My Blog List

Showing posts with label ଖେଳ. Show all posts
Showing posts with label ଖେଳ. Show all posts

Sunday, January 2, 2022

ହଜିଯାଉଛି ପାରମ୍ପରିକ ବରଡ଼ାପେଣ୍ଡୁ

ପ୍ରାଚୀନ କାଳରୁ ଭାରତରେ ପେଣ୍ଡୁଖେଳ ଥିଵାର ପ୍ରମାଣ ମହାଭାରତ ଓ ଏହାର ଉଚ୍ଛିଷ୍ଟ ପର୍ଵ ହରିଵଂଶପର୍ଵରୁ ଜଣାଯାଏ । ପୁରାଣ କଥାନୁସାରେ ଶ୍ରୀକୃଷ୍ଣ ତାଙ୍କର ବନ୍ଧୁମାନଙ୍କ ସହ saven stone game ଵା ସପ୍ତପ୍ରସ୍ତର କ୍ରୀଡ଼ାଦି ଖେଳୁଥିଲେ । ପାଣ୍ଡଵମାନଙ୍କର ପେଣ୍ଡୁ କୂପ ମଧ୍ୟରେ ପତିତ ହେଵାରୁ ଦ୍ରୋଣାଚାର୍ଯ୍ୟ ତାକୁ କାଠି ସାହାଯ୍ୟରେ ବାହାର କରିଦେଇଥିଵାର କାହାଣୀ ମଧ୍ୟ ରହିଛି ‌ । ପ୍ରାଚୀନ ଭାରତରେ ପେଣ୍ଡୁକୁ କନ୍ଦୁକ, ଗିନ୍ଦୁକ,ଗଣ୍ଡୁକ,ଗୋଳା,ପିଣ୍ଡ,ଗୋଲକ,ଗୁଟିକା,ଗୁଡ଼କ,ଗୁଲିକା, ପତଗ,କୂର୍ଚ,ବଟକ,ପିଣ୍ଡି,ଅଷ୍ଠୀଳ,ଲୁଣ୍ଡିକା,ଗଣ୍ଡକା,ମଣ୍ଡଳ,ଗେଣ୍ଡୁ,ଗ୍ଲୌ ଆଦି କୁହାଯାଉଥିଲା । 

 ଭାରତରେ ପ୍ରାଚୀନ କାଳରେ କନାରେ ଗୁଡା଼ଇ ପେଣ୍ଡୁ ତିଆରି କରାଯାଇଥିଲା ତେବେ ଓଡ଼ିଶାରେ ତାଳ ପତ୍ରରେ ମଧ୍ୟ ପେଣ୍ଡୁ ତିଆରି କରି ପିଲାମାନେ ଖେଳୁଥିଲେ । ଓଡ଼ିଶାର ଅନ୍ୟ ଅଞ୍ଚଳରେ ବରଡ଼ାପେଣ୍ଡୁ ଗଢ଼ାଯାଉଥିଲା କି ନାହିଁ ତାହା ଅସ୍ପଷ୍ଟ ତେବେ ଢେଙ୍କାନାଳର ଗ୍ରାମାଞ୍ଚଳରେ ଆଗେ ପିଲାଏ ତାଳ ବରଡ଼ାରେ ଏକପ୍ରକାରର ପେଣ୍ଡୁ ତିଆରି କରି ଖେଳୁଥିଲେ । 

 
ନବେ ଦଶକ ସମୟର ଢେଙ୍କାନାଳ ଗଡ଼ଜାତରେ ଏହି ଜାତୀୟ ବରଡ଼ା ପେଣ୍ଡୁଦ୍ଵାରା ବେସ୍‌ବଲ୍, କ୍ରିକେଟ୍ ଓ ପାରମ୍ପରିକ ସେକା ତଥା ଫେଣ୍ଡୁଧରା ଖେଳଗୁଡି଼କ ଵିଶେଷ ଭାବରେ ଖେଳାଯାଉଥିଲା‌।‌ ପିଲାଏ ଆଵଶ୍ୟକତା ଅନୁଯାୟୀ ଵିଭିନ୍ନ ପ୍ରକାରର ବରଡ଼ା ପେଣ୍ଡୁ ତିଆରି କରୁଥିଲେ ଓ ତାକୁ ତାଳ କୋରଟର ଦାଣ୍ଡୁ ଵା ବ୍ୟାଟ୍ ସାହାଯ୍ୟରେ ନାନାପ୍ରକାରର ଖେଳ ଖେଳୁଥିଲେ । 

ଯଥା—
କ)ଗୋଡି଼ଦିଆ ବରଡ଼ାପେଣ୍ଡୁ
ଏହି ଜାତୀୟ ପେଣ୍ଡୁରେ ଛୋଟ ଛୋଟ ଗୋଡି଼ ଦିଆଯାଇଥାଏ ଫଳତଃ ଏହା ଭାରୀ ହୋଇଥାଏ । ଏଭଳି ପେଣ୍ଡୁ ଅନ୍ୟଜାତୀୟ ପେଣ୍ଡୁ ଅପେକ୍ଷା ଅଧିକ ଗଢ଼ା ଯାଉଥିଲା । କ୍ରିକେଟ୍ ଓ ବେସବଲ୍ ଖେଳ ପାଇଁ ଏହାର ଵ୍ୟଵହାର ଵୟସ୍କ ପିଲାଏ ଅଧିକ କରୁଥିଲେ କାରଣ ଏ ଜାତୀୟ ବରଡ଼ା ପେଣ୍ଡୁ ଭାରୀ ହେଉଥିଵାରୁ ଛୋଟ ପିଲା ଏଗୁଡ଼ିକ ଧରିଵା ସମୟରେ ସେମାନଙ୍କ ହାତ ମାଡ଼ ହେଵାର ଭୟ ରହୁଥିଲା ।

ଖ)ପତ୍ରଦିଆ ବରଡ଼ାପେଣ୍ଡୁ
କ୍ରିକେଟ୍,ସେକାଖେଳ ,ପେଣ୍ଡୁଧରା ଖେଳ ଓ ବେସବଲ୍ ଭଳି ଖେଳରେ ପେଣ୍ଡୁ ହାତ ଓ ଦେହରେ ମାଡ଼ହୋଇଯିଵାର ଭୟ ଅଧିକ ଫଳତଃ ଅନେକେ ପତ୍ରଦିଆ ବରଡ଼ାପେଣ୍ଡୁରେ ଖେଳିଵାକୁ ପସନ୍ଦ କରୁଥିଲେ । ଏହି ଜାତୀୟ ପେଣ୍ଡୁରେ ଗୋଡ଼ି ପରିଵର୍ତ୍ତେ ହାଲୁକା ଓଜନର ପତ୍ର ଵ୍ୟଵହାର ହେଉଥିଲା ।ଆମ ଅଞ୍ଚଳରେ ଆମେ ଫୁଲୁରୀ(ପାରିମାଳ, କାମାକ୍ଷାନଗର ଆଞ୍ଚଳରେ Chromolaena odorata ଗଛକୁ ଫୁଲୁରୀ କୁହାଯାଏ)ନାମକ ଗଛର ପତ୍ରକୁ ବରଡ଼ାପେଣ୍ଡୁରେ ଵ୍ୟଵହାର କରୁଥିଲୁ । 

ଗ)କାଗଜ଼ଦିଆ ବରଡ଼ାପେଣ୍ଡୁ 
ଏହି ଜାତୀୟ ବରଡ଼ାପେଣ୍ଡୁରେ ଅଲୋଡ଼ା ନଷ୍ଟଯୋଗ୍ୟ କାଗଜ଼ ଵ୍ୟଵହାର କରାଯାଉଥିଲା । ତେବେ ଏଭଳି ବରଡ଼ାପେଣ୍ଡୁର ଵ୍ୟଵହାର କେଵଳ ଖରାଦିନଗୁଡି଼କରେ ହେଉଥିଲା । ପାଣିରେ ପଡି଼ଲେ ପେଣ୍ଡୁ ଭିତରର କାଗଜ ଓଦା ହେଵା ଯୋଗୁଁ ନାନା ଅସୁଵିଧା ସୃଷ୍ଟି ହେଉଥିଵା ହେତୁ ଏ ଜାତୀୟ ବରଡ଼ାପେଣ୍ଡୁ ବ଼
 ବହୁତ କମ୍ ଗଢା଼ ଯାଉଥିଲା । ଏତଦ୍‌ଵ୍ୟତୀତ ମଣ୍ଡା ସୂର୍ଯ୍ୟମୁଖୀ ଫୁଲଠାରୁ ଆରମ୍ଭ କରି ରବର ଯାଏଁ ପିଲାଏ ବରଡା଼ପେଣ୍ଡୁ ମଧ୍ୟରେ ଵ୍ୟଵହାର କରି ଜାତିଜାତିକା ପେଣ୍ଡୁ କରୁଥିଲେ । 

ପେଣ୍ଡୁକୁ ଭଲ ଡିଆଁଇଵା ତଥା କ୍ରିକେଟ୍ ଆଦି ଖେଳରେ ଦୀର୍ଘସ୍ଥାୟୀ କରିଵାପାଇଁ ଅଧିକରୁ ଅଧିକ ବରଡା଼ରେ ବଡ଼ ବଡ଼ ପେଣ୍ଡୁ କରାଯାଉଥିଲା । ଏହି ପେଣ୍ଡୁ ତିଆରି କରିଵାପାଇଁ ତାଳପତ୍ର ବରଡ଼ାରୁ ସର୍ଵନିମ୍ନ ତିନୋଟି ପତ ଆଵଶ୍ୟକ ହେଉଥିଲା । 


