Friday, May 15, 2026

ଏକ ଗୁରୁତ୍ୱହୀନ ପ୍ରାଣୀ

ପ୍ରାୟ ୧୩୫୦ରୁ ୧୩୮୦ କୋଟି ଵର୍ଷ ପୂର୍ଵେ, ଵସ୍ତୁ, ଶକ୍ତି, ସମୟ ଓ ମହାକାଶର ସୃଷ୍ଟି ହୋଇଥିଲା, ଯାହା 'ଵିଗ୍ ଵ୍ୟାଙ୍ଗ୍' ନାମରେ ପରିଚିତ । ଆମ ଵ୍ରହ୍ମାଣ୍ଡର ଏହି ମୌଳିକ ଵୈଶିଷ୍ଟ୍ୟଗୁଡ଼ିକର କାହାଣୀକୁ ପଦାର୍ଥ ଵିଜ୍ଞାନ କୁହାଯାଏ । ସେଗୁଡ଼ିକର ଆଵିର୍ଭାଵର ପ୍ରାୟ ୩,୦୦,୦୦୦ ଵର୍ଷ ପରେ, ଵସ୍ତୁ ଓ ଶକ୍ତି ଏକାଠି ହୋଇ ପରମାଣୁ ନାମକ ଜଟିଳ ସଂରଚନା ଗଠନ କରିଵାକୁ ଲାଗିଲେ, ଯାହା ପରେ ଅଣୁରେ ପରିଣତ ହେଲା । ପରମାଣୁ, ଅଣୁ ଏଵଂ ସେଗୁଡ଼ିକ ମଧ୍ୟରେ ହେଉଥିଵା ପ୍ରତିକ୍ରିୟାର କାହାଣୀକୁ ରସାୟନ ଵିଜ୍ଞାନ କୁହାଯାଏ ।

ପ୍ରାୟ ୩୮୦ କୋଟି ଵର୍ଷ ପୂର୍ଵେ, ପୃଥିଵୀ ନାମକ ଏକ ଗ୍ରହରେ କିଛି ନିର୍ଦ୍ଦିଷ୍ଟ ଅଣୁ ମିଶି ଜୀଵ ନାମକ ଵିଶେଷ ଭାଵେ ବଡ଼ ଓ ଜଟିଳ ସଂରଚନା ଗଠନ କଲେ । ଜୀଵମାନଙ୍କର ଏହି କାହାଣୀକୁ ଜୀଵଵିଜ୍ଞାନ କୁହାଯାଏ । ପ୍ରାୟ ୭୦,୦୦୦ ଵର୍ଷ ପୂର୍ଵେ, 'ହୋମୋ ସାପିଏନ୍ସ' ପ୍ରଜାତିର ଜୀଵମାନେ 'ସଂସ୍କୃତି' ନାମକ ଅଧିକ ଵିସ୍ତୃତ ସଂରଚନା ଗଠନ କରିଵା ଆରମ୍ଭ କଲେ । ଏହି ମାନଵ ସଂସ୍କୃତିଗୁଡ଼ିକର ପରଵର୍ତ୍ତୀ ଵିକାଶକୁ ଇତିହାସ କୁହାଯାଏ ।

ତିନୋଟି ପ୍ରମୁଖ ଵିପ୍ଳଵ ଇତିହାସର ଗତିପଥକୁ ରୂପରେଖ ଦେଇଥିଲା । "ଜ୍ଞାନାତ୍ମକ ଵିପ୍ଳଵ" ପ୍ରାୟ ୭୦,୦୦୦ ଵର୍ଷ ପୂର୍ଵେ ଇତିହାସର ସୂତ୍ରପାତ କରିଥିଲା । "କୃଷି ଵିପ୍ଳଵ" ପ୍ରାୟ ୧୨,୦୦୦ ଵର୍ଷ ପୂର୍ଵେ ଏହାର ଗତିକୁ ତ୍ୱରାନ୍ୱିତ କରିଥିଲା । "ଵୈଜ୍ଞାନିକ ଵିପ୍ଳଵ" , ଯାହା ମାତ୍ର ୫୦୦ ଵର୍ଷ ପୂର୍ଵେ ଆରମ୍ଭ ହୋଇଥିଲା, ଏହା ହୁଏତ ଇତିହାସର ସମାପ୍ତି କରି ଏକ ସମ୍ପୂର୍ଣ୍ଣ ଭିନ୍ନ ଜିନିଷର ଆରମ୍ଭ କରିପାରେ ।

