ଯେମିତି ଭାରତଵର୍ଷରେ କଳିଙ୍ଗ ଏକ ଇତିହାସ ପ୍ରସିଦ୍ଧ ଶକ୍ତିଶାଳୀ ଦେଶ ଥିଲା ଠିକ୍ ସେହିପରି କମ୍ବୋଡିଆ ପୂର୍ଵେ ଦକ୍ଷିଣ-ପୂର୍ଵ ଏସିଆର ସର୍ଵଶକ୍ତିମାନ ସାମ୍ରାଜ୍ୟ ଥିଲା। ଖମେର ସାମ୍ରାଜ୍ୟ ନଵମରୁ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ଵିସ୍ତୃତ ଥିଲା । ନିଜର ଵାସ୍ତୁକଳା, ଜଳସେଚନ ଵ୍ୟଵସ୍ଥା ଆଉ ସାଂସ୍କୃତିକ ଉତ୍କର୍ଷ ପାଇଁ କାମ୍ବୋଡିଆ ଏକ ଅଗ୍ରଣୀ ଦେଶ ରୂପେ ଜଣାଶୁଣା ଥିଲା। 'ଅଙ୍କୋର ୱାଟ୍' ଭଳି ଵିଶାଳ ମନ୍ଦିର ଏହି ସମୃଦ୍ଧତାର ପ୍ରମାଣ ଦିଏ। କିନ୍ତୁ କାଳକ୍ରମେ ଏହି ସାମ୍ରାଜ୍ୟର ପତନ ଘଟିଲା ଏଵଂ ଦେଶଟି ପଡ଼ୋଶୀ ଶକ୍ତିମାନଙ୍କର କ୍ରୀଡ଼ନକ ହୋଇଗଲା। ୧୮୬୩ ମସିହା ପର୍ଯ୍ୟନ୍ତ କାମ୍ବୋଡିଆ ଏକ ସ୍ଵାଧୀନ ଦେଶ ଥିଲା କିନ୍ତୁ ଥାଇଲାଣ୍ଡ ଓ ଭିଏତନାମ ଭଳି ପଡ଼ୋଶୀ ଦେଶଗୁଡ଼ିକ ଏହାକୁ ଅଧିକାର କରିଵା ପାଇଁ ଥିଲେ।
ସେତେବେଳର "ରାଜା ନରୋଦମ୍ ପ୍ରଥମ" ନିଜ ଦେଶକୁ ଶିଆମ୍ ଵା ଥାଇଲାଣ୍ଡର ପ୍ରଭାବରୁ ରକ୍ଷା କରିଵା ପାଇଁ ଫ୍ରାନ୍ସ ସହିତ ଏକ Protectorate ଵା ସୁରକ୍ଷା ଚୁକ୍ତି କଲେ। ଏହି ଚୁକ୍ତି ପରେ କାମ୍ବୋଡିଆ ଧୀରେ ଧୀରେ ଫ୍ରାନ୍ସର ଅଧିକାରକୁ ଚାଲିଗଲା। କାଗଜପତ୍ରରେ ରାଜା "ନରୋଦମ ପ୍ରଥମ" ଶାସନ କରୁଥିଲେ ମଧ୍ୟ ପ୍ରକୃତ କ୍ଷମତା ଫରାସୀମାନଙ୍କ ହାତରେ ଥିଲା। ଏହିପରି ଭାବେ କାମ୍ବୋଡିଆ ଦୀର୍ଘ ଵର୍ଷ ଧରି ଫ୍ରାନ୍ସର ଏକ ପରାଧୀନ ଉପନିଵେଶରେ ପରିଣତ ହେଲା। ଫରାସୀମାନେ ନିଜର ସାମ୍ରାଜ୍ୟଵାଦୀ ସ୍ୱାର୍ଥ ପାଇଁ କାମ୍ବୋଡିଆ ଦେଶକୁ ଵିଭିନ୍ନ ଉପାୟରେ ଵ୍ୟଵହାର କଲେ। ସେମାନଙ୍କ ଶାସନରେ କମ୍ବୋଡିଆର ସ୍ୱାଧୀନତା ଓ ସାଂସ୍କୃତିକ ସ୍ୱୟଂଶାସିତ ଅଧିକାର କ୍ଷୁର୍ଣ୍ଣ ହେଲା। କିନ୍ତୁ, ଏହି ସମୟରେ ହିଁ କମ୍ବୋଡିଆର ଆଧୁନିକ ଶିକ୍ଷା ଵ୍ୟଵସ୍ଥା ଏବଂ ପ୍ରଶାସନିକ ଭିତ୍ତିଭୂମିର ଵିକାଶ ଆରମ୍ଭ ହୋଇଥିଲା। ଦ୍ୱିତୀୟ ଵିଶ୍ୱଯୁଦ୍ଧ ସମୟରେ ଜାପାନ ଦ୍ୱାରା ଦଖଲ ହେଵା ପରେ, କମ୍ବୋଡିଆରେ ଜାତୀୟତାଵାଦୀ ଚେତନା ଜାଗ୍ରତ ହେଲା।
ତେବେ କମ୍ବୋଡିଆର ସମସାମୟିକ ଇତିହାସରେ ରାଜା ନରୋଦମ ସିହାନୁକଙ୍କ ନାମ ସର୍ଵାଗ୍ରେ ରହିବ। ସେ ୧୯୪୧ ମସିହାରେ ପ୍ରଥମ ଥର ପାଇଁ ସିଂହାସନ ଆରୋହଣ କରିଥିଲେ। ସିହାନୁକ ଥିଲେ ଏକାଧାରରେ ଜଣେ ଚତୁର ରାଜନୀତିଜ୍ଞ, କୂଟନୀତିଜ୍ଞ ଓ କଳାପ୍ରେମୀ ଵ୍ୟକ୍ତିତ୍ୱ। ତାଙ୍କର ପ୍ରଥମ ଶାସନକାଳ ମଧ୍ୟରେ, ୧୯୫୩ ମସିହାରେ ସେ ଫ୍ରାନ୍ସଠାରୁ କମ୍ବୋଡିଆ ପାଇଁ ସ୍ୱାଧୀନତା ଲାଭ କରିଥିଲେ। ସେହି ସମୟରେ କମ୍ବୋଡିଆ ଏସିଆର 'ସ୍ୱିଜରଲ୍ୟାଣ୍ଡ' ଭାବେ ପରିଚିତ ହେବାର ସ୍ୱପ୍ନ ଦେଖୁଥିଲା। ତେବେ ୧୯୫୫ ମସିହାରେ ସିହାନୁକ ରାଜପଦ ତ୍ୟାଗ କରି ରାଜନୀତିରେ ସକ୍ରିୟ ହେଵାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ତାଙ୍କ ପିତା, ରାଜା ନରୋଦମ ସୁରାମରିତ ୧୯୫୫ରୁ ୧୯୬୦ ମସିହା ପର୍ଯ୍ୟନ୍ତ କମ୍ବୋଡିଆ ଶାସନ କରିଥିଲେ।"