ପ୍ରଥମେ ଗୋଟିଏ ବରଡ଼ାପତକୁ ଆଵଶ୍ୟକ ପେଣ୍ଡୁ ଆକାର ଆଧାରରେ ଅଣ୍ଡାକାର ଭାବରେ ମୋଡା଼ଯାଏ ।‌

।‌ ଅନ୍ୟ ଏକ ବରଡ଼ା ପତକୁ ସେହିପରି ସମାକାରରେ ମୋଡ଼ି ପ୍ରଥମେ ମୋଡା଼ଯାଇ ହାତରେ ଧରାଯାଇଥିଵା ବରଡ଼ାପତ ମଧ୍ୟରେ ପୁରେଇଦିଆଯାଏ ।




ଉଭୟ ବରଡା଼ପତ ମଧ୍ୟରେ ଥିଵା ଖାଲିସ୍ଥାନ ମଧ୍ୟରେ ଆଵଶ୍ୟକ ଅନୁଯାୟୀ ଗୋଡ଼ି,କାଗଜ କିଂଵା ପତ୍ର ଦିଆଯାଏ  ।


 ଏହାପରେ ତୃତୀୟ ବରଡ଼ାପତକୁ ପୂର୍ଵୋକ୍ତ ଦୁଇ ମୋଡା଼ବରଡା଼ ପତ୍ର ମଧ୍ୟସ୍ଥ ଖାଲି କଣା ଭିତରେ ପ୍ରଵେଶ କରାଯାଏ ।


 ତୃତୀୟ ବରଡା଼ ପତକୁ କିଛି ଥର ଅନ୍ୟ ଦୁଇଗୋଟି ଗୁଡା଼ଯାଇଥିଵା ବରଡା଼ପତ ଓ ଗୋଡ଼ି ମଧ୍ୟରେ ପୁରାଇଵାପରେ ତାହା ପେଣ୍ଡୁ ଆକାରର ହେଵାକୁ ଲାଗେ ।



। ଶେଷରେ ତିନୋଟି ଯାକ ବରଡ଼ାପତକୁ ସମାନ ଭାବରେ ପୁରାଇ ପେଣ୍ଡୁ ପ୍ରସ୍ତୁତ ହୋଇଥାଏ  । 


ବଡ଼ ବଡ଼ ଓ ଦୀର୍ଘସ୍ଥାୟୀ ପେଣ୍ଡୁ ତିଆରି କରିଵାପାଇଁ ବଡ଼ ବଡ଼ ବରଡା଼ପତ ତଥା ଗୋଟିଏ ପରିଵର୍ତ୍ତେ ଦୁଇ ଵା ତତୋଧିକ ବରଡା଼ପତ ଵ୍ୟଵହାର କରାଯାଏ । ଅର୍ଥାତ୍ ଏହି କ୍ଷେତ୍ରରେ ତିନୋଟି ପରିଵର୍ତ୍ତେ ଛଅ ଵା ନଅଗୋଟି ବରଡ଼ାପତ ଵ୍ୟଵହୃତ ହେଉଥିଲା । କେହି କେହି ବାଳୁତମାନଙ୍କ ଚିତ୍ତ ଵିନୋଦନ ହେତୁକ ଛୋଟ ଆକାରର କ୍ଷୁଦ୍ର କ୍ଷୁଦ୍ର ବରଡ଼ାପେଣ୍ଡୁ ମଧ୍ୟ ଗଢୁ଼ଥିଲେ । 

ବରଡ଼ାପେଣ୍ଡୁ ଗଢ଼ି ନବେ ଦଶକଯାଏଁ ଢେଙ୍କାନାଳ ଜିଲ୍ଲାର ପିଲାଏ ଵିଶେଷ ଭାବରେ ଖେଳୁଥିଲେ । ଏବେ ମଧ୍ୟ ଢେଙ୍କାନାଳର ଗ୍ରାମାଞ୍ଚଳରେ ବରଡ଼ା ପେଣ୍ଡୁକରି କାଁ ଭାଁ ପିଲାଏ ଖେଳିଥାନ୍ତି ‌ । ତେବେ ଏହିଜାତୀୟ ପେଣ୍ଡୁର ହାନୀ ଓ ଲାଭ ଉଭୟ ଦିଗ ରହିଛି । ପ୍ରଥମେ ହାନୀ ଦିଗଟିକୁ ଵିଚାର କରି ଦେଖାଯାଉ । ପିଲାଏ ବରଡା଼ପେଣ୍ଡୁ ତିଆରି କରି ଖେଳୁଥିଲେ ହେଁ ଏ ପେଣ୍ଡୁ କେତେକ ସମୟ ଖେଳିଵାପରେ ଆଘାତ ବାଜି ଖରାପ ହୋଇଯାଉଥିଲା । ବରଡ଼ାପତ ଶୁଖିଗଲେ ମଧ୍ୟ ଏ ପେଣ୍ଡୁ ରଙ୍ଗହୀନ ହେଵାରୁ ପିଲାଏ ପୁରୁଣାପେଣ୍ଡୁକୁ ଛାଡ଼ି ନୂଆପେଣ୍ଡୁ ଗଢୁ଼ଥିଲେ । ବେସ୍‌ବଲ୍,ସେକା ଓ କ୍ରିକେଟ୍ ଆଦି ଖେଳ ଖେଳିଵା ପାଇଁ ତିନି ଵା ତତୋଽଧିକ ବରଡ଼ାପେଣ୍ଡୁ ଆଵଶ୍ୟକ ହେଉଥିଲା । ବରଡ଼ା ପେଣ୍ଡୁ ତିଆରି କରିଵାପାଇଁ କିଶୋର ଓ ନଵ୍ୟଯୁଵକମାନେ ଅଳ୍ପଵୟସ୍କ ତାଳଗଛର ପତ୍ର କାଟୁଥିଵାରୁ ବେଳେବେଳେ ତାଳଗଛ କ୍ଷତିଗ୍ରସ୍ତ ହେଉଥିଲା । କେବେକେବେ ପିଲାଏ ତାଳଗଛର ଧଳାରଙ୍ଗର ଗଜାପତ୍ରକୁ ନେଇ ପେଣ୍ଡୁକରୁଥିଲେ ଫଳତଃ ତାଳଗଛ ଶିଘ୍ର ଉଧେଇ ପାରୁନଥିଲା । ବରଡ଼ାପେଣ୍ଡୁରେ ଖେଳୁଥିଵାଵେଳେ ଦିହ ହାତରେ ମାଡ଼ ବସି ଦରଜ ହେଵାର ଭୟ ରହିଛି ‌ । 

ବରଡ଼ାପେଣ୍ଡୁର ହାନୀ ଭଳି ଲାଭ ମଧ୍ୟ ଅନେକ ଅଛି । ପ୍ରଥମତଃ ଏହା ପ୍ରସ୍ତୁତ କରିଵାପାଇଁ କୌଣସି ଵିଶେଷ ଯନ୍ତ୍ର ଆଵଶ୍ୟକ ହୁଏ ନାହିଁ କାରଣ ଓଡ଼ିଶାରେ ବରଡ଼ା ଓ ଗୋଡ଼ି ସର୍ଵତ୍ର ସହଜରେ ମିଳିଥାଏ । ପ୍ଲାଷ୍ଟିକ ଓ ରବର ତିଆରି ଆଧୁନିକ ପେଣ୍ଡୁ ସହଜରେ ନଷ୍ଟ ହୁଏ ନାହିଁ ଏଵଂ ଏସବୁ ପେଣ୍ଡୁକୁ ନଷ୍ଟ କରିଵା ସମୟରେ ଵିଷାକ୍ତ ଵାୟୁ ନିର୍ଗତ ହେତୁ ପରିବେଶ ପ୍ରଦୂଷିତ ହୋଇଥାଏ । କିନ୍ତୁ ବରଡ଼ା ପେଣ୍ଡୁ ପ୍ରାକୃତିକ ହୋଇଥିଵାରୁ ଏହି ସମସ୍ୟା ଦେଖାଯାଏ ନାହିଁ । ବରଡା଼ପେଣ୍ଡୁ ପୁରୁଣା ହୋଇଗଲେ ତହିଁ ମଧ୍ୟର ଗୋଡ଼ି ବାହାର କରି ତାକୁ ଜାଳ ମଧ୍ୟ କରାଯାଇପାରେ । ପ୍ଲାଷ୍ଟିକ ଓ ରବରପେଣ୍ଡୁ ହଜିଲେ ତାକୁ ବହୁତ ଖୋଜାଖୋଜି କରିଵାକୁ ହୁଏ କିନ୍ତୁ ଖେଳୁଥିଵା ସମୟରେ ବରଡ଼ାପେଣ୍ଡୁ ଲଟିଆଦିରେ ହଜିଗଲେ ତାକୁ ନ ଉଣ୍ଡି ଅନ୍ୟ ଏକ ବରଡ଼ାପେଣ୍ଡୁଦ୍ଵାରା ଖେଳାଯାଇପାରେ । 

