ଖାଦ୍ୟ ଶୃଙ୍ଖଳାର ଶୀର୍ଷକୁ ଯିଵା ପଥରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଗ୍ନି ଵା ନିଆଁ ଉପରେ ନିୟନ୍ତ୍ରଣ ଥିଲା। ମଣିଷ ଏକ ଦୀର୍ଘକାଳୀନ ଭିତ୍ତିରେ ଅଗ୍ନିକୁ ପୋଷା ମନାଇଵା ଶିଖିଥିଲା । ପ୍ରାୟ ୮,୦୦,୦୦୦ ଵର୍ଷ ପୂର୍ଵେ କିଛି ମାନଵ ଜାତି ବେଳେବେଳେ ନିଆଁର ଵ୍ୟଵହାର କରୁଥିଲେ । ଅଗ୍ନି ଵ୍ୟଵହାର କ୍ଷେତ୍ରରେ ହୋମୋ ଇରକ୍ଟସ୍ ପ୍ରଥମ ମାନଵଜାତି ଥିଲା । କିନ୍ତୁ ପ୍ରାୟ ୩,୦୦,୦୦୦ ଵର୍ଷ ପୂର୍ଵକୁ ଆସିଵା ବେଳକୁ ହୋମୋ ଏରେକ୍ଟସ, ନିଆଣ୍ଡରଥାଲ୍ ଏଵଂ ହୋମୋ ସାପିଏନ୍ସଙ୍କ ପୂର୍ଵପୁରୁଷମାନେ ପ୍ରତିଦିନ ନିଆଁ ଵ୍ୟଵହାର କରୁଥିଲେ । ମଣିଷ ପାଖରେ ଏବେ ଆଲୋକ ଏଵଂ ଉଷ୍ମତାର ଏକ ନିର୍ଭରଯୋଗ୍ୟ ଉତ୍ସ ଥିଲା ଏଵଂ ବୁଲୁଥିଵା ସିଂହ ଵ୍ୟାଘ୍ର ହେଟାବାଘ ଇତ୍ୟାଦି ହିଂସ୍ରଜନ୍ତୁମାନଙ୍କ ଵିରୁଦ୍ଧରେ ଏକ ମାରାତ୍ମକ ଅସ୍ତ୍ର ମଧ୍ୟ ଥିଲା । ଏହାର କିଛି ସମୟ ପରେ, ମଣିଷ ବୋଧହୁଏ ନିଜ ଆଖପାଖ ଅଞ୍ଚଳରେ ଜାଣିଶୁଣି ନିଆଁ ଲଗାଇଵା ଆରମ୍ଭ କଲା । ସତର୍କତାର ସହ ଲଗାଯାଇଥିଵା ନିଆଁ ଦ୍ୱାରା ଅଗମ୍ୟ ଘଞ୍ଚ ବୁଦାଗୁଡ଼ିକୁ ଉତ୍କୃଷ୍ଟ ଘାସ ପଡ଼ିଆରେ ପରିଣତ କରାଯାଇପାରୁଥିଲା । ଫଳତଃ ଏଭଳି ପଡ଼ିଆରୁ ପ୍ରଚୁର ଶିକାର ମିଳୁଥିଲେ । ଏହାଛଡ଼ା ନିଆଁ ଲିଭିଯିଵା ପରେ ସେହି ପାଉଁଶ ଓ ଧୂଆଁ ଭିତରୁ ପ୍ରସ୍ତର ଯୁଗର ଲୋକମାନେ ପୋଡ଼ି ହୋଇଯାଇଥିଵା ପ୍ରାଣୀ, ବାଦାମ ଓ କନ୍ଦମୂଳ ସଂଗ୍ରହ କରିପାରୁଥିଲେ ।
କିନ୍ତୁ ନିଆଁର ସବୁଠାରୁ ବଡ଼ ଅଵଦାନ ଥିଲା ରୋଷେଇ । ଗହମ,ଧାନ୍ୟ ଓ ଆଳୁ ଭଳି ଯେଉଁ ଖାଦ୍ୟଗୁଡ଼ିକୁ ମଣିଷ ପ୍ରାକୃତିକ ଅଵସ୍ଥାରେ ହଜମ କରିପାରେ ନାହିଁ ଏବେ ରୋଷେଇ ଯୋଗୁଁ ତାହା ଆମ ଖାଦ୍ୟର ମୁଖ୍ୟ ଅଂଶ ହୋଇପାରିଲା । ନିଆଁ କେଵଳ ଖାଦ୍ୟର ରାସାୟନିକ ଗଠନ ବଦଳାଇ ଦେଲା ନାହିଁ ଵରଂ ଏହାର ଜୈଵିକ ଗଠନ ମଧ୍ୟ ବଦଳାଇ ଦେଲା । ରୋଷେଇ ଦ୍ୱାରା ଖାଦ୍ୟରେ ଥିଵା ଜୀଵାଣୁ,ଵୀଜାଣୁ,ଭୂତାଣୁ ଇତ୍ୟାଦି ପରଜୀଵୀମାନେ ମରିଗଲେ । ଏହାସହ ମଣିଷର ପ୍ରିୟ ଖାଦ୍ୟ ଯଥା ଫଳ, ବାଦାମ, ପୋକଜୋକ ଓ ମାଂସ ଯଦି ରନ୍ଧା ହେଉଥିଲା ତେବେ ସେଗୁଡ଼ିକୁ ଚୋଵାଇଵା ଏଵଂ ହଜମ କରିଵା ଆହୁରି ସହଜ ହେଲା । ଚିମ୍ପାଞ୍ଜିମାନେ ଦିନକୁ ପାଞ୍ଚ ଘଣ୍ଟା କଞ୍ଚା ଖାଦ୍ୟ ଚୋଵାଇଵାରେ ବିତାଇ ଦେଉଥିଲାବେଳେ ମନୁଷ୍ୟମାନେ ରନ୍ଧା ଖାଦ୍ୟ ଖାଉଥିଵାରୁ ସେମାନଙ୍କ ପାଇଁ ଖାଦ୍ୟ କ୍ଷେତ୍ରରେ ମାତ୍ର ଗୋଟିଏ ଘଣ୍ଟା ଵ୍ୟୟ ହେଲା ।
ରୋଷେଇର ପ୍ରଚଳନ ଫଳରେ ମଣିଷ ଅଧିକ ପ୍ରକାରର ଖାଦ୍ୟ ଖାଇଵାକୁ ସକ୍ଷମ ହେଲା, ଖାଇଵା ପାଇଁ କମ୍ ସମୟ ଵ୍ୟୟ କଲା ଏଵଂ ଛୋଟ ଦାନ୍ତ ତଥା ତା' ପାଇଁ ଛୋଟ ଅନ୍ତଃନଳୀ (Intestines) ସହ ଵଞ୍ଚିଵା ସମ୍ଭଵ ହେଲା । କେତେକ ଵିଦ୍ୱାନ ଵିଶ୍ୱାସ କରନ୍ତି ଯେ ରୋଷେଇର ଆରମ୍ଭ, ମାନଵ ଅନ୍ତଃନଳୀର ସଂକୋଚନ ଏଵଂ ମସ୍ତିଷ୍କର ଅଭିଵୃଦ୍ଧି ମଧ୍ୟରେ ଏକ ପ୍ରତ୍ୟକ୍ଷ ସମ୍ପର୍କ ରହିଛି ।
ଯେହେତୁ ଲମ୍ଵା ଅନ୍ତଃନଳୀ ଏଵଂ ବଡ଼ ମସ୍ତିଷ୍କ ଉଭୟ ପ୍ରଚୁର ଶକ୍ତି ଵ୍ୟଵହାର କରନ୍ତି ତେଣୁ ଏକାସଙ୍ଗେ ଉଭୟକୁ ରଖିଵା କଷ୍ଟକର । ଅନ୍ତଃନଳୀକୁ ଛୋଟ କରି ଏଵଂ ତହିଁର ଶକ୍ତି ଵ୍ୟଵହାରକୁ କମ୍ କରି, ରୋଷେଇ ଅଜାଣତରେ ନିଆଣ୍ଡରଥାଲ୍ ଓ ସାପିଏନ୍ସଙ୍କ ବଡ଼ ମସ୍ତିଷ୍କ ପାଇଁ ପଥ ପରିଷ୍କାର କରିଦେଲା ।
ନିଆଁ ମଧ୍ୟ ମଣିଷ ଏଵଂ ଅନ୍ୟ ପ୍ରାଣୀମାନଙ୍କ ମଧ୍ୟରେ ପ୍ରଥମ ବଡ଼ ପାର୍ଥକ୍ୟ ସୃଷ୍ଟି କଲା । ପ୍ରାୟ ସମସ୍ତ ପ୍ରାଣୀଙ୍କ ଶକ୍ତି ସେମାନଙ୍କ ଶରୀର ଉପରେ ନିର୍ଭର କରେ: ସେମାନଙ୍କ ମାଂସପେଶୀର ବଳ, ଦାନ୍ତର ଆକାର କିମ୍ଵା ଡେଣାର ପ୍ରସାର ଉପରେ ନିର୍ଭର କରିଥାଏ । ଯଦ୍ୟପି ସେମାନେ ପଵନ ଓ ଜଳସ୍ରୋତର ସାହାଯ୍ୟ ନିଅନ୍ତି କିନ୍ତୁ ସେମାନେ ଏହି ପ୍ରାକୃତିକ ଶକ୍ତିଗୁଡ଼ିକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ ଏଵଂ ସର୍ଵଦା ନିଜ ଶାରୀରିକ ଗଠନ ଉପରେ ନିର୍ଭର କରନ୍ତି । ଉଦାହରଣ ସ୍ୱରୂପ, ଚିଲ ଵା ଇଗଲ୍ମାନେ ଭୂମିରୁ ଉଠୁଥିଵା ଗରମ ପଵନର ସ୍ରୋତକୁ ଚିହ୍ନଟ କରନ୍ତି, ନିଜର ଵିଶାଳ ଡେଣା ମେଲାଇ ଦିଅନ୍ତି ଏଵଂ ସେହି ପଵନ ସେମାନଙ୍କୁ ଉପରକୁ ଉଠାଇଵାରେ ସାହାଯ୍ୟ କରେ । ତଥାପି ସେମାନେ ସେହି ପଵନର ଉତ୍ସ କେଉଁଠି ସୃଷ୍ଟି ହେଵ ତାହା ନିୟନ୍ତ୍ରଣ କରିପାରନ୍ତି ନାହିଁ ଏଵଂ ସେମାନଙ୍କର ବୋହିଵା କ୍ଷମତା ସେମାନଙ୍କ ଡେଣାର ଆକାର ଅନୁସାରେ ସୀମିତ ଥାଏ ।
କିନ୍ତୁ ଯେତେବେଳେ ମଣିଷ ନିଆଁକୁ ଵଶ କଲା, ସେ ଏକ ଆଜ୍ଞାଵହ ଓ ଅସୀମ ଶକ୍ତି ଉପରେ ନିୟନ୍ତ୍ରଣ ଲାଭ କଲା । ଇଗଲ୍ ପରି ନୁହେଁ, ମଣିଷ ନିଜେ ସ୍ଥିର କରିପାରିଲା ଯେ କେତେବେଳେ ଓ କେଉଁଠି ନିଆଁ ଜଳାଇଵ ଏଵଂ ସେ ଅନେକ କାର୍ଯ୍ୟ ପାଇଁ ନିଆଁର ଵ୍ୟଵହାର କରିଵାରେ ସକ୍ଷମ ହେଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିଆଁର ଶକ୍ତି ମଣିଷ ଶରୀରର ରୂପ, ଗଠନ ଵା ବଳ ମଧ୍ୟରେ ସୀମିତ ନଥିଲା । ଚକମକି ପଥର ଵା ନିଆଁ କାଠି ଧରିଥିଵା ଜଣେ ମହିଳା ମାତ୍ର କିଛି ଘଣ୍ଟା ମଧ୍ୟରେ ଏକ ସମ୍ପୂର୍ଣ୍ଣ ଜଙ୍ଗଲକୁ ପୋଡ଼ି ପାଉଁଶ କରିପାରୁଥିଲେ ।
ନିଆଁର ଵଶୀକରଣ ହିଁ ଭଵିଷ୍ୟତରେ ଆସିଵାକୁ ଥିଵା ବଡ଼ ପରିଵର୍ତ୍ତନଗୁଡ଼ିକର ଏକ ସଙ୍କେତ ଥିଲା ।
••••••••••••••••••••••••••••••••••••••••
ସେପିଏନ୍ସ: ମାନଵଜାତିର ସଂକ୍ଷିପ୍ତ ଇତିହାସ — (ଭାଗ —୪)
ମୂଳ ଲେଖକ: ୟୁଵାଲ୍ ନୋଆ ହାରାରି
••••••••••••••••••••••••••••••••••••••••
No comments:
Post a Comment