ଦ୍ୱିତୀୟ ଭାଷା (L2) ଶିଖିଵା ସମୟରେ ଶିଶୁର ପ୍ରଥମ ଭାଷା ଵା ମାତୃଭାଷା (L1) ସବୁବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଭାଷା ଵିଜ୍ଞାନରେ ମାତୃଭାଷାର ଏହି ପ୍ରଭାଵକୁ ମୁଖ୍ୟତଃ ଦୁଇ ଭାଗରେ ଵିଭକ୍ତ କରାଯାଏ: Positive Transfer ଵା ସକାରାତ୍ମକ ସ୍ଥାନାନ୍ତରଣ ଏଵଂ Negative Transfer ଵା ନକାରାତ୍ମକ ସ୍ଥାନାନ୍ତରଣ।
ଯେତେବେଳେ ମାତୃଭାଷାର କୌଣସି ଜ୍ଞାନ, ଵ୍ୟାକରଣଗତ ଗଠନ କିମ୍ବା ଶବ୍ଦାଵଳୀ ନୂଆ ଭାଷା ଶିଖିଵାରେ ସହାୟକ ହୋଇଥାଏ, ତାହାକୁ 'Positive Transfer' କୁହାଯାଏ। ଏହା ଶିକ୍ଷଣ ପ୍ରକ୍ରିୟାକୁ ସହଜ ଓ ଦ୍ରୁତ କରିଥାଏ। ଉଦାହରଣ ସ୍ୱରୂପ ଓଡ଼ିଆରେ 'ପଵନ ବହୁଛି' ଏଵଂ ଇଂରାଜୀରେ 'Wind is blowing' — ଉଭୟ ଵାକ୍ୟରେ ବିଶେଷ୍ୟ (Noun) ଓ କ୍ରିୟା (Verb) ର ସାଧାରଣ ଧାରଣା ଏଵଂ ପ୍ରକୃତି ସମାନ ଥିଵାରୁ, ଶିଶୁଟି ଇଂରାଜୀ ଵାକ୍ୟର ଅର୍ଥକୁ ଖୁବ୍ ସହଜରେ ଗ୍ରହଣ କରିପାରେ।
ସେହିପରି ଯେତେବେଳେ ମାତୃଭାଷାର ଗଠନ, ଵାକରଣ ନିୟମ, ଉଚ୍ଚାରଣ ଅଭ୍ୟାସ କିମ୍ବା ଲିପିର ପ୍ରଭାବ ନୂଆ ଭାଷା ଶିଖିଵା ପ୍ରକ୍ରିୟାରେ ବାଧା ସୃଷ୍ଟି କରେ କିମ୍ବା ଭୁଲ୍ର କାରଣ ସାଜେ, ତାହାକୁ 'Negative Transfer' ଵା Interference (ହସ୍ତକ୍ଷେପ) କୁହାଯାଏ। ଉଦାହରଣ ସ୍ୱରୂପ ଓଡ଼ିଆ ଵାକ୍ୟର ଗଠନ ରୀତି ହେଉଛି Subject + Object + Verb (SVO) — 'ମୁଁ (S) ଭାତ (O) ଖାଉଛି (V)'। କିନ୍ତୁ ଇଂରାଜୀର ଗଠନ ରୀତି ହେଉଛି Subject + Verb + Object (SVO) — 'I (S) am eating (V) rice (O)'। ଯଦି ପିଲାଟି ମାତୃଭାଷାର ପ୍ରଭାବରେ ଇଂରାଜୀକୁ "I rice eating" ଲେଖେ, ତେବେ ତାହା Negative Transferର ଏକ ସ୍ପଷ୍ଟ ଉଦାହରଣ।
ଏଠାରେ ପଲ୍ଲଵୀ ବହିର ପ୍ରସଙ୍ଗରେ ଏହାର କୁପ୍ରଭାବକୁ ଭଲ ଭାବରେ ବୁଝିଵାକୁ ହେଵ ।