ତେବେ ବରଡ଼ାପେଣ୍ଡୁ କରି ଆଜି ଆଉ ପିଲାଏ ସେତେ ଖେଳୁନାହାନ୍ତି । ଏହାର ଅନେକ କାରଣ ରହିଛି । ପ୍ରଥମତଃ ଦୂରଦର୍ଶନ ତଥା ମୋବାଇଲରେ ଗୃହମଧ୍ୟସ୍ଥ ଖେଳ ଓ ଚଳଚ୍ଚିତ୍ରାଦି ଅଧିକ ଖେଳିଵା ତଥା ଦେଖିଵା ଯୋଗୁଁ ନଗର କଥା ଛାଡ଼ନ୍ତୁ ଗ୍ରାମାଞ୍ଚଳର ପିଲା ସୁଦ୍ଧା ଆଉ ଆଗଭଳି ବାହାରେ ଖେଳାଯାଉଥିଵା ଅନେକ ଖେଳ ଖେଳନ୍ତି ନାହିଁ । ଯଦି ଵା ବାହାରେ କୌଣସି ଖେଳ ଖେଳାଯାଏ ତାହା ପ୍ରାୟତଃ କ୍ରିକେଟ୍ ନୋହିଲେ କବାଡ୍ଡି ହୋଇଥାଏ । ଦ୍ଵିତୀୟରେ ଧୀରେ ଧୀରେ ପ୍ଲାଷ୍ଟିକ ଓ ରବର ପେଣ୍ଡୁ ସୁଲଭ ମୂଲ୍ୟରେ ସବୁଆଡେ଼ ମିଳିଯାଉଥିଵାରୁ ପିଲାମାନେ ଆଉ ପରିଶ୍ରମ କରି ଶିଘ୍ର ନଷ୍ଟ ହେଇଯାଉଥିଵା ବରଡ଼ାପେଣ୍ଡୁରେ ଖେଳୁନାହାନ୍ତି ‌ । 

ଏହା କଟୁ ସତ୍ୟ ଯେ ଭାରତର ଅନେକ ପାରମ୍ପରିକ ଖେଳ ଓ ତହିଁର ଉପକରଣ ଆଜି ଲୁପ୍ତପ୍ରାୟ ଏଵଂ କାଳଗର୍ଭରେ ଦିନେ ବରଡ଼ାପେଣ୍ଡୁ ଓ ତହିଁର ପ୍ରସ୍ତୁତ ପ୍ରଣାଳୀ ମଧ୍ୟ ନବେ ଦଶକର ପିଲାଙ୍କ ଅଵସାନ ସହିତ ଲୋପପାଇଯିଵ ‌ । ବରଡ଼ାପେଣ୍ଡୁକୁ ଓଡ଼ିଶାର ଲୋକସଂସ୍କୃତିରେ ବଞ୍ଚାଇ ରଖିଵାର ଏକମାତ୍ର ଉପାୟ ହେଲା ପରଵର୍ତ୍ତୀ ପିଢ଼ିକୁ ବରଡ଼ାପେଣ୍ଡୁ ତିଆରି କୌଶଳ ଶିଖାଇଵାକୁ ହେଵ । ଅନ୍ୟଥା ଡୋଡୋପକ୍ଷୀ ପରି ଓଡ଼ିଶା ମାଟିର ପାରମ୍ପରିକ ପେଣ୍ଡୁ ବରଡ଼ାପେଣ୍ଡୁ କାଳ ଆଗରେ ପରାଜିତ ହୋଇ ଵିଲୁପ୍ତ ହୋଇଯିଵ ‌। 

🟤🟤🟤🟤🟤🟤🟤🟤🟤🟤🟤🟤🟤🟤
🟢🟢🟢🟢🟢🟢🟢🟢🟢🟢🟢🟢🟢🟢
🟠🟠🟠🟠🟠🟠🟠🟠🟠🟠🟠🟠🟠🟠


 


Tuesday, September 7, 2021

ଓଡ଼ିଶାର ନିଆରା ବାଡି଼ଡିଆଁ, ବାଡି଼ ଡେଗେନ୍ ,ଦହିବାଡି଼ ଵା ବାଡି଼ ଡେଙ୍ଗାନୀ ଖେଳ

ବାଡି଼ଡିଆଁ ଖେଳ ଓଡ଼ିଶାର ଏକ ପାରମ୍ପରିକ ମୁକ୍ତପ୍ରାଙ୍ଗଣର କ୍ରୀଡ଼ା। ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ବାଡି଼ଡିଆଁ ଖେଳକୁ ବାଡ଼ିଡେଗେନ୍ କୁହାଯାଉଥିଵା ବେଳେ ନୂଆପଡ଼ା ଜିଲ୍ଲାରେ ଏ ଖେଳକୁ ବାଡି଼ ଡେଙ୍ଗାନୀ କୁହାଯାଇଥାଏ ବୋଲି କଥିତ ଓଡ଼ିଆ ଶବ୍ଦକୋଷରେ ଉଲ୍ଲେଖ କରାଯାଇଛି ।‌ ପୂର୍ଵାଞ୍ଚଳରେ
 ଏ ଖେଳକୁ ଦହିବାଡି଼ କୁହାଯାଉଥିଵା ଜଣାଯାଏ ।  ତେବେ ଢେଙ୍କାନାଳରେ ଏହି ଖେଳକୁ ବାଡି଼ଡିଆଁ କୁହାଯାଏ । 

ସାଧାରଣତଃ ଏହି ଖେଳଟି ପିଲାମାନଙ୍କର ଖେଳ ଏଵଂ ପାଞ୍ଚ ଵର୍ଷରୁ ଆରମ୍ଭ କରି ତେର ଚଉଦ ଵର୍ଷ ଵୟସ ପର୍ଯ୍ୟନ୍ତ ଉଭୟ ପୁଅପିଲା ଓ ଝିଅପିଲା ବାଡି଼ଡିଆଁ , ବାଡି଼ଡେଗେନ୍ ଵା ବାଡି଼ ଡେଙ୍ଗାନୀ ଖେଳରେ ଅଂଶଗ୍ରହଣ କରିଥାନ୍ତି । ଏହି ଖେଳ ଗାଁ ଦାଣ୍ଡ ଓ ପଡି଼ଆ ଆଦିରେ ଖେଳାଯାଏ । 

 ଏହି ଖେଳରେ ଖେଳାଳୀ ସଂଖ୍ୟାରେ କୌଣସି ନିର୍ଦ୍ଧିଷ୍ଟତା ନଥାଏ ଏଵଂ ଅତିକମରେ ପାଞ୍ଚ ଛଜଣ ଖେଳାଳି ନେହେଲେ ଖେଳରେ ମଜା ଆସେନାହିଁ । ଏହି ଖେଳରେ ଖେଳାଳୀମାନେ କ୍ରୀଡ଼ା ଉପକରଣ ଭାବରେ ପ୍ରତ୍ୟେକେ ଗୋଟିଏ ଗୋଟିଏ ବାଡ଼ି ଵ୍ୟଵହାର କରିଥାନ୍ତି। ଫଳତଃ ଏହାର ନାମ ବାଡ଼ି ଡିଆଁ ,ବାଡ଼ି ଡେଗେନ୍ ଵା ବାଡି଼ ଡେଙ୍ଗାନୀ ହୋଇଅଛି ।

 ବାଡ଼ି ଶବ୍ଦ ସହ ଡିଆଁ , ଡେଗେନ୍ ତଥା ଡେଙ୍ଗାନୀ ଶବ୍ଦ ଯୁକ୍ତ କରାଯାଇ ଏହି ଖେଳର ନାମ ବାଡି଼ଡିଆଁ , ବାଡି଼ଡେଗେନ୍ ଓ ବାଡି଼ଡେଙ୍ଗାନୀ ରଖାଯାଇଛି । 
 
ବାଡ଼ି ଶବ୍ଦଟି ଓଡ଼ିଆ ଭାଷାରେ ଵିଭିନ୍ନ ଅର୍ଥରେ ଵ୍ୟଵହୃତ ହୋଇଥାଏ । ଛୋଟ ବଗିଚା, କ୍ଷେତ,କିଆରି,ଗୃହସଂଲଗ୍ନ ଭୂମି,ଗୃହର ପଛପଟରେ ଥିଵା ଗୃହସଂଲଗ୍ନ ଭୂମି ଆଦି ଅର୍ଥରେ ଵ୍ୟଵହୃତ ବାଡି଼ ଵା ବାରି ଶବ୍ଦଟି ତତ୍ସମ ଵାଟିକା ସହିତ ସମୋଦ୍ଧୃତ । ହଇଜା ଵା ଓଲାଉଠାକୁ ଆମ ଭାଷାରେ ବାଡ଼ି କୁହାଯାଉଥିଲା ବୋଧହୁଏ ପୂର୍ଵକାଳରେ 
ଲୋକେ ବାରିଆଡୁ଼ ଝାଡା଼ ଫେରିଵାପରେ ଏ ରୋଗ ଧରୁଥିଵାରୁ ଏଭଳି ନାମକରଣ ହୋଇଥିଲା । ଏହିପରି ବାଡ଼ି ଶବ୍ଦ ଆହୁରି ଅନେକ ଅର୍ଥରେ ଵ୍ୟଵହୃତ ହୋଇଥାଏ । 
ମାତ୍ର ଯଷ୍ଟି ଅର୍ଥରେ ଵ୍ୟଵହୃତ ବାଡ଼ି 
ଶବ୍ଦଟି ତତ୍ସମ “ବାଟ” ଶବ୍ଦ ସହ ସମ୍ବନ୍ଧିତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । ତତ୍ସମ ବାଟ ଶବ୍ଦର ଏକ ଅର୍ଥ ବାଡ଼,ଵେଷ୍ଟନ । ଓଡ଼ିଆ ଭାଷାରେ ମଧ୍ୟ ବାଡ଼ ଶବ୍ଦଟି ଵିଶେଷ ଭାବେ ଏହି ଅର୍ଥରେ ଵ୍ୟଵହୃତ ହୋଇଥାଏ । ଯାହା ବାଡ଼ରେ ଵ୍ୟଵହାର କରାଯାଇ ପାରେ ତାକୁ ବାଡ଼ି କୁହାଯାଇଥିଵା ସମ୍ଭଵ । 

