Saturday, May 16, 2026

ଲଜ୍ଜାଜନକ ଗୁପ୍ତ ଇତିହାସ(ଭାଗ-୨)

ହୋମୋ ସାପିଏନ୍ସ ଆହୁରି ଏକ ଅସ୍ୱାଭାଵିକ ରହସ୍ୟ ଲୁଚାଇ ରଖିଛି । ଆମର ଯେ କେଵଳ ଅସଭ୍ୟ କୁଳ ସମ୍ପର୍କୀୟ ମହାଵାନର ଭାତୃଗଣମାନେ(ସିମ୍ପାଞ୍ଜି,ବବୁନ୍,ଗରିଲା ଓ ଓରାଙ୍ଗଓଟାଙ୍ଗ) ଅଛନ୍ତି ତାହା ନୁହେଁ, ଵରଂ କୌଣସି ଏକ ସମୟରେ ଆମ୍ଭମାନଙ୍କ ଭଳି ଦେଖାଯାଉଥିଵା ଆମର ଅନେକ Homo ଵଂଶର ଭାତୃଗଣ ମଧ୍ୟ ଥିଲେ । ଆମେ ନିଜକୁ ଏକମାତ୍ର ମଣିଷ ବୋଲି ଭାବିଵାରେ ଅଭ୍ୟସ୍ତ, କାରଣ ଗତ ୧୦,୦୦୦ ଵର୍ଷ ଧରି ପୃଥିଵୀରେ ଆମ Homo sapiens ଜାତି ହିଁ ଏକମାତ୍ର ମାନଵ ଜାତି ଭାବେ ରହିଆସିଛି । କିନ୍ତୁ 'ମାନଵ' (Human) ଶବ୍ଦର ପ୍ରକୃତ ଅର୍ଥ ହେଉଛି 'ହୋମୋ (Homo) ଵଂଶର ଅନ୍ତର୍ଗତ ଏକ ପ୍ରାଣୀ', ଏଵଂ ଅତୀତରେ ହୋମୋ ସାପିଏନ୍ସ ଵ୍ୟତୀତ ଏହି ଵଂଶର ଅନ୍ୟ ଅନେକ ଜାତି ମଧ୍ୟ ଥିଲେ । ଏହାଛଡ଼ା, ଆମେ ଏହି ପୁସ୍ତକର ଶେଷ ଅଧ୍ୟାୟରେ ଦେଖିଵାକୁ ପାଇଵା ଯେ, ନିକଟ ଭଵିଷ୍ୟତରେ ଆମକୁ ପୁଣି ଥରେ 'ଅଣ-ସାପିଏନ୍ସ' (Non-sapiens) ମଣିଷମାନଙ୍କ ସହ ସାମ୍ନାସାମ୍ନି ହେଵାକୁ ପଡ଼ିପାରେ । ଏହି ଵିଷୟଟିକୁ ସ୍ପଷ୍ଟ କରିଵା ପାଇଁ, ମୁଁ ପ୍ରାୟତଃ ହୋମୋ ସାପିଏନ୍ସ ଜାତିର ସଦସ୍ୟମାନଙ୍କ ପାଇଁ 'ସାପିଏନ୍ସ' ଶବ୍ଦ ଵ୍ୟଵହାର କରିବି ଏଵଂ 'ମାନଵ' ଶବ୍ଦଟିକୁ ହୋମୋ ଵଂଶର ସମସ୍ତ ଜାତିଙ୍କ ପାଇଁ ଵ୍ୟଵହାର କରିବି ।
ପ୍ରାୟ ୨୫ ଲକ୍ଷ ଵର୍ଷ ପୂର୍ଵେ ପୂର୍ଵ ଆଫ୍ରିକାରେ 'ଅଷ୍ଟ୍ରାଲୋପିଥେକସ' (Australopithecus) ନାମକ ଏକ ପୁରୁଣା ଵାନର ଵଂଶରୁ ମଣିଷର ଵିଵର୍ତ୍ତନ ହୋଇଥିଲା । ଅଷ୍ଟ୍ରାଲୋପିଥେକସ ଶବ୍ଦର ଅର୍ଥ ହେଉଛି 'ଦକ୍ଷିଣୀ ଵାନର' । ପ୍ରାୟ ୨୦ ଲକ୍ଷ ଵର୍ଷ ପୂର୍ଵେ, ଏହି ପ୍ରାଚୀନ ପୁରୁଷ ଓ ମହିଳାଙ୍କ ମଧ୍ୟରୁ କିଛି ଜଣ ନିଜ ମାତୃଭୂମି ଛାଡ଼ି ଉତ୍ତର ଆଫ୍ରିକା, ୟୁରୋପ ଓ ଏସିଆର ଵିଶାଳ ଅଞ୍ଚଳକୁ ଯାତ୍ରା କଲେ ଏଵଂ ସେଠାରେ ଵସଵାସ କଲେ । ୟୁରୋପର ଵରଫାଵୃତ ଜଙ୍ଗଲରେ ଵଞ୍ଚିଵା ପାଇଁ ଯେଉଁ ପ୍ରକାରର ଗୁଣ ଆଵଶ୍ୟକ ଥିଲା, ତାହା ଇଣ୍ଡୋନେସିଆର ଗରମ ଜଙ୍ଗଲରେ ଵଞ୍ଚିଵା ପାଇଁ ଦରକାର ଥିଵା ଗୁଣଠାରୁ ସମ୍ପୂର୍ଣ୍ଣ ଅଲଗା ଥିଲା । ତେଣୁ ମାନଵ ଜନସଂଖ୍ୟା ଭିନ୍ନ ଭିନ୍ନ ଦିଗରେ ଵିକଶିତ ହେଲେ । ଏହାର ପରିଣାମ ସ୍ୱରୂପ କେତେକ ଭିନ୍ନ ଜାତିର ସୃଷ୍ଟି ହେଲା, ଯାହାକୁ ଵୈଜ୍ଞାନିକମାନେ ଏକ ଏକ ଗମ୍ଭୀର ଲାଟିନ୍ ନାମ ଦେଇଛନ୍ତି ।
ୟୁରୋପ ତଥା ପଶ୍ଚିମ ଏସିଆର ମଣିଷମାନେ 'ହୋମୋ ନିଆଣ୍ଡରଥାଲେନସିସ୍' (ନିଆଣ୍ଡର ଉପତ୍ୟକାର ମଣିଷ) ଭାବେ ଵିକଶିତ ହେଲେ, ଯାହାଙ୍କୁ ସାଧାରଣତଃ 'ନିଆଣ୍ଡରଥାଲ୍' (Neanderthals) କୁହାଯାଏ । ନିଆଣ୍ଡରଥାଲମାନେ ଆମ ସାପିଏନ୍ସଙ୍କ ତୁଳନାରେ ଅଧିକ ଶକ୍ତିଶାଳୀ ଏଵଂ ମାଂସପେଶୀ ବହୁଳ ଥିଲେ । ସେମାନେ ଶୀତଯୁଗର ପଶ୍ଚିମ ୟୁରେସିଆର ଶୀତଳ ଜଳଵାୟୁ ସହ ଖାପ ଖୁଆଇ ରହିଵା ପାଇଁ ସକ୍ଷମ ଥିଲେ । ଏସିଆର ପୂର୍ଵ ଅଞ୍ଚଳରେ 'ହୋମୋ ଏରେକ୍ଟସ' (Homo erectus) ଵା 'ଠିଆ ହୋଇ ଚାଲୁଥିଵା ମଣିଷ' ଵାସ କରୁଥିଲେ, ଯେଉଁମାନେ ସେଠାରେ ପ୍ରାୟ ୨୦ ଲକ୍ଷ ଵର୍ଷ ଧରି ଵଞ୍ଚି ରହିଥିଲେ । Homo erectus ଏପର୍ଯ୍ୟନ୍ତର ସବୁଠାରୁ ଦୀର୍ଘସ୍ଥାୟୀ ମାନଵ ଜାତି ଅଟେ । ଏହି ରେକର୍ଡ ହୁଏତ ଆମ ନିଜ ଜାତି ଦ୍ୱାରା ଭାଙ୍ଗିଵା ସମ୍ଭଵ ନୁହେଁ । ହୋମୋ ସାପିଏନ୍ସ ଆଜିଠାରୁ ହଜାରେ ଵର୍ଷ ପରେ ରହିବେ କି ନାହିଁ ସେଥିରେ ସନ୍ଦେହ ଅଛି, ତେଣୁ ୨୦ ଲକ୍ଷ ଵର୍ଷ ପର୍ଯ୍ୟନ୍ତ ରହିଵା ଆମ ପାଇଁ ଏକ ବଡ଼ କଥା ।

