ଫକୀରମୋହନ ସେନାପତି ତାଙ୍କର ଆତ୍ମଚରିତରେ ଜଣେ ସଂସ୍କୃତ ପଣ୍ଡିତ ଏଵଂ ଆଉ ଜଣେ ଇଂରେଜ ସାହେବଙ୍କ ସମ୍ବନ୍ଧୀୟ ପ୍ରସଙ୍ଗକୁ ରୋଚକ ଶୈଳୀରେ ଵର୍ଣ୍ଣନା କରିଛନ୍ତି । ଧ୍ୟାନ ସହକାରେ ପଢ଼ିଲେ ଆମେ ତହିଁରୁ ଅନେକ କଥା ବୁଝି ପାରିଵା । ଫକୀରମୋହନ ଲେଖିଛନ୍ତି:
"ସେହି ସମୟରେ ବାଲେଶ୍ଵର ମିଶନ ବାଳିକା ଵିଦ୍ୟାଳୟରେ ଜଣେ ପଣ୍ଡିତ ନିଯୁକ୍ତ ଥିଲେ, ତାଙ୍କର ନାମ ଵିଶ୍ୱନାଥ ଶତପଥୀ। ସେ ଯେପରି ଶିକ୍ଷିତ, ସେହିପରି ଵିଚିତ୍ର କର୍ମୀ। ଓଡ଼ିଆ ଓ ସଂସ୍କୃତ ଭାଷାରେ ଉପସ୍ଥିତ-କଵି; ସଙ୍ଗୀତ, ସୂଚୀକାର୍ଯ୍ୟ ଓ କେତେକ କଳାଵିଦ୍ୟାରେ ଅଭିଜ୍ଞ ଥିଲେ। ଲୋକଟି ଵିଶେଷ ଆମୋଦପ୍ରିୟ। ମୋ ସହିତ ତାଙ୍କର ବେଶ୍ ପ୍ରଣୟ ଥିଲା। ତାଙ୍କର ଉପସ୍ଥିତ-କଵିତ୍ୱ ସମ୍ବନ୍ଧରେ ଗୋଟିଏ ମାତ୍ର ଦୃଷ୍ଟାନ୍ତ ଦେଵାକୁ ଇଚ୍ଛା କରେ।
ମିସନ ସ୍କୁଲ ଓ ବାଳିକା ସ୍କୁଲ ଗୋଟିଏ ବଡ଼ ବଙ୍ଗଳା ଘର ମଧ୍ୟରେ ଥିଲା। ମଧ୍ୟରେ ଗୋଟିଏ କାନ୍ଥ ଵ୍ୟଵଧାନ ଥିଲା। ବାଳିକା ଵିଦ୍ୟାଳୟରେ କେଵଳ ଖ୍ରୀଷ୍ଟାନ ଛାତ୍ରୀମାନେ ପଢ଼ୁଥିଲେ। ଜାତିପାତି ଆଶଙ୍କାରେ ବାଳିକାମାନଙ୍କୁ ପଢ଼ାଇଵା ହିନ୍ଦୁମାନଙ୍କ ପକ୍ଷରେ ନିତାନ୍ତ ଭୟର କାରଣ ଥିଲା।
ବାଳିକା ସ୍କୁଲରେ ଗୋଟିଏ ବଡ଼ ଛାତ୍ରୀ ପଢ଼ୁଥିଲା—ତାହାର ନାମ ଶାରଦା। କୌଣସି ପ୍ରୟୋଜନ ହେତୁ ଶାରଦାକୁ ମୋ ପାଖକୁ ପଠାଇଦେଵା ସକାଶେ ଖଣ୍ଡିଏ ସାନ କାଗଜରେ ଲେଖି ଵିଶ୍ୱନାଥଙ୍କ ସମୀପକୁ ପଠାଇଦେଲି। ଶତପଥୀଏ ସେହି ସାନ ଚିଠିଖଣ୍ଡିକର ପଛପଟରେ ଲେଖି ପଠାଇଦେଲେ—
“ଲଜ୍ଜାବତୀ ନେଚ୍ଛତି ତତ୍ର ଗନ୍ତୁମ୍।”
ମୁଁ ସେହି କାଗଜଖଣ୍ଡ ଧରି ବାରଣ୍ଡାକୁ ଉଠିଯାଇ ଵିଶ୍ୱନାଥ ପଣ୍ଡିତଙ୍କୁ ଡାକିଲି। ସେ ଉପସ୍ଥିତ ହେଵାରୁ କହିଲି—
“ଶୀଘ୍ର ଏହି କଵିତାଟିର ପାଦପୂରଣ କର। ଗୋଟିଏ ମାତ୍ର ଚରଣ ଲେଖି କଵିତ୍ୱ ଜଣାଇଵ ?”
