ଜାମଶେଦପୁର ଆଜି ଏକ ଶିଳ୍ପ ନଗରୀ ଭାବେ ଵିଖ୍ଯାତ ତେବେ ଆଗେ ଏମନ୍ତ ନଥିଲା । କାଳିମାଟି ,ସାକ୍ନୀ ଆଦି ଅନେକ ଓଡ଼ିଆ ଗାଆଁ ଏଠାରେ ରହିଥିଲା ।
ଟାଟା କମ୍ପାନୀ ଦ୍ଵାରା ସ୍ଥାନୀୟ ଲୋକଙ୍କ ପୈତୃକ ସମ୍ପତ୍ତି ଅଧିଗ୍ରହଣ ଓ କାରଖାନା ସ୍ଥାପନ ପରେ ଏ ଅଞ୍ଚଳର ନାମ ଜାମଶେଦ ଟାଟାଙ୍କ ନାଆଁରେ ଜମଶେଦପୁର ରଖା ଯାଇଛି ।
ଏ ଵିଷୟରେ ଏକ ଓଡ଼ିଆ ଗୀତିକଵିତା ଏକ ପୁସ୍ତକରେ ଥରେ ପାଇଥିଲି କିନ୍ତୁ ଏ କଵିତାର କଵି କିଏ ତାହା ସେଠାରେ ଉଲ୍ଲେଖ ନଥିଲା ।
କଵିତାର ନାମ #ଜାମସେଦପୁରେ...
ଏହି ଯେ ନଗରୀ ଆଜି ମୁଁ ଦେଖେ ନୟନେ ଚାହିଁ
ଧନ ଦଉଲତେ ଡଉଲ ସରି ଏହାର କାହିଁ ?
ସଉଧୁ ସଉଧ ଗଗନେ ଶିର ଉଠିଛି ଟେକି,
ମରତୁ ରଖିଵା ପାହାଚ ବାନ୍ଧି ସରଗେ ନିକି !
ସୁଖ ସଉଭାଗ୍ଯେ ନିରତେ ହସି ରହନ୍ତି ଜନେ ।
ମର ଦୁଃଖ ଶୋକ ନାହାନ୍ତି ସତେ ଦେଖି ନୟନେ ।
କଳେ ନିତି ଧନ ସଂପଦ ଶିରୀ ଗଢ଼ନ୍ତି କରେ
ଲୁହାରେ କରନ୍ତି ସୁନା ସେ କର ପରଶେ ଖରେ ।
କି ଅଛି ଅପୂର୍ଵ ମର୍ତ୍ତ୍ଯେ ଯା ଧରି ନାହାନ୍ତି ବସି ?
ମନାସନ୍ତି ସତେ ଭୂଞ୍ଜିଵେ ସ୍ଵର୍ଗ ସମ୍ପଦ ହସି ।
ଏହି ଯେ ସମ୍ଭାର ନୟନେ ଦିନେ ଦେଖିଵା ପାଇଁ
ନିଖିଳ ଭୂଵନୁ ସରାଗେ ଜନେ ଆସନ୍ତି ଧାଇଁ ।
ମାଡି଼ ଯେ ଯାଅନ୍ତି ଚରଣେ ଶିଳା
ସରଣୀ ପରେ,
ଅଜାଣିତେ କେତେ ଦରିଦ୍ର ଆଶା ଵିଲୁପ୍ତ ଭାଲେ ।
କଳ ଘନ ମନ୍ଦ୍ର ଗର୍ଜନେ କର୍ଣ୍ଣେ ଶୁଣନ୍ତି ମିଶା
ଦୁଃଖିହୃଦ ଵୃଥା ଗୁପତ ଧୀର ନୀରଵ ଭାଷା ।
କେତେ ଆହା ପଲ୍ଲୀ କୃଷକେ ଚିତ୍ତ ଉଲ୍ଲାସ ତାନେ .
ହଳ ବାହି ଏହି ପ୍ରାନ୍ତର ଭରି ନ ଥିଵେ ଦିନେ ।
କେତେ ତ କୃଷକ ଘରଣୀ ଭୋକେ ଗିରସ୍ତ ଲାଗି
ଭାତ ଘେନି ବିଲେ ଥିଵଟି ଆସି ସରମେ ଭାଗୀ ।
ପ୍ରାଣପତି ପେଟୁ ବଳିଲେ ଲତା ଉଢ଼ାଳେ ବସି ,
ନିଜ ପେଟ ଅଳ୍ପେ ମଉନେ ଭରିଥିଵଟି ହସି ।
ଫେରନ୍ତେ କୁଟୀରେ ଚରଣ ଲାଗିଥିଵ ତା ଭାରି ,
ଗିରସ୍ତ ସଙ୍ଗରେ ନଥିଲେ ,କିଵା କୁଟୀର ଶିରୀ ?
ସେହୀ ଶିରୀମାନ ଭାଙ୍ଗି ତ ଗଢ଼ା ଏ ପୁରୀ ଆଜି ,
ସେହି ପଲ୍ଲୀ ସୁଖଶରଧା ଏଥି ରହିଛି ଭାଜି ।
ଖୋଳିଲେ ମୃତ୍ତିକା ପାଇଵ ହଳ ଲଙ୍ଗଳ ଗାର ,
ଦୁଃଖୀ ହୃଦେ ଦେଖି ପାରିଵ ଧନ ପେଷଣ ଭାର ।
ଗଛ ଲତା ମୂଳ ନିକାଶେ ଆଜି ନଥିଵ ଶୁଖି ,
ଦିନେ ଯହିଁ କାଟି ଫସଲ ଚଷା ଥିଵଟି ରଖି ।
କେଦାର କନକ ସମ୍ଭାରେ ଭରିଥିଵ ତା ମନ,
ତୋଷେ ବରଷଟି ଖାଇ ,ସେ ଯାପିପାରିବ ଦିନ ।
ଆଜି ଏବେ ଯାଇ କେଵଣ ଦୂର ଦୁର୍ଗମ ପଥେ ,
ଧରି ସ୍ତିରୀ ପୁତ୍ର ଅନ୍ଦୁଟି ଥିବ ନିଶୂନ୍ଯ ପେଟେ ।
ସୁମରୁ ଥିବ ତା ଅତୀତ ଭଵ ସମ୍ପଦ କଥା
ଶମନ ଜୀଵନ୍ତ ପୀଡନେ ନୋଇଁ ଦଇନେ
ମଥା ।
ନିଦାରୁଣ ଏହି ଛଵି କେ ଯେବେ ଦେଖିଵ ଲୋଡ଼ି ,
ଏ କୁଵେର ପୁରେ କିପାଇଁ ବାରେ ଆସିଵ ବରି ?
କୁଲିବାର ଯାଇ ଆସେ ତ ମରୁ ପଦା କାନନେ ,
ଅନଶନେ ଯହିଁ ଉଦର ଜାଳି ଭ୍ରମନ୍ତି ଜନେ ।
ରହ , ହେ ନଗରନିବାସି ,ଅର୍ଦ୍ଧ ନୃପତିରାଜି;
ନ ଫେରିବି ଦିନେ ଏ ପୁରେ ,ତେଜି ଯାଉଛି ଆଜି ।
(ଦ୍ରଷ୍ଟଵ୍ଯ—ଏ କଵିତାଟିର କିଏ ରଚୟିତା ଜାଣିଥିଲେ ଏଠାରେ ଜଣାଇଵାକୁ ଵିଶେଷ ଅନୁରୋଧ ରହିଲା)
No comments:
Post a Comment