ପ୍ରାଚୀନ ଗ୍ରୀକ୍ ଇତିହାସ ଓ ପୁରାଣ ଅନୁସାରେ, ମାଇଡାସ୍ ଥିଲେ ଫ୍ରିଜିଆ(ଆଜିର ତୁର୍କୀ ଦେଶର ମଧ୍ୟ-ପଶ୍ଚିମ ଅଞ୍ଚଳ)ସାମ୍ରାଜ୍ୟର ଜଣେ ଅତ୍ୟନ୍ତ ପ୍ରତାପୀ କିନ୍ତୁ ଅଦୂରଦର୍ଶୀ ରାଜା। ସେ ନିଜର ଵିପୁଳ ସମ୍ପତ୍ତି, ପ୍ରାସାଦ ଓ ଵୈଭଵ ପାଇଁ ସାରା ଵିଶ୍ୱରେ ଜଣାଶୁଣା ଥିଲେ। କିନ୍ତୁ ତାଙ୍କ ଵ୍ୟକ୍ତିତ୍ୱର ସବୁଠାରୁ ବଡ଼ ଦୁର୍ଵଳତା ଥିଲା ତାଙ୍କର ଅହଂକାର, ଅତି-ଲୋଭ ଏଵଂ କଳା ତଥା ସଙ୍ଗୀତ ପ୍ରତି ଥିଵା ଅପରିପକ୍ୱ ଜ୍ଞାନ। ରାଜା ମାଇଡାସ୍ ସେହି ଵ୍ୟକ୍ତି ଥିଲେ, ଯିଏ ପୂର୍ଵରୁ ଦେଵତା ଡାୟୋନିସସ୍ଙ୍କଠାରୁ ସେ ଯାହା ବି ଛୁଇଁଵେ ତାହା ସୁନା ହୋଇଯିଵାର ଵର ପାଇଥିଲେ ଏଵଂ ପରଵର୍ତ୍ତୀ ସମୟରେ ନିଜ ଖାଦ୍ୟ ତଥା ନିଜ ଝିଅ ସୁନା ପାଲଟିଯିଵା ପରେ ନିଜର ଭୁଲ୍ ବୁଝିପାରି ସେହି ଵରଦାନରୁ ମୁକ୍ତି ପାଇଥିଲେ। ସ୍ୱର୍ଣ୍ଣ-ସ୍ପର୍ଶର ସେହି ଦୁର୍ଦ୍ଦଶାରୁ ମୁକ୍ତି ପାଇଵା ପରେ ମାଇଡାସ୍ ସାଂସାରିକ ମୋହ-ମାୟା ଓ ଧନସମ୍ପତ୍ତି ପ୍ରତି ଵୀତସ୍ପୃହ ହୋଇପଡ଼ିଥିଲେ। ସେ ରାଜପ୍ରାସାଦର ଵିଳାସିତା ଛାଡ଼ି ପ୍ରକୃତିର ନିକଟତର ହେଵାକୁ ଚେଷ୍ଟା କଲେ। ମାଇଡାସ୍ ଜଙ୍ଗଲ, ପାହାଡ଼ ଓ ଗ୍ରାମୀଣ ପରିଵେଶରେ ବେଶୀ ସମୟ ବିତାଇଵାକୁ ଲାଗିଲେ। ଜଙ୍ଗଲର ଦେଵତା 'ପ୍ୟାନ୍'ଙ୍କର ମାଇଡାସ୍ ଜଣେ ବଡ଼ ଭକ୍ତ ତଥା ପ୍ରଶଂସକ ପାଲଟିଗଲେ।
ଦେଵତା 'ପ୍ୟାନ୍' ଅଧା ମଣିଷ ଓ ଅଧା ଛେଳି ଆକୃତିର ଥିଲେ। ପ୍ୟାନ୍ ଏକ ସ୍ୱତନ୍ତ୍ର ପ୍ରକାରର ଵଂଶୀ ଵା ପାଇପ୍ "Pan ଫ୍ଲୁଟ୍" ଵଜାଉଥିଲେ, ଯାହାର ସ୍ୱର ଗ୍ରାମୀଣ ଲୋକଙ୍କୁ ମନ୍ତ୍ରମୁଗ୍ଧ କରୁଥିଲା। ରାଜା ମାଇଡାସ୍ ସଦାବେଳେ ପ୍ୟାନ୍ଙ୍କ ସହିତ ରହୁଥିଲେ ଏଵଂ ତାଙ୍କ ଵଂଶୀ ଵାଦନର ପ୍ରଶଂସାରେ ଶତମୁଖ ହେଉଥିଲେ। ଵାରମ୍ଵାର ପ୍ରଶଂସା ପାଇଵା ପରେ ପ୍ୟାନ୍ଙ୍କ ମନରେ ମଧ୍ୟ ଅହଂକାର ଆସିଗଲା। ସେ ଭାବିଲେ ଯେ ସାରା ଵ୍ରହ୍ମାଣ୍ଡରେ ତାଙ୍କ ସଙ୍ଗୀତ ହିଁ ସର୍ଵଶ୍ରେଷ୍ଠ। ଏହି ଅହଂକାର ଵଶତଃ, ପ୍ୟାନ୍ ସଙ୍ଗୀତ, କଳା ଓ ସୂର୍ଯ୍ୟଙ୍କ ଅଧିଷ୍ଠାତା ଦେଵତା 'ଆପୋଲୋ'ଙ୍କୁ ସଙ୍ଗୀତ ପ୍ରତିଯୋଗିତା ପାଇଁ ଆହ୍ୱାନ କଲେ। ଦେଵତା ଆପୋଲୋ ସବୁଠାରୁ ଶ୍ରେଷ୍ଠ ସଙ୍ଗୀତଜ୍ଞ ଏଵଂ ସେ ନିଜର ସ୍ୱର୍ଣ୍ଣିମ ଵୀଣା "Lyre" ବଜାଇ ଦେଵଲୋକକୁ ମଧ୍ୟ ଵିମୋହିତ କରିଦିଅନ୍ତି। ଜଣେ ଗ୍ରାମୀଣ ଦେଵତା ହୋଇ ସ୍ୱୟଂ ସଙ୍ଗୀତର ଦେଵତାଙ୍କୁ ପ୍ରତିଯୋଗିତା ପାଇଁ ଆହ୍ଵାନ କରିଵା ଏକ ଅତି ଦୁଃସାହସିକ ପଦକ୍ଷେପ ଥିଲା। କିନ୍ତୁ ଆପୋଲୋ ଶାନ୍ତ ଭାବରେ ଏହି ଆହ୍ୱାନକୁ ସ୍ୱୀକାର କଲେ।
Tmolus ପାହାଡ଼ରେ ପ୍ରତିଯୋଗିତା କରାଗଲା। ସେହି ସ୍ଥାନର ପାହାଡ଼ ଦେଵତା 'ଟିମୋଲସ୍'ଙ୍କୁ ଏହି ପ୍ରତିଯୋଗିତାର ମୁଖ୍ୟ ଵିଚାରପତି ଭାବେ ନିଯୁକ୍ତ କରାଗଲା। ଟିମୋଲସ୍ ଜଣେ ନିରପେକ୍ଷ ଓ ଜ୍ଞାନୀ ଵିଚାରପତି ଥିଲେ। ପ୍ରତିଯୋଗିତା ଦେଖିଵା ପାଇଁ ସେଠାରେ ବହୁ ସଂଖ୍ୟାରେ ଜଙ୍ଗଲର ପରୀ ଵା Nymphs, ପଶୁପକ୍ଷୀ ଓ ସାଧାରଣ ଲୋକ ଏକତ୍ରିତ ହୋଇଥିଲେ। ରାଜା ମାଇଡାସ୍ ମଧ୍ୟ ନିଜ ପ୍ରିୟ ବନ୍ଧୁ ପ୍ୟାନ୍ଙ୍କୁ ସମର୍ଥନ କରିଵା ପାଇଁ ସେଠାରେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ପ୍ରତିଯୋଗିତା ଆରମ୍ଭ ହେଲା। ପ୍ରଥମେ ଦେଵତା ପ୍ୟାନ୍ ନିଜର କାଠ ଵଂଶୀ ବଜାଇଵା ଆରମ୍ଭ କଲେ। ତାଙ୍କ ଵଂଶୀରୁ ବାହାରୁଥିଵା ସ୍ୱର ଥିଲା ଅତ୍ୟନ୍ତ ପ୍ରାକୃତିକ, ଵନ୍ୟ ଓ ଜୀଵନ୍ତ। ଜଙ୍ଗଲର ପଶୁପକ୍ଷୀ ଓ ଗ୍ରାମୀଣ ଲୋକେ ସେହି ସ୍ୱରରେ ଝୁମିଵାକୁ ଲାଗିଲେ। ରାଜା ମାଇଡାସ୍ ଏହି ସଙ୍ଗୀତ ଶୁଣି ଆନନ୍ଦରେ ଆତ୍ମହରା ହୋଇଗଲେ ଏଵଂ ଜୋରରେ ତାଳି ବଜାଇ ପ୍ୟାନ୍ଙ୍କ ଜୟ ଜୟକାର କଲେ। ମାଇଡାସ୍ଙ୍କୁ ଲାଗିଲା ଯେ ପ୍ୟାନ୍ ହିଁ ଏହି ପ୍ରତିଯୋଗିତା ଜିତି ସାରିଛନ୍ତି।