ପଞ୍ଚମ ଶ୍ରେଣୀର ଜଣେ ଓଡ଼ିଆ ମାଧ୍ୟମର ଛାତ୍ର ପାଇଁ ଇଂରାଜୀ ଏକ ସ୍ୱାଭାଵିକ ପରିଵେଶର ଭାଷା ନୁହେଁ। ସେ କେଵଳ ଶ୍ରେଣୀଗୃହର ସେହି ୪୫ ମିନିଟ୍ ମଧ୍ୟରେ ହିଁ ଇଂରାଜୀ ଭାଷାର ସଂସ୍ପର୍ଶରେ ଆସିଥାଏ।ଯେତେବେଳେ ସେ ଇଂରାଜୀ କଵିତା 'The Swing' ପଢ଼ୁଛି, ତା’ର ମସ୍ତିଷ୍କ କଷ୍ଟ ସ୍ୱୀକାର କରି ଇଂରାଜୀ ଶବ୍ଦର ଅର୍ଥ, ଉଚ୍ଚାରଣ ଓ ଵାକ୍ୟ ଗଠନକୁ ବୁଝିଵାକୁ ଚେଷ୍ଟା କରୁଥାଏ। ଏହାକୁ ଭାଷା ଶିକ୍ଷଣରେ "Cognitive Loading" ଵା ମାନସିକ ପରିଶ୍ରମ କୁହାଯାଏ। ଠିକ୍ ସେହି ସମୟରେ, ପାଠ୍ୟପୁସ୍ତକର ସେହି କାଗଜ ଉପରେ ଯଦି ଓଡ଼ିଆ ଲିପିରେ ରଜଗୀତ ("ଵରଷକେ ଥରେ ଆସିଛି ରଜ...") ଲେଖିଦିଆଯାଏ, ତେବେ ଶିଶୁର ମସ୍ତିଷ୍କ ତତ୍କ୍ଷଣାତ୍ ସେହି କଠିନ ମାନସିକ ପରିଶ୍ରମ (ଇଂରାଜୀ ବୁଝିଵା)ରୁ ଓହରି ଆସେ। ମାନଵ ମସ୍ତିଷ୍କର ଏକ ପ୍ରକୃତି ଅଛି ଯେ ସେ ସବୁବେଳେ ସହଜ ପନ୍ଥା ଆପଣେଇଵାକୁ ଚେଷ୍ଟା କରେ ଯାହାକୁ Principle of Least Effort କୁହାଯାଏ । ଇଂରାଜୀର ସେହି ନୂଆ ପରିଵେଶକୁ ଗ୍ରହଣ କରିବା ପରିଵର୍ତ୍ତେ ପିଲାଟି ସଂପୂର୍ଣ୍ଣ ଭାବେ ଓଡ଼ିଆ ଗୀତ ଆଡ଼କୁ ଆକର୍ଷିତ ହୋଇଯାଏ। ଫଳସ୍ୱରୂପ, ସେହି ଅଵଧି ମଧ୍ୟରେ ତା’ର ଯେଉଁ ଇଂରାଜୀ ଭାଷା ଗ୍ରହଣ କରିଵାର ପ୍ରକ୍ରିୟା ଚାଲିଥିଲା, ତାହା ସେଠାରେ ହିଁ ଅଟକିଯାଏ। ଏହା ହିଁ ନେଗେଟିଭ୍ ଟ୍ରାନ୍ସଫରର ସବୁଠାରୁ ବଡ଼ ଉଦାହରଣ, ଯାହା ଶିଶୁକୁ ଏକ ସ୍ୱତନ୍ତ୍ର English Thinking Zone ଗଠନ କରିଵାରେ ବାଧା ଦିଏ।
ପୁଣି ଅନେକ ଯୁକ୍ତି କରନ୍ତି ଯେ ତାତ୍ତ୍ୱିକ ପଠନ ପରେ ଏହି ଓଡ଼ିଆ କଵିତାଟି 'ଵ୍ୟାପକ ପଠନ' ପାଇଁ ଦିଆଯାଇଛି, ଯାହା ପିଲାଙ୍କ ଜ୍ଞାନର ପରିସର ବଢ଼ାଇଵ। କିନ୍ତୁ ଶିକ୍ଷାଶାସ୍ତ୍ର ଅନୁସାରେ ଏହା "ଵ୍ୟାପକ ପଠନ"ର ସଂଜ୍ଞାକୁ ସଂପୂର୍ଣ୍ଣ ଭୁଲ୍ ଭାବେ ଉପସ୍ଥାପନ କରୁଛି।
'ଵ୍ୟାପକ ପଠନ' ପ୍ରକୃତରେ କ’ଣ?