ସେହିପରି ଓଡ଼ିଆ ଭାଷାର ଡେଗିଵା,ଡେଙ୍ଗିଵା,ଡେଇଁଵା ଆଦି ଦେଶଜ କ୍ରିୟା ସାଧାରଣତଃ ଲମ୍ଫପ୍ରଦାନ କରିଵା,କୁଦିଵା ଅର୍ଥରେ ଵ୍ୟଵହାର ହୋଇଥାଏ ।

ଖେଳାଳିମାନେ ନିଜ ନିଜର ବାଡ଼ିକୁ କିଛି ଦୂର ଏକ ସିଧାରେ ରଖି ଦୂରରୁ ଦୌଡ଼ି ଆସି ନିଜ ବାଡ଼ି ଉପରେ ପାଦ ପକାଇ ଡେଉଁଥିଵାରୁ ଏହି ଖେଳର ନାମ ବାଡି଼ଡିଆଁ,ବାଡି଼ଡେଗେନ୍ ଓ ବାଡି଼ ଡେଙ୍ଗାନୀ ଆଦି ହୋଇଅଛି ।

 ଏ ଖେଳର ନିୟମ ସହଜ ହେଲେହେଁ ସ୍ଥଳଵିଶେଷରେ ସାମାନ୍ୟ ଭିନ୍ନ ଭିନ୍ନ ହୋଇଥାଏ । 
 
ପ୍ରଥମେ ସରିଗାରଟିଏ ଟାଣି ତାହାଠୁ ପଚାଶ ଷାଠିଏ ଫୁଟ ଦୂରତାରେ ଆଉ ଗୋଟିଏ ଗାର ‘‘ପାଟ୍ ଗାର’’ ଵା ମୁଖ୍ୟ ଗାର ଟାଣିଥାନ୍ତି, ତେବେ, ଏହି ଦୂରତା ଖେଳାଳୀଙ୍କ ସଂଖ୍ୟା ଉପରେ ନିର୍ଭର କରିଥାଏ । ଜଣେ ଖେଳାଳୀ ସରିଗାର ଉପରେ ଠିଆ ହୋଇ ପାଟ୍ ଗାର ଅଡକୁ ପଛ କରି ସମସ୍ତଙ୍କ ବାଡ଼ିକୁ ଫିଙ୍ଗିଥାଏ । ବାଡ଼ି ଗୁଡ଼ିକ ଯେଉଁ କ୍ରମାନ୍ଵୟରେ ପଡ଼େ ସେହି କ୍ରମାନ୍ଵୟରେ ସରିଗାରକୁ ଲାଗି ଗୋଟିଏ ପରେ ଗୋଟିଏ ବାଡ଼ି ସଜେଇ ରଖାଯାଏ। ଯାହାର ବାଡ଼ି ସବା ଆଗରେ ଥାଏ ସିଏ ପ୍ରଥମେ ଡେଇଁଥାଏ । ଖେଳାଳୀଙ୍କୁ ନିଜ ବାଡ଼ିକୁ ପାଦ ସ୍ପର୍ଶ କରି ଡେଇଁଵାକୁ ହୁଏ, ଯିଏ ଯେତେଦୂର ଡେଇଁଥାନ୍ତି ତାଙ୍କ ବାଡ଼ି ସେଇଠି ରଖାଯାଏ । ଖେଳାଳୀ ଯଦି ଡେଇଁଲା ବେଳେ ନିଜ ବାଡ଼ିକୁ ପାଦରେ ମାଡ଼ିପାରନ୍ତି ନାହିଁ ତେବେ ତାଙ୍କ ବାଡ଼ି ସବା ପଛକୁ ଚାଲିଯାଏ । ଏହିପରି ସମସ୍ତ ଖେଳାଳୀ ଡେଇଁ ଡେଇଁ ନିଜ ବାଡ଼ିକୁ ‘ପାଟଗାର’ ପାରି କରାଇଥାନ୍ତି । ଶେଷରେ କେଉଁ ଖେଳାଳୀଙ୍କ ବାଡ଼ି ରହିଯାଏ ସେହି ଖେଳାଳୀ ‘ମାଇ’ ହୁଏ । ‘ମାଇ’ ଖେଳାଳୀର ବାଡ଼ିକୁ ଅନ୍ୟ ଖେଳାଳୀମାନେ ସରିଗାରଠାରୁ ନିଜ ନିଜ ବାଡ଼ିରେ ଖସେଇ ଖସେଇ ଦୂରକୁ ନେଇଥାନ୍ତି। ଏହି ସମୟରେ ‘ମାଇ’ ଯଦି ବାଡ଼ି ଖସେଇ ନେଉଥିଵା କୌଣସି ଖେଳାଳୀଙ୍କୁ ଛୁଇଁଦିଏ ତେବେ ସେ ମରିଯାଏ । ସେହି ଖେଳାଳୀଜଣକ ଆଉ ଗତି ଅନାଇ ପାରେ ନାହିଁ ।
  ଶେଷରେ ‘ମାଇ’ର ବାଡ଼ି ଯେତେଦୂର ଯାଏ ସେଇଠୁ ଗୋଟିଏ ଗୋଡ଼ରେ ପାଟଗାର ଯାଏଁ ଦୌଡ଼ି ଦୌଡ଼ି ବାଡ଼ି ଆଣିଥାଏ । ଏହିପରି ଏହି ଖେଳ ଘଣ୍ଟାଏରୁ ଦୁଇଘଣ୍ଟା ଯାଏଁ ଖେଳାଯାଇଥାଏ । 
  
ଏ ଖେଳରେ ଵ୍ୟଵହୃତ ବାଡ଼ି ସିଧା ହେଵା ଆଵଶ୍ୟକ ବୋଲି କେତେକ ଅଞ୍ଚଳରେ ପିଲାଏ ଵୈଦୈଶିକ ଅମରି ଗଛର ଶାଖା ଵ୍ୟଵହାର କରିଥାନ୍ତି । ଜଙ୍ଗଲିଆ ଅଞ୍ଚଳରେ ଅଵଶ୍ୟ ସଳଖ ବାଡ଼ି ମିଳିଵାରେ କୌଣସି ଅସୁଵିଧା ହୋଇନଥାଏ । 

ନବେ ଦଶକ ଯାଏଁ ଏ ଖେଳ ଓଡ଼ିଶାରେ ଵିଶେଷତଃ ଗଡ଼ଜାତ ଅଞ୍ଚଳରେ ଵିଶେଷ ଭାବରେ ଖେଳାଯାଉଥିଲା । ଆଧୁନିକ ଯୁଗରେ ଓଡ଼ିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ଓ ଵିଡି଼ଓ ଗେମ୍ସ ଆଦିର ପ୍ରଚଳନ ବଢି଼ଵା ଯୋଗୁଁ ଅଧୁନା ଏ ଖେଳକୁ ପିଲାଏ ଆଉ ସେତେ ଖେଳୁନାହାନ୍ତି । 

🔵🔵🔵🔵🔵🔵🔵🔵🔵🔵🔵🔵🔵
ତଥ୍ୟ ଆଧାର—
୧) ପୂର୍ଣ୍ଣଚନ୍ଦ୍ର ଭାଷାକୋଷ (ଗୋପାଳ ଚନ୍ଦ୍ର ପ୍ରହରାଜ)
୨) କଥିତ ଓଡ଼ିଆ ଶବ୍ଦକୋଷ(ଓଡ଼ିଆ ଭାଷା ପ୍ରତିଷ୍ଠାନ)
ଚିତ୍ର ଓ ଖେଳର ନିୟମ ସମ୍ବନ୍ଧୀୟ ତଥ୍ୟ 
୩)ପଶ୍ଚିମ ଓଡ଼ିଶାର ପାରମ୍ପରିକ କ୍ରୀଡ଼ା(ସଞ୍ଜୟ କୁମାର ବାଗ)
🔵🔵🔵🔵🔵🔵🔵🔵🔵🔵🔵🔵🔵

Wednesday, August 25, 2021

ପଶ୍ଚିମ ଓଡ଼ିଶାର ଲୁପ୍ତ ଖେଳ ଖମଖମାଲୋ

ଗଡ଼ଜାତ ଓଡ଼ିଶାରେ ପୂର୍ଵେ  ‘ଖମଖମାଲୋ’ ବୋଲି ଏକ ଖେଳ ଖେଳାଯାଉଥିଲା । ସାଧାରଣତଃ ଏହା ପିଲାମାନଙ୍କର ଖେଳ ଏଵଂ ଖମ୍ବ ଵା ଖୁମ୍ବ ଏ ଖେଳର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଥିଵାରୁ ଏହାର ନାମ ଖମଖମାଲୋ ରଖାଯାଇଥିଲା । ଏ ଖେଳର ଅନ୍ୟନାମ ଖମମଖାଲୁ ଓ ଖମଖମାଲି ଇତ୍ୟାଦି ରହିଥିଲା ।ସମ୍ବଲପୁର ଜିଲ୍ଲାରେ ଏ ଖେଳକୁ ଖମ୍ ଖମାଲି  କୁହାଯାଉଥିଲା ବୋଲି କଥିତ ଓଡ଼ିଆ ଶବ୍ଦକୋଷରୁ ଜଣାଯାଏ ।




