କନ୍ତିଓ ପୁଟସାହି ଗ୍ରାମ ପଞ୍ଚାୟତର ଜକା ଗ୍ରାମଵାସିନ୍ଦା ଜଗବନ୍ଧୁ ବାବୁ ଆମ ଭାଲିଆତୈଳାର ମଧ୍ୟଭାଗରେ
ବଡ଼ ଦୋକାନଟିଏ ଦେଇଥିଲେ । ଏହା ଆଜକୁ ପାଖାପାଖି ଚାଳିଶ ଵର୍ଷ ତଳର କଥା । ସେତେବେଳେ ଆମ ପଞ୍ଚାୟତ ତଥା ଆଖପାଖ ଗ୍ରାମର ଲୋକେ ତାଙ୍କୁ ଆଦରରେ ଜଗବାବୁ ଡାକୁଥିଲେ । ସେସମୟରେ ଜଗବାବୁଙ୍କ
ଦୋକାନ ଭାଲିଆତୈଳା ତଥା କନ୍ତିଓ ପୁଟସାହି ପଞ୍ଚାୟତର ସବୁଠାରୁ ବଡ଼ ଦୋକାନ ଥିଲା ।
ଅଵଶ୍ୟ ଆମ ସାହିରେ ସେତେବେଳେ ବାଣି ତେଲୀ, କୈଳାସ ପଣ୍ଡା,ବ୍ରହ୍ମାପଣ୍ଡା ଓ ଧନୀ ଜେନା ଆଦିଙ୍କ ଦୋକାନ ମଧ୍ୟ ଥିଲା ।
କିନ୍ତୁ ଜଗବାବୁଙ୍କ ଦୋକାନ ବହୁତ ବଡ଼ ଥିଲା । ପୁରୁଖା ଲୋକେ କୁହନ୍ତି ଅନ୍ୟ କୋଉଠି ମିଳୁ କି ନମିଳୁ ସେତେବେଳେ ଲୋକ ଉଣ୍ଡୁଥିଵା ସବୁ ଦରଵ ଜଗବାବୁଙ୍କ ଦୋକାନରେ ମିଳୁଥିଲା ।
ସେ ଯେଉଁ ସ୍ଥାନରେ ଦୋକାନ ଦେଇଥିଲେ ସେ ଯାଗାଟି ପ୍ରକୃତରେ ସୁମନ୍ତ ପ୍ରଧାନ, ଲେମ୍ବୁଆ ପ୍ରଧାନ,ରତନା ପ୍ରଧାନ ଓ ଡମ୍ବରୁ ପ୍ରଧାନ ଭାଇଙ୍କର ଥିଲା ଏଵଂ ସେ ଟଙ୍କା ଦେଇ ସେ ସ୍ଥାନ କିଣି ସେଠାରେ ଇଟାର ଦୁଇ ବଖରା କୋଠାଘର କରାଇଥିଲେ ।
ଜଗବାବୁଙ୍କ ଦୋକାନରେ ପ୍ରସାଧନ ସାମଗ୍ରୀଠାରୁ ତେଜରାତି ସାମଗ୍ରୀ ଯାଏଁ ସବୁ ମିଳୁଥିଲା । ଵୟସ୍କ ଲୋକେ କୁହନ୍ତି ତାଙ୍କ ଦୋକାନ ଛୋଟିଆ ଗୋଦାମ ଭଳି ଥିଲା । କେତେକ ଵର୍ଷ ନିଜେ ଦୋକାନ ଚଳାଇଵାପରେ ଜଗବାବୁଙ୍କ ଚାକିରୀ ଆମ କନ୍ତିଓ ପୁଟସାହି ପଞ୍ଚାୟତ ଉଚ୍ଚ ଵିଦ୍ୟାଳୟରେ ହୋଇଗଲା । ତେଣୁ ସେ କେତେକ ପିଲାଙ୍କୁ ଦୋକାନ ସମ୍ଭାଳିଵା କାର୍ଯ୍ୟ ଦେଇ ଵିଦ୍ୟାଳୟରେ ପଢ଼ାଇଵାକୁ ଯାଉଥାନ୍ତି ।
