My Blog List

Showing posts with label ଖାଦ୍ୟ. Show all posts
Showing posts with label ଖାଦ୍ୟ. Show all posts

Friday, September 15, 2023

•ଵିଦେଶୀ ଗୁଣ୍ଡଖାଦ୍ୟ ଓ ଦେଶୀ ଗୁଣ୍ଡଖାଦ୍ୟ 'ଛତୁଆ'•



ଆମ ଦେଶରେ ଅନେକ ଵୈଦେଶିକ କମ୍ପାନୀମାନଙ୍କର ଦ୍ରଵ୍ୟ ଵିକ୍ରି ହେଉଛି ଏଵଂ ସେଗୁଡ଼ିକର ନାମ ମଧ୍ଯ ଵୈଦେଶିକ ହୋଇଥାଏ ! ଶକ୍ତିବର୍ଦ୍ଧକ ପାନୀୟ ଗୁଣ୍ଡ ଯଥା ହର୍ଲିକ୍ସ୍,କମ୍ପ୍ଲାନ୍ ଓ ବର୍ନଵିଟା ତିନୋଟି ଯାକ କମ୍ପାନୀ ମୂଳତଃ ଇଂଲଣ୍ଡ ଦେଶର ଓ ଏହାର ନାମକରଣ ମଧ୍ଯ ଇଂରାଜୀ ଭାଷାନୁସାରେ ହୋଇଅଛି ! Bourne Vita ନାମଟି Cadbury ଦ୍ଵାରା ନାମିତ। ଏହି Company, Bourneville ନାମକ ଗ୍ରାମରୁ ଆରମ୍ଭ ହୋଇଥିଲା। ତଦନୁଯାୟୀ, ଏହି ନାଁ ହୋଇଅଛି । ସେହିପରି କମ୍ପ୍ଲାନ୍ ଓ ହର୍ଲିକ୍ସ ଆଦି ଶବ୍ଦର ଅର୍ଥ ରହିଛି ଏଵଂ ଏ ଉଭୟ ଶବ୍ଦ ଯୁକ୍ତରାଜ୍ୟ ଇଂଲଣ୍ଡର ଅଟେ । ଆୟାରଲ୍ଯାଣ୍ଡରେ ଆଗେ ଯେଉଁ ଛତୁଆ 
ପରି ଗୁଣ୍ଡକୁ ଗର୍ଭଵତୀ ମହିଳା ଓ ବୃଦ୍ଧା ମହିଳାଙ୍କୁ ପିଇଵାକୁ ଦିଆଯାଉଥିଲା ତାକୁ କମ୍ପ୍ଲାନ୍ କୁହାଯାଉଥିଲା ! 

ହର୍ଲିକ୍ସ ଇଂରେଜ ରାଜତ୍ବକାଳରେ ଇଂରେଜ ସୈନ୍ଯ ଓ ପରେ ଭାରତୀୟ ସୈନ୍ଯଙ୍କ ପାନୀୟ ଭାବେ ଭାରତକୁ ଆସିଲା ! କେତେକ ଵର୍ଷ ମଧ୍ଯରେ ଏହା ଅଖଣ୍ଡ ଭାରତର ସିନ୍ଧୁ-ପଞ୍ଜାବ,ବଙ୍ଗ ଓ ମାନ୍ଦ୍ରାଜ୍ ଅଞ୍ଚଳର ଧନିକ ଲୋକଙ୍କ ଘରେ ପଶିଗଲା !
 ସ୍ବାଧୀନତା ପରେ ବି ଭାରତୀୟମାନେ ଏହି ଇଂରେଜୀ ଛତୁଆ ଦ୍ବାରା ପରାଧୀନ ହୋଇ ରହିଲେ ଏଵଂ ଏହା ଆଜି ବି ଅନେକ ଲୋକଙ୍କ ମନକୁ କଵଳିତ କରି ରଖିଛି !ଇଂଲଣ୍ଡରେ ହର୍ଲିକ୍ସ୍ ଶବ୍ଦର ଅନେକ ଅର୍ଥରେ ଵ୍ୟଵହାର ଥିଲା ! 

•ଯଥା—
(କ)ରାତ୍ରୀକାଳୀନ ଉଷୁମ ଦୁଗ୍ଧ(malted hot milk)
(ଖ)ଅଣ୍ଡକୋଷ/bollocks(euphemistic;slang)
(ଗ)ନିର୍ବୁଦ୍ଧିଆ ଓଲା(slang)

ଅର୍ଥାତ୍ ଇଂଲଣ୍ଡରେ ଓଲା ନିର୍ବୁଦ୍ଧିଆ ଲୋକଙ୍କୁ କମ୍ ଅପମାନିତ କରିବା ପାଇଁ ଓ ଅଣ୍ଡକୋଷର ଏକ ଶିଷ୍ଟ ପ୍ରତିଶବ୍ଦ ଭାବେ ହର୍ଲିକ୍ସ ଶବ୍ଦ ଵ୍ୟଵହାର ହେଉଥିଲା ! ତେବେ ସଂଜ୍ଞାଵାଚକ ନାମ ଭାବେ ଏହି ହର୍ଲିକ୍ସ ଶବ୍ଦର "ଉଷୁମ ଦୁଗ୍ଧ ପାନୀୟ" ଅର୍ଥଟି ଆଧୁନିକ ନା ପ୍ରାଚୀନ ତାହା ସ୍ପଷ୍ଟ ନୁହେଁ ! 

ସମ୍ଭଵତଃ ଜେମ୍ସ ହରଲିକ୍‌ ଓ ୱିଲିୟମ୍ ହରଲିକ୍‌ଙ୍କ ଦ୍ବାରା ଏ କମ୍ପାନୀର ସ୍ଥାପନା ହୋଇଥିଵାରୁ କମ୍ପାନୀର ନାମ ହର୍ଲିକ୍‌ଙ୍କ ଉପନାମାନୁସାରେ ହର୍ଲିକ୍ସ୍ ରଖାଯାଇଥିଵ !  
ଉଦାରୀକରଣ ଯୁଗର ଆରମ୍ଭ ପରେ ପରେ ଭାରତକୁ ଆହୁରି ଅନେକ ତଥାକଥିତ ସ୍ଵାସ୍ଥ୍ୟବର୍ଦ୍ଧକ ପାନୀୟ ଆସିଲା । ତନ୍ମଧ୍ୟରେ boost ,milo,cerelac,ensure ଓ maltova ଅନ୍ଯତମ । 

ତେବେ ନବେ ଦଶକ ସମୟରେ ଓଡ଼ିଶାର ଗ୍ରାମାଞ୍ଚଳରେ Lactogen(Nestle କମ୍ପାନୀ ର) ବୋଲି ଏକ ପାନୀୟ ଟିକିଏ ଲୋକପ୍ରିୟ ହୋଇଥିଲା । ନବେ ଦଶକ ସମୟରେ ଓଡ଼ିଶାର ଗ୍ରାମାଞ୍ଚଳରେ Lactogenକୁ ଲାଟୋଜିନି କହୁଥିଲେ । 
ପ୍ରକୃତରେ biochemistryରେ Lactogen ହେଉଛି ଏକ ଜାତୀୟ polypeptide placental hormone ଏଵଂ ଏହା somatotropin ଶ୍ରେଣୀୟ ବୃଦ୍ଧିକାରକ ହରମୋନ ଅଟେ । Lactogen ହରମୋନ୍ ଗର୍ଭସ୍ଥ ଶିଶୁର ଶକ୍ତି ଯୋଗାଣକୁ ସୁଗମ କରିଵା ପାଇଁ ଗର୍ଭାଵସ୍ଥାରେ ମାତାର ମେଟାବୋଲିକ୍ ସ୍ଥିତିକୁ ପରିଵର୍ତ୍ତନ କରିଵାରେ ସହାୟକ ହୋଇଥାଏ । ମୋର ମନେ ପଡ଼ୁଛି ଓଡ଼ିଶାର ଲୋକେ କିନ୍ତୁ ଏହି Lactogen ଗୁଣ୍ଡକୁ ଶିଶୁମାନଙ୍କୁ ପିଇଵାକୁ ଦେଉଥିଲେ । 