ସହରୀକରଣ, ଶିକ୍ଷାର ପ୍ରସାର ଓ ସଙ୍ଗୀତ କଳାର ସୁଵର୍ଣ୍ଣ ଯୁଗ ସିହାନୁକଙ୍କ ଶାସନ କାଳରେ ହିଁ ଦେଖିଵାକୁ ମିଳିଥିଲା। ସେ ସମୟର କାମ୍ବୋଡୀୟ ସଙ୍ଗୀତକାରମାନଙ୍କ ମଧ୍ୟରେ Sinn Sisamouth ଥିଲେ । ତାଙ୍କ ସମୟରେ ପାଶ୍ଚାତ୍ୟ ରକ୍ ଓ ପାରମ୍ପରିକ ଖମେର ସଙ୍ଗୀତର ମିଶ୍ରଣରେ ଏକ ନୂଆ ପ୍ରକାରର ସଂଗୀତ ସୃଷ୍ଟି ହୋଇଥିଲା । Ros Serey Sothea,Pan Ron,Mao Sareth,Sia Yonn ଓ Eng Naryଙ୍କ ଭଳି ଅନେକ ଶ୍ରେଷ୍ଠ ଗାୟକ ଗାୟିକା ସେହି ସମୟରେ ଦେଖା ଦେଇଥିଲେ ।
ବଡ଼ ବଡ଼ ଅଟ୍ଟାଳିକା ଦ୍ଵାରା ସୁସଜ୍ଜିତ କାମ୍ବୋଡିଆ ସେତେବେଳେ ଏକ ସମୃଦ୍ଧ ପାଶ୍ଚାତ୍ୟ ଦେଶ ଭଳି ପ୍ରତିଭାତ ହେଉଥିଲା । ଅନେକ ଶିକ୍ଷିତ ଵ୍ୟକ୍ତି ସେହି ସମୟରେ କାମ୍ବୋଡିଆରେ ଦେଖାଦେଇଥିଲେ । ଏହି ସବୁ କାରଣରୁ ସେତେବେଳେ କାମ୍ବୋଡିଆକୁ ଦକ୍ଷିଣ ପୂର୍ଵ ଏସିଆର 'ମୋତି' କୁହାଯାଉଥିଲା ।
କିନ୍ତୁ ଆମେରିକା ଚାହୁଁ ନଥିଲା ଯେ 'ପ୍ରାଚ୍ୟ'ର କୌଣସି ଦେଶ ପାଶ୍ଚାତ୍ୟ ଦେଶଗୁଡ଼ିକ ଭଳି ସମୃଦ୍ଧ ହେଉ । ତେଣୁ ଆମେରିକା ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରି ସେଥିରେ ଵିକାଶ ପଥରେ ଦୃତଗତିରେ ଅଗ୍ରସର କରୁଥିଵା କାମ୍ବୋଡିଆକୁ ଫସାଇ ଦେଲା । ଆମେରିକୀୟ ହସ୍ତକ୍ଷେପ ଯୋଗୁଁ ସିହାନୁକଙ୍କ ଶାସନ କାଳରେ କାମ୍ବୋଡିଆ ଦେଶଟି ସମୃଦ୍ଧ ହେଉଥିଲେ ମଧ୍ୟ ସ୍ଥିର ନଥିଲା। ଶୀତଳ ଯୁଦ୍ଧ ସମୟରେ ଆମେରିକା ଏବଂ ସାମ୍ୟବାଦୀ ଶକ୍ତିମାନଙ୍କ ମଧ୍ୟରେ ଟଣାଓଟରା କମ୍ବୋଡିଆ ପାଇଁ ଵିପଦକୁ ଡାକି ଆଣିଲା। ସିହାନୁକ ନିରପେକ୍ଷ ରହିଵାକୁ ଚେଷ୍ଟା କରୁଥିଲେ, କିନ୍ତୁ ଭିଏତନାମ ଯୁଦ୍ଧର ପ୍ରଭାବ କମ୍ବୋଡିଆ ସୀମା ଭିତରକୁ ପଶି ଆସିଲା।
ଅନେକ ଐତିହାସିକ ସନ୍ଦେହ କରନ୍ତି ଯେ ହୁଏତ କାମ୍ବୋଡିଆ ଏଵଂ ଚୀନ ଭଳି ପ୍ରାଚ୍ୟ ଦେଶଗୁଡ଼ିକୁ ଆଗକୁ ବଢ଼ିଵାକୁ ନଦେଵା ପାଇଁ ଆମେରିକା ଜାଣିଶୁଣି ଭିଏତନାମ ଯୁଦ୍ଧ କରିଥିଲା । ଭିଏତନାମ ଯୁଦ୍ଧ କେଵଳ ବାହାନା ଥିଲା ପ୍ରାଚ୍ୟକୁ ଵିକଶିତ ହେଵାରୁ ରୋକିଵା ପ୍ରକୃତ ଉଦ୍ଦେଶ୍ୟ ଥିଲା । ତେବେ ଭିଏତନାମ ଯୁଦ୍ଧ ଯୋଗୁଁ ଭିଏତନାମର କମ୍ୟୁନିଷ୍ଟ ଗରିଲା ଯୋଦ୍ଧାମାନେ କମ୍ବୋଡିଆର ଜଙ୍ଗଲରେ ଆଶ୍ରୟ ନେଲେ । ଏହି ଗରିଲା ଯୋଦ୍ଧାମାନଙ୍କୁ ଦମନ କରିଵା ଆଳରେ ଆମେରିକା Operation Menu ନାମରେ ଗୁପ୍ତ ବୋମାଵର୍ଷଣ କଲା ।
ଆମେରିକାର ବୋମାଭର୍ଷଣ କୌଣସି ଦୁର୍ଘଟଣା ନଥିଲା। ଏହା ଅତ୍ୟନ୍ତ ପରିକଳ୍ପିତ ଥିଲା। ଏହି ବୋମାବର୍ଷଣ ଦ୍ୱାରା ଯେଉଁ ଉତ୍ପାତ ସୃଷ୍ଟି ହେଲା, ତାହା ସାଧାରଣ ଜନତାଙ୍କ ମଧ୍ୟରେ ତତ୍କାଳୀନ କାମ୍ବୋଡିଆ ସରକାରଙ୍କ ପ୍ରତି ଅଵିଶ୍ୱାସ ଜାତ କଲା।
