ଅଵନ୍ତୀ ଓ କୁସୁମପୁର ଦୁଇ ରାଜ୍ୟ ମଧ୍ୟରେ ଭଲ ସମ୍ପର୍କ ଥିଲା । ଅଵନ୍ତୀର ରାଜନର୍ତ୍ତକୀ କୌମୁଦୀ , ରାଜାଙ୍କ ଆଜ୍ଞାରେ କୁସୁମପୁର ଉତ୍ସଵରେ ଯୋଗଦେଵାକୁ ଯାଇଥିଲେ । ନୃତ୍ୟ ଶେଷ କରି ଫେରିଵା ରାସ୍ତାରେ ଜଙ୍ଗଲ ମଧ୍ୟରେ ଗୋଟିଏ ଡାକୁଦଳ ତାଙ୍କୁ ବନ୍ଦୀ କରି ତାଙ୍କ ଦଳପତିଙ୍କ ନିକଟକୁ ନେଇଗଲା । ତାଙ୍କ ଶିଵିକା ଵହନ କରୁଥିଵା ଲୋକମାନେ ଓ ସଙ୍ଗରେ ଥିଵା ସୈନ୍ୟମାନେ ମଧ୍ୟ ବନ୍ଦୀ ହେଲେ ।
କୌମୁଦୀ ଦଳପତିଙ୍କୁ କହିଲେ , “ତୁମେ ବୋଧହୁଏ ମୋତେ ଜଣେ ସାଧାରଣ ସ୍ତ୍ରୀଲୋକ ଭାବି ବନ୍ଦୀ କରିଛ । ମୁଁ ଅଵନ୍ତୀର ରାଜନର୍ତ୍ତକୀ । ମହାରାଜା ତ ନିଶ୍ଚୟ ଖବର ପାଇବେ ଏ ଵିଷୟରେ । ତା’ପରେ ଡାକୁ ହେଵାର ମଜା ପାଇଵ । ସୈନ୍ୟ ପଠାଇ ସେ ସମଗ୍ର ଜଙ୍ଗଲରୁ ଖୋଜି ତୁମକୁ ବାହାର କରିବେ ଓ ଦଣ୍ଡ ଦେବେ । ତେଣୁ ଚୁପ୍ଚାପ୍ ଛାଡ଼ିଦିଅ ।”
ଡାକୁମାନେ ତାଙ୍କ କଥାକୁ ଵିଶ୍ୱାସ କଲେ ନାହିଁ । ଭାବିଲେ ଭୁଲ୍ କଥା । ଡାକୁମାନଙ୍କ ମଧ୍ୟରୁ ଜଣେ କହିଲା , “ତୁମେ ଓ ରାଜନର୍ତ୍ତକୀ ? ଏକବାର ମିଥ୍ୟା କଥା । ଆଉ କିଛି ସମୟ ପରେ ହୁଏତ କହିଵ କି ତମେ ହେଉଛ ଆମ ଦେଶର ମହାରାଣୀ ।”
ସେ ଡାକୁର କଥା ଶୁଣି ଅନ୍ୟ ଡାକୁମାନେ ହସିପକାଇଲେ । ତହୁଁ ଡାକୁଙ୍କ ଦଳପତି କହିଲା , “ତୁମେ ନାଚ ଓ ପ୍ରମାଣ କର ଯେ ତୁମେ ହିଁ ରାଜନର୍ତ୍ତକୀ ।
କୌମୁଦୀ କହିଲେ , “ତୁମମାନଙ୍କ ପରି ଜଙ୍ଗଲର ଡାକୁମାନଙ୍କ ସମ୍ମୁଖରେ ନାଚ ? ଜାଣିରଖ ମୁଁ କେଵଳ ରାଜଦରବାରରେ ହିଁ ନାଚେ । ମୋତେ ମାରି ପକାଅ ପଛେ କିନ୍ତୁ ମୁଁ ଏଠାରେ ଆଦୌ ନାଚିବି ନାହିଁ ।”
କୌମୁଦିଙ୍କର ଵାକ୍ୟରେ ଦୃଢ଼ତା ଶୁଣି ଦଳପତି ଆଶ୍ଚର୍ଯ୍ୟ ହେଲା । ସେ ଭାବିଲା , “ନିଃସନ୍ଦେହ ଇଏ ରାଜନର୍ତ୍ତକୀ , ନହେଲେ ନିଜ ପ୍ରାଣକୁ ସେ ସମ୍ମାନ ପାଖରେ ଵିସର୍ଜନ ଦେଵାକୁ କିପରି ପ୍ରସ୍ତୁତ ହେଵ ?”
ସେ ତା’ର ଦଳର ଅନ୍ୟାନ୍ୟ ଡାକୁମାନଙ୍କୁ କହିଲା , “ଏମାନଙ୍କୁ ନେଇ ଜଙ୍ଗଲ ସେପାଖରେ ପହଞ୍ଚାଇ ଦିଅ ।” ସେମାନେ ଯଥାରୀତି ଦଳପତିଙ୍କ ଆଜ୍ଞା ପାଳନ କଲେ ।
(ଜହ୍ନମାମୁଁ ଅକ୍ଟୋବର ୧୯୯୫ରେ ପ୍ରକାଶିତ ଗଳ୍ପ)
No comments:
Post a Comment