Wednesday, July 22, 2020

ଉଦନ୍ତୀ ନଦୀ ; କିମ୍ବଦନ୍ତୀ ଓ ନାମକରଣ

ଓଡ଼ିଶା ମଧ୍ୟରେ ଇବ୍, ଓଙ୍ଗ୍  ତେଲ୍,ସୁରାବାଲୀ ଓ ସାଲୁଙ୍କି, ଆଦି ମହାନଦୀର ଅନେକ ଉପନଦୀ ରହିଛି ।  ମହାନଦୀର ଏଇଭଳି ଏକ ଉପନଦୀ ତେଲନଦୀର  ଏକ ସହାୟକ ନଦୀର ନାମ ଉଦନ୍ତୀ ଅଟେ ।





ଉଦନ୍ତୀ ନଦୀ , ଛୋଟନାଗପୁର ମାଳାଞ୍ଚଳରୁ ପ୍ରଵାହିତ ହୋଇ ନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକର ପଶ୍ଚିମ ଦିଗରେ ସିନ୍ଦୂରସିଲ ନିକଟରେ ଓଡ଼ିଶା ସୀମା ମଧ୍ୟକୁ ପ୍ରଵେଶ ହୋଇଛି । ଉଦନ୍ତୀ ନଦୀ ଛତିଶଗଡ଼ ଓ ଓଡ଼ିଶାର ନୂଆପଡ଼ା ତଥା କଳାହାଣ୍ଡି ଜିଲ୍ଲାରେ ପ୍ରଵାହିତ ହେଉଅଛି । କଳାହାଣ୍ଡି ଜିଲ୍ଲାର ସେଁପୁରଠାରେ ଏ ନଦୀ ତେଲ୍ ନଦୀରେ ଆସି ମିଶିଅଛି ।

ଉଦନ୍ତି ଵା ଉଦନ୍ତୀ ନଦୀକୁ ଓଡ଼ିଶାର "free-flowing river" ଭାବେ ଅଭିହିତ କରାଯାଇଥାଏ ।  ଯେଉଁ ନଦୀଗୁଡ଼ିକ ମନୁଷ୍ୟକୃତ ପରିଵର୍ତ୍ତନ ହେତୁ ସେତେଟା ପ୍ରଭାଵିତ ହୋଇନଥାନ୍ତି ସେଗୁଡ଼ିକୁ "free-flowing river" କୁହାଯାଏ । ଛତିଶଗଡ଼ ଓ ଓଡ଼ିଶା ରାଜ୍ୟ ମଧ୍ୟରେ ଏ ନଦୀ ପ୍ରଵାହିତ ହେଉଅଛି ।




  ଉଦନ୍ତୀ ନଦୀକୁ ନେଇ କଳାହାଣ୍ଡି ଅଞ୍ଚଳରେ ଏକ କିମ୍ବଦନ୍ତୀ ରହିଛି । ଏଠାକାର ଵନର ପୁଷ୍ପାଦି ଯୋଗୁଁ ସବୁଆଡେ ସୁବାସ ମହକି ଉଠୁଥିଲା । ସେହି ମହକରେ ଆକୃଷ୍ଟ ହୋଇ ସ୍ୱର୍ଗର ଇନ୍ଦ୍ର ଇନ୍ଦ୍ରାଣୀ ମର୍ତ୍ତ୍ଯକୁ ଓହ୍ଲାଇ ଏଠାରେ ଅନେକ ଦିନ ଵିହାର କରିଵାକୁ ଲାଗିଲେ । ସ୍ଥାନୀୟ ଜନଜାତୀୟ ଲୋକେ ସେମାନଙ୍କ ପାଇଁ ମାଟି ଝାଟିର ସୁନ୍ଦର ଘରଟିଏ ତିଆରି କରିଦେଲେ ।

ପାଖ ପାହାଡ ତଳେ ରହିଥିଲା ଆଉ ଗୋଟେ ଉପତ୍ୟକା । ଥରେ ଇନ୍ଦ୍ର ବୁଲୁ ବୁଲୁ ସେହି ଉପତ୍ୟକାରେ ପହଞ୍ଚିଲେ । ଉପତ୍ୟକାରେ ବସିଥିଲା ଫୁଲର ହାଟ । ଉଡି ବୁଲୁଥିଲେ ଅସଂଖ୍ୟ ପକ୍ଷୀ ଓ ପ୍ରଜାପତି । ସେମାନଙ୍କ ସହିତ ଘୁରି ବୁଲୁଥିଲା ଜଣେ ଅସାମାନ୍ୟ ସୁନ୍ଦରି ନାରୀଟିଏ ।