ଏହି ଖମ୍ ଶବ୍ଦଟି ସହିତ ତତ୍ସମ ସ୍ତମ୍ବ ଵା ସ୍ତମ୍ଭ ଏଵଂ ପ୍ରାକୃତ ଖଂଭ ଓ ଓଡ଼ିଆ ଖମ୍ବ ଶବ୍ଦ ସମୋଦ୍ଧୃତ ।

ଓଡ଼ିଶାରେ ତତ୍ସମ ସ୍ତମ୍ବ ଵା ସ୍ତମ୍ଭ ଶବ୍ଦର  ଵିଭିନ୍ନ ରୂପ ପ୍ରଚଳିତ ଥିଲା ଏଵଂ ଏବେ ମଧ୍ୟ ରହିଛି । ଓଡ଼ିଶାରେ ସ୍ତମ୍ବ ଵା ସ୍ତମ୍ଭ ଶବ୍ଦ ଏକ ଦିଗରେ ଖମ୍ବ,ଖୁମ୍ବ,ଖମ୍,ଖମ ଓ ଖମା ହୋଇ ପ୍ରଚଳିତ ଥିଵା ବେଳେ ଅନ୍ୟ ଏକ ପକ୍ଷରେ ଏହାର ଏକ ସମୟରେ ଥମ୍ବ ଓ ଥମ୍ ରୂପ ପରିଵୃତ୍ତ ହୋଇ ମଧ୍ୟ ପ୍ରଚଳିତ ଅଛି ।

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ମଧ୍ୟ ଖମ ଶବ୍ଦର ସ୍ତମ୍ଭ ଅର୍ଥରେ ଵ୍ୟଵହାର  ଦୃଷ୍ଟିଗୋଚର  ହୋଇଥାଏ

ଯଥା ବ୍ରହ୍ମନିରୂପଣ ଗୀତାରେ ଖମ ଶବ୍ଦର ଏମନ୍ତ ଵ୍ୟଵହାର ରହିଛି
“ଅଲେଖ ପ୍ରଭୂ ଏ ବ୍ରହ୍ମାଣ୍ଡରେ ମେରୁ ଖମ”

ସେହିପରି ଢେଙ୍କାନାଳ ଗଡ଼ଜାତ ତଥା ଓଡ଼ିଶାର ଅନ୍ୟ କେତେକ ଅଞ୍ଚଳରେ ଖମ୍ବ ପରିଵର୍ତ୍ତେ ଖୁମ୍ବ ଶବ୍ଦର ଵ୍ୟଵହାର ପ୍ରଚଳିତ ଅଛି । ସାହିତ୍ୟରେ ମଧ୍ୟ ଖୁମ୍ବ ଶବ୍ଦ ଵ୍ୟଵହାରର ଉଦାହରଣ ରହିଛି
ଯଥା —
“ଆବର ରତନର ପୁର ।
ଖୁମ୍ବ ନ ଥାଇ ସେ ତିଆର ।।
ଆଡ଼ଦୀର୍ଘ ତା ନୋହେ କଳି ।
ମଧ୍ୟେ ଅଛଇ ରାସସ୍ଥଳି ।।”
(ରାଧାଷ୍ଟମୀ ଵ୍ରତ,କ୍ଷେତ୍ରମୋହନ)

ଓଡ଼ିଶାର କେତେକ ଅଞ୍ଚଳରେ ଖମା ଶବ୍ଦଟି ମଧ୍ୟ ଖୁଣ୍ଟ ଅର୍ଥରେ ଵ୍ୟଵହାର ହୋଇଥାଏ ବୋଲି କଥିତ ଓଡ଼ିଆ ଶବ୍ଦକୋଷର ଉଲ୍ଲେଖରୁ ଜଣାଯାଏ ।

ସେହିପରି ସ୍ତମ୍ବ ଶବ୍ଦର ଅନ୍ଯ ଏକ ଓଡ଼ିଆ ରୂପ ଥମ୍ବର ଵ୍ୟଵହାର କଵି ପ୍ରତାପ ରାୟ ତାଙ୍କ ଶଶିସେଣା କାଵ୍ୟରେ ପ୍ରୟୋଗ କରିଅଛନ୍ତି

“ଥମ୍ବ ପ୍ରତିମା ପ୍ରାୟେକ ବେନି ବାମା
ନ ପାରନ୍ତି କଥା କହି।”

ଆଜି ବି ମାଲକାନଗିରିରେ ଥମ୍ ତଥା ଜଗତସିଂହପୁର ଜିଲ୍ଲାରେ ଥମ୍ବ ଶବ୍ଦର ଵ୍ୟଵହାର ସ୍ତମ୍ଭ ଅର୍ଥରେ ହେଉଥିଵା କଥିତ ଓଡ଼ିଆ ଶବ୍ଦକୋଷରେ ଉଲ୍ଲେଖ କରାଯାଇଛି ।‌

ତେଣୁ ଖମ୍ବ ଦ୍ଵାରା ଖେଳାଯାଉଥିଵାରୁ ଗଡ଼ଜାତର ଏହି ଖେଳକୁ ଖମଖମାଲୋ,ଖମଖମାଲୁ ଓ ଖମଖମାଲି ଇତ୍ୟାଦି କୁହାଯାଉଥିଲା ।




ଏହା ଥିଲା ଏକ ଆବଦ୍ଧପ୍ରାଙ୍ଗଣର କ୍ରୀଡ଼ା କିନ୍ତୁ ଯଦି ଖୋଲା ପଡ଼ିଆରେ ଯେଉଁଠି ଚାରି ଵା ତତୋଧିକ ବଡ଼ ଖୁଣ୍ଟ ପୋତା ହେଉଥିଲା କିଂଵା ଆମ୍ବ ତୋଟାରେ ଲଗାଲଗି ହୋଇ ବଡ଼ ଵୃକ୍ଷ ରହୁଥିଲା ସେଠାରେ ମଧ୍ୟ ପିଲାଏ ଏ ଖେଳ ଖେଳୁଥିଲେ । କେହି କେହି ଏ ଖେଳକୁ ଘରର ଚାରି କୋଣକୁ ଆଧାର କରି ଖେଳୁଥିଵାର ମଧ୍ୟ ଜଣାଯାଏ । କିନ୍ତୁ ପୂର୍ଵକାଳରେ ସାଧାରଣତଃ ଗୁହାଳ ଘରେ ଚାରିଗୋଟି ଖୁମ୍ବ ରହୁଥିଵାରୁ ଏହି ଖମଖମାଲୋ ଖେଳ ସେଠାରେ ଅଧିକ ଖେଳାଯାଉଥିଲା ।



ଖମଖମାଲୋ ଖେଳରେ ଉଭୟ ପୁଅ ପିଲା ଓ ଝିଅପିଲା  ଅଂଶଗ୍ରହଣ କରିପାରୁଥିଲେ । ଖେଳାଳିଙ୍କ ଵୟସ ସୀମା ତିନିରୁ ଦଶ ଵର୍ଷ ଵୟସ ଭିତରେ ସୀମିତ ରହୁଥିଲେ ହେଁ ବେଳେବେଳେ ଏଥିରେ ବଡ଼ ନାନୀ ଭାଇମାନେ ଯୋଗ ଦେଉଥିଵାର ଦେଖାଯାଉଥିଲା  ।

ଏହି ଖେଳ ସାଧାରଣତଃ ଘରେ କିଂଵା ଗୁହାଳଘରେ ଖେଳାଯାଉଥିଵାରୁ ଘରେ ପିତାଙ୍କ ଅନୁପସ୍ଥିତିରେ କିଂଵା ଗୁହାଳରେ ଗାଈ ଗୋରୁ ନଥିଵା ସମୟରେ ହିଁ ଏହି ଖେଳ ଖେଳାଯାଉଥିଲା ।

ଗୁହାଳରେ ଥିଵା ଖମ୍ବ ଆଧାରରେ ଖେଳାଳି ଭାଗ ନେଉଥିଲେ । ସାଧାରଣତଃ ଗୁହାଳଗୁଡି଼କରେ ଚାରିଗୋଟି ଖମ୍ବ ରହୁଥିଲା ଘରେ ମଧ୍ୟ ଚାରିଗୋଟି କୋଣ ରହିଥାଏ ତେଣୁ ଏ ଖେଳରେ ଚାରିଗୋଟି ଖମ୍ବ ଵା କୋଣ ଆଧାରରେ ଚାରିଜଣ ସାଧାରଣ ଖେଳାଳି ଓ ଜଣେ ମାଈ ଖେଳାଳି ଯୋଗ ଦେଉଥିଲେ ।