Khmer Rouge ଏହି ସମୟରେ ସକ୍ରିୟ ହେଲା ।ବୋମାଵର୍ଷଣ ଯୋଗୁଁ ଖମେର ରୁଜ୍ ଵିଦ୍ରୋହୀ ଦଳକୁ ଗ୍ରାମୀଣ ଅଞ୍ଚଳରେ ନିଜର ଆଧିପତ୍ୟ ଵିସ୍ତାର କରିଵାରେ ବଡ଼ ସଫଳତା ମିଳିଲା । ଯଦି ଆମେରିକା ଚାହିଁଥାନ୍ତା, ତେବେ ଏତେ ପରିମାଣରେ ବୋମାବର୍ଷଣ ନକରି ମଧ୍ୟ ଅନ୍ୟ ଉପାୟ ଅଵଲମ୍ବନ କରିପାରିଥାନ୍ତା। ତେଣୁ କାମ୍ବୋଡ଼ିଆ ଓ ଭିଏତନାମ ସୀମାରେ ବୋମାଵର୍ଷଣକୁ କିଛି ଐତିହାସିକ ଆମେରିକାର ଏକ ଷଡ଼ଯନ୍ତ୍ର ବୋଲି ଅଭିହିତ କରିଥାନ୍ତି । ଏହି ଷଡ଼ଯନ୍ତ୍ର କମେର୍ ରୁଜ୍କୁ ଆହୁରି ଶକ୍ତିଶାଳୀ କରିଵା ପାଇଁ ଥିଲା ।
୧୯୭୦ ମସିହାରେ, ଯେତେବେଳେ ରାଜା ସିହାନୁକ ଵିଦେଶ ଗସ୍ତରେ ଥିଲେ ସେତେବେଳେ ତାଙ୍କର ପ୍ରଧାନମନ୍ତ୍ରୀ ଲୋନ୍ ନୋଲ୍ ଆମେରିକାର ପରୋକ୍ଷ ସମର୍ଥନରେ ଏକ ସାମରିକ ଵିଦ୍ରୋହ ବଳରେ କ୍ଷମତା ଲାଭ କଲେ। କମ୍ବୋଡିଆ ଏକ ରାଜତନ୍ତ୍ରରୁ ସାମରିକ ଶାସନକୁ ଚାଲିଗଲା। କିଛି ଐତିହାସିକଙ୍କ ମତରେ ଆମେରିକାର ଗୁପ୍ତଚର ସଂସ୍ଥା CIA ୧୯୭୦ରେ ରାଜା ସିହାନୁକଙ୍କୁ ହଟାଇଵାରେ ସିଧାସଳଖ ଭୂମିକା ଗ୍ରହଣ କରିଥିଲା। ସେତେବେଳେ ରାଜା ସିହାନୁକ ନିରପେକ୍ଷ ରହିଵାକୁ ଚାହୁଁଥିଲେ, ଯାହା ଆମେରିକାର ଯୁଦ୍ଧ ନୀତି ପାଇଁ ବାଧକ ଥିଲା। ସିହାନୁକଙ୍କୁ ହଟାଇଵା ପାଇଁ ଲୋନ୍ ନୋଲ୍ଙ୍କୁ ପ୍ରଵାର୍ତ୍ତାଇଵା ଓ ସାମରିକ ସହାୟତା ଦେଵା କାର୍ଯ୍ୟଟି ପ୍ରତ୍ୟକ୍ଷ ଭାବେ ଆମେରିକାର ସମର୍ଥନରେ ହୋଇଥିଲା। କିନ୍ତୁ ସାମରିକ ଶାସନ ସମୟରେ ଭ୍ରଷ୍ଟାଚାର ଓ ଅତ୍ୟାଚାର ଯୋଗୁଁ କାମ୍ବୋଡିଆରେ ଜନ ଅସନ୍ତୋଷ ବୃଦ୍ଧି ପାଇଲା ।
ସେହି ସମୟରେ କିଛି ଅସନ୍ତୁଷ୍ଟ ଯୁଵକଙ୍କୁ ନେଇ
ଖାମେର୍ ରୁଜ୍ ନାମରେ ଏକ ଵିଦ୍ରୋହୀ ଗୋଷ୍ଠୀ ଅତି ସକ୍ରିୟ ହୋଇଗଲା ଯାହାର ମୁଖ୍ୟ ପୋଲ୍ ପଟ୍ ମୁଖ୍ୟ ଥିଲେ । ପୋଲ୍ ପଟ୍ ଏଵଂ ତାଙ୍କ ଖାମେର୍ ରୁଜ୍ ଗୋଷ୍ଠୀ ରାଜା ସିହାନୁକଙ୍କୁ ନିଜ ପକ୍ଷକୁ ନେଲେ। ଲୋନ୍ ନୋଲ୍ଙ୍କ ଶାସନର ଦୁର୍ନୀତି ଏଵଂ ଆମେରିକାର ବୋମାଵର୍ଷଣ ଯୋଗୁଁ ଅତିଷ୍ଠ ହୋଇଥିଵା ଗ୍ରାମୀଣ କମ୍ବୋଡିଆର ଲୋକେ ଖମେର ରୁଜ୍କୁ ନିଜର ରକ୍ଷକ ବୋଲି ଭାବିଵାକୁ ଲାଗିଲେ। କିନ୍ତୁ ପ୍ରକୃତରେ କାମ୍ବୋଡିଆର ସୁଵର୍ଣ୍ଣ ଯୁଗର ପରିସମାପ୍ତି ଘଟିଲା ଏଵଂ ଦେଶଟି ଏକ ଅନ୍ଧକାରମୟ ଭଵିଷ୍ୟତ ଆଡ଼କୁ ଅଗ୍ରସର ହେଲା। ଏହି ସମୟରେ ହିଁ ଖମେର ରୁଜ୍ ନିଜର ସୈନ୍ୟଵାହିନୀକୁ ଶକ୍ତିଶାଳୀ କରିବାକୁ ଲାଗିଲା, ଯାହାର ପରିଣାମ ଥିଲା ୧୯୭୫ର ଭୟଙ୍କର ପରିଵର୍ତ୍ତନ।
୧୯୭୫ ମସିହା ଅପ୍ରେଲ ୧୭ ତାରିଖ। କମ୍ବୋଡିଆର ଇତିହାସରେ ଏହି ଦିନଟି ଏକ କଳା ଅଧ୍ୟାୟର ସୂତ୍ରପାତ କଲା। ପାଞ୍ଚ ଵର୍ଷର ଗୃହଯୁଦ୍ଧ ପରେ, ପୋଲ୍ ପଟ୍ ନେତୃତ୍ୱାଧୀନ ଖମେର ରୁଜ୍ ଵାହିନୀ ରାଜଧାନୀ ଫ୍ନୋମ୍ ପେନ୍କୁ ସମ୍ପୂର୍ଣ୍ଣ ଅଧିକାର କରିନେଲେ। ସେତେବେଳେ ରାଜଧାନୀର ରାସ୍ତାରେ ଥିଵା ଲୋକମାନେ ଭାବିଥିଲେ ଯେ ଶାନ୍ତି ଫେରିଵ, ଯୁଦ୍ଧ ଶେଷ ହଵ। କିନ୍ତୁ ସେମାନେ ଜାଣି ନଥିଲେ ଯେ ସେମାନେ ଏକ ଏପରି ନିଷ୍ଠୁର ଶାସନ କଵଳରେ ପଡ଼ିଵାକୁ ଯାଉଛନ୍ତି, ଯାହା ମାନଵ ସଭ୍ୟତାକୁ ଲଜ୍ଜିତ କରିଦେଵ ।