ଇଣ୍ଡୋନେସିଆର ଜାଭା ଦ୍ୱୀପରେ 'ହୋମୋ ସୋଲୋଏନସିସ୍' (ସୋଲୋ ଉପତ୍ୟକାର ମଣିଷ) ଵାସ କରୁଥିଲେ, ଯେଉଁମାନେ କ୍ରାନ୍ତୀୟ ଜଳଵାୟୁରେ ରହିଵା ପାଇଁ ଉପଯୁକ୍ତ ଥିଲେ । ଇଣ୍ଡୋନେସିଆର ଅନ୍ୟ ଏକ ଛୋଟ ଦ୍ୱୀପ 'ଫ୍ଲୋରେସ୍'ରେ ପ୍ରାୟ ପ୍ରାଚୀନ ମଣିଷମାନେ ଏକ ଵାମନ ପ୍ରକ୍ରିୟା (dwarfing) ଦେଇ ଗତି କରିଥିଲେ । ଯେତେବେଳେ ସମୁଦ୍ରର ଜଳସ୍ତର ଖୁବ୍ କମ୍ ଥିଲା, ସେତେବେଳେ ମଣିଷମାନେ ପ୍ରଥମେ ଫ୍ଲୋରେସରେ ପହଞ୍ଚିଥିଲେ ଏଵଂ ମୁଖ୍ୟ ଭୂଭାଗରୁ ସେଠାକୁ ଯିଵା ସହଜ ଥିଲା । କିନ୍ତୁ ଯେତେବେଳେ ସମୁଦ୍ର ପତ୍ତନ ପୁଣି ବଢ଼ିଗଲା, କିଛି ଲୋକ ସେହି ଦ୍ୱୀପରେ ଫସିଗଲେ । ସେଠାରେ ସମ୍ଵଳ ଵା ଖାଦ୍ୟର ଅଭାଵ ଥିଲା । ବଡ଼ ଲୋକମାନେ, ଯାହାଙ୍କୁ ଅଧିକ ଖାଦ୍ୟ ଦରକାର ହୁଏ, ସେମାନେ ପ୍ରଥମେ ମୃତ୍ୟୁଵରଣ କଲେ । ଛୋଟ ଆକାରର ଲୋକମାନେ ବଞ୍ଚି ରହିଵାରେ ସଫଳ ହେଲେ । ପିଢ଼ି ପରେ ପିଢ଼ି ଧରି ଫ୍ଲୋରେସର ଲୋକମାନେ ଵାମନ ହୋଇଗଲେ । ଏହି ଅଦ୍ୱିତୀୟ ଜାତି, ଯାହାଙ୍କୁ ଵୈଜ୍ଞାନିକମାନେ 'ହୋମୋ ଫ୍ଲୋରେସିଏନସିସ୍' (Homo floresiensis) ନାମରେ ଜାଣନ୍ତି, ସେମାନଙ୍କର ସର୍ଵାଧିକ ଉଚ୍ଚତା ମାତ୍ର ଏକ ମିଟର ଥିଲା ଏଵଂ ଓଜନ ୨୫ କିଲୋଗ୍ରାମରୁ ଅଧିକ ନଥିଲା । ତଥାପି ସେମାନେ ପଥରର ହତିଆର ତିଆରି କରିପାରୁଥିଲେ ଏଵଂ ବେଳେବେଳେ ଦ୍ୱୀପର ହାତୀମାନଙ୍କୁ ମଧ୍ୟ ଶିକାର କରୁଥିଲେ - ଯଦିଓ ସତ କହିଵାକୁ ଗଲେ, ସେହି ହାତୀମାନେ ମଧ୍ୟ ଵାମନ ଆକାରର ଜାତି ଥିଲେ ।