ନାମ ତାର ଉଦନ୍ତି । ତାର ସୈାନ୍ଦର୍ଯ୍ୟରେ ଆକର୍ଷିତ ହୋଇ ଇନ୍ଦ୍ର ତାକୁ ପ୍ରେମ ନିଵେଦନ କଲେ । ତହୁଁ ପ୍ରେମିକ ପ୍ରେମିକା ହୋଇ ସେମାନେ ଫୁଲ ବଗିଚାରେ ଘୁରି ବୁଲିଲେ । ଉଦନ୍ତିକୁ ପାଇ ଇନ୍ଦ୍ର ଭୁଲି ଗଲେ ଇନ୍ଦ୍ରାଣୀଙ୍କ କଥା । ଏଇମିତିରେ କଟିଗଲା ଅନେକ ଦିନ ।

ଏଣେ ଇନ୍ଦ୍ର ଦେବତାଙ୍କ ବାଟ ଚାହିଁ ଚାହିଁ ଇନ୍ଦ୍ରାଣୀ ଆଖିରେ ଲୁହ ଝରାଇଲେ । ଜନଜାତୀୟ ଲୋକମାନେ ଧାଇଁ ଯାଇ ଇନ୍ଦ୍ରଙ୍କର ଠାଵ ଠିକଣା ଉଣ୍ଡି ଆସିଲେ ।

ଉଦନ୍ତି—ଇନ୍ଦ୍ର ପ୍ରଣୟ କଥା ଜାଣି ଇନ୍ଦ୍ରାଣୀ ଦୁଃଖରେ ଭାଙ୍ଗି ପଡି଼ଲେ । ନଖାଇ ନପିଇ ବସି କାନ୍ଦିଲେ । ଆଦିବାସୀ ଲୋକମାନେ ତାଙ୍କୁ ଜଗି ବସିଲେ । ବଣରୁ ଫଳ ମୂଳ ଆଣି ଖାଇଵାକୁ ଦେଲେ ।




ଶେଷରେ ଦିନେ ଅସହ୍ଯ ହେଲାରୁ ଇନ୍ଦ୍ରାଣୀ ଅଭିଶାପ ଦେଲେ...

"ଇନ୍ଦ୍ର ଓ ଉଦନ୍ତି ବିହାର କରୁଥିଵା ସୁନ୍ଦର ଉପତ୍ୟକାରେ ମରୁଭୁମିର ଵିଭିଷିକା ସୃଷ୍ଟି ହେଵ, ଆଉ ଵର୍ଷା ହେଵ ନାହିଁ । ଇନ୍ଦ୍ର ଓ ଉଦନ୍ତି ହୋଇଯିବେ ଦୁଇଟି ସୁଖା ନଈ । ପରସ୍ପର ଵିପରୀତ ଦିଗରେ ଗତି କରିଵେ । କେବେ ମିଶି ପାରିଵେ ନାହିଁ ।"

ଅଭିଶାପ ଫଳିଲା । ଇନ୍ଦ୍ର ଓ ଉଦନ୍ତି ନଈ ଦୁଇଟି ଵିପରୀତ ଦିଗରେ ବହି ଚାଲିଲେ ।  ଏଣେ ଇନ୍ଦ୍ରାଣି ମଧ୍ୟ ଇନ୍ଦ୍ରାବତି ନଈ ହୋଇ ବହିଗଲେ, ଅନ୍ୟ ଦିଗକୁ ମୁହଁ କରି ।

ଆଜି ନୂଆପଡ଼ା ଜିଲ୍ଲାର କାର୍ଲାକୋଟ ନିକଟରେ ଯେଉଁ ତିଖାଲି ଡ୍ଯାମ୍ ରହିଛି ତାକୁ lower indra dam ବି କୁହାଯାଏ । ସେଇଠି ଇନ୍ଦ୍ର ନଦୀ ଓ ସୁନ୍ଦର ନଦୀ ମିଶିଛି ଏଵଂ ସେ ନଦୀ ସୁନ୍ଦର ନଦୀ ନାମ ବହି ତେଲ୍ ନଦୀରେ ଯାଇ ମିଶିଅଛି ।

କିମ୍ବଦନ୍ତୀ କୁହେ ଇନ୍ଦ୍ର ଓ ଉଦନ୍ତି ନଦୀ କେବେ ମିଶିପାରିଲେ ନାହିଁ ତେବେ ଉଦନ୍ତି ଓ ଇନ୍ଦ୍ର ଉଭୟ ନଦୀର ଜଳ କିନ୍ତୁ ତେଲ୍ ନଦୀରେ ମିଶିଥାଏ ।