ପଣ୍ଡିତ ଵିଶ୍ୱନାଥ ତତ୍କ୍ଷଣାତ୍ ମୁହେଁ ମୁହେଁ କହିଲେ—
“ଉତ୍ତୁଙ୍ଗଵକ୍ଷା ହି ନିତମ୍ବଗୁର୍ଵୀ,
ନଵୀନ ଧାରାଧର ଚାରୁକେଶା।
ସଦୈଵ ହାସ୍ୟାମୃତପୂର୍ଣ୍ଣଵକ୍ତ୍ରା,
ଲଜ୍ଜାଵତୀ ନେଚ୍ଛତି ତତ୍ର ଗନ୍ତୁମ୍॥”
ଦିନେ ପଣ୍ଡିତ ଵିଶ୍ୱନାଥ ଶତପଥୀ ସ୍କୁଲରେ ଅନୁପସ୍ଥିତ ଥିଲେ। ଦୈଵାତ୍ ସେଦିନ ମୁସଲମାନମାନଙ୍କ ମହରମ ପର୍ଵ ଥିଲା।
ତହିଁ ଆରଦିନ ସେକ୍ରେଟେରି ମିଲର ସାହେବ ତାଙ୍କୁ ଡକାଇନେଇ ପଚାରିଲେ, ‘‘ଓ ଵିଶ୍ୱନାଥ ପଣ୍ଡିତ, ତୁମ୍ଭେ କି ସକାଶ ନ ଆସିଲ ଗଲାକାଲି ।’’
ଵିଶ୍ବନାଥ —ଗଲାକାଲି ମୋହର ବେମାର ହୋଇଥିଲା, ସେଥି ସକାଶେ ମୁଁ ଆସି ପାରିଲି ନାହିଁ ।
ମିଲର ସାହେବ – ଓ, ତୁମ୍ଭେ ମିଥ୍ୟାଵାଦୀ ଅଛ, ମହରମ ପୂଜା କରିଵାକୁ ଗଲ । ତୁମ୍ଭପାଇଁ ଗୋଟିଏ ଟଙ୍କା ଜରିମାନା ରଖାଗଲା ।
ଵିଶ୍ୱନାଥ — ସାହେବ, ମୁଁ ହିନ୍ଦୁ ବ୍ରାହ୍ମଣ । ମୁସଲମାନ ମହରମ ପୂଜା କଲି କିପରି ?