ଏହାପରେ ଵିଚାରପତି ଟିମୋଲସ୍ ଦେଵତା ଆପୋଲୋଙ୍କୁ ସଙ୍ଗୀତ ପରିଵେଷଣ କରିଵାକୁ ଅନୁରୋଧ କଲେ। ଆପୋଲୋ ନିଜ ମୁଣ୍ଡରେ ଲରେଲ୍ ପତ୍ରର ମୁକୁଟ ପିନ୍ଧି, ବେହେଲା ଭଳି ଦିଶୁଥିଵା ନିଜର ଦେଵୀୟ ସ୍ୱର୍ଣ୍ଣ ଵୀଣା "Lyre" ଧରି ଠିଆହେଲେ। ଯେତେବେଳେ ଆପୋଲୋଙ୍କ କୋମଳ ଆଙ୍ଗୁଠି ଵୀଣାର ତାରକୁ ସ୍ପର୍ଶ କଲା, ସେତେବେଳେ ସେହି ସ୍ଥାନର ସମ୍ପୂର୍ଣ୍ଣ ଵାତାଵରଣ ବଦଳିଗଲା। ସେହି ସଙ୍ଗୀତରେ କୌଣସି ସାଧାରଣ ଆମୋଦ-ପ୍ରମୋଦ ନଥିଲା ଵରଂ ସେଥିରେ ଥିଲା ସ୍ୱର୍ଗୀୟ ଗାମ୍ଭୀର୍ଯ୍ୟ, ଅନନ୍ତ ଶାନ୍ତି ଏଵଂ ଵିଶ୍ୱ ବ୍ରହ୍ମାଣ୍ଡର ରହସ୍ୟ। ସେହି ସୁମଧୁର ସ୍ୱର୍ଗୀୟ ଧୁନ୍ ଶୁଣି ସେଠାରେ ଉପସ୍ଥିତ ଥିଵା ପ୍ରତ୍ୟେକ ଵ୍ୟକ୍ତି, ପଶୁପକ୍ଷୀ, ଏପରିକି ପଵନ ଓ ପାହାଡ଼ର ଗଛଲତା ମଧ୍ୟ ସ୍ତଵ୍ଧ ହୋଇଗଲେ। ସମସ୍ତେ ଏକ ଦେଵୀୟ ଆନନ୍ଦରେ ଵିଭୋର ହୋଇ ଅଶ୍ରୁପାତ କରିଵାକୁ ଲାଗିଲେ। ପ୍ୟାନ୍ଙ୍କ ସଙ୍ଗୀତ କେଵଳ କାନକୁ ଭଲ ଲାଗୁଥିଵା ବେଳେ ଆପୋଲୋଙ୍କ ସଙ୍ଗୀତ ଆତ୍ମାକୁ ଛୁଇଁଯାଇଥିଲା।
ଆପୋଲୋଙ୍କ ସଙ୍ଗୀତ ଶେଷ ହେଵା ମାତ୍ରେ ସେଠାରେ ଏକ ଗଭୀର ନୀରଵତା ଖେଳିଗଲା। ଏହାପରେ ସମସ୍ତେ ଏକ ସ୍ୱରରେ ଆପୋଲୋଙ୍କୁ ଶ୍ରେଷ୍ଠ ବୋଲି ସ୍ୱୀକାର କଲେ। ଵିଚାରପତି ଟିମୋଲସ୍ ନିଜର ଵୃକ୍ଷଲତା ପୂର୍ଣ୍ଣ ମୁଣ୍ଡକୁ ହଲାଇ ଆପୋଲୋଙ୍କୁ ପ୍ରତିଯୋଗିତାର ସର୍ଵସମ୍ମତ ଵିଜେତା ଭାଵେ ଘୋଷଣା କଲେ। ସେଠାରେ ଉପସ୍ଥିତ ଥିଵା ସମସ୍ତେ ଏହି ନିଷ୍ପତ୍ତିରେ ସହମତ ଥିଲେ। କିନ୍ତୁ ସେହି ସମୟରେ ରାଜା ମାଇଡାସ୍ ନିଜର ଅହଂକାର ଓ ମୂର୍ଖତା ପ୍ରଦର୍ଶନ କଲେ।
ସଙ୍ଗୀତର କୌଣସି ଗଭୀର ଜ୍ଞାନ ନଥାଇ ମଧ୍ୟ ମାଇଡାସ୍ ସଭା ମଧ୍ୟରେ ଠିଆ ହୋଇ ଜୋରରେ କହିଲେ, "ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ୍ ଓ ଅନ୍ୟାୟ ! ମୋ ମତରେ ଆପୋଲୋଙ୍କ ସଙ୍ଗୀତ ଅତ୍ୟନ୍ତ ଜଟିଳ ଓ ନୀରସ ଥିଲା। ପ୍ୟାନ୍ଙ୍କ ସଙ୍ଗୀତ ହିଁ ସବୁଠାରୁ ମଧୁର ଓ ଶ୍ରେଷ୍ଠ ଥିଲା। ମୁଁ ଏହି ନିଷ୍ପତ୍ତିକୁ ମାନୁନାହିଁ।"
ପ୍ରତିଯୋଗିତା ସଭାରେ ହଇଚଇ ସୃଷ୍ଟି ହେଲା। ସ୍ୱୟଂ ସଙ୍ଗୀତର ଦେଵତା ଆପୋଲୋଙ୍କ ସର୍ଵୋଚ୍ଚ କଳାକୁ ଜଣେ ସାଧାରଣ ମଣିଷ ଅପମାନିତ କରିଵା ଏକ ମାରାତ୍ମକ ଭୁଲ୍ ଥିଲା। ମାଇଡାସ୍ଙ୍କ ଏହି ଅପରିପକ୍ୱତା ଓ ଦୁଃସାହସ ଦେଵତା ଆପୋଲୋଙ୍କୁ ଅତ୍ୟନ୍ତ କ୍ରୋଧିତ କଲା।
ଦେଵତା ଆପୋଲୋ ରାଜା ମାଇଡାସ୍ଙ୍କ ପାଖକୁ ଆସିଲେ। ତାଙ୍କ ଆଖିରୁ କ୍ରୋଧର ନିଆଁ ବାହାରୁଥିଲା। ସେ ମାଇଡାସ୍ଙ୍କୁ ଚାହିଁ କହିଲେ, "ହେ ମୂର୍ଖ ରାଜା ! ତୁମର କାନ ଦୁଇଟି ସ୍ୱର୍ଗୀୟ ଏଵଂ ପଵିତ୍ର ସଙ୍ଗୀତ ଶୁଣିଵା ପାଇଁ ଯୋଗ୍ୟ ନୁହେଁ। ତୁମର ଶ୍ରଵଣ ଶକ୍ତି ଏଵଂ ସଙ୍ଗୀତର ଜ୍ଞାନ ଏତେ ନିମ୍ନ ସ୍ତରର ଯେ ତୁମକୁ ଏକ ସାଧାରଣ ଵନ୍ୟ ଵଂଶୀ ଏଵଂ ଦେଵୀୟ ଵୀଣା ମଧ୍ୟରେ ପ୍ରଭେଦ ଜଣାପଡୁନାହିଁ। ଯେଉଁ ମଣିଷର କାନ ଶ୍ରେଷ୍ଠ ସଙ୍ଗୀତକୁ ଚିହ୍ନିପାରେ ନାହିଁ, ତାର କାନ ମଣିଷ ଭଳି ହେଵା ଉଚିତ୍ ନୁହେଁ।"
