲଗୁଡ଼ିକ ମୁଖ୍ୟତଃ କ୍ରାନ୍ତୀୟ ପର୍ଣ୍ଣମୋଚୀ ଏଵଂ କିଛି ମାତ୍ରାରେ ଅର୍ଦ୍ଧ-ଚିରହରିତ୍ ଅଟେ। ଆମର ସବୁଠାରୁ ଉଚ୍ଚ ସ୍ଥାନ (ଦେଓମାଳି ଵା ଶିମିଳିପାଳର କିଛି ଅଞ୍ଚଳ) ଉଚ୍ଚତା ଦୃଷ୍ଟିରୁ ଏହାର ନିକଟତର ହେଲେ ବି, ସେଠାକାର ତାପମାତ୍ରା ଓ ପରିଵେଶ ହିମାଳୟର ପାଦଦେଶ ଭଳି ଅତି ଶୀତଳ ଓ ଆଦ୍ର ନୁହେଁ।

ଏହି Mangifera acutigemma ଜାତିଟି କେଵଳ ଏକ ନିର୍ଦ୍ଦିଷ୍ଟ ଭୌଗଳିକ ସୀମା ମଧ୍ୟରେ ସୀମିତ, ଯାହାକୁ ଉଦ୍ଭିଦ ଵିଜ୍ଞାନରେ 'Endemic' ଵା ଆଞ୍ଚଳିକ କୁହାଯାଏ। Mangifera acutigemma ମୁଖ୍ୟତଃ ଭାରତର ସିକିମ୍, ଅରୁଣାଚଳ ପ୍ରଦେଶ, ଆସାମର କିଛି ପାର୍ଵତ୍ୟ ଅଞ୍ଚଳରେ ଦେଖାଯାଏ । ଚୀନ୍‌ର ୟୁନାନ ପ୍ରଦେଶ,ମିଆଁମାର ଓ ଥାଇଲ୍ୟାଣ୍ଡର ଉତ୍ତର ପାର୍ବତ୍ୟ ଅଞ୍ଚଳର ଜଙ୍ଗଲରେ ବି Mangifera acutigemma ମିଳେ ।

ତେଣୁ, ଯଦି କେବେ କୌଣସି ବଟାନିକାଲ୍ ଗାର୍ଡେନ୍ କିମ୍ବା କୃଷି ଵିଶ୍ୱଵିଦ୍ୟାଳୟ ଗଵେଷଣା ପାଇଁ Mangifera acutigemma ଜାତୀୟ ଗଛକୁ ବାହାରୁ ଆଣି ସ୍ୱତନ୍ତ୍ର ନିୟନ୍ତ୍ରିତ ପରିଵେଶରେ ଲଗାଇଥିବେ ତେବେ ସେ କଥା ଅଲଗା କିନ୍ତୁ ପ୍ରାକୃତିକ ଭାବେ ଓଡ଼ିଶାର ଜଙ୍ଗଲରେ Mangifera acutigemma ଗଛ ଦେଖାଯାଏ ନାହିଁ।


No comments:

Post a Comment