 "Malt" ଓ "Ova"ltine ଶବ୍ଦକୁ ନେଇ "Maltova" ନାମକରଣ କରାଯାଇଛି ।
 ସେହିପରି Ovaltine ନାମଟି ଲାଟିନ ōvum (“ଅଣ୍ଡା”) ଓ malt ଶବ୍ଦ ଆଧାରରେ ଗଠିତ ହୋଇଥିଲା । Milo ଶବ୍ଦଟି ପର୍ତ୍ତୁଗୀଜ୍ milho ଶବ୍ଦର ଏକ ରୂପ ଏଵଂ ପର୍ତ୍ତୁଗୀଜ୍ ଭାଷାରେ milho ଶବ୍ଦର ଅର୍ଥ “millet(ବାଜରା)” ଅଟେ । cerelac ଓ milo ଉଭୟ Nestlé କମ୍ପାନୀର ଉତ୍ପାଦ ଅଟେ । 

ପ୍ରୋକ୍ତ ସମସ୍ତ ପାନୀୟ ଗୁଣ୍ଡ ଵୈଦେଶିକ ଛତୁଆ କିନ୍ତୁ ଇଂରେଜ ଆଦି ଵୈଦେଶିକ ଜାତି ଭାରତକୁ ଆସିଵା ପୂର୍ଵରୁ ମଧ୍ୟ ଭାରତର ଲୋକେ ଦେଶୀୟ ସ୍ଵାସ୍ଥ୍ୟ ବର୍ଦ୍ଧକ ଶସ୍ୟଗୁଣ୍ଡକୁ ଦୁଗ୍ଧରେ ମିଶାଇ ଖାଉଥିଲେ । 

ସାଧାରଣତଃ ବୁଟ,ମୁଗ,ବାଦାମ,ଯଵ,ବାଜରା,ଗହମ ଆଦି ଵିଭିନ୍ନ ପ୍ରକାରର ଶସ୍ୟ ଭଜା ହୋଇ କରା ଯାଇଥିଵା ଚୂର୍ଣ୍ଣକୁ ଛତୁଆ କୁହାଯାଏ । ଓଡ଼ିଶାରେ ମାଆମାନେ ଚୂଡ଼ା,ଭୁଜା ଗୁଣ୍ଡରେ କ୍ଷୀର ମିଶାଇ ମଧ୍ୟ ପିଲାଙ୍କୁ ଖାଇଵାକୁ ଦିଅନ୍ତି । ଅତି ପ୍ରାଚୀନ କାଳରେ ଭାରତୀୟମାନେ ଯଵ,ବାଜରା ଓ ମୁଗ ଆଦି ଶସ୍ୟକୁ ଭାଜି ତାକୁ ଗୁଣ୍ଡକରି ତହିଁରେ ଦୁଗ୍ଧ ମିଶାଇ ପାନ କରୁଥିଲେ ଏଵଂ ତାକୁ ଶକ୍ତୁ ଓ ସକ୍ତୁ କୁହାଯାଉଥିଲା । ଏହି ଶକ୍ତୁ ଵା ସକ୍ତୁ ଶବ୍ଦଟି ଓଡ଼ିଆ ଭାଷାରେ କ୍ରମଶଃ ଛତୁଆ ହୋଇଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି । ସେହିପରି ଏହି ଶକ୍ତୁ ଵା ସକ୍ତୁ ଶବ୍ଦଟି ଉତ୍ତର ଭାରତରେ सतु ଵା सत्तु ହୋଇଅଛି । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଛତୁଆ ଶବ୍ଦର ପ୍ରାଚୀନ ସାହିତ୍ୟରେ ପ୍ରୟୋଗର ଗୋଟିଏ ଉଦାହରଣ ମଧ୍ୟ ଉଲ୍ଲେଖ କରାଯାଇଛି । 

“ଚଣାଶାକ, ପିଣ୍ୟାକ ଫଳ ଯେ ଯଵାନ୍ନ ଛତୁଆ ଖାଇ ଯୋଗୀ ରହିଵଟି ଜାଣ”

ଅଵିଭକ୍ତ ଗଞ୍ଜାମ ଜିଲ୍ଲାର ପ୍ରାଚୀନ ଓଡ଼ିଆ କଵି କୃଷ୍ଣସିଂହଙ୍କ କୃତ କୃଷ୍ଣ ମହାଭାରତର ଶାନ୍ତିପର୍ଵରେ ପ୍ରୋକ୍ତ ପଦଟି ଉଦ୍ଧାର କରାଯାଇଛି । 

ସେହିପରି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅଟକାଳି ଶବ୍ଦ ତଳେ ପ୍ରାଚୀନ ଓଡ଼ିଆ କଵି 
ପୀତାମ୍ବର ଦାସଙ୍କ ନୃସିଂହପୁରାଣରୁ ପଦାଂଶଟିଏ ଉଲ୍ଲେଖ ଅଛି... 

"ଆରିଶା ଛତୁଆ ନାଡ଼ି ଗଜା ଅଟକାଳି।"

ଏହା ପ୍ରାଚୀନ ସାହିତ୍ୟରେ ଛତୁଆ ଶବ୍ଦ ପ୍ରୟୋଗ କରାଯାଇଥିଵାର ଅନ୍ୟତମ ଉଦାହରଣ । 

ଏଠାରେ ମନେ ରଖିଵାକୁ ହେଵ ଯେ କଞ୍ଚା ଶସ୍ୟାଦିର ଚୂର୍ଣ୍ଣକୁ ଚୂନା ଵା ଅଟା ବୋଲାଯାଏ ଏଵଂ ଏହି ଚୂନାକୁ ଵା ଅଟାକୁ ଅଗ୍ନି ସାହାଯ୍ୟରେ ସିଦ୍ଧ କଲେ ଖିଆଯାଏ। କିନ୍ତୁ ଶସ୍ୟାଦିକୁ ପ୍ରଥମେ ଭାଜି ପରେ ଚୂନା କଲେ ଉକ୍ତ ଚୂନାକୁ ଶକ୍ତୁ ଵା ଛତୁଆ ବୋଲାଯାଏ। ଏହାକୁ ନ ରାନ୍ଧି ପାଣିରେ ,ଦଧି ଵା ଦୁଗ୍ଧରେ ଚକଟି ଖିଆ ଯାଇ ପାରେ। ଯେଉଁ ଶସ୍ୟରୁ ଛତୁଆ କରାଯାଏ, ତାକୁ ସେହି ଶସ୍ୟର ଶକ୍ତୁ ବୋଲାଯାଏ। ଯଥା—ଯଵ ଶକ୍ତୁ, ମୁଦ୍ଗ ଶକ୍ତୁ, ଗୋଧୂମ ଶକ୍ତୁ ଇତ୍ୟାଦି । 

ପ୍ରାଚୀନ ଭାରତୀୟମାନେ ଵିଭିନ୍ନ ପ୍ରକାରର ଛତୁଆ ଖାଉଥିଵାରୁ ଛତୁଆ ସମ୍ବନ୍ଧୀୟ ଅନେକ ସଂସ୍କୃତ ଶବ୍ଦ ପ୍ରଚଳିତ ଥିଲା । ଯଥା:—

୧)ଦଧିସକ୍ତଵ (ଦଧି+ ସକ୍ତୁ)— ଛତୁଆ ଓ ଦହି ଚକଟାର ତତ୍ସମ ନାମ । ଓଡ଼ିଆ ଭାଷାରେ ଏହାକୁ ଦହି ଛତୁଆ କୁହାଯାଉଥିଲା । 

୨)ଧାନାଚୂର୍ଣ୍ଣ(ଧାନା+ଚୂର୍ଣ୍ଣ)—ଧାନ ଆଦି ଵିଭିନ୍ନ ପ୍ରକାରର ଧାନା, ଧାନ୍ୟ ଵା ଶସ୍ୟର ଚୂର୍ଣ୍ଣକୁ ଧାନଚୂର୍ଣ୍ଣ କୁହାଯାଉଥିଲା ଯାହା ଶକ୍ତୁ ଵା ସକ୍ତୁର ଏକ ପ୍ରତିଶବ୍ଦ ଭାବରେ ପ୍ରୟୋଗ କରାଯାଉଥିଲା ।  

୩)ବୃଂହଣ—
ଶୂକର ମାଂସରେ ପକ୍ୱ ଯଵର ଛତୁଆକୁ ବୃଂହଣ କୁହାଯାଉଥିଲା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୫୮୪୩ତମ ପୃଷ୍ଠାରେ ଉଲ୍ଲେଖ ଅଛି । 

