Thursday, July 16, 2020

ବାଘ ଛେଳି ଖେଳ



ନବେ ଦଶକର ଛୁଆ ନିଶ୍ଚୟ ଏଇ ଖେଳ ଖେଳିଥିବେ । ଗାଆଁରେ ଆଜି ବି ପିଲାଏ ଏ ଖେଳ କାଁ ଭାଁ  ଖେଳିଥାଆନ୍ତି । ଢେଙ୍କାନାଳରେ ଏ ଖେଳକୁ "ବାଘ ଛେଳି ଖେଳ" କୁହାଯାଏ । କେଉଁଠି କେଉଁଠି ବାଘ ବଜାରି ମଧ୍ୟ କୁହାଯାଇଥାଏ । ବଡ଼ ଗୋଡ଼ିକୁ ବାଘ ଓ ଛୋଟ ଗୋଡ଼ିକୁ ଛେଳି କୁହାଯାଏ । କେତେକ ଅଞ୍ଚଳରେ ଏ ଖେଳକୁ ବାଘବକୁରି ତ ଆଉ କେତେକ ବାଗ୍'ଡି ମଧ୍ୟ କୁହାଯାଉଥିଲା । ଏକ ଵିଂଶ ଶତାବ୍ଦୀରେ ଏ ଖେଳ ଏବେ ବିଲୁପ୍ତ ହେଵାକୁ ବସିଛି । ଦୁଇ ଜଣ ଖେଳାଳି ମଧ୍ୟରେ ଜଣେ ବଡ଼ ଗୋଡ଼ି ଚଳାଉଥିଵା ବେଳେ ଆଉ ଜଣେ ସାନ ଗୋଡ଼ି ଚଳାଉଥିଲା । ଏ ଖେଳରେ ଦୁଇ ଜଣ ଖେଳାଳି ଖେଳୁଥିଲେ ।  ଖେଳ ଭେଦରେ ଭିନ୍ନ ଭିନ୍ନ ଆକାର ପ୍ରକାରର ଘାଇ କଟାଯାଉଥିଲା ।

🔵ଏ ଖେଳ ପ୍ରସ୍ତୁତି ପାଇଁ କ'ଣ କ'ଣ କରିଵାକୁ ହୁଏ... ?

୧)ସାଧାରଣତଃ ବାଘଛେଳି ଖେଳରେ (ଚିତ୍ର ୧) ଗୋଟିଏ ଵର୍ଗ କ୍ଷେତ୍ର ଅଙ୍କିତ କରାଯାଇ ତାକୁ ରେଖାପାତ ଦ୍ବାରା ୧୬ଟି କ୍ଷୁଦ୍ର ଵର୍ଗକ୍ଷେତ୍ରରେ ବଵଭକ୍ତ କରାଯାଏ । ଲମ୍ବ ବାଗରେ ଓ ଚଉଡ଼ା ବାଗରେ ସମଦୂରସ୍ଥ ୫ଟି ଲେଖାଏଁ ରେଖା ଅଙ୍କନ କରି ଏ ଖେଳର ପାଲୀ କରାଯାଏ ଓ ସେ କ୍ଷେତ୍ରମାନଙ୍କୁ ଗୋଟିଏ ଲେଖାଏଁ କର୍ଣ୍ଣରେଖାଦ୍ବାରା ୩୨ଟି ସମକୋଣୀ ତ୍ରିଭୁଜରେ ବିଭକ୍ତ କରାଯାଏ। କ୍ଷେତ୍ରମାନଙ୍କରେ ଗୋଟିଏ ଲେଖାଏଁ କର୍ଣ୍ଣରେଖା ଟଣାଯାଏ । ଛୋଟ ଛୋଟ ଉକ୍ତ ୧୬ ଵର୍ଗକ୍ଷେତ୍ର ଦ୍ବାରା ୨୫ଟି ଛକ ଉତ୍ପନ୍ନ ହୁଏ ।

🔵ଏ ଖେଳ କେମିତି ଖେଳାଯାଏ...?

ଜଣେ ଖେଳାଳି ୪ଟି ବାଘସୂଚକ ବଡ଼ ଗୋ଼ଡ଼ି ଵା କଉଡ଼ି ବା ମଞ୍ଜି ନିଏ । ଅନ୍ୟ ଜଣକ ୨୦ଟି ଛେଳିସୂଚକ ସାନ ଗୋଡ଼ି ବା ମଞ୍ଜି ନିଏ । ଖେଳାଳିମାନେ ନିଜ ନିଜର ସାରମାନଙ୍କୁ ୨୪ଟି ଛକରେ ବସାନ୍ତି ଓ ବାଘକୁ ଚଳିଵା ପାଇଁ ଗୋଟିଏ ଛକ ଛାଡ଼ି ଦିଆଯାଏ।  ଖାଲି ଘରକୁ "ବାଘ ପାଣି ଖାଇବା ଘର" ବୋଲାଯାଏ । ବାଘ ଓ ଛେଳିମାନେ ରେଖାମାନଙ୍କ ବାଟେ ଏକ ଛକରୁ ନିକଟଵର୍ତ୍ତୀ ଛକକୁ ଚଳା ଯାଆନ୍ତି ।