ଏହି "Sapiens: A Brief History of Humankind" ପୁସ୍ତକଟି କୁହେ ଯେ କିପରି ଏହି ତିନୋଟି ଵିପ୍ଳଵ ମଣିଷ ଏଵଂ ସେମାନଙ୍କ ସହ ରହୁଥିଵା ଅନ୍ୟ ଜୀଵମାନଙ୍କୁ ପ୍ରଭାଵିତ କରିଛି ।
ଇତିହାସ ଆରମ୍ଭ ହେଵାର ଵହୁ ପୂର୍ଵରୁ ମଣିଷର ଅସ୍ତିତ୍ୱ ଥିଲା । ଆଧୁନିକ ମଣିଷ ଭଳି ପ୍ରାଣୀମାନେ ପ୍ରାୟ ୨୫ ଲକ୍ଷ ଵର୍ଷ ପୂର୍ଵେ ପ୍ରଥମେ ଦେଖାଦେଇଥିଲେ । କିନ୍ତୁ ଅଗଣିତ ପିଢ଼ି ଧରି ସେମାନେ ସେମାନଙ୍କ ଵାସସ୍ଥାନରେ ଥିଵା ଅନ୍ୟ ଅସଂଖ୍ୟ ଜୀଵମାନଙ୍କଠାରୁ କୌଣସି ଗୁଣରେ ସ୍ୱତନ୍ତ୍ର ନଥିଲେ ।

ପ୍ରାୟ ୨୦ ଲକ୍ଷ ଵର୍ଷ ପୂର୍ଵେ ପୂର୍ଵ ଆଫ୍ରିକାରେ ଭ୍ରମଣ କଲାଵେଳେ ଆପଣ ହୁଏତ କିଛି ପରିଚିତ ମାନଵୀୟ ଚରିତ୍ରଙ୍କ ସହ ଭେଟ ହୋଇଥାନ୍ତେ: ନିଜ ଶିଶୁକୁ କୋଳେଇ ଧରିଥିଵା ଚିନ୍ତିତ ମା' ଏଵଂ କାଦୁଅରେ ଖେଳୁଥିଵା କିଛି ନିଶ୍ଚିନ୍ତ ପିଲା; ସମାଜର ନିୟମ ଵିରୁଦ୍ଧରେ ଵିଦ୍ରୋହ କରୁଥିଵା କ୍ରୋଧୀ ଯୁଵକ ଏଵଂ ଶାନ୍ତିରେ ରହିଵାକୁ ଚାହୁଁଥିଵା କ୍ଳାନ୍ତ ଵୃଦ୍ଧ; ନିଜ ଵୀରତ୍ଵ ଦେଖାଇ ସ୍ଥାନୀୟ ସୁନ୍ଦରୀଙ୍କୁ ଆକୃଷ୍ଟ କରିଵାକୁ ଚେଷ୍ଟା କରୁଥିଵା ଯୁଵକ ଏଵଂ ସବୁ ଦେଖିସାରିଥିଵା ଜ୍ଞାନୀ ଵୃଦ୍ଧା । ଏହି ପ୍ରାଚୀନ ମଣିଷମାନେ ପରସ୍ପରକୁ ଭଲ ପାଉଥିଲେ, ଖେଳୁଥିଲେ, ବନ୍ଧୁତା କରୁଥିଲେ ଏଵଂ କ୍ଷମତା ପାଇଁ ପ୍ରତିଦ୍ଵନ୍ଦ୍ଵିତା ମଧ୍ୟ କରୁଥିଲେ - କିନ୍ତୁ ସିମ୍ପାଞ୍ଜି, ଵାବୁନ ଏଵଂ ହାତୀମାନେ ମଧ୍ୟ ଠିକ୍ ସେଇଆ କରୁଥିଲେ । ସେମାନଙ୍କ ପାଖରେ ସ୍ଵତନ୍ତ୍ର ବୋଲି କିଛି ନଥିଲା । କେହି ବି ଜାଣି ନଥିଲେ, ଏପରିକି ନିଜେ ମଣିଷ ମଧ୍ୟ ଜାଣି ନଥିଲେ ଯେ ସେମାନଙ୍କ ଵଂଶଧରମାନେ ଦିନେ ଚନ୍ଦ୍ରରେ ପାଦ ଦେଵେ, ପରମାଣୁ ଵିଭାଜନ କରିଵେ, ଜିନେଟିକ୍ କୋଡ୍ ବୁଝିଵେ ଏଵଂ ଇତିହାସ ବହି ଲେଖିଵେ । ପ୍ରାଗୈତିହାସିକ ମଣିଷଙ୍କ ଵିଷୟରେ ଜାଣିଵା ହେତୁ ଥିଵା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯେ ସେମାନେ ଅତି ସାଧାରଣ ପ୍ରାଣୀ ଥିଲେ ଏଵଂ ସେମାନଙ୍କର ପରିଵେଶ ଉପରେ ଗରିଲା, ଜୁଳୁଜୁଳିଆ ପୋକ କିମ୍ଵା ଜେଲିଫିସଠାରୁ ଅଧିକ ପ୍ରଭାଵ ନଥିଲା ।

