My Blog List

Monday, June 15, 2026

ଅଗ୍ନିର ରକ୍ଷକ: ରୋଷେଇ ଶାଳା କିପରି ଆମକୁ ପଶୁରୁ ମଣିଷ କଲା(The Keepers of the Flame: How the Kitchen Made Us Human)

ଆଜକୁ ପ୍ରାୟ ୧୦ରୁ ୧୫ ଲକ୍ଷ ଵର୍ଷ ପୂର୍ଵେ ଯେତେବେଳେ ଆମର ଆଦିମ ପୂର୍ଵପୁରୁଷ Homo erectusମାନେ ନିଆଁର ନିୟମିତ ଵ୍ୟଵହାର ଏଵଂ ଫଳମୂଳ ତଥା ମାଂସ ଆଦି ଖାଦ୍ୟକୁ ପୋଡ଼ି ରାନ୍ଧିଵା ଶିଖିଲେ, ସେହି ସମୟରୁ ହିଁ ଶ୍ରମ ଵିଭାଜନର ମୂଳଦୁଆ ପଡ଼ିଥିଲା। ଏହି ସମୟରେ ମହିଳାମାନେ ଗର୍ଭଧାରଣ ଓ ସ୍ତନ୍ୟପାନ କରାଇଵା କାରଣରୁ ନିଆଁ ଚାରିପାଖରେ ଵାସସ୍ଥାନର ସୁରକ୍ଷା କରୁଥିଲେ। ତତ୍କାଳୀନ ମାନଵସମାଜରେ 'ନାରୀ' ଅମୂଲ୍ୟ ସମ୍ପଦ ଭଳି ଥିଲେ । ମହିଳାମାନଙ୍କୁ ଗୁମ୍ଫା ମଧ୍ୟରେ ସୁରକ୍ଷିତ ରଖି ପୁରୁଷମାନେ ଶିକାର କରିଵାକୁ ଯାଉଥିଲେ । ପୁରୁଷମାନଙ୍କ ଅପେକ୍ଷା ନାରୀମାନେ କମ୍ ପରିଶ୍ରମ କରୁଥିଲେ । ତଥାପି ସେମାନେ ଗୁମ୍ଫା ଆଖପାଖରେ ଛୋଟ ଛୋଟ ଜୀଵ ଶିକାର କରିପାରୁଥିଲେ । ତେବେ ଗୁମ୍ଫା ମଧ୍ୟରେ ଅଧିକାଂଶ ସମୟ ରହିଵା ଯୋଗୁଁ ନାରୀମାନେ ଅଗ୍ନିର ସୁରକ୍ଷା ଵ୍ୟଵସ୍ଥା ସମ୍ଭାଳୁଥିଲେ । ସେହି ସମୟରେ ଗୁମ୍ଫା ଵା ପ୍ରାକୃତିକ ଆଶ୍ରୟସ୍ଥଳୀରେ ରହି ନିଆଁକୁ ଜଳାଇ ରଖିଵା ଏଵଂ ତା’ର ସୁରକ୍ଷା କରିଵା ଏକ ଅତି କଷ୍ଟକର ଓ ଵିପଜ୍ଜନକ କାର୍ଯ୍ୟ ଥିଲା।