ଯେବେ ଯେଉଁ ଛକରେ ବାଘ ସାର ଥାଏ ଓ ତା ପରଵର୍ତ୍ତୀ ଛକରେ ଗୋଟିଏ ଛେଳି ସାର ଥାଏ କିନ୍ତୁ ତତ୍ପରଵର୍ତ୍ତୀ ଛକ ଶୂନ୍ୟ ଥାଏ , ତେବେ ବାଘ ଡେଇଁ ପଡ଼ି ଉକ୍ତ ଛେଳିକୁ ଖାଇଦିଏ ଓ ଛେଳିଟି ମରିଯାଏ ।  ଏହିପରି ଅତ୍ଯଧିକ ଛେଳିସାର ମରି ଗଲେ ବାଘର ଅଧିକାରୀ ଜିତେ କିମ୍ବା ଯେବେ ଛେଳିସାରମାନଙ୍କୁ ଏପରି ଚଳାଯାଏ ଯେ ବାଘର ଛକଠାରୁ ପରଵର୍ତ୍ତୀ ଦୁଇଟି ଛକ ଶୂନ୍ୟ ନ ରହେ ତେବେ ବାଘମାନେ ଆଵଦ୍ଧ ହୋଇ ଅଚଳ ହୋଇ ଯାଆନ୍ତି ଓ ଛେଳିର ଅଧିକାରୀ ଜିତେ।
ଭିନ୍ନ ଭିନ୍ନ ଜାତୀୟ ବାଘ ଛେଳି ପାଲୀରେ ନାନା ପ୍ରକାରର ନିୟମରେ ଏ ଖେଳ ଓଡ଼ିଶାରେ ଚଳୁଅଛି ।



ଧାଡ଼ି ଧୋକଡ଼ ନାମକ ଏକ ପ୍ରକାରର ବାଘବଜାରି ଜାତୀୟ ଖେଳ ବି ଚଳୁଥିଲା ବୋଲି ଭାଷାକୋଷରୁ ଜଣାଯାଏ (ଚିତ୍ର ୨) । ଏ ଖେଳରେ ମଧ୍ୟ ଦୁଇ ଜଣ ଖେଳାଳି ଖେଳନ୍ତି । ଜଣକର ସାର ଏକ ଵର୍ଣ୍ଣର ୧୧ ଟି ଗୋଡ଼ି ଅନ୍ୟ ଜଣକର ଅନ୍ୟ ଵର୍ଣ୍ଣର ୧୧ଟି ଗୋଡ଼ି ହୋଇଥାଏ ।

ଏକ ସୀମା ରେଖା ଉପରେ ୩ଟି ଵର୍ଗକ୍ଷେତ୍ର ଭୂମିରେ କଟାଯାଇ ତିହିଁରେ ୨୪ଟି ଘର ଵା ଛକ ଅଙ୍କିତ ହୁଏ ।  ଦୁଇ ଜଣଙ୍କର ୨୨ଟି ସାର ବସିଵା ପରେ ୨ଟି ଘର ବଧା ଵା ବହକା ରହେ। ଯେଉଁ ଖେଳାଳିର ୩ଟି ସାର ଗୋଟିଏ ଧାଡ଼ିରେ ରହିଯାଏ ସେଥର ପାଇଁ ସେ ଜିତେ ଏହା ଘଟିଲେ ଅନ୍ୟ ଖେଳାଳିର ଗୋଟିଏ ସାର ମରିଯାଏ। ଏହିପରି ଖେଳୁ ଖେଳୁ ଯାହାର ସବୁ ଗୋଡ଼ିଯାକ ମରିଯାଏ ସେ ହାରେ ।



ପଶ୍ଚିମ ଓଡ଼ିଶାରେ ବାଘଛେଳିକୁ "ବାଘଡି" କୁହାଯାଏ ଏଵଂ ଏ ଶବ୍ଦଟି ବାଘ+ଅଡି଼ = ବାଘଡି଼ ହୋଇଥିଵା ସମ୍ଭଵ । ଆମ ଭାଷାରେ ଛେଳିକୁ ଅଡି଼ ମଧ୍ୟ କୁହାଯାଏ ।  ସେଇଭଳି କଟକାଞ୍ଚଳରେ ଏ ଖେଳକୁ ବାଘମନ୍ଦାରୀ କୁହାଯାଇଥାଏ । ଏ ଖେଳ ଵିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରୂପେ ଖେଳାଯାଉଥିଲେହେଁ ସବୁ ଜାତୀୟ ଖେଳରେ ଗୋଟିଏ ସାଧାରଣ କିନ୍ତୁ ମୁଖ୍ଯ ନିୟମ ସମାନ ତାହା ହେଲା ବାଘକୁ ଛେଳି ମାନେ ବାନ୍ଧିବା ପାଇଁ ଚେଷ୍ଟା କରିବେ ଓ ବାଘ ଛେଳି ଗୁଡାକୁ ଖାଇବା ପାଇଁ ଚେଷ୍ଟା କରିବ । ବାଘଛେଳି ଖେଳଦ୍ଵାରା କିଏ କେତେ ବୁଦ୍ଧିମାନ ତାହା ଜଣାଯାଉଥିଲା ପୁଣି  ଖେଳ ବଳ ଆଉ ବୁଦ୍ଧିର ଉପଦେଶ ଦିଏ । 


ଉତ୍କଳର ଗ୍ରାମାଞ୍ଚଳରେ ଆଜିକାଲି ଵିଡି଼ଓଗେମ୍ ,ମୋବାଇଲ ଗେମ୍ ଓ  କ୍ରିକେଟ ଭଳି ଵୈଦେଶିକ ଖେଳ ଅଧିକମାତ୍ରାରେ ଖେଳାଯିଵା ଯୋଗୁଁ ବାଘଛେଳି ବାଟି ବୋହୂଚୋରୀ,ଛୁରୀ ଓ ସେକା,ଡାଳୁଆ ଆଙ୍କୁଡି଼ ଓ ବାଡି଼ଡିଆଁ ଆଦି ଶହ ଶହ ଖେଳ କ୍ରମେ ଲୁପ୍ତ ହେଵାକୁ ବସିଛି । 


 



No comments:

Post a Comment

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...