My Blog List

Showing posts with label ମହାପୁରୁଷ. Show all posts
Showing posts with label ମହାପୁରୁଷ. Show all posts

Saturday, October 14, 2023

•ବାରମୂଳାର ବାଟେଘାଟେ(ଡକ୍ଟର କୁଞ୍ଜବିହାରୀ ଦାଶ)•


ବସ୍‌ରେ ବେଶ୍ ଭିଡ଼, ହେଲେ ଜାଗା ଲାଗି କାହା ସଙ୍ଗେ ଝଗଡ଼ା ଝାଟି ଲାଗି ନାହିଁ । ଆମ କେତେଜଣଙ୍କ ଛଡ଼ା ବସର ପ୍ରାୟ ସମସ୍ତ ଯାତ୍ରୀ କାଶ୍ମୀରୀ । ପୁରୁଷମାନେ ପାଇଜାମା, ଫେରନ୍ ପିନ୍ଧିଛନ୍ତି, ମୁଣ୍ଡରେ ପଗଡ଼ି ଭିଡ଼ିଛନ୍ତି, ସ୍ତ୍ରୀମାନଙ୍କର ରଙ୍ଗ ବେରଙ୍ଗର ଶାଢ଼ି, ଫେରନ୍, ମୁଣ୍ଡରେ ତରଙ୍ଗା, କେହି ବୁର୍ଖା ଭିତରେ ଆଖି ଦୁଇଟି ଜୁଳୁ ଜୁଳୁ କରୁଛନ୍ତି; ହିନ୍ଦୁ ସ୍ତ୍ରୀଙ୍କ କାନରେ ଦିଜହୁର, ମୁସଲମାନ ସ୍ତ୍ରୀଙ୍କ ଗୋଛା ଗୋଛା କାନଓ୍ବାଜି କାନକୁ ଲମ୍ବା ଆଉ ନଡ଼କା କରି ଦେଇଛି । ବସ୍ ଚାଲିଲା, ରାସ୍ତା ଦୁଇ ପାଖରେ ସଫେଦ, ଧୂଆଁଳିଆ ମେଘ ଅଳସ
ଗତିରେ ପାହାଡ଼ ଉପରକୁ ଉଠି ବରଫ ହେଉଛି । ଚଷା ଧାନବିଲ କାଦୁଅ କରୁଛନ୍ତି,
କେଉଁଠି ତଳି ରୁଆ ହେଉଛି, କେଉଠିଁ ଧାନ କଳା ବୁଲି ଆସିଲାଣି, ହିଡ଼େ ହିଡ଼େ ବଗ ଚରି ବୁଲୁଛନ୍ତି, ସୋରିଷ କ୍ଷେତରେ ସୁନାର ଢେଉ—ଝେଲମ୍ କୂଳେ କୂଳେ ଚାଲିଲା ଆମର ବସ୍, ଦିନ ଆଠଟା ବେଳେ ଗୋଟିଏ ପୋଲ ନିକଟରେ ପହଞ୍ଚିଲୁ !

ଏଠି ଭାରତ ଓ ପାକିସ୍ତାନର ଭାଗ୍ୟ ପରୀକ୍ଷାହୋଇଥିଲା, ରକ୍ତ ଧାରରେ ଝେଲମର
ଜଳ ହୋଇଥିଲା ଲୋହିତ । ସେତେବେଳେ ଆକ୍ରମଣକାରୀ ପାହାଡ଼ୀ ସୈନ୍ୟ ଶ୍ରୀନଗର ଅଧିକାର କରିଵାକୁ ଆଗେଇ ଆସୁଥାନ୍ତି। ବାରମୂଳା ସେମାନଙ୍କ ପ୍ରଧାନ ସେନାଛାଉଣି,
ସଙ୍ଗରେ ନାନାପ୍ରକାର ଆଧୁନିକ ଅସ୍ତ୍ରଶସ୍ତ୍ର–ଟ୍ୟାଙ୍କ୍‌, ଟ୍ୟାଙ୍କଵିଧ୍ୱଂସୀ ରାଇଫଲ୍,
ମେସିନ୍ ଗନ୍, ଷ୍ଟେନ୍‌ଗନ୍, ବ୍ରେନ୍ ଗନ୍, ହାଣ୍ଡଗ୍ରେନେଡ୍ । ହଜାର ହଜାର ସୁଶିକ୍ଷିତ
ସୈନ୍ୟ । ଦେହରେ ଅକଳନ୍ତି ବଳ, ମନରେ ଵିଜୟଵିଶ୍ଵାସ । ସେନାପତି ରଣଜିତ୍
ରାୟ ଵିଷମ ସଙ୍କଟରେ ପଡ଼ିଲେ ।
ମାତ୍ର ଘଣ୍ଟାଏ ଆଗରୁ ସେ ଶ୍ରୀନଗର ବିମାନ ଘାଟିରେ ପହଞ୍ଚିଥାନ୍ତି, ଘାଟି
ନିରାପଦ ରଖିଵା ଲାଗି ଦିଲ୍ଲୀରୁ ଆଦେଶ ପାଇଥାନ୍ତି । କିନ୍ତୁ କାଶ୍ମୀରକୁ ଆସି ଯେଉଁ
ଅଵସ୍ଥା ଦେଖିଲେ, ସେଥିରେ ତାଙ୍କ ଆଖି ଖୋସି ହୋଇଗଲା । ଉରିରେ ବାଧା
ଦେଵାକୁ ଯାଇ ମହାରାଜ ହରସିଂଙ୍କ ସେନାପତି ପ୍ରାଣ ଦେଇଛନ୍ତି, ତା ପରେ ଆକ୍ରମଣକାରୀ ବିନା ବାଧାରେ ପଙ୍ଗପାଳ ପରି ଆଗେଇ ଆସୁଛନ୍ତି, ଲୋକଙ୍କ ମନୋବଳ ଭାଙ୍ଗି ପଡ଼ିଛି, ଵିକଳରେ ଈଶ୍ଵରଙ୍କୁ ଡକା ପକାଉଛନ୍ତି, ଚାରିଆଡ଼େ ହାହାକାର ପଡ଼ିଯାଇଛି; ଆଉ ଗୋଟିଏ ଦିନ ମାତ୍ର, ଶ୍ରୀନଗର ଶତ୍ରୁ କବଳରେ
ପଡ଼ିଵ । ଉଡ଼ାଜାହାଜ ଘାଟିକି ଜାବୁଡ଼ି ଧରି ବସିଲେ କି ଲାଭ ହେଵ ? ଶ୍ରୀନଗର
ଅଧିକୃତ ହେଲେ ସେ କ’ଣ ସମ୍ବଳା ପଡ଼ିଵ ? ଦିଲ୍ଲୀରୁ ଯେ ଆଦେଶ ନାହିଁ ! ତାକୁ
ଚାହିଁଵା ଅର୍ଥ ଠେଙ୍ଗା ତୁଲେଇ ବସିଵା, ଠେଙ୍ଗା ତୁଲଉଁ ତୁଲଉଁ ଘୁଷୁରି ମଙ୍ଗଳପୁରରେ
ହାଜର ହେଵା ଵିଚିତ୍ର ନୁହେଁ । ପୁଣି ଏତିକି ସୈନ୍ୟ ନେଇ ଵିରାଟ ଶତ୍ରୁବାହିନୀ
ସଙ୍ଗେ କିପରି ଯୁଦ୍ଧ କରାହେଵ ? ମହାସ୍ରୋତ ଆଗରେ ତୃଣ ପରି ଭାସିଯିଵା ହିଁ
ସାର ହେଵ । ମିଲିଟାରୀ ଗାଡ଼ି ନାହିଁ, ଉଡ଼ାଜାହାଜ ନାହିଁ, ସେଭଳି ଅସ୍ତ୍ର ଶସ୍ତ୍ର ବି
ନାହିଁ । ମହାଵୀର ରଣଜିତ ରାୟ ମହାଭାଵନାରେ ପଡ଼ିଲେ, କିନ୍ତୁ ଭାଵନାରେ ଆନନ୍ଦ ମିଳଇ କାହିଁ ? କାର୍ଯ୍ୟ—କାର୍ଯ୍ୟ, ଚତୁର୍ଦ୍ଦିଗରେ କାର୍ଯ୍ୟର ଆହ୍ୱାନ । ଶତ୍ରୁକୁ ହଟେଇଵାକୁ ହେଵ । ଶ୍ରୀନଗରରେ ଯେତେ ବସ୍, ଲରି, ମୋଟର ଚାଲୁଥିଲା, ସବୁ ଏକାଠି
କଲେ, ସେଇ ରାତିରେ କଲେ ଯୁଦ୍ଧଯାତ୍ରା । ବାରମୂଳାର ଅଳ୍ପ ଦୂରରେ ଗୋଟିଏ
ପାହାଡ଼, ଶୁଷ୍କତୃଣରେ ଧୂସର; ପାହାଡ଼ ମୂଳରେ ରାଜପଥ, ଡାକେ ବାଟରେ ଝେଲମ୍ । ରାତି ଅଧ, ଆକାଶର ତାରକା ଆଶୀର୍ଵାଦ କଲେ, ରଣଜିତ୍ ଏଇ ପାହାଡ଼ରେ ଘାଟି ଜମେଇଲେ । ଗାଡ଼ିସବୁ ଲୁଚାଇ ରଖିଲେ । ତା’ଆର ଦିନ ସିନ୍ଦୂରା ଫାଟି ନାହିଁ, ଶତ୍ରୁସୈନ୍ୟ ରାଜପଥରେ ପଟୁଆରରେ ଯିଵାର ଦେଖାଗଲା, କି ଫୁର୍ତ୍ତି !