ଏତିକି କହି ଆପୋଲୋ ନିଜର ଦୈଵୀୟ ଶକ୍ତି ଵ୍ୟଵହାର କରି ମାଇଡାସ୍ଙ୍କୁ ଅଭିଶାପ ଦେଲେ। ସେହିକ୍ଷଣି ରାଜା ମାଇଡାସ୍ଙ୍କ କାନ ଦୁଇଟି ଲମ୍ଵା ହେଵାକୁ ଲାଗିଲା। ସେଥିରେ ଧୂସର ରଙ୍ଗର କେଶ ଵା ରୋମ ଉଠିଵାକୁ ଲାଗିଲା ଏଵଂ ତାହା ସମ୍ପୂର୍ଣ୍ଣ ଭାଵେ ଏକ 'ଗଧର କାନ'ରେ ପରିଣତ ହୋଇଗଲା। କେଵଳ ସେତିକି ନୁହେଁ, ସେହି କାନ ଦୁଇଟି ଗଧ ଭଳି ଏପଟ ସେପଟ ହଲିଵାକୁ ମଧ୍ୟ ଲାଗିଲା।
ରାଜା ମାଇଡାସ୍ ନିଜ ମୁଣ୍ଡକୁ ଛୁଇଁ ସେହି ବଡ଼ ବଡ଼ ଗଧ କାନକୁ ଅନୁଭଵ କଲେ ଏଵଂ ଭୟରେ ଶିହରି ଉଠିଲେ। ସେ ନିଜର ଭୁଲ୍ ବୁଝିପାରି ଦେଵତାଙ୍କ ଆଗରେ କ୍ଷମା ପ୍ରାର୍ଥନା କଲେ କିନ୍ତୁ ଆପୋଲୋ ତାଙ୍କ କଥା ନଶୁଣି ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ। ରାଜା ମାଇଡାସ୍ ନିଜର ଅହଂକାର ଓ ମୂର୍ଖତା ଯୋଗୁଁ ସାରା ଜୀଵନ ପାଇଁ ଏକ କଦର୍ଯ୍ୟ ଓ ଅପମାନଜନକ ଅଭିଶାପ ପାଇଲେ।
ମାଇଡାସ୍ ପ୍ରତିଯୋଗିତା ସଭାରେ ଉପସ୍ଥିତ ଥିଵା ଜଙ୍ଗଲର ପରୀ ଓ ଅନ୍ୟମାନଙ୍କ ଆଗରେ ନିଜର ଅପମାନଜନକ ରୂପ ଦେଖାଇଵାକୁ ଚାହୁଁନଥିଲେ।
ରାଜା ମାଇଡାସ୍ ନିଜ ମୁଣ୍ଡରେ ଥିଵା ଏକ ବଡ଼ କପଡ଼ାକୁ ଜୋରରେ ଗୁଡ଼ାଇ କାନ ଦୁଇଟିକୁ କୌଣସି ପ୍ରକାରେ ଲୁଚାଇଲେ ଏଵଂ କାହା ସହିତ କଥା ନହୋଇ ସେହିକ୍ଷଣି ନିଜ ରଥରେ ବସି ନିଜର ପ୍ରାସାଦ ଅଭିମୁଖେ ଵାହାରିଲେ। ରଥରେ ବସିଵା ସମୟରେ ତାଙ୍କ ମନରେ କେଵଳ ଗୋଟିଏ ଭୟ ଥିଲା ଯେ "ଯଦି ମୋ ସାମ୍ରାଜ୍ୟର ପ୍ରଜାମାନେ, ମୋର ମନ୍ତ୍ରୀମାନେ କିମ୍ଵା ଶତ୍ରୁ ଦେଶର ରାଜାମାନେ ଜାଣିଵେ କି ଫ୍ରିଜିଆର ମହାରାଜାଙ୍କର ଗଧ ଭଳି କାନ ଅଛି, ତେବେ ସେମାନେ ମୋତେ ଦେଖି ହସିଵେ। ମୋର ସମସ୍ତ ସମ୍ମାନ,ଗୌରଵ ଓ ପ୍ରତିଷ୍ଠା ଧୂଳିସାତ ହୋଇଯିଵ।"
ପ୍ରାସାଦକୁ ଫେରିଵା ପରେ ରାଜା ପ୍ରଥମେ ନିଜ ଅନ୍ତଃପୁରରେ ବନ୍ଦ ହୋଇ ରହିଲେ। ସେ ଦର୍ପଣ ସାମ୍ନାକୁ ଯାଇ ନିଜର ଚେହେରା ଦେଖିଲେ ଏଵଂ ନିଜ ମୂର୍ଖତା ପାଇଁ ନିଜକୁ ଧିକ୍କାର କଲେ। ସ୍ୱର୍ଣ୍ଣ-ସ୍ପର୍ଶର ଭୁଲ୍ ପରେ ଏହା ତାଙ୍କ ଜୀଵନର ଦ୍ୱିତୀୟ ବଡ଼ ମୂର୍ଖତା ଥିଲା। ସେ ଜାଣିଥିଲେ ଯେ ସାଧାରଣ କପଡ଼ା ବାନ୍ଧିଲେ କାନ ଦୁଇଟି ବାହାରକୁ ଦେଖାଯାଇପାରେ।
ସେଥିପାଇଁ ସେ ନିଜର ରାଜ ସିପୁଟିକୁ ଡକାଇଲେ ଏଵଂ ଏକ ସ୍ୱତନ୍ତ୍ର ପ୍ରକାରର ପଗଡ଼ି ତିଆରି କରିଵାକୁ ଆଦେଶ ଦେଲେ। ଏହି ପଗଡ଼ିଟି ସାଧାରଣ ପଗଡ଼ିଠାରୁ ବହୁତ ବଡ଼,ଓସାରିଆ ଓ ମୋଟା ଥିଲା ଯାହା ମୁଣ୍ଡର ଦୁଇ ପାର୍ଶ୍ୱକୁ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ରଖୁଥିଲା। ରାଜା ସେହି ଅଜବ ଉଚ୍ଚା ପଗଡ଼ିକୁ ନିଜ ମୁଣ୍ଡରେ ପିନ୍ଧିଲେ। ଏବେ ତାଙ୍କର ଗଧ କାନ ସମ୍ପୂର୍ଣ୍ଣ ଭାବେ ଲୁଚି ଯାଇଥିଲା। ଏହାପରେ ରାଜା ମାଇଡାସ୍ ସାଧାରଣ ଜୀଵନ ଜିଇଁଵାକୁ ଚେଷ୍ଟା କଲେ। ସେ ସେହି ପଗଡ଼ି ପିନ୍ଧି ରାଜସଭାକୁ ଆସିଲେ, ପ୍ରଜାମାନଙ୍କୁ ଭେଟିଲେ ଏଵଂ ସମସ୍ତ ରାଜକୀୟ କାର୍ଯ୍ୟ ସମ୍ପାଦନ କଲେ।
ଲୋକମାନେ ରାଜାଙ୍କ ମୁଣ୍ଡରେ ଏଭଳି ଵିଶାଳ ପଗଡ଼ି ଦେଖି ଆଶ୍ଚର୍ଯ୍ୟ ହେଲେ, କିନ୍ତୁ ସେମାନେ ଭାବିଲେ ଯେ ଏହା ବୋଧହୁଏ ମହାରାଜାଙ୍କର କୌଣସି ନୂଆ ପହରଣ(Fashion) କିମ୍ଵା ରାଜକୀୟ ଶୈଳୀ। କେହି ମଧ୍ୟ ସ୍ୱପ୍ନରେ ସୁଦ୍ଧା ଭାବିପାରିନଥିଲେ ଯେ ସେହି ସୁନ୍ଦର ସ୍ୱର୍ଣ୍ଣିମ ପଗଡ଼ି ତଳେ ଏକ ଅତି ଅପମାନଜନକ ରହସ୍ୟ ଲୁଚି ରହିଛି। ରାଜା ଦିନରାତି, ଏପରିକି ଶୋଇଵା ସମୟରେ ମଧ୍ୟ ସେହି ପଗଡ଼ିକୁ ନିଜ ମୁଣ୍ଡରୁ ଓହ୍ଲାଉ ନଥିଲେ।