ମିଲର – ଓ, ତୁମ୍ଭେ ସମସ୍ତ ଦେଵପୂଜକ ସମାନ ଅଛ ।
ସାହେବ ଏକଟଙ୍କା ଜରିମାନା କଲେ ମଧ୍ୟ ତାଙ୍କ ଅଜ୍ଞତା ଦେଖି ଆମ୍ଭେମାନେ ଖୁବ୍ ହସିଲୁ । ଆମ୍ଭମାନକ ଅନ୍ୟାନ୍ୟ ବନ୍ଧୁମାନେ ମଧ୍ଯ ମାସେ ଯାଏ ଏହିକଥା ଘେନି ଖୁବ୍ ହାସ୍ଯ କୌତୁକ କଲେ ।
ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଧର୍ମ କାହାଣୀ ହାଟ ଏଵଂ ଅନ୍ୟାନ୍ୟ ପ୍ରଧାନ ସ୍ଥାନମାନଙ୍କରେ ପ୍ରଚାର କରିଵା ସକାଶେ ସାହେବ ପ୍ରଚାରକ ଭାଇମାନଙ୍କୁ ସଙ୍ଗରେ ଘେନି ମଫସଲର ଦୂରଵର୍ତ୍ତୀ ସ୍ଥାନମାନଙ୍କୁ ଯାନ୍ତି । ସେମାନେ ବାଲେଶ୍ୱରକୁ ବାହୁଡ଼ିଵା ସଙ୍ଗେ ସଙ୍ଗେ ତାଙ୍କ ଵିପକ୍ଷରେ ଫୌଜଦାରିରେ ମାମଲା ଦାଏର ହୋଇଯାଏ ।
ମାମଲାର ଵିଵରଣ — ପ୍ରଚାରକ ଭାଇମାନଙ୍କ ସହିତ ସାହେବ ହାଟର ପ୍ରକାଶ୍ୟ ସ୍ଥାନରେ ଛିଡ଼ାହୋଇ ଇଂରାଜୀ ରାଗିଣୀରେ ଉଚ୍ଚକଣ୍ଠରେ ପ୍ରଥମେ ଗୋଟିଏ ଗୀତ ଗାଇଲେ, ହାଟର ଲୋକେ ସେହି ଅପୂର୍ଵ ସ୍ବରର ଗୀତ ଶୁଣିଵାକୁ ରୁଣ୍ଡ ହୋଇଯାନ୍ତି । ଗୀତର ଅର୍ଥ ବୁଝିଵା ହାଟୁଆ ବାଟୁଆଙ୍କ କଥା ତେଣିକି ଥାଉ, କୌଣସି ଶିକ୍ଷିତ ଲୋକ ମଧ୍ଯ ସେ ଗୀତର ଅର୍ଥ ବୁଝିଵାକୁ ସମର୍ଥ ହେବେ ନାହିଁ । ସଙ୍ଗୀତ ସମାପ୍ତ ହେଵା ଉତ୍ତାରେ ସାହେବ ସ୍ୱୟଂ ବକ୍ତୃତା ଆରମ୍ଭ କରନ୍ତି— ଏ ବାଇମାନେ, ତୁମ୍ଭମାନଙ୍କ ଜଗନ୍ନାଥ କାଷ୍ଠ ଅଛି, ପାଷାଣ ଅଛି, ସେ କିଛି ନୁହେଁ । ତାକୁ ବଜିଲେ ଅନନ୍ତ ନରକରେ ପଡ଼ିଵ । ପ୍ରବୁ ଯିଶୁଖ୍ରୀଷ୍ଟ ତ୍ରାଣକର୍ତ୍ତା ଅଟନ୍ତି । ତାଙ୍କୁ ବଜିଲେ ଆଲୁଅ ପାଇଵ, ସ୍ୱର୍ଗରାଜ୍ୟର ଅଧିକାରୀ ହେଵ ।