ଜଗବାବୁଙ୍କ ଦୋକାନରେ ସୁମାରି ଜାଣିଥିଵା ପିଲାଏ ସକାଳେ ଓ ବେଳେବେଳେ ସନ୍ଧ୍ୟାରେ ମଧ୍ୟ ଯାଇ ବସୁଥିଲେ । ଆମ ବାପା ମଧ୍ୟ ବେଳେ ବେଳେ ଯାଇ ଜଗବାବୁଙ୍କ ଦୋକାନରେ ବସି ବିକିଥିଵା କଥା କହିଥାନ୍ତି । ସେ ଯାହାହେଉ ଜଗବାବୁଙ୍କ ଦୋକାନରେ ଵିଶେଷ କରି ଧରଣୀ ଜେନା ହିଁ ବସୁଥିଲେ ଓ ଦୋକାନ ସମ୍ଭାଳିଵାରେ ତାଙ୍କ ଯୋଗଦାନ ସର୍ଵାଧିକ ରହୁଥିଲା ।
ଜଗବାବୁଙ୍କର ଦୋକାନରୁ ବହୁତ ଲାଭ ହେଉଥିଲା କିନ୍ତୁ ଗୋଟିଏ ପଟେ ଦୋକାନ ଆଉ ଏକ ପଟେ ସରକାରୀ ଚାକିରୀ ଉଭୟ ମଧ୍ୟରେ ଶେଷକୁ ଚାକିରୀକୁ ଅଧିକ ମହତ୍ତ୍ଵ ଦେଵାକୁ ଲାଗିଲେ । ଧରଣୀ ଜେନାଙ୍କୁ ଯୋଗ୍ୟ ଜାଣି କେତେକ ଦିନ ପରେ ଜଗବାବୁ ନିଜ ଦୋକାନ ଧରଣୀ ଜେନାଙ୍କୁ ସମ୍ପୂର୍ଣ୍ଣ ଦେଇଦେଇଥିଲେ । ଧରଣୀ ଜେନା କେତେକ ଦିନ ଯାଏଁ ସୁରୁଖୁରୁରେ ଦୋକାନ ଚଳାଇଲେ ।
ସେଇଦିନିଆ ଥରେ କଣ୍ଟାପାଳର ଦୁଇଜଣ ଲୋକ ଧରଣୀଜେନାଙ୍କ ଦୋକାନକୁ ବାକି ପାଇଁ ଆସିଲେ କିନ୍ତୁ ଧରଣୀବାବୁ ବାକି ତ ଦେଲେ ନାହିଁ ଓଲଟା ସେମାନଙ୍କୁ ବହେ ଅପମାନ କଲେ । ସେମାନେ ଅଭାଵୀ ଲୋକ ଥିଲେ ତାଙ୍କୁ ସେସବୁ କଥା ବହୁତ ବାଧିଲା । ସେମାନେ ଧରଣୀ ଜେନାଙ୍କର ଦୋକାନ ଚୋରୀ କରିଵାକୁ ଯୋଜନା କରି ଦଣ୍ଡା ବାଟେ ଘରକୁ ଫେରିଲେ । ବାଟ ଯାକ ସୋଦି ସୋଦି ଚଦି ଚଦି ଗଲେ । ସେଦିନିଆ ଧରଣୀ ଜେନାଙ୍କର ବାପା ଦୋକାନ ବାରଣ୍ଡାରେ ଶୋଉଥାନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୋ ଆଈଘର ଜଗବାବୁଙ୍କ ଦୋକାନର ଉତ୍ତର(ମାନଚିତ୍ରରେ ପଶ୍ଚିମ) ପଟରେ ରହିଥିଲା ଏଵଂ ମୋ ଆଈ ଶ୍ରୀମତି ପାର୍ଵତୀ ସାହାଣୀ ସେ ସମୟରେ ଗାଆଁରେ ରହୁଥିଲେ ।