୪)ମନ୍ଥ—ଜଳ ମିଶ୍ରିତ ଘୃତାକ୍ତ ଛତୁଆକୁ ମନ୍ଥ କୁହାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୬୨୮୩ତମ ପୃଷ୍ଠାରୁ ଜଣାଯାଏ । 

୫)ଯଵମନ୍ଥ —ଭଜା ଯଵର ଗୁଣ୍ଡ ସହିତ ଘୃତପାକ ଛତୁଆକୁ ଯଵମନ୍ଥ କୁହାଯାଉଥିଲା । 

୬)ଯାଵ ଓ ଯାଵକ—
ଯବଧାନର ଛତୁଆକୁ ଯାଵ ଓ ଯାଵକ କୁହାଯାଉଥିଲା ଯାହା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଥାନ ଲଭିଛି । 


ଛତୁଆ ଓ ଭାରତୀୟ ସଂସ୍କୃତି:

ଛତୁଆ ପ୍ରାଚୀନ କାଳରୁ ଭାରତ ତଥା ଓଡ଼ିଶାର ଏକ ଖାଦ୍ଯ ଭାବେ ଵ୍ୟଵହାର କରାଯାଉଥିଲା ବୋଲି ଭାରତୀୟ ପର୍ଵ ଓଷା ଵ୍ରତାଦିରେ ଏହାକୁ ମଧ୍ୟ ଅନ୍ୟାନ୍ୟ ଖାଦ୍ୟଦ୍ରଵ୍ୟ ଭଳି ମହତ୍ତ୍ଵ ମିଳିଛି । 

ଉଦାହରଣ ସ୍ୱରୂପ 
ଭାରତରେ ଵରଣ ପ୍ରଘାସ ନାମରେ ଏକ ଵ୍ରତ ଆଷାଢ଼ ଓ କେଉଁଠି କେଉଁଠି ଶ୍ରାଵଣପୂର୍ଣ୍ଣିମା ଦିନ ଅନୁଷ୍ଠିତ ହେଉଥିଲା । ଏହି ଵ୍ରତରେ କେଵଳ ଛତୁଆ ଖିଆଯାଉଥିଲା । ଲୋକଵିଶ୍ଵାସ ଥିଲା ଯେ ଏହି ଵ୍ରତଧାରୀ ଵ୍ୟକ୍ତି ଜଳରେ ବୁଡ଼ି ମରେ ନାହିଁ ଓ ଜଳଜଜନ୍ତୁମାନେ ତାକୁ ଆକ୍ରମଣ କରନ୍ତି ନାହିଁ । 

ସେହିପରି ଓଡ଼ିଶାର ଉତ୍ତରାଞ୍ଚଳ ଵିଶେଷତଃ ବାଲେଶ୍ଵର ତଥା ମେଦିନୀପୁର ଵିଚ୍ଛିନ୍ନାଞ୍ଚଳର ଓଡ଼ିଆମାନେ  
ମହା ଵିଷୁଵ ପଣା ସଂକ୍ରାନ୍ତିକୁ ଛତୁ ସଂସ୍କୃତି ଵା ଛତୁଆ ସଂକ୍ରାନ୍ତି ଭାବେ ମଧ୍ୟ ପାଳିଥାଆନ୍ତି । ଏହି ସଂକ୍ରାନ୍ତି ଦିନ ଦିନ ବ୍ରାହ୍ମଣଙ୍କୁ ଛତୁଆ ଦିଆଯିଵାର ଵିଧାନ ପ୍ରଚଳିତ ଥିଲା ତେଣୁ ଏଭଳି ନାମକରଣ କରାଯାଇଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି ।

ସୌମ୍ୟକୃଚ୍ଛ୍ର ଵ୍ରତରେ ବି ଛତୁଆ ଭୁଞ୍ଜିଵାର ଵିଧାନ ଥିଲା । ସୌମ୍ୟକୃଚ୍ଛ୍ର ଏକ ପ୍ରକାରର 
ପ୍ରାୟଶ୍ଚିତ୍ତ ଵ୍ରତ ଵିଶେଷ । ଏଥିରେ ପ୍ରତିଦିନ ଯଥାକ୍ରମେ ପିଣ୍ୟାକ=ରାଶି ପିଡ଼ିଆ, ଆଚାମ=ଭାତର ପେଜ, ତକ୍ର=ଦହି, ଅମ୍ବୁ= ଜଳ ଓ ଶକ୍ତୁ=ଛତୁଆ ଖାଇଵାକୁ ହୁଏ ଓ ଷଷ୍ଠଦିନ ଉପଵାସ କରିଵାକୁ ହୁଏ।

ମୋଟ ଉପରେ କହିଵାକୁ ଗଲେ ଦେଶୀ ଛତୁଆ ଆମ ଦୈନନ୍ଦିନ ଜୀଵନରେ ଗୋଟିଏ ମୁଖ୍ୟ ଖାଦ୍ୟ ରୂପେ ଵ୍ୟଵହୃତ ହେଉଥିଲା । ତାପରେ ଆସିଲା ଵିଭିନ୍ନ ଵିଦେଶୀ ଗୁଣ୍ଡଖାଦ୍ୟ ପୁଣି ଵିଭିନ୍ନ ପ୍ରକାରର ଚକୋଲେଟ, ବିସ୍କୁଟ ଓ ବେଫର୍ ଆଦି ମଧ୍ୟ ଗାଆଁ ଦୋକାନରେ ମିଳିଲା । ଧିରେ ଧିରେ ଆଜି ଆମ ସମାଜରୁ ଛତୁଆ ଅପସରି ଯାଇଛି ଏଵଂ ତା'ର ସ୍ଥାନ ନେଇ ଯାଇଛି ଅନେକ ଵୈଦେଶିକ ଗୁଣ୍ଡଖାଦ୍ୟ !!!
••••••••••••••••••••••••••••
✍️ଶିଶିର ସାହୁ ମନୋଜ(କନ୍ତିଓ ପୁଟସାହି, ଢେଙ୍କାନାଳ)
••••••••••••••••••••••••••••

 










Wednesday, March 1, 2023

ଵିଶ୍ଵ ଦହିବରା ଆଳୁଦମ୍ ଦିଵସ

ମାର୍ଚ୍ଚ ଏକ ତାରିଖକୁ ଵିଶ୍ଵ ଦହିବରା ଆଳୁଦମ୍ ଦିଵସ ଭାବେ କିଛି ଲୋକ ପାଳିଥାଆନ୍ତି ତେବେ କଟକିଆଙ୍କ ପାଇଁ ସବୁ ଦିନ ଦହିବରା ଆଳୁଦମ୍ ଦିଵସ । 

“କଟକ ନଗର ବାଉନ ବଜାର ତେପନ ଗଳି ,
ଯୋଉଠି ଉଣ୍ଡିଵ
ସେଇଠି ମିଳିଵ ଦହିବରା ଭଳି ଭଳି”

ଏହା କୌଣସି କଵିଙ୍କର ପଦ ନୁହେଁ କି ପ୍ରାଚୀନ ଢଗ ନୁହେଁ କିନ୍ତୁ ନିରାଟ ସତ୍ୟ କଥା । ଦହିବରା ଓ କଟକ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ସକାଳରୁ ରାତି ଯଦି ଦହିବରା ମିଳିଯାଏ ତେବେ କଟକିଆଙ୍କର ଆଉ କିଛି ଜଳଖିଆ ଲୋଡ଼ା ହୁଏ ନାହିଁ ।‌

