Saturday, September 17, 2022

ମୂକ ଵଧିର

କଳିଙ୍ଗର ରାଜଧାନୀ ସିଂହପୁରରେ ମଦନ ଏକ ବିପଣୀ ଖୋଲିଥିଲା କିନ୍ତୁ ହଠାତ୍ କଳିଙ୍ଗ ଦେଶ ଉପରେ ଆକ୍ରମଣ ହୋଇଗଲାରୁ ରାଜଧାନୀରେ ଆର୍ଥିକ ତଥା ରାଜନୈତିକ ଅସ୍ଥିରତା ଯୋଗୁଁ ତାହାର ବେପାର ବୁଡି଼ଗଲା । ତହୁଁ ସେ ନିଜ ଗ୍ରାମ ହରିହରପୁରକୁ ବାହୁଡି଼ ଅଇଲା।

କିଛି ଦିନ ପରେ ତାଙ୍କ ଗାଆଁକୁ ତା ସାନମାମୁ ଦ୍ଵିତୀୟା ଓଷା ଭାର ନେଇ ଆସିଲେ । ମଦନର ମାମୁ ଜଣେ ବଡ଼ ଜଣାଶୁଣା ରାଜକର୍ମଚାରୀ ଥିଲେ ଏଵଂ ତାଙ୍କରି ସହାୟତା ଯୋଗୁଁ ମଦନ ରାଜଧାନୀରେ ବିପଣିଟିଏ ଖୋଲିଥିଲା । ଏବେ ବିପଣିରେ ଲାଗିଥିଵା ଅର୍ଥ ଚାଲିଯିଵା ଯୋଗୁଁ ମଦନ ଉପରେ ତା ମାମୁଙ୍କର ଭିତିରିଆ ରାଗଟିକେ ଥିଲା । 

ସେ ଯାହା ହେଉ ମାମୁଙ୍କୁ ଭେଟିଵାରୁ ମଦନ ତାଙ୍କୁ ଯୁହାରେ ହେଲା ଓ ଭଲ ମନ୍ଦ ପଚାରି ବୁଝିଲା। 

କଥା ପ୍ରସଙ୍ଗରେ ମଦନର ମାମୁ ତାକୁ ପଚାରିଲେ 

—ଆଉ କେବେ ଯାଉଛୁ ?

ସେ କହିଲା ଏବେ ତ ଆସିଛି ଦେଖାଯାଉ କୋଉ ପାଣି କୁଆଡ଼କୁ ଯାଉଛି ...! 

ମାମୁ—ତଥାପି ? 

ମଦନ—ହଁ କିଛି ଦିନ ଭିତରେ 
ଆଉ ଥରେ ସିଂହପୁର ଗଡ଼କୁ ଯିବି ତାପରେ କମ୍ଭୁକଟକକୁ ଯାଇ ଜଣେ କଵିଙ୍କୁ ଭେଟି ତାଙ୍କ ପାଖରେ କିଛି ଦିନ ରହିଵାର ଅଛି !!!

ମାମୁ—ସେଠାରେ କି କାମ ?

ମଦନ —ନା ସେମିତି କିଛି ନାହିଁ, କିଛି ଲୋକଙ୍କୁ ଭେଟିଵାର ଅଛି ଵିଶେଷକରି କିଛି କଵିଙ୍କ ସହିତ କାଵ୍ୟଚର୍ଚ୍ଚା ହେଵ ! ଆଉ କିଛି ନୁହେଁ !!!

ମାମୁ—ସେମାନେ କ'ଣ ତୋତେ ଖାଇଵାକୁ ଦେବେ ? ଆରେ ଆସିକି ବାହା ସାହା ହେଵାର ଵୟସ ହେଲାଣି ତଥାପି ସେ କାଵ୍ୟ କଵିତା ଶାସ୍ତ୍ରାଦି ଭିତରେ ମାତିଛୁ ? ଆଉ କେତେଦିନ ଏଇମିତି ପିଲାଳିଆମି କରୁଥିବୁ ?