ସେତେବେଳେ Homo erectusମାନେ ନିଆଁ ଜଳାଇଵା ଶିଖିଥିଲେ ମଧ୍ୟ, ନିଆଁକୁ ଶୂନ୍ୟରୁ ଲିଭିଯିଵା ପରେ ପୁଣିଥରେ ନିଆଁ ଜଳାଇଵା ଏକ ବହୁତ ବଡ଼ ଆହ୍ୱାନ ଥିଲା। ତେଣୁ ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା "ନିଆଁକୁ କଦାପି ଲିଭିଵାକୁ ନଦେଵା"।
ମହିଳାମାନେ ଵାସସ୍ଥାନର ଆଖପାଖ ଅଞ୍ଚଳରୁ ଶୁଖିଲା କାଠ, ପତ୍ର, ଏଵଂ ଜନ୍ତୁମାନଙ୍କ ଶୁଖିଲା ଘସି ସଂଗ୍ରହ କରି ରଖୁଥିଲେ। ନିଆଁ ଯେପରି ଅତି ଜୋର୍‌ରେ ଜଳି କାଠ ଶୀଘ୍ର ସରିନଯିଵ କିମ୍ବା ସମ୍ପୂର୍ଣ୍ଣ ଲିଭି ନଯିଵ, ସେଥିପାଇଁ ସେମାନେ ଅଙ୍ଗାରକୁ ପାଉଁଶ ତଳେ ଘୋଡ଼ାଇ ରଖୁଥିଲେ, ଯାହାଦ୍ୱାରା ନିଆଁ ଦୀର୍ଘ ସମୟ ପର୍ଯ୍ୟନ୍ତ 'ଧୀର ଆଞ୍ଚରେ' ଜଳି ରହୁଥିଲା। ପ୍ରାଚୀନ ହୋମୋ ଇରକଟ୍ସଙ୍କ ଗୁମ୍ପାରେ ଥିଵା ଚୂଲିର ମାଟି ପରୀକ୍ଷଣରୁ ଜଣାପଡ଼ିଛି ଯେ ଗୋଟିଏ ସ୍ଥାନରେ ବାରମ୍ବାର ଏଵଂ ଦୀର୍ଘ ସମୟ ଧରି ନିଆଁ ଜଳାଯାଇଛି। ପାଉଁଶ ତଳେ ଅଙ୍ଗାର ଚାପି ହୋଇ ରହିଵାର ପ୍ରମାଣ ମିଳିଛି, ଯାହା ସ୍ପଷ୍ଟ କରେ ଯେ ସେମାନେ ନିଆଁକୁ ଲିଭିଵାକୁ ନଦେଵା ପାଇଁ ତାକୁ ପାଉଁଶରେ ଘୋଡ଼ାଇ ରଖୁଥିଲେ । 
ଗୁମ୍ଫାରେ କୌଣସି ଜଣେ ମହିଳା ଏକାକୀ ରହୁନଥିଲେ। ମାନଵ ସମାଜର ସେହି ପ୍ରାରମ୍ଭିକ କାଳରେ ମହିଳାମାନେ ଦଳଗତ ଵା ଗୋଷ୍ଠୀଗତ ଭାବେ ଏକାଠି ରହୁଥିଲେ। ଯେତେବେଳେ କିଛି ମହିଳା ଆଖପାଖରୁ କନ୍ଦମୂଳ ଖୋଳିଵା ପାଇଁ ଅଥଵା ଠେକୁଆ ଭଳି ଛୋଟଜୀଵ ଶିକାର ପାଇଁ କିମ୍ବା କାଠ ସଂଗ୍ରହ କରିଵାକୁ ଯାଉଥିଲେ ସେତେବେଳେ ଅନ୍ୟ ମହିଳାମାନେ ଗୁମ୍ଫା ଭିତରେ ରହି ନିଆଁର ଦେଖାଶୁଖା କରୁଥିଲେ। 
ଛୋଟ ପିଲା ଓ ବୃଦ୍ଧମାନେ ମଧ୍ୟ ଗୁମ୍ଫାରେ ରହୁଥିଵାରୁ, ସମସ୍ତେ ମିଶି ପାଳି କରି ନିଆଁକୁ ଜଗୁଥିଲେ। ଵିଶେଷ କରି ରାତି ସମୟରେ ନିଆଁକୁ ଜଳାଇ ରଖିଵା ପାଇଁ ସେମାନେ ପରସ୍ପରକୁ ସାହାଯ୍ୟ କରୁଥିଲେ।

