Friday, July 3, 2020

ଲୋକକଥାରେ ଚୀନ ଓ ଓଡ଼ିଶାର ଵୀରାଙ୍ଗନା

ଚୀନର ଜଣେ ଵୀରାଙ୍ଗନା 花木蘭(ହୁଆ ମୁଲାନ)ଙ୍କୁ ଅଳ୍ପବହୁତେ ସମସ୍ତେ ଜାଣିଥିଵେ ।  ଏକାଦଶ ଵା ଦ୍ଵାଦଶ ଶତାବ୍ଦୀର ଲେଖକ
Guo Maoqian ପ୍ରଥମେ  ଏହାଙ୍କ ସମ୍ବନ୍ଧରେ ପ୍ରଚଳିତ ପୁରାତନ ଲୋକକଥାର ପଦ୍ଯାଵଳୀଗୁଡି଼କୁ ଲିଖିତ ଆକାରରେ ସଂଗ୍ରହ କରିଥିଲେ ।

ଐତିହାସିକଙ୍କ ଅନୁସାରେ ହୁଆ ମୁଲାନଙ୍କ କାହାଣୀ "ଉତ୍ତର ୱି(Wei) ଯୁଗ" ସମୟର ହୋଇଥିଵା ସମ୍ଭଵ । ଏହାର ସମୟକାଳ ଖ୍ରୀଷ୍ଟାବ୍ଦ ୩୮୬ରୁ ଖ୍ରୀଷ୍ଟାବ୍ଦ ୫୩୫ ମଧ୍ୟରେ  ବୋଲି ଐତିହାସିକ ମାନେ ଅନୁମାନ କରିଅଛନ୍ତି ।

ମାଣ୍ଡାରିନରେ mùlán ଏକ ଚୀନଦେଶୀୟ ଫୁଲ
Magnolia liliifloraର ନାମ ଏଵଂ ହୁଆ ଶବ୍ଦର ଅର୍ଥ ଫୁଲ ଅଟେ । ହୁଆ ଏକ ପ୍ରସିଦ୍ଧ ଚୀନଦେଶୀୟ ଉପନାମ ମଧ୍ୟ ଅଟଇ ।

ହୁଆମୁଲାନଙ୍କ କିମ୍ବଦନ୍ତୀ ଅନୁସାରେ ନିଜ ଦେଶ ଉପରେ ପଡୋ଼ଶୀରାଜ୍ଯର ସୈନ୍ୟ ଆକ୍ରମଣ ଯୋଗୁଁ ହୁଆ ମୁଲାନଙ୍କ ପିତା ସମେତ ଅଧିକାଂଶ ଯୋଦ୍ଧାଙ୍କୁ ଯୁଦ୍ଧକ୍ଷେତ୍ରରେ ଯୋଗ ଦେଵାକୁ ରାଜାଙ୍କ ଦ୍ଵାରା ଆଦେଶପତ୍ର ପ୍ରେରଣ କରାଗଲା ।

ହୁଆମୁଲାନଙ୍କର ପିତା ଅସୁସ୍ଥ ଥିଵାରୁ ସେ ପୁରୁଷ ବେଶ ଧାରଣପୂର୍ଵକ ଉକ୍ତ ଯୁଦ୍ଧରେ ଯୋଗ ଦେଇ ଦୃଶ ପାଇଁ ସଂଗ୍ରାମ କରିଥିଲେ । କେତେକ ଅଞ୍ଚଳର ଲୋକକଥା ଅନୁସାରେ ହୁଆମୁଲାନ ଯୁଦ୍ଧରେ ଵିଜୟୀ ହୋଇଥିଲେ ତ ଆଉ କେତେକ କିମ୍ବଦନ୍ତୀରେ ସେ ଯୁଦ୍ଧ କରି କରି ପ୍ରାଣଵଳି ଦେଇଥିଵା ଵର୍ଣ୍ଣିତ ହୋଇଅଛି ।

ଇଏ ତ ଗଲା ଚୀନ ଦେଶୀୟ ଵୀରାଙ୍ଗନା ହୁଆ ମୁଲାନଙ୍କ କାହାଣୀ କିନ୍ତୁ କ'ଣ ଆପଣ ଜାଣିଛନ୍ତି ଆମ ଆଧୁନିକ ଓଡ଼ିଆ ସାହିତ୍ୟରେ ମଧ୍ୟ ଏଭଳି ଜନୈକା ଵୀରାଙ୍ଗନାଙ୍କର ଵର୍ଣ୍ଣନା ରହିଛି ।