ସେଦିନ ସୋମବାର ଥିଲା । ମୋ ଆଈ ପାର୍ଵତୀ ସାହାଣୀଙ୍କର ଦେହ ଭଲ ନଥିଲା ତେଣୁ ସେ ରାତିଯାକ ଶୋଇପାରି ନଥିଲେ ଏଵଂ ବାରମ୍ବାର ବାରିପଟକୁ ଯାଆ ଆସ କରୁଥାନ୍ତି । ରାତି ତିନିଟାରେ ମୋ ଆଈ ବାରିପଟେ ଥିଲାବେଳେ ତାଙ୍କୁ କେତେକ ଅସ୍ପଷ୍ଟ ଶବ୍ଦ ଶୁଣାଗଲା । କେହି ଜଣେ ଗାଳି କରୁଥିଵାର ସେ ଶୁଣିଵାକୁ ପାଇଲେ । ସେ ଯୁଗରେ ଜଗବାବୁଙ୍କ ଦୋକାନ ବରଣ୍ଡାରେ ଭେଣ୍ଡିଆମାନେ ବସି ରାତିରେ ଗୁଲିଖଟି କରନ୍ତି । ତେଣୁ ଆଈ ଅଧିକ ଧ୍ୟାନ ନଦେଇ ଶୋଇପଡି଼ଲେ ।
କଣ୍ଟାପାଳିଆ ଚୋର ସେତେବେଳକୁ ଜଗବାବୁଙ୍କ ଦୋକାନ ପଛକଟରେ ଥିଵା ଜହ୍ନରା ନଟି ଭିତରେ ପଶି ସିନ୍ଧିଗାତ ଖୋଳୁଥାନ୍ତି ଆଉ ଧରଣୀ ଜେନାଙ୍କୁ ଅସ୍ପଷ୍ଟ ଶବ୍ଦରେ ସୋଦୁଥାନ୍ତି । ସେତେବେଳେ ଜଗବାବୁଙ୍କ ଦୋକାନ ପଛପଟେ ଜହ୍ନରା ନଟି ଥିଲା ତେଣୁ ଲୋକେ ଏମାନଙ୍କୁ ଦେଖିଵା ସହଜ ନଥିଲା ।
ଚୋରମାନେ ସିନ୍ଧି ଖୋଳି ଦୋକାନରେ ଯାହା ଥିଲା ସବୁ ନେଇଗଲେ । ସକାଳୁ ଦେଖିଲାବେଳକୁ ଦୋକାନରେ କାଣି କଉଡି଼ଟିଏ ବି ନଥିଲା । ସେ କାଳରେ ଲୋକେ ପୋଲିସକୁ ଫେରାଦ ଦେଵାକୁ ଡରୁଥିଲେ ,ନାଲିପଗଡି଼ ଦେଖିଲେ ଲୋକଙ୍କ ବୁଦ୍ଧି ହଜିଯାଉଥାଇ । ତେଣୁ ଆଗେ କୁଲାବୁଲା ହେଲା ,ନଖ ଦର୍ପଣ ହେଲା କିନ୍ତୁ ଚୋରର ନାଆଁ ଗାଆଁ ଠିକଣା ଜଣାଗଲା ନାହିଁ । କିଛି ଫଳ ନମିଳିଵାରୁ ଶେଷକୁ ପୋଲିସ ପାଖକୁ କଥା ଗଲା ।