ଭାଷା ଶିକ୍ଷାଦାନ ପଦ୍ଧତିରେ, ଵିଶେଷ କରି ଇଂରାଜୀ ଶିକ୍ଷାରେ, ପଠନକୁ ତାତ୍ତ୍ୱିକ ପଠନ ଓ ଵ୍ୟାପକ ପଠନ ଏହିପରି ଦୁଇ ଭାଗରେ ଵିଭକ୍ତ କରାଯାଏ ।
ତାତ୍ତ୍ୱିକ ପଠନରେ ଶ୍ରେଣୀଗୃହରେ ଶିକ୍ଷକଙ୍କ ସାହାଯ୍ୟରେ ବହିର ମୂଳ ପାଠକୁ ଅତି ସୂକ୍ଷ୍ମ ଭାବେ ପଢ଼ାଯାଏ। ପ୍ରତିଟି ଶବ୍ଦର ଅର୍ଥ,ଵ୍ୟାପକ କରଣ ଓ ପ୍ରଶ୍ନୋତ୍ତର ଉପରେ ଧ୍ୟାନ ଦିଆଯାଏ।
କିନ୍ତୁ ଵ୍ୟାପକ ପଠନର ମୂଳ ଉଦ୍ଦେଶ୍ୟ ହେଉଛି ଆନନ୍ଦ ପାଇଁ ପଢ଼ିଵା ଏଵଂ ସେହି ନିର୍ଦ୍ଦିଷ୍ଟ ଭାଷାର ସ୍ୱାଭାଵିକ ପ୍ରବାହକୁ ବୁଝିଵା। ଏଥିପାଇଁ ପିଲାଙ୍କୁ ମୂଳ ପାଠ୍ୟକ୍ରମ ଓ ତହିଁର ଭାଷା ସହ ସମ୍ବନ୍ଧିତ କିନ୍ତୁ ଅପେକ୍ଷାକୃତ ସହଜ ଭାଷାରେ ଲେଖାଯାଇଥିଵା ଅନ୍ୟ କୌଣସି ଗଳ୍ପ ବହି ଵା କଵିତା ପଢ଼ିଵାକୁ ଦିଆଯାଏ।
ତେଣୁ ଵ୍ୟାପକ ପଠନ ସବୁବେଳେ ସେହି ସମାନ ଭାଷାରେ ହିଁ ହେଵା ଉଚିତ। ଯଦି ପିଲାଟି ଇଂରାଜୀ ବହି ପଢ଼ୁଛି, ତେବେ ତା’ର ଵ୍ୟାପକ ପଠନର ସାମଗ୍ରୀ ମଧ୍ୟ ଇଂରାଜୀରେ ହିଁ ହେଵା ଆଵଶ୍ୟକ। ଇଂରାଜୀ ବହିରେ ଓଡ଼ିଆ ଭାଷାର ରଜଗୀତ ରଖିଵା ଆଦୌ 'Extensive Reading' ଵା ଵ୍ୟାପକ ପଠନ ପଦଵାଚ୍ୟ ନୁହେଁ। ଏହାକୁ ଶିକ୍ଷା ଵିଜ୍ଞାନରେ "Code-Switching" ଵା ଭାଷା ପରିଵର୍ତ୍ତନ କୁହାଯାଇପାରେ, କିନ୍ତୁ ପଠନ ଦକ୍ଷତାର ଵିକାଶ କ୍ଷେତ୍ରରେ ଏହାର କୌଣସି ସକାରାତ୍ମକ ଭୂମିକା ନାହିଁ। ପଞ୍ଚମ ଶ୍ରେଣୀର ପିଲା ଓଡ଼ିଆ ଭାଷା ଓ ଲିପି ସହ ପୂର୍ଵରୁ ହିଁ ସୁପରିଚିତ। ସେ ନିଜ ଓଡ଼ିଆ ସାହିତ୍ୟ ବହିରେ ଅନେକ କଵିତା ପଢ଼ୁଛି। ତେଣୁ ଇଂରାଜୀ ବହିରେ ତାକୁ ପୁଣି ଓଡ଼ିଆ ପଢ଼ାଇ ଜ୍ଞାନର ପରିସର ବଢ଼ାଇଵା କହିଵା ଏକ ଅଯୌକ୍ତିକ ଯୁକ୍ତି। ଏହାଦ୍ୱାରା ତା’ର ଇଂରାଜୀ ପଠନ ଦକ୍ଷତା ଆଦୌ ବୃଦ୍ଧି ପାଏ ନାହିଁ।
ତାହେଲେ ସାଂସ୍କୃତିକ ସମନ୍ୱୟର ସଠିକ୍ ପଦ୍ଧତି କ’ଣ ହେବା ଉଚିତ?