ଖମେର ରୁଜ୍ କ୍ଷମତାକୁ ଆସିଵା ମାତ୍ରେ, ସେମାନେ ଏକ ଅଵିଶ୍ୱସନୀୟ ଆଦେଶ ଜାରି କଲେ । ଫ୍ନୋମ୍ ପେନ୍ରେ ଵସଵାସ କରୁଥିଵା ସମସ୍ତ ଲୋକଙ୍କୁ ସହର ଛାଡ଼ି ଗ୍ରାମାଞ୍ଚଳକୁ ଚାଲିଯିଵାକୁ ଖମେର ରୁଜ୍ ଦ୍ଵାରା ଆଦେଶ ଦିଆଗଲା । ସେମାନଙ୍କର ଯୁକ୍ତି ଥିଲା ଯେ, ଆମେରିକାର ବୋମାଵର୍ଷଣରୁ ବଞ୍ଚିଵା ପାଇଁ ଏହା ଆଵଶ୍ୟକ। କିନ୍ତୁ ପ୍ରକୃତ କାରଣ ଥିଲା ଅଲଗା। ସହରୀ ଲୋକମାନେ ଥିଲେ ପାଶ୍ଚାତ୍ୟ ଶିକ୍ଷା, ସଂସ୍କୃତି ଓ ମୁକ୍ତ ଚିନ୍ତାଧାରାର ଵାହକ, ଯାହାକୁ ପୋଲ୍ ପଟ୍ ନିଜର 'କମ୍ୟୁନିଷ୍ଟ ୟୁଟୋପିଆ' ପାଇଁ ଵିପଦ ବୋଲି ମାନୁଥିଲେ। ସାତ ଦିନ ମଧ୍ୟରେ ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ସହରରୁ ବଳପୂର୍ଵକ ବାହାର କରିଦିଆଗଲା। ଡାକ୍ତରଖାନାରୁ ରୋଗୀମାନଙ୍କୁ ସୁଦ୍ଧା ବାହାର କରିଦିଆଗଲା। ସେହି ଖରାଦିନେ, ହଜାର ହଜାର ଲୋକ ରାସ୍ତାରେ ଚାଲି ଚାଲି ପ୍ରାଣ ହରାଇଲେ। ଏହି ଘଟଣାକୁ ଖମେର ରୁଜ୍ "Year Zero" ବୋଲି ନାମିତ କଲା—ଅର୍ଥାତ୍ ଏଠାରୁ ନୂତନ ଇତିହାସ ଆରମ୍ଭ ହେବ, ଯେଉଁଠାରେ ପୁରୁଣା ସଂସ୍କୃତିର କୌଣସି ସ୍ଥାନ ନଥିଵ ।
ଲୋକମାନଙ୍କୁ ଗାଁରେ 'କମ୍ୟୁନ୍' ଵା ସାମୁହିକ କୃଷି କ୍ଷେତ୍ରରେ କାମ କରିବାକୁ ବାଧ୍ୟ କରାଗଲା। ସମସ୍ତଙ୍କୁ ଗୋଟିଏ ପ୍ରକାରର କଳା ରଙ୍ଗର ପୋଷାକ ପିନ୍ଧିଵାକୁ ବାଧ୍ୟ କରାଗଲା। ଟଙ୍କା, ବ୍ୟାଙ୍କିଙ୍ଗ୍, ଧର୍ମ, ଓ ଵ୍ୟକ୍ତିଗତ ସମ୍ପତ୍ତିକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଗଲା। ସମସ୍ତେ ସମାନ, କିନ୍ତୁ ଏହି ସମାନତା ଥିଲା ଅତ୍ୟନ୍ତ କ୍ରୂର ଓ କଠୋର । ଲୋକମାନଙ୍କୁ ଦିନକୁ ୧୪-୧୬ ଘଣ୍ଟା କଠିନ ପରିଶ୍ରମ କରିଵାକୁ ପଡ଼ୁଥିଲା ଏଵଂ ଏହା ବଦଳରେ ମିଳୁଥିଲା ମାତ୍ର କିଛି ଗିନା Borbor । ଏହି Borbor ପ୍ରକୃତରେ ଭାତ ନଥିଲା ଵରଂ ବହୁତ କମ୍ ଚାଉଳକୁ ଅତ୍ୟଧିକ ପାଣିରେ ଫୁଟାଇ ପ୍ରସ୍ତୁତ କରାଯାଉଥିଵା ଏକ ପ୍ରକାରର ପତଳା ଜାଉ ଥିଲା। ଏଥିରେ ଚାଉଳର ମାତ୍ରା ଏତେ କମ୍ ଥିଲା ଯେ ଏହା ପେଟ ଭରିଵା ପାଇଁ ଯଥେଷ୍ଟ ନଥିଲା।
ଏହି Borbor ସହିତ କୌଣସି ପନିପରିବା, ମାଂସ କିମ୍ବା ପୁଷ୍ଟିକର ଉପାଦାନ ମିଳୁନଥିଲା। ଫଳତଃ କାମ୍ବୋଡିଆର ଲୋକମାନଙ୍କୁ କେଵଳ ଶରୀରକୁ ଅଳ୍ପ କିଛି ଶକ୍ତି ଦେଵା ପାଇଁ ଖାଦ୍ୟ ମିଳୁଥିଲା ଯାହାଦ୍ୱାରା ଲୋକମାନେ କେଵଳ ବଞ୍ଚି ରହିପାରିବେ ଏଵଂ ଖମେର ରୁଜ୍ର ବେଠି ଖଟି ଚାଲିଥିବେ।