କେତୋଟି ଘଣ୍ଟା ମଧ୍ୟରେ କାଶ୍ମୀରର ରାଜମୁକୁଟ ଅଧିକୃତ ହେଵ, ଅକଳନ୍ତି ଧନଦୌଲତ, ଅସରନ୍ତି ଖାଦ୍ୟଭଣ୍ଡାର ହାତରେ ପଡ଼ିଵ, ଗୀତ, ନୃତ୍ୟ, ଭୋଜି ମଉଜର ସୀମା ରହିଵ ନାହିଁ । କି ମଜ୍ଜା । ରଣଜିତ୍ ଆଦେଶ ଦେଲେ, ଚଳାଅ ଗୁଳି । ମେସିନ୍ ଗନ୍ ଗର୍ଜି ଉଠିଲା ଗୁଡୁମ୍, ଗୁଡୁମ—ଝେଲମର ଢେଉ ଚମକି ପଡ଼ିଲେ, ଭୟାଳୁ ପକ୍ଷୀ ଆର୍ତ୍ତ ରବରେ
ଇତସ୍ତତଃ ପଳାଇଗଲେ, କଜ୍ଜଳ ଧୂମରେ ଉଷାର ସିନ୍ଦୂରିତ ଆକାଶ ଛାଇ ହୋଇଗଲା, ରାସ୍ତାର ଦୁଇକଡ଼ରେ ଓଲଟି ପଡ଼ିଲେ ଶତ ଶତ ଶତ୍ରୁ ସୈନ୍ୟ, ଗୋଲାପୀ ସ୍ଵପ୍ନ ଉପରେ ସତେ କି ଅକାଳ ଚଡ଼କ ପଡ଼ିଲା, ଛିନ୍ ଛତର ହୋଇ କିଏ କୁଆଡ଼େ ପଳାଇଲେ । ସେନାପତି ସାହସ ଦେଇ ପୁଣି ସେମାନଙ୍କୁ ଏକାଠି
କଲେ, ସେନାକୁ ଦୂରକୁ ଘୁଞ୍ଚାଇ ନେଇ ପାଲ୍‌‌ଟା ଆକ୍ରମଣ ଲାଗି ପ୍ରସ୍ତୁତ ହେଲେ । ଯେଉଁ ଦିଗରୁ ଗୁଳି ଛୁଟୁଥିଲା, ସେହି ଦିଗକୁ ଲକ୍ଷ୍ୟ କରି ବନ୍ଧୁକର ଘୋଡ଼ା ଟିପିଲେ । କିନ୍ତୁ ଗୋଟିଏ ହେଲେ ଗୁଳି ଶିଖ୍ ସୈନ୍ୟଙ୍କ ଦେହରେ ବାଜିଲା ନାହିଁ । ସେମାନଙ୍କର ରକ୍ଷାକର୍ତ୍ତା ପାହାଡ଼ । ତା ପରେ ଶତ୍ରୁ ବାହିନୀ ପାହାଡ଼କୁ ଦୁଇଦିଗରୁ ଘେରାଉ କଲେ ।

ରଣଜିତ୍ ଦେଖିଲେ–କଥା ସରିଲା ଆଉ ରକ୍ଷା ନାହିଁ । ଏ ଘାଟିକି ଆବୁରି ରହିଵା ଅର୍ଥ ମୃତ୍ୟୁ । କମାଣ ଧୂଆଁର ଆବରଣରେ ସେ ସୈନ୍ୟମାନଙ୍କୁ ପଛେଇ ନେଲେ, ଜଣ ଜଣ ହୋଇ ସମସ୍ତେ ଗଲେ, କିନ୍ତୁ ସେ ନିଜର ଆସ୍ଥାନ ଛାଡ଼ିଲେ ନାହିଁ । ଏକୁଟିଆ ଛିଡ଼ା ହୋଇ ସେ ଗୁଳି ଟିପିଲେ, ଆଗେଇ ଆସୁଥିଵା ଶତ୍ରୁ ସୈନ୍ୟ ମଧ୍ୟରୁ ଯେତେ ନିପାତ ହେଲେ, ତହିଁରୁ ବେଶୀ ଘାଇଲା ହେଲେ । ଅନ୍ଧକାର ଘନେଇ ଆସିଲାଣି, ଶିଖ୍‌ସୈନ୍ୟ ଗୋଟିଏ ନିରାପଦ ଘାଟି ଆଗୁଳି ବସିଲେଣି; କିନ୍ତୁ ରଣଜିତ୍ ରାୟ ? ଆହା ରଣଜିତ୍ ରାୟ ! ଗୋଟିଏ ଗୋଳା ହଠାତ୍‌ କାହୁଁ ଆସି ତାଙ୍କ କପାଳରେ ବାଜିଲା, ରାୟଙ୍କ ଖପୁରି ଉଡ଼ିଗଲା । ମାତ୍ର ୩୪ ବର୍ଷ ବୟସରେ ସେ ଉଚ୍ଚ ପାହ୍ୟାକୁ ଉଠିଥିଲେ—ଲେପ୍‌ଟିନେଣ୍ଟରୁ କ୍ୟାପଟେନ, କ୍ୟାପଟେନରୁ ମେଜର, ମେଜରରୁ ଲେପ୍‌ଟନେଣ୍ଟ କର୍ଣ୍ଣେଲ । ସେ ହୁଏତ ଦିନେ ହୋଇଥାନ୍ତେ ଭାରତର ଶ୍ରେଷ୍ଠ
ସେନାପତି; ସେ ଜୀଵନ ଦେଇ ସହସ୍ର ସହସ୍ର ଜୀଵନ ରକ୍ଷାକଲେ ଏଵଂ ରକ୍ଷାକଲେ
କାଶ୍ମୀରର ଇଜ୍ଜତ, ଭାରତର ସମ୍ମାନ। ଏଇ ଛୋଟ ପାହାଡ଼ରେ ରଣଜିତ୍ ରାୟଙ୍କ
କୀର୍ତ୍ତି ଅମରାକ୍ଷରେ ଖୋଦିତ ହୋଇଅଛି ।