ଚାରିଜଣ ସାଧାରଣ ଖେଳାଳି ଗୁହାଳର ଚାରିଗୋଟି ଖମ୍ବ ଵା ଘରର ଚାରୋଟି କୋଣକୁ ଧରି ରହୁଥିଲେ ଏଵଂ ମାଈ ଖେଳାଳି ସେମାନଙ୍କ ମଝିରେ ଗୋଟିଏ ଗୋଲାଇ ଭିତରେ ରହି ଗୀତ ବୋଲୁଥିଲା ।

ଯଦି ଖମ୍ବ ,ଗଛ ଵା ଘରର କୋଣଠାରୁ ଖେଳାଳୀ ସଂଖ୍ୟା କମ୍ ରହୁଥିଲା ତାହେଲେ ତହିଁରୁ ଗୋଟିଏ ଦୁଇଟି ଖମ୍ବ,କୋଣ ଵା ଗଛ ଵାଦ୍ ଦିଆଯାଉଥିଲା ।




ଖେଳାଳୀମାନଙ୍କ ଭିତରୁ ଯେଉଁ ଖେଳାଳି ମଝିରେ ଗୋଲେଇ ଘାଇ ମଧ୍ୟରେ ରହୁଥିଲା ତାକୁ ‘ମାଇ’ କୁହାଯାଉଥିଲା କିନ୍ତୁ ଗଡ଼ଜାତରେ  ଏହି ମାଈ ଖେଳାଳିକୁ  ‘ଖମଖମାଲୋ ଗୀତ’ ଗାଇଵାକୁ ପଡୁ଼ଥିଲା  ।

“ଖମଖମାଲୋ
    ବାଏଗନ୍ ମାଲୋ
ମଝିର ଖମକେ ଛାଡ଼ିଦେ
        ମଝିର ଖମକେ ଛାଡ଼ିଦେ
ବିଲ୍ ବିଲାଲେ
        ଆମୁଲ୍ କୁଲେ
  ନନିର ଟୁଁଡ଼େ ଭରି ଦେ
           ନନିର ଟୁଁଡେ଼ ଭରିଦେ।।”

ପୁଣି କେଉଁଠି କେଉଁଠି ଏ ଗୀତ ଆହୁରି ସହଜ ହୋଇ ଗାୟନ ହେଉଥିଲା...

“ଖମ୍ ଖମାଲୋ
ବାଏଗନ୍ ମାଲୋ
ମୋର ଖମ୍ କେ ଛାଡି଼ ଦେ
ମୋର୍ ଖମ୍ କେ ଛାଡି଼ଦେ”

‘ମାଇ’ ଖେଳାଳି ଏହି ଗୀତ ଗାଉଥିଵା ସମୟରେ ଅନ୍ୟ ଖେଳାଳୀ ସବୁ ପରସ୍ପର ଖମ୍ବ ଅଦଳବଦଳ କରୁଥିଲେ । 



ଚାରିଗୋଟି ଗଛ,ଖମ୍ବ ଵା କୋଣକୁ ଧରି ରହିଥିଵା ଖେଳାଳିମାନଙ୍କ ଦ୍ଵାରା ଖମ୍ବ,କୋଣ ଵା ଗଛ ଅଦଳବଦଳ ସମୟରେ ଯଦି ମଝିରେ ଛିଡ଼ା ହୋଇ ଗୀତ ବୋଲୁଥିଵା ‘ମାଇ’ ଖେଳାଳୀ ସେମାନଙ୍କ ମଧ୍ୟରୁ କାହାକୁ ଛୁଇଁ ଦେଉଥିଲା ତେବେ ସେହି ଖେଳାଳୀ ଜଣକ ‘ମାଇ’ ହେଉଥିଲା । ମାତ୍ର ଯଦି ‘ମାଇ’ ଖେଳାଳି ଅନ୍ୟ ଖେଳାଳିକୁ ଛୁଇଁଵା ସମୟରେ ଘାଇରୁ ବାହାର ହୋଇ କାହାକୁ ଛୁଉଁଥିଲା କିଂଵା ରାହା ନପାଇଵାରୁ ଵା ଅନ୍ୟ କାରଣରୁ ଖମଖମାଲୋ ଗୀତ ଗାଇଵା ବନ୍ଦ କରିଦେଇ କାହାକୁ ଛୁଇଁ ଦେଉଥିଲା ତେବେ ସେହି ଛୁଆଁକୁ ଗଡ଼ରେ ଗଣନା କରାଯାଉନଥିଲା ଏଵଂ ଆଉଥରେ ଖେଳ ଆରମ୍ଭ ହେଉଥିଲା । ଏହିପରି ଏହି ଖମଖମାଲୋ ଖେଳ ଘଣ୍ଟାଏରୁ ଦେଢ଼ ଘଣ୍ଟାଯାଏଁ ଖେଳାଯାଉଥିଲା ।

ଭାରତର ଅନ୍ୟ ଖେଳଗୁଡି଼କ ପରି ଏ ଖେଳରେ ମଧ୍ୟ ଗୁହିଁ ଵା ଗୁନ୍ଧୁରୀ ହେଲେ ଅର୍ଥାତ୍ ଗୋଳ ହେଲେ ଖେଳରେ ଗୁନ୍ଧୁରୀ କରିଥିଵା ଖେଳାଳିଙ୍କୁ ଵାଦ୍ ଦିଆଯାଇ ମଝିରେ ନୂଆ ଖେଳାଳିଙ୍କୁ ଖେଳାଯାଉଥିଲା ।



ଏ ଖେଳ ସାଧାରଣତଃ ଆଵଦ୍ଧ ଘରେ ଓ ଗୁହାଳରେ ଖେଳାଯାଉଥିଵାରୁ ଅଵିଭାଵକ ଓ ସମଵୟସ୍କ ପିଲାଏ ଦର୍ଶକ ହୋଇ ଖେଳକୁ ଉପଭୋଗ କରିପାରୁଥିଲେ ।

ସମୟ ସହ ଏ ଖେଳ ଅଧୁନା ଓଡ଼ିଶାରୁ ଲୁପ୍ତ ହୋଇ ସାରିଛି କିନ୍ତୁ ଆଜି ମଧ୍ୟ ଘର କୋଣ ଵା ସ୍ତମ୍ଭ ଓ ଲଗାଲଗି ଉଠିଥିଵା ଆମ୍ବଗଛ ପୂର୍ଣ୍ଣ ଆମ୍ବ ତୋଟା ଵା ଜଙ୍ଗଲର ଗଛମୂଳରେ ମଧ୍ୟରେ ଏ ଖେଳ ଖେଳାଯାଇପାରେ ।

ଆଧୁନିକ ଯୁଗରେ ଦୂରଦର୍ଶନ , ମୋବାଇଲ ଆସିଵା ଦିନଠାରୁ ଅନେକ ଭାରତୀୟ କ୍ରୀଡ଼ା ଵର୍ତ୍ତମାନ ଲୁପ୍ତ ହୋଇଯାଇଅଛି । ଖମଖମାଲୋ ଖେଳ ମଧ୍ୟ କାଳ ଆଗରେ ପରାଜିତ ହୋଇ ଆଜି ମୃତ ହୋଇ ସାରିଛି । ଅସ୍ତୁ, ଓଡ଼ିଶାର ଲୋକେ ଵିଶେଷ ଉତ୍ସଵାଦିରେ ଏହି ଖେଳର ପ୍ରତିଯୋଗିତା ଆୟୋଜନ କରି ଏହାକୁ ଯଦି ବଞ୍ଚାଇଵାକୁ ଚେଷ୍ଟା କରନ୍ତେ ତେବେ ହୁଏତ ଏ ଖେଳଟି କେଵଳ ବହି ଓ ପୁରୁଣା ଲୋକଙ୍କ ସ୍ମତି ମଧ୍ୟରେ ସୀମିତ ନରହି ଆଉ ଥରେ ପୁନଃ ପ୍ରଚଳିତ ହୋଇପାରନ୍ତା ।
⚫⚫⚫⚫⚫⚫⚫⚫⚫⚫⚫⚫⚫
              🟠—ତଥ୍ୟ ଉତ୍ସ—🟠
କ) ପଶ୍ଚିମ ଓଡ଼ିଶାର ପାରମ୍ପାରିକ ଖେଳ;ଏକ ଲୋକତାତ୍ତ୍ଵିକ ଅଧ୍ୟୟନ— ଶ୍ରୀସଞ୍ଜୟ କୁମାର ବାଗ୍
ଖ) କଥିତ ଓଡ଼ିଆ ଶବ୍ଦକୋଷ— ଓଡ଼ିଆ ଭାଷା ପ୍ରତିଷ୍ଠାନ
ଗ) ସମ୍ବଲପୁରୀ ଓଡ଼ିଆ ଶବ୍ଦକୋଷ— ଶ୍ରୀ ସନ୍ତୋଷ ତ୍ରୀପାଠୀ
ଘ) ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ— ଶବ୍ଦଗୁରୁ ଶ୍ରୀଗୋପାଳ ଚନ୍ଦ୍ରପ୍ରହରାଜ
⚫⚫⚫⚫⚫⚫⚫⚫⚫⚫⚫⚫⚫

Tuesday, July 6, 2021

ଗଡ଼ଜାତର କାଣ୍ଠଲା ଖେଳ

ଓଡ଼ିଶାର ଗଡ଼ଜାତରେ କାଣ୍ଠଡ଼ା ଚୋର ନାମରେ ଏକ ଖେଳ ଖେଳାଯାଏ ‌ । ଅଞ୍ଚଳ ଭେଦରେ ଏହି ଖେଳକୁ ‘ପଣସି ଗୋଛା’, ‘କୁକୁର ଚୋର୍’, ‘କାକରୀ ଚୋର' ଆଦି କୁହାଯାଏ ।