ପୋଲ୍ ପଟ୍ ଏବଂ ତାଙ୍କ ସହଯୋଗୀମାନଙ୍କର ଲକ୍ଷ୍ୟ ଥିଲା 'ଶୁଦ୍ଧ' ଖମେର ଜାତି ଗଠନ। ଏଥିପାଇଁ ସେମାନେ ବୌଦ୍ଧିକ ଵର୍ଗକୁ ସମ୍ପୂର୍ଣ୍ଣ ନିପାତ କରିଵାକୁ ଚାହିଁଲେ। ଶିକ୍ଷକ, ଡାକ୍ତର, ଇଞ୍ଜିନିୟର, କଳାକାର, ଏଵଂ ଯେଉଁମାନେ ଵିଦେଶୀ ଭାଷା ଜାଣିଥିଲେ, ସେମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖାଗଲା। କେଵଳ ଚଷମା ପିନ୍ଧିଥିଵାରୁ କିମ୍ବା ହାତ କୋମଳ ଥିଵାରୁ ଅନେକ ନିରୀହ ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା।
ଏହି ସମୟରେ ହିଁ ସିନ୍ ସିସାମୁଥ୍,ରୋସ୍ ସେରେସୋଥେଆ ଓ ପାନ୍ ରୋନ୍ଙ୍କ ଭଳି ଶହ ଶହ ପ୍ରସିଦ୍ଧ କଳାକାରଙ୍କୁ ହତ୍ୟା କରାଯାଇଥିଲା। କୁହାଯାଏ ପ୍ରାୟ ୯୦% କଳାକାରମାନଙ୍କୁ ହତ୍ୟା କରାଯାଇଥିଲା କିମ୍ବା ସେମାନେ ଅତ୍ୟାଚାର ସହି ନପାରି ମୃତ୍ୟୁଵରଣ କରିଥିଲେ । କୌଣସି ପରିଚିତ ଚେହେରା, କୌଣସି ପ୍ରତିଭାକୁ ବଞ୍ଚିଵାକୁ ଦିଆଗଲାନି। ପିଲାମାନଙ୍କୁ ପରିଵାରଠାରୁ ଅଲଗା କରି ସୈନ୍ୟଵାହିନୀରେ ଭର୍ତ୍ତି କରାଗଲା ଏଵଂ ସେମାନଙ୍କୁ ନିଷ୍ଠୁର ହେଵା ପାଇଁ ଶିଖାଗଲା। ଏହି ପିଲାମାନେ ହିଁ ପରେ ନିଜ ପରିଵାର ସଦସ୍ୟଙ୍କୁ ହତ୍ୟା କରିଵା ପାଇଁ ପଛଘୁଞ୍ଚା ଦେଇନଥିଲେ।
ରାଜଧାନୀରେ ଥିବା ଏକ ସ୍କୁଲକୁ ଖମେର୍ ରୁଜ୍ର ଲୋକମାନେ 'S-21' ନାମକ ଏକ କାରାଗାରରେ ପରିଣତ କଲେ। ଏଠାରେ ହଜାର ହଜାର ଲୋକଙ୍କୁ ଅକଥନୀୟ ନିର୍ଯ୍ୟାତନା ଦିଆଗଲା। ସେମାନଙ୍କୁ ମିଛ ସ୍ୱୀକାରୋକ୍ତି ଦେଵାକୁ ବାଧ୍ୟ କରାଗଲା ଯେ ସେମାନେ CIA କିମ୍ବା KGBର ଗୁପ୍ତଚର। ଶେଷରେ ସେମାନଙ୍କୁ 'କିଲିଂ ଫିଲ୍ଡସ୍' ଵା ହତ୍ୟାକାଣ୍ଡ କ୍ଷେତ୍ରକୁ ନେଇ ନିର୍ମମ ଭାବେ ହତ୍ୟା କରାଗଲା।
ଖମେର୍ ରୁଜ୍ର ଶାସନରେ ମୃତ୍ୟୁ କେଵଳ ଏକ ସଂଖ୍ୟା ନଥିଲା, ଏହା ଥିଲା ଏକ ନିତିଦିନିଆ ଘଟଣା। କ୍ଷୁଧା, ଅପରିଷ୍କାର ପରିଵେଶ ଓ ନିର୍ଯ୍ୟାତନା ଯୋଗୁଁ କମ୍ବୋଡିଆର ଏକ ଚତୁର୍ଥାଂଶ ଜନସଂଖ୍ୟା ହଜିଗଲା। କିନ୍ତୁ, ଖମେର ରୁଜ୍ ଏହି ସବୁ ଦୁଃଖ ଭିତରେ ମଧ୍ୟ ନିଜର ଆଦର୍ଶ ବଜାୟ ରଖିଵାକୁ ଚେଷ୍ଟା କଲା। ସେମାନେ ଵିଶ୍ୱାସ କରୁଥିଲେ ଯେ ସେମାନେ ଦେଶକୁ ଏକ ନୂତନ ସ୍ୱର୍ଗରେ ପରିଣତ କରୁଛନ୍ତି।
କିନ୍ତୁ ଵାସ୍ତଵରେ କାମ୍ବୋଡିଆ ଦେଶଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲା। ଅର୍ଥଵ୍ୟଵସ୍ଥା ଶୂନ୍ୟ, ସାମାଜିକ ଵ୍ୟଵସ୍ଥା ନଷ୍ଟ ଏଵଂ ଜନସଂଖ୍ୟାର ଏକ ବଡ଼ ଭାଗ ମୃତ ହୋଇଯାଇଥିଲା। କିନ୍ତୁ ଏହି ଅନ୍ଧକାର ପରେ ଯେଉଁ ରାଜନୈତିକ ସମୀକରଣ ବଦଳିଲା, ତାହା ଶେଷରେ ଖମେର ରୁଜ୍ର ପତନ ପାଇଁ ପଥ ପ୍ରଶସ୍ତ କଲା।
ଖମେର ରୁଜ୍ର ଶାସନ ଯେତେ କ୍ରୂର ଓ ନିର୍ମମ ଥିଲା, ତାହାର ପତନ ସେତେ ହିଁ ନାଟକୀୟ ଓ ଅପ୍ରତ୍ୟାଶିତ ଥିଲା। ୧୯୭୫ରୁ ୧୯୭୯ ମଧ୍ୟରେ ଯେଉଁ ଲହୁଲୁହାଣ ସମୟ କମ୍ବୋଡିଆ ଦେଖିଲା, ତାହା ଶେଷରେ ଦେଶର ଭିତରୁ ନୁହେଁ ଵରଂ ବାହାରୁ ଆସିଥିଵା ଏକ ଶକ୍ତିଶାଳୀ ଆକ୍ରମଣ ଯୋଗୁଁ ଅନ୍ତ ହେଲା।