ବାରମୂଳା ଶ୍ରୀନଗରରୁ ୫୫ କିଲୋମିଟର ଦୂର, ପହଞ୍ଚିଲୁ ଦିନ ସାଢ଼େ
ନ’ଟାରେ । ବସ୍ କମ୍ପାନୀ ଅଫିସ୍‌ରେ ଜିନିଷପତ୍ର ରଖି ଦେଇ ସହର ପରିକ୍ରମାରେ
ବାହାରିଲୁ । ସହରଟି ଅତି ଛୋଟ, ବଜାରରେ ସେପରି ଚାକଚକ୍ୟ ନାହିଁ, ସିନେମା
ଏବେ ଚାଲୁ ହୋଇଛି, କଲେଜଟି ପୂର୍ଣ୍ଣାଙ୍ଗ ହୋଇନାହିଁ, ଏହାର ବନ୍ଦ ଦରଜା ଭାଙ୍ଗି
ପାହାଡ଼ୀ ସୈନ୍ୟ ରହିଥିଲେ, ତାପରେ ଭାରତୀୟ ସୈନ୍ୟଙ୍କ କର୍ତ୍ତୃତ୍ବରେ ଏହା ଅନେକ
ଦିନ ରହିଥିଲା, ଏବେ ନୂଆ ହୋଇ ଖୋଲିଛି, ଗଣ୍ଠିଲି ପତ୍ର ଘେନି ପଳାଇ ଯାଇଥିଵା
ଅଧ୍ୟାପକମାନେ ଯୋଗ ଦେଇଛନ୍ତି । ପାହାଡ଼ୀ ସୈନ୍ୟଙ୍କ ଆକ୍ରମଣରେ ଏହି ସହର
ଚୂର୍ଣ୍ଣଵିଚୂର୍ଣ୍ଣ ହୋଇଯାଇଥିଲ।, ଏବେ ନୂଆ ହୋଇ ମୁଣ୍ଡ ଟେକୁଛି, ଵ୍ୟଵସାୟ ଵାଣିଜ୍ୟ
ଘନେଇ ଆସୁଛି । ଶତ ଶତ ଭାରତୀୟ ମିଲିଟାରୀ ଗାଡ଼ି ଏଣେ ତେଣେ ଯା’ ଆସ
କରୁଛି । ତାରଘେରା ତମ୍ବୁରେ ହଜାର ହଜାର ସୈନ୍ୟ ଜଗି ରହିଛନ୍ତି ।
ବାରମୂଳା ଝେଲମ ନଦୀ କୂଳରେ ଅଵସ୍ଥିତ, ଆଗେ ରାଓଲପିଣ୍ଡି ଦେଇ
ଭାରତରୁ କାଶ୍ମୀର ଏଇବାଟେ ଯାତାୟାତ ହେଉଥିଲା । ପାକିସ୍ତାନ ହେଵାପରେ
ସେ ଦ୍ବାର ବନ୍ଦ । ଏହି ସହର ଏକ ଘାଟି ସ୍ଥାନରେ ଅଵସ୍ଥିତ । ଜଳ, ସ୍ଥଳ ଵା ଆକାଶ
ପଥରେ ଏଠାରୁ ଯାଇ କାଶ୍ମୀର ରାଜ୍ୟର ମୁକୁଟ ଶ୍ରୀନଗର ଅଧିକାର କରିଵା
ସୁଵିଧାଜନକ । ସେହିପରି ଯୋଜନା କରି ପାକିସ୍ତାନୀ ଓ ପାହାଡ଼ୀ ସୈନ୍ୟ ଅଗ୍ରସର
ହେଉଥିଲେ ।
*
ବାରମୂଳା ମହାଵୀର ମୀର୍‌ମାକ୍‌ବୁଲ୍‌ ସେରୱାନୀଙ୍କ ଲାଗି ପ୍ରସିଦ୍ଧ ।
ସେରୱାନୀ ଆକ୍ରମଣକାରୀ ପାହାଡ଼ୀ ସର୍ଦାରମାନଙ୍କୁ କହିଲେ,ଶ୍ରୀନଗର ବାରମୂଳାରୁ
ମାତ୍ର ଘଣ୍ଟାକର ରାସ୍ତା, ଜାଣ ପାକିସ୍ତାନର ହାତ ମୁଠାରେ, ଏତେ ତରବରରେ
ଆଗେଇ ଲାଭ ନାହିଁ । ଵରଂ ଗାଁ ଗଣ୍ଡା ଲୁଟ୍‌ପାଟ୍ କରାଯାଉ । ଏକା ଧର୍ମର ଲୋକ,
ସେରୱାନୀଙ୍କ କଥାରେ ସର୍ଦ୍ଦାରମାନେ ମାତିଗଲେ । କେତେ ଘର ପୋଡ଼ାଗଲା,
ଲୁଟ୍‌ପାଟ୍ ଚାଲିଲା, କେତେ ନିରୀହଙ୍କ ମୁଣ୍ଡ ଭୂଇଁରେ ଲୋଟିଲା । ପାକିସ୍ତାନୀ
ସୈନ୍ୟଙ୍କ ମଧ୍ୟରେ ଆଉ କୌଣସି ଶୃଙ୍ଖଳା ରହିଲା ନାହିଁ । ଏଇ ଅବସରରେ
ଭାରତୀୟ ସୈନ୍ୟମାନେ ପହଞ୍ଚି ସେମାନଙ୍କୁ ନିପାତ କଲେ, କେତେକ ଵନ ପାହାଡ଼
ପଥରେ ଲୁଚି ପଳାଇଗଲେ । 



ଏଇ ଯୁଦ୍ଧବେଳେ ପାକିସ୍ତାନୀ ସୈନ୍ୟମାନେ ସେରୱାନୀଙ୍କ କାରସାଦି ବୁଝି ପାରି ତାଙ୍କୁ ବନ୍ଦୀ କଲେ, ତାଙ୍କ ଦେହ ହାତରେ ବଡ଼ ବଡ଼ ଲୁହାକଣ୍ଟା ବାଡ଼େଇ, ସେମାନେ ତାଙ୍କୁ କୁଶବିଦ୍ଧ କରିଦେଲେ, ତଥାପି
ସେରୱାନୀ ପାକିସ୍ତାନର ଜୟଧ୍ବନି ଉଚ୍ଚାରଣ କଲେ ନାହିଁ । ତାପରେ ତାଙ୍କ ବକ୍ଷକୁ
ଲକ୍ଷ୍ୟ କରି ଚଉଦଟି ଗୁଳି ମରା ହେଲା । ‘ଭାରତର ଜୟ’ ‘କାଶ୍ମୀରର ଜୟ’
‘ସତ୍ୟର ଜୟ’ କହି ସେରୱାନୀ ପ୍ରାଣତ୍ୟାଗ କଲେ ।
-
ସେରୱାନୀଙ୍କ ସାନଭାଇଙ୍କ ସଙ୍ଗେ ବଜାରରେ ଭେଟ ହେଲା – ଦୀର୍ଘ ଦେହ,ଗହଳିଆ ନିଶ, ମୁଣ୍ଡ ବାଳରୁ ଅଧେ ପାଚିଯାଇଛି, ବୟସ ଚାଳିଶରୁ ଅଧୂକ ହେଵନାହିଁ, ଦୁର୍ଭାଗ ଓ ଦୁଶ୍ଚିନ୍ତାରେ ଯେପରିକି ତାଙ୍କ ମେରୁଦଣ୍ଡ ଚଡ଼କି ଯାଇଛି। ଅଶ୍ରୁପୂର୍ଣ୍ଣ ଚକ୍ଷୁରେ ସେ ବଡ଼ଭାଇଙ୍କ କୀର୍ତ୍ତି କାହାଣୀ ଵର୍ଣ୍ଣନା କଲେ, ଯେଉଁ ସ୍ଥାନରେ
ସେରୱାନୀଙ୍କୁ ହତ୍ୟା କରାଯାଇଥିଲା, ସେ ସ୍ଥାନ ଦେଖାଇଲେ । ଯେଉଁ ସ୍ଥାନରେ ସେରୱାନୀଙ୍କ ରକ୍ତ ବିନ୍ଦୁ ବିନ୍ଦୁ ନିଃଶେଷ ହୋଇ ଝରୁଛି,ସେ ପଵିତ୍ର ତୀର୍ଥକ୍ଷେତ୍ର, ତା’ର ପ୍ରତ୍ୟେକ ଧୂଳିକଣାରେ ସେରୱାନୀଙ୍କ ଶୌର୍ଯ୍ୟ
ମିଶିଛି, ଟିପେ ଧୂଳି ଆଣି ମୁଣ୍ଡରେ ଲଗାଇଲି, ଦୀର୍ଘ ଶୋଷାରେ ଶୋଷି ନେଲି ସେ ଵାୟୁମଣ୍ଡଳର ମହତ୍ତ୍ବ ।

[ଲେଖକ :- ଡକ୍ଟର କୁଞ୍ଜବିହାରୀ ଦାଶ (୧୯୧୪-୧୯୯୪) ଏକାଧାରରେ ଜଣେ
ଵିଶିଷ୍ଟ କଵି, ସମାଲୋଚକ, ଭ୍ରମଣଵୃତ୍ତାନ୍ତ ଲେଖକ, ଲୋକ ସାହିତ୍ୟ ସଂଗ୍ରାହକ, ଗଵେଷକ,ଆତ୍ମଜୀଵନୀ ଲେଖକ ଓ କଥାକାର । ତାଙ୍କ କଵିତାରେ ଲୋକଐତିହ୍ୟ, ପଲ୍ଲୀଗୀତ, ଓଡ଼ିଶାର ଇତିହାସ, ଜାତୀୟ ଚେତନା, ସାମ୍ୟଵାଦୀ ଚେତନା, ମାନଵଵାଦ ଓ ଵୈପ୍ଳଵିକ ଚେତନା ଲକ୍ଷ୍ୟ କରାଯାଏ । ତାଙ୍କର କଵିତା ରଚନାଵଳୀ ମଧ୍ୟରେ ‘ଛିନ୍ନହସ୍ତା’ ‘ଵୀରଶ୍ରୀ’ ‘ନଵ ମାଳିକା’
‘ଡୁଡୁମା’ ‘ବାଗ୍ରା’ ‘କଙ୍କାଳର ଲୁହ’ ପ୍ରଭୃତି ପ୍ରଧାନ । ଜାତିଧର୍ମ ନିର୍ଵିଶେଷରେ ଜନ୍ମଭୂମି ସମସ୍ତଙ୍କ ପାଇଁ ମହାନ୍ ଓ ପବିତ୍ର । ଦେଶମାତୃକାର ସୁରକ୍ଷା ନିମିତ୍ତ କର୍ତ୍ତଵ୍ୟର ପରାକାଷ୍ଠା ଓ ଆମ୍ବୋତ୍ସର୍ଗ ସ୍ବାଗତଯୋଗ୍ୟ ! ପ୍ରସ୍ତୁତ ରଚନାରେ ଏହା ପ୍ରତିଫଳିତ ହୋଇଛି ।ଏହା ଲେଖକଙ୍କ ଭ୍ରମଣ ଵୃତ୍ତାନ୍ତ ‘‘ମୋ ସ୍ବପ୍ନର କାଶ୍ମୀର’’ ରୁ ସଂଗୃହୀତ ।ଆଗେ ଏହା ଉଚ୍ଚ ଵିଦ୍ୟାଳୟ ପାଠ୍ୟକ୍ରମରେ ପଢ଼ାଯାଉଥିଲା]