କିଛି ମାସ ଏମିତି ଶାନ୍ତିରେ ବିତିଗଲା। ରାଜା ଭାବିଲେ ଯେ ସେ ନିଜ ରହସ୍ୟକୁ ସାରା ଜୀଵନ ପାଇଁ ଲୁଚାଇ ରଖିଵାରେ ସଫଳ ହେବେ। କିନ୍ତୁ ପ୍ରକୃତିର ନିୟମକୁ କେହି ବଦଳାଇ ପାରିଵେ ନାହିଁ। ସମୟ ସହିତ ରାଜାଙ୍କ ମୁଣ୍ଡର କେଶ ଓ ଦାଢ଼ି ବହୁତ ବଢ଼ିଗଲା। ମୁଣ୍ଡର କେଶ ଏତେ ବଡ଼ ହୋଇଗଲା ଯେ ସେହି ବଡ଼ ପଗଡ଼ି ଭିତରେ ତାହା ଆଉ ସୁଵିଧାରେ ରହିଲା ନାହିଁ ଏଵଂ ଗଧ କାନ ଯୋଗୁଁ ରାଜାଙ୍କ ମୁଣ୍ଡ କୁଣ୍ଡେଇ ହେଵାକୁ ଲାଗିଲା। କେଶ କାଟିଵା ଏଵଂ ଦାଢ଼ି ଛୋଟ କରିଵା ଏବେ ଅତ୍ୟନ୍ତ ଜରୁରୀ ହୋଇପଡ଼ିଥିଲା।
କିନ୍ତୁ କେଶ କାଟିଵାକୁ ହେଲେ ପଗଡ଼ି ଓହ୍ଲାଇଵାକୁ ପଡ଼ିଵ ଏଵଂ ଏହା ମାଇଡାସଙ୍କ ପାଇଁ ସବୁଠାରୁ ବଡ଼ ସଙ୍କଟ ଥିଲା। ସେ କୌଣସି ସାଧାରଣ ଲୋକଙ୍କ ଆଗରେ ପଗଡ଼ି ଖୋଲିପାରିଵେ ନାହିଁ। ଶେଷରେ ମାଇଡାସ୍ ନିଜର ବହୁତ ପୁରୁଣା ଓ ଵିଶ୍ୱସ୍ତ ରାଜକୀୟ ନାପିତକୁ ନିଜର ଗୋପନୀୟ କକ୍ଷକୁ ଡକାଇଲେ।
ନାପିତ ଯେତେବେଳେ କକ୍ଷ ଭିତରକୁ ଆସିଲା, ରାଜା ମାଇଡାସ୍ ସମସ୍ତ ଦ୍ୱାର ଓ ଝରକା ବନ୍ଦ କରିଦେଲେ। ସେ ନାପିତକୁ ନିଜ ପାଖକୁ ଡାକି ଅତ୍ୟନ୍ତ ଗମ୍ଭୀର ସ୍ୱରରେ କହିଲେ, "ମୁଁ ଆଜି ତୁମ ସାମ୍ନାରେ ମୋର ସବୁଠାରୁ ବଡ଼ ରହସ୍ୟ ଖୋଲିଵାକୁ ଯାଉଛି। କିନ୍ତୁ ମନେରଖ, ଯଦି ଏହି କଥା ପ୍ରାସାଦର ଦ୍ୱାର ବାହାରକୁ ଗଲା କିମ୍ଵା ମୋ ଵ୍ୟତୀତ ଅନ୍ୟ କୌଣସି ଦ୍ୱିତୀୟ ଵ୍ୟକ୍ତି ଏହା ଜାଣିଲା, ତେବେ ସେହିକ୍ଷଣି ତୁମର ମୁଣ୍ଡ କାଟି ଦିଆଯିଵ।"
ନାପିତ ଭୟରେ ଥରିଵାକୁ ଲାଗିଲା ଏଵଂ ହାତ ଯୋଡ଼ି କହିଲା, "ମହାରାଜ! ଆପଣ ମୋ ଉପରେ ଵିଶ୍ୱାସ ରଖନ୍ତୁ, ମୁଁ ପ୍ରାଣ ଚାଲିଗଲେ ବି କାହା ଆଗରେ ପାଟି ଖୋଲିବି ନାହିଁ।"
ରାଜା ମାଇଡାସ୍ ଧୀରେ ଧୀରେ ନିଜ ମୁଣ୍ଡରୁ ସେହି ଵିଶାଳ ପଗଡ଼ିଟିକୁ ଓହ୍ଲାଇଲେ। ପଗଡ଼ି ଓହ୍ଲାଇଵା ମାତ୍ରେ ତାର ତଳୁ ଦୁଇଟି ଲମ୍ଵା, ଧୂସର ରଙ୍ଗର କେଶରେ ପୂର୍ଣ୍ଣ ଗଧ କାନ ବାହାରକୁ ଵାହାରି ପଡ଼ିଲା ଏଵଂ ପଵନ ବାଜିଵା ମାତ୍ରେ ତାହା ଟିକେ ହଲିଵାକୁ ଲାଗିଲା।
ଏହା ଦେଖି ଭଣ୍ଡାରୀର ଆଖି ଆଶ୍ଚର୍ଯ୍ୟରେ ଢିମା ଢିମା ହୋଇଗଲା। ସେ ନିଜ ଜୀଵନରେ କେବେ ଏମିତି ଅଦ୍ଭୁତ ଓ ଭୟାନକ ଦୃଶ୍ୟ ଦେଖିନଥିଲା। ସେ ନିଜ ଆଶ୍ଚର୍ଯ୍ୟକୁ ଲୁଚାଇଵାକୁ ଚେଷ୍ଟା କଲା କିନ୍ତୁ ତା ହାତରେ ଥିଵା କତୁରୀ ଓ ପାନିଆ ତଳେ ପଡ଼ିଗଲା। ରାଜା କ୍ରୋଧରେ ନାପିତକୁ ଚାହିଁଲେ ଏଵଂ ପୁଣି ଥରେ ଧମକ ଦେଇ କହିଲେ, "ନିଜ କାମ ଶୀଘ୍ର ସାର ଏଵଂ ଯାହା ଦେଖିଲ ତାହା ଭୁଲିଯାଅ!"
ନାପିତ ଜଣକ ଅତ୍ୟନ୍ତ ସନ୍ତର୍ପଣରେ, ଭୟଭୀତ ହୋଇ ରାଜାଙ୍କର କେଶ ଦାଢ଼ି ପନିଅର କଲା। ସେ ଚେଷ୍ଟା କରୁଥିଲା ଯେପରି ତାର ହାତ ଭୁଲ୍ରେ ମଧ୍ୟ ସେହି ଗଧ କାନରେ ନ ବାଜୁ। କାମ ସରିଵା ପରେ ରାଜା ପୁଣି ପଗଡ଼ି ପିନ୍ଧିନେଲେ ଏଵଂ ନାପିତକୁ ସେଠାରୁ ଯିଵାକୁ ଆଦେଶ ଦେଲେ। ନାପିତ ପ୍ରାସାଦରୁ ବାହାରକୁ ଆସିଲା ସତ, କିନ୍ତୁ ତା ମନରେ ଆଉ ଶାନ୍ତି ନଥିଲା।
ଏହି ଘଟଣା ପରେ ନାପିତର ଜୀଵନ ଏକ ବଡ଼ ଅଶାନ୍ତି ମଧ୍ୟକୁ ଚାଲିଗଲା। ମଣିଷର ଏକ ପ୍ରକୃତି ଥାଏ ଯେ ସେ ଯେତେବେଳେ କୌଣସି ବଡ଼ ରହସ୍ୟ କିମ୍ଵା ଆଶ୍ଚର୍ଯ୍ୟଜନକ କଥା ଜାଣିପାରେ ସେ ତାହା ଅନ୍ୟମାନଙ୍କୁ କହିଵା ପାଇଁ ଵ୍ୟାକୁଳ ହୋଇପଡ଼େ। ନାପିତ କ୍ଷେତ୍ରରେ ମଧ୍ୟ ସେଇଆ ହେଲା। ସେ ଏମିତି ଏକ କଥା ଜାଣିଥିଲା ଯାହା ସାରା ସାମ୍ରାଜ୍ୟରେ କେହି ଜାଣିନଥିଲେ । ସେ ଜାଣିଥିଲା "ରାଜା ମାଇଡାସ୍ଙ୍କର ଗଧ କାନ ଅଛି!"