ସେ ସମୟର ମିଳିଥିଵା ଅନେକ ଗୁମ୍ଫାର ଗଠନରୁ Homo erectusମାନେ ଗୁମ୍ଫାର ପ୍ରଵେଶ ପଥ ଵା ଦ୍ୱାର ମୁହଁରେ ହିଁ ନିଆଁ ଚୁଲି ପ୍ରସ୍ତୁତ କରୁଥିଲେ ବୋଲି ଜଣାଯାଏ । ଏହି ନିଆଁ ଏକ ପ୍ରାକୃତିକ କବାଟ ଵା ସୁରକ୍ଷା ପ୍ରାଚୀର ଭଳି କାମ କରୁଥିଲା। ନିଆଁ ଜଳୁଥିଵା ପର୍ଯ୍ୟନ୍ତ କୌଣସି ହିଂସ୍ର ଜନ୍ତୁ ଗୁମ୍ଫା ଭିତରକୁ ପଶିଵାକୁ ସାହସ କରୁନଥିଲେ। ତେଣୁ ନିଆଁକୁ ବଞ୍ଚାଇ ରଖିଵା ସେମାନଙ୍କର ନିଜ ଜୀଵନର ସୁରକ୍ଷା ପାଇଁ ଅପରିହାର୍ଯ୍ୟ ଥିଲା। 

ମହିଳାମାନେ ଗୁମ୍ଫା ଆଖପାଖରୁ ସଂଗ୍ରହ କରି ଆଣିଥିଵା ଛୋଟଜୀଵ, ଜଙ୍ଗଲୀ କନ୍ଦମୂଳ, ଶାଗ ଓ ଟାଣ ଚେରଗୁଡ଼ିକୁ ନିଆଁ ଚାରିପାଖେ ଗଦା କରି ରଖୁଥିଲେ। ସେତେବେଳେ ସେମାନେ ଏହାକୁ କଞ୍ଚା ହିଁ ଚୋବାଇ ଖାଉଥିଲେ।

ଦିନେ ନିଆଁକୁ ଜଗିଵା ସମୟରେ ହଠାତ୍ କିଛି ଜଙ୍ଗଲୀ କନ୍ଦମୂଳ ଗଡ଼ିଯାଇ ଲାଲ୍‌ ଜଳୁଥିଵା ଅଙ୍ଗାର ବା ପାଉଁଶ ଭିତରେ ପଡ଼ିଯାଇଥିଵ । କାଳେ ନିଆଁ ଲିଭିଯିଵ ଵା ନିଆଁ ନଷ୍ଟ ହେଵ ସେହି ଭୟରେ ମହିଳାମାନେ ଏକ ଶୁଖିଲା କାଠି ସାହାଯ୍ୟରେ ସେହି ପୋଡ଼ା କନ୍ଦମୂଳକୁ ପାଉଁଶ ଭିତରୁ ବାହାର କରି ଦେଇଥିବେ ।
ଯେତେବେଳେ ସେମାନେ ତାକୁ ଛୁଇଁଥିବେ, ସେତେବେଳେ ସେମାନେ ଦେଖିଥିବେ ଯେ ଯେଉଁ ଚେର ପୂର୍ଵରୁ ପଥର ଭଳି ଟାଣ ଥିଲା, ତାହା ଏବେ ନରମ ହୋଇଯାଇଛି! ତାକୁ ପାଟିରେ ଦେଵା ମାତ୍ରେ ତାହା ଅତି ସହଜରେ ମିଳେଇଯାଇଥିଵ ଏଵଂ ତା’ର ସ୍ୱାଦ ମଧ୍ୟ ବହୁତ ମିଠା ଥିଵ। ଏହିପରି ଭାବେ ମହିଳାଙ୍କ "ନିଆଁ ଜଗିଵା" ରୁ ଜନ୍ମ ନେଇଥିଵ ପୃଥିଵୀର ପ୍ରଥମ 'ରନ୍ଧା ଖାଦ୍ୟ'।

