My Blog List

Showing posts with label ଜହ୍ନମାମୁଁ. Show all posts
Showing posts with label ଜହ୍ନମାମୁଁ. Show all posts

Monday, July 27, 2026

ପଞ୍ଚମ ଵ୍ୟକ୍ତି(ଜହ୍ନମାମୁଁ ଗପ)

ବହୁ ଵର୍ଷ ତଳର କଥା । ଢେଙ୍କାନାଳର ରାଜା ଶାସନ କାର୍ଯ୍ୟରେ ସୁବିଧା ହେଵ ବୋଲି ନିଜ ରାଜ୍ୟକୁ ଚବିଶ ଗୋଟି ପ୍ରଗଣା ଵା ଵିଶ(ଵିଷୟ)ରେ ଵିଭକ୍ତ କରି ପ୍ରତ୍ୟେକ 'ଵିଶ'ରେ ଜଣେ ଜଣେ 'ଵିଷୟପାଳ' ନିଯୁକ୍ତ କରିଥାନ୍ତି । ଗୋଟିଏ ପ୍ରଗଣା ଵା ଵିଶରେ ଆଠ ଦଶଗୋଟି ବଡ଼ ଗାଆଁ ଏଵଂ ଛୋଟ ଛୋଟ ଅନେକ ଗାଆଁ ଥିଲା । 

ପାରିମାଳ ପ୍ରଗଣାରେ ଵିଷୟପାଳ(ରକ୍ଷକ କର୍ମଚାରୀ) ରୂପେ ନିଯୁକ୍ତ ହୋଇଥାନ୍ତି ଵୈଷ୍ଣବ ଚରଣ ନାମକ ଅମାତ୍ୟ । ଵୈଷ୍ଣଵ ଚରଣ ବୁଦ୍ଧିମାନ ଓ କର୍ମଦକ୍ଷ ଥିଲେ, କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଵିଶେଷ ଭଲ ନଥିଲା । ଭିନ୍ନ ଭିନ୍ନ ଗାଁ ବୁଲି ପ୍ରଜାମାନଙ୍କ ସମସ୍ୟା ଲକ୍ଷ୍ୟ କରିଵା ଵିଷୟପାଳଙ୍କ କାମ । କିନ୍ତୁ ଵିଶେଷ ପ୍ରୟୋଜନ ନହେଲେ ସେ ନିଜ ବସା ଛାଡ଼ି କୁଆଡ଼େ ଯାଉ ନଥିଲେ । ମାତ୍ର ଵୈଷ୍ଣଵ ଚରଣ ବହୁତ ଵିଶ୍ୱସ୍ତ କର୍ମଚାରୀମାନଙ୍କୁ ନିଯୁକ୍ତ କରିଥିଲେ ଏଵଂ ସେମାନେ ତାଙ୍କୁ ସବୁ ଗାଁର ଅଵସ୍ଥା ସମ୍ପର୍କରେ ଵିଶେଷ ଵିଵରଣୀ ଦେଉଥିଲେ ।
ଦିନେ ଵିଷୟପାଳଙ୍କର ଜଣେ କର୍ମଚାରୀ ଆସି ସେହି ପ୍ରଗଣାର କଣ୍ଟାପାଳ ଗାଁରେ ପହଞ୍ଚି ଗାଁର ଚାରିଜଣ ଵିଶିଷ୍ଟ ଲୋକଙ୍କୁ ଖବର ଦେଲେ ଯେ ଵିଷୟପାଳ ମହାଶୟ ସେମାନଙ୍କୁ ଡାକି ପଠାଇଛନ୍ତି । ଵିଶିଷ୍ଟ ଲୋକେ ଯିଵାକୁ ପ୍ରସ୍ତୁତ ହେଲେ । ହଠାତ୍ ସେମାନଙ୍କୁ ଆସି ଘେରିଗଲେ ଦଳେ ଗ୍ରାମଵାସୀ । ସେମାନଙ୍କୁ ନେତୃତ୍ୱ ଦେଉଥାଏ ଏକ ଯୁବକ । ଭାଗୀରଥି ନାମକ ସେହି ଯୁବକ କିଛି ଵର୍ଷ ଗଡ଼ରେ ରହି ଗାଁକୁ ଫେରିଥାଏ । ସେ ସୁନ୍ଦର ଭାବରେ କଥା କହିପାରୁଥାଏ । ତା' ଚେହେରା ଓ ଚାଲିଚଳନ ମଧ୍ୟ ଆକର୍ଷଣୀୟ ଥିଲା । ତେଣୁ ଗ୍ରାମବାସୀମାନେ ତାକୁ ବହୁତ ପସନ୍ଦ କରୁଥାନ୍ତି । ସେ ପାଟି କରି କହୁଥାଏ:
“ଭାଇମାନେ! ଆମେ କଣ୍ଟାପାଳଵାସୀମାନେ କ'ଣ ଏଡ଼େ ଅଛୁଆଁ ଯେ ଵିଷୟପାଳ ମହାଶୟ କେବେହେଲେ ଏ ଗାଁକୁ ଆସିବେ ନାହିଁ, ଆମ ଲୋକେ ଯାଇ ତାଙ୍କୁ ଦେଖା କରିବେ? ଭାଇମାନେ, ଏହା କ'ଣ କଣ୍ଟାପାଳଵାସୀଙ୍କ ପାଇଁ ଅପମାନ ନୁହେଁ?
ପାଖ କୁଳକାଶୀଆ ପ୍ରଗଣାର ସଦାଶିଵପୁର, ଭୋଜଦେଇପୁର କିମ୍ବା ବଉଳପୁର ଭଳି ଗାଁଗୁଡ଼ିକୁ ଵିଷୟପାଳ ନିଜେ ଯାଇଥିଵାର ମୁଁ ଜାଣେ । ସେସବୁ ଗାଁଗୁଡ଼ିକରେ ମଣିଷ ଅଛନ୍ତି, କଣ୍ଟାପାଳରେ ନାହାନ୍ତି? ସେସବୁ ଗାଁ ଵିଶିଷ୍ଟ ଗାଁ, କଣ୍ଟାପାଳ ନଗଣ୍ୟ ଗାଁ? ମୁଁ ଆମ ଗ୍ରାମଵାସୀଙ୍କ ପକ୍ଷରୁ ଆମର ଚାରି ଵିଶିଷ୍ଟ ଲୋକଙ୍କୁ ନିଵେଦନ କରୁଛି, ସେମାନେ ଵିଷୟପାଳଙ୍କ ସହ ଦେଖା କରିଵାକୁ ନ ଯାଆନ୍ତୁ!”
“ହଁ, ହଁ, ଠିକ୍ କଥା । ସେମାନେ ଯିଵା ଉଚିତ୍ ନୁହେଁ ।” ଗ୍ରାମଵାସୀମାନେ କହିଲେ । ଚାରି ଵିଶିଷ୍ଟ ଲୋକେ ବଡ଼ ଅଡ଼ୁଆରେ ପଡ଼ିଲେ । ନଗଲେ ଵିଷୟପାଳ ଅସନ୍ତୁଷ୍ଟ ହେବେ । ଗଲେ ଗାଁ ଲୋକେ ଅସନ୍ତୁଷ୍ଟ ହେବେ । ସେମାନଙ୍କ ପଛରେ ହୁଏତ ଭାଗୀରଥି ଗାଁ ଲୋକଙ୍କୁ ପୁଣି ସେମାନଙ୍କ ଵିରୁଦ୍ଧରେ ମତାଇବ ।

ଵିଷୟପାଳଙ୍କ ସମ୍ବାଦ ନେଇ ଆସିଥିଵା କର୍ମଚାରୀଜଣକ ଚାରି ଵିଶିଷ୍ଟ ଵ୍ୟକ୍ତିଙ୍କ ଅଵସ୍ଥା ବୁଝି ସେମାନଙ୍କୁ ଚୁପ୍ ଚୁପ୍ କହିଲା, “ଆପଣମାନେ ଆସିଵା ଦରକାର ନାହିଁ । ଵାସ୍ତଵିକ୍, ଜରୁରୀ କାମ କିଛି ନାହିଁ । ଖାଲି ଆପଣଙ୍କ ଗାଁର ହାଲ୍‌ଚାଲ୍ ଜାଣିଵା ନିମନ୍ତେ ଵିଷୟପାଳ ଡାକୁଥିଲେ ।” କର୍ମଚାରୀ ଚାଲିଗଲେ ।

ପନ୍ଦର ଦିନ ପରେ କର୍ମଚାରୀ ପୁଣି ଆସି ପହଞ୍ଚିଲେ । ଏଥର ସେ ଚାରି ଵିଶିଷ୍ଟ ଲୋକଙ୍କ ପାଖକୁ ଯେଉଁ ଚିଠି ନେଇ ଆସିଥାନ୍ତି, ସେଥିରେ ଵିଷୟପାଳ ଲେଖିଥିଲେ: “ଅସୁସ୍ଥତା ଯୋଗୁଁ ଖାଲି ଆପଣଙ୍କ ଗାଁ ନୁହେଁ, ପାରିମାଳର ରାୟନୃସିଂହପୁର କିମ୍ବା ପରଜଙ୍ଗ ପ୍ରଗଣାର ପ୍ରଶିଦ୍ଧ ପାୟକାନ ଗଡ଼ ଗଡ଼ ପରଜଙ୍ଗ ଓ କମାଳଙ୍ଗ ଭଳି କୌଣସି ଗାଁକୁ ମଧ୍ୟ ମୁଁ ନିଜେ ଯାଇ ପାରୁନାହିଁ । ଏସବୁ ଗ୍ରାମଗୁଡି଼କରେ ଆମ୍ଭର କେତେ ବନ୍ଧୁଘର ଅଛନ୍ତି କୁଆଡ଼େ ନଯାଇପାରିଵାରୁ ମନଦୁଃଖ କରୁଛନ୍ତି । ତେଣୁ ଆପଣମାନେ ଆସି ମୋ ସହ ଦେଖାକଲେ ମୁଁ ଖୁସି ହେବି । ଆପଣଙ୍କ ଗାଁରେ ଭାଗୀରଥି ନାମକ ଜଣେ ଵିଶିଷ୍ଟ ଯୁବକ ଅଛନ୍ତି ବୋଲି ମୁଁ କାହା କାହାଠୁ ଶୁଣିଲି । ସେ ମଧ୍ୟ ଯଦି ଆସିବେ, ମୁଁ ଆପ୍ୟାୟିତ ହେବି ।”
ଵିଶିଷ୍ଟ ଲୋକେ ଭାଗୀରଥିକୁ ଡକାଇ ଚିଠି ପଢ଼ାଇଲେ । ଭାଗୀରଥି କହିଲେ, “ଯେତେବେଳେ ଵିଷୟପାଳ ମହାଶୟ ଅସୁସ୍ଥ ସେତେବେଳେ ଆମେ ନ ଯିଵା କିପରି? ନଗଲେ ଅଭଦ୍ରତା ହେଵ ।” ସେମାନେ ପରଦିନ ଯିବେ ବୋଲି ହାତରେ ଖବର ଦେଲେ । ଭାଗୀରଥି ଯିଵାକୁ ପ୍ରସ୍ତୁତ ହେଵାର ଦେଖି ତା' ସ୍ତ୍ରୀ ପଚାରିଲା, “ତୁମେ ପରା କହୁଥିଲ ଵିଷୟପାଳ ଗାଁକୁ ଆସିଵା ଉଚିତ, ଗାଁ ଲୋକେ ଯିଵା ଉଚିତ୍ ନୁହେଁ?”
“ମୁଁ ଯାହା କହୁଥିଲି, ତାହା ନୀତି ଦୃଷ୍ଟିରୁ ଠିକ୍ କିନ୍ତୁ ଵାସ୍ତଵ ଅଵସ୍ଥା ଅନୁସାରେ କାମ କରିଵା ଵିଵେକୀ ଲୋକଙ୍କ କାମ ।” ଭାଗୀରଥି କହିଲା ।
କର୍ମଚାରୀଙ୍କଠୁ ଯେତେବେଳେ ଵିଷୟପାଳ ଶୁଣିଲେ, କଣ୍ଟାପାଳର ଚାରି ଵିଶିଷ୍ଟ ଵ୍ୟକ୍ତି ଓ ଭାଗୀରଥି ଆସୁଛନ୍ତି, ସେ ଅଟ୍ଟହାସ୍ୟ କଲେ । ପାଖରେ ବସିଥିଵା ତାଙ୍କର ଜଣେ ମିତ୍ର ପଚାରିଲେ, “ହସିଲ କାହିଁକି?”
“ଆରେ ଭାଇ, ଏ ଟୋକା ଭାଗୀରଥିର କଥା ଯାହା ବୋଲି ଅନୁମାନ କରିଥିଲି ତାହା ଠିକ୍ ବୋଲି ଦେଖିଲି । ଗାଁରେ କିଛି ସମସ୍ୟା ଥିଲେ ସେ ଆସି ମୋତେ ଜଣାଇଵାରେ ଅସୁବିଧା କ'ଣ? କିନ୍ତୁ ସେ ଚାରି ଵିଶିଷ୍ଟ ଵ୍ୟକ୍ତିଙ୍କ ସହ ପଞ୍ଚମ ଵିଶିଷ୍ଟ ଵ୍ୟକ୍ତି ଭାବରେ ଆସିଵାକୁ ଚାହେଁ । ତେଣୁ ଲୋକଙ୍କୁ ମତାଇଲା । ମୋର ତା' ଗାଁକୁ ଯିଵା ନ ଯିଵା କ'ଣ ଗାଁର ସମସ୍ୟା? ନା । କିନ୍ତୁ ତାକୁ ହିଁ ସେ ସମସ୍ୟା ରୂପେ ଠିଆ କରାଇ ଦେଲା । ଵର୍ତ୍ତମାନ ନିଜେ ଯେମିତି ପଞ୍ଚମ ଵିଶିଷ୍ଟ ଵ୍ୟକ୍ତିର ସମ୍ମାନ ପାଇଗଲା, ଆଉ ଗାଁ ଲୋକଙ୍କୁ କିଛି କହିଵା ଆଵଶ୍ୟକ ମନେ କଲାନାହିଁ । ଏଭଳି ଲୋକେ ନେତା ହେଲେ ଗାଁର ହେଵ କ'ଣ? ସେଇ କଥା ଭାବି ଦୁଃଖରେ ହସିଲି ।” ଵିଷୟପାଳ କହିଲେ ।
(୧୯୮୯ ମସିହାରେ ପ୍ରକାଶିତ ଜହ୍ନମାମୁଁ ଗଳ୍ପକୁ ଢେଙ୍କାନାଳ ପରିପ୍ରେକ୍ଷୀରେ ପୁଣି ଥରେ ଲେଖାଯାଇଅଛି ) 

Monday, August 11, 2025

ଉତ୍କୋଚଗ୍ରାହୀ(ଜହ୍ନମାମୁଁ କାହାଣୀ)

ଵିଦିଶା ନାମକ ଏକ ନଗରୀ ଥିଲା। ସେଠାରେ ରାଜାଙ୍କ ଦରବାରରେ କର୍କଟଶାସ୍ତ୍ରୀ ନାମକ ଜଣେ ଜ୍ୟୋତିଷୀ ଥିଲେ। ସେ ଦାବି କରୁଥିଲେ ଯେ ଦେଵୀଙ୍କର ତାଙ୍କ ଉପରେ ଵିଶେଷ କୃପା ଅଛି ଅତଃ ସେ ଯେକୌଣସି ଘଟଣା କିମ୍ବା ଅପରାଧର ସତ୍ୟ ତଥ୍ୟ ଜାଣିପାରନ୍ତି। ଏହି ଆଧାରରେ ସେ ରାଜାଙ୍କ ଵିଶ୍ୱାସପାତ୍ର ହୋଇ କର୍କଟଶାସ୍ତ୍ରୀ ଦରବାରରେ ଏକ ଵିଶେଷ ସ୍ଥାନ ପାଇଥିଲେ। ଯେତେବେଳେ ନ୍ୟାୟ ଵିଚାର‌ ହେଉଥିଲା, ରାଜା କର୍କଟଶାସ୍ତ୍ରୀଙ୍କୁ ନ୍ୟାୟାଧୀଶ ଭାବେ ନିଯୁକ୍ତ କରୁଥିଲେ। ମଣିଷଙ୍କ ତୁଳନାରେ ଦେଵୀଙ୍କ ନିଷ୍ପତ୍ତି ଶ୍ରେଷ୍ଠ ବୋଲି ରାଜା ଓ ଅନ୍ୟମାନେ ଵିଶ୍ୱାସ କରୁଥିଲେ। କିନ୍ତୁ କର୍କଟଶାସ୍ତ୍ରୀ ଦେଵୀଙ୍କ ନାମରେ ଉତ୍କୋଚ (ଲାଞ୍ଚ) ନେଇ ଭିନ୍ନ ନିଷ୍ପତ୍ତି ଦେଉଥିଲେ।
କର୍କଟଶାସ୍ତ୍ରୀଙ୍କ ଦେଵୀ ଅନୁଗ୍ରହ ଅସତ୍ୟ ଏଵଂ ଯିଏ ଶାସ୍ତ୍ରୀଙ୍କୁ ଅଧିକ ଉତ୍କୋଚ ଦେଉଥିଲା ସେ ତାହାର ପକ୍ଷରେ ନିଷ୍ପତ୍ତି ଦେଉଥିଲେ ବୋଲି ଏକ ଗୁଜବ ପ୍ରଚାର ହେଲା । ଏକଥା ରାଜାଙ୍କ ପାଖରେ ପହଞ୍ଚିଗଲା । ସତ୍ୟତା ଜାଣିଵା ପାଇଁ ରାଜା ମନ୍ତ୍ରୀଙ୍କୁ ପଚାରିଲେ। ମନ୍ତ୍ରୀ ଏକ ଉପାୟ ପ୍ରସ୍ତାବ ଦେଲେ। ରାଜା କର୍କଟଶାସ୍ତ୍ରୀଙ୍କୁ ଡାକି କହିଲେ, "ଶାସ୍ତ୍ରୀ ମହାଶୟ ଶୁଣନ୍ତୁ ! ଆମ ଦରବାରରେ ନିଯୁକ୍ତ ଶ୍ରୀପତି ତାଙ୍କ ସହକର୍ମୀଙ୍କ ଵିରୁଦ୍ଧରେ ଉତ୍କୋଚର ଅଭିଯୋଗ ଲଗାଇ ନ୍ୟାୟ ନିଷ୍ପତ୍ତି ପରୀକ୍ଷା କରୁଛନ୍ତି। କାରଣାନ୍ତରରେ ମୁଁ ତାଙ୍କ ନାମ ପ୍ରକାଶ କରୁନାହିଁ। ଆପଣ ଶ୍ରୀପତିଙ୍କ ଅଭିଯୋଗର ସତ୍ୟତା ଵିଷୟରେ ଦେଵୀଙ୍କଠାରୁ ଜାଣି କାଲି ଦରବାରରେ ଆସି କୁହନ୍ତୁ। ନ୍ୟାୟ ନିଷ୍ପତ୍ତି ପରେ ମୁଁ ତାଙ୍କ ନାମ ପ୍ରକାଶ କରିବି।"