୨୦୧୦ ମସିହାରେ ଆଉ ଏକ ହଜିଯାଇଥିଵା ମାନଵଜାତିକୁ ଲୋକଲୋଚନକୁ ଅଣାଯାଇଥିଲା, ଯେତେବେଳେ ଵୈଜ୍ଞାନିକମାନେ ସାଇବେରିଆର 'ଡେନିସୋଵା' ଗୁମ୍ଫା ଖୋଳୁଥିଵା ସମୟରେ ଏକ ପଥର ପାଲଟିଯାଇଥିଵା ଆଙ୍ଗୁଠି ହାଡ଼ ପାଇଥିଲେ । ଜିନେଟିକ୍ ଵିଶ୍ଳେଷଣରୁ ପ୍ରମାଣିତ ହେଲା ଯେ ସେହି ଆଙ୍ଗୁଠିଟି ଏକ ଅଜ୍ଞାତ ମାନଵ ଜାତିର ଥିଲା, ଯାହାର ନାମ 'ହୋମୋ ଡେନିସୋଵା' (Homo denisova) ରଖାଗଲା ।
କିଏ ଜାଣେ, ଆମର ଏମିତି କେତେ ହଜିଯାଇଥିଵା ସମ୍ପର୍କୀୟମାନେ ଅନ୍ୟ ଗୁମ୍ଫାରେ, ଅନ୍ୟ ଦ୍ୱୀପରେ କିମ୍ଵା ଅନ୍ୟ କୌଣସି ଜଳଵାୟୁରେ ଆଵିଷ୍କାର ହେଵା ପାଇଁ ଅପେକ୍ଷା କରି ରହିଛନ୍ତି ।

•ଯେତେବେଳେ ଏହି ମଣିଷମାନେ ୟୁରୋପ ଓ ଏସିଆରେ ଵିକଶିତ ହେଉଥିଲେ, ସେହି ସମୟରେ ପୂର୍ଵ ଆଫ୍ରିକାରେ ମଧ୍ୟ ଵିଵର୍ତ୍ତନ ପ୍ରକ୍ରିୟା ଅଟକି ନଥିଲା । ମାନଵଜାତିର ଏହି ସୂତିକାଗୃହ (Cradle of humanity) ଅନେକ ନୂତନ ଜାତିଙ୍କୁ ପାଳନ କରିଵାରେ ଲାଗିଥିଲା, ଯେପରିକି 'ହୋମୋ ରୁଡଲଫେନସିସ୍' (ରୁଡଲଫ୍ ହ୍ରଦର ମଣିଷ), 'ହୋମୋ ଏରଗାଷ୍ଟର୍' (କାମିକା ମଣିଷ) ଏଵଂ ଶେଷରେ ଆମର ନିଜ ଜାତି, ଯାହାକୁ ଆମେ ଅତି ଗର୍ଵର ସହ 'Homo Sapiens' (ଜ୍ଞାନୀ ମଣିଷ) ନାମରେ ନାମିତ କରିଛୁ ।