ଜୀଵଵିଜ୍ଞାନୀମାନେ ଜୀଵମାନଙ୍କୁ ଵିଭିନ୍ନ 'ଜାତି' ଵା Speciesରେ ଵିଭକ୍ତ କରନ୍ତି । ଯଦି ଦୁଇଟି ପ୍ରାଣୀ ପରସ୍ପର ସହ ପ୍ରଜନନ କରି ଏକ ପ୍ରଜନନକ୍ଷମ ସନ୍ତାନ ଜନ୍ମ ଦେଇପାରନ୍ତି, ତେବେ ସେମାନଙ୍କୁ ସମାନ ଜାତିର ବୋଲି କୁହାଯାଏ । ଘୋଡ଼ା ଓ ଗଧଙ୍କ ପୂର୍ଵପୁରୁଷ ସମାନ ଏଵଂ ସେମାନଙ୍କ ଶାରୀରିକ ଗଠନରେ ମଧ୍ୟ ସାମଞ୍ଜସ୍ୟ ଅଛି । କିନ୍ତୁ ସେମାନଙ୍କ ମଧ୍ୟରେ ଯୌନ ଆକର୍ଷଣ ଖୁବ୍ କମ୍ ଥାଏ । ଯଦି ବାଧ୍ୟ କରାଯାଏ ତେବେ ସେମାନେ ପ୍ରଜନନ କରିପାରନ୍ତି, କିନ୍ତୁ ସେମାନଙ୍କ ସନ୍ତାନ 'ଖଚର' (Mules) ମାନେ ବନ୍ଧ୍ୟା ଵା ଅଣ-ପ୍ରଜନନକ୍ଷମ ହୋଇଥାନ୍ତି । ତେଣୁ ଗଧର ଡିଏନଏ (DNA) କେବେ ହେଲେ ବି ଘୋଡ଼ା ପାଖକୁ ଯାଇପାରେ ନାହିଁ କିମ୍ଵା ଘୋଡ଼ାର ଡିଏନଏ ଗଧ ପାଖକୁ ଆସିପାରେ ନାହିଁ । ସେଥିପାଇଁ ଏହି ଦୁଇ ପ୍ରକାରର ପ୍ରାଣୀଙ୍କୁ ଦୁଇଟି ପୃଥକ ଜାତି ଭାବେ ଗ୍ରହଣ କରାଯାଏ, ଯେଉଁମାନେ ଵିଵର୍ତ୍ତନର ଭିନ୍ନ ଭିନ୍ନ ପଥରେ ଗତି କରୁଛନ୍ତି । ଏହାର ଵିପରୀତରେ, ଏକ 'ବୁଲଡଗ୍' ଏଵଂ 'ସ୍ପାନିଏଲ୍' କୁକୁର ଦେଖିଵାକୁ ଅଲଗା ହୋଇପାରନ୍ତି, କିନ୍ତୁ ସେମାନେ ସମାନ ଜାତିର ଅଟନ୍ତି ଏଵଂ ସମାନ ଡିଏନଏ ଗ୍ରୁପର ଅଂଶ ଅଟନ୍ତି । ସେମାନେ ସହଜରେ ପ୍ରଜନନ କରିପାରନ୍ତି ଏଵଂ ସେମାନଙ୍କ ଛୁଆମାନେ ବଡ଼ ହୋଇ ଅନ୍ୟ କୁକୁରଙ୍କ ସହ ମିଶି ନୂଆ ଛୁଆ ଜନ୍ମ ଦେଇପାରନ୍ତି ।