ଇସ୍ରାଏଲର Gesher Benot Ya'aqovରୁ ପ୍ରାୟ ୭,୮୦,୦୦୦ ଵର୍ଷ ପୁରୁଣା ପୋଡ଼ା କନ୍ଦମୂଳ ଏଵଂ ଜଳିଯାଇଥିବା ଜଙ୍ଗଲୀ ବାଦାମ ମଞ୍ଜିର ଅଵଶେଷ ମିଳିଛି। ପଥର ହତିଆର ଉପରେ ଥିଵା Starch grainsରୁ ଜଣାପଡ଼ିଛି ଯେ ସେମାନେ ଏହାକୁ ନିଆଁରେ ସେକି ନରମ କରୁଥିଲେ।

ପୂର୍ଵରୁ ଆଦିମ ମଣିଷକୁ କଞ୍ଚା ଚେର ଓ କଞ୍ଚା ମାଂସ ଚୋବାଇଵା ପାଇଁ ଦିନକୁ ୫ ରୁ ୬ ଘଣ୍ଟା କେଵଳ ପାଟି ଚଳାଇଵାକୁ ପଡ଼ୁଥିଲା। କିନ୍ତୁ ନିଆଁ କତିରେ ବସି ମହିଳାମାନେ ଯେତେବେଳେ ଖାଦ୍ୟକୁ ପାଉଁଶରେ ସେକିଵା ଆରମ୍ଭ କଲେ, ମଣିଷର ହଜମ ପ୍ରକ୍ରିୟା ସହଜ ହୋଇଗଲା।

ହୋମୋ ଇରେକ୍ଟସଙ୍କ ଜୀଵାଶ୍ମକୁ ଦେଖିଲେ ଜଣାଯାଏ ଯେ ସେମାନଙ୍କର ଦାନ୍ତ ଓ ହନୁହାଡ଼(Jaw) ସେମାନଙ୍କ ପୂର୍ଵପୁରୁଷଙ୍କ ତୁଳନାରେ ହଠାତ୍ ବହୁତ ଛୋଟ ହୋଇଯାଇଥିଲା। ଏହା ସ୍ପଷ୍ଟ ପ୍ରମାଣ କରେ ଯେ ରୋଷେଇଶାଳର ସେହି ପ୍ରାଥମିକ ରନ୍ଧା ଖାଦ୍ୟ ଯୋଗୁଁ ମଣିଷକୁ ଆଉ ବଡ଼ ବଡ଼ ରାକ୍ଷସୀ ଦାନ୍ତର ଆଵଶ୍ୟକତା ପଡ଼ିଲା ନାହିଁ।