ମଦନ ପ୍ରଥମେ ଭାବୁଥିଲା ତା ମାମୁ ତାହାର ମଙ୍ଗଳ ହେତୁକ ଏତେ କଥା କହିଛନ୍ତି କିନ୍ତୁ ପରେ ସେ ହୃଦୟଙ୍ଗମ କଲା ଯେ ତାହାର ମାମୁ ତାକୁ ଧନ ମାନ ସମ୍ମାନ ଓ କ୍ଷମତା ନଥିଵାରୁ ନ୍ୟୁନ ହୀନ ଵିଚାର କରି ଏଭଳି କହିଛନ୍ତି । 

ଏଣୁ ଯଥାଶୀଘ୍ର ନିଜ ଗ୍ରାମ ତ୍ୟାଗକରି ମଦନ ଯଜ୍ଞପୁର ନଗର ଅଭିମୁଖେ ଯାତ୍ରା ଆରମ୍ଭ କରିଦେଲା । ବାଟରେ ଥକା ଲାଗିଵାରୁ ଗୋଟିଏ ପୋଖରୀ ପାଖ ଏକ ଗଛରେ ଘୋଡ଼ାକୁ ବାନ୍ଧି ଗାଧୋଇଵାକୁ ଲାଗିଲା ।

ଏତିକିବେଳେ ଆଉ ଜଣେ ଲୋକ ସେହି ପୋଖରୀକୁ ଗାଧୋଇଵାକୁ ଆସିଲା । ସେହି ଲୋକଟି ଯେଉଁ ଗଛରେ ମଦନ ନିଜ ଘୋଡ଼ା ବାନ୍ଧିଥିଲା ସେଇ ଗଛରେ ନିଜ ଘୋଡ଼ାକୁ ବାନ୍ଧିଵାକୁ ଉଦ୍ୟତ ହୁଅନ୍ତେ ମଦନ ବଡ଼ ପାଟିରେ ତାକୁ କହିଲା "ହଇକିୟେ ଭାଇ ! ସେ ଘୋଡ଼ାଟା ମୋ ଘୋଡ଼ା ଆଉ ବହୁତ ଦୁଷ୍ଟ , ସେ ଗଛରେ ତମେ ତମ ଘୋଡ଼ା ନବାନ୍ଧି ଅନ୍ୟ ଗଛରେ ବାନ୍ଧ ‌। ”

ଦ୍ଵିତୀୟ ଲୋକଟି ମଦନର କଥାକୁ ସେତେ ଗୁରୁତ୍ଵ ନଦେଇ ଯୋଉ ଗଛରେ ମଦନ ନିଜ ଘୋଡ଼ା ବାନ୍ଧିଥିଲା ସେଇ ଗଛରେ ହିଁ ଆପଣା ଘୋଡ଼ା ବାନ୍ଧି ପୋଖରୀ ଭିତରକୁ ଚାଲିଆସିଲା । 

ମଦନର ଘୋଡ଼ା ତ ଦୁଷ୍ଟ ଥିଲା ଦ୍ଵିତୀୟ ଲୋକଟିର ଘୋଡ଼ା ତା ସହ ଲାଗିଵାରୁ ମଦନର ଘୋଡ଼ା ତାକୁ ମାରି ଦେଲା ...

ଦ୍ଵିତୀୟ ଲୋକଟି ଯେମିତି ଘୋଡ଼ା ଝଗଡ଼ା ଦେଖିଛି ହାଁ ହାଁ କହି ଗଛ ପାଖକୁ ଦୌଡ଼ିଗଲା ବେଳକୁ ତାହାର ଘୋଡ଼ା ଆଉ ଜୀଵନରେ ନଥିଲା । 

ଦ୍ଵିତୀୟ ଲୋକଟି ମଦନକୁ ଘୋଡ଼ା ମରିଵା ହେତୁ ଦାୟୀ କରି ତାଠୁ କ୍ଷତିପୂରଣ ଦାବି କଲା ହେଲେ ମଦନ ତା କଥା ଆଦୌ ଶୁଣିଲା ନାହିଁ । 