କୁଲାବୁଲା କ'ଣ ବୋଇଲେ ଆଜିକାଲିର ଲୋକେ ବୋଧହୁଏ ବୁଝିନପାରନ୍ତି ତେବେ ଆଗେ କୌଣସି ଵସ୍ତୁ ଚୋରି ଗଲେ ଚୋରର ନାମ ଜାଣିଵା ପାଇଁ ଗୋଟିଏ କୁଲାକୁ କଇଁଚି ଵା କଣ୍ଟାମୁନ ଉପରେ ରଖି ମନ୍ତ୍ର ପଢ଼ି ଯାହା ନାମ ଧରିଲାକ୍ଷଣି କୁଲାଟା ବୁଲିଯାଏ ସେହି ଵ୍ୟକ୍ତି ଚୋର ବୋଲି ଅନୁମାନ କରାଯାଏ , ଏପରି ରୀତିରେ ଯେ ଚୋର ଧରାଯାଉଥାଇ । ପୁଣି ନଖଦର୍ପଣ ଦ୍ଵାରା ନଖକୁ ଦର୍ପଣ କରି ଗୁଣିଆମାନେ ଅତୀତରେ ଘଟିତ ଘଟଣା ଦେଖିପାରନ୍ତି ବୋଲି କହିଥାନ୍ତି ।
ତେବେ ଦୋକାନ ଚୋରୀ ହେଵା ପରେ ଧରଣୀଜେନାଙ୍କ ବାପା ହଟିଆ ଜେନା ବହୁତ ରାଗିଗଲେ । ସେ ଦୋକାନ ପଛପଟେ ଉଠିଥିଵା ଜହ୍ନରା ଗଛ ଓପାଡି଼ ପକାଇଲେ । କଣ୍ଟାପାଳିଆ ଚୋର ଦୋକାନ ଚୋରୀ କରିଛନ୍ତି ବୋଲି ସମସ୍ତେ ଅନୁମାନ କଲେ କିନ୍ତୁ ଯେଉଁମାନଙ୍କୁ ସନ୍ଦେହ କରାଯାଉଥିଲା ସେମାନଙ୍କୁ ଆଉ କେବେ ଏ ଅଞ୍ଚଳରେ ଦେଖାଯାଇନଥିଲା ।
ଜହ୍ନରା ଗଛ ନାଆଁ ଶୁଣି ମୋ ମନରେ ସନ୍ଦେହ ହେଵାରୁ ମାଆଙ୍କୁ ପଚାରିଲି ସେ ଗଛଟା କେମିତିଆ ?
ମାଆ କହିଲେ ଜହ୍ନରା ଗଛ ଦେଖିଵାକୁ ମକାଗଛ ଭଳି ଏଵଂ ଜହ୍ନରା ଗଛର ଫୁଲ ମଧ୍ୟ ମକା ଗଛର ଫୁଲ ପରି କିନ୍ତୁ ଜହ୍ନରା ଗଛର ଶସ୍ୟ ପେଣ୍ଡା ପେଣ୍ଡା ହୋଇ ଫଳିଥାଏ । ମୋର ମନେ ପଡ଼ିଲା ଏମିତି ଏକ ଗଛକୁ ହିନ୍ଦୀରେ ज्वार କହିଥାନ୍ତି । ମାଆଙ୍କୁ Sorghum bicolor ଖାଦ୍ୟଶସ୍ଯର ଚିତ୍ର ଦେଖାଇଲି । କେତେକ ଚିତ୍ର ଦେଖାଇଲାପରେ ମାଆ କହିଲେ ହଁ ଜହ୍ନରା ଗଛ ଏହିପରି ହୋଇଥାଏ । Sorghum ଜାତୀୟ ଗଛକୁ ଭାରତରେ
ଯଵନାଳ,ଯଵାକାର ଓ ଜୂର୍ଣ୍ଣ ଆଦି କୁହାଯାଉଥିଲା ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଜୁଆର ଶବ୍ଦ ତଳେ ଏ ଗଛ ଵିଷୟରେ ନିମ୍ନୋକ୍ତ ଦ୍ରଷ୍ଟଵ୍ୟ ରହିଛି...