ସେହି ସମୟରେ‌କେଵଳ ଅଙ୍ଗାରରେ ପୋଡ଼ିଵା ନୁହେଁ ଵରଂ ମହିଳାମାନେ ଆଉ ଏକ ନୂଆ କୌଶଳ ମଧ୍ୟ ଆଵିଷ୍କାର କଲେ। ନିଆଁ ଚାରିପାଖେ ଥିଵା ପଥରଗୁଡ଼ିକ ପ୍ରଵଳ ଗରମ ହୋଇଯାଉଥିଲା। ମହିଳାମାନେ ଦେଖିଲେ ଯେ ସେହି ନାଲି ପଡ଼ିଥିଵା ଗରମ ପଥର ଉପରେ ଯଦି କଞ୍ଚା ମାଂସ ଖଣ୍ଡେ କିମ୍ବା କନ୍ଦମୂଳ ରଖିଦିଆଯାଏ, ତେବେ ତାହା ସିଧାସଳଖ ନିଆଁରେ ନପୋଡ଼ି ବହୁତ ସୁନ୍ଦର ଭାବେ ସେକି ହୋଇଯାଉଛି। ପରଵର୍ତ୍ତୀ ସମୟରେ ସେମାନେ ମାଟି ତଳେ ଗାତ ଖୋଳି, ତା ଭିତରେ ଗରମ ପଥର ରଖି ଖାଦ୍ୟକୁ ପତ୍ରରେ ଗୁଡ଼ାଇ ସିଝାଇଵା ଆରମ୍ଭ କଲେ, ଯାହାକୁ ନୃଵିଜ୍ଞାନରେ Earth Oven କୁହାଯାଏ। ୟୁରୋପ ଏବଂ ମଧ୍ୟ-ପ୍ରାଚ୍ୟର ଅନେକ ପ୍ରାଚୀନ ମାନଵର ଗୁମ୍ଫାରୁ ଏଭଳି ପଥର ମିଳିଛି ଯାହା ଉଚ୍ଚ ତାପମାତ୍ରା ଯୋଗୁଁ ଫାଟିଯାଇଛି। ଏହି ପଥରଗୁଡ଼ିକୁ ଚୁଲି ଚାରିପାଖେ ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ସଜାଯାଇ ରଖାଯାଇଥିଲା, ଯାହା ପ୍ରଥମ ପ୍ରାକୃତିକ "ରୋଷେଇ ବାସନ" ଭଳି କାମ କରୁଥିଲା।

ରୋଷେଇର ସବୁଠୁ ରୋଚକ ଦିଗଟି କେଵଳ ପେଟ ଭରିଵା ନଥିଲା। ଯେତେବେଳେ ମହିଳାମାନେ ଦୀର୍ଘ ସମୟ ଧରି ନିଆଁକୁ ଜଗି ବସୁଥିଲେ ଏଵଂ ଖାଦ୍ୟ ନରମ ହେଵାକୁ ଅପେକ୍ଷା କରୁଥିଲେ, ସେତେବେଳେ ସେମାନେ ପରସ୍ପର ସହ ଇଶାରା ଏଵଂ ବିଭିନ୍ନ ପ୍ରକାରର ଶବ୍ଦ ମାଧ୍ୟମରେ କଥାଵାର୍ତ୍ତା ହେଵା ଆରମ୍ଭ କଲେ। ନୃବିଜ୍ଞାନୀଙ୍କ ମତ ଅନୁସାରେ ରୋଷେଇଶାଳର ସେହି ପ୍ରାରମ୍ଭିକ ସମୟ ହିଁ ମଣିଷ ସମାଜରେ "ଭାଷା" ଓ "ସାମାଜିକ ଗପସପ" ର ଜନ୍ମଦାତା। ନିଆଁ ଜଗିଵା ଓ ରୋଷେଇ କରିଵା କାରଣରୁ ମହିଳାମାନେ ପୃଥିଵୀର ପ୍ରଥମ ସଂସ୍କୃତିର ଗଢ଼ିଥିଲେ। ତେଣୁ, ଆଜି ଆମେ ଯେଉଁ ରୋଷେଇ ଘର ଦେଖୁଛୁ, ତାହା ପ୍ରକୃତରେ ଲକ୍ଷ ଲକ୍ଷ ଵର୍ଷ ପୂର୍ଵେ ଗୁମ୍ଫାର ନିଆଁକୁ ଜଗିଵା ଏଵଂ ତା’ ଭିତରେ ଭୁଲ୍‌ରେ ପଡ଼ିଯାଇଥିଵା ଖାଦ୍ୟର ଏକ ସୁନ୍ଦର ଆଵିଷ୍କାରରୁ ହିଁ ଆରମ୍ଭ ହୋଇଥିଲା। 