ସେହି ରାତିରେ ଶ୍ରୀପତି କର୍କଟଶାସ୍ତ୍ରୀଙ୍କ ଘରକୁ ଯାଇ ପ୍ରାର୍ଥନା କଲେ, "ଆର୍ଯ୍ୟ! ମୁଁ ମୋ ସହକର୍ମୀଙ୍କ ଵିରୁଦ୍ଧରେ ଉତ୍କୋଚର ଅଭିଯୋଗ ଲଗାଇଛି। ଯଦି ଏହି ଅଭିଯୋଗ ମିଛ ହୁଏ, ତେବେ ରାଜା ମୋତେ ଦଣ୍ଡ ଦେବେ। ତେଣୁ ମୋହର ଏହି ଘୋର ଵିପତ୍ତିକାଳରେ ଆପଣ ମୋତେ ସାହାଯ୍ୟ କରିଵା ହୁଅନ୍ତୁ।" ଏହା କହି ଶ୍ରୀପତି ହଜାରେ ରୌପ୍ୟ ମୁଦ୍ରା ମଧ୍ୟ ଦେଲେ। ପରଦିନ ଦରବାରରେ ରାଜା ଶ୍ରୀପତିଙ୍କ ଅଭିଯୋଗ ଵିଷୟରେ ପଚାରିଵାରୁ କର୍କଟଶାସ୍ତ୍ରୀ ରାଜାଙ୍କ ଛାମୁରେ ଦେଵୀଙ୍କ ନାମ ନେଇ ଧ୍ୟାନ କରି କହିଲେ, "ଜୟ ଦେଵୀ ! ମହାରାଜ, ଶ୍ରୀପତିଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ସତ୍ୟ।"

ତାହା ଶୁଣି ରାଜା ସିପାହୀମାନଙ୍କୁ ଆଦେଶ ଦେଲେ, "କର୍କଟ ଶାସ୍ତ୍ରୀଙ୍କୁ ବନ୍ଦୀ କର।"

ଶାସ୍ତ୍ରୀ ଭୟରେ ଥରି ଉଠି କହିଲେ, "ମହାରାଜ! ମୋତେ କେଉଁ ଅପରାଧରେ ବନ୍ଦୀ କରାଯାଉଛି?"  
ରାଜା ଉତ୍ତର ଦେଲେ, "ଶ୍ରୀପତି ଯେଉଁ ଵ୍ୟକ୍ତିଙ୍କ ଉପରେ ଉତ୍କୋଚ ନେଵାର ଅଭିଯୋଗ କରିଛନ୍ତି, ସେ ଆପଣ ନିଜେ।"



Sunday, January 28, 2024

ତିନୋଟି ସରଳ ପ୍ରଶ୍ନ

ମୋହନ ଘଞ୍ଚ ବଣ ଜଙ୍ଗଲ ପାର କରି ରାଜଧାନୀରେ ଆସି ପହଞ୍ଚିଲା । ବାପା ମାଆ ଛେଉଣ୍ଡ ହେଵାରୁ ଜଣେ ଗ୍ରାମ ପ୍ରଧାନ ମୋହନକୁ ନିଜ ଘରେ ଆଶ୍ରୟ ଦେଇଥିଲେ । ପ୍ରଧାନ ଘରେ ରହିଵାରୁ ନିତି ନୂଆ ନୂଆ କଥା ଜାଣିଲା ଶିଖିଲା , ଗାଆଁ ପଣ୍ଡିତେ ସନ୍ଧ୍ୟାରେ ଯେତେବେଳେ ପ୍ରଧାନଙ୍କ ଘରେ ଶାସ୍ତ୍ର ଆଲୋଚନା କରନ୍ତି ମୋହନ ସେସବୁ ଶୁଣି ମନେ ରଖେ । କିନ୍ତୁ ଯୁଵାଵସ୍ଥାରେ ପହଞ୍ଚି ମୋହନଟା ପ୍ରଧାନଙ୍କ ଝିଅ ରମା ପ୍ରେମରେ ପଡ଼ିଗଲାରୁ ପ୍ରଧାନ ତାକୁ ଘରୁ ବାହାର କରିଦେଲେ । ମୋହନ ବାହୁଡ଼ି ଗଲାବେଳେ ପ୍ରଧାନେ ତାକୁ କହିଲେ “ନଗ୍ରକୁ ଯାଅ ଧନ ଓ ଯଶ ପ୍ରାପ୍ତି କର ତାହେଲେ ତୁମେ ମୋର ଜାମାତା ହୋଇପାରିଵ । ଯେତେ ଯୋଗ୍ୟ ହୋଇଥିଲେ ମଧ୍ୟ ଵ୍ୟକ୍ତି ପାଖରେ ଯଦି ଯଶ ଓ ଧନ ନାହିଁ ତାହେଲେ ସେ ଯେଡ଼େ ବଡ଼ ଉଚ୍ଚ କଥାମାନ କହୁ ପଛେ ତା କଥାର ମୂଲ୍ୟ ଏ ସମାଜ କେବେ ବି ସ୍ଵୀକାର କରେ ନାହିଁ।”

ଏଇସବୁ କଥା ମନେ ପକାଇ ମୋହନ ମନଦୁଃଖରେ ରାଜଧାନୀରେ ବୁଲୁଥାଇ । ଗଡ଼ିଆ ଲୋକଙ୍କଠାରୁ ଜାଣିଵାକୁ ପାଇଲା ଯେ
 ରାଜାଙ୍କ ଛାମୁରେ ଭୀଷଣ ତର୍କସଭା ହେଉଛି । ଯିଏ ତର୍କରେ ଜିଣିଵ ତାକୁ ରାଜା ଧନ, ଉପାଧି ଓ ସମ୍ମାନ ଦେବେ । କେତେ କୂଆଡ଼ୁ ଵିଦ୍ଵାନମାନେ ଆସି ରାଜବାଟୀରେ ଅଛନ୍ତି କିନ୍ତୁ କେହି ମଧ୍ୟ ତର୍କସଭାରେ ଅଧିକକାଳ ତିଷ୍ଠି ପାରୁନାହାଁନ୍ତି। ସପ୍ତମ ଦିନ ଶେଷ ହୁଅନ୍ତେ ତର୍କରେ କେହି ଜିତି ନପାରିଵାରୁ ରାଜା ଦର୍ଶକ ଓ ଶ୍ରୋତାମାନଙ୍କୁ ସମ୍ବୋଧନ କରି ସେମାନଙ୍କ ମଧ୍ୟରୁ ଯଦି କେହି କିଛି ପ୍ରଶ୍ନ କରିଵାକୁ ଚାହୁଁଥାନ୍ତି ତେବେ ତର୍କସଭାରେ ଭାଗ ନେଇ ପାରନ୍ତି ବୋଲି ନିର୍ଦ୍ଦେଶ ଦେଲେ । ଯୋଉଠି ଏଡ଼େ ବଡ଼ ବଡ଼ ଵିଦ୍ଵାନମାନେ ସଭାରେ ତିଷ୍ଠିପାରୁନାହାନ୍ତି ସେଠି ସାଧାରଣ ଜନତା ଵା କିସ କରିପାରିବେ ? ତେଣୁ ପ୍ରାୟ ସଭିଏଁ ନିରୁତ୍ତର ରହିଲେ କିନ୍ତୁ ମୋହନ ପ୍ରଶ୍ନ କରିଵ ବୋଲି ଜଣାଇଦେଲା । ରାଜା ତାକୁ କହିଵାକୁ ନିର୍ଦ୍ଦେଶ ଦିଅନ୍ତେ ମୋହନ କହିଲା ସାଆନ୍ତେ ମୁଁ ସରଳ ଗାଉଁଲି ଲୋକ ତେଣୁ ସରଳ ଗାଉଁଲି ପ୍ରଶ୍ନ ତିନୋଟି କରିବି,କେହି ଵିଦ୍ଵାନ ସେହି ପ୍ରଶ୍ନଗୁଡ଼ିକର ଉପଯୁକ୍ତ ଉତ୍ତର ନିଶ୍ଚୟ ଦେବେ ବୋଲି ମୁଁ ଆଶାଵାଦୀ । ରାଜ ଆଦେଶ ପରେ ମୋହନ ପଣ୍ଡିତସଭାରେ ନିଜର ସେହି ତିନିଟା ପ୍ରଶ୍ନ କହି ଶୁଣେଇଲା...

"ଗୋଟିଏ ଗାଆଁ ଦାଣ୍ଡରେ ଦୁଇଜଣ ଲୋକ ଦୁଇ ପଟରୁ ପରସ୍ପରର ଵିପରୀତ ଦିଗରୁ ଆସୁଛନ୍ତି ସେମାନେ ପରସ୍ପରର କ'ଣ ହେବେ ? ସେ ଦୁଇଜଣ ପରସ୍ପରର ନିକଟରେ ପହଞ୍ଚିଲାପରେ କ'ଣ ହେବେ ଏଵଂ ସେମାନେ ପରସ୍ପରଠାରୁ ଦୂରେଇଗଲାପରେ କ'ଣ ହେବେ ? 

ଘଣ୍ଟା ଘଣ୍ଟା ଧରି ଵିଦ୍ଵାନମାନେ ଏହା ଉପରେ ଵିଚାର ଵିମର୍ଷ କଲେ ହେଲେ କେହି ମଧ୍ୟ ଠିକ୍ ଉତ୍ତରଟିଏ ଦେଇ ପାରିଲେ ନାହିଁ । ତହୁଁ ଵିରକ୍ତ ହୋଇ କଳିଙ୍ଗ ରାଜା ମୋହନକୁ କହିଲେ “ଗ୍ରାମଵାସୀ,ତୁମେ ଏଭଳି ତିନୋଟି ସରଳ ପ୍ରଶ୍ନ ପଚାରିଲ ଯେ କେହି ଵିଦ୍ଵାନ ବି ତାହାର ଯଥାଯଥ ଉତ୍ତର ଦେଇ ପାରିଲେ ନାହିଁ ତେଣୁ ତୁମେ ଏବେ ନିଜ ପ୍ରଶ୍ନର ଉତ୍ତର କହି ଏ ପ୍ରହେଳିକାର ଗୁମର ଫେଡ଼ିଦିଅ । କେଵଳ ପ୍ରଶ୍ନ ପଚାରିଦେଲେ ଚଳିଵ ନାହିଁ ତାହାର ଉତ୍ତର ବି ଜାଣିଥିଵା ଆଵଶ୍ୟକ ଅନ୍ୟଥା ତୁମେ ଭୀଷଣ ରାଜଦଣ୍ଡରେ ଦଣ୍ଡିତ ହେଵ ।”

ସେଇଠୁ ମୋହନ କହିଲା “ମଣିମା, ମୋ ପ୍ରଶ୍ନତ୍ରୟ ଅତି ସରଳ ଥିଲା କିନ୍ତୁ ଵିଦ୍ଵାନମାନେ ସେଗୁଡି଼କର ଉତ୍ତର ଜାଣିଵାକୁ ପୋଥି ଜ୍ଞାନ ଖଟେଇଲେ ।‌ ତେବେ ଉତ୍ତରଗୁଡ଼ିକ କହୁଛି ଛାମୁ ଓ ଵିଦ୍ଵାନମାନେ ଦୟାକରି ଧ୍ୟାନ ଦେଵା ହେବେ :

“ଗୋଟିଏ ଗାଆଁ ଦାଣ୍ଡରେ ଦୁଇଜଣ ଲୋକ ଯେତେବେଳେ ଦୁଇ ବିପରୀତ ଦିଗରେ ଦୁଇପଟରୁ ଆସୁଥାନ୍ତି ସେମାନେ ନିଜର 
'ମୁହାଁମୁହିଁ' ହୁଅନ୍ତି । ଏଥିପାଇଁ ଅନ୍ୟ ଶବ୍ଦଗୁଡ଼ିକ ହେଲା 'ମୁଖାମୁଖି','ସାମନାସାମନି',
'ସମୁଖାସମୁଖି' ଵା 'ସମ୍ମୁଖାସମ୍ମୁଖୀ'
,'ଭେଟାଭେଟି' ଓ 'ହାବୁଡ଼ାହାବୁଡ଼ି' ଇତ୍ୟାଦି । ଏହାକୁ ଶାସ୍ତ୍ରରେ 'ସାକ୍ଷାଦ୍ଦର୍ଶନ' ଓ 'ସାକ୍ଷାଦୃଷ୍ଟି' ବୋଲି ମଧ୍ୟ ଅଭିହିତ କରାଯାଇଛି। ତାପରେ ଯେତେବେଳେ ପରସ୍ପରର ଵିପରୀତ ଦିଗରୁ ଆସୁଥିଵା ଦୁଇଜଣ ଲୋକ ପରସ୍ପରର ପାଖରେ ପହଞ୍ଚିଯାଆନ୍ତି ସେମାନେ ପରସ୍ପରର 'ନିକଟାନିକଟି' ହୁଅନ୍ତି, ପରସ୍ପରର 'ଆଖପାଖ'ରେ ହୁଅନ୍ତି । ଆଉ ଯେତେବେଳେ ସେଇ ଦୁଇ ଲୋକ ପୁଣି ପରସ୍ପରଠାରୁ ଦୂରେଇ ଯିବେ ସେତେବେଳେ ସେମାନେ ପରସ୍ପରଠାରୁ 'ଦୂର ହେବେ','ଅନ୍ତର ହେବେ','ଆଡ଼ ହେବେ' ଵା 'ଆଡ଼େ ହେବେ' ଓ 'ପଛ ହେବେ' । ସେହିପରି ଏ ସଂସାରକୁ ମଧ୍ୟ ଆମେ ଯେତେବେଳେ ଆସନ୍ତି ଆମେ ଅନ୍ୟମାନଙ୍କ ପାଇଁ ପ୍ରଥମେ ଅପରିଚିତ ଥାଆନ୍ତି, ତାପରେ ଆମ ଗୁଣ ଜାଣି ଆମ ସହିତ ରହି ଅନ୍ୟମାନେ ଆମର ନିକଟତର ହୁଅନ୍ତି ପୁଣି ଶେଷରେ ସ୍ଵାର୍ଥଲାଭ ପରେ ତନ୍ମଧ୍ୟରେ ଅନେକ ଆମଠାରୁ ଦୂରେଇ ଯାଆନ୍ତି କିମ୍ବା ମୃତ୍ୟୁ ସେମାନଙ୍କୁ ଆମଠାରୁ ଦୂରେଇ ଦିଏ । ଏ ସଂସାର ରୂପକ ଗାଆଁ ଦାଣ୍ଡରେ ଆମେ ଜନ୍ମ ନେଵା ସମୟରେ ମାଆଙ୍କ ପାଇଁ ଅଜଣା ଥାଆନ୍ତି କିନ୍ତୁ ଥରେ ମାଆ ଆମକୁ ନିଜ କୋଳରେ ଧରି ଗେଲ କଲାପରେ ତଥା ଦୁଗ୍ଧପାନ ପରେ ଯୋଉ ସମ୍ପର୍କ ଯୋଡ଼ି ହୋଇଯାଏ ତାହା ମୃତ୍ୟୁପରେ ଯାଇ ତୁଟେ । ଆମ ଵିଵାହ ଵୟସ ହେଲାପରେ ଯେତେବେଳେ କନ୍ୟା ଦେଖିଵାକୁ ଯାଆନ୍ତି ଉକ୍ତ କନ୍ୟା ସହିତ ଆମର ମୁହାଁମୁହିଁ ସମୟରେ ଉଭୟେ ପରସ୍ପର ପାଇଁ ଅପରିଚିତ ଥାଆନ୍ତି କିନ୍ତୁ ଥରେ ଵିଵାହ ବନ୍ଧନରେ ବାନ୍ଧି ହୋଇ ଘରସଂସାର କଲାପରେ ପରସ୍ପରର ନିକଟାନିକଟି ହୋଇ ଆଖପାଖରେ ରହି ଅହରହ ଜୀଵନଯୁଦ୍ଧରେ ଯୁଝିଥାନ୍ତି ଏଵଂ ଶେଷରେ ତନ୍ମଧ୍ୟରୁ କେହି ଜଣେ ଦୂରେଇ ଯାଏ ଵା ମୃତ୍ୟୁ ତାକୁ ଦୂରେଇ ଦିଏ । ଆମେ ଜନ୍ମ ପରେ ପ୍ରଥମେ ଆମ ମାଆ ମୁଖରୁ ଯେଉଁ ଭାଷାକୁ ଶିଖନ୍ତି ସେଇ ଭାଷାକୁ ଆମେମାନେ ଆମର ମାତୃଭାଷା ମଣନ୍ତି ।‌ ଜନ୍ମ ସମୟରେ ଆମେ ଆମ ମାତୃଭାଷା ସହିତ ସମ୍ପୂର୍ଣ୍ଣ ଅପରିଚିତ ଥାଆନ୍ତି । ମାଆ ଆମକୁ ଯୋଉ ଭାଷାରେ କହୁଥାଏ ଆମେ ତାହା ମନ ଧ୍ୟାନ ଦେଇ ଶୁଣୁଥାଉ ଏଵଂ ଧୀରେ ଧୀରେ ତାକୁ ବୋଲିଵାକୁ ଚେଷ୍ଟା କରୁ । ପ୍ରଥମେ ପ୍ରଥମେ ଅପରିଚିତ ଥିଵା ଭାଷା ସହିତ କ୍ରମଶଃ ଆମେ ଅଭ୍ୟସ୍ତ ହୋଇଯାଉ ଆଉ ମାଆ ଶିଖାଇଥିଵା ସେଇ ମାତୃଭାଷା ଆମେ ମଲାପରେ ଯାଇ ଆମଠାରୁ ଦୂର ହୁଏ । ପୁନଶ୍ଚ ଯୋଉ ଦେଶରେ ମାଆ ଆମକୁ ଜନ୍ମ ଦିଅନ୍ତି ସେ ଦେଶକୁ ଆମେ ଆମର ମାତୃଭୂମି ଅଭିହିତ କରିଥାଉ ‌‌। ଆମ ମାତୃଭୂମି ଆମପାଇଁ ପ୍ରଥମେ ପ୍ରଥମେ ଅପରିଚିତ ଥାଏ କିନ୍ତୁ ଚାଲି ଶିଖିଵା ପରେ ଓ ବୁଦ୍ଧି ଵିଵେକ ଲଭିଲା ପରେ ଆମେ ଆମ ମାତୃଭୂମିର ପରିସୀମା କିପରି ଘର,ସାହି,ଗାଆଁ,ପଞ୍ଚାୟତ,ପ୍ରଗଣା,ଉପଖଣ୍ଡ,ମଣ୍ଡଳ,ରାଜ୍ୟ,ଦେଶ, ମହାଦେଶ,ପୃଥିଵୀ ଓ ବ୍ରହ୍ମାଣ୍ଡ ପର୍ଯ୍ୟନ୍ତ ପରିଵ୍ୟାପ୍ତ ତାହା ହୃଦୟଙ୍ଗମ କରିଥାଉ । କିନ୍ତୁ ଦୁର୍ଯୋଗରେ ପଡ଼ି ଆମକୁ ଆମ ମାତୃଭୂମିଠାରୁ ଦିନେ ନା ଦିନେ ଦୂରେଇ ଯିଵାକୁ ହିଁ ହୁଏ ଆଉ ଏମିତି ବି ଗୋଟିଏ ଦିନ ଆସେ ଆମକୁ ଆମ ଦେହ ଏହି ମାତୃଭୂମିରେ ଛାଡ଼ି ଯିଵାକୁ ହୁଏ । ଏହି ଚକ୍ର ଏହିପରି ସବୁବେଳେ ଚାଲୁଛି ଆଗକୁ ବି ଯେତେ ଦିନ ଯାଏଁ ସଂସାର ଥିଵ ଚାଲୁରହିଥିଵ । ମୋର ତିନୋଟି ସରଳ ପ୍ରଶ୍ନର ଉତ୍ତର ମଧ୍ୟ ପ୍ରୋକ୍ତ ପ୍ରଶ୍ନଗୁଡ଼ିକ ପରି ଅତି ସରଳ ହିଁ ଥିଲା ।”