କେହି ନିର୍ବୋଧ ଲୋକ ଯେବେ କହିପକାଏ, ‘ନାହିଁ ନାହିଁ ସାହେବ, ଆମ୍ଭ ଜଗନ୍ନାଥ ଭଲ, ତୁମ୍ଭ ଯିଶୁଖ୍ରୀଷ୍ଟ ଭଲ ନୁହେ ।’ ସାହେବ ତ କ୍ରୋଧରେ ଅସ୍ଥିର । ‘ଆରେ ଦୁଷ୍ଟ ଦେଵପୂଜକ ହିନ୍ଦୁ, ପ୍ରବୁ ଯିଶୁଖ୍ରୀଷ୍ଟଙ୍କୁ ନିନ୍ଦାକଲୁ ।’ ହାତରେ ଘୋଡ଼ା ଚାବୁକ ଥାଏ, ଦେ ପ୍ରହାର ! କେଵଳ ଖ୍ରୀଷ୍ଟ ନିନ୍ଦୁକକୁ ନୁହେଁ, ଯେ ଆଗରେ ପଡ଼ିଯାଏ, ତାହାକୁ ପ୍ରହାର । ଶେଷରେ ଫୌଜଦାରି ଅଦାଲତରେ ମାମଲା ଦାଏର ହୁଏ ।"
ଜଣେ ସାଧାରଣ ପାଠକ ଏହି ଲେଖାଟିକୁ ପଢ଼ି ଆମୋଦିତ ହେଵ ଏଵଂ କିଛି ଦିନ ପରେ ହୁଏତ ଭୁଲିଯିଵ । ତେବେ ଯୋଉମାନେ ଏହାକୁ ପଢ଼ିଵା ସହିତ ଏଥିରେ ଥିଵା ଗଭୀର ଵିଷୟଗୁଡ଼ିକୁ ଭଲ ଭାବରେ ଵିଶ୍ଳେଷଣ କରିଥିବେ ସେମାନଙ୍କ ପାଇଁ ଫକୀରମୋହନଙ୍କ ଆତ୍ମଚରିତର ଏହା ଏକ ମୂଲ୍ୟଵାନ ଅଂଶ ହୋଇଯିଵ ।
ନିଜ ଆତ୍ମଚରିତରେ ଫକୀରମୋହନ ସ୍ପଷ୍ଟ ଲେଖିଛନ୍ତି—
“ଜାତିପାତି ଆଶଙ୍କାରେ ବାଳିକାମାନଙ୍କୁ ପଢ଼ାଇଵା ହିନ୍ଦୁମାନଙ୍କ ପକ୍ଷରେ ନିତାନ୍ତ ଭୟର କାରଣ ଥିଲା।”
ଏଥିରୁ ଜଣାପଡ଼େ ଯେ ଊନବିଂଶ ଶତାବ୍ଦୀର ଓଡ଼ିଶାରେ ଅନେକ ହିନ୍ଦୁ ପରିଵାର ଝିଅମାନଙ୍କୁ ଵିଦ୍ୟାଳୟକୁ ପଠାଇଵାକୁ ଭୟ କରୁଥିଲେ। ସେମାନଙ୍କ ଆଶଙ୍କା ଥିଲା ଯେ ମିଶନ ସ୍କୁଲକୁ ଗଲେ ଜାତି-ଧର୍ମ ନଷ୍ଟ ହୋଇପାରେ କିମ୍ବା ଖ୍ରୀଷ୍ଟଧର୍ମର ପ୍ରଭାବ ପଡ଼ିପାରେ। ଏହି କାରଣରୁ ବାଳିକା ଶିକ୍ଷାର ପ୍ରସାର ବହୁତ ଧୀର ଥିଲା। ଏହି ଆଶଙ୍କା ଅମୂଳକ ନଥିଲା । ଝିଅମାନଙ୍କୁ ସହଜରେ ଭ୍ରମିତ କରାଯାଇପାରୁଥିଲା । ଝିଅମାନଙ୍କର ମାନସିକତା ପରିଵର୍ତ୍ତନ ଘଟିଲେ ସମାଜର ପ୍ରାଚୀନ ରୀତିନୀତି ମଧ୍ୟ ବଦଳି ଯାଇପାରେ । ଆଜିର ଝିଅ କାଲିର ମାଆ । ଯଦି ମାଆମାନେ ହିଁ ନିଜ ମାଟିର ରୀତିନୀତି,ପୂଜା ପଦ୍ଧତି ଓ ଚଳଣି ଛାଡ଼ି ଦେବେ ତେବେ ପିଲାମାନେ ମଧ୍ୟ ଛାଡ଼ି ଦେବେ । ପୁଣି ତତ୍କାଳୀନ ଓଡ଼ିଶାର ସମାଜ ମଧ୍ୟ ବହୁତ ରକ୍ଷଣଶୀଳ ଥିଲା । ଲୋକମାନେ ସହଜରେ କିଛି ଗ୍ରହଣ କରୁନଥିଲେ । ସେଥିପାଇଁ ସାବୁନ ଆସିଵାରୁ ତାକୁ ସାଇବ ଗୁହ ନାଆଁ ଦେଇଥିଲେ । ପଠାଣ କିମ୍ବା ଖିରସ୍ତାନୀ ଘରେ ଖାଇଲେ ଧର୍ମ ଚାଲି ଯାଉଥିଲା । ମିଶନ ସ୍କୁଲରେ ପଢ଼ିଲେ,କଲିକତା ଯାଇ ଇଂରାଜୀ ଵିଦ୍ୟାଳୟରେ ପଢ଼ିଲେ ଲୋକେ ସେଭଳି ଛାତ୍ରଛାତ୍ରୀଙ୍କୁ ଖିରସ୍ତାନୀ ଘୋଷଣା କରି ଦେଉଥିଲେ । ଉଦାହରଣ ସ୍ୱରୂପ ମଧୁସୂଦନ ଦାସ କଲିକତା ପଢ଼ିଵାକୁ ଗଲାରୁ ଉତ୍କଳ ଦୀପିକାରେ ତାଙ୍କ ଵିପକ୍ଷରେ ଏକ ଲେଖା ପ୍ରକାଶ ପାଇଥିଲା। ତେଣୁ ଫକୀରମୋହନ ସେ ସମୟର ରକ୍ଷଣଶୀଳ ସମାଜର ଚିତ୍ର ଏଠାରେ ପ୍ରଦାନ କରିଛନ୍ତି ।
ତହୁଁ ମହରମ ଘଟଣାରେ ମିଲର ସାହେବ ହିନ୍ଦୁ ଓ ମୁସଲମାନଙ୍କ ଧର୍ମୀୟ ପାର୍ଥକ୍ୟ ଠିକ୍ ଭାବେ ବୁଝିନଥିଵା ଭଳି ଚିତ୍ରିତ ହୋଇଛନ୍ତି। ଫକୀରମୋହନ ଲେଖିଛନ୍ତି—
“ତୁମ୍ଭେ ସମସ୍ତ ଦେଵପୂଜକ ସମାନ ଅଛ।”
ଫକୀରମୋହନ ଏହାକୁ ଔପନିବେଶିକ ଅଧିକାରୀଙ୍କ ସ୍ଥାନୀୟ ସମାଜ ଓ ଧର୍ମ ସମ୍ବନ୍ଧୀୟ ଅଜ୍ଞତାର ଉଦାହରଣ ଭାବେ ଦେଖାଇଛନ୍ତି। ଇଂରେଜ ଶାସନ ସମୟରେ ଫକୀରମୋହନ ସେନାପତି ନିଜ ଆତ୍ମଚରିତରେ ଜଣେ ଇଂରେଜ ସାହେବଙ୍କର ଅଜ୍ଞତା ଦେଖି ଉପହାସ କରିଛନ୍ତି । ଏହା ତାଙ୍କର ସାହସ ଓ ସଚ୍ଚୋଟତାର ଅନ୍ୟତମ ପ୍ରମାଣ ଅଟେ ।
ପୁଣି ଫକୀରମୋହନଙ୍କ ଵର୍ଣ୍ଣନା ଅନୁସାରେ ମିଶନରୀମାନେ ହାଟବଜାର ଓ ସାଧାରଣ ସ୍ଥାନରେ ଯାଇ ଗୀତ ଗାଉଥିଲେ ଓ ଧର୍ମପ୍ରଚାର କରୁଥିଲେ। ସେମାନେ ଲୋକଙ୍କୁ ଯିଶୁଖ୍ରୀଷ୍ଟଙ୍କ ଉପରେ ଵିଶ୍ୱାସ କରିବାକୁ କହୁଥିଲେ ଏବଂ ହିନ୍ଦୁ ମୂର୍ତ୍ତିପୂଜାର ସମାଲୋଚନା କରୁଥିଲେ।