ଖମେର ରୁଜ୍ର ଶାସନ କାଳରେ କମ୍ବୋଡିଆ ଏବଂ ଭିଏତନାମ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ତିକ୍ତ ହୋଇପଡ଼ିଥିଲା। କାରଣ ଭିଏତନାମ ଜାଣିଥିଲା ଯେ ଖମେର୍ ରୁଜ୍ ପ୍ରକୃତରେ ଆମେରିକାର ଏକ ଆସେଟ୍ ଭଳି କାମ କରୁଛି । କିଛି Declassified ଦସ୍ତାବିଜରୁ ଜଣାପଡ଼ିଛି ଯେ, ଆମେରିକା ପୋଲ୍ ପଟ୍ଙ୍କ ସମ୍ପର୍କରେ ସବୁ ଜାଣି ମଧ୍ୟ ସେମାନଙ୍କୁ ଭିଏତନାମ ଵିରୋଧୀ ଲଢ଼େଇରେ ଏକ 'ଆସେଟ୍' ବା ସମ୍ପତ୍ତି ଭାବେ ଵ୍ୟଵହାର କରିଵାକୁ ଚାହୁଁଥିଲା। ଥାଇଲାଣ୍ଡ ସୀମାନ୍ତରେ ଖମେର ରୁଜ୍ର ଅଵସ୍ଥିତିକୁ ଆମେରିକା ମଧ୍ୟ ନିଜ ସ୍ୱାର୍ଥ ପାଇଁ ଵ୍ୟଵହାର କରୁଥିଲା। ଏହି ସମ୍ପର୍କକୁ ଅନେକେ ଏକ 'ଗୁପ୍ତ ମିଳିତ ପ୍ରୟାସ' ବୋଲି ସନ୍ଦେହ କରନ୍ତି। ଖମେର ରୁଜ୍ କ୍ଷମତାରେ ଥିଵା ସମୟରେ, ଆମେରିକା ସେମାନଙ୍କ ଵିରୋଧରେ କୌଣସି କଠୋର ଆନ୍ତର୍ଜାତୀୟ ପଦକ୍ଷେପ ନେଵାକୁ ଚାହିଁ ନଥିଲା। ତେଣୁ ଭିଏତନାମ ଏହି କାରଣରୁ ଖମେର୍ ରୁଜ୍ ପ୍ରତି କଠୋର ହୋଇଯାଇଥିଲା
ପୋଲ୍ ପଟ୍ ଏଵଂ ତାଙ୍କର ସହଯୋଗୀମାନେ ଅତ୍ୟଧିକ ଜାତୀୟତାଵାଦୀ ବୋଲି ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରୁଥିଲେ। ସେମାନେ ପ୍ରାଚୀନ ଖମେର ସାମ୍ରାଜ୍ୟର ସୀମାକୁ ଫେରାଇ ଆଣିଵାକୁ ଚାହୁଁଥିଲେ ।
ସେମାନେ ଭିଏତନାମର କିଛି ଅଂଶକୁ ନିଜର ବୋଲି ଦାବି କରିଵାକୁ ଲାଗିଲେ। ଖମେର ରୁଜ୍ ଵାହିନୀ ଭିଏତନାମର ସୀମାନ୍ତ ଗ୍ରାମଗୁଡ଼ିକ ଉପରେ ବାରମ୍ବାର ଆକ୍ରମଣ କରିଵା ଆରମ୍ଭ କଲା।
ଭିଏତନାମ ନିଜେ ଏକ କମ୍ୟୁନିଷ୍ଟ ଶକ୍ତି ଥିଲା ଏଵଂ ଏହି ସମୟରେ ଅତ୍ୟନ୍ତ ସଶକ୍ତ ଥିଲା। ୧୯୭୮ ଶେଷ ବେଳକୁ, ପୋଲ୍ ପଟ୍ଙ୍କ ଦୁଃସାହସିକ ଆକ୍ରମଣଗୁଡ଼ିକ ଭିଏତନାମକୁ ଏକ ବଡ଼ ପଦକ୍ଷେପ ନେଵାକୁ ବାଧ୍ୟ କଲା। ଭିଏତନାମ ମଧ୍ୟ କମ୍ବୋଡିଆର ଏହି ଶାସନକୁ ନିଜ ସୀମାନ୍ତରେ ଏକ ସ୍ଥାୟୀ ଵିପଦ ଭାବରେ ଵିଚାର କରୁଥିଲା।
ଡିସେମ୍ବର ୧୯୭୮ରେ, ଭିଏତନାମୀ ସେନା କମ୍ବୋଡିଆ ଉପରେ ଏକ ଵିଶାଳ ଆକ୍ରମଣ ଆରମ୍ଭ କଲା। ଏହି ସମୟରେ, ଖମେର ରୁଜ୍ର ନିଜ ଶାସନ ଭିତରେ ଵିଦ୍ରୋହ ମୁଣ୍ଡ ଟେକିଥିଲା। ପୋଲ୍ ପଟ୍ଙ୍କ ଅତ୍ୟଧିକ ନିର୍ଯ୍ୟାତନା ଯୋଗୁଁ ଅନେକ କମାଣ୍ଡର ଭିଏତନାମ ପଳାଇ ଯାଇଥିଲେ ଏଵଂ ସେମାନେ ଏହି ଆକ୍ରମଣରେ ଭିଏତନାମକୁ ସାହାଯ୍ୟ କରିଥିଲେ। ଅଳ୍ପ କେତେ ସପ୍ତାହ ମଧ୍ୟରେ ଭିଏତନାମୀ ସେନା କମ୍ବୋଡିଆର ବହୁ ଅଞ୍ଚଳ ଦଖଲ କରିନେଲା। ୭ ଜାନୁଆରୀ ୧୯୭୯ରେ, ଭିଏତନାମୀ ସେନା ରାଜଧାନୀ ଫ୍ନୋମ୍ ପେନ୍ରେ ପ୍ରଵେଶ କଲା। ଖମେର ରୁଜ୍ ନେତୃତ୍ୱ ଜଙ୍ଗଲ ଆଡ଼କୁ ପଳାଇଗଲେ। ସହରର ଲୋକମାନେ ଯେତେବେଳେ ଦେଖିଲେ ଯେ ସେମାନଙ୍କର ନିଷ୍ଠୁର ଶାସକମାନେ ପଳାଇଛନ୍ତି, ସେମାନଙ୍କ ଆଖିରେ ଖୁସିର ଲୁହ ଥିଲା। ଦେଶର ଲୋକେ ଵର୍ଷ ଵର୍ଷ ଧରି ଘରୁ ବାହାରକୁ ଆସିଵାକୁ ବାରଣ ହୋଇଥିଲେ, ସେମାନେ ଵର୍ତ୍ତମାନ ରାସ୍ତାକୁ ବାହାରିଲେ। ସେମାନେ ସେହି ସ୍କୁଲଗୁଡ଼ିକ (S-21) ଦେଖିଲେ ଯେଉଁଠାରେ ନିର୍ଯ୍ୟାତନା ଦିଆଯାଉଥିଲା।