ଉତ୍ତର ଶୁଣି ସମସ୍ତେ ଅଵାକ୍ ହୋଇଗଲେ । ଉଷତ ହୋଇ ରାଜା ମୋହନକୁ ପୁରସ୍କାର ସ୍ଵରୂପ ଉପାଧି,ପଗଡ଼ି ଓ ଧନ ପ୍ରଦାନ କଲେ । ଘୋଡ଼ାରେ ଚଢ଼ି ମୋହନ ଘର ଅଭିମୁଖେ ବାହୁଡ଼ିଲା । ମୋହନ ଗଲା ଦିନୁ ରମା ତାକୁ ଝୁରି ଝୁରି କଣ୍ଟା ହୋଇଯାଇଥାଏ ‌ । ପ୍ରଧାନେ ବାଧ୍ୟ ହୋଇ ଉଭୟଙ୍କର ଵିଵାହ କରାଇଦେଇ । 
(ଗଳ୍ପଟି ୧୯୭୦ ଜୁନ ମାସର ହିନ୍ଦୀ ଜହ୍ନମାମୁଁରେ ପ୍ରକାଶିତ ସୁରେନ୍ଦ୍ର କୁମାରଙ୍କ ଗଳ୍ପ 'ମାମୁଲି ସଵାଲ'କୁ ସାମାନ୍ୟ ପରିଵର୍ତ୍ତିତ କରି ଭିନ୍ନ ଶୈଳୀରେ ଲେଖାଯାଇଛି । ମୂଳ ଲେଖାରେ ଏତେ ଶବ୍ଦ ସମ୍ବନ୍ଧୀୟ ଉଲ୍ଲେଖ ନଥିଲା କି ଜୀଵନ,ମାତୃଭଷା ଓ ମାତୃଭୂମି ସମ୍ବନ୍ଧିତ ଟିପ୍ପଣୀ ନଥିଲା)





Tuesday, July 25, 2023

ହିନ୍ଦୁ ରାଜକନ୍ୟାଙ୍କ ପ୍ରତିଶୋଧ

ରାଜା ଦାହିର୍ ଥିଲେ ସିନ୍ଧୁ ଦେଶର ଶେଷ ସ୍ଵାଧୀନ ହିନ୍ଦୁ ଶାସକ । ତାଙ୍କ ସମୟକାଳ ୬୬୩ ଖ୍ରୀଷ୍ଟାବ୍ଦରୁ ୭୧୨ ଖ୍ରୀଷ୍ଟାବ୍ଦ ମଧ୍ୟରେ ବୋଲି ଐତିହାସିକ କୁହନ୍ତି । ରାଜା ଦାହିର୍ ଓ ତାଙ୍କ ପୁତ୍ର ଜୟ ଶାହ୍ ମିଶି ଦୁଇଥର‌ ମୁସ୍ଳମାନ ଆକ୍ରମଣକାରୀଙ୍କୁ ପରାସ୍ତ କରିଥିଲେ । ରାଜା ଦାହିର୍‌ଙ୍କ ପୁତ୍ର ଜୟ ଶାହଙ୍କ ହସ୍ତରେ ଶକ୍ତିଶାଳୀ ମନେ କରାଯାଉଥିଵା ଉବାଇ ଉଦଲ୍ଲା ଓ ବୁଦାଇଲ୍ ଵା ବାଜିଲ୍ ଭଳି ଆରବୀ ସେନାଧ୍ୟକ୍ଷ ମୃତ୍ୟୁଵରଣ କରିଥିଲେ । 

କିନ୍ତୁ ମୁସ୍ଳମାନ ଗୋଟେ ଅଲଜ୍ଜା ଜାତି, ଏମାନେ ବାରମ୍ବାର ପରାସ୍ତ ହେଲେ ବି ନମଲା ଯାଏଁ ଆକ୍ରମଣ କରୁଥାନ୍ତି । ତେଣୁ ସିନ୍ଧୁଦେଶ ଉପରେ ଆଉଥରେ ମୁସ୍ସଳମାନମାନେ ଆକ୍ରମଣ କରିଵାକୁ ଯୋଜନା କଲେ ‌ । 

ଖଲିଫା ଉମୟାଦ୍ କଲିଫତେ ସେତେବେଳେ ୟୁରୋପର କିଛି ଅଂଶ,ଉତ୍ତର ଆଫ୍ରିକା,ଆରବ,ଇରାକ ଓ ଇରାନର ଶାସକ ଥାଆନ୍ତି । ଆରବୀୟ ଖଲିଫା ସିନ୍ଧୁ ଦେଶକୁ ଜୟ କରିଵା ପାଇଁ
ବସ୍ରାରାଜ୍ୟର ଶାସକ ଅଲ୍ ହଜାଜ୍ ଇବ୍ନ ୟୁସୁଫ୍‌ଙ୍କୁ ଆଦେଶ ଦେଲେ । ଅଲ୍ ହଜାଜ୍ 
 ନିଜର ଜଣେ ସେନାଧ୍ୟକ୍ଷ ମହମ୍ମଦ ବିନ କାସିମଙ୍କୁ ସିନ୍ଧୁଦେଶକୁ ପଠାଇଲେ । ସିନ୍ଧୁ ଦେଶ ଉପରେ ସୁଯୋଗ ଉଣ୍ଡି କାସିମ୍ ଅତର୍କିତ ଆକ୍ରମଣ କଲେ ଫଳତଃ ରାଜା ଦାହିର୍ ଓ ତାଙ୍କ ପୁତ୍ର ମୃତ୍ୟୁମୁଖରେ ପଡ଼ିଲେ ଏଵଂ ରାଜ ଉଆସରେ ଥିଵା ଅନେକ ହିନ୍ଦୁ ମହିଳାମାନେ ଯୌହର୍ ଵ୍ରତ ଘେନି ଆତ୍ମ ଵିସର୍ଜନ କଲେ । କିନ୍ତୁ ଦାହିର୍‌ଙ୍କର ଦୁଇଜଣ କନ୍ୟା ସୂର୍ଯ୍ୟାଦେଵୀ ଓ ପରିମଳଦେଵୀଙ୍କୁ ଆତ୍ମଵିସର୍ଜନ ପୂର୍ଵରୁ ମୁସ୍ସଳମାନ ଲୁଣ୍ଠନକାରୀମାନେ ଧରି ନେଲେ । ଆକ୍ରମଣକାରୀ କାସିମ୍ ସେ ଦୁଇଜଣ ହିନ୍ଦୁ ରାଜକନ୍ୟା ଓ ସିନ୍ଧୁଦେଶରୁ ଲୁଣ୍ଠନ କରାଯାଇଥିଵା ଧନରତ୍ନକୁ ଆରବର ଖଲିଫାଙ୍କ ପାଖକୁ ପଠାଇ ଦେଲେ । 
ଵୃଦ୍ଧ ଵୟସରେ ଦୁଇଜଣ ସୁନ୍ଦରୀ ରାଜକନ୍ୟା ପାଇ ଖଲିଫା ବହୁତ ଉଷତ୍ ହେଲା । ସେମିତି ବି ଅଣମୁସ୍ସଳମାନଙ୍କ ଝିଅ ଵୋହୂଙ୍କୁ ଦେଖିଲେ ଏ ପାପିଷ୍ଠମାନଙ୍କର ବହେ ଲାଳ ଗଡ଼େ । 

ଖଲିଫା ସେ ଦୁଇଜଣ ହିନ୍ଦୁ ରାଜକନ୍ୟାଙ୍କୁ ବାହା ହେଵାକୁ ମନ ବଳାଇଲେ କିନ୍ତୁ ରାଜକନ୍ୟାମାନେ ଖଲିଫାଙ୍କୁ କହିଲେ “ଏହା ତ ବଡ଼ ପାପକର୍ମ କାରଣ ଆମକୁ ତ କାସିମ୍ ଆଗରୁ ବାହା ହୋଇସାରିଛନ୍ତି । କାସିମ୍ ଥିଵା ଯାଏଁ ଆମେ ପର ପୁରୁଷକୁ ଵିଵାହ କରିଵା ଠିକ୍ ହେଵ କି ? ତୁମ ଦେଶରେ କ'ଣ ଏଇ ରୀତି ଚଳୁଅଛି ? ଆମ ଭାରତଵର୍ଷରେ ତ ଏଭଳି ରୀତି ଥିଵା ଶୁଣାଯାଏ ନାହିଁ”

ଖଲିଫା ଏଥିରେ କ୍ଷୁବ୍ଧ ହୋଇ ସୈନ୍ୟମାନଙ୍କୁ ଆଦେଶ ଦେଲେ କାସିମ୍‌କୁ ମାରି ତା ଶଵକୁ ମୋ ପାଖକୁ ନେଇ ଆସ । ଆଦେଶ ଅନୁସାରେ କାସିମଙ୍କର ଶଵ ଅଣାଯାଇ ଖଲିଫାଙ୍କ ସମ୍ମୁଖରେ ରଖାଗଲା । 

କାମ କ୍ରୋଧାନ୍ଧ ଖଲିଫା ଅଟ୍ଟହାସ୍ୟ କରି ଉଠିଲେ କିନ୍ତୁ ହଠାତ୍ ଦୁଇ ହିନ୍ଦୁ ରାଜକନ୍ୟା ମଧ୍ୟ ହସିଲେ ଆଉ ଖଲିଫାଙ୍କୁ କହିଲେ “କାସିମ୍ ଆମକୁ ବାହା ହେଵା ତ ଦୂରର କଥା ଆମ ଅଙ୍ଗ ସ୍ପର୍ଶ ବି କରିନଥିଲା । ସିନ୍ଧୁ ଦେଶର ସହସ୍ରାଧିକ ସୈନ୍ୟ ଯୋଉ ଭାତୃପିତୃହନ୍ତାଠାରୁ ପ୍ରତିଶୋଧ ନେଇପାରିନଥିଲେ ଆମେ ନେଇପାରିଛୁ !”

ଦୁଃଖ,ପଶ୍ଚାତାପ,ଦ୍ଵେଷ,କ୍ରୋଧ,ହିଂସା ଆଦି ଭାବ ଖଲିଫାଙ୍କ ମନକୁ ଯୁଗପତ୍ ଅଧିକାର କରିନେଲା । ସେ ଆଦେଶ ଦେଲେ ଏ ଦୁଷ୍ଟା ହିନ୍ଦୁ କନ୍ୟାଦ୍ଵୟଙ୍କୁ ଜୀଵିତ ଅଵସ୍ଥାରେ କାନ୍ଥରେ କବର ଦେଇ ଦିଅ । ତାହା ହିଁ ହେଲା,ହିନ୍ଦୁ ରାଜା ଦାହିର୍‌ଙ୍କ ରାଜକନ୍ୟାଦ୍ଵୟ ତିଳେ ମାତ୍ର ଵିଚଳିତ ନହୋଇ ଆତ୍ମଵଳି ଦେଲେ ‌। ମାତ୍ର ଖଲିଫା ବି ଏହି ଘଟଣା ପରେ ଭାଙ୍ଗିପଡ଼ିଲେ ଓ ଅଳ୍ପ ଦିନରେ ମୃତ୍ୟୁମୁଖରେ ପଡ଼ିଲେ । ଦୁଇଜଣ ହିନ୍ଦୁ ରାଜକନ୍ୟା ସୂର୍ଯ୍ୟାଦେଵୀ ଓ ପରିମଳଦେଵୀ ଅସ୍ତ୍ରଶସ୍ତ୍ର ଧାରଣ ନକରି ବି ସେମାନଙ୍କ ଦେଶର ଦୁଇଜଣ ପ୍ରଧାନ ଶତ୍ରୁଙ୍କୁ 
ମାରି ଦେଵାରେ ସଫଳ ହୋଇଥିଲେ । 

ତେବେ ଆଜି ସିନ୍ଧୁଦେଶ ପାକିସ୍ତାନକୁ ଚାଲିଯାଇଛି । ଦେଶ ସ୍ବାଧୀନ ହେଲାପରେ ୧୯୫୪ରେ ଭାରତରେ ଗୋଟିଏ ପଟେ ଜାଗୃତି ଚଳଚ୍ଚିତ୍ରରେ ଗୀତ ହେଲା ”ଆଓ ବଚ୍ଚୋଁ ତୁମ୍ହେଁ ଦିଖାଏଁ ଝାଁକୀ ହିନ୍ଦୁସ୍ତାନ କୀ” ।‌
ଏହାର କେତେକ ଵର୍ଷ ପରେ ପାକିସ୍ତାନରେ ବେଦାରୀ ବୋଲି ଏକ ଚଳଚ୍ଚିତ୍ର ନିର୍ମାଣ କରାଗଲା । ତାହାର କାହାଣୀ ଓ ଗୀତ ସବୁକିଛି ଜାଗୃତି(୧୯୫୪) ଚଳଚ୍ଚିତ୍ରର ନକଲ ଥିଲା । 

ସେହି ବେଦାରୀ ଚଳଚ୍ଚିତ୍ରରେ ଗୋଟିଏ ଗୀତ ଥିଲା ”ଆଓ ବଚ୍ଚୋଁ ସୈର କରାଏଁ ତୁମ୍‌କୋ ପାକିସ୍ତାନକୀ”

ସେହି ଗୀତରେ ହିନ୍ଦୁ ରାଜା ଦାହିର୍‌ଙ୍କୁ ଜାଲିମ୍ ଓ ଆକ୍ରମଣକାରୀ କାସିମ୍‌ଙ୍କୁ ମହାନ। ଘୋଷଣା କରିଵାକୁ ଯାଇ କିଛି ପଦ ରହିଛି...

“ଦେଖୋ ୟେ ହେ ସିନ୍ଧ୍ ୟହାଁ ଜାଲିମ୍ ଦାହିର୍ କା ଟୋଲା ଥା,
ୟହିଁ ମହମ୍ମଦ ବିନ୍ କାସିମ୍‌ନେ ଅଲ୍ଲା ହୁ ଅକବର୍ ବୋଲା ଥା,
ଟୁଟି ହୁଇ ତଲୱାରୋଁ ମେଁ କ୍ୟା ବିଜ୍‌ଲି କ୍ୟା ସୋଲା ଥା,
ଗିନ୍‌ତି କେ କୁଛ୍ ଗାଜୀ ଥେ ଲାଖୋଁ କା ଲକ୍ସର୍ ଟୋଲା ଥା !”

ଏଇ ଗୀତ ହିଁ ଜଣାଇ ଦିଏ ଯେ ଭାରତଵର୍ଷ ସ୍ଵାଧିନ ହେଵା ପରେ ପରେ ଏହାଠାରୁ ଅଲଗା ହୋଇଥିଵା ପାକିସ୍ତାନରେ କିଭଳି ମିଛ ଇତିହାସ ପଢ଼ାଗଲା । ଫଳତଃ ପାକିସ୍ତାନର ଲୋକେ ଭ୍ରମରେ ଏଯାଵତ୍ ବଞ୍ଚିରହିଛନ୍ତି ଏଵଂ ମିଛ ଇତିହାସ ପଡଢ଼ିଵା ଯୋଗୁଁ ସେମାନଙ୍କର ଦିନୁଁ ଦିନ ଦୁର୍ଗତି ହୋଇ ଚାଲିଛି ‌। ଓଡ଼ିଶାର ପଶ୍ଚିମ ସୀମାନ୍ତରେ ମଧ୍ୟ କିଛି ଲୋକ ପୂର୍ଵ ଓଡ଼ିଶାର ଲୋକଙ୍କ ପ୍ରତି ଏହିପରି ଘୃଣା ଵୃଦ୍ଧି ପାଇଁ ଅର୍ଦ୍ଧସତ୍ୟ ଓ ମିଛ ଇତିହାସ ପ୍ରଚାର କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ସେମାନେ ଘୃଣା ଦ୍ଵେଷକୁ ବଳ କରି ଗଢ଼ିଉଠିଥିଵା ପାକିସ୍ତାନର ଵର୍ତ୍ତମାନ ଅଵସ୍ଥା ଦେଖି କିଛି ଶିଖନ୍ତୁ । 

(ଅଵଶ୍ୟ କେତେକ ଆରବୀୟ ମୁସ୍ସଳମାନ ଐତିହାସିକ କାସିମ୍ ଓ ଖଲିଫାଙ୍କ ମୃତ୍ୟୁକୁ କେଵଳ ଏକ ସଂଯୋଗ ଆଉ ଦୁଇ ହିନ୍ଦୁରାଜକନ୍ୟାଙ୍କ ସମ୍ବନ୍ଧୀୟ ଗାଥାକୁ କିମ୍ବଦନ୍ତୀ ମନେକରନ୍ତି। ତେବେ ଏହି ଗାଥା ୧୯୭୭ ମଇ ମାସ ଓଡ଼ିଆ ଜହ୍ନମାମୁଁ ପୁସ୍ତକରେ ପ୍ରକାଶିତ ହୋଇଥିଲା । ଆଜି ସିନ୍ଧୁଦେଶ ଆମ ଭାରତଵର୍ଷରେ ନାହିଁ ତେଣୁ ସିନ୍ଧୁଦେଶର ରାଜା ଦାହିର୍, ତାଙ୍କ ପୁତ୍ର ଜୟ ଶାହ ତଥା ଦୁଇ କନ୍ୟା ସୂର୍ଯ୍ୟାଦେଵୀ ଓ ପରିମଳ ଦେଵୀଙ୍କ ଗାଥା ଏବେ ଅନେକ ଭାରତୀୟ ହିନ୍ଦୁଙ୍କୁ ଜଣାନାହିଁ ଆଉ ସେମାନଙ୍କ ମାତୃଭୂମି ସିନ୍ଧୁଦେଶରେ ମିଛ ଇତିହାସ ସୃଷ୍ଟି କରି ସେମାନଙ୍କୁ ବଦନାମ୍ କରାଯାଉଛି । ଏହା ହିଁ ହୁଏ ଯେତେବେଳେ କୌଣସି ହିନ୍ଦୁ ଅଞ୍ଚଳକୁ ମୁସ୍ସଳମାଁ ମାନେ ଦଖଲ କରିନିଅନ୍ତି । ସେମାନେ ମିଛ ଇତିହାସ ଓ କଥା ଲେଖି ଵା ଗଢ଼ି ହିନ୍ଦୁ ରାଜା, ଐତିହାସିକ ନାୟକ-ନାୟିକା ଓ ଦେଵାଦେଵୀଙ୍କୁ ହୀନ ପ୍ରମାଣ କରିଵାକୁ ଚେଷ୍ଟା କରନ୍ତି । )

ବରପିଲା

ଜଗନ୍ନାଥପୁର ଗ୍ରାମରେ ଈଶ୍ଵର ଜେନା ଓ ରାଧା ଜେନା ନାମରେ ଦମ୍ପତି ରହୁଥାନ୍ତି ।‌ସେମାନଙ୍କର ବହୁ ଚେଷ୍ଟା ପରେ ବି ପିଲାପିଲି ହୋଇନଥାଏ । ଦିନେ ଈଶ୍ଵର ଅଭିମାନ କରି ଠାକୁରଙ୍କୁ ଡାକି କହିଲା ”ହେ ଠାକୁରେ ! ତୁମେ ସତରେ କେତେ ନିର୍ଦ୍ଦୟ !”...
“ମୁଁ ସତ୍ ମାର୍ଗରେ ଥାଇ ସତ୍ କର୍ମ କରି ସୁଦ୍ଧା ମୋତେ ସନ୍ତାନ ପ୍ରାପ୍ତି ହେଉନାହିଁ କିନ୍ତୁ ପରପ୍ରୀଡ଼କ,ଭ୍ରଷ୍ଟାଚାରୀ ନେଡ଼େମେଡ଼ିଆ ସୁକୁଟା ପଧାନକୁ ପାଞ୍ଚ ପାଞ୍ଚଟା ଛୁଆ ଦେଇ ଦେଇଛ ! ଯଦି ଭଲ କାମ କରି ମୋତେ ସନ୍ତାନ ପ୍ରାପ୍ତି ହୋଇପାରୁନାହିଁ ତାହେଲେ ମୁଁ ବି ଅଧର୍ମୀ କାହିଁକି ନହେବି ?”