ଏହି ଜାତିଗୁଡ଼ିକ ମଧ୍ୟରୁ କିଛି ଵହୁତ ବଡ଼ ଥିଲେ ଏଵଂ କିଛି ଵାମନ ଥିଲେ । କେତେକ ଭୟଙ୍କର ଶିକାରୀ ଥିଲେ ତ ଆଉ କେତେକ ଶାନ୍ତ ସ୍ୱଭାଵର ଵୃକ୍ଷଲତା ସଂଗ୍ରହକାରୀ ଥିଲେ । କେହି କେଵଳ ଗୋଟିଏ ଦ୍ୱୀପରେ ଵାସ କରୁଥିଲେ ତ ଆଉ ଅନେକ ଵିଶାଳ ମହାଦେଶଗୁଡ଼ିକରେ ଘୂରି ବୁଲୁଥିଲେ । କିନ୍ତୁ ସେମାନେ ସମସ୍ତେ 'ହୋମୋ' ଵଂଶର ଅନ୍ତର୍ଗତ ଥିଲେ । ସେମାନେ ସମସ୍ତେ ମାନଵ ଥିଲେ ।
ଏହି ଜାତିଗୁଡ଼ିକୁ ଏକ ସରଳ ରେଖାର ଵଂଶାଵଳୀ ଭାବେ କଳ୍ପନା କରିଵା ଏକ ସାଧାରଣ ଭୁଲ୍ ଧାରଣା - ଯେପରିକି ଏରଗାଷ୍ଟରରୁ ଏରେକ୍ଟସ, ଏରେକ୍ଟସରୁ ନିଆଣ୍ଡରଥାଲ୍ ଏଵଂ ନିଆଣ୍ଡରଥାଲରୁ ଆମର ସୃଷ୍ଟି ହୋଇଛି । ଏହି ସରଳରୈଖିକ ମଡେଲ୍ (Linear model) ଏକ ଭୁଲ୍ ପ୍ରଭାଵ ପକାଏ ଯେ କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ପୃଥିଵୀରେ କେଵଳ ଗୋଟିଏ ପ୍ରକାରର ମଣିଷ ଵାସ କରୁଥିଲେ ଏଵଂ ପୂର୍ଵର ସମସ୍ତ ଜାତି କେଵଳ ଆମର ପୁରୁଣା ସଂସ୍କରଣ ଥିଲେ । ପ୍ରକୃତ ସତ୍ୟ ହେଉଛି ଯେ ପ୍ରାୟ ୨୦ ଲକ୍ଷ ଵର୍ଷ ପୂର୍ଵରୁ ପ୍ରାୟ ୧୦,୦୦୦ ଵର୍ଷ ପୂର୍ଵ ପର୍ଯ୍ୟନ୍ତ, ପୃଥିଵୀ ଏକ ସମୟରେ ଅନେକ ମାନଵ ଜାତିଙ୍କର ଵାସସ୍ଥାନ ଥିଲା ।

ଏଵଂ ଏହା କାହିଁକି ଵା ଅସମ୍ଭଵ ହେଵ? ଆଜି ପୃଥିଵୀରେ ଅନେକ ଜାତିର ଶିଆଳ, ଭାଲୁ ଓ ଘୁଷୁରି ଅଛନ୍ତି । ଏକ ଲକ୍ଷ ଵର୍ଷ ପୂର୍ବେ ପୃଥିଵୀରେ ଅତି କମ୍‌ରେ ଛଅଟି ଭିନ୍ନ ମାନଵ ଜାତି ଵିଚରଣ କରୁଥିଲେ । ଆମର ଵର୍ତ୍ତମାନର ଏକଛତ୍ରଵାଦ (Exclusivity) ହିଁ ଅଦ୍ଭୁତ, ସେହି ବହୁ-ଜାତି ଵିଶିଷ୍ଟ ଅତୀତ ନୁହେଁ - ଏଵଂ ବୋଧହୁଏ ଏହା ଆମ ପାଇଁ ଏକ ଦୋଷାରୋପ ମଧ୍ୟ ଅଟେ । ଯେପରି ଆମେ ଶୀଘ୍ର ଦେଖିଵାକୁ ପାଇଵା, ଆମେ ସାପିଏନ୍ସମାନଙ୍କ ପାଖରେ ନିଜ ଭାତୃଗଣମାନଙ୍କର ସ୍ମୃତିକୁ ଚପାଇ ରଖିଵାର ଯଥେଷ୍ଟ କାରଣ ରହିଛି ।

(ୟୁଵାଲ୍ ନୋଆ ହରାରିଙ୍କ ପୁସ୍ତକ sapiens:a brief history of humankind ପୁସ୍ତକର ଧାରାଵାହିକ ଓଡ଼ିଆ ଅନୁଵାଦର ଏହା ଦ୍ଵିତୀୟ ଭାଗ)

No comments:

Post a Comment