Tuesday, May 16, 2023

ଶବ୍ଦକୋଣାର୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ବିଶୁ ମହାରଣା : ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ

ଶହେ ଵର୍ଷ ତଳେ ଯେତେବେଳେ ଆଜିଭଳି ଏତେ ଵୈଷୟିକ ଜ୍ଞାନର ଵୃଦ୍ଧି ଘଟିନଥିଲା ସେତେବେଳେ ଜଣେ ଲୋକ ନିଜର ଓକିଲାତି ପେଶାକୁ ଗୌଣକରି ଶବ୍ଦ ସଂଗ୍ରହ ନିଶା ପଛରେ ଦୌଡି଼ ଶହ ଶହ ଶବ୍ଦକୋଷ ତଥା ହଜାର ହଜାର ଗାଆଁ ଗଣ୍ଡା ବୁଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି ଏକ ଵିଶାଳ ଜ୍ଞାନକୋଷ ସଂକଳନ କରିଵାରେ ସଫଳ ହୋଇଥିଲା । ଏହି କଥାଟି ଆଦୌ ଛୋଟିଆ କଥା ନୁହେଁ । ଆମ ସମାଜରେ ଵର୍ତ୍ତମାନକାଳରେ ହେଉଥିଵା ମହାନକାର୍ଯ୍ୟର କି ମହାନଵ୍ୟକ୍ତିଙ୍କୁ ତତ୍କାଳୀନ ସମ୍ମାନ ମିଳେନାହିଁ କିନ୍ତୁ ସମୟ ଗଡ଼ିଯିଵା ସହ ସେହି ମହାନାତ୍ମା ଓ ତାଙ୍କର କୃତିର ଉପାଦେୟତାକୁ ସମାଜ ଉପଲବ୍ଧି କରେ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସଂକଳନର ସମୟକାଳ ପ୍ରାୟ କୋଡ଼ିଏ ଵର୍ଷ ଦୀର୍ଘ । ପ୍ରଥମେ ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ ମହାଶୟ ୧୯୧୩ ରୁ ୧୯୧୮ ଖ୍ରୀଷ୍ଟାବ୍ଦ ମଧ୍ୟରେ ଓଡ଼ିଶାର ବହୁ ଅଞ୍ଚଳରୁ ସହସ୍ରାଧିକ ପ୍ରାଦେଶିକ ଓ ଘରୋଇ ଶବ୍ଦ ସଂଗ୍ରହ କରି ତାହା ଟିପା ଖାତା ଓ କାଗଜଗୁଡି଼କରେ ଟିପି ରଖିଲେ ଏଵଂ ପ୍ରାଚୀନ ତଥା ଆଧୁନିକ ଗ୍ରନ୍ଥମାନ ପଢ଼ି ତହିଁରେ ଥିଵା ସହସ୍ର ସହସ୍ର ଵିଶିଷ୍ଟ ଶବ୍ଦଗୁଡ଼ିକୁ ରେଖାଙ୍କିତ କଲେ । ପୁଣି ଅଧିକାଂଶ ଶବ୍ଦର ପ୍ରୟୋଗମାନ ମଧ୍ୟ ସାଧାରଣ ଲୋକଙ୍କର କଥୋପକଥନକୁ ଶୁଣିକରି ତାକୁ ଲେଖି ରଖିଲେ । 


ଶ୍ରୀପ୍ରହରାଜ ୧୯୧୯ ଖ୍ରୀଷ୍ଟାବ୍ଦରେ ଏହି ସବୁ ସଂଗୃହୀତ ଶବ୍ଦଗୁଡ଼ିକୁ ସ୍ୱତନ୍ତ୍ର ଖାତାରେ ଵର୍ଣ୍ଣାନୁକ୍ରମରେ ଲେଖିଵା ଆରମ୍ଭ କଲେ । ପ୍ରଥମେ ଅନୁକୂଳ କଲାବେଳେ ସେ ସଂସ୍କୃତ , ତଦ୍ଭବ ,ତତ୍ସମ , ପ୍ରାଚୀନ , ଆଧୁନିକ , ଗ୍ରାମ୍ୟ , ଦେଶକ , ପ୍ରାଦେଶିକ ଓ ଵୈଦେଶିକ ଶବ୍ଦଗୁଡି଼କର ଵ୍ୟାଖ୍ୟା କରି ଓଡ଼ିଆରେ ଲେଖି ଖଣ୍ତିଏ ଓଡ଼ିଆ ଅଭିଧାନ ସଂକଳନ କରିବେ ବୋଲି ଶ୍ରୀପ୍ରହରାଜ କଳ୍ପନା କରିଥିଲେ । ମାତ୍ର ଏହି କାର୍ଯ୍ୟକ୍ଷେତ୍ରରେ କିଛିଦୂର ଅଗ୍ରସର ହେଲା ପରେ ସେ ବୁଝିପାରଲେ ଯେ ଓଡ଼ିଆରେ ଵିଶ୍ବକୋଷ ଶ୍ରେଣୀର ଅଭିଜ୍ଞାନଗ୍ରନ୍ଥ ନାହିଁ ଏଵଂ ଭାଷାତତ୍ତ୍ବ ସମ୍ବନ୍ଧରେ ତୁଳନାତ୍ମକ ଗଵେଷଣା ପାଇଁ ଓଡ଼ିଶାରେ ଏ ପର୍ଯ୍ୟନ୍ତ କୌଣସି ମୂଳଭିତ୍ତି ସ୍ଥାପିତ ହୋଇ ନାହିଁ । ତେଣୁ ଏହାପରେ ଶ୍ରୀପ୍ରହରାଜ ଵିଭିନ୍ନ ପଣ୍ଡିତମାନଙ୍କଠାରୁ ବୁଝି ତଥା ଅନ୍ୟାନ୍ୟ ପୂର୍ଵତନ ଶବ୍ଦକୋଷରେ ଶବ୍ଦଗୁଡି଼କର ନିରୁକ୍ତି ଵିଷୟରେ ଜାଣି ତାକୁ ଯୋଡି଼ଵାକୁ ଲାଗିଲେ । ତାପରେ ସେ ଦେଖିଲେ ଯେ ଓଡ଼ିଆ ଭାଷା ଶିଖିଵାକୁ ତଥା ଜାଣିଵାକୁ ଚାହୁଁଥିଵା ଅଣଓଡ଼ିଆ ଓ ଵିଚାରପତିମାନଙ୍କ ପାଇଁ କୌଣସି ପୁସ୍ତକ ନାହିଁ ତେଣୁ ସେ ପ୍ରତ୍ୟେକ ଶବ୍ଦର ଇଂରାଜୀ ଵ୍ୟାଖ୍ୟା ଓ ଇଂରାଜୀ ପ୍ରତିଶବ୍ଦ ମଧ୍ୟ ଯୋଡି଼ଲେ । ଭାଷାତତ୍ତ୍ବ ଅଧ୍ୟୟନକାରୀ ଛାତ୍ରଛାତ୍ରୀ ତଥା ଅନିସନ୍ଧିତ୍ସୁ ଲୋକଙ୍କ ପାଇଁ ସେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅନେକ ଓଡ଼ିଆ ଶବ୍ଦର ହିନ୍ଦୀ ତଥା ଇଂରାଜୀ ପ୍ରତିଶବ୍ଦ ମଧ୍ୟ ଯୋଡି଼ଦେଲେ ‌। ତେବେ ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ ତେଲୁଗୁ ଭାଷା ଵିଷୟରେ ଅନଭିଜ୍ଞ ଥିଵାରୁ ଏଥିରେ ତେଲୁଗୁ ପ୍ରତିଶବ୍ଦ ତେଲୁଗୁ ଲିପିରେ ଯୋଡ଼ିନପାରିଵା କଥା ସ୍ଵୟଂ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଵୀକାର କରିଛନ୍ତି । ତଥାପି ଅନେକ ଜଣାଶୁଣା ଓଡ଼ିଆ ଵିଶେଷ୍ୟ ଶବ୍ଦ ତଳେ ସେ ହିନ୍ଦୀ ବଙ୍ଗଳା ଛଡ଼ା ଓଡ଼ିଆ ଲିପିରେ ତେଲୁଗୁ ତାମିଲ କନ୍ନଡ଼ ଗୁଜରାଟୀ ମରାଟୀ ପ୍ରତିଶବ୍ଦ ଯୋଡ଼ିଯାଇଛନ୍ତି । ସେହିପରି ଓଡ଼ିଆ ଭାଷା ଓ ଵର୍ଣ୍ଣମାଳାକୁ ଆୟତ୍ତ କରିନଥିଵା ଭାଷାଅନିସନ୍ଧିତ୍ସୁ ଵିଶେଷକରି ପାଶ୍ଚାତ୍ୟ ପଣ୍ଡିତମାନେ ଓଡ଼ିଆ ଶବ୍ଦକୁ ଆହୁରି ଭଲ ଭାବରେ ଜାଣିପାରନ୍ତୁ ସେଥିପାଇଁ ସେ ପ୍ରତ୍ୟେକ ଓଡ଼ିଆ ଶବ୍ଦର ଉଚ୍ଚାରଣକୁ ଇଂରାଜୀ ଲିପିରେ ଲିପ୍ୟାନ୍ତରଣ କରିଥିଲେ । ସେ ପୁଣି ଭାଷାକୋଷରେ ତତ୍କାଳୀନ ଉଦ୍ଭିଦଵିଜ୍ଞାନ ଆଧାରରେ ଅଧିକାଂଶ ପାଦପର ଵୈଜ୍ଞାନିକ ନାମ ମଧ୍ୟ ଉଲ୍ଲେଖ କରିଥିଲେ । ଗୋଟିଏ ପଟେ ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ଏସବୁ କାର୍ଯ୍ୟ କରୁଥିଵା ବେଳେ ତାଙ୍କର ସହକର୍ମିଣୀ ଶ୍ରୀମତି ପିତାମ୍ବରୀ ଦେଵୀ ଗୁଡ଼ିଆ,ଭଣ୍ଡାରୀ,କମାର,ତନ୍ତୀ,ବଢ଼େଇ,ଚଷା ଓ କେଉଟ ଆଦି ଜାତିମାନଙ୍କର ଵିଶିଷ୍ଟ ଶବ୍ଦ ସବୁ ସଂଗ୍ରହ କରୁଥାନ୍ତି ‌।