ସେଦିନ ରାତିରେ ହଠାତ୍ ଜଣେ ସନ୍ୟାସୀଙ୍କର ଆଵିର୍ଭାଵ ହେଲା । ସେ ଈଶ୍ଵର ଜେନାଙ୍କ ଆତିଥ୍ୟ ଗ୍ରହଣ କଲେ ଏଵଂ ଶୁଦ୍ଧ ଖାଦ୍ୟ ପାନୀୟ ଗ୍ରହଣ ପରେ ଉଷତ ହୋଇ ଗୋଟିଏ ଅଜଣା ଫଳ ଦେଇ କହିଲେ ଦେଖ ଏଇ ଫଳକୁ ଶୁଦ୍ଧ ସ୍ନାନ ଶୌଚାଦି କରି ଭୁଞ୍ଜିଵ ଅନ୍ୟଥା ଵିପରୀତ ଫଳ ଭୋଗ ହେଵ । 

ଈଶ୍ୱର ଜେନାର ସ୍ତ୍ରୀ ଉତ୍କଣ୍ଠିତା ଥିଲା ତେଣୁ ସନ୍ୟାସୀ ଯିଵା ପରେ ଅଧରାତିରେ ଲୁଚିକରି ଫଳକୁ ଖାଇଦେଲା । ସନ୍ୟାସୀ କହିଥିଵା କଥା ଫଳିଲା । ଵର୍ଷ ପରେ ପୁଅଟିଏ ଜନ୍ମ ହେଲା କିନ୍ତୁ ସେ ବଡ଼ ହେଵା ଭିତରେ ମାତାପିତା ଜାଣିପାରିଲେ ଯେ ତାଙ୍କ ପୁତ୍ରଟା ନିର୍ବୁଦ୍ଧିଆ ‌। ସେ ନିର୍ବୁଦ୍ଧିଆ ପୁଅର ନାଆଁ ଶଙ୍କର ଜେନା ଦେଇଥାନ୍ତି ।‌

ସେ ଶଙ୍କର ଜେନା ପାଠ ପଢି଼ଵାକୁ ଚାଟଶାଳୀକୁ ଗଲା । ଅଵଧାନ ଶହେ ଥରେ କହିଲେ ହଜାରେ ଥର ଶିଖାଇଲେ ବି ତା'ର ପାଠ କି ଶାଠ କିଛି ହେଲା ନାହିଁ । ବାଧ୍ୟ ହୋଇ ବାପା ମାଆ ଶଙ୍କରର ପାଠପଢ଼ା ସ୍ଥଗିତ ରଖିଲେ । 

ପୁଅର ବୋକାମୀ ଦେଖି ପୁଣି ଦିନେ ଈଶ୍ଵର ଜେନା ଠାକୁରଙ୍କୁ ଡାକିଲା ”ହେ ଠାକୁରେ ! ମୁଁ ତ ପୁଅଟିଏ ମାଗିଥିଲି ତୁମେ ପୁଅ ଦେଲ ଯେ ସେ ବୋକା, ଅପାଣ୍ଡୁକ। ମୁଁ ନିଃସ୍ଵାର୍ଥପର ଭାବରେ ଧର୍ମକାର୍ଯ୍ୟ କରି କି ଲାଭ ଯଦି ଏଭଳି ଅଯୋଗ୍ୟ ପୁତ୍ର ଲାଭ ହେଵାର ଥିଲା ?”

ସେଦିନ ଦ୍ଵିପହରେ ପୁଣି ସେହି ସନ୍ୟାସୀ ଆସିଲେ । ଈଶ୍ୱର ଜେନା ନିଜ ପୁଅର ବୋକାପଣ କଥା କହିଲା । ସନ୍ୟାସୀ ବୋଇଲେ ଶୁଣ, ଆମ୍ଭ କଥା ନମାନି ଅଶୌଚ ଅଵସ୍ଥାରେ ଅସମୟ କାଳରେ ଆମ୍ଭେ ଦେଇଥିଵା ଫଳ ଭୁଞ୍ଜିଥିଵାରୁ ଅନ୍ୟାଚାର ଘଟି ତୁମ୍ଭ ପୁତ୍ର ଅପାଣ୍ଡୁକ ହେଲା ‌। କିନ୍ତୁ ଚିନ୍ତା କରିଵାର କିଛି ନାହିଁ । ତା ବାହାଘର ହୋଇଗଲେ ବୁଦ୍ଧି ଫିଟିଵ ତାପରେ ସେ ସମାଜରେ ପ୍ରତିଷ୍ଠିତ ହୋଇଯିଵ । ତେବେ ଗୋଟିଏ କାର୍ଯ୍ୟ କରିଵ । ତାକୁ ସବୁବେଳେ ଵର ବେଶରେ ସଜାଇ ରଖିଵ ନହେଲେ ବାହା ଯୋଗ ଫିଟିଵ ନାହିଁ।” 

ସେଇଦିନଠାରୁ ଈଶ୍ଵର ଜେନାର ପୁଅ ଶଙ୍କର ଜେନା ଵର ବେଶରେ ବୁଲିଲା । ଦିନା କେତେ ଲୋକେ ଟାପରା କଲେ,ଶଙ୍କର ଜେନା ତୁଲେ ଵରବେଶକୁ ନେଇ ଗମାତ ହେଲେ । କିନ୍ତୁ ଶଙ୍କର ଜେନା ସେମିତି ଗୁଡ଼ାଏ ଵର୍ଷ ଵରବେଶ ଧରି ବୁଲିଲା । ଶଙ୍କର ଜେନା ବୋକା ହୋଇଥାଇପାରେ କିନ୍ତୁ ସେ ସଦାଚାରୀ, ମିଷ୍ଟଭାଷୀ,ଦୟାଳୁ,ମେଳାପୀ ହୋଇଥିଵାରୁ ଲୋକେ ତାକୁ ସ୍ନେହ ଆଦର କରୁଥିଲେ । ଧିରେ ଧିରେ ଆଖପାଖ ଅଞ୍ଚଳରେ ସେ ଵରପିଲା ନାଆଁରେ ଖ୍ୟାତ ହୋଇଗଲା । ଖ୍ୟାତ ସିନା ହେଲା କିନ୍ତୁ ସେ ବୋକାଟାଏ ବୋଲି ତାକୁ କେହି ଝିଅ ଦେଲେ ନାହିଁ ।

ଦିନେ ଶଙ୍କର ଜେନା ତା ବାପା ମାଆଙ୍କ ସହିତ ମାମୁଘର ଯାଉଥାଇ । ଆଜିକାଲି ଭଳି ସେ ଯୁଗରେ ଏତେ ଯନ୍ତ୍ରଯାନ ନଥିଲା । ଲୋକେ ଘୋଡ଼ାଗାଡ଼ି କି ଶଗଡ଼ରେ ଆତଯାତ କରୁଥିଲେ ତେଣୁ ଶହ ଶହ 
କୋଶ ଦୂର ସ୍ଥାନକୁ ଯିଵା ପାଇଁ ଦିନେ ଦୁଇଦିନ ଲାଗିଯାଉଥିଲା । ବାଟରେ ଯାଉ ଯାଉ ରାତି ହୋଇଯିଵାରୁ ସେମାନେ ଏକ ଗାଆଁରେ ରହିଲେ । ସେଠାରେ ବାହାଘର ହେଵାକୁ ଯାଉଥିଲା କିନ୍ତୁ ଵରପକ୍ଷ ଓ କନ୍ୟାପକ୍ଷର ଲୋକଙ୍କ ମଧ୍ୟରେ କୌଣସି କାରଣରୁ ଗୋଳ ହେଉଥିଲା । 

ଈଶ୍ଵର ଜେନା,ରାଧା ଜେନା ଓ ତାଙ୍କ ପୁଅ ଶଙ୍କର ଜେନା ସେଠାରେ କ'ଣ ହେଉଛି ବୋଲି ଦେଖିଵାକୁ ଗଲେ । ଭୀଷଣ ପାଟିତୁଣ୍ଡ ଭିତରେ ଶଙ୍କରା ଜେନା ବାହା ଵେଦୀ ଚାରିପଟେ ବୁଲି ଦେଖୁଥାଏ । ସେ ତ ଵର ଵେଶରେ ଥାଏ ତେଣୁ ତାକୁ ଵର ଵେଶରେ ଦେଖି ପୁରୋହିତ ଭାବିଲେ ଵରପକ୍ଷ ଓ କନ୍ୟାପକ୍ଷ ମଧ୍ୟରେ ଵିଵାଦ ତୁଟିଗଲାଣି ବୋଲି ଵରପିଲାଟି ବାହା ଵେଦୀ ପାଖକୁ ଆସିଛି । ପୁରୋହିତ ଶଙ୍କର ଜେନାକୁ ପଚାରିଲେ ତୁମ ନାଆଁ କ'ଣ ? ଶଙ୍କର ଜେନାକୁ ତ ତା ଗାଆଁ ଲୋକେ ବରପିଲା ଡାକୁଥିଲେ ତେଣୁ ସେ ସେହି ଡାକ ନାଆଁଟି କହିଦେଲା । ଲଗ୍ନ ଗଡ଼ି ଯାଉଥାଏ ତେଣୁ ପୁରୋହିତ ଵରବେଶଧାରୀ ଶଙ୍କର ଜେନାକୁ କହିଲେ ଆଉ ଵିଳମ୍ବ କାହିଁକି ? ଆସ ବସିପଡ଼ ! 

ବରପିଲା ଶଙ୍କର ଜେନାର ବରବେଶ ଦେଖି ପୁରୋହିତର ଵା କାହିଁକି ସନ୍ଦେହ ହୁଅନ୍ତା । ତେଣେ ଝଗଡ଼ା ଚାଲିଥାଏ ଏଣେ ବରପିଲାର ବାହାଘର ହେଉଥାଏ । ବାହାଘର ପାଇଁ ଆସିଥିଵା ପରପକ୍ଷ ଉତ୍ୟକ୍ତ ହୋଇ ସେ ସ୍ଥାନ ଛାଡି଼ ଚାଲିଯିଵା ପରେ କନ୍ୟାପିତା ଆସି ଦେଖିଲେ ଝିଅର ବାହାଘର ହୋଇ ସାରିଛି । ଈଶ୍ଵର ଓ ରାଧା ବି ପୁଅକୁ ଚାରିଆଡ଼େ ଉଣ୍ଡି ସେଠାରେ ଆସି ପହଞ୍ଚିଲେ । ଏ ଘଟଣାକୁ ସମସ୍ତେ ଦୈଵ ଵିଧାନ ମାନିନେଲେ । ଅଵଶ୍ୟ ଵିଵାହ ପରେ ପରେ ବରପିଲା ଶଙ୍କର ଜେନାର ବୁଦ୍ଧି ଫିଟିଲା ଏଵଂ ସେ ସମାଜର ଜଣେ ଗଣ୍ୟମାନ୍ୟ ଵ୍ୟକ୍ତି ହେଲା ।

(ଵି:ଦ୍ର —ଜହ୍ନମାମୁଁ ୧୯୭୭ ଇଂରାଜୀ ଵର୍ଷ ମେ ମାସ ଓଡ଼ିଆ ସଂଖ୍ୟାରେ ପ୍ରକାଶିତ ‘ବର’ ଗଳ୍ପକୁ ସାମାନ୍ୟ ପରିଵର୍ତ୍ତନ କରି ଏହି ଗଳ୍ପଟି ଲେଖିତ ହୋଇଛି ।)

Monday, April 10, 2023

ପାଞ୍ଚ ଗପୁଡ଼ି

୧୭୪୦ରୁ ୧୭୫୦ ସମୟର କଥା । ସେତେବେଳେ ଓଡ଼ିଶାର ଗାଆଁଗଣ୍ଡା ନଗର ଵନ କୋଉଠି ବି ଲୋକେ ସୁରକ୍ଷିତ ନଥିଲେ । ଓଡ଼ିଶାର ଧନ,ରତ୍ନ ଵିଦେଶୀ ଲୁଣ୍ଠନକାରୀମାନେ ଲୁଟିଚାଲିଥିଲେ , ସହସ୍ରାଧିକ ଲୋକ ମୃତ୍ୟୁବରଣ କରୁଥିଲେ ଏଵଂ ଅନେକ ନାରୀ ନିର୍ଯ୍ୟାତନାର ଶିକାର ହେଉଥିଲେ । ସେ ଯୁଗରେ ଓଡ଼ିଶାରୁ ଅନେକ ଲୋକ ଅନ୍ୟତ୍ର ଚାଲିଯିଵା ଶ୍ରେୟସ୍କର ମଣୁଥିଲେ । 

‌ଓଡ଼ିଶାରୁ ଏହିପରି ପାଞ୍ଚଜଣ ଲୋକ ଅନ୍ୟ ଅଞ୍ଚଳକୁ ଜଙ୍ଗଲ ବାଟ ଦେଇ ଚାଲିଯାଉଥାନ୍ତି । ସେଇ ପାଞ୍ଚଜଣଙ୍କ ମଧ୍ୟରୁ ଜଣେ ଲୋକ ଜନ୍ମରୁ ଅନ୍ଧ ଥିଲା,ଜଣେ କାଲା ଥିଲା,ଦୁଇଟିଯାକ ପାଦ ହରାଇଥିଵା ଜଣେ ଲେଙ୍ଗେଡ଼ା ଥିଲା ଏଵଂ ଆଉ ଜଣେ ହସ୍ତହୀନ ନୁଲା ଵା କେମ୍ପା ଥିଲା । ଏଇ ଚାରିଜଣଙ୍କ ଵ୍ୟତୀତ ସେମାନଙ୍କ ସହିତ ଜଣେ କଙ୍କାଳସାର ଦରିଦ୍ର ଜନ ବି ଯାତ୍ରା କରୁଥିଲା । 


ସେମାନେ ବାଟରେ ଯାଉ ଯାଉ 
ହଠାତ୍ କାଲାଲୋକଟି ଶୁଣିଵାର ଅଭିନୟ କରି କହିଲା “ଦୂରରୁ ଘୋଡ଼ାମାନଙ୍କର ଟାପୁର ଶବ୍ଦ ଶୁଣାଯାଉଛି,ହୁଏତ ପଛରୁ ଵର୍ଗୀମାନେ ଗଡ଼ ଲୁଟିଵାକୁ ଆସୁଛନ୍ତି । ଭାଇମାନେ ଏ ଵର୍ଗୀ ବହୁତ ହିଂସ୍ର ,ଆମକୁ ହାଣିଦେବେ ଚାଲ ଵରଂ ସେ ଗଛ ମୂଳରେ ଲୁଚିଵା ।”

ଏହା ଶୁଣି ଆକାଶ ଆଡ଼କୁ ଅନାଇ ଅନ୍ଧ ବି କହିଲା "ଦେଖ ଭାଇମାନେ ଭଲରେ ଦେଖ 
କେତେ ଧୂଳି ଉଡ଼ୁଛି,ହାଁ ନିଶ୍ଚେଁ ଵର୍ଗୀମାନେ ପେଲି ମୁସାଣ୍ଡି ଆମ ଆଡ଼କୁ ମାଡି଼ ଆସୁଛନ୍ତି ।”

ଏହା ଶୁଣି ଅନ୍ଧ କାନ୍ଧରେ ବସିଥିଵା ଲେଙ୍ଗେଡ଼ା ଆଉ ଚୁପ୍ ହୋଇ ରହିପାରିଲା ନାହିଁ ଯୋର୍‌ରେ ଚିତ୍କାର କରି କହିଲା “ଚାଲ ଭାଇମାନେ ଏ ବାଟ ଛାଡ଼ି ଅନ୍ୟ ଆଡ଼େ ଦୌଡି଼ ପଳାଇଵା ନୋହିଲେ ଵର୍ଗୀ ହାତରେ ପଡ଼ି ମରିଵା ସାର ହେଵ” 

'ଆବେ, ଭୀରୁ ଭଳି ହଗିମୁତି ପଳାୟନ କରିଵାକୁ କହୁଛ ? ଆସନ୍ତୁ ସେ ଵର୍ଗୀମାନେ,ତାଙ୍କୁ ଏମିତି କର୍ଣ୍ଣମୂଳିଆ ଦେଵା ଯେ ତାଙ୍କ ଜ୍ଞାନ ହରି ତାତିଯିଵ” କେମ୍ପା ଉତ୍ତେଜିତ ହୋଇ କହିଲା ।

କାଲା,ଅନ୍ଧ, ଲେଙ୍ଗେଡ଼ା ଆଉ କେମ୍ପାଙ୍କ କଥା ଶୁଣି ଢକଢକିଆ ଦରିଦ୍ର ଜନଟି ଆଉ ରହିନପାରି ବୋଇଲା "ହଁ ହଁ ଆହୁରି ବଡ଼ ପାଟି କରି ଗପୁନା ଗପ , ଵର୍ଗୀମାନେ ଆସି ମୋଠୁଁ ସବୁ ଧନ ସମ୍ପତ୍ତି ଲୁଟିନନେଲା ଯାଏଁ ତେମେମାନେ ସେମିତି ଗପୁଥିଵ ନା କିସ ଵା 😏

(ହିନ୍ଦୀ ଜହ୍ନମାମୁଁ ପତ୍ରିକାର ୧୯୭୪ ଵର୍ଷ ଜୁଲାଇ ସଂଖ୍ୟାରେ ପ୍ରକାଶିତ ଗଳ୍ପର ବର୍ଦ୍ଧିତ ଓଡ଼ିଆ ଭାଵାନୁଵାଦ)

Wednesday, March 1, 2023

ମୂର୍ଖ କିଏ

ବହୁତ ଦିନ ତଳର କଥା । ଗୋଟେ ଗାଁରେ ଦି ଜଣ ସାହୁ ମଇତ୍ର ଥିଲେ। ଥରେ ଦିହେଁ ନିଜ ସେଵକମାନଙ୍କ ଵିଷୟରେ କଥା ଲାଗିଥାନ୍ତି ଆରି ଉଭୟେ ପରସ୍ପରର ଭୃତ୍ୟମାନଙ୍କୁ ମୂର୍ଖ ବୋଲୁଥାଆନ୍ତି । ତହୁଁ ଦୁହେଁ ଵିଚାର କଲେ ଯେ କାହାର ସେଵକ ମହାମୂର୍ଖ,ଏହାର ପରୀକ୍ଷା କରିନେଲେ ବନେ ହୁଅନ୍ତା । ତାପରଦିନ ସେ ଦିଜଣ ସାହୁକାର ନିଜ ନିଜର ସେଵକଙ୍କୁ ଡାକିଲେ ।

ଜଣେ ସାହୁକାର ତା’ ବୁତିକୁ କିଛି ଟଙ୍କା ଦେଇ କହିଲା, "ଆରେ, ତୁଇ ପାଖ ହାଟକୁ ଯାଇ ହୀରା ହାରଟେ ଘିନି ଆଇବୁ ଯା ତ ! ” ଏହା ଶୁଣି ବୁତି ଜଣକ ଚାଲିଗଲା ବେଳେ କହିଗଲା, "ଆଜ୍ଞା, ମୁଇଁ ଏଭେ ଯାଇ ଘିନି ଆଣୁଛି । "

ଆର ସାହୁକାର ଜଣକ ତା ଭୃତ୍ୟକୁ ଡାକ ଦେଲେ, "ବେ ଛୁଆ ! ଆରେ ସେଠି ସେ ଆଗଡ଼ ପାଖରେ କିସ କରୁଚୁ କିନା ? କିରେ ଟିକେ ତୋଟାକୁ ଯାଇ ଦେଖ୍ ତ ସେଠି ମୁଁ ଅଛି ନା ନାଇଁ !”