“ଏ ଗଛ ଆଖୁ ପରି ବଢ଼େ, ଏଥିର ନଡ଼ା ଶକ୍ତ ଓ ସିଧା । ଏଥିରେ ପେଣ୍ଡା ପେଣ୍ଡା ହୋଇ ଅଗରେ କେଣ୍ଡାମାନ ଧରେ। ଭାରତର ଉତ୍ତରପଶ୍ଚିମ ପ୍ରଦେଶମାନଙ୍କରେ, ପଞ୍ଜାବ, ବୋମ୍ବାଇ ଓ ମାନ୍ଦ୍ରାଜ, ଅଞ୍ଚଳରେ ଏହାର ଚାଷ ହୁଏ। ଏହା ସେ ଅଞ୍ଚଳରେ ମନୁଷ୍ୟମାନଙ୍କର ଗୋଟିଏ ପ୍ରଧାନ ଖାଦ୍ୟ। ଏହା ବର୍ଷା ଓ ଶୀତ ଋତୁରେ ଫଳେ।”
ଜହ୍ନରାକୁ ପ୍ରାଚୀନ କାଳରେ ଦେଵଧାନ୍ୟ କୁହାଯାଉଥିଲା ଫଳତଃ ଓଡ଼ିଶାରେ ପରେ ଏହାର ଏକ ଦେଶଜ ନାମ ପ୍ରଚଳିତ ହେଲା "ଦେଧାନ" । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଦେଧାନ ଶବ୍ଦର ଅର୍ଥ ଯଵନାଳ ଓ ଜୁଆରା ଲେଖାଅଛି ।
ଭାଷାକୋଷରେ ଦେଧାନର ଵୈଦ୍ୟକଗୁଣ ଉଲ୍ଲେଖ କରିଵାକୁ ଯାଇ କୁହାଯାଇଛି ଯେ "ଏହା ଶୀତଳ, ମଧୁର, କଷାୟ ରସ, ଲୋହିତ ଵର୍ଣ୍ଣ, ଶ୍ଳେଷ୍ମା ଓ ପୀତନାଶକ, ଅଵୃଷ୍ୟ, ରୁକ୍ଷ, ଲଘୁ ଓ କ୍ଳେଦକାରକ। ଭାରତର ଉତ୍ତର ପଶ୍ଚିମ ଅଞ୍ଚଳରେ ଏହାର ନଡ଼ାକୁ ଗୋରୁ ଖାଆନ୍ତି।”
କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଵା କଥିତ ଓଡ଼ିଆ ଶବ୍ଦକୋଷରେ ଢେଙ୍କାନାଳରେ ପ୍ରଚଳିତ ଥିଵା ଜହ୍ନରା ଶବ୍ଦ ସ୍ଵତନ୍ତ୍ର ଭାବେ ଉଲ୍ଲେଖ କରାଯାଇନାହିଁ ।
ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଜହ୍ନା ଶବ୍ଦ ଵିଷୟରେ ଅନେକ କଥା ଉଲ୍ଲେଖ କରାଯାଇଛି ।
ଭାଷାକୋଷ ଅନୁସାରେ ଓଡ଼ିଶାରେ ଜହ୍ନା ବୋଲି ଏକ ଖାଦ୍ୟଶସ୍ୟ ଆଗେ ଚାଷ କରାଯାଉଥିଲା ଏଵଂ ସେହି ଶବ୍ଦର ଅନ୍ୟ କେତେକ ରୂପ ହେଲା ଜନାର ଓ ଜହ୍ନାର ।
ସମ୍ଭଵତଃ ଏହି ଜହ୍ନା ଶବ୍ଦର ଅନ୍ୟ ଏକ ରୂପ ଢେଙ୍କାନାଳରେ ପ୍ରଚଳିତ ଥିଵା ଜହ୍ନରା ଶବ୍ଦ ଅଟେ ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ଖାଦ୍ୟଶସ୍ୟକୁ ଜହ୍ନା,ଜନାର୍,ଜନା ଓ ଜହ୍ନରା କୁହାଯାଉଥିଲା ।
ଢେଙ୍କାନାଳ ଭଳି କେତେକ ଅଞ୍ଚଳରେ Sorghum ଜାତୀୟ ଗଛକୁ ଜହ୍ନା ତଥା ଜହ୍ନରା କୁହାଯାଉଥିଲା । ଭୁଟ୍ଟା, ଜନାର ଵା ବାଜରା ଜାତୀୟ ଗଛକୁ କେତେକ ଅଞ୍ଚଳରେ ଲୋକେ ଜହ୍ନା କହୁଥିଲେ । ଫୁଟିଫୁଟିକା ଵା ଅମରପୋଇ ଗୁଳ୍ମକୁ ମଧ୍ୟ କିଛି ଅଞ୍ଚଳରେ ଜହ୍ନା କୁହାଯାଉଥିଲା । ଓଡ଼ିଶାର ପଶ୍ଚିମାଞ୍ଚଳରେ ସେହିପରି ମକାକୁ ଜନା କୁହାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଲିଖିତ ହୋଇଛି । ଭାଷାକୋଷରେ ଜହ୍ନରାର ଆଉ ଏକ ପ୍ରତିଶବ୍ଦ ପନରା ମଧ୍ୟ ମିଳିଲା ।
ଏବେ ପୂର୍ଵ କଥାକୁ ଫେରିଵା...