ଏହି ରହସ୍ୟର ବୋଝ ତାର ପେଟ ଭିତରେ ଏତେ ଭାରି ହେଵାକୁ ଲାଗିଲା ଯେ ନାପିତର କୌଣସି କାମରେ ମନ ଲାଗିଲା ନାହିଁ। ସେ ରାତିରେ ଶୋଇପାରିଲା ନାହିଁ କି ଦିନରେ ଭଲଭାଵେ ଖାଇପାରିଲା ନାହିଁ। ସେ ଯେତେବେଳେ ବି ତାର ସ୍ତ୍ରୀ, ପିଲା କିମ୍ଵା ବନ୍ଧୁମାନଙ୍କ ସହିତ ବସୁଥିଲା, ତାର ପାଟିକୁ ଏହି କଥାଟି ଆସିଯାଉଥିଲା, କିନ୍ତୁ ରାଜାଙ୍କର ମୁଣ୍ଡ କାଟିଵାର ଧମକ ମନେପଡ଼ିଵା ମାତ୍ରେ ସେ ନିଜ ମୁହଁ ବନ୍ଦ କରିଦେଉଥିଲା।
ଧୀରେ ଧୀରେ ଏହି ମାନସିକ ଚାପ ଯୋଗୁଁ ନାପିତଟି ଅସୁସ୍ଥ ହେଵାକୁ ଲାଗିଲା। ତାର ଶରୀର ଶୁଖିଗଲା ଏଵଂ ଚେହେରାରୁ ଚମକ ଚାଲିଗଲା। ତାର ସ୍ତ୍ରୀ ଵାରମ୍ଵାର ପଚାରିଲା, "ତୁମର କଣ ହୋଇଛି? ତୁମେ ଏମିତି କେଉଁ ଚିନ୍ତାରେ ବୁଡ଼ି ରହୁଛ?" କିନ୍ତୁ ନାପିତ ନିଜ ସ୍ତ୍ରୀକୁ ମଧ୍ୟ କିଛି କହିପାରିଲା ନାହିଁ, କାରଣ ସେ ଜାଣିଥିଲା ଯେ ନାରୀମାନଙ୍କ ପେଟରେ ରହସ୍ୟ ବେଶୀ ସମୟ ରହେନାହିଁ।
ନାପିତ ଅନୁଭଵ କଲା ଯେ ଯଦି ସେ ଏହି ରହସ୍ୟଟିକୁ କାହା ଆଗରେ ପ୍ରକାଶ ନକରିଵ, ତେବେ ସେହି ଚିନ୍ତାରେ ତାର ପେଟ ଫାଟିଯିଵ କିମ୍ଵା ସେ ପାଗଳ ହୋଇ ମରିଯିଵ। ସେ ନିଜ ଜୀଵନ ମଧ୍ୟ ବଞ୍ଚାଇଵାକୁ ଚାହୁଁଥିଲା ଏଵଂ ଏହି ରହସ୍ୟର ବୋଝରୁ ମଧ୍ୟ ମୁକ୍ତି ପାଇଵାକୁ ଚାହୁଁଥିଲା। ସେ ଏଭଳି ଏକ ଉପାୟ ଖୋଜୁଥିଲା ଯେଉଁଠାରେ ସେ କଥାଟିକୁ କହିପାରିଵ, କିନ୍ତୁ କୌଣସି ମଣିଷ ତାହା ଶୁଣିପାରିଵେ ନାହିଁ।
ଶେଷରେ ନାପିତ ଏକ ଅଦ୍ଭୁତ ଉପାୟ ଚିନ୍ତା କଲା। ସେ ଭାଵିଲା, "ମୁଁ ଯଦି ଏମିତି ଏକ ସ୍ଥାନରେ ସତ କଥାଟି କହିବି ଯେଉଁଠାରେ ମୋତେ ଶୁଣିଵା ପାଇଁ କୌଣସି ମଣିଷ ନଥିଵେ, ତେବେ ରାଜାଙ୍କ ଆଦେଶ ମଧ୍ୟ ରକ୍ଷା ହେଵ ଏଵଂ ମୋ ମନର ବୋଝ ମଧ୍ୟ ହାଲୁକା ହୋଇଯିଵ।"
ଏହି ଯୋଜନା ଅନୁସାରେ, ଦିନେ ସକାଳୁ ସକାଳୁ ନାପିତ ଜଣକ ଜନଵସତିଠାରୁ ବହୁ ଦୂରରେ ଥିଵା ଏକ ନିର୍ଜନ ପ୍ରାନ୍ତରକୁ ଚାଲିଗଲା। ସେହି ସ୍ଥାନଟି ଏକ ସନ୍ତସନ୍ତିଆ ଜଳାଶୟ କୂଳରେ ଥିଲା, ଯେଉଁଠାରେ କେଵଳ ଲମ୍ଵା ଲମ୍ଵା ନଳଗଛ ଉଠିଥିଲା। ଚାରିଆଡ଼େ କେହି ନଥିଵା ଦେଖି ସେ ଆଶ୍ୱସ୍ତ ହେଲା। ନାପିତ ଧୀରେ ଧୀରେ ପାଣି କୂଳକୁ ଗଲା ଏଵଂ ନିଜ ହାତରେ ମାଟିକୁ ଆଡ଼େଇ ଏକ ଗଭୀର ଗାତ ଖୋଳିଲା। ଏହାପରେ ସେ ସେହି ଗାତ ପାଖରେ ଆଣ୍ଠୁମାଡ଼ି ବସିଲା ଏଵଂ ମାଟି ଭିତରକୁ ମୁହଁ ନୁଆଇଁ ଅତି ଜୋରରେ, ନିଜ ମନର ସମସ୍ତ ଶକ୍ତି ଦେଇ ଚିତ୍କାର କରି କହିଲା– "ରାଜା ମାଇଡାସ୍ଙ୍କର ଗଧ କାନ ଅଛି! ଫ୍ରିଜିଆର ମହାରାଜା ମାଇଡାସ୍ଙ୍କର ଗଧ ଭଳି ଲମ୍ଵା କାନ ଅଛି!"
ସେ ନିଜ ମନ ପୁରାଇ ବାରମ୍ଵାର ଏହି କଥାଟିକୁ ଗାତ ଭିତରେ କହିଲା। ସେ ଅନୁଭଵ କଲା ସତେ ଯେପରି ତାର ପେଟ ଭିତରେ ଥିଵା ସେହି ଵିଷାକ୍ତ ରହସ୍ୟର ବୋଝ ଧୀରେ ଧୀରେ ହାଲୁକା ହୋଇଯାଉଛି। କଥାଟି କହିସାରିଵା ପରେ ସେ ସେହି ଗାତଟିକୁ ପୁଣି ମାଟି ଓ ପଥର ଦେଇ ଭଲଭାବରେ ପୋତିଦେଲା, ଯେପରି ସେହି ଶବ୍ଦ ବାହାରକୁ ଆସିପାରିଵ ନାହିଁ। ନାପିତ ବହୁତ ଖୁସି ଓ ହାଲୁକା ମନରେ, ଏକ ନୂଆ ଜୀଵନ ପାଇଲା ଭଳି ନିଜ ଘରକୁ ଫେରିଆସିଲା।
କିଛି ମାସ ବିତିଗଲା। ନାପିତ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିଲା ଏଵଂ ତାର ମନରେ ଆଉ କୌଣସି ଭୟ ନଥିଲା, କାରଣ ସେ ନିଜ ରହସ୍ୟକୁ ମାଟି ତଳେ ସୁରକ୍ଷିତ ଭାବେ ପୋତି ଦେଇଥିଲା। କିନ୍ତୁ ଦେଵତାମାନଙ୍କର ଅଭିଶାପ ଓ ସତ୍ୟକୁ କେବେ ମଧ୍ୟ ମାଟି ତଳେ ଚାପି ରଖାଯାଇପାରେ ନାହିଁ।
ଯେଉଁ ଗାତରେ ନାପିତ ରହସ୍ୟଟିକୁ କହିଥିଲା, ସେହି ସ୍ଥାନର ଓଦା ମାଟିରୁ ଧୀରେ ଧୀରେ କିଛି ନୂଆ ନଳଗଛ ଗଜୁରିଵାକୁ ଲାଗିଲା। ସେହି ଗଛମାନ ମାଟି ତଳେ ଥିଵା ନାପିତର ସେହି ଶବ୍ଦକୁ ନିଜ ଚେର ଦ୍ୱାରା ଶୋଷି ନେଇଥିଲେ। ଗଛମାନେ ଧୀରେ ଧୀରେ ବଡ଼ ହେଲେ ଏଵଂ ସେମାନଙ୍କ ପତ୍ର ସବୁ ଲମ୍ଵା ଲମ୍ଵା ହୋଇ ବଢ଼ିଗଲା।
ଶରତ ଋତୁ ଆସିଲା। ଦିନେ ସେହି ନିର୍ଜନ ପ୍ରାନ୍ତର ଦେଇ ଏକ ଜୋରରେ ପଵନ ବହିଵାକୁ ଲାଗିଲା। ଯେତେବେଳେ ସେହି ପଵନ ନଳଗଛମାନଙ୍କୁ ଛୁଇଁ ଚାଲିଗଲା, ସେତେବେଳେ ସେହି ଗଛର ପତ୍ର ଏଵଂ କାଣ୍ଡଗୁଡ଼ିକ ପରସ୍ପର ସହିତ ଘଷି ହୋଇ ଏକ ଅଦ୍ଭୁତ ସୁମଧୁର ସଙ୍ଗୀତ ଵା ଶବ୍ଦ ସୃଷ୍ଟି କଲେ। କିନ୍ତୁ ସେହି ଶବ୍ଦ କୌଣସି ସାଧାରଣ ଶବ୍ଦ ନଥିଲା । ଯଦି କେହି ତାକୁ ଧ୍ୟାନ ଦେଇ ଶୁଣିଵ, ତେଵେ ସେଥିରୁ ସ୍ପଷ୍ଟ ଭାଵେ ଶୁଣାଯାଉଥିଲା– "ରାଜା ମାଇଡାସ୍ଙ୍କର ଗଧ କାନ ଅଛି... ମାଇଡାସ୍ଙ୍କର ଗଧ କାନ ଅଛି..."