ଅନୁଚରମାନେ ଯେ ଯେଝା କାମରେ ଚାଲିଯିଵା ପରେ ଦୁଇ ସାହୁକାର ତାଙ୍କ ଭୃତ୍ୟମାନଙ୍କର ମୂର୍ଖତା ଦେଖି ବହେ ହସିଲେ । 


ହୀରା ହାର ପାଇଁ ପଠେଇଥିଵା ସାହୁକାରର ବୁତି ଜଣକ ହାର ଆଣିଵାକୁ ଚକକୁ ଗଲା ଓ ଆର୍ ଗୁଡ଼େ କିନ୍ଦ୍ରିଲା । ବୁଲି ବୁଲି ତା ପାଦ ଘୁଲେଇଲା ହେଲେ କେଣେ ବି ଗହଣା କାଣ୍ଡି ଖୋଲା ହୋଇଥିଵା ଦେଖିଵାକୁ ପାଇଲା ନାହିଁ । ଆର ଭୃତ୍ୟଟି ତୋଟାକୁ ଯାଇ ତା ସାହୁକୁ ବହୁତ ଉଣ୍ଡାଉଣ୍ଡି କରି ନପାଇଵାରୁ ପେଟେ ଫଳ ଖାଇ ଫେରିଲା । ବାଟରେ ଉଭୟ ସେଵକ ଭେଟାଭେଟି ହେଲେ ।

"ଆମ ଗୋସିଆଁ ବଡ଼ ମୂର୍ଖ ନୋହିଲେ ଏ ଅଵାରଟାରେ ମୋତେ ହୀରାର ମାଳ କିଣିଵାକୁ ପଠେଇ ନଥାନ୍ତେ ? ଆଜି
ରଇଵାର'ନେ ହାଟ ଵିପଣି ସବୁ ବନ୍ଦ ଆଏ,ସେ ଇଟା ନାଇଁ ଜାନସନ୍ କାଏଁ ? "ଜଣେ ସେଵକ କହିଲା"

"ଆମ ସାଆନ୍ତେ କିସ ଊଣା ମୂର୍ଖ କି ?" ସେ ତୋଟାରେ ଅଛନ୍ତି କି ନାହିଁ,ତୋଟାଳକୁ ଡାକି ପଚାରି ଦେଇଥିଲେ ଜାଣିପାରିନଥାନ୍ତେ କିନା ମୋତେ ତୁଛାଟାକୁ ପଠେଇଛନ୍ତି।” 
ଆର ସେଵକ ଜଣକ କହିଲା ।

•••••••••••••••••••••••••••
ଶବ୍ଦାର୍ଥ:-
•କଥା ଲାଗିଵା— କଥାଵାର୍ତ୍ତା ହେଵା
•ଆରି— ଆଉ, ଏଵଂ,ଆର୍
•ବନେ— ଭଲ,ଉତ୍ତମ
•ଘିନିଵା—କିଣିଵା
•ଘିନିଆଣିଵା—କୌଣସି ସ୍ଥାନକୁ ଯାଇ କୌଣସି ଵସ୍ତୁକୁ ଆଣିଵା
•ଚକ — ବଜାର,ହାଟ
•କିନ୍ଦ୍ରିଵା— ବୁଲିଵା(ସଂ କେନ୍ଦ୍ର)
•କାଣ୍ଡି— ଦୋକାନ(ସଂ କାଣ୍ଡ)
•ଘୁଲେଇଵା— ପାଦ ବିନ୍ଧା ହେଵା(ଘୋଳେଇଵା)
•ଆଗଡ଼— ଫାଟକ
•କିନା— ଟି,କି
•ରଇଵାର— ରଵିଵାର
•ନେ—ରେ
•ଵିପଣି— ଦୋକାନ
•ଇଟା— ଏଇଟା,ଏହା
•କାଏଁ— କି
•ଗୋସିଆଁ— ମାଲିକ(ଗୋସାଇଁ)
•ବୁତି — ଚାକର(ସଂ-ଭୃତି)
•ସାଆନ୍ତ— ମାଲିକ
•ତୋଟାଳ— ତୋଟା,ବଗିଚା ଜଗୁଆଳି 
•ସାହୁ— ମହାଜନ ଵା ଧନୀକ,ମାଲିକ
•ତୁଛା— ତୁଚ୍ଛା,ବେକାର
••••••••••••••••••••••••••
{ଵି:ଦ୍ର— ଚାହିଁଥିଲେ ଚାକର,ମାଲିକ, ଦୋକାନ , ବଗିଚା ଭଳି ଵୈଦେଶିକ ଶବ୍ଦ ପ୍ରୟୋଗ କରି ଏହି ଗଳ୍ପକୁ ଲେଖିପାରିଥାନ୍ତି କିନ୍ତୁ ଇଚ୍ଛା ହେଲା ସବୁ ଅଞ୍ଚଳର ହଜି ଯାଉଥିଵା ଶବ୍ଦ ସମୂହର ଵ୍ୟଵହାର ଦ୍ଵାରା କିଛି ନୂଆ ପ୍ରୟୋଗ କରି ଦେଖିଵା କେମିତି ହେଉଛି ! ଗଳ୍ପଟି (ହିନ୍ଦୀ) ଜହ୍ନମାମୁଁର ୧୯୭୪ ଵର୍ଷ ଜୁଲାଇ ମାସରେ ପ୍ରକାଶିତ ହୋଇଥିଲା ଏଵଂ ସେ ଗଳ୍ପର କାହାଣୀରେ କେତେକ ପରିଵର୍ତ୍ତନ କରାଯାଇଛି ।}
•••••••••••••••••••••••••••

Wednesday, September 7, 2022

ଆତ୍ମଜ୍ଞାନ (ଜହ୍ନମାମୁଁ)

ଚାଷୀଟିଏ ନିଜର କ୍ଷେତବାଡ଼ି କାମ କରୁଥାଏ । ପାଖ ରାସ୍ତାରେ ଜଣେ ସାଧୁ ଯାଉଥାନ୍ତି । ବହୁତ ଖରା ହେଵାରୁ ଦୁହେଁ ଏକ ଗଛ ମୂଳକୁ ବିଶ୍ରାମ ନେଵାକୁ ଚାଲିଆସିଲେ । 

ସାଧୁ ଚାଷୀକୁ ପଚାରିଲେ,
“ଏ କ୍ଷେତ ତୁମର ତ ? ବେଶ୍‌ ସୁନ୍ଦର ଫସଲ ହୋଇଛି ! ତେବେ ଠିକ୍ ସମୟରେ ଵର୍ଷା ହେଵ ତ ଭଲ ।” 


ସାଧୁଙ୍କୁ ପ୍ରଣାମ କରି ଚାଷୀ କହିଲା , “ସାଧୁବାବା ,ଫସଲ ଆମଦାନୀ ହୋଇ ଘରକୁ ଆସିଲେ ଯାଇ ଜଣାଯିଵ ଏ ଵର୍ଷ ଫସଲ ଭଲ ହୋଇଛି କି ନାହିଁ । ଵର୍ଷା କେତେବେଳେ ଆସିଵ ଵା ନ ଆସିଵ ସେକଥା କିଏ କହିଵ ? ଆଚ୍ଛା , ଆପଣ ଇଆଡ଼େ କୁଆଡ଼େ ଯାଉଛନ୍ତି ?”

 ଅଦୂରରେ ଥିଵା ପାହାଡ଼ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରି ବାବା କହିଲେ , “ସେଠାରେ ଜଣେ ମହାନ ଜ୍ଞାନୀ ଓ ସିଦ୍ଧପୁରୁଷ ଅଛନ୍ତି । ଜ୍ଞାନଉପଦେଶ ପାଇଁ ମୁଁ ସେଠାକୁ ଯାଉଛି ।” ପୁଣି ମୁଁହ ଉଦାସ କରି ସେ କହିଲେ , ଏହା ପୂର୍ଵରୁ ତିନିଜଣ ଗୁରୁଙ୍କର ମୁଁ ସେଵା କରିଛି କିନ୍ତୁ ଜଣେ ହେଲେ କେହି ମୋତେ ଆତ୍ମଜ୍ଞାନ ଶିକ୍ଷା ଦେଲେ ନାହିଁ । ଦେଖେ ଏଥର କ’ଣ ହେଉଛି !”

ଏକଥା ଶୁଣି ଚାଷୀଟି ହସିକରି କହିଲା, ଚାଳିଶ ଵର୍ଷ ଧରି ମୁଁ ନିଜେ ଫସଲ ଦେଖୁଛି ଓ ପଚାଶ ଵର୍ଷ ଧରି ଵର୍ଷାକୁ ଦେଖୁଛି ; ତଥାପି ମଧ୍ୟ କାଲ କ'ଣ ହେଵ, ଏତେଦିନର ଅଭିଜ୍ଞତା ଥାଇ ମଧ୍ୟ ସବୁ ଵ୍ୟର୍ଥ । ଆଉ ଆପଣ ଅନ୍ୟଜଣକର ଅଭିଜ୍ଞତାରୁ ଆତ୍ମଜ୍ଞାନ ପାଇଵାକୁ ଚେଷ୍ଟା କରୁଛନ୍ତି ? କିଏ କହିଵ ଆପଣଙ୍କ ଇଚ୍ଛା ପୂର୍ଣ୍ଣ ହେଵ କି ନାହିଁ ।” ଚାଷୀର ଏ କଥାରେ ସାଧୁଙ୍କର ଜ୍ଞାନୋଦୟ ହେଲା । “ଆତ୍ମଜ୍ଞାନ ପାଇଁ ନିଜେ ପ୍ରଚେଷ୍ଟା କରିଵା ଉଚିତ୍ ।” ଏହି ଶିକ୍ଷାଲାଭ କରି ସାଧୁ ସେହିଠାରୁ ହିଁ ଫେରିଗଲେ । 

(ଓଡ଼ିଆ ଜହ୍ନମାମୁଁ ପତ୍ରିକାର ୧୯୯୦ ଵର୍ଷ ଅଗଷ୍ଟ ମାସରେ ପ୍ରକାଶିତ ଗଳ୍ପ)

Monday, September 5, 2022

ତିନିଜଣ ଯାତ୍ରୀଙ୍କ କଥା


ତିନିଜଣ ଯାତ୍ରୀ କଳିଙ୍ଗଦେଶକୁ ଯାଉଥାନ୍ତି । ଜଣେ ବଙ୍ଗ ଦେଶର ଆନ ଜଣେ ପୁଣ୍ଟ୍ର ଦେଶର(ଆଧୁନିକ ବଙ୍ଗଳାଦେଶର ଉତ୍ତରାଂଶ) ଏଵଂ ତୃତୀୟ ଜଣକ କୁଣ୍ଡଳା ଦେଶଵାସୀ(ବାଲେଶ୍ଵର ଜିଲ୍ଲାର ଏକ ପ୍ରାଚୀନ ରାଜ୍ୟ) । 


ବଙ୍ଗ ଦେଶୀୟ ଵ୍ୟକ୍ତିର ନାଆଁ ମୋହନ ଏଵଂ ସେ ଧନୀଘରର ପିଲା କିନ୍ତୁ ଭୁଲ୍ ବାଟରେ ଧନ ଉଡ଼େଇଲା ପରେ କାଙ୍ଗାଳ ‌ହୋଇଯାଇଥାଏ ‌।

 ଦ୍ଵିତୀୟ ଯାତ୍ରୀ ପୁଣ୍ଡ୍ରଦେଶଵାସୀ ଏଵଂ ତାହାର ନାମ ରମେଶ,ସେ ମଧ୍ୟ ତା ସ୍ତ୍ରୀ ମଲାପରେ ମଦ୍ଯପ ତଥା ଦ୍ୟୁତକ୍ରୀଡ଼ା ଆସକ୍ତ ହୋଇଗଲାରୁ ଅର୍ଥାଭାଵ ଯୋଗୁଁ ଦରିଦ୍ର ହୋଇଯାଇଥାଏ । 
 
ତୃତୀୟ ଵ୍ୟକ୍ତିଜଣକ ଏକ ଛୋଟିଆ ରାଜ୍ୟ କୁଣ୍ଡଳା ଦେଶର ଅଧିଵାସୀ ଏଵଂ ତାଙ୍କର ନାମ ଗଣେଶ ତଥା ସେ ବଡ଼ ଈଶ୍ଵରଵିଶ୍ଵାସୀ ଓ କର୍ମଵାଦୀ ମଣିଷ । 

ବଙ୍ଗ ଓ ପୁଣ୍ଡ୍ର ଦେଶର ଅଧିଵାସୀଦ୍ଵୟ ପଡ଼ୋଶୀ ରାଜ୍ୟ କଳିଙ୍ଗ ଦେଶର ରାଜା ମହେନ୍ଦ୍ରଵର୍ମାଙ୍କୁ ଦାନୀ ଜାଣି ତାଙ୍କ ପାଖକୁ ଯାଉଥାନ୍ତି । ସେମାନେ କଳିଙ୍ଗ ଦେଶର ଏକ ପାନ୍ଥଶାଳାରେ ରାତ୍ରିଯାପନ କଲେ । ସେତେବେଳକୁ କଳିଙ୍ଗ ରାଜା ମହେନ୍ଦ୍ର ଵର୍ମା ଛଦ୍ମବେଶରେ ସେହି ପାନ୍ଥନିଵାସ ମଧ୍ୟରେ ଉପସ୍ଥିତ ଥାଆନ୍ତି । 

ତିନିଜଣ ଆଗନ୍ତୁକ ପରସ୍ପର ମଧ୍ୟରେ କଥାଵାର୍ତ୍ତା କରୁଥାନ୍ତି । ବଙ୍ଗନିଵାସୀ ଜଣକ କହିଲେ ମୁଁ ଶୁଣିଛି କଳିଙ୍ଗ ରାଜା ବଡ଼ ଦାନୀ ତେଣୁ ମୁଁ ତାଙ୍କୁ କିଛି ଅର୍ଥ ସାହାଯ୍ୟ କରିଵାକୁ ଅନୁରୋଧ କରିବି । ଅର୍ଥ ଥିଲାବେଳେ ମୁଁ ବାବୁ ରଁକ ଜୀଵନ ଵିତାଉଥିଲି ଏବେ ଟଙ୍କା ଚାଲିଗଲା ପରେ ବୁଝୁଛି ଏକ ଏକ ଟଙ୍କା କେତେ ମୂଲ୍ୟଵାନ । ରାଜାଙ୍କଠାରୁ ଆର୍ଥିକ ସାହାଯ୍ୟ ପାଇଲେ ସିଂହଳ ଲବଙ୍ଗ କି ବାଲି ଦ୍ଵୀପକୁ ବୋଇତରେ ଯାଇ ବେପାର କରିବି ଆଉ ପୂର୍ଵ ପରି ଧନିକ ହୋଇଯିବି ସୁଖରେ ରହିବି । 

ତତ୍ପରେ ପୁଣ୍ଡ୍ରଦେଶରୁ ଆସିଥିଵା ଵ୍ୟକ୍ତି କହିଲା ମୋ ସ୍ତ୍ରୀ ଭୁଵନ ସୁନ୍ଦରୀ ଥିଲା । ତା ଭଳି ରୂପମତି ଗୁଣମତି ସ୍ତ୍ରୀ ସଂସାରରେ ଅତ୍ୟନ୍ତ ଦୁର୍ଲଭ । ତାକୁ ପାଇ ମୁଁ ବଡ଼ ସୁଖରେ କାଳାତିପାତ କରୁଥିଲି । କିନ୍ତୁ ଦୈଵ ଵିଧାନ ଭିନ୍ନ ଥିଲା । କି ବାଡି଼ରୋଗ ଵ୍ଯାପିଲା ଯେ ମହାସ୍ଥାନଗଡ଼ର ଲକ୍ଷ ଲକ୍ଷ ଲୋକ ପୋକମାଛି ଭଳି ମରିଗଲେ । ସେ ପୋଡ଼ାମୁହାଁ ବାଡ଼ି ରୋଗ ଯୋଗୁଁ ମୋ ସ୍ତ୍ରୀ ମୋତେ ଛାଡ଼ି ଆରପାରିକୁ ଚାଲିଗଲା । ମୁଁ କଳିଙ୍ଗ ରାଜାଙ୍କୁ ଦାନୀ ଜାଣି ତାଙ୍କ ପାଖକୁ ଯାଉଅଛି । ମୋତେ ସିଏ ଏକ ସୁନ୍ଦରୀ କନ୍ୟାଦାନ କଲେ ମୁଁ ତାକୁ ନେଇ ନୂଆ ସଂସାର ଗଢି଼ବି । 

ଦୁଇଜଣ ଆଗନ୍ତୁକଙ୍କ କଥାଶୁଣି କୁଣ୍ଡଳାଦେଶଵାସୀ ତୃତୀୟ ଵ୍ୟକ୍ତିଜଣକ କହିଲା ଭାଇମାନେ ତୁମ୍ଭ ଦୁହିଁଙ୍କୁ ଶୁଭ ସୁନ୍ଦର ସମ୍ପନ୍ନ ଉଜ୍ଵଳ ଭଵିଷ୍ୟତର ଶୁଭକାମନା ତେବେ ମୋ କଥା ସମ୍ପୂର୍ଣ୍ଣ ଭିନ୍ନ । ମୁଁ ତ କଳିଙ୍ଗ ଦେଶସ୍ଥ ନୀଳଚାଳଧାମ ଗମନ କରୁଛି । ଶୁଣିଛି କଳିଙ୍ଗ ଦେଶର ପ୍ରକୃତ ରାଜା କୁଆଡେ଼ ସେହି ଏଵଂ ତାଙ୍କ ଇଚ୍ଛା ଵିନା ସଂସାରରେ ପତ୍ରଟିଏ ବି ହଲେ ନାହିଁ । ଛନ୍ଦ୍ମବେଶରେ ରାଜା ସେ ତିନିଜଣଙ୍କ କଥା ଶୁଣୁଥାନ୍ତି ତହୁଁ ସେ ସେହି ତିନିଜଣ ଆଗନ୍ତୁକଙ୍କୁ ଧରି ରାଜନଗରକୁ ନେଇ ଆସିଵାକୁ ସ୍ଥାନୀୟ କଟୁଆଳଙ୍କୁ ଆଜ୍ଞା ଦେଇ ସେଠାରୁ ଚାଲି ଆସିଲେ । 

ସକାଳେ ସେମାନଙ୍କୁ ରାଜାଙ୍କ ଛାମୁରେ ଉପସ୍ଥିତ କରାଗଲା । 


ବଙ୍ଗଦେଶଵାସୀ ଵ୍ୟକ୍ତି ଧନ ମାଗିଲାରୁ ରାଜା ତାକୁ ଦୁଇ ଥାଳି ସ୍ଵର୍ଣ୍ଣମୁଦ୍ରା ଦେଲେ । ପୁଣ୍ଡ୍ର ଦେଶୀୟ ଦ୍ଵିତୀୟ ଵ୍ୟକ୍ତି ଜଣକ ଏକ ସୁନ୍ଦରୀ କନ୍ୟା ମାଗିଵାରୁ ରାଜା ତାକୁ କନ୍ୟାଟିଏ ପ୍ରଦାନ କଲେ ‌ । 

କିନ୍ତୁ କୁଣ୍ଡଳା ଦେଶଵାସୀ ତୃତୀୟ କିଛି ନମାଗି ଜଗନ୍ନାଥଙ୍କ ସ୍ତୁତି କରିଵାକୁ ଲାଗିଲା । ରାଜା ତାଙ୍କୁ ଏମନ୍ତ କରିଵାର କାରଣ ଜିଜ୍ଞାସା କରିଵାରୁ ସେ କହିଲା ମୋ ପ୍ରଭୁ ତ ସ୍ଵୟଂ ଶ୍ରୀଜଗନ୍ନାଥ ସେ ହିଁ ସମସ୍ତ ଚରାଚର ଜଗତର ରାଜା । ସେ ଯଦି ଚାହିଁବେ ମୋତେ ପ୍ରାଣଦଣ୍ଡ ଦେବେ କିମ୍ବା ଅର୍ଥ ଓ କନ୍ୟା ଉଭୟ ପ୍ରଦାନ କରିବେ । କଳିଙ୍ଗ ରାଜା ମହେନ୍ଦ୍ର ଵର୍ମାଙ୍କର ଅହଂ ଥିଲା ଯେ ଅଧୁନା ଜଗତରେ ତାଙ୍କଠାରୁ ବଡ଼ ଦାନୀ କେହି ନାହିଁ । 