ଏ ନଦୀର ନାମ ଉଦନ୍ତି କାହିଁକି ହେଲା ? ସମ୍ଭଵତଃ ଉଦନ୍ତି ନଦୀର ଗୁଣ ଯୋଗୁଁ ଏ ନଦୀର ଏଭଳି ନାମକରଣ ହୋଇଥାଇପାରେ ।

ଉଦନ୍ତ ଶବ୍ଦର ସ୍ତ୍ରୀଵାଚକ ରୂପ ଉଦନ୍ତି ଅଟେ ।
ଏକ ସଂସ୍କୃତ ଇଂରାଜୀ ଅଭିଧାନରେ ଉଦନ୍ତ ଶବ୍ଦର ଅନେକ ଅର୍ଥ ରହିଛି ଯଥା_

ଉଚ୍ଛୁଳିଵା(flowing over),ଭଲ,ଧାର୍ମିକ(virtuous),ଅତି ଉତ୍ତମ, କାହାକୁ ଛାଡ଼ି ପଳାୟନ(running over), କାର୍ଯ୍ୟର ସମାପ୍ତି,ସମ୍ଵାଦ ଵା ଵାର୍ତ୍ତା,ଵ୍ୟାପାର ଦ୍ଵାରା ଜୀଵିକାନିର୍ଵାହ କରୁଥିଵା ଵ୍ଯକ୍ତି,ଵିଶ୍ରାମ, ବୁଦ୍ଧିମାନ,ଵଳିଦାନ,ଅମଳକାଳ, ଇତିହାସ,ଶେଷ ଯାଏଁ  କହିଵା ଇତ୍ୟାଦି ଇତ୍ୟାଦି

ଉଦନ୍ତି ନଦୀରେ ପ୍ରତିଵର୍ଷ ଵନ୍ଯା ହୋଇଥାଏ ଅର୍ଥାତ୍ ଏ ନଦୀର ଜଳ କୂଳ ଲଙ୍ଘନ କରେ ବୋଲି ଵନ୍ଯା ହୋଇଥାଏ । ଏଠାରେ ଉଦନ୍ତ ଶବ୍ଦର flowing over ଵା କୂଳ ଲଙ୍ଗି ଉଚ୍ଛୁଳିଵା ଅର୍ଥଟି ପ୍ରକାଶ ପାଇଛି । ତେବେ ସବୁନଦୀରେ ଆଗେ ଵନ୍ଯା ହିଁ ହେଉଥିଲା ଏଥିରେ ନୂଆ କ'ଣ ରହିଗଲା ?





ସମ୍ଭଵତଃ ଉଦନ୍ତ ଶବ୍ଦର running over ଵା ଅନ୍ଯକୁ ଛାଡି଼ ପଳାୟନ କରିଵା ଅର୍ଥରେ ଉଦନ୍ତ ଶବ୍ଦର ସ୍ତ୍ରୀଵାଚକ ରୂପ ଉଦନ୍ତି କରି ଏ ନଦୀର ନାମ ରଖାଯାଇଅଛି । କିମ୍ବଦନ୍ତୀ ଅନୁସାରେ  ଉଦନ୍ତି ନାମକ କନ୍ଯା ଓ ଇନ୍ଦ୍ରଙ୍କୁ ଇନ୍ଦ୍ରାଣୀ ଅଭିଶାପ ଦେଇଥିଲେ ଯେ ସେମାନେ କେବେ ମିଶିପାରିବେ ନାହିଁ । ସମ୍ଭଵତଃ ଇନ୍ଦ୍ରଙ୍କୁ ଛାଡ଼ି ଅନ୍ଯ ଏକ ଦିଗକୁ ପଳାୟନ କରି ନଦୀ ଭାବେ ପ୍ରଵାହିତ ହୋଇଥିଵା ହେତୁ ଏ ନଦୀର ନାମ ଉଦନ୍ତି ରଖାଯାଇଥିଲା ।

ଓଡ଼ିଆ ସାହିତ୍ୟରେ ଉଦନ୍ତ ଶବ୍ଦର ଅନେକ ସ୍ଥାନରେ ଵ୍ଯଵହାର ହୋଇଅଛି । ଏ ଶବ୍ଦର ଵିଶେଷତଃ ସମ୍ବାଦ,ଵାର୍ତ୍ତା ଓ ସମାଚାର ଅର୍ଥରେ ଵ୍ଯଵହାର ହୋଇଥିଵା ଦେଖାଯାଏ ।