ଇଏ ହେଉଛନ୍ତି ପ୍ରଥମ ଶତାବ୍ଦୀର ଵୀରାଙ୍ଗନା ଓ ସମ୍ରାଟ ଖାରବେଳଙ୍କର ଦ୍ଵିତୀୟ ପତ୍ନୀ ଧୂସୀ ଓ ତାଙ୍କର  କାହାଣୀ । ପଂଡିତ ନୀଳକଂଠ ତାଙ୍କର "ଖାରବେଳ" କାଵ୍ଯରେ ଇତିହାସ ଓ କଳ୍ପନାକୁ ମିଶାଇ ଅତୀଵ ସୁନ୍ଦର ଭାବେ ତାହା ଵର୍ଣ୍ଣନା କରିଅଛନ୍ତି ।

ନୀଳକଂଠଙ୍କର "ଖାରବେଳ" କାଵ୍ଯର କଥାନୁସାରେ ସେତେବେଳେ ଭାରତର ସମ୍ରାଟ ଥାଆନ୍ତି ପ୍ରଵଳ ପ୍ରତାପୀ ଐରପୁତ୍ର ଖାରବେଳ । ତାଙ୍କ ଵିଶାଳ ସାମ୍ରାଜ୍ୟକୁ ଲାଗି ସିନ୍ଧୁନଦୀର ପଶ୍ଚିମ ଦିଗରେ ଅବସ୍ଥିତ ଥିଲା ଦ୍ରାଵିଡ଼ମାନଙ୍କ ଦ୍ଵାରା  ଅଧ୍ଯୁଷିତ ଏକ କୃଷକ ରାଜ୍ୟ କୃଷକପୁର ଯହିଁର ରାଜଧାନୀ ଥିଲା ସିଂହପଥ ।

ବଲୁଚିସ୍ଥାନର Kalat ଅଞ୍ଚଳକୁ ସେହି  ଅଞ୍ଚଳ ଭାବେ ଚିହ୍ନଟ କରାଯାଇପାରେ ଯେଉଁଠି ଆଜି ବି ଗୋଟାଏ ଦ୍ରାଵିଡ଼ ଭାଷା ଚଳୁଅଛି ତାହାର ନାମ Brahui ।

ଏହି ରାଜ୍ୟର ବୃଦ୍ଧ ରାଜା ଵର୍ତ୍ତମାନର ଆଫଗାନିସ୍ଥାନ ଓ ବେଲୁଚିସ୍ଥାନ ପୂର୍ଵରେ ଥିଵା ସେହିସମୟର ବଜିର ରାଜ୍ୟର କନ୍ଯା ‘ଧୂସି’ଙ୍କୁ ପାଳନ କରିଥିଲେ ।

ଖାରବେଳ ପ୍ରଥମେ "ପଟଳ"ରେ ଛାଉଣୀ କରି କୃଷକମାନଙ୍କୁ ଯୁଦ୍ଧରେ ସାଥି କରିବାକୁ ଲୋଡ଼ୁଥାନ୍ତି । ଏହିପରି ସମୟରେ ଦିନେ ସଞ୍ଜବେଳେ ଘୋଡ଼ାରେ ଚଢ଼ି ନଈ ପଶ୍ଚିମ ପାଖକୁ ବୁଲିବାକୁ ଯାଇ ଫେରିବା ବାଟ ଜାଣି ପାରିଲେ ନାହିଁ।

ଦୂରରେ କେତେଗୁଡ଼ିଏ କୃଷକ ବାଳିକା ଖେଳୁଥିଲେ ଓ କୂଳରେ ପଥର ଉପରେ ବସିଥିଲେ  "ଧୂସି" । ଖାରବେଳ ଧୂସିଙ୍କୁ ବାଟ ପଚାରି ଫେରି ଆସିଥିଲେ । ଏହି "ଧୂସି"ଙ୍କ ସହିତ ପ୍ରଥମ ସାକ୍ଷାତରେ ହିଁ ଉଭୟଙ୍କର ପ୍ରଣୟର ସୂ୍ତ୍ରପାତ ହୋଇଥିଲା ।

ଏହାପରେ କୃଷକ ଜାତି ଖାରବେଳଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଵାପରେ କୃଷକ ରାଜାଙ୍କ ସୈନ୍ଯମାନଙ୍କୁ ନେଇ ଧ୍ଵଂସି ବଜିର ରାଜପୁ୍ତ୍ରର ଛଦ୍ମବେଶରେ ଖାରବେଳଙ୍କ ସୈନ୍ଯବାହିନୀରେ ଯୋଗ  ଦେଇଥିଲେ।