କଟକରେ ଏହି ଦହିବରା ଵ୍ୟଵସାୟ ଶତାଧିକ ଵର୍ଷ ପୁରୁଣା। ଦହିବରା କଟକର ଅଵିଚ୍ଛେଦ୍ୟ ଅଙ୍ଗ ଭାବରେ ପରିଗଣିତ ହୋଇସାରିଛି। ଦିନରେ ଯଦି ଅନ୍ୟ କୌଣସି ଖାଇଵା ନମିଳେ ତେବେ ଦହିବରା ହିଁ ଦିନର ଭୋକକୁ ମେଣ୍ଟେଇଦିଏ । କଟକର ଗଳିକନ୍ଦିରୁ ବାହାରି ଵିଶ୍ବ ସ୍ତରରେ ପହଞ୍ଚି ଓଡିଆଙ୍କୁ ଗର୍ଵିତ କରିଛି ଦହିବରା ଆଳୁଦମ୍‌ । ଅନେକ ଅଣଓଡ଼ିଆ ପର୍ଯ୍ୟଟକ ଓଡ଼ିଶା ଆସିଲେ ଓଡିଶାରେ ଦହିବରା ନିଶ୍ଚୟ ଖାଆନ୍ତି । ଓଡ଼ିଶାରେ ଏମିତି କେହି ନଥିବେ ଯାହାକୁ ଦହିବରା ପସନ୍ଦ ନଥିଵ ।
ତା ନାଆଁ ଶୁଣିଲେ ହିଁ ପ୍ରତ୍ୟେକ ଓଡି଼ଆଙ୍କ ମୁଖ ସରସ ହୋଇଯାଏ । ଏମିତି ତ ଆଜିକାଲି ସାରା ଓଡ଼ିଶାରେ ଦହିବରା ମିଳିଯାଏ କିନ୍ତୁ କଟକ ଦହିବରାର କଥା ନିଆରା । ସ୍ଵାଦ ରଙ୍ଗ ଓ ଦରଵ ଭେଦରେ କଟକରେ ଵିଭିନ୍ନ ପ୍ରକାରର ଦହିବରା ପ୍ରସ୍ତୁତ ହୁଏ । କଟକଵାସୀ ଦହିବରା ଖାଇ ଦିନ ଆରମ୍ଭ କରନ୍ତି କହିଲେ ମଧ୍ୟ ଅତ୍ୟୁକ୍ତି ହେଵ ନାହିଁ ।

ତେବେ ଦହିବରା ଓ ଦହିବରା ଆଳୁଦମ୍ ମଧ୍ୟରେ କେତେକ ପାର୍ଥକ୍ୟ ରହିଛି କିନ୍ତୁ ସାଧାରଣତଃ ଉଭୟକୁ ପ୍ରାୟତଃ ଲୋକେ କେଵଳ ଦହିବରା ମଧ୍ୟ କହିଥାନ୍ତି । 

ବରା,ଦହି,ପିଆଜ,ଧନିଆ ପତ୍ର ଓ କଞ୍ଚାଲଙ୍କାକୁ ନେଇ ଦହିବରା ପ୍ରସ୍ତୁତ ହୁଏ । ବରା ଛଣାଯିଵା ପରେ କିଛି ସମୟ ଦହି ମିଶା ଲୁଣ ପାଣିରେ ବରାକୁ ବୁଡ଼ାଇ ଦିଆଯାଇଥାଏ । ବରା ସବୁ ପାଣିରେ ଭିଜିଗଲେ ସେଥିରେ ଦହି ମିଶାଯାଇଥାଏ । ଏହା ଉପରେ ଭୃଶଙ୍ଗ ପତ୍ରକୁ ଭାଜି ଧଣିଆ ପତ୍ର, ଲଙ୍କା, ପିଆଜ ଆଦିରେ ସଜାଇ ପରଷାଯାଇଥାଏ । ଏହା "ଦହିବରା ଆଳୁଦମ୍"ର ସରଳ ଓ ଆଦ୍ୟ ରୂପ କହିଲେ ଅତ୍ୟୁକ୍ତି ହେଵ ନାହିଁ । 

ସେହିପରି ଦହିବରା ଆଳୁଦମ୍ ପ୍ରସ୍ତୁତିରେ ମୁଖ୍ୟ ଉପାଦାନ ହେଉଛି ଦହିବରା ଓ ଘୁଗୁନି । ଦହିବରା ଅପେକ୍ଷା ଦହିବରା ଆଳୁଦମ୍‌ରେ ଆଳୁଦମ,ଘୁଗୁନି,ସେଉ,
ଧନିଆ ପତ୍ର ଓ ପିଆଜ ଆଦି ମିଶାଯାଇଥାଏ । ଦହିବରାରୁ ପାଣି ନିଗାଡ଼ି ସେଥିରେ ଆଳୁଦମ ମିଶାଯାଇଥାଏ । ତାହା ଉପରେ ଅଳ୍ପ ଘୁଗୁନି, ସେଓ, ଧଣିଆ ପତ୍ର, ଲଙ୍କା, ପିଆଜ ଆଦିରେ ସଜାଇ ପରଷାଯାଇଥାଏ ।

ଦହିବରା ଶବ୍ଦଟି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୩୭୦୭ତମ ପୃଷ୍ଠାରେ ସ୍ଥାନିତ ହୋଇଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ 
"ଦହିରେ ବତୁରା ଯାଇଥିଵା ବିରୀ ପିଠା(ବରା)କୁ ଦହିବରା କୁହାଯାଏ" । ସେହିପରି ଗରମମସଲା ଯୋଗେ ସିଦ୍ଧ ଚୋପାଛଡ଼ା ଗୋଟାଆଳୁକୁ "ଦମ୍ ଓ ଵିଶେଷତଃ ଆଳୁଦମ୍ କୁହାଯାଏ ।‌ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୩୬୬୦ତମ ପୃଷ୍ଠାରେ ଏହି ଶବ୍ଦ ରହିଛି ।‌ 

ଦହିବରା କଟକର, ଓଡ଼ିଶାର ଅନ୍ୟତମ ପରିଚୟ ତେବେ ଦହିବରାର GI tag ପାଇଁ କିଛି ଵର୍ଷ ହେଵ ଦାବି ହୋଇ ଆସୁଥିଲେ ସୁଦ୍ଧା ଆଜିଯାଏଁ ମାନ୍ୟତା ମିଳିନାହିଁ ।

Saturday, November 26, 2022

ଲଙ୍କାମରିଚର ଇତିହାସ


ପୋଡ଼ା କି ସିଜା ପରିଵା'କୁ ଚକଟି ଲୁଣ ଓ ଲଙ୍କାମରିଚ ଦେଇ ଓଡ଼ିଆମାନେ ପଖାଳ ଭାତ ଖାଆନ୍ତି । ପଖାଳ ଭାତ ଖାଇଲାବେଳେ ଲଙ୍କାମରିଚଟିଏ ଅଧିକାଂଶଙ୍କୁ ଲୋଡ଼ା ହୋଇଥାଏ ।‌ ପଖାଳଖିଆ ଓଡ଼ିଆ ଜାତି ପାଇଁ ଲଙ୍କାମରିଚ ଗୋଟିଏ ଅତି ଆଵଶ୍ୟକ ଖାଦ୍ୟ ଦରଵ ହୋଇଯାଇଛି । 

କଵିଵର ରାଧାନାଥ ରାୟ ତାଙ୍କର ଏକ କୃଷି ସମ୍ବନ୍ଧୀୟ କଵିତାରେ ଲଙ୍କାମରିଚ ଵିଷୟରେ ଲେଖିଥିଲେ

"ପାଚି ଫଳ ସୁରଙ୍ଗ ହୁଏ ଅତି କଟୁ
କଟୁ ହୋଇ ରସନା ରଞ୍ଜକରେ ପଟୁ
ଶାଳୀ ଗାଳି ପରାଏ ,ଆଦର ତାହାର
ଘରେ ଘରେ ଵ୍ୟଞ୍ଜନେ ଅଞ୍ଜନେ 
,ସର୍ଵଦା ଵ୍ୟଵହାର ।"

ସେହିପରି ହାସ୍ୟ କଲ୍ଲୋଳରେ କଵିସୂର୍ଯ୍ୟ ଵଳଦେଵ ରଥ ଲଙ୍କାମରିଚର କଥା ପ୍ରସଙ୍ଗ କ୍ରମେ ଉଲ୍ଲେଖ କରିଛନ୍ତି

“କପିରାଜ ଜଣାଇଲେ , ‘ ମଣିମା ! ଲଙ୍କାମରିଚ ରାଗ , କଳାହାଣ୍ଡିଆ ତାଳ , ପିଲାମାନଙ୍କର ମାଆ ନ ଥାଇ ଲୟେ , କଳ୍ପ - ପ୍ରେମାଳଙ୍କାରରେ ଦତ୍ତ ସରସ ଚଉପଦୀ ବୋଲା ଯାଉଅଛି ।”

ଓଡ଼ିଶାରେ ଲଙ୍କାମରିଚ ଵା Red pepperର ଅନେକ ନାଆଁ । ଯଥା — ଆମିରି,କାଁଚ୍ମାରି,ଝାଳ ଵା ଝାଲ,ଲକା,ଲଙ୍କା,ନଙ୍କା,ନଂକମାରିଚ,
ନକମାରିଚ,ମିରି,ମର୍ଚି,ମିରିଚା,ମରିଚି,ମରିଚ,ନାଲିମରିଚ,ରଙ୍ଗମରିଚ,ଲଙ୍କା ମାରିଚ,ଲାଲ୍ ମିର୍ଚା ଓ ଲଙ୍କ ମାରିଚ ଇତ୍ୟାଦି । ତେବେ ମାନକ ଓଡ଼ିଆ ଭାଷାରେ Red pepperକୁ ଲଙ୍କାମରିଚ କୁହାଯାଉଛି । 

ତେବେ ଏହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଏ ଦେଶରେ ଆଜକୁ ୬୦୦ ଵର୍ଷ ତଳେ କୌଣସି ଲଙ୍କାମରିଚ ପାଦପ ନଥିଲା । କାରଣ ଲଙ୍କାମରିଚ ମୂଳତଃ ଏକ ଆମେରିକୀୟ ପାଦପ ଏଵଂ ୟୁରୋପୀୟମାନେ ଏହା ଭାରତକୁ ଆଣିଥିଲେ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ “ଲଙ୍କାମରିଚ ନାମଟି ଏକ ଆଧୁନିକ ନାମ। ସଂସ୍କୃତରେ ପୂର୍ଵେ 'ମରିଚ'ର ଅର୍ଥ ଗୋଲମରିଚ ଵା କଳାମରିଚ ଥିଲା । ଲଙ୍କାମରିଚର ନାମ ୩୦୦ ଵର୍ଷ ପୂର୍ଵର ପ୍ରାଚୀନ ଵୈଦ୍ଯକ ଗ୍ରନ୍ଥମାନଙ୍କ (ଯଥା, ଭାଵପ୍ରକାଶ)ରେ ନାହିଁ। ଆଧୁନିକ କେତେକ ଵୈଦ୍ଯକ ଗ୍ରନ୍ଥରେ ଲଙ୍କାମରିଚ ପାଇଁ (ଯଥା— ଵୈଦ୍ଯକ ଶବ୍ଦ ସିନ୍ଧୁ କୋଷ) କୁମରିଚ ଓ ଜ୍ୱାଳାମରିଚ ଶବ୍ଦର ପ୍ରୟୋଗ ଦେଖାଯାଇଛି। ଏ ଗୁଳ୍ମର ଆଦି ନିଵାସ ଆମେରିକା ଏଵଂ ସେଠାରୁ ପର୍ଟୁଗୀଜ୍ ମାନେ ପ୍ରଥମେ ଏହାକୁ ଦକ୍ଷିଣ ଭାରତର ଗୋଆ, କାଲିକଟ ଆଦି ସ୍ଥାନକୁ ଆଣିଲେ। ସେହିଠାରୁ ଏହାର ଚାଷ ଭାରତରେ ଵିସ୍ତୃତ ହେଲା।”



କେତେକ ଭାଷାଵିଦ୍ କୁହନ୍ତି ଏ ଗଛ ଯେହେତୁ ଇନକା,ଆଜଟେକ୍ସ,ମାୟା ସଭ୍ୟତାର ଦେଶ ଆମେରିକା ମହାଦେଶଦ୍ଵୟରୁ ଆସିଥିଲା ଏଵଂ ସେ ସବୁ ଭୂଭାଗର ପ୍ରାଚୀନ ଅଧିଵାସୀଙ୍କ ଵିଷୟରେ ଜାଣିଵା ପରେ ଭାରତୀୟମାନେ ସେମାନଙ୍କୁ ପୁରାଣୋକ୍ତ ଅସୁରରାଜ୍ୟ କଳ୍ପନା କରିଥିଲେ । ତେଣୁ ଏ ଗଛର ନାମ ଆମଭାଷାରେ ରକ୍ଷନଗରୀ ଲଙ୍କାପୁରୀ ଆଧାରରେ ଲଙ୍କାମରିଚ ଦିଆଯାଇଛି । ତେବେ ଲଙ୍କା ମରିଚ ନକହି ହିନ୍ଦୀଭାଷୀମାନେ ସାଧାରଣତଃ chilli pepper କୁ ଲାଲ୍ ମିର୍ଚ୍ଚ କୁହନ୍ତି ।

କେତେକ ଗଵେଷକଙ୍କ ମତରେ ଲଙ୍କାମରିଚ ଶବ୍ଦରେ ଥିଵା ଲଙ୍କା ଶବ୍ଦଟି ଆଷ୍ଟ୍ରିକ ଭାଷା ମୂଳର ଶବ୍ଦ ଏଵଂ ଦକ୍ଷିଣ ଓଡ଼ିଶାରେ ଏହି ଲଙ୍କା ଶବ୍ଦ ଆଗେ ଓଡ଼ିଆ ଭାଷାରେ ଦୂର ଓ ଦୂରସ୍ଥାନ ଅର୍ଥରେ ପ୍ରଚଳିତ ଥିଲା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଲଙ୍କା ଶବ୍ଦର‌ ଦେଶଜ ଅର୍ଥ ଲେଖାଅଛି "ଯଥେଷ୍ଟ" ଏଵଂ ଏ ଶବ୍ଦ ତତ୍କାଳୀନ ଗଞ୍ଜାମ ଜିଲ୍ଲାରେ ପ୍ରଚଳିତ ଥିଲା ବୋଲି ମଧ୍ୟ ଉଲ୍ଲେଖ ରହିଛି । ସମ୍ଭଵତଃ ପୂର୍ଵେ ଓଡ଼ିଶାରେ ଲଙ୍କା ଶବ୍ଦଟି ଦୂର,ଦୂରସ୍ଥାନ ଅର୍ଥରେ ଵ୍ୟଵହୃତ ହେଉଥିଲା କିନ୍ତୁ ସମୟ ସହିତ ଏହା ଯଥେଷ୍ଟ ଅର୍ଥରେ ପ୍ରୟୋଗ ହେଵାକୁ ଲାଗିଲା । ସମୁଦ୍ର ପାର ଦୂରସ୍ଥାନରୁ ଅଣାଯାଇ ଭାରତରେ ଲଗାଯାଇ ଥିଵା କେତେକ ଗଛକୁ ଏହି ଆଧାରରେ ଲଙ୍କା ଶବ୍ଦ ଯୁକ୍ତ କରି ଅଭିହିତ କରାଯାଇଅଛି ‌। 

ଓଡ଼ିଆ ଭାଷାରେ Red pepperକୁ କାହିଁକି ଲଙ୍କାମରିଚ କୁହାଯାଏ ତାହା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି । ଭାଷାକୋଷ ଅନୁଯାୟୀ— "Red pepper ଦକ୍ଷିଣ ଦିଗରୁ ଦରିଆପାରିରୁ ଏ ଦେଶକୁ ପ୍ରଥମେ ଆସିଥିଵାରୁ ଓଡ଼ିଆମାନେ ଏହା ଲଙ୍କାଦ୍ଵୀପରୁ ଆସିଥିଵା ଅନୁମାନ କରି ଏହାକୁ ଲଙ୍ଗାମରିଚ ନାମ ଦେଇ ଅଛନ୍ତି। ଏହିପରି ପୂର୍ଵେ ଵିଦେଶରୁ ଆସିଥିଵା ଲଙ୍କା ଆମ୍ବ, ଲଙ୍କା ସିଝୁ, ଲଙ୍କା ପଣସ, ଲଙ୍କା ଗବ ଶବ୍ଦମାନ ଭାଷାରେ ଚଳିଅଛି।”