‘କଣ୍ଠଡ଼ା ଚୋର’ ମଧ୍ୟରେ ଥିଵା "କଣ୍ଠଡ଼ା" ଶବ୍ଦର ଅର୍ଥ ପଣସ । କଣ୍ଟକଫଳ ,କଣ୍ଟଫଳ ଵା କଣ୍ଟାଫଳ ଶବ୍ଦ ସହ ଓଡ଼ିଆ  କଣ୍ଠଡ଼ା ଓ ହିନ୍ଦୀ କଠଲ ତଥା କଟହଲ ଶବ୍ଦ ସମଦ୍ଧୃତ । ଗଡ଼ଜାତରେ ଯେଉଁଠି ପଣସକୁ କଣ୍ଠଡ଼ା କୁହାଯାଏ ନାହିଁ ସେଠାକାର ଲୋକ ଏ ଖେଳକୁ ପଣସି ଖେଳ କହିଥାନ୍ତି । କେତେକ ଅଞ୍ଚଳରେ ପଣସ ସ୍ଥାନରୈ କାକୁଡ଼ି ଓ କୁକୁର ଶବ୍ଦ ମଧ୍ୟ ପରିଦୃଷ୍ଟ ହୁଏ ।

ଏହି ଖେଳରେ ଅଳ୍ପ ବୟସ୍କ ପୁଅପିଲା ଓ ଝିଅପିଲା ଅଂଶଗ୍ରହଣ କରିଥାନ୍ତି।  ଦୁଆର କିମ୍ବା ଗାଁ ଦାଣ୍ଡକୁ ଏଥିପାଇଁ କ୍ରୀଡ଼ାକ୍ଷେତ୍ର ଭାବରେ ବଛାଯାଇଥାଏ ।

ଏହି ଖେଳରେ ପାଞ୍ଚରୁ ଦଶ ଜଣ ପର୍ଯ୍ୟନ୍ତ ପିଲା ଭାଗ ନେଇଥାନ୍ତି। ଏମାନଙ୍କ ବୟସ ତିନିରୁ ଦଶବର୍ଷ ଭିତରେ ହୋଇଥାଏ ଏଵଂ ବେଳେବେଳେ ତତୋଽଧିକ ମଧ୍ୟ ହୋଇପାରେ । ଖେଳାଳୀମାନଙ୍କୁ ପଣସିଗଛ, ପଣସ, ବୁଢ଼ାବୁଢ଼ୀ, ଚୋର, ଓ କୁକୁର ଭୂମିକାରେ ଅଵତୀର୍ଣ୍ଣ କରିବାକୁ ପଡ଼େ।

ଜଣେ ଖେଳାଳୀ ପଣସଗଛ, ଦିଜଣ ଖେଳାଳୀ ବୁଢ଼ାବୁଢ଼ୀ, ଜଣେ ଚୋର ଏଵଂ ଜଣେ କୁକୁର ହେଉଥିଵା ବେଳେ ଅନ୍ୟ ଖେଳାଳୀମାନେ ପଣସ ଗଛ ହୋଇଥିଵା ଖେଳାଳୀଙ୍କ ସହିତ ପଣସ ପରି ଲାଗିକି ରହିଥାନ୍ତି ।

ଯେତେବେଳେ ଚୋର ପଣସ ଚୋରେଇଵାକୁ ଆସେ । ସେହି ସମୟରେ ବୁଢ଼ାବୁଢ଼ୀ ଘର ଭିତରେ ଅର୍ଥାତ୍ ନିକଟସ୍ଥ ଏକ ସ୍ଥାନରେ ଶୋଇଥିଵାର ଅଭିନୟ କରନ୍ତି ।

ଚୋରକୁ ଦେଖୁ କୁକୁର ଭୂମିକାରେ ଥିଵା ପିଲା ଭୁକିଵା ଆରମ୍ଭ କରେ କିନ୍ତୁ କୁକୁରକୁ ଫାଙ୍କି ଦେଇ ଚୋର ଗୋଟିଏ ପରେ ଗୋଟିଏ ପଣସ ଚୋରି କରି ନେଇଯାଏ।

ଅର୍ଥାତ୍ ଚୋର,ପଣସ ଭୂମିକାରେ ଥିଵା ଏଵଂ ପଣସଗଛ ସହିତ ଲାଗି ରହିଥିଵା ଖେଳାଳୀଙ୍କୁ ଟେକି ନେଇ ଆଢୁଆଳରେ ଲୁଚାଇ ରଖେ।

ଶେଷରେ ବୁଢ଼ାବୁଢ଼ୀ ଘରୁ ବାହାରି ଦେଖିଵାକୁ ପାଆନ୍ତି ଯେ ଚୋର ସବୁ ପଣସ ନେଇ ଯାଇଛି। ସେମାନେ ରାଗିଯାଆନ୍ତି ଓ ଚୋରକୁ ମାରିଵାକୁ ଗୋଡ଼େଇଥାନ୍ତି।

ଚୋର ଦୌଡ଼ିଥାଏ ଏବଂ ତା’ ସହିତ ପଣସ ଭୂମିକାରେ ଅଭିନୟ କରୁଥିଵା ଖେଳଳୀମାନେ ମଧ୍ୟ ଦୌଡ଼ିଥାନ୍ତି।

ଯେଉଁ ଖେଳାଳୀ ଦୌଡ଼ି ପାରେନାହିଁ ତାହାକୁ ଚୋର ଛାଡ଼ି ଦେଇଥାଏ । ବୁଢ଼ାବୁଢ଼ୀ ଓ ପଛରେ ଦୌଡ଼ୁଥିଵା କୁକୁର ତାକୁ ନେଇ ଆସନ୍ତି ।

ଏହିପରି ସମସ୍ତ ପଣସ ସଂଗ୍ରହ କରିସାରିଵା ପରେ ବୁଢ଼ାବୁଢ଼ୀ ଓ କୁକୁର ଚୋରକୁ ଧରିଥାନ୍ତି।

ଏହି ଖେଳ ଏହିପରି ଦୁଇରୁ ତିନିଘଣ୍ଟା ଯାଏଁ ଖେଳା ଯାଇଥାଏ। ଏ ଖେଳରେ ପ୍ରାୟ ସମସ୍ତ ସମବୟସ୍କମାନେ ଅଂଶଗ୍ରହଣ କରିପାରୁଥିଵାରୁ ଦର୍ଶକଙ୍କ କ୍ଵଚିତ୍ର ସମ୍ଭାଵନା ଏଠାରେ ଦେଖିଵାକୁ ମିଳେ ।

ଏହି ଖେଳ ସହ ଉପକୂଳ ଓଡ଼ିଶାରେ ପ୍ରଚଳିତ ଵୋହୂଚୋରୀ ଖେଳର କେତେକ ସାମଞ୍ଜସ୍ୟ ପରିଲକ୍ଷିତ ହୋଇଥାଏ ‌।

ତେଵେ ଆମ ସମାଜରେ ମୋବାଇଲ ଦୂରଦର୍ଶନର ଵ୍ୟଵହାର ବଢି଼ଵା ପରଠାରୁ ବାଟି,ଡାବଲପୁଆ ,ଵୋହୂଚୋରୀ ଭଳି ଏହି ଖେଳଟି ମଧ୍ୟ ଲୁପ୍ତ ହେଵାକୁ ବସିଛି ।

Thursday, July 16, 2020

ବାଘ ଛେଳି ଖେଳ



ନବେ ଦଶକର ଛୁଆ ନିଶ୍ଚୟ ଏଇ ଖେଳ ଖେଳିଥିବେ । ଗାଆଁରେ ଆଜି ବି ପିଲାଏ ଏ ଖେଳ କାଁ ଭାଁ  ଖେଳିଥାଆନ୍ତି । ଢେଙ୍କାନାଳରେ ଏ ଖେଳକୁ "ବାଘ ଛେଳି ଖେଳ" କୁହାଯାଏ । କେଉଁଠି କେଉଁଠି ବାଘ ବଜାରି ମଧ୍ୟ କୁହାଯାଇଥାଏ । ବଡ଼ ଗୋଡ଼ିକୁ ବାଘ ଓ ଛୋଟ ଗୋଡ଼ିକୁ ଛେଳି କୁହାଯାଏ । କେତେକ ଅଞ୍ଚଳରେ ଏ ଖେଳକୁ ବାଘବକୁରି ତ ଆଉ କେତେକ ବାଗ୍'ଡି ମଧ୍ୟ କୁହାଯାଉଥିଲା । ଏକ ଵିଂଶ ଶତାବ୍ଦୀରେ ଏ ଖେଳ ଏବେ ବିଲୁପ୍ତ ହେଵାକୁ ବସିଛି । ଦୁଇ ଜଣ ଖେଳାଳି ମଧ୍ୟରେ ଜଣେ ବଡ଼ ଗୋଡ଼ି ଚଳାଉଥିଵା ବେଳେ ଆଉ ଜଣେ ସାନ ଗୋଡ଼ି ଚଳାଉଥିଲା । ଏ ଖେଳରେ ଦୁଇ ଜଣ ଖେଳାଳି ଖେଳୁଥିଲେ ।  ଖେଳ ଭେଦରେ ଭିନ୍ନ ଭିନ୍ନ ଆକାର ପ୍ରକାରର ଘାଇ କଟାଯାଉଥିଲା ।

🔵ଏ ଖେଳ ପ୍ରସ୍ତୁତି ପାଇଁ କ'ଣ କ'ଣ କରିଵାକୁ ହୁଏ... ?