ଅତଏଵ୍ ରୋଷେଇ ଓ ମହିଳାଙ୍କ ମଧ୍ୟରେ ଥିବା ଏହି ଜୈଵିକ ଓ ଵାସ୍ତଵିକ ସମ୍ପର୍କ ପ୍ରାୟ ୧୫ ରୁ ୨୦ ଲକ୍ଷ ଵର୍ଷ ପୁରୁଣା। ଯଦ୍ୟପି Homo erectusମାନଙ୍କ ସମୟରୁ ନିଆଁ ଜଗିଵା ଏଵଂ ନିଆଁରେ ଖାଦ୍ୟ ରାନ୍ଧିଵାର ଏହି ଅଭ୍ୟାସ ଆରମ୍ଭ ହୋଇଥିଲା ତେବେ ଏହା ଏକ ଦୃଢ଼ ସାମାଜିକ ନିୟମରେ ପରିଣତ ହେଲା ପ୍ରାୟ ୧୦,୦୦୦ ଵର୍ଷ ପୂର୍ଵେ ଯେତେବେଳେ ମଣିଷ ଶିକାର ଛାଡ଼ି ଚାଷକାମ ଆରମ୍ଭ କଲା।

କୃଷିର ଆରମ୍ଭ ପରେ ସ୍ଥାୟୀ ଘର ତିଆରି ହେଲା ଏଵଂ 'ରୋଷେଇ ଘର'ର ଅବଧାରଣା ଜନ୍ମ ନେଲା। ଏହି ସମୟରୁ ହିଁ ମହିଳାମାନେ ସମ୍ପୂର୍ଣ୍ଣ ଭାବେ ଗୃହସ୍ଥଳୀ ଓ ରୋଷେଇ କାର୍ଯ୍ୟ ସହିତ ସାମାଜିକ ଏବଂ ସାଂସ୍କୃତିକ ଭାବେ ଜଡ଼ିତ ହୋଇଗଲେ । 

ମହିଳାମାନେ ହିଁ ରୋଷେଇ ଓ ରୋଷେଇଶାଳର ଉଦ୍ଭାଵିକା ଥିଲେ । ହୁଏତ ମହିଳାମାନେ ହିଁ ଭାଷାର ମଧ୍ୟ ଜନ୍ମଦାତ୍ରୀ ଥିଲେ ସେଥିପାଇଁ ଆଜି ବି ମାନଵ ସମାଜରେ ମାଆ ଏଵଂ ମାତା ସମାନ ମାତୃଭୂମି ଆମକୁ 'ନିଜର' ଭାଷା ଶିଖାଏ ।

ଆଜି ଯୋଉ ଅତ୍ୟାଧୁନିକା ମହିଳାମାନେ ପ୍ରଶ୍ନ କରୁଛନ୍ତି ଯେ କେଵଳ ମହିଳାମାନେ ହିଁ କାହିଁକି ରୋଷେଇ କରିବେ ସେମାନେ ମାନଵ ଜାତି ସହିତ ଜଡ଼ିତ ଏହି ଇତିହାସ ସାଥେ ପରିଚିତ ନୁହେଁ । ଏହା ଦିନେ ଦୁଇ ଦିନର ପରମ୍ପରା ନୁହେଁ, ଲକ୍ଷ ଲକ୍ଷ ଵର୍ଷର ପରମ୍ପରା ଅଟେ । 