ସେହି ବାଟ ଦେଇ ଯାଉଥିଵା ଜଣେ ମେଷପାଳକ ପ୍ରଥମେ ଏହି ଶବ୍ଦ ଶୁଣିଵାକୁ ପାଇଲା। ସେ ଆଶ୍ଚର୍ଯ୍ୟ ହୋଇ ଗଛଗୁଡ଼ିକ ପାଖରେ ଠିଆହେଲା। ଯେତେବେଳେ ବି ପଵନ ବହୁଥିଲା, ସେହି ଗଛଗୁଡ଼ିକ ଝୁମି ଝୁମି ସେହି ଏକା କଥାକୁ ଦୋହରାଉଥିଲେ।ମେଷପାଳକ ଜଣକ ଏହି ଆଶ୍ଚର୍ଯ୍ୟଜନକ କଥା ଯାଇ ନିଜ ଗାଁ ଲୋକଙ୍କୁ କହିଲା।
ଧୀରେ ଧୀରେ ଏହି ଖବର ସାରା ସାମ୍ରାଜ୍ୟରେ ଦାଵାଗ୍ନି ଭଳି ଵ୍ୟାପିଗଲା। ବହୁ ସଂଖ୍ୟାରେ ଲୋକ ସେହି ଜଳାଶୟ କୂଳକୁ ଆସିଲେ ଏଵଂ ସମସ୍ତେ ନିଜ କାନରେ ନଳଗଛର ସେହି ରହସ୍ୟମୟ ସଙ୍ଗୀତ ଶୁଣିଲେ। ପ୍ରକୃତି ସ୍ୱୟଂ ସଙ୍ଗୀତର ଦେଵତା ଆପୋଲୋଙ୍କ ନ୍ୟାୟକୁ ସାରା ଵିଶ୍ୱ ସାମ୍ନାରେ ପ୍ରକାଶ କରିଦେଇଥିଲା। ଏବେ ପ୍ରତ୍ୟେକ ବଜାର, ପ୍ରତ୍ୟେକ ଗଳି ଏଵଂ ପ୍ରତ୍ୟେକ ଘରେ କେଵଳ ଗୋଟିଏ ଚର୍ଚ୍ଚା ଚାଲିଥିଲା ଯେ, ଫ୍ରିଜିଆର ମହାରାଜା ମାଇଡାସ୍ଙ୍କ ମୁଣ୍ଡରେ ଗଧର କାନ ଅଛି।
ରାଜା ମାଇଡାସ୍ ଯେତେବେଳେ ରାଜପ୍ରାସାଦରେ ବସିଥିଲେ, ସେ ଦେଖିଲେ ଯେ ସୈନିକ ଏଵଂ ଦାସଦାସୀମାନେ ତାଙ୍କୁ ଦେଖି ପରସ୍ପର ମଧ୍ୟରେ କ'ଣ ସବୁ କଥା ହେଉଛନ୍ତି ଏଵଂ ଧୀରେ ଧୀରେ ହସୁଛନ୍ତି। ମନ୍ତ୍ରୀମାନେ ମଧ୍ୟ ସମ୍ମାନର ସହ ମୁଣ୍ଡ ନୁଆଁଇଥିଲେ ମଧ୍ୟ ସେମାନଙ୍କ ଆଖିରେ ଏକ ଅଦ୍ଭୁତ କୌତୁହଳ ଥିଲା। ଶେଷରେ ରାଜାଙ୍କର ପ୍ରଧାନ ମନ୍ତ୍ରୀ ସାହସ ସଞ୍ଚୟ କରି ରାଜାଙ୍କୁ କହିଲେ, "ମହାରାଜ! ସାରା ରାଜ୍ୟର ପ୍ରଜାମାନେ ଆପଣଙ୍କ ମୁଣ୍ଡରେ ଥିଵା ପଗଡ଼ିର ରହସ୍ୟ ଜାଣି ସାରିଛନ୍ତି। ନଳଗଛମାନେ ଆପଣଙ୍କ ରହସ୍ୟ ସମସ୍ତଙ୍କୁ ଶୁଣାଇ ଦେଇଛନ୍ତି।"
ରାଜା ମାଇଡାସ୍ ଏହା ଶୁଣି କ୍ରୋଧରେ ଗର୍ଜନ କଲେ ଏଵଂ ସେହିକ୍ଷଣି ଶାହି ନାପିତକୁ ଵନ୍ଦୀ କରି ଦରଵାରକୁ ଆଣିଵାକୁ ଆଦେଶ ଦେଲେ। ସେ ଭାଵିଲେ ଯେ ନାପିତ ହିଁ ଵିଶ୍ୱାସଘାତକତା କରିଛି।
ନାପିତକୁ ଯେତେବେଳେ ଶୃଙ୍ଖଳରେ ବାନ୍ଧି ରାଜସଭାକୁ ଅଣାଗଲା ସେ ଭୟରେ କାନ୍ଦିଵାକୁ ଲାଗିଲା ଏଵଂ ରାଜାଙ୍କ ପାଦତଳେ ପଡ଼ିଗଲା। ସେ କହିଲା, "ମହାରାଜ! ମୋତେ କ୍ଷମା କରନ୍ତୁ। ମୁଁ ଶପଥ କରି କହୁଛି, ମୁଁ କୌଣସି ମଣିଷ ଆଗରେ, ଏପରିକି ମୋ ସ୍ତ୍ରୀ ଆଗରେ ମଧ୍ୟ ଆପଣଙ୍କ ରହସ୍ୟ ପ୍ରକାଶ କରିନାହିଁ।"
ରାଜା ଗର୍ଜନ କରି ପଚାରିଲେ, "ଯଦି ତୁମେ କାହାକୁ କହିନାହଁ, ତେବେ ଜଙ୍ଗଲର ନଳଗଛମାନେ କେମିତି ଏହି କଥା ଜାଣିଲେ?"
ଭଣ୍ଡାରୀ ସତ୍ୟ କଥାଟି ପ୍ରକାଶ କଲା। ସେ କହିଲା କିଭଳି ରହସ୍ୟର ବୋଝ ସହି ନପାରି ସେ ମାଟିରେ ଗାତ ଖୋଳି କଥାଟି କହିଥିଲା ଏଵଂ ସେଠାରେ କୌଣସି ଦ୍ୱିତୀୟ ମଣିଷ ନଥିଲେ। ଏହା ଶୁଣି ସାରା ଦରଵାର ସ୍ତଵ୍ଧ ହୋଇଗଲା। ରାଜା ମାଇଡାସ୍ ମଧ୍ୟ ବୁଝିପାରିଲେ ଯେ ଏହା କୌଣସି ମଣିଷର କାମ ନୁହେଁ ଵରଂ ସ୍ୱୟଂ ଦେଵତା ଆପୋଲୋ ଏଵଂ ପ୍ରକୃତିର ନ୍ୟାୟ। ସେ ଅନୁଭଵ କଲେ ଯେ ସତ୍ୟକୁ କେବେହେଲେ ବି ଲୁଚାଇ ରଖାଯାଇପାରିଵ ନାହିଁ ଏଵଂ ତାହା ଦିନେ ନା ଦିନେ କୌଣସି ନା କୌଣସି ମାଧ୍ୟମରେ ସାମ୍ନାକୁ ଆସିଵ ହିଁ ଆସିଵ। ରାଜାଙ୍କ ମନରୁ ସମସ୍ତ କ୍ରୋଧ ଚାଲିଗଲା ଏଵଂ ତାଙ୍କ ସ୍ଥାନରେ ଏକ ଗଭୀର ଅନୁତାପ ଆସିଲା। ରାଜା ମାଇଡାସ୍ ଏହାପରେ ନାପିତକୁ ମୁକ୍ତ କଲେ, କାରଣ ସେ ନିରପରାଧ ଥିଲା।
ଏହାପରେ ରାଜା ମାଇଡାସ୍ ନିଜ ମୁଣ୍ଡରୁ ସେହି ଵିଶାଳ ପଗଡ଼ିଟିକୁ ଓହ୍ଲାଇ ଫିଙ୍ଗିଦେଲେ। ସେ ନିଜର ସେହି ଦୁଇଟି ବଡ଼ ବଡ଼ ଗଧ କାନକୁ ସାରା ସଭା ଏଵଂ ପ୍ରଜାମାନଙ୍କ ସାମ୍ନାରେ ଖୋଲା ଛାଡ଼ିଦେଲେ। ଯେତେବେଳେ ରାଜା ନିଜର ଦୁର୍ଵଳତା ଏଵଂ ଭୁଲକୁ ସମସ୍ତଙ୍କ ସାମ୍ନାରେ ସ୍ୱୀକାର କରିନେଲେ, ସେତେବେଳେ ତାଙ୍କ ମନରୁ ସବୁଦିନ ପାଇଁ ଭୟ ଦୂର ହୋଇଗଲା।