ପତନ ପରେ ମଧ୍ୟ ଖମେର ରୁଜ୍ ସମ୍ପୂର୍ଣ୍ଣ ଶେଷ ହୋଇନଥିଲା। ସେମାନେ କମ୍ବୋଡିଆ-ଥାଇଲାଣ୍ଡ ସୀମାନ୍ତଵର୍ତ୍ତୀ ଜଙ୍ଗଲରେ ଆଶ୍ରୟ ନେଲେ। ପାଶ୍ଚାତ୍ୟ ଶକ୍ତିମାନେ ଵିଶେଷକରି ସେହି ସମୟର ଶୀତଳ ଯୁଦ୍ଧର ରାଜନୀତି ଯୋଗୁଁ ଭିଏତନାମର କମ୍ବୋଡିଆ ଦଖଲକୁ ଵିରୋଧ କଲେ। ଏହି କାରଣରୁ, ଖମେର ରୁଜ୍କୁ କିଛି ଦେଶର ଅଘୋଷିତ ସମର୍ଥନ ମିଳିଲା ଏବଂ ସେମାନେ ଆହୁରି ଦଶନ୍ଧି ଧରି ଗରିଲା ଯୁଦ୍ଧ ଜାରି ରଖିଲେ। ସେମାନେ ଜଙ୍ଗଲରୁ କମ୍ବୋଡିଆର କୃଷି ଓ ରାସ୍ତାଘାଟକୁ ଧ୍ୱଂସ କରିଵା ଜାରି ରଖିଥିଲେ।
୧୯୭୯ ପରେ ଯେତେବେଳେ ଖମେର୍ ରୁଜ୍ର ଲୋକମାନଙ୍କ ଦ୍ୱାରା କରାଯାଇଥିଵା ନରସଂହାର ଵିଷୟରେ ସବୁ ଜଣାପଡ଼ିଲା, ସେତେବେଳେ ମଧ୍ୟ ଆମେରିକା ସେମାନଙ୍କୁ ଜାତିସଂଘରେ ସ୍ଥାନ ଦେଇ ସୁରକ୍ଷା ଦେଇଥିଲା। ଏହି ସୁରକ୍ଷା କାହିଁକି ଦିଆଗଲା? କେଵଳ ଭିଏତନାମକୁ ଦୁର୍ଵଳ କରିବା ପାଇଁ ? ଏହି ପ୍ରଶ୍ନଟି ହିଁ ଆମେରିକାର ପ୍ରତ୍ୟକ୍ଷ ସମ୍ପୃକ୍ତି ଉପରେ ସନ୍ଦେହ ବଢ଼ାଏ।
୧୯୭୯ ପରେ କମ୍ବୋଡିଆରେ 'ପିପୁଲ୍ସ ରିପବ୍ଲିକ୍ ଅଫ୍ କାମ୍ପୁଚିଆ' ସରକାର ଗଠିତ ହେଲା। ଦେଶର ଅଵସ୍ଥା ଅତି ଦୟନୀୟ ଥିଲା। ଶିକ୍ଷିତ ଲୋକଙ୍କ ଅଭାବରୁ ପ୍ରଶାସନ ଚଳାଇଵା କଷ୍ଟକର ଥିଲା, କାରଣ ଖମେର ରୁଜ୍ ଅଧିକାଂଶ ବୁଦ୍ଧିଜୀଵୀଙ୍କୁ ହତ୍ୟା କରିସାରିଥିଲା। ଭିଏତନାମର ସହଯୋଗରେ ଦେଶର ଖାଦ୍ୟ ସଙ୍କଟ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ସୁଧାରିଵା ପାଇଁ ପ୍ରୟାସ ଆରମ୍ଭ ହେଲା। ଲୋକମାନେ ଧୀରେ ଧୀରେ ନିଜ ନିଜ ଗାଁକୁ ଫେରିଲେ ଏଵଂ ପରିଵାରର ବଞ୍ଚିଥିଵା ସଦସ୍ୟମାନଙ୍କୁ ଖୋଜିଵାକୁ ଲାଗିଲେ।
ଖମେର ରୁଜ୍ର ନେତାମାନେ ଜଙ୍ଗଲରେ ଲୁଚି ରହି ଗରିଲା ଯୁଦ୍ଧ ଜାରି ରଖିଥିଲେ। ଅନ୍ତର୍ଜାତୀୟ ରାଜନୀତିରେ ମଧ୍ୟ ସେମାନଙ୍କୁ କିଛି ମାତ୍ରାରେ ସ୍ୱୀକୃତି ମିଳୁଥିଲା, କାରଣ ସେତେବେଳେ ଭିଏତନାମର କମ୍ବୋଡିଆ ଦଖଲକୁ ପାଶ୍ଚାତ୍ୟ ଦେଶମାନେ ଵିରୋଧ କରୁଥିଲେ। ତେବେ ୧୯୯୦ ଦଶକ ଆସିଵା ବେଳକୁ ପରିସ୍ଥିତି ବଦଳିଲା। ୧୯୯୧ ମସିହାରେ Paris Peace Accords)ମାଧ୍ୟମରେ କମ୍ବୋଡିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ଚୁକ୍ତି ହେଲା।
ଧୀରେ ଧୀରେ ଖମେର ରୁଜ୍ର ସଦସ୍ୟମାନେ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ଆତ୍ମସମର୍ପଣ କଲେ। ପୋଲ୍ ପଟ୍ ୧୯୯୮ ମସିହାରେ ନିଜର ଶେଷ ସମୟରେ ଜଙ୍ଗଲରେ ମୃତ୍ୟୁଵରଣ କଲେ, ଯାହା ଫଳରେ ସେ କେବେହେଲେ ନ୍ୟାୟର ସମ୍ମୁଖୀନ ହୋଇପାରିଲେ ନାହିଁ। ଅନ୍ୟ ପ୍ରମୁଖ ନେତାମାନଙ୍କୁ ପରଵର୍ତ୍ତୀ ସମୟରେ ଗିରଫ କରାଗଲା।