ଏହି ସମୟରେ ଦତ୍ତିମ(ଡିମେଟ୍ରିୟସ୍; କାଵ୍ଯରେ ନୀଳକଂଠ ଏହାଙ୍କର ଦତ୍ତିମ ନାମ ରଖିଛନ୍ତି) ଚକ୍ରାନ୍ତ କରି ରାତିରେ ବଜିର ରାଜଧାନୀ ସିଂହପଥ ଆକ୍ରମଣ କରିଥିଲେ ।

ସେନାପତି "ଧୂସି" ଆଗରୁ ଏହା ଜାଣିପାରି କେତେକ କୃଷକ ଓ କଳିଙ୍ଗସେନା ନେଇ ବାହାରପଟୁ ଦତ୍ତିମଙ୍କୁ ଘେରି ରହିଲେ । ଦତ୍ତିମ ଉଭୟଆଡ଼ୁ ଆକ୍ରାନ୍ତହୋଇ ପରାସ୍ତ ହେଲେ, ଖାରବେଳ ମଧ୍ଯ ଯୁଦ୍ଧରେ ଆହତ ହୋଇଥିଲେ।

ଏହାପରେ  ଖାରବେଳ ସୁସ୍ଥ ହୋଇ ରାଜଧାନୀ ‘ପଟଳ’କୁ ଫେରିଵା ପରେ କୃଷକପୁରରେ ଖାରବେଳ ଧୂସିଙ୍କୁ ଚିହ୍ନିଲେ । ଏଇଠାରେ ହିଁ କାବ୍ୟର ମିଳନାତ୍ମକ ସମାପ୍ତି ଘଟିଛି ।

ଦତ୍ତିମ ଵା ଡିମେଟ୍ରିୟସ୍'ଙ୍କୁ ଖାରବେଳ ସିନ୍ଧୁନଦୀର ପଶ୍ଚିମ ପାର୍ଶ୍ଵରୁ ପରାସ୍ତ କରି ଖେଦି ଦେଇଥିଵା ଜଣାଯାଏ ସେଇଭଳି ରାଣୀଗୁମ୍ଫାର ଉପରମହଲାରେ ଥିଵା ଚିତ୍ରାବଳୀରେ ଧୂସିଙ୍କର ଵୀରତାର କଥା ରହିଛି ।  ସମ୍ଭଵତଃ ପଂଡିତ ନୀଳକଂଠ ଏଇ ଚିତ୍ରାବଳୀ ସହ ଇତିହାସର ସମ୍ମିଶ୍ରଣରେ କାହାଣୀଟି ସୃଷ୍ଟି କରିଅଛନ୍ତି ।

ହୁଆ ମୁଲାନ ଚରିତ୍ରକୁ ନେଇ ଅନେକ ଚଳଚ୍ଚିତ୍ର ଆସି ସାରିଛି । ୨୦୦୯ର Mulan: Rise of a Warrior ଓ ଏ ଵର୍ଷର mulan ଚଳଚ୍ଚିତ୍ର ଛଡ଼ା Disney ଦ୍ଵାରା ଦୁଇଗୋଟି ଆନିମେସନ ମୁଵି ବି ତିଆରି ହୋଇଅଛି ।

ତେବେ ଦୁଃଖର ଵିଷୟ "ଖାରବେଳ ଓ ଧୂସି"ଙ୍କ ପ୍ରେମକାହାଣୀ ଓ ସଂଘର୍ଷକୁ ନେଇ ବଲିଉଡ କି ଓଲିଉଡରେ ଆଜିଯାଏଁ କୌଣସି ଚଳଚ୍ଚିତ୍ର ନିର୍ମାଣ ହେଵା ଶୁଣାଯାଏ ନାହିଁ ।

କଳିଙ୍ଗ ଦେଶରେ କଥା କାହାଣୀର ଅଭାଵ ନାହିଁ କିନ୍ତୁ କାହିଁକି କେଜାଣି ଏଠାକାର ଚଳଚ୍ଚିତ୍ର ନିର୍ମାତା ନିଜ ଅଞ୍ଚଳର ସହସ୍ରାଧିକ କାହାଣୀ ଥାଉ ଥାଉ ଆନ ଭାଷାର ଚଳଚ୍ଚିତ୍ରକୁ ଅଵିକଳ ନକଲ କରିଵାକୁ ସର୍ଵଦା ଚେଷ୍ଟା କରିଚାଲିଛନ୍ତି ?

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...