ଆଜି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଆମ୍ଭମାନେ ଯେଉଁ ଢଗଢମାଳି,ଗ୍ରାମ୍ୟ ଲୋକଗଳ୍ପ ,ପ୍ରଵଚନ ଏଵଂ ଵିଭିନ୍ନ ଜାତି ଓ ସ୍ତ୍ରୀଲୋକମାନଙ୍କ ଦ୍ଵାରା ଵ୍ୟଵହୃତ ଵିଶିଷ୍ଟ ଶବ୍ଦ ଆଉ ତହିଁର ପରିଭାଷା ଲିଖିତ ଥିଵା ଆମେ ଦେଖୁଁ ତାହା ଶ୍ରୀମତୀ ପିତାମ୍ବରୀ ଦେଵୀଙ୍କ ଆକ୍ଳାନ୍ତ ପରିଶ୍ରମ ଯୋଗୁଁ ଭାଷାକୋଷରେ ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ଯୋଡ଼ିପାରିଛନ୍ତି ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଆରମ୍ଭରେ ହିଁ ସେ ସ୍ଵୀକାର କରିଛନ୍ତି । ଏତଦ୍‌ଵ୍ୟତୀତ ଗାଙ୍ଗପୁରର ଶ୍ରୀ ଚୁଡା଼ମଣି ନାୟକ ଓ ନଟବର ପାଣ୍ଡେ,ରମ୍ପେଲାର ଭକ୍ତପ୍ରସାଦ ପତି ଓ ସମ୍ବଲପୁରର ଗୋପୀନାଥ ଶତପଥୀ ତଥା ଵିଭିନ୍ନ ଗଡ଼ଜାତର ଉତ୍ସାହୀ ଯୁଵକମାନେ ମଧ୍ୟ ଶ୍ରୀପ୍ରହରାଜଙ୍କୁ ନିଜ ଅଞ୍ଚଳର ଶବ୍ଦ ଓ ଢଗଢମାଳି ସଂଗ୍ରହ କରି ଯୋଗାଇଥିଲେ । ମେଦିନୀପୁରର ଶ୍ରୀଯୁକ୍ତ ରାଧାନାଥ ପତି, ସିଂହଭୂମିର ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ଜୟପୁରର ମହାରାଜା ଶ୍ରୀଯୁକ୍ତ ଵିକ୍ରମଦେଵ ଵର୍ମା ,ଗଞ୍ଜାମର ଜୟକୃଷ୍ଣ ଚ୍ୟାଉ ପଟ୍ଟନାୟକ ତଥା ଡକ୍ଟର ରାଧାଚରଣ ପଣ୍ଡା ଓ ନୟାଗଡ଼ର ପଣ୍ଡିତ ଗୋଦାବରୀଶ ମହାପାତ୍ର ଆଦି ମଧ୍ୟ ନିଜ ଅଞ୍ଚଳର ଶବ୍ଦ ସଂଗ୍ରହ କରି ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କୁ ପ୍ରଦାନ କରିଥିଲେ ।‌ ରାୟ ବାହାଦୁର ଅଜୟ ଚନ୍ଦ୍ର ଦାସ ପ୍ରାଚୀନ ଓଡ଼ିଆ ଶବ୍ଦ ସବୁ ସଂଗ୍ରହ କରି ତାହା ଵ୍ୟଵହୃତ ପଦ ସହିତ ସୂଚୀବଦ୍ଧ କରି ଶ୍ରୀପ୍ରହରାଜଙ୍କୁ ଦେଇଥିଲେ । ଵିଭିନ୍ନ ଅଞ୍ଚଳରେ ବୁଲି ଅନେକ ବେପାରୀ,ବଣିଆ,ପାନବରଜୀ,ନାଉରିଆ,ଗଉଡ଼ ଆଦିଙ୍କଠାରୁ ଶବ୍ଦ ସଂଗ୍ରହ କରି ଶ୍ରୀପ୍ରହରାଜ ତାକୁ ଭାଷାକୋଷରେ ଯୋଡି଼ଲେ । ମୋଟ ଉପରେ କହିଵାକୁ ଗଲେ ଯେମିତି କୋଣାର୍କ ମନ୍ଦିର ଗଢି଼ଵାକୁ ଅନେକ ଶିଳ୍ପୀ ଲାଗିଥିଲେ ଠିକ୍ ସେହିପରି ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ସଂକଳନ କରିଵା ପାଇଁ ବି ଅନେକ ଲୋକ ସହଯୋଗ କରିଥିଲେ । ଏହିସବୁ ସାହାଯ୍ୟ ସହଯୋଗ ପାଇ ୧୩.୦୮ .୧୯୨୭ରେ ଭାଷାକୋଷ ସମ୍ବନ୍ଧୀୟ ଶବ୍ଦସଂଗ୍ରହର‌ ପ୍ରାଥମିକ ପର୍ଯ୍ୟାୟ ଶେଷ ହେଲା । ଇତିମଧ୍ୟରେ ଶବ୍ଦ ସଂଗ୍ରହ ପଛରେ ମାତି ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଓକିଲାତି ପ୍ରାୟ ବନ୍ଦ ହୋଇଯାଇଥାଏ ‌। ତେଣୁ ଏଡ଼େ ବଡ଼ ଗ୍ରନ୍ଥକୁ ଛାପିଵା ପାଇଁ ଅର୍ଥର ଅଭାଵ ଘଟିଵା ସ୍ଵାଭାଵିକ କଥା । ସେସମୟରେ ଧନୀକ ଜମିଦାର ଓ ରାଜାମାନେ ଶ୍ରୀପ୍ରହରାଜଙ୍କୁ ଅର୍ଥ ସହଯୋଗ ଦେଇଥିଲେ ‌। ୧୯୨୮ ଅକ୍ଟୋବର ମାସରେ କଳାହାଣ୍ଡି ରାଜା ଶ୍ରୀବ୍ରଜମୋହନ ଦେଵ ୧୦୦୦ ଟଙ୍କା ସାହାଯ୍ୟ ଦେଲେ । ତତ୍ପରେ ଭାଷାକୋଷ ପାଇଁ କୁଜଙ୍ଗ ରାଜା ଶ୍ରୀଵିଜୟ ଚନ୍ଦ୍ର ମହତାପ ବାହାଦୁର ଅଢ଼େଇଶହ ଟଙ୍କା ତଥା ଚିକିଟି ରାଜା ୬୦୦ଟଙ୍କା ଦେଇଥିଲେ । ଓଡ଼ିଆ ସାହିତ୍ୟ ପ୍ରଚାର ସଂଘ ପକ୍ଷରୁ ଏକ ଅଭିଧାନର ପରିକଳ୍ପନା ହୋଇଥିଲା କିନ୍ତୁ ସେମାନେ ଭାଷାକୋଷର କଳେଵର ଦେଖି ନିର୍ଣ୍ଣୟ କଲେ ଯେ ଆଉ ଅଭିଧାନ ପ୍ରଣୟନ ନକରି ସେଥିରେ ଵ୍ୟୟ ହେଵାକୁ ଥିଵା ଅର୍ଥ ଶ୍ରୀପ୍ରହରାଜଙ୍କୁ ପ୍ରଦାନ କରାଯିଵ । ଏହି ନିର୍ଦ୍ଧାରଣ ଫଳରେ ଜଣେ ସମ୍ମାର୍ଜକ ପଣ୍ଡିତଙ୍କର ଚାରିମାସର ଵେତନ ଏକ ଶହ କୋଡ଼ିଏ ଟଙ୍କା ସେହି ସଂଘର ତତ୍କାଳୀନ ସମ୍ପାଦକ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଶ୍ରୀପ୍ରହରାଜଙ୍କୁ ପ୍ରଦାନ କଲେ । କେନ୍ଦୁଝର ରାଜା ଶ୍ରୀ ବଳଭଦ୍ର ନାରାୟଣ ଭଞ୍ଜଦେଵ ପାଞ୍ଚଶହ ଟଙ୍କା ତଥା ଗଞ୍ଜାମର ହରିଡ଼ାଖଣ୍ଡି ମଠର ଟ୍ରଷ୍ଟି ଶ୍ରୀଯୁକ୍ତ ରାୟ ସାହେବ ଅପ୍ପା ରାଓ ପାଞ୍ଚଶହ ଟଙ୍କା ଅର୍ପଣ କରିଥିଲେ । ଏତଦଵ୍ୟତୀତ ତତ୍କାଳୀନ ଗଭର୍ଣ୍ଣମେଣ୍ଟଠାରୁ ଭାଷାକୋଷ ପାଇଁ ପନ୍ଦର ହଜାର ଟଙ୍କା ମିଳିଥିଲା । ମୟୂରଭଞ୍ଜର ମହାରାଜା ଶ୍ରୀପ୍ରତାପଚନ୍ଦ୍ର ଭଞ୍ଜ ଦେଓ ଭାଷାକୋଷର ସଂକଳନ ପାଇଁ ଦଶ ହଜାର ଟଙ୍କା ଦେଇଥିଵା ଜଣାଯାଏ ଏଥିପାଇଁ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ନାମାନୁସାରେ ଭାଷାକୋଷର ନାମ "ପୂର୍ଣ୍ଣଚନ୍ଦ୍ର" ରଖାଯାଇଥିଲା । ଭାଷାକୋଷର ପ୍ରକାଶନ ପାଇଁ ମୋଟ ଵ୍ୟୟ ୩୦୦୦୦ ଟଙ୍କା ଅନୁମାନ କରାଯାଇଥିଲା କିନ୍ତୁ ପରଵର୍ତ୍ତୀ କାଳରେ ତାହା ଷାଠିଏ ହଜାର ଓ ପରେ ଆହୁରି ବୃଦ୍ଧି ପାଇଥିଲା । ଭୁଲିବୁ ନାହିଁ ପୁସ୍ତକରେ ଉଲ୍ଲେଖ ଅଛି ଯେ ଢେଙ୍କାନାଳରାଜ୍ୟକୁ ଭାଷାକୋଷ ପାଇଁ ଅର୍ଥ ସଂଗ୍ରହ କରିଵାକୁ ଆସି ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ ତତ୍କାଳୀନ ନିର୍ଦ୍ଦୟୀ ରାଜାଙ୍କ ଦ୍ଵାରା ହଟହଟାର ଶିକାର ହୋଇଥିଲେ । ଢେଙ୍କାନାଳର ରାଜାଙ୍କୁ ଛାଡ଼ିଦେଲେ ପ୍ରାୟ ଅଧିକାଂଶ ରାଜ୍ୟର ରାଜା,ଅନେକ ଜମିଦାର,ବେପାରୀ,ଧନୀକ ତଥା ଭାଷା
ଜାତିପ୍ରେମୀ ଲୋକେ ଭାଷାକୋଷ ପାଇଁ ଅର୍ଥ ଦାନ କରିଥିଲେ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଵିଷୟରେ ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ଯେଉଁ ମତ ଦେଇଥିଲେ ତାହା ଏହିପରି...

“ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓଡ଼ିଆ ଜାତିର - କୋଠସମ୍ପତ୍ତି ; ମୁଁ ଉତ୍କଳମାତାଙ୍କର ଜଣେ ନଗଣ୍ୟ ଓ ଅଧମ ପୁତ୍ର । ମୋ ଭଳି ଗୁଣହୀନ , ଵିଦ୍ୟାହୀନ , ସାଧନାହୀନ ଵ୍ୟକ୍ତିଦ୍ବାରା ଉତ୍କଳ ଜାତିର ଏ ଯେଉଁ ଭାଷାସୌଧ ନର୍ମିତ ହେଲା , ତାହା ବହୁଶତ ବିଦ୍ୟୋତ୍ସାହୀ , ଗୁଣଗ୍ରାହୀ , ସାହିତ୍ୟପ୍ରାଣ ଵ୍ୟକ୍ତିମାନଙ୍କର ସାହାଯ୍ୟ , ସହାନୁଭୂତି ଓ ଅର୍ଶୀଵାଦ ଯୋଗୁଁ ସମ୍ଭଵପର ହୋଇଅଛି । ଯେଉଁମାନେ ମୋତେ ନାନା ଭାବରେ – କେହି ଧନ ଦ୍ଵାରା , କେହି ଉତ୍ସାହଦ୍ବାରା, କେହି ଲେଖାଦ୍ଵାରା , କେହି ଅଶୀର୍ଵାଦ ଦ୍ବାରା , କେହି ପୁସ୍ତକ ଯୋଗାଇ , କେହି ଦାତାମାନଙ୍କ ଠାରେ ସୁପାରିସ୍ କରି ଶବ୍ଦ ଯୋଗାଇ— ସାହାଯ୍ୟ କରି ଅଛନ୍ତି , ମୁଁ ସେମାନଙ୍କଠାରେ ଆମରଣ ଋଣୀ ରହିଲି ।”
 

ସାତଖଣ୍ଡିଆ ଵିଶାଳ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଯେତେବେଳେ ଲେଖାହୋଇ ଛପାଗଲା ସେହି ଦାମିକା ଗ୍ରନ୍ଥର ଓଡ଼ିଶାରେ ହାତଗଣତି କେତେ ଜଣ ଲୋକ ମାତ୍ର ଗ୍ରାହକ ଥିଲେ । ତେବେ ଓଡ଼ିଆ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସଂକଳନ କରି ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ମହାଶୟ ଯେତିକି ପ୍ରଶଂସା ପାଇଛନ୍ତି ତତୋଧିକ ସମାଲୋଚନା ଓ ନିନ୍ଦା ରୂପକ ଵିଷପାନ ମଧ୍ଯ କରିଅଛନ୍ତି ।ତତ୍କାଳୀନ ତଥାକଥିତ ଓଡ଼ିଆ ଵର୍ଣ୍ଣଵିଲୋପକାରୀ ଦଳ ତାଙ୍କ ଵିରୋଧରେ ନାନାଦି ସମାଲୋଚନା ମାନ ଲେଖି ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଅଛନ୍ତି । 