ଏ ତୃତୀୟ ଲୋକଟି ତାଙ୍କଠାରୁ ଧନ, ଜନ କି ସମ୍ମାନ କିଛି ବି ଦାନ ନନେଵାରୁ ସେ ବହୁତ ରାଗିଲେ । ତିନିଜଣ ଆଗନ୍ତୁକ ସେ ସ୍ଥାନରୁ ଚାଲିଯିଵା ପରେ ରାଜା କଟୁଆଳଙ୍କୁ କହିଲେ ଏହି ତିନିଜଣଙ୍କ ମଧ୍ୟରେ ସ୍ଵର୍ଣ୍ଣମୁଦ୍ରା ଥଳି ଧରିଥିଵା ଲୋକ ଆଉ ସାଥିରେ ସ୍ତ୍ରୀ ଥିଵା ଲୋକକୁ ଛାଡ଼ି ଯୋଉ ଲୋକ ଖାଲି ହାତରେ ଯାଉଥିଵ ତାହାର ମୁଣ୍ଡ କାଟି ଆଣିଵ ।

 ତିନିଜଣ ଆଗନ୍ତୁକ ଦିଅଁଦର୍ଶନ କରି ଆପଣା ଗୃହକୁ ବାହୁଡି଼ ଯିଵା ଉଦ୍ଦେଶ୍ୟରେ ପୁରୀ ଆଡ଼େ ଯାଉଥାନ୍ତି । ବାଟରେ କୁଣ୍ଡଳା ଦେଶର ଵ୍ୟକ୍ତିକୁ ବଙ୍ଗଦେଶର ଵ୍ୟକ୍ତି କିଛି ସମୟ ତାହାର ଓଜନିଆ ସ୍ଵର୍ଣ୍ଣମୁଦ୍ରା ଥଳି ଧରିଵାକୁ ଅନୁରୋଧ କଲା ‌ । ଏହାର କେତେକ କ୍ଷଣ ପରେ କଟୁଆଳର ଆରକ୍ଷୀମାନେ ଆସି ବଙ୍ଗଦେଶର ଲୋକ ହାତରେ କିଛି ନଥିଵା ଦେଖି ତା ମୁଣ୍ଡ କାଟି ରାଜାଙ୍କ ପାଖକୁ ନେଇଗଲେ । ରାଜା ସେ କଟା ମୁଣ୍ଡ ଦେଖି ଆଶ୍ଚର୍ଯ୍ୟ ହେଲେ କାରଣ ତାହା କୁଣ୍ଡଳା ଦେଶର ନୁହେଁ ଵରଂ ବଙ୍ଗ ଦେଶୀୟ ଵ୍ୟକ୍ତିର ମସ୍ତକ ଥିଲା । 

ତହୁଁ ରାଜା ଆରକ୍ଷୀ ଦଳଙ୍କୁ ଆଉଥରେ ଆଦେଶ ଦେଲେ ପୂର୍ଵୋକ୍ତ ଦୁଇଜଣଙ୍କ ମଧ୍ୟରୁ ଯୋଉ ଲୋକ ସହିତ ସ୍ତ୍ରୀଟିଏ ଯାଉଥିଵ ତାକୁ ଛାଡ଼ି ଅନ୍ୟଜଣକର ମୁଣ୍ଡ କାଟି ନେଇ ଆସିଵ । ଆରକ୍ଷୀମାନେ ଘୋଡ଼ା ଝପଟାଇ ଦେଲେ । ଏଣେ ପଥ ମଧ୍ୟରେ ଆପଣା ସାଥିରେ ରାଜାଙ୍କଠାରୁ ପ୍ରାପ୍ତ କନ୍ୟାରତ୍ନ ଧରି ଯାଉଥିଵା ପୁଣ୍ଡ୍ର ଦେଶର ଅଧିଵାସୀଟି ଲଘୁଶଙ୍କା ଲାଗିଵାରୁ ଅଟକିଗଲା । ସେ ଲଘୁଶଙ୍କା କରୁଥିଵା ସମୟରେ ଏକ ହାତରେ ସ୍ବର୍ଣ୍ଣଥଳୀ ଧରି କୁଣ୍ଡଳା ଦେଶର ଅଧିଵାସୀଟି ସ୍ତ୍ରୀ ଲୋକ ସହିତ କିଛି ବାଟ ଚାଲି ଆସିଥାଏ । ଏତିକିବେଳେ ଆରକ୍ଷୀ ଦଳ ପୁଣ୍ଡ୍ରଦେଶର ଅଧିଵାସୀକୁ ଏକାକୀ ଦେଖି ତାକୁ ମାଡି଼ ବସିଲେ ଆଉ ତାହାର ମୁଣ୍ଡ କାଟି ରାଜାଙ୍କ ପାଖକୁ ନେଇ ଆସିଲେ। ରାଜା ଆହୁରି ଆଶ୍ଚର୍ଯ୍ୟ ହେଲେ । ନିଜର ଗର୍ଵ ଅହଙ୍କାର ଯୋଗୁଁ ଦୁଇଜଣ ମାନଵ ହତ ହେଵା ଦେଖି ସେ ବହୁତ ଅନୁତାପ କଲେ । ଇଆଡ଼େ "ସ୍ଵର୍ଣ୍ଣଧନ ଓ ସ୍ତ୍ରୀଧନ" ଧରି କୁଣ୍ଡଳା ଦେଶର ଅଧିଵାସୀଜଣକ ସୁରୁଖୁରୁରେ ନିଜ ଦେଶକୁ ବାହୁଡ଼ି ଗଲେ ...



(ହିନ୍ଦୀ चंदामामाର ୧୯୭୦ ଵର୍ଷ ମାର୍ଚ୍ଚ ମାସରେ ପ୍ରକାଶିତ ଗଳ୍ପ भाग्य का हाथର ଓଡ଼ିଆ ଭାଵାନ୍ତର ତଥା ସଂକ୍ଷିପ୍ତୀକରଣ ତଥା ଓଡ଼ିଶାକୁ ଦୃଷ୍ଟିରେ ରଖି ଲିଖିତ ଗଳ୍ପ । ମୂଳ ଗଳ୍ପରେ ମହେନ୍ଦ୍ର ଵର୍ମାଙ୍କ ନାମ ଵ୍ୟତୀତ ଅନ୍ୟ କୌଣସି ଦେଶ ଵା ଵ୍ୟକ୍ତି ଵିଶେଷଙ୍କ ନାମୋଲ୍ଲେଖ ନଥିଲା । ଏସବୁ ଏ ଅକିଞ୍ଚନ ଆପଣା ଅଳ୍ପଜ୍ଞାନ ଆଧାରରେ ଯୋଡି଼ଅଛି ।) 
 



Saturday, September 3, 2022

ରାଜନର୍ତ୍ତକୀ


ଅଵନ୍ତୀ ଓ କୁସୁମପୁର ଦୁଇ ରାଜ୍ୟ ମଧ୍ୟରେ ଭଲ ସମ୍ପର୍କ ଥିଲା । ଅଵନ୍ତୀର ରାଜନର୍ତ୍ତକୀ କୌମୁଦୀ , ରାଜାଙ୍କ ଆଜ୍ଞାରେ କୁସୁମପୁର ଉତ୍ସଵରେ ଯୋଗଦେଵାକୁ ଯାଇଥିଲେ । ନୃତ୍ୟ ଶେଷ କରି ଫେରିଵା ରାସ୍ତାରେ ଜଙ୍ଗଲ ମଧ୍ୟରେ ଗୋଟିଏ ଡାକୁଦଳ ତାଙ୍କୁ ବନ୍ଦୀ କରି ତାଙ୍କ ଦଳପତିଙ୍କ ନିକଟକୁ ନେଇଗଲା । ତାଙ୍କ ଶିଵିକା ଵହନ କରୁଥିଵା ଲୋକମାନେ ଓ ସଙ୍ଗରେ ଥିଵା ସୈନ୍ୟମାନେ ମଧ୍ୟ ବନ୍ଦୀ ହେଲେ ।

 କୌମୁଦୀ ଦଳପତିଙ୍କୁ କହିଲେ , “ତୁମେ ବୋଧହୁଏ ମୋତେ ଜଣେ ସାଧାରଣ ସ୍ତ୍ରୀଲୋକ ଭାବି ବନ୍ଦୀ କରିଛ । ମୁଁ ଅଵନ୍ତୀର ରାଜନର୍ତ୍ତକୀ । ମହାରାଜା ତ ନିଶ୍ଚୟ ଖବର ପାଇବେ ଏ ଵିଷୟରେ । ତା’ପରେ ଡାକୁ ହେଵାର ମଜା ପାଇଵ । ସୈନ୍ୟ ପଠାଇ ସେ ସମଗ୍ର ଜଙ୍ଗଲରୁ ଖୋଜି ତୁମକୁ ବାହାର କରିବେ ଓ ଦଣ୍ଡ ଦେବେ । ତେଣୁ ଚୁପ୍‌ଚାପ୍ ଛାଡ଼ିଦିଅ ।”

 ଡାକୁମାନେ ତାଙ୍କ କଥାକୁ ଵିଶ୍ୱାସ କଲେ ନାହିଁ । ଭାବିଲେ ଭୁଲ୍ କଥା । ଡାକୁମାନଙ୍କ ମଧ୍ୟରୁ ଜଣେ କହିଲା , “ତୁମେ ଓ ରାଜନର୍ତ୍ତକୀ ? ଏକବାର ମିଥ୍ୟା କଥା । ଆଉ କିଛି ସମୟ ପରେ ହୁଏତ କହିଵ କି ତମେ ହେଉଛ ଆମ ଦେଶର ମହାରାଣୀ ।”

 ସେ ଡାକୁର କଥା ଶୁଣି ଅନ୍ୟ ଡାକୁମାନେ ହସିପକାଇଲେ । ତହୁଁ ଡାକୁଙ୍କ ଦଳପତି କହିଲା , “ତୁମେ ନାଚ ଓ ପ୍ରମାଣ କର ଯେ ତୁମେ ହିଁ ରାଜନର୍ତ୍ତକୀ ।  

କୌମୁଦୀ କହିଲେ , “ତୁମମାନଙ୍କ ପରି ଜଙ୍ଗଲର ଡାକୁମାନଙ୍କ ସମ୍ମୁଖରେ ନାଚ ? ଜାଣିରଖ ମୁଁ କେଵଳ ରାଜଦରବାରରେ ହିଁ ନାଚେ । ମୋତେ ମାରି ପକାଅ ପଛେ କିନ୍ତୁ ମୁଁ ଏଠାରେ ଆଦୌ ନାଚିବି ନାହିଁ ।”

 କୌମୁଦିଙ୍କର ଵାକ୍ୟରେ ଦୃଢ଼ତା ଶୁଣି ଦଳପତି ଆଶ୍ଚର୍ଯ୍ୟ ହେଲା । ସେ ଭାବିଲା , “ନିଃସନ୍ଦେହ ଇଏ ରାଜନର୍ତ୍ତକୀ , ନହେଲେ ନିଜ ପ୍ରାଣକୁ ସେ ସମ୍ମାନ ପାଖରେ ଵିସର୍ଜନ ଦେଵାକୁ କିପରି ପ୍ରସ୍ତୁତ ହେଵ ?” 

ସେ ତା’ର ଦଳର ଅନ୍ୟାନ୍ୟ ଡାକୁମାନଙ୍କୁ କହିଲା , “ଏମାନଙ୍କୁ ନେଇ ଜଙ୍ଗଲ ସେପାଖରେ ପହଞ୍ଚାଇ ଦିଅ ।” ସେମାନେ ଯଥାରୀତି ଦଳପତିଙ୍କ ଆଜ୍ଞା ପାଳନ କଲେ ।

(ଜହ୍ନମାମୁଁ ଅକ୍ଟୋବର ୧୯୯୫ରେ ପ୍ରକାଶିତ ଗଳ୍ପ)

Tuesday, August 30, 2022

ପ୍ରକୃତ କାରଣ

ଜଣେ ଲୋକ ଜନୈକ ଜମିଦାରଙ୍କ ପାଖକୁ ପୂଜାରୀ କାମ ପାଇଁ ଆସିଥିଲା । ଜମିଦାରଙ୍କୁ ଲଗିଲା ଲୋକଟି ନିହାତି ଭୁଲା ମଣିଷ । ସେ ପଚାରିଲେ , “ ତମେ କହୁଛ ଯେ କେତେ ଜାଗାରେ ତମେ ପୂଜାରୀ କାମ କରିଛ । ତେବେ ସେ ସବୁ ସ୍ଥାନରୁ ଚାକିରୀ ଛାଡ଼ି ଆସିଲ କାହିଁକି ? କ’ଣ ତମେ ବେଶି ସମୟ ଅନୁପସ୍ଥିତ ରୁହ କି ? ” 

ଆଗନ୍ତୁକ ରାନ୍ଧୁଣିଆ ଲୋକଟି କହିଲା “ଆଜ୍ଞା ! ରାନ୍ଧୁଣିଆ ଅନୁପସ୍ଥିତ ରହିଲେ ସମସ୍ତେ ହଇରାଣ ହେବେନାହିଁ ? 

“ତେବେ ରୋଷେଇ କରିଵା ବେଳେ ଚାଖିଵାକୁ ଯାଇ ତମେ ସବୁ ଖାଇ ଦେଵାର ବଦଭ୍ୟାସ ଅଛି କି ? ” ଜମିଦାର ପଚାରିଲେ । 

ନା , ନା , ସମସ୍ତେ ଖାଇ ସାରିଲା ପରେ ଯାହା ବଳେ ମୁଁ ଖାଏ । ” ରାନ୍ଧୁଣିଆ କହିଲା । 


ସେଇଠୁ ଜମିଦାର ପଚାରିଲେ...

ଆଚ୍ଛା ତେବେ କିଛି ଚୋରାଇଵାର ବଦଭ୍ୟାସ ଅଛି କି ? ” 

 “ଯେତେବେଳେ ସାରା ରେଷେଇଘର ମୋ ହାତରେ ଥାଏ ସେତେବେଳେ ମୁଁ ସେପରି କାହିଁକି କରିବି ? ” ରନ୍ଧୁଣିଆ କହିଲା । “ 

ଜମିଦାର ପୁଣି ପ୍ରଶ୍ନ କଲେ । 
“ତେବେ ତୁମେ ସବୁ ଜାଗାରୁ କାମ ଛଡ଼ଦେଲ କାହିଁକି ? ”

ରନ୍ଧୁଣିଆ କହିଲା ଶୁଣନ୍ତୁ ଆଜ୍ଞା
 “ ପ୍ରକୃତରେ ମୋର ମନ ସ୍ଥିର ନୁହେଁ । ମୁଁ ଭୁଲିଯାଏ ଯେ ମୁଁ ଜଣେ ରାନ୍ଧୁଣିଆ । କେତେବେଳେ ମାଳୀ କାମ କଲଣି ତ କେତେବେଳେ ଘୋଡ଼ାଶାଳକୁ ଚାଲିଯାଏ । ସେଥିପାଇଁ ମୋତେ ଚାକିରୀରୁ ବାହାର କରି ଦିଅନ୍ତି । ” 


(୧୯୮୨ ଜାନୁଆରୀ ଓଡ଼ିଆ ଜହ୍ନମାମୁଁ ପତ୍ରିକାର ଗଳ୍ପ)

Sunday, August 28, 2022

ମନ୍ତ୍ର

ରାମସାହୁ ଖାଦ୍ୟ ଅଭାଵରୁ ଦିନକୁ ଦିନ ଶୁଖି ଶୁଖିଗଲା ପୁଣି ତାକୁ ରୋଗ ବି ହୋଇଗଲା । ସେ ଆଉ ଭଲ କାମଦାମ ନକରିପାରି ଘରୁ ଅନ୍ୟତ୍ର ଚାକିରୀ କରିଵାକୁ ଚାଲିଆସିଲା । ହେଲେ ପତଳା ରୋଗିଣା ଲୋକକୁ କାମ କିଏ ଦେଵ ? କୋଉଠି ବି କାମ ନପାଇଵାରୁ ସେ ଆତ୍ମହତ୍ୟା କରିଵାକୁ 
ଏକ ନଦୀକୁ ଡେଇଁପଡି଼ଲା । ପାଖରେ ମୁନି ଜଣେ ତପସ୍ୟା କରୁଥାନ୍ତି ।

 ନଦୀକୁ ଡେଇଁଵା ଶବ୍ଦ ଶୁଣି ସେ ଧାଇଁ ଆସି ରାମସାହୁକୁ ବଞ୍ଚାଇଲେ । ତାକୁ ଗୋଟିଏ ମନ୍ତ୍ର ଦେଇ କହିଲେ ଏହି ମନ୍ତ୍ର ତିନି ଦିନ କାମ କରିଵ । ତମେ ଏହି ମନ୍ତ୍ର ଜାପ କଲେ ତିନିଦିନ ପାଇଁ ଯାହା ଚାହିଁଵ କରିପାରିଵ ଏଵଂ ତିନି ଦିନ ପରେ ୟେ ମନ୍ତ୍ର ତୁମ ପରି ଅନ୍ୟ କୌଣସି ଅଭାବୀ ଲୋକକୁ ଦେଇ ଦେଵ । ରାମସାହୁ ଖୁସି ମନରେ ଘରକୁ ଆସି ସବୁକଥା ସ୍ତ୍ରୀକୁ କହିଲା । ସ୍ତ୍ରୀ ତ ବଡ଼ କୋଠା ବାଡ଼ି ଚାହୁଁଥିଲା ତେଣୁ ସେ ଭଲ ଓ ବଡ଼ ଘରଟିଏ ମାଗିଵାକୁ ରାମସାହୁକୁ ମନ୍ତ୍ରଣା ଦେଲା । ରାମସାହୁ ମନ୍ତ୍ର ଜାପି ସେଇଆ ମାଗିଵାରୁ ଆପେ ତାହାର ଚାଳଘର ଏକ ତିନିମହଲା କୋଠା ହୋଇଗଲା । ଦ୍ଵିତୀୟ ଦିନ ରାମସାହୁର ସ୍ତ୍ରୀ 
ଲକ୍ଷେ ଟଙ୍କା ମାଗିଵାକୁ କହିଲା । ସେତିକି ଟଙ୍କା ପାଖରେ ଥିଲେ ସାହୁକାରୀ ନହେଲେ ବେପାର କରି ସହଜରେ ଅନେକ ଦିନ ଘର ଚଳେଇ ହେଵ । ରାମସାହୁ ସେଇଆ ଇଚ୍ଛା କରି ମନ୍ତ୍ର ଜାପ କଲାରୁ ତାକୁ ଲକ୍ଷେ ଟଙ୍କା ମିଳିଗଲା । ତୃତୀୟ ଦିନ ରାମସାହୁ କ'ଣ ମାଗିଵ ବୋଲି ନିଜ ସ୍ତ୍ରୀକୁ ପଚାରିଲାରୁ ତା ସ୍ତ୍ରୀ ତାକୁ ୧୦୦ ବସ୍ତା ଚାଉଳ ମାଗିଵାକୁ କହିଲା । ୧୦୦ଟି ଚାଉଳ ବସ୍ତା ଥିଲେ ଖାଦ୍ୟାଭାଵ ଦୂର ହେଵା ସହ ବାକି ଚାଉଳ ବସ୍ତା ଵିକ୍ରି କରି ଘର ଚଳାଇ ହେଵ । ରାମସାହୁ ସ୍ତ୍ରୀ କହିଵା ଅନୁସାରେ ସେଇଆ କଲା । ଚତୁର୍ଥ ଦିନ ଆଉ ମନ୍ତ୍ର କାମ କରିଵ ନାହିଁ ଜାଣି ସେ ଆଉ ସେହି ମନ୍ତ୍ର ଵ୍ୟଵହାର କଲା ନାହିଁ । କେବେ ଦାଣ୍ଡର ଫକୀର ଥିଵା ରାମସାହୁ ଏବେ ବଡ଼ ଧନିକ ହୋଇଯାଇଥାଏ । ତା ଘରକୁ ଅନେକ ଅଭାବୀ ଦରିଦ୍ର ଲୋକ ଆସୁଥାନ୍ତି । ଏମତି ଦିନେ ଜଣେ ଭିକାରୀ ତା ଘରକୁ ଗୀତ ବୋଲି ବୋଲି ଭିକ୍ଷା ମାଗିଵାକୁ ଆସନ୍ତେ ଗୃହ ସମ୍ମୁଖରେ ମୁର୍ଚ୍ଛା ହୋଇଗଲା । 