ଜଗବାବୁଙ୍କ ଦୋକାନ ଧରଣୀଧର ଜେନାଙ୍କୁ ମିଳିଵା ପରେ ସେ କେତେକ ଦିନ ତାକୁ ଉତ୍ତମ ଭାବରେ ଚଳାଇଥିଲେ କିନ୍ତୁ ସେ ଦୋକାନ ଚୋରୀ ଯିଵାରୁ ତାଙ୍କ ମନୋଵଳ ଭାଙ୍ଗିଗଲା ।
ହେଲେ କିଛି ଦିନ ପରେ ଧରଣୀଧର ଜେନା ନିଜ ପୈତୃକ ଗୃହ ସମ୍ମୁଖରେ ଦୋକାନଟିଏ କରିଲେ କିନ୍ତୁ ତାହା ଜଗବାବୁଙ୍କ ଦୋକାନ ପରି ସେତେ ଉଧେଇ ପାରିଲା ନାହିଁ ତେଣୁ ଭାଙ୍ଗିଗଲା । ତାପରେ ସେ ଅନେକ ଵର୍ଷ କଟକନଗରରେ କଦଳୀ ବେପାର କରିଲେ ଏଵଂ ଦୁଇପୁତ୍ର ତଥା ଚାରି କନ୍ୟାଙ୍କୁ ମଣିଷ କଲେ ।
ଜଗବାବୁଙ୍କ ଦୋକାନ ଚୋରୀ ହେଵାର ଅନେକ ଵର୍ଷ ପରେ ମୋହର ଜନ୍ମ ହେଵାରୁ ଆମ ବାପା ଆଳୁ ବେପାର ଛାଡ଼ି ଜଗବାବୁଙ୍କର ଯୋଉଠି ଦୋକାନ ଥିଲା ତହିଁର ଉତ୍ତର(ମାନଚିତ୍ରରେ ପଶ୍ଚିମ)କୁ ମୋ ଆଈଙ୍କ ଘରର ବରଣ୍ଡାରେ ଦୋକାନଟିଏ ଦେଲେ ।
ଜଗବାବୁ ତ ତାଙ୍କ ଦୋକାନକୁ ସମ୍ପୂର୍ଣ୍ଣ ଭାବେ ଧରଣୀ ଜେନାଙ୍କୁ ସମର୍ପି ଦେଇଥିଲେ ତେଣୁ ଦୋକାନ ଚୋରୀ ଘଟଣା ତାଙ୍କୁ ସେତେଟା ଆହତ କରିନଥିଲା । ସେ ଅନେକ ଵର୍ଷ ଯାଏଁ ଵିଦ୍ଯାଳୟରେ ଶିକ୍ଷକତା କଲେ । ଦିନେ ତାଙ୍କ ସ୍ତ୍ରୀଙ୍କ ସହିତ କୌଣସି ଘଟଣାକୁ ନେଇ ମନାନ୍ତର ହେଵାରୁ ଘର ଛାଡ଼ି କୁଆଡେ଼ ଚାଲିଗଲେ ଯେ ଚାଲିଗଲେ । ସେ ମଲେଣି କି ବଞ୍ଚିଛନ୍ତି ସେକଥା କେହି ଜାଣନ୍ତି ନାହିଁ ଯଦି କିଏ ଜାଣିଥିବେ ସେ କେଵଳ ସେଇ କାଳିଆ ସାଆନ୍ତ।
ଲୋକେ ଵିଶ୍ଵାସ କରନ୍ତି ଯେ ଯୋଉ ଦିନଠାରୁ ଜଗବାବୁଙ୍କ ଦୋକାନ ପଛପଟରୁ "ଜହ୍ନରା ଗଛ" ଓପଡ଼ାଗଲା ସେଦିନଠାରୁ ସେ ଗଛ ଆଉ ଆମ ଅଞ୍ଚଳରେ ଦେଖାଗଲା ନାହିଁ । ସତେ ଯେମିତି ଚୋରୀର ଦୋଷୀ ଭାବେ ଦୈଵ ଦଣ୍ଡ ଲଭି ସେ ଗଛ ଆଉ କୋଉଠି ଉଠିଲା ନାହିଁ ।
No comments:
Post a Comment