ଏଇ ଅନ୍ତର୍ଜାଲ ଓ କୃତ୍ରିମ ଉପଗ୍ରହର ଯୁଗରେ ସବୁ ତଥ୍ୟ ସହଜରେ ମିଳିଯାଏ ବୋଲି ଅନେକ ହୁଏତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପଛରେ ଲୁଚିରହିଥିଵା ସଂଘର୍ଷକୁ କେବେ ହୃଦୟଙ୍ଗମ କରିପାରିବେ ନାହିଁ। ଵିଭିନ୍ନ ଅଞ୍ଚଳରେ ବୁଲି ବୁଲି ପ୍ରଚଳିତ ଓଡ଼ିଆ ଭାଷାର ଵିଶାଳ ଶବ୍ଦଭଣ୍ଡାରକୁ ଏକାଠି କରି ତାକୁ ଗୋଟାଏ ଗ୍ରନ୍ଥ ଆକାର ଦେଵା ୧୦୦ ଵର୍ଷ ତଳେ କେତେ ବଡ଼ ଦୂରହ କାର୍ଯ୍ୟ ଥିଲା ତାହା ଏବେକାର ଭାଷାକୋଷ ନିନ୍ଦୁକ ଆଦୌ ଅନୁଭଵ କରିପାରନ୍ତି ନାହିଁ । ଭାଷାକୋଷର ସଂକଳନ ପାଇଁ ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ ଅନେକ ଲୋକଙ୍କୁ ହାତ ପତାଇଛନ୍ତି ତତ୍କାଳୀନ ଢେଙ୍କାନାଳ ରାଜାଙ୍କ ଭଳି ଅନେକ ଲୋକଙ୍କଠାରୁ ଏଥିପାଇଁ ଅପମାନିତ ମଧ୍ୟ ହୋଇଛନ୍ତି ତଥାପି ସେ ଏହି କାର୍ଯ୍ୟରୁ ନିଵୃତ ହୋଇନଥିଲେ । 

ହଁ ଓଡ଼ିଆ ଭାଷାର କୋଣାର୍କ ସଦୃଶ "ପୂର୍ଣ୍ଣଚନ୍ଦ୍ର ଭାଷାକୋଷ"ର ଅତୀତ ଵର୍ତ୍ତମାନ ଓ ଭଵିଷ୍ୟତ ବଡ଼ ସଂଘର୍ଷମୟ କହିଲେ ଅତ୍ୟୁକ୍ତି ହେଵନାହିଁ । 

ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ଓ ତାଙ୍କର ଚାରିଜଣ ସହଯୋଗୀ ପଣ୍ଡିତ ଶ୍ରୀକୁଳମଣି ଦାଶ,ଶ୍ରୀମତି ପିତାମ୍ବରୀ ଦେଵୀ,ଶ୍ରୀ ଚନ୍ଦ୍ରଶେଖର ମିଶ୍ର ଓ ଶ୍ରୀରାମଚନ୍ଦ୍ର ରଥଙ୍କର ବହୁଵର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ଯେତେବେଳେ ୧୯୩୧ ରୁ ୧୯୪୦ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରକାଶିତ ହେଲା ତାହା ଅଳ୍ପ ଦିନ ମଧ୍ୟରେ ଵିଜ୍ଞଜନଙ୍କ ଦ୍ଵାରା ଆଦୃତ ହୋଇଯାଇଥିଲା ବେଳେ ଜ୍ଞାନ ଅପେକ୍ଷା ମାନ,ଧନ ଓ ସାଂସାରିକ ସୁଖ ସୁଵିଧା ପାଇଁ ଲାଳାୟିତ ସାଧାରଣ ଜନଙ୍କ ପାଇଁ ତଥାପି ଦୃଷ୍ପ୍ରାପ୍ୟ ହୋଇ ରହିଲା । ସାଧାରଣ ଲୋକେ ସେମିତି ବି ବଡ଼ ବଡ଼ ଗ୍ରନ୍ଥ ଦେଖିଲେ ହତୋତ୍ସାହିତ ହୋଇ ତାକୁ ପାଠ କରିଵାଟା ଦୁଷ୍କର ଓ ସମୟସାପେକ୍ଷ ଭାବି ପେଡି଼ରେ ସାଇତି ରଖିଦିଅନ୍ତି । 

ଭାଷାକୋଷ ପ୍ରକାଶନର କିଛି ଵର୍ଷ ପରେ ୧୯୪୫ରେ ପ୍ରହରାଜଙ୍କ ମୃତ୍ୟୁ(ହତ୍ୟା ?) ହେଲାରୁ କେହି ଏ ଗ୍ରନ୍ଥର ତତ୍ତ୍ୱ ନେଲେ ନାହିଁ ଏଵଂ ଏହା ପୁସ୍ତକାଗାରରେ ସହଜରେ ମିଳୁନଥିଲା । ଉତ୍କଳ ସାହିତ୍ୟ ପ୍ରେସ୍‌ରେ ଭାଷାକୋଷର ଛପା ଫର୍ମା ପଡି଼ରହିଥିଲା ଓ କେହି କେହି ଏହି ଅବନ୍ଧା କାଗଜକୁ ନେଇ ଠୁଙ୍ଗା କରୁଥିଲେ କିମ୍ଵା ବନ୍ଧାଇଵା ଉଦ୍ଦେଶ୍ୟରେ ଵିକ୍ରି କରୁଥିଲେ । 

ବହୁତ ଅଳ୍ପ ଲୋକ ଜାଣିଥିବେ 
ଷାଠିଏ ଦଶକରେ ଉତ୍କଳ ସାହିତ୍ୟ ପ୍ରେସ୍‌ର ତତ୍କାଳୀନ ସତ୍ତ୍ଵାଧିକାରୀ ଶ୍ରୀଵିଶ୍ଵନାଥ କରଙ୍କ ପୌତ୍ର ସୁନନ୍ଦ କର ଘର ଘର ବୁଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ସେହି ଅବନ୍ଧା ଅଵୟଵକୁ ଵିକ୍ରି କରିବାକୁ ଚେଷ୍ଟା କରିଥିଲେ । ତଥାପି ଭାଷାକୋଷ ବହୁଦିନ ଯାଏଁ ଓଡ଼ିଶାର ଗୌରଵ କଳାର କୋଣାର୍କ ପରି ପଡି଼ରହିଥିଲା ।

ଶେଷରେ ଲାର୍କ ବୁକ୍ସ ଟ୍ରଷ୍ଟ ଦ୍ଵାରା ଏହାକୁ ଗ୍ରନ୍ଥାକାରରେ ଏବଂ ଇ-ସଂସ୍କରଣ ଆକାରରେ ସୃଜନିକା ସଂଗଠନ ଦ୍ଵାରା ଛପାଗଲା । ଫଳରେ ମୁର୍ମୂଷୁ ପ୍ରାୟ ପଡି଼ରହିଥିଵା ଧୂଳିଧୂସରିତ
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପୁର୍ନଃଜୀଵନ ଲାଭ କଲା ।

 ଓଡ଼ିଆ ଭାଷାର ଏହି ଅମୂଲ୍ୟ ଗ୍ରନ୍ଥଟିକୁ ଏଵଂ ଏହିଭଳି ଅନେକ ପ୍ରାଚୀନ ପୁସ୍ତକ ଗୁଡି଼କୁ ଉଦ୍ଧାର କରିଥିବା ହେତୁରୁ ଏ ଅକିଞ୍ଚନ ଅନୁଷ୍ଠାନର ଶ୍ରୀ ମହେନ୍ଦ୍ର ମିଶ୍ର,ଶ୍ରୀ ନିଖିଳ ମୋହନ ପଟ୍ଟନାୟକ ତଥା ତାଙ୍କର ଅନ୍ୟ ସହଯୋଗୀମାନଙ୍କୁ ସସମ୍ମାନ ଧନ୍ୟଵାଦ ଜ୍ଞାପନ କରୁଅଛି ।

 ପୂର୍ଣ୍ଣଚନ୍ଦ୍ର ଭାଷାକୋଷ କୌଣସି ସାଧାରଣ ଶବ୍ଦକୋଷ ନୁହେଁ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ କେଵଳ ଏକdictionary ନୁହେଁ ଏହା ଏକ Lexicon ଅଥଵା ଵିଶ୍ଵକୋଷ(encyclopedia) ମଧ୍ୟ !

 Dictionaryରେ କୌଣସି ଏକ ଵା ଏକାଧିକ ଭାଷାର ଶବ୍ଦ ସୂଚୀ କେଵଳ ରହିଥାଏ କିନ୍ତୁ Lexiconରେ କୌଣସି ଏକ ଭାଷାରେ ଗୋଟିଏ ଶବ୍ଦର ଅର୍ଥ ସହିତ ତହିଁର ପ୍ରୟୋଗ ଓ ନିରୁକ୍ତି ଆଦି ଉଲ୍ଲେଖ କରାଯାଇଥାଏ । ପୁଣି ଭାଷାକୋଷରେ ଵିଶ୍ଵକୋଷ ଭଳି ଉତ୍କଳ,ଭାରତ ତଥା ଵିଶ୍ଵର ଅନେକ ତଥ୍ୟ ମଧ୍ୟ ଅନେକ ଶବ୍ଦ ତଳେ ଦ୍ରଷ୍ଟଵ୍ୟ ଆକାରରେ ପ୍ରଦତ୍ତ ହୋଇଛି । ସେଥିପାଇଁ ଓଡ଼ିଶାର ଏହି ଶବ୍ଦକୋଣାର୍କକୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ କୁହାଯାଇଛି ପୂର୍ଣ୍ଣଚନ୍ଦ୍ର ଶବ୍ଦକୋଷ ନୁହେଁ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଅନେକ ଵିଶେଷତ୍ଵ ରହିଛି ଯାହା ଆଧୁନିକ ସାଧାରଣ ଅଭିଧାନ ଵା ଶବ୍ଦକୋଷରେ କ୍ଵଚିତ୍ ଦେଖିଵାକୁ ମିଳେ । 

ଭାଷାକୋଷରେ ଅଧିକାଂଶ ଓଡ଼ିଆ ଶବ୍ଦର
ହିନ୍ଦୀ ଓ ବଙ୍ଗାଳୀ synonym ଯଥାକ୍ରମେ ଦେଵନାଗରୀ ଓ କାମରୂପୀ ଲିପିରେ ଲେଖାଯାଇଛି । କେତେକ ଓଡ଼ିଆ ଶବ୍ଦର ତେଲୁଗୁ, ତାମିଲ ,ମରାଠୀ ଗୁଜରାଟୀ ଓ କ୍ଵଚିତ୍ ଅହମିଆ ପ୍ରତିଶବ୍ଦ ମଧ୍ୟ ଦିଆଯାଇଛି ।‌ ଗଛ ଓ ଜୀଵଙ୍କର ଵୈଜ୍ଞାନିକ ଲାଟିନ୍ 
ନାମ ଦିଆଯାଇଛି । ଅଧିକାଂଶ ଓଡ଼ିଆ ଶବ୍ଦର ଵ୍ୟୁତ୍ପତ୍ତି ମୂଳ ଦିଆଯାଇଛି। ଅଧିକାଂଶ ସଂସ୍କୃତ ଶବ୍ଦର ନିରୁକ୍ତି ପ୍ରଦାନ କରାଯାଇଛି । ଅନେକ ଶବ୍ଦ ସମ୍ବନ୍ଧରେ ଵିସ୍ତୃତ ଵର୍ଣ୍ଣନା କରାଯାଇଛି ।‌ ଅନେକ ସଂସ୍କୃତ ଶବ୍ଦର ଦୁଇ ଵା ତତୋଽଧିକ ପର୍ଯ୍ୟାୟଵାଚୀ ଶବ୍ଦର ଉଲ୍ଲେଖ କରାଯାଇଛି । ଅଧିକାଂଶ ଶବ୍ଦ ତଳେ ଉକ୍ତ ଶବ୍ଦର ସାହିତ୍ୟରେ ପ୍ରୟୋଗର ଉଦାହରଣ ଦିଆଯାଇଛି । କେତେକ ଶବ୍ଦର କେମିତି ଵାକ୍ୟଗଠନ କରି ପ୍ରୟୋଗ କରାଯାଏ ତାହା ମଧ୍ୟ ଉଲ୍ଲେଖ କରାଯାଇଛି । କୌଣସି କୌଣସି ଶବ୍ଦ ତଳେ ସେହି ଶବ୍ଦର ପ୍ରୟୋଗ କେମିତି ପ୍ରାଚୀନ ସାହିତ୍ୟ,ପ୍ରଵଚନ,ଢଗଢମାଳି,ପ୍ରହେଳିକା ଆଦିରେ ହୋଇଛି ତାହା ମଧ୍ୟ ଦର୍ଶାଯାଇଛି ।
କେତୋଟି ଓଡ଼ିଆ ଲୋକକଥା ଓ କିଂଵଦନ୍ତୀ ମଧ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଥାନ ପାଇଛି । ଜଣେ ଜଣେ ମହାପୁରୁଷଙ୍କ ସଂକ୍ଷିପ୍ତ ଓ କେତେକଙ୍କ ଵିସ୍ତୃତ ଜୀଵନୀ ମଧ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଥାନ ଲଭିଛି । ହଜାର ହଜାର ସମ୍ବଲପୁରୀ,କଟକୀ,
ଗଞ୍ଜାମୀ,ଯାଜପୁରୀ,ଦେଶିଆ, ବାଲେଶ୍ଵରୀ ଶବ୍ଦ ମଧ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଥାନ ପାଇଛି । ମୋଟ ଉପରେ କହିଵାକୁ ଗଲେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ହେଉଛି ଓଡ଼ିଆ ତଥା ଓଡ଼ିଶା ଵିଷୟରେ ଜାଣିଵାକୁ ଚାହୁଁଥିଵା ଲୋକ ତଥା ଗଵେଷକମାନଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ । ତେଣୁ ଏଭଳି ତଥ୍ୟପୂର୍ଣ୍ଣ କୋଷକୁ କେଵଳ ଜ୍ଞାନକୋଷ ଵା encyclopaedia ବି ଅଭିହିତ କରାଯାଇପାରେ । 

ଯେଉଁମାନେ ଓଡ଼ିଆ ଭାଷାକୁ ଜାଣିଵାକୁ ଚାହୁଁଛନ୍ତି , ଯେଉଁମାନେ ଉତ୍କଳୀୟ ସଂସ୍କୃତି ସହିତ ପରିଚିତ ହେଵାକୁ ଚାହୁଁଛନ୍ତି ,ଯେଉଁମାନେ ଓଡ଼ିଆ ଜାତିକୁ ଭଲ ଭାବରେ ଜାଣିଵାକୁ ଚାହୁଁଛନ୍ତି ଏଵଂ ଯେଉଁମାନେ ଅନିସନ୍ଧିତ୍ସୁ ଵା ଗଵେଷକ ସେହିମାନେ ନିଶ୍ଚୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ମହତ୍ତ୍ଵ କ'ଣ ତାହା ହୃଦୟଙ୍ଗମ କରିଥିବେ ।

ଜଣେ ଗଵେଷକ ପାଇଁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅମୂଲ୍ୟ ସମ୍ପଦ । ବଡ଼ ମନ ଯାହାର ସେ ବଡ଼ କାମ କରେ । ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ ବଡ଼ କାମଟିଏ କରିଯାଇଛନ୍ତି । ଗୁଜରାଟର ଭଗୋବତ୍ ମଣ୍ଡଳ ଅଭିଧାନ ହେଉ କି ହିନ୍ଦୀ ଶବ୍ଦ ସାଗର ଵା ତାମିଳ ଲେକ୍ସିକନ୍ ତତ୍କାଳୀନ ସମୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସବୁ ଭାଷାକୋଷ ମଧ୍ୟରେ ଶ୍ରେଷ୍ଠ ପରିଗଣିତ ହେଉଥିଲା ଏଵଂ ଓଡ଼ିଶାରେ ଓଡ଼ିଆ ଭାଷାରେ ଅନେକ ଶବ୍ଦକୋଷ ସଂକଳିତ ହୋଇଥିଲେ ହେଁ ପୂର୍ଣ୍ଣଚନ୍ଦ୍ର ପରି ଏହାର ପୂର୍ଣ୍ଣାଙ୍ଗ ସ୍ଵୟଂ ସମ୍ପୂର୍ଣ୍ଣ ସମସ୍ତ ଗୁଣ ଥିଲା ଭଳି କୌଣସି ଶବ୍ଦକୋଷ ଵା ଭାଷାକୋଷ କେଉଁଠି ଦୃଶ୍ୟ ହୁଏନାହିଁ । 

ପ୍ରହରାଜଙ୍କର ଦୁର୍ଭାଗ୍ୟ ସେ ଏହିପରି ଏକ ଜ୍ଞାନକୋଷ ଵା encyclopaedia ଓଡ଼ିଆ ଭାଷାରେ କଲେ ଯଦି ହିନ୍ଦୀ କି ବଙ୍ଗାଳୀରେ ସେ ଏହି କାମ କରିଥାନ୍ତେ ତେବେ ହିନ୍ଦିଆ ଓ ବଙ୍ଗାଳୀ ତାଙ୍କୁ ଏଇଲେଁ ମୁଣ୍ଡରେ ବସେଇ ବୁଲୁଥାନ୍ତେ !

ଆମ ଓଡ଼ିଆ ଜାତି, ଶବ୍ଦଗୁରୁ ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ଓ ତାଙ୍କର ଶବ୍ଦକୋଣାର୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ମହତ୍ଵ ଆଉ କେତେ ଶହ ଵର୍ଷ ଅତିଵାହିତ ହେଲାପରେ ହୃଦୟଙ୍ଗମ କରିଵ ?