ରୋଷେଇ ଘର କେବଳ ଚାରି କାନ୍ଥର ଏକ ସୀମିତ କ୍ଷେତ୍ର ନୁହେଁ ଵରଂ ଏହା ମାନବ ଵିଵର୍ତ୍ତନର ସବୁଠୁ ବଡ଼ ପ୍ରୟୋଗଶାଳା। ଯେଉଁମାନେ ଏହାକୁ ମହିଳାମାନଙ୍କ ଉପରେ ଲଦି ଦିଆଯାଇଥିଵା ଏକ 'ସାମାଜିକ ଦାସତ୍ୱ' ବୋଲି ଭାବନ୍ତି, ସେମାନେ ବୋଧହୁଏ ଏହି ଇତିହାସର ଗୌରଵକୁ ବୁଝିପାରି ନାହାନ୍ତି। ମହିଳାମାନେ ରୋଷେଇ କରିଵା କୌଣସି ଜୈଵିକ ଦୁର୍ଵଳତା କିମ୍ବା ଵାଧ୍ୟଵାଧକତା ନଥିଲା; ଏହା ଥିଲା ମାନଵ ଜାତିକୁ ବଞ୍ଚାଇ ରଖିଵାର ଏକ ମହତ ଜୈଵିକ ରଣନୀତି। ନିଆଁକୁ ସାଇତି ରଖିଵାର ସେହି ଆଦିମ ଦାୟିତ୍ୱବୋଧରୁ ହିଁ ଆଜିର ସଂସ୍କୃତିର ଜନ୍ମ।
ଆଜିର ଆଧୁନିକ ଯୁଗରେ ଶ୍ରମର ସ୍ୱରୂପ ବଦଳିଛି। ମହିଳାମାନେ ଘରର ଚୁଲି ସୀମାରୁ ବାହାରି ମହାକାଶ ପର୍ଯ୍ୟନ୍ତ ନିଜର ପାଦଚିହ୍ନ ଛାଡ଼ିଲେଣି। ସେହିପରି ପୁରୁଷମାନେ ମଧ୍ୟ ରୋଷେଇ ଘରର ଦାୟିତ୍ୱକୁ ଆପଣେଇଵା ଆରମ୍ଭ କଲେଣି, ଯାହା ଏକ ସୁସ୍ଥ ସମାଜ ପାଇଁ ସ୍ୱାଗତଯୋଗ୍ୟ। କିନ୍ତୁ ଏହି ପରିଵର୍ତ୍ତନର ଅର୍ଥ ଏହା ନୁହେଁ ଯେ ଆମେ ଆମର ଅତୀତକୁ ନିନ୍ଦା କରିଵା ।

ଯେତେବେଳେ ଜଣେ ନାରୀ ରୋଷେଇ କରେ, ସେ କେଵଳ ଖାଦ୍ୟ ରାନ୍ଧେ ନାହିଁ; ସେ ତା’ର ଜେନେଟିକ୍ ସ୍ମୃତିରେ ଲୁଚି ରହିଥିଵା ସେହି ଲକ୍ଷେ ଵର୍ଷର ମାତୃସତ୍ତାକୁ ଦୋହରାଇଥାଏ। ତା’ ହାତର ସ୍ପର୍ଶରେ ଖାଦ୍ୟରେ ଯେଉଁ ଅମୃତ ରସ ଗୋଳିହୋଇଯାଏ ତାହା ସେହି ଗୁମ୍ଫା ଯୁଗରୁ ଚାଲିଆସିଥିଵା ସ୍ନେହ ଓ ସୁରକ୍ଷାର ପ୍ରତିଫଳନ। 

ରୋଷେଇ ଘର ହେଉଛି ଆମ ସଭ୍ୟତାର ପଵିତ୍ର ଵେଦୀ। ଏହାର ଇତିହାସକୁ ସମ୍ମାନ ଜଣାଇଵା ଏଵଂ ମହିଳାମାନଙ୍କର ଏହି ମହାନ ଅଵଦାନକୁ ସ୍ୱୀକାର କରିଵା ହିଁ ମାନଵ ଇତିହାସ ପ୍ରତି ପ୍ରକୃତ ନ୍ୟାୟ ହେଵ । ଏହା ଏକ ପରାଧୀନତା ନୁହେଁ ଵରଂ ଵିଵର୍ତ୍ତନର ସେହି ଗୌରଵମୟ ଯାତ୍ରାର ଏକ ଅଵିଚ୍ଛେଦ୍ୟ ଅଂଶ, ଯାହା ଆମକୁ 'ପଶୁ'ରୁ 'ମଣିଷ' ସଜାଇଛି।

No comments:

Post a Comment