ଲୋକମାନେ ପ୍ରଥମେ ରାଜାଙ୍କ କାନ ଦେଖି ଟିକେ ହସିଲେ, କିନ୍ତୁ ଯେତେବେଳେ ସେମାନେ ଦେଖିଲେ ଯେ ରାଜା ନିଜର ଅହଂକାର ତ୍ୟାଗ କରି ସତ୍ୟକୁ ଆପଣେଇ ନେଇଛନ୍ତି, ସେମାନଙ୍କ ମନରେ ରାଜାଙ୍କ ପ୍ରତି ସମ୍ମାନ ଆହୁରି ବଢ଼ିଗଲା। ରାଜାଙ୍କର ଏହି ନମ୍ରତା ଓ ପରିଵର୍ତ୍ତନ ଦେଖି ଦେଵତା ଆପୋଲୋ ପରଵର୍ତ୍ତୀ ସମୟରେ ତାଙ୍କୁ ଏହି ଅଭିଶାପରୁ ମୁକ୍ତି ଦେଇଥିଲେ ଏଵଂ ତାଙ୍କ କାନ ପୁଣି ଥରେ ମଣିଷ ଭଳି ହୋଇଯାଇଥିଲା।
ତେବେ ଏହି ଗ୍ରୀକ୍ କାହାଣୀ ପଛରେ ପ୍ରକୃତ ଐତିହାସିକ ପ୍ରସଙ୍ଗ ରହିଛି ଯାହା ସମସ୍ତେ ଜାଣିଵା ଆଵଶ୍ୟକ ।
ଇତିହାସ ଓ ପ୍ରତ୍ନତତ୍ତ୍ୱଵିଜ୍ଞାନ ଅନୁସାରେ, ଖ୍ରୀଷ୍ଟପୂର୍ବ ୮ମ ଶତାବ୍ଦୀରେ ଫ୍ରିଜିଆ ଵା ଆଜିର ତୁର୍କୀ ଅଞ୍ଚଳରେ 'ମାଇଟାସ' ଵା ମାଇଡାସ୍ ନାମକ ଜଣେ ଅତି ଶକ୍ତିଶାଳୀ ଓ ପ୍ରକୃତ ରାଜା ଶାସନ କରୁଥିଲେ। ପ୍ରକୃତ ଇତିହାସରେ ରାଜା ମାଇଡାସ୍ଙ୍କୁ ଆସିରିଆନ୍ ଐତିହାସିକ ଦଲିଲରେ 'Mita' ବୋଲି କୁହାଯାଇଛି। ସେ ପ୍ରାୟ ଖ୍ରୀଷ୍ଟପୂର୍ଵ ୭୩୮ ରୁ ୬୯୬ ପର୍ଯ୍ୟନ୍ତ ଫ୍ରିଜିଆ ସାମ୍ରାଜ୍ୟର ଶାସକ ଥିଲେ। ତାଙ୍କର ରାଜଧାନୀ ଥିଲା 'ଗୋର୍ଡିଅମ୍' । ସେ ନିଜ ସାମ୍ରାଜ୍ୟର ସୀମାକୁ ବହୁତ ଦୂର ପର୍ଯ୍ୟନ୍ତ ଵିସ୍ତାର କରିଥିଲେ ଏଵଂ ସେ ସମୟର ସବୁଠାରୁ ବଡ଼ ମହାଶକ୍ତି 'ଆସିରିଆ ସାମ୍ରାଜ୍ୟ' ସହିତ ସୂତ୍ରଧର ଭାବେ ଲଢ଼ୁଥିଲେ।
ମାଇଡାସ୍ ପ୍ରଥମ ଅଣ-ଗ୍ରୀକ୍ ରାଜା ଥିଲେ ଯିଏ ଗ୍ରୀକ୍ମାନଙ୍କର ସବୁଠାରୁ ପଵିତ୍ର ଧାର୍ମିକ ସ୍ଥଳୀ 'ଡେଲଫି'କୁ ନିଜର ସ୍ୱର୍ଣ୍ଣ ନିର୍ମିତ ରାଜସିଂହାସନ ଉପହାର ସ୍ୱରୂପ ପଠାଇଥିଲେ। ଗ୍ରୀକ୍ ଇତିହାସକାର ହେରୋଡୋଟସ୍ ଲେଖିଛନ୍ତି ଯେ, ସେହି ସିଂହାସନର କାରୁକାର୍ଯ୍ୟ ଏତେ ଚମତ୍କାର ଥିଲା ଯେ ଗ୍ରୀକ୍ମାନେ ତାକୁ ଦେଖି ସ୍ତଵ୍ଧ ହୋଇଯାଇଥିଲେ। ମାଇଡାସ୍ ନିଜର ଵାଣିଜ୍ୟିକ ଓ ରାଜନୈତିକ ସମ୍ପର୍କ ବଢ଼ାଇଵା ପାଇଁ ଜଣେ ଗ୍ରୀକ୍ ରାଜକୁମାରୀଙ୍କୁ ଵିଵାହ ମଧ୍ୟ କରିଥିଲେ।
ତେବେ ଜଣେ ପ୍ରକୃତ ରାଜା ଗ୍ରୀକ୍ ପୁରାଣରେ କେମିତି ସୁନା ଛୁଉଁଥିଵା ଏବଂ ଗଧ କାନ ଥିଵା ରାଜା ପାଲଟିଗଲେ, ତାର କିଛି ଐତିହାସିକ କାରଣ ରହିଛି ।
ଫ୍ରିଜିଆ ସାମ୍ରାଜ୍ୟ ଦେଇ ପ୍ରବାହିତ ହେଉଥିଵା 'ପ୍ୟାକ୍ଟୋଲସ୍' (Pactolus) ନଦୀର ପଶ୍ଚାତ୍ ଭାଗରେ ପ୍ରଚୁର ପରିମାଣରେ ପ୍ରାକୃତିକ ସୁନା "Electrum"(ସୁନା ଓ ରୂପାର ମିଶ୍ରଣ) ମିଳୁଥିଲା। ଏହା ସହିତ ରାଜା ମାଇଡାସ୍ଙ୍କ ସାମ୍ରାଜ୍ୟ ବାଣିଜ୍ୟ ଓ ଧାତୁ ଶିଳ୍ପରେ ବହୁତ ଆଗୁଆ ଥିଲା। ଫ୍ରିଜିଆର ଲୋକମାନେ ବ୍ରୋଞ୍ଜ ଓ ସୁନାର ଏଭଳି ଚମତ୍କାର ଜିନିଷ, ପାତ୍ର ଓ ଅଳଙ୍କାର ତିଆରି କରୁଥିଲେ ଯାହା ଦେଖିଲେ ମନେହେଉଥିଲା ଯେମିତି ସେମାନେ ସବୁକିଛିକୁ ସୁନାରେ ପରିଵର୍ତ୍ତିତ କରି ଦେଇପାରନ୍ତି। ସେହି ସମୟରେ ଫ୍ରିଜିଆର ଲୋକମାନେ ଲୁହା, ବ୍ରୋଞ୍ଜ ଓ ସୁନାକୁ ତରଳାଇ ଅତି ଉଚ୍ଚକୋଟୀର ଅସ୍ତ୍ରଶସ୍ତ୍ର ଓ ଅଳଙ୍କାର ତିଆରି କରିଵାର କଳା ଜାଣିଥିଲେ, ଯାହା ସେତେବେଳେ ସାରା ପୃଥିଵୀରେ ଵିରଳ ଥିଲା।ତାଙ୍କର ଏହି ଅତ୍ୟଧିକ ଆର୍ଥିକ ସମୃଦ୍ଧି ଓ ସୁନାର ଭଣ୍ଡାରକୁ ଦେଖି ପଡ଼ୋଶୀ ଗ୍ରୀକ୍ମାନେ ଗପ ତିଆରି କରିଦେଲେ ଯେ, ଫ୍ରିଜିଆର ରାଜା ମାଇଡାସ୍ ଯାହା ଛୁଅଁନ୍ତି ତାହା ସୁନା ହୋଇଯାଏ।
୧୯୫୭ ମସିହାରେ ପେନସିଲ୍ଵାନିଆ ଵିଶ୍ୱଵିଦ୍ୟାଳୟର ପ୍ରତ୍ନତତ୍ତ୍ୱଵିତ୍ମାନେ ତୁର୍କୀର ଗୋର୍ଡିଅମ୍ଠାରେ ଏକ ଵିଶାଳ ମାଟିର ପାହାଡ଼ ଖୋଳି ଗୋଟିଏ ପ୍ରାଚୀନ ରାଜସମାଧି ଗୁମ୍ଫା "Tumulus MM" ଆଵିଷ୍କାର କରିଥିଲେ। ଏହାକୁ 'ମାଇଡାସ୍ଙ୍କ ସମାଧି' କୁହାଯାଏ।