କେହି କେହି କୁହନ୍ତି ଶ୍ରୀଲଙ୍କାର ନାମରୁ ଲଙ୍କା ଶବ୍ଦ ସୃଷ୍ଟି ହୋଇଛି, ଶ୍ରୀରାମଚନ୍ଦ୍ରଙ୍କ ସହିତ ଵା ତାଙ୍କ ପଛେ ପଛେ ଭାରତକୁ ଚାଲିଆସିଥିଵା କିଛି ସିଂହଳଵାସୀ ଶ୍ରୀଲଙ୍କାରୁ ଲଙ୍କାମରିଚ ଗଛ ଭାରତକୁ ଆଣିଥିଲେ । କିନ୍ତୁ ଏହି ମତ ସମ୍ପୂର୍ଣ୍ଣ ଅମୂଳକ ,ଅଵୈଜ୍ଞାନିକ ତଥା ପ୍ରମାଣହୀନ । ଲଙ୍କାମରିଚ ମୂଳତଃ ଆମେରିକୀୟ ପାଦପ ଵିଶେଷତଃ ମଧ୍ୟ ଓ ଦକ୍ଷିଣ ଆମେରିକାରେ ଏ ଗଛ ହଜାର ହଜାର ଵର୍ଷ ଧରି "ଆଦିମ ଲୋହିତ ଭାରତୀୟ"ଙ୍କ ଦ୍ଵାରା ଚାଷ ହେଉଥିଲା । ଓଡ଼ିଆ ଭାଷାରେ Red pepperକୁ ଲଙ୍କାମରିଚ କୁହାଯାଉଥିଵାରୁ ଏହି ଗଛକୁ ନେଇ ଏଭଳି ଭ୍ରାନ୍ତ ଧାରଣା ଜନ୍ମ ନେଇଛି । ଲଙ୍କାମରିଚ ଶବ୍ଦ ସହିତ ଶ୍ରୀଲଙ୍କାର କୌଣସି ସମ୍ପର୍କ ନାହିଁ ଵରଂ ଭାରତ ଭଳି ଶ୍ରୀଲଙ୍କାକୁ ମଧ୍ୟ ୟୁରୋପୀୟମାନେ ଲଙ୍କାମରିଚ ନେଇ ଯାଇଥିଲେ।

ଆଜକୁ ପ୍ରାୟ 13.8 ନିୟୁତ ଵର୍ଷ ପୂର୍ଵେ, ଦକ୍ଷିଣ / ମଧ୍ୟ ଆମେରିକାର Solanaceae ପାଦପ ପରିଵାରର ଏକ ଉଦ୍ଭିଦ "କ୍ୟାପସାଇସିନଏଡ୍ ପ୍ରୋଟିନ୍" ଯୁକ୍ତ କୋଳି ଆକାର ପରି ଫଳ ସୃଷ୍ଟି କରିଥିଲା ! କ୍ୟାପସାଇସିନଏଡ୍ ଯୋଗୁଁ ଲଙ୍କାମରିଚର ରଙ୍ଗ ଲାଲ୍ ହୋଇଥାଏ ‌ । ଏହି କୋଳି ରାଗ ଥିଵା ଯୋଗୁଁ ସ୍ତନ୍ୟପାୟୀ ପ୍ରାଣୀମାନେ ଖାଇପାରୁନଥିଲେ କିନ୍ତୁ ପକ୍ଷୀମାନେ ସେ କୋଳିକୁ ସହଜରେ ଖାଇପାରୁଥିଲେ । ସେହି ପ୍ରାଚୀନ ମୂଳ ପାଦପରୁ ପରେ Capsicum ପ୍ରଜାତି(Genus)ର କୋଡ଼ିଏରୁ ଶତେଇଶ ଗୋଟି ଲଙ୍କାମରିଚ ଜାତି(species) ସୃଷ୍ଟି ହୋଇଛି । ସାରା ଵିଶ୍ଵରେ ଵ୍ୟାପକ ଭାବରେ ଚାଷ ହେଵାରୁ ଲଙ୍କାମରିଚଗଛର ଇତିମଧ୍ୟରେ ୫୦୦୦୦ରୁ ଅଧିକ cultivar ଵା ଚାଷ କିସମ ମଧ୍ୟ ମାନଵକୃତ ପରିଵର୍ତ୍ତନ ତଥା Capsicum ଜାତୀୟ ଗଛଗୁଡ଼ିକ ମଧ୍ୟରେ ସଙ୍କର କିସମ ସୃଷ୍ଟି କରିଵାର ପ୍ରାକୃତିକ କ୍ଷମତା ଯୋଗୁଁ ସୃଷ୍ଟି ହୋଇଛି । ପରିଣାମ ସ୍ବରୂପ "ଭୁତ୍ ଜଲକିଆ ଵା ନାଗା ଜଲକିଆ" ଭଳି ଅତି ରାଗ ଲଙ୍କା ଭାରତର ପୂର୍ଵୋତ୍ତର ରାଜ୍ୟ ଆସାମରେ ଵିକଶିତ ହୋଇପାରିଛି‌ । 

ଭାରତରେ ଅନେକ ପ୍ରକାରର ଲଙ୍କାମରିଚ କିସମ ଥିଵାରୁ ଅନେକେ ଵିଶ୍ଵାସ କରନ୍ତି ନାହିଁ ଯେ ଲଙ୍କାମରିଚ ଏକ ଵୈଦେଶିକ ପାଦପ । ତେବେ
ଦକ୍ଷିଣ ଆମେରିକାରେ ଛଅରୁ ସାତ ହଜାର ଵର୍ଷ ପୂର୍ଵେ ଲଙ୍କାମରିଚ ଚାଷ ହେଉଥିଵାର ଵୈଜ୍ଞାନିକ ପ୍ରମାଣ ମିଳିଛି । ପଶୁମାନେ ଉତ୍କଟ ରାଗ ଯୋଗୁଁ ସିନା ଲଙ୍କାମରିଚ ଖାଇପାରନ୍ତି ନାହିଁ କିନ୍ତୁ ପକ୍ଷୀମାନେ ଲଙ୍କାମରିଚ ଖାଇଵାର ଦୃଶ୍ୟ ହୋଇଥାଏ ‌ । ତେଣୁ କେହି କେହି ଅନୁମାନ କରନ୍ତି ଯେ ପକ୍ଷୀମାନଙ୍କ ଦ୍ଵାରା କୋଡ଼ିଏରୁ ସତେଇଶ ଗୋଟି ଲଙ୍କାମରିଚ ଜାତୀୟ ଗଛ ମଧ୍ୟରୁ କେତେକ ଲଙ୍କାମରିଚ ଜାତୀୟ ଗଛର ମଞ୍ଜି ଦକ୍ଷିଣ ଆମେରିକାରୁ ମଧ୍ୟ ଆମେରିକାରେ ଆସି ପହଞ୍ଚିଥିଲା । ଦକ୍ଷିଣ ଓ ମଧ୍ୟ ଆମେରିକାରେ ରହୁଥିଵା ପ୍ରାଚୀନ ଅଧିଵାସୀମାନେ ହଜାର ହଜାର ଵର୍ଷ ଧରି ଲଙ୍କାମରିଚକୁ ଖାଦ୍ୟ ତଥା ଔଷଧ ଭାବରେ ଵ୍ୟଵହାର କରୁଥିଲେ । ପ୍ରାଚୀନ ଆମେରିକୀୟ ଜନଜାତୀୟ ସଂସ୍କୃତିରେ ଲଙ୍କାମରିଚ ମହତ୍ତ୍ୱପୂର୍ଣ୍ଣ ଥିଲା । 

ପୂର୍ଵେ ୟୁରୋପରେ ସେତେ ମସଲାଦ୍ରଵ୍ୟର ଚାଷ ହେଉନଥିଲା ଵରଂ ୟୁରୋପୀୟମାନେ ଵିଭିନ୍ନ ମସଲାଦ୍ରଵ୍ୟ ପାଇଁ ଭାରତ ଉପରେ ନିର୍ଭରଶୀଳ ଥିଲେ । ୟୁରୋପୀୟମାନେ ଭାରତୀ ମରିଚ କଳାମରିଚ ଵା ଗୋଲମରିଚ ତଥା ପିପ୍ପଳୀକୁ Pepper କହୁଥିଲେ ‌ । ଏହି Pepper ଶବ୍ଦଟି ସଂସ୍କୃତର ପିପ୍ପଳୀରୁ ସୃଷ୍ଟି ହୋଇଛି । ପ୍ରକୃତରେ ଉଭୟ ଗୋଲମରିଚ ଓ ପିପ୍ପଳୀକୁ ପାଶ୍ଚାତ୍ୟ ସଂସ୍କୃତି ର ଲୋକେ ଆଗେ pepper କହୁଥିଲେ । ଯେହେତୁ ଏ ଉଭୟ ଏକ ପରିଵାରର ପାଦପ ପୁଣି ପ୍ରାୟ ଏକା ପ୍ରକାରର ଗୁଣ ଵହନ କରନ୍ତି
ତେଣୁ ୟୁରୋପୀୟମାନେ ଏଭଳି ନାମକରଣ କରିଥିଲେ । ଭାରତୀୟ ମାନେ ଆଗେ ଗୋଲମରିଚ,ପିପ୍ପଳି ତଥା ଧଳାମରିଚ(ସଜନା ଗଛର ମଞ୍ଜି) ଆଦିର ଵ୍ୟଵହାରରେ ଖାଦ୍ୟ ତିକ୍ତ ସ୍ଵାଦ ପାଇଁ କରୁଥିଲେ । ଦକ୍ଷିଣ ଏସିଆ ରେ ପ୍ରାୟ ୨୦୦୦ ଖ୍ରୀଷ୍ଟପୂର୍ଵରୁ କଳାମରିଚ,ପିପ୍ପଳୀ ଓ ଧଳାମରିଚ ଆଗରୁ ବ୍ୟବହାର ହୋଇ ଆସୁଛି । 