ଏଥିରୁ ବୁଝାଯାଏ ଯେ ସେହି ସମୟରେ ଖ୍ରୀଷ୍ଟୀୟ ମିଶନରୀ କାର୍ଯ୍ୟକଳାପ ସକ୍ରିୟ ଥିଲା ଏଵଂ ଧର୍ମପ୍ରଚାର ଏକ ଗୁରୁତ୍ୱପୂର୍ଣ୍ଣ କାମ ଥିଲା। ଏକ ଖିରସ୍ତାନୀ ସରକାରର ଶାସନରେ ଥାଇ ମଧ୍ୟ ଫକୀରମୋହନ ନିର୍ଭୀକ ଭାବେ ଲେଖିଛନ୍ତି ଯେ କେମିତି ମିଶନରୀମାନେ ହିନ୍ଦୁ ଦେଵାଦେଵୀଙ୍କର ସର୍ଵସାଧାରଣରେ ଅପମାନ କରୁଥିଲେ ଏଵଂ ଲୋକଙ୍କୁ ଧର୍ମାନ୍ତରୀକରଣ କରୁଥିଲେ ।
ଫକୀରମୋହନଙ୍କ ଵର୍ଣ୍ଣନାରେ ମିଶନରୀ ସାହେବମାନେ ହିନ୍ଦୁ ଦେଵାଦେଵୀଙ୍କ ସମାଲୋଚନା କରୁଥିଵା ସମୟରେ କିଛି ହିନ୍ଦୁ ପ୍ରତିଵାଦ କରୁଥିଲେ ଏଵଂ ତର୍କଵିତର୍କ ସୃଷ୍ଟି ହେଉଥିଲା। ଅର୍ଥାତ୍ ଧର୍ମପ୍ରଚାର କାର୍ଯ୍ୟ ସବୁବେଳେ ଶାନ୍ତିପୂର୍ଣ୍ଣ ଭାବେ ଗ୍ରହଣ କରାଯାଉନଥିଲା ଵରଂ ଅନେକ ସମୟରେ ଧର୍ମୀୟ ଵିଵାଦ ମଧ୍ୟ ଦେଖାଯାଉଥିଲା।
ଫକୀରମୋହନ ଲେଖିଛନ୍ତି ଯେ ପ୍ରଚାର ଶେଷରେ କେବେ କେବେ ଫୌଜଦାରି ମାମଲା ହେଉଥିଲା। ତାଙ୍କ ଵର୍ଣ୍ଣନା ଅନୁସାରେ କିଛି ଲୋକ ଇଂରେଜ ସାହେବଙ୍କ ଦ୍ଵାରା ପ୍ରହାର ପାଇଥିଲେ ଏଵଂ ପରେ ଅଦାଲତରେ ମାମଲା ହୋଇଥିଲା। ଏହାରୁ ବୁଝାଯାଏ ଯେ ଧର୍ମପ୍ରଚାରକୁ କେନ୍ଦ୍ର କରି ସ୍ଥାନୀୟ ସ୍ତରରେ ଵିଭେଦ ଓ ଆଇନଗତ ଵିଵାଦ ସୃଷ୍ଟି ହେଉଥିଲା। ଏଠାରେ ଫକୀରମୋହନ ଇଂରେଜ ସାହେବମାନଙ୍କର ସାଧାରଣ ପ୍ରଜାଙ୍କ ଉପରେ କରାଯାଉଥିଵା ଅତ୍ୟାଚାରକୁ ବଡ଼ ଚତୁରତାର ସହିତ ଲେଖିଯାଇଛନ୍ତି ।
ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ଫକୀରମୋହନ ନିଜ ସମୟରେ ଅସାଧାରଣ ସ୍ପଷ୍ଟଵାଦୀ ଓ ନିର୍ଭୀକ ଲେଖକ ଥିଲେ। ସେ ବ୍ରିଟିଶ ଶାସନକାଳରେ ମଧ୍ୟ ମିଶନରୀମାନଙ୍କ କାର୍ଯ୍ୟକଳାପ, କିଛି ଇଂରେଜ ଅଧିକାରୀଙ୍କ ଅଜ୍ଞତା କିମ୍ବା ଅନୁଚିତ ଆଚରଣ ଏଵଂ ସମାଜର ଵିଭିନ୍ନ ସମସ୍ୟା ଵିଷୟରେ ନିଜ ମତ ଲେଖିଵାକୁ ସାହସ ଦେଖାଇଥିଲେ। ତତ୍କାଳୀନ ଭାରତରେ ଏଭଳି ସାହସ ବହୁତ କ୍ଵଚିତ୍ ଲୋକ ଦେଖାଇଥିଲେ।