ସେଠୁ ସେମାନେ ଦୁଇଜଣ ସେ ଗାଆଁର ନ୍ୟାୟାଧିକାରୀଙ୍କ ପାଖକୁ ଗଲେ । ନ୍ୟାୟାଧିକାରୀ ପାଖରେ ପହଞ୍ଚିଯିଵାରୁ ଦ୍ଵିତୀୟ ଲୋକଟି ମଦନ ଉପରେ ନାନା ଦୋଷ ଲଗାଇ ତା ଘୋଡ଼ା ମରିଵା ହେତୁ ଦାୟୀ କରି କହି ଚାଲିଥାଏ । 

ଶେଷରେ ନ୍ୟାୟାଧିକାରୀ ମଦନକୁ ପଚାରିଲେ “ଆଚ୍ଛା ବାବୁ ! ତୁମେ ନିଜ ସମର୍ଥନରେ କିଛି କହିଵ କି ?” 

ମଦନ ହଠାତ୍ ବୁଝିପାରିଲା ନାହିଁ କ'ଣ କହିଵ ସେ କେଵଳ ଚାରିଆଡ଼କୁ ବଲ ବଲ କରି ଚାହୁଁଥାଏ” 

ସେଇଠୁ ନ୍ୟାୟାଧିକାରୀ ଵିରକ୍ତ ହୋଇ ବୋଇଲେ

“ଆରେ ୟେ ଲୋକଟିତ ଜଣେ ମୁକ କାଲ ଵ୍ୟକ୍ତି ଜଣାପଡ଼ୁଛି ଆଉ ତମେ ୟା ଉପରେ ଦୋଷାରୋପ କରୁଛ ?”

ଦ୍ଵିତୀୟ ଵ୍ୟକ୍ତିଟି ଆଉ ସହିପାରିଲା ନାହିଁ କହୁ କହୁ କହିଦେଲା 

“ୟେ ପୁଣି ମୁକ ଵଧିର ? ଆହେ ୟେ ପରା ନିଜେ ମୁଁ ଗଛରଜ ଘୋଡ଼ା ବାନ୍ଧୁଥିଵା ବେଳେ ଚିଲ୍ଲେଇକରି କହୁଥିଲା ମୋ ଘୋଡ଼ା ଦୁଷ୍ଟ ତୁମେ ଅନ୍ୟ ଗଛରେ ନିଜ ଘୋଡ଼ା ବାନ୍ଧ” 

କିନ୍ତୁ ନ୍ଯାୟାଧିକାରୀକୁ ତା କଥା ଵିଶ୍ଵାସ ହେଲାନାହିଁ ତେଣୁ ସେ ମଦନକୁ ନିର୍ଦ୍ଦୋଷ ଘୋଷଣା କଲେ । ସେଇଠୁ ମଦନ ଯଜ୍ଞପୁର ଆଡ଼କୁ ଘୋଡ଼ା ଝପଟାଇ ଚାଲିଗଲା...

(ଵି.ଦ୍ର :—ଜହ୍ନମାମୁଁ ପତ୍ରିକାରେ ପ୍ରକାଶିତ ଏକ ଗଳ୍ପକୁ ଉତ୍କଳୀୟ ଶୈଳୀରେ ଲେଖିଦେଇଛି । ମୂଳ ଗଳ୍ପଟି ୧୯୭୮ ହିନ୍ଦୀ ଚନ୍ଦାମାମା ଜାନୁଆରୀ ସଂଖ୍ୟାର ଏଵଂ ନାମ ଥିଲା मूक आदमी । ପ୍ରକୃତରେ ଏହା ସତ୍ୟଘଟଣାକୁ ଗଳ୍ପର ରୂପ ଦେଵାର ଏକ ନିରର୍ଥକ ପ୍ରୟାସ ମାତ୍ର...🙄 )

No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...