ଐତିହାସିକ J. Innes Miller ଲେଖିଛନ୍ତି
  “while pepper was grown in southern Thailand and in Malaysia, its most important source was India, particularly the Malabar Coast, in what is now the state ofKerala”

କେରଳର ପ୍ରାଚୀନ ଲୁପ୍ତ ବନ୍ଦର Muzirisin
ଗୋଲମରିଚ ରପ୍ତାନୀ ପାଇଁ ସାରା ଵିଶ୍ଵରେ
ଲୋକପ୍ରିୟ ଥିଵା ଅନେକ ଵୈଦେଶିକ ଐତିହାସିକ ତଥ୍ୟାତ୍ମକ ପାଣ୍ଡୁଲିପି ଗୁଡିକରୁ ମିଳୁଅଛି । କୁହାଯାଏ କଳାମରିଚ ଲଙ୍କାମରିଚ ଜଗତକୁ ମିଳିଵା ପୂର୍ଵରୁ "black gold" ର ଆଖ୍ୟା ଲାଭ କରିଥିଲା ଏମନ୍ତକି ଆଗେ ଗୋଲମରିଚର ଵ୍ୟଵହାର commodity money ଭାବରେ ବି ହେଉଥିଲା ।

ଷୋହଳଶହ ଶତାବ୍ଦୀ ପୂର୍ଵରୁ ଗୋଲମରିଚ ଓ ପିପ୍ପଳୀ ଜାଵା,ସୁନ୍ଦା, ସୁମାତ୍ରା, ମାଡାଗାସ୍କର, ମାଲେସିଆ ,ଭାରତ ଓ ଚୀନ ଆଦି ଦେଶର ଖାଦ୍ୟଦ୍ରଵ୍ୟର ଏକ ମୁଖ୍ୟ ଅଙ୍ଗ ଥିଲା । ଗୋଲମରିଚକୁ ହିଁ ଆଗେ କେଵଳ ମରିଚ କୁହାଯାଉଥିଲା ତେଣୁ ପ୍ରାଚୀନ ସାହିତ୍ୟ ତଥା ପୁରାଣାଦି ଗ୍ରନ୍ଥରେ ଆମ୍ଭେମାନେ ଯେଉଁ ମରିଚ ଶବ୍ଦ ଉଲ୍ଲେଖ ଥିଵା ଦେଖନ୍ତି ତାହା ପ୍ରକୃତରେ ଗୋଲମରିଚ ଅର୍ଥରେ ପ୍ରୟୋଗ କରାଯାଇଥିଲା । 

ଉଦାହରଣ ସ୍ୱରୂପ ବଳରାମ ଦାସଙ୍କ ଜଗମୋହନ ରାମାୟଣରେ ମରିଚ ଶବ୍ଦ ପ୍ରୟୋଗ କରାଯାଇଛି 

"ବସିଲା ଘୃତ ଆବର ଦେଲେ ଅଦା ଲୁଣ । ନିରମିଷ ଆମିଷ ଯେ ଅନେକ ତିଉଣ॥ 
ହେଙ୍ଗୁ ଜିରା ମରିଚ ନଡ଼ିଆ ଦୁଧ ଛେନା । 
ଘୃତରେ କରି ନାନାଦି ପିଷ୍ଟକ ରଚନା ॥”

ଏଠାରେ ଵ୍ୟଵହାର ହୋଇଥିଵା ମରିଚ ଶବ୍ଦର ଅର୍ଥ ଗୋଲମରିଚ ଅଟେ କାରଣ ବଳରାମ ଦାସଙ୍କ ସମୟରେ ଵା ତାପରେ ଲଙ୍କାମରିଚ ନୂଆ ନୂଆ ଭାରତକୁ ଆସିଥିଵାରୁ ସର୍ଵତ୍ର ଲୋକପ୍ରିୟ ହୋଇନଥିଵା ସହଜେ ଵିଶ୍ଵାସଯୋଗ୍ୟ । 

ସଂସ୍କୃତ କଳ୍ପଦ୍ରୁମ ଅଭିଧାନରେ 'ମରିଚଂ' ଶବ୍ଦର ନିରୁକ୍ତି ଲେଖାଅଛି “ମ୍ରିୟତେ ନଶ୍ଯତି ଶ୍ଲେଷ୍ମାଦିକମନେନେତି । ମୃ + ବାହୁଳକାତ୍ ଇଚଃ ।” ଗୋଲମରିଚର ସଂସ୍କୃତ ପର୍ଯ୍ୟାୟଵାଚକ ଶବ୍ଦଗୁଡ଼ିକ ହେଲା ପଵିତମ୍, ଶ୍ଯାମମ୍,କୋଳମ୍ ,ଵଲ୍ଲୀଜମ୍ ,ଊଷଣମ୍ ,ଯଵନେଷ୍ଟମ୍ ,ଵୃତ୍ତଫଳମ୍ ,ଶାକାଙ୍ଗମ୍ ,ଧର୍ମ୍ମପତ୍ତନମ୍ , କଟୁକମ୍ , ଶିରୋଵୃତ୍ତମ୍ , ଵୀରମ୍ , କଫଵିରୋଧି ,ମୃଷମ୍ ,ସର୍ଵ୍ଵହିତମ୍ ,କୃଷ୍ଣମ୍ ଓ ଵେଲ୍ଲଜମ୍ ଇତ୍ୟାଦି । ସୁଶ୍ରୁତଙ୍କ ସୂତ୍ରସ୍ଥାନର ୩୮ ଅଧ୍ଯାୟରେ ଗୋଲମରିଚକୁ ହିଁ ମରିଚ ଭାବେ ଉଲ୍ଲେଖ କରାଯାଇଛି
 “ପିପ୍ପଳୀମରିଚଶୃଙ୍ଗଵେରାଣି ତ୍ରିକଟୁକମ୍ ॥” 
 
ମୁସଲମାନମାନେ କନସ୍ଟାଣ୍ଡିନୋପଲ୍ ଅଧିକାର କରିନେଲା ପରେ ଦକ୍ଷିଣ ଏସୀୟ ବାଣିଜ୍ୟ ପଥ  
 ଦେଇ ଆଉ ଇଉରୋପରେ ଭାରତୀୟ ମସଲା ଵିଶେଷ କରି ଗୋଲମରିଚ ଓ ପିପ୍ପଳୀ ସହଜରେ ପହଞ୍ଚି ପାରିଲା ନାହିଁ । ଯଦି ଵା କିଛି ପରିମାଣରେ ପହଞ୍ଚିଲା ତାହାର ମୂଲ୍ୟ ଆକାଶଛୁଆଁ ହେଲା । ତେଣୁ ନିଜ ଥଣ୍ଡା ଦେଶରେ ଜନ୍ମିତ ଶରୀରକୁ କଟୁ ରାଗ ରସ ଆସ୍ଵାଦ ସୁଖରେ
ରେ ଭରିଵା ପାଇଁ ଇଉରୋପୀୟ ମାନେ ଅନେକ ଗୁଡିଏ ଜଳଯାତ୍ରା କରିଥିଲେ । ସଵୁ ୟୁରୋପୀୟ ଜାତିମାନଙ୍କ ମଧ୍ୟରେ ସ୍ପେନ ତଥା ପର୍ତ୍ତୁଗୀଜମାନେ ସର୍ଵାଧିକ ଜଳଯାତ୍ରା କରୁଥିଲେ । 