ରାମସାହୁ ତାହାର ଦୁର୍ଵଳ ଶରୀର ଦେଖି ବୁଝିଗଲା ଯେ ଏହି ଲୋକକୁ ମନ୍ତ୍ରଟି ଦେଲେ ସେ ମଧ୍ୟ ତାପରି ସୁଖରେ କାଳାତିପାତ କରନ୍ତା । ତେଣୁ ସେ ଭିକାରୀକୁ ଦାଣ୍ଡରୁ ଉଠାଇ ଆଣି ଖାଇଵାକୁ ପିଇଵାକୁ ଦେଲା ଭୁରି ଭୋଜନ କରାଇଲା ଏଵଂ ତା କାନରେ ମନ୍ତ୍ରଟି ଶୁଣାଇ ତାକୁ ତିନି ଦିନ ପର୍ଯ୍ୟନ୍ତ ଏହି ମନ୍ତ୍ର ଦ୍ଵାରା ସେ ଯାହା ମାଗିଵ ପୂର୍ଣ୍ଣ ହେଵ ବୋଲି କହିଲା । 

ଭିକାରୀ ଜଣକ ନିଜ ସ୍ତ୍ରୀ ପାଖକୁ ଯାଇ ସବୁକଥା ମୂଳରୁ ଶେଷ ଯାଏଁ ଗୋଟି ଗୋଟି କରି ଶୁଣେଇଲା । ଭିକାରୀର ସ୍ତ୍ରୀ ବଡ଼ ଲୋଭୀ ଥିଲା ଏଵଂ ସେ ଗାଆଁ ତଥା ଦେଶର ଲୋକଙ୍କ ପ୍ରତି ତାହାର ମନରେ ରାଗ ଥିଲା । "ଅଭାଵ ଅନଟନ ମଣିଷକୁ ଲୋଭୀ ଏଵଂ ବେଳେ ବେଳେ ଇର୍ଷାଳୁ ଓ ଦ୍ଵେଷୀ ମଧ୍ୟ କରିଦିଏ" । ନିଜର ଦୁରାଵସ୍ଥା ପାଇଁ ଭିକାରୀର ସ୍ତ୍ରୀ ସବୁବେଳେ ଗ୍ରାମ ତଥା ଦେଶଵାସୀଙ୍କୁ ଦୋଷୀ ମନେକରୁଥିଲା । ତେଣୁ ଭିକାରୀର ସ୍ତ୍ରୀ ଭିକାରୀକୁ ମନ୍ତ୍ରଣା ଦେଲା ଏହି ମନ୍ତ୍ର ସାହାଯ୍ୟରେ ସେମାନେ ଧନୀ ହେଵା ସହ ଏହି ଦେଶର ଲୋକମାନଙ୍କଠାରୁ ପ୍ରତିଶୋଧ ବି ନେଇପାରିବେ । ପ୍ରଥମେ ପ୍ରଥମେ ଭିକାରୀ ଜଣକ ତା ସ୍ତ୍ରୀ କଥାରେ ସମ୍ମତ ହେଉନଥାଏ ହେଲେ କଥାରେ ଅଛି “ପାଖରେ ଶୁଏ କାନରେ କୁହେ ତା କଥା କି ଅନ୍ୟଥା ହୁଏ ?” । ଶେଷରେ ବହୁତ କହିଵାରୁ ଭିକାରୀ ନିଜ ସ୍ତ୍ରୀ କଥାରେ ପଡ଼ି ପ୍ରଥମ ଦିନ ମନ୍ତ୍ର ବଳରେ ଗାଆଁ ପାଖ ଜଙ୍ଗଲରେ ଗୋଟିଏ ଵିଶାଳ ପ୍ରାସାଦ ନିର୍ମାଣ କରାଇଲା । ତହୁଁ ଦ୍ଵିତୀୟ ଦିନ ତା ସ୍ତ୍ରୀ ତାକୁ କହିଲା ଏ ଦେଶର ଲୋକମାନଙ୍କ ଯୋଗୁଁ ଆମେ ଦରିଦ୍ର ହୋଇଛେ । ଯେଉଁ ଚାଉଳ ଗଣ୍ଡେ ପାଇଁ ଆମେ ଆଜିଯାଏଁ ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଛେ ତାକୁ ସମସ୍ତଙ୍କଠୁଁ ଛଡ଼େଇ ନେଵା। ଭିକାରୀ ଅନ୍ୟ ଉପାୟ ନପାଇ ସେଇଆ ମନରେ ଇଚ୍ଛା କରି ମନ୍ତ୍ର ପଢି଼ଵାରୁ ସେ ଦେଶରେ ଯାହା ପାଖରେ ଯେତେ ଚାଉଳ ଥିଲା ସେ ସବୁ ଜଙ୍ଗଲ ଭିତରେ ଥିଵା ଵିଶାଳ ପ୍ରାସାଦ ମଧ୍ୟରେ ଗଚ୍ଛିତ ହୋଇଗଲା । 


ଏଣେ ଦେଶଯାକ ଲୋକ ଚାଉଳ ନପାଇ ଫଳମୂଳ ଖାଇ ରହିଲେ । ରାଜାଘରେ ବି ମୁଠେ ଚାଉଳ ବଞ୍ଚିଲା ନାହିଁ । ରାଜା ଜାଣି ଚିନ୍ତାରେ ପଡି଼ଲେ ଏଵଂ ଏହାର କାରଣ ଜାଣିଵାକୁ ସୈନ୍ୟ ତଥା ଗୁପ୍ତଚର ପଠାଇଲେ । ସମସ୍ତଙ୍କ ଘରୁ ଚାଉଳ ଚାଲିଯିଵାରୁ ମୂଷାମାନେ ଲୋକଙ୍କ ଘରୁ ବାହାରି ପଦରେ ବୁଲିଲେ ଆଉ ହଠାତ୍ କ'ଣ ହେଲା କେଜାଣି ସେମାନେ ଗୋଟିଏ ଦିଗକୁ ବଢି଼ଚାଲିଲେ । ରାଜାଙ୍କ ସୈନ୍ୟମାନେ ମୂଷା ଯାଉଥିଵା ଦିଗକୁ ଘୋଡ଼ା ଝପଟାଇ ଦେଲେ ‌ ।

 ସୈନିକମାନେ ଆସି ଜଙ୍ଗଲ ଭିତରେ ଭିକାରୀର ଵିଶାଳ ପ୍ରାସାଦ ନିକଟରେ ପହଞ୍ଚିଲେ । ପ୍ରାସାଦ ଭିତରେ ଅମାପ ଚାଉଳ ବସ୍ତା ଦେଖି ସେମାନଙ୍କର ଆଉ କିଛି ବୁଝିଵା ବାକି ରହିଲା ନାହିଁ । ଭିକାରୀ ଓ ତାହାର ସ୍ତ୍ରୀ ବନ୍ଧା ହୋଇ ରାଜାଙ୍କ ପାଖକୁ ନିଆଗଲେ । ରାଜା ସବୁ ବୁଝିଵାରୁ ଜାଣିଲେ ଯେ ଏସବୁ କାଣ୍ଡ ଭିକାରୀ ତା ସ୍ତ୍ରୀର କଥାରେ ପଡ଼ି କରିଛି । ରାଜା ସେହି ଭିକାରୀଠାରୁ ମନ୍ତ୍ର ନେଇ ଯାହା ଘରେ ଯେତିକି ଚାଉଳ ଚାଲିଯାଇଥିଲା ସେତିକି ଫେରେଇ ଦେଲେ । ତାପରେ ଭିକାରୀ ଓ ଭିକାରୀର ସ୍ତ୍ରୀ କାରାଗାରକୁ ପଠାଗଲେ । ଭିକାରୀ ତା ସ୍ତ୍ରୀର ବୁଦ୍ଧି ଯୋଗୁଁ ଆଗକୁ ରାଜଦଣ୍ଡ ଭୋଗିପାରେ ବୋଲି ଅନୁମାନ କରିଥିଲା ତେଣୁ ମନ୍ତ୍ର ଶକ୍ତି ରାଜାଙ୍କୁ ଦେଵା ଆଗରୁ ସେ ମନ୍ତ୍ର ପଢି଼ ରାଜଦଣ୍ଡ ମିଳିଲେ ତାକୁ ଅନ୍ୟ ରାଜ୍ୟକୁ ପଠାଇ ଦେବା ପାଇଁ ମାଗିଦେଇଥିଲା । ଫଳତଃ କାରାଗାରରେ ପହଞ୍ଚିଵାର କେତେକ ସମୟ ପରେ ଭିକାରୀ ସେଠାରୁ ଅଦୃଶ୍ୟ ହୋଇଗଲା ଏଵଂ ତାହାର ସ୍ତ୍ରୀ ସେଇ କାରାଗାରରେ ବାକି ଜୀଵନ କଟେଇଲା । 

(ହିନ୍ଦୀ चंदामामाର ୧୯୬୬ ସଂଖ୍ୟା ଫେବୃଆରୀ ମାସରେ ପ୍ରକାଶିତ ଗଳ୍ପ "लापता चावल"ର ଓଡ଼ିଆ ଅନୁଵାଦ । ମୂଳ କାହାଣୀକୁ କେତେକାଂଶରେ ପରିଵର୍ତ୍ତିତ କରାଯାଇଛି । )

Wednesday, August 24, 2022

ଅଲୌକିକ କନ୍ୟା କଥା

ଆନ୍ଧ୍ରକ ଦେଶର ଦୁର୍ଗାପୁରମ୍ ବୋଲି ଏକ ଗାଆଁରେ ରାଜାମଣି,ହୀରାମଣି ଓ ନାଗମଣି ନାମରେ ତିନି ଭାଇ ସାଧଵ ଥିଲେ । ସେମାନେ କାମ ପାଇଁ ସ୍ଥାନୀୟ ରାଜାଙ୍କ ପାଖକୁ ଆସିଲେ । ରାଜା ବୋଇଲେ ଏବେ ବଡ଼ କାମ କିଛି ନାହିଁ ହଁ ରୋଷେଇ ଶାଳରେ କାମ କରିଵ ଯଦି କୁହ । ସେମାନେ ରାଜି ହୋଇ କାମ କଲେ । 

କିଛି ଦିନ ପରେ ରାଜା ଦେଖିଲେ ସାନଭାଇ ନାଗମଣି ଭଲ କାମ କରୁଛି । ସେ ବଡ଼ ଦୁଇଭାଇଙ୍କ ଆଗେ ତାହାର ପ୍ରଶଂସା କଲେ । ବଡ଼ ଦୁଇଭାଇ ଏକଥା ସହି ପାରିଲେ ନାହିଁ । ସେମାନେ କପଟ କରି ରାଜାଙ୍କ ଛାମୁରେ ଜଣେଇଲେ ଯେ ସେମାନଙ୍କର ସାନ ଭାଇ ନାଗମଣି ବଡ଼ ଯୋଗ୍ୟ ,ସେ ବଡ଼ ବଡ଼ ଅଦ୍ଭୁତ ଅସାଧ୍ୟ କାର୍ଯ୍ୟ ସହଜରେ କରିପାରେ ‌ । ଛାମୁଙ୍କର ତ ପତ୍ନୀ ନାହାନ୍ତି ରାଜା ଯଦି ନାଗମଣି ଆଜ୍ଞା ଦିଅନ୍ତି ସିଏ ସୁନ୍ଦର ଅଲୌକିକ କନ୍ୟାଟିଏ ନେଇ ଆସନ୍ତା । 

ରାଜା ବହୁତ ଭାବିଲେ । ତାଙ୍କର ମଧ୍ୟ ଵିଵାହ କରିଵାକୁ ବଡ଼ ମନ ଥିଲା କିନ୍ତୁ ମନଲାଖି କନ୍ୟା ମିଳୁନଥିଲେ । ନାଗମଣିକୁ ରାଜା ଡକେଇ ପଠେଇଲେ ଆଉ ବାର ମାସ ମଧ୍ୟରେ ଅଲୌକିକ କନ୍ୟାଟିଏ ନେଇ ଆସିଵାକୁ ଆଦେଶ ଦେଲେ । ନାଗମଣି ଅଲୌକିକ କନ୍ୟା ନ ଆଣି ପାରିଲେ ତାହାର ମୁଣ୍ଡକାଟ ହେଵ ।  

କଳିଙ୍ଗ ଦେଶର ପଶ୍ଚିମରେ ସେତେବେଳେ ଉଡ୍ରଦେଶ ଅଵସ୍ଥିତ ଥିଲା । ସେହି ଉଡ୍ର ଦେଶରେ କୁଆଁରୀ ପାଟଣା ବୋଲି ଏକ ଅଲୌକିକ ସ୍ଥାନ ଥିଲା । ନାଗମଣି ସେହି କୁଆଁରୀ ପାଟଣା ଵିଷୟରେ ଜାଣିଥିଲା ତେଣୁ ବାର ମାସ ଭିତରେ କେମିତି ଅଲୌକିକ କନ୍ୟା ମିଳିଵ ସେହିକଥା ଵିଚାର କରି ସେଆଡ଼କୁ ବଢି଼ ଚାଲିଲା । ବାଟରେ ତାକୁ ଭୋକ ଲାଗିଲା । ରାଜପ୍ରାସାଦରୁ ଆଣିଥିଵା ଖାଦ୍ୟ ଖାଇଵାକୁ ବସିଥାଏ ଏତିକିବେଳେ ଜଣେ ବୃଦ୍ଧା ମହିଳା ତା ପାଖକୁ ଆସିଲେ ।

 ନାଗମଣି ବୃଦ୍ଧା ମହିଳାଙ୍କୁ ସେ ବାଢି଼ଥିଵା ଭୋଜନ କରିଵାକୁ ଅନୁରୋଧ କଲା । ବୃଦ୍ଧା ମହିଳା ସେ ଅନୁରୋଧ ସ୍ଵୀକାର ପୂର୍ଵକ ଖାଇ ବସିଲେ । ଭୋଜନ ପରେ ଵୃଦ୍ଧା ଜଣକ ତୃପ୍ତି ଲାଭ କରି ନାଗମଣିକୁ କହିଲେ 
 
"ବାପ ମୁଁ କାହା ଋଣ ରଖେନି ଆଉ ତୁ ଯୋଉ କୁଆଁରୀପାଟଣାକୁ ଅଲୌକିକ କନ୍ୟାଟିଏ ପାଇଁ ଯାଉଛୁ ତାହା ମୁଁ ଜାଣେ । ମୁଁ ତୋତେ ଗୋଟିଏ ଶଙ୍ଖ ଦେଉଛି । 
କୁଆଁରୀପାଟଣାରେ ପହଞ୍ଚି ଏହି ଶଙ୍ଖ ବଜାଇଲେ ତୋତେ କାହାର ମାୟା ଛୁଇଁ ପାରିଵ ନାହିଁ ଏଵଂ ମାୟାଵୀ ବେତାଳ ତୋହର ବୋଲ କରିବେ ‌। କୁଆଁରୀପାଟଣାର ପୁରୁଣାଗଡ଼ରେ ଗୋଟିଏ ଭଙ୍ଗା ରାଜପ୍ରସାଦ ମଧ୍ୟରେ ତିନିଜଣ ଅଲୌକିକ କନ୍ୟା ଅଛନ୍ତି । ତୁ ସେମାନଙ୍କୁ ପ୍ରାପ୍ତ କର ମୁଁ ଆଶିର୍ଵାଦ କରୁଛି ।"

 ଏତିକି ବୋଲି ଵୃଦ୍ଧା ମହିଳା ସେଠାରୁ କୁଆଡେ଼ ଉଭେଇ ଗଲେ । ନାଗମଣି କୁଆଁରିପାଟଣାରେ ପହଞ୍ଚିଵାରୁ ଶଙ୍ଖ ବଜାଇଲା ଫଳତଃ କୁଆଁରୀ ପାଟଣାରେ ଵ୍ୟାପ୍ତ ମାୟାଜାଲ ତାକୁ ସ୍ପର୍ଶ କରିପାରିଲା ନାହିଁ କି ସେଠାକାର କୌଣସି ଟେଣ୍ଟେଇ ତା ଉପରେ ଆକ୍ରମଣ କଲା ନାହିଁ। ତାପରେ ପୁରୁଣା ରାଜପ୍ରସାଦରେ ପହଞ୍ଚିଯାଇ ନାଗମଣି ପୁଣି ଶଙ୍ଖ ଫୁଙ୍କିଲା । ଶଙ୍ଖଧ୍ଵନି ଶୁଣି ଗୋଟିଏ ମାୟାବୀ ବେତାଳ ତାହାର ସ୍ଵାଗତ ପାଇଁ ସେଠାକୁ ଆସିଲା । ନାଗମଣି ମାୟାବୀ ବେତାଳକୁ ଅଲୌକିକ କନ୍ୟା ଆଣି ଦେଵାକୁ କୁହନ୍ତେ ବେତାଳ ବୋଇଲା 
 
"ଶୁଣ ସାଧଵ ! ଆମ୍ଭେ ବେତାଳମାନେ ଅଲୌକିକ କନ୍ୟାଙ୍କର ରକ୍ଷକ ଅଟୁ । ଆମ୍ଭେ ସେମାନଙ୍କୁ ଛୁଇଁଵାକୁ ଅଯୋଗ୍ୟ ଵରଂ ତୁମ୍ଭେ ନିଜେ ତାଙ୍କ ମଧ୍ୟରୁ ଜଣକୁ ଚୟନ କରି ବୁଝାଇ ସୁଝାଇ ନିଜ ସହିତ ନେଇପାର ‌ । କିନ୍ତୁ ସାଵଧାନ ! ସେମାନଙ୍କୁ ବଳପ୍ରୟୋଗ କରି ନେଵାକୁ ଚାହିଁଲେ ସେମାନେ କୋପ କରି ଅଦୃଶ୍ୟ ହୋଇଯିବେ ।"


ନାଗମଣି ସାଧଵ ପୁରୁଣାଗଡ଼ ମଧ୍ୟରେ ପଶି ତିନିଜଣ ଅଲୌକିକ କନ୍ୟାଙ୍କୁ ବହୁତ ବୁଝାଇଲା କିନ୍ତୁ କେହି ମାନିଲେ ନାହିଁ ଶେଷରେ ସେ ଵାଧ୍ୟ ହୋଇ ସେମାନଙ୍କ ମଧ୍ୟରେ ଜଣକୁ ଧରି ନେଵାକୁ ଉଦ୍ୟତ ହୁଅନ୍ତେ ସେମାନେ ଅଦୃଶ୍ୟ ହୋଇଗଲେ । 