✓ଏବେ ହୋ ଶୁଣ ପରୀକ୍ଷିତ ।
ଋଷଭ ଉତ୍ତାରେ ଯେମନ୍ତ ।। ୧।।
କହିବା ତହିଁର ଉଦନ୍ତ ।
ରାଜନ ହୁଅ ଏକଚିତ୍ତ ।। ୨।।
(ପଞ୍ଚମ ସ୍କନ୍ଧ,ଭାଗଵତ, ଜଗନ୍ନାଥ ଦାସ)

✓ବେଗରେ ବେତ୍ର କର ଗତି ମତ୍ସ୍ୟ ଚହଟ।
ବୋଲିବାର ମଣିମାଭେକରଟ,
         ବାଟେ ଦ୍ବିବିତ କହିଲା ଏ ଉଦନ୍ତ ।
ସୁଦନ୍ତଶୋଭୀ ଶୁଣି ଭାଳେ ,
             ବିଭୁ ବିରାଗୀ ମୋହଠାରେ ହେଲେ ।୨।
(ଵୈଦେହୀଶ ଵିଳାସ,କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜ)

✓କୁକ୍କୁଟକୁ ମୁକୁଟ ସେ ଗିରିକୂଟେ ଦେଇ
ଲଭି ବଲ୍ଲଭୀ ଉଦନ୍ତ ଦୂତ ପଠିଆଇ ଯେ ।
ଜଳେ ସେତୁ କଲେ ଶିଳେ ନଳେ ଦେଇ ଯଶ ।
ଲଙ୍କା ବେଢ଼ି ଶଙ୍କା କରାଇଲେ ଦୈତ୍ୟବଂଶ ଯେ ।
(ଲାଵଣ୍ଯଵତୀ,କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ)

✓ସେ ଭଵନୁ ଜେମା ହେଲେ ନିରୁଦ୍ଦେଶ
                                          ବ‌ହୁ ଅନ୍ୱେଷଣ କରି,
ନ ଭବି ଉଦନ୍ତ ଅଵଶେଷେ କ୍ଷାନ୍ତ  ହେଲେ
                                             ଉତ୍କଳ କେଶରୀ । (ପାର୍ଵତୀ,କଵିଵର ରାଧାନାଥ ରାୟ)

✓ପଚାରନ୍ତି ପରାଶର ମୁନିଙ୍କୁ ଉଦନ୍ତ ।
କହ କହ ତପୀବର ଏ କିସ ଚରିତ ।୧୫।
(ମାଣବସା ଲକ୍ଷ୍ମୀ ପୁରାଣ, ବଳରାମ ଦାସ)

ସେହିପରି ଵିପ୍ଳଵୀ ଵୀର ସୁରେନ୍ଦ୍ର ସାଏଙ୍କ ଭାଇମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଉଦନ୍ତ ସାଏ ।ସୁରେନ୍ଦ୍ର,ଉଦନ୍ତ, ଧ୍ରୁଵ, ଉଜ୍ଜ୍ୱଳ, ଛଵିଳ, ଜାଜ୍ଜ୍ୱଳ ଓ ମେଦିନୀ ଇତ୍ୟାଦି ସେମାନେ ଛଅଭାଇ ।





ଉଦନ୍ତୀ ନଦୀର ଉଭୟ ପାର୍ଶ୍ଵରେ ପ୍ରସ୍ତରଯୁଗୀୟ ଜନଵସତି ଗଢି଼ଉଠିଥିଵାର ପ୍ରମାଣ ନିକଟରେ ଗଵେଷକମାନଙ୍କୁ ମିଳିଅଛି । ନଙ୍ଗଲବୋଡ଼ ଅଞ୍ଚଳରୁ ଆଵିଷ୍କୃତ ପ୍ରସ୍ତର ଯୁଗର ଵିଶାଳ ଲଙ୍ଗଳ ପଥର  ହେଉ କି ସାନବେହେଲି ଓ ଲୁଠାଗଡ଼ ଅଞ୍ଚଳର ପ୍ରାଚୀନ ରାଜପ୍ରସାଦର ଧଂସାଵଶେଷ ଏ ନଦୀକୂଳରେ ଭରି ରହିଛି ଏମିତି ଅନେକ ପ୍ରାଚୀନ ମାନଵ ସଭ୍ଯତାର ସ୍ମୃତି ଚିହ୍ନ । ସମ୍ଭଵତଃ ପୌରାଣିକ କିମ୍ବଦନ୍ତୀ ଓ ଐତିହାସିକ ଘଟଣାଵଳୀର ଉଦାନ୍ତ ପ୍ରଚାର କରିଆସୁଥିଵାରୁ ଏ ନଦୀର ନାମ ଉଦନ୍ତୀ କରାଯାଇଥାଇପାରେ ।

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...