ସମାଧି ଭିତରେ ଥିଵା ଏକ କାଠର ଶେଯ ଉପରେ ଜଣେ ୬୦-୬୫ ଵର୍ଷ ଵୟସ୍କ ଵ୍ୟକ୍ତିଙ୍କ କଙ୍କାଳ ମିଳିଥିଲା, ଯାହାର ଉଚ୍ଚତା ପ୍ରାୟ ୫ ଫୁଟ ୨ ଇଞ୍ଚ ଥିଲା। ସେହି ସମୟର ହିସାବରେ ଏହା ରାଜା ମାଇଡାସ୍ କିମ୍ବା ତାଙ୍କ ପିତା ରାଜା ଗୋର୍ଡିଆସ୍ଙ୍କର ହୋଇପାରେ।
ରାଜାଙ୍କ ଶଵ ସହିତ ୧୫୭ଟି ବ୍ରୋଞ୍ଜର ଵିଶାଳ ପାତ୍ର, ଚାମଚ ଓ ଜଗ୍ ମିଳିଥିଲା। ଵୈଜ୍ଞାନିକମାନେ ସେହି ପାତ୍ରରେ ଲାଗିଥିଵା ଶୁଖିଲା ପଦାର୍ଥର ରସାୟନିକ ପରୀକ୍ଷଣ କରି ଜାଣିଵାକୁ ପାଇଲେ ଯେ, ରାଜାଙ୍କ ମୃତ୍ୟୁ ପରେ ସେଠାରେ ଏକ ବଡ଼ ଶୋକସଭା ଓ ଭୋଜିର ଆୟୋଜନ ହୋଇଥିଲା ଯେଉଁଥିରେ ଲୋକମାନେ ମେଣ୍ଢା ମାଂସ, ମହୁ, ଅଙ୍ଗୁର ରସ ଏଵଂ ବାର୍ଲିରୁ ପ୍ରସ୍ତୁତ ଏକ ଵିଶେଷ ପ୍ରକାରର ମଦ୍ୟପାନ କରିଥିଲେ।
ତେବେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଯେଉଁ ରାଜାଙ୍କୁ ପୁରାଣରେ 'ସ୍ୱର୍ଣ୍ଣ ସ୍ପର୍ଶ'ର ମାଲିକ କୁହାଯାଇଛି, ତାଙ୍କ ସମାଧି ଭିତରୁ ସୁନାର କୌଣସି ଜିନିଷ ମିଳିନଥିଲା। ସେଠାରୁ ମିଳିଥିଵା ସମସ୍ତ ପାତ୍ର ଓ ଅଳଙ୍କାର ବ୍ରୋଞ୍ଜର ଥିଲା, କିନ୍ତୁ ସେଗୁଡ଼ିକ ଏତେ ଚମତ୍କାର ଭାବେ ପଲିଶ୍ କରାଯାଇଥିଲା ଯେ ଦେଖିଲେ ସୁନା ଭଳି ଚମକୁଥିଲା। ହୁଏତ ମାଇଡାସ୍ଙ୍କ ସୁନାଗୁଡ଼ିକୁ ଖ୍ରୀଷ୍ଟପୂର୍ଵ ୬୯୬ରେ ସିମେରିଆନ୍' ଯୋଦ୍ଧାମାନେ ଫ୍ରିଜିଆ ଉପରେ ଆକ୍ରମଣ କଲା ସମୟରେ ଲୁଟି ନେଇଥିବେ ବୋଲି କିଛି ଗଵେଷକ ଅନୁମାନ କରନ୍ତି ।
ସେହିପରି ମାଇଡାସ୍ଙ୍କ ଗଧ କାନ ସମ୍ବନ୍ଧୀୟ କାହାଣୀ ପଛରେ ଏକ ସ୍ବତନ୍ତ୍ର ପ୍ରକାରର ପଗଡ଼ିର ରହସ୍ୟ ଥାଇପାରେ ବୋଲି ଐତିହାସିକମାନେ ଅନୁମାନ କରନ୍ତି ।
ପ୍ରାଚୀନ ଫ୍ରିଜିଆର ଶାସକ ଓ ସମ୍ଭ୍ରାନ୍ତ ଲୋକମାନେ ଏକ ସ୍ୱତନ୍ତ୍ର ପ୍ରକାରର ଟୋପି କିମ୍ବା ପଗଡ଼ି ପିନ୍ଧୁଥିଲେ, ଯାହାକୁ "Phrygian Cap" କୁହାଯାଏ। ଏହି ଟୋପିର ଦୁଇ ପାର୍ଶ୍ୱ ଲମ୍ବା ହୋଇ କାନ ଭଳି ଝୁଲୁଥିଲା କିମ୍ବା ଏହାର ଉପର ଭାଗ ଗୋଜିଆ ହୋଇ ଆଗକୁ ନଇଁ ରହୁଥିଲା। ଗ୍ରୀକ୍ମାନେ ସେମାନଙ୍କର ଏହି ଭିନ୍ନ ପୋଷାକକୁ ପରିହାସ କରିଵା ପାଇଁ "ରାଜାଙ୍କର ଗଧ କାନ ଅଛି ଏବଂ ସେ ତାକୁ ପଗଡ଼ି ତଳେ ଲୁଚାଉଛନ୍ତି" ବୋଲି ପ୍ରଚାର କରିଦେଲେ। ଆଉ କିଛି ଐତିହାସିକଙ୍କ ମତରେ ରାଜା ମାଇଡାସ୍ଙ୍କର କୌଣସି ଶାରୀରିକ ଵିକୃତି ଥାଇପାରେ (ଯଥା ବଡ଼ ଵା ଅସୁନ୍ଦର କାନ), ଯାହାକୁ ଲୁଚାଇଵା ପାଇଁ ସେ ବଡ଼ ପଗଡ଼ି ପିନ୍ଧୁଥିଲେ ଏଵଂ ଶତ୍ରୁମାନେ ତାକୁ ଗଧ କାନର ରୂପ ଦେଇଥିଲେ। ତେବେ ଏହି ମତଟି ଦୁର୍ଵଳ ଓ ଅପ୍ରମାଣିତ ।
ସବୁଠାରୁ ମହତ୍ତ୍ଵପୂର୍ଣ୍ଣ କଥା ହେଲା ଗ୍ରୀକ୍ମାନେ ନିଜ ସଂସ୍କୃତି, କଳା ଓ ସଙ୍ଗୀତକୁ ସର୍ଵଶ୍ରେଷ୍ଠ ଭାବୁଥିଲେ। ରାଜା ମାଇଡାସ୍ ଗ୍ରୀକ୍ ସଂସ୍କୃତିର ନଥିଲେ, ସେ ଥିଲେ ଏସିଆ ମାଇନର୍ର ଜଣେ ଶକ୍ତିଶାଳୀ ରାଜା । କାହାଣୀରେ ଗ୍ରୀକ୍ ଦେଵତା ଆପୋଲୋ ଜିତିଵା ଏଵଂ ଗ୍ରୀକ୍ମାନଙ୍କ ଦୃଷ୍ଟିରେ ଏକ ବାର୍ବାରିକ ଵା ଗ୍ରାମୀଣ ଦେଵତା ପ୍ୟାନ୍ଙ୍କୁ ମାଇଡାସ୍ ସମର୍ଥନ କରିଵା ଏହା ଦର୍ଶାଏ ଯେ ଗ୍ରୀକ୍ମାନେ ନିଜ ସଂସ୍କୃତିକୁ ଉଚ୍ଚ ଦେଖାଇଵା ପାଇଁ ଵିଦେଶୀ ରାଜା ମାଇଡାସ୍ଙ୍କୁ ସଙ୍ଗୀତର ଶୂନ୍ୟ ଜ୍ଞାନ ଥିଵା ଏକ ମୂର୍ଖ ଭାବେ ଚିତ୍ରିତ କରିଥିଲେ। ତେବେ ପ୍ରକୃତ ଇତିହାସରେ ରାଜା ମାଇଡାସ୍ ଆଦୌ ମୂର୍ଖ କିମ୍ବା ଜ୍ଞାନଶୂନ୍ୟ ଵ୍ୟକ୍ତି ନଥିଲେ ।
ରାଜା ମାଇଡାସ୍ଙ୍କ ଅତ୍ୟଧିକ ଧନସମ୍ପତ୍ତି ଏଵଂ ଗ୍ରୀକ୍ମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ସଂସ୍କୃତି ହିଁ ତାଙ୍କୁ ଗ୍ରୀକ୍ ପୁରାଣର ଏକ ପ୍ରସିଦ୍ଧ ଚରିତ୍ର କରିଦେଲା। କାଳକ୍ରମେ ଲୋକମୁଖରେ ସତ୍ୟ ଘଟଣାଗୁଡ଼ିକ ରୂପାନ୍ତରିତ ହୋଇ ମୂର୍ଖାମୀ, ଲୋଭ ଓ ଅହଂକାରର ଏକ ଚିରନ୍ତନ ରୂପକଥାରେ ପରିଣତ ହୋଇଗଲା।
No comments:
Post a Comment