କିନ୍ତୁ ଆଜି କିଛି ଲୋକ ଓଡ଼ିଶାରେ ଦେଖା ଦେଇଛନ୍ତି ଯେଉଁମାନେ ଫକୀରମୋହନଙ୍କ ସାହିତ୍ୟ ଓ ଆତ୍ମଚରିତକୁ ଭଲଭାବେ ନ ପଢ଼ି ତାଙ୍କୁ ପଠାଣ, ଖିରସ୍ତାନୀ, ଇଂରେଜମାନଙ୍କ ଏଜେଣ୍ଟ ଇତ୍ୟାଦି ବୋଲି ଆଖ୍ୟା ଦେଇଥାନ୍ତି। ଏଭଳି ମତାମତ ଅଧିକାଂଶ କ୍ଷେତ୍ରରେ ଐତିହାସିକ ତଥ୍ୟ ଅପେକ୍ଷା ପୂର୍ଵଧାରଣା ଉପରେ ଆଧାରିତ। ଫକୀରମୋହନଙ୍କ ରଚନାକୁ ମନୋଯୋଗ ସହକାରେ ପଢ଼ିଲେ ଦେଖାଯାଏ ଯେ ସେ ଏକପକ୍ଷରେ ନିଜ ସମାଜର ଦୁର୍ଵଳତା ଓ କୁସଂସ୍କାରର ସମାଲୋଚନା କରିଛନ୍ତି, ଅନ୍ୟପକ୍ଷରେ ଔପନିଵେଶିକ ଶାସନ, କିଛି ଇଂରେଜ ଅଧିକାରୀଙ୍କ ଅଜ୍ଞତା ଏଵଂ ମିଶନରୀମାନଙ୍କ ଅତିରିକ୍ତ ଉତ୍ସାହକୁ ମଧ୍ୟ ନିର୍ଭୟରେ ଉଲ୍ଲେଖ କରିଛନ୍ତି। ଜଣେ ସତ୍ୟନିଷ୍ଠ ସାହିତ୍ୟିକଙ୍କ କାର୍ଯ୍ୟ କୌଣସି ଗୋଷ୍ଠୀର ପ୍ରଶଂସା କିମ୍ବା ନିନ୍ଦା କରିଵା ନୁହେଁ ଵରଂ ସେ ଯାହା ଦେଖିଛନ୍ତି ଓ ବୁଝିଛନ୍ତି ତାହାକୁ ସତ୍ୟନିଷ୍ଠ ଭାବେ ଲିପିବଦ୍ଧ କରିଵା ଅଟେ । ଫକୀରମୋହନ ସେହି କାମଟି ହିଁ କରିଥିଲେ। ସେଥିପାଇଁ ତାଙ୍କୁ ଵିଚାର କରିଵାକୁ ହେଲେ ଗୁଜବ, ଶୁଣାକଥା କିମ୍ବା ଆଧୁନିକ ରାଜନୈତିକ ଚଷମା ଦ୍ୱାରା ନୁହେଁ ଵରଂ ତାଙ୍କ ନିଜସ୍ୱ ଲେଖା ଓ ଐତିହାସିକ ପ୍ରସଙ୍ଗ ଆଧାରରେ କରିଵା ଉଚିତ୍ । ଯେତେ ଅଧିକ ଫକୀରମୋହନଙ୍କ ରଚନା ପଢ଼ାଯିଵ, ସେତେ ଅଧିକ ସ୍ପଷ୍ଟ ହେଵ ଯେ ସେ କୌଣସି ଵିଦେଶୀ ଶକ୍ତିର ମୁଖପାତ୍ର ନଥିଲେ । ଫକୀରମୋହନ ଥିଲେ ନିଜ ସମୟର ସମାଜକୁ ଗଭୀର ଭାବେ ପର୍ଯ୍ୟଵେକ୍ଷଣ କରୁଥିଵା ଜଣେ ସ୍ୱାଧୀନଚେତା ଓଡ଼ିଆ ଚିନ୍ତକ ଓ ସାହିତ୍ୟିକ।
No comments:
Post a Comment