ସମାନ ପୂର୍ଵପୁରୁଷରୁ ଵିକଶିତ ହୋଇଥିଵା ଜାତିଗୁଡ଼ିକୁ ଏକାଠି ଏକ 'ଵଂଶ' ଵା 'Genus' ଅଧୀନରେ ରଖାଯାଏ । ସିଂହ, ଵାଘ, ଚିତାଵାଘ ଓ ଜାଗୁଆର ହେଉଛନ୍ତି 'ପାନ୍ଥେରା' (Panthera) ଵଂଶର ଅନ୍ତର୍ଗତ ଭିନ୍ନ ଭିନ୍ନ ଜାତି । ଜୀଵଵିଜ୍ଞାନୀମାନେ ଜୀଵମାନଙ୍କୁ ଦୁଇ ଭାଗ ଵିଶିଷ୍ଟ ଏକ ଲାଟିନ୍ ନାମ ଦିଅନ୍ତି, ଯେଉଁଥିରେ ପ୍ରଥମେ ଵଂଶ ଵା Genus ଏଵଂ ପରେ ଜାତି ଵା Species ର ନାମ ରହେ । ଉଦାହରଣ ସ୍ଵରୂପ, ସିଂହକୁ Panthera leo କୁହାଯାଏ, ଅର୍ଥାତ୍ ପାନ୍ଥେରା ଵଂଶର ଲିଓ ଜାତି । ବୋଧହୁଏ ଏହି ଵହି ପଢ଼ୁଥିଵା ପ୍ରତ୍ୟେକ ଵ୍ୟକ୍ତି ଜଣେ 'Homo sapiens' - ଅର୍ଥାତ୍ 'ହୋମୋ' (ମଣିଷ) ଵଂଶର 'ସାପିଏନ୍ସ' (ଜ୍ଞାନୀ) ଜାତି ।

ଵିଭିନ୍ନ ଵଂଶ ଵା ଜେନସଗୁଡ଼ିକୁ ପୁଣି ଏକତ୍ର କରି 'କୁଳ' ଵା 'ଫ୍ୟାମିଲି' (Families) ଗଠନ କରାଯାଏ, ଯେପରିକି ବିଲେଇ କୁଳ (ସିଂହ, ଚିତାଵାଘ, ଘରୁଆ ଵିଲେଇ), କୁକୁର କୁଳ (ଗଧିଆ, ଶିଆଳ) ଏଵଂ ହାତୀ କୁଳ (ହାତୀ, ମାମଥ୍, ମାଷ୍ଟୋଡନ୍) ।