କମ୍ବୋଡିଆର ଲୋକଙ୍କ ପାଇଁ ନ୍ୟାୟ ଏକ ବଡ଼ ପ୍ରଶ୍ନ ଥିଲା। ୨୦୦୬ ମସିହାରେ, ମିଳିତ ଜାତିସଂଘ ସହାୟତାରେ 'ଖମେର ରୁଜ୍ ଟ୍ରିବ୍ୟୁନାଲ' ଗଠିତ ହେଲା। ଦଶନ୍ଧି ଧରି ଚାଲିଥିଵା ଏହି ଵିଚାର ପ୍ରକ୍ରିୟାରେ ଖମେର ରୁଜ୍ର ନୁଅନ ଚିଆ ଓ ଖିୟୁ ସାମ୍ଫାନ ଭଳିସ ଵରିଷ୍ଠ ନେତାମାନଙ୍କୁ ନରସଂହାର ପାଇଁ ଆଜୀଵନ କାରାଦଣ୍ଡ ଦିଆଗଲା। ଏହି ନ୍ୟାୟିକ ପ୍ରକ୍ରିୟା ପୀଡ଼ିତ ପରିଵାରମାନଙ୍କୁ ଏକ ପ୍ରକାରର ମାନସିକ ଶାନ୍ତି ପ୍ରଦାନ କଲା।
ଆଜିର କମ୍ବୋଡିଆ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି। ଫ୍ନୋମ୍ ପେନ୍ ଏକ ଆଧୁନିକ ସହରରେ ପରିଣତ ହୋଇଛି। ଯୁଵପିଢ଼ି ନିଜର ପ୍ରାଚୀନ ସଂସ୍କୃତିକୁ ପୁନରୁଦ୍ଧାର କରିଵାରେ ଲାଗିପଡ଼ିଛନ୍ତି। 'ଟୁଓଲ୍ ସ୍ଲେଙ୍ଗ୍' ମ୍ୟୁଜିୟମ ଆଜି ସେହି ଅତୀତର ସ୍ମୃତିଚାରଣ କରୁଛି, ଯେପରି ଆଗାମୀ ପିଢ଼ି କେବେ ମଧ୍ୟ ସେହି ଭୁଲ୍ ନ ଦୋହରାନ୍ତି। କମ୍ବୋଡିଆର ସଙ୍ଗୀତ, ନୃତ୍ୟ ଏବଂ କଳା ପୁନର୍ଜନ୍ମ ନେଇଛି। ଯେଉଁ ଦେଶକୁ ଆମେରିକା ନିଜର କୂଟ ଚକ୍ରାନ୍ତ ବଳରେ ସମ୍ପୂର୍ଣ୍ଣ ଧ୍ଵଂସ କରି ଦେଵାକୁ ଚେଷ୍ଟା କରାଥିଲା ସେ ଦେଶ ଆଜି ଦୃତ ଵିକାଶ ପଥରେ ଅଗ୍ରସର ହେଉଛି ।
କାମ୍ବୋଡିଆର ଇତିହାସ ଅନ୍ଧକାରରୁ ଆଲୋକ ଆଡ଼କୁ ଏକ ସଂଘର୍ଷପୂର୍ଣ୍ଣ ଯାତ୍ରା ଅଟେ। ଖମେର ସାମ୍ରାଜ୍ୟର ସ୍ୱର୍ଣ୍ଣିମ ଅତୀତଠାରୁ ଆରମ୍ଭ କରି ଫରାସୀ ଉପନିଵେଶବାଦ ଏଵଂ ପରବର୍ତ୍ତୀ ସମୟରେ ଖମେର ରୁଜ୍ର କ୍ରୂର ନରସଂହାର ପର୍ଯ୍ୟନ୍ତ, ଏହି ଦେଶ ଅନେକ ଝଡ଼ଝଞ୍ଜା ସହିଛି। ଆମେରିକାର ଭୂ-ରାଜନୈତିକ ଷଡ଼ଯନ୍ତ୍ର ଓ ଶୀତଳ ଯୁଦ୍ଧର ବଳିଦାନ ହୋଇଥିଵା ଏହି ଦେଶଟି ନିଜର ଅସ୍ତିତ୍ୱକୁ ପୂରାପୂରି ହରାଇ ବସିଥିଲା। ତଥାପି, କାମ୍ବୋଡିଆର ଜନସାଧାରଣଙ୍କ ଅଦମ୍ୟ ଇଚ୍ଛାଶକ୍ତି ଓ ବଞ୍ଚିଵାର ଉତ୍ସାହ ସେମାନଙ୍କୁ ସେହି ଵିଭୀଷିକାରୁ ବାହାର କରି ଆଣିଛି।
ଆଜିର କାମ୍ବୋଡିଆ କେଵଳ 'କିଲିଂ ଫିଲ୍ଡସ୍' ଵା ଇତିହାସର ଏକ ଦୁଃଖଦ ଅଧ୍ୟାୟ ନୁହେଁ ଵରଂ ଏହା ଆଶା ଏବଂ ପୁନର୍ଜନ୍ମର ଏକ ପ୍ରତୀକ। ଫ୍ନୋମ୍ ପେନ୍ର ଆଧୁନିକ ଅଟ୍ଟାଳିକା ଓ ଯୁଵପିଢ଼ିଙ୍କ ନୂତନ ସ୍ୱପ୍ନ ଦର୍ଶାଉଛି ଯେ ଵାହ୍ୟ ଶକ୍ତି ଯେତେ ପ୍ରଭାଵଶାଳୀ ହେଲେ ମଧ୍ୟ ଏକ ଜାତିର ସଂସ୍କୃତି ଓ ଆତ୍ମାକୁ ସବୁଦିନ ପାଇଁ ଦବେଇ ରଖିଵା ଅସମ୍ଭଵ। କାମ୍ବୋଡିଆର ଏହି ଐତିହାସିକ ଯାତ୍ରା ଆମକୁ ଶିକ୍ଷା ଦିଏ ଯେ, କ୍ଷମତାଲୋଭୀ ଶକ୍ତିମାନଙ୍କର ଖେଳରେ କେଵଳ ନିରୀହମାନେ ପୀଡ଼ିତ ହୁଅନ୍ତି, କିନ୍ତୁ ସମୟର ସ୍ରୋତରେ ସତ୍ୟ ଓ ମାନଵିକତା ଶେଷରେ ଜୟଯୁକ୍ତ ହୁଏ। ନିଜର ଦୁଃଖଦ ଅତୀତକୁ ପାଥେୟ କରି କାମ୍ବୋଡିଆ ଏବେ ଏକ ସୁସ୍ଥ, ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ଭଵିଷ୍ୟତ ଗଢ଼ିଵିର ପ୍ରୟାସରେ ନିରତ।
No comments:
Post a Comment