ଵ୍ୟସ୍ତ ଵିଵ୍ରତ ହୋଇ ନାଗମଣି ସାଧଵ ପୁଣିଥରେ ବୃଦ୍ଧା ମହିଳା ଦେଇଥିଵା ମାୟାବୀ ଶଙ୍ଖ ବଜାଇଲା । ଏଥର ଶଙ୍ଖ ବାଇଵାରୁ ସେଠାରେ ଉପରୁ ତିନିଗୋଟି ଲେମ୍ବୁ ଆସି ପଡି଼ଲା । ବାଟରେ ଲେମ୍ବୁପାଣି କରି ପିଇ ହେଵ ଵିଚାର କରି ନାଗମଣି ସେହି ତିନୋଟିଯାକ ଲେମ୍ବୁ ଝୁଲାରେ ଧରି
 ବହେ ମନଦୁଃଖ କରି ଫେରିଲା । ତାହାର ଭୂଲ ଯୋଗୁଁ ତିନିଜଣ ଅଲୌକିକ କନ୍ୟା ତାକୁ ମିଳିଥାଇ ମଧ୍ୟ ଅଦୃଶ୍ୟ ହୋଇଗଲେ । ଏବେ ରାଜାଙ୍କ ହସ୍ତରେ ପ୍ରାଣ ହରାଇଵା ଅପେକ୍ଷା ଅନ୍ୟ ଦେଶକୁ ଚାଲିଯିଵା ଉତ୍ତମ ଭାବି ନାଗମଣି ସାଧଵ ଉଡ୍ରଦେଶ ତ୍ୟାଗ କରି କେକଳ ଦେଶ ପାରକରି ମେକଳ ଦେଶକୁ ଯାଉଥାଏ । ମେକଳ ଅଞ୍ଚଳଟି ଗୋଟିଏ ମାଳଭୂମି ଅଞ୍ଚଳ । ଆଜିଭଳି ସେ ଯୁଗରେ ସେହି ଅଞ୍ଚଳରେ ଏତେ କୂପ ଓ ପୁଷ୍କରିଣୀ ନଥିଲା ଵରଂ ଅନେକ ଅଚ୍ଚ ନିଚ୍ଚ ମଧ୍ୟମ ପର୍ଵତ ମଧ୍ୟରେ ଅନୁର୍ଵର ଵୃକ୍ଷହୀନ ଭୂଭାଗ ପଡି଼ ରହିଥିଲା । ମେକଳ ଦେଶର ରାଜଧାନୀକୁ ଯାଉଥିଲା ବେଳେ ବାଟରେ ତାକୁ ଭୀଷଣ ଶୋଷ ଲାଗିଲା । କୋଉଠି ପାଣି ମୁନ୍ଦାଏ ମିଳିନଥାଏ । ଲେମ୍ବୁଟିଏ ଚିପୁଡି଼ ତାହା ପାଣି ପିଇଵାକୁ ଝୁଲାରୁ କାଢ଼ି କାଟିଵାରୁ ସେଥିରୁ କୀଟାକାର ଏକ କ୍ଷୁଦ୍ର କନ୍ୟା ବାହାରି କହିଲା "ପିଣି ମୁନ୍ଦେ ଦିଅ ଗୋ ବଡ଼ ଶୋଷ ! " 
ନାଗମଣି ଚାରିଆଡ଼େ ଉଣ୍ଡିଲା ହେଲେ ଏ ଗ୍ରୀଷ୍ମ କାଳର ରିଗ୍‌ରିଗିଆ ଖରାରେ କୋଉଠୁ ପାଣି ମିଳୁଛି ? 
ଫେରି ଆସି ଦେଖିଲା ବେଳକୁ ଅଲୌକିକ କନ୍ୟା ମରି ସାରିଛି ।


ଏ ସବୁ ଦେଖି ମନରେ କେତେ କ'ଣ ଭାବି ଭାବି ନାଗମଣି ଆଉ ଖଣ୍ଡେ ଦୂର ଚାଲି ଆସିଲା । ବାଟରେ ସେ ଆଉ ଶୋଷ ସହିପାରିଲା ନାହିଁ । ଦ୍ଵିତୀୟ ଲେମ୍ବୁ କାଟିଵାରୁ ପୂର୍ଵପରି ସେଥିରୁ ମଧ୍ୟ ଗୋଟିଏ କ୍ଷୁଦ୍ରାକାର ଅଲୌକିକ କନ୍ୟା ବାହିରି ପଡ଼ି ପୂର୍ଵ ଭଳି "ବଡ଼ ଶୋଷ ,ପାଣି ଟୋପାଏ ଦିଅ ହେ” କହିଲା । ଏଥର ବି ପାଣି ପାଇଁ ନାଗମଣି ଚାରିଆଡ଼େ ବୁଲିଲା ହେଲେ କୋଉଠି ଟୋପେ ପାଣି ପାଇଲା ନାହିଁ । ଫେରିଲା ବେଳକୁ ଦ୍ଵିତୀୟ ଅଲୌକିକ କନ୍ୟା ମଧ୍ୟ ମରି ସାରିଥାଏ । 

ନାଗମଣି ମନରେ କିଛି ଚିନ୍ତାକଲା ଏଵଂ ପୂର୍ଵେ ବୃଦ୍ଧା ମହିଳା ଦେଇଥିଵା ଚମତ୍କାରୀ ଶଙ୍ଖ ଫୁଙ୍କିଵାରୁ ସିଧା ନିଜ ଦେଶରେ ଆସି ପହଞ୍ଚିଗଲା । ରାଜବାଟୀ ଖଣ୍ଡେ ଦୂର ଥାଏ କିନ୍ତୁ ସେତେବେଳକୁ ଆଉ ନାଗମଣି ଶୋଷ ସହିପାରୁନଥାଏ । କଷ୍ଟେ ମଷ୍ଟେ ପେଲି ମୁସାଣ୍ଡି ସେ ଯେନ ତେନ ପ୍ରକାରେ ରାଜବାଟୀ ମଧ୍ୟସ୍ଥ ପୋଖରୀରୁ ଆଞ୍ଜୁଳାଏ ପାଣି ଆଣି ପିଇ ନିଜର ଶୋଷ ମେଣ୍ଟାଇଲା ଏଵଂ ସଙ୍ଗେ ସଙ୍ଗେ ତୃତୀୟ ଲେମ୍ବୁଟି କାଟି ତହିଁରୁ ବାହାରିଥିଵା କ୍ଷୁଦ୍ର ଅଲୌକିକ କନ୍ୟାକୁ ଜଳ ପାନ କରାଇଲା । ହଠାତ୍ ଏକ ଅଦ୍ଭୁତ ଘଟଣା ଘଟିଲା । ସେହି ଅଲୌକିକ କନ୍ୟାଟି ପାଣି ପିଇ ବଡ଼ ହୋଇଗଲା । ରୂପ ରଙ୍ଗ ଗଢ଼ଣ ଦୃଷ୍ଟିରୁ ସେ ଭୁଵନସୁନ୍ଦରୀ ପ୍ରତିଭାତ ହେଉଥାଇ । ନାଗମଣି ତାକୁ ସେଇଠି ରହିଵାକୁ କହି ରାଜପ୍ରସାଦ ମଧ୍ୟକୁ ଦୌଡ଼ି ଯାଇ ରାଜାଙ୍କୁ ସମସ୍ତ କଥା ଜଣାଇଲା । 


ଇତି ମଧ୍ୟରେ ସେହି ପୋଖରୀକୁ ରାଜାଙ୍କ ରୋଷେଇଆର ଝୁଅ ପାଣି ନେଵାକୁ ଆସିଲା । ସେ ତଳକୁ ନଇଁକରି କଳସୀରେ ପାଣି ପୂରାଉଥାଏ ଏତିକିବେଳେ ପୋଖରୀ ପାଣିରେ ଅଲୌକିକ କନ୍ୟାଟିର ମୁଖ ଦେଖି ହଠାତ୍ ବଡ଼ ଉଷତ ହେଇଗଲା । ସେ ଯେ ଏତେ ସୁନ୍ଦର ଏକଥା ତ ସେ ଆଜିଯାଏଁ ଜାଣିନଥିଲା । କିନ୍ତୁ ପଛରେ ଜଣେ ସୁନ୍ଦରୀ ଅପରୂପା ସୁନ୍ଦରୀ ଯୁଵତୀ ଦେଖି ରୋଷେଇଆର ଝିଅ ରାଗିକି ନିଆଁ ହୋଇଗଲା । ସେ ସେହି ସୁନ୍ଦରୀ ଅଲୌକିକ କନ୍ୟାର ଦିହରୁ ଵସ୍ତ୍ର ଛଡ଼ାଇ ନେଇ ତାକୁ ପୋଖରୀକୁ ଠେଲି ଦେଲା ଏଵଂ ନିଜେ ସେ ଵସନ ପିନ୍ଧି ସେଠାରେ ହାତେ ଓସାରର ଓଢ଼ଣା ଟାଣି ଛିଡ଼ା ହେଲା । 

ତହୁଁ କେତେକ କାଳ ପରେ ରାଜାଙ୍କୁ ଘେନି ନାଗମଣି ସେଠାରେ ଆସି ପହଞ୍ଚିଲା । ରାଜା ଉତ୍କଣ୍ଠିତ ହୋଇ ସେଠାରେ ଛିଡ଼ା ହୋଇଥିଵା ଯୁଵତୀର ଓଢ଼ଣା ଟେକି ମୁଖ ଦେଖନ୍ତେ ଅତ୍ୟନ୍ତ କ୍ରୋଧିତ ହୋଇଉଠିଲେ । ସେଇ ରୋଷେଇୟାର ଝିଅଟି ନିତାନ୍ତ ଅସୁନ୍ଦର ଥିଲା ତେଣୁ ରାଜା ତା ମୁଖ ମଣ୍ଡଳ ଦେଖିଵା ମାତ୍ରେ ଚିଡ଼ିଯାଇ ନାଗମଣିକୁ କାରାଗାର ପଠେଇ ଦେଵାକୁ ଆଦେଶ ଦେଲେ । 

ଏହି ଘଟଣାର କେତେକ ଦିନ ପରେ ଯୋଉ ପୋଖରୀରେ ଅଲୌକିକ କନ୍ୟାକୁ ରୋଷେଇୟାର କନ୍ୟା ପକାଇଦେଇଥିଲା ସେଇ ପୋଖରୀରୁ ଭାକୁର ମାଛଟିଏ ଧରା ହେଲା । ରୋଷଶାଳରେ ତାକୁ କାଟିଲାବେଳେ ସେଥିରୁ ଗୋଟିଏ ଅପରୂପା ସୁନ୍ଦରୀ କନ୍ୟା ବାହାରି ବଡ଼ ହୋଇଗଲା । ସଙ୍ଗେ ସଙ୍ଗେ ସେ କନ୍ୟାକୁ ଧରି ରୋଷେଇୟା ରାଜାଙ୍କ ପାଖକୁ ଗଲା । ରାଜା ସବୁଜାଣି ସେହି ଅଲୌକିକ କନ୍ୟାକୁ ଵିଵାହ କଲେ ଆଉ ରୋଷେଇୟାର ଝିଅକୁ ତାହାର ପୋଇଲି କରି ଖଟେଇଲେ । ରାଜା ତାପରେ ନାଗମଣିକୁ କାରାଗାରୁ ମୁକ୍ତ କରି ତାକୁ ନିଜର କରିଲେ । ଏପଟେ ନାଗମଣିର ବଡ଼ ଦୁଇ ଭାଇ ରାଜାମଣି ଓ ହୀରାମଣି ଭାଗ୍ୟ ଆଦରି ଏବେବି ରୋଷଶାଳକୁ ପାଣି ଯୋଗାଉଥାନ୍ତି। 


•••••••••••••••••••••••••••
(ଜହ୍ନମାମୁଁ ହିନ୍ଦୀ ସଂଖ୍ୟା ୧୯୬୬ ଵର୍ଷ ଜାନୁଆରୀ ମାସରେ ପ୍ରକାଶିତ ଏକ ଗପ तिन निम्बूରେ କେତେକ ପରିଵର୍ତ୍ତନ କରି ଗଳ୍ପଟି ଲିଖିତ ହୋଇଛି । ମୂଳ ଗଳ୍ପର ଲେଖକ ରାଜାମଣି ଅଟନ୍ତି । ଗଳ୍ପରେ ଉତ୍କଳୀୟ ପ୍ରଭାଵ ପାଇଁ କୁଆଁରୀପାଟଣାର ନାମୋଲ୍ଲେଖ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଆଧୁନିକ ପାଟଣାଗଡ଼ ପୂର୍ଵେ କୁଆଁରୀପାଟଣା ଭାବେ ଖ୍ୟାତ ଥିଲା । )
••••••••••••••••••••••••••

Sunday, August 21, 2022

ଭିନ୍ନ କାର୍ଯ୍ୟ (କିଶନ୍ ଆର୍ଯ୍ୟ)

ଶିଲଂଗିରି ଗ୍ରାମର ଧର୍ମାନନ୍ଦ ନିଜର ପତ୍ନୀ ଓ କନ୍ୟାଙ୍କୁ ନେଇ ତୀର୍ଥଯାତ୍ରାକୁ ବାହାରିଲେ ।ରାସ୍ତାରେ କିଛିବାଟ ଚାଲିଲାପରେ ନଦୀଟିଏ ପଡ଼ିଲା । ନଦୀଘାଟରେ ନାଆ ଓ ନାଉରୀ ମଧ୍ୟ ଥିଲେ । ନାଉରୀ ଜଣ ପିଛା ଟଙ୍କାଟିଏ ନେଲା । ନାଆରେ ଆହୁରି ଅନେକ ତୀର୍ଥଯାତ୍ରୀ ମଧ୍ୟ ଥିଲେ । ନଦୀପାର ହେଵା ପରେ ସେମାନେ କିଛି ବାଟ ଚାଲିଲା ପରେ ମନ୍ଦିରରେ ପହଞ୍ଚିଲେ ଓ ଠାକୁରଙ୍କୁ ଦର୍ଶନ କଲେ । ସ୍ଥାନଟିର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ଭଲ । ନିରୋଳା ଓ ପଵିତ୍ର । ଧର୍ମାନନ୍ଦ ଚାହୁଁଥିଲେ ସ୍ତ୍ରୀ ପିଲାଙ୍କୁ ନେଇ ଆଉ ଦିନେ ଦୁଇଦିନ ରହିଥାନ୍ତେ । କିନ୍ତୁ ସେଠାରେ ପରିଵାର ନେଇ ରହିଵାର କୌଣସି ଵ୍ୟଵସ୍ଥା ନାହିଁ । ଅଗତ୍ୟା ଵାଧ୍ୟ ହୋଇ ସେ ପିଲା ସ୍ତ୍ରୀଙ୍କୁ ନେଇ ଫେରି ଆସିଲେ ‌। ଫେରିଵା ବେଳେ ସେ ନଦୀ ପାର ହେଵା ପାଇଁ ନଦୀ ଘାଟକୁ ଆସିଲେ । 

ସେଠାରେ ପହଞ୍ଚି ନାଉରୀକୁ କହିଲେ ପାର କରି ଦେଵାପାଇଁ । ସେ ଟିକିଏ କୁନ୍ଥମୁନ୍ଥ ହୋଇ କହିଲେ , 
 
“ ବାବୁ , ପାରିକରି ଦେଵାପାଇଁ ତ ମୁଁ ଏଠାରେ ଅଛି । ହେଲେ ନଦୀ ପାର ହେଵାକୁ ଗଲେ ଜଣ ପିଚ୍ଛା ମୁଁ ପାଞ୍ଚଶଙ୍କା ନେବି । ” 


“ଏପରି କାହିଁକି ? ସକାଳ ଓଳି ଆମେ ନଦୀ ପାର ହେଲୁ ଟଙ୍କାଏ ଲେଖା ଦେଇ ଏବେ ପାଞ୍ଚ ଟଙ୍କା ? 
ଇଏ କେଉଁ ଯୁଗର କଥା ? ଯାହା ନେଵ ଟିକିଏ ଭାବି ଚିନ୍ତି କୁହ ! ଯାହା ଇଚ୍ଛା ତାହା କହି ଦେଉଛ ଯେ ? ”

“ଶୁଣନ୍ତୁ ! ମୋ ପ୍ରାପ୍ୟ ଜଣ ପିଚ୍ଛା ପାଞ୍ଚଟଙ୍କା କିନ୍ତୁ ଆପଣ ତୀର୍ଥଯାତ୍ରା କରୁଥିଲେ ବୋଲି କମ୍ ନେଇ ପୁଣ୍ୟ ଅର୍ଜିଲି ‌ । ଆପଣ ଗୃହଯାତ୍ରା କଲାବେଳେ କମ୍ ନେବି କାହିଁକି ?”

(ଓଡ଼ିଆ ଜହ୍ନମାମୁଁ ପତ୍ରିକାର ୧୯୯୧ ସଂଖ୍ୟା ଜୁନ ମାସରେ ପ୍ରକାଶିତ ଗଳ୍ପ । ହିନ୍ଦୀ चंदामामाର ୧୯୯୧ ସଂଖ୍ୟା ମଇ ମାସରେ धंधे का भेद ନାମରେ ଏହା ପ୍ରକାଶିତ ହୋଇଥିଲା । ହିନ୍ଦୀରେ କାହାଣୀର ଶେଷରେ ନାଵିକ ଦେଇଥିଵା ଉତ୍ତର ସାମାନ୍ୟ ଭିନ୍ନ ଥିଲା ଟିପ୍ପଣୀ ପେଟିକାରେ ହିନ୍ଦୀ କାହାଣୀ ଦ୍ରଷ୍ଟଵ୍ୟ )




Thursday, August 18, 2022

ଦାୟିତ୍ବ(ରାମକୃଷ୍ଣ ଶାସ୍ତ୍ରୀ)

ଗୋଟିଏ ଗ୍ରାମରେ ମଦନସିଂହ ନାମକ ଜଣେ ପହିମାନ ରହୁଥାନ୍ତି ।‌ ସେ କୁସ୍ତି ଲଢି ବହୁତ ପୁରସ୍କାର ପାଇଥା'ନ୍ତି । ପାଖ ଗ୍ରାମର ମୁଖିଆମାନେ ଏକଥା ଜାଣିଥିଲେ । ତେଣୁ ଗ୍ରାମପଞ୍ଚାୟତ ତରଫରୁ ତାଙ୍କୁ କର ଅସୁଲ କରିବାର ଦାୟିତ୍ଵ ଦିଆଗଲା । ସେ ସହୁତ ଭଲ ଭାବରେ ନିଜ କାମ ତୁଲାଇଥାନ୍ତି । 

ଥରେ ଜଣେ ଚୋର ତାଙ୍କ ଉପରେ ଆଖି ରଖିଲା । ଯେତେବେଳେ ବହୁତ ଟଙ୍କା ପଞ୍ଚାୟତ ଘରେ ରଖା ହୋଇଥିଲା ଚୋରଟା ତାଲା ଭାଙ୍ଗି ଟଙ୍କାସବୁ ନେଇ ଚମ୍ପଟ ହେଲା ।

ଗ୍ରାମ ମୁଖିଆ ଏକଥା ଶୁଣି ବହୁତ ରାଗିଲେ ; ମଦନଙ୍କୁ ଡାକି କହିଲେ , 

“ ତୁମେ ଏତେ ବଳୁଆ ବୋଲି ତୁମକୁ ଏ କାମରେ ରଖା ହୋଇଛି । ଚୋରକୁ ଧରିଲ ନାହିଁ କାହିଁକି ? ” 


ମଦନସିଂହ ସହଜଭାବରେ କହିଲେ , “ ଶୁଣନ୍ତୁ , ମୁଁ ଯେତେବେଳେ କୁସ୍ତି ଲଢେ , ଲୋକମାନେ ସିଟି ମାରି ଚାଳିମାରି ମୋତେ ଉତ୍ସାହ ଦିଅନ୍ତି , ଯେଉଁଥରେ ମୋର ବଳ ଅଧିକ ହୁଏ , ମୁଁ ଜିତେ । ଏଠାରେ କେହି ଉତ୍ସାହ ଦେଵାକୁ ନଥିଵାରୁ ମୁଁ ଚୋର ଧରିପାରିଲି ନାହିଁ ।”

 ମଦନସିଂହଙ୍କ କଥା ଶୁଣି ମୁଖୁଆ ଏଥର ବୁଝିଗଲେ ଯେ ବାହାରୁ କାହାର ବଳିଷ୍ଠ ଦେହ ଦେଖି କାମ ଦେଵା ଉଚିତ୍ ନୁହେଁ । ତାର ‘ ସ୍ଵଭାଵ ଵିଷୟରେ ଯଥେଷ୍ଟ ଜ୍ଞାନ ରହିଥିଵା ଆଵଶ୍ୟକ । 

(ଓଡ଼ିଆ #ଜହ୍ନମାମୁଁ ପତ୍ରିକାର ୧୯୯୩ ଵର୍ଷ ଜାନୁଆରୀ ମାସରେ ପ୍ରକାଶିତ ଗଳ୍ପ / ହିନ୍ଦୀ #ଚନ୍ଦାମାମା ପତ୍ରିକାରେ ୧୯୯୨ ଵର୍ଷ ଡିସେମ୍ବର ମାସରେ दायित्व किसे सौंपे ନାମରେ ପ୍ରକାଶିତ ହୋଇଥିଲା‌ ।)