ଏକ କୁଳ ଵା Familiesର ସମସ୍ତ ସଦସ୍ୟ ସେମାନଙ୍କ ଵଂଶାଵଳୀକୁ ଜଣେ ପ୍ରତିଷ୍ଠାତା ମାତୃପ୍ରଧାନ ଵା ପିତୃପ୍ରଧାନ ପୂର୍ଵପୁରୁଷଙ୍କ ପର୍ଯ୍ୟନ୍ତ ଖୋଜି ପାଇଥାନ୍ତି । ଉଦାହରଣ ସ୍ୱରୂପ, କ୍ଷୁଦ୍ରତମ ଗୃହପାଳିତ ଵିଲେଇଠାରୁ ଆରମ୍ଭ କରି ସବୁଠାରୁ ଭୟଙ୍କର ସିଂହ ପର୍ଯ୍ୟନ୍ତ ସମସ୍ତ ମାର୍ଜାର ଜାତୀୟ ପ୍ରାଣୀ ଏକ ସାଧାରଣ ପୂର୍ଵପୁରୁଷଙ୍କ ଅଂଶୀଦାର, ଯେଉଁମାନେ ପ୍ରାୟ ୨୫ ଲକ୍ଷ ଵର୍ଷ ପୂର୍ଵେ ଵାସ କରୁଥିଲେ ।

'ହୋମୋ ସାପିଏନ୍ସ' ମଧ୍ୟ ଏକ କୁଳ ଵା ପରିଵାରର ଅନ୍ତର୍ଗତ । ଏହି ସାଧାରଣ ସତ୍ୟଟି ଦିନେ ଇତିହାସର ସବୁଠାରୁ ଗୁପ୍ତ ରହସ୍ୟ ହୋଇ ରହିଥିଲା । ହୋମୋ ସାପିଏନ୍ସ ଦୀର୍ଘ ସମୟ ଧରି ନିଜକୁ ଅନ୍ୟ ପ୍ରାଣୀମାନଙ୍କଠାରୁ ପୃଥକ ବୋଲି ଭାବିଵାକୁ ପସନ୍ଦ କରୁଥିଲା; ଏକ ଅନାଥ ଯାହାର କୌଣସି ପରିଵାର ନାହିଁ, ଭାଇଭଉଣୀ କିମ୍ଵା ସମ୍ପର୍କୀୟ ଭାଇ ନାହାନ୍ତି ଏଵଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯାହାର କୌଣସି ପିତାମାତା ନାହାନ୍ତି । କିନ୍ତୁ ପ୍ରକୃତରେ ଏହା ସତ୍ୟ ନୁହେଁ । ଆପଣଙ୍କୁ ଭଲ ଲାଗୁ ଵା ନଲାଗୁ, ଆମେ "Great Apes" ନାମକ ଏକ ବଡ଼ ଓ ଵିଶେଷ ଭାଵେ କୋଳାହଳପୂର୍ଣ୍ଣ ପରିଵାରର ସଦସ୍ୟ । ଆମର ନିକଟତମ ଜୀଵିତ ସମ୍ପର୍କୀୟମାନଙ୍କ ମଧ୍ୟରେ ସିମ୍ପାଞ୍ଜି, ଗରିଲା ଓ ଓରାଙ୍ଗୁଟାନ ଅନ୍ତର୍ଭୁକ୍ତ । ସିମ୍ପାଞ୍ଜିମାନେ ଆମର ସବୁଠାରୁ ନିକଟତମ ସମ୍ପର୍କୀୟ। ମାତ୍ର ୬୦ ଲକ୍ଷ ଵର୍ଷ ପୂର୍ଵେ, ଜଣେ ମାଈ ଵାନରର ଦୁଇଟି ଝିଅ ଥିଲେ । ଜଣେ ସମସ୍ତ ସିମ୍ପାଞ୍ଜିଙ୍କ ପୂର୍ଵପୁରୁଷ ହେଲେ ଏଵଂ ଅନ୍ୟ ଜଣକ ହେଉଛନ୍ତି ଆମ ନିଜର ଆଈମାଆ (ଵା ପୂର୍ଵପୁରୁଷ) ।

(ୟୁଵାଲ୍ ନୋଆ ହାରାରିଙ୍କ ପୁସ୍ତକ Sapiens: A Brief History of Humankindର ଧାରାଵାହିକ ଓଡ଼ିଆ ଅନୁଵାଦର ଏହା ପ୍ରଥମ ଅଂଶ)

No comments:

Post a Comment