କଲମ୍ବସ ଭାରତକୁ ଉଣ୍ଡୁ ଉଣ୍ଡୁ ଆମେରିକାର ଭୂଭାଗ ପାଇଵା ପରେ ପର୍ତ୍ତୁଗୀଜମାନେ ହାଇତି ଦ୍ଵୀପରେ ପ୍ରଥମେ ଲଙ୍କାମରିଚ ଜାତୀୟ ଏକ ଗଛ ଜାତିର ସନ୍ଧାନ ପାଇ ଏହାର ନାମ ଦେଇଥିଲେ pimiento , ଏହି pimiento ଭାରତୀୟ ଗୋଲମରିଚର ୟୁରୋପୀୟ ପ୍ରତିଶବ୍ଦ ଥିଲା । ଆଜିକାଲି ସାଧାରଣତଃଶିମିଳା ଲଙ୍କାକୁ pimiento କୁହାଯାଉଛି ।

 ଇଂରାଜୀରେ ଲଙ୍କାମରିଚକୁ Chili pepper କୁହାଯାଏ ଏଵଂ ଏହି Chili ଶବ୍ଦଟି ଆଜଟେକ୍ ମୂଳ ଆମେରିକୀୟ ଆଦିଵାସୀମାନଙ୍କର Nahuatl ଭାଷାରୁ ନିଆଯାଇଛି । ଏହାର ମୂଳରୂପ chīlli ଥିଲା । ପର୍ତ୍ତୁଗୀଜମାନେ ଭାରତ,ପାରସ୍ୟ, ଇଣ୍ଡୋନେସିଆ ଆଦି ଅନେକ ଦେଶରେ ଲଙ୍କାମରିଚ ଗଛକୁ ପ୍ରଥମେ ପହଞ୍ଚାଇଥିଲେ । କିନ୍ତୁ ଲଙ୍କାମରିଚ ଭାରତରେ ଏଭଳି ଭାବେ ଵ୍ୟାପିଗଲା ଯେ ପାଞ୍ଚଶହ ଵର୍ଷ ମଧ୍ୟରେ ଗୋଲମରିଚ ଵା କଳାମରିଚ,ପିପ୍ପଳି ତଥା ଧଳାମରିଚ(ସଜନା ମଞ୍ଜି)ର ସ୍ଥାନ ସମ୍ପୂର୍ଣ୍ଣ ଭାବରେ ନେଇଗଲା ।

ଲଙ୍କାମରିଚ ଏକ ଅଦ୍ଭୁତ ପାଦପ । ଏଥିରେ ଗୋଟିଏ ଯାଦୁ ଵା କିମିଆ ଅଛି ବୋଲି ପ୍ରାଚୀନ ଆମେରିକୀୟ ମୂଳନିଵାସୀ ଵିଶ୍ଵାସ କରୁଥିଲେ । ସେମାନଙ୍କ ଅନୁମାନ ସତ ବି ହୋଇଛି କାରଣ ପୃଥିଵୀର ଆଦ୍ର ତଥା ଶୁଷ୍କ ମରୁଭୂମି ଅଞ୍ଚଳଗୁଡି଼କୁ ଛାଡ଼ିଦେଲେ ପୃଥିଵୀରେ ପ୍ରାୟ ସର୍ଵତ୍ର ଲଙ୍କାମରିଚର ଚାଷ ହେଉଅଛି । ପୁଣି ପୃଥିଵୀର ସବୁ ଦେଶର ଲୋକେ ଲଙ୍କାମରିଚ ସହିତ ପରିଚିତ । ପୃଥିଵୀର ଏମିତି କୌଣସି ଦେଶ ନଥିଵ ଯେଉଁ ଦେଶରେ ଲଙ୍କାମରିଚ ମିଳୁନଥିଵ । 
ଲଙ୍କାମରିଚ ପ୍ରଜାତି Capsicumରେ ମୁଖ୍ୟତଃ ୨୦ରୁ ୨୭ଗୋଟି ମୂଳ ଜାତି ତଥା ୫୦୦୦୦ରୁ ଅଧିକ cultivar ଵା ଚାଷ କିସମ ରହିଛି । ମାତ୍ର ପାଞ୍ଚଶହ ଵର୍ଷ ମଧ୍ୟରେ ଲଙ୍କାମରିଚର ୨୦ରୁ ୨୭ଟି ମୂଳ ପାଦପଜାତି ମଧ୍ୟରୁ ପଚାଶ ହଜାରରୁ ଅଧିକ ଚାଷ କିସମ କେମିତି ସୃଷ୍ଟି ହୋଇଗଲା ତାହା ଆଜି ବି ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦିଏ । 

ଵୈଜ୍ଞାନିକମାନେ କୁହନ୍ତି ଏହି ୫୦୦୦୦ ଲଙ୍କାମରିଚ ଚାଷକିସମ ଵା cultivar ମଧ୍ୟରେ କେଵଳ ଚାରିହଜାର ଚାଷକିସମ(cultivar) ଲଙ୍କାମରିଚ ଜାତି Capsicum annuum ସହିତ ସମ୍ପର୍କିତ । ସେହିପରି ୬୦୦୦ରୁ ଅଧିକ ଲଙ୍କାମରିଚ ଚାଷ କିସମର ମୂଳ ଲଙ୍କାମରିଚ ଜାତି ଵିଷୟରେ ସମ୍ପୂର୍ଣ୍ଣ ଦ୍ଵନ୍ଦ୍ଵହୀନ ତଥ୍ୟ ମିଳିପାରିନାହିଁ । ଏଥିରୁ ସହଜେ ହୃଦବୋଧ ହୁଏ ଯେ କେତେ ଭୀଷଣ ଭାବରେ ଗତ ପାଞ୍ଚଶହ ଶତାବ୍ଦୀ ମଧ୍ୟରେ ନାନା ଚାଷକିସମ ସୃଷ୍ଟି ହୋଇଛି । କେତେକ ଜଣାଶୁଣା ଲଙ୍କାମରିଚ ଚାଷକିସମ ଓଡ଼ିଶାରେ ବହୁଳ ଭାବରେ ଲଗାଯାଏ ଯଥା — କୋଳିଲଙ୍କାମରିଚ,ଠିଆଲଙ୍କାମରିଚ,ଧଳାଲଙ୍କାମରିଚ,ରାଗ ଲଙ୍କାମରିଚ ଵା ଜହରି ଲଙ୍କାମରିଚ,ସଜି ଲଙ୍କାମରିଚ,ଦକ୍ଷିଣୀ ଲଙ୍କାମରିଚ ଓ ଧାନୁଆ ଲଙ୍କାମରିଚ ଇତ୍ୟାଦି । 

ଲଙ୍କାମରିଚ ତୀଵ୍ର, କଟୁରସ, ଉଷ୍ଣଵୀର୍ଯ୍ୟ, ଅଗ୍ନିବର୍ଦ୍ଧକ ଓ ରୁଚିକର। ପ୍ରାୟ ସମସ୍ତ ରୋଗପକ୍ଷରେ ଏହା ଅନିଷ୍ଟକର କିନ୍ତୁ ଭାରତୀୟମାନେ ଏହାକୁ ଅଧୁନା ଏତେ ପରିମାଣରେ ଵ୍ୟଵହାର କରୁଛନ୍ତି ଯେ ହୃଦରୋଗ, ମଧୁମେହ,ଅର୍ଶାଦି ଵିଭିନ୍ନ ରୋଗ ଭୋଗ କରୁଛନ୍ତି । ଲଙ୍କାମରିଚ ଗୋଟିଏ ଦୁଇଧାରିଆ ଖଣ୍ଡାପରି ଏହାକୁ ବୁଝି ଵିଚାରି ଖାଦ୍ଯଦ୍ରଵ୍ୟରେ ଵ୍ୟଵହାର କଲେ ଏଵଂ ଯଥା ସମ୍ଭଵ ଭାରତୀୟ ମରିଚ କଳାମରିଚ ଵା ଗୋଲମରିଚକୁ ମହତ୍ତ୍ଵ ଦେଲେ ଭାରତୀୟମାନେ ନିରୋଗ ରହିପାରନ୍ତେ ।