୧)ସାଧାରଣତଃ ବାଘଛେଳି ଖେଳରେ (ଚିତ୍ର ୧) ଗୋଟିଏ ଵର୍ଗ କ୍ଷେତ୍ର ଅଙ୍କିତ କରାଯାଇ ତାକୁ ରେଖାପାତ ଦ୍ବାରା ୧୬ଟି କ୍ଷୁଦ୍ର ଵର୍ଗକ୍ଷେତ୍ରରେ ବଵଭକ୍ତ କରାଯାଏ । ଲମ୍ବ ବାଗରେ ଓ ଚଉଡ଼ା ବାଗରେ ସମଦୂରସ୍ଥ ୫ଟି ଲେଖାଏଁ ରେଖା ଅଙ୍କନ କରି ଏ ଖେଳର ପାଲୀ କରାଯାଏ ଓ ସେ କ୍ଷେତ୍ରମାନଙ୍କୁ ଗୋଟିଏ ଲେଖାଏଁ କର୍ଣ୍ଣରେଖାଦ୍ବାରା ୩୨ଟି ସମକୋଣୀ ତ୍ରିଭୁଜରେ ବିଭକ୍ତ କରାଯାଏ। କ୍ଷେତ୍ରମାନଙ୍କରେ ଗୋଟିଏ ଲେଖାଏଁ କର୍ଣ୍ଣରେଖା ଟଣାଯାଏ । ଛୋଟ ଛୋଟ ଉକ୍ତ ୧୬ ଵର୍ଗକ୍ଷେତ୍ର ଦ୍ବାରା ୨୫ଟି ଛକ ଉତ୍ପନ୍ନ ହୁଏ ।

🔵ଏ ଖେଳ କେମିତି ଖେଳାଯାଏ...?

ଜଣେ ଖେଳାଳି ୪ଟି ବାଘସୂଚକ ବଡ଼ ଗୋ଼ଡ଼ି ଵା କଉଡ଼ି ବା ମଞ୍ଜି ନିଏ । ଅନ୍ୟ ଜଣକ ୨୦ଟି ଛେଳିସୂଚକ ସାନ ଗୋଡ଼ି ବା ମଞ୍ଜି ନିଏ । ଖେଳାଳିମାନେ ନିଜ ନିଜର ସାରମାନଙ୍କୁ ୨୪ଟି ଛକରେ ବସାନ୍ତି ଓ ବାଘକୁ ଚଳିଵା ପାଇଁ ଗୋଟିଏ ଛକ ଛାଡ଼ି ଦିଆଯାଏ।  ଖାଲି ଘରକୁ "ବାଘ ପାଣି ଖାଇବା ଘର" ବୋଲାଯାଏ । ବାଘ ଓ ଛେଳିମାନେ ରେଖାମାନଙ୍କ ବାଟେ ଏକ ଛକରୁ ନିକଟଵର୍ତ୍ତୀ ଛକକୁ ଚଳା ଯାଆନ୍ତି ।

ଯେବେ ଯେଉଁ ଛକରେ ବାଘ ସାର ଥାଏ ଓ ତା ପରଵର୍ତ୍ତୀ ଛକରେ ଗୋଟିଏ ଛେଳି ସାର ଥାଏ କିନ୍ତୁ ତତ୍ପରଵର୍ତ୍ତୀ ଛକ ଶୂନ୍ୟ ଥାଏ , ତେବେ ବାଘ ଡେଇଁ ପଡ଼ି ଉକ୍ତ ଛେଳିକୁ ଖାଇଦିଏ ଓ ଛେଳିଟି ମରିଯାଏ ।  ଏହିପରି ଅତ୍ଯଧିକ ଛେଳିସାର ମରି ଗଲେ ବାଘର ଅଧିକାରୀ ଜିତେ କିମ୍ବା ଯେବେ ଛେଳିସାରମାନଙ୍କୁ ଏପରି ଚଳାଯାଏ ଯେ ବାଘର ଛକଠାରୁ ପରଵର୍ତ୍ତୀ ଦୁଇଟି ଛକ ଶୂନ୍ୟ ନ ରହେ ତେବେ ବାଘମାନେ ଆଵଦ୍ଧ ହୋଇ ଅଚଳ ହୋଇ ଯାଆନ୍ତି ଓ ଛେଳିର ଅଧିକାରୀ ଜିତେ।
ଭିନ୍ନ ଭିନ୍ନ ଜାତୀୟ ବାଘ ଛେଳି ପାଲୀରେ ନାନା ପ୍ରକାରର ନିୟମରେ ଏ ଖେଳ ଓଡ଼ିଶାରେ ଚଳୁଅଛି ।



ଧାଡ଼ି ଧୋକଡ଼ ନାମକ ଏକ ପ୍ରକାରର ବାଘବଜାରି ଜାତୀୟ ଖେଳ ବି ଚଳୁଥିଲା ବୋଲି ଭାଷାକୋଷରୁ ଜଣାଯାଏ (ଚିତ୍ର ୨) । ଏ ଖେଳରେ ମଧ୍ୟ ଦୁଇ ଜଣ ଖେଳାଳି ଖେଳନ୍ତି । ଜଣକର ସାର ଏକ ଵର୍ଣ୍ଣର ୧୧ ଟି ଗୋଡ଼ି ଅନ୍ୟ ଜଣକର ଅନ୍ୟ ଵର୍ଣ୍ଣର ୧୧ଟି ଗୋଡ଼ି ହୋଇଥାଏ ।

ଏକ ସୀମା ରେଖା ଉପରେ ୩ଟି ଵର୍ଗକ୍ଷେତ୍ର ଭୂମିରେ କଟାଯାଇ ତିହିଁରେ ୨୪ଟି ଘର ଵା ଛକ ଅଙ୍କିତ ହୁଏ ।  ଦୁଇ ଜଣଙ୍କର ୨୨ଟି ସାର ବସିଵା ପରେ ୨ଟି ଘର ବଧା ଵା ବହକା ରହେ। ଯେଉଁ ଖେଳାଳିର ୩ଟି ସାର ଗୋଟିଏ ଧାଡ଼ିରେ ରହିଯାଏ ସେଥର ପାଇଁ ସେ ଜିତେ ଏହା ଘଟିଲେ ଅନ୍ୟ ଖେଳାଳିର ଗୋଟିଏ ସାର ମରିଯାଏ। ଏହିପରି ଖେଳୁ ଖେଳୁ ଯାହାର ସବୁ ଗୋଡ଼ିଯାକ ମରିଯାଏ ସେ ହାରେ ।



ପଶ୍ଚିମ ଓଡ଼ିଶାରେ ବାଘଛେଳିକୁ "ବାଘଡି" କୁହାଯାଏ ଏଵଂ ଏ ଶବ୍ଦଟି ବାଘ+ଅଡି଼ = ବାଘଡି଼ ହୋଇଥିଵା ସମ୍ଭଵ । ଆମ ଭାଷାରେ ଛେଳିକୁ ଅଡି଼ ମଧ୍ୟ କୁହାଯାଏ ।  ସେଇଭଳି କଟକାଞ୍ଚଳରେ ଏ ଖେଳକୁ ବାଘମନ୍ଦାରୀ କୁହାଯାଇଥାଏ । ଏ ଖେଳ ଵିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରୂପେ ଖେଳାଯାଉଥିଲେହେଁ ସବୁ ଜାତୀୟ ଖେଳରେ ଗୋଟିଏ ସାଧାରଣ କିନ୍ତୁ ମୁଖ୍ଯ ନିୟମ ସମାନ ତାହା ହେଲା ବାଘକୁ ଛେଳି ମାନେ ବାନ୍ଧିବା ପାଇଁ ଚେଷ୍ଟା କରିବେ ଓ ବାଘ ଛେଳି ଗୁଡାକୁ ଖାଇବା ପାଇଁ ଚେଷ୍ଟା କରିବ । ବାଘଛେଳି ଖେଳଦ୍ଵାରା କିଏ କେତେ ବୁଦ୍ଧିମାନ ତାହା ଜଣାଯାଉଥିଲା ପୁଣି  ଖେଳ ବଳ ଆଉ ବୁଦ୍ଧିର ଉପଦେଶ ଦିଏ । 


ଉତ୍କଳର ଗ୍ରାମାଞ୍ଚଳରେ ଆଜିକାଲି ଵିଡି଼ଓଗେମ୍ ,ମୋବାଇଲ ଗେମ୍ ଓ  କ୍ରିକେଟ ଭଳି ଵୈଦେଶିକ ଖେଳ ଅଧିକମାତ୍ରାରେ ଖେଳାଯିଵା ଯୋଗୁଁ ବାଘଛେଳି ବାଟି ବୋହୂଚୋରୀ,ଛୁରୀ ଓ ସେକା,ଡାଳୁଆ ଆଙ୍କୁଡି଼ ଓ ବାଡି଼ଡିଆଁ ଆଦି ଶହ ଶହ ଖେଳ କ୍ରମେ ଲୁପ୍ତ ହେଵାକୁ ବସିଛି ।