ଏହା ସତ୍ୟ ଯେ ଶିଶୁକୁ ନିଜ ଆଞ୍ଚଳିକ ସଂସ୍କୃତି ଓ ପର୍ଵପର୍ଵାଣୀ ସହ ଯୋଡ଼ିଵା ପାଠ୍ୟପୁସ୍ତକର ଏକ ମୁଖ୍ୟ ଉଦ୍ଦେଶ୍ୟ ହେଵା ଉଚିତ। ଏହାକୁ ଶିକ୍ଷାଵିଜ୍ଞାନରେ "Contextualization" ଵା ପ୍ରାସଙ୍ଗିକ ଶିକ୍ଷାଦାନ କୁହାଯାଏ। କିନ୍ତୁ ଇଂରାଜୀ ଭାଷା ଶିକ୍ଷା ବହିରେ ଏହି ସମନ୍ୱୟ ରକ୍ଷା କରିଵାର ଶୈଳୀ ସଂପୂର୍ଣ୍ଣ ଅଲଗା।
ଯଦି ପାଠ୍ୟପୁସ୍ତକ ପ୍ରଣୟନ କମିଟି ଚାହୁଁଥିଲେ ଯେ ପିଲାଟି ଵିଦେଶୀ କଵିତା 'The Swing' ପଢ଼ିଵା ସହିତ ନିଜ ଓଡ଼ିଶାର ଦୋଳି ଓ ରଜ ପର୍ଵକୁ ମଧ୍ୟ ମନେ ପକାଉ, ତେବେ ସେମାନେ ଶିକ୍ଷାଵିଜ୍ଞାନ ଦୃଷ୍ଟିରୁ କେତେକ ଵୈଜ୍ଞାନିକ ପଦ୍ଧତି ଆପଣେଇ ପାରିଥାନ୍ତେ । ଉଦାହରଣ ସ୍ୱରୂପ 'Raja Festival' କୁ ଇଂରାଜୀରେ ଉପସ୍ଥାପନ କରିଥାନ୍ତେ । ଓଡ଼ିଆ ଲିପିରେ ଗୀତଟିକୁ ନଲେଖି, ସେହି ସ୍ଥାନରେ ସରଳ ଇଂରାଜୀରେ ଏକ ଛୋଟ ଅନୁଚ୍ଛେଦ ଵା କବିତା ଦିଆଯାଇପାରିଥାନ୍ତା। ଯେପରିକି:
"In our Odisha, we celebrate the 'Raja' festival. Children tie ropes to tree branches and make beautiful swings. Girls sing traditional songs and enjoy the gentle breeze as they go up and down..."
କିମ୍ବା ସୂଚନା ପରେ ରଜଗୀତକୁ ସରଳ ଇଂରାଜୀ ଭାଷାରେ ଅନୁଵାଦ କରି ମଧ୍ୟ ଲେଖାଯାଇପାରିଥାନ୍ତା । ଯଦି ଦୋଳିର ଭାବନାକୁ ଓଡ଼ିଆ ସହ ସଂଯୋଗ କରିଵାର ଥିଲା, ତେବେ ତାହାର ସବୁଠାରୁ ଉତ୍ତମ ଉପାୟ ଥିଲା ଅନୁଵାଦ । ରଜଦୋଳି ଗୀତକୁ ଓଡ଼ିଆ ଲିପିରେ ନଲେଖି, ତାକୁ ଇଂରାଜୀ ଅନୁବାଦ କରି କୁହାଯାଇପାରିଥାନ୍ତା:
"The swing moves back and forth, the elephant roars in the forest..."
ଏହାଦ୍ୱାରା ପିଲାମାନେ ଶିଖିଥାନ୍ତେ ଯେ ନିଜ ମାତୃଭାଷାର ଭାବକୁ କିଭଳି ଆନ୍ତର୍ଜାତୀୟ ଭାଷାରେ ପ୍ରକାଶ କରାଯାଏ। ଏହାକୁ ହିଁ ପ୍ରକୃତ ଶିକ୍ଷା କୁହାଯାଏ। କିନ୍ତୁ କେଵଳ ଓଡ଼ିଆ ଗୀତକୁ ସେମିତି ଉଠାଇ ଆଣି ବହିରେ ରଖିଦେଵା ପାଠ୍ୟପୁସ୍ତକ ପ୍ରଣୟନ କମିଟିର ସୃଜନଶୀଳତାର ଅଭାବ ଏଵଂ ମାନସିକ ସାଲିସକୁ ଦର୍ଶାଉଛି।
ଉପରେ ଉଲ୍ଲେଖିତ ଦ୍ୱିତୀୟ ପଦ୍ଧତି ଦ୍ୱାରା ପିଲାଟି ଦୁଇଟି କଥା ଏକାସଙ୍ଗେ ଶିଖିଥାନ୍ତା ।ପ୍ରଥମତଃ, ତା’ର ସାଂସ୍କୃତିକ ଭାବନା ଜାଗ୍ରତ ହୋଇଥାନ୍ତା ଏଵଂ ଦ୍ୱିତୀୟତଃ, ନିଜ ସଂସ୍କୃତିକୁ ଵିଶ୍ୱ ଦରବାରରେ ଇଂରାଜୀ ଭାଷା ମାଧ୍ୟମରେ କିପରି ଉପସ୍ଥାପନ କରାଯାଏ, ସେହି କଳା ସେ ଶିଖିପାରିଥାନ୍ତା। କିନ୍ତୁ ବହିରେ ସିଧାସଳଖ ଓଡ଼ିଆ ଗୀତ ଛାପିଦେଵା ଦ୍ୱାରା ଏହି ସୁଯୋଗ ହାତଛଡ଼ା ହେଲା ଏଵଂ ଶିକ୍ଷାର୍ଥୀ ପାଇଁ ଏହା କୌଣସି ନୂଆ ଭାଷାଗତ ଜ୍ଞାନ ପ୍ରଦାନ କଲାନାହିଁ।
କେହି କେହି ଯୁକ୍ତି କରନ୍ତି ଯେ ଓଡ଼ିଆ ପ୍ରବନ୍ଧ ଵା ଭାଷଣରେ ଇଂରାଜୀ କିମ୍ବା ହିନ୍ଦୀ ଉଦ୍ଧୃତି (Quotes) ଵ୍ୟଵହାର କଲେ ଅଧିକ ନମ୍ବର ମିଳେ ଏଵଂ ଏହାକୁ ଜଣେ ମେଧାବୀ ଛାତ୍ରର ଲକ୍ଷଣ ବୋଲି ଧରାଯାଏ। ଏହି ଯୁକ୍ତିଟି ଶୁଣିଵାକୁ ଆକର୍ଷଣୀୟ ହେଲେ ମଧ୍ୟ ଏହା ଶିଶୁର "ଭାଷା ଵିକାଶର ସ୍ତର"କୁ ସଂପୂର୍ଣ୍ଣ ଅଣଦେଖା କରୁଛି।
ଜଣେ ପ୍ରୌଢ଼ ଵ୍ୟକ୍ତି ଵା ଉଚ୍ଚ ଶ୍ରେଣୀର (ମାଧ୍ୟମିକ/ମହାବିଦ୍ୟାଳୟ) ଛାତ୍ର ଯେତେବେଳେ ପ୍ରବନ୍ଧରେ ଅନ୍ୟ ଭାଷାର ଉଦ୍ଧୃତି ଵ୍ଯଵହାର କରେ, ସେତେବେଳେ ସେ ନିଜର "ମଲ୍ଟିଲିଙ୍ଗୁଆଲ୍ କମ୍ପିଟେନ୍ସ" ପ୍ରଦର୍ଶନ କରେ। ଅର୍ଥାତ୍, ସେ ଦୁଇଟିଯାକ ଭାଷାର ଵ୍ୟକରଣ ଓ ଶବ୍ଦକୋଷ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ଲାଭ କରିସାରିଛି ଏଵଂ ସେ ନିଜ ଇଚ୍ଛାରେ ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଯାଇ ନିଜ ଭାବକୁ ଅଧିକ ସମୃଦ୍ଧ କରୁଛି।
କିନ୍ତୁ ପଞ୍ଚମ ଶ୍ରେଣୀର ଜଣେ ୧୦ ଵର୍ଷର ଶିଶୁ ଏହି ସ୍ତରରେ ନଥାଏ। ସେ ଇଂରାଜୀ ଭାଷାର ପ୍ରାଥମିକ ସ୍ତରରେ ଅଛି । ସେ ଏବେ ବି ଇଂରାଜୀ ଵାକ୍ୟର ଗଠନ ପ୍ରଣାଳୀକୁ ବୁଝିଵା ପାଇଁ ସଂଗ୍ରାମ କରୁଛି । ତା’ର ପାଠ୍ୟପୁସ୍ତକରେ ଯଦି ଆମେ ଏହିଭଳି ମିଶ୍ରଣ କରିଵା, ତେବେ ତା’ର ପରିଣାମ ସକାରାତ୍ମକ ନହୋଇ ଵିପଜ୍ଜନକ ହେଵ।
ପିଲାଟି କୌଣସି ପ୍ରବନ୍ଧରେ ଓଡ଼ିଆ ଭାଷାର ଗାମ୍ଭୀର୍ଯ୍ୟ ବଢ଼ାଇଵା ପାଇଁ ଇଂରାଜୀ ଉଦ୍ଧୃତି ଦେଉନାହିଁ ଵରଂ ଇଂରାଜୀ ବହିରେ ଓଡ଼ିଆ ଲିପି ପଢ଼ି ସେ ଦ୍ୱନ୍ଦ୍ୱରେ ପଡ଼ୁଛି। ଏହି ଦୁଇଟି ପ୍ରସଙ୍ଗର ଉଦ୍ଦେଶ୍ୟ ଏଵଂ ମାନସିକ ସ୍ତର ସଂପୂର୍ଣ୍ଣ ଭିନ୍ନ। ତେଣୁ ଏହି ଦୁଇଟିକୁ ସମାନ ସ୍ତରରେ ରଖି ତୁଳନା କରିଵା ଶିକ୍ଷା ବିଜ୍ଞାନ ସମ୍ମତ ନୁହେଁ।
ପୁଣି କିଛି ଲୋକ ମତ ରଖୁଛନ୍ତି ଯେ ଯେହେତୁ ସାମାଜିକ ଗଣମାଧ୍ୟମରେ ମାତ୍ରାଧିକ ସମାଲୋଚନା ହେଉଛି, ତେଣୁ ଏହି 'ଭଲ ପଦକ୍ଷେପ'ଟିକୁ ବହିରେ ରଖାଯାଉ ଏଵଂ କେଵଳ ତଥ୍ୟଗତ ଭୁଲ୍କୁ ସଂଶୋଧନ କରାଯାଉ। କିନ୍ତୁ ଶିକ୍ଷାଵିତ୍ ଓ ଭାଷାବିତ୍ମାନଙ୍କ ମତରେ, ଏହି ଗଠନମୂଳକ ତ୍ରୁଟିଟି ତଥ୍ୟଗତ ଭୁଲ୍ଠାରୁ ମଧ୍ୟ ଅଧିକ ମାରାତ୍ମକ।
ପ୍ରତିଟି ଵିଷୟ ଓ ଭାଷାର ନିଜସ୍ୱ ଏକ ଶୃଙ୍ଖଳା ଥାଏ। ଓଡ଼ିଆ ଵହିର ଲକ୍ଷ୍ୟ ହେଉଛି ଶିଶୁକୁ ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ବ୍ୟାକରଣର ଶୁଦ୍ଧତା ଶିଖାଇଵା। ଇଂରାଜୀ ଵହିର ଲକ୍ଷ୍ୟ ହେଉଛି ଶିଶୁକୁ ଇଂରାଜୀ ଭାଷାର ଶ୍ରଵଣ, କଥନ, ପଠନ ଓ ଲିଖନ ଦକ୍ଷତାରେ ପାରଙ୍ଗମ କରିଵା ।
ଯଦି ଆମେ ଇଂରାଜୀ ବହିରେ ଓଡ଼ିଆ ଲିପିରେ ଗୀତ ରଖିଵାକୁ ଏକ ସ୍ୱାଭାବିକ ପ୍ରକ୍ରିୟା ଭାବେ ଗ୍ରହଣ କରିଵା, ତେବେ ଏହା ପାଠ୍ୟପୁସ୍ତକ ପ୍ରଣୟନର ମୂଳ ନୀତିକୁ ଉଲ୍ଲଂଘନ କରିଵ। ଆଗକୁ ଗଣିତ ବହିରେ ଇତିହାସର କାହାଣୀ ଵା ବିଜ୍ଞାନ ବହିରେ ଭୂଗୋଳର ତଥ୍ୟକୁ 'ସମନ୍ୱୟ' ନାଁରେ ସ୍ଥାନିତ କରାଗଲେ, ଶିକ୍ଷା ଵ୍ୟଵସ୍ଥାରେ ଏକ ଅରାଜକତା ସୃଷ୍ଟି ହେବ। ପିଲାଟି କେବେ ହେଲେ ଇଂରାଜୀ ଭାଷାରେ ସ୍ୱାଧୀନ ଭାବେ ଚିନ୍ତା କରିଵାକୁ ସମର୍ଥ ହେଵନାହିଁ। ସେ ସବୁବେଳେ ମନ ମଧ୍ୟରେ ପ୍ରଥମେ ଓଡ଼ିଆରେ ଭାବିଵ ଏଵଂ ତାକୁ ମାନସିକ ସ୍ତରରେ ଇଂରାଜୀ ଅନୁଵାଦ କରିଵାକୁ ଚେଷ୍ଟା କରିଵ, ଯାହା ତା’ର ଭାଷା ଶିଖିଵା ବେଗକୁ ଅତ୍ୟନ୍ତ ଧିର କରିଦେଵ।
ସାମାଜିକ ଗଣମାଧ୍ୟମରେ ହେଉଥିବା ସମାଲୋଚନାର ରାଜନୈତିକ ଵା ଆଵେଗିକ ଦିଗ ଯାହା ବି ହୋଇଥାଉ ନା କାହିଁକି, ଶିକ୍ଷାଶାସ୍ତ୍ରୀୟ ଦୃଷ୍ଟିକୋଣରୁ ପଲ୍ଲଵୀ ବହିରୁ ଏହି ଅଂଶଟିକୁ ପ୍ରତ୍ୟାହାର କରିଵାର ନିଷ୍ପତ୍ତି ହିଁ ସଂପୂର୍ଣ୍ଣ ଶତପ୍ରତିଶତ ଠିକ୍ ହେଵ ।
ପାଠ୍ୟପୁସ୍ତକରେ ସାଂସ୍କୃତିକ ସମନ୍ୱୟ ନିଶ୍ଚିତ ଭାବେ ରହିଵା ଉଚିତ୍, କିନ୍ତୁ ତାହା ଭାଷାର ଶୁଦ୍ଧତା ଓ ଵୈଜ୍ଞାନିକ ଶିକ୍ଷାଦାନ ପଦ୍ଧତିକୁ ବଳି ଦେଇ ରଖିଵା ଠିକ୍ ନୁହେଁ । ଇଂରାଜୀ ବହିରେ ଓଡ଼ିଶାର ସଂସ୍କୃତିକୁ ଇଂରାଜୀ ଭାଷାର ମାଧ୍ୟମରେ ହିଁ ପ୍ରକାଶ କରାଯିଵା ଉଚିତ